विवेचन सारांश
ଓଁ ତତ୍ ସତ୍ ଏବଂ ଶ୍ରଦ୍ଧାର ମହତ୍ତ୍ୱ

ID: 4087
उड़िया - ଓଡ଼ିଆ
ଶନିବାର, 02 ଡିସେମ୍ବର 2023
ଅଧ୍ୟାୟ 17: ଶ୍ରଦ୍ଧାତ୍ରୟବିଭାଗ ଯୋଗ
3/3 (ଶ୍ଳୋକ 20-28)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଶ୍ରୀକୃଷ୍ଣଙ୍କର ବନ୍ଦନା, ଗୁରୁଙ୍କର ବନ୍ଦନା ଏବଂ ପବିତ୍ର ଦୀପ ପ୍ରଜ୍ଜ୍ୱଳନ ସହିତ ଆଜିର ସତ୍ର ଆରମ୍ଭ ହେଲା। ଭଗବାନଙ୍କ ଅଶେଷ କୃପା ଯୋଗୁଁ ଆମେ ଗୀତାର ଏହି ମହାଯଜ୍ଞରେ ସମ୍ମିଳିତ ହେଇଅଛୁ। ଗୀତା କଣ୍ଠସ୍ଥ କରୁଛୁ ଏବଂ ଜୀବନରେ ଉତାରିବାକୁ ଚେଷ୍ଟା କରୁଛୁ। ଆମର ଏହି ଜନ୍ମ ଅଥବା ପୂର୍ବଜନ୍ମର କିଛି ପୂଣ୍ୟ ରହିଛି, ଅଥବା କୌଣସି ସନ୍ଥ ମହାତ୍ମାଙ୍କର ଆମ ପ୍ରତି କୃପା ଦୃଷ୍ଟି ରହିଛି, ଯାହା ଫଳରେ ଆମେ ଆଜି ଗୀତାଜୀଙ୍କୁ ଜାଣିବାର ପ୍ରୟାସ କରୁଛୁ।

ଅଧ୍ୟାୟର ପୂର୍ବ ଭାଗରେ ଅର୍ଜୁନ ପ୍ରଶ୍ନ କଲେ କି, ଯେଉଁ ଶ୍ରଦ୍ଧା ବିନା ଶାସ୍ତ୍ର ଜ୍ଞାନରୁ ଉତ୍ପନ୍ନ ହୋଇଥାଏ, ତାହା ସାତ୍ତ୍ୱିକ, ରାଜସିକ, ବା ତାମସିକ, କେଉଁ ଶ୍ରେଣୀରେ ଅନ୍ତର୍ଭୁକ୍ତ? ଏହା ପରେ ଶ୍ରୀଭଗବାନ ଜ୍ଞାନର ପେଡି ଖୋଲିଲେ। ସେ କହିଲେ, ଶ୍ରଦ୍ଧା ତିନି ପ୍ରକାରର ହେଇ ପାରିବ - ସାତ୍ତ୍ୱିକ, ରାଜସିକ, ବା ତାମସିକ।

ଶ୍ରଦ୍ଧାର ମାନେ କ’ଣ, କେମିତି ବୁଝିବା? ଯେପରି, ରଙ୍ଗ ବୁଝିବାକୁ ଆମେ ଚାହୁଁଛେ, କିନ୍ତୁ କେବଳ ରଙ୍ଗକୁ ଆମେ ଦେଖିପାରିବା ନାହିଁ। ରଙ୍ଗ ଦେଖିବା ପାଇଁ ଆମକୁ ଯେକୌଣସି ମାଧ୍ୟମର ଆଶ୍ରୟ ନେବାକୁ ହୁଏ। ଯେପରି ମାଧ୍ୟମରେ ଏକାକାର ନହେଲେ ଆମେ କୌଣସି ରଙ୍ଗ ବୁଝିପାରିବା ନାହିଁ, ସେହିପରି ଶ୍ରଦ୍ଧାର ମଧ୍ୟ ବିଶିଷ୍ଟତା ରହିଛି। କୌଣସି କର୍ମ ସହ ନ ଜୋଡିଲେ ଶ୍ରଦ୍ଧା ଭାବ ଦୃଶ୍ୟ ହେବ ନାହିଁ ।

କାହାର ଶ୍ରଦ୍ଧା ପୂଜା କରିବାରେ ଥାଏ, କାହାରି ଯଜ୍ଞ କରିବାରେ, କାହାର ଦାନ କରିବାରେ, ଅନ୍ୟ କାହାର ଧ୍ୟାନରେ, କୌଣସି ବ୍ୟକ୍ତିର ମହାପୁରୁଷମାନଙ୍କ ସାନ୍ନିଧ୍ୟରେ, ଆହୁରି କାହାର ପୁସ୍ତକ ପଢିବାରେ ଥାଏ। ଯାହାର ଯେପରି ଶ୍ରଦ୍ଧା, ତାହାର ଚରିତ୍ର ସେହି ଅନୁରୂପ ହୋଇଥାଏ।

ଏହି ‘ଶ୍ରଦ୍ଧାତ୍ରୟବିଭାଗୟୋଗ‘ ଅଧ୍ୟାୟରେ ଏହା ବିଷୟରେ ବିସ୍ତୃତ ଭାବେ କୁହାଯାଇଅଛି। ମନୁଷ୍ୟର ଯେଉଁ ପ୍ରକାର ଶ୍ରଦ୍ଧା ତାହାର ବ୍ୟକ୍ତିତ୍ୱରେ ସେହିପରି ଶୋଭା ପ୍ରତିଫଳିତ ହୁଏ। ଅତ୍ୟନ୍ତ ଶ୍ରଦ୍ଧାପୂର୍ଣ୍ଣ ଓ ପବିତ୍ର ଏହି ‘ଶ୍ରଦ୍ଧାତ୍ରୟବିଭାଗୟୋଗ‘ ନାମକ ଅଧ୍ୟାୟର ବିବେଚନ ଏହି ବିଚାର ସହ ପ୍ରାରମ୍ଭ ହେଲା।






17.20

ଦାତବ୍ୟମିତି ୟଦ୍ଦାନଂ(ନ୍), ଦୀୟତେଽନୁପକାରିଣେ ।
ଦେଶେ କାଲେ ଚ ପାତ୍ରେ ଚ, ତଦ୍ଦାନଂ(ମ୍) ସାତ୍ତ୍ୱିକଂ(ମ୍) ସ୍ମୃତମ୍ ||20||

ଦାନ ଦେବା ହିଁ କର୍ତବ୍ୟ - ଏପରି ଭାବ ରଖି ଯେଉଁ ଦାନ ଦେଶ, କାଳ ଓ ପାତ୍ର ପ୍ରାପ୍ତିର ପ୍ରତ୍ୟୁପକାର ଆଶା ନ ରଖି ଅନୁପକାରୀକୁ ନିଃସ୍ୱାର୍ଥ ଭାବରେ ଦିଆ ଯାଏ, ସେହି ଦାନକୁ ସାତ୍ତ୍ଵିକ ଦାନ କହନ୍ତି।

ବିବେଚନ:

ଭଗବାନ କହିଛନ୍ତି - ହେ ଅର୍ଜୁନ , ଯଜ୍ଞ, ଦାନ, ତପ ତିନି ପ୍ରକାରର ହୁଏ - ସାତ୍ତ୍ୱିକ, ରାଜସିକ ଓ ତାମସିକ ।

ଦାନରେ ମଧ୍ୟ ତିନି ପ୍ରକାର ଶ୍ରଦ୍ଧା ଦେଖାଯାଏ - ସାତ୍ତ୍ୱିକ, ରାଜସିକ ଓ ତାମସିକ

ଯେଉଁ ଦାନ ଦେଶ, କାଳ, ପାତ୍ର ଏହି ତିନି ଦିଗକୁ ଧ୍ୟାନରେ ରଖି ଦିଆଯାଏ ତାହାକୁ ସାତ୍ତ୍ୱିକ ଦାନ କୁହାଯାଏ। ଦାନ କରିବା ସମୟରେ ଦେଶ, କାଳ ଓ ପାତ୍ର ବିଚାରକୁ ନେବା ଉଚିତ। ମୁଁ ଦାନ ଦେଲି, ଏହାକୁ ଉପକାର ମନେକରି ମତେ ମାନସମ୍ମାନ ମିଳୁ, ଏହି ପ୍ରବୃତ୍ତି ସହ ଦାନ କରିବା ଉଚିତ ନୁହଁଁ । ଭଗବାନ ଆମକୁ ଦେଉଛନ୍ତି, ଆମେ ତାହା ସମର୍ପଣ କରୁଛୁ, ଏହି ଭାବ ମନରେ ରଖିବା ଉଚିତ।

ଯେତେବେଳେ ଭାଗବତ ପାରାୟଣ ପାଳନ କରାଯାଏ, କେତେଜଣ କାର୍ଯ୍ୟକର୍ତ୍ତାଙ୍କୁ ପ୍ରସାଦ ବିତରଣ କରିବାର ଦାୟିତ୍ୱ ଦିଆଯାଇଥାଏ। ସେମାନେ ପ୍ରସାଦ ବିତରଣରେ କାହାର ଉପକାର କରନ୍ତି ନାହିଁ, ଏହାକୁ କର୍ତ୍ତବ୍ୟ ଭାବରେ ପାଳନ କରିବା ଉଚିତ। ଏହିପରି ଭାବନା ରଖିଲେ ସେମାନଙ୍କର କୌଣସି ଆଶା ରହେ ନାହିଁ। ସେହିପରି ଭଗବାନ ଆମ୍ଭମାନଙ୍କୁ ଯେଉଁ ବଳ, ବୁଦ୍ଧି, ଧନ ଆଦି ଦେଇଛନ୍ତି, କର୍ତ୍ତବ୍ୟ ମନେକରି ଏହା ଦ୍ୱାରା ଅନ୍ୟର ସେବା କରିବା ଉଚିତ। ଏଠାରେ ଭଗବାନ କହୁଛନ୍ତି, ଦାନ କରିବା ମନୁଷ୍ୟର କର୍ତ୍ତବ୍ୟ କିନ୍ତୁ ଏହାକୁ ତ୍ୟାଗ ମନେକରିବାକୁ ବାରଣ କରିଛନ୍ତି। ବୃହସ୍ପତି ନୀତି ଅନୁଯାୟୀ ନିଜ ଆୟର ଦଶ ପ୍ରତିଶତ ଦାନ, ଏବଂ ଶୁକ୍ର ନୀତି ଅନୁଯାୟୀ ବିଂଶ ପ୍ରତିଶତ ଦାନର ବିଧାନ ଅଛି। କେବଳ ଦାନ ଦେଇଦେବା ମହତ୍ତ୍ୱପୂର୍ଣ୍ଣ ନୁହେଁ। ଏହି ବିଷୟରେ ଏକ ପ୍ରସଙ୍ଗ ଅଛି -

ଏକ ରାଜ୍ୟରେ ଅକାଳ ପଡିଥିଲା। ରାଜା ଏବଂ ରାଜ୍ୟର ପ୍ରମୂଖ ପୁରୋହିତ ଅତ୍ୟନ୍ତ ସାତ୍ତ୍ୱିକ ଏବଂ କର୍ମନିଷ୍ଠ ଥିଲେ। ଅକାଳ ଆରମ୍ଭରୁ ହିଁ ପୁରୋହିତ ଯଜ୍ଞ କରିବାର ପ୍ରସ୍ତାବ ଦେଇଥିଲେ। ରାଜା ବହୁ ନିଷ୍ଠା ଓ କର୍ତ୍ତବ୍ୟଶୀଳତା ସହ ଯଜ୍ଞର ଆୟୋଜନ କଲେ। ସେହି ରାଜ୍ୟର ପ୍ରଜାମାନେ ମଧ୍ୟ ଶ୍ରଦ୍ଧାବାନ ଥିବାରୁ, ସମସ୍ତେ ୟଜ୍ଞ କାର୍ଯ୍ୟକୁ ନିଜ କର୍ତ୍ତବ୍ୟ ମନେ କରି ସେଥିରେ ଯୋଗ ଦେଲେ ଓ ଉତ୍ତମ ରୂପରେ ଯଜ୍ଞ ସମ୍ପନ୍ନ ହେଲା। ଇନ୍ଦ୍ରଦେବ ଖୁସି ହେବାରୁ ବର୍ଷା ହେଲା ଏବଂ ଅକାଳ ଦୂର ହେଲା। ଯଜ୍ଞ ସମାପ୍ତ ହେବା ପରେ ସମସ୍ତେ ନିଜସ୍ୱ ଗୃହକୁ ଫେରିଯିବାକୁ ଲାଗିଲେ। ରାସ୍ତାରେ ପାଖଆଖରେ ଖରା ଥିଲା, କିନ୍ତୁ କିଛି ବ୍ୟକ୍ତି ସମୂହଙ୍କ ଉପରେ ମେଘ କୃପା ଦୃଷ୍ଟି ସହ ଲାଗି ରହିଲା। ଏହି ଜନ ସମୂହଙ୍କ ମଧ୍ୟରେ ସାଧୁ, ସେଠ, ସାଧାରଣ ଜନତା ଏବଂ ଏକ ଅତ୍ୟନ୍ତ ଦରିଦ୍ର ବୃଦ୍ଧା ଥିଲେ । ସେମାନେ ଜାଣିବାକୁ ଚାହିଁଲେ ସେମାନଙ୍କ ମଧ୍ୟରେ ପୂଣ୍ୟାତ୍ମା କିଏ। ସେଥିପାଇଁ ସେମାନେ ଜଣ ଜଣ କରି ଅଲଗା ହେବାରେ ଲାଗିଲେ। ଶେଷରେ କେବଳ ବୃଦ୍ଧା ଓ ସାଧୁ ରହିଲେ। ସାଧୁ ବୃଦ୍ଧାଙ୍କୁ କହିଲେ, ଆପଣ ସେହି ପୂଣ୍ୟାତ୍ମା ଯାହା ପାଇଁ ଏହା ସମ୍ଭବ ହେଲା। ‘ମୁଁ କିପରି ହେଇ ପାରିବି‘ କହି ବୃଦ୍ଧା ଦୌଡିବାକୁ ଲାଗିଲେ, ସଙ୍ଗେ ସଙ୍ଗେ ମେଘ ତାଙ୍କ ପଛରେ ଯିବାକୁ ଲାଗିଲା। ସାଧୁ ମହାତ୍ମା ନତମସ୍ତକ ସହ ପଚାରିଲେ, ‘ ମାତା, ଆପଣ ଏପରି କଣ ପୂଣ୍ୟ କାର୍ଯ୍ୟ କଲେ?’

ବୃଦ୍ଧା ନମ୍ର ଭାବେ ଉତ୍ତର ଦେଲେ, ’ମୁଁ ବହୁତ ଗରୀବ। ଯଜ୍ଞରେ ଦାନ ଦେବା ପାଇଁ କିଛି ନଥିଲା, ବହୁତ ଖୋଜିବା ପରେ ଏକ ସିକ୍କା ମିଳିଲା, ଯାହାକୁ ମୁଁ ଯଜ୍ଞରେ ଅର୍ପଣ କଲି। ପ୍ରସାଦ ସ୍ୱରୂପ ମତେ ଯାହା ମିଲୁଥିଲା, ସେଥିରୁ ଏକ ପୁରି ମୁଁ ଖାଉଥିଲି, ବଳକା ଖାଦ୍ୟ ଭୋକିଲା କୁକୁରମାନଙ୍କୁ ଖୁଆଇ ଦେଉଥିଲି।‘ 

ବୃଦ୍ଧା ସିକ୍କା ରୂପରେ ନିଜର ସର୍ବସ୍ୱ ଅର୍ପଣ କଲା ପରେ, ପ୍ରସାଦ ରୂପରେ ଯାହା ମିଳିଲା, ସେଥିରୁ ମଧ୍ୟ ଦେବାରେ ବିଶ୍ୱାସ ରଖିଲେ। ଭଗବାନ କୁହନ୍ତି, ଏହା ହିଁ ସାତ୍ତ୍ୱିକ ଦାନ ଅଟେ।  


17.21

ୟତ୍ତୁ ପ୍ରତ୍ୟୁପକାରାର୍ଥଂ(ମ୍), ଫଲମୁଦ୍ଦିଶ୍ୟ ବା ପୁନଃ ।
ଦୀୟତେ ଚ ପରିକ୍ଲିଷ୍ଟଂ(ନ୍), ତଦ୍ଦାନଂ(ମ୍) ରାଜସଂ(ମ୍) ସ୍ମୃତମ୍ ||21||

କିନ୍ତୁ ଯେଉଁ ଦାନ କ୍ଳେଶ ପୂର୍ବକ ତଥା ପ୍ରତ୍ୟୁପକାର ପାଇବା ନିମନ୍ତେ ଅଥବା ଫଳପ୍ରାପ୍ତି ଉଦ୍ଦେଶ୍ୟରେ ଦିଆ ଯାଏ , ସେହି ଦାନକୁ ରାଜସ ବୋଲି କୁହାଯାଏ।

ବିବେଚନ :-

ଯେଉଁ ଦାନ ଫଳ ପ୍ରାପ୍ତିର ଇଚ୍ଛା ସହ, କ୍ଳେଶ ସହ, ଅଥବା ପ୍ରତି-ଉପକାର ଆଶାରେ କରାଯାଏ, ସେହି ଦାନକୁ ରାଜସିକ ଦାନ କୁହାଯାଏ। ଉଦାହରଣ ସ୍ୱରୂପ, ଘରକୁ ଗଣେଶ ପୂଜା ଚାନ୍ଦା ପାଇଁ କେହି ଆସିଲେ, ଆମେ ତାଙ୍କ ସହ କେତେ ତଙ୍କା ଦେବୁ ବାକ-ବିତର୍କ କରୁ, ପଚାସ ନିଅ ନହେଲେ ଶହେ ନିଅ, ଆଦି।  

ଏହିପରି ମୁଲେଇବା ଭାବନା ସହ ଚାନ୍ଦା ଦେଉ ଏବଂ ତାହା ପରେ ଆମ ମନରେ ଦୁଃଖ ମଧ୍ୟ ଆସେ। ଏହା ଦ୍ୱାରା ପୂଣ୍ୟ ମିଳେନାହିଁ ବରଂ କ୍ଳେଶ ଉତ୍ପନ୍ନ ହୁଏ।

ନିଜର ଫଟ ପ୍ରକାଶନ କରିବା ପାଇଁ ଅଥବା ମାନ ସମ୍ମାନ ପାଇବା ପାଇଁ କରିଥିବା ଦାନ ଉଚିତ ନୁହଁ, କିନ୍ତୁ ଯଦି ଏହା କରିବା ଦ୍ୱାରା ଗରୀବ ବ୍ୟକ୍ତିଙ୍କର ଖାଦ୍ୟ ବ୍ୟବସ୍ଥା ହୋଇଯାଏ, ତେବେ ଏହାକୁ ମଧ୍ୟମ ଶ୍ରେଣୀର ଦାନ କୁହାଯାଇପାରିବ। ସେଥିପାଇଁ ରାଜସିକ ଦାନକୁ ଖରାପ କର୍ମ ଆଖ୍ୟା ଦେଇପାରିବା ନାହିଁ। ଏହାଦ୍ୱାରା ଆପଣ କିଛି ତ ଭଲ କାମ କରିଛନ୍ତି।

ଆମର ଗୀତା ସେବୀମାନେ ବହୁତ ଶ୍ରଦ୍ଧା ସହ ସମୟ ଦାନ କରନ୍ତି ଏବଂ ନିଜର ପ୍ରସନ୍ନତା ମଧ୍ୟ ସମସ୍ତଙ୍କୁ ବାଣ୍ଟନ୍ତି।


17.22

ଅଦେଶକାଲେ ୟଦ୍ଦାନମ୍, ଅପାତ୍ରେଭ୍ୟଶ୍ଚ ଦୀୟତେ ।
ଅସତ୍କୃତମବଜ୍ଞାତଂ(ନ୍), ତତ୍ତାମସମୁଦାହୃତମ୍ ||22 ||

କିନ୍ତୁ ଯେଉଁ ଦାନ ବିନା ସତ୍କାରରେ ଅଥବା ତିରସ୍କାର ପୂର୍ବକ ଅଯୋଗ୍ୟ ଦେଶ - କାଳରେ ଏବଂ ଅପାତ୍ରରେ ଦିଆ ଯାଏ , ସେହି ଦାନକୁ ତାମସ କୁହାଯାଏ।

ବିବେଚନ -

ଯେଉଁ ଦାନ ଅପାତ୍ରରେ ଦିଆଯାଏ କିମ୍ବା ତିରସ୍କାର ଭାଵ ରଖି ଦିଆଯାଏ , ତାହାକୁ "ତାମସିକ ଦାନ" ରୂପେ ଵିଵେଚିତ କରାଯାଏ। ଉଦାହରଣ ସ୍ୱରୂପ ଆମେ ଆମର ଭବନରେ କାମ କରୁଥିବା କାମବାଲିକୁ ଶାଢ଼ୀ ଖଣ୍ଡେ ଦେଲୁ, ଆଉ ତା'ର ଚାରିଦିନପରେ ସେ ଛୁଟି ମାଗିବାରୁ ଆମେ ତାକୁ କହିଦେଲୁ କି ଶାଢୀଦେଵା ପରେ ବି ଛୁଟି ମାଗୁଛୁ ! ଏହିପରି ଦାନକୁ ତାମସିକ ଦାନ ବୋଲି କୁହାଯାଏ ।

କହି ନ କହି କାମବାଲିକୁ ଆମେ ନୀଚ ଦୃଷ୍ଟିରେ ଦେଖିଲୁ। ଏହାଠାରୁ ଉତ୍ତମ ଆମେ ଦାନ ନ କରିବା। ପ୍ରତ୍ୟୁପକାର ଭାଵନା ମନରେ ଆଣିବା ଉଚିତ୍ ନୁହେଁ। ଵିଡି, ସିଗାରେଟ ତଥା ମଦ୍ୟପାନ କରୁଥିବା ବ୍ୟକ୍ତିକୁ ଦାନ କରିବା ଅନୁଚିତ୍ କାରଣ ନିଶାସକ୍ତ ହେତୁ ସେ ଦାନକୁ ଖରାପ ରାସ୍ତାରେ ଯିବାରେ ଉପଯୋଗ କରିବ। ଅତଏବ ଦାନକୁ ସର୍ଵଦା ସୁପାତ୍ରରେ ଦିଆଯିବା ଉଚିିତ୍।

ଏଠାରେ ଗୋଟିଏ ପ୍ରସଙ୍ଗ ନିଆଯାଉ – ଭଗବାନ ବୁଦ୍ଧ ଏକଦା ତାଙ୍କ କକା ପୁଅ ଭାଇ ଆନନ୍ଦଙ୍କ ସହ ନିକଟସ୍ଥ ଗ୍ରାମକୁ ଭିକ୍ଷା କରିବାକୁ ଯାଉଥିଲେ । ସେ ଜନୈକ ବୃଦ୍ଧାଙ୍କ ଦ୍ୱାରକୁ ଗଲେ ଯିଏ କି ଅତ୍ୟନ୍ତ କଠୋର ଓ ନିଷ୍ଠୁର ସ୍ୱଭାବର ଥିଲେ। ଯେବେ ବି ବୁଦ୍ଧଦେବ ବୃଦ୍ଧାଙ୍କ ଦ୍ୱାରକୁ ଭିକ୍ଷା କରିବାକୁ ଯାଉଥିଲେ ବୃଦ୍ଧା ଜଣଙ୍କ ନା ନା ଗାଳିଗୁଲଜ କରୁଥିଲେ। ପରନ୍ତୁ ଭଗବାନ ବୁଦ୍ଧ ପ୍ରତ୍ୟେକ ଦିନ ସେଠାକୁ ଯାଉଥିଲେ। ଏହା ଲକ୍ଷ୍ୟ କରି ଏକଦା ଆନନ୍ଦ ଭଗବାନ ବୁଦ୍ଧଙ୍କୁ ପ୍ରଶ୍ନ କଲେ," ସେ ଭିକ୍ଷା ତ ଦେଉନାହାଁନ୍ତି ତା ପରିବର୍ତ୍ତେ ଏତେ ଗାଳିଗୁଲଜ କରୁଛନ୍ତି, ତଥାପି ଆପଣ ପ୍ରତ୍ୟେକ ଦିନ ଯାଉଛନ୍ତି। ବୁଦ୍ଧଦେବ ଉତ୍ତର ଦେଲେ,"ବୃଦ୍ଧା ଜଣଙ୍କ ଯଦି ନିଜର ସ୍ୱଭାବକୁ ତ୍ୟାଗ କରିପାରୁନାହାନ୍ତି, ତେବେ ମୁଁ କାହିଁକି ମୋର ସ୍ୱଭାବ ଛାଡ଼ିବି?"

ଗାନ୍ଧିଜୀ ପ୍ରତିଦିନ ପ୍ରାର୍ଥନା ସଭାକୁ ଯାଉଥିଲେ। ସେଠାରେ ଭଜନ ଦ୍ୱାରା ପ୍ରଭାବିତ ହୋଇ ସାମ୍ନାରେ ବସିଥିବା ଏକ ଶ୍ରମିକର ଚକ୍ଷୁ ଅଶ୍ରୁପୂର୍ଣ୍ଣ ହୋଇ ବୋହିବାକୁ ଲାଗିଲା। ସେ ତା ବିଷୟରେ ଜାଣିବାକୁ ଚାହିଁବାରୁ , ଉତ୍ତର ମିଳିଲା, ସେ ତ ସବୁବେଳେ ବାହାରେ ବସି ବିଡି ଫୁଙ୍କୁଥାଏ। ଆମେ ଜଣକୁ ତା'ର ବିଗତ କୌଣସି କାର୍ଯ୍ୟକୁ ନେଇ ତା'ର ଚରିତ୍ର ବିଷୟରେ ନିଷ୍କର୍ଷ ବାହାର କରୁ ଓ ବର୍ତ୍ତମାନରେ କଣ ଘଟୁଛି ତାହାକୁ ଅବହେଳା କରିଦେଉ।  

ରୋଗୀ,  ଦରିଦ୍ର ଏବଂ କ୍ଷୁଧାର୍ତ୍ତ ବ୍ୟକ୍ତିଙ୍କୁ ଦାନ ଦେବା ପୂର୍ବରୁ କୌଣସି ପାତ୍ରତା ଦେଖିବା ଉଚିତ ନୁହେଁ। କୌଣସି ଭୋକିଲା ବ୍ୟକ୍ତି ଅପାତ୍ର ହେଇପାରେ, ତଥପି ତାହାକୁ ଖାଦ୍ୟ ଦେବା ଆମର ପରମ କର୍ତ୍ତବ୍ୟ। କୌଣସି ରୋଗୀ ପାଇଁ ଔଷଧ ଦେବା ମଧ୍ୟ ଆମର କର୍ତ୍ତବ୍ୟ ଅଟେ।

ସତ୍ୟ, ଦୟା, ତପ, ଏବଂ ଦାନକୁ ଧର୍ମର ଚାରି ଚରଣ ଭାବେ କୁହାଯାଇଛି : -

प्रगट चारि पद धर्म के कलि महुँ एक प्रधान।

जेन केन बिधि दीन्हें दान करइ कल्यान॥

ମହାପୁରୁଷ ମାନେ ଯେଉଁ ଦାନ କରିଥହଆନ୍ତି, ସେ ବିଷୟରେ ଏକ ବହୁତ ସୁନ୍ଦର ବ୍ୟାଖ୍ୟା ଅଛି :-

मरूँ पर माँगू नहीं, अपने तन के काज।

परमारथ के कारज में, मोहे न आवे लाज।।

ନିଜପାଇଁ ମାଗିବାରେ ଲଜ୍ଜ୍ୟା ଲାଗିବା ଉଚିତ, କିନ୍ତୁ କୌଣସି ଉପକାର କାର୍ଯ୍ୟ ପାଇଁ ମାଗିବାରେ ଲଜ୍ଜ୍ୟା ଲାଗିବା ଉଚିତ ନୁହେଁ ।

चिड़ी चोंच भर ले गई, नदी न घटियो नीर।

दान दिए धन न घटे, कह गए दास कबीर।।

ଯେତେବେଳେ ଆମେ ଦାନ କରୁ, ସେତେବେଳେ ପରମ ପିତାା ଭଗବାନ ଆମର ଧନ ଭଣ୍ଡାରରେ ଧନ ନ କମିବାର ବ୍ୟବସ୍ଥା କରନ୍ତି।

कद ऊँचा तो कर लिया, ऊँचे रखो विचार।

दान धर्म जो न किया, जीवन है बेकार।।

ଅର୍ଥାତ୍, ଜୀବନରେ ଦାନର ଅଶେଷ ମହତ୍ତ୍ୱ ଅଛି। ଦାନ ଦେବା ବିନା ଜୀବନ ବ୍ୟର୍ଥ ହୋଇ ଯାଏ।


17.23

ଓଁ ତତ୍ସଦିତି ନିର୍ଦ୍ଦେଶୋ, ବ୍ରହ୍ମଣସ୍ତ୍ରିବିଧଃ(ସ୍) ସ୍ମୃତଃ ।
ବ୍ରାହ୍ମଣାସ୍ତେନ ବେଦାଶ୍ଚ, ୟଜ୍ଞାଶ୍ଚ ବିହିତାଃ(ଫ୍) ପୁରା ||23 ||

ଓଁ , ତତ୍, ସତ୍‌ - ସଚ୍ଚିଦାନନ୍ଦଘନ ବ୍ରହ୍ମଙ୍କର ଏପରି ତିନି ପ୍ରକାର ନାମ କୁହ ଯାଇଛି | ସୃଷ୍ଟିର ଆଦି କାଳରେ ବ୍ରାହ୍ମଣମାନେ ଏବଂ ବେଦ ମାନେ ତଥା ଯଜ୍ଞ ମାନେ ସେଥିରୁ ରଚିତ ହୋଇଛନ୍ତି।

ବିବେଚନ -

"ଓଁ ତତ୍,ସତ୍,ଇତି" ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ବୋଲି ଶ୍ରୀଭଗବାନ ଏଠାରେ ପ୍ରକାଶ କରୁଛନ୍ତି, କାରଣ ଏହାହିଁ ସୃଷ୍ଟିର ପରମ ସତ୍ୟ । ସେ କହୁଛନ୍ତି ହେ ଅର୍ଜୁନ ! ଓଁ ସୃଷ୍ଟିର ଆରମ୍ଭ ଦର୍ଶାଏ, ଏହା ଅବ୍ୟକ୍ତ ବ୍ରହ୍ମ। ସୃଷ୍ଟିର ପ୍ରାରମ୍ଭରେ ଓଁ ରୁ ହିଁ ବ୍ରାହ୍ମଣ, ବେଦ ଓ ଶାସ୍ତ୍ର, ଯଜ୍ଞ ଇତ୍ୟାଦିର ରଚନା କରାଯାଇଛି। ବେଦାନ୍ତିକ ମତ ଅନୁଯାୟୀ, ସବୁକିଛି ଅବ୍ୟକ୍ତ ବ୍ରହ୍ମ, ଏବଂ ଯାହାକିଛି ବ୍ୟକ୍ତ ବ୍ରହାଣ୍ଡ, ତାହା ଏକ ପ୍ରତିଫଳନ, ବା ମାୟା ।

ଓଁ ର ମହତ୍ତ୍ଵ :– "ଓଁ" ତିନୋଟି ଅକ୍ଷରର ସମାହାର ଯଥାକ୍ରମେ – ଅ+ଊ+ମ+‍୍ । ଏଠାରେ 'ଅ' କୁ ପରମାତ୍ମାଙ୍କ ସ୍ଥୂଳ ସ୍ୱରୂପ, 'ଉ' କୁ ସୂକ୍ଷ୍ମ ସ୍ୱରୂପ, 'ମ' କୁ କାରଣ ସ୍ୱରୂପ ଏବଂ 'ହଲନ୍ତ୍' କୁ ନିରାକାର ସ୍ୱରୂପ ଭାଵରେ ଵିଵେଚିତ କରାଯାଇଛି। ସେଥିପାଇଁ ସମସ୍ତ ସଂସ୍କୃତି ଓ ସାହିତ୍ୟ "ଓଁ" କୁ ମାନ୍ୟତା ପ୍ରଦାନ କରିଛନ୍ତି ।

"ଓଁ ତତ୍,ସତ୍" ଏଥିରେ ତିନି ପ୍ରକାରର ସଚ୍ଚିଦାନନ୍ଦଘନ ବ୍ରହ୍ମଙ୍କର ନାମକୁ ଇଙ୍ଗିତ କରାଯାଇଛି । ସେଇଥିରୁ ସୃଷ୍ଟିର ଆଦିକାଳରେ ବ୍ରାହ୍ମଣ, ବେଦ ତଥା ଯଜ୍ଞ ରଚନା କରାଯାଇଛି।

କୌଣସି ବି ଯଜ୍ଞ ବା ଅନୁଷ୍ଠାନର ସମାପନ "ଓଁ ତତ୍,ସତ୍" ରେ ହୋଇଥାଏ । ଏହାର ଉଦ୍ଦେଶ୍ୟ ହେଲା ଯଦି ଯଜ୍ଞାନୁଷ୍ଠାନ କ୍ରିୟାରେ କୌଣସି ପ୍ରକାରର ତୃଟି ରହିଯାଇଥାଏ ପରମାତ୍ମା ତାକୁ ପୂର୍ଣ୍ଣ ମାନିନେବେ ।

ତେବେ ଓଁ ର ପ୍ରକୃତ ଅର୍ଥ କଣ, ଏହାର ଦୃଷ୍ଟି କ'ଣ?

ଜଳ, ବାୟୁ, ଅଗ୍ନି, ଆକାଶ ତଥା ପୃଥିବୀ ଆଦିକୁ ବ୍ରହ୍ମ କୁହାଯାଇନାହିଁ। କିନ୍ତୁ "ଶବ୍ଦ" କୁ "ବ୍ରହ୍ମ" କୁହାଯାଇଛି। ଏହିସବୁ ତତ୍ତ୍ଵ ଗୁଡ଼ିକରେ ସର୍ଵ ପ୍ରଥମେ "ଆକାଶ" ନିର୍ମାଣ ହେଲା, ଆକାଶର ପୂର୍ବରୁ ଯାହା ନିର୍ମାଣ ହେଇଛି ତାହା ହେଉଛି "ଶବ୍ଦ"।

ବାଇବଲରେ ମଧ୍ୟ କୁହାଯାଇଛି ଯେ ,

"In the beginning of the world there was only the word and lord, then the word converted into the world and lord in God."

Lord ରୁ Lକୁ ବାହାର କରି word ର ଭିତରଭାଗରେ ଖଞ୍ଜିଲେ World ହେଇଯିବ।

ଆକାଶ ନିରାକାର ପରମାତ୍ମାଙ୍କ ଧାରଣାର ନିକଟତର ଅଟେ । ତାକୁ ନା ସ୍ପର୍ଶ କରିପାରିବା ନା ଦର୍ଶନ କରିପାରିବା ! ଆଜିକାଲି ବୈଜ୍ଞାନିକ ମାନେ ମତ ପ୍ରକାଶ କହୁଛନ୍ତି କି ବ୍ରହ୍ମାଣ୍ଡକୁ (universe) ଦେଖିହବ। କିନ୍ତୁ ଏହା ବହୁତ ଦୂରଯାଏଁ ବିସ୍ତୃତ ଯାହାକି ଏକ ଅନନ୍ତ ଯାତ୍ରା ଅଟେ ।

ବ୍ରହ୍ମ , ନିରାକାର , ଈଶ୍ୱର, ମାୟା, ଏବଂ ’ଓଁ କାର’ – ଏସବୁ ’ଓଁ‌’ ର ପ୍ରତିଶଦ୍ଦ ଅଟେ । ଏ ସମସ୍ତ ମଧ୍ୟରେ ’ଓଁ’ ପ୍ରଣଵନାଦ ଅଟେ ।

ମନ୍ଦିରରେ ଘଣ୍ଟି ଵଜେଇଲେ ତା'ର ଗୁଞ୍ଜନ କିଛି ସେକେଣ୍ଡ ପର୍ଯ୍ୟନ୍ତ ଲାଗିରହେ। ଆମର ଶୁଣିବାର କ୍ଷମତା କୋଡ଼ିଏରୁ ଅଶୀ ଡେସିଵଲ୍ (decibel) ଅଟେ, ଡେସିଵଲ୍ ଶବ୍ଦ ମାପର ଏକକ। ସେହି ଗୁଞ୍ଜନ ହାତୀ କୋଡ଼ିଏ ମିନିଟ୍ ରୁ  ଅଧିକ ସମୟ ପର୍ଯ୍ୟନ୍ତ ଶୁଣିପାରେ। ଏହା ଏକ ଧ୍ୱନି ଅଟେ । ’ଓଁ’ କାର କେବଳ ଏକ ଧ୍ୱନି ଅଟେ, କୌଣସି ଭାଷାର ଶବ୍ଦ ନୁହେଁ।

ଯଦି ଆମେ ଜଣେ ସଙ୍ଗୀତଜ୍ଞଙ୍କ ସହିତ ବାର୍ତ୍ତାଳାପ କରିବା, ତେବେ ଜାଣି ପାରିବା ଯେ, ତିନୋଟି ପ୍ରକାର ସ୍ୱର ଥାଏ, ତଥା ମନ୍ଦ, ତାର ଓ ତୀବ୍ର । ଏହା ଆରୋହ ଓ ଅଵରୋହ ଅନୁସାରେ ହୋଇଥାଏ । ଏହାର ମଧ୍ୟ ଭାଗ ଧ୍ୱନିକୁ "ଶବ୍ଦ" କୁହାଯାଏ। ଯେତେବେଳେ ପର୍ଯ୍ୟନ୍ତ ଘର୍ଷଣ ହେଉଥିବ ସେପର୍ଯ୍ୟନ୍ତ କମ୍ପନ ଯୋଗୁଁ ଧ୍ୱନି ସୃଷ୍ଟି ହେଉଥିଵ।

ସୃଷ୍ଟିରେ ସର୍ବ ପ୍ରଥମେ ଶବ୍ଦ ବା ଧ୍ୱନିର ଉତ୍ପତ୍ତି ହେଲା। ଯେବେ ଶବ୍ଦର ସ୍ୱରୂପ ଵଡ ହେଲା, ବାୟୁର ଉତ୍ପତ୍ତି ହେଲା । ବିନା ବାୟୁରେ କୌଣସି ଶବ୍ଦ ହୋଇ ପାରିବ ନାହିଁ । ଶବ୍ଦ ଓ ବାୟୁ ମନ୍ଥନରେ ଘୋଳେଇ ହେଵା ହେତୁ ଆକାଶର ଉତ୍ପତ୍ତି ହେଲା, ବାୟୁ ଓ ଆକାଶର ମନ୍ଥନରେ ଅଗ୍ନି ଉତ୍ପନ୍ନ ହେଲା, ଏହିପରି ଏକ ଏକ କରି ସମସ୍ତ ତତ୍ତ୍ୱର ଉତ୍ପତ୍ତି ହେଲା।

- "ଓଁ କାର"  ତିନୋଟି ଶବ୍ଦର ସମ୍ମିଶ୍ରଣରେ ସୃଷ୍ଟି ଯଥା – ଅ କାର, ଉ କାର, ମ କାର ଓ ହଳନ୍ତ। ଏମାନଙ୍କ ଅନୁସାରେ ସୃଷ୍ଟିଚକ୍ର ପରିଚାଳିତ ହେଇଥାଏ।

- ଅ କାର –ଏହା କଣ୍ଠରୁ ନିଃସୃତ ହେଇଥାଏ। ଏଥିରେ ଯାହା କିଛି ଶୁଣାଯାଏ ବା କୁହାଯାଏ ତାହା ଅନ୍ତର୍ଭୁକ୍ତ, ସେସବୁ ସ୍ଥୂଳ ସ୍ତରର। ଏହାକୁ ସହଜରେ ଅନୁଭବ କରିହୁଏ।

- ଉ କାର – ଏହା ହୃଦୟରୁ ଉତ୍ପନ୍ନ । ପ୍ରେମିକାର ପ୍ରେମିକ ପ୍ରତି ପ୍ରେମ, ମାତାଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ ପ୍ରେମ, ଆମେ ବୁଝିପାରୁ । ଏହା ହେଉଛି ସୂକ୍ଷ୍ମ ରୂପର, ଏଥିରେ ବାଣୀ ବା ଶବ୍ଦର ଆବଶ୍ୟକତା ନ ଥାଏ। କାମନା, ଲୋଭ ଓ ପ୍ରେମ ଆଦି, ଯାହାର ସ୍ଥାନ ହୃଦୟରେ, ତାହା ଭାବରୁ ହିଁ ଜ୍ଞାତ ହୋଇଥାଏ ।

- ମ କାର – ଏହାର ସ୍ଥାନ ନାଭି। ଏହା ଦୃଢତା ବା ସଂକଳ୍ପ ସହ ଜଡିତ, ସଂକଳ୍ପ ମାତ୍ରେ ହିଁ କାର୍ଯ୍ୟ ହୋଇଯାଏ।

- ହଲନ୍ତ ଓ ପରା – ଏହାର ବର୍ଣ୍ଣନା କରାଯାଇପାରେନା । ଏହା ଶୂନ୍ୟରୂପ ହୋଇଥାଏ, ବ୍ୟବହାର ବ୍ୟାପକ । ଏହା ଏକ ଅନୁଭବ, ଅନୁଭୁତିରୁ ହିଁ ଏହାକୁ ଜାଣିହୁଏ।

ସନ୍ଥ ଜ୍ଞାନେଶ୍ୱର ମହାରାଜାଙ୍କ ଜୀବନର ଏକ ଘଟଣା ଏଠାରେ କୁହାଗଲା –

ଚାଙ୍ଗଦେଵ ମହାରାଜ ଏକଦା ସିଂହ ଉପରେ ବସି ତାଙ୍କ ପାଖକୁ ଆସିଲେ । ସେ ଚଉଦଶହ ବର୍ଷ ତପସ୍ୟା କରିଥିଲେ। ତାଙ୍କୁ ଦେଖି ଜ୍ଞାନେଶ୍ୱର ମହାରାଜ କାନ୍ଥକୁ ନିର୍ଦ୍ଦେଶ ଦେଲେ ସାମାନ୍ୟ ଆଗକୁ ଚାଲିବାକୁ। କାନ୍ଥ ଚାଲିବାକୁ ଲାଗିଲା। ଏଠି ଚାଙ୍ଗଦେଵଙ୍କ ଅହଙ୍କାର ଭାଙ୍ଗିଗଲା। ନିଜକୁ କହିଵାକୁ ଲାଗିଲେ କି, ଚଉଦ ଵର୍ଷର ଏକ ବାଳକର କଥାରେ କାନ୍ଥ ଚାଲିବାକୁ ଲାଗିଲା, ତେବେ ମୁଁ ଚଉଦଶହ ଵର୍ଷ କି ତପ କଲି ! 

ସଂସାର ଜଡ ପର୍ଯ୍ୟନ୍ତ ପହଞ୍ଚିଗଲା। ଆଉ ତା'ପରେ  କେବଳ"ପରା" ଅଛି, ଆଉ କିଛି ନାହିଁ ।

  • ’ଅ କାର’ ର ଦେବତା ବ୍ରହ୍ମା ଅଟନ୍ତି। ଅବସ୍ଥା ଜାଗୃତ ଅଟେ ଆଉ କର୍ମେନ୍ଦ୍ରିୟ ଗୁଡ଼ିକ ଦ୍ୱାରା ଏହାର କାର୍ଯ୍ୟ ସମ୍ପନ୍ନ ହୋଇଥାଏ।

  • ’ଉ କାର’ ର ଦେବତା ବିଷ୍ଣୁ ଅଟନ୍ତି। ସ୍ୱପ୍ନ ଅବସ୍ଥାରେ ଏହାର ପୁଷ୍ଟି ହୋଇଥାଏ। ଆମେ ଶୟନ କରିଥିବା ସମୟରେ ଜ୍ଞାନେନ୍ଦ୍ରିୟଗୁଡିକ ସକ୍ରିୟ ହୋଇ ରହିଥାନ୍ତି। ଏହାର ଗୁଣ ସତ୍ତ୍ୱ ଗୁଣ ଅଟେ।

  • ’ମ କାର’ ର ଦେବତା ଶଙ୍କରଜୀ ଅଟନ୍ତି, ଅବସ୍ଥା ସୁଶୁପ୍ତି ଅଟେ। ଅନ୍ତଃକରଣରେ ବିରାଜମାନ ହୁଏ, ଏହାର ସ୍ଥିତି ତମଗୁଣ ଅଟେ ।

  • ’ପରା ଓ ହଲନ୍ତ୍’ , ଏଥିରେ ଚର ଓ ଅଚର ଉଭୟଙ୍କୁ ଅନୁଭବ କରାଯାଇ ପାରେ। ଏହା ଗୁଣାତୀତ ହୋଇଥାଏ । ସତ୍ତା ଓ ଅସ୍ତିତ୍ୱର ଭାଵରେ ଅନେକ ଯୋଗୀ ଏହି ପରମ ଆନନ୍ଦ ପର୍ଯ୍ୟନ୍ତ ପହଞ୍ଚି ଯାଆନ୍ତି।

’ଓଁ କାର’ ର କୌଣସି ଧର୍ମ ସହ କିଛି ସମ୍ପର୍କ ନଥାଏ। ଓଁ ଉଚ୍ଚାରଣ ପାଇଁ କୌଣସି ଆଘାତ ବା କମ୍ପନର ଆବଶ୍ୟକତା ନଥାଏ। ଯେଵେ ବ୍ରହ୍ମାଣ୍ଡ ତଥା ଅନ୍ତରୀକ୍ଷରେ କିଛି ବି ନଥିଲା ସେତେବେଳେ ଓଁ ବ୍ୟାପ୍ତ ଥିଲା । ସୂର୍ଯ୍ୟଙ୍କ ଆଖପାଖରେ ଓଁ ହିଁ ଅଛି।

ଯେ କୌଣସି କାର୍ଯ୍ୟର ଅନ୍ତ ସମୟରେ ’ଓଁ ତତ୍ ସତ୍ ଇତି’ କହି ସମାପ୍ତ କରା ଯାଇଥାଏ।

‘ତତ୍‘ - ଅର୍ଥ ସମ୍ପୂର୍ଣ୍ଣ ବ୍ରହ୍ମ ।

‘ସତ୍‘-  ସାକାର ତଥା ନିରାକାର ରୂପ ଅଟେ । ବିଷ୍ଣୁଜୀଙ୍କ ରୃପରେ, ଦୁର୍ଗାଜୀଙ୍କ ରୂପରେ ବା ଶିଵଜୀଙ୍କ ରୂପରେ, ଯିଏ ଯେଉଁ ରୂପରେ ଜପ କରିବେ ସେଠାରେ ସବୁ ଏକ ହୋଇଯାଏ।

ଅତଃ, କୌଣସି ବି ଶାସ୍ତ୍ର ପଢ଼ିସାରିବା ପରେ କିମ୍ବା ଗୀତା ପାଠ କରିସାରିବା ପରେ ‘ଓଁ ତତ୍ ସତ୍ ଇତି‘ କୁହାଯାଇଥାଏ। ଏହା ଦ୍ୱାରା ସମସ୍ତ ନ୍ୟୁନ୍ୟତା ବା ତୃଟି ଈଶ୍ୱରଙ୍କ ଚରଣରେ ଅର୍ପିତ ହୋଇଗଲା, ଅର୍ଥାତ ସେହି ପରଂବ୍ରହ୍ମଙ୍କୁ ସମର୍ପିତ ହୋଇଗଲା। ତେଣୁକରି "ଓଁ ତତ୍,ସତ୍ ଇତି" ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।





17.24

ତସ୍ମାଦୋମିତ୍ୟୁଦାହୃତ୍ୟ, ୟଜ୍ଞଦାନତପଃ(ଖ୍) କ୍ରିୟାଃ ।
ପ୍ରବର୍ତ୍ତନ୍ତେ ବିଧାନୋକ୍ତାଃ(ସ୍), ସତତଂ(ମ୍) ବ୍ରହ୍ମବାଦିନାମ୍ ||24 ||

ତେଣୁ ବେଦ ମନ୍ତ୍ର ଉଚ୍ଚାରଣ କରୁଥିବା ଶ୍ରେଷ୍ଠ ପୁରୁଷ ମାନଙ୍କର ଶାସ୍ତ୍ର ବିହିତ ଯଜ୍ଞ , ଦାନ ଏବଂ ତପ ପୂର୍ବକ କ୍ରିୟା ଗୁଡିକ ସର୍ବଦା ପରମାତ୍ମାଙ୍କର ଏହି ଓଁ ନାମ ଉଚ୍ଚାରଣ କରି ହିଁ ଆରମ୍ଭ ହୁଏ।

ଵିବେଚନ -

ଶାସ୍ତ୍ର ମାନଙ୍କରେ ଓମ୍‍‍ ଶବ୍ଦରୁ ବେଦ ମନ୍ତ୍ରର ପ୍ରାରମ୍ଭ ହୁଏ ଏବଂ ଶାସ୍ତ୍ର ବିଧି ଅନୁଯାୟୀ ନିତ୍ୟ ଯଜ୍ଞ, ଦାନ ଏବଂ ତପ ଆଦି କ୍ରିୟା ମାନଙ୍କରେ ଓମ୍‍‍ ଉଚ୍ଚାରଣ କରିବା ପରେ କର୍ମ ଆରମ୍ଭ କରାଯାଇଥାଏ।

17.25

ତଦିତ୍ୟନଭିସନ୍ଧାୟ, ଫଲଂ(ୟ୍ଁ) ୟଜ୍ଞତପଃ(ଖ୍) କ୍ରିୟାଃ ।
ଦାନକ୍ରିୟାଶ୍ଚ ବିବିଧାଃ(ଖ୍), କ୍ରିୟନ୍ତେ ମୋକ୍ଷକାଙ୍କ୍ଷିଭିଃ ||25 ||

ଏ ସବୁକିଛି ତତ୍ ଅର୍ଥାତ ତତ୍ ନାମରେ କୁହାଯାଉଥିବା ପରମାତ୍ମାଙ୍କର ହିଁ ଅଟେ ବୋଲି ଭାବ ରଖି କଲ୍ୟାଣକାମୀ ପୁରୁଷମାନେ ଫଳ ଆକାଙ୍କ୍ଷା ନ କରି ନାନା ପ୍ରକାର ଯଜ୍ଞ , ତପ ଓ ଦାନ ରୂପୀ କ୍ରିୟା କରନ୍ତି।

ବିବେଚନ -

ସମସ୍ତ କାର୍ଯ୍ୟ ପରମାତ୍ମାଙ୍କ ପାଇଁ ଉଦ୍ଦିଷ୍ଟ | ପରମାତ୍ମାଙ୍କୁ ସନ୍ତୁଷ୍ଟ କରିବାକୁ ମୁଁ ଏସବୁ କାର୍ଯ୍ୟ କରୁଛି | ସେ ହିଁ ମୋ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ କରାଉଛନ୍ତି, ମୁଁ ତ ନିମିତ୍ତ ମାତ୍ର |

ଏହିପରି ଭାବ ରଖ - ’ମେରା ଆପକୀ କୃପାସେ ସବ କାମ ହୋ ରହା ହୈ, କରତେ ହୋ ତୁମ କହ୍ନେୟା ମେରା ନାମ ହୋ ରହା ହୈ ।‘

ତେଣୁ ଏହି ଭାବ ସହ ଯଜ୍ଞ କରୁଥିବା ବ୍ୟକ୍ତି ଉତ୍ତମ ଶ୍ରେଣୀ ଅନ୍ତର୍ଭୁକ୍ତ ।


17.26

ସଦ୍ଭାବେ ସାଧୁଭାବେ ଚ, ସଦିତ୍ୟେତତ୍ପ୍ରୟୁଜ୍ୟତେ ।
ପ୍ରଶସ୍ତେ କର୍ମଣି ତଥା, ସଚ୍ଛବ୍ଦଃ(ଫ୍) ପାର୍ଥ ୟୁଜ୍ୟତେ||26 ||

ସତ୍‌ - ପରମାତ୍ମାଙ୍କର ଏହି ନାମ ସତ୍ୟଭାବରେ ଏବଂ ଶ୍ରେଷ୍ଠଭାବରେ ପ୍ରୟୋଗ କରାଯାଏ ତଥା , ହେ ପାର୍ଥ ! ଉତ୍ତମ କର୍ମରେ ସତ୍‌ ଶବ୍ଦ ପ୍ରୟୋଗ କରାଯାଏ।

ବିବେଚନ -

ସତ୍‍‍ ପରମାତ୍ମାଙ୍କର ନାମ | ଶ୍ରେଷ୍ଠ କର୍ମ କରିବାପାଇଁ ‘ସତ୍‍‍ ‘ ତତ୍ତ୍ୱକୁ ଯୋଗ କରାଯାଏ, ଯେପରି ସଦ୍ଭାବନା, ସଦାଚାର, ସତସଙ୍ଗ ଇତ୍ୟାଦି | ’ଓଁ’ ବିଶେଷ୍ୟ, ’ତତ୍‍‍’ ସର୍ବନାମ, ଏବଂ ’ସତ୍‍‍’ କୁ ବିଶେଷଣ ରୂପରେ ପ୍ରୟୋଗ କରା ଯାଇଛି | ସତ୍‍‍ ଖୋଜିଲେ ସବୁକିଛି ପବିତ୍ର ଓ ସଦ୍‍‍ଗୁରୁ ହୋଇଯାଏ | ସତ୍‍‍ସଙ୍ଗ ଏବଂ ପବିତ୍ର କାର୍ଯ୍ୟ କରିବାପାଇଁ ମଧ୍ୟ ସତ୍‍‍ ର ଅନ୍ୱେଷଣ କରାଯାଏ | 

17.27

ୟଜ୍ଞେ ତପସି ଦାନେ ଚ, ସ୍ଥିତିଃ(ସ୍) ସଦିତି ଚୋଚ୍ୟତେ ।
କର୍ମ ଚୈବ ତଦର୍ଥୀୟଂ(ମ୍), ସଦିତ୍ୟେବାଭିଧୀୟତେ||27 ||

ଯଜ୍ଞ, ତପ ଓ ଦାନରେ ଯେଉଁ ସ୍ଥିତି ଥାଏ , ତାହାକୁ ମଧ୍ୟ ସତ୍‌ ବୋଲି କୁହାଯାଏ ଏବଂ ସେହି ପରମାତ୍ମାଙ୍କ ପାଇଁ କରାଯାଉଥିବା କର୍ମ ନିଶ୍ଚିତ ରୂପେ ସତ୍‌ ବୋଲି କୁହାଯାଏ।

ବିବେଚନ -

ଜପ, ତପ ଏବଂ ଦାନ କାର୍ଯ୍ୟ ପରମାତ୍ମାଙ୍କ ପାଇଁ ଉଦ୍ଦିଷ୍ଟ, ଏବଂ ଯେତେବେଳେ କୌଣସି କାର୍ଯ୍ୟ ପରମାତ୍ମାଙ୍କ ପାଇଁ ଉଦ୍ଦିଷ୍ଟ ହୁଏ ସେତେବେଳେ ତାହା ସତ୍‍‍କର୍ମରେ ପରିଣତ ହୋଇଯାଏ |

17.28

ଅଶ୍ରଦ୍ଧୟା ହୁତଂ(ନ୍) ଦତ୍ତଂ(ନ୍), ତପସ୍ତପ୍ତଂ(ଙ୍) କୃତଂ(ଞ୍) ଚ ୟତ୍ ।
ଅସଦିତ୍ୟୁଚ୍ୟତେ ପାର୍ଥ, ନ ଚ ତତ୍ପ୍ରେତ୍ୟ ନୋ ଇହ ||28 ||

ହେ ପୃଥାପୁତ୍ର ! ବିନା ଶ୍ରଦ୍ଧାରେ କରାଯାଉଥିବା ହୋମ , ଦିଆଯାଉଥିବା ଦାନ ଏବଂ କରାଯାଉଥିବା ତପ ତଥା ଅନ୍ୟାନ୍ୟ ଶୁଭ କର୍ମକୁ ‘ଅସତ୍‌’ ବୋଲି କୁହାଯାଏ ; ତେଣୁ ସେସବୁ ଇହ ଲୋକରେ ଲାଭଦାୟକ ନୁହେଁ , କି ମରିବା ପରେ ମଧ୍ୟ ଲାଭଦାୟକ ନୁହେଁ ।

ବିବେଚନ -

ହେ ଅର୍ଜୁନ, ସମସ୍ତ କାର୍ଯ୍ୟ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ହେଉଛି ଶ୍ରଦ୍ଧା | ଶ୍ରଦ୍ଧାହୀନ ଭାବରେ କରାଯାଉଥିବା ହୋମ, ଦାନ, ତପ ପ୍ରଭୃତିର କିଛି ଫଳ ଏବେ, ଏହି ଜନ୍ମରେ ମିଳେନି ବା ମୃତ୍ୟୁ ପରେ ମଧ୍ୟ ମିଳେନାହିଁ | ଅର୍ଥାତ ତାହା ନିଷ୍ଫଳ ହୋଇଯାଏ | ଏଣୁ ଯାହା ବି କର୍ମ କରାଯାଏ ତାହା ପୂର୍ଣ୍ଣ ବିଶ୍ୱାସ ଓ ଶ୍ରଦ୍ଧା ସହିତ କରାଯିବା ଉଚିତ। ତେବେ ହିଁ ଭଗବତ ପ୍ରାପ୍ତି ହୁଏ, ଏବଂ ମନ ପ୍ରସନ୍ନ ତଥା ଶାନ୍ତ ହୁଏ |

ଏହିପରି ବିଚାର ସହ ଏହି ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ବିବେଚନ ସମାପ୍ତ ହେଲା |



ବିଚାର ମନ୍ଥନ (ପ୍ରଶ୍ନୋତ୍ତର );-

(1)

ପ୍ରଶ୍ନକର୍ତ୍ତା - ସୁମିତ ଜୀ

ପ୍ରଶ୍ନ - ଏ ଶ୍ଳୋକରେ ୟୋଗକ୍ଷେମ ର ଅର୍ଥ ସ୍ପଷ୍ଟ କରନ୍ତୁ -

"अनन्याश्चिन्तयन्तो मां(य्ँ), ये जनाः(फ्) पर्युपासते।

तेषां(न्) नित्याभियुक्तानां(य्ँ), योगक्षेमं(व्ँ) वहाम्यहम्॥९.२२॥"

ଉତ୍ତର - ଅପ୍ରାପ୍ୟର ପ୍ରାପ୍ତିକୁ ଯୋଗ କୁହାଯାଏ ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣକୁ କ୍ଷେମ କୁହାଯାଏ | ଆପଣଙ୍କ ଆବଶ୍ୟକତାର ଦାୟିତ୍ୱ ଭଗବାନ ବହନ କରନ୍ତି କିନ୍ତୁ ଆପଣଙ୍କ ଇଚ୍ଛାର ନୁହେଁ | ଯିଏ ଅନନ୍ୟ ଭାବରେ ନିଜ ମନରେ ଭଗବଦ୍ ଚିନ୍ତନ କରେ ତାର ଯୋଗକ୍ଷେମ ଭଗବାନ ନିଜେ କରନ୍ତି | ଏଥିପାଇଁ ଧନ୍ନା ଜାଠର କଥା ଏବଂ କିପରି ଭଗବାନ ଗଜେନ୍ଦ୍ରକୁ ମୋକ୍ଷ ଦେବାପାଇଁ ଗରୁଡ ବାହନରେ ଆସିଲେ ଇତ୍ୟାଦି ଉଦାହରଣ ଦେଖାଯାଇପାରେ |

(2 )

ପ୍ରଶ୍ନକର୍ତ୍ତା - ନେହା ଜୈନ ଜୀ

ପ୍ରଶ୍ନ - ଆପଣ କହିଲେ ଯେ ଏକାକୀ ଓଁ ର ଉଚ୍ଚାରଣ କରିବା ଉଚିତ ନୁହେଁ କିନ୍ତୁ ମୁଁ ତ ‘ଓଁ ‘ ବିନ୍ଦୁ ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରି ମେଡ଼ିଟେସନ( ଧ୍ୟାନ )କରୁଛି | ଏପରି କରିବା ଠିକ ନୁହେଁ କି?

ଉତ୍ତର - ‘ଓଁ ‘ର ଉଚ୍ଚାରଣ ଏକୁଟିଆ ନକରିବାକୁ ମୁଁ କହିଥିଲି, କିନ୍ତୁ ଧ୍ୟାନ ସମୟରେ ଆପଣ ଯେପରି କରୁଛନ୍ତି ତାହା ପୁରାପୁରି ଠିକ |

(3 )

ପ୍ରଶ୍ନକର୍ତ୍ତା - ସୁଜାତା ଜୀ

ପ୍ରଶ୍ନ - ବର୍ତ୍ତମାନ ଆପଣ ‘ ଓଁ ‘ର ଉଚ୍ଚାରଣ ପାଇଁ କଣ୍ଠ, ହୃଦୟ ଏବଂ ନାଭି ର କ୍ରମ କହିଲେ, କିନ୍ତୁ ମୁଁ  କଣ୍ଠ ରୁ ‘ଓଁ’ ର ଯେଉଁ ଉଚ୍ଚାରଣ କରୁଥିଲି ତାହା କଣ ଭୁଲ କରୁଥିଲି?

ଉତ୍ତର - ‘ମ‘ ର ଉଚ୍ଚାରଣ କଣ୍ଠରୁ ଆସିପାରିବନି, ଆପଣ ନିଜେ କରିକି ଦେଖନ୍ତୁ ତାହା ନାଭିରୁ ହିଁ ଆସେ |

(4 )

ପ୍ରଶ୍ନକର୍ତ୍ତା - ରାକେଶ ଚନ୍ଦ୍ର ଶର୍ମା ଜୀ

ପ୍ରଶ୍ନ - ଯୋଗର ପ୍ରକୃତ ଅର୍ଥ କଣ? ଆଜିକାଲି ଯାହା ଚାଲୁଚି ତାହା କଣ?

ଉତ୍ତର - ଯୋଗର ପ୍ରକୃତ ଅର୍ଥ ହେଉଛି ଯୋଡିହେବା, ଅର୍ଥାତ ଆତ୍ମ| ଓ ପରମାତ୍ମାର ମିଳନକୁ ଯୋଗ କୁହାଯାଏ | ଆଜିକାଲି ଯାହା ଚାଲୁଚି ତାହା ଯୋଗାସନ | ମହର୍ଷି ପତଞ୍ଜଳି ଅଷ୍ଟାଙ୍ଗ ଯୋଗ ବିଷୟରେ କହିଛନ୍ତି । ଯାହାର ଆଠ ଅଙ୍ଗ ହେଉଛି ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣ, ଧ୍ୟାନ ଓ ସମାଧି | ଏସବୁ ‘ ଆସନ’ ଆଜିକାଲି ଚାଲୁଛି । ଶ୍ରୀମଦଭଗବତ ଗୀତା ଏକ ସମ୍ପୂର୍ଣ୍ଣ ଯୋଗଶାସ୍ତ୍ର |

(5 )

ପ୍ରଶ୍ନକର୍ତ୍ତା - ଦିବାକର ଜୀ

ପ୍ରଶ୍ନ - ଦାନ ଦେଲାବେଳେ ଫଳର ଇଚ୍ଛା ରହେନି କିନ୍ତୁ ମନରେ ଭାବନା ଆସେ ଯେ କାଲି ଯଦି ଆମର ଏପରି ଅବସ୍ଥା ହବ, ତେବେ କିପରି ଲାଗିବ | ଏହି ଚିନ୍ତାରେ ଦାନ ଦେବା କେତେଦୂର ଠିକ (ଉଚିତ )?

ଉତ୍ତର - ଏ ପ୍ରକାର ଦାନ ରାଜସିକ ହୋଇଗଲା, ଭୁଲ ହେଲା ବୋଲି ଚିନ୍ତା କରନ୍ତୁନି | ଆମର ଦୀର୍ଘ ସମୟର ଆଚରଣ ସାଥିରେ କୋଟି କୋଟି ଜନ୍ମର ସଂସ୍କାର ମିଶିଥାଏ | ତେଣୁ ଆମର ପ୍ରକୃତି ରାଜସିକ ହୋଇଯାଇଛି, ଏଥିରେ କିଛି ଭୁଲ ନାହିଁ | ଆମେ କେବଳ ବୁଝିବା ଉଚିତ ଯେ ଆମେ ଦ୍ଵିତୀୟ ସିଡି (ପାହାଚ )ରେ ଅଛୁ, ଆମକୁ ଶିଖରରେ ପହଞ୍ଚିବାକୁ ପଡିବ |

(6 )

ପ୍ରଶ୍ନକର୍ତ୍ତା :- ବିଦ୍ୟା ଜୀ

ପ୍ରଶ୍ନ - ଆପଣ କହିଲେ ଯେ ଭିନ୍ନ ଭିନ୍ନ ଧରଣର ଶ୍ରଦ୍ଧା ହୁଏ, କିନ୍ତୁ ତୀର୍ଥ ସ୍ଥାନମାନଙ୍କରେ ଅବ୍ୟବସ୍ଥା ଦେଖିଲେ ଶ୍ରଦ୍ଧା ବି ଦୋଳାୟମାନ ହୁଏ, ଏଥିରୁ ରକ୍ଷା ପାଇବାର ଉପାୟ କଣ?

ଉତ୍ତର - ଦେବସ୍ଥାନର ମହତ୍ତ୍ୱ ସହିତ ଶ୍ରଦ୍ଧା ସମ୍ବନ୍ଧିତ, ବ୍ୟବସ୍ଥା ସାଥିରେ ନୁହେଁ | ଅବ୍ୟବସ୍ଥା ଦେଖି ଆମେ ସେ ତୀର୍ଥସ୍ଥାନର ମହତ୍ତ୍ୱ କମ ବୋଲି ଭାବିବା ଅନୁଚିତ। ଯେପରି ଗୋଟିଏ ବଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଥିଲେ ମଧ୍ୟ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯଦି ଥାଏ କୌଣସି କାରଣରୁ ଆମେ ନିଜର ବା ନିଜର ଆତ୍ମୀୟଙ୍କର ଚିକିତ୍ସା ପାଇଁ ସେ ଚିକିତ୍ସାଳୟକୁ ତ୍ୟାଗ କରନ୍ତିନି, ଠିକ ସେହିକଥା ତୀର୍ଥ ସ୍ଥାନ ପାଇଁ ପ୍ରଯୁଜ୍ୟ |

ଆଜି ଅବ୍ୟବସ୍ଥା ଅଛି ତ କାଲି ବ୍ୟବସ୍ଥିତ ହୋଇପାରେ, କିନ୍ତୁ କୌଣସି ପରିସ୍ଥିତିରେ ଆମର ଶ୍ରଦ୍ଧା ଦୋଳାୟମାନ ହେବା ଅନୁଚିତ |

(7 )

ପ୍ରଶ୍ନକର୍ତ୍ତା - ସ୍ୱୟଂପ୍ରଭା ଜୀ

ପ୍ରଶ୍ନ -1-ଏ ଯୁଗରେ ଭଗବାନଙ୍କର କେଉଁ ଅବତାର ହବ? ଏବଂ କେବେ ହବ?

        2 -ଭଗବାନଙ୍କ ଦର୍ଶନ ପାଇଁ ଆମେ କାହିଁକି ମନ୍ଦିରକୁ ଯାଆନ୍ତି?

ଉତ୍ତର - କଳିଯୁଗରେ ଭଗବାନଙ୍କର କଳ୍କୀ ଅବତାର ହେବ। କିନ୍ତୁ ଏଥିରେ ବିଳମ୍ବ ଅଛି, କାରଣ କଳିଯୁଗର ସମୟ ସୀମା (ଅବଧି ) ଚାରି ଲକ୍ଷ ବତିଶି ହଜାର ବର୍ଷ ବୋଲି କୁହାଯାଇଛି | ମନ୍ଦିରରେ ଭଗବାନଙ୍କର ଭଲ ଭାବରେ ସେବା କରାଯାଉଥିବାରୁ ମନ୍ଦିରର ଦେବପ୍ରତିମା ଜାଗ୍ରତ ହୋଇଯାଆନ୍ତି, ଏବଂ କୌଣସି ମହାପୁରୁଷଙ୍କ ଦ୍ୱାରା ସେ ଦେବପ୍ରତିମାଙ୍କର ସ୍ଥାପନା କରାଯାଇଥିବାରୁ ତଥା ମନ୍ଦିରରେ ଅଧିକ ସାତ୍ତ୍ଵିକ ପ୍ରକୃତିର ଲୋକ ବୁଲୁଥିବାରୁ ସମଷ୍ଟିଗତ ଶକ୍ତିର ପ୍ରଭାବ ଆମକୁ ମନ୍ଦିର ଗଲେ ହିଁ ପ୍ରାପ୍ତ ହୁଏ |

(8)

ପ୍ରଶ୍ନକର୍ତ୍ତା - ଅଜିତ ଟଣ୍ଡନ ଜୀ

ପ୍ରଶ୍ନ - ପରମାତ୍ମା, ଈଶ୍ୱର ଏବଂ ଦେବତାଙ୍କ ମଧ୍ୟରେ ପାର୍ଥକ୍ୟ କଣ?

ଉତ୍ତର - ପରମାତ୍ମା, ଈଶ୍ୱର ଏବଂ ଭଗବାନ ଏକ, ଯାହାର କେବେ ଜନ୍ମ ବା ମୃତ୍ୟୁ ହୁଏନି କିନ୍ତୁ ଦେବତା ଏକ ଯୋନି ଅଟେ |

ଏହା ଜନ୍ମ- ମରଣର ଯୋନି | ଦେବତାଙ୍କର ମଧ୍ୟ ନିର୍ଦ୍ଧିଷ୍ଟ ସମୟ ଅଛି | ବ୍ରହ୍ମାଜୀ ମଧ୍ୟ ନିଜର ଶହେ ବର୍ଷର ଆୟୁ ସମାପ୍ତ କରି ଶାନ୍ତ ହୋଇଯାଆନ୍ତି | ଦେବତା ଯୋନିର ନିଜର ପୁଣ୍ୟ କାଳ ଅଛି, ସେ କାଳ ବ୍ୟତୀତ ହୋଇଗଲେ ଦେବତା ମଧ୍ୟ ନିଜର ଶରୀର ତ୍ୟାଗ କରି ମନୁଷ୍ୟ ଯୋନିରେ ଆସନ୍ତି |

(9)

ପ୍ରଶ୍ନକର୍ତ୍ତା - ବିଭା ଜୀ

ପ୍ରଶ୍ନ - ଶେଷ ସମୟରେ ବ୍ୟକ୍ତିକୁ ଆମେ କେଉଁ ଅଧ୍ୟାୟ ଶୁଣେଇବା ଉଚିତ ?

ଉତ୍ତର - ଆପଣ କଣ୍ଠସ୍ଥ କରିଥିବା କୌଣସି ଅଧ୍ୟାୟ, ଅର୍ଥ ସହିତ ଗୀତାର ଶ୍ଳୋକ ଶୁଣେଇପାରିବେ | ଶେଷ ସମୟରେ ଗୀତା ଶୁଣେଇବା ଅତି ଉତ୍ତମ ସେବା କାର୍ଯ୍ୟ ବୋଲି ମନେକରାଯାଏ |

(10)

ପ୍ରଶ୍ନକର୍ତ୍ତା - କଲ୍ଲୋଳ ଘୋଷ ଜୀ

ପ୍ରଶ୍ନ - କିପରି ଗୁରୁ ଚୟନ କରିବା?

ଉତ୍ତର - ଏହି କାର୍ଯ୍ୟ ପାଇଁ ଆପଣ ଚାରୋଟି ବିଷୟରେ ଧ୍ୟାନ ଦିଅନ୍ତୁ |

1-ଗୁରୁ ନିଜେ ବା ତାଙ୍କ ପୀଢ଼ିରେ କେହି ସ୍ୱୟମ୍ଭୁ ନୁହନ୍ତି ତ?

2- ଗୁରୁ କୌଣସି ପରମ୍ପରା ବା ସମ୍ପ୍ରଦାୟ ସହିତ ଯୁକ୍ତ ଅଛନ୍ତି କି ନାହିଁ?

3- ସେ ଶାସ୍ତ୍ରଜ୍ଞ କି ନୁହନ୍ତି,? ତାଙ୍କର ପଢିବା ବା ପଢେଇବାରେ ଆଗ୍ରହ ଅଛି କି ନାହିଁ?

4- ଗୁରୁ ନିଜର ପୂଜା କରାଉଛନ୍ତି ନା ଭଗବାନଙ୍କର ପୂଜା କରାଉଛନ୍ତି |

ଏହି ଚାରୋଟି କଥାକୁ ଧ୍ୟାନରେ ରଖିଲେ ଆପଣ ନିଶ୍ଚୟ ନିଜପାଇଁ ଗୁରୁ ବାଛି ପାରିବେ |

ॐ तत्सदिति श्रीमद्भगवद्गीतासु उपनिषत्सु ब्रह्मविद्यायां(म्) योगशास्त्रे श्रीकृष्णार्जुनसंवादे श्रद्धात्रयविभागयोगो नाम सप्तदशोऽध्याय:।।

ଏହିପରି ଓଁ ତତସତ - ଏହି ସବୁ ଭଗବାନଙ୍କ ନାମ ଉଚ୍ଚାରଣ ପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦଭଗବତଗୀତା ଉପନିଷଦ ରୂପ ଶ୍ରୀକୃଷ୍ଣ|ର୍ଜୁନ ସମ୍ବାଦ ରେ ‘ଶ୍ରଦ୍ଧାତ୍ରୟବିଭାଗଯୋଗ’ ନାମକ ସପ୍ତଦଶ ଅଧ୍ୟାୟ ସମାପ୍ତ ହେଲା |


  ===  ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ===

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ଶ୍ରଦ୍ଧାତ୍ରୟବିଭାଗୟୋଗୋ ନାମ ସପ୍ତଦଶୋଽଧ୍ୟାୟଃ।।

ଏହି ପ୍ରକାର ଓଁ ତତ୍ ସତ୍ -- ଏହି ଭଗବତ୍ ନାମର ଉଚ୍ଚାରଣପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରୂପେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ 'ଶ୍ରଦ୍ଧାତ୍ରୟବିଭାଗଯୋଗନାମକ' ସପ୍ତଦଶ ଅଧ୍ୟାୟ ପୂର୍ଣ୍ଣ ହେଲା ।