विवेचन सारांश
ପରମାତ୍ମାଙ୍କର ସର୍ବ-ବ୍ୟାପକତା

ID: 5158
उड़िया - ଓଡ଼ିଆ
ରବିବାର, 07 ଜୁଲାଇ 2024
ଅଧ୍ୟାୟ 15: ପୁରୁଷୋତ୍ତମ ଯୋଗ
2/2 (ଶ୍ଳୋକ 7-20)
ବିବେଚକ: ଗୀତା ପ୍ରବୀଣ କବିତା ଜୀ ବର୍ମା


ଉପକ୍ରମଣିକା ->

ଈଶ୍ୱରଙ୍କ ଅସୀମ ଅନୁକମ୍ପା ଓ ଗୁରୁଦେବଙ୍କ ଆଶୀର୍ବାଦ ସ୍ୱରୂପ ଆଜିର ବିବେଚନସତ୍ରର ଶୁଭାରମ୍ଭ ସଙ୍କୀର୍ତ୍ତନ, ପ୍ରାର୍ଥନା ଓ ଦୀପ ପ୍ରଜ୍ଜ୍ବଳନ ସହ ଆରମ୍ଭ ହୋଇଥିଲା। ତତ୍ପରେ ଗୀତାର ପଞ୍ଚଦଶ ଅଧ୍ୟାୟ (ବାଳକ ବିଶେଷାଙ୍କ)ର ଚିନ୍ତନ ବାଳକମାନଙ୍କ ରୁଚିକର ହେବାପରି ପାରସ୍ପରିକ ଆଳାପ ମଧ୍ୟରେ ଆରମ୍ଭ ହୋଇଥିଲା।

ଦ୍ବାଦଶ ଅଧ୍ୟାୟର ପଠନ ଓ ବିବେଚନ ସତ୍ର ସମାପ୍ତ ହେବା ସହିତ ପଞ୍ଚଦଶ ଅଧ୍ୟାୟର ଶ୍ଲୋକ ଗୁଡ଼ିକର ଅଧ୍ୟୟନ ଓ ବିବେଚନ ଆରମ୍ଭ ହୋଇଥୁଲା।

ଆଜି ପଞ୍ଚଦଶ ଅଧ୍ୟାୟର ଦ୍ବିତୀୟ ଭାଗର ବିବେଚନର ପ୍ରାରମ୍ଭରେ ଜଣାଗଲା ଯେ ଅନେକ ଛାତ୍ରଛାତ୍ରୀ ଗୀତାର ୧୨-୧୫ଏହି ୨ଟିଅଧ୍ୟାୟର ସମସ୍ତ ଶ୍ଲୋକ କଣ୍ଠସ୍ଥ କରି ସାରିଛନ୍ତି ବା ସାରିବାର ଚେଷ୍ଟାରେ ଅଛନ୍ତି। ବାଳକ ବାଳିକାଙ୍କ ଏହି ବିବେଚନ ସତ୍ର interactive session ଖୁବ୍ ସହଜ ତଥା ଉତ୍ସାହ ବର୍ଦ୍ଧକ ଥିଲା। ଗତ ଅଧ୍ୟାୟର ବିଷୟ ସମ୍ବଳିତ ପ୍ରଶ୍ନକୁ “କୈାନ୍ ବନେଗା ଜ୍ଞାନପତି” ଶୃଙ୍ଖଳାର ନାମ ଦେଇ ଖୁବ୍ ରୋଚକ ଢଙ୍ଗରେ ପ୍ରଶ୍ନ ପଚରାଗଲା ଓ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହ ପିଲାମାନେ ଉତ୍ତର ଦେଇଥିଲେ। ଉଦାହରଣ _

ପ୍ରଶ୍ନ - ଦ୍ବାଦଶ ଅଧ୍ୟାୟର ନାମ କଣ?

ପଞ୍ଚଦଶ ଅଧ୍ୟାୟରେ କେତୋଟି ଶ୍ଲୋକ ର‌ହିଛି?

ତୁମେ ସବୁ ପ୍ରଚଳିତ insurance policy ବିଷୟରେ ବିଜ୍ଞାପନ ଦେଖିଥିବ -

“ଜିନ୍ଦଗୀକେ ସାଥଭୀ; ଜିନ୍ଦଗୀକେ ବାଦ୍ ଭୀ।”

ସେହିପରି ଏହି ଅଧ୍ୟାୟର ପ୍ରଥମ ୬ଟି ଶ୍ଲୋକ ଜୀବ ଦ୍ୱାରା ନିଜ ଜୀବନ ନିର୍ବାହ କରିବାର ଉଚିତ୍ ଶୈଳୀ ଓ ବ୍ୟବହାର ସମ୍ବନ୍ଧରେ ଜ୍ଞାନ ଦେଇଥାଏ।

ଏତଦ୍‌ବ୍ୟତୀତ ଅଧ୍ୟାୟର ଆସୁଥିବା ଅନ୍ୟ ଶ୍ଲୋକ ସମୂହ ଜୀବର ପୁନର୍ଜନ୍ମ ସମ୍ବନ୍ଧରେ ବ୍ୟାଖ୍ୟା କରିବା ସାଙ୍ଗେ ଈଶ୍ୱରଙ୍କ ସର୍ବ-ବ୍ୟାପକତାକୁ ମଧ୍ୟ ସ୍ଥାପିତ କରିଛି। ଭଗବାନ ରାମଙ୍କୁ ଆମେ ସମସ୍ତେ ଜାଣନ୍ତି ଏବଂ ଏହା ମଧ୍ୟ ଜାଣନ୍ତି ଯେ ସେ ନିଜ ମାତା-ପିତା ତଥା ଗୁରୁଜନମାନଙ୍କର କିପରି ଆଜ୍ଞାକାରୀ ଥିଲେ।

ଆମ୍ଭେମାନେ ଶ୍ରବଣ କୁମାରଙ୍କ ବିଷୟରେ ମଧ୍ୟ ଶୁଣିଛନ୍ତି କି ସେ ମଧ୍ୟ ନିଜର ପିତା ମାତାଙ୍କର ଅତ୍ୟନ୍ତ ଆଜ୍ଞାକାରୀ ଥିଲେ।

ଏହିପରି ଯଦି ଆମେ ସମସ୍ତ ମହାନ୍ ବିଭୂତିଙ୍କ ଗୁଣକୁ ଅନୁସରଣ କରି ଜୀବନ ଗଠନ କରିବା ତେବେ ନିଃସନ୍ଦେହ ଆମର ବର୍ତ୍ତମାନର ଜୀବନ ଓ ଆଗାମୀ ଜୀବନ ଉଭୟ ସାର୍ଥକ ହୋଇଯିବ। କାରଣ ଏହି ଜନ୍ମର ସଂସ୍କାରଗୁଡ଼ିକ ଆମର ଆତ୍ମା ସହିତ ସୂକ୍ଷ୍ମ ଶରୀର ରୂପେ ଆଗାମୀ ଜନ୍ମର ଶରୀର ମଧ୍ୟକୁ ସ୍ଥାନାନ୍ତର ହୋଇଯିବ। ଆଗାମୀ ଜନ୍ମ କିପରି ହୁଏ। ଜୀବାତ୍ମା କିପରି ଏକ ଶରୀରରୁ ନୂତନ ଶରୀରରେ ପ୍ରବେଶ କରେ। ଯେପରି ଆମେ ଏକ ଦେଶରୁ ଅନ୍ୟ ଏକ ଦେଶକୁ ଯାଇଥାଉ, କିମ୍ବା ଗୋଟିଏ ଦେଶ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ bus, train, plane ଦ୍ଵାରା ଯା' ଆସ କରିଥାଉ। ଠିକ୍ ସେହିଭଳି ଆମର ଆତ୍ମା ମଧ୍ୟ ଗୋଟିଏ ଶରୀର ଛାଡି ଅନ୍ୟ ଶରୀରକୁ ଯାତ୍ରା କରିଥାଏ । ଏହିସବୁ ବିଷୟକୁ ଭଗବାନ ସବିସ୍ତାରେ ଏହି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି । ତେଣୁ ଆଜିର ଏହି ବିବେଚନ ସତ୍ର ମାଧ୍ୟମରେ ଆମେ ଉକ୍ତ ସମସ୍ତ ବିଷୟର ଅଧ୍ୟୟନ କରିବା।


15.7

ମମୈବାଂଶୋ ଜୀବଲୋକେ, ଜୀବଭୂତଃ(ସ୍) ସନାତନଃ।
ମନଃ(ଷ୍) ଷଷ୍ଠାନୀନ୍ଦ୍ରିୟାଣି, ପ୍ରକୃତିସ୍ଥାନି କର୍ଷତି।।୭।।

ଏହି ସଂସାରରେ ଜୀବରୂପ ଧାରଣ କରିଥିବା ଆତ୍ମା କେବଳ ମୋର ହିଁ ସନାତନ ଅଂଶ, ମାତ୍ର ସେ ପ୍ରକୃତିସ୍ଥ ମନ ଓ ପଞ୍ଚେନ୍ଦ୍ରିୟଙ୍କୁ ଆକର୍ଷିତ କରୁଛି (ନିଜର ମନେ କରୁଛି ) ।

ବିବେଚନ→

କୁହାଯାଏ ଛୋଟ ପିଲାମାନେ ଈଶ୍ୱରଙ୍କ ସ୍ୱରୂପ ଅଟନ୍ତି। ଆମେ ସମସ୍ତ ଜୀବ ମଧ୍ୟ ଈଶ୍ୱରଙ୍କ ଶାଶ୍ଵତ (ସନାତନ) ଅଂଶ ରୂପ ଅଟୁ। ତେଣୁ ସମସ୍ତେ ସେହି ଈଶ୍ୱର ଦର୍ଶିତ ମାର୍ଗକୁ ଅନୁସରଣ କରିବା ଉଚିତ। ଦ୍ବାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି -

अद्वेष्टा सर्वभूतानां मैत्रः करुण एव च ।

निर्ममो निरहङ्कारः समदुःखसुखः क्षमी ॥12.13

ଅର୍ଥାତ୍ ଆମେ ସମସ୍ତ ପ୍ରାଣୀଙ୍କୁ ପ୍ରେମ ପୂର୍ଣ୍ଣ ବ୍ୟବହାର କରିବା ଉଚିତ। କାହାପ୍ରତି ଦ୍ୱେଷ (ଇର୍ଷା) କରିବ ନାହିଁ। ସେ ତୁମର ବିଦ୍ୟାଳୟର ପଢାସାଙ୍ଗ ହେଉ ବା ଅନ୍ୟ କେହି ହେଉ। ଦ୍ବାଦଶ ଅଧ୍ୟାୟରେ (ଭକ୍ତି ଯୋଗ) ଭଗବାନ ଭକ୍ତର ଅଣଚାଳିଶ ଲକ୍ଷଣର ବର୍ଣ୍ଣନା ଏହି ଉଦ୍ଦେଶ୍ୟ ରଖି କରିଛନ୍ତି ଯେ ତୁମେ ପିଲାମାନେ ସେଗୁଡିକ ଅନୁସରଣ କରିବାର ଚେଷ୍ଟା କରିଵ।

ଯେମିତି A=B,B=C ହେଲେ ସ୍ବତଃ A=C

ହୋଇଯିବ, ସେମିତି ସମସ୍ତ ଜୀବ ଈଶ୍ୱରଙ୍କ ଅଂଶ ରୂପେ ବିଚାର କଲେ ଆମେ ମଧ୍ୟ ଈଶ୍ୱରଙ୍କ ଅଂଶ ହେତୁ ସମସ୍ତେ ମିଳିମିଶି ଚଳିବା ଉଚିତ ଏହି ସମୀକରଣ equation କୁ ଦର୍ଶାଉଛି।

ଆମେ ସମସ୍ତେ ଜନ୍ମଦିନ କାହିଁକି ପାଳନ କରୁ, ଏହା ତୁମେ ଜାଣ କି? ଆମେ ଯେଉଁଦିନ ଜନ୍ମ ହୋଇଥାଉ ସେଦିନକୁ ଜନ୍ମଦିନ ବୋଲି କହୁ। ପ୍ରକୃତରେ ସେଦିନ ଆମର ଶରୀର (body) ଜନ୍ମ ଲାଭ କରିଥାଏ, କିନ୍ତୁ ଆମ ଆତ୍ମା (soul) ନୁହେଁ। ଆତ୍ମା ପରମାତ୍ମାଙ୍କ ଅଂଶ ହେତୁ ସନାତନ ଅଟେ। ସନାତନ ଓ ପୁରାତନ କଣ-

ସନାତନ - ଯାହା ଚିରନ୍ତନ, ସଦା ସର୍ବଦା ଯେ ରହିଥାଏ। ଯାହାର ଜନ୍ମ ନାହିଁ କି ମୃତ୍ୟୁ ବି ନାହିଁ। ଯେପରି - Energy ଯାହା ଉତ୍ପନ୍ନ ହୁଏନା କି ନଷ୍ଟ ହୁଏନା କେବଳ ବଦଳୁଥାଏ (transformation).

ପୁରାତନ - ବହୁତ ପୁରୁଣା ।

ଏହି ଶ୍ଲୋକରେ ଭଗବାନ କହୁଛନ୍ତି ପୃଥିବୀର ସମସ୍ତ ଜୀବାତ୍ମା ପରମାତ୍ମାଙ୍କର ଅଂଶ ବିଶେଷ ହୋଇଥିବା ସତ୍ତ୍ବେ, ବଦ୍ଧ ଜୀବନ ପ୍ରଣାଳୀ ହେତୁ ଏହା ଛଅ ଇନ୍ଦ୍ରିୟ ସହ କଠୋର ସଙ୍ଘର୍ଷ କରି ଚାଲିଛି, ଯେଉଁଥିରେ ମନ‌ ବି ସମ୍ମିଳିତ ଅଛି।

15.8

ଶରୀରଂ(ୟ୍ଁ) ୟଦବାପ୍ନୋତି, ୟଚ୍ଚାପ୍ୟୁତ୍କ୍ରାମତୀଶ୍ୱରଃ।
ଗୃହୀତ୍ୱୈତାନି ସଂୟାତି, ବାୟୁର୍ଗନ୍ଧାନିବାଶୟାତ୍॥15.8॥

ବାୟୁ କୌଣସି ଗନ୍ଧ ସ୍ଥାନରୁ ଗନ୍ଧ ବହନ କରି ନେଇଯିବା ପରି ଶରୀରାଦିର ସ୍ବାମୀ ବୋଲାଉଥିବା ଜୀବାତ୍ମା ମଧ୍ୟ ଯେଉଁ ଶରୀର ତ୍ୟାଗ କରେ, ସେଠାରୁ ମନସମେତ ଇନ୍ଦ୍ରିୟମାନଙ୍କୁ ସାଥିରେ ଧରି ଯେଉଁ ଶରୀର ପ୍ରାପ୍ତ ହୁଏ ସେଠାକୁ ଚାଲିଯାଏ ।

ବିବେଚନ→

ଆତ୍ମା ଏକଜନ୍ମ ପରେ ଶରୀର ତ୍ୟାଗକରି କିପରି ପୁନର୍ଜନ୍ମରେ ଅନ୍ୟ ଶରୀରରେ ପ୍ରବେଶ କରେ ତାହା ଏକ ଉଦାହରଣ ମାଧ୍ୟମରେ ବୁଝାଯାଇପାରେ। ମନେକର ତୁମେ ଗୋଟିଏ ପୁଷ୍ପଭରା ଉଦ୍ୟାନରେ ଠିଆହୋଇ ପୁଷ୍ପର ସୁଗନ୍ଧକୁ ଅନୁଭବ କରୁଛ। କିଛି ସମୟ ପରେ ସେ ସ୍ଥାନଛାଡି ଆଗକୁ ଚାଲିଗଲେ ସୁଦ୍ଧା ବଗିଚାର ଫୁଲର ସୁଗନ୍ଧକୁ ଅନୁଭବ କରିପାରିବ। ପ୍ରକୃତରେ ଏହି ସୁଗନ୍ଧ ଦୂର ପର୍ଯ୍ୟନ୍ତ କେବଳ ବାୟୁ ମାଧ୍ୟମରେ ପହଞ୍ଚିଥାଏ। ଯେପରି ସୁଗନ୍ଧର ବିସ୍ତାର ବାୟୁ ଦ୍ବାରା ହୋଇଥାଏ, ସେହିପରି ଜୀବାତ୍ମା ଶରୀର ଧାରଣ କରେ ଏବଂ କିଛି କାଳ ପରେ ଏହାକୁ ତ୍ୟାଗ କରିଥାଏ।

ବେଦାନ୍ତ ଦର୍ଶନାନୁସାରେ ଜ୍ଞାନେନ୍ଦ୍ରିୟର ଉପସ୍ଥିତିକୁ ନେଇ ଦୁଇଟି ବିଚାରଧାରା ଅଛି। ଗୋଟିଏ ମତରେ ପାଞ୍ଚ ଇନ୍ଦ୍ରିୟ ଓ ଅନ୍ୟ ମତରେ ମନକୁ ମିଶାଇ ଛଅ ଇନ୍ଦ୍ରିୟର ବର୍ଣ୍ଣନା ରହିଛି।

ଜୀବାତ୍ମା ଏହି ଇନ୍ଦ୍ରିୟମାନଙ୍କ ଦ୍ଵାରା କରାଯିବା କାର୍ଯ୍ୟ ଯୋଗୁଁ ହିଁ ଆଵଦ୍ଧ ହୋଇ ପୁନର୍ଜନ୍ମ ଲାଭ କରିଥାଏ ଏବଂ ଏଠାରେ ଆମର ଧ୍ୟାନ ରଖିବା ଉଚିତ୍ କି ଏହି ଇନ୍ଦ୍ରିୟ ଗଣ

ସର୍ବୋପରି ମନଦ୍ଵାରା ପରିଚାଳିତ ହୋଇଥାନ୍ତି।

ଜୀବର ଶରୀରକୁ ୩ପ୍ରକାର କୁହାଯାଏ -

  • ସ୍ଥୂଳ ଶରୀର - ହାତ, ଗୋଡ ଆଦି ବିଭିନ୍ନ ଅଙ୍ଗ ସମ୍ମିଳିତ ଆମର ଭୈତିକ ଶରୀର।

  • ସୂକ୍ଷ୍ମ ଶରୀର - ଗୋଟିଏ ଜନ୍ମ ଭିତରେ ଜୀବ ମଧ୍ୟରେ ବିଦ୍ୟମାନ ଭଲ ଓ ମନ୍ଦ ଅଭ୍ୟାସ ସମୂହକୁ ପର ଜନ୍ମରେ ଜୀବ ନିକଟରେ ପହଞ୍ଚାଇ‌ଥାଏ

  • କାରଣ ଶରୀର - ଜୀବ ମଧ୍ୟରେ ଥିବା କିଛି ବିଶେଷ ଗୁଣକୁ ହିଁ ସୂକ୍ଷ୍ମ ଶରୀର ଦ୍ଵାରା ସ୍ଥାନାନ୍ତରିତ କରିହୁଏ।

ଆମେ ବିଦ୍ୟାଳୟରେ କଣ୍ଠସ୍ଥ କରିଥିବା ପଣିକିଆ (Table)

ଆଗାମୀ ଜୀବନକୁ ନେଇଯାଇ ପାରିବା ନାହିଁ। ତୁମର ଆଚରଣ ସମ୍ବନ୍ଧୀୟ ଓ ବ୍ୟବହାର ସମ୍ବନ୍ଧୀ ବିଷୟ (ଅନ୍ୟମାନଙ୍କ ପ୍ରତି ବ୍ୟବହାର, ଗୀତାର କଣ୍ଠସ୍ଥୀକରଣ, ନିତ୍ୟ ପୂଜା କର୍ମ ଇତ୍ୟାଦି)ର କେବଳ ସ୍ଥାନାନ୍ତର ହୋଇଥାଏ।

ଯଦି ତୁମେ ସାତ୍ତ୍ୱିକ ଗୁଣଧାରୀ ଯଥା ମାତା ପିତାଙ୍କ ଆଜ୍ଞା ପାଳନକାରୀ, ଶିକ୍ଷକଙ୍କ କଥା ମାନିବା, ସହପାଠୀଙ୍କୁ ଇର୍ଷା ନ କରିବା,ସମୟାନୁବର୍ତୀ ହେବା ଇତ୍ୟାଦି ହୋଇଥାଅ, ତେବେ ତୁମେ ତୁମ ପର ଜନ୍ମରେ ଦେବତା ପର୍ଯ୍ୟନ୍ତ ମଧ୍ୟ ହୋଇପାରିବ। କିନ୍ତୁ ଏହାର ବିପରୀତ ବଡମାନଙ୍କ ଅସମ୍ମାନ କରିବା, ପ୍ରାଣୀମାନଙ୍କୁ (animals) କ୍ରୁର ବ୍ୟବହାର କରିବା ଆଦି ଖରାପ ଗୁଣଧାରୀର ନୀଚ ଯୋନୀ (ମାଛ,କୀଟ, ଝିଟିପିଟି)କୁ ପ୍ରାପ୍ତ କରିଥାନ୍ତି। ତେଣୁ ପାଇଥିବା ଏହି ଅମୂଲ୍ୟ ମନୁଷ୍ୟ ଜନ୍ମରେ ଆମେ ଭଲ କାମ କରି ଏପରି ଅନର୍ଥରୁ ରକ୍ଷା ପାଇପାରିବା।

15.9

ଶ୍ରୋତ୍ରଂ(ଞ୍) ଚକ୍ଷୁଃ(ସ୍) ସ୍ପର୍ଶନଂ(ଞ୍) ଚ, ରସନଂ(ଙ୍) ଘ୍ରାଣମେବ ଚ।
ଅଧିଷ୍ଠାୟ ମନଶ୍ଚାୟଂ(ୱ୍ଁ), ବିଷୟାନୁପସେବତେ॥15.9॥

ଏହି ଜୀବାତ୍ମା ମନର ସହାୟତାରେ ହିଁ କର୍ଣ୍ଣ, ଚକ୍ଷୁ, ତ୍ବକ୍, ଜିହ୍ବା ଓ ନାସିକା ଦ୍ବାରା ବିଷୟଗୁଡିକୁସେବନ କରେ ।

ବିବେଚନ→

ବେଳେବେଳେ ଏମିତି ହୁଏ ଆମକୁ ଲାଗେ ଆମ ସାମନାରେ କିଛି ଗୋଟାଏ ଚାଲିଗଲା। କିନ୍ତୁ ଆମେ ତାକୁ ଠିକ୍ ଭାବେ ଦେଖିପାରୁନା। ଏହାର କାରଣ ଆମର ଧ୍ୟାନ ସେଥିରେ ନ ଥାଏ। ଆମର ସମସ୍ତ ଅଙ୍ଗ (including sense organs) ଆମର ମସ୍ତିଷ୍କ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ। ଯେଉଁ ସମୟରେ ଏହା ମସ୍ତିଷ୍କ ଦ୍ଵାରା ନିୟନ୍ତ୍ରିତ ହୋଇ ନ ଥାଏ ଅର୍ଥାତ୍ ଆମର ଧ୍ୟାନରୁ ବାହାରେ ଥାଏ ସେହି ସମୟରେ ଏପରି ଘଟିଥାଏ। ଏଠାରେ ଶ୍ରୀଭଗବାନ ଆମକୁ ଜୀବ ଦେହରେ ଉପସ୍ଥିତ ଇନ୍ଦ୍ରିୟମାନଙ୍କ ବିଷୟରେ ଅବଗତ କରାଇଛନ୍ତି -

ଶ୍ରୋତ୍ରଂ - କର୍ଣ୍ଣ (ଯାହାଦ୍ଵାରା ଆମେ ବାହ୍ୟ ଧ୍ଵନିକୁ ଶୁଣି ପାରୁ, ଯେମିତି ଭଜନ ଆଦି ଆମେ ଶୁଣୁ)।

ଚକ୍ଷୁଃ - ନେତ୍ର (ଯାହା ଦ୍ଵାରା ଆମେ ବାହ୍ୟ ଜଗତକୁ ଦେଖିପାରୁ। ଯେମିତି ବହି ଦେଖିବା ଓ ତାକୁ ପଢ଼ିବା ଆଦି।)

ସ୍ପର୍ଶଂ - ତ୍ବଚା (ଆନନ୍ଦ ପ୍ରାପ୍ତି ହେତୁ କୋମଳ ବସ୍ତୁ ଯେମିତି ସୋଫା ଉପରେ ବସିବାକୁ ଭଲଲାଗିବା ଆଦି।)

ରସନଂ - ଜିହ୍ୱା (ଯାହା ଦ୍ବାରା ଆମେ ରସ ଆସ୍ବାଦନ କରିଥାଉ, ଯେମିତିକି ସ୍ବାଦିଷ୍ଟ ଭୋଜନ ଭଲ ଲାଗିବା)।

ଘ୍ରାଣ - ନାସିକା (ଅର୍ଥାତ୍ ଶୁଙ୍ଘିବା ଶକ୍ତି, ଅତରର ସୁଗନ୍ଧ ନେବା ଆଦି)।

କିନ୍ତୁ ଏ ସମସ୍ତ ଇନ୍ଦ୍ରିୟ ଉପରେ ହେଉଛି ମନ। ସବୁ ଇନ୍ଦ୍ରିୟର ନିୟନ୍ତା ମନ ଯଦି ଚାହେଁ ତେବେ ଯାଇ ଆମେ ଦେଖି, ଶୁଣି, ବୁଝି ପାରୁ। ମନ ଯଦି ଚାହେଁ ଇନ୍ଦ୍ରିୟମାନେ ବିବଶ ହୋଇ ସେ କାର୍ଯ୍ୟ କରନ୍ତି। ମନ cartoon

ଦେଖିବାକୁ ଚାହିଁଲେ ଚକ୍ଷୁ ବାଧ୍ୟ ହୋଇ T.v.ଦେଖେ। ଏପରି ସ୍ଥିତିରୁ ରକ୍ଷା ପାଇବା ପାଇଁ ସମସ୍ତେ କହନ୍ତି ମନ ଧ୍ୟାନ ଦେଇ ପଢ, ଅର୍ଥାତ୍ ମନକୁ ଏଆଡେ ସେଆଡେ ଯିବାକୁ ନ ଦେଇ ଏକାଗ୍ର ହୋଇ ଓ ନିଜର ପଢାକୁ ମହତ୍ତ୍ୱପୂର୍ଣ୍ଣ ମନେକରି କାର୍ଯ୍ୟ କର। ଭଗବାନ ଏହି ମନର ଏକାଗ୍ରତା ବିଷୟକୁ କହିଛନ୍ତି।

15.10

ଉତ୍କ୍ରାମନ୍ତଂ(ମ୍) ସ୍ଥିତଂ(ୱ୍ଁ) ବାପି, ଭୁଞ୍ଜାନଂ(ୱ୍ଁ) ବା ଗୁଣାନ୍ୱିତମ୍।
ବିମୂଢା ନାନୁପଶ୍ୟନ୍ତି, ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ॥15.10॥

ଗୁଣଯୁକ୍ତ ଜୀବାତ୍ମା ଶରୀର ଛାଡି ଯାଉଥିଲେ ମଧ୍ୟ, ଅନ୍ୟ ଶରୀରରେ ସ୍ଥିତ ହେଉଥିଲେ ମଧ୍ୟ ଅଥବା ବିଷୟ ଉପଭୋଗ କରୁଥିଲେ ମଧ୍ୟ ତାହାର ବାସ୍ତବ ସ୍ବରୂପକୁ ମୂଢ ଲୋକେ ଜାଣନ୍ତି ନାହିଁ, ଜ୍ଞାନଚକ୍ଷୁସମ୍ପନ୍ନ ଜ୍ଞାନୀ ମନୁଷ୍ୟ ହିଁ ଜାଣନ୍ତି ।

ବିବେଚନ→

ଏହି ପଦ ମାଧ୍ୟମରେ ଶ୍ରୀ ଭଗବାନ୍ ବର୍ଣ୍ଣନା କରିଛନ୍ତି ଯେ ଯୋଗୀମାନେ ମୋର ଏହି ରୂପ ଜାଣିବାକୁ ତତ୍ପର ଥାନ୍ତି, ତେଣୁ ସେମାନେ ସେମାନଙ୍କର ବିବେକ ଏବଂ ଆତ୍ମ-ଜ୍ଞାନକୁ ଜାଗ୍ରତ କରି ଏହାକୁ ବୁଝନିଅନ୍ତି, କିନ୍ତୁ ଅଜ୍ଞ ତଥା ମୂର୍ଖ ଜନେ, ମୋର ଏହି ରୂପ ଜାଣିବାରେ ସକ୍ଷମ ହୋଇ ପାରନ୍ତି ନାହିଁ ‌କାରଣ, ସେମାନେ ଚେଷ୍ଟା କରନ୍ତି ନାହିଁ ; ଏହି ଐଶ୍ୱରୀୟ (ଦିବ୍ୟ)ଜ୍ଞାନ ହାସଲ କରିବାକୁ ସେମାନେ ଇଚ୍ଛୁକ ହିଁ ନଥାନ୍ତି ।

ଉଦାହରଣ ସ୍ୱରୂପ, ସମସ୍ତେ ବିଜ୍ଞାନ ଅଧ୍ୟୟନ କରନ୍ତି, କିନ୍ତୁ ସମସ୍ତ ବିଜ୍ଞାନ ଶିକ୍ଷିତ ବ୍ୟକ୍ତି ନୂତନ ଉଦ୍ଭାବନ କରିବାରେ ସକ୍ଷମ ହୋଇ ନଥାନ୍ତି, ଅର୍ଥାତ୍ ସମସ୍ତେ ବୈଜ୍ଞାନିକ ହେବାରେ ସକ୍ଷମ ନୁହଁନ୍ତି। ସେହିପରି ସମସ୍ତେ ବେଦ ଏବଂ ଶାସ୍ତ୍ର ଅଧ୍ୟୟନ କଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ସିଦ୍ଧ ପୁରୁଷ ବା ଯୋଗୀ ହେବାରେ ସକ୍ଷମ ହୋଇପାରନ୍ତି । ମହାଭାରତରୁ ଆମେ ସମସ୍ତେ ଜାଣୁ ଯେ ଅର୍ଜୁନ ସର୍ବୋତ୍ତମ ଧନୁର୍ଦ୍ଧର । ଉଭୟ ପାଣ୍ଡବ ଏବଂ କୌରବଙ୍କର ଗୁରୁ ଥିଲେ ଦ୍ରୋଣାଚାର୍ଯ୍ୟ।

ଦିନେ, ଧନୁର୍ବିଦ୍ୟା ଅଭ୍ୟାସ ସମୟରେ, ସେ ନିଜ ଶିଷ୍ୟମାନଙ୍କୁ ଏକ ନକଲି ପକ୍ଷୀ ଆଖିକୁ ଶରବିଦ୍ଧ କରିବାକୁ କହିଥିଲେ। ତା’ପରେ ସେ ତାଙ୍କର ସମସ୍ତ ଶିଷ୍ୟମାନଙ୍କୁ ଜଣ ଜଣ କରି ଡାକି ନିଶାଣ ସାଧିବାକୁ କହି ପଚାରିଲେ, “ତୁମକୁ କ'ଣ ଦେଖାଯାଉଛି?”

ଯେହେତୁ ଲକ୍ଷ୍ୟସ୍ଥଳଟି ପକ୍ଷୀର ଆଖି ଥିଲା, ତେଣୁ ସମସ୍ତଙ୍କର ଉତ୍ତର ପକ୍ଷୀ ଆଖି ହେବା ଉଚିତ୍ ଥିଲା । କିନ୍ତୁ କିଛି ରାଜକୁମାର କୁହନ୍ତି, ମୁଁ ପକ୍ଷୀଟି ବସିଥିବା

ଗଛକୁ ଦେଖିପାରୁଛି, କେହି କେହି କୁହନ୍ତି, ମୁଁ କେବଳ ପକ୍ଷୀଟିକୁ ଦେଖିପାରୁଛି। ଏହିପରି ଗୁରୁଦେବ କୌଣସି ରାଜକୁମାରଙ୍କ ଠାରୁ ଅନୁକୂଳ ଉତ୍ତର ପାଆନ୍ତି ନାହିଁ ଏବଂ ଶେଷରେ ସେ ଅର୍ଜୁନଙ୍କୁ ଏଥିପାଇଁ ଡାକନ୍ତି । ଅର୍ଜୁନ “ପକ୍ଷୀର ଆଖିକୁ କେବଳ ଆଖିକୁ ଦେଖିପାରୁଛି” ବୋଲି କହିଲେ। ଏହିପରି ଏକମାତ୍ର ଅର୍ଜୁନ ହିଁ ସଠିକ୍ ଉତ୍ତର ଦେବାରେ ସଫଳ ହୋଇଥିଲେ ତେଣୁ ସମସ୍ତ ରାଜପୁତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଧନୁର୍ଦ୍ଧର ହୋଇ ପାରିଥିଲେ।

ତେଣୁ, ଯେତେବେଳେ ଆମେ ଧ୍ୟାନମଗ୍ନ ହୋଇ ଅଧ୍ୟୟନ କରୁଥିବା, ଆମେ ନିଶ୍ଚିତ ଭାବରେ ଅର୍ଜୁନଙ୍କ ପରି ଆମର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିବା। ସେହି ଯୋଗୀମାନେ ଯେଉଁମାନେ ଶରୀରର ମୋହ ତ୍ୟାଗ କରି ବିଚରଣ କରନ୍ତି, ସେମାନଙ୍କର ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ, ଅର୍ଥାତ୍ ଭଗବଦ୍‌ ପ୍ରାପ୍ତି ରାସ୍ତାରେ ଯିବାବେଳେ ସେମାନେ ପ୍ରଭୁଙ୍କ ସହ ମିଳତ ହେବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଥାନ୍ତି ଏବଂ ସେମାନେ ଜନ୍ମମୃତ୍ୟୁର ଏହି ଚକ୍ରରେ ଯେଉଁଠାରେ ଭଗବଦ୍‌ ସତ୍ତା ଉପସ୍ଥିତ ଥାନ୍ତି, ତାହାକୁ ନିଜର ଜ୍ଞାନଚକ୍ଷୁ ଦ୍ବାରା ବୁଝି ନେଇଥାନ୍ତି।    

ଏହିପରି ଦିବ୍ୟ-ଚକ୍ଷୁ ଅର୍ଜୁନଙ୍କୁ ଶ୍ରୀଭଗବାନ ତାଙ୍କର ବିଶ୍ବରୂପର ଦର୍ଶନ ପାଇଁ ଦେଇଥିଲେ, କାରଣ ଅର୍ଜୁନ ତାଙ୍କ ଚର୍ମ ଚକ୍ଷୁରେ ଶ୍ରୀଭଗବାନର ଦିବ୍ୟ ରୂପ ଦେଖିବା ସମ୍ଭବପର ନଥିଲା । ଏହାର ବର୍ଣ୍ଣନା ଏକାଦଶ ଅଧ୍ୟାୟରେ କରାଯାଇଛି -

न तु मां शक्यसे द्रष्टमनेनैव स्वचक्षुषा।

दिव्यं ददामि ते चक्षुः पश्य मे योगमैश्वरम् ||11.8||

ଶ୍ରୀ ଭଗବାନଙ୍କର ଏହି ଭବ୍ୟ ରୂପ ଯେଉଁଥିରେ ସମଗ୍ର ବିଶ୍ୱ ସମାହିତ ହୋଇଥିଲା ; ଯେଉଁଥିରେ ଭଗବାନ, ଗନ୍ଧର୍ବ, ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ସମେତ ପୃଥିବୀର ଅତୀତ, ବର୍ତମାନ ଓ ଭବିଷ୍ୟତ କାଳ ମଧ୍ୟ ସାମିଲ୍ ଥିଲା । ଭଗବାନଙ୍କ ଆରାଧନା ସମୟରେ ସତ୍ କର୍ମ ଓ ଶାସ୍ତ୍ର ଇତ୍ୟାଦି ପୁସ୍ତକ ମାଧ୍ୟମରେ ସେହି ଭକ୍ତ ବା ପ୍ରାଣୀମାନଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରାଯାଇଥାଏ । ତେଣୁ ଆମେ ନିୟମିତ ଭାବରେ ଭଗବାନଙ୍କୁ ଅଧ୍ୟୟନ କରିବା ଉଚିତ, ଯାହା ଦ୍ୱାରା ଶ୍ରୀ ଭଗବାନ ମଧ୍ୟ ଆମକୁ ପ୍ରସନ୍ନତାପୂର୍ବକଃ ଏହି ଦିବ୍ୟଚକ୍ଷୁ ପ୍ରଦାନ କରନ୍ତି ।

15.11

ୟତନ୍ତୋ ୟୋଗିନଶ୍ଚୈନଂ(ମ୍), ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍।
ୟତନ୍ତୋଽପ୍ୟକୃତାତ୍ମାନୋ, ନୈନଂ(ମ୍) ପଶ୍ୟନ୍ତ୍ୟଚେତସଃ।।୧୧।।

ପ୍ରଯତ୍ନଶୀଳ ଯୋଗୀମାନେ ନିଜ ମଧ୍ୟରେ ଅବସ୍ଥିତ ଏହି ପରମାତ୍ମତତ୍ତ୍ବକୁ ଅନୁଭବ କରନ୍ତି । କିନ୍ତୁ ଅଶୁଦ୍ଧ ଅନ୍ତଃକରଣଯୁକ୍ତ ଅବିବେକୀ ( ଅଜ୍ଞାନୀ ) ମନୁଷ୍ୟ ଯେତେ ଯତ୍ନ କଲେ ମଧ୍ୟ ଏହି ତତ୍ତ୍ବକୁ ଅନୁଭବ କରି ପାରନ୍ତି ନାହିଁ ।

ବିବେଚନ→

କିଛି ଲୋକ ଅର୍ଜୁନ ପରି ହେବାକୁ ଚେଷ୍ଟା କରନ୍ତି। ଯଦିଓ ସେମାନେ ଏଥିପାଇଁ ନିରନ୍ତର ଉଦ୍ୟମ କରନ୍ତି, ସେମାନଙ୍କର ଅନ୍ତଃକରଣ ଶୁଦ୍ଧ ହୋଇନଥିବା ହେତୁ, ଅର୍ଥାତ୍ ସେମାନଙ୍କର ଆଚାର-ବ୍ୟବହାର, ଅନ୍ୟମାନଙ୍କ ପ୍ରତି ଭଲ ହୋଇନଥିବା ହେତୁ, ସେ ପାହ୍ୟା ସେମାନେ ପାଇ ପାରନ୍ତି ନାହିଁ। ସେମାନେ ଅନ୍ୟମାନଙ୍କ ପ୍ରତି ଈର୍ଷା କରନ୍ତି, ମିଥ୍ୟା କୁହନ୍ତି, ଅନ୍ୟଜୀବ ତଥା ଗୁରୁଜନମାନଙ୍କୁ ସମ୍ମାନ କରନ୍ତି ନାହିଁ, ପ୍ରକୃତି ପ୍ରତି ପ୍ରେମ ଏବଂ କରୁଣାର ଭାବ ସେମାନଙ୍କ ପାଖରେ ନଥାଏ, ଆଉ ଏ ସବୁୁ ମନ୍ଦ ଗୁଣ ସେମାନଙ୍କୁ ଅର୍ଜୁନଙ୍କ ସ୍ଥାନରେ ପହଞ୍ଚି ପାରିବାର ଅନୁମତି ଦିଏ ନାହିଁ । ତେଣୁ, ଆମେ ଖରାପ ଆଚରଣ ଏବଂ ଚିନ୍ତାଧାରା ଛାଡି ସର୍ବଦା ଉତ୍ତମ ଆଚରଣ ଗ୍ରହଣ କରିବା ଉଚିତ୍ ।

15.12

ୟଦାଦିତ୍ୟଗତଂ(ନ୍) ତେଜୋ, ଜଗଦ୍ଭାସୟତେଽଖିଲମ୍।
ୟଚ୍ଚନ୍ଦ୍ରମସି ୟଚ୍ଚାଗ୍ନୌ, ତତ୍ତେଜୋ ବିଦ୍ଧି ମାମେକମ୍।।୧୨।।

ସୂର୍ଯ୍ୟଙ୍କୁ ପ୍ରାପ୍ତ ଯେଉଁ ତେଜ ସମଗ୍ର ଜଗତକୁ ଆଲୋକିତ କରୁଛି ଏବଂ ଚନ୍ଦ୍ର ତଥା ଅଗ୍ନିରେ ଯେଉଁ ତେଜ ରହିଛି, ତାହା ମୋର ତେଜ ବୋଲି ଜାଣ ।

ବିବେଚନ→

ଆମ ପୃଥିବୀରେ ଆଲୋକର ମୂଳ ଉତ୍ସ କ’ଣ - ନିଃସନ୍ଦେହ, ସୂର୍ଯ୍ୟ ଏବଂ ସୂର୍ଯ୍ୟ ତାଙ୍କ କିରଣ କେଉଁଠାରୁ ପାଆନ୍ତି ? ଶ୍ରୀଭଗବାନ୍ ହିଁ ହେଉଛନ୍ତି ସୂର୍ଯ୍ୟାଲୋକର ଉଦ୍ଗମ ସ୍ଥଳ, ଯାହା ଏହି ସମଗ୍ର ପୃଥିବୀକୁ ଉଦ୍ଭାସିତ କରିଥାଏ। ଚନ୍ଦ୍ରଙ୍କ ଠାରେ ଆମେ ଯେଉଁ ଆଲୋକ ଦେଖୁ ତାହା ମଧ୍ୟ ଏହି ସୂର୍ଯ୍ୟାଲୋକର ହିଁ ପ୍ରତିଫଳନ। ଅର୍ଥାତ୍ ଚନ୍ଦ୍ର ମଧ୍ୟ ଭଗବାନଙ୍କଠାରୁ ଆଲୋକ ଗ୍ରହଣ କରନ୍ତି । ସେହିଭଳି ଶ୍ରୀଭଗବାନଙ୍କଠାରୁ ଅଗ୍ନି ମଧ୍ୟ ତାହାର ତେଜ ପାଇଥାଏ । ତେଣୁ ଯଦି କୌଣସି ଘଟଣା ସଂଘଟିତ ହେଉଛି, ତେବେ ତା ଅନ୍ତରାଳରେ ନିଶ୍ଚିତ ରୂପେ କିଛି ନିହିତ କାରଣ ରହିଛି।

15.13

ଗାମାବିଶ୍ୟ ଚ ଭୂତାନି, ଧାରୟାମ୍ୟହମୋଜସା।
ପୁଷ୍ଣାମି ଚୌଷଧୀଃ(ସ୍) ସର୍ବାଃ(ସ୍), ସୋମୋ ଭୂତ୍ୱା ରସାତ୍ମକଃ।।୧୩।।

ମୁଁ ନିଜେ ହିଁ ପୃଥିବୀରେ ପ୍ରବିଷ୍ଟ ହୋଇ ମୋର ଶକ୍ତି ଦ୍ବାରା ସମସ୍ତ ପ୍ରାଣୀଙ୍କୁ ଧାରଣ କରୁଛି ଏବଂ ମୁଁ ହିଁ ରସମୟ ଚନ୍ଦ୍ରରୂପରେ ସମସ୍ତ ଔଷଧିକୁ (ବନସ୍ପତିକୁ) ପରିପୁଷ୍ଟ କରୁଛି ।

ବିବେଚନ→

ପୃଥିବୀ କିପରି ନିଜ ଅକ୍ଷରେ ଏବଂ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନ କରେ ଏବଂ କିଏ ଏହା କରାଏ ? ଏ ବ୍ରହ୍ମାଣ୍ଡରେ ସ୍ଥିତ ସମସ୍ତ ଗ୍ରହମାନଙ୍କର ନିୟତ ସଞ୍ଚାଳନ କେବଳ ପରମାତ୍ମାଙ୍କ ଦ୍ଵାରା ହିଁ ସୂଚାରୁରୂପେ ସାଧିତ ହୋଇଥାଏ। ପୃଥିବୀ ପୃଷ୍ଠରେ ଉପଲବ୍ଧ ଥିବା ସମସ୍ତ ପ୍ରକାରର ଜୀବନ ଶକ୍ତି, ଯାହା ଦ୍ବାରା ଆମେ ଚାଲିବା, ଦୌଡିବା ତଥା ଚଳାଇବା ଆଦି ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଉ, ତାହା ମଧ୍ୟ ଆମେ କେବଳ ଭଗବାନଙ୍କଠାରୁ ହିଁ ପାଇଥାଉ । ସମସ୍ତ ତରୁ ଲତାଙ୍କୁ ସେମାନଙ୍କର ଅଭିବୃଦ୍ଧିର ଶକ୍ତି ବି ଭଗବାନ ପ୍ରଦତ୍ତ।

ଏହି ଅଧ୍ୟାୟର ପ୍ରାରମ୍ଭରେ ଆମେ ଜଗତର ରୂପରେ ଏକ କାଳ୍ପନିକ ଓଲଟା ବୃକ୍ଷ ବିଷୟରେ ଜାଣିଲୁ। ଯାହାଦ୍ବାରା ଶ୍ରୀ ଭଗବାନ୍ ସ୍ବୟଂକୁ ଊର୍ଦ୍ଧ୍ବ ମୁଖା ମୂଳ ରୂପରେ ଏବଂ ସେହି ବୃକ୍ଷର ନିମ୍ନ ମୁଖା ଶାଖା ଓ ପତ୍ର ଆଦିକୁ ଜୀବ-ଜଗତ ଭାବରେ ବର୍ଣ୍ଣନା କରିଛନ୍ତି ।

ଭଗବାନ ଶ୍ରୀକୃଷ୍ଣ ଏହି ଶ୍ଳୋକ ମାଧ୍ୟମରେ ସ୍ପଷ୍ଟ ରୂପେ କହିଛନ୍ତି ଯେ, “ମୁଁ ହେଉଛି ସିଏ, ଯେ ପୃଥିବୀର ପ୍ରତ୍ୟେକ ଲୋକରେ ପ୍ରବେଶ କରି ସେଥିରେ ବିଦ୍ୟମାନ ଥିବା ସମସ୍ତ ଜୀବଙ୍କୁ ବଞ୍ଚାଇ ରଖିଥାଏ, ମୋର ଶକ୍ତି ଦ୍ୱାରା ସମସ୍ତ ଲୋକ ନିଜ ନିଜର କକ୍ଷପଥରେ ଅବସ୍ଥିତ। ମୁଁ ହିଁ ଚନ୍ଦ୍ର ରୂପେ ସମସ୍ତ ବନସ୍ପତି ଏବଂ ଔଷଧୀକୁ ଜୀବନ ଦାୟିନୀ ରସ ପ୍ରଦାନ କରି ପୁଷ୍ଟ କରାଇଥାଏ।

15.14

ଅହଂ(ୱ୍ଁ) ବୈଶ୍ୱାନରୋ ଭୂତ୍ୱା, ପ୍ରାଣିନାଂ(ନ୍) ଦେହମାଶ୍ରିତଃ।
ପ୍ରାଣାପାନସମାୟୁକ୍ତଃ(ଫ୍), ପଚାମ୍ୟନ୍ନଂ(ଞ୍) ଚତୁର୍ବିଧମ୍॥15.14॥

ସକଳ ପ୍ରାଣୀଙ୍କ ଶରୀରରେ ରହୁଥିବା ମୁଁ ପ୍ରାଣ ଓ ଅପାନ ଦ୍ବାରା ସଂଯୁକ୍ତ ବୈଶ୍ବାନର ଅଗ୍ନିରୂପ ହୋଇ ଚାରିପ୍ରକାର ଅନ୍ନ ଜୀର୍ଣ୍ଣ କରୁଛି ।

ବିବେଚନ→

ଆମ ଶରୀରରେ ତିନିପ୍ରକାରର ଅଗ୍ନି ଅଛି -

ବୈଶ୍ଵାନର ଅଗ୍ନି - ସମସ୍ତ ଜୀବଙ୍କ ଉଦରରେ ଉପସ୍ଥିତ (ଏକ ଅଦୃଶ୍ୟ ଶକ୍ତି ସ୍ବରୂପ), ଖାଦ୍ୟର ପାଚନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବନବାନଳ - ଜଳାଶୟ କିମ୍ବା ସମୁଦ୍ରରେ ଏକ ଅଦୃଶ୍ୟ ଶକ୍ତି ରୂପ ଯାହା ସେଠାରେ ଉପସ୍ଥିତ ଜଳଜୀବଙ୍କ ଜୀବନ ନିୟନ୍ତ୍ରଣ କରିଥାଏ।

ଦାବାନଳ - ଜଙ୍ଗଲରେ ଘଟୁଥିବା ଭୀଷଣ ଅଗ୍ନିକାଣ୍ଡ ।

ଆମ ଶରୀରର ସାଧାରଣ ତାପମାତ୍ରାକୁ - ଯାହା 98.6 ଡିଗ୍ରୀ ଫାରେନ୍ହାଇଟ୍, ନିୟନ୍ତ୍ରଣ କରିବାର କାର୍ଯ୍ୟ, ଶରୀରରେ ଉପସ୍ଥିତ ଥିବା ବୈଶ୍ଵାନର ଅଗ୍ନି ଦ୍ୱାରା ହୋଇଥାଏ, ଯାହା ବାସ୍ତବରେ ସ୍ବୟଂ ଭଗବାନଙ୍କର ହିଁ ସ୍ବରୂପ ଅଟେ । ଏହି ଅଗ୍ନିର ଅବ୍ୟବସ୍ଥିତ ହେବା ଦ୍ବାରା ଆମ ଶରୀରର ତାପମାତ୍ରା ଅସନ୍ତୁଳିତ ହୋଇ ଆମକୁ ଜ୍ୱର ହୋଇଥାଏ। ଜୀବନ୍ତ ଶରୀରରେ ସମସ୍ତ ପ୍ରକାରର ଖାଦ୍ୟ ହଜମ ହେବା ପ୍ରକ୍ରିୟା, ପ୍ରଭୁଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ, ଯାହା ଶ୍ରୀ ଭଗବାନ୍ ଏହି ଶ୍ଳୋକ ମାଧ୍ୟମରେ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି ଯେ, “ମୁଁ ସେହି ପାଚନକାରୀ ବୌଶ୍ଵାନର ଅଗ୍ନି ଯାହା ସମସ୍ତ ଜୀବଙ୍କ ଶରୀରରେ ଉପସ୍ଥିତ ରହିବା ସହିତ ନିଶ୍ୱାସ ଏବଂ ପ୍ରଶ୍ୱାସ (ଜୀବନ ବାୟୁ)କୁ ସନ୍ତୁଳିତ ରଖି, ମୁଁ ଚାରି ପ୍ରକାରର ଅନ୍ନକୁ ପାଚନ କରିଥାଏ।”

15.15

ସର୍ବସ୍ୟ ଚାହଂ(ମ୍) ହୃଦି ସନ୍ନିବିଷ୍ଟୋ,
ମତ୍ତଃ(ସ୍) ସ୍ମୃତିର୍ଜ୍ଞାନମପୋହନଂ(ଞ୍) ଚ।
ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ,
ବେଦାନ୍ତକୃଦ୍ବେଦବିଦେବ ଚାହମ୍।।୧୫।।

ମୁଁ ପ୍ରତ୍ୟେକ ପ୍ରାଣୀଙ୍କର ହୃଦୟରେ ବିରାଜମାନ । ମୋ ଠାରୁ ହିଁ ସ୍ଥିତି, ଜ୍ଞାନ ଓ ଅପୋହନ (ସଂଶୟାଦି ଦୋଷ ନାଶ କାର୍ଯ୍ୟ) ହୁଏ । ମୁଁ ସମସ୍ତ ବେଦର ଜ୍ଞେୟ ତତ୍ତ୍ବ । ସମସ୍ତ ବେଦର ତତ୍ତ୍ବ ନିର୍ଣ୍ଣାୟକ ଏବଂ ବେଦର ଜ୍ଞାତା ମଧ୍ୟ ମୁଁ ।

ବିବେଚନ→

ଶ୍ରୀ ଭଗବାନ୍ କୁହନ୍ତି - ମୁଁ ପ୍ରତ୍ୟେକ ଜୀବଙ୍କ ହୃଦୟରେ ଆସୀନ। କେବଳ ମୋ ମାଧ୍ୟମରେ ସ୍ମୃତି, ଜ୍ଞାନ ଏବଂ ବିସ୍ମୃତି ମଧ୍ୟ ହୋଇଥାଏ। ମୁଁ ହିଁ ସେହି ବିଷୟବସ୍ତୁ ଯାହା ବେଦ ମାଧ୍ୟମରେ ଜ୍ଞେୟ । ନିଃସନ୍ଦେହ, ମୁଁ ବେଦାନ୍ତର ସଂକଳକ ଏବଂ ସମସ୍ତ ବେଦର ଜ୍ଞାତା ମଧ୍ୟ ମୁଁ ।

15.16

ଦ୍ୱାବିମୌ ପୁରୁଷୌ ଲୋକେ, କ୍ଷରଶ୍ଚାକ୍ଷର ଏବ ଚ।
କ୍ଷରଃ(ସ୍) ସର୍ବାଣି ଭୂତାନି, କୂଟସ୍ଥୋଽକ୍ଷର ଉଚ୍ୟତେ।।୧୬।।

ସଂସାରରେ ଦୁଇ ପ୍ରକାର ପୁରୁଷ ଅଛନ୍ତି - କ୍ଷର ( ବିନାଶୀ ) ଏବଂ ଅକ୍ଷର( ଅବିନାଶୀ ) । ସମସ୍ତ ପ୍ରାଣୀମାନଙ୍କ ଶରୀର କ୍ଷର ଏବଂ ଜୀବାତ୍ମା ଅକ୍ଷର ବୋଲାଏ।

ବିବେଚନ→

ଭଗବାନ ଏହି ଶ୍ଳୋକରେ ଜୀବଜଗତକୁ ଦୁଇ ଭାଗରେ ବର୍ଣ୍ଣନା କରିଛନ୍ତି। କ୍ଷର ଓ ଅକ୍ଷର (ନାଶବାନ ଓ ଅବିନାଶୀ) । ଭୌତିକ ଜଗତରେ ପ୍ରତ୍ୟେକ ଜୀବ କ୍ଷର ବା ବିନାଶଶୀଳ ତଥା ଯେଉଁ ଜୀବାତ୍ମାର ସମ୍ପର୍କ ପରମାତ୍ମାଙ୍କ ସହିତ ଯୋଡ଼ି ହୋଇଯାଏ ସେ ଏହି ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଯାନ୍ତି। ଯେଉଁ ଜୀବାତ୍ମା ଗୁଡ଼ିକ ଜନ୍ମ ମୃତ୍ୟୁର ଚକ୍ର ମଧ୍ୟରେ ବାରମ୍ବାର ଘୁରୁଥାନ୍ତି ସହି ସମସ୍ତ ଆତ୍ମା ପରମେଶ୍ଵରଙ୍କର ଅଂଶ ସ୍ୱରୂପ ଅକ୍ଷର ଓ ଅବିନାଶୀ।

ଜୀବର ଭୌତିକ ଶରୀର କ୍ଷର ଅର୍ଥାତ୍ ବିନାଶଶୀଳ କିନ୍ତୁ ତା‌ହାର ଆତ୍ମା ଅକ୍ଷର ବା ଅବିନାଶୀ ଅଟେ।


15.17

ଉତ୍ତମଃ(ଫ୍) ପୁରୁଷସ୍ତ୍ୱନ୍ୟଃ(ଫ୍), ପରମାତ୍ମେତ୍ୟୁଦାହୃତଃ।
ୟୋ ଲୋକତ୍ରୟମାବିଶ୍ୟ, ବିଭର୍ତ୍ୟବ୍ୟୟ ଈଶ୍ୱରଃ।।୧୭।।

ଉତ୍ତମ ପୁରୁଷ କିନ୍ତୁ ଅନ୍ୟ ଜଣେ (ବିଲକ୍ଷଣ ପୁରୁଷ), ଯାହାକୁ ପରମାତ୍ମା କୁହାଯାଇଛି । ସେହି ଅବିନାଶୀ ଈଶ୍ବର ତ୍ରିଲୋକରେ ପ୍ରବିଷ୍ଟ ହୋଇ ସମସ୍ତଙ୍କୁ ଭରଣପୋଷଣ କରନ୍ତି ।

ବିବେଚନ→

କ୍ଷର ଓ ଅକ୍ଷର ବ୍ୟତୀତ ଆଉ ଜଣେ ପରମ ପୁରୁଷ ପରମାତ୍ମା ଅଛନ୍ତି ଯିଏ ସାକ୍ଷାତ ଅବିନାଶୀ ଭଗବାନ ଅଟନ୍ତି ଏବଂ ତିନି ଲୋକରେ ପ୍ରବେଶ କରି ସେମାନଙ୍କର ପାଳନ କରୁଛନ୍ତି। ଆମେ ସେହି ପରମେଶ୍ଵର ପରମାତ୍ମାଙ୍କୁ ପ୍ରାର୍ଥନା କରୁଅଛୁ।

15.18

ୟସ୍ମାତ୍କ୍ଷରମତୀତୋଽହମ୍, ଅକ୍ଷରାଦପି ଚୋତ୍ତମଃ।
ଅତୋଽସ୍ମି ଲୋକେ ବେଦେ ଚ, ପ୍ରଥିତଃ(ଫ୍) ପୁରୁଷୋତ୍ତମଃ।।୧୮।।

ଯେହେତୁ ମୁଁ କ୍ଷରରୁ ଅତୀତ ଓ ଅକ୍ଷରରୁ ମଧ୍ଯ ଉତ୍ତମ , ତେଣୁ ଜଗତରେ ଓ ବେଦରେ ମୁଁ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ ।

ବିବେଚନ→

ଆମ ସଂସ୍କୃତିରେ ପ୍ରଚଳିତ ଚାରି ବେଦ ( ଋଗ୍‌ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ) ଯାହାଙ୍କୁ ପୁରୁଷୋତ୍ତମ କୁହାଯାଏ ତଥା ମୁଁ (ଶ୍ରୀ ଭଗବାନ) କ୍ଷର ଓ ଅକ୍ଷର ଉଭୟ ଠାରୁ ଉର୍ଦ୍ଧ୍ବରେ । ମୁଁ ସର୍ବଶ୍ରେଷ୍ଠ ଅଟେ। ତେଣୁ ମୁଁ ଏହି ସଂସାରରେ ପରମ ପୁରୁଷ ପରମେଶ୍ଵର ରୂପରେ ପ୍ରସିଦ୍ଧ ହୋଇଛି।

15.19

ୟୋ ମାମେବମସମ୍ମୂଢୋ, ଜାନାତି ପୁରୁଷୋତ୍ତମମ୍।
ସ ସର୍ବବିଦ୍ଭଜତି ମାଂ(ମ୍), ସର୍ବଭାବେନ ଭାରତ।।୧୯।।

ହେ ଭରତବଂଶଜ ଅର୍ଜୁନ ! ଏପରି ଭାବରେ ଯେଉଁ ମୋହରହିତ ମନୁଷ୍ଯ ମୋତେ ପୁରୁଷୋତ୍ତମ ବୋଲି ଜାଣେ , ସେହି ସର୍ବଜ୍ଞ ସର୍ବଭାବରେ ମୋତେ ଭଜନ କରେ ।

ବିବେଚନ→

ଯେଉଁ ଜ୍ଞାନୀ ପୁରୁଷମାନେ ନିଃସନ୍ଦେହ ହୋଇ ମତେ ପୁରୁଷୋତ୍ତମ ଭଗବାନ ରୂପରେ ଜାଣନ୍ତି, ସେ ସର୍ବଜ୍ଞ ଅଟନ୍ତି। ତେଣୁ ହେ ଭରତ ପୁତ୍ର ସେହି ଜ୍ଞାନୀ ପୁରୁଷ, ପୂର୍ଣ୍ଣ ପ୍ରାଣରେ ମୋରି ଭକ୍ତି ଓ ସେବାରେ ରତ ହୋଇଥାଏ।

15.20

ଇତି ଗୁହ୍ୟତମଂ(ମ୍) ଶାସ୍ତ୍ରଂ(ମ୍), ଇଦମୁକ୍ତଂ(ମ୍) ମୟାନଘ।
ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍, କୃତକୃତ୍ୟଶ୍ଚ ଭାରତ।।୨୦।।

ହେ ନିଷ୍ପାପ ଅର୍ଜୁନ ! ଏହିରୂପେ ମୁଁ ତୁମକୁ ଏହି ଅତ୍ୟନ୍ତ ଗୋପନୀୟ ଶାସ୍ତ୍ର କହିଲି । ହେ ଭରତବଂଶଜ ଅର୍ଜୁନ ! ଏହା ଜାଣିଗଲେ ମନୁଷ୍ୟ ଜ୍ଞାନବାନ୍ (ଜ୍ଞାତଜ୍ଞାତବ୍ୟ) ତଥା କୃତକୃତ୍ୟ ହୋଇଯାଏ ।

ବିବେଚନ→

ହେ ଭାରତ ! ଏ‌ହି ବୈଦିକ ଶାସ୍ତ୍ରର ଅତ୍ୟନ୍ତ ଦିବ୍ୟ ଗୋପନୀୟ ତତ୍ତ୍ଵ ମୋ ଦ୍ଵାରା କୁହାଗଲା । ଯେ କେହି ଏହା ବୁଝି କର୍ମରେ ଲଗାଇବେ ସେ ପରମ ଜ୍ଞାନୀ ହୋଇ ତାଙ୍କର ପ୍ରୟାସ ପୂର୍ଣ୍ଣ ହୋଇଥାଏ। ଏଠାରେ ଭଗବାନ ଅର୍ଜୁନଙ୍କୁ ମୟାନଘ ବୋଲି ସମ୍ବୋଧିତ କରିଛନ୍ତି ଯାହାର ଅର୍ଥ ନିଷ୍ପାପ ଅର୍ଥାତ୍ ଯାହାର ଆତ୍ମା ପୂର୍ଣ୍ଣ ରୂପରେ ଶୁଦ୍ଧ ଅଟେ। ଏହିଭଳି ନିର୍ମଳ ଚିତ୍ତଧାରୀ ଭକ୍ତ ହିଁ କେବଳ ଏହି ଗୋପନୀୟ ପରମ ଶାସ୍ତ୍ରର ଜ୍ଞାନ ପ୍ରାପ୍ତି କରିଥାନ୍ତି। ଭଗବାନଙ୍କ ଠାରୁ ଦିବ୍ୟଜ୍ଞାନ ପ୍ରାପ୍ତ କରିବାର ଅଧିକାର କେବଳ ଅର୍ଜୁନଙ୍କର ରହିଥିଲା। ସେଥିପାଇଁ ଭଗବାନ ଅର୍ଜୁନଙ୍କୁ ନିଜର ପରମ ଭକ୍ତ ଭାବରେ ଚୟନ କରିଥିଲେ । ଦୁର୍ଯ୍ୟୋଧନ, ଦୁଃଶାସନ ଓ କର୍ଣ୍ଣ ଆଦିଙ୍କର ଚରିତ୍ର ଓ ହୃଦୟ କଳୁଷିତ ହୋଇଥିବା ହେତୁ ସେମାନେ ଈଶ୍ୱରୀୟ ଦିବ୍ୟଜ୍ଞାନ ପାଇବାର ଅଧିକାରୀ ହୋଇନଥିଲେ। ଏହିପରି ଭାବେ ଆଜିର ଏହି ଅତ୍ୟନ୍ତ ଦିବ୍ୟ ରୋଚକ ରହସ୍ୟ ପୂର୍ଣ୍ଣ ବିବେଚନ ସତ୍ରର ସମାପ୍ତି ହେଲା।


ବିଚାର ମନ୍ଥନ (ପ୍ରଶ୍ନୋତ୍ତର) -:

 ପ୍ରଶ୍ନକର୍ତ୍ତା -: ପ୍ରୀତେଶ ଜୀ

 ପ୍ରଶ୍ନ -: ଆତ୍ମାର ଉତ୍ସ (source) କହିଲେ କ'ଣ ବୁଝିବା ?

 ଉତ୍ତର -: ଆତ୍ମାର ଉତ୍ସ(source) ହେଉଛନ୍ତି ପରମାତ୍ମା ।


ପ୍ରଶ୍ନକର୍ତ୍ତା -: ଅନନ୍ୟା ଜୀ

ପ୍ରଶ୍ନ -: ମାତା ସୀତା ସମସ୍ତ ସ୍ଵର୍ଣ୍ଣ ଆଭୂଷଣ ତ୍ୟାଗ କରି ବନବାସରେ ଯାଇଥିଲେ । ତେବେ ତାଙ୍କୁ ସ୍ଵର୍ଣ୍ଣ ମୃଗ ପ୍ରତି ଆକର୍ଷଣ କିପରି ହେଲା ?

ଉତ୍ତର -: ସୀତା ମାତା ସ୍ଵର୍ଣ୍ଣ ଆଭୂଷଣ ତ୍ୟାଗ କରିଥିଲେ ତାଙ୍କର ସେଥିପ୍ରତି କୌଣସି ମୋହ ନଥିଲା । କିନ୍ତୁ ସ୍ଵର୍ଣ୍ଣର ମୃଗ ଦେଖିବାକୁ କିଛି ବିଶେଷ ଧରଣର ଥିଲା । ସେହି ବିଶେଷତା କାରଣରୁ ମାତା ସୀତା ମୃଗଟିକୁ ପାଇବାକୁ ଇଚ୍ଛା କରିଥିଲେ ।


ପ୍ରଶ୍ନକର୍ତ୍ତା -: ଦେବୀକା ଜୀ

ପ୍ରଶ୍ନ -: ପଞ୍ଚଦଶ ଅଧ୍ୟାୟର video ପଠାଇବାର ଶେଷ ତାରିଖ କେବେ ? କେବେ ପଠାଇବାକୁ ହେବ ?

ଉତ୍ତର -: ଆନନ୍ଦ ଉତ୍ସବ ପୂର୍ବରୁ ପଠାଇବା ଆବଶ୍ୟକ । ଏବେ ମଧ୍ୟ ପଠାଇପାରିବେ। ଚାରି ପାଞ୍ଚ ଦିନ ମଧ୍ୟରେ ପଠାଇବାକୁ ପ୍ରୟାସ କରନ୍ତୁ । ଆପଣଙ୍କୁ ଏକ ସୁନ୍ଦର ଗୀତା ଗୁଞ୍ଜନ ପ୍ରମାଣପତ୍ର ପ୍ରଦାନ କରାଯିବ ।



ll “ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ” ll

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ପୁରୁଷୋତ୍ତମୟୋଗୋ ନାମ ପଞ୍ଚଦଶୋଽଧ୍ୟାୟଃ॥

ଏହି ପ୍ରକାର ଓଁ ତତ୍ ସତ୍ -- ଏହି ଭଗବତ୍ ନାମର ଉଚ୍ଚାରଣପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରୂପେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ 'ପୁରୁଷୋତ୍ତମଯୋଗନାମକ' ପଞ୍ଚଦଶ ଅଧ୍ୟାୟ ପୂର୍ଣ୍ଣ ହେଲା ।