विवेचन सारांश
ପରମତତ୍ତ୍ୱ ପ୍ରାପ୍ତି ନିମିତ୍ତ ଗୁଣାତୀତ କିପରି ହେବା

ID: 6279
Odia - ଓଡ଼ିଆ
ଶନିବାର, 11 ଜାନୁଆରୀ 2025
ଅଧ୍ୟାୟ | 14: ଗୁଣତ୍ରୟବିଭାଗ ଯୋଗ
3/3 (ଶ୍ଳୋକ 17-27)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା :-

ସୁମଧୁର ପ୍ରାର୍ଥନା, ଦୀପ ପ୍ରଜ୍ବଳନ, ହନୁମାନ ଚାଳିଶା ପାଠ ଓ ଗୁରୁବନ୍ଦନା ସହିତ ଆଜିର ସତ୍ର ଆରମ୍ଭ ହେଲା।

ଆମ ସମସ୍ତଙ୍କ ଉପରେ ଶ୍ରୀ ଭଗବାନଙ୍କର ଅସୀମ ଦୟା ଥିବାରୁ ଆମେମାନେ ଆମର ଜୀବନକୁ ସଫଳ କରିବାପାଇଁ, ଏହି ଜୀବନକୁ ଚରମ ସୋପାନରେ ଅବସ୍ଥାପିତ କରିବାପାଇଁ, ଏବଂ ଜୀବନର ଯଥାର୍ଥ ଉଦ୍ଦେଶ୍ୟ ଜାଣିବାପାଇଁ ଶ୍ରୀମଦ୍ଭଗବତଗୀତା ସହିତ ପ୍ରବୃତ୍ତ ହୋଇଯାଇଛେ। ଆମର ଏହି ଜନ୍ମର ସୁକୃତରୁ ହେଉ,ପୂର୍ବ ଜନ୍ମର ପୁଣ୍ୟକର୍ମରୁ ବା ପୂର୍ବଜଙ୍କର କୌଣସି ପୁଣ୍ୟପ୍ରଭାବରୁ ହେଉ, ଶ୍ରୀଭଗବାନଙ୍କର ଆମ ଉପରେ ଦୟା ହେବାରୁ ଆମେ ଗୀତାପାଠ କରିବାପାଇଁ ଚୟନ ହେଲେ, ତାହା ଆମକୁ ଜଣାନାହିଁ। ଶ୍ରୀମଦ୍ଭଗବତଗୀତା ପାଠକରିବା ହେଉଛି ଶ୍ରୀ ଭଗବାନଙ୍କର କୃପା ପ୍ରସାଦ। ପ୍ରସାଦର ଅର୍ଥ ହେଉଛି ପ୍ରସନ୍ନତା (ସନ୍ତୁଷ୍ଟି)। ଏଣୁ ଯିଏ ଶ୍ରୀମଦ୍ଭଗବତଗୀତା ପଢିବାରେ ଲାଗେ ତାର ଜୀବନର ସମସ୍ତ ଦୁଃଖ ଦୂର ହୁଏ ଓ ଜୀବନରେ ଆନନ୍ଦ ଆରମ୍ଭ ହୁଏ।

କଲିକତାର ସ୍ୱାମୀ ନାରାୟଣ ମନ୍ଦିରର ପବିତ୍ର ପ୍ରାଙ୍ଗଣରେ ଗୀତା ପରିବାରର ରାଷ୍ଟ୍ରୀୟ ଶିବିର ଆୟୋଜିତ ହୋଇଛି। ଏହି ବିବେଚନ ସତ୍ର ଏହି ସ୍ଥାନରୁ ଚାଲିଛି । ଆଜିର ଏ ସୁନ୍ଦର ଅବସରରେ, ଆମେ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳନ କରୁଛେ। ଏହି ଶୁଭ ବେଳାରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ। ପ୍ରତ୍ୟେକ ସନାତନୀଙ୍କ ପାଇଁ ଏହି ଦିନ ଦୀପାବଳୀ ଉତ୍ସବ ସଦୃଶ। ଗତବର୍ଷ ଆଜିର ତିଥିରେ ଆମର ରାମଲାଲା ତମ୍ବୁ (ଶିବିର) ଛାଡି ମନ୍ଦିରରେ ବିରାଜିତ ହୋଇଥିଲେ। ପାଞ୍ଚଶହ ବର୍ଷର ଅପେକ୍ଷା ପରେ ଅତ୍ୟନ୍ତ କଷ୍ଟରେ ଏହି ଶୁଭବେଳା ଉପସ୍ଥିତ ହୋଇଛି। ତାଙ୍କୁ ସ୍ଵସ୍ଥାନରେ ପ୍ରତିଷ୍ଠିତ କରେଇବାପାଇଁ ହଜାର ହଜାର ହିନ୍ଦୁ ଧର୍ମାମ୍ବଲମ୍ବୀ ନିଜର ବଳିଦାନ ଦେଇଛନ୍ତି। ସେମାନଙ୍କର ଚେଷ୍ଟା ସଫଳ ହେବାର ଏବଂ ନୟନକୁ ଆନନ୍ଦ ଦେଉଥିବା ଦୃଶ୍ୟ ଆମେ ଦେଖୁଛୁ ।

ଆଜି ଆମେ ସେହି ସମୟର ପ୍ରଥମ ବାର୍ଷିକୀ ପାଳନ କରୁଛୁ ତେଣୁ ଏହା ଅତ୍ୟନ୍ତ ଭାବ ଉଦ୍ରେକକାରୀ। ପୂଜନୀୟ ଶ୍ରୀ ସ୍ୱାମୀଜୀଙ୍କର ଦୟା ହେତୁ ଆମେ ସେଠାରେ ଉପସ୍ଥିତ ହେବାର ସୌଭାଗ୍ୟ ଲାଭ କରିଲୁ, ଯାହା ସାରା ଜୀବନ ମନେ ରହିବା ଉଚିତ୍‌। ଗୀତାପରିବାରର ଶହେଜଣ ସଦସ୍ୟ ସେଠାରେ ସେବାରତ ଥିଲେ। ଭଗବାନଙ୍କର ପ୍ରାଣପ୍ରତିଷ୍ଠା ବେଳେ ସମସ୍ତଙ୍କର ଚକ୍ଷୁରୁ ଲୋତକ ଝରିଥିଲା। ସେଠାରେ ପ୍ରାୟ ସାଢେ ଆଠହଜାର ଲୋକ ବସିଥିଲେ। ଦୂରଦର୍ଶନରେ ତ କୋଟି କୋଟି ଲୋକ ସେ ଦୃଶ୍ୟ ଦେଖୁଥିଲେ। ଏ ଭାବପୂର୍ଣ୍ଣ ଦୃଶ୍ୟ ଦେଖି ଏପରି କେହି ନ ଥିବେ, ଯାହାର ଆଖିରେ ଲୁହ ଆସିନଥିବ। ସେଠାରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ଚକ୍ଷୁରେ ଆନନ୍ଦାଶ୍ରୁ ଥିଲା। ନିଜ ମନ୍ଦିରରେ ବିରାଜିତ ହେବାପାଇଁ ଆମର ରାମଲାଲାଙ୍କୁ ଦୀର୍ଘ ପାଞ୍ଚଶହ ବର୍ଷ ଅପେକ୍ଷା କରିବାକୁ ପଡିଲା। ପ୍ରତ୍ୟେକ ସନାତନୀଙ୍କ ପାଇଁ ଏହା ଏକ ଗୌରବର କ୍ଷଣ ଥିଲା। ଆଉ ପ୍ରାଣ ବିସର୍ଜନ କରିଥିବା ପୁଣ୍ୟାତ୍ମାଙ୍କ ପାଇଁ ମନରେ ଦୁଃଖ ମଧ୍ୟ ଥିଲା।

ବର୍ତ୍ତମାନ ଆମର ସମାଜ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି। ଏହା ଆମର ପରମ ସୌଭାଗ୍ୟ ଯେ ଏହି ସମୟରେ ପୂଜ୍ୟ ସ୍ୱାମୀଜୀଙ୍କ ପରି ସାଧୁ ଓ ଏପରି ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ସାହଚର୍ଯ୍ୟ ଆମକୁ ପ୍ରାପ୍ତ ହୋଇଛି। ଶିବାଜୀଙ୍କ ପରେ ପ୍ରଥମଥରପାଇଁ ଏପରି ଏକ ଶାସକ ଏହି ପୁଣ୍ୟଭୂମିକୁ ମିଳିଛନ୍ତି।

ଆଜି ଏହି ଅବସରରେ ମନ ବାରମ୍ବାର ଅଯୋଧ୍ୟା ଯାଉଛି। ଏହା ଏକ ଶୁଭ ସମୟ। ଆସନ୍ତା କାଲି ଅର୍ଥାତ ଜାନୁଆରୀ ବାର ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କର ଜୟନ୍ତୀ ଅଛି। ଭାରତ ହେଉଛି ମହାପୁରୁଷଙ୍କର ଭୂମି। ଏହି ଭୂମିରେ ସମୟ ସମୟରେ ମହା ପୁରୁଷମାନେ ଆବିର୍ଭାବ ହୋଇଛନ୍ତି। ତନ୍ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଏକ ଅଦ୍ଭୁତ ଓ ବିରଳ ସାଧୁ ମହାତ୍ମା ।ତେଣୁ ପୂଜ୍ୟ ସ୍ୱାମୀଜୀ ତାଙ୍କୁ ଗୀତା ପରିବାରର ପ୍ରଧାନ ଚରିତ୍ର ଭାବରେ ଉପସ୍ଥାପନା କରିଛନ୍ତି। ସେ ଗୀତା ପରିବାରର ମୂଳାଧାର ହୋଇଥିବାରୁ ଆଜି ତାଙ୍କ ଜନ୍ମ ଶତବାର୍ଷିକୀରେ ଆମେ ତାଙ୍କୁ ମଧ୍ୟ ସ୍ମରଣ କରିବା ଉଚିତ। ତାଙ୍କର ଜନ୍ମ ମକରସଂକ୍ରାନ୍ତି ଦିନ ହୋଇଥିଲା। ସେ ସମୟରେ ସଂକ୍ରାନ୍ତି ବାର ତାରିଖରେ ପଡ଼ୁଥିଲା।ଏବେ ଚଉଦ ବା ପନ୍ଦର ତାରିଖରେ ପଡୁଛି।

ଆମେ ଚତୁର୍ଦ୍ଦଶ ଅଧ୍ୟାୟର ଚିନ୍ତନ କରୁଛେ। ପୂର୍ବ ସତ୍ରରେ ଆମେ ଅଷ୍ଟାଦଶ ଶ୍ଳୋକର ଚିନ୍ତନ କରି ସତ୍ତ୍ୱ, ରଜୋ ଓ ତମୋ ଗୁଣକୁ ବୁଝିବାକୁ ଚେଷ୍ଟା କରିଥିଲେ। ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣ ର ବୃଦ୍ଧି ପ୍ରାପ୍ତ ହେଲେ ମନୁଷ୍ୟର ସ୍ଵଭାଵରେ କିପରି ଭିନ୍ନତା ପରିଲକ୍ଷିତ ହୁଏ ଆମେ ଜାଣିଲେ।


14.17

ସତ୍ତ୍ୱାତ୍ସଞ୍ଜାୟତେ ଜ୍ଞାନଂ(ମ୍), ରଜସୋ ଲୋଭ ଏବ ଚ।
ପ୍ରମାଦମୋହୌ ତମସୋ, ଭବତୋଽଜ୍ଞାନମେବ ଚ॥17॥

ସତ୍ତ୍ବଗୁଣରୁ ଜ୍ଞାନ ଓ ରଜୋଗୁଣରୁ ଲୋଭ (ଇତ୍ୟାଦି) ଉତ୍ପନ୍ନ ହୁଏ। ତମୋଗୁଣରୁ ପ୍ରମାଦ, ମୋହ ଓ ଅଜ୍ଞାନ ଉତ୍ପନ୍ନ ହୁଏ।

14.17 writeup

14.18

ଊର୍ଧ୍ୱଂ(ଙ୍) ଗଚ୍ଛନ୍ତି ସତ୍ତ୍ୱସ୍ଥା, ମଧ୍ୟେ ତିଷ୍ଠନ୍ତି ରାଜସାଃ।
ଜଘନ୍ୟଗୁଣବୃତ୍ତିସ୍ଥା, ଅଧୋ ଗଚ୍ଛନ୍ତି ତାମସାଃ॥18॥

ସତ୍ତ୍ବଗୁଣରେ ସ୍ଥିତ ମନୁଷ୍ୟ ଉର୍ଦ୍ଧ୍ବଲୋକକୁ ଯାଆନ୍ତି, ରଜୋଗୁଣରେ ସ୍ଥିତ ମନୁଷ୍ୟ ମର୍ତ୍ତ୍ୟଲୋକରେ ଜନ୍ମ ନିଅନ୍ତି ଏବଂ ନିନ୍ଦନୀୟ ତମୋଗୁଣଜନିତ ବୃତ୍ତିରେ ସ୍ଥିତ ତାମସ ମନୁଷ୍ୟ ଅଧୋଗତି ପ୍ରାପ୍ତ ହୁଅନ୍ତି।

14.18 writeup

14.19

ନାନ୍ୟଂ(ଙ୍) ଗୁଣେଭ୍ୟଃ(ଖ୍) କର୍ତାରଂ(ମ୍), ୟଦା ଦ୍ରଷ୍ଟାନୁପଶ୍ୟତି।
ଗୁଣେଭ୍ୟଶ୍ଚ ପରଂ(ମ୍) ବେତ୍ତି, ମଦ୍ଭାବଂ(ମ୍) ସୋଽଧିଗଚ୍ଛତି ॥19॥

ବିବେକୀ (ଜ୍ଞାନବାନ୍) ମନୁଷ୍ୟ ଯେତେବେଳେ ତିନିଗୁଣ ବ୍ୟତୀତ ଅନ୍ୟ କାହାକୁ କର୍ତ୍ତା ମନେ କରେ ନାହିଁ ଏବଂ ନିଜକୁ ଗୁଣଗୁଡିକରୁ ଅତୀତ ଅନୁଭବ କରେ, ସେତେବେଳେ ସେ ମୋର ସତ୍ ସ୍ବରୂପକୁ ପ୍ରାପ୍ତ ହୁଏ।

14.19 writeup

14.20

ଗୁଣାନେତାନତୀତ୍ୟ ତ୍ରୀନ୍, ଦେହୀ ଦେହସମୁଦ୍ଭବାନ୍ ।
ଜନ୍ମମୃତ୍ୟୁଜରାଦୁଃଖୈଃ(ର୍), ବିମୁକ୍ତୋଽମୃତମଶ୍ନୁତେ॥20॥

ଦେହଧାରୀ (ବିବେକୀ ମନୁଷ୍ୟ) ଦେହର ଉତ୍ପନ୍ନକାରୀ ତିନିଗୁଣକୁ ଅତିକ୍ରମ କରି ଜନ୍ମ, ମୃତ୍ୟୁ ଓ ଜରାରୂପକ ଦୁଃଖରୁ ମୁକ୍ତ ହୋଇ ଅମରତ୍ବ ଅନୁଭବ କରେ।

ବିବେଚନ :-

ଶ୍ରୀଭଗବାନ କହିଛନ୍ତି,”ହେ ଅର୍ଜୁନ! ଯେତେବେଳେ ଦ୍ରଷ୍ଟା ଏହି ତିନି ଗୁଣ ବ୍ୟତୀତ ଆଉ କୌଣସି ଗୁଣ କର୍ତ୍ତାରେ ଦେଖେନାହିଁ, ତିନିଗୁଣର ଉର୍ଦ୍ଧ୍ୱରେ ଥିବା ସଚ୍ଚିଦାନନ୍ଦ ସ୍ୱରୂପ ପରମାତ୍ମାଙ୍କ (ମୋତେ) ତତ୍ତ୍ୱ ବୋଲି ଜାଣେ ସେତେବେଳେ ସେ ମୋର ସ୍ୱରୂପକୁ ପ୍ରାପ୍ତ ହୁଏ ଏବଂ ଏହି ପୁରୁଷ ଶରୀରର ଉତ୍ପତ୍ତି କାରଣ ଯୋଗୁ ତ୍ରିଗୁଣକୁ ଅତିକ୍ରମ କରି ଜନ୍ମ, ମୃତ୍ୟୁ, ବାର୍ଦ୍ଧକ୍ୟ ଆଦି ସମସ୍ତ ଦୁଃଖରୁ ମୁକ୍ତ ହୋଇ ପରମାନନ୍ଦ ପ୍ରାପ୍ତ କରେ।

ଏପର୍ଯ୍ୟନ୍ତ ଶ୍ରୀ ଭଗବାନ କହିଛନ୍ତି ଯେ ତମୋଗୁଣରୁ ରଜୋଗୁଣକୁ ଓ ରଜୋଗୁଣରୁ ସତ୍ତ୍ୱଗୁଣକୁ ଗତିକରିବା ହେଉଛି ଜୀବନର ଶ୍ରେଷ୍ଠତା। ତମୋଗୁଣ ଓ ରଜୋଗୁଣକୁ ବଶୀଭୁତ କରି ସତ୍ତ୍ୱଗୁଣକୁ ବୃଦ୍ଧି କରେଇ ସାଧନା କରିବାକୁ ହୁଏ ତଥା ଜୀବନର ଲକ୍ଷ୍ୟ ପ୍ରାପ୍ତି କରିବାକୁ ପଡେ। ଦୁଃଖ ଦୂର କରିବାକୁ ହୁଏ। ଆମର ଜୀବନକୁ ଉଚିତ ମାର୍ଗରେ ପରିଚାଳନା କରିବାପାଇଁ ହେଲେ, ଆମର ସତ୍ତ୍ୱଗୁଣକୁ ବଢେଇବା ଉଚିତ। ଯାହାର ସତ୍ତ୍ୱଗୁଣ ଯେତେ ଅଧିକ ବୃଦ୍ଧି ହୁଏ ତାର ଜୀବନର ଦୁଃଖ ସେତେ କ୍ଷୟ ହୁଏ।

ତାର ଜୀବନରେ ଯେ ଦୁଃଖ ଆସିବନି ଏକଥା ନୁହେଁ। ତାକୁ ଜ୍ୱର ହେବ, ନିଜ ଲୋକର ମୃତ୍ୟୁ ତ ନିଶ୍ଚୟ ହେବ କିନ୍ତୁ ସେ କଷ୍ଟ ପାଇଁ ତାର ଦୃଷ୍ଟିକୋଣ ବଦଳି ଗଲେ, ତାକୁ ସାଧାରଣ ଲୋକଙ୍କ ପରି ଦୁଃଖ ଲାଗିବ ନାହିଁ। ସାଧାରଣ ଲୋକଙ୍କ ଉପରେ ବିପଦ ପଡିଲେ ସେ ଚିନ୍ତା କରେ ‘ମୋ ସାଥିରେ ଏପରି କାହିଁକି ହେଲା? ମୋ ସହିତ ଏପରି ହେବା ଅନୁଚିତ ଥିଲା। ମୁଁ ତ ଶ୍ରୀଭଗବାନଙ୍କୁ ପୂଜା କରୁଛି, ମୁଁ ତ ଉତ୍ତମ ସାତ୍ତ୍ଵିକ ବ୍ଯକ୍ତି ଅଟେ‘’ଇତ୍ୟାଦି।

କେତେକ ଲୋକ କହନ୍ତି ଯେ ‘ଭଗବାନଙ୍କୁ ଏତେ ଭକ୍ତି କରି ମୋର କଣ ଲାଭ ହେଲା? ମତେ ଜୀବନରେ ଏତେ କଷ୍ଟ ମିଳିଲା।’ ଏପରି ବ୍ୟକ୍ତି ଉତ୍ତମ ହେବାକୁ ତ ଚେଷ୍ଟା କରୁଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ଉତ୍ତମ ହୋଇପାରୁନାହାନ୍ତି। ବୁଦ୍ଧି ସତ୍ତ୍ୱଗୁଣରେ ସ୍ଥିର ହୋଇଗଲେ, ପରିସ୍ଥିତି ତ ସେହିପରି ଆସିବ କିନ୍ତୁ ତାକୁ ଦେଖିବାର ଦୃଷ୍ଟିକୋଣ ବଦଳିଯିବ।

होइहि सोइ जो राम रचि राखा। को करि तर्क बढ़ावै साखा॥

ସାତ୍ତ୍ଵିକ ବ୍ୟକ୍ତିର ଚିନ୍ତା ହେଉଛି, “ଶ୍ରୀରାମ ଯାହା କରୁଛନ୍ତି ଭଲ କରୁଛନ୍ତି, ମୁଁ ଅଯଥା କାହିଁକି ଚିନ୍ତା କରିବି?” ଆସିଥିବା ବିପଦରେ ସାତ୍ତ୍ଵିକ ବ୍ୟକ୍ତି ନିଜର ମଙ୍ଗଳ ଖୋଜିନିଏ। ସେ ଚିନ୍ତା କରେ ଯେ, “ଶ୍ରୀଭଗବାନଙ୍କର ପ୍ରତ୍ୟେକ କାର୍ଯ୍ୟରେ ମଙ୍ଗଳ ନିହିତ। ଆଜି ଯାହା ମଙ୍ଗଳ ଅଛି, ଦୀର୍ଘ କାଳଯାଏଁ ତାହା ମଙ୍ଗଳକର ହିଁ ରହିବ ଏବଂ ଯଦି କିଛି ଅଘଟଣ ହେଲା ତେବେ ମୋର ପାପ ସେଥିରେ କ୍ଷୟ ହୋଇଗଲା।”

ଯିଏ ଅତ୍ୟନ୍ତ ଦୁଃଖୀ ସେ ରଜୋଗୁଣୀ, ଯିଏ ପ୍ରତ୍ୟେକ କାର୍ଯ୍ୟ ବିପରୀତ କରେ ସେ ତମୋଗୁଣୀ।ଯିଏ ସର୍ବଦା ଆନନ୍ଦରେ ଥାଏ ସେ ହିଁ ସତ୍ତ୍ୱଗୁଣୀ।

ଯାହାର ଜୀବନ ଆଲୋକିତ, ଯାହାର ବିଚାର ସ୍ପଷ୍ଟ, ଯିଏ କୌଣସି କଥାରେ ବିଚଳିତ ହୁଏ ନାହିଁ, ସେ ସାତ୍ତ୍ଵିକ। ଯାହାର ଜୀବନ କିଛି ମାତ୍ରାରେ ଅସ୍ଥିର, ସେ ରାଜସିକ। ଯିଏ ଜାଣିଶୁଣି ଭୁଲ କରେ ସେ ତାମସିକ।

ଉନବିଂଶ ଓ ବିଂଶ ଶ୍ଳୋକରେ ଶ୍ରୀଭଗବାନ ଏହି ପ୍ରସଙ୍ଗରେ ଆଗକୁ କହିଛନ୍ତି,” ହେ ଅର୍ଜୁନ! ସତ୍ତ୍ୱ ଗୁଣରେ ସ୍ୱଚ୍ଛତା, ରଜୋଗୁଣରେ ଦୁଃଖ ତଥା ତମୋଗୁଣରେ ମୋହ ଆସେ କିନ୍ତୁ ଯିଏ ଏ ଗୁଣତ୍ରୟର ଉର୍ଦ୍ଧ୍ୱରେ ଅର୍ଥାତ ଗୁଣାତୀତ, ସେ ମୋର ସ୍ୱରୂପକୁ ପ୍ରାପ୍ତହୁଏ। ସତ୍ତ୍ୱଗୁଣୀ ସ୍ୱର୍ଗକୁ ଯିବ କିନ୍ତୁ ତାକୁ ପୁନରାବର୍ତ୍ତନ କରିବାକୁ ପଡିବ। ଯିଏ ମୋକ୍ଷ କାମନା କରେ, ଯିଏ ଜନ୍ମମରଣ ଚକ୍ରରୁ ମୁକ୍ତି ଇଚ୍ଛା କରେ ସେ ଏହି ଗୁଣତ୍ରୟର ଉର୍ଦ୍ଧ୍ୱକୁ ଉଠିବ।

ଶ୍ରୀ ଆଦିଶଙ୍କରାଚାର୍ଯ୍ୟ ଭଗବାନ କହିଛନ୍ତି -

पुनरपि जननं पुनरपि मरणं, पुनरपि जननी जठरे शयनम |

ଅର୍ଥାତ୍‌, ବାରମ୍ବାର ଜନ୍ମ ଗ୍ରହଣ କରୁଛ, ବାରମ୍ବାର ମୃତ୍ୟୁ ମୁଖରେ ପଡ଼ୁଛ, ବାରମ୍ବାର ମାତୃଗର୍ଭରେ ଓଲଟା ଝୁଲି ରହୁଛ।

ଏହି ସତ୍ତ୍ୱ, ରଜୋ ଓ ତମୋଗୁଣ ପରେ ଆଉ କିଛି ଅଛି ବୋଲି ଅର୍ଜୁନ ବିସ୍ମିତ ହେଲେ। ଏହା କିପରି ସମ୍ଭବ ହୁଏ? ସେ ଭଗବାନଙ୍କୁ ତିନୋଟି ପ୍ରଶ୍ନ ପଚାରିଲେ।

14.21

ଅର୍ଜୁନ ଉବାଚ
କୈର୍ଲିଙ୍ଗୈସ୍ତ୍ରୀନ୍ଗୁଣାନେତାନ୍, ଅତୀତୋ ଭବତି ପ୍ରଭୋ ।
କିମାଚାରଃ(ଖ୍) କଥଂ(ଞ୍) ଚୈତାଂସ୍, ତ୍ରୀନ୍ଗୁଣାନତିବର୍ତତେ॥21॥

ଅର୍ଜୁନ କହିଲେ -- ହେ ପ୍ରଭୂ ! ଏହି ତିନିଗୁଣରୁ ଅତୀତ ମନୁଷ୍ୟଙ୍କର ଲକ୍ଷଣ କ'ଣ? ତାଙ୍କର ଆଚରଣ କିପରି? ଏବଂ ଏହି ତିନିଗୁଣକୁ କିପରି ଅତିକ୍ରମ କରାଯାଇ ପାରେ ?

ବିବେଚନ :-

ଅର୍ଜୁନ ପ୍ରଶ୍ନ କଲେ,”ହେ ପୁରୁଷୋତ୍ତମ! ଏହି ତିନୋଟି ଗୁଣର ଅନୁଭବକୁ ପ୍ରାପ୍ତ କରିଥିବା ମନୁଷ୍ୟ କେଉଁ କେଉଁ ଲକ୍ଷଣ ଯୁକ୍ତ ହୋଇଥାଏ? ତାଙ୍କର ଆଚରଣ କ'ଣ? ଏହି ତିନୋଟି ଗୁଣର ଅନୁଭବ କିପରି ପ୍ରାପ୍ତ କରାଯାଇ ପାରିବ?"

ଅର୍ଜୁନଙ୍କ ପ୍ରଶ୍ନରେ ଭଗବାନ ପ୍ରସନ୍ନ ହୁଅନ୍ତି। ବାସ୍ତବରେ ଏହା ଏକ ଉଚ୍ଚସ୍ତରୀୟ ପ୍ରଶ୍ନ। ଶ୍ରୀ ଭଗବାନ ମଧ୍ୟ ବହୁତ ଉଚ୍ଚସ୍ଥରର ଉତ୍ତର ଦେଇଥିଲେ। ଗୁଣାତୀତର ଲକ୍ଷଣ ହେଉଛି ଉତ୍ତମ ସିଦ୍ଧିପ୍ରାପ୍ତର ବିଷୟ।

ଥରେ ଶ୍ରୀରାମ ହନୁମାନଜୀଙ୍କୁ ଏବଂ ନିଜର ତିନି ଭାଇଙ୍କୁ ଉପଦେଶ ଦେଇଥିଲେ। ଉତ୍ତରାଖଣ୍ଡର ଶ୍ଲୋକ ସଙ୍ଖ୍ୟା ନଂ୪୧ରେ ଏହା ବର୍ଣ୍ଣନା କରାଯାଇଛି ।

त्यागहिं कर्म सुभासुभ दायक। भजहिं मोहि सुर नर मुनि नायक॥

ଅର୍ଥାତ୍ ମନୁଷ୍ୟ ଉଭୟ ଶୁଭ ଓ ଅଶୁଭ କର୍ମକୁ ଅତିକ୍ରମ କରିଥାଏ।

ଭଗବାନ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କଲେ।

14.22

ଶ୍ରୀଭଗବାନୁବାଚ
ପ୍ରକାଶଂ(ଞ୍) ଚ ପ୍ରବୃତ୍ତିଂ(ଞ୍) ଚ, ମୋହମେବ ଚ ପାଣ୍ଡବ।
ନ ଦ୍ୱେଷ୍ଟି ସମ୍ପ୍ରବୃତ୍ତାନି, ନ ନିବୃତ୍ତାନି କାଙ୍କ୍ଷତି॥22॥

ଶ୍ରୀୀଭଗବାନ କହିଲେ -- ହେ ପାଣ୍ଡବ! ପ୍ରକାଶ, ପ୍ରବୃତ୍ତି ଓ ମୋହ ପୂର୍ଣ୍ଣରୂପେ ପ୍ରବୃତ୍ତ ହେଲେ ମଧ୍ୟ ଗୁଣାତୀତ ମନୁଷ୍ୟ ସେଗୁଡିକ ପ୍ରତି ଦ୍ବେଷ କରେ ନାହିଁ ଏବଂ ନିବୃତ୍ତ ହୋଇଗଲେ ମଧ୍ୟ ସେଗୁଡିକୁ ଇଚ୍ଛା କରେ ନାହିଁ।

ବିବେଚନ :-

ଶ୍ରୀ ଭଗବାନ କହିଲେ, "ଅର୍ଜୁନ ! ଯେଉଁ ପୁରୁଷ, ସତ୍ତ୍ବଗୁଣ କାରଣରୁ ପ୍ରକାଶ, ରଜୋଗୁଣ କାରଣରୁ ପ୍ରବୃତ୍ତି ଓ ତମୋଗୁଣ କାରଣରୁ ମୋହ ତ୍ୟାଗ କରିବା ପରେ ତାଙ୍କର ପ୍ରବୃତ୍ତ ଭାବ ପାଇଁ କିଛି ଦ୍ୱେଷ ନ’ଥାଏ କିମ୍ବା ନିବୃତ୍ତ ହେଲାପରେ କିଛି ଆକାଂକ୍ଷା ନଥାଏ। “

”ସେ ଏ ବିଚାର କରେନାହିଁ ଯେ, ମୋତେ ଏହା କରିବାକୁ ପଡିବ, କିମ୍ବା ସେ ଭାବେ ନାହିଁ ଯେ ମୋତେ ଏହା କରିବାକୁ ପଡିବ ନାହିଁ। ସେ ସବୁ ଅବସ୍ଥାରେ ନିରପେକ୍ଷ ରହେ, ତେବେ ତାଙ୍କର ଗୁଣାତୀତ ଲକ୍ଷଣ ଅଛି। ”
କର୍ତ୍ତବ୍ୟ କର୍ମ ସାମ୍ନାକୁ ଆସିଲେ, ସେ ତାହା କରିଥାଆନ୍ତି, ଏବଂ ନ ଆସିଲେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ।

14.23

ଉଦାସୀନବଦାସୀନୋ, ଗୁଣୈର୍ୟୋ ନ ବିଚାଲ୍ୟତେ।
ଗୁଣା ବର୍ତ୍ତନ୍ତ ଇତ୍ୟେବ, ୟୋଽବତିଷ୍ଠତି ନେଙ୍ଗତେ॥23॥

ଯେ ଉଦାସୀନଭଳି ସ୍ଥିତ ଏବଂ ଯାହାକୁ ଗୁଣ ଦ୍ବାରା ବିଚଳିତ କରାଯାଇ ପାରେନାହିଁ ତଥା ଗୁଣଗୁଡିକ ହିଁ ଗୁଣରେ ପ୍ରବୃତ୍ତ ହେଉଛନ୍ତି ବୋଲି ଭାବି ଯେ ନିଜ ସ୍ବରୂପରେ ଅବସ୍ଥାନ କରେ ଏବଂ ନିଜେ କୌଣସି ଚେଷ୍ଟା କରେ ନାହିଁ ----

ବିବେଚନ:-

ଭଗବାନ କହନ୍ତି, ”ଯେଉଁ ମନୁଷ୍ୟ ସାକ୍ଷୀ ସଦୃଶ, ଗୁଣ ଦ୍ୱାରା ବିଚଳିତ କରାଯାଇ ପାରେନାହିଁ, ତଥା -

“गुण ही गुणों में बरत रहे हैं” ଅର୍ଥାତ୍‌ "ଗୁଣରେ ଗୁଣ ନିହିତ ଥାଏ",

ଉଦାହରଣତଃ - ଏହି ଭାବରେ ସଚ୍ଚିଦାନନ୍ଦ ପରମାତ୍ମାଙ୍କଠାରେ ସର୍ବଦା ସ୍ଥିର ରୁହନ୍ତି, ସେ କେବେ ବି ସେହି ସ୍ଥିତିରୁ ବିଚଳିତ ହୁଅନ୍ତି ନାହିଁ।

ଏବେ ଏଠାରେ ଶ୍ରୀଭଗବାନ ଟିକେ ବଡ଼ କଥା କହିଛନ୍ତି। ଉଦାହରଣ ସ୍ୱରୂପ, ସ୍ନାତକ ସ୍ତରର ଶିକ୍ଷା ପରେ ସ୍ନାତକୋତ୍ତର ସ୍ତରର ଶିକ୍ଷା ମଧ୍ୟ ଅଛି। ସ୍ନାତକ ସ୍ତରର ଶିକ୍ଷାରେ ଆମେ ଯାହା ବି ପଢ଼ୁଛୁ, ତାହାର ସୂକ୍ଷ୍ମ ରୂପକୁ ପଢିବା ସ୍ନାତକୋତ୍ତର ଶିକ୍ଷା କୁହାଯାଏ, ତେଣୁ ସ୍ନାତକୋତ୍ତର ସ୍ତରରେ କୌଣସି ନୂତନ ବିଷୟ ନାହିଁ। ସ୍ନାତକ ଶିକ୍ଷାର ସୂକ୍ଷ୍ମରୂପ ହେଉଛି ସ୍ନାତକୋତ୍ତର ଶିକ୍ଷା ,ଅର୍ଥାତ୍ ସ୍ନାତକୋତ୍ତର ସ୍ତରରେ ଆମକୁ ସ୍ନାତକ ସ୍ତରର ଗୁରୁ ହେବା ପାଇଁ ପଡେ, ଅର୍ଥାତ୍ କଳାର (Arts), ବିଜ୍ଞାନର(Science), ବାଣିଜ୍ୟ ର(commerce) ଗୁରୁ ବା ମାଷ୍ଟର(master) ଶିକ୍ଷା ପଢିବାକୁ ପଡିଥାଏ।

ଆମେ ଯାହା ଆଗରୁ ଜାଣିଛୁ ତାହାର ଗୁରୁ ହେବା ଆବଶ୍ୟକ, ତେଣୁ ଏହି ଅଧ୍ୟାୟର ନାମ ହେଉଛି ଗୁଣତ୍ରୟବିଭାଗଯୋଗ ଅଧ୍ୟାୟ। ବର୍ତ୍ତମାନ ସୁଦ୍ଧା ଶ୍ରୀ ଭଗବାନ ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣ ଇତ୍ୟାଦି ବିଭାଗ ବିଷୟରେ ଉଲ୍ଲେଖ କରିଛନ୍ତି।

ଶ୍ରୀଭଗବାନ ଆହୁରି କହିଛନ୍ତି: ଏହି ବିଭାଗଗୁଡ଼ିକର ଗୁରୁ ବା ମାଷ୍ଟର ହେବା ଉଚିତ୍‌।

प्रकाशञ् : ଅର୍ଥାତ୍‍‍ ସତ୍ତ୍ୱଗୁଣ, प्रवृत्तिञ् च ଅର୍ଥାତ୍‍‍ ରଜୋଗୁଣ ଏବଂ मोहमेव च ଅର୍ଥାତ୍‍‍ ତମୌଗୁଣ।

ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ ସାଧକମାନେ ଏହି ତିନୋଟି ଗୁଣ ମଧ୍ୟରୁ କୌଣସି ଏକ ଗୁଣକୁ ଗ୍ରହଣ କରୁଛନ୍ତି କିମ୍ବା କରୁ ନାହାଁନ୍ତି ।

ଯେତେବେଳେ କୌଣସି ଗୁଣକୁ ଗ୍ରହଣ କରିବା ଏବଂ କୌଣସି ଗୁଣକୁ ଗ୍ରହଣ ନ’କରିବାର ଇଚ୍ଛା ବିଲୋପ ହୋଇଯାଏ, ସେତେବେଳେ ସେ ଗୁଣାତୀତ ହୋଇଥାଏ।

ଶାସ୍ତ୍ରୀୟ ଭାଷାରେ କିଛି କରିବାର ଇଚ୍ଛାକୁ ‘ପ୍ରବୃତ୍ତି’ କୁହାଯାଏ ଏବଂ କିଛି ତ୍ୟାଗ ଦେବାର ଇଚ୍ଛାକୁ ‘ନିବୃତ୍ତି’ କୁହାଯାଏ। ଶ୍ରୀଭଗବାନ କହନ୍ତି ଯେ ଯେଉଁ ମନୁଷ୍ୟର, ପ୍ରବୃତ୍ତି ପାଇଁ କିଛି ରାଗ ବା ଦ୍ୱେଷ ଜାଗ୍ରତ ହୁଏ ନାହିଁ, କି ନିବୃତ୍ତି ହେଲେ, କିଛି କରିବାର ଆଶା ବା ଆକାକ୍ଷାଂ ମନରେ ଆସେନାହିଁ, ସେ ସତ୍ତ୍ୱ, ରଜୋ ଓ ତମ ତିନୋଟି ଗୁଣରେ ବାନ୍ଧି ହୁଏ ନାହିଁ। ଅବଶ୍ୟ, ଏହାକୁ କିପରି ବର୍ଣ୍ଣନା କରାଯିବ ତାହା ଜାଣିବା ଏକ ଅତ୍ୟନ୍ତ କଷ୍ଟକର ବିଷୟ। ଏହା ସ୍ନାତକୋତ୍ତର ଶିକ୍ଷା ଠାରୁ ଗଭୀର ବୋଲି ପୂର୍ବରୁ କୁହାଯାଇଛି।

ଆମର ଏହି ଜ୍ଞାନ ବଳରେ ବୁଝିବା ଟିକିଏ କଷ୍ଟକର ଯେ, ପ୍ରବୃତ୍ତି ପାଇଁ ଦ୍ୱେଷ ବା କ୍ରୋଧ ନ ରଖିବା ଏବଂ ନିବୃତ୍ତି ପାଇଁ କିଛି ଇଚ୍ଛା ନ କରିବା। ଆମେ ଭାବୁ ହୁଏତ ଆମର କୌଣସି ଏକ ପ୍ରବୃତ୍ତି ରହୁ କିମ୍ବା ଆମେ ନିବୃତ୍ତ ହୋଇଯାଉ, କିନ୍ତୁ ଏମିତି ସମ୍ଭବ ନୁହେଁ।

କେହି ଜଣେ ପଚାରନ୍ତି, "ତୁମେ ବି ବିବାହ ସ୍ଥଳକୁ ଯିବାକୁ ଚାହୁଁଛ କି?" ଏବଂ ଯଦି ଅନ୍ୟ ବ୍ୟକ୍ତି ଯିବା ନ’ଯିବା ସମ୍ବନ୍ଧରେ କିଛି ଉତ୍ତର ନ ଦିଅନ୍ତି, ତେବେ ସେ ପ୍ରଶ୍ନ ପଚାରିଥିବା ବ୍ୟକ୍ତିକୁ ପାଗଳ ଭାବି, କହିବେ “ମୋତେ ଏକଥା କୁହ, ଆପଣ ଯିବାକୁ ଚାହୁଁଛନ୍ତି କି ନାହିଁ।” ଏହା ଅତ୍ୟନ୍ତ ସୂକ୍ଷ୍ମ ଜିନିଷ। ଯଦି କେହି ସେହି ବ୍ୟକ୍ତିଙ୍କୁ ସାଙ୍ଗରେ ନେଇଯାଆନ୍ତି ତ ସେ ଯିବେ, କାରଣ ତାଙ୍କ ପାଖରେ ଯିବାର ପ୍ରବୃତ୍ତି ନାହିଁ।

ଏଠାରେ ଶ୍ରୀଭଗବାନ ବୁଝାଉଛନ୍ତି ଯେ ସ୍ୱାଭାବିକ ଭାବରେ ଯାହା ଘଟିବାର ଅଛି, ତାହା ଘଟୁଛି, ନଚେତ୍ ନୁହେଁ। ଯଦି କୌଣସି କାର୍ଯ୍ୟ ହୁଏ ତେବେ ଏହା ଠିକ ଏବଂ ଯଦି ଏହା କରାନଯାଏ ତେବେ ମଧ୍ୟ ତାହା ଠିକ୍ ଅଟେ।

ପ୍ରଶ୍ନ ଉଠେ, ମଣିଷ ଏହା କିପରି କରିପାରିବ?

ଷଷ୍ଠ ଅଧ୍ୟାୟରେ ଶ୍ରୀଭଗବାନ କହିଛନ୍ତି, मध्यस्थद्वेष्यबन्धुषु।("ମଧ୍ୟସ୍ଥଦ୍ୱେଷ୍ୟବନ୍ଧୁଷୁ")। ଏଠାରେ ସମ୍ପର୍କରେ ଉଦାସୀନତା ଥିବା ସୂଚନା ମିଳୁଛି। ଏହା ପ୍ରବୃତ୍ତି ଓ ନିବୃତ୍ତି ମଧ୍ୟରେ ସମାନତା ରଖି, ତାହାର ଉପର ସ୍ଥରକୁ ଗତି କରୁଛି।

କବୀର ଜୀଙ୍କର ଏକ ବାକ୍ୟ ଅଛି:

'कबीरा खड़ा बाज़ार में, सबकी माँगे खैर |

ना काहू से दोस्ती, ना काहू से बैर ||

  'ना काहू से दोस्ती, ना काहू से बैर'

ଏହା ଉଦାସୀନାତା ଅଟେ।

ଶୁକଦେବ ମୁନିଙ୍କ ସମ୍ବନ୍ଧିତ ନିମ୍ନ କଥାରୁ ସ୍ପଷ୍ଟ ହୋଇଛି ଯେ, ଗୁଣାତୀତ କ’ଣ ?

ଶୁକଦେବଜୀ ରାଜା ଜନକଜୀଙ୍କୁ ଭେଟିବାକୁ ଆସିଥିଲେ। ଶୁକଦେବଜୀ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲେ ଯେ, "ମୁଁ କେବେ ବି କୌଣସି ସହରକୁ ଯାଇନାହିଁ, ମୁଁ ଜଣେ ନୈଷ୍ଠିକ ବ୍ରହ୍ମଚାରୀ, ଯିଏ ସବୁବେଳେ ଜଙ୍ଗଲରେ ରହେ। ମୋ ବାପା ମୋତେ ଜ୍ଞାନ ପାଇଁ ଜଣେ ରାଜାଙ୍କ ପାଖକୁ ପଠାଉଛନ୍ତି! ମୁଁ ନିଜେ ମହାନ ଋଷି ବେଦବ୍ୟାସଜୀଙ୍କ ପୁତ୍ର ! "

ଜନକ ଏଠାରେ ଏକ ପଦବୀ, ଏହି ଜନକଜୀ ମାତା ସୀତାଙ୍କ ପିତା ମହାରାଜ ଜନକ ନୁହଁନ୍ତି। ଶ୍ରୀମଦ୍ ଭଗବଦ୍ଗୀତାରେ ୭୩ ଜଣ ଜନକଙ୍କର ସୂଚନା ଦିଆଯାଇଛି। ସୀତାଙ୍କ ପିତା ଥିଲେ ୪୯ ତମ ଜନକ, ଯାହାଙ୍କ ନାମ ଥିଲା ଶିଳାଧ୍ୱଜ।

ସେଠାରେ ରାଜସଭାରେ ପହଞ୍ଚିବା ପରେ ଶୁକଦେବଜୀ ଦ୍ୱାରପାଳଙ୍କୁ ନିଜର ଏକ ଲମ୍ବା ପରିଚୟ ଦେଇ, କହିଥିଲେ ଯେ,"ଜନକଜୀଙ୍କୁ କୁହ, ବେଦ ବ୍ୟାସଜୀଙ୍କ ପୁଅ ତାଙ୍କୁ ଭେଟିବାକୁ ଆସିଛନ୍ତି।” ଦ୍ୱାରପାଳ ରାଜାଙ୍କ ସମ୍ମୁଖରେ ପହଞ୍ଚିବା ପରେ ରାଜା ଦ୍ୱାରପାଳଙ୍କୁ ସେହି ଦ୍ୱାରରେ ଶୁକଦେବଜୀଙ୍କୁ ଅପେକ୍ଷା କରିବାକୁ କହିଲେ। ସାତଦିନ ଧରି ଶୁକଦେବ ରାଜଭବନର ଦ୍ୱାରରେ ମହାରାଜଙ୍କ ଆଦେଶକୁ ଅପେକ୍ଷା କରିଥିଲେ ଏବଂ ଧୀରେ ଧୀରେ ତାଙ୍କ ଅହଂକାର ଦୂର ହେବାକୁ ଲାଗିଲା।

ବାପାଙ୍କ ଆଦେଶ ଅନୁଯାୟୀ ସେ ତାଙ୍କ ପ୍ରଶ୍ନର ଉତ୍ତର ନ’ପାଇ ସେଠାରୁ ଫେରି ପାରୁନ’ଥିଲେ, ତେଣୁ ସପ୍ତମ ଦିନ ଯେତେବେଳେ ଶୁକଦେବଜୀଙ୍କ ଅହଂକାର ଭାଙ୍ଗିଗଲା, ସେ ନିଜର ପରିଚୟ ଦ୍ୱାରପାଳଙ୍କୁ ଏପରି କହି ପଠାଇଲେ ଯେ, 'ହେ ରାଜନ! ସମର୍ପିତ ଜ୍ଞାନାକାଂକ୍ଷୀ, ଶୁକଦେବ ଆପଣଙ୍କ ଦର୍ଶନ ଅଭିଳାଷୀ।” ତା'ପରେ ରାଜା ଜନକ ଦୌଡ଼ି ଆସି ସନ୍ଥ ଶୁକଦେବଜୀଙ୍କୁ ସମ୍ମାନର ସହ ରାଜମହଲ ଭିତରକୁ ଆସିବାକୁ ଅନୁରୋଧ କଲେ। ଖାଇବା ଓ ବିଶ୍ରାମ ନେବା ପରେ ରାଜା ଜନକ ତାଙ୍କୁ ଭେଟି ରାଜ୍ୟରେ ଦେବୀଙ୍କ ପର୍ବ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, “ମିଥିଳା ସହର ପ୍ରତିଷ୍ଠାର ଏହି ପର୍ବ ସେତେବେଳେ ହିଁ ସମ୍ପୂର୍ଣ୍ଣ ବୋଲି ବିବେଚନା କରାଯିବ, ଯେତେବେଳେ ଜଣେ ମହାନ ସନ୍ଥ ତୈଳ ଭର୍ତ୍ତି ପାତ୍ର ମଥାରେ ଧରି ସମଗ୍ର ସହର ପରିକ୍ରମା କରି ରାଜପ୍ରାସାଦକୁ ଫେରି କୁଳଦେବୀଙ୍କ ପୂଜାର୍ଚ୍ଚନା ଶେଷ କରିବେ। ସମଗ୍ର ଦୁନିଆରେ ଆପଣଙ୍କଠାରୁ ନୈଷ୍ଠିକ ବ୍ରହ୍ମଚାରୀ ଆଉ କେହି ନାହାଁନ୍ତି। ଧ୍ୟାନ ରଖିବା ଉଚିତ୍‌ ଯେ ତୈଳପାତ୍ରରୁ, ଏକ ବୁନ୍ଦା ତେଲ ମଧ୍ୟ ବାହାରିବା ଉଚିତ ନୁହେଁ, ନଚେତ୍ ପୂରା ପ୍ରକ୍ରିୟା ବ୍ୟର୍ଥ ହୋଇଯିବ।”

ତା'ପରେ ରାଜା ଶୁକଦେବଜୀଙ୍କ ହାତରେ ଏକ ପାତ୍ର ଦେଇ ସହର ବୁଲି ଆସିବାକୁ ପଠାଇଦେଲେ । ଚାରି ଘଣ୍ଟା ଧରି ସହର ଭ୍ରମଣ ସମାପ୍ତ କରିବା ପରେ ଶୁକଦେବଜୀ ରାଜମହଲକୁ ଫେରି ଦେବୀଙ୍କୁ ପୂଜା କରି ସେହି ଉତ୍ସବର ସମାପନ କ୍ରିୟା କରିଥିଲେ। ଏହାପରେ ମହାରାଜ ଜନକ ଶୁକଦେବଜୀଙ୍କୁ ପ୍ରଣାମ କରି ତାଙ୍କ ହାତରୁ ପାତ୍ରଟି ନେଇ ଦେବୀଙ୍କ ଚରଣରେ ରଖି ପଚାରିଲେ” ଆପଣଙ୍କୁ ଏହିନଗର କେମିତି ପସନ୍ଦ ହେଲା? ଶୁକଦେବଜୀ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କ ଆଡ଼କୁ ଚାହିଁ କହିଲେ, "ତେଲ ଯେପରି ନ ଝରିବ ସେଥିପାଇଁ ମୁଁ ସେହି ପାତ୍ରକୁ ଚାହିଁ ରହିଲି। ମୁଁ ମିଥିଳା ନଗରୀର ଭବ୍ୟ ସୌନ୍ଦର୍ଯ୍ୟ ଦେଖିବାରେ ଧ୍ୟାନ ଦେଲି ନାହିଁ ।"

ଏହି ଉତ୍ତର ଶୁଣି ରାଜା ଜନକ କହିଲେ,”ଶୁକଦେବ ମୁନି ! ତୁମର ପ୍ରଥମ ଶିକ୍ଷା ହେଉଛି ଯେ, ଏହି ଭବ୍ୟ ସୁନ୍ଦର ସଂସାରରେ ରହି ମଧ୍ୟ ଜୀବ ସର୍ବଦା ସାଂସାରିକ ବନ୍ଧନରୁ ମୁକ୍ତ ରହିବାକୁ ଚେଷ୍ଟା କରିବା ଉଚିତ୍।”

ଏହା ଏକ ଉଦାସୀନ ଭାବନା ଯାହା ସତ୍ତ୍ୱ, ରଜୋ ଓ ତମୋକୁ ଅତିକ୍ରମ କରି ଉର୍ଦ୍ଧ୍ୱରେ ଥାଏ।

ଶ୍ରୀଭଗବାନ କହୁଛନ୍ତି, गुणा एव वर्तन्ते - गुण ही गुण में बरतता है - ଗୁଣରେ ନିହିତ ଗୁଣ - ଏହା ସମସ୍ତଙ୍କ ପାଖରେ ରହିବା ଉଚିତ୍‌।

ଏମିତି କୌଣସି ଯୋଗୀ ନାହାନ୍ତି ଯିଏ କହନ୍ତି, "ମୁଁ ଭୋଜନ କରୁଛି", ସେ କହିବ ଯେ ପେଟ ଭୋକିଲା ଅଛି, ଆଖି ଖାଦ୍ୟକୁ ଦେଖୁଛି, ହାତ ଖାଦ୍ୟ ଉଠାଉଛି, ଦାନ୍ତ ଖାଦ୍ୟ ଚବାଉଛି ଇତ୍ୟାଦି। ମୁଁ କିଛି କରୁନାହିଁ, ସବୁ କିଛି ଆପେ ଆପେ ଘଟୁଛି। ଆପଣମାନଙ୍କ ମଧ୍ୟରୁ କେହି କେବେ ନିଶ୍ୱାସପ୍ରଶ୍ୱାସ ସମ୍ବନ୍ଧରେ କିମ୍ବା ଖାଦ୍ୟ ଭଲ ଭାବରେ ହଜମ ହେବା, ନ’ହେବାର ପ୍ରକ୍ରିୟା ବିଷୟରେ କିଛି କୁହନ୍ତି କି, କାରଣ ଆମେ ଅନୁଭବ କରୁଯେ, ଏସବୁ ଆପେ ଆପେ ଘଟୁଛି। ଆମେ ନିଶ୍ୱାସ ନେଉଛୁ, ଖାଉଛୁ, କିନ୍ତୁ ଏସବୁ ଶରୀରର ଶକ୍ତି ସହିତ ଘଟୁଛି। ଆମେ ଏସବୁ ଏକ କର୍ତ୍ତବ୍ୟ ବୋଧ ସହିତ କରୁଛେ। ଆମେ କର୍ତ୍ତାପଣ ଭାବରୁ କିଛି କରୁନାହୁଁ, କାରଣ ଶ୍ରୀଭଗବାନ ଆମକୁ ସେହି ସ୍ୱତନ୍ତ୍ରତା ଦେଇନାହାଁନ୍ତି।

ସବୁକିଛି ନିଜେ ଘଟୁଛି, ଯେମିତି ଆମ ଧମନୀରେ ରକ୍ତ ପ୍ରବାହିତ ହେଉଛି। ଆମ ହୃଦୟ କାମ କରୁଛି, ମୁଁ ଖାଉଛି, କେତେବେଳେ ମୁଁ ସେଠାକୁ ଯାଉଛି, କେତେବେଳେ ମୁଁ ଏଠାକୁ ଯାଉଛି, ସବୁ କିଛି ନିଜେ ଘଟୁଛି। ଶରୀରର ଅଙ୍ଗଗୁଡ଼ିକ ମାଧ୍ୟମରେ ସବୁ କିଛି ଘଟୁଛି। ଯେଉଁଠି ତାଙ୍କର ଆବଶ୍ୟକତା ରହିଛି, ସେ ତାହା କରୁଛନ୍ତି, ମୁଁ କିଛି କରୁନାହିଁ।  

ଯିଏ ଏହି ଗୁଣ ଗୁଡିକ ଉପରେ ବିଜୟ ପ୍ରାପ୍ତ କରିଥାଏ, ସେ ଗୁଣାତୀତ ହୋଇଯାଏ। ଯଦି ପନିପରିବାରେ ଲୁଣ କମ୍ ଥାଏ, ତେବେ ସେ ଜାଣିପାରିବେ ନାହିଁ। ଯଦି କେହି ତାଙ୍କୁ ଅପମାନିତ କରନ୍ତି, ତେବେ ସେ ଜାଣିପାରିବେ ନାହିଁ, କାରଣ ଯଦି ତାଙ୍କୁ ଅପମାନିତ କରାଯାଏ, ତେବେ ସେ ଶରୀରକୁ ହୁଏ ଏବଂ ମୁଁ ଶରୀର ନୁହେଁ। ଯଦି କେହି ଆସି ତାଙ୍କୁ ମାଲ୍ୟାର୍ପଣ କରନ୍ତି, ତା'ହେଲେ ତା'ର କିଛି ଫରକ ପଡ଼ିବ ନାହିଁ, ଅର୍ଥାତ୍ ସେ ଉଭୟ ସୁଖ ଦୁଃଖଠାରୁ ଉର୍ଦ୍ଧ୍ୱରେ ଥାଆନ୍ତି। ତାଙ୍କର ସୁଖ ଦୁଃଖର ଅବସ୍ଥା କିପରି ଥାଏ, ପରବର୍ତ୍ତୀ ଶ୍ଲୋକରେ ଶ୍ରୀଭଗବାନ ଏହା ହିଁ ବର୍ଣ୍ଣନା କରିଛନ୍ତି।


14.24

ସମଦୁଃଖସୁଖଃ(ସ୍) ସ୍ୱସ୍ଥଃ(ସ୍), ସମଲୋଷ୍ଟାଶ୍ମକାଞ୍ଚନଃ।
ତୁଲ୍ୟପ୍ରିୟାପ୍ରିୟୋ ଧୀରଃ(ସ୍), ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ॥24॥

ଯେଉଁ ଧୀର ମନୁଷ୍ୟ ସୁଖ-ଦୁଃଖରେ ସମଭାବାପନ୍ନ ତଥା ନିଜ ସ୍ବରୂପରେ ଅବସ୍ଥିତ, ଯେ ଟେକା, ପଥର ଓ ସୁବର୍ଣ୍ଣ ପ୍ରତି ସମଭାବ ରଖେ, ପ୍ରିୟ-ଅପ୍ରିୟ ଓ ନିଜର ନିନ୍ଦା-ସ୍ତୁତିକୁ ଯେ ସମ ଜ୍ଞାନ କରେ, ଯେ ମାନ-ଅପମାନ ତଥା ମିତ୍ର ଓ ଶତ୍ରୁଙ୍କ ପକ୍ଷରେ ସମ ରହେ ଏବଂ ଯେ ସମସ୍ତ କର୍ମାରମ୍ଭ ପରିତ୍ୟାଗୀ ଅଟେ, ସେହି ମନୁଷ୍ୟକୁ ଗୁଣାତୀତ କୁହାଯାଏ।

ବିବେଚନ :-

ଶ୍ରୀ ଭଗବାନ କହନ୍ତି, "ଅର୍ଜୁନ! ଯିଏ ନିରନ୍ତର ଆତ୍ମଭାବରେ ସ୍ଥିର, ଯିଏ ସୁଖ ଦୁଃଖକୁ ସମାନ ବୋଲି ବିବେଚନା କରେ, ଯିଏ ମାଟି, ପଥର ଓ ସୁନାରେ ପାର୍ଥକ୍ୟ ଦେଖି ପାରେନାହିଁ, ସେ ଗୁଣାତୀତ ଅଟେ।"
ଏକଦା ରଙ୍କା ଓ ବଙ୍କା ଦୁଇ ସାଙ୍ଗ ଥିଲେ। ସେମାନେ ବହୁତ ବଡ ସାଧକ ଥିଲେ, ଦୁହେଁ ଗୁରୁଙ୍କ ପରମ ଭକ୍ତ ଥିଲେ, ଉଭୟ ଭାଇ, ଗୁରୁଙ୍କ ସେବା କରି ପରମ ଯୋଗୀର ମାନ୍ୟତା ପାଇଥିଲେ। ଗୁରୁଜୀ ଦୁହିଁଙ୍କ ପ୍ରତି ବହୁତ ଦୟାବାନ୍‌ ଥିଲେ। ଦିନେ ଦୁହେଁ ସତ୍ସଙ୍ଗରୁ ଫେରୁଥିଲେ। ବଙ୍କା ଆଗରେ ଚାଲୁଥିଲେ। ରାସ୍ତା ଉପରେ ଏକ ସୁନା ମୁଦି ପଡ଼ିଥିବାର ସେ ଦେଖିଥିଲେ। ତାଙ୍କ ପାଇଁ ତ ସୁନା ଓ ମାଟି ସବୁ ସମାନ, ତେବେ ସୁନା ନେଇ ସେ କ'ଣ କରିବେ?

ସେ ସୁନାମୁଦି ପାଇଁ ପ୍ରଲୋଭିତ ମଧ୍ୟ ନ’ଥିଲେ, କିନ୍ତୁ ଯଦି ତାଙ୍କୁ ଅନୁସରଣ କରୁଥିବା ତାଙ୍କ ଭାଇ ରଙ୍କା ପ୍ରଲୋଭିତ ହୋଇ ଯାଆନ୍ତି, ତେବେ ତାଙ୍କର ପତନ ହେଇଯିବ। ଏହା ଭାବି ସେ ମୁଦିକୁ ଧୂଳିରେ ଢାଙ୍କି ଦେବାକୁ ସ୍ଥିର କଲେ, ଯାହାଫଳରେ ସେ ଏହାକୁ ଦେଖି ପାରିବେ ନାହିଁ, କିମ୍ବା ତାଙ୍କ ହୃଦୟରେ କୌଣସି ଇଚ୍ଛା ଜାଗ୍ରତ ହେବନାହିଁ। ଗୁରୁଙ୍କ କୃପାରୁ ତାଙ୍କର ମନ ସନ୍ତୁଳିତ ଅଛି ଏବଂ ସେ ରଙ୍କାଙ୍କର ମନର ଯତ୍ନ ନେବାକୁ ଭାବି ଧୀରେ ଧୀରେ ମାଟିରେ ମୁଦିକୁ ଘୋଡଇବାକୁ ଲାଗିଲେ।

ରଙ୍କା ପଛପଟକୁ ଚାହିଁ କହିଲେ, "ହେ ବଙ୍କା ! ଆପଣ କଣ କରୁଛନ୍ତି? ମାଟି ଉପରେ କାହିଁକି ମାଟିକୁ ଢାଳୁଛନ୍ତି? ଏହା ଶୁଣି ବଙ୍କା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ସଙ୍ଗେ ସଙ୍ଗେ ରଙ୍କାଙ୍କ ପାଦ ଧରି କହିଲେ, "ଭାଇ, ମୁଁ ବହୁତ ବଡ ଭୁଲ କରିଥିଲି। ରଙ୍କା ପଚାରିଲା, "କ'ଣ ହେଲା, ତୁମେ କାହିଁକି ଏମିତି କହୁଛ?"

ବଙ୍କା କହିଲେ, "ମୁଁ ନିଜକୁ ବହୁତ ମହାନ୍‌ ଭାବୁଥିଲି ଯେ ମାଟି ଏବଂ ସୁନା ମଧ୍ୟରେ ମୁଁ ପାର୍ଥକ୍ୟ ଦେଖିପାରୁ ନାହିଁ। ଆପଣ ମୋଠାରୁ ମଧ୍ୟ ଅଧିକ ମହାନ କାରଣ ଆପଣ ସୁନା ଦେଖିପାରୁ ନାହାଁନ୍ତି। ଆପଣ କହୁଛନ୍ତି ମାଟି ଉପରେ କାହିଁକି ମାଟି ଢାଳୁଛନ୍ତି? ଏପରିକି ସୁନା ମୁଦି ବି ଆପଣ ଦେଖିପାରୁ ନାହାଁନ୍ତି। ସୁନା ଦେଖି ମୁଁ ପ୍ରଲୋଭିତ ହେବି ନାହିଁ, ଏହା ଅଲଗା କଥା କିନ୍ତୁ ସୁନା ଓ ମାଟିକୁ ଏକ ସମାନ ଭାବି ଆପଣ ମୋ'ଠାରୁ ବି ବହୁତ ଉପରେ ଅଛନ୍ତି।”

ମନେ ରଖିବାକୁ ହେବ ଯେ ସମଦର୍ଶନ (ସମାନ ଭାବରେ ଦେଖିବା) ଏବଂ ସମବର୍ତ୍ତନ (ସମାନ ବ୍ୟବାହାର) ମଧ୍ୟରେ ପାର୍ଥକ୍ୟ ରହିଛି। ଏଠାରେ, ସମଦର୍ଶନ କ'ଣ ହେଲା ଏବଂ ସମବର୍ତ୍ତନ କାହିଁକି ନୁହେଁ?

ରଙ୍କା ଓ ବଙ୍କା ନିଜ ଘରର ସୁନା ଅଳଙ୍କାରକୁ ରାସ୍ତାରେ ଫିଙ୍ଗି ଦେବେ ନାହିଁ, ସେମାନେ ତାକୁ ସୁରକ୍ଷିତ ସ୍ଥାନରେ ରଖିବେ। ଯଦି କିଛି ସେମାନଙ୍କ ଅଧିକାରର ବିଷୟ ନୁହେଁ, ତେବେ ସେମାନେ ଏହା ଉପରେ ମାଟି ଫିଙ୍ଗିବେ, କିନ୍ତୁ ସେମାନେ ନିଜ ଘରର ଅଳଙ୍କାରକୁ ରାସ୍ତାରେ ଫିଙ୍ଗିବେ ନାହିଁ। ତେଣୁ ସମବର୍ତ୍ତନ ଓ ସମଦର୍ଶନ ଭିନ୍ନ ଭିନ୍ନ ଚିନ୍ତାଧାରା।

ଆଜିକାଲି କିଛି ଲୋକ ଶ୍ରୀଭଗବାନଙ୍କର ଉପସ୍ଥିତି କୁକୁର ଭିତରେଥିବା ଅନୁଭବ କରି, ଡାଇନିଂ ଟେବୁଲ ଉପରେ ବସି ଖାଇବାର ଅନୁମତି କୁକୁରକୁ ମଧ୍ୟ ଦିଅନ୍ତି। ଏହିପରି ଯେଉଁ ମହାପୁରୁଷମାନେ ସମଦର୍ଶନ ଏବଂ ସମବର୍ତ୍ତନକୁ ସମାନ ବ୍ୟାଖ୍ୟା କରନ୍ତି ସେମାନଙ୍କୁ କୋଟି ନମସ୍କାର। ଏସବୁ ପାଗଳାମୀର ଆଧାର। ଏପରିକି ଯଦି ଆପଣ ଭଗବାନଙ୍କୁ କୁକୁରରେ ଦେଖନ୍ତି, ତେବେ ମଧ୍ୟ ତାଙ୍କୁ କବାଟ ବାହାରେ ଖାଇବାକୁ ଦେବା ଉଚିତ୍‌।

ଯଦି କୌଣସି ସାଧୁ ଆପଣଙ୍କ ଘରକୁ ଆସନ୍ତି, ତେବେ ତାଙ୍କୁ ଉଚ୍ଚ ସ୍ଥାନରେ ବସାଇ ଖାଇବାକୁ ଦିଅନ୍ତୁ। ସେବା କରନ୍ତୁ। ପ୍ରଥମେ ବାପାମାଆଙ୍କୁ ଖାଇବାକୁ ଦିଅନ୍ତୁ, ତା'ପରେ ନିଜେ ଖାଆନ୍ତୁ। ସମସ୍ତଙ୍କୁ ରୁଟି ଖାଇବାକୁ ଦିଅନ୍ତୁ, କିନ୍ତୁ ରୁଟି ଖୁଏଇବାର କ୍ରମ ଭିନ୍ନ ଭିନ୍ନ ରହିଛି। ସବୁଠାରେ ସମବର୍ତ୍ତନ କରିପାରିବା ନାହିଁ କିନ୍ତୁ ସମାନତା ବା ସମଦର୍ଶନ ରଖିବା ଏକ ଉତ୍ତମ ଚିନ୍ତା।

ଜ୍ଞାନୀ ମଣିଷ, ପ୍ରିୟ ଓ ଅପ୍ରିୟକୁ ସମାନ ଭାବରେ ବିବେଚନା କରେ ଏବଂ ନିଜର ମାନ-ଅପମାନକୁ ମଧ୍ୟ ଏକ ସମାନ ଭାବେ ଦେଖେ।

चाहे करे निन्दा कोई, चाहे कोई सत्कार करे |

फूलों की चिन्ता न करे, काँटों को सिर पर न धरे ||

मान और अपमान ही दोनों, जिसके लिए समान रे |

वह सच्चा इन्सान रे, वह सच्चा इन्सान रे ||

14.25

ମାନାପମାନୟୋସ୍ତୁଲ୍ୟଃ(ସ୍) ତୁଲ୍ୟୋ ମିତ୍ରାରିପକ୍ଷୟୋଃ।
ସର୍ବାରମ୍ଭପରିତ୍ୟାଗୀ, ଗୁଣାତୀତଃ(ସ୍) ସ ଉଚ୍ୟତେ॥25॥

ଯେଉଁ ଧୀର ମନୁଷ୍ୟ ସୁଖ-ଦୁଃଖରେ ସମଭାବାପନ୍ନ ତଥା ନିଜ ସ୍ବରୂପରେ ଅବସ୍ଥିତ, ଯେ ଟେକା, ପଥର ଓ ସୁବର୍ଣ୍ଣ ପ୍ରତି ସମଭାବ ରଖେ, ପ୍ରିୟ-ଅପ୍ରିୟ ଓ ନିଜର ନିନ୍ଦା-ସ୍ତୁତିକୁ ଯେ ସମ ଜ୍ଞାନ କରେ, ଯେ ମାନ-ଅପମାନ ତଥା ମିତ୍ର ଓ ଶତ୍ରୁଙ୍କ ପକ୍ଷରେ ସମ ରହେ ଏବଂ ଯେ ସମସ୍ତ କର୍ମାରମ୍ଭ ପରିତ୍ୟାଗୀ ଅଟେ, ସେହି ମନୁଷ୍ୟକୁ ଗୁଣାତୀତ କୁହାଯାଏ।

ବିବେଚନ :-

ଶ୍ରୀ ଭଗବାନ କହନ୍ତି, "ହେ ଅର୍ଜୁନ! ଯିଏ ସମ୍ମାନ ଓ ଅପମାନରେ ସମାନ ଭାବ ରଖେ, ବନ୍ଧୁ ଓ ଶତ୍ରୁଙ୍କ ପକ୍ଷରେ ସମାନ ମନ୍ତବ୍ୟ ରଖେ, ଯିଏ ସବୁ କାର୍ଯ୍ୟର ପ୍ରାରମ୍ଭରୁ ତ୍ୟାଗଶୀଳ ରହେ, ସେହି ମନୁଷ୍ୟକୁ ଗୁଣାତୀତ ବୋଲି କୁହାଯାଏ।” ଶ୍ରୀ ଭଗବାନ ମଧ୍ୟ ସେହି ସମାନ କଥାଗୁଡିକ ବିସ୍ତୃତ ରୂପରେ ବର୍ଣ୍ଣନା କରିଥିଲେ।

ସମ୍ମାନ ଓ ଅପମାନରେ ସମାନ ଭାବ, ବନ୍ଧୁ ଓ ଶତ୍ରୁରେ ସମାନତା, କୌଣସି କାମ ଆରମ୍ଭ କରିବାର ଅନିଚ୍ଛା, ଯାହା ବି ଯେପରି ଆସିବ କରିବା, ସେ ବିଷୟରେ କିଏ କରିବ ବା କିଏ ନ’କରିବ କିଛି ନ’ଭାବି କରିଦେବା, ଇତ୍ୟାଦି ଗୁଣାତୀତର ଲକ୍ଷଣ।

ସୁଖ ଓ ଦୁଃଖର ସାରମର୍ମକୁ ବୁଝି, ସହିବାକୁ ଶିଖନ୍ତୁ।

ଆମକୁ ସର୍ବଦା ଭାବିବା ଉଚିତ ଯେ, "ଶ୍ରୀଭଗବାନ, ଆପଣ ଯାହା ଚାହୁଁଛନ୍ତି ସେଥିରେ ମୁଁ ସନ୍ତୁଷ୍ଟ ।”

ସର୍ବଦା ଖୁସିର ପର୍ଯ୍ୟାୟରେ ରହିବାର ଆଶା ରଖିବା ଉଚିତ୍‌ ନୁହେଁ। ଜୀବନରେ ସୁଖ ମିଳିବା ପରେ ଆମେ ଅହଂକାରରେ ଫୁଲିବା ଆରମ୍ଭ କରିଥାଉ। ଯେତେବେଳେ ଆମେ ଟିକିଏ ଦୁଃଖ ଅନୁଭବ କରୁ, ଆମେ କହୁ: “ମୋର ଭାଗ୍ୟ ଖରାପ। ଏମିତି ମୋ ସହିତ ଘଟୁଛି।” ମନେ ରଖିବା ଉଚିତ୍‌ ଯେ, ଆମ ସହିତ ଘଟୁଥିବା ସବୁର ଆରମ୍ଭ ଆମେ ହିଁ କରୁଛୁ।

14.26

ମାଂ(ଞ୍) ଚ ୟୋଽବ୍ୟଭିଚାରେଣ, ଭକ୍ତିୟୋଗେନ ସେବତେ।
ସ ଗୁଣାନ୍ସମତୀତ୍ୟୈତାନ୍, ବ୍ରହ୍ମଭୂୟାୟ କଲ୍ପତେ॥26॥

ଯେଉଁ ମନୁଷ୍ୟ ଅବ୍ୟଭିଚାରୀ ଭକ୍ତିଯୋଗ ଦ୍ବାରା ମୋର ସେବା କରେ, ସେ ଏହି ଗୁଣଗୁଡିକୁ ଅତିକ୍ରମ କରି ବ୍ରହ୍ମପ୍ରାପ୍ତିର ପାତ୍ର ହୋଇଯାଏ।

ବିବେଚନ :-

ଭଗବାନ କହୁଛନ୍ତି ଯେ,”ହେ ଅର୍ଜୁନ! ଯେଉଁ ମଣିଷ ଅବ୍ୟଭିଚାରିଣୀ ଭକ୍ତିଯୋଗ ଦ୍ବାରା ନିରନ୍ତର ମୋର ଭଜନ କରେ, ସେ ଏହି ତିନିଗୁଣକୁ ଅତିକ୍ରମ କରି ସଚ୍ଚିଦାନନ୍ଦ ପରଂବ୍ରହ୍ମ ପ୍ରାପ୍ତିର ପାତ୍ର ହୋଇଯାଏ।”

ଏହି ଶ୍ଳୋକର ଅର୍ଥ ବେଳେ ବେଳେ ସାଧକମାନେ ଭୂଲ ଭାବରେ ବୁଝି ଥାଆନ୍ତି ।

ଭାଗବାନ ଅବ୍ୟଭିଚାରିଣୀ ଭକ୍ତି ବିଷୟରେ କହୁଛନ୍ତି। ତେବେ, ଅବ୍ୟଭିଚାରିଣୀ ଭକ୍ତି କଣ?

ବ୍ୟାଖ୍ୟାକାର ମାନେ କହି ଦିଅନ୍ତି ଯେ, ରାମ ଭକ୍ତ ଯଦି ଶିବ ପୂଜା କରନ୍ତି ବା କୃଷ୍ଣ ଭକ୍ତି କରନ୍ତି, ତେବେ ଏହା ବ୍ୟଭିଚାର ହୋଇଥାଏ କିନ୍ତୁ ଏହା ଠିକ୍ ନୁହେଁ। ଏପରି କଥା କହିବା ଅନୁଚିତ। ଏଥିରେ ସତ୍ୟତା ନାହିଁ।

ଅବ୍ୟଭିଚାରିଣୀର ଅର୍ଥହେଲା, ସଂସାର ବଦଳରେ ଭଗବାନଙ୍କର ଆଶ୍ରିତ ହେବା।

ବର୍ତ୍ତମାନ ଯାଏଁ ଲୋକେ ଭଗବାନଙ୍କୁ ଭକ୍ତି କରୁଛନ୍ତି କିନ୍ତୁ ସଂସାରର ଆଶ୍ରୟ ନେଉଛନ୍ତି। କିଛି ଦୁଃଖ ବା ବିପତ୍ତି ଆସିଲେ ଆମେ ଭାଇବନ୍ଧୁ, ବୁଦ୍ଧି, ଧନ ବା ବଳର ଆଶ୍ରୟ ନେଉଅଛେ। କିନ୍ତୁ ଶେଷରେ ନ’ପାରିଲେ ଭଗବାନଙ୍କୁ ହିଁ ଆଶ୍ରା କରୁଛେ। “ପ୍ରଭୁ ହେ, ରକ୍ଷା କର। ମୋ ଦ୍ୱାରା କିଛି ହେଉନାହିଁ।”

ଅବ୍ୟଭିଚାରିଣୀ ଭକ୍ତିର ଅର୍ଥ ହେଲା ସଂସାରର ଆଶ୍ରୟ ତ୍ୟାଗ କରି ଶ୍ରୀଭଗବାନଙ୍କ ଆଶ୍ରୟ ନେବା। ବିଭିନ୍ନ ଦେବାଦେବୀଙ୍କର ପୁଜା କରିବାରେ କୌଣସି ଆପତ୍ତି ନାହିଁ।

ଶ୍ରୀଭଗବାନ ମାନସରେ ଦଶଟି ସମ୍ବନ୍ଧ କହିଛନ୍ତି -

जननी जनक बन्धु सुत दारा | तन धन भवन सुहृद परिवारा ||

ଏହି ଦଶଟି ସମ୍ବନ୍ଧରେ କେଉଁଠି କେଉଁଠି ସମସ୍ତଙ୍କ ବୁଦ୍ଧି ନିବଦ୍ଧ ରହୁଛି।

ଜନନୀ ବା ମାଁ, ଜନକ ବା ପିତା, ବନ୍ଧୁ ଅର୍ଥାତ୍ ପରିବାରରେ ଯାହା ସାଙ୍ଗେ ବନ୍ଧୁତ୍ୱ ବାନ୍ଧିଛୁ, ସୁତ ଅର୍ଥାତ୍ ସନ୍ତାନ, ଦାରା ଅର୍ଥାତ୍ ପତ୍ନୀ, ଏଇ ପାଞ୍ଚ ଜଣ ବ୍ୟକ୍ତି ମୁଖ୍ୟ ସମ୍ବନ୍ଧ ଶ୍ରୀଭଗବାନ ଗଢିଛନ୍ତି। ତାପରେ ନିଜ ଶରୀର, ଧନ, ସମସ୍ତ ସମ୍ପତ୍ତି ଧନର ଅନ୍ତର୍ଗତ, ଭବନ ଅର୍ଥାତ୍ ଗୃହ, ଏହାକୁ ଭଗବାନ ସ୍ୱତନ୍ତ୍ର ଭାବେ ନେଇଛନ୍ତି, କାରଣ ନିଜ ବାସଗୃହ ଉପରେ ସମାସ୍ତଙ୍କର ମୋହ ରହେ, ସୁହୃଦ (ଯିଏ ଆମର କଲ୍ୟାଣ କରନ୍ତି) ଆଉ ଶେଷରେ ନିଜ ପରିବାର ବର୍ଗ ବା ଆତ୍ମିୟ ସ୍ୱଜନ ବୋଲି କହିଛନ୍ତି।

ଭଗବାନ କହୁଛନ୍ତି, ଯେ ଏଇ ଦଶଟି ସମ୍ପର୍କ ଉପରେ ବ୍ୟକ୍ତିର ଦୃଷ୍ଟି ସର୍ବଦା ଅଟକି ରହିଥାଏ। ଏହି ସମସ୍ତ ମମତାର ଡୋରୀ ଆଣିକି ମୋର ଆଙ୍ଗୁଠିରେ ବାନ୍ଧି ଦିଅ।

ମୋହରେ ମନୁଷ୍ୟ ଭୁଲିଯାଏ ଯେ, ’ଏ ସବୁ ଶ୍ରୀଭଗବାନଙ୍କର ହିଁ ଦାନ।’ ଭଗବାନଙ୍କ କୃପାରୁ ଏମାନେ ଆମ ଜୀବନରେ ଅଛନ୍ତି, ଏହି ବିଚାର ନିଜ ମନରେ ରଖିବା ଉଚିତ। ସମସ୍ତଙ୍କ ସାଥିରେ ରୁହ ଏବଂ ସବୁକିଛି ତାଙ୍କ ପାଇଁ ଲଗାଇ ଦିଅ।

ଏଥିରୁ ଭଗବାନ୍ କିଛି ନେଇଗଲେ ବି ତାଙ୍କ ଜିନିଷ ସେ ଫେରାଇ ନେଲେ ବୋଲି ଭାବିବାକୁ ହେବ। ଏପରି ନିଷ୍କାମ ଭାବରେ ସଂସାରରେ ବଞ୍ଚିବାକୁ ହେବ।

ଶ୍ରୀଭଗବାନ ପୁଣି କହୁଛନ୍ତି,” କେବଳ ମୋ ଶରଣରେ ରୁହ।”

14.27

ବ୍ରହ୍ମଣୋ ହି ପ୍ରତିଷ୍ଠାହମ୍, ଅମୃତସ୍ୟାବ୍ୟୟସ୍ୟ ଚ।
ଶାଶ୍ୱତସ୍ୟ ଚ ଧର୍ମସ୍ୟ, ସୁଖସ୍ୟୈକାନ୍ତିକସ୍ୟ ଚ॥27॥

କାରଣ ମୁଁ ହିଁ ବ୍ରହ୍ମର, ଅବିନାଶୀ ଅମୃତର ତଥା ଶାଶ୍ବତ ଧର୍ମ ଓ ଐକାନ୍ତିକ ସୁଖର ଆଶ୍ରୟ।

ବିବେଚନ :-

ଏହି ଶ୍ଳୋକରେ ଭଗବାନ କହୁଛନ୍ତି , “ହେ ଅର୍ଜୁନ! ଏହି ଅବିନାଶୀ ପରଂବ୍ରହ୍ମ ଓ ଅମୃତ ତଥା ନିତ୍ୟଧର୍ମ ଅଖଣ୍ଡ ଏକରସ ଆନନ୍ଦର ଆଶ୍ରୟ (ସ୍ରୋତ) ମୁଁ ହିଁ ଅଟେ।”

ଭଗବାନ କହୁଛନ୍ତି ଯେ ଏହା ଶ୍ରୀମଦ୍ଭଗବଦ୍ ଗୀତାର ସାର ଅଟେ

ସନ୍ଥମାନେ କହିଛନ୍ତି ଯଦି ଏକ ଶଦ୍ଦରେ ଶ୍ରୀମଦ୍ଭଗବଦ୍ଗୀତାର ସାରମର୍ମକୁ ବୁଝାଯାଏ ତେବେ ତାହା “ଶରଣାଗତି” ଅଟେ - ଅର୍ଥାତ୍ ଭଗବାନଙ୍କ ଶରଣାଗତ ହୋଇଯାଅ।

ଭଗବାନ କହିଛନ୍ତି -

मामेकं शरणं व्रज।

“କେବଳ ମୋ ଶରଣରେ ଆସିଯାଅ କାରଣ ସବୁ ବିଷୟର ଆଶ୍ରୟ ମୁଁ ହିଁ ଅଟେ।”

ଖିରୀକୁ କେହି ଦେଖିକି ଜାଣିଲା, କିଏ ଚାଖିକି ଜାଣିଲା ତ କିଏ ତାକୁ ଆଘ୍ରାଣରେ ଜାଣିଲା, ଏପରି ଅଲଗା ଅଲଗା ଇନ୍ଦ୍ରିୟ ମାନଙ୍କ ଦ୍ଵାରା ଏକ ବସ୍ତୁକୁ ସମସ୍ତେ ଜାଣିଲେ। ସେମିତି ଭଗବାନ ଏକ। କେହି ତାଙ୍କୁ ନିରାକାର ଭାବେ, କେହି ସଗୁଣ ସାକାର ଭାବେ ଦେଖିଲା ତ କିଏ ତାଙ୍କୁ ସର୍ବଶକ୍ତିମାନ ଭାବେ ଜାଣିଲା।

ଶ୍ରୀଭଗବାନ କହୁଛନ୍ତି, “ ତୁମେ ଯେ କୌଣସି ଭାବରେ ଆସିଲେ ମଧ୍ୟ ତୁମେ ମୋ ନିକଟରେ ହିଁ ପହଞ୍ଚିବ। କାରଣ ମୁଁ ହିଁ ଏକମାତ୍ର ଅନ୍ତିମ ଆଶ୍ରୟ।”

ଏହାସହିତ ହରିନାମ ସଂକୀର୍ତ୍ତନ ସହ ଏହି ଅଧ୍ୟାୟର ରସପୂର୍ଣ୍ଣ ସାରଗର୍ଭିତ ବିବେଚନ ସତ୍ର ସମାପ୍ତ ହେଲା ଓ ପ୍ରଶ୍ନୋତ୍ତର ସତ୍ର ଆରମ୍ଭ ହେଲା।

:: ପ୍ରଶ୍ନୋତ୍ତରୀ ::

ପ୍ରଶ୍ନକର୍ତ୍ତା - ପ୍ରସାଦ ଭାଇ

ପ୍ରଶ୍ନ: ଆପଣ କହିଥିବା ରାଜା ଜନକ ଓ ଶୁକଦେବଙ୍କ କାହାଣୀ ମୁଁ ବୁଝିପାରିଛି। ମୋତେ କୁହନ୍ତୁ, ଉଦାସୀନତା ଏବଂ ନିରପେକ୍ଷତାର ଅର୍ଥ କ'ଣ ସମାନ?

ଉତ୍ତର: ନିରପେକ୍ଷର ଅର୍ଥ ହେଉଛି ମୁଁ ଏହି ଏକ ବିଷୟରେ ନିରପେକ୍ଷ ଅଟେ। ନିରପେକ୍ଷ ଉଦାସୀନତାର ଏକ କ୍ଷୁଦ୍ର ରୂପ। ଯେତେବେଳେ ଆମେ ଛୋଟ ଛୋଟ କଥା କହିଥାଉ, ଆମେ ନିରପେକ୍ଷ କହିଥାଉ। ଯିଏ ସର୍ବଦା ପାଇଁ ଏହି ନିରପେକ୍ଷତାକୁ ପ୍ରାପ୍ତ କରିଥାଏ ସେ ଉଦାସୀନ ହୋଇଥାଏ। ନିରପେକ୍ଷ ହେବା ବ୍ୟଷ୍ଟି ବା ବ୍ୟକ୍ତିଗତ, କିନ୍ତୁ ଉଦାସୀନ ହେବା ହେଉଛି ସମଷ୍ଟିଗତ।

ପ୍ରଶ୍ନକର୍ତ୍ତା: ଅନୁସୁୟା ଦିଦି

ପ୍ରଶ୍ନ: ପଞ୍ଚମ ଶ୍ଲୋକର ଅର୍ଥ ବର୍ଣ୍ଣନା କରନ୍ତୁ। ଆମେ ଏହି ତିନୋଟି ଗୁଣ ଉପରେ କିପରି ବିଜୟ ପ୍ରାପ୍ତ କରିପାରିବା?

ଉତ୍ତର - ଏହି ଶ୍ଲୋକରେ ଶ୍ରୀ ଭଗବାନ କହନ୍ତି ଯେ ଏହି ସତ୍ତ୍ୱ, ରଜୋ ଓ ତମୋ ଗୁଣତ୍ରୟ ସଂସାରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାନ୍ଧି ରଖନ୍ତି। ଏହି ଉପାଦାନଗୁଡ଼ିକ ଅବିନାଶୀ ଆତ୍ମାକୁ ସଂସାର ସହିତ ବାନ୍ଧି ରଖିଥାଏ। ମଣିଷ କାହିଁକି ବାରମ୍ବାର ଜନ୍ମ ନେଉଛି? ଏହି ତିନି ଗୁଣର କାରଣରୁ ଯେଉଁ ପ୍ରବୃତ୍ତି ଜାତ ହୁଏ, ତାହା ହିଁ ଆମକୁ ବାରମ୍ବାର ଜନ୍ମ ଓ ମୃତ୍ୟୁବନ୍ଧନରେ ବାନ୍ଧି ରଖିଥାଏ।

ଯିଏ ଏହି ତିନୋଟି ଗୁଣକୁ ଅତିକ୍ରାନ୍ତ କରି ଗୁଣାତୀତ ପାଲଟିଯାଏ, ସେ ଏହି ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଥାଏ।

ଆମେ ଏହି ସାତ୍ତ୍ୱିକ କାମ ଯେତେ ଅଧିକ କରିବୁ, ରଜୋଗୁଣ ଓ ତମୋଗୁଣ ସେତେ କମ୍ ହେବାକୁ ଲାଗିବ। ଆଜିକାଲି ବହୁତ ଥଣ୍ଡା ହେଉଛି, ତେଣୁ ଆମେ ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇବାକୁ ପସନ୍ଦ କରୁଛୁ। ୬ ଘଣ୍ଟାର ନିଦ ପୁରା ହେଲା ପରେ ମଧ୍ୟ ଆମକୁ ଆହୁରି ଶୋଇବାକୁ ମନ ହେଉଛି। ଯଦି ଛଅ ଘଣ୍ଟା ଶୋଇବା ପରେ ଆମେ ରଜାଇକୁ ଉଠାଇ ରଖିଦେବା, ତେବେ ସତ୍ତ୍ୱଗୁଣ ମାଧ୍ୟମରେ ଆମେ ଏକ ପ୍ରକାରେ ନିଜର ରଜୋଗୁଣକୁ ଜିତି ପାରିବା। ସେହିଭଳି ଛୋଟ ଛୋଟ କାର୍ଯ୍ୟ ଦ୍ୱାରା ଆମେ ରଜୋଗୁଣକୁ ହଟାଇ ସତ୍ତ୍ୱ ଗୁଣବତ୍ତା ବୃଦ୍ଧି କରିପାରିବା। ଦିନସାରା ଆମେ ଯାହା ବି କାମ କରୁଛୁ, ଆମକୁ ମନେ ରଖିବାକୁ ହେବ ଯେ ଆମକୁ ସତ୍ତ୍ୱଗୁଣକୁ ବଢ଼ାଇବାକୁ ହେବ ଏବଂ ରଜୋଗୁଣକୁ ହ୍ରାସ କରିବାକୁ ପଡ଼ିବ।

କର୍ମର ଦୁଇଟି ସିଦ୍ଧାନ୍ତ ଅଛି - ଶ୍ରେୟସ ଏବଂ ପ୍ରେୟସ।

ଶ୍ରେୟସ ଅର୍ଥ ହେଉଛି ଆମେ କ'ଣ କରିବା ଉଚିତ ଏବଂ ପ୍ରେୟସର ଅର୍ଥ ହେଉଛି ଆମେ ଯାହା କରିବାକୁ ପସନ୍ଦ କରୁ ବା ଆମକୁ ପ୍ରିୟ ଲାଗେ। ଯାହା କରିବାକୁ ଭଲ ଲାଗୁଛି ତାହା ଅଲଗା ଏବଂ କ'ଣ କରିବା ଉଚିତ୍ ତାହା ମଧ୍ୟ ଅଲଗା ଅଟେ ।

ଯଦି ଆପଣ ଯାହା କରିବା ଉଚିତ, ତାହା କଲେ ଆପଣଙ୍କ ସତ୍ତ୍ୱଗୁଣ ବଢିଥାଏ ଏବଂ ଯଦି ଆପଣ ଯାହା ପସନ୍ଦ କରନ୍ତି ତାହା କରନ୍ତି ତେବେ ଆପଣଙ୍କର ରଜୋଗୁଣ ବଢିଯାଏ। ଏହାକୁ ଆମେ ସର୍ବଦା ଧ୍ୟାନରେ ରଖିବା ଉଚିତ୍ ।

ବୁଦ୍ଧି କହୁଛି, "ଶ୍ରେୟସ କର", ଏବଂ ମନ କହୁଛି: "ପ୍ରେୟସ କର”।

ଆମକୁ ମନ ଉପରେ ବୁଦ୍ଧିକୁ ବିଜୟ ହେବାକୁ ଦେବାକୁ ପଡିବ। ବୁଦ୍ଧିକୁ ଶୁଣିବା ଉଚିତ୍, ମନକଥା ଶୁଣିବା ଉଚିତ୍ ନୁହେଁ।

ଯାହାର ରଜୋଗୁଣ ବଢ଼ିଥାଏ, ତା'ର ସ୍ୱାର୍ଥ, ଲୋଭ, ମୋହ ଓ ସକାମ ଭାବନା ବଢ଼ିଥାଏ। ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସେ ପଚାରନ୍ତି, "ଏହି କାମ କରିବାରେ ମୋର ଲାଭ କ'ଣ?" ଏମିତି ଜଣେ ବ୍ୟକ୍ତିଙ୍କୁ ଗୀତା ପାଠ କରିବାକୁ କହିଲେ ମଧ୍ୟ ସେ କହିବେ, "ଏହା ପଢି ମୁଁ କ'ଣ ଲାଭ ପାଇବି?" ଏହି ପ୍ରବୃତ୍ତିର ସମାପ୍ତିରେ ହିଁ ସତ୍ତ୍ବ ଗୁଣର ବିକାଶ ହୋଇପାରିବ ।

ପ୍ରଶ୍ନକର୍ତ୍ତା: ଶୀଲା ଦିଦି

ପ୍ରଶ୍ନ: ମୁଁ ମଧ୍ୟ ଗୀତା ପାଠ କରେ ଓ ସତ୍ସଙ୍ଗକୁ ଯାଏ କିନ୍ତୁ ତଥାପି ମୋ ମନରେ ଭୟ, ସନ୍ଦେହ ଓ ଅବିଶ୍ୱାସ କାହିଁକି? ଆମେ କିପରି ମନରେ ଶ୍ରଦ୍ଧା ଓ ବିଶ୍ୱାସ ବୃଦ୍ଧି କରିପାରିବା?

ଉତ୍ତର - ଏଥିପାଇଁ ଆପଣ ପ୍ରତିଦିନ ଗୀତା ଶ୍ରେଣୀକୁ ଆସି ବିବେଚନ ଶୁଣିବା ଉଚିତ୍। ଛଅ ମାସ ମଧ୍ୟରେ ଆପଣ ନିଜ ଭିତରେ ପାର୍ଥକ୍ୟ ଅନୁଭବ କରିବେ। ଆପଣ ବିବେନକୁ ଧ୍ୟାନର ସହ ଶୁଣନ୍ତୁ ଏବଂ ଏଥିରେ ଯାହା ଉଲ୍ଲେଖ କରା ଯାଉଛି ତାକୁ ନିଜ ଜୀବନରେ ଆଣିବାକୁ ଚେଷ୍ଟା କରନ୍ତୁ। ଶ୍ରୀଭଗବାନଙ୍କ ନିୟମରେ କିଛି ଅମଙ୍ଗଳ ନାହିଁ। ଯଦି ଆପଣ ମୃତ୍ୟୁକୁ ଭୟ କରୁଛନ୍ତି, ତେବେ ଏହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ଏହି ଶରୀର ମୁକ୍ତ ହୁଏ, ତେବେ ଆପଣଙ୍କୁ ଅନ୍ୟ ଏକ ଶରୀର ମିଳିଯିବ। ଏଥିରେ ଆପତ୍ତି କ'ଣ? ଆପଣ ଭାବିବା ଉଚିତ, ଯେ ଯଦି ଆପଣ କୌଣସି ଧନ ହାନି କରନ୍ତି କିମ୍ବା ଆଘାତ ପାଆନ୍ତି, ତେବେ ଆପଣଙ୍କର ପୁରୁଣା ପାପ କଟିଯାଏ। ଯଦି ଏଥିରେ କ୍ଷତି ହୁଏ, ତେବେ ଭୟ କରିବାର ମଧ୍ୟ କ'ଣ ଅଛି? ଯେଉଁମାନେ ଶ୍ରୀଭଗବାନଙ୍କର ଜପ କରନ୍ତି ଏବଂ ଗୀତା ପାଠ କରନ୍ତି ସେମାନଙ୍କର କୌଣସି ଭୟ ବା ଶଙ୍କା ହୁଏ ନାହିଁ ।

ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି-

भायँ कुभायँ अनख आलस हूँ। नाम जपत मंगल दिसि दसहूँ॥

सुमिरि सो नाम राम गुन गाथा। करउँ नाइ रघुनाथहि माथा॥

ଉତ୍ତମ ଭାବନା(ପ୍ରେମ), ଖରାପ ଭାବ(ଶତ୍ରୁତା), କ୍ରୋଧ କିମ୍ବା ଆଳସ୍ୟ, ଯେ କୌଣସି ଉପାୟରେ ହେଉପଛେ, ଶ୍ରୀଭଗବାନଙ୍କର ନାମ ଜପ କଲେ ଦଶ ଦିଗରୁ କଲ୍ୟାଣ ପ୍ରାପ୍ତ ହେଇଥାଏ ଓ ମୁକ୍ତି ମିଳିଥାଏ ।

‘ଶ୍ରୀ ଭଗବାନ ଯାହା ବି କରୁଛନ୍ତି, ସେଥିରେ ଆମର ମଙ୍ଗଳ ହିଁ ହେବ’, ଏହି ଚିନ୍ତା, ଭାବକୁ ସବୁବେଳେ ମନରେ ରଖିବା ଉଚିତ୍ ।

ପ୍ରଶ୍ନକର୍ତ୍ତା: ବଜରଙ୍ଗ ଭାଇ

ପ୍ରଶ୍ନ: ସମ୍ପତ୍ତିରେ ଦାଦା ଓ ପୁତୁରାଙ୍କ ଭାଗ ସମାନ। ଯଦି ଦାଦା ତାଙ୍କ ସମ୍ପତ୍ତିର ଅଂଶ ପୁତୁରାକୁ ଦିଅନ୍ତି, ତେବେ ତାଙ୍କୁ ପୁଣ୍ୟ ମିଳେ କି ?ଏହା ତାଙ୍କର କର୍ତ୍ତବ୍ୟ ହେବ ନା ଏହି କର୍ମରେ ସେ ପୁଣ୍ୟ ହାସଲ କରିବେ?

ଉତ୍ତର - ଏପରି କରିବା ଦ୍ୱାରା ଆପଣଙ୍କୁ ପୁଣ୍ୟ ମଧ୍ୟ ମିଳିବ। ଯଦି ଆପଣ ଉଦାରତା ବଶତଃ କାହାକୁ ନିଜର ଅଂଶ ଦିଅନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ପୁଣ୍ୟ ପାଇବେ।

ଏହାପରେ ଆଜିର ଏହି ସୁନ୍ଦର ବିବେଚନ ସତ୍ର ଶ୍ରୀହନୁମାନ ଚାଳିଷା ପାଠ ସହ ଶେଷ ହୋଇଥିଲା।

हरि शरणम् हरि शरणम् हरि शरणम् हरि शरणम् |

हरि शरणम् हरि शरणम् हरि शरणम् हरि शरणम् ||

॥॥॥॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥॥॥॥

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ଗୁଣତ୍ରୟବିଭାଗୟୋଗୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ।।

ଏହି ପ୍ରକାର ଓଁ ତତ୍ ସତ୍ -- ଏହି ଭଗବତ୍ ନାମର ଉଚ୍ଚାରଣପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରୂପେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ 'ଗୁଣତ୍ରୟବିଭାଗଯୋଗନାମକ' ଚତୁର୍ଦ୍ଦଶ ଅଧ୍ୟାୟ ପୂର୍ଣ୍ଣ ହେଲା ।