विवेचन सारांश
ସର୍ବବ୍ୟାପୀ ପରମାତ୍ମା ତଥା ତାଙ୍କର ଅଭିବ୍ୟକ୍ତି

ID: 7110
उड़िया - ଓଡ଼ିଆ
ରବିବାର, 18 ମେ 2025
ଅଧ୍ୟାୟ 9: ରାଜବିଦ୍ୟାରାଜଗୁହ୍ୟ ଯୋଗ
2/3 (ଶ୍ଳୋକ 10-22)
ବିବେଚକ: ଗୀତାବିଦ୍ ଶ୍ରୀ ପ୍ରଣବ ଜୀ ପଟୱ।ରୀ


ଉପକ୍ରମଣିକା -

    ସୁମଧୁର ଏବଂ ଆତ୍ମଶୁଦ୍ଧି କରୁଥିବା ଶ୍ରୁତି ମଧୁର ଈଶ୍ଵରଙ୍କ ଭଜନ ଗାୟନ ପରେ ଆଜିର ବିବେଚନା ସତ୍ରର ଶୁଭାରମ୍ଭ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାର୍ଥନା ଏବଂ ଦୀପ ପ୍ରଜ୍ଜ୍ୱଳନ ସହ ହୋଇଥିଲା। ଆଜି, ଶ୍ରୀ ଭଗବାନଙ୍କ ମୁଖନିଃସୃତ ଶ୍ରୀମଦ୍ଭଗବଦ୍ ଗୀତାର ବିବେଚନ ଅଧିବେଶନରେ, ନବମ ଅଧ୍ୟାୟର ଦଶମ ଶ୍ଳୋକରୁ ଅଧ୍ୟାୟର ମନ୍ଥନ ଓ ଚିନ୍ତନ ଆରମ୍ଭ ହୋଇଥିଲା। ଯାହା ଶ୍ଳୋକ ସଂଖ୍ୟା ବାଇଶି ପର୍ଯ୍ୟନ୍ତ ଚାଲିଥିଲା।

ଏହି ଅଧ୍ୟାୟର ନାମ ରାଜବିଦ୍ୟା ରାଜଗୁହ୍ୟ ଯୋଗରୁ ଜଣାପଡ଼ିଛି ଯେ, ଏହି ଅଧ୍ୟାୟରେ ସମସ୍ତ ରହସ୍ୟ ମାନଙ୍କର ରହସ୍ୟ ଲୁଚି ରହିଛି,ତାହା ଲୌକିକ ହେଉ ଅବା ପାରଲୌକିକ।

ଏହି ଅଧ୍ୟାୟର ମହତ୍ତ୍ଵ ଏକ ତଥ୍ୟ ଦ୍ଵାରା ସିଦ୍ଧ ପ୍ରମାଣିତ ହୁଏ, ଯାହା ଏହି ପ୍ରସଙ୍ଗରେ ନିହିତ ଅଛି -

ଶ୍ରୀମଦ୍ଭଗବଦ୍ ଗୀତାର ସର୍ବୋତ୍ତମ ଭାଷ୍ୟକାର ଜ୍ଞାନେଶ୍ୱର ମହାରାଜ ଯେତେବେଳେ ତାଙ୍କର ସମାଧି ସ୍ଥଳ, ଆଳନ୍ଦିରେ ସମାଧିସ୍ଥ ହେବା ପାଇଁ ସ୍ଥାନ ଗ୍ରହଣ କରିଥିଲେ, (ଯାହା ଆଜି ସିଦ୍ଧେଶ୍ୱର ମହାରାଜ ନାମରେ ପ୍ରସିଦ୍ଧ।) ସେତେବେଳେ ତାଙ୍କ ସମ୍ମୁଖରେ ତାଙ୍କ ଦ୍ଵାରା ରଚିତ ଜ୍ଞାନେଶ୍ଵରୀ ଗ୍ରନ୍ଥର ନବମ ଅଧ୍ୟାୟ ଉପଲବ୍ଧ ଥିଲା।

ଏହି ଘଟଣା ମାଧ୍ୟମରେ ଆମେ ଏହି ଅଧ୍ୟାୟର ମହତ୍ତ୍ଵ ଜାଣିପାରିଲେ। ଏହି ଅସାଧାରଣ ଅଧ୍ୟାୟ ଦ୍ଵାରା ଶ୍ରୀ ଭଗବାନ ନିଜର ସମ୍ପୂର୍ଣ୍ଣ ସ୍ଵରୂପକୁ ବିସ୍ତାରିତ ଭାବରେ ଅର୍ଜୁନଙ୍କ ସମକ୍ଷରେ ତଥା ଅର୍ଜୁନଙ୍କ ମାଧ୍ୟମରେ ଆମ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି।

ଏହି ନବମ ଅଧ୍ୟାୟର ପ୍ରଥମ ବିବେଚନା ରେ, ଆମେ ନବମ ଶ୍ଳୋକ ପର୍ଯ୍ୟନ୍ତ ଆଲୋଚନା କରି ଚିନ୍ତନ କରିସାରିଛୁ।

ଆଜିର ସତ୍ରରେ, ଆମେ ଦଶମ ଶ୍ଳୋକଠାରୁ ଏହାର ଚିନ୍ତନ ଆରମ୍ଭ କରିବା।


9.10

ମୟାଧ୍ୟକ୍ଷେଣ ପ୍ରକୃତିଃ(ସ୍), ସୂୟତେ ସଚରାଚରମ୍
ହେତୁନାନେନ କୌନ୍ତେୟ, ଜଗଦ୍ୱିପରିବର୍ତତେ॥10॥

ପ୍ରକୃତି ମୋ ଅଧ୍ୟକ୍ଷତାରେ ସମଗ୍ର ସଚରାଚର ଜଗତକୁ ସର୍ଜନା କରେ। ହେ କୁନ୍ତୀନନ୍ଦନ! ଏହି କାରଣରୁ ଜଗତରେ ବିବିଧ ପ୍ରକାର ପରିବର୍ତ୍ତନ ହେଉଛି।

ବିବେଚନ -

ଶ୍ରୀ ଭଗବାନ ଏହି ଶ୍ଳୋକ ମାଧ୍ୟମରେ ସୃଷ୍ଟି ନିର୍ମାଣ ରେ ତାଙ୍କର ଭୂମିକା ବିଷୟରେ ସ୍ପଷ୍ଟ କରିଛନ୍ତି।

ସମସ୍ତ ବୈଜ୍ଞାନିକ ଓ ଚିନ୍ତା ନାୟକ ମାନଙ୍କୁ ସୃଷ୍ଟିର ନିର୍ମାଣ ବିଷୟରେ କିଛି ପ୍ରଶ୍ନ ବିଚଳିତ କରିଥାଏ।

●     ବିଶ୍ଵର ନିର୍ମାଣ କିପରି ହୋଇଥିଲା?

●     ବିଶ୍ଵର ନିର୍ମାଣ କାହିଁକି ହେଲା।

●     ବିଶ୍ଵ ସୃଷ୍ଟିରେ ଭଗବାନଙ୍କର ଭୂମିକା କ'ଣ?

ବୈଦିକ ସାହିତ୍ୟରେ ଷଡ଼ ଦର୍ଶନ ରହିଛି -

●     ଯୋଗ ଦର୍ଶନ

●     ସାଙ୍ଖ୍ୟ ଦର୍ଶନ

●     ବୈଶେଷିକ ଦର୍ଶନ

●     ନ୍ୟାୟ ଦର୍ଶନ

●     ମୀମାଂସା

●     ବ୍ରହ୍ମସୂତ୍ର

ସାଙ୍ଖ୍ୟ ଦର୍ଶନରେ ସମଗ୍ର ବ୍ରହ୍ମାଣ୍ଡ କିପରି ସୃଷ୍ଟି ହୋଇଥିଲା? ତାହାର ପଚିଶଟି ତତ୍ତ୍ଵ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ବର୍ଣ୍ଣନା ଅନ୍ତର୍ଭୁକ୍ତ। ଏଥିରେ ମୂଳ ପ୍ରକୃତିରୁ ସୃଷ୍ଟି କିପରି ଉତ୍ପନ୍ନ ହେଲା ତାହାର ଏକ ବିସ୍ତୃତ ବର୍ଣ୍ଣନା ଅଛି।

ମୂଳ ପ୍ରକୃତିର ମହାନ ଉପାଦାନ - ଅହଂକାର (ସତ୍ତ୍ଵ, ରଜ, ତମ), ପଞ୍ଚ ମହାଭୂତ, ପଞ୍ଚ ତନ୍ମାତ୍ରା, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ ତଥା ମନ।

●     ଅନ୍ତଃକରଣ (3): ମନ, ବୁଦ୍ଧି, ଅହଙ୍କାର

●     ଜ୍ଞାନେନ୍ଦ୍ରିୟ (5): ନାକ, ଜିଭ, ଆଖି, ଚର୍ମ, କାନ

●     କର୍ମେନ୍ଦ୍ରିୟ  (5): ପାଦ, ହାତ, ଉପାଙ୍ଗ, ମଳଦ୍ୱାର, ବାକ୍

●     ତନ୍ମାତ୍ରା (5): ଗନ୍ଧ, ସ୍ୱାଦ, ରୂପ, ସ୍ପର୍ଶ, ଶବ୍ଦ

●     ମହାଭୂତ (5): ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ

ସମ୍ପୂର୍ଣ୍ଣ ସୃଷ୍ଟି ନିର୍ମାଣ ଏକ ପ୍ରକ୍ରିୟା ଅଟେ। ଏହି କ୍ରମ ବିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ପ୍ରକୃତିରୁ ବିଶ୍ଵ ବ୍ରହ୍ମାଣ୍ଡର ଉତ୍ପତ୍ତି ହୋଇଛି।

 ପ୍ରକୃତି କ’ଣ ନିଜେ ବ୍ରହ୍ମାଣ୍ଡ ସୃଷ୍ଟି କରିପାରିବ? ଏହା ଏକ ମୌଳିକ ପ୍ରଶ୍ନ।

 ଶ୍ରୀଭଗବାନ ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି -

ହେ କୁନ୍ତୀପୁତ୍ର, ଏହି ଭୌତିକ ପ୍ରକୃତି ମୋର ଶକ୍ତି ମଧ୍ୟରୁ ଗୋଟିଏ ଏବଂ ମୋ ତତ୍ତ୍ୱାବଧାନରେ କାର୍ଯ୍ୟ କରେ, ଯେଉଁଠାରୁ ସମସ୍ତ ଚର-ଅଚର ପ୍ରାଣୀ ଜନ୍ମ ନିଅନ୍ତି। ଏହାର ଶାସନରେ ବିଶ୍ୱ ନିରନ୍ତର ସୃଷ୍ଟି ଏବଂ ଧ୍ୱଂସ ପାଉଛି।

 "ସିନେମା ପରଦା ମାଧ୍ୟମରେ ସୃଷ୍ଟିରେ ଶ୍ରୀ ଭଗବାନଙ୍କ ଉପସ୍ଥିତିକୁ ପ୍ରସ୍ତୁତ କରାଯାଇଛି"

ଏହାକୁ ଏକ ଚଳଚ୍ଚିତ୍ର ଏବଂ ଏଥିରେ ବ୍ୟବହୃତ ପରଦାର ଉଦାହରଣ ଦେଇ ଭଲ ଭାବରେ ବୁଝାଯାଇପାରିବ -

ଏହା ସମସ୍ତେ ଜାଣନ୍ତି ଯେ ଏକ ଚଳଚ୍ଚିତ୍ରର ଦୃଶ୍ୟଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଏକ ପରଦା ଆବଶ୍ୟକ। ପରଦା ନଥିଲେ ଚଳଚ୍ଚିତ୍ରର ଦୃଶ୍ୟ ଦେଖିବା ଅସମ୍ଭବ। କିନ୍ତୁ ଯେତେବେଳେ ଆମେ ପରଦାରେ କୌଣସି ଦୃଶ୍ୟ ଦେଖୁ, ତାହା ଚଳଚ୍ଚିତ୍ରରେ ନିଆଁ କିମ୍ବା ବନ୍ୟା ଇତ୍ୟାଦିର ଦୃଶ୍ୟ ହେଉ। ଅଗ୍ନିକାଣ୍ଡ ଘଟଣାର ସେହି ଦୃଶ୍ୟରେ ପରଦାରେ ଅଗ୍ନିର ଶିଖା ଦେଖାଯାଏ ନାହିଁ, କିମ୍ବା ବନ୍ୟା ଆସିଲେ ପରଦା ପାଣି ଦ୍ୱାରା ପ୍ରଭାବିତ ହୁଏ ନାହିଁ, ଅର୍ଥାତ୍, ସିନେମାରେ ଘଟୁଥିବା ସମସ୍ତ ଘଟଣା ଦ୍ୱାରା ଏହା ସର୍ବଦା ଅସ୍ପୃଶ୍ୟ ରହିଥାଏ।

ଯଦି ଆମେ ପରଦା ବିନା ଏକ ଚଳଚ୍ଚିତ୍ରର ଅସ୍ତିତ୍ୱକୁ ବିଚାର କରିବା, ତେବେ ଆମେ ଜାଣିବା ଯେ ପରଦା ବିନା ଚଳଚ୍ଚିତ୍ରର କୌଣସି ଅସ୍ତିତ୍ୱ ନାହିଁ; କିନ୍ତୁ ଚଳଚ୍ଚିତ୍ର ଶେଷ ହେଲେ ମଧ୍ୟ ପରଦା ନିଜ ସ୍ଥାନରେ ସ୍ଥିର ରହିଥାଏ; ଏହାର ଅସ୍ତିତ୍ୱ ଚିରକାଳ ରହିବ।

ସେହିପରି, ଏହି ବ୍ରହ୍ମାଣ୍ଡର ଅସ୍ତିତ୍ୱ ନ ଥିଲେ ମଧ୍ୟ ଶ୍ରୀ ଭଗବାନ ମଧ୍ୟ ନିଜ ସ୍ୱରୂପରେ ବାସ କରନ୍ତି। କିନ୍ତୁ ଶ୍ରୀ ଭଗବାନଙ୍କ ଅନୁପସ୍ଥିତିରେ, ପ୍ରକୃତି ଦ୍ୱାରା ସୃଷ୍ଟିର ନିର୍ମାଣ ସମ୍ପୂର୍ଣ୍ଣ ଅସମ୍ଭବ। ତେଣୁ, ଜଣେ ଜ୍ଞାନୀ ବ୍ୟକ୍ତି ଠିକ୍ ଭାବରେ ବୁଝିପାରନ୍ତି ଯେ ଏହି ବ୍ରହ୍ମାଣ୍ଡ ଏବଂ ଏଥିରେ ଉପସ୍ଥିତ ସମସ୍ତ ସଜୀବ ଏବଂ ନିର୍ଜୀବ ବସ୍ତୁ, ଯେଉଁମାନେ ଜନ୍ମ ଏବଂ ମୃତ୍ୟୁର ନିରନ୍ତର ଚକ୍ରରେ ଫସି ରହିଛନ୍ତି, ତାହା ଏକ ଚଳଚ୍ଚିତ୍ର ପରି।

ଯାହାର କଳ୍ପନା ଶ୍ରୀ ଭଗବାନଙ୍କ ଉପସ୍ଥିତି ବିନା ଅସମ୍ଭବ। ଏହା ଶ୍ରୀ ଭଗବାନଙ୍କ ଲୀଳାମୟ ରୂପର ଏକ ଝଲକ ମାତ୍ର। କିନ୍ତୁ ଏହି ନାଟକ ଯାହା ତାଙ୍କ ଲୀଳା ରୂପରେ ଗତିଶୀଳ, ତାହା ତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ରୂପେ କରାଯାଇ ନାହିଁ, ବରଂ ଏହା ପ୍ରକୃତି ଦ୍ୱାରା ତାଙ୍କ ସାନ୍ନିଧ୍ୟରେ ସୃଷ୍ଟି ହୋଇଥିବା ଏକ ସୁନ୍ଦର ଚିତ୍ର।

ପ୍ରକୃତି ଶ୍ରୀ ଭଗବାନଙ୍କ ଉପସ୍ଥିତିରେ ସମସ୍ତ ଖେଳ ଖେଳେ, ଯାହା ତ୍ରିଗୁଣ ଅର୍ଥାତ୍ ସତ୍ତ୍ଵ ରଜ ଏବଂ ତମ ଗୁଣରେ ପରିପୂର୍ଣ୍ଣ।

ତେଣୁ, ଯିଏ ଭଗବାନଙ୍କର ଏହି ରୂପକୁ ଜାଣିନାହିଁ, ସେ ମୂର୍ଖ ଏବଂ ଅଜ୍ଞ।

9.11

ଅବଜାନନ୍ତି ମାଂ(ମ୍) ମୂଢା, ମାନୁଷୀଂ(ନ୍) ତନୁମାଶ୍ରିତମ୍
ପରଂ(ମ୍) ଭାବମଜାନନ୍ତୋ, ମମ ଭୂତମହେଶ୍ୱରମ୍॥11॥

ମୂର୍ଖଲୋ କେ ସକଳ ପ୍ରାଣୀଙ୍କର ମହାନ୍ ଈଶ୍ବରରୂପକ ମୋର ପରମଭାବକୁ ନ ଜାଣି, ମୋତେ ମନୁଷ୍ୟଶରୀରର ଆଶ୍ରିତ ମନେକରି ଅର୍ଥାତ୍ ସାଧାରଣ ମନୁଷ୍ୟ ମନେକରି ଅବଜ୍ଞା କରନ୍ତି।

ବିବେଚନ -              

ଅଜ୍ଞାନୀ ପୁରୁଷଙ୍କ ଲକ୍ଷଣ

ଶ୍ରୀ ଭଗବାନ ଯିଏ ଏହି ସୃଷ୍ଟି କର୍ତ୍ତା ହୋଇ ମଧ୍ୟ ସର୍ବଦା ସୃଷ୍ଟି ଏବଂ ଏହାର କାର୍ଯ୍ୟକଳାପରୁ ମୁକ୍ତ ଅଟନ୍ତି। ସେ ସୃଷ୍ଟିର କୌଣସି ପ୍ରସଙ୍ଗରେ ଜଡିତ ନୁହଁନ୍ତି। ଯେଉଁ ଅଜ୍ଞାନୀ ପ୍ରାଣୀମାନେ ଶ୍ରୀଭଗବାନଙ୍କ ପ୍ରଭାବକୁ ଜାଣନ୍ତି ନାହିଁ। ଯେଉଁମାନେ ମୋତେ, ଅର୍ଥାତ୍ ପରମେଶ୍ୱରଙ୍କୁ, ଜଣେ ସାଧାରଣ ମଣିଷ ଭାବି ଅନାଦର କରନ୍ତି, ସେମାନଙ୍କୁ ଏହି ଶ୍ଳୋକରେ ଶ୍ରୀ ଭଗବାନ ମୂର୍ଖ ବୋଲି ସମ୍ବୋଧିତ କରିଛନ୍ତି।

।। ଶ୍ରୀ ଭଗବାନଙ୍କ ପରଂବ୍ରହ୍ମ ସ୍ୱରୂପ ବିଷୟରେ ଅର୍ଜୁନଙ୍କର ଅଜ୍ଞ।ନତା ।।

ସେ ପରମ ତତ୍ତ୍ୱକୁ ମନୁଷ୍ୟ ଶରୀରରେ ସୀମିତ କରିବାକୁ ଚେଷ୍ଟା କରନ୍ତି। ଶ୍ରୀମଦ୍ଭଗବଦ୍ ଗୀତାର ଚତୁର୍ଥ ଅଧ୍ୟାୟରେ ଆମେ ଅର୍ଜୁନଙ୍କୁ ସମାନ ଭୂମିକାରେ ଦେଖୁ। ସେ ଶ୍ରୀ ଭଗବାନଙ୍କୁ ନିଜର ସଖା, ଗୁରୁ ଇତ୍ୟାଦି ବୋଲି ମାନିଥାନ୍ତି, ତାଙ୍କୁ ନିଜର ସର୍ବସ୍ୱ ବୋଲି ମାନିଥାନ୍ତି କିନ୍ତୁ ଜଗତର ସ୍ରଷ୍ଟା ଶ୍ରୀ ଭଗବାନ ଯେ ସ୍ୱୟଂ ପରବ୍ରହ୍ମ ଅଟନ୍ତି ସେ ସମ୍ବନ୍ଧରେ ସେ ଅନଭିଜ୍ଞ। ଅର୍ଜୁନଙ୍କ ଏହି ଚିନ୍ତାଧାରା ଚତୁର୍ଥ ଅଧ୍ୟାୟର ଶ୍ଳୋକ ଗୁଡ଼ିକରେ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଛି।

श्रीभगवानुवाच

इमं विवस्वते योगं प्रोक्तवानहमव्ययम्।

विवस्वान् मनवे प्राह मनुरिक्ष्वाकवेऽब्रवीत्।।4.1।।

ଅର୍ଥାତ୍, ଶ୍ରୀ ଭଗବାନ କହିଛନ୍ତି ଯେ ମୁଁ ଏହି ସନାତନ ଯୋଗ ବିଜ୍ଞାନ ବିଷୟରେ ସୂର୍ଯ୍ୟ ଦେବତା ବିବସ୍ବାନଙ୍କୁ କହିଥିଲି, ଯିଏ ଏହାକୁ ମନୁଙ୍କୁ କହିଥିଲେ, ଏବଂ ମନୁ ଏହାକୁ ଇକ୍ଷ୍ୱାକୁଙ୍କୁ ଶିଖାଇଥିଲେ। ତା’ପରେ ଅର୍ଜୁନ କହିଛନ୍ତି -

अर्जुन उवाच

अपरं भवतो जन्म परं जन्म विवस्वतः।

कथमेतद्विजानीयां त्वमादौ प्रोक्तवानिति।।4.4।।

ଅର୍ଥାତ୍, ଅର୍ଜୁନ କହିଥିଲେ ଯେ, ଆପଣତ ସୂର୍ଯ୍ୟ ଦେବଙ୍କ ଜନ୍ମର ଅନେକ କାଳ ପରେ ଜନ୍ମ ହେଲେ; ମୁଁ କିପରି ବୁଝିବି ଯେ ଆପଣ ତାଙ୍କୁ ପ୍ରଥମେ ଏହି ଜ୍ଞାନ ଦେଇଥିଲେ ? ତା’ପରେ ଅର୍ଜୁନଙ୍କର ଏହି ଦ୍ୱନ୍ଦ୍ୱକୁ ଦୂର କରିବା ଉଦ୍ଦେଶ୍ୟରେ ଶ୍ରୀ ଭଗବାନ କହିଛନ୍ତି।

 श्रीभगवानुवाच

बहूनि मे व्यतीतानि जन्मानि तव चार्जुन।

तान्यहं वेद सर्वाणि न त्वं वेत्थ परन्तप।।4.5।।

ହେ ଅର୍ଜୁନ! ତୁମର ଏବଂ ମୋର ଅନେକ ଜନ୍ମ ବିତି ଯାଇଛି। ହେ ପରନ୍ତପ! ତୁମେ ତାହା ଭୁଲି ଯାଇଛ, ଯଦିଓ ସେସବୁ ମୋର ମନେ ଅଛି।

ଶ୍ରୀଭଗବାନ ବର୍ଣ୍ଣନା କରନ୍ତି ଯେ ଅଜ୍ଞ ଲୋକମାନେ, ଯେଉଁମାନେ ସମସ୍ତ ପ୍ରାଣୀଙ୍କ ସୃଷ୍ଟିକର୍ତ୍ତା ଭାବରେ ମୋର ଦିବ୍ୟ ପ୍ରକୃତି ବିଷୟରେ ଜାଣିନାହାନ୍ତି, ସେମାନେ ମାନବ ଶରୀର ମଧ୍ୟରେ ମୋର ଉପସ୍ଥିତିକୁ ମଧ୍ୟ ଜାଣି ନାହାନ୍ତି କିମ୍ବା ଯେଉଁମାନେ ପରମେଶ୍ୱରଙ୍କୁ ନିରାକାର ବୋଲି ଭାବନ୍ତି ଏବଂ ମୂର୍ତ୍ତି ପୂଜାକୁ ସମ୍ପୂର୍ଣ୍ଣ ନିଷେଧ ବୋଲି ଭାବନ୍ତି। ସେମାନେ ପରମାତ୍ମାଙ୍କ ସର୍ବବ୍ୟାପୀ ସ୍ୱରୂପକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ, ଯଦିଓ ଆମର ବୈଦିକ ଶାସ୍ତ୍ରରେ ମୂର୍ତ୍ତି ପୂଜାର ଉଲ୍ଲେଖ ଅଛି।

ପ୍ରକୃତିର ପ୍ରତ୍ୟେକ କଣିକାରେ ଶ୍ରୀ ଭଗବାନ ବାସ କରନ୍ତି। ତାଙ୍କର ସର୍ବବ୍ୟାପକତା ଯୋଗୁଁ ସେ ପ୍ରତିମାରେ ମଧ୍ୟ ଉପସ୍ଥିତ, କିନ୍ତୁ ତାଙ୍କୁ କୌଣସି ଗୋଟିଏ ରୂପରେ ସୀମିତ କରାଯାଇପାରିବ ନାହିଁ।

ଆମେ ଶିବଲିଙ୍ଗର ଉପାସନା କରିଥାଉ, କିନ୍ତୁ ଆମେ ଏହା ମଧ୍ୟ ଜାଣୁ ଯେ ଶିବ ତତ୍ତ୍ଵ ସର୍ବବ୍ୟାପୀ ଅଟେ।

ପଣ୍ଢରପୁର ବିଠଲ ମନ୍ଦିର - ବିଠୋବାଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତ ଯାଆନ୍ତି କାରଣ ବିଠୋବାଙ୍କ ବିଗ୍ରହରେ ତାଙ୍କର ଆସ୍ଥା ଅଛି, ଶ୍ରୀ ଭଗବାନ ବିଗ୍ରହ ରୂପରେ ବିରାଜିତ ଅଛନ୍ତି।

ଯେହେତୁ ସେ ସର୍ବବ୍ୟାପୀ ଓ ପ୍ରତ୍ୟେକ ମନୁଷ୍ୟର ହୃଦୟରେ ବ୍ୟାପ୍ତ,ଏହାକୁ ମାନି ତାଙ୍କର ସମସ୍ତ ଭକ୍ତ ପରସ୍ପରକୁ ପ୍ରଣାମ କରିବା ସହ ଅଭିନନ୍ଦନ କରିଥାନ୍ତି।

ଏହିପରି ଗୋଟିଏ ପ୍ରସଙ୍ଗ ନାମଦେବ ମହାରାଜଙ୍କ ର ମଧ୍ୟ ଅଛି, ଯିଏ ସର୍ବବ୍ୟାପୀ ଶ୍ରୀଭଗବାନଙ୍କ ଉପସ୍ଥିତି ବିଷୟରେ ଅନଭିଜ୍ଞ ଥିଲେ।

ତାଙ୍କର ସେହି ଆଚରଣକୁ ଜ୍ଞାନେଶ୍ଵର ମହାରାଜଙ୍କ ଭଉଣୀ ମୁକ୍ତାଈ ଜାଣିପାରିଲେ। ତା’ପରେ ଜ୍ଞାନେଶ୍ଵର ମହାରାଜ ତାଙ୍କୁ ଜ୍ଞାନ ପ୍ରାପ୍ତି ପାଇଁ ସଦ୍ଗୁରୁ ବିଶୋଭା ଖେଚରଙ୍କ ଅଧୀନରେ ସେବା କରିବାକୁ ଆଦେଶ ଦେଲେ।

ଯେତେବେଳେ ନାମଦେଵ ମହାରାଜ ଗୁରୁଙ୍କ ଦର୍ଶନ ପାଇଁ ମନ୍ଦିରର ଗର୍ଭ ଗୃହରେ ପହଞ୍ଚିଲେ, ସେ ଦେଖିଲେ କି ଗୁରୁଦେବଙ୍କ ପାଦ ଶିବଲିଙ୍ଗ ଉପରେ ରହିଛି। ସେ ଆଶ୍ଚର୍ଯ୍ୟ ହୋଇ ଗୁରୁଦେବଙ୍କୁ ଶିବ ଲିଙ୍ଗ ଉପରୁ ପାଦ ହଟାଇବାକୁ କହିଲେ। ସେତେବେଳେ ବିଶୋଭା ଖେଚର ମହାରାଜ ବୃଦ୍ଧାବସ୍ଥା କାରଣରୁ ପାଦ ହଟାଇବାକୁ ନିଜେ ଅସମର୍ଥ ବୋଲି କହିଲେ ଓ ତାଙ୍କୁ ତାଙ୍କର ପାଦକୁ ଶିବଲିଙ୍ଗ ଉପରୁ ତଳକୁ ରଖିଦେବା ପାଇଁ କହିଲେ। ଗୁରୁଙ୍କ ଅନୁମତି ପାଇ ନାମଦେବ ମହାରାଜ ଯେତେବେଳେ ଗୁରୁଙ୍କ ପାଦ ଶିବଲିଙ୍ଗରୁ ପୃଥକ୍ କରି ଅନ୍ୟ ସ୍ଥାନରେ ରଖନ୍ତି, ତତ୍ କ୍ଷଣାତ ଆଉ ଏକ ନୂତନ ଶିବଲିଙ୍ଗ ଗ୍ରୁରୁଙ୍କ ଚରଣ ତଳୁ ପ୍ରକଟ ହୋଇ ଯାଆନ୍ତି। ଏହା ଦେଖି ନାମଦେବ ମହାରାଜ ବହୁତ୍ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଆନ୍ତି। ଏବେ ସେ ଯେଉଁ ସ୍ଥାନରେ ବି’ ଗୁରୁଙ୍କ ଚରଣ ରଖନ୍ତି ସେଠାରେ ଶିବଲିଙ୍ଗ ପ୍ରକଟ ହୋଇ ଯାଆନ୍ତି। ତେଣୁ ଏହି ଅଧ୍ୟାୟରୁ ନାମଦେବ ମହାରାଜ ଏହା ବୁଝି ଯାଆନ୍ତି ଯେ ଶ୍ରୀ ଭଗବାନ ସର୍ବବ୍ୟାପୀ ଅଟନ୍ତି।

ଏଠାରେ ଦୁଇଟି ତଥ୍ୟର ଚର୍ଚ୍ଚା କରାଯାଉଛି ଯାହା ସର୍ବଥା ଅନୁଚିତ ଅଟେ -

ଇଶ୍ୱରଙ୍କ ସର୍ବ ବ୍ୟାପକତା - ଭଗବତ୍ ତତ୍ତ୍ଵ ନିଶ୍ଚିତ ଭାବରେ ସୃଷ୍ଟିର ସର୍ବତ୍ର ବ୍ୟାପ୍ତ ଅଟେ, ତେଣୁ ଶ୍ରୀ ଭଗବାନଙ୍କୁ ମନୁଷ୍ୟ ମାତ୍ର ମାନି ତାଙ୍କୁ ଗୋଟିଏ ମର୍ଯ୍ୟାଦାରେ ବାନ୍ଧି ରଖିବା ସର୍ବଥା ଅନୁଚିତ୍, ଯେପରି ଦୁର୍ଯ୍ୟୋଧନ, ଶିଶୁପାଳ ଆଦି କରିଥିଲେ। ସେ ଶ୍ରୀ ଭଗବାନଙ୍କୁ ଗଉଡ ବୋଲି ଭାବୁଥିଲେ, ଏକ ସାଧାରଣ ମନୁଷ୍ୟ ଭାବି ତାଙ୍କ ପାଇଁ ମନରେ ଦ୍ୱେଷ ଭାବ ରଖୁଥିଲେ ଯେତେବେଳେ କି ଶ୍ରୀ ଭଗବାନ ସର୍ବବ୍ୟାପୀ ପରଂବ୍ରହ୍ମ ଅଟନ୍ତି।

ତାଙ୍କର ଦେବ ବିଗ୍ରହରେ ଉପସ୍ଥିତି - ଈଶ୍ୱର ସର୍ବତ୍ର ବିରାଜମାନ, ତେଣୁ କ’ଣ ସେ କୌଣସି ବିଗ୍ରହରେ ଉପସ୍ଥିତ ରହି ପାରିବେ ନାହିଁ। କିଛି ଧାର୍ମିକ ସମ୍ପ୍ରଦାୟଙ୍କର ଧାରଣା କି ମୂର୍ତ୍ତିପୂଜା ବ୍ୟର୍ଥ, ବିଗ୍ରହରେ ଈଶ୍ୱର ରହି ପାରିବେ ନାହିଁ,ସେମାନଙ୍କର ଏହି ବିଚାର ଅନୁଚିତ୍ ଅଟେ। ଯେଉଁ ଈଶ୍ୱର ସର୍ବବ୍ୟାପୀ ସେ କୌଣସି ମୂର୍ତ୍ତିରେ କାହିଁକି ରହିପାରିବେ ନାହିଁ?

ଶ୍ରୀ ଭଗବାନ ସର୍ବ ଶକ୍ତିମାନ। ସେ ସାକାର ଓ ନିରାକାର ମଧ୍ୟ।

ତେଣୁ ଯିଏ ତାଙ୍କର ଏହି ସ୍ୱରୂପକୁ ଭଲ ଭାବରେ ଜାଣିଥାଏ ସେହି ପୁରୁଷ ଅଜ୍ଞାନୀ ନୁହେଁ। ଶ୍ରୀ ଭଗବାନ କହିଛନ୍ତି ,” ତେଣୁ ହେ ଅର୍ଜୁନ! ମୋର ଏହି ସ୍ୱଭାବ ସହ ପରିଚିତ ହେଲେ ହିଁ ମୋତେ ଜାଣି ପାରିବ।”

9.12

ମୋଘାଶା ମୋଘକର୍ମାଣୋ, ମୋଘଜ୍ଞାନା ବିଚେତସଃ
ରାକ୍ଷସୀମାସୁରୀଂ(ଞ୍) ଚୈବ, ପ୍ରକୃତିଂ(ମ୍) ମୋହିନୀଂ(ମ୍) ଶ୍ରିତାଃ ॥12॥

ଯେଉଁମାନେ ଆସୁରୀ, ରାକ୍ଷସୀ ଓ ମୋହିନୀ ପ୍ରକୃତିର ଆଶ୍ରୟ ନିଅନ୍ତି, ସେପରି ଅବିବେକୀ ମନୁଷ୍ୟଙ୍କର ସମସ୍ତ ଆଶା, ସମସ୍ତ ଶୁଭକର୍ମ ଓ ସମସ୍ତ ଜ୍ଞାନ ବୃଥା ଅର୍ଥାତ୍ ସେମାନଙ୍କର ଆଶା, କର୍ମ ଓ ଜ୍ଞାନ (ବୁଦ୍ଧି) ସତ୍ ଫଳ ପ୍ରଦାୟକ ହୁଏ ନାହିଁ।

ବିବେଚନ -

ଆଧ୍ୟାତ୍ମିକ ଓ ଶାରୀରିକ କାର୍ଯ୍ୟକଳାପ ଆଧାରରେ ପୃଥିବୀରେ ଉପସ୍ଥିତ ମନୁଷ୍ୟମାନଙ୍କୁ ଶ୍ରୀ ଭଗବାନ ଦୁଇଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। 

(1) ଦୈବୀ ଗୁଣ ଯୁକ୍ତ ଜୀବ (2) ରାକ୍ଷସୀ ପ୍ରବୃତ୍ତି ଯୁକ୍ତ ଜୀବ

ରାକ୍ଷସ ପ୍ରକୃତିର ମଣିଷମାନଙ୍କୁ ମଧ୍ୟ ବିଭିନ୍ନ କ୍ରିୟାରେ ସମ୍ପୃକ୍ତି ଆଧାରରେ ଅନ୍ୟ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି:

ଆସୁରୀ ପ୍ରବୃତ୍ତି: ଏହି ମଣିଷମାନେ ନିଜ ଶରୀରକୁ ବିଶେଷ ଗୁରୁତ୍ୱ ଦିଅନ୍ତି। ମୁଁ କେଉଁ ଖାଦ୍ୟ ଖାଇବା ଉଚିତ୍, କେଉଁ ପାନୀୟ ଗ୍ରହଣ କରିବା ଉଚିତ୍? ଯାହା ମୋ ଶରୀରକୁ ପୋଷଣ ଦେଇପାରିବ। ଏମାନେ ନିଜ ଶରୀରର ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମରେ ନିୟୋଜିତ ରହିଥାନ୍ତି ଏବଂ ଭୌତିକ ଆନନ୍ଦରେ ଜଡ଼ିତ ରହୁଥିବା ଏହି ବ୍ୟକ୍ତିମାନେ ସର୍ବଦା ଏହି ଚିନ୍ତାଧାରାକୁ ମନେ ରଖନ୍ତି ଯେ -

 भस्मि भूतस्य देहस्य पुनरागमन कुत:।।

ରାକ୍ଷସୀ ପ୍ରବୃତ୍ତି: ନିଜ ସ୍ୱାର୍ଥର ପରିପୂର୍ଣ୍ଣତା ପାଇଁ ଏଭଳି ଲୋକମାନେ ଅନ୍ୟ କୌଣସି ପ୍ରାଣୀକୁ କ୍ଷତି ପହଞ୍ଚାଇବାରେ କୁଣ୍ଠିତ ହୁଅନ୍ତି ନାହିଁ। ନିଜ ସ୍ୱାର୍ଥ ସାଧନ ପାଇଁ ଏମାନେ ଅନ୍ୟ ମଣିଷକୁ ମାରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ବର୍ତ୍ତମାନ ସମୟରେ ଏହି ପ୍ରବୃତ୍ତିର ମଣିଷ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କିଛି ଦିନ ତଳେ ଆମ ଦେଶରେ ଘଟିଥିବା ଏହି ଭୟଙ୍କର ଘଟଣା ମାନବିକତା ପାଇଁ ଅତ୍ୟନ୍ତ ହୃଦୟ ବିଦାରକ ଓ ଅତ୍ୟନ୍ତ ନିନ୍ଦନୀୟ ଥିଲା, ଯେଉଁଥିରେ କିଛି ଆତତାୟୀ ନିଜ ପରିବାରର ଆଖି ଆଗରେ ଅନ୍ୟ ନିରୀହ ନାଗରିକ, ବିଶେଷ କରି ପୁରୁଷମାନଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ। ତାଙ୍କର ଦୁଷ୍କର୍ମ ରାକ୍ଷସ ପ୍ରବୃତ୍ତିଦ୍ୱାରା ପ୍ରେରିତ ଥିଲା।  

ମୋହିନୀ ପ୍ରବୃତ୍ତି: ଯେଉଁ ବ୍ୟକ୍ତି ବିନା କାରଣରେ ଅନ୍ୟ ଉପରେ ଅତ୍ୟାଚାର କରି ଆନନ୍ଦ ପାଆନ୍ତି, ଏପରି ମନୁଷ୍ୟ ମୋହିନୀ ପ୍ରବୃତ୍ତି ଯୁକ୍ତ ହୋଇଥାନ୍ତି।

ଭର୍ତ୍ତୃହରି ତାଙ୍କ ଏକ ଭାଷଣରେ କହିଛନ୍ତି ଯେ -

କିଛି ଜୀବ ନିଜ ସ୍ୱାର୍ଥ ସାଧନ କରିବା ପାଇଁ ଅନ୍ୟକୁ କ୍ଷତି ପହଞ୍ଚାନ୍ତି। ଅପରପକ୍ଷରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜକୁ କ୍ଷତି ହେଉଥିଲେ ମଧ୍ୟ ବିନା କୌଣସି ଯଥାର୍ଥତାରେ ଅନ୍ୟକୁ ଯନ୍ତ୍ରଣା ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।      

ମୋଘ ଅର୍ଥାତ୍ ବ୍ୟର୍ଥ।

ଷୋଡ଼ଶ ଅଧ୍ୟାୟରେ ଶ୍ରୀ ଭଗବାନ ଏପରି ମନୁଷ୍ୟଙ୍କୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି -

असौ मया हतः शत्रुर्हनिष्ये चापरानपि।

 ईश्वरोऽहमहं भोगी सिद्धोऽह बलवान्सुखी।।16.14।।

   आढ्योऽभिजनवानस्मि कोऽन्योऽस्ति सदृशो मया।

   यक्ष्ये दास्यामि मोदिष्यइत्यज्ञानविमोहिताः।।16.15।।

ଯେଉଁ ପ୍ରାଣୀ ଏହିପରି ମୋହଗ୍ରସ୍ତ ଅଟନ୍ତି, ସେମାନେ ଆସୁରୀ ତଥା ନାସ୍ତିକ ବିଚାର ପ୍ରତି ଆକୃଷ୍ଟ ହୁଅନ୍ତି। ଏହି ମୋହଗ୍ରସ୍ତ ଅବସ୍ଥାରେ ତାଙ୍କର ମୁକ୍ତି ଆଶା, ତାଙ୍କର ସକାମ କର୍ମ ତଥା ଜ୍ଞାନ ଚର୍ଚ୍ଚା ସବୁ କିଛି ନିଷ୍ଫଳ ହୋଇଯାଏ।

ଜ୍ଞାନୀ ରାବଣ – ଆଧ୍ୟାତ୍ମିକ ମୂର୍ଖତାର ପ୍ରତୀକ 

ଏମିତି ନୁହେଁ ଯେ ଏପରି ଲୋକମାନେ ଅଜ୍ଞାନୀ। ସେମାନେ ଭୌତିକ ରୂପରେ ଶିକ୍ଷିତ କିନ୍ତୁ ଆଧ୍ୟାତ୍ମିକ ଭାବରେ ମୂର୍ଖ ଅଟନ୍ତି। ଏଠାରେ   ଲଙ୍କାଧିପତି ରାଜା ରାବଣଙ୍କ ଉଦାହରଣ ଦେବା ଉଚିତ୍ ହେବ। ତାଙ୍କୁ ଶିବଙ୍କର ପରମ ଭକ୍ତ ବୋଲି କୁହାଯାଏ । କିନ୍ତୁ ସେ ଭଗବାନ ଶିବଙ୍କର ଭକ୍ତ ବୋଲି କହିବାକୁ ଯୋଗ୍ୟ ନଥିଲେ କାରଣ ଶିବଙ୍କ ପ୍ରତି ତାଙ୍କର ସମସ୍ତ ଶ୍ରଦ୍ଧା ଏବଂ ବିଶ୍ୱାସ ତାଙ୍କ କାମନା ଯୋଗୁଁ ହୋଇଥିଲା। ସେ ଜଣେ ବିବେକ ହୀନ, ନିଷ୍ଠୁର ଶାସକ ଥିଲେ। ଯିଏ ଶିବ-ଭକ୍ତିର ମହିମାକୁ କେବେ ଚିହ୍ନି ପାରିନଥିଲେ।

ଅପରପକ୍ଷେ, ଯେଉଁ ମନୁଷ୍ୟଙ୍କ ଆଚରଣ ଆସୁରୀ ପ୍ରବୃତ୍ତି ଥିବା ମଣିଷ ସହିତ ଆଦୌ ସମାନ ନୁହେଁ ଅର୍ଥାତ୍ ମହାତ୍ମା ମନୁଷ୍ୟଙ୍କ ଲକ୍ଷଣ କ'ଣ? ପରବର୍ତ୍ତୀ ଶ୍ଳୋକରେ ଶ୍ରୀ ଭଗବାନ ଏହା ଅର୍ଜୁନଙ୍କୁ ବୁଝାଇଛନ୍ତି।

9.13

ମହାତ୍ମାନସ୍ତୁ ମାଂ(ମ୍) ପାର୍ଥ, ଦୈବୀଂ(ମ୍) ପ୍ରକୃତିମାଶ୍ରିତାଃ
ଭଜନ୍ତ୍ୟନନ୍ୟମନସୋ, ଜ୍ଞାତ୍ୱା ଭୂତାଦିମବ୍ୟୟମ୍॥13॥

କିନ୍ତୁ ହେ ପୃଥାନନ୍ଦନ! ଦୈବୀ ପ୍ରକୃତିର ଆଶ୍ରିତ ଅନନ୍ୟମନା ମହାତ୍ମାଗଣ ମୋତେ ସମସ୍ତ ପ୍ରାଣୀଙ୍କର ଆଦି ଓ ଅବିନାଶୀ ବୋଲି ଜାଣି ମୋର ଆରାଧନା କରନ୍ତି।

ବିବେଚନ -

ଶ୍ରୀ ଭଗବାନଙ୍କ ଦ୍ଵାରା ବର୍ଣ୍ଣିତ ମହାତ୍ମାଙ୍କ ଲକ୍ଷଣ -

ହେ ପାର୍ଥ! ମୋହମୁକ୍ତ ମହାତ୍ମା ଲୋକ ଦୈବୀ ପ୍ରକୃତିର ସଂରକ୍ଷଣରେ ରୁହନ୍ତି। ସେମାନେ ସମ୍ପୂର୍ଣ୍ଣ ରୂପରେ ଭକ୍ତିରେ ନିମଗ୍ନ ରୁହନ୍ତି କାରଣ ସେମାନେ ମୋତେ ଆଦି ଏବଂ ଅବିନାଶୀ ଶ୍ରୀ ଭଗବାନଙ୍କ ରୂପରେ ଜାଣିଛନ୍ତି।

जन जन मनसो अनन्य मनस: भजन्ति।।

 ଏହାର ଅର୍ଥ, ଅନନ୍ୟ ଭକ୍ତିର ସହିତ ମୋର ସେବା କରନ୍ତି।

 ଜ୍ଞାତ୍ଵା ଭଜନ୍ତି - ଅର୍ଥାତ୍ ଏହା ଜ୍ଞାନୋତ୍ତର ଭକ୍ତି ଅଟେ। ଏହା ସେହି ଭକ୍ତି ଯେଉଁଥିରେ ଆମେ ପ୍ରବେଶ କରିବାକୁ ଚାହୁଁ, ଏହା ଗୁରୁ କୃପା ଦ୍ଵାରା ହଁ ସମ୍ଭବପର ହେଇପାରେ। ଏହା ସାଧକ ଭକ୍ତି ଅଟେ।

 ସୁଖଦେବ, ସନନ୍ଦନ, ସନତ, ସନାତନ ଏବଂ ସନତ କୁମାର ଭଳି ପରମହଂସ ଯେଉଁ ଭକ୍ତି କରନ୍ତି, ତାହାକୁ ଜ୍ଞାନୋତ୍ତର ଭକ୍ତି କୁହାଯାଏ।

ଶ୍ରୀମଦ୍ଭାଗବଦ୍ ପୁରାଣରେ କୁହାଯାଇଛି ଯେ - ଜ୍ଞାନୀ ମଧ୍ୟ ଭକ୍ତି କରେ ପରନ୍ତୁ ସେହି ଭକ୍ତି କିପରି ହୋଇଥାଏ, ତାହା ଶ୍ରୀ ଭଗବାନ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରିଛନ୍ତି।

9.14

ସତତଂ(ଙ୍) କୀର୍ତୟନ୍ତୋ ମାଂ(ମ୍), ୟତନ୍ତଶ୍ଚ ଦୃଢବ୍ରତାଃ ।
ନମସ୍ୟନ୍ତଶ୍ଚ ମାଂ(ମ୍) ଭକ୍ତ୍ୟା, ନିତ୍ୟୟୁକ୍ତା ଉପାସତେ॥9.14॥

ମୋ' ଠାରେ ନିତ୍ୟ-ନିରନ୍ତର ସଂଯୁକ୍ତ ମନୁଷ୍ୟ ଦୃଢବ୍ରତୀ ହୋଇ ଯତ୍ନସହକାରେ ସାଧନା କରନ୍ତି ଏବଂ ପ୍ରେମପୂର୍ବକ କୀର୍ତ୍ତନ କରି ତଥା ନମସ୍କାର କରି ନିରନ୍ତର ମୋର ଉପାସନା କରନ୍ତି।

ବିବେଚନ -

ଏଠାରେ ତିନୋଟି ତଥ୍ୟ ଉପରେ ଶ୍ରୀ ଭଗବାନ ବିଶେଷ ରୂପରେ ଆଲୋକପାତ କରିଛନ୍ତି -

ସତତମ୍ କୀର୍ତୟନ୍ତୋ- ନିରନ୍ତର କୀର୍ତ୍ତନ କରୁଥିବା ସମୟରେ।

ଶ୍ରୀ ଭଗବାନଙ୍କୁ ଭକ୍ତ ମାନଙ୍କ ଦ୍ବାରା ତାଙ୍କର ନାମ ସ୍ମରଣ କରାଯିବା ବହୁତ ପ୍ରିୟ ଲାଗେ। ଗୋଟିଏ କଥା ଅନୁସାରେ ଶ୍ରୀ ଭଗବାନ ଦେବର୍ଷି ନାରଦଙ୍କୁ କହିଲେ ଯେ ମୁଁ ବୈକୁଣ୍ଠ ଧାମରେ ରୁହେ ନାହିଁ, ମୁଁ କୈଳାଶ ପର୍ବତରେ ରୁହେ ନାହିଁ। ମୁଁ ସେଠି ବିଚରଣ କରେ, ଯେଉଁଠି ମୋର ଭକ୍ତ ସମ୍ପୂର୍ଣ୍ଣ ଶ୍ରଦ୍ଧା ଭାବରେ ମୋର ଭଜନ କରନ୍ତି।

ପ୍ରଜ୍ଞାଚକ୍ଷୁ ଗୁଲାବ ରାବ ଦେବ ଜୀ କହନ୍ତି ଯେ ଶ୍ରୀ ଭଗବାନଙ୍କ ନାମ କୀର୍ତ୍ତନ ଦ୍ବାରା ସମ୍ପୂର୍ଣ୍ଣ ଅଷ୍ଟାଙ୍ଗ ଯୋଗକୁ ସିଦ୍ଧ କରାଯାଇପାରେ ଏବଂ ଏହାହିଁ ଅଟେ ଶ୍ରୀ ଭଗବାନଙ୍କ ନାମର ମହିମା।

ୟତନ୍ତଶ୍ଚ— ପ୍ରୟାସ କରିବା ସମୟରେ।

ଏହି ବିଷୟ ଉପରେ ଜ୍ଞାନେଶ୍ୱର ସ୍ୱାମୀ ବହୁତ ସୁନ୍ଦର ଦିବ୍ୟ ବିବେଚନ କରିଛନ୍ତି। ଯେତେବେଳେ ଭକ୍ତ ଅନୁଶାସନ ସହିତ ଶ୍ରୀ ଭଗବାନଙ୍କ ଭକ୍ତିକୁ ପ୍ରାପ୍ତ କରିବା ପାଇଁଁ ନିରନ୍ତର ପ୍ରୟାସ କରନ୍ତି ସେତେବେଳେ ତାହାର ପରିଣାମ ସ୍ୱରୂପ ଅଷ୍ଟାଙ୍ଗ ଯୋଗ ମଧ୍ୟ ସିଦ୍ଧ ହେଇଯାଏ, ଯାହାକି ଭଗବତ୍ ପ୍ରାପ୍ତିର ମାର୍ଗ ଅଟେ।

ଦୃଢବ୍ରତାଃ:– ସଙ୍କଳ୍ପ ପୂର୍ବକ।

କିଛି ସମୟ ପାଇଁ କେବଳ ମାଳା ଜପିବା ଯଥେଷ୍ଟ ନୁହେଁ। ଶ୍ରୀ ଭଗବାନଙ୍କ ପାଇଁ ସେଥିରେ ନିରନ୍ତରତା ସହିତ ଦୃଢ଼ତା ଏବଂ ସମର୍ପଣ ତଥା ଭକ୍ତି ମଧ୍ୟ ରହିବା ଦରକାର। ସେତେବେଳେ ଯାଇ ସାଧକ ଶ୍ରୀ ଭଗବାନଙ୍କ ଭକ୍ତିକୁ ପ୍ରାପ୍ତ କରିବା ପାଇଁଁ ସମର୍ଥ ହୋଇଥାଏ।

 ନମସ୍ୟନ୍ତଶ୍ଚ— ଭକ୍ତି ପୂର୍ବକ ମୋତେ ନମସ୍କାର କରୁଥାଅ।

ଶ୍ରୀ ଭଗବାନ କହନ୍ତି ଯେ, ଏହି ମହାତ୍ମା ମାନେ ମୋର ମହିମାର ପ୍ରତିଦିନ କୀର୍ତ୍ତନ କରିଥାନ୍ତି ଏବଂ ଦୃଢ଼ ସଙ୍କଳ୍ପ ସହିତ ପ୍ରୟାସ କରିବା ସହିତ, ମୋତେ ପ୍ରଣାମ କରିବା ସହିତ, ଭକ୍ତିଭାବରେ ନିରନ୍ତର ମୋର ପୂଜା କରନ୍ତି। ଭକ୍ତ ମଧ୍ୟରେ ଦୃଢ଼ତା, ପ୍ରୟାସରତ ରହିବାର ସାମର୍ଥ୍ୟ, ଅନୁଶାସନଶୀଳତାର ପ୍ରାପ୍ତି, ଯୋଗର ବିଭିନ୍ନ ବିଧି ମାନଙ୍କୁ ଚରଣ ବଦ୍ଧ ଭାବରେ ପାଳନ କରିବା ଦ୍ୱାରା ହୋଇଥାଏ, ଯାହାକି ଭଗବତ୍ ପ୍ରାପ୍ତିର ମାର୍ଗ ରେ ବିଶେଷ ଭୂମିକା ପାଳନ କରିଥାଏ।

ଅଷ୍ଟାଙ୍ଗ ଯୋଗ: ୟମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଏବଂ ସମାଧି।

ଗୋଟିଏ ତଥ୍ୟ ଯାହାର ପୁଷ୍ଟି ସ୍ୱୟଂ ବାସୁଦେବାୟନ ସରସ୍ଵତୀ ମହାରାଜ ନିଜେ ରଚନା କରିଥିବା ଯୋଗ ଶାସ୍ତ୍ରର ଗୋଟିଏ ଗ୍ରନ୍ଥରେ କରିଛନ୍ତି ଯେ ଶ୍ରୀ ଭଗବାନଙ୍କ ଦ୍ଵାରା ପନ୍ଦର ଅଧ୍ୟାୟରେ ଉଚ୍ଚାରିତ ଗୋଟିଏ ଶ୍ଳୋକ —

 न रूपमस्येह तथोपलभ्यते नान्तो न चादिर्न च संप्रतिष्ठा।

अश्वत्थमेनं सुविरूढमूल मसङ्गशस्त्रेण दृढेन छित्त्वा।।15.3।।

ଅର୍ଥାତ୍ ଏହି ସଂସାରରେ ଏହି ସଂସାର ରୂପୀ ବୃକ୍ଷର ବାସ୍ତବିକ ସ୍ୱରୂପକୁ ଦେଖାଯାଇ ପାରିବ ନାହିଁ, ନା ଏହାର ଆରମ୍ଭ, ନା ଅନ୍ତ, ନା ଏହାର ନିରନ୍ତର ଅସ୍ତିତ୍ୱ। କିନ୍ତୁ ଏହି ଗଭୀର ମୂଳ ଥିବା ଅଶ୍ୱତ୍ଥ ବୃକ୍ଷକୁ ବୈରାଗ୍ୟର ଶକ୍ତ କୁରାଢ଼ୀ ଦ୍ଵାରା କାଟି ଦେବା ଆବଶ୍ୟକ।

ଜ୍ଞାନର ଅନୁଶୀଳନ ଦ୍ଵାରା ପ୍ରାପ୍ତ ବୈରାଗ୍ୟର କୁରାଢ଼ୀକୁ ତ ମନୁଷ୍ୟ ପ୍ରାପ୍ତ କରିନେବ ପରନ୍ତୁ ଅଶ୍ୱତ୍ଥ ବୃକ୍ଷର ମୂ କୁ ନଷ୍ଟ କରିବା ପାଇଁଁ ଆମର ହାତମାନଙ୍କରେ ବଳ ଥିବା ମଧ୍ୟ ଆବଶ୍ୟକ। ଯୋଗ ଦ୍ୱାରା ଆମେ ବଳ ପ୍ରାପ୍ତ କରିଥାଉ।

ଶ୍ରୀ ଭଗବାନ ମଧ୍ୟ ଶ୍ରୀମଦ୍ଭାଗବଦ୍ ପୁରାଣରେ ଏହି ମତର ପୁଷ୍ଟି କରିବା ସହିତ ଉଦ୍ଧବଙ୍କୁ କହିଲେ ଯେ ମନୁଷ୍ୟକୁ ଯୋଗ ଦ୍ୱାରା ବଳ ପ୍ରାପ୍ତ ହୋଇଥାଏ ଯାହା ତାକୁ ସମସ୍ତ ବନ୍ଧନ ମାନଙ୍କ ଠାରୁ ମୁକ୍ତ କରିବା ପାଇଁଁ ପର୍ଯ୍ୟାପ୍ତ ହୋଇଥାଏ।

ଉଦ୍ଧବ ଶ୍ରୀ ଭଗବାନଙ୍କୁ ପ୍ରଶ୍ନ ପଚାରିଲେ ଯେ ବଳ କ'ଣ?

ଶ୍ରୀ ଭଗବାନ ଉତ୍ତର ଦେଲେ ଯେ ପ୍ରାଣାୟାମ ସମସ୍ତ ବଳ ମାନଙ୍କର ବଳ ଅଟେ।

ପତଞ୍ଜଳୀ ଯୋଗ ସୂତ୍ରରେ ମଧ୍ୟ ଯୋଗର ମହତ୍ତ୍ଵ ବର୍ଣ୍ଣନା କରାଯାଇଛି। ଯୋଗକୁ ଜୀବନରେ ଆଣିବା ପାଇଁ ନିରନ୍ତର ଅଭ୍ୟାସର ଆବଶ୍ୟକତା ରହିଥାଏ, ଯାହାଦ୍ଵାରା ମନୁଷ୍ୟକୁ ସେହି ସମସ୍ତ ବୃତ୍ତି ମାନଙ୍କରୁ ମୁକ୍ତି ମିଳିଯିବ, ଯାହାକି ଯେକୌଣସି ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ ଏବଂ ତା'ର ବୈରାଗ୍ୟ ସହିତ ଶ୍ରୀ ଭଗବାନଙ୍କ ସହିତ ଏକାତ୍ମ ହେବାର ମାର୍ଗକୁ ଅବରୋଧିତ କରନ୍ତି।      

  अभ्यास वैराग्य तन निरोध:।।

ପ୍ରଶ୍ନ - ଅଭ୍ୟାସ କାହାକୁ କୁହାଯାଏ? ୟତ୍ର ସ୍ଥିତୋ ପ୍ରୟତ୍ନୋଭ୍ୟାସା।।

ଜ୍ଞାନମାର୍ଗ ଦ୍ଵାରା ଈଶ୍ୱରୀୟ ତତ୍ତ୍ଵର ପ୍ରାପ୍ତି ପାଇଁ ମଧ୍ୟ ଯୋଗର ଆବଶ୍ୟକତା ରହିଥାଏ। ଜୀବନରେ ଯୋଗକୁ ନ ଉତାରି ମନୁଷ୍ୟ ଦୃଢ଼ ସଙ୍କଳ୍ପିତ ହେବା ଅସମ୍ଭବ। ଆମେ ଏଗାର କିମ୍ବା ଏକୋଇଶି ମାଳା ଜପିବା ପାଇଁ ଚାହୁଁଥିଲେ ମଧ୍ୟ ଶରୀରର ଶକ୍ତିର ଆବଶ୍ୟକତା ପଡ଼େ।

ଗୃହସ୍ଥ ଜୀବନରେ ମଧ୍ୟ ଯୋଗାଭ୍ୟାସ ସମ୍ଭବପର, ସେଥିପାଇଁ ହିମାଳୟକୁ ଯିବାର ଆବଶ୍ୟକତା ନାହିଁ ।

କପିଳ ମୁନି ନିଜ ମାତା ଙ୍କୁ ଉପଦେଶ ଦେବା ସମୟରେ କହିଲେ -

मनसैतानि भूतानि प्रणमेद् बहुमानयन् ।

ईश्वरो जीवकलया प्रविष्टो भगवानिति ।। 34 ।।

 ଯାହାକି କପିଳ ଗୀତା ନାମରେ ପ୍ରସିଦ୍ଧ ଗ୍ରନ୍ଥରେ ଉଲ୍ଲେଖିତ। ଉଦ୍ଧବ ଙ୍କୁ ଶ୍ରୀ ଭଗବାନ ନିଜର ଉପଦେଶ ସମାପ୍ତ କରିବା କୁ ଯାଇ କହୁଛନ୍ତି ଯେ -

ईश्वरो जीवकलया प्रविष्टो भगवानिति।।

प्रणमेद्ण्डवद्भूमावाश्वचण्डालगोखरम्‌ ॥4॥

 ସନ୍ଥ ଜ୍ଞାନେଶ୍ବର ସ୍ବାମୀ ମଧ୍ୟ ଏହି କଥା କହିଛନ୍ତି -

 अखंड अगर्वता होऊनि असती ।

तयांची विनय हेचि संपत्ती ।

जे जयजय मंत्रें अर्पिती । माझ्या ठायीं ।

 ଯାହାର ସାରାଂଶ ହେଲା —

ଭଗବତ୍ ଭକ୍ତ ମାନଙ୍କ ମଧ୍ୟରେ ନାମମାତ୍ରର ଅହଙ୍କାର ରହିବା ମଧ୍ୟ ଅନୁଚିତ ତଥା ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରେ ଶ୍ରୀ ଭଗବାନ ନିବାସ କରନ୍ତି ଏହି ଭାବନା ରଖିବା ସହିତ ସୃଷ୍ଟି ରେ ବ୍ୟାପ୍ତ ସମସ୍ତ ଜୀବମାନଙ୍କ ପ୍ରତି କରୁଣା ରଖିବା ଆବଶ୍ୟକ। ସମସ୍ତ ଜୀବମାନଙ୍କ ପ୍ରତି ପ୍ରଣମ୍ୟ ଭାବ ରଖିବା ଆବଶ୍ୟକ।

ନିରନ୍ତର ଶ୍ରୀ ଭଗବାନଙ୍କ କୀର୍ତ୍ତନ, ଯୋଗାଭ୍ୟାସ, ବ୍ୟବସ୍ଥିତ ଦିନଚର୍ଯା, ଅନୁଶାସନ, ସମସ୍ତ ପ୍ରାଣୀ ମାନଙ୍କ ପ୍ରତି ବିନୟ ଭାବ, ଏହିପରି ଭକ୍ତକୁ ଶ୍ରୀ ଭଗବାନଙ୍କ ପ୍ରତି ନିତ୍ୟ ଯୁକ୍ତ ହେଇ ଉପାସନା କରିବା ଆବଶ୍ୟକ। ଏହାକୁ ଗୋଟିଏ ଅଖଣ୍ଡ ବ୍ରତ ରୂପରେ ଗ୍ରହଣ କରି ଭକ୍ତକୁ ସର୍ବଦା ଏହାକୁ ଧାରଣ କରିବା ଆବଶ୍ୟକ।

9.15

ଜ୍ଞାନୟଜ୍ଞେନ ଚାପ୍ୟନ୍ୟେ, ୟଜନ୍ତୋ ମାମୁପାସତେ
ଏକତ୍ୱେନ ପୃଥକ୍ତ୍ୱେନ, ବହୁଧା ବିଶ୍ୱତୋମୁଖମ୍॥15॥

କେତେକ ସାଧକ ଜ୍ଞାନଯଜ୍ଞ ଦ୍ବାରା ଅଭିନ୍ନଭାବରେ ମୋତେ ପୂଜା କରି ଉପାସନା କରନ୍ତି ଏବଂ ଅନ୍ୟ କେତେକ ସାଧକ ନିଜକୁ ପୃଥକ୍ ମନେକରି ଚାରିଆଡକୁ ମୁଖଥିବା ମୋର ବିରାଟରୂପକୁ ଅର୍ଥାତ୍ ସଂସାରକୁ ମୋର ବିରାଟରୂପ ଭାବି (ସେବ୍ୟ-ସେବକ ଭାବରେ) ମୋତେ ଅନେକ ବିଧିରେ ଉପାସନା କରନ୍ତି।

ବିବେଚନ -    

चतुर्विधा भजन्ते मां जनाः सुकृतिनोऽर्जुन।

आर्तो जिज्ञासुरर्थार्थी ज्ञानी च भरतर्षभ।।7.16।। 

ଅର୍ଥାତ୍ ହେ ଭରତଶ୍ରେଷ୍ଠ! ଚାରି ପ୍ରକାରର ପବିତ୍ର ଲୋକ ମୋର ଭକ୍ତି କରନ୍ତି - ଦୁଃଖୀ, ଜ୍ଞାନ ପାଇଁ ଜିଜ୍ଞାସୁ, ସାଂସାରିକ ସମ୍ପତ୍ତିକୁ ଚାହୁଁଥିବା ଲୋକ ଏବଂ ଯିଏ ଜ୍ଞାନରେ ସ୍ଥିତ। ଜ୍ଞାନୀ ଭକ୍ତ ଶ୍ରୀ ଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ। ସେ ଉଦ୍ଧବଙ୍କୁ ଜ୍ଞାନୀ ଭକ୍ତ ବୋଲି କହିଥାନ୍ତି।

ଶ୍ରୀ ଭଗବାନ କହନ୍ତି ଯେ ଯେଉଁ ଜୀବ ଜ୍ଞାନ ଅଭ୍ୟାସ ଦ୍ୱାରା ଯଜ୍ଞରେ ନିୟୋଜିତ ରହିଥାନ୍ତି, ସେମାନେ ଶ୍ରୀ ଭଗବାନଙ୍କୁ ତାଙ୍କର ନିରାକାର ରୂପରେ, ବିବିଧ ରୂପରେ ଏବଂ ବିଶ୍ୱ ରୂପରେ ପୂଜା କରନ୍ତି।

 ଶ୍ରୀ ଭଗବାନ ସାତ୍ତ୍ୱିକ ଜ୍ଞାନକୁ ପରିଭାଷିତ କରିବାକୁ ଯାଇ କହୁଛନ୍ତି -

 अविभक्तम् च भूतेषु।।

ସାଧାରଣ ମନୁଷ୍ୟ ସୃଷ୍ଟିକୁ ଦୁଇଟି ବର୍ଗରେ ବିଭାଜିତ କରି ଦେଖିଥାଏ ଚର-ଅଚର। ପରନ୍ତୁ ଜ୍ଞାନୀ ପୁରୁଷ ସ୍ତ୍ରୀ-ପୁରୁଷ, ଜୀବ-ଜନ୍ତୁ, ଇତ୍ୟାଦି କୋୖଣସିରେ ଭେଦଭାବ ନକରି ସମସ୍ତ ସୃଷ୍ଟିର ଅଭେଦ ଦର୍ଶନ କରିଥାଏ। ସମସ୍ତ ଜୀବାତ୍ମା ମଧ୍ୟରେ ପରମାତ୍ମାଙ୍କ ସ୍ୱରୂପର ଦର୍ଶନ ହିଁ ଏହି ସୃଷ୍ଟିରେ ସମର ସତ୍ତାକୁ ଅନୁଭବ କରିବାର ସାଧନ।

ଶଙ୍କରାଚାର୍ଯ୍ୟଙ୍କର ସ୍ୱୟଂ ବିଶ୍ୱନାଥ ଭଗବାନଙ୍କ ସହିତ ସାକ୍ଷାତକାର -

ଏହିପରି ଗୋଟିଏ ସୁନ୍ଦର କଥାର ଉଲ୍ଲେଖ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ନିଜ ଦ୍ଵାରା ଲିଖିତ ଭାଷ୍ୟରେ କରାଯାଇଛି —

ଦିନକର କଥା ଯେତେବେଳେ ପ୍ରାତଃ କାଳରେ ଶଙ୍କରାଚାର୍ଯ୍ୟ ମହାରାଜ କାଶୀର‌ କୋୖଣସି ଗୋଟିଏ ମାର୍ଗରେ ସ୍ନାନ କରିବାର ଉଦ୍ଦେଶ୍ୟ ନେଇ ଯାଉଥିବା ସମୟରେ ତାଙ୍କର ସମ୍ମୁଖରେ ଗୋଟିଏ ଚଣ୍ଡାଳ ଆସିଗଲା, ଯାହାକୁ କି ସେ ନିଜର ମାର୍ଗରୁ ଦୂରେଇ ଯିବାପାଇଁ କହିଲେ।

ଶଙ୍କରାଚାର୍ଯ୍ୟ ଏତିକି କହିଛନ୍ତି କି ନାହିଁ ସେହି ଚଣ୍ଡାଳ ଯାହା କହିଲା, ତାହାର ବଚନ ଶୁଣି ଶଙ୍କରାଚାର୍ଯ୍ୟ ଆଶ୍ଚର୍ଯ୍ୟଚକିତ ହେଇଗଲେ। ଚଣ୍ଡାଳ କହିଲା ଯେ ‘ଆପଣ ମୋତେ ଅର୍ଥାତ୍ ମୋର ଏହି ଶରୀରକୁ ନିଜ ମାର୍ଗରୁ ହଟି ଯିବାକୁ କହୁଛନ୍ତି ନା ମୋର ଆତ୍ମାକୁ’?

ଏତିକି କଥା ଶୁଣିଲା ପରେ ଶଙ୍କରାଚାର୍ଯ୍ୟ ଜାଣି ଦେଲେ ଯେ ଏହିପରି ଜ୍ଞାନ ଯୁକ୍ତ ବଚନ କହୁଥିବା ଏହି ଚଣ୍ଡାଳ କୋୖଣସି ସାଧାରଣ ବ୍ୟକ୍ତି ନୁହନ୍ତି ବରଂ ସାକ୍ଷାତ ପ୍ରଭୂ ବିଶ୍ୱନାଥ।

ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ରଚିତ ମନୀଷା ପଞ୍ଚକ —

 जाग्रत्स्वप्न सुषुत्पिषु स्फुटतरा या संविदुज्जृम्भते

या ब्रह्मादि पिपीलिकान्त तनुषु प्रोता जगत्साक्षिणी।

सैवाहं न च दृश्य वस्त्विति दृढ प्रज्ञापि यस्यास्तिचेत

चण्डालोस्तु स तु द्विजोस्तु गुरुरित्येषा मनीषा मम ॥

ଅତଏବ ଆତ୍ମାକୁ ପରମାତ୍ମାଙ୍କ ଅଂଶ ରୂପରେ ଦର୍ଶନ କରିବା ସହିତ, ପିମ୍ପୁଡ଼ି ଠାରୁ ବ୍ରହ୍ମାଙ୍କ ପର୍ଯ୍ୟନ୍ତ, ଏହି ସମ୍ପୂର୍ଣ୍ଣ ବିଶ୍ବକୁ ନିଜର ଗୁରୁ ସଦୃଶ୍ୟ ଅନୁଭବ କରିବା ହିଁ ଜ୍ଞାନ ମାର୍ଗ ଅଟେ। ଜ୍ଞାନୀଙ୍କ ପାଇଁ ସମ୍ପୂର୍ଣ୍ଣ ବିଶ୍ୱ ଭଗବତ୍ ସ୍ଵରୂପ ହୋଇଯାଏ।

କର୍ମଯୋଗୀ ଯେଉଁ ମୂହୁର୍ତ୍ତରେ ଜଗତ ଆଡ଼କୁ ଦେଖେ, ତାହାକୁ ପ୍ରତ୍ୟେକ ଚର-ଅଚର ରେ ଈଶ୍ୱରୀୟ ଅଂଶ ଦେଖାଯାଏ। ତେଣୁ ଯେତେବେଳେ ସମାଜ ସେବା ପାଇଁ କାର୍ଯ୍ୟ କରିବେ ସେତେବେଳେ ମୁଁ କାହାର ଉପକାର କରୁଛି, ବୋଲି ବିଚାର ମନରେ ଉତ୍ପନ୍ନ ହେବା ଅନୁଚିତ।

ଠାକୁର ରାମକୃଷ୍ଣ ପରମହଂସ ସ୍ୱାମୀ ବିବେକାନନ୍ଦ ମହାରାଜଙ୍କୁ କହିଲେ ଯେ ଶିବ ଭାବରେ ଦୀନ ଜନଙ୍କ ସେବା କର। ଦରିଦ୍ର, ନାରାୟଣ ହେଇଥାନ୍ତି। ଏହି ଭାବରେ ଦରିଦ୍ରଙ୍କ ସେବା କର।

 बहुधा विश्वतोमुखम्।

ମୋର ସେବା ସେତେବେଳେ ଭକ୍ତି ହେଇଯାଏ ଯେତେବେଳେ ସେଥିରେ ନାମମାତ୍ର ଅହଙ୍କାର ମିଶିନଥିବ।

ବର୍ତ୍ତମାନ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ସମାଜସେବା କରିବା ପାଇଁଁ ପ୍ରୟାସ କରୁଛନ୍ତି, ଯେଉଁଠି ପ୍ରସିଦ୍ଧି ଏବଂ ସମ୍ମାନ ତ‌ ମିଳେ, କିନ୍ତୁ ଈଶ୍ୱରୀୟ ତତ୍ତ୍ଵର ପ୍ରାପ୍ତି ଅସମ୍ଭବ ଅଟେ କାରଣ ଶ୍ରୀ ଭଗବାନ ତ ଦମ୍ଭ ଠାରୁ ବହୁତ ଦୂରରେ ଥାଆନ୍ତି।

ତେଣୁ ଯଦି ଶ୍ରୀ ଭଗବାନଙ୍କୁ ପ୍ରାପ୍ତ କରିବାର ଅଛି ତା'ହେଲେ ଅହଙ୍କାର, ଦମ୍ଭ, ଦର୍ପ, ଇତ୍ୟାଦି ଅବିବେକପୂର୍ଣ୍ଣ ବିଚାର ମାନଙ୍କଠାରୁ ସର୍ବଦା ମୁକ୍ତ ରହି ସମାଜର ସେବା, ଈଶ୍ୱରଙ୍କ ସେବା ଏହି ଭାବରେ କରିବାକୁ ପଡିବ।

ପରବର୍ତ୍ତୀ ଶ୍ଳୋକ ମାନଙ୍କରେ ଶ୍ରୀ ଭଗବାନ ନିଜର ବିଭୂତି ମାନଙ୍କର ବର୍ଣ୍ଣନା କରୁଛନ୍ତି, ଯେପରିକି ସେ ଦଶମ ଅଧ୍ୟାୟରେ ମଧ୍ୟ କରିଛନ୍ତି।

9.16

ଅହଂ(ଙ୍) କ୍ରତୁରହଂ(ୟ୍ଁ) ୟଜ୍ଞଃ(ସ୍), ସ୍ୱଧାହମହମୌଷଧମ୍।
ମନ୍ତ୍ରୋଽହମହମେବାଜ୍ୟମ୍, ଅହମଗ୍ନିରହଂ(ମ୍) ହୁତମ୍ ॥9.16॥

ମୁଁ କ୍ରତୁ, ମୁଁ ଯଜ୍ଞ, ମୁଁ ସ୍ବଧା, ମୁଁ ଔଷଧ, ମୁଁ ମନ୍ତ୍ର, ମୁଁ ଘୃତ, ମୁଁ ଅଗ୍ନି ଏବଂ ହବନ ( ଆହୁତୀ ) ରୂପକ କ୍ରିୟା ମଧ୍ୟ ମୁଁ। ଜ୍ଞେୟ ପବିତ୍ର ଓଁକାର , ଋକ୍ ବେଦ, ସାମବେଦ ଓ ଯଜୁର୍ବେଦ ମଧ୍ୟ ମୁଁ। ଏ ସମଗ୍ର ଜଗତର ପିତା, ଧାତା, ମାତା, ପିତାମହ, ଗତି, ଭର୍ତ୍ତା, ପ୍ରଭୂ, ସାକ୍ଷୀ, ନିବାସ, ଆଶ୍ରୟ, ସୁହୃଦ୍, ଉତ୍ପତ୍ତି, ପ୍ରଳୟ, ସ୍ଥାନ, ନିଧାନ ( ଭଣ୍ଡାର ) ତଥ ଅବିନାଶୀ ବୀଜ ମଧ୍ୟ ମୁଁ।

ବିବେଚନ -

ବୈଦିକ ସାହିତ୍ୟରେ ଶ୍ରୁତି, ସ୍ମୃତି ଏବଂ ପୁରାଣ ଏହି ତିନିଙ୍କୁ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ଦେଇଛନ୍ତି।

ଶ୍ରୁତି ଦ୍ଵାରା ସଞ୍ଚାଳିତ ଅନୁଷ୍ଠାନ, ଯେଉଁମାନଙ୍କୁ ଶ୍ରୋତ ଯଜ୍ଞ ମଧ୍ୟ କୁହାଯାଏ, ସେଥିରେ ଶ୍ରୀ ଭଗବାନ ନିଜର ସ୍ୱରୂପ ପ୍ରତିପାଦିତ କରିଛନ୍ତି।

କ୍ରତୁ, ସ୍ମୃତି ରେ ପଞ୍ଚ ମହାଯଜ୍ଞର ଉଲ୍ଲେଖ ଅଛି, ତାହା ମଧ୍ୟ ଶ୍ରୀ ଭଗବାନ ସ୍ୱୟଂ ନିଜେ ବୋଲି କହୁଛନ୍ତି।

ସ୍ୱଧା — ଯେଉଁ ମାଧ୍ୟମ ଦ୍ଵାରା ପିତୃପୁରୁଷଙ୍କୁ ଅନ୍ନ ପ୍ରଦାନ କରାଯାଏ, ତାହା ମଧ୍ୟ ମୋର ହିଁ ସ୍ୱରୂପ ଅଟେ ଅର୍ଥାତ୍ ତର୍ପଣ ମଧ୍ୟ ମୁଁ ହିଁ ଅଟେ।

ଔଷଧ — ରୋଗ ମାନଙ୍କର ଉପଚାର ପାଇଁ ଯେଉଁ ଔଷଧ ପ୍ରୟୋଗ କରାଯାଇଥାଏ, ତାହା ମଧ୍ୟ ମୋର ଅର୍ଥାତ୍ ଶ୍ରୀ ଭଗବାନଙ୍କର ହିଁ ସ୍ୱରୂପ ଅଟେ। ରୋଗ ମାନଙ୍କଠାରୁ ମୁକ୍ତ ହେବାପାଇଁ ଔଷଧ ଗ୍ରହଣ କରୁଥିବା ସମୟରେ ଶ୍ରୀ ଭଗବାନଙ୍କୁ ସ୍ମରଣ କରିବା ମାତ୍ରେ ସେହି ଔଷଧ ପ୍ରସାଦ ହେଇଯାଏ, ଯାହାର ସେବନ ଦ୍ଵାରା ଜୀବନରେ କୋୖଣସି ବିଷାଦ ନ ରହିବା ସହିତ, ସେହି ଔଷଧ ମନୁଷ୍ୟ ପାଇଁ ଅମୃତତୂଲ୍ୟ ହେଇଯାଏ। ଅର୍ଥାତ୍‍‍ -

●       ମନ୍ତ୍ର — ଦିବ୍ୟ ଧ୍ୱନି (ମନ୍ତ୍ର) ।    

●       ଆଜ୍ୟମ — ଘିଅ।

●        ଅଗ୍ନି — ଅଗ୍ନି, ନିଆଁ।

●       ହୁତମ୍ — ଆହୁତି,

ଏହା ସବୁ ମଧ୍ୟ ମୁଁ ହିଁ ଅଟେ।       

9.17

ପିତାହମସ୍ୟ ଜଗତୋ, ମାତା ଧାତା ପିତାମହଃ
ବେଦ୍ୟଂ(ମ୍) ପବିତ୍ରମୋଙ୍କାର, ଋକ୍ସାମ ୟଜୁରେବ ଚ॥17॥

ମୁଁ କ୍ରତୁ, ମୁଁ ଯଜ୍ଞ, ମୁଁ ସ୍ବଧା, ମୁଁ ଔଷଧ, ମୁଁ ମନ୍ତ୍ର, ମୁଁ ଘୃତ, ମୁଁ ଅଗ୍ନି ଏବଂ ହବନ (ଆହୁତୀ) ରୂପକ କ୍ରିୟା ମଧ୍ୟ ମୁଁ। ଜ୍ଞେୟ ପବିତ୍ର ଓଁକାର , ଋକ୍ ବେଦ, ସାମବେଦ ଓ ଯଜୁର୍ବେଦ ମଧ୍ୟ ମୁଁ । ଏ ସମଗ୍ର ଜଗତର ପିତା, ଧାତା, ମାତା, ପିତାମହ, ଗତି, ଭର୍ତ୍ତା, ପ୍ରଭୂ, ସାକ୍ଷୀ, ନିବାସ, ଆଶ୍ରୟ, ସୁହୃଦ୍, ଉତ୍ପତ୍ତି, ପ୍ରଳୟ, ସ୍ଥାନ, ନିଧାନ ( ଭଣ୍ଡାର ) ତଥ ଅବିନାଶୀ ବୀଜ ମଧ୍ୟ ମୁଁ।

ବିବେଚନ -

ପାତି ରକ୍ଷତି ଇତି ପିତା - ପୋଷଣ ଓ ରକ୍ଷଣ କରୁଥିବାରୁ ପିତା। (ପାଳନ କର୍ତ୍ତା ଓ ରକ୍ଷାକର୍ତ୍ତା)

ଆମେ ଜାଣନ୍ତି ନାରାୟଣ ସ୍ୱରୂପୀ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା। ସନ୍ତାନକୁ ଜନ୍ମଦେଉଥିବା ଓ ସଂସାରର ସମସ୍ତ ବିପଦରୁ ରକ୍ଷା କରୁଥିବା ପିତା ହିଁ ଶ୍ରୀ ଭଗବାନ।

ମାତା - ସ୍ନେହମୟୀ ମାଆ ମଧ୍ୟ ଭଗବାନଙ୍କର ଏକ ରୂପ।

ଧାତା - ଆଶ୍ରୟ ଦାତା

ଏହି ସୃଷ୍ଟି ଶ୍ରୀ ଭଗବାନଙ୍କ ଦ୍ଵାରା ହୋଇଥିବାରୁ, ଏହାର ନିୟମର ପ୍ରଣେତା ମଧ୍ୟ ଶ୍ରୀ ଭଗବାନ। ତେଣୁ ସେ ନିୟନ୍ତା।

ପିତାମହ - ଏଠାରେ ପ୍ରଶ୍ନ ଆସେ ଯେ, ପିତାଙ୍କର ସ୍ରଷ୍ଟା କିଏ?

ଶ୍ରୀ ଭଗବାନ କହିଛନ୍ତି, `ମୁଁ ହିଁ ପିତା ଙ୍କର ସ୍ରଷ୍ଟା `। କାରଣ ସୃଷ୍ଟିକୁ ସର୍ଜନା କରିଥିବା ବ୍ରହ୍ମାଙ୍କର ଉତ୍ପତ୍ତି ଶ୍ରୀ ଭଗବାନଙ୍କର ନାଭିକମଳରୁ ହିଁ ହୋଇଛି।

ବେଦ୍ୟମ - ଏହି ବ୍ରହ୍ମାଣ୍ଡ ବିଷୟରେ ଜାଣିବାକୁ ଥିବା ସମସ୍ତ ଜ୍ଞାନ ହିଁ ଶ୍ରୀ ଭଗବାନ।

ଓଁକାର - ପବିତ୍ରତମ ଓଁକାର ହେଉଛି ଶ୍ରୀ ଭଗବାନଙ୍କର ରୂପ। ଏହା ଈଶ୍ୱରଙ୍କର ଏକାକ୍ଷରୀ ନାମ।

 ओमित्येकाक्षरं ब्रह्म व्याहरन्मामनुस्मरन्।

यः प्रयाति त्यजन्देहं स याति परमां गतिम्।।

ଯେଉଁ ବ୍ୟକ୍ତି ପରମ ପୁରୁଷୋତ୍ତମ ମୋତେ ସ୍ମରଣ କରି ତଥା ପବିତ୍ର ଓଁକାର ଜପ କରି ଦେହତ୍ୟାଗ କରେ ସେ ପରମ ଗତି ପ୍ରାପ୍ତ କରେ।

ମୁଁ ରୁଗ୍ ବେଦ, ସାମ ବେଦ ଓ ଯଜୁର୍‍‍ ବେଦ ଅଟେ। ଅର୍ଥାତ୍ ଯାହାକୁ ତ୍ରୟୀବିଦ୍ୟା କୁହାଯାଏ ତାହା ମଧ୍ୟ ଭଗବାନଙ୍କର ସ୍ୱରୂପ ଅଟେ।

9.18

ଗତିର୍ଭର୍ତ୍ତା ପ୍ରଭୁଃ(ସ୍) ସାକ୍ଷୀ, ନିବାସଃ(ଶ୍) ଶରଣଂ(ମ୍) ସୁହୃତ୍
ପ୍ରଭବଃ(ଫ୍) ପ୍ରଲୟଃ(ସ୍) ସ୍ଥାନଂ(ନ୍), ନିଧାନଂ(ନ୍) ବୀଜମବ୍ୟୟମ୍॥18॥

ମୁଁ କ୍ରତୁ, ମୁଁ ଯଜ୍ଞ, ମୁଁ ସ୍ବଧା, ମୁଁ ଔଷଧ, ମୁଁ ମନ୍ତ୍ର, ମୁଁ ଘୃତ, ମୁଁ ଅଗ୍ନି ଏବଂ ହବନ (ଆହୁତୀ) ରୂପକ କ୍ରିୟା ମଧ୍ୟ ମୁଁ। ଜ୍ଞେୟ ପବିତ୍ର ଓଁକାର , ଋକ୍ ବେଦ, ସାମବେଦ ଓ ଯଜୁର୍ବେଦ ମଧ୍ୟ ମୁଁ। ଏ ସମଗ୍ର ଜଗତର ପିତା, ଧାତା, ମାତା, ପିତାମହ, ଗତି, ଭର୍ତ୍ତା, ପ୍ରଭୂ, ସାକ୍ଷୀ, ନିବାସ, ଆଶ୍ରୟ, ସୁହୃଦ୍, ଉତ୍ପତ୍ତି, ପ୍ରଳୟ, ସ୍ଥାନ, ନିଧାନ (ଭଣ୍ଡାର) ତଥ ଅବିନାଶୀ ବୀଜ ମଧ୍ୟ ମୁଁ।

ବିବେଚନ -

ଗତି - ପରମ ଲକ୍ଷ୍ୟ।

ମୁଁ ହିଁ ସମସ୍ତ ପ୍ରାଣୀଙ୍କର ପରମ ଲକ୍ଷ୍ୟ। ନିଜ ନିଜର କର୍ମ ଅନୁସାରେ ଜୀବତ୍ମା ମାନଙ୍କର ଜନ୍ମମୃତ୍ୟୁ ଚକ୍ର ଅନବରତ ଚାଲିଥାଏ। ବ୍ରହ୍ମା ଯେତେବେଳେ ନିଦ୍ରା ଯାଆନ୍ତି ସେତେବେଳେ ସଚରାଚର ଜଗତ ପ୍ରଳୟରେ ଲୀନ ହୋଇଯାଏ। ଶ୍ରୀ ଭଗବାନ ହିଁ ପ୍ରାଣୀ ମାନଙ୍କୁ ପରମ ଗତି ପ୍ରଦାନ କରନ୍ତି। ଯୋଗୀ, ତପସ୍ୱୀ, ଜ୍ଞାନୀ ତଥା ସମସ୍ତ ମନୁଷ୍ୟଙ୍କର ଶେଷ ଆଶ୍ରୟ ହେଉଛନ୍ତି ଶ୍ରୀ ଭଗବାନ। ତାଙ୍କୁ ସାକାର ରୂପରେ, ନିରାକାର ରୂପରେ ବା ଯେ କୌଣସି ରୂପରେ ଆରାଧନା କରାଯାଇପାରେ। ସେ ହିଁ ସବୁ କିଛି। ସେ ହିଁ ସଚରାଚର ବିଶ୍ୱର ଆରମ୍ଭ ଓ ଶେଷ

ଭର୍ତ୍ତା - ଶ୍ରୀ ଭଗବାନ ହିଁ ସମସ୍ତ ସୃଷ୍ଟିର ଭରଣପୋଷଣକାରୀ, ପାଳନକର୍ତ୍ତା ଅଟନ୍ତି।

ସ୍ୱାମୀ - ଅର୍ଥାତ୍ ପ୍ରଭୁ।

ହେ ଅର୍ଜୁନ! ମୁଁ ସମସ୍ତଙ୍କର ସ୍ୱାମୀ। ଶ୍ରୀ ଭଗବାନଙ୍କର ସ୍ୱରୂପର ଲକ୍ଷଣ ଗୁଡିକୁ ସନ୍ଥ ଜ୍ଞାନେଶ୍ୱର ମହାରାଜ ଓ ମାତା ଦେବହୁତିଙ୍କୁ ଉପଦେଶ ଦେଲାବେଳେ କପିଳ ମହାରାଜ ବର୍ଣ୍ଣନା କରିଛନ୍ତି।

ସାକ୍ଷୀ - ମୁଁ ହିଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ରହି ସେମାନେ କରୁଥିବା ଉଚିତ, ଅନୁଚିତ କର୍ମ ବିଷୟରେ ଜାଣୁଥାଏ। ତେଣୁ ମୁଁ ହେଉଛି ସାକ୍ଷୀ (ପ୍ରମାଣ)।

ईश्वरः सर्वभूतानां हृद्देशेऽर्जुन तिष्ठति।

भ्रामयन्सर्वभूतानि यन्त्रारूढानि मायया।।18.61।।

ଅର୍ଥାତ୍, ହେ ଅର୍ଜୁନ! ପରମ ପିତା ପରମାତ୍ମା ସମସ୍ତ ପବିତ୍ରତମ ହୃଦୟରେ ବାସ କରନ୍ତି। ସେମାନଙ୍କ କର୍ମ ଅନୁସାରେ ସେ ଭୌତିକ ଶକ୍ତି ଦ୍ୱାରା ନିର୍ମିତ ଯନ୍ତ୍ରରେ ଆରୁଢ଼ ହୋଇ ଘୁରି ବୁଲୁଥିବା ଆତ୍ମା ମାନଙ୍କୁ ନିୟନ୍ତ୍ରିତ କରନ୍ତି।

●     ନିବାସ - ଧାମ, ମୁଁ ହେଉଛି ସମସ୍ତ ପ୍ରାଣୀ ଙ୍କର ନିବାସ ସ୍ଥଳ।

●     ଶରଣମ - ଶରଣ ସ୍ଥଳ, ସେ ହେଉଛନ୍ତି ସମସ୍ତଙ୍କର ଆଶ୍ରୟଦାତା

            तमेव शरणं गच्छ सर्वभावेन भारत। तत्प्रसादात्परां शान्तिं स्थानं प्राप्स्यसि शाश्वतम्।।18.62।।     ହେ ଭାରତ! ନିଜର ବାସ୍ତବିକତା ସହିତ ନିଜକୁ ଶ୍ରୀ ଭଗବାନ ଙ୍କ ନିକଟରେ ସମର୍ପଣ କରିଦିଅ । ତାଙ୍କ ଦୟାରୁ ତୁମକୁ ଶାନ୍ତି ଓ ଚିରସ୍ଥାୟୀ ବାସସ୍ଥାନ ମିଳିଯିବ।

ସୁହୃତ - ମୁଁ ଅତି ପ୍ରିୟ ବନ୍ଧୁ।

ଭଗବାନ କହିଥିବା ଏହି ଶବ୍ଦଟିକୁ ଭଗବାନ ଶଙ୍କରାଚାର୍ଯ୍ୟ ଅତି ସୁନ୍ଦର ଭାବରେ ବୁଝେଇଛନ୍ତି -   

ପ୍ରତିବଦଳରେ କୌଣସି ଉପକାର ଆଶା ନକରି ଯେଉଁ ଉପକାର କରାଯାଏ, କୌଣସି ସ୍ୱାର୍ଥ ଭାବ ନରଖି ଯେଉଁ ସ୍ନେହ ଭାବ ରଖାଯାଏ ତାହା ହେଉଛି ସୁହୃତ ଲକ୍ଷଣ।

 “मामनुस्मर युद्ध्य च” - ମୋତେ ସ୍ମରଣ କରି ଯୁଦ୍ଧ କର।

 ଶ୍ରୀ ଭଗବାନ ନିଜର ଭକ୍ତ ମାନଙ୍କଠାରେ, ତଥା ଦୁନିଆର ସବୁ ପ୍ରାଣୀଙ୍କଠାରେ ଏହି ଭାବ ରଖନ୍ତି ଯେ ତୁମେ ମୋତେ ଅନୁସ୍ମରଣ କର। ଏହାର ଅର୍ଥ, ମୁଁ ତ ତୁମକୁ ସର୍ବଦା ମନେ ରଖିଥାଏ ତେଣୁ ତୁମେ ମଧ୍ୟ ମୋତେ ମନେପକାଅ। ମାୟାବନ୍ଧନରେ ପଡି ମୋତେ ଯେପରି ଭୁଲି ନ ଯାଅ ।

●     ପ୍ରଭବ -ସୃଷ୍ଟି

●     ପ୍ରଳୟ - ସଂହାର

●     ସ୍ଥାନମ୍‍‍ - ସମଗ୍ର ସୃଷ୍ଟିର ଆଧାର।

ସ୍ଥାନ ଓ ନିବାସ ସମ୍ବନ୍ଧରେ ରାମସୁଖ ଦାସ କହିଛନ୍ତି ଯେ,  ଉତ୍ପତ୍ତି ପରେ ସମସ୍ତ ଜୀବଙ୍କର ନିବାସ ଏହି ପୃଥିବୀ ଅଟେ। କିନ୍ତୁ,       ପ୍ରଳୟ ପରେ ଜୀବ ମାନଙ୍କର ସ୍ଥାନ ଶ୍ରୀ ଭଗବାନ ଅଟନ୍ତି।

●     ନିଧାନମ - ଆଶ୍ରୟ, ପ୍ରାଣୀ ମାନଙ୍କର କର୍ମ ସମୂହକୁ ଶ୍ରୀ ଭଗବାନ ସଂଗ୍ରହ କରନ୍ତି।

●     ବୀଜମ ତଥା ଅବ୍ୟୟମ - ଶ୍ରୀ ଭଗବାନ ହିଁ ଅକ୍ଷୟ ବୀଜ। ଶ୍ରୀ ଭଗବାନଙ୍କ ଠାରୁ ହିଁ ସୃଷ୍ଟିର ଉତ୍ପତ୍ତି ହୋଇଥାଏ। ବେଦାନ୍ତ ଭାଷାରେ ଶ୍ରୀ ଭଗବାନ ହେଉଛନ୍ତି ଆରମ୍ଭ ଓ ଅନ୍ତର କାରଣ।

ଯେପରି ବୁଢିଆଣୀ ତାର ଜାଲ ବୁଣିବାପାଇଁ ସୂତା ବାହାରୁ ସଂଗ୍ରହ କରେନାହିଁ, ପରନ୍ତୁ ନିଜ ଶରୀରରୁ ବାହାର କରେ। ସେହିପରି ଶ୍ରୀ ଭଗବାନ ନିଜେ ନିଜଠାରୁ ବିଶ୍ୱର ନିର୍ମାଣ କରନ୍ତି।

9.19

ତପାମ୍ୟହମହଂ(ୱ୍ଁ) ବର୍ଷଂ(ନ୍), ନିଗୃ୍ହ୍ଣାମ୍ୟୁତ୍ସୃଜାମି ଚ ।
ଅମୃତଂ(ଞ୍) ଚୈବ ମୃତ୍ୟୁଶ୍ଚ, ସଦସଚ୍ଚାହମର୍ଜୁନ॥9.19॥

ହେ ଅର୍ଜୁନ ! [ ସଂସାରର ହିତ ପାଇଁ ] ମୁଁ ହିଁ ସୂର୍ଯ୍ୟ-ରୂପରେ ଉତ୍ତପ୍ତ ହୁଏ, ଜଳକୁ ଗ୍ରହଣ କରେ ଏବଂ ପୁନଶ୍ଚ ସେହି ଜଳକୁ ବର୍ଷାରୂପେ ବୃଷ୍ଟି କରେ । [ ଆଉ ଅଧିକ କ' ଣ କହିବି ] ଅମୃତ ଓ ମୃତ୍ୟୁ ତଥା ସତ୍ ଓ ଅସତ୍ ମଧ୍ୟ ମୁଁ।

ବିବେଚନ -

ହେ ଅର୍ଜୁନ! ମୁଁ ହିଁ ଉତ୍ତାପ ପ୍ରଦାନ କରେ, ମୁଁ ବର୍ଷାକୁ ଧରି ରଖେ ଓ ଛାଡିଦିଏ। ମୁଁ ହିଁ ଅମୃତ ଏବଂ ମୁଁ ହିଁ ମୃତ୍ୟୁ। ଉଭୟ ଆତ୍ମା ଓ ପଦାର୍ଥ (ସତ ଓ ଅସତ) ମୋ ଠାରେ ନିହିତ।

ଈଶ୍ୱର କିପରି ଅସତ ହୋଇପାରିବେ ବୋଲି ଆପଣ ଚିନ୍ତା କରିପାରନ୍ତି। କିନ୍ତୁ ଆମେ ଜାଣିବା ଉଚିତ ଯେ ଅସତ ବୋଲି କିଛି ନାହିଁ। ଏଣୁ ଆମକୁ ଯାହା ଅସତ ବୋଲି ଜଣାପଡେ ତାହା ସ୍ୱୟଂ ଶ୍ରୀ ଭଗବାନ ଅଟନ୍ତି।

9.20

ତ୍ରୈବିଦ୍ୟା ମାଂ(ମ୍) ସୋମପାଃ(ଫ୍) ପୂତପାପା
ୟଜ୍ଞୈରିଷ୍ଟ୍ୱା ସ୍ୱର୍ଗତିଂ(ମ୍) ପ୍ରାର୍ଥୟନ୍ତେ
ତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ରଲୋକମ୍
ଅଶ୍ନନ୍ତି ଦିବ୍ୟାନ୍ଦିବି ଦେବଭୋଗାନ॥20॥

ଯେଉଁମାନେ ତିନିବେଦରେ ବର୍ଣ୍ଣିତ ଯଜ୍ଞାଦି ଅନୁଷ୍ଠାନ ସକାମଭାବରେ କରନ୍ତି ଏବଂ ସୋମରସ ପାନପୂର୍ବକ ପାପରହିତ ହୋଇ ଯଜ୍ଞ ଦ୍ବାରା ଇନ୍ଦ୍ରରୂପରେ ମୋତେ ପୂଜା କରି ସ୍ବର୍ଗ ପ୍ରାପ୍ତିନିମନ୍ତେ ପ୍ରାର୍ଥନା କରନ୍ତି, ସେମାନେ ପୂଣ୍ୟଫଳସ୍ବରୂପ ପବିତ୍ର ଇନ୍ଦ୍ରଲୋକ ପ୍ରାପ୍ତ ହୋଇ ସେଠାରେ ସ୍ବର୍ଗର ଦେବଗଣଙ୍କ ଯୋଗ୍ୟ ଦିବ୍ୟ ଭୋଗ ଉପଭୋଗ କରନ୍ତି।

9.20 writeup

9.21

ତେ ତଂ(ମ୍) ଭୁକ୍ତ୍ୱା ସ୍ୱର୍ଗଲୋକଂ(ୱ୍ଁ) ବିଶାଲଂ(ଙ୍),
କ୍ଷୀଣେ ପୁଣ୍ୟେ ମର୍ତ୍ୟଲୋକଂ(ୱ୍ଁ) ବିଶନ୍ତି ।
ଏବଂ(ନ୍) ତ୍ରୟୀଧର୍ମମନୁପ୍ରପନ୍ନା,
ଗତାଗତଂ(ଙ୍) କାମକାମା ଲଭନ୍ତେ॥9.21॥

ସେମାନେ ସେହି ବିଶାଳ ସ୍ବର୍ଗଲୋକର ଭୋଗ ଉପଭୋଗ କରିସାରି ପୁଣ୍ୟ କ୍ଷୟ ହେଲେ ମୃତ୍ୟୁଲୋକକୁ ଫେରିଆସନ୍ତି। ଏହିପରି ତିନି ବେଦରେ ବର୍ଣ୍ଣିତ ସକାମ ଧର୍ମର ଆଶ୍ରିତ ଭୋଗକାମୀ ମନୁଷ୍ୟ ଜନ୍ମମରଣ ଲାଭ କରନ୍ତି।

ବିବେଚନ -

ଯିଏ ବେଦପାଠ କରି ଓ ସୋମରସ( ଦିବ୍ୟ ପାନୀୟ) ପାନ କରି ସ୍ୱର୍ଗ ସୁଖ ଇଚ୍ଛା କରନ୍ତି ସେ ପରୋକ୍ଷ ଭାବରେ ମୋର ହିଁ ପୂଜା କରନ୍ତି। ସେ ପାପ କର୍ମରୁ ମୁକ୍ତ ହୋଇ ଇନ୍ଦ୍ରଙ୍କର ସ୍ୱର୍ଗଧାମ ପ୍ରାପ୍ତ ହୁଅନ୍ତି, ଯେଉଁଠାରେ ସେ ଦେବତାଙ୍କ ସଦୃଶ ସୁଖ ଭୋଗ କରନ୍ତି।

ଯେଉଁ ଭକ୍ତ ଏହିପରି ସମସ୍ତ ସ୍ୱର୍ଗ ସୁଖ ଭୋଗ କରନ୍ତି, ତାଙ୍କର ପୁଣ୍ୟ କର୍ମର ଫଳ ସରିଆସିଲେ ସେ ପୁଣି ପୃଥିବୀକୁ ଫେରିଆସନ୍ତି। ଏହିପରି ଯିଏ ତିନି ବେଦର ମତ ଅନୁସାରେ ଇନ୍ଦ୍ରିୟ ସୁଖ ଇଚ୍ଛା କରନ୍ତି ତାଙ୍କୁ ଜନ୍ମ ମରଣ ଚକ୍ର ପ୍ରାପ୍ତ ହୁଏ। ଜ୍ଞାନେଶ୍ୱର ମହାରାଜ ଜୀବର ସ୍ୱର୍ଗ, ନର୍କ ପ୍ରାପ୍ତି ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ -

ଯେଉଁ କର୍ମ ଅନୁସାରେ ଜୀବ ସ୍ୱର୍ଗ ଲାଭ କରେ ତାହା ପୁଣ୍ୟ କର୍ମ ଓ ଯେଉଁ କର୍ମ ଅନୁସାରେ ଜୀବର ନର୍କ ଗତି ହୁଏ ତାହା ପାପକର୍ମ ବୋଲି କୁହାଯାଏ।

9.22

ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ(ୟ୍ଁ), ୟେ ଜନାଃ(ଫ୍) ପର୍ୟୁପାସତେ ।
ତେଷାଂ(ନ୍) ନିତ୍ୟାଭିୟୁକ୍ତାନାଂ(ୟ୍ଁ), ୟୋଗକ୍ଷେମଂ(ମ୍) ବହାମ୍ୟହମ୍॥9.22॥

ଯେଉଁ ଅନନ୍ୟ ଭକ୍ତଗଣ ମୋତେ ଚିନ୍ତନ କରି ସମ୍ୟକ୍ ଭାବେ ଉପାସନା କରନ୍ତି, ନିରନ୍ତର ମୋ ଠାରେ ନିମଗ୍ନ ରହୁଥିବା ସେହି ଭକ୍ତମାନଙ୍କର ଯୋଗକ୍ଷେମ (ଅପ୍ରାପ୍ତର ପ୍ରାପ୍ତି ଓ ପ୍ରାପ୍ତର ରକ୍ଷା ଦାୟୀତ୍ବ) ମୁଁ ବହନ କରେ।

ବିବେଚନ -

ଶ୍ରୀ ଭଗବାନଙ୍କର ପ୍ରକୃତ ଭକ୍ତ

ଶ୍ରୀ ଭଗବାନ କହିଛନ୍ତି, ଯେଉଁ ବ୍ୟକ୍ତି ଅନନ୍ୟ ଭାବରେ ମୋର ଦିବ୍ୟ ରୂପକୁ ଧ୍ୟାନ କରନ୍ତି ମୁଁ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରେ ଓ ତାଙ୍କ ନିକଟରେ ଥିବା ସମ୍ପତ୍ତିକୁ ସୁରକ୍ଷା ପ୍ରଦାନ କରେ।

ଶ୍ରୀ ଭଗବାନ ନିଜର ସେ ଉତ୍ତମ ଭକ୍ତ ମାନଙ୍କର ବିଶେଷ ଧ୍ୟାନ ରଖନ୍ତି ଓ ସେହି ଭକ୍ତ ମାନଙ୍କର ଆବଶ୍ୟକତା ପୂରଣ କରିବାପାଇଁ ନିଜେ ବୈକୁଣ୍ଠ ଧାମରୁ ଆସନ୍ତି। ସେ ଇଚ୍ଛା କରିଲେ ସେହି ପରମ ଭକ୍ତ ମାନଙ୍କର ଇଚ୍ଛା ଯୋଗମାୟା ସାହାଯ୍ୟରେ ପୂର୍ଣ୍ଣ କରିପାରନ୍ତେ କିନ୍ତୁ ସେ ନିଜର ଶୁଦ୍ଧ ଭକ୍ତ ମାନଙ୍କର ପ୍ରେମାସକ୍ତ ହୋଇଥିବାରୁ ସେମାନଙ୍କୁ ରକ୍ଷା କରିବାପାଇଁ ନିଜେ ପୃଥିଵୀରେ ଅବତରିତ ହୁଅନ୍ତି।

ଯେତେବେଳେ ଜୀବର ଅନ୍ତଃକରଣ ସଂସାରର ମାୟାମୋହ ତ୍ୟାଗ କରି ଶ୍ରୀ ଭଗବାନଙ୍କ ଠାରେ ମିଶିଯାଏ ସେତେବେଳେ ତାକୁ ଶ୍ରୀ ଭଗବାନଙ୍କର ଅନନ୍ୟ ଭକ୍ତି ପ୍ରାପ୍ତ ହୁଏ। ପରମତତ୍ତ୍ୱ ପ୍ରାପ୍ତିର ମାର୍ଗରେ ତାଙ୍କ ମନର ଭୌତିକସୁଖ ପ୍ରାପ୍ତିର ଇଚ୍ଛା ଟିକିଏ ବି ବାଧା ଉତ୍ପନ୍ନ କରିପାରେ ନାହିଁ ବା ତାକୁ ଭ୍ରମିତ କରିପାରେ ନାହିଁ। ଆମେ ପ୍ରାଚୀନ(ପୁରାତନ) କଥା ଶୁଣି ସାରିଛେ ଯେ, ପ୍ରିୟ ଭକ୍ତ ପ୍ରହଲ୍ଲାଦକୁ ରକ୍ଷା କରିବାପାଇଁ ଶ୍ରୀ ଭଗବାନ ଖମ୍ବ ମଧ୍ୟରୁ କିପରି ନୃସିଂହ ରୂପରେ ବାହାରି ଆସିଥିଲେ।

କିପରି ଆଖି ବୁଜି ଧ୍ୟାନ କରୁଥିବା ଧ୍ରୁବଙ୍କୁ ଆଖି ଖୋଲିବା ପର୍ଯ୍ୟନ୍ତ ଶ୍ରୀ ଭଗବାନ ଅପେକ୍ଷା କରିଥିଲେ। କିପରି ପାଣିରେ ବୁଡିଯାଉଥିବା ଗଜରାଜ (ହାତୀ )ଙ୍କୁ ରକ୍ଷା କରିବାପାଇଁ ନିଜେ ଶ୍ରୀ ଭଗବାନ ଉପସ୍ଥିତ ହେଲେ। ଶ୍ରୀ ଭଗବାନ ହେଉଛନ୍ତି ଭକ୍ତବତ୍ସଳ। ଏଣୁ ତାଙ୍କର ଅନନ୍ୟ ଭକ୍ତ ହେବପାଇଁ ଏହି ସୂତ୍ର ଦିଆଯାଇଛି -

●     ସତତଂ କୀର୍ତ୍ତୟନ୍ତୋ - ମୁଖରେ (କଥାରେ) ଶ୍ରୀ ଭଗବାଙ୍କର ପ୍ରତ୍ୟେକଦିନ ସ୍ମରଣ କରିବା।

●     ଅନନ୍ୟାଃ ଚିନ୍ତୟନ୍ତଃ - ମନରେ ଶ୍ରୀ ଭଗବାନଙ୍କୁ ସର୍ବଦା ସ୍ମରଣ କରିବା।

ଶ୍ରୀ ଭଗବାନଙ୍କ ସ୍ୱରୂପ କିପରି?

ଶ୍ରୀ ଭଗବାନ ସହଜ ଲଭ୍ୟ ନୁହନ୍ତି। ଯେଉଁଠାରେ ମନ ପହଞ୍ଚି ପାରେ ନାହିଁ। ଯେଉଁଠାକୁ ବାଣୀ ଯାଇପାରେନାହିଁ। ଶ୍ରୀ ଭଗବାନଙ୍କୁ ସ୍ମରଣ କରୁଥିବା ଜୀବର ଅନନ୍ୟ ପ୍ରେମ ଦ୍ୱାରା ସନ୍ତୁଷ୍ଟ ପରମାତ୍ମା ନିଜେ ଭକ୍ତ ସମ୍ମୁଖରେ ପହଞ୍ଚିଯାଆନ୍ତି।

उपनिषदों में कथन आता है कि

यतो वाचो निवर्तन्ते अप्राप्य मनसा सह।

ଭକ୍ତ ମନରେ ସର୍ବଦା ଶ୍ରୀ ଭଗବାନଙ୍କର ଚିନ୍ତନ ଓ ସ୍ମରଣ ଦ୍ୱାରା ସନ୍ତୁଷ୍ଟ ଶ୍ରୀ ଭଗବାନ ନିଜେ ଭକ୍ତକୁ ଅପ୍ରାପ୍ୟ ବସ୍ତୁ ପ୍ରାପ୍ୟ କରାନ୍ତି।

ଶ୍ରୀ ଭଗବାନ ଆମର ପିତା ଓ ମାତା। ତେଣୁ ମାତାପିତା ଯେପରି ସନ୍ତାନର ମଙ୍ଗଳ ଚିନ୍ତା କରି କାର୍ଯ୍ୟ କରନ୍ତି,ସେହିପରି ଶ୍ରୀ ଭଗବାନ ମଧ୍ୟ ନିଜର ଶ୍ରେଷ୍ଠ ଭକ୍ତର ଅଧିକ ଯତ୍ନ ନିଅନ୍ତି ତା ନିମିତ୍ତ ଯାହା ଶ୍ରେୟସ୍କର ତାହା ହିଁ କରନ୍ତି।

ସୁତ୍ର - ପ୍ରତ୍ୟେକ ଦିନ ଶ୍ରୀ ଭଗବାନଙ୍କ ସହିତ ଆନନ୍ଦ ପାଇବାପାଇଁ ଅଭ୍ୟାସ କରିବା ଉଚିତ। ଏହାହିଁ ଭକ୍ତ ନିମିତ୍ତ କଲ୍ୟାଣ କାରୀ।

ଏହା ସହିତ ଆଜିର ବିବେଚନ ସତ୍ର ଶେଷ ହେଲା ଓ ପ୍ରଶ୍ନୋତ୍ତର ସତ୍ର ଆରମ୍ଭ ହେଲା।

॥ ପ୍ରଶ୍ନୋତ୍ତର ସତ୍ର ॥

ପ୍ରଶ୍ନ କର୍ତ୍ତା - ମୋହିତ ଭାଇ

ପ୍ରଶ୍ନ - ଶ୍ରଦ୍ଧା ଓ ଭକ୍ତି ମଧ୍ୟରେ ପାର୍ଥକ୍ୟ କଣ?

ଉତ୍ତର - ଶ୍ରଦ୍ଧା ମଧ୍ୟ ଭକ୍ତିର ଏକ ରୂପ। ଶ୍ରଦ୍ଧା ବ୍ୟତୀତ ଭକ୍ତି ସମ୍ଭବ ନୁହେଁ। ଶ୍ରଦ୍ଧା ତିନି ପ୍ରକାରର ବୋଲି ସପ୍ତଦଶ ଅଧ୍ୟାୟରେ କୁହାଯାଇଛି - ସାତ୍ତ୍ଵିକ, ରାଜସିକ ଓ ତାମସିକ।

ଏହା ମନୁଷ୍ୟ ର ପ୍ରବୃତ୍ତି ଅନୁସାରେ ହୁଏ। ଶ୍ରଦ୍ଧା ଭକ୍ତି ଜାଗ୍ରତ କରାଏ ଓ ଭକ୍ତିର ପ୍ରାରମ୍ଭିକ ଅବସ୍ଥା ହିଁ ଶ୍ରଦ୍ଧା। ଯେତେବେଳେ ମନରେ ଶ୍ରଦ୍ଧା ଆସେ ସେତେବେଳେ ପ୍ରୀତି ଭାବ ଜାଗ୍ରତ ହୁଏ। ଅର୍ଥାତ୍ ବର୍ତ୍ତମାନ ଶ୍ରୀ ଭଗବାନଙ୍କୁ ଛାଡି ଆଉ ରହିହେବ ନାହିଁ। ତାହା ପର ଅବସ୍ଥାରେ ଅଧିକ ଭକ୍ତିଭାବ ଉତ୍ପନ୍ନ ହୁଏ। 

ପ୍ରଶ୍ନ କର୍ତ୍ତା - ଲଳିତେଶ ଭାଇ

ପ୍ରଶ୍ନ -ଦ୍ୱାଦଶ ଶ୍ଳୋକରେ କଣ କୁହାଯାଇଛି? 

ଉତ୍ତର -                                   

मोघाशा मोघकर्माणो मोघज्ञाना विचेतसः।

राक्षसीमासुरीं चैव प्रकृतिं मोहिनीं श्रिताः।।9.12।।

ଏଠାରେ ତିନିପ୍ରକାରର ଲୋକଙ୍କର କଥା ବର୍ଣ୍ଣନା କରାଯାଇଛି। ରାକ୍ଷସୀ, ଆସୁରୀ ଓ ମୋହିନୀ। ଏହି ତିନି ପ୍ରବୃତ୍ତି ଜଣେ ଲୋକ ଭିତରେ ରହିପାରେ। ଏପରି ଲୋକର ଲାଳସାର ସୀମା ନଥାଏ ଓ ତାହା ବ୍ୟର୍ଥ ଇଚ୍ଛା। ଭଗବାନଙ୍କୁ ପାଇବାକୁ ସେ ଅର୍ଜିଥିବା ସମସ୍ତ କର୍ମ ଓ ଜ୍ଞାନ ନିଷ୍ଫଳ ହୁଏ। ଯେପରି ବେଦ ମୁଖସ୍ଥ କରିଥିବା ରାବଣଙ୍କର ଜ୍ଞାନ ତାଙ୍କୁ ଭଗବତ୍ ପ୍ରାପ୍ତି ନିମିତ୍ତ ସହାୟକ ହେଲା ନାହିଁ।

ପ୍ରଶ୍ନ କର୍ତ୍ତା - ଲଳିତେଶ ଭାଇ

ପ୍ରଶ୍ନ -ଭଗବାନଙ୍କ ଶରଣାପନ୍ନ ହେବାର ସବୁଠାରୁ ସରଳ ଉପାୟ କ'ଣ?

ଉତ୍ତର - ଶ୍ରୀ ଭଗବାନ ଙ୍କ ଶରଣାପନ୍ନ ହେବାପାଇଁ ସବୁଠାରୁ ସହଜ ଉପାୟ ହେଉଛି ଯେ, ଆମେ ପ୍ରତିଦିନ କରୁଥିବା କର୍ମ ଶ୍ରୀ ଭଗବାନଙ୍କୁ ଅର୍ପଣ କରି ଚାଲିବା ଓ ଏହି ଅଭ୍ୟାସ ଦିନ କୁ ଦିନ ଅଧିକ ଦୃଢ଼ ଭାବରେ କରବାପାଇଁ ଚେଷ୍ଟା କରିବା। ଏହା ଶ୍ରୀ ଭଗବାନଙ୍କ ନିକଟତର ହେବାପାଇଁ ସବୁଠାରୁ ସରଳ ଉପାୟ।

यत्करोषि यदश्नासि यज्जुहोषि ददासि यत्।

यत्तपस्यसि कौन्तेय तत्कुरुष्व मदर्पणम्।।9.27।।

ପ୍ରଶ୍ନ କର୍ତ୍ତା - ଉମା ଦିଦି

ପ୍ରଶ୍ନ- ସପ୍ତମ ଶ୍ଳୋକରେ ପ୍ରକୃତିର ତାତ୍ପର୍ଯ୍ୟ କଣ?

ଉତ୍ତର - ସପ୍ତମ ଶ୍ଳୋକରେ ପ୍ରକୃତି ର ଉଦ୍ଦେଶ୍ୟ ହେଉଛି ନିର୍ମାଣ କର୍ତ୍ତ୍ରୀ। ଯିଏ ଶ୍ରୀ ଭଗବାନ ଙ୍କ ଇଚ୍ଛାରେ ସମଗ୍ର ସୃଷ୍ଟିର ନିର୍ମାଣ କରନ୍ତି।

ପ୍ରଶ୍ନ କର୍ତ୍ତା - ରେଣୁ ଦିଦି

ପ୍ରଶ୍ନ - ଯେଉଁ ମାନେ ଶ୍ରୀ ଭଗବାନଙ୍କୁ ମାନନ୍ତି ନାହିଁ ସେମାନେ କହନ୍ତି ଯେ ଶ୍ରୀ ଭଗବାନ ନିଜର ନାମ ଜପିବାକୁ କୁହନ୍ତି ଓ ନିଜର ପ୍ରଶଂସା କରିବାକୁ କୁହନ୍ତି। ଯେଉଁଠାରେ ଶ୍ରୀ ଭଗବାନ ଙ୍କର ନାମ କୀର୍ତ୍ତନ ହେଉଥାଏ ସେଠାରେ ସେ ନିଜେ ଉପସ୍ଥିତ ହୁଅନ୍ତି, ଏହିପରି କହିବାର ଉଦ୍ଦେଶ୍ୟ କଣ?

ଉତ୍ତର - ଶ୍ରୀ ଭଗବାନଙ୍କୁ ନିଜର ପ୍ରଶଂସାର କୌଣସି ଆବଶ୍ୟକତା ନାହିଁ। ଆମର ମଧ୍ୟ ସେତେ ଯୋଗ୍ୟତା ନାହିଁ ଯେ ଆମେ ତାଙ୍କର ପ୍ରଶଂସା କରିପାରିବା। ଯାହାର ନିଶ୍ୱାସ ରୁ ବେଦ ଉତ୍ପନ୍ନ, ଆମେ ବା ତାଙ୍କର କି ପ୍ରଶଂସା କରିପାରିବା? କିନ୍ତୁ ଆମେ ସମସ୍ତେ ଶ୍ରୀ ଭଗବାନ ଙ୍କର ଅତି ପ୍ରିୟ। ଏଣୁ ଯେପରି ପୁତ୍ର ମାତାର ଅତି ପ୍ରିୟ ଓ ପୁତ୍ର ର ଡାକ ଶୁଣି ମାତା ଆନନ୍ଦିତ ହୁଅନ୍ତି ସେହିପରି ଶ୍ରୀ ଭଗବାନ ଙ୍କୁ ଯିଏ ଅନ୍ତରରୁ ଆହ୍ୱାନ କରେ ସେ ପ୍ରେମାଭିଭୂତ ହୋଇ ବାରମ୍ବାର ପହଞ୍ଚି ଯାଆନ୍ତି।

 ।। ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ।।