विवेचन सारांश
|| ଗୁଣାତୀତ : ସର୍ବଶ୍ରେଷ୍ଠ ସ୍ଥିତି ||
ତମୋଗୁଣ ନିଦ୍ରା ଓ ଆଳସ୍ୟ ସୃଷ୍ଟି କରେ। ଦିନକୁ ପ୍ରାୟ ଆଠ ଘଣ୍ଟା ନିଦ୍ରା ନେବା ଆବଶ୍ୟକ। ଯଦି ତମୋଗୁଣ ସକ୍ରିୟ ନହୁଏ, ତେବେ ନିଦ୍ରା ଆସେନାହିଁ ଏବଂ ସେଥି ପାଇଁ ଔଷଧ ନେବାକୁ ପଡ଼େ। କିନ୍ତୁ ଯଦି ଯୋଗାଭ୍ୟାସ ଫଳରେ ସ୍ୱାଭାବିକ ଭାବେ ନିଦ୍ରା କମିଯାଏ, ତାହା ସ୍ୱୀକାରଯୋଗ୍ୟ।
ପ୍ରାଣାୟାମ କରିବା ଦ୍ୱାରା ଶରୀରର ଅମ୍ଳଜାନ (Oxygen) ସ୍ତର ବୃଦ୍ଧି ପାଏ, ଯାହା ଫଳରେ ସ୍ନାୟୁତନ୍ତ୍ରର ପୁନର୍ଗଠନ ଖୁବ୍ କମ୍ ସମୟ ମଧ୍ୟରେ ହୋଇଥାଏ। ଏହି କାରଣରୁ ଯୋଗୀମାନଙ୍କର ନିଦ୍ରା କମିଯାଇଥାଏ; ଅନ୍ୟଥା ସାଧାରଣ ପରିସ୍ଥିତିରେ ନିଦ୍ରା କମିବା ଆମର ମାନସିକ ଚାପ ବା ଷ୍ଟ୍ରେସ୍କୁ ସୂଚିତ କରିଥାଏ। ମାନସିକ ଚାପର ମୂଳ କାରଣ ହେଉଛି ଆମ ମସ୍ତିଷ୍କରେ ନିରନ୍ତର ଚାଲିଥିବା ଅସଂଖ୍ୟ ବିଚାରର ଚକ୍ରବ୍ୟୂହ, ଯେଉଁଥିପାଇଁ ମନ ଏକାଗ୍ର ହୋଇପାରେ ନାହିଁ। ଏହାର ଅନ୍ୟାନ୍ୟ ଅନେକ କାରଣ ମଧ୍ୟ ଥାଇପାରେ।
ବର୍ତ୍ତମାନ ସମୟରେ ଏକାଗ୍ରତା ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ମୋବାଇଲ୍। ମୋବାଇଲରେ 'ରିଲ୍ସ' (Reels) ଦେଖୁ ଦେଖୁ ରାତିର ନିଦ୍ରା ମଧ୍ୟ ପ୍ରଭାବିତ ହେଉଛି। ଏହାଦ୍ୱାରା ଏକାଗ୍ରତା କମିବାରେ ଲାଗିଛି। ଏବେ ତ ଏକାଗ୍ରତାର ସ୍ତର ଏତେ ନିମ୍ନକୁ ଖସିଗଲାଣି ଯେ, କୌଣସି ଏକ ବିଷୟ ଉପରେ ଆମେ ମାତ୍ର ୩୦ ସେକେଣ୍ଡ ପର୍ଯ୍ୟନ୍ତ ହିଁ ମନଯୋଗ ଦେଇପାରୁଛୁ। ଏ ସମ୍ବନ୍ଧରେ ଏକ ଦୃଷ୍ଟାନ୍ତ ରହିଛି-
ଏହା ଉପରେ ତତକ୍ଷଣାତ୍ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଯେ -
“ଏହା ଆପଣ ଉଚିତ୍ କରିନାହାନ୍ତି।”
ଯେଉଁଥିରେ ପ୍ରଧାନାଚାର୍ଯ୍ୟ ଆଦୌ ସହମତ ହୋଇନଥିଲେ। ପ୍ରଧାନାଚାର୍ଯ୍ୟଙ୍କ ପୁସ୍ତକ-ନୋଟବୁକ୍ ଆଦି ବନ୍ଦ କରି ଦେବାର ପରିଣାମ ଏହା ହେଲା ଯେ, ତିନି-ଚାରି ବର୍ଷ ମଧ୍ୟରେ ସେହି ବିଦ୍ୟାଳୟଟି ହିଁ ବନ୍ଦ ହୋଇଗଲା। ଏପରି ଏଥିପାଇଁ ହେଲା କାରଣ ପ୍ରଧାନାଚାର୍ଯ୍ୟ 'ଅତି' ବା ସୀମା ଲଂଘନ କରି ଯାଇଥିଲେ। ବିଦ୍ୟାର୍ଥୀମାନଙ୍କୁ ଟାବଲେଟ୍ ପ୍ରଦାନ କରିବା ଦ୍ୱାରା ସେମାନଙ୍କର ସ୍କ୍ରିନ୍ ଦେଖିବା ସମୟ (Screen time) ଅତ୍ୟଧିକ ବଢ଼ିଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ମାନସିକ ଚାପର ସ୍ତର ମଧ୍ୟ ବହୁତ ବୃଦ୍ଧି ପାଇଥିଲା।
ଜୀବନରେ ଚାପ ବଢ଼ାଉଥିବା ଅନେକ କାରଣ ମଧ୍ୟରୁ ଏକ ପ୍ରମୁଖ କାରଣ ହେଉଛି ଅଧିକ ସମୟ ସ୍କ୍ରିନ୍ ଦେଖିବା। ତେଣୁ ପିଲାମାନଙ୍କ ପାଇଁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ସେମାନେ ଯେପରି କୋଡ଼ିଏ ମିନିଟ୍ରୁ ଅଧିକ ସମୟ ମୋବାଇଲ୍ ସ୍କ୍ରିନ୍ ଦେଖିବେ ନାହିଁ। ଆମ ପାଇଁ ମଧ୍ୟ ଏହା ଆବଶ୍ୟକ ଯେ ଆମେ ନିଜର ମୋବାଇଲ୍ ସ୍କ୍ରିନ୍ ଦେଖିବା ସମୟ କମ୍ କରିଦେବା। ଆମର ଆହାର, ଚଳଣି ଏବଂ ସମସ୍ତ ବ୍ୟବସ୍ଥାରେ ଏବେ ପରିବର୍ତ୍ତନ ଆସିଯାଇଛି।
"युक्ताहारविहारस्य, युक्तचेष्टस्य कर्मसु।
ଆମର ଖାଦ୍ୟପେୟ ଏବଂ ଜୀବନଶୈଳୀ ତଥା କାର୍ଯ୍ୟପ୍ରଣାଳୀ ସନ୍ତୁଳିତ ହେବା ଉଚିତ୍। ଆମର ଚେଷ୍ଟା ବା ପ୍ରୟାସ ମଧ୍ୟରେ ସାମଞ୍ଜସ୍ଯ ରହିବା ଉଚିତ। ଆମକୁ ଆଠ ଘଣ୍ଟା କାର୍ଯ୍ୟ କରିବା ଉଚିତ ଏବଂ ଆଠ ଘଣ୍ଟା ଠିକ୍ ଭାବରେ ନିଦ୍ରା ମଧ୍ୟ ନେବା ଆବଶ୍ୟକ। ଉପଯୁକ୍ତ ନିଦ୍ରା ନ ହେବା କାରଣରୁ ଜୀବନରେ ମାନସିକ ଚାପ ବଢ଼ିଥାଏ ଏବଂ ଆମେ ଅଜାଣତରେ ଅନେକ ରୋଗକୁ ଆମନ୍ତ୍ରଣ ଦେଇଥାଉ।
ନିଦ୍ରା ତମୋଗୁଣରୁ ହିଁ ଆସିଥାଏ, ଏହିପରି ଭାବରେ ତମୋଗୁଣ ମଧ୍ୟ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ। ଆମେ ଶ୍ରୀଭଗବାନଙ୍କ ସହିତ ପ୍ରକୃତିର ମଧ୍ୟ ସନ୍ତାନ। ଆମେ ପ୍ରକୃତି ଓ ପୁରୁଷ ଉଭୟଙ୍କର ସନ୍ତାନ, କାରଣ ପୁରୁଷ ଅର୍ଥାତ୍ ପରମାତ୍ମାଙ୍କଠାରୁ ଆମେ ଆତ୍ମା ପ୍ରାପ୍ତ କରିଛନ୍ତି। ଶ୍ରୀଭଗବାନ କହୁଛନ୍ତି- “ଅହଂ ବୀଜପ୍ରଦଃ ପିତା” - ମୁଁ ବୀଜ ପ୍ରଦାନ କରୁଥିବା ପିତା।
“ମମୈବାଂଶୋ ଜୀବଲୋକେ ଜୀଵଭୂତଃ ସନାତନଃ”
ପରମାତ୍ମାଙ୍କର ଅଂଶ ଆତ୍ମା ରୂପରେ ଆମ ମଧ୍ୟରେ ବିଦ୍ୟମାନ।
ପ୍ରକୃତିର ଦୁଇଟି ଗୁଣ ରହିଛି- ଗୋଟିଏ ହେଉଛି 'ଜଡ଼' ଏବଂ ଅନ୍ୟଟି ହେଉଛି 'ତ୍ରିଗୁଣ'ର ପରିପୂର୍ଣ୍ଣତା। ସତ୍ତ୍ଵ, ରଜ ଓ ତମ - ଏହି ତିନୋଟି ଗୁଣ ଯୋଗୁଁ ଆମ ଶରୀର ଜଡ଼ ଏବଂ ଆମ ଭିତରେ ଏହି ତିନିଗୁଣ ଏକ ସ୍ୱୟଂ-ନିର୍ମିତ ସଫ୍ଟୱେୟାର୍ ପରି ରହିଥାଏ। ଯଦି ଆମ ମଧ୍ୟରେ ଏହି ତ୍ରିଗୁଣ ନଥାନ୍ତା, ତେବେ ଜୀବନରେ କେବଳ ଦୁଃଖ ହିଁ ଦୁଃଖ ଥାଆନ୍ତା, ଏପରିକି ଆମେ ଶୋଇ ମଧ୍ୟ ପାରି ନଥାନ୍ତୁ।
ୟୋଗୋ ଭବତି ଦୁଃଖହା' -
ଅର୍ଥାତ୍ ଯଦି ନିଦ୍ରା ଠିକ୍ ହେଲା ନାହିଁ, ତେବେ ଆମେ କିଛି ହରାଉଛୁ ଏବଂ ଯଦି ନିଦ୍ରା ଠିକ୍ ହେଉଛି, ତେବେ ଆମେ ଯୋଗ ମାର୍ଗରେ ଯିବା ପାଇଁ ପ୍ରସ୍ତୁତ ହେଉଛୁ।
ଶ୍ରୀଭଗବାନ ଆଗକୁ ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ବୃଦ୍ଧି ପାଇଲେ କ’ଣ ହୁଏ, ତାହାର ବର୍ଣ୍ଣନା ମଧ୍ୟ କରିଛନ୍ତି। ଶ୍ରୀଭଗବାନ ଏହି କଥା ସ୍ପଷ୍ଟ କରିଦେଇଛନ୍ତି ଯେ, ୨୪ କ୍ୟାରେଟ୍ ସୁନାରେ ଅଳଙ୍କାର ତିଆରି ହୋଇପାରିବ ନାହିଁ। ୨୪ କ୍ୟାରେଟ୍ ସୁନା ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥିଲେ ମଧ୍ୟ ସେଥିରେ ଗହଣା ଗଢ଼ାଯାଇପାରେ ନାହିଁ। ଅଳଙ୍କାର ତିଆରି ପାଇଁ ଶୁଦ୍ଧ ସୁନାରେ କିଛି ଅଶୁଦ୍ଧି ବା ମିଶ୍ରଣ କରିବାକୁ ପଡ଼ିଥାଏ। ଠିକ୍ ସେହିପରି, ଆମ ଭିତରେ ବିଶୁଦ୍ଧ ଆତ୍ମା ଥିଲେ ମଧ୍ୟ ଯଦି ପ୍ରକୃତିରୁ ପ୍ରାପ୍ତ ତମୋଗୁଣ ରୂପକ ଅଶୁଦ୍ଧି ନଥାଏ, ତେବେ ଜୀବନ ଆଗକୁ ବଢ଼ିପାରିବ ନାହିଁ। କିନ୍ତୁ, ଯଦି ଆମ ଭିତରେ କେବଳ ତମୋଗୁଣ ବୃଦ୍ଧି ପାଏ, ତେବେ ଆମେ କୁମ୍ଭକର୍ଣ୍ଣ ପାଲଟିଯିବା। ସେହିପରି କିଛି ତମୋଗୁଣୀ ବ୍ୟକ୍ତି ଶୋଇବାରେ ଏତେ ଅଭ୍ୟସ୍ତ ହୋଇଯାନ୍ତି ଯେ, ଯେତେ ଉଠାଇଲେ ମଧ୍ୟ ସେମାନଙ୍କର ନିଦ ଭାଙ୍ଗେ ନାହିଁ।
ଜୀବନରେ କିଛି ଲୋକ ରାବଣ ଭଳି, ସେମାନେ ନିଜକୁ ନିୟନ୍ତ୍ରିତ କରିପାରନ୍ତି ନାହିଁ; ପ୍ରକୃତରେ ଆତ୍ମ-ନିୟନ୍ତ୍ରଣ ମଧ୍ୟ ଏକ କଳା। କାହାକୁ ପରାସ୍ତ କରିବା , କାହାଠୁ କିଛି ଛଡେଇନେବା,ଏହି ସବୁ କାମରେ ସେମାନେ ଲିପ୍ତ ରୁହନ୍ତି। ପ୍ରାୟତଃ ଆମେ ମଧ୍ୟ ଏଭଳି ଧନ ପ୍ରାପ୍ତିର ଲାଳସାରେ ଲାଗି ରହି ଭୁଲିଯାଉ ଯେ ଜୀବନକୁ ନିୟନ୍ତ୍ରିତ କରିବା ଓ ଉନ୍ନତ କରିବା ଆବଶ୍ୟକ।
ଆମେମାନେ ଭାଗ୍ୟଶାଳୀ, ଯେ ଜୀବନର ଉନ୍ନତି ପଥରେ ପଦାର୍ପଣ କରିଛନ୍ତି ଏବଂ ପ୍ରତିଦିନ ସମୟ ଦେଇ ଗୀତା ଅଧ୍ୟୟନ କରୁଛନ୍ତି, ଯାହା ଜୀବନକୁ ସମଗ୍ର ଭାବରେ ବୁଝିବାରେ ସହାୟକ। ରାବଣର ଏପରି ସଦ୍ବୁଦ୍ଧି ନଥିଲା। ନିଜ ପାଖରେ ପଞ୍ଚକନ୍ୟାମାନଙ୍କ ମଧ୍ୟରୁ ଅନ୍ଯତମା ଅତ୍ୟନ୍ତ ସୁନ୍ଦରୀ ରାଣୀ ମନ୍ଦୋଦରୀ ଥିଲେ। ତଥାପି ବନବାସିନୀ ସୀତାଙ୍କୁ ଦେଖି, ତାଙ୍କୁ ପାଇଲେ ସବୁ ସୁଖ ମିଳିବ ବୋଲି ଭାବି, ସେ ତାଙ୍କର ଅପହରଣ କରିଥିଲା। ଏହା ରଜୋଗୁଣର ଆଧିକ୍ଯର ପରିଣାମ।
ରାବଣ ସୁନାର ଲଙ୍କା ତିଆରି କରିଥିଲା, କିନ୍ତୁ ସେ ସୁଖୀ ନଥିଲା। ସେ କୁବେରଙ୍କୁ ମଧ୍ୟ ହରାଇ ତାଙ୍କର ସମସ୍ତ ସମ୍ପତ୍ତି ଓ ବିମାନ ଅପହରଣ କରିଆଣିଥିଲା। ସେହି ବିମାନରେ ସେ ସୀତାଙ୍କୁ ଅପହରଣ କରିଥିଲା ଏବଂ ପରେ ଶ୍ରୀରାମ ସେହି ବିମାନରେ ସୀତାଙ୍କୁ ଧରି ଅଯୋଧ୍ୟାକୁ ଫେରିଥିଲେ। ରାବଣ ସମସ୍ତ ଗ୍ରହଙ୍କୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଥିଲା। ଇନ୍ଦ୍ର ଓ ସମସ୍ତ ଦେବତା ତାଙ୍କୁ ଭୟ କରୁଥିଲେ। ସେ ବିଖ୍ଯାତ ପଣ୍ଡିତ, ବେଦବତ୍ତା ଓ ସଙ୍ଗୀତ ଶାସ୍ତ୍ରରେ ପାରଙ୍ଗମ ଥିଲା। ସେ ଶିବ ତାଣ୍ଡବ ପରି ଅତ୍ୟନ୍ତ କଠିନ ସ୍ତୋତ୍ର ରଚନା କରିଥିଲା।
କୁମ୍ଭକର୍ଣ୍ଣ ତମୋଗୁଣର ପ୍ରତୀକ, ରାବଣ ରଜୋଗୁଣର ପ୍ରତୀକ ଏବଂ ତୃତୀୟ ଭାଇ ବିଭୀଷଣ ସାତ୍ତ୍ୱିକଗୁଣର ପ୍ରତୀକ। ସତ୍ତ୍ୱଗୁଣ ସମ୍ପନ୍ନ ବିଭୀଷଣ ନିଜ ଭାଇ ରାବଣକୁ ଅନେକ ବୁଝାଇଥିଲେ, କିନ୍ତୁ ରାବଣ ବୁଝିଲା ନାହିଁ, ତେଣୁ ସେ ଲଙ୍କା ଛାଡ଼ି ଶ୍ରୀରାମଙ୍କର ଶରଣାପନ୍ନ ହେଲେ।
ସତ୍ତ୍ୱଗୁଣ ବଢ଼ିଲେ ମଣିଷ ସାତ୍ତ୍ୱିକ ହୋଇଯାଏ। ବିଭୀଷଣ ତାହାର ଉଦାହରଣ।
14.7
ରଜୋ ରଗାତ୍ମକଂ(ମ୍) ବିଦ୍ଧି, ତୃଷ୍ଣାସଙ୍ଗସମୁଦ୍ଭବମ୍।
ତନ୍ନିବଧ୍ନାତି କୌନ୍ତେୟ, କର୍ମସଙ୍ଗେନ ଦେହିନମ୍॥7॥
ତମସ୍ତ୍ୱଜ୍ଞାନଜଂ(ମ୍) ବିଦ୍ଧି, ମୋହନଂ(ମ୍) ସର୍ବଦେହିନାମ୍।
ପ୍ରମାଦାଲସ୍ୟନିଦ୍ରାଭିଃ(ସ୍), ତନ୍ନିବଧ୍ନାତି ଭାରତ॥8॥
ସତ୍ତ୍ୱଂ(ମ୍) ସୁଖେ ସଞ୍ଜୟତି, ରଜଃ(ଖ୍) କର୍ମଣି ଭାରତ।
ଜ୍ଞାନମାବୃତ୍ୟ ତୁ ତମଃ(ଫ୍), ପ୍ରମାଦେ ସଞ୍ଜୟତ୍ୟୁତ॥9॥
ସତ୍ତ୍ୱଗୁଣ ବ୍ୟକ୍ତିକୁ ସୁଖରେ ଲଗାଇଥାଏ ଯାହା ଆନନ୍ଦ ପ୍ରଦାନକାରୀ ତଥା ବିଜୟ ପ୍ରାପ୍ତି କରାଏ । ରଜଗୁଣ ପ୍ରାଣୀକୁ କାମରେ ଲଗାଇଥାଏ । ତମୋଗୁଣ ପ୍ରାଣୀର ଜ୍ଞାନକୁ ଢାଙ୍କି ପକାଏ ଯାହାଦ୍ୱାରା ପ୍ରାଣୀ ଜ୍ଞାନ ଥାଇ ମଧ୍ୟ ଅଜ୍ଞାନ ପରି କାର୍ଯ୍ୟ ଓ ବ୍ୟବହାର କରିଥାଏ । ବ୍ୟକ୍ତି ଦ୍ୱାରା ଭୂଲ କାର୍ଯ୍ୟ କରାଇଥାଏ, କାମନା ଗୁଡ଼ିକ ପଛରେ ଦୌଡାଇ ବ୍ୟକ୍ତିର ପତନର କାରଣ ସାଜେ ।
ଏହି ପ୍ରକାରରେ ତମୋଗୁଣ ଆସୁରୀ ସମ୍ପଦା ର ପରିଚାୟକ । ଷୋଡଶ ଅଧ୍ୟାୟରେ ଶ୍ରୀଭଗବାନ ଦୈବୀ ସମ୍ପଦା ବିଷୟରେ ବିସ୍ତୃତ ଭାବେ ନିମ୍ନମତେ କହିଛନ୍ତି :
दानं(न्)दमश्च यज्ञश्च, स्वाध्यायस्तपआर्जवम्॥
अहिंसा सत्यमक्रोधः(स्), त्यागः(श्)शान्तिरपैशुनम्।
दयाभूतेष्वलोलुप्त्वं(म्), मार्दवं(म्)ह्रीरचापलम्॥
ଏତଦ୍ ପଶ୍ଚାତ ଶ୍ରୀଭଗବାନ କେବଳ ଛଅଗୋଟି ଆସୁରୀ ସମ୍ପଦା ବିଷୟରେ ନିର୍ଦ୍ଦେଶ କରିଛନ୍ତି ଯାହା ତମୋଗୁଣରୁ ହିଁ ଉତ୍ପନ୍ନ ହୋଇଥାଏ ।
ତମୋଗୁଣକୁ କମେଇଲେ ରଜୋଗୁଣ ବଢିଥାଏ, ରଜୋଗୁଣକୁ କମେଇଲେ ଉନ୍ନତି ଘଟି ସତ୍ତ୍ୱଗୁଣକୁ ବ୍ୟକ୍ତି ପ୍ରାପ୍ତ ହୋଇଥାଏ । ନିମ୍ନ ସିଡିମାନଙ୍କୁ ତ୍ୟାଗ ନକରିବା ପର୍ଯ୍ୟନ୍ତ ଉପର ସିଡି ବ୍ୟବହାର କରି ଆଗକୁ ବଢ଼ି ହେବନାହିଁ । ତ୍ୟାଗ ହେଉଛି ଦୈବୀ ସମ୍ପଦା । ଏହି ପ୍ରକାରରେ ନିୟନ୍ତ୍ରଣ ପ୍ରକ୍ରିୟା ମଧ୍ୟ ଦୈବୀ ସମ୍ପଦା । ମନକୁ ନିୟନ୍ତ୍ରଣରେ ନରଖି ରଜଗୁଣରୁ ଆଗକୁ ବଢିବା ସହଜ ନୁହେଁ ।
ଶ୍ରୀଭଗବାନ କୁହନ୍ତି କି ମନୁଷ୍ୟକୁ କିନ୍ତୁ ଏହି ତିନି ଗୁଣ ଭିତରେ ବୁଡି ରହିବା ଉଚିତ ନୁହେଁ ।
ରଜସ୍ତମଶ୍ଚାଭିଭୂୟ, ସତ୍ତ୍ୱଂ(ମ୍) ଭବତି ଭାରତ।
ରଜଃ(ସ୍) ସତ୍ତ୍ୱଂ(ନ୍) ତମଶ୍ଚୈବ, ତମଃ(ସ୍) ସତ୍ତ୍ୱଂ(ମ୍) ରଜସ୍ତଥା॥10॥
ରଜୋଗୁଣ ଓ ତମୋଗୁଣକୁ ଦମନ କଲେ ସତ୍ତ୍ୱଗୁଣର ବୃଦ୍ଧି ଘଟିଥାଏ । ଦମନ କରିବାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଆମ ସମାଜରେ ପ୍ରଚଳିତ ଉପବାସ ପଦ୍ଧତି । ନିଜ ଇଚ୍ଛାକୁ ଦମନ କରିବା, ଭୋଜନର ଲାଳସାକୁ ଦମନ କରିବା ଓ ମାନସିକ ସଂଯମତା ପାଳନ କରିବା ଦ୍ୱାରା ତମୋଗୁଣରୁ ରଜୋଗୁଣ ଆଡ଼କୁ ଅଗ୍ରସର ହୋଇଥାନ୍ତି । ଠିକ୍ ଏହିପରି ରଜୋଗୁଣକୁ ଦମନ କରି ସତ୍ତ୍ୱଗୁଣ ଆଡକୁ ବ୍ୟକ୍ତି ବଢ଼ିଥାଏ ।
ଯଦି ଆମେ ରଜୋଗୁଣ ଏବଂ ସତ୍ତ୍ୱଗୁଣକୁ ଦମନ କରୁ, ତେବେ ତମୋଗୁଣ ବୃଦ୍ଧି ପାଏ। ଯେତେବେଳେ ବି କୌଣସି ଦୁଇଟି ଗୁଣକୁ ଆମେ ଦବାଇ ଦେଉ, ସେତେବେଳେ ତୃତୀୟ ଗୁଣଟି ବଢ଼ିବାକୁ ଲାଗେ। ଜୀବନରେ ଏହିପରି ଭାବେ ତିନୋଟି ଗୁଣ ନିଜେ ନିଜେ ସନ୍ତୁଳିତ (Balance) ହୋଇଥାନ୍ତି।
ସର୍ବଦ୍ୱାରେଷୁ ଦେହେଽସ୍ମିନ୍, ପ୍ରକାଶ ଉପଯାୟତେ।
ଜ୍ଞାନଂ(ମ୍) ୟଦା ତଦା ବିଦ୍ୟାଦ୍, ବିବୃଦ୍ଧଂ(ମ୍) ସତ୍ତ୍ୱମିତ୍ୟୁତ॥11॥
ଆମେ ଦୀପ ପ୍ରଜ୍ଜ୍ୱଳନ ପରି କାର୍ଯ୍ୟ ପ୍ରତୀକାତ୍ମକ ଭାବେ କରିଥାଉ। ଆମେ ପ୍ରତ୍ୟେକ କାର୍ଯ୍ୟର ଆରମ୍ଭରେ ମଧ୍ୟ ଦୀପ ପ୍ରଜ୍ଜ୍ୱଳନ କରିଥାଉ, ଏହି ପ୍ରାର୍ଥନା ସହିତ କି, ବାହାରେ ଯେଉଁ ପ୍ରକାଶ ଅଛି, ସେହି ସମାନ ଆଲୋକ ଆମ ଭିତରେ ମଧ୍ୟ ପ୍ରଜ୍ଜ୍ୱଳିତ ହେଉ।
ଦୀପ ପ୍ରଜ୍ୱଳନ ସମୟରେ ଆମେ ଏହି ସ୍ତୁତି କରୁ—
शुभम् करोति कल्याणम्, आरोग्यन् धन सम्पद:।
ଆମ ଭିତରର ଶତ୍ରୁଭାବର ବିନାଶ ହେଉ — ଏହି ପ୍ରାର୍ଥନା କରାଯାଏ।
“निर्वैरः(स्) सर्वभूतेषु, यः(स्) स मामेति पाण्डव”
ଅର୍ଥାତ୍—ସମସ୍ତ ପ୍ରାଣୀ ପ୍ରତି ଯାହାର କୌଣସି ବିରୋଧ ନାହିଁ, ସେହି ବ୍ୟକ୍ତି ମୋତେ ପ୍ରାପ୍ତ କରେ।
ଆମେ ଅନେକ ସମୟରେ ନିଜ ମନରେ ବହୁତ ବିରୋଧାଭାସ ଓ ଶତ୍ରୁ ଭାବ ଧାରଣ କରିଥାଉ ଯାହାପାଇଁ ଆମ ମନ ଅଶାନ୍ତ ରହିଥାଏ। ତମୋଗୁଣ ବୃଦ୍ଧି ହୋଇ ଆମେ କ୍ରୋଧିତ ହୋଇଯାନ୍ତି। ସେଥିପାଇଁ ତମୋଗୁଣ ଓ କ୍ରୋଧକୁ କମାଇବା ପାଇଁ ସଚେତନ ରହିବା ଦରକାର। ଯେତେବେଳେ କ୍ରୋଧ ଆସେ, ସେତେବେଳେ ତାହାର କାରଣକୁ ଦୁଇ-ତିନି ଦିନ ଧରି ଭଲଭାବେ ବିଶ୍ଳେଷଣ କରିବା ଦରକାର, କାହିଁକି କ୍ରୋଧ ଆସୁଛି? କାହାର ଆଗମନ, ପସନ୍ଦ ଯୋଗ୍ୟ ଖାଦ୍ୟ ନମିଳିବା, ସମୟରେ ଭୋଜନ ନମିଳିବା, ଆଶା ଅନୁଯାୟୀ କାମ ନହେବା, କିମ୍ବା ଆମ ଅଭ୍ୟାସରେ ବାଧା ଆସିବା,ଏହି ସବୁ କାରଣ ହୋଇପାରେ। ଯେତେବେଳେ ଆମେ କ୍ରୋଧର ସ୍ୱରୂପ ଓ ପ୍ରତିରୂପକୁ ବୁଝିଯାଉ, ସେତେବେଳେ ଜାଗ୍ରତ ହେବାପାଇଁ ସମତ୍ୱକୁ ନିଜ ଭିତରେ ଧାରଣ କରିବା ଦରକାର। ଭଗବାନ ଆମର ମାର୍ଗ ଦର୍ଶନ କରିବାକୁ ଯାଇ କହିଛନ୍ତି —
“शीतोष्ण सुखदुःखेषु,समः(स्) सङ्गविवर्जितः”
ଦୈବୀ ସମ୍ପଦ“ଦମନ”ଦ୍ୱାରା ତାହାକୁ ଦମିତ କରାଗଲେ, କ୍ରୋଧର ଆବେଗକୁ ନିୟନ୍ତ୍ରଣ କରିବାର କ୍ଷମତା ଆସିବ। ଏଭଳି ଅଭ୍ୟାସ କରି କ୍ରୋଧକୁ ଦମନ କଲେ ଆମେ ତମୋଗୁଣରୁ ରଜୋଗୁଣକୁ ଏବଂ ପରେ ସତ୍ତ୍ୱଗୁଣକୁ ଉନ୍ନତି କରିପାରିବା।
ଲୋଭଃ(ଫ୍) ପ୍ରବୃତ୍ତିରାରମ୍ଭଃ(ଖ୍), କର୍ମଣାମଶମଃ(ସ୍) ସ୍ପୃହା।
ରଜସ୍ୟେତାନି ଜାୟନ୍ତେ, ବିବୃଦ୍ଧେ ଭରତର୍ଷଭ॥12॥
ରଜୋଗୁଣ ବୃଦ୍ଧି ପାଇଲେ ଲୋଭର ପ୍ରବୃତ୍ତି ବଢ଼ିଯାଏ। ଆମେ ସକାମ ଭାବରେ କର୍ମ ଆରମ୍ଭ କରୁଥାଉ,ଏହି କାମ କରିଲେ ମୋତେ କ’ଣ ମିଳିବ? ପ୍ରତ୍ୟେକ କାମ ପରେ କିଛି ଲାଭ ପାଇବାକୁ ଆମର ଆଶା ରହେ। ଏହି ପ୍ରବୃତ୍ତି ଆମ ପାଖରେ ପିଲାବେଳୁ ହିଁ ଗଢ଼ାଯାଏ। ଯେପରିକି,ପରୀକ୍ଷାରେ ନବେ ପ୍ରତିଶତ ଅଙ୍କ ଆଣିଲେ ବାଇକ୍ ମିଳିବ। ବାଇକ୍ ପାଇବା ପାଇଁ ନବେ ପ୍ରତିଶତ ଆଣିବାକୁ ଚେଷ୍ଟା କରାଗଲା — ଏହା ସକାମ କର୍ମ। ଜ୍ଞାନ ପ୍ରାପ୍ତି ପାଇଁ ନୁହେଁ ବରଂ ମୋଟର ସାଇକେଲ୍ ପାଇବା ଉଦ୍ଦେଶ୍ୟରେ ପରୀକ୍ଷା ପାଇଁ ପଢ଼ା ହେଲା।
ରଜୋଗୁଣରୁ ଅଶାନ୍ତି ଏବଂ ବିଷୟଭୋଗ ପ୍ରତି ତୀବ୍ର ଆକାଂକ୍ଷା ଜନ୍ମ ନେଇଥାଏ। ଆମେ ଶାନ୍ତ ରହିପାରୁ ନାହିଁ। ବର୍ତ୍ତମାନ ଆମ ପାଖେ ତିନି-କୋଠାରୀ ବିଶିଷ୍ଟ ଫ୍ଲାଟ୍ ଅଛି, କିନ୍ତୁ ଆମକୁ ପାଞ୍ଚଟି କୋଠାରୀ ଥିବା ଫ୍ଲାଟ୍ର ଆବଶ୍ୟକ। ପାଞ୍ଚଟି କୋଠରୀ ମିଳିଗଲେ ମଧ୍ୟ ମନ ବୁଝେ ନାହିଁ । ଏବେ ବଙ୍ଗଳା ଦରକାର। ପୁଣି ସେହି ବଙ୍ଗଳା ନୁହେଁ — ବଡ଼ ବଗିଚା ସହିତ ବଙ୍ଗଳା ଦରକାର। ଏବେ ଯେଉଁ କାର୍ ଅଛି ସେଥିରେ ସନ୍ତୋଷ ନାହିଁ, ବଡ଼ କାର୍ ଦରକାର। “ଅଡି ଦରକାର, ମର୍ସିଡିଜ୍ ଦରକାର”ଇତ୍ୟାଦି।
ଆମର ମାନସିକ ସନ୍ତୁଳନ ବିଗଡ଼ିଯାଏ, କାରଣ ଆମେ କେବେ ଶାନ୍ତ ରହିବାକୁ ଶିଖୁ ନାହୁଁ। ଆମେ ସଦା ଅଶାନ୍ତ ରହୁଛୁ। ରାତିରେ ମଧ୍ୟ ସେହି ପ୍ରକାର ସ୍ଵପ୍ନ ଦେଖୁଛୁ। ଯେପରି ଆମର ମନ ଥାଏ, ସେପରି ସ୍ଵପ୍ନ ଆସେ — ଏବଂ ଆମେ ସେହି ସ୍ଵପ୍ନରେ ହିଁ ହଜିଯାଉ। ରଜୋଗୁଣ ଆମ ମନରେ ଅଶାନ୍ତିକୁ ଆହୁରି ବଢ଼ାଏ।
ଅପ୍ରକାଶୋଽପ୍ରବୃତ୍ତିଶ୍ଚ, ପ୍ରମାଦୋ ମୋହ ଏବ ଚ।
ତମସ୍ୟେତାନି ଜାୟନ୍ତେ, ବିବୃଦ୍ଧେ କରୁନନ୍ଦନ॥13॥
ତମୋଗୁଣ ବୃଦ୍ଧି ପାଇଲେ ଅନ୍ତଃକରଣରେ ଅପ୍ରକାଶ ଅର୍ଥାତ୍ ଅନ୍ଧକାର ସୃଷ୍ଟି ହୁଏ । କର୍ତ୍ତବ୍ୟ କର୍ମ ପ୍ରତି ଅପ୍ରବୃତ୍ତି (ଅନିଚ୍ଛା) ଜାଗ୍ରତ ହୁଏ। ମଣିଷ କାମ କରିବା ଭୁଲିଯାଏ। କର୍ତ୍ତବ୍ୟ କର୍ମର ମଧ୍ୟ ବିସ୍ମରଣ ହୋଇଯାଏ (ମନେ ରହେ ନାହିଁ)। ନିଦ୍ରା ଓ ପ୍ରମାଦ ବଢ଼ିଯାଏ। ଅନ୍ତଃକରଣର ମୋହଗ୍ରସ୍ତ ବୃତ୍ତିଗୁଡ଼ିକ ଜାଗ୍ରତ ହୁଏ। ଅନ୍ତଃକରଣ ଶୋଇଯାଏ। ଅନ୍ତଃକରଣକୁ କିଛି ଜଣାପଡ଼େ ନାହିଁ। ମନ ମଧ୍ୟ କୌଣସି ପ୍ରତିକ୍ରିୟା ବା ଉତ୍ତର ଦିଏ ନାହିଁ। କେବଳ ଶୋଇ ରହିବାକୁ ଇଚ୍ଛା ହୁଏ। ତମୋଗୁଣୀ ବ୍ୟକ୍ତି ମାନସିକ ଚାପ ଦୂର କରିବା ପାଇଁ ଗୋଟିଏ ମାତ୍ର ଉପାୟ ବାହାର କରେ ଯେ— "ମତେ କେବଳ ଶୋଇବାକୁ ହେବ।"
ଅତ୍ୟଧିକ ରଜୋଗୁଣୀ ବ୍ୟକ୍ତି ଯେଉଁମାନେ ଅତିକ୍ରିୟାଶୀଳ (Hyper-active) ହୋଇଥାନ୍ତି, ସେହିଭଳି ଲୋକଙ୍କୁ ମଧ୍ୟ ରାତିରେ ନିଦ ହୁଏ ନାହିଁ, ତେଣୁ ସେମାନଙ୍କୁ ନିଦ ବଟିକା ଖାଇବାକୁ ପଡ଼ିଥାଏ। ସେମାନଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାକୁ ପଡ଼େ; ମନସ୍ତତ୍ତ୍ୱବିତ୍ ମାନେ ନିଦ ବଟିକା ଦିଅନ୍ତି ଯେପରି ସେହି ବ୍ୟକ୍ତିଙ୍କୁ ଔଷଧ ଦେଇ ଶୁଆଇ ଦିଆଯାଇପାରିବ। ଏହା ହେଉଛି ପାଶ୍ଚାତ୍ୟ ଏଲୋପାଥି ବିଜ୍ଞାନର ପଦ୍ଧତି।
ଆମ ଦେଶ ଭାରତରେ “ବ୍ରେକ୍-ଡାଉନ୍ ସର୍ଭିସ୍” (ଭାଙ୍ଗିଗଲେ ମରାମତି କରିବା) ନୁହେଁ ବରଂ“ରେଗୁଲାର୍ ମେଣ୍ଟେନାନ୍ସ”(ନିୟମିତ ରକ୍ଷଣାବେକ୍ଷଣ)କୁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ଆମ ପାଖରେ“ତ୍ରିକାଳ ସନ୍ଧ୍ୟା”ର ପଦ୍ଧତି ରହିଛି। ସ୍ୱର୍ଗ ଏବଂ ନର୍କ ଆମର ପରମ ଲକ୍ଷ୍ୟ ସ୍ଥଳ ନୁହେଁ। ଯଦ୍ୟପି କେହି ସ୍ୱର୍ଗକୁ ଯିବାକୁ ଚାହାଁନ୍ତି, ତେବେ ସେ ବୁଝିପାରେ ଯେ ଯଦି ଜଣେ ଭିକାରୀକୁ ରାଜପ୍ରାସାଦକୁ ନିଆଯାଇ ତା ଆଗରେ ପାଞ୍ଚପ୍ରକାର ଖାଦ୍ୟ ପରଷା ଯାଏ, ତେବେ ସେ ତାହା ପସନ୍ଦ କରେ ନାହିଁ। ଭିକାରୀ ବାସି ରୁଟି ଖାଇବାରେ ଏତେ ଅଭ୍ୟସ୍ତ ଯେ ରାଜକୀୟ ପ୍ରସାଦ ପରିବେଷଣ କଲେ ମଧ୍ୟ ସେ ତାହା ହିଁ ମାଗେ। କିଛି ଲୋକ ଅଛନ୍ତି ଯେଉଁମାନେ ବାସି ରୁଟି ଖାଇବାରେ ଏତେ ଅଭ୍ୟସ୍ତ ଯେ ସେମାନଙ୍କୁ ସ୍ଵାଦିଷ୍ଟ ଭୋଜନ ପସନ୍ଦ ହୁଏ ନାହିଁ। ସେହିପରି, ତମୋଗୁଣୀ ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତ କରିପାରିବେ ନାହିଁ। ସନ୍ଧି-କାଳରେ ସନ୍ଧ୍ୟା ଉପାସନା କରିବାକୁ ହୁଏ। ଯେତେବେଳେ ସୂର୍ଯ୍ୟୋଦୟ ହେଉଛି (ରାତି ପରେ ଦିନ ଆରମ୍ଭ ହେଉଛି), ମଧ୍ୟାହ୍ନରେ (ଯେତେବେଳେ ଦିନର ପରିବର୍ତ୍ତନ ହେଉଛି) ଏବଂ ସନ୍ଧ୍ୟା ସମୟରେ (ଯେତେବେଳେ ଦିନ ଶେଷ ହୋଇ ସୂର୍ଯ୍ୟାସ୍ତ ହେଉଛି) – ଏହି ତିନୋଟି ଯାକ ସନ୍ଧି କାଳରେ ସନ୍ଧ୍ୟା କରିବା ବିଧେୟ।
ଏହି ତିନି ସନ୍ଧ୍ୟା ସମୟରେ ପ୍ରାଣାୟାମ କରିବା ପାଇଁ କୁହାଯାଇଛି। ଅନୁଲୋମ-ବିଲୋମ କରିବାକୁ ହୋଇଥାଏ। ଅନୁଲୋମ-ବିଲୋମ ଦ୍ୱାରା ଆମର ଦୁଇ ନାସିକା ଦ୍ୱାର ଦେଇ ଯେପରି ଅଧିକ ପ୍ରଶ୍ୱାସ ବାୟୁ ଯାଇପାରିବ, ସେଥିପାଇଁ ସିଧା ହୋଇ ବସିବାକୁ ପରାମର୍ଶ ଦିଆଯାଏ। ସିଧା ହୋଇ ବସିବା ଦ୍ୱାରା ଡାୟାଫ୍ରାମ୍ (Diaphragm) ତଳକୁ ହୋଇଥାଏ, ଯାହା ଫଳରେ ଫୁସଫୁସକୁ ଅଧିକ ଫୁଲିବା ପାଇଁ ସ୍ଥାନ ମିଳିଥାଏ।
ପ୍ରାଣାୟାମରେ ଲମ୍ବା ଗଭୀର ଶ୍ୱାସ ନେବାକୁ 'ପୂରକ' କୁହାଯାଏ। ଶ୍ୱାସକୁ ଭିତରେ ରୋକିବାକୁ 'କୁମ୍ଭକ' କୁହାଯାଏ ଏବଂ ଗଭୀର ଶ୍ୱାସ ଛାଡ଼ିବାକୁ 'ରେଚକ' କୁହାଯାଏ। ଏହି ତିନୋଟି ଯାକ କ୍ରିୟା ନିୟନ୍ତ୍ରିତ ହେଲେ ତାହାକୁ ପ୍ରାଣାୟାମ କୁହାଯାଏ।
ଯଦି ଏହି ପ୍ରାଣାୟାମ ମାତ୍ର କିଛି ମିନିଟ୍ ପାଇଁ କରାଯାଏ, ତେବେ ଉଭୟ ନାସିକା ରନ୍ଧ୍ର ଖୋଲିଯାଏ ଏବଂ ମସ୍ତିଷ୍କର ଦୁଇଟି ଯାକ ପାର୍ଶ୍ୱ ମଧ୍ୟ ସକ୍ରିୟ ହୋଇଯାଏ। ଆମର ମସ୍ତିଷ୍କ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିଥାଏ। ପାଞ୍ଚ ମିନିଟର ପ୍ରାଣାୟାମ ପାଞ୍ଚ ଘଣ୍ଟା ପାଇଁ ଲାଭଦାୟକ ହୋଇଥାଏ, ସେଥିପାଇଁ ଶ୍ରୀଭଗବାନ ଆମକୁ ବାରମ୍ବାର ଯୋଗ ମାର୍ଗ ଆପଣେଇବାକୁ କହୁଛନ୍ତି।
“ତସ୍ମାଦ୍ୟୋଗୀ ଭବାର୍ଜୁନ" (ତେଣୁ ହେ ଅର୍ଜୁନ! ତୁମେ ଯୋଗୀ ହୁଅ)।
ଆମ ଦେଶରେ ମୋଟାପଣ କମାଇବା ପାଇଁ ମଧ୍ୟ ପ୍ରାଣାୟାମ ବିଷୟରେ କୁହାଯାଇଛି ଯେ, ସୂର୍ଯ୍ୟ ନାଡ଼ିକୁ ଖୋଲିବା ଆବଶ୍ୟକ। ନିଜ ଶରୀରର ତାପମାତ୍ରା ବଢ଼ାଇବା ଦ୍ୱାରା ମୋଟାପଣ କମିବାକୁ ଲାଗେ। ଯଦି ଶରୀର ଦୁର୍ବଳ ଅଛି ଏବଂ ଓଜନ ବଢ଼ାଇବାର ଅଛି, ତେବେ ନାସିକାର ଡାହାଣ ପଟ ରନ୍ଧ୍ର (ସୂର୍ଯ୍ୟ ନାଡ଼ି)କୁ ବନ୍ଦ କରି ବାମ ପଟ ରନ୍ଧ୍ର (ଚନ୍ଦ୍ର ନାଡ଼ି)କୁ ଖୋଲନ୍ତୁ। ସତାଇଶି (୨୭) ଥର ଉପର-ତଳ କରି ଶ୍ୱାସ ନେଲେ ଶରୀର ଥଣ୍ଡା ହେବାକୁ ଲାଗେ ଏବଂ ଶରୀରର ମେଟାବୋଲିଜିମ୍ (Metabolism) ଧୀର ହୋଇଯାଏ। ହଜମ ପ୍ରକ୍ରିୟା ମଧ୍ୟ ଧୀର ହୋଇଯାଏ, ଯାହାଫଳରେ ଶରୀରରେ ଅନ୍ନ ଅଧିକ ସମୟ ପର୍ଯ୍ୟନ୍ତ ରହେ। ଅନ୍ନ ଶରୀରକୁ ଧୀରେ ଧୀରେ ମିଳିଥାଏ ଏବଂ ଶରୀରର ଓଜନ ବୃଦ୍ଧି ପାଏ। ଏହିପରି ଭାବେ ଓଜନ ବଢ଼ାଇବା ଓ କମାଇବା—ଉଭୟ ପାଇଁ ପ୍ରାଣାୟାମ ବର୍ଣ୍ଣନା କରାଯାଇଛି। ଅଦ୍ଭୁତ ଏହି ଯୋଗ ଏବଂ ଯୋଗ ଶାସ୍ତ୍ର ହେଉଛି ଭଗବଦ୍ଗୀତା।
ଏଥିପାଇଁ ହିଁ ପ୍ରତ୍ୟେକ ଅଧ୍ୟାୟର ସମାପ୍ତିରେ ଆମେ କହିଥାଉ-
ଶ୍ରୀଭଗବାନ କହନ୍ତି ଯେ, ତିନୋଟି ଗୁଣକୁ ସଂଯମିତ (Balance) କରିବାର ଉପାୟ ଶ୍ରୀଭଗବାନଙ୍କ ଦ୍ୱାରା ହିଁ ବତାଇ ଦିଆଯାଇଛି। ଅନ୍ତିମ ସମୟରେ ଆମ ଭିତରେ କେଉଁ ଗୁଣଟି ପ୍ରମୁଖ (Prominent) ହୋଇ ରହିଛି, ସେହି ଅନୁସାରେ ମୃତ୍ୟୁ ପରବର୍ତ୍ତୀ ଆମର ଗତି ନିର୍ଭର କରିଥାଏ। ଏହା ମଧ୍ୟ ଗୁଣଗୁଡ଼ିକ ଉପରେ ହିଁ ନିର୍ଭର କରେ। ଶ୍ରୀଭଗବାନ ଆଗକୁ କହୁଛନ୍ତି —
ୟଦା ସତ୍ତ୍ୱେ ପ୍ରବୃଦ୍ଧେ ତୁ, ପ୍ରଲୟଂ(ମ୍) ୟାତି ଦେହଭୃତ୍।
ତଦୋତ୍ତମବିଦାଂ(ମ୍) ଲୋକାନ୍, ଅମଲାନ୍ପ୍ରତିପଦ୍ୟତେ॥14॥
ଯେତେବେଳେ ମନୁଷ୍ୟ ଭିତରେ ସତ୍ତ୍ୱଗୁଣର ନିରନ୍ତର ବୃଦ୍ଧି ହୋଇଥାଏ ଏବଂ ସେହି ସମୟରେ ପ୍ରଳୟ ଅର୍ଥାତ୍ ଦେହର ମୃତ୍ୟୁ ହୁଏ, ତେବେ ସମସ୍ତ ଉତ୍ତମ କର୍ମ କରିଥିବା ସେହି ଲୋକମାନେ ଦିବ୍ୟ ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗ ଲୋକ ପ୍ରାପ୍ତ ହୁଅନ୍ତି। ଏହିପରି ଭାବେ, ସ୍ୱର୍ଗକୁ ଯିବା ପାଇଁ ଏହା ଏକ ଅତ୍ୟନ୍ତ ସହଜ ମାର୍ଗ ବୋଲି କୁହାଯାଇଛି। ଯଦି ଆମେ ସ୍ୱର୍ଗ ଲୋକକୁ ଯିବା ପାଇଁ ଇଚ୍ଛୁକ, ତେବେ ଆମକୁ ନିଜର ସତ୍ତ୍ୱଗୁଣ ବଢ଼ାଇବାକୁ ହେବ।
ଏହାକୁ ଏହିପରି ବୁଝିବାକୁ ହେବ ଯେ, ଆମ କାର୍ଡରେ ‘ବ୍ୟାଲାନ୍ସ’ (ସନ୍ତୁଳନ) ରହିବା ଉଚିତ। ଯେଉଁଦିନ ବ୍ୟାଲାନ୍ସ ଶେଷ ହୋଇଯାଏ, ଆମକୁ ଫାଇଭ୍ ଷ୍ଟାର୍ ହୋଟେଲରୁ ବାହାର କରି ଦିଆଯାଏ; ଠିକ୍ ସେହିପରି ଆମେ ସ୍ୱର୍ଗଲୋକରୁ ମୃତ୍ୟୁ ଲୋକକୁ ଫେରିଆସୁ। କିଛି ଦିନ ଫାଇଭ୍ ଷ୍ଟାର୍ରେ ରହିବା ପାଇଁ କାର୍ଡରେ ବ୍ୟାଲାନ୍ସ ରହିବା ଅନିର୍ବାର୍ଯ୍ୟ। ଏହି କାର୍ଡର ବ୍ୟାଲାନ୍ସ ଧନର ନୁହେଁ ବରଂ ଆମର ଆଧ୍ୟାତ୍ମିକତାର ବ୍ୟାଲାନ୍ସ ଅଟେ। ଯଦି ସ୍ୱର୍ଗ ଯିବାର ଅଛି, ତେବେ ମୃତ୍ୟୁ ସମୟରେ ସତ୍ତ୍ୱଗୁଣର ବ୍ୟାଲାନ୍ସ ରହିବା ଆବଶ୍ୟକ। ସତ୍ତ୍ୱଗୁଣ ମଣିଷକୁ ଊର୍ଦ୍ଧ୍ୱମୁଖୀ କରାଇଥାଏ।
ଘରେ ସମୃଦ୍ଧି ଥିଲେ ଅତିଥି ଆସିଲେ ଖୁସିରେ ବହୁତ ଭଲ ସ୍ୱାଗତ-ସତ୍କାର ହୋଇଥାଏ। ଏହାର ଓଲଟା, ଯଦି ଘରେ ଅଭାବ ଥାଏ ତେବେ ସବୁକିଛି ବିଗିଡି ଯାଏ । ଅତିଥି ସତ୍କାର ଭଲରେ କରି ନ ପାରିଲେ, ଆମକୁ ମଧ୍ୟ ଆନନ୍ଦ ମିଳେ ନାହିଁ।
ଯଦି ମୃତ୍ୟୁ ସମୟରେ ସତ୍ତ୍ୱଗୁଣ ଭରି ରହିଥାଏ, ତେବେ ମୃତ୍ୟୁର ଆଗମନ ମଧ୍ୟ ଭଲ ଲାଗିବ। କିନ୍ତୁ ଯଦି ସତ୍ତ୍ୱଗୁଣର ବ୍ୟାଲାନ୍ସ ନାହିଁ, କେବଳ ରଜୋଗୁଣ କିମ୍ବା ତମୋଗୁଣ ଅଛି ଏବଂ ମୃତ୍ୟୁ ଆସିଯାଏ, ତେବେ କ’ଣ ହେବ? ଏହା ଶ୍ରୀଭଗବାନ ପରବର୍ତ୍ତୀ ଶ୍ଳୋକରେ ବୁଝାଉଛନ୍ତି।
ରଜସି ପ୍ରଲୟଂ(ଙ୍) ଗତ୍ୱା, କର୍ମସଙ୍ଗିଷୁ ଜାୟତେ।
ତଥା ପ୍ରଲୀନସ୍ତମସି, ମୂଢୟୋନିଷୁ ଜାୟତେ॥15॥
ଯଦି ଜଣେ ମନୁଷ୍ୟର ରଜୋଗୁଣ ବୃଦ୍ଧି ହେବା ସମୟରେ ତାର ମୃତ୍ୟୁ ଘଟେ, ତେବେ କର୍ମ ପ୍ରତି ଆସକ୍ତି ଥିବା ଯୋନିରେ , ଅର୍ଥାତ୍ ମାନବ ଯୋନିରେ ଜନ୍ମ ହୁଏ।
ଯଦି ଜଣେ ତମୋଗୁଣରେ ପୂର୍ଣ୍ଣ ଥିବା ସମୟରେ ତା'ର ମୃତ୍ୟୁ ଘଟେ, ତେବେ ତାର ପରବର୍ତ୍ତୀ ଜନ୍ମ ଏକ ବୁଦ୍ଧିହୀନ ଯୋନିରେ, ଅର୍ଥାତ୍ କୀଟପତଙ୍ଗ ଯୋନିରେ ଜନ୍ମ ହୁଏ। ଏହି ଯୋନିରେ ଜନ୍ମ ପ୍ରାଣୀମାନେ ଖାଇବା, ପିଇବା, ଶୋଇବା ଏବଂ ପ୍ରଜନନ କରିବା ବ୍ୟତୀତ କିଛି ଜାଣନ୍ତି ନାହିଁ। ଯଦି ଆମ ଭିତରେ ତାମସ ଗୁଣ ବୃଦ୍ଧି ପାଏ, ତେବେ ଆମେ ମୂଢ ଯୋନିରେ ଜନ୍ମ ହୋଇଥାଉ।
ଝଡ଼ ହେଲେ ସବୁକିଛି ଉଡ଼ିଯାଏ। ଏକ ଛେଳି ଯାହା ପାଏ ତାହା ଖାଇଯାଏ । ସେହିପରି, ଯେଉଁ ବ୍ୟକ୍ତି ନିରନ୍ତର ଭୋଗ-ବିଳାସରେ ଲିପ୍ତ ରହେ ଏବଂ ତାଙ୍କର ବ୍ୟବସାୟ ଭଲ ଚାଲିଥିବା ସତ୍ତ୍ୱେ, ସେ ତାହାର ବିସ୍ତାର କରିବାକୁ ଚାହେଁ ।ଏହି ଚିନ୍ତାଧାରା ତାଙ୍କ ମନରେ ନିରନ୍ତର ରହିଥାଏ। ରଜୋଗୁଣ ପ୍ରାଧାନ୍ୟ ରଖେ, ତେବେ ସେ ନର୍କକୁ ଯାଇ ନପାରେ, କିନ୍ତୁ ଏକ ତମୋଗୁଣୀ ନିଶ୍ଚିତ ରୂପେ ନର୍କଗାମୀ ହେବ।
ସତ୍ତ୍ୱ ଗୁଣ ଥିବା ବ୍ୟକ୍ତି ସ୍ୱର୍ଗକୁ ଯାଆନ୍ତି, କିନ୍ତୁ ଯେତେବେଳେ ସେମାନଙ୍କର ସମୟ ସୀମା ସମାପ୍ତ ହୋଇଯାଏ, ସେମାନଙ୍କୁ ମର୍ତ୍ତ୍ୟଲୋକକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥାଏ।
କର୍ମଣଃ(ସ୍) ସୁକୃତସ୍ୟାହୁଃ(ସ୍), ସାତ୍ତ୍ୱିକଂ(ନ୍) ନିର୍ମଲଂ(ମ୍) ଫଲମ୍।
ରଜସସ୍ତୁ ଫଲଂ(ନ୍) ଦୁଃଖମ୍, ଅଜ୍ଞାନଂ(ନ୍) ତମସଃ(ଫ୍) ଫଲମ୍॥16॥
ଯେଉଁମାନେ ଉତ୍ତମ କର୍ମ କରିଛନ୍ତି ସେମାନେ ସାତ୍ତ୍ୱିକ ଏବଂ ପବିତ୍ର ଫଳ ପ୍ରାପ୍ତ କରନ୍ତି, ସୁଖ, ଜ୍ଞାନ ଏବଂ ବୈରାଗ୍ୟ ପ୍ରାପ୍ତ କରନ୍ତି। ଯେଉଁମାନେ ରଜୋଗୁଣୀ ସେମାନେ ଦୁଃଖ ପ୍ରାପ୍ତ କରନ୍ତି ଯେଉଁମାନେ ତମୋଗୁଣୀ ସେମାନେ କେବଳ ଅଜ୍ଞାନ ପ୍ରାପ୍ତ କରନ୍ତି, ସୁଖ ବଦଳରେ, ସେମାନେ ଆହୁରି ଅତ୍ୟଧିକ ଦୁଃଖ ପାଆନ୍ତି।
କେହି ଜଣେ ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ସହିତ ସୁସଜ୍ଜିତ ଏକ ଭବ୍ୟ ଗୃହ ନିର୍ମାଣ କରନ୍ତି। ଗୃହର ଦ୍ୱାର ମଧ୍ୟ ଇଲେକ୍ଟ୍ରୋନିକ୍; ଏହା ବୁଢ଼ା ଆଙ୍ଗୁଠି ସ୍ପର୍ଶରେ ଉନ୍ମୁକ୍ତ ହୁଏ । ଗୋଟିଏ ଦିନ, ବିଦ୍ୟୁତ୍ ଯୋଗାଣ ହଠାତ୍ ବାଧାପ୍ରାପ୍ତ ହୁଏ ଏବଂ ଘରର ଦ୍ୱାର ଉନ୍ମୁକ୍ତ ହୁଏନାହିଁ। ଏତେ ସୁନ୍ଦର ଘର, କିନ୍ତୁ ଦ୍ୱାର ଖୋଲି ନହେବା କାରଣରୁ ବ୍ୟର୍ଥ ହୋଇଗଲା।
ସେହିପରି, ଆମେ ଯେତେ ଅଧିକ ସୁଖ ପାଇଁ କାମନାରେ ଲିପ୍ତ ହେଉ, ଆମେ ସେତେ ଅଧିକ ଦୁଃଖ ପ୍ରାପ୍ତ କରୁ। ରାଜସିକ କାର୍ଯ୍ୟ ଦୁଃଖ ଆଣିଥାଏ।
"ବିଜ୍ଞାନ"ର ବିପରୀତ ହେଉଛି ଅଜ୍ଞାନ। ଜ୍ଞାନର କୌଣସି ବିପରୀତ ନାହିଁ। ବିଜ୍ଞାନ ପରିବର୍ତ୍ତିତ ହେଉଥାଏ।
ଜ୍ଞାନ ସର୍ବଦା ବିଦ୍ୟମାନ। ଏହା ସନାତନ - ପୂର୍ବରୁ ଯାହା ଥିଲା ଆଜି ମଧ୍ୟ ସମାନ। ଜ୍ଞାନ କେବଳ ସତ୍ତ୍ଵ ଗୁଣ ମାଧ୍ୟମରେ ପ୍ରାପ୍ତ ହୋଇପାରେ। ଏପରି ଜ୍ଞାନ ପ୍ରାପ୍ତି ପଶ୍ଚାତରେ ଜଣେ ବ୍ୟକ୍ତି ସତ୍ତ୍ଵ ଗୁଣରୁ ମଧ୍ୟ ଉର୍ଦ୍ଧ୍ୱଗାମୀ ହେବ । ତେବେ ସେ କେଉଁଠି ପହଞ୍ଚିବେ?
ଏହା ବର୍ଣ୍ଣନା କରିବା ପୂର୍ବରୁ, ଶ୍ରୀ ଭଗବାନ ଆମକୁ ମନେ ପକାଇ ଦେଉଛନ୍ତି ଯେ-
ସତ୍ତ୍ୱାତ୍ସଞ୍ଜାୟତେ ଜ୍ଞାନଂ(ମ୍), ରଜସୋ ଲୋଭ ଏବ ଚ।
ପ୍ରମାଦମୋହୌ ତମସୋ, ଭବତୋଽଜ୍ଞାନମେବ ଚ॥17॥
ସତ୍ତ୍ୱଗୁଣରୁ ଜ୍ଞାନ ଉତ୍ପନ୍ନ ହୁଏ, ରଜୋଗୁଣରୁ ଲୋଭ ଏବଂ ପ୍ରମାଦ, ଆସକ୍ତି ଏବଂ ଅଜ୍ଞାନ, ମୋହ ଆଦି ତମୋଗୁଣରୁ ପ୍ରାପ୍ତ ହୁଏ।
ଊର୍ଧ୍ୱଂ(ଙ୍) ଗଚ୍ଛନ୍ତି ସତ୍ତ୍ୱସ୍ଥା, ମଧ୍ୟେ ତିଷ୍ଠନ୍ତି ରାଜସାଃ।
ଜଘନ୍ୟଗୁଣବୃତ୍ତିସ୍ଥା, ଅଧୋ ଗଚ୍ଛନ୍ତି ତାମସାଃ॥18॥
ଯେଉଁମାନେ ସତ୍ତ୍ୱଗୁଣୀ ସେମାନେ ଉର୍ଦ୍ଧ୍ଵ ଗମନ କରନ୍ତି , ନିରନ୍ତର ବିକାଶ କରି ପ୍ରକାଶ ଆଡ଼କୁ ଉନ୍ମୂଖ ହୁଅନ୍ତି । ଯେଉଁମାନଙ୍କର ରଜୋଗୁଣ ଅଛି ସେମାନେ ମଧ୍ୟଭାଗରେ ରୁହନ୍ତି, ନା ଊର୍ଦ୍ଧ୍ୱଗାମୀ ହୁଅନ୍ତି ନା ନିମ୍ନଗାମୀ ହୁଅନ୍ତି। ଯେଉଁମାନେ ତମୋଗୁଣୀ ସେମାନଙ୍କର ଅଧୋଗତି ହୋଇଥାଏ । ଏକ ଘୃଣ୍ୟ ଅବସ୍ଥାରେ ଅବତରଣ କରନ୍ତି। ସେମାନେ ପାତାଳଲୋକରେ, ନିମ୍ନ ଯୋନିରେ ଅବତରଣ କରନ୍ତି।
ଆମେ ଏହି ତିନୋଟି ଗୁଣରୁ ଉପରକୁ ଉଠିପାରିବା, କିନ୍ତୁ ଆମେ କେଉଁଠାରେ ପହଞ୍ଚିବା?
ଏହା ଏପରି , ଯେପରି ଆମେ ସ୍ଥାୟୀ ଭାବରେ ପଞ୍ଚତାରକାରୁ ସପ୍ତତାରକାକୁ ଗତି କରୁ। ଏହି ଅଧ୍ୟାୟର ନାମ ଗୁଣତ୍ରୟ ବିଭାଗ ଯୋଗ, କିନ୍ତୁ ଏହି ତିନୋଟି ଗୁଣଠାରୁ ମଧ୍ୟ ଉଚ୍ଚତର କିଛି ଅଛି, ଯାହା ବିଷୟରେ ଶ୍ରୀ ଭଗବାନ ଏବେ ବର୍ଣ୍ଣନା କରିଛନ୍ତି....
ନାନ୍ୟଂ(ଙ୍) ଗୁଣେଭ୍ୟଃ(ଖ୍) କର୍ତାରଂ(ମ୍), ୟଦା ଦ୍ରଷ୍ଟାନୁପଶ୍ୟତି।
ଗୁଣେଭ୍ୟଶ୍ଚ ପରଂ(ମ୍) ବେତ୍ତି, ମଦ୍ଭାବଂ(ମ୍) ସୋଽଧିଗଚ୍ଛତି ॥19॥
ଯେତେବେଳେ ଆମେ ଦ୍ରଷ୍ଟା ହୋଇଯାଉ, ସେତେବେଳେ ଆମେ ଜଣେ ଦର୍ଶକ ପରି ହୋଇଯାଉ। ଯେପରି ଆମେ ଏକ ଚଳଚ୍ଚିତ୍ର ଦେଖିବା ସମୟରେ, ଏଥିରେ ପ୍ରଦର୍ଶିତ ହେଉଥିବା ଜିନିଷ ଉପରେ ଆମର କୌଣସି ଅଧିକାର ନଥାଏ, କୌଣସି ନିୟନ୍ତ୍ରଣ ନଥାଏ। ଯାହା ଦେଖାଯାଏ ତାହା ସୁଖଦ ହେଉ କି, ରୁଚିକର ହେଉ ଅବା ଅପ୍ରୀତିକର, କେବଳ ଜଣେ ଦର୍ଶକ ଏବଂ ଦ୍ରଷ୍ଟବ୍ୟଦର୍ଶୀ ଭାବରେ ଆମେ ସବୁକିଛି ଦେଖିଥାଉ।
ସେହିପରି, ଯିଏ ସ୍ୱୟଂ ଜୀବନକୁ ସାକ୍ଷୀ ମନୋଭାବ ସହିତ ଦେଖିବା ଆରମ୍ଭ କରେ ସେ ତିନି ଗୁଣରୁ ଉପରକୁ ଉଠିଯାଏ। ସେ ଅନ୍ୟ କାହାକୁ କର୍ତ୍ତା ଭାବରେ ଦେଖେ ନାହିଁ, ସ୍ୱୟଂକୁ ମଧ୍ୟ ନୁହେଁ। ସେ ତିନି ଗୁଣ ବାହାରେ ପରମାତ୍ମାଙ୍କ, ସଚ୍ଚିଦାନନ୍ଦ ସ୍ୱରୂପକୁ ଅନୁଭବ କରେ। ତତ୍ ପଶ୍ଚାତ, ତାକୁ ଭଗବଦ୍ ସ୍ୱରୂପ ପ୍ରାପ୍ତ ହୁଏ।
"ସ୍ୱର୍ଗବାସୀ" କହିବା ଠିକ୍ ନୁହେଁ। ଆମେ “ଭଗବତ୍ ପଦ” ପ୍ରାପ୍ତ କରୁ। ଆମେ ସେହି ଲୋକକୁ ଯାଉ , ଯେଉଁଠାରେ ଶ୍ରୀ ଭଗବାନ ନିବାସ କରନ୍ତି। ଯଦ୍ୟପି ଆମେ ସେହି ପ୍ରକାଶରେ ବିଲୀନ ହୋଇ ସେହି ଭଗବତ୍ ତତ୍ତ୍ୱ ପ୍ରାପ୍ତ କରୁ, ତେବେ ଆମେ ଜନ୍ମ ଏବଂ ମୃତ୍ୟୁର ଯନ୍ତ୍ରଣାରୁ ରକ୍ଷା ପାଇବା ଏବଂ ତତ୍ ପଶ୍ଚାତ ଆମେ ପୁନର୍ଜନ୍ମ ମଧ୍ୟ ଲଭିବା ନାହିଁ।
ଗୁଣାନେତାନତୀତ୍ୟ ତ୍ରୀନ୍, ଦେହୀ ଦେହସମୁଦ୍ଭବାନ୍ ।
ଜନ୍ମମୃତ୍ୟୁଜରାଦୁଃଖୈଃ(ର୍), ବିମୁକ୍ତୋଽମୃତମଶ୍ନୁତେ॥20॥
ଏପରି ବ୍ୟକ୍ତିମାନେ ସତ୍ତ୍ୱ ଗୁଣ (ଉତ୍ତମ ଗୁଣ) ଅତିକ୍ରମ କରି ସାକ୍ଷୀ ହୋଇଗଲେ ଏବଂ ଗୁଣାତୀତ ହୋଇଗଲେ । ଅର୍ଥାତ୍ ଯେଉଁମାନଙ୍କର ଗୁଣ ମଧ୍ୟ ଅତୀତ ହୋଇଗଲା ସେମାନଙ୍କୁ ଗୁଣାତୀତ (ଗୁଣଗୁଡ଼ିକ ଅତିକ୍ରମ କରି) କୁହାଯାଏ। ଏପରି ଗୁଣାତୀତ ତିନୋଟି ଗୁଣକୁ ଅତିକ୍ରମ କରି ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ଦୁଃଖରୁ ମୁକ୍ତ ହୋଇ ଶ୍ରୀ ଭଗବାନଙ୍କୁ ପ୍ରାପ୍ତ କରନ୍ତି। ଏବେ, ପ୍ରଶ୍ନ ହେଉଛି, ଆମେ କିପରି ଗୁଣାତୀତ ହୋଇ ପାରିବା ?
ଅର୍ଜୁନ ଉବାଚ
କୈର୍ଲିଙ୍ଗୈସ୍ତ୍ରୀନ୍ଗୁଣାନେତାନ୍, ଅତୀତୋ ଭବତି ପ୍ରଭୋ ।
କିମାଚାରଃ(ଖ୍) କଥଂ(ଞ୍) ଚୈତାଂସ୍, ତ୍ରୀନ୍ଗୁଣାନତିବର୍ତତେ॥21॥
ଅର୍ଜୁନ ଶ୍ରୀ ଭଗବାନଙ୍କୁ ପଚାରିଲେ, "ଏହି ତିନୋଟି ଗୁଣକୁ ଅତିକ୍ରମ କରୁଥିବା ପୁରୁଷର ଲକ୍ଷଣ କ'ଣ? ଏହି ଗୁଣକୁ ଅତିକ୍ରମ କରୁଥିବା ପୁରୁଷର ଆଚରଣ କ'ଣ? ଏପରି ପୁରୁଷ କେଉଁ ଉପାୟରେ ଗୁଣାତୀତ ହୋଇ ପାରିବ ?"
ଶ୍ରୀଭଗବାନୁବାଚ
ପ୍ରକାଶଂ(ଞ୍) ଚ ପ୍ରବୃତ୍ତିଂ(ଞ୍) ଚ, ମୋହମେବ ଚ ପାଣ୍ଡବ।
ନ ଦ୍ୱେଷ୍ଟି ସମ୍ପ୍ରବୃତ୍ତାନି, ନ ନିବୃତ୍ତାନି କାଙ୍କ୍ଷତି॥22॥
ଶ୍ରୀ ଭଗବାନ କହିଛନ୍ତି ଯେ ଯିଏ ସତ୍ତ୍ୱ, ରଜୋଗୁଣ ଏବଂ ତମୋଗୁଣର ପ୍ରଭାବକୁ ଘୃଣା କରେ ନାହିଁ ଏବଂ ଯଦି ସେଗୁଡ଼ିକରୁ ନିବୃତ୍ତ ହୁଏ ତେବେ ସେଗୁଡ଼ିକୁ ପ୍ରାପ୍ତ କରିବା ପାଇଁ ଆକାଂକ୍ଷା କରେ ନାହିଁ, ସେ ପ୍ରତ୍ୟେକ ପରିସ୍ଥିତିକୁ ସହଜରେ ସ୍ୱୀକାର କରେ ଏବଂ ଗୁଣରୁ ଉର୍ଦ୍ଧ୍ୱ ଏକ ଅବସ୍ଥା ଆଡ଼କୁ ଏହି ସହଜ ପଥ ଦେଇ ଅଗ୍ରସର ହୁଏ। ସେ ନିଜ ଜୀବନକୁ ସନ୍ତୁଳିତ କରିଥାଏ।
ଉଦାସୀନବଦାସୀନୋ, ଗୁଣୈର୍ୟୋ ନ ବିଚାଲ୍ୟତେ।
ଗୁଣା ବର୍ତ୍ତନ୍ତ ଇତ୍ୟେବ, ୟୋଽବତିଷ୍ଠତି ନେଙ୍ଗତେ॥23॥
ଯିଏ ସାକ୍ଷୀ ହୋଇଯାଏ ସେ ଅନୁଭବ କରେ ଯେ ଏହି ଶରୀର ପ୍ରକୃତିରୁ ପ୍ରାପ୍ତ ଏବଂ ପ୍ରକୃତି ଦ୍ୱାରା ପ୍ରଦତ୍ତ ଏହି ତିନୋଟି ଗୁଣ। ତେଣୁ, ସେ ଅନୁଭବ କରେ, "ମୁଁ ସାକ୍ଷୀ ହୋଇଗଲି ଏବଂ ଏହି ତିନୋଟି ଗୁଣ ମୋ ପାଇଁ ସହଜରେ ଗ୍ରହଣୀୟ।" ତେଣୁ, ସେ ଆଉ ଏହି ତିନୋଟି ଗୁଣ ଦ୍ୱାରା ବିଚଳିତ ହୁଏ ନାହିଁ, କାରଣ ତାର ଜ୍ଞାନୋଦୟ ହୋଇଥାଏ ଏବଂ ସେ କେବଳ ଗୁଣଗୁଡ଼ିକୁ ବ୍ୟବହାର କରେ। ଏହାକୁ ବୁଝି ସେ ପରମାତ୍ମାଙ୍କ ସହିତ ଏକ ହୋଇ ରହିଥାଏ। ସେ ଯାହା ପ୍ରାପ୍ତ ହୋଇଛି, ସେଥିରେ ସେ ସନ୍ତୁଷ୍ଟ ରହିଥାଏ।
“सन्तुष्टः(स्)सततं(य्ँ)योगी,यतात्मादृढनिश्चयः”
ସମଦୁଃଖସୁଖଃ(ସ୍) ସ୍ୱସ୍ଥଃ(ସ୍), ସମଲୋଷ୍ଟାଶ୍ମକାଞ୍ଚନଃ।
ତୁଲ୍ୟପ୍ରିୟାପ୍ରିୟୋ ଧୀରଃ(ସ୍), ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ॥24॥
ମାନାପମାନୟୋସ୍ତୁଲ୍ୟଃ(ସ୍) ତୁଲ୍ୟୋ ମିତ୍ରାରିପକ୍ଷୟୋଃ।
ସର୍ବାରମ୍ଭପରିତ୍ୟାଗୀ, ଗୁଣାତୀତଃ(ସ୍) ସ ଉଚ୍ୟତେ॥25॥
ଗୁଣାତୀତ ବ୍ୟକ୍ତି ସୁଖ କିମ୍ବା ଦୁଃଖ କୌଣସିରେ ପ୍ରଭାବିତ ହୁଅନ୍ତି ନାହିଁ। ସୁଖରେ ସେ ଅତ୍ୟଧିକ ଆନନ୍ଦିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ବିଷାଦଗ୍ରସ୍ତ ହୁଅନ୍ତି ନାହିଁ। “ସୁଖ-ଦୁଃଖ ତ ବାହ୍ୟଜଗତରୁ ଆସେ, ତେଣୁ ତାହା ସ୍ଥାୟୀ ନୁହେଁ” ଏହା ଭାବି ସେ କେବେ ବିଚଳିତ ହୁଅନ୍ତି ନାହିଁ।
समदुःखसुखः(स्) स्वस्थः(स्), समलोष्टाश्मकाञ्चनः।
ମାନାପମାନୟୋସ୍ତୁଲ୍ୟଃ – କେହି ସମ୍ମାନ ଦିଅନ୍ତୁ କିମ୍ବା ଅପମାନ କରନ୍ତୁ, ତାହା ତାଙ୍କ ଉପରେ କୌଣସି ପ୍ରଭାବ ପଡ଼େନାହିଁ। ସେ ଉଭୟ ପରିସ୍ଥିତିରେ ସମାନ ରହେ।
ତୁଲ୍ୟୋ ମିତ୍ରାରିପକ୍ଷୟୋଃ –ମିତ୍ର ଓ ଶତ୍ରୁ ଉଭୟଙ୍କୁ ସମଭାବରେ ଦେଖେ। ଶତ୍ରୁଙ୍କୁ ମଧ୍ୟ ହସହସ ମୁହଁରେ ସ୍ୱାଗତ କରିବାକୁ ଆମେ ଶିଖିବା ଉଚିତ।
ମାଂ(ଞ୍) ଚ ୟୋଽବ୍ୟଭିଚାରେଣ, ଭକ୍ତିୟୋଗେନ ସେବତେ।
ସ ଗୁଣାନ୍ସମତୀତ୍ୟୈତାନ୍, ବ୍ରହ୍ମଭୂୟାୟ କଲ୍ପତେ॥26॥
ଆମେ କୌଣସି କାମନା ନରଖି ଶୁଦ୍ଧ ଓ ଅବ୍ୟଭିଚାରୀ ଭକ୍ତି କରିବା ଉଚିତ। ନିଷ୍କାମ ଭକ୍ତିରେ ଯିଏ ଶ୍ରୀଭଗବାନଙ୍କୁ ପ୍ରେମ କରିବେ ଏବଂ ନିଜ ଜୀବନକୁ ସନ୍ତୁଳିତ (ବାଲାନ୍ସ୍) ରଖିବେ, ସେ ବ୍ରହ୍ମଲୋକକୁ ପ୍ରାପ୍ତ କରିବେ।
ବ୍ରହ୍ମଣୋ ହି ପ୍ରତିଷ୍ଠାହମ୍, ଅମୃତସ୍ୟାବ୍ୟୟସ୍ୟ ଚ।
ଶାଶ୍ୱତସ୍ୟ ଚ ଧର୍ମସ୍ୟ, ସୁଖସ୍ୟୈକାନ୍ତିକସ୍ୟ ଚ॥27॥
ଆମେ ଶ୍ରୀଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ପ୍ରୟାସ କରିବା ଉଚିତ। ଶ୍ରୀଭଗବାନଙ୍କର ଅନନ୍ତ ରୂପ ଅଛି — ଶ୍ରୀରାମ, ଶ୍ରୀକୃଷ୍ଣ ସମସ୍ତେ ସେ ହିଁ ଅଟନ୍ତି। ଶ୍ରୀଭଗବାନ ଗୁଣାତୀତର ସମସ୍ତ ରହସ୍ୟ ଖୋଲି ଦେଇଛନ୍ତି।
ଏହି ବାର୍ତ୍ତା ସହିତ ଚତୁର୍ଦ୍ଦଶ ଅଧ୍ୟାୟର ବିବେଚନ ସତ୍ର ସମାପ୍ତ ହେଲା।
ପ୍ରଶ୍ନକର୍ତ୍ତା – ମୀନାକ୍ଷୀ ଦିଦି
ଉତ୍ତର – ଏପରି ଅବସ୍ଥାରେ, ରୋଗରେ ପଡ଼ିବା ପୂର୍ବରୁ ମନୁଷ୍ୟଙ୍କର ଯେପରି ମନୋଭାବ ଓ ଅବସ୍ଥା ଥିଲା, ସେହିଠାରୁ ତାଙ୍କର ପରବର୍ତ୍ତୀ ଜନ୍ମ ନିର୍ଣ୍ଣୟ ହେବ। ଯେତେବେଳେ ତାଙ୍କର ଚେତନା ବନ୍ଦ ହୋଇଗଲା, ସେ ଗଭୀର ନିଦ୍ରାରେ ପଡ଼ିଗଲେ କିମ୍ବା ବେଦନା କମିବା ପାଇଁ ତାଙ୍କୁ ନିଦ୍ରାରେ ରଖାଗଲା—ସେଥିପୂର୍ବରୁ ତାଙ୍କର ଭାବ କେମିତି ଥିଲା, ତାହା ମୁଖ୍ୟ। ଯେଉଁଠାରେ ତାଙ୍କର ଚେତନା ଶକ୍ତି ବନ୍ଦ ହୋଇଯାଏ ସେଠାରୁ ହିଁ ତାହାର ଗଣନା କରାଯାଏ।
ଆମ ପାଖରେ କୁହାଯାଏ ଯେ ପୂର୍ଣ୍ଣ ଚେତନାରେ ମୃତ୍ୟୁ ଆସିବା ସବୁଠାରୁ ଉତ୍ତମ। ଯେପର୍ଯ୍ୟନ୍ତ ଚେତନା ରହେ, ସେପର୍ଯ୍ୟନ୍ତ ଆମେ ଶ୍ରୀଭଗବାନଙ୍କର ନାମ ସ୍ମରଣ କରିବା ଓ ନିରନ୍ତର “ଓଁ”ର ଜପ କରିବା ଉଚିତ।
ମୃତ୍ୟୁ ସମୟରେ ଯଦି “ଓଁ” ର ଜପ ହୋଇଯାଏ ଓ ଶ୍ରୀଭଗବାନଙ୍କର ଧ୍ୟାନ ଆସିଯାଏ, ତାହାଠାରୁ ଶ୍ରେଷ୍ଠ କିଛି ନାହିଁ। ଯଦି ଶ୍ରୀଭଗବାନଙ୍କର ସ୍ୱରୂପ ସ୍ମରଣ ହୋଇଯାଏ, ତାହା ଆଉ ଅଧିକ ଶ୍ରେଷ୍ଠ।
ଯଦି କାହାକୁ ରୋଗ କାରଣରେ ଗଭୀର ନିଦ୍ରାରେ ରଖିବାକୁ ପଡ଼େ, ତାହା ପୂର୍ବରୁ ତାଙ୍କୁ ଶ୍ରୀଭଗବାନଙ୍କର ଦର୍ଶନ କରାଇବା ଓ “ଓଁ” ର ଜପ କରାଇବା ଉଚିତ।
ଏପରିଭାବେ, ବ୍ୟକ୍ତି କୋମା କିମ୍ବା ଗଭୀର ନିଦ୍ରାରେ ଯିବା ପୂର୍ବରୁ ଯେପରି ଅବସ୍ଥାରେ ଥାନ୍ତି, ସେହି ଅବସ୍ଥା ଆଧାରରେ ତାଙ୍କର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରିତ ହୁଏ।
ଯଦି ଆମେ ଶ୍ରୀମଦ୍ଭଗବଦ୍ଗୀତା ପଢି ଏହା ବୁଝୁଛୁ ଯେ ଶ୍ରୀଭଗବାନ୍ ଆମକୁ ଅଧର୍ମ ନାଶ ପାଇଁ ଶସ୍ତ୍ର ଉଠାଇବାକୁ ଆଜ୍ଞା ଦେଇଛନ୍ତି, ତେବେ ଏହା ଭୁଲ । ଏହି ଉପଦେଶ ଆମ ପାଇଁ ନୁହେଁ, ଏହା ଏକ କ୍ଷତ୍ରିୟ ପାଇଁ ଦିଆଯାଇଥିଲା। ଏହି ପରିସ୍ଥିତିରେ ଆମର କର୍ତ୍ତବ୍ୟ ହେଉଛି ସମାଜକୁ ସଚେତନ ରଖିବା ପାଇଁ ପ୍ରୟାସ କରିବା। ଆମର କାମ ହେଉଛି ଜାଗରଣ ସୃଷ୍ଟି କରିବା। ଅସ୍ତ୍ର-ଶସ୍ତ୍ର ଓ ଧନୁ ଧରି କାହାକୁ ହତ୍ୟା କରିବାର ଅଧିକାର ଆମ ପାଖରେ ନାହିଁ।
ବିବେଚକ ମହାଶୟ କିଛି ଦିନ ପୂର୍ବରୁ ତାମିଲନାଡୁକୁ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ସହିତ ସେ ପରିଚିତ ଥିଲେ। କିନ୍ତୁ ଏଥର ସେ ତାଙ୍କ ଘରକୁ ଯିବାବେଳେ ସେଠାରେ ପରଧର୍ମ ସମ୍ବନ୍ଧୀୟ କିଛି ବସ୍ତୁ ଦେଖିଲେ। ଯେତେବେଳେ ସେ ପଚାରିଲେ,“ଏହା କେମିତି ଆସିଲା?", ସେ ବ୍ୟକ୍ତି କହିଲେ ଯେ ସେମାନେ କନଭର୍ଟ (ଧର୍ମ ପରିବର୍ତ୍ତନ) ହୋଇଗଲେ। ବିବେଚକ ତାଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ ଏବଂ ତାଙ୍କର ଆଖି ଖୋଲିଦେଲେ। ଏହିପରି ଜାଗୃତି ଓ ସଚେତନତା ସୃଷ୍ଟି କରିବାର କାମ ଆମେ ସବୁବେଳେ କରିବାକୁ ପଡ଼ିବ।
ଆପଣମାନେ ସମସ୍ତେ ନିଜ ବିଦ୍ୟାଳୟରେ ଓ ଆଖପାଖର ଲୋକମାନଙ୍କ ସହିତ ଏହିପରି କଥାବାର୍ତ୍ତା କରନ୍ତୁ ଏବଂ ସଚେତନ ରୁହନ୍ତୁ। ନିଜ ଘରେ ମଧ୍ୟ ଏହାର ଆଲୋଚନା କରନ୍ତୁ ଏବଂ ଆମ ଆଖପାଖରେ ଯେଉଁ ଷଡଯନ୍ତ୍ର ଚାଲିଛି, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହି ପ୍ରକାରର ଷଡଯନ୍ତ୍ରରେ ଆମ ପିଲାମାନେ ମଧ୍ୟ ଫସୁଛନ୍ତି, ସେଥିପାଇଁ ଲୋକମାନଙ୍କ ମନରେ ଜାଗରଣ ସୃଷ୍ଟି କରିବା ଆବଶ୍ୟକ, ଯାହାଦ୍ୱାରା କେହି ଏହି ପ୍ରକାର ଦୁଷ୍ପ୍ରଚାରରେ ପଡ଼ିବେ ନାହିଁ। ଲୋକମାନଙ୍କୁ ସଚେତନ କରି ଆମେ ଏପରି ଘଟଣାକୁ ରୋକିପାରିବା। ଏହାହିଁ ଏହାର ଏକମାତ୍ର ଉପାୟ । ଅସ୍ତ୍ର-ଶସ୍ତ୍ର ଉଠାଇ ଆଇନକୁ ହାତକୁ ନେବାର ଏହି ଅଧିକାର ଆମ ପାଖରେ ନାହିଁ।
ଆପଣ ନିର୍ବାଚନରେ ଭୋଟ୍ ଦେବା ସମୟରେ ଏହା ଧ୍ୟାନରେ ରଖିବା ଉଚିତ ଯେ କେଉଁ ବ୍ୟକ୍ତି ଆପଣଙ୍କ ଭାରତୀୟତା ଓ ସନାତନତାକୁ ପ୍ରୋତ୍ସାହନ ଦେବେ। ସେହିପରି ପକ୍ଷକୁ ଭୋଟ୍ ଦିଅନ୍ତୁ, ଯେଉଁମାନେ ସନାତନ ମୂଲ୍ୟବୋଧକୁ ମାନନ୍ତି, ଏହା ଏକ ଉପାୟ।
ଶ୍ରୀଭଗବାନଙ୍କ ବାଣୀ ବିବେକକୁ ଜାଗୃତ କରେ। ଏହି ବିବେକକୁ ଜାଗ୍ରତ କରିବାର କାର୍ଯ୍ୟ ନିରନ୍ତର ଚାଲିଛି। ଆମେ “ଗୀତା ପରିବାର” ମଧ୍ୟରେ ଏହି ବିବେକକୁ ଜାଗ୍ରତ କରିବାର କାମ କରୁଛୁ।
द्रव्ययज्ञास्तपोयज्ञा, योगयज्ञास्तथापरे।
ପ୍ରଭୁ ବନ୍ଦନ, ଧନ୍ୟବାଦ ଜ୍ଞାପନ ଏବଂ ଶ୍ରୀହନୁମାନ ଚାଳିସା ପାଠ ସହିତ ଆଜିର ବିବେଚନ ସତ୍ରର ସମାପନ ହେଲା।
॥ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ॥
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ଗୁଣତ୍ରୟବିଭାଗୟୋଗୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ।।