विवेचन सारांश
ଈଶ୍ୱର ପ୍ରାପ୍ତିର ପନ୍ଥା
ପ୍ରାର୍ଥନା ଓ ଦ୍ୱୀପ ପ୍ରଜ୍ଜ୍ୱଳନ ପରେ ଏହି ଦିବ୍ୟ ବିବେଚନ ସତ୍ରର ପ୍ରାରମ୍ଭ ହୁଏ। ଭଗବାନଙ୍କର ଅସୀମ କରୁଣା, ପୂର୍ବଜନ୍ମର ଆମ୍ଭର ସୁକୃତ ଓ ଆମ୍ଭ ପୂର୍ବପୁରୁଷମାନଙ୍କ ଆଶୀର୍ବାଦ ହେତୁ ଆଜି ଆମେ ଭଗବଦ୍ଗୀତା ସାଧନା କରିବାକୁ ମନ ବଳାଇଛୁ । ବହୁ ପୁରାକାଳରୁ ମହାପୁରୁଷମାନେ କହିଆସିଛନ୍ତି କି ଭଗବଦ୍ଗୀତା ଏକ ଅଦ୍ୱିତୀୟ କଲ୍ୟାଣକାରୀ ଶାସ୍ତ୍ର। ଏହାର ମନନ ଚିନ୍ତନ କେବଳ ଭଗବାନଙ୍କ କୃପାପାତ୍ର ହୋଇଥିଲେ ହିଁ ସମ୍ଭବ ହୋଇପାରେ।
ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୀତାର ଏହି ପଞ୍ଚଦଶୋଽଧ୍ୟାୟଟିକୁ ଏକ ଶାସ୍ତ୍ରର ମାନ୍ୟତା ଦେଇଛନ୍ତି। ଓଲଟା ବୃକ୍ଷ ସହ ସଂସାରକୁ ତୁଳନା କରି ଏହାର ସୃଷ୍ଟି ଏବଂ ବ୍ରହ୍ମାଣ୍ଡର ବିଭିନ୍ନ ଯୋନୀର ଉତ୍ପତ୍ତି ବିଷୟରେ ବୁଝାଇଛନ୍ତି। ନିଜର କାମନା ବାସନା ଆଦି ଯୋଗୁଁ କିପରି ଆମେ ଜନ୍ମମୃତ୍ୟୁର ଚକ୍ରରେ ଘୁରି ବୁଲୁଛେ ତଥା ଏଥିରୁ ମୋକ୍ଷର ମାର୍ଗ କଣ, ଏସବୁ କହିଛନ୍ତି।
ଅସଙ୍ଗଶସ୍ତ୍ରେଣ ଦୃଢେନ ଛିତ୍ତ୍ବା
କିପରି ଆମେ ଅସଙ୍ଗ ରୂପକ ଶସ୍ତ୍ର ଦ୍ୱାରା ମୁକ୍ତି ପାଇପାରିବା - ଏହାର ଉପାୟ କହିଛନ୍ତି। ଗତ ସପ୍ତାହରେ ଆମେ ସୁକଦେବ ମୁନି ଓ ରାଜା ଜନକଙ୍କ ଉପାଖ୍ୟାନ ଶୁଣିଲେ।
ଭଗବାନ ଶ୍ରୀକୃଷ୍ଣ ଗୀତାର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି କି ଯିଏ ତାଙ୍କର ପରମ ଧାମକୁ ପ୍ରାପ୍ତ ହେବ, ସେ କିପରି ହେବା ଉଚିତ୍?
"ସ୍ବୟଂ ପ୍ରକାଶିତ"
ଏଇ ପ୍ରସଙ୍ଗରେ ଆମେ ବୁଝିରଖିବା ଉଚିତ୍, ଉପମା ଓ ରୂପକାଳଙ୍କାର ଦୁଇଟି ଅଲଗା ଅଲଗା ଜିନିଷ। 'ତାର ମୁଖ ଚନ୍ଦ୍ରମା ସଦୃଶ' - ଏହାକୁ ଆମେ ଉପମା କହିବା। 'ମୋ ପୁଅ ତ ଚନ୍ଦ୍ର !' - ଏହି ଉକ୍ତିଟିରେ ପୁଅଟିର ନାମ ଚନ୍ଦ୍ର ଅଥବା ସେ ଦେଖିବାକୁ ଚନ୍ଦ୍ର ପରି ତାହା ସ୍ପଷ୍ଟ ହେଉନାହିଁ। ସେହିପରି ଈଶ୍ୱରଙ୍କୁ ଯେତେବେଳେ ପ୍ରକାଶ ସହ ତୁଳନା କରାଯାଏ ବା ତାଙ୍କୁ ପ୍ରକାଶମୟ କୁହାଯାଏ, ତାହାକୁ ଆମେ ରୂପକ ଅଳଙ୍କାର ଭାବେ ବୁଝିବା ଉଚିତ୍।
ଉପନିଷଦରେ କୁହାଯାଇଛି -
'ତମସୋ ମା ଜ୍ୟୋତିର୍ଗମୟ।'
ଈଶ୍ୱରଙ୍କୁ ଜ୍ୟୋତିର ସ୍ୱରୂପ ବା ଜ୍ୟୋତିର୍ମୟ ବୋଲି କୁହାଯାଇଛି। ଏହା କେବଳ ଭାରତୀୟ ସଂସ୍କୃତିରେ ନୁହେଁ, ଇସାହୀମାନେ ମଧ୍ୟ ଭଗବାନଙ୍କୁ ଦିବ୍ୟଜ୍ୟୋତି (Divine Light) ଓ ମୁସଲମାନମାନେ 'ନୁର୍ ଏ ଇଲାହୀ' ବୋଲି କହିଥାନ୍ତି। ପାର୍ସୀ ଧର୍ମରେ ତ ସୂର୍ଯ୍ୟଙ୍କୁ ଈଶ୍ୱର କୁହାଯାଇଛି। ଏଠାରେ ଆମକୁ କିନ୍ତୁ ଏହା ଧ୍ୟାନ ରଖିବାକୁ ହେବ କି ଏସବୁ କଥା ଈଶ୍ୱରଙ୍କ ଉପମା ବୋଲି ବୁଝିବାକୁ ହେବ କାରଣ ନିଜେ ଇଶ୍ୱରଙ୍କ ବ୍ୟତୀତ, ତାଙ୍କ ସମାନ କଣ ଅନ୍ୟ କେହି ହେଇପାରିବେ ? ସଂସାରର ପଞ୍ଚତତ୍ତ୍ୱର ଉତ୍ସ ତ ସେ ନିଜେ, ତେବେ ସେ କେମିତି ତତ୍ତ୍ବ ଭିତରୁ ଜଣେ ହେବେ ?
ଭଗବାନ ସର୍ବଥା ଏହି ପଞ୍ଚତତ୍ତ୍ୱରୁ ଅତୀତ ଓ ସର୍ବୋପରି। ଏପରି ମହାନ୍ ସତ୍ତାଙ୍କର ଉପାସନା ମୂଳତଃ ଚାରିଟି ସ୍ୱରୂପରେ ହୋଇଥାଏ, ଅର୍ଥାତ୍ ସଗୁଣ ଉପାସନା ଚାରି ପ୍ରକାରର ହୋଇଥାଏ - ଭଗବାନଙ୍କ ନାମର ଉପାସନା, ଭଗବାନଙ୍କ ରୂପର ଉପାସନା, ଭଗବାନଙ୍କ ଲୀଳାର ଉପାସନା ଓ ଭଗବାନଙ୍କ ଧାମର ଉପାସନା । ଏହି ଚାରୋଟି ବିଷୟର ଅଲୌକିକତା ସମ୍ବନ୍ଧରେ ଯେ ଅବଗତ, କେବଳ ସେମାନେ ହିଁ ଭକ୍ତିକୁ ପ୍ରାପ୍ତ ହୁଅନ୍ତି, ଆଉ ଯେଉଁମାନେ ବିଷୟଗୁଡିକର ଲୌକିକତାଠାରେ ଅଟକିଛନ୍ତି, ସେମାନେ ଭକ୍ତି ମାର୍ଗର ପ୍ରାରମ୍ଭିକ ସ୍ତରରେ ଅଛନ୍ତି ବୋଲି ବୁଝିବାକୁ ହେବ।
ପଞ୍ଚଦଶୋଽଧ୍ୟାର ସପ୍ତମ ଶ୍ଳୋକରେ ଭଗବାନ ନିଜର ତଥା ଜୀବାତ୍ମା ସ୍ୱରୂପର ବର୍ଣ୍ଣନ କରିଛନ୍ତି। ପରମ ଶ୍ରଦ୍ଧେୟ ବ୍ରହ୍ମଲୀନ ସ୍ୱାମୀ ରାମସୁଖଦାସଜୀଙ୍କର ଏହି ଶ୍ଳୋକ ଅତ୍ୟନ୍ତ ପ୍ରିୟ ଥିଲା।
ପଞ୍ଚଦଶୋଽଧ୍ୟାର ସପ୍ତମ ଶ୍ଳୋକ :
ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।
ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି।।
ଭଗବାନ କହୁଛନ୍ତି ଯେତେସବୁ ଜୀବାତ୍ମା ପୃଥିବୀରେ ଅଛନ୍ତି ସମସ୍ତ ତାଙ୍କର ହିଁ ଅଂଶ। ହିନ୍ଦୁ ଧର୍ମର ଦୁଇଟି ଶବ୍ଦ 'ସନାତନ' ଓ 'ପୁରାତନ' ମଧ୍ୟରୁ, 'ପୁରାତନ'ର ଅର୍ଥ ବସ୍ତୁଟି କେତେ ପୁରୁଣା ସେ ବିଷୟରେ କେହି ବି ଅବଗତ ନୁହଁନ୍ତି ; ଯେମିତି ସୂର୍ଯ୍ୟଙ୍କର ଜନ୍ମ କେତେ ବର୍ଷ ତଳେ ହୋଇଥିଲା ତାହା ସଠିକ୍ ଭାବେ କେହି କହିପାରିବେ ନାହିଁ। 'ସନାତନ' ର ଅର୍ଥ ହେଉଛି ଯାହାର କେବେ ଉତ୍ପତ୍ତି ହୋଇନାହିଁ କି କେବେ ତାହାର ବିଲୁପ୍ତି ବି ସମ୍ଭବ ନୁହେଁ । ଯାହା ସୃଷ୍ଟି ଆରମ୍ଭରୁ ଥିଲା ଓ ସଦୈବ ରହିଥିବ ମଧ୍ୟ।
ଗୋସ୍ୱାମୀଜୀ ଏହି ଶ୍ଳୋକଟିକୁ ସୁନ୍ଦର ଏକ ଚୌପାଇରେ କହନ୍ତି :
ଈଶ୍ୱର ଅଂସ ଜୀବ ଅବିନାଶୀ ।
ଚେତନ ଅମଳ ସହଜ ସୁଖ ରାସୀ ।।
ଅର୍ଥାତ୍ ଜୀବ ହେଉଛି ଈଶ୍ୱରଙ୍କ ଅଂଶ। ଅତଏବ ସେ ମଧ୍ୟ ଈଶ୍ୱରଙ୍କ ପରି ଅବିନାଶୀ, ଚେତନ, ନିର୍ମଳ ଏବଂ ସ୍ୱଭାବଜ ସୁଖର ଉପାଦାନ।
15.7
ମମୈବାଂଶୋ ଜୀବଲୋକେ, ଜୀବଭୂତଃ(ସ୍) ସନାତନଃ।
ମନଃ(ଷ୍) ଷଷ୍ଠାନୀନ୍ଦ୍ରିୟାଣି, ପ୍ରକୃତିସ୍ଥାନି କର୍ଷତି।।୭।।
ଶରୀରଂ(ୟ୍ଁ) ୟଦବାପ୍ନୋତି, ୟଚ୍ଚାପ୍ୟୁତ୍କ୍ରାମତୀଶ୍ୱରଃ।
ଗୃହୀତ୍ୱୈତାନି ସଂୟାତି, ବାୟୁର୍ଗନ୍ଧାନିବାଶୟାତ୍॥15.8॥
ବିବେଚନ -
ଶ୍ରୀ ଭଗବାନ ଆତ୍ମତତ୍ତ୍ୱର ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସଞ୍ଚିତ କର୍ମକୁ ନେଇଯିବାର ପ୍ରକ୍ରିୟାକୁ ବାୟୁର ସୁନ୍ଦର ଉଦାହରଣ ଦେଇ ବୁଝାଇଛନ୍ତି । ଯେପରି ପୃଥିବୀର କୋଣ ଅନୁକୋଣରେ ବାୟୁର ଅବସ୍ଥିତି ରହିଛି, ତଥାପି ତାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରେ, ସେହିଭଳି ଆତ୍ମତତ୍ତ୍ୱ ମଧ୍ୟ ସର୍ବବ୍ୟାପୀ ହୋଇଥିଲେ ହେଁ, ଏହାଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତିଶୀଳ ହୁଏ । ପବନ ଯେପରି ଭାବରେ ସୁଗନ୍ଧ ଏବଂ ଦୁର୍ଗନ୍ଧକୁ ନିଜ ସାଙ୍ଗରେ ବହନ କରି ନେଇଯାଏ, କିନ୍ତୁ ଏହା ସାଙ୍ଗରେ ଲାଖିଯାଏ ନାହିଁ । ସେହିଭଳି ଆତ୍ମା ମନୁଷ୍ୟ ଦ୍ୱାରା ସଞ୍ଚିତ କର୍ମକୁ ନେଇ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଯାଇଥାଏ, କିନ୍ତୁ ସେଗୁଡ଼ିକ ସାଙ୍ଗରେ ସେ ସଂଶ୍ଳିଷ୍ଟ ରହେ ନାହିଁ । ମନ ଏବଂ ଶରୀରର ଆକର୍ଷଣ ହେତୁ ଜୀବାତ୍ମା ବିଭିନ୍ନ ପ୍ରଜାତିରେ ଜନ୍ମ ଗ୍ରହଣ କରେ । ଶରୀର ତ୍ୟାଗ ସମୟରେ ମନୁଷ୍ୟ ଯାହା ବିଚାର କରୁଥାଏ, ସେହି ଚିନ୍ତାଧାରା ଅନୁଯାୟୀ ସେ ପରବର୍ତ୍ତୀ ଜନ୍ମ ଗ୍ରହଣ କରେ ।
ଯଦି ଜଣେ ବ୍ୟକ୍ତି ନିଜ ଘରର କାମନା କରି ପ୍ରାଣ ତ୍ୟାଗ କରେ, ତାହେଲେ ପରବର୍ତ୍ତୀ ଜୀବନରେ ସେ ଏକ ଝିଟିପିଟି ହୋଇ ସେହି ଘରେ ବୁଲିବ । କେହି ଯଦି ଧନକୁ ଭାବି ଭାବି ନିଜ ଜୀବନ ତ୍ୟାଗ କରେ, ତେବେ ସେ ପରବର୍ତ୍ତୀ ଜୀବନରେ ସାପ ହୋଇ ଜନ୍ମ ନେଇଥାଏ । ଯିଏ ନିଜ ପିଲାକୁ ମନେ କରି କରି ମରିଯାଏ, ତେବେ ସେ ପରବର୍ତ୍ତୀ ଜନ୍ମରେ କୁକୁର ପ୍ରଜାତିରେ ଜନ୍ମ ହୁଅନ୍ତି । ଯେପରି ବାୟୁ ଗନ୍ଧକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଏ, ସେହିଭଳି, ମଣିଷର ଜୀବାତ୍ମା ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ତା'ର ସଞ୍ଚିତ କର୍ମକୁ ନେଇଥାଏ |
ଯେଉଁ ମନୁଷ୍ୟ ଶେଷ ସମୟରେ ଈଶ୍ବରଙ୍କୁ ସ୍ମରଣ କରେ, ଭଗବାନ କୁହନ୍ତି ସେ ମୋତେ ନିଶ୍ଚୟ ପ୍ରାପ୍ତ ହେବ, କିନ୍ତୁ ଏ ପ୍ରକ୍ରିୟା ଏତେ ସରଳ ନୁହେଁ।
ଗୋସ୍ୱାମୀ ତୁଳସୀଦାସ ଜୀ କୁହନ୍ତି-
ଜନ୍ମ ଜନ୍ମ ମୁନି ଜତନୁ କରାହିଁ । ଅନ୍ତ ରାମ କହି ଅବତ ନାହିଁ ।।
ଜାସୁ ନାମ ବଳ ଶଙ୍କର କାସି । ଦେତ ସବହି ସମ ଗତି ଅବିନାଶୀ ।।
ଯାହା ଜୀବନ ସାରା ତୁମେ କେବେ ଅଭ୍ୟାସ କରିନାହଁ, ଅନ୍ତ ସମୟରେ ତାହା କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର ।
ଉପନିଷଦରେ, ଏହି ଚିନ୍ତାଧାରାକୁ ନେଇ ଏକ ବିଚାରଣୀୟ ତଥ୍ୟ ରହିଛି। ମନେ କରନ୍ତୁ ଗୋଟେ କାନ୍ଥ ଅଛି ଯାହା ଦକ୍ଷିଣ ଆଡକୁ ନଇଁ ପଡିଛି, ତେବେ ଏହା ଦକ୍ଷିଣ ପଟକୁ ହିଁ ପଡିବ ; ଯଦି ଏହା ଉତ୍ତର ଆଡକୁ ନୁଏଁ, ତେବେ ଏହା ଉତ୍ତର ପଟକୁ ପଡ଼ିବ । ସେହିପରି ଆମର ସିଷ୍ଟମ୍ ମଧ୍ୟ ପେନ୍ ଡ୍ରାଇଭ୍ ପରି ଅଟେ, ଯାହାକି ପୂର୍ବ ଜନ୍ମର ସଞ୍ଚିତ ସଂସ୍କାରକୁ ନେଇକରି ଯାଇଥାଏ । ସେଥିପାଇଁ କେତେକ ଯାଗାରେ ଆମକୁ ଦେଖିବାକୁ ମିଳେ ସମ୍ପୂର୍ଣ୍ଣ ଅଠର ଅଧ୍ୟାୟ କଣ୍ଠସ୍ଥ କରି, ତିନି ବର୍ଷର ଶିଶୁଟିଏ ଗୀତାବ୍ରତୀ ହୋଇଯାଉଛି ! କେହି କେହି ଛୋଟ ପିଲା ବହୁତ ଭଲ ସନ୍ତରଣକାରୀ କିମ୍ବା କିଛି ପିଲା ଗଣିତରେ ବହୁତ ଭଲ । ନିଜର ପୂର୍ବ ଜନ୍ମର ସଞ୍ଚିତ କର୍ମରୁ ହିଁ ସେମାନେ ଏହି ଜନ୍ମରେ ଏପରି କରିବାକୁ ସକ୍ଷମ ହୋଇପାରୁଛନ୍ତି ।
ଶ୍ରୋତ୍ରଂ(ଞ୍) ଚକ୍ଷୁଃ(ସ୍) ସ୍ପର୍ଶନଂ(ଞ୍) ଚ, ରସନଂ(ଙ୍) ଘ୍ରାଣମେବ ଚ।
ଅଧିଷ୍ଠାୟ ମନଶ୍ଚାୟଂ(ୱ୍ଁ), ବିଷୟାନୁପସେବତେ॥15.9॥
ଏହି ଶ୍ଳୋକଟିରେ ଶ୍ରୀଭଗବାନ ପାଞ୍ଚଟି ଇନ୍ଦ୍ରିୟ ବିଷୟରେ କହୁଛନ୍ତି - ଶୁଣିବା, ଦେଖିବା, ସ୍ପର୍ଶ କରିବା, ସ୍ୱାଦ ନେବା ଏବଂ ଶୁଙ୍ଘିବା । ଆମର ପାଞ୍ଚ ଇନ୍ଦ୍ରିୟ ଏହି ପାଞ୍ଚ ବିଷୟଗୁଡିକୁ ଗ୍ରାସ କରେ ।
ଶ୍ରବଣ ଇନ୍ଦ୍ରିୟ (ଶୁଣିବା) - ଆମେ ସମସ୍ତେ ଜାଣୁ ଯେ ହରିଣ ଅତୀବ ଚପଳତାର ସହିତ ଡେଇଁ ଡେଇଁ ଦୌଡେ, ଯଦି ଚିତାବାଘ ତାକୁ ଧରିବାକୁ ଚାହେଁ, ତେବେ ସେ ଏକା ଥରେ ତାକୁ ଧରି ପାରିବ ନାହିଁ। ହରିଣକୁ ଧରିବା ପାଇଁ ବାଘ ଅତି କମ୍ ରେ ପ୍ରାୟ ତିରିଶ ଥର ଚେଷ୍ଟା କରେ ତାପରେ ଯାଇ ତାକୁ ଧରି ବାରେ ସକ୍ଷମ ହୋଇପାରେ। କିନ୍ତୁ ଶିକାରୀ ଗୋଟିଏ ଥରରେ ହରିଣକୁ ଧରିବାରେ ସଫଳ ହୁଏ କାରଣ ଶିକାରୀ ହରିଣର ଦୁର୍ବଳତା ଜାଣେ । ସେ ଜାଣେ ଯେ ହରିଣର ସଙ୍ଗୀତ ବଡ ପ୍ରିୟ । ଯେତେବେଳେ ସେ ହରିଣ ଶିକାର କରିବାକୁ ବାହାରେ, ଏକ ବିଶେଷ ପ୍ରକାରର ସଙ୍ଗୀତର ଏକ ରେକର୍ଡିଂ ନେଇ ଶିକାର ସ୍ଥାନରେ ସେହି ରେକର୍ଡିଂ ବଜାଏ । ଯେତେବେଳେ ସେହି ଶବ୍ଦ ହରିଣର କାନରେ ପହଞ୍ଚେ, ହରିଣର କାନ ଠିଆ ହୋଇଯାଏ ଏବଂ ସେ ନିଜର ସମସ୍ତ ବୁଦ୍ଧି ଶୁଦ୍ଧି ହରାଇବସି, ସଙ୍ଗୀତର ସୁରରେ ହଜିଯାଏ । ଯେତେବେଳେ ଶିକାରୀ ଦେଖେ ଯେ ହରିଣଟି ସଙ୍ଗୀତରେ ସଂପୂର୍ଣ୍ଣ ମଗ୍ନ ହୋଇଯାଇଛି, ସେତେବେଳେ ସେ ହରିଣଟିକୁ କାବୁ କରିନିଏ ଓ ତା’ର ନାଭିରୁ କସ୍ତୁରୀ ବାହାର କରି ନେଇଯାଏ । ହରିଣଟିକୁ ଯନ୍ତ୍ରଣା ଭୋଗିବାକୁ ଛାଡି ଚାଲିଯାଏ । ଏହିପରି ସଙ୍ଗୀତ ପ୍ରତି ଅତୀବ ଆକର୍ଷଣ ଯୋଗୁଁ ହରିଣ ପ୍ରାଣ ହରାଇ ବସେ ।
ଉତ୍କ୍ରାମନ୍ତଂ(ମ୍) ସ୍ଥିତଂ(ୱ୍ଁ) ବାପି, ଭୁଞ୍ଜାନଂ(ୱ୍ଁ) ବା ଗୁଣାନ୍ୱିତମ୍।
ବିମୂଢା ନାନୁପଶ୍ୟନ୍ତି, ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ॥15.10॥
ହେ ଅର୍ଜୁନ ! ଶରୀର ଛାଡି ଚାଲିଯାଉଥିବା, ଶରୀରରେ ରହିଥିବାବେଳେ ଆମେ ତିନି ପ୍ରକାର ବିଷୟ ରସ ଭୋଗ କରନ୍ତି ଏହି ତତ୍ତ୍ୱକୁ କେବଳ ଵିଵେକବାନ ଜ୍ଞାନୀ ହିଁ ଜାଣିପାରନ୍ତି l ଭଗବାନ କହିଛନ୍ତି ତତ୍ତ୍ୱଜ୍ଞ ମହାପୁରୁଷ ହିଁ ଏହି କଥା ବୁଝିପାରନ୍ତି l
ୟତନ୍ତୋ ୟୋଗିନଶ୍ଚୈନଂ(ମ୍), ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍।
ୟତନ୍ତୋଽପ୍ୟକୃତାତ୍ମାନୋ, ନୈନଂ(ମ୍) ପଶ୍ୟନ୍ତ୍ୟଚେତସଃ।।୧୧।।
ବିବେଚନ -
କେତେକ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ l ଆମ ଜୀବନରେ ଆମ ଚତୁଃର୍ପାର୍ଶ୍ବରେ ଏପରି ଅନେକ ଲୋକ ଅଛନ୍ତି ଯିଏ କେତେପ୍ରକାରର ସାଧନା କରନ୍ତି l କେତେକ ଲୋକ ପ୍ରତିଦିନ ହଜାରଥର, ଲକ୍ଷେ ଥର, ନାମ ଜପ କରନ୍ତି, କେତେକ ଲୋକ ତିନି ଚାରି ଘଣ୍ଟା ପୂଜା ଉପାସନା କରନ୍ତି ତଥାପି ଏମାନେ ଏପରି କିଛି କାମ କରନ୍ତି ଯାହା ଏମାନେ କରିବା ଉଚିତ ନୁହେଁ, ଯେପରି ଗାଳି କରିବା ବା ଜମିବାଡ଼ି ଧନସମ୍ପତି ପାଇଁ ଝଗଡା କରିବା ଇତ୍ୟାଦି l ସେତେବେଳେ ଆମ ମନରେ ଆସେ ଯେ ଏମାନଙ୍କର ପୂଜାଉପାସନାରେ କି ଲାଭ ?
ଶ୍ରୀ ଭଗବାନ କହିଛନ୍ତି ଯତ୍ନ ତ କରିବାକୁ ହବ, କିନ୍ତୁ ତା ସହିତ ନିଜର ଅନ୍ତଃକରଣର ଶୁଦ୍ଧି ବି କରିବାକୁ ପଡିବ l ନିଜର କେଉଁ ଅଵଗୁଣ ଅଛି ସେକଥା କେବଳ ସତ୍ତ୍ୱଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ଜଣାଥାଏ l ନିଜର ଅଵଗୁଣ ଦୂର କରିବା ଦ୍ଵିତୀୟ କଥା, ପ୍ରଥମ କଥା ହେଉଛି, କାମ କ୍ରୋଧ ଲୋଭ ମୋହ ଭିତରୁ କେଉଁ ଅଵଗୁଣର ପ୍ରଭାବ ଆମ ଉପରେ ଅଧିକ ତାହା ଜାଣିବା l ରଜଗୁଣ ବା ତମଗୁଣ ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଏହା ଜଣା ନଥାଏ l ନିଜର ଅଵଗୁଣଗୁଡିକୁ ଅଣଦେଖା କରି, ସବୁବେଳେ ଅନ୍ୟକୁ ଦୋଷ ଦେଉଥାଏ l
ଆମେ ସବୁ ଭାବୁ ଏମିତି କଣ କରିବା ଯଦ୍ୱାରା ଆମକୁ ଜୀବନ ମରଣର ଚକ୍ରରୁ ମୁକ୍ତି ମିଳିବ, ମୋକ୍ଷ ମିଳିବ ଓ ଭଗବତ ପ୍ରାପ୍ତି ହେବ l ଖାଲି କିଛି କର୍ମ କରିଲେ ଏମିତି ହୁଏନାହିଁ l ଯତ୍ନଶୀଳ ଯୋଗୀ ନିଜର ହୃଦୟସ୍ଥ ପରମାତ୍ମାଙ୍କୁ ଜାଣନ୍ତି, ତାଙ୍କ ଅନ୍ତଃକରଣ ଶୁଦ୍ଧ ହୋଇଥାଏ l ନିଜର ଅନ୍ତଃକରଣକୁ ଶୁଦ୍ଧ କରିନଥିବା ଅଜ୍ଞାନୀ ବ୍ୟକ୍ତି ଯେତେ ଯତ୍ନ କରିଲେବି ତାଙ୍କୁ ଜାଣିପାରିବେନି l ବେଳେବେଳେ ଆମେ ଭାବୁ କି ଆମେ କୋଡିଏ ବର୍ଷ ହେଲାଣି ଗୀତା ପଢ଼ୁଛୁ, ଏତେ ବର୍ଷ ହେଲାଣି ଧ୍ୟାନ କରୁଛୁ, ଭଗବାନଙ୍କର ଏତେ ସେବା କରୁଛୁ, ଜପ ବି କରୁଛୁ l ଆମେ ଏସବୁ କରୁଛୁ କିନ୍ତୁ ସୁଯୋଗ ମିଳିଲେ ଅନ୍ୟର ନିନ୍ଦା କରିବାକୁ ପଛଉନୁ l କେବେ କେବେ ଏତେ କଡା କଥା କହିଦେଉ ଯେ ଅନ୍ୟର ମନକୁ ଦୁଃଖ କରିଦେଉ l ଏପରି ହେଲେ ଅନ୍ୟମାନଙ୍କର ମନରେ ସନ୍ଦେହ ହୁଏ ଯେ ୟେ କରୁଥିବା ସତସଙ୍ଗର ଲାଭ କଣ ହେଲା ? ଏପରି ପୂଜାପାଠର କିଛି ଲାଭ ନାହିଁ ଏପରି କଥା(ଉଲୁଗୁଣା ) ସମସ୍ତଙ୍କଠାରୁ ଶୁଣିବାକୁ ପଡେ l
ଶ୍ରୀ ଭଗବାନ କହିଛନ୍ତି ଯେ ଅନ୍ତଃକରଣର ଶୁଦ୍ଧି ନକଲେ ମନୁଷ୍ୟ ଅଜ୍ଞାନୀ ହିଁ ରହେ l ଆମକୁ ତ ଯତ୍ନ ହିଁ କରିବାକୁ ପଡିବ, ଆମକୁ ସାଧନା ସାଥିରେ ତାକୁ କାମରେ ମଧ୍ୟ ଲଗେଇବାକୁ ପଡିବ l ଯଦି ଆମେ ଆମର ପାପ ଭାବନାକୁ ତ୍ୟାଗ କରିବାନାହିଁ ତେବେ କଣ ଆମେ ଆମ ପରମାତ୍ମାଙ୍କୁ କେବେ ବି ପାଇପାରିବା ? ବର୍ଷ ବର୍ଷ ଧରି ଧୂଳି ଜମିରହିଥିବା ଦର୍ପଣଟିଏ ଆମ ସମ୍ମୁଖକୁ ଆସିଲେ, ଆମେ ସେଥିରେ ଆମର ପ୍ରତିବିମ୍ବ ଦେଖିପାରୁନା କିନ୍ତୁ ଆମେ ସେ ଧୂଳିକୁ ସଫା କରିଦେଲା ମାତ୍ରେ ସେଥିରେ ଆମର ପ୍ରତିବିମ୍ବ ସ୍ପଷ୍ଟ ରୂପେ ଦେଖାଯାଏ l ପ୍ରତିବିମ୍ବ ତ ସେଇଠି ଥାଏ, ମାତ୍ର ମଇଳା ଥିବାରୁ ଦେଖାଯାଏ ନାହିଁ l ସେହିପରି ପରମାତ୍ମା ତ ଆମ ସହିତ ସଦା ସର୍ବଦା ରହିଛନ୍ତି, ତାଙ୍କୁ ପ୍ରାପ୍ତ କରିବାକୁ ହେଲେ ଆମ ଉପରେ ଜମି ଥିବା ବାସନା ରୂପକ ଧୂଳି ଓ ଆମ ପିଠି ଉପରେ ଥିବା କର୍ମବନ୍ଧନର ମଇଳା ଗଣ୍ଠୁଲିକୁ ହଟାଇବାକୁ ହେବ l ଭଗବାନଙ୍କୁ ଧ୍ୟାନ କଲେ କିମ୍ବା ତାଙ୍କ ନାମ ଜପ ଦ୍ୱାରା ଅନ୍ତଃକାରଣର ଶୁଦ୍ଧି ତ ନିଶ୍ଚୟ ହୁଏ, କିନ୍ତୁ ଆମକୁ ଏସବୁ ହୃଦୟର ସହିତ କରିବାକୁ ହୁଏ, ତେବେ ଯାଇ ଆମେ ଶୁଦ୍ଧ ହୋଇପାରିବା l ଦୈବୀ ଗୁଣ ଆମ ଭିତରେ ବଢୁଛି କି ନାହିଁ ଆମକୁ ଦେଖିବାକୁ ହେବ l ଅନ୍ତଃକରଣ ଶୁଦ୍ଧି ବିନା ଜ୍ଞାନ ଆମକୁ କେବେ ହେଁ ଛୁଇଁ ପାରିବନାହିଁ l ଅନ୍ତଃକରଣ ଶୁଦ୍ଧ ହେଲାମାତ୍ରେ ଆମକୁ ପ୍ରତ୍ୟେକ ସ୍ଥାନରେ ଭଗବାନ ଦୃଶ୍ୟ ହେବେ l
ୟଦାଦିତ୍ୟଗତଂ(ନ୍) ତେଜୋ, ଜଗଦ୍ଭାସୟତେଽଖିଲମ୍।
ୟଚ୍ଚନ୍ଦ୍ରମସି ୟଚ୍ଚାଗ୍ନୌ, ତତ୍ତେଜୋ ବିଦ୍ଧି ମାମେକମ୍।।୧୨।।
ବିବେଚନ -
ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ ଅର୍ଜୁନ ସୂର୍ଯ୍ୟଙ୍କ ଭିତରେ ସ୍ଥିତ ଯେଉଁ ତେଜ ସମ୍ପୂର୍ଣ୍ଣ ଜଗତକୁ ପ୍ରକାଶମୟ କରୁଛି ସେହି ତେଜ ଚନ୍ଦ୍ର ଓ ଅଗ୍ନି ମଧ୍ୟରେ ବି ଅଛି। ତାହା ମୋର ଅଟେ।
ପରବର୍ତ୍ତୀ ତିନିଟି ଶ୍ଳୋକ ମାଧ୍ୟମରେ ଭଗବାନ ନିଜର ସୂକ୍ଷ୍ମାତିସୂକ୍ଷ୍ମ ସତ୍ତା ବିଷୟରେ ଅବଗତ କରାଇଛନ୍ତି। କିଛି ଉଦାହରଣ ମାଧ୍ୟମରେ କହିଛନ୍ତି ଯେ ସେ ସମଗ୍ର ଜଗତରେ ପରିବ୍ୟାପ୍ତ। ମହାକାଶର ଧାରଣ ଶକ୍ତି, ଅଗ୍ନିର ତେଜ, ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କର ରସାତ୍ମକ ସୃଷ୍ଟି ସବୁକିଛି ତାଙ୍କରି ଠାରୁ ସୃଷ୍ଟି ।
ଅଭ୍ୟାସ ବିନା ଅନ୍ତଃକରଣର ଶୁଦ୍ଧି ହୋଇପାରେ ନାହିଁ। ଉଦାହରଣତଃ ଯେତେବେଳେ ଆମ ମୋବାଇଲ ଫୋନରେ କିଛି ନୂଆ ଭଜନ ରଖିବାକୁ ଚାହାନ୍ତି ତ ସେଥିରେ ଜାଗା ବା ମେମୋରୀ ନଥାଏ । ସେଥିରୁ କିଛି ସ୍ଥାନ ଖାଲି କଲେହିଁ ଆମେ ନୂଆ କିଛି ରଖିପାରିବା । କିନ୍ତୁ ଆମେ ତାହା କରିପାରୁନାହିଁ କାରଣ ସେଥିରେ ଆମର ମୋହ ଲାଗିଯାଇଥାଏ । ସେହିପରି ଆମ ମନ ଓ ବୁଦ୍ଧି ଭିତର ଯେଉଁ ମଇଳା ଅଛି ତାକୁ ଦୂର ନକଲେ ଅନ୍ତଃକରଣ ଶୁଦ୍ଧି କିପରି ହେବ ? ଆମେ ଭାବୁଛେ କିଛି ତ୍ୟାଗ ନକରି ସବୁକିଛି ପାଇଯିବା । ଏହା କିନ୍ତୁ ସମ୍ଭବ ନୁହେଁ ।
ଗାମାବିଶ୍ୟ ଚ ଭୂତାନି, ଧାରୟାମ୍ୟହମୋଜସା।
ପୁଷ୍ଣାମି ଚୌଷଧୀଃ(ସ୍) ସର୍ବାଃ(ସ୍), ସୋମୋ ଭୂତ୍ୱା ରସାତ୍ମକଃ।।୧୩।।
ଅହଂ(ୱ୍ଁ) ବୈଶ୍ୱାନରୋ ଭୂତ୍ୱା, ପ୍ରାଣିନାଂ(ନ୍) ଦେହମାଶ୍ରିତଃ।
ପ୍ରାଣାପାନସମାୟୁକ୍ତଃ(ଫ୍), ପଚାମ୍ୟନ୍ନଂ(ଞ୍) ଚତୁର୍ବିଧମ୍॥15.14॥
ସର୍ବସ୍ୟ ଚାହଂ(ମ୍) ହୃଦି ସନ୍ନିବିଷ୍ଟୋ,
ମତ୍ତଃ(ସ୍) ସ୍ମୃତିର୍ଜ୍ଞାନମପୋହନଂ(ଞ୍) ଚ।
ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ,
ବେଦାନ୍ତକୃଦ୍ବେଦବିଦେବ ଚାହମ୍।।୧୫।।
ବିବେଚନ -
ଭଗବାନ କହିଛନ୍ତି, ମୁଁ କ'ଣ ଵାହରେ ଥାଏ, ମୁଁ ପ୍ରତ୍ୟେକ ପ୍ରାଣୀଙ୍କର ହୃଦୟରେ ବିରାଜମାନ। ମୁଁ ତୁମ ଭିତରେ ବି ଅଛି। ମୁଁ ଅନ୍ତର୍ଯ୍ୟାମୀ ରୂପରେ ସମସ୍ତ ପ୍ରାଣୀଙ୍କ ହୃଦୟରେ ଅଧିଵାସ କରିଅଛି। ମୋ'ଠାରୁ ହିଁ ସ୍ମୃତି, ଜ୍ଞାନ ଓ ଅପୋହନ ହୁଏ। ମୁଁ ହିଁ ସମସ୍ତ ବେଦର ଜ୍ଞେୟ ତତ୍ତ୍ଵ। ସମସ୍ତ ବେଦର ତତ୍ତ୍ଵ ନିର୍ଣ୍ଣାୟକ ଏବଂ ବେଦର ଜ୍ଞାତା ମଧ୍ୟ ମୁଁ।
ସ୍ମୃତି - ପୂର୍ବରୁ ଦେଖି, ଶୁଣି, କିମ୍ବା ଅନ୍ୟ କୌଣସି ଉପାୟରେ ଅନୁଭବ କରାଯାଇଥିବା ବସ୍ତୁ ଅଥବା ଘଟଣାକୁ ମନେପକାଇଵା ଅର୍ଥ ହେଉଅଛି ସ୍ମୃତି।
ଜ୍ଞାନ - କୈଣସି ବସ୍ତୁକୁ ଯଥାର୍ଥ ଭାବରେ ଜାଣିବା ଶକ୍ତି ହେଉଛି ଜ୍ଞାନ। ଏହାର ଅର୍ଥ କିଛି ନୂଆ ଶିଖିଵା, କିଛି ନୂଆ ଶୁଣିଵା ଓ କିଛି ନୂଆ ଜାଣିବା।
ଅପୋହନ - ସନ୍ଦେହ ଦୂରୀକରଣ ପାଇଁ ମନ ମଧ୍ୟରେ ବିତର୍କ ଜାଗ୍ରତ ହୁଏ । ବିତର୍କଦ୍ଵାରା ପ୍ରମାଣିତ ବିଷୟ ହେଉଅଛି ସିଦ୍ଧାନ୍ତ। ଏହି ସିଦ୍ଧାନ୍ତ ଦ୍ଵାରା ବିତର୍କର ନିବୃତ୍ତି ଘଟିଥାଏ । ଏହି ନିବୃତ୍ତିର ନାମ ଅପୋହନ। ଅର୍ଥାତ୍ ନୂଆ ଏବଂ ପୁରୁଣା ସଂଶୟର ନିବାରଣ। ଆମକୁ ଲାଗେ, ମତେ ଜଣା ନାହିଁ ଏହା ଠିକ୍ ନା ତାହା ଠିକ୍। ଏହା ହିଁ ସଂଶୟ। ଏହି ସଂଶୟର ନିବାରଣ ହେଉଛି ଅପୋହନ।
ଅତଏବ ସମସ୍ତଙ୍କ ହୃଦୟରେ ଥିବା ଅନ୍ତର୍ଯ୍ୟାମୀ ପରମାତ୍ମା ପ୍ରାଣୀମାନଙ୍କ କର୍ମ ଅନୁସାରେ ସ୍ମୃତି, ଜ୍ଞାନ ଏବଂ ଅପୋହନ ଇତ୍ୟାଦି ଭାବ ସେମାନଙ୍କ ହୃଦୟରେ ଉତ୍ପନ୍ନ କରୁଅଛନ୍ତି।
ଏହିସବୁ ଉକ୍ତିରୁ ସ୍ପଷ୍ଟ ପ୍ରତୀୟମାନ ହେଉଅଛି ପରମାତ୍ମା ସର୍ବବ୍ୟାପକ । ସେ ଵେଦଵାକ୍ୟର ଫଳଦାତା ଅର୍ଥାତ୍ ବେଦାନ୍ତକୃତ୍ ଅଟନ୍ତି।
ଦ୍ୱାବିମୌ ପୁରୁଷୌ ଲୋକେ, କ୍ଷରଶ୍ଚାକ୍ଷର ଏବ ଚ।
କ୍ଷରଃ(ସ୍) ସର୍ବାଣି ଭୂତାନି, କୂଟସ୍ଥୋଽକ୍ଷର ଉଚ୍ୟତେ।।୧୬।।
ଉତ୍ତମଃ(ଫ୍) ପୁରୁଷସ୍ତ୍ୱନ୍ୟଃ(ଫ୍), ପରମାତ୍ମେତ୍ୟୁଦାହୃତଃ।
ୟୋ ଲୋକତ୍ରୟମାବିଶ୍ୟ, ବିଭର୍ତ୍ୟବ୍ୟୟ ଈଶ୍ୱରଃ।।୧୭।।
ୟସ୍ମାତ୍କ୍ଷରମତୀତୋଽହମ୍, ଅକ୍ଷରାଦପି ଚୋତ୍ତମଃ।
ଅତୋଽସ୍ମି ଲୋକେ ବେଦେ ଚ, ପ୍ରଥିତଃ(ଫ୍) ପୁରୁଷୋତ୍ତମଃ।।୧୮।।
ୟୋ ମାମେବମସମ୍ମୂଢୋ, ଜାନାତି ପୁରୁଷୋତ୍ତମମ୍।
ସ ସର୍ବବିଦ୍ଭଜତି ମାଂ(ମ୍), ସର୍ବଭାବେନ ଭାରତ।।୧୯।।
ଇତି ଗୁହ୍ୟତମଂ(ମ୍) ଶାସ୍ତ୍ରଂ(ମ୍), ଇଦମୁକ୍ତଂ(ମ୍) ମୟାନଘ।
ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍, କୃତକୃତ୍ୟଶ୍ଚ ଭାରତ।।୨୦।।
ବିଚାର ମନ୍ଥନ (ପ୍ରଶ୍ନୋତ୍ତରୀ) :-
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ପୁରୁଷୋତ୍ତମୟୋଗୋ ନାମ ପଞ୍ଚଦଶୋଽଧ୍ୟାୟଃ॥