विवेचन सारांश
ଶ୍ରେଷ୍ଠ ଭକ୍ତର ଲକ୍ଷଣ
ପ୍ରାରମ୍ଭିକ ପ୍ରାର୍ଥନା, ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନ ଏବଂ ଗୁରୁ ବନ୍ଦନା ପରେ ଆଜିର ବିବେଚନ ସତ୍ରର ଆରମ୍ଭ ହେଲା। ଭଗବାନଙ୍କର ଅତିଶୟ ମଙ୍ଗଳମୟ କୃପାରୁ ଆମର ଏଭଳି ସୌଭାଗ୍ୟ ଜାଗ୍ରତ ହେଲା କି ଆମେ ନିଜ ଜୀବନକୁ ଉଦ୍ଧାର କରିବା ପାଇଁ, ସଦୁପଯୋଗ କରିବା ପାଇଁ, ଏହି ମନୁଷ୍ୟ ଜୀବନକୁ ସାର୍ଥକ କରିବା ପାଇଁ ଭଗବଦ୍ଗୀତାର ସାଧନାରେ ଲାଗିପଡିଛେ।
ତେପନ ଶହ ବର୍ଷ ମଧ୍ୟରେ ଅନେକ ସନ୍ଥ ମହାତ୍ମା ବାରମ୍ବାର ଏହା କହିଛନ୍ତି କି ଭଗବଦ୍ଗୀତା ସଦୃଶ ଜୀବନର କଲ୍ୟାଣକାରୀ ତଥା ସୁଗମ ଅନ୍ୟ କୋୖଣସି ଗ୍ରନ୍ଥ ନାହିଁ। ଅନ୍ୟ ସମସ୍ତ ଗ୍ରନ୍ଥ କେବଳ ଇହଲୋକର ଅବା ପରଲୋକର କଲ୍ୟାଣକାରୀ ବାର୍ତ୍ତା ଦେଇଥାନ୍ତି । ପ୍ରେରଣାଦାୟକ, ଉତ୍ସାହବର୍ଦ୍ଧକ ଉପନ୍ୟାସ ଏବଂ ବକ୍ତା ତ ଅନେକ ମିଳନ୍ତି ଯେଉଁମାନେ ଏହି ସଂସାରରେ ଆପଣଙ୍କର ଉନ୍ନତି କିଭଳି ହେବ ଓ ଆପଣଙ୍କର ଆତ୍ମବିଶ୍ବାସ କିପରି ବଢ଼ିବ - ଆଦି ବିଷୟରେ କହଥାନ୍ତି। ଯଦି ଆପଣ ଭାଗବତ ଶୁଣନ୍ତି, ସେଠାରେ ପରଲୋକରେ ଆପଣଙ୍କର କଲ୍ୟାଣ କେଉଁ ପ୍ରକାରରେ ହେବ - ତାହା କୁହାଯାଇଥାଏ। ଏକମାତ୍ର ଭଗବଦ୍ଗୀତା ହିଁ ଏଭଳି ଏକ ଗ୍ରନ୍ଥ ଅଟେ ଯାହା ଇହଲୋକ ଏବଂ ପରଲୋକରେ କେଉଁ ପ୍ରକାରରେ ବିଜୟୀ ହେବାକୁ ହେବ, ତାହା ବତାଇ ଦେଇଥାନ୍ତି । କିପରି ଦୁଇ ଲୋକରେ ଏବଂ ପ୍ରତ୍ୟେକ ଜନ୍ମରେ ଆମର ଉଦ୍ଧାର ହେବ - ଏହାର ମାର୍ଗଦର୍ଶନ ଆମକୁ ଭଗବଦ୍ଗୀତାରୁ ହିଁ ମିଳିଥାଏ।
ଭଗବଦ୍ଗୀତା ଛୋଟ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଶକ୍ତିଶାଳୀ ଗ୍ରନ୍ଥ ଅଟେ। ଏହାର କାରଣ, ବେଦମାନଙ୍କର ସାର ଉପନିଷଦ୍ ଗୁଡ଼ିକୁ ଏବଂ ଉପନିଷଦ୍ ଗୁଡ଼ିକର ସାର ଭଗବଦ୍ଗୀତାକୁ କୁହାଯାଇଛି । ପରନ୍ତୁ ଆଚାର୍ଯ୍ୟମାନେ ବେଦମାନଙ୍କଠୁ ମଧ୍ୟ ଅଧିକ ମହିମା ଗୀତାଜୀଙ୍କର ବୋଲି କହିଛନ୍ତି। ଆଚାର୍ଯ୍ୟ ମହାପୁରୁଷ କହନ୍ତି କି ବେଦଗୁଡ଼ିକୁ ବିଷ୍ଣୁ ଭଗବାନଙ୍କର ଉଚ୍ଛ୍ୱାସ ବୋଲି ଧରାଯାଏ, ଅର୍ଥାତ୍ ବିଷ୍ଣୁ ଭଗବାନ ଶ୍ବସନ କରନ୍ତି ତ ତାଙ୍କର ନାସିକାରୁ ନିର୍ଗତ ବାୟୁରୁ ବେଦଗୁଡ଼ିକର ଶ୍ରୁତି ବାହାରିଥାଏ କିନ୍ତୁ ଭଗବଦ୍ଗୀତା ତ ଭଗବାନଙ୍କର ବାଣୀ ଅଟେ ଯାହା ତାଙ୍କର ମୁଖାରବିନ୍ଦରୁ ନିଃସୃତ। ଭଗବଦ୍ଗୀତାର ପ୍ରତ୍ୟେକ ଶ୍ଲୋକ ମନ୍ତ୍ରମୟ ଅଟେ।
ପୂଜ୍ୟ ସ୍ଵାମୀଜୀ କହନ୍ତି କି ଭଗବଦ୍ଗୀତାର ନିତ୍ୟ ଶୁଦ୍ଧ ପାରାୟଣ କରୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ପ୍ରୋଗ୍ରାମିଙ୍ଗ୍ ବଦଳି ଯାଇଥାଏ। ଶାରିରୀକ ଏବଂ ମନୋବିଜ୍ଞାନ ସମ୍ବନ୍ଧୀୟ ଅନେକ ରୋଗ ମଧ୍ୟ ଭଲ ହୋଇଯାଏ । ଏହାର ଅନେକାନେକ ସାକ୍ଷ୍ୟ ପ୍ରତିଦିନ ଲର୍ନଗୀତାରେ ଦେଖିବାକୁ ମିଳିଥାଏ।
ସାତଶହ ଶ୍ଲୋକ ବିଶିଷ୍ଟ ଭଗବଦ୍ଗୀତାରେ ଗୋଟିଏ ଶ୍ଲୋକ ଧୃତରାଷ୍ଟ୍ର କହିଛନ୍ତି, ଏକଚାଳିଶଟି ଶ୍ଲୋକ ସଞ୍ଜୟ କହିଛନ୍ତି, ଚୌରାଅସୀଟି ଶ୍ଲୋକ ଅର୍ଜୁନ କହିଛନ୍ତି ଏବଂ ପାଞ୍ଚଶହଚଉସ୍ତରୀଟି ଶ୍ଲୋକ ଶ୍ରୀଭଗବାନଙ୍କର ଶ୍ରୀମୁଖରୁ ନିଃସୃତ ହୋଇଅଛି । ଆମ୍ଭେ ଏଠାରେ ଦ୍ବାଦଶ ଅଧ୍ୟାୟର ଚିନ୍ତନ କରୁଛନ୍ତି। ଦ୍ବାଦଶ ଅଧ୍ୟାୟର ଚିନ୍ତନ କାହିଁକି କରିବା ଉଚିତ୍, ଏହା ଆମେ ଗତ ସପ୍ତାହରେ ଦେଖିଥିଲେ। ଟିକିଏ ମନେ ପକାଇ ନେବା। ଦ୍ବାଦଶ ଅଧ୍ୟାୟ ସବୁଠାରୁ ଛୋଟ, ସରଳ ଏବଂ କଲ୍ୟାଣକାରୀ ଅଟେ, ଯାହାର ଅଧ୍ୟୟନ କମ୍ ସମୟ ମଧ୍ୟରେ ହୋଇପାରିବ । ଭଗବଦ୍ଗୀତାର ଅଧ୍ୟୟନ ସମୟରେ ସର୍ବପ୍ରଥମେ ଦ୍ବାଦଶ ଅଧ୍ୟାୟର ଅଧ୍ୟୟନ କରିବା ପରମ୍ପରା ଦୀର୍ଘକାଳରୁ ଚଳି ଆସିଛି । ଭଗବାନଙ୍କୁ ଅର୍ଜୁନ ଆରମ୍ଭରେ ପଚାରିଲେ - "କେ ୟୋଗବିତ୍ତମାଃ" କି ଜ୍ଞାନଯୋଗ ଓ ଭକ୍ତିଯୋଗ ମଧ୍ୟରେ ମୋ ପାଇଁ କେଉଁଟି ଶ୍ରେଷ୍ଠ ଅଟେ ?
ଯେଉଁ ପ୍ରକାରେ ଔଷଧ ବିକ୍ରେତାଙ୍କ ଦୋକାନରେ ଅନେକ ପ୍ରକାରର ଔଷଧ ଥାଏ କିନ୍ତୁ ଚିକିତ୍ସକ ଆମ ରୋଗ ପାଇଁ ଯେଉଁ ଔଷଧ ଲେଖିଛନ୍ତି, ଆମକୁ ତାହାର ଆବଶ୍ୟକତା ରହିଥାଏ। ଆମକୁ ଅନ୍ୟ କୋୖଣସି ଔଷଧରେ କିଛି ସମ୍ବନ୍ଧ ନାହିଁ। ଅର୍ଜୁନ କହୁଛନ୍ତି କି ହେ ଭଗବାନ! ଆପଣ ମୋତେ ଏହି ଜ୍ଞାନଯୋଗ, ଭକ୍ତିଯୋଗ, ଧ୍ୟାନଯୋଗ, କର୍ମଯୋଗ ଆଦି କାହିଁକି ପଢ଼ାଉଛନ୍ତି ? ମୋ ପାଇଁ ଯାହା ଆବଶ୍ୟକ ଅଟେ ତାହା ଆପଣ ମୋତେ କୁହନ୍ତୁ। ଭଗବାନ କହୁଛନ୍ତି କି ହେ ଅର୍ଜୁନ! ତୁମକୁ ତ ମୁଁ ମାଧ୍ୟମ କରିଛି, କିନ୍ତୁ ଭବିଷ୍ୟତ ଯୁଗର କୋଟି କୋଟି ଲୋକଙ୍କର ଯାହା ମାର୍ଗଦର୍ଶକ ହୋଇପାରିବ, ତାହାର ବିଜ୍ଞାନ ମୁଁ ତୁମ ମାଧ୍ୟମରେ ପ୍ରକଟ କରୁଅଛି। ତା’ପରେ ଭଗବାନ୍ ଭକ୍ତିଯୋଗର ଉପାୟ କହିଲେ। କିଭଳି ଭକ୍ତିଯୋଗ କରିବା ? ଏହାର ଗୋଟି ଗୋଟି ସାଧନ ଭଗବାନ୍ କହିବା ଆରମ୍ଭ କଲେ। ଷଷ୍ଠ ଶ୍ଲୋକରୁ ଦଶମ ଶ୍ଲୋକ ପର୍ଯ୍ୟନ୍ତ ଭଗବାନ୍ ଅର୍ଜୁନଙ୍କୁ ଅନେକ ଉପାୟ କହୁଛନ୍ତି କି ଯଦି ତୁମେ ଏହି ଉପାୟ କରି ନ ପାର ତାହେଲେ ଏଇଟା କରି ନିଅ ଏବଂ ଏହାକୁ ଯଦି ନ କରି ପାର ତାହେଲେ ତାହା କରିନିଅ। ଏହି ପ୍ରକାରେ ଭଗବାନ ଅର୍ଜୁନଙ୍କୁ ଅନେକ ବିକଳ୍ପ ବତାଉଛନ୍ତି।
ଏକାଦଶ ଶ୍ଲୋକରେ ଭଗବାନ୍ ଅର୍ଜୁନଙ୍କୁ କହୁଛନ୍ତି କି-
अथैतदप्यशक्तोऽसि कर्तुं मद्योगमाश्रितः।
सर्वकर्मफलत्यागं ततः कुरु यतात्मवान्।।12.11।।
ଅର୍ଥାତ୍ ତୁମେ ନିଜର ମନ ଏବଂ ବୁଦ୍ଧି ଉପରେ ନିୟନ୍ତ୍ରଣ କରି ନିଜର ସମସ୍ତ କର୍ମର ଫଳତ୍ୟାଗୀ ହୋଇଯାଅ। ଏଠାରେ ମନରେ ପ୍ରଶ୍ନ ଆସିପାରେ କି କର୍ମର ଫଳତ୍ୟାଗ କିପରି କରିବୁ ? କୃଷକ ଯଦି ମଞ୍ଜି ପୋତିବ ତାହେଲେ ସେଠାରୁ ଗଛ ବାହାରିବ କିନ୍ତୁ ସେ ଯଦି ଏହା କହେ କି ତାକୁ ଗଛ ଦରକାର ନାହିଁ ତାହେଲେ ଏହା ସମ୍ଭବ ନୁହେଁ। ଏଠାରେ ମହାପୁରୁଷମାନେ ଏହା କହିଛନ୍ତି କି ଆମକୁ କର୍ମଫଳ ପ୍ରତି ଆମର ଆସକ୍ତିକୁ ତ୍ୟାଗ କରିବାକୁ ପଡ଼ିବ। ଅର୍ଥାତ୍, ଆମର ମନର ଅନୁକୂଳ ଫଳ ମିଳିବା କଥା ଧାର୍ଯ୍ୟ ହେଲେ ହିଁ ଯାଇ ଆମେ କାର୍ଯ୍ୟ କରୁ ଅନ୍ୟଥା କରୁନା - ଏପରି କରିବା ଉଚିତ୍ ନୁହେଁ । କର୍ତ୍ତବ୍ୟ କର୍ମ କରିବା ଏବଂ ଏହାର ପ୍ରତିଫଳ ଅନୁକୂଳ ଅବା ପ୍ରତିକୂଳ ଆସିବା ଏହା ପ୍ରତି କୋୖଣସି ବିଚାର ନ କରି ନିଜର କର୍ମକୁ ଶ୍ରେଷ୍ଠତାର ସହିତ କରିବା ହିଁ "ସର୍ବକର୍ମଫଳତ୍ୟାଗ" ଅଟେ। ଅର୍ଜୁନ ଏହା ତୁମ ପାଇଁ ସର୍ବୋତ୍ତମ ମାର୍ଗ ହେବ।
ଭଗବାନ କର୍ମଫଳ ତ୍ୟାଗର ପ୍ରଶଂସା ଦ୍ଵାଦଶ ଶ୍ଲୋକରେ କରିଛନ୍ତି। ଏହା ଅତ୍ୟନ୍ତ ଗୂଢ଼ ଶ୍ଲୋକ ଅଟେ। ଯାହା ବିଷୟରେ ଅନେକ ଦିନ ଯାଏଁ ଆଲୋଚନା କରାଯାଇପାରିବ।
12.12
ଶ୍ରେୟୋ ହି ଜ୍ଞାନମଭ୍ୟାସାଜ୍, ଜ୍ଞାନାଦ୍ଧ୍ୟାନଂ(ୱ୍ଁ) ବିଶିଷ୍ୟତେ।
ଧ୍ୟାନାତ୍କର୍ମଫଲତ୍ୟାଗଃ(ସ୍), ତ୍ୟାଗାଚ୍ଛାନ୍ତିରନନ୍ତରମ୍।।12.12।।
ବିବେଚନ :-
ଶ୍ରୀଭଗବାନ୍ କହୁଛନ୍ତି କି ଅଭ୍ୟାସଠାରୁ ଜ୍ଞାନ ଶ୍ରେଷ୍ଠ ଅଟେ, ଜ୍ଞାନଠରୁ ଧ୍ୟାନ ଶ୍ରେଷ୍ଠ ଅଟେ ଏବଂ ଧ୍ୟାନଠାରୁ ସମସ୍ତ କର୍ମଫଳ ଇଚ୍ଛାର ତ୍ୟାଗ ଶ୍ରେଷ୍ଠ ଅଟେ, କାହିଁକିନା ତ୍ୟାଗ ଦ୍ଵାରା ତତ୍କାଳ ହିଁ ପରମଶାନ୍ତି ପ୍ରାପ୍ତ ହୋଇଯାଇଥାଏ।
ଭଗବାନ ଷଷ୍ଠ ଅଧ୍ୟାୟର ପଞ୍ଚତିରିଶି ଶ୍ଲୋକରେ କହିଛନ୍ତି-
अभ्यासेन तु कौन्तेय वैराग्येण च गृह्यते ।।6.35।।
ଭଗବାନ ଅର୍ଜୁନଙ୍କୁ ଅଭ୍ୟାସ କରିବା ପାଇଁ କହିଛନ୍ତି, କିନ୍ତୁ କେବଳ ଅଭ୍ୟାସରେ ହିଁ ଅଟକି ରହିବାକୁ ବାରଣ କରିଛନ୍ତି । ଅଭ୍ୟାସ ବାହ୍ୟ ଇନ୍ଦ୍ରିୟ ଦ୍ବାରା ହୋଇଥାଏ ଯାହା କି ସରଳ ଅଟେ। ମୁଁ ସେଠାକୁ ଯିବି ନାହିଁ, ଏହା କରିବା ସରଳ ଅଟେ, କିନ୍ତୁ ମୁଁ ସେଠାକୁ ଯିବା ବିଷୟରେ ଭାବିବି ନାହିଁ, ଏହି କଥା କଠିନ ଅଟେ। ମୁଁ ଆପଣଙ୍କୁ କହିବି କି ଆପଣ ଧଳା ହାତୀ ବିଷୟରେ ଭାବନ୍ତୁ ନାହିଁ, ଏହାର ବିଲକୁଲ କଳ୍ପନା କରନ୍ତୁ ନାହିଁ। ଆପଣ ସମସ୍ତଙ୍କୁ ଧଳା ହାତୀ ସ୍ପଷ୍ଟ ରୂପେ ଦିଶିବାରେ ଲାଗିବ। ମନକୁ ନିୟନ୍ତ୍ରଣ କରିବା ବହୁତ କଠିନ ଅଟେ। ଯାହା ଯେତେ ସୂକ୍ଷ୍ମ ହୋଇଯାଏ ତାହା ସେତିକି କଠିନ ହୋଇ ହୋଇଯାଏ। ଭଗବାନ ଅଭ୍ୟାସଠୁ ଜ୍ଞାନକୁ ଶ୍ରେଷ୍ଠ କହିଛନ୍ତି କାହିଁକିନା ତାହା ବୁଦ୍ଧିର ବିଷୟ ଅଟେ ଏବଂ ବୁଦ୍ଧି ସୂକ୍ଷ୍ମ ହୋଇଥାଏ।
ଧ୍ୟାନ, ଜ୍ଞାନଠାରୁ ମଧ୍ୟ ଶ୍ରେଷ୍ଠ ଅଟେ କାହିଁକିନା ଏହା ଚିତ୍ତର ବିଷୟ ଅଟେ ଯାହା ବୁଦ୍ଧିଠାରୁ ମଧ୍ୟ ସୂକ୍ଷ୍ମ ହୋଇଥାଏ। ଆଗକୁ ଭଗବାନ୍ କହୁଛନ୍ତି କି ଧ୍ୟାନଠାରୁ ମଧ୍ୟ ଶ୍ରେଷ୍ଠ ହୋଇଥାଏ ସମସ୍ତ କର୍ମର ଫଳତ୍ୟାଗ । କର୍ମଫଳ ତ୍ୟାଗ କରିବା ପାଇଁ ଅହଂ ଭାବର ତ୍ୟାଗ କରିବାକୁ ପଡ଼ିଥାଏ। ଅହଂକାରର ତ୍ୟାଗ ସବୁଠୁ କଠିନ ଅଟେ। କୋୖଣସି ସାଧନ ନ୍ୟୂନ ନୁହେଁ। ଭଗବାନ୍ ଅର୍ଜୁନଙ୍କୁ ସୂକ୍ଷ୍ମତାର କ୍ରମ ବିଷୟରେ କହୁଛନ୍ତି। ଅର୍ଜୁନ ତୁମେ ଯଦି ସୂକ୍ଷ୍ମତାର କ୍ରମ ଅନୁସାରେ ଯିବ ତାହେଲେ ତୁମେ ଏହାକୁ ପ୍ରାପ୍ତ କରିନେବ। ଦଶଟି ସୋପାନ ଚଢିବାକୁ ହେଲେ ପ୍ରଥମ ସୋପାନରୁ ହିଁ ଆରମ୍ଭ କରିବାକୁ ପଡ଼ିବ। କ୍ରମ ମହତ୍ତ୍ୱପୂର୍ଣ୍ଣ ଅଟେ । ଭଗବାନ୍ କହୁଛନ୍ତି କି, ଅର୍ଜୁନ ତୁମେ ସାଧନରେ ଯାଅ ନାହିଁ, ଲକ୍ଷଣର ଧ୍ୟାନ କର। ଏଥିପାଇଁ ଗୀତା ସମଗ୍ର ସଂସାରରେ ସର୍ବମାନ୍ୟ ଗ୍ରନ୍ଥ ହୋଇରହିଛି । ଗୀତକାର କୋୖଣସି ବି ମାର୍ଗରେ ଆଗ୍ରହୀ ହୁଅନ୍ତି ନାହିଁ। କୋୖଣସି ବି ମାର୍ଗରେ ଯାଆନ୍ତୁ ଆପଣ କ’ଣ ପ୍ରାପ୍ତ କଲେ, ଭଗବାନ ତାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହୁଛନ୍ତି । ଲକ୍ଷଣଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ କହୁଛନ୍ତି। ଆମେ ଚିକିତ୍ସକଙ୍କ ନିକଟକୁ ଯାଇ କହିବା କି ମୋତେ ମ୍ୟାଲେରିଆ ହୋଇଛି ଔଷଧ ଦେଇ ଦିଅନ୍ତୁ, ତାହେଲେ ଚିକିତ୍ସକ ବିରକ୍ତ ହୋଇଯିବେ। ସେ ପ୍ରଥମେ ଆପଣଙ୍କୁ ଲକ୍ଷଣ ପଚାରି ଆପଣଙ୍କର ରୋଗ ବିଷୟରେ ଜାଣିବେ ଏବଂ ଏହାର ଉପଚାର ସେ ନିଜେ ଜଣାଇବେ।
ଶ୍ରୀ ଭଗବାନ୍ କହୁଛନ୍ତି ତିଳକ ଲଗାଇଲେ, ଶିଖା ରଖିଲେ, ଯଜ୍ଞପୋବିତ ଧାରଣ କଲେ, ଜପ ଆଦି କଲେ ଯେ ମୋର ଭକ୍ତ ହୋଇଯିବ ଏହା ନୁହେଁ ବରଂ ଏସବୁ କରି ତୁମ ଭିତରେ କି ପରିବର୍ତ୍ତନ ଆସିଲା - ଏହା ମହତ୍ତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ ଭଗବାନ୍ ଭଗବଦ୍ଗୀତାକୁ ଚେକ୍ ଲିଷ୍ଟ ବନାଇଛନ୍ତି ଯାହାଦ୍ବାରା ତୁମେ ନିଜେ ନିଜର ଆକଳନ କରିପାରିବ କି ତୁମେ ନିଜେ କ’ଣ ? ଭଗବାନ୍ ଦ୍ବିତୀୟ ଅଧ୍ୟାୟରେ ସ୍ଥିତପ୍ରଜ୍ଞ, ଦ୍ଵାଦଶ ଅଧ୍ୟାୟରେ ଭକ୍ତ, ତ୍ରୟୋଦଶ ଅଧ୍ୟାୟରେ ଜ୍ଞାନୀ, ଚତୁର୍ଦ୍ଦଶ ଅଧ୍ୟାୟରେ ଗୁଣାତୀତ, ଷୋଡ଼ଶ ଅଧ୍ୟାୟରେ ଦୈବୀୟ ଏବଂ ଆସୁରୀ ସମ୍ପଦ୍ ର ଲକ୍ଷଣ ସବୁ କହିଛନ୍ତି। ଭଗବାନ୍ କହୁଛନ୍ତି କି, “ତୁମେ କେଉଁ ମାର୍ଗରେ ଚାଲୁଛ, କେଉଁ ଇଷ୍ଟଙ୍କୁ ମାନୁଛ, କିପରି ପୂଜା, ଜପ ଆଦି କରୁଛ ମୋର ଏ ନେଇ କୋୖଣସି ଦ୍ଵିଧା ନାହିଁ। ଯଦି ତୁମେ ନିଜକୁ ଭକ୍ତ ବୋଲି ମାନୁଛ ତାହେଲେ ମୋ ଦ୍ବାରା କୁହାଯାଇଥିବା ଭକ୍ତର ଅଣଚାଳିଶଟି ଲକ୍ଷଣ ମଧ୍ୟରୁ କେତୋଟି ଲକ୍ଷଣ ତୁମଠାରେ ବିଦ୍ୟମାନ, ତାହା ଦେଖ।” କୌଣସି ମଧ୍ୟ ଲକ୍ଷଣ ଶୂନ୍ୟ ଅବା ପୂର୍ଣ୍ଣ ହୋଇନଥାଏ କିନ୍ତୁ ଯେତିକି ବି ଅଛି ସେଗୁଡି଼କୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କର। ଏହି ଲକ୍ଷଣଗୁଡି଼କର ଆଧାରରେ ଆମକୁ ନିଜର ସମୀକ୍ଷା କରିବାକୁ ହେବ, ଅନ୍ୟର ନୁହେଁ।
ଏହି ଲକ୍ଷଣଗୁଡି଼କୁ କ୍ରମାନ୍ୱୟରେ ନିମ୍ନରେ ସ୍ପଷ୍ଟ କରାଗଲା।
ଭକ୍ତି ଲକ୍ଷଣ ଟେବଲ୍
ଅଦ୍ୱେଷ୍ଟା ସର୍ବଭୂତାନାଂ(ମ୍), ମୈତ୍ରଃ(ଖ୍) କରୁଣ ଏବ ଚ।
ନିର୍ମମୋ ନିରହଙ୍କାରଃ(ସ୍), ସମଦୁଃଖସୁଖଃ କ୍ଷମୀ।।୧୩।।
ସନ୍ତୁଷ୍ଟଃ(ସ୍) ସତତଂ(ୟ୍ଁ) ୟୋଗୀ, ୟତାତ୍ମା ଦୃଢନିଶ୍ଚୟଃ।
ମୟ୍ୟର୍ପିତମନୋବୁଦ୍ଧିଃ(ର୍), ୟୋ ମଦ୍ଭକ୍ତଃ(ସ୍) ସ ମେ ପ୍ରିୟଃ।।12.14।।
ବିବେଚନ :-
ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଯେଉଁମାନେ ଦ୍ୱେଷଭାବ ରହିତ, ମିତ୍ରଭାବ ସମ୍ପନ୍ନ, ତଥା ଦୟାଳୁ, ମମତା ରହିତ, ଅହଙ୍କାର ରହିତ, ସୁଖ ଦୁଃଖରେ ସମତା, କ୍ଷମାଶୀଳ, ନିରନ୍ତର ସନ୍ତୁଷ୍ଟ, ଯୋଗୀ, ଶରୀରକୁ ବଶ କରିପାରିଥିବା, ଦୃଢ ନିଶ୍ଚୟୀ, ମୋଠାରେ ମନ ବୁଦ୍ଧି ଅର୍ପଣ କରୁଥିବା ବ୍ୟକ୍ତିମାନେ ମୋର ଭକ୍ତ, ସେମାନେ ମୋର ପ୍ରିୟ ମଧ୍ୟ।
୧ ) ଅଦ୍ୱେଷ୍ଟା - ଅର୍ଥାତ୍ ଯିଏ କାହା ପ୍ରତି ଦ୍ୱେଷଭାବ ରଖନ୍ତି ନାହିଁ। ନିଜର ବଡ଼ପଣିଆ ଦେଖାଇବାରେ ସମସ୍ୟା ନାହିଁ, କିନ୍ତୁ ନିଜର ବଡ଼ପଣ ଦେଖେଇବାକୁ ଯାଇ ଅନ୍ୟ ପ୍ରତି ନ୍ୟୁନ ଭାବ ପୋଷଣ କରିବା ଅନୁଚିତ । ଅନେକ ସତସଙ୍ଗୀ, କାର୍ଯ୍ୟକର୍ତ୍ତା ଉତ୍ତମ କଥାରେ ମଧ୍ୟ ଦ୍ୱେଷ ଭାବ ରଖିଥାନ୍ତି ।
୨) ସର୍ବ ଭୁତାନାଂ ମୈତ୍ରଃ - ଅର୍ଥାତ୍ ସମସ୍ତ ଭୂତମାତ୍ର ତଥା ସମ୍ପୂର୍ଣ୍ଣ ପ୍ରକୃତିର କଲ୍ୟାଣ କରିବା ଉଚିତ। ସମସ୍ତଙ୍କ ସହ ମିତ୍ରତା ରଖିବା ଉଚିତ୍। ଆମର କାହା ସହିତ ଏକାଧିକବାର ମନୋମାଳିନ୍ୟ ହେଲେ ଆମେ ବାରମ୍ବାର ତାଙ୍କୁ ମନାଇବାକୁ ଯାଉନା, ଏମିତି କେତେଥର ତାଙ୍କୁ ମନଉଥିବା ଭାବି ଛାଡି ଦେଇଥାଉ।
ରହିମ ଦାସ କହନ୍ତି -
ରୁଠେ ସଜନ ମନାଇଁଏ ଯୋ ରୁଠେ ବାର ବାର,
ରହିମାନ ଫିର ପୋଇଏ ଟୁଟେ ମୁକ୍ତ ହାର ।।
ଏଠାରେ ରହିମଦାସ ‘ସଜନ’ ଶବ୍ଦର ପ୍ରୟୋଗ କରିଛନ୍ତି। ସାହିତ୍ୟିକମାନେ ସଜନ ଶବ୍ଦକୁ ତିନି ପ୍ରକାରରେ ବ୍ୟକ୍ତ କରନ୍ତି। ପ୍ରଥମତଃ ସଜନ ଅର୍ଥାତ ସ୍ୱଜନ, ନିଜ ସମ୍ପର୍କୀୟ, ଯେପରି କୌଣସି ମୋତିହାର ଛିଣ୍ଡିଗଲେ ମୋତିଗୁଡିକୁ ବାରମ୍ବାର ଗୁନ୍ଥି ହାର ତିଆରି କରାଯାଏ ସେପରି ଅଭିମାନ କରିଥିବା ସଜନଙ୍କୁ ମଧ୍ୟ ବାରମ୍ବାର ମନେଇବା ଆବଶ୍ୟକ।
ଦ୍ୱିତୀୟତଃ - ସଜନ ଅର୍ଥାତ୍ ସତ୍ - ଜନ। ସଜ୍ଜନ ବ୍ୟକ୍ତିଙ୍କୁ ମଧ୍ୟ ବାରମ୍ବାର ମନେଇବା ଦରକାର।
ତୃତୀୟତଃ - ସଜନ ଶବ୍ଦର ତାତ୍ପର୍ଯ୍ୟ ନିଜ ପ୍ରିୟଜନ, ଯେପରି ପତି-ପତ୍ନୀ।
୩) ସର୍ବ ଭୂତନାଂ କରୁଣ - ପତଞ୍ଜଳି ଯୋଗ ଶାସ୍ତ୍ରରେ ଚିତ୍ତ ଶୁଦ୍ଧି ନିମନ୍ତେ ଚାରୋଟି ସାଧନ କଥା କୁହଯାଇଛି।
• ସୁଖିମାନଙ୍କ ସହ ମୈତ୍ରୀ
• ଦୁଃଖୀମାନଙ୍କ ସହିତ କରୁଣା
• ପୁଣ୍ୟାତ୍ମାଙ୍କ ସହିତ ପ୍ରୀତି
• ପାପାତ୍ମାଙ୍କ ପ୍ରତି ଉପେକ୍ଷା
ଭଗବାନ ଗୀତାରେ ଏହି କଥାକୁ ଦୁଇଟି ଭାଗରେ କହିଛନ୍ତି। ସୁଖୀ ଓ ପୁଣ୍ୟାତ୍ମାଙ୍କ ସହ ମିତ୍ରତା କର। ଦୁଃଖୀ ଓ ପାପାତ୍ମାଙ୍କ ପ୍ରତି କରୁଣା ଭାବ ରଖିବା।
କରୁଣା ଓ ଦୟା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। କରୁଣା ଅସୀମ ହୋଇଥାଏ ଦୟା ପରିସ୍ଥିତିବଶ ହୋଇଥାଏ। କରୁଣା ହୃଦୟ ଗତ ହୋଇଥିବା ବେଳେ ଦୟାରେ ଶ୍ରେଷ୍ଠତା ଭାବ ନିହିତ ଥାଏ ; ଯେ ମୁଁ ଶ୍ରେଷ୍ଠ, ଏଣୁ କାହା ଉପରେ ଦୟା କରୁଛି କିନ୍ତୁ କରୁଣାରେ ଆମେ ଅନ୍ୟର ଦୁଃଖକୁ ଆତ୍ମସ୍ଥ କରିଥାଉ। ସନ୍ଥଙ୍କ ହୃଦୟରୁ କରୁଣାର ଧାରା ବହିଥାଏ। କେହି ଜଣେ କହିଛନ୍ତି,
सन्त हृदय नवनीत समाना।
ଦୟା ଶକ୍ତି ସମ୍ପନ୍ନ ଗୁଣ। ରାଜା, ଥାନାବାଲା ଆଦି ଗୁରୁତ୍ୱପୂର୍ଣ୍ଣ ଅଧିକାରୀଗଣ ଦୟା କରିପାରନ୍ତି କିନ୍ତୁ କରୁଣା ତ ମନୁଷ୍ୟ ମାତ୍ରର ଗୁଣ । ସେଥିପାଇଁ କୌଣସି ମାଧ୍ୟମର ଆବଶ୍ୟକତା ନଥାଏ ।
୪) ନିର୍ମମୋ - ଅର୍ଥାତ୍ ମୁଁ ଏବଂ ମୋ ପଣିଆ ଭାବ ନ ରହିବା । ଥରେ ଜଣେ ପତି ପତ୍ନୀ ରେଫ୍ରିଜେଟର କିଣିବାକୁ ଗଲେ। ଦୋକାନରେ କିଛି ରେଫ୍ରିଜେଟର ଦେଖିବା ପରେ ସେମାନଙ୍କୁ ସେଥିରୁ ଗୋଟିଏ ରେଫ୍ରିଜେଟର ପସନ୍ଦ ଆସିଲା। ବିକ୍ରେତା କହିଲେ, ଏହା ଉପରେ ଆପଣଙ୍କ ନାଁ ର ମୋହର ଲଗାଇ ଦେଉଛି। ବର୍ତ୍ତମାନ ରିହାତିର ସମୟ ଚାଲିଛି। ମୁଁ ବିଲ୍ ପ୍ରସ୍ତୁତ କରିବା ମଧ୍ୟରେ କେହି ଯେପରି ଏହାକୁ ନେଇ ନ ଯାଉ। ସେତେବେଳେ ଦୁଇଜଣ ଶ୍ରମିକ ଅନ୍ୟ ଗୋଟିଏ ରେଫ୍ରିଜେଟର ନେଇ ସେହି ବାଟେ ଯାଉଥିଲେ। ନୂଆ ରେଫ୍ରିଜେଟର ଉପରେ ଶ୍ରୀ ଓ ଶ୍ରୀମତୀ ଗୁପ୍ତାଙ୍କ ମୋହର ଲାଗିଥିଲା, ଯାହା ପାଖ ଦେଇ ଶ୍ରମିକମାନେ ଗଲାବେଳେ ଗୁପ୍ତା ମହାଶୟ ଜୋରରେ ପାଟି କରି ଉଠିଲେ - ଆରେ ସମ୍ଭାଳି କରି ନିଅ, ମୋ ରେଫ୍ରିଜେଟର ଉପରେ ଯେପରି କିଛି ଦାଗ ଲାଗି ନ ଯାଏ। ଏହି ‘ମୁଁ /ମୋର ଭାବ’ ହିଁ ସବୁଠୁଁ ଖରାପ ।
୫) ନିରହାଙ୍କାର - ଅର୍ଥାତ୍ ଅହଂକାର ରହିତ। ଭଗବାନ କୁହନ୍ତି ଯେ ମୋର ଭକ୍ତ ସେ ହିଁ ହୋଇପାରେ ଯେ ‘ମୁଁ’ ଓ ‘ମୋ ପଣ’ ଭାବରୁ ମୁକ୍ତ ହୋଇ ଯାଆନ୍ତି। ମୁଁ ନୁହେଁ, ମୋର ନୁହେଁ, ଏହି ଶରୀର ମଧ୍ୟ କାହାର ଦାନ, ଯେଉଁ ଧନ ମଧ୍ୟ ନିଜ ପାଖରେ ଅଛି, ତାହା ମଧ୍ୟ ଅନ୍ୟ କାହାର ଦାନ। ଏହି ସନ୍ଦର୍ଭରେ ପଥିକ ମହାରାଜଙ୍କର ଏକ ସୁନ୍ଦର ଭଜନ ଅଛି।
୬) ସମ ଦୁଃଖ ସୁଖଃ - ସୁଖ ଦୁଃଖରେ ସମତା ରଖିବା। ସମ୍ପୂର୍ଣ୍ଣ ସ୍ଥିର ରହିବା କଷ୍ଟ କିନ୍ତୁ ତା’ର ତୀବ୍ରତା ଓ ସମୟ ଅବଧିକୁ କମ୍ କରା ଯାଇପାରେ। ସୁଖ ଓ ଦୁଃଖର ବୋଧ ଅନ୍ତରକୁ ନେବା ଉଚିତ୍ ନୁହେଁ ଏବଂ ତାହାର ସମୟାବଧିକୁ ଯେତେ କମ୍ କରିପାରିବା ସେତେ ଭଲ ।
୭) କ୍ଷମୀ - କ୍ଷମା କରିବା । କ୍ଷମା ଏପରି ଏକ ଗୁଣ ଯାହା ସମସ୍ତଙ୍କର ଆବଶ୍ୟକ, ମାତ୍ର କେହି କ୍ଷମା ଦେବା ପାଇଁ ଚାହାଁନ୍ତି ନାହିଁ। ଇଂରାଜୀରେ ଦୁଇଟି ସୁନ୍ଦର ଶବ୍ଦ ଅଛି - forgive, forget, ଯାହାକୁ କ୍ଷମା ଦେଇଛନ୍ତି ତାହାକୁ ଭୁଲି ଯାଅ ଏବଂ ଯେଉଁ କାରଣରୁ କ୍ଷମା କରିଛ ତା’ ମଧ୍ୟ ଭୁଲି ଯାଅ। କ୍ଷମା ସ୍ୱାଭାବିକ ହେବା ଉଚିତ। ସମ୍ମୁଖରେ ଥିବା ବ୍ୟକ୍ତି ମାନୁଛି ଯେ ଆପଣ ତାଙ୍କୁ କ୍ଷମା କରିଛନ୍ତି ଆଉ ଯାହା ଆପଣଙ୍କର ମନେ ବି ନାହିଁ, ଏହାହିଁ ପ୍ରକୃତ କ୍ଷମା।
ଥରେ ମହାରାଜା ରଞ୍ଜିତ ସିଂଙ୍କର ସଵାରୀ ଯାଉଥିଲା। ତତକ୍ଷଣାତ୍ ଏକ ପଥର ଆସି ତାଙ୍କ ମୁଣ୍ଡରେ ଆସି ବାଜିଲା ଓ ରକ୍ତ ବୋହିବାକୁ ଲାଗିଲା। ଅଙ୍ଗାରକ୍ଷକମାନେ ସଙ୍ଗେ ସଙ୍ଗେ ଏକ ବାଳକକୁ ଖୋଜି ଆଣିଲେ, ଯାହା ହାତରେ ଚାରୋଟି ପଥର ଥିଲା। ସେଇ ଛୋଟ ବାଳକଟି ଭୟରେ ଥରୁଥିଲା। ସେନାପତି ତାକୁ ମାରିବା ପାଇଁ ଖଣ୍ଡା ଉତ୍ତୋଳନ କଲେ। ଏହା ଦେଖି ରାଜା କହିଲେ, ରୁହ! ତାକୁ ପ୍ରଥମେ ପଚାର ଯାଉ ସେ ଏହି ପଥର ମାରିଛିକି? ବାଳକଟି କହିଲା, ହଁ ମହାଶୟ, ମୁଁ ଆମ୍ବ ଝାଡାଇବା ପାଇଁ ଗଛରେ ଥିବା ଆମ୍ବକୁ ଲକ୍ଷ କରି ପଥର ପକାଉଥିଲି। ମତେ ଏହା ଜଣା ମଧ୍ୟ ନଥିଲା ଯେ ଆପଣଙ୍କ ସଵାରୀ ଏଇ ପଥ ଦେଇ ଯାଉଛି। ଏହାଶୁଣି ରାଜା ସେଇ ବାଳକ ଘରକୁ ଛଅ ପେଟି ଆମ୍ବ ପଠାଇବା ପାଇଁ ସେନାପତିଙ୍କୁ ଆଦେଶ ଦେଲେ। ସେନାପତି ଏହା ଶୁଣି କହିଲେ, ଏହି ବାଳକ ଦଣ୍ଡ ପାଇବାର ଯୋଗ୍ୟ ଅଥଚ ମହାରାଜ ଆପଣ ତା ଘରକୁ ଆମ୍ବ ପଠାଇବାପାଇଁ କହୁଛନ୍ତି। ସେନାପତିଙ୍କ କଥା ଶୁଣି ମହାରାଜ ରଞ୍ଜିତ ସିଂ ଯାହା କହିଲେ ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସେ କହିଲେ, “ଆମ୍ବ ଗଛକୁ ଜାଣି ଶୁଣି ପଥର ମାରିଲେ ଆମ୍ବ ଗଛ ଆମ୍ବ ହିଁ ଦିଏ। ମୁଁ କଣ ସେହି ଆମ୍ବ ଗଛଠାରୁ ମଧ୍ୟ ଏତେ ଖରାପ ଯେ, ଅଜାଣତରେ ଯଦି କେହି ପଥର ମାରି ଦେଇଛି, ତାହାକୁ ମୁଁ ଖୋଜି ଆଣି ଦଣ୍ଡ ଦେବି ? ଏଣୁ ତା ଘରକୁ ଆମ୍ବ ପଠାଇଦିଆ ଯାଉ।” ଆମେ ଅନ୍ୟର ଅପରାଧକୁ ବଡ଼ କରି ଓ ନିଜ ଅପରାଧକୁ ଛୋଟ କରି ଦେଖିଥାଉ। ପ୍ରକୃତରେ କିନ୍ତୁ ଆମକୁ ଏହାର ବିପରୀତ ଆରମ୍ଭ କରିବା ଉଚିତ୍। କ୍ଷମା କଲେ ମନୁଷ୍ୟକୁ ପ୍ରଚୁର ଆତ୍ମଶାନ୍ତି ମିଳିଥାଏ।
୮) ସନ୍ତୁଷ୍ଟଃ ସତତଂ - ସର୍ବଦା ସନ୍ତୁଷ୍ଟ ( ସନ୍ତୋଷ )
गौ-धन, गज-धन, वाजि-धन
और रतन-धन खान
जब आवे सन्तोष धन
सब धन धूरी समान।
ସନ୍ତୋଷ ଠାରୁ ବଡ଼ ଧନ ଆଉ କିଛି ନାହିଁ। ମହାଭାରତରେ ଯକ୍ଷ ଏକଶହ ପ୍ରଶ୍ନ ପଚାରି ଥିଲା। ଯକ୍ଷ ଯୁଧିଷ୍ଠିରଙ୍କୁ ପଚାରିଥିଲା ଦରିଦ୍ର କାହାକୁ କହିବା ? ଯୁଧିଷ୍ଠିର ଉତ୍ତର ଦେଇଥିଲେ - ଯିଏ ଆସନ୍ତୁଷ୍ଟ, ସେ ଦରିଦ୍ର।
सीताराम सीताराम सीताराम कहिए,
जाहि विधि राखे राम ताहि विधि रहिए।
ଭଗବାନ ଯାହା ଦେଇଛନ୍ତି, ଯେପରି ଦେଇଛନ୍ତି ସେଥିରେ ସନ୍ତୁଷ୍ଟ ରହିବା ଉଚିତ୍।
୯) ୟତାତ୍ମା - ଅର୍ଥ ନିଜ ଉପରେ ନିୟନ୍ତ୍ରଣ। ମନ, ବୁଦ୍ଧି, ଚିତ୍ତ ଓ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିବାକୁ ଏଠାରେ ୟତାତ୍ମା ବୋଲି କୁହାଯାଇଛି ।
୧୦) ଦୃଢ ନିଶ୍ଚୟ - ଭକ୍ତ ଦୃଢ ନିଶ୍ଚୟୀ ହେବା ବିଧେୟ। ଥରେ ସଂକଳ୍ପ କରି ନେଲେ ତାକୁ ଆଉ ଭାଙ୍ଗିବା ଉଚିତ ନୁହେଁ। ମାନସରେ ସତୀ ପ୍ରସଙ୍ଗ ପଶ୍ଚାତ୍ ମାତା ପାର୍ବତୀ ଶିବଙ୍କୁ ପୁନଃ ପ୍ରାପ୍ତି ପାଇଁ ତପସ୍ୟା କରନ୍ତି। ଏ ସମୟରେ ସପ୍ତର୍ଷି ତାଙ୍କର ପରୀକ୍ଷା ନେବାକୁ ଆସନ୍ତି। ମାତା ପାର୍ବତୀ କହନ୍ତି, “ହଜାରେ ଜନ୍ମ ଲାଗିଯାଉ ନା କାହିଁକି ମୁଁ କେବଳ ମହେଶଙ୍କୁ ହିଁ ଚାହିଁବି।”
୧୧) ଅର୍ପିତ ମନ - ମନର ସମର୍ପଣ।
୧୨) ଅର୍ପିତ ବୁଦ୍ଧି - ବୁଦ୍ଧିର ସମର୍ପଣ।
ଅରଣ୍ୟ କାଣ୍ଡରେ ସୂତୀକ୍ଷ୍ଣ ଋଷିଙ୍କର ପ୍ରସଙ୍ଗ ଟିଏ ଆସେ ଏଠାରେ ।
नहिं सतसंग जोग जप जागा। नहिं दृढ़ चरन कमल अनुरागा॥
एक बानि करुनानिधान की। सो प्रिय जाकें गति न आन की॥
ଅର୍ଥାତ୍ ମୁଁ ସତସଙ୍ଗ ଯୋଗ ଜପ ଅଥବା ଯଜ୍ଞ ଆଦି କରି ନାହିଁ କିନ୍ତୁ ପ୍ରଭୁ ଚରଣ କମଳରେ ମୋର ଦୃଢ ଅନୁରାଗ ରହିଛି। ମୋର ମନ ବୁଦ୍ଧି ସେଠାରେ ଅଛି। ଭଗବାନ ଦୁଇ ଜଣ ବ୍ୟକ୍ତିଙ୍କୁ ଦର୍ଶନ ଦେବା ପାଇଁ ଯାଇ ଥିଲେ। ଜଣେ ସୁତୀକ୍ଷ୍ଣ ଋଷି ଓ ଅନ୍ୟ ଜଣେ ଶବରୀ। ଶବରୀଙ୍କୁ ସାକ୍ଷାତ କରିବା ଠିକ ପୂର୍ବରୁ ମାର୍ଗ ବଦଳାଇ ଭଗବାନ ସୁତୀକ୍ଷ୍ଣ ଋଷିଙ୍କ ସହିତ ସାକ୍ଷାତ ପାଇଁ ଯାଇଥିଲେ। ସୁତୀକ୍ଷ୍ଣ ଋଷି ଭଗବାନଙ୍କ ଧ୍ୟାନରେ ରତ ଥିଲେ ଏବଂ ଅତ୍ୟନ୍ତ ପ୍ରସନ୍ନତାର ସହିତ ମନ୍ଦ ମନ୍ଦ ହସୁଥିଲେ। ସେତେବେଳେ ଭଗବାନ ରାମ ତାଙ୍କ ସମ୍ମୁଖକୁ ଆସିଗଲେ। ଋଷି ଧ୍ୟାନ ମଗ୍ନ ଅବସ୍ଥାରେ ଥିଲେ। ଭଗବାନ ନିଜ ପାଦର ସ୍ପର୍ଶରେ ଆଶ୍ରମର ପତ୍ର ସବୁକୁ ଏପଟସେପଟ କଲେ। କିନ୍ତୁ ଋଷି ଧ୍ୟାନ ଅବସ୍ଥାରୁ ନିବୃତ ହେଲେ ନାହିଁ। ତା ପାରେ ଭଗବାନ ରାମ ଋଷିଙ୍କ ଧ୍ୟାନରେ ପ୍ରବେଶ କରି ତାଙ୍କ ଧ୍ୟାନରେ ଆସୁଥିବା ଛବିକୁ ଅନ୍ତର୍ଦ୍ଧାନ କରି ଦେବାରୁ ଋଷି ହଠାତ ଆଖି ଖୋଲିଦେଲେ ଏବଂ ଭଗବାନଙ୍କୁ ନିଜ ସମ୍ମୁଖରେ ପ୍ରାପ୍ତ ହେଲେ।
होइहि सुफल आजु मम लोचन।
देखि बदन पंकज भव मोचन॥
ଏହି ପ୍ରକାର ଭକ୍ତ ହିଁ ମୋର ପ୍ରିୟ, ବୋଲି ଭଗବାନ କହିଛନ୍ତି ।
ୟସ୍ମାନ୍ନୋଦ୍ୱିଜତେ ଲୋକୋ, ଲୋକାନ୍ନୋଦ୍ୱିଜତେ ଚ ୟଃ।
ହର୍ଷାମର୍ଷଭୟୋଦ୍ୱେଗୈଃ(ର୍), ମୁକ୍ତୋ ୟଃ(ସ୍) ସ ଚ ମେ ପ୍ରିୟଃ।।୧୫।।
ବିବେଚନ :-
ଭଗବାନ ଏଠାରେ କହୁଛନ୍ତି, “ଯାହା ଦ୍ୱାରା କୌଣସି ପ୍ରାଣୀ ଉଦବିଗ୍ନ (କ୍ଷୁବ୍ଧ) ହୁଏ ନାହିଁ ଅଥବା ଯିଏ ସ୍ୱୟଂ ମଧ୍ୟ କୌଣସି ପ୍ରାଣୀ ଦ୍ଵାରା ଉଦବିଗ୍ନ ହୁଏ ନାହିଁ ; ଅତଃ ଯିଏ ହର୍ଷ, ଅମର୍ଷ (ଈର୍ଷା) ଭୟ ଆଉ ଉଦବେଗ (ବିଚଳିତ) ଆଦିରୁ ରହିତ, ସେହିପରି ଶାନ୍ତଚିତ୍ତ ଭକ୍ତ ମୋର ଅତି ପ୍ରିୟ।”
୧୩) ୟସ୍ମାନ୍ନୋଦ୍ଵିଜତେ ଲୋକୋଃ - ଯାହା ଦ୍ୱାରା କୌଣସି ପ୍ରାଣୀ ଉଦବିଗ୍ନ ହୁଅନ୍ତି ନାହିଁ। ଅର୍ଥାତ୍, ‘ମୁଁ କୌଣସି ପ୍ରାଣୀକୁ ହଇରାଣ କରିବି ନାହିଁ’। ଏହା ପାଳନ କରିବା ସହଜ।
୧୪) ଲୋକନ୍ନୋଦ୍ଵିଜତେ - ଯିଏ କାହା ଦ୍ୱାରା ଉଦବିଗ୍ନ ହୁଏ ନାହିଁ। କୌଣସି ପ୍ରାଣୀ ଦ୍ୱାରା ହଇରାଣ ନ ହେବା - ଏହି ଆଚରଣ କିନ୍ତୁ ଅପେକ୍ଷାକୃତ ଭାବେ ଏକ ଦୂରୁହ ବ୍ୟାପାର।
ନୀତି ଶତକରେ ଭର୍ତ୍ତୃହରି ମୁନି କହନ୍ତି :
मृगमीनसज्जनानां तृणजलसन्तोषविहितवृत्तीनाम्।
लुब्धकधीवरपिशुना निष्कारणवैरिणो जगति॥
ଅର୍ଥାତ ହରିଣ, ମାଛ ଓ ସଜ୍ଜନ ପୁରୁଷ ଅତ୍ୟନ୍ତ ସନ୍ତୁଷ୍ଟ ପ୍ରାଣୀ, କାରଣ ସେମାନେ ଯଥା କ୍ରମେ ତୃଣରେ, ଜଳରେ ଓ ସନ୍ତୋଷରେ ନିଜର ଜୀବନଯାପନ କରନ୍ତି। ତଥାପି ହରିଣକୁ ଶିକାରୀ, ମାଛକୁ କେଉଟ ସଜ୍ଜନ ବ୍ୟକ୍ତିଙ୍କୁ ଦୁଷ୍ଟମାନେ ବିନା କାରଣରେ ହଇରାଣ କରନ୍ତି। ଏହା ସତ୍ତ୍ୱେ ଯିଏ ବ୍ୟସ୍ତ ବିବ୍ରତ ହୁଏ ନାହିଁ, ସେ ଶ୍ରେଷ୍ଠ ଭାବେ ବିବେଚିତ ହୁଏ।
କିପରି ଆମେ ଆନ୍ୟମାନଙ୍କ ଦ୍ୱାରା ହଇରାଣ ହେବା ନାହିଁ ସେଥି ନିମନ୍ତେ ଏକ ସୁନ୍ଦର ଭଜନ ରହିଛି ।
ଭଜନ ସ୍ଲାଇଡ
୧୫) ହର୍ଷ ମୁକ୍ତ - ହର୍ଷ ରହିତ ଅର୍ଥାତ୍ କୌଣସି ବିଷୟକୁ ନେଇ ଅଧିକ ଆନନ୍ଦିତ ବା ଉତ୍ଫୁଲ୍ଲିତ ନ ହେବା।
୧୬) ଅମର୍ଷମୁକ୍ତ - ସହନଶୀଳତା ଅଭାବରୁ ମୁକ୍ତ ହେବା। ଥଣ୍ଡା, ଗରମ, ଭୋକ ଓ ଶୋଷ ଆଦି ସହ୍ୟ କରି ଶିଖିବା ଉଚିତ୍। ସମୟେ ସମୟେ ବିଜୁଳି ଥିଲେ ମଧ୍ୟ ପଙ୍ଖା ବନ୍ଦ କରି ବସିବା ଉଚିତ୍। କେତେକ ବ୍ୟକ୍ତି ଖାଇବା ସମୟ ଡେରି ହାଇଗଲେ ବିରକ୍ତି ହୁଅନ୍ତି। ଯଦି ଭକ୍ତ ହେବାର ଅଛି ତେବେ ଜୀବନରେ ସହନଶକ୍ତିକୁ ଆପଣାଅ।
୧୭) ଭୟ ମୁକ୍ତ - ଭୟ ରହିତ। ଜୀବନରେ ସର୍ବଦା ନିର୍ଭୀକ ହେବା ବିଧେୟ।
୧୮) ଉଦବେଗ ମୁକ୍ତ - ଉଦବେଗ ରହିତ।
ଅନପେକ୍ଷଃ(ଶ୍) ଶୁଚିର୍ଦକ୍ଷ, ଉଦାସୀନୋ ଗତବ୍ୟଥଃ।
ସର୍ବାରମ୍ଭପରିତ୍ୟାଗୀ, ୟୋ ମଦ୍ଭକ୍ତଃ(ସ୍) ସ ମେ ପ୍ରିୟଃ।।୧୬।।
ବିବେଚନ :-
୧୯) ଅନପେକ୍ଷ - ସଂସାରରେ ସମସ୍ତ ଦୁଃଖର କାରଣ ହେଉଛି ଉପେକ୍ଷା । ପରିବାରରେ ଅଧିକତର କଳହ କେବଳ ଏହି ଉପେକ୍ଷା କାରଣରୁ ହିଁ ହୋଇଥାଏ। ଯେଉଁ ପରିବାର ଉପେକ୍ଷାକୁ ଯେତେ ତ୍ୟାଗ କରିବ ସେ ସେତେ ଶାନ୍ତିରେ ରହିପାରିବ।
୨୦) ଶୁଚି - ପବିତ୍ରତା ଏବଂ ସ୍ବଚ୍ଛତା ଦୁଇଟିଯାକୁ ମିଶାଇବା ଦ୍ବାରା ଶୁଚିତ୍ବର ଉତ୍ପନ୍ନ ହୋଇଥାଏ। କରୋନା ସମୟରେ ଆମେ ସାନିଟାଇଜ୍ କରିବା ଶିଖିଲେ। ହାତକୁ ନ ଧୋଇ କେବଳ ସାନିଟାଇଜ୍ କରି ଖାଇନେଉ ଥିଲେ। ଏହା କିନ୍ତୁ ପ୍ରକୃତ ପକ୍ଷେ ଶୁଦ୍ଧତା ନୁହେଁ, କାରଣ ମୃତ ଜୀବାଣୁ ତଥାପି ଆମ ହାତରେ ଲାଗି ରହିଥାନ୍ତି। ଏହାକୁ ଆମେ ସ୍ବଚ୍ଛତା କହି ପାରିବାନି। ଶୁଚିତା ଏକ ଭକ୍ତର ଆଭୂଷଣ ; କିନ୍ତୁ ଏହା କେବଳ ବାହ୍ୟ ପରିପାଟୀରେ ନୁହେଁ ବରଂ ମନୁଷ୍ୟର ଅନ୍ତଃକରଣର ମଧ୍ୟ ଶୁଦ୍ଧ ହେବା ନିତାନ୍ତ ଆବଶ୍ୟକ।
"देवो भूत्वा देवं यजेत्"।
ଅର୍ଥାତ୍, ଦେବଦେବୀଙ୍କ ପୂଜା କରିବା ଆଗରୁ ପ୍ରଥମେ ନିଜକୁ ଦେବତା ବତ୍ ଶୁଦ୍ଧ କରିବାକୁ ହୁଏ।
୨୧) ଦକ୍ଷଃ - ସାବଧାନ ରୁହ ।
ବିବେଚକ ନିଜ ପିଲାଦିନରେ ଗୀତା-ବନ ହୃଷିକେଶକୁ ଯାଉଥିଲେ । ସେଠାରେ କବାଟ ଉପରେ ‘ସାବଧାନ’ ବୋଲି ଲେଖାଯାଇଥିଲା । ଅନେକଙ୍କୁ ଏ ନେଇ ପ୍ରଶ୍ନ ସତ୍ତ୍ବେ କେହି ସନ୍ତୋଷଜନକ ଉତ୍ତର ଦେଇ ପାରିଲେନି । ଶେଷରେ ଜଣେ ସନ୍ନ୍ୟାସୀ ଏହାର ଅର୍ଥ ବୁଝାଇ କହିଥିଲେ ଯେ ଭକ୍ତମାନେ ସର୍ବଦା ସାବଧାନ ରହିବା ଉଚିତ୍ ଏବଂ ଏହି ବାର୍ତ୍ତା ହିଁ ସେ କବାଟ ଉପରେ ଲେଖାଯାଇଛି। ଗୀତା ପ୍ରେସ୍ ର ପ୍ରତିଷ୍ଠାତା ଏବଂ ଗୀତା-ବନର ନିର୍ମାତା ଜୟଦୟାଲ ଜୀ ଗୋୟାନ୍ଦକା ବିଶ୍ୱାସ କରୁଥିଲେ ଯେ ସାଧକମାନେ ସର୍ବଦା ସଚେତନ ହେବା ଉଚିତ୍ ।
ଥରେ, ତିନିଜଣ ବ୍ୟବସାୟୀ ବ୍ୟବସାୟ ପାଇଁ ଏକ ଗାଁକୁ ଆସି ଏକ ହୋଟେଲରେ ରହିଲେ । ତିନିଜଣ ବ୍ୟବସାୟୀ ସନ୍ଧ୍ୟା ସମୟରେ ହୋଟେଲକୁ ଆସିଥିଲେ। ପ୍ରଥମେ ଦୁଇଜଣ ବ୍ୟବସାୟୀ ଖାଇବାକୁ ବସିଲେ। ତୃତୀୟ ବ୍ୟବସାୟୀ ଜଣଙ୍କ କହିଲେ, ମୋତେ ଭୋକ ନାହିଁ, ମୁଁ ଶୋଇ ଯାଉଛି। ଏହା ଶୁଣି ଆର ଦୁଇ ବ୍ୟବସାୟୀ ବୁଝିପାରିଲେ ଯେ, ସେ କିଛି ଖାଦ୍ୟ ନିଜ ସଙ୍ଗେ ଆଣି ଆସି ନାହାନ୍ତି। ତେଣୁ ସେମାନେ ତାଙ୍କୁ ସେମାନଙ୍କ ସହ ଭୋଜନ କରିବାକୁ ଡାକିଲେ। କିଛି ଦ୍ୱିଧା ପରେ ତୃତୀୟ ବ୍ୟବସାୟୀ ଖାଦ୍ୟ ଖାଇବାକୁ ରାଜି ହେଲେ। ପ୍ରଥମ ବ୍ୟବସାୟୀଙ୍କ ପାଖେ ପାଞ୍ଚଟି ରୁଟି ଥିଲା। ଦ୍ୱିତୀୟ ବ୍ୟବସାୟୀଙ୍କର ତିନୋଟି ରୁଟି ଥିଲା। ଏହିପରି ସମୁଦାୟ ଆଠଟି ରୁଟି ଥିଲା। ସେମାନେ ସ୍ଥିର କଲେ ଯେ ପ୍ରତ୍ୟେକ ରୁଟି ତିନି ଖଣ୍ଡରେ ବିଭକ୍ତ ହେବ ଏବଂ ସମୁଦାୟ ଚବିଶ ଖଣ୍ଡ ମଧ୍ୟରୁ ପ୍ରତ୍ୟେକେ ଆଠଟି ଲେଖାଏଁ ବାଣ୍ଟି କରି ଖାଇବେ । ଏହିପରି ସମସ୍ତଙ୍କର ପେଟ ପୂରି ଯିବ । ଏହାପରେ ସମସ୍ତେ ଶୋଇଗଲେ । ସକାଳୁ ଉଠି ଦେଖନ୍ତି ତ, ତୃତୀୟ ବ୍ୟବସାୟୀ ଜଣକ କେଉଁଆଡେ ଚାଲି ଯାଇଛନ୍ତି । ତାଙ୍କୁ ସେମାନେ ଯେତେ ଖୋଜିଲେ ମଧ୍ୟ କୌଣସି ସ୍ଥାନରେ ପାଇଲେ ନାହିଁ । ହେଲେ ତୃତୀୟ ବ୍ୟବସାୟୀଙ୍କ ଶୋଇଥିବା ସ୍ଥାନଟିରେ ଆଠଟି ସ୍ବର୍ଣ୍ଣମୁଦ୍ରା ରଖାଯାଇଥିବାର ସେମାନେ ପାଇଲେ । ପ୍ରଥମେ ବ୍ୟବସାୟୀ ଦ୍ବୟ ଏଥିପ୍ରତି କୌଣସି ଆଗ୍ରହ ପ୍ରକାଶ କଲେନାହିଁ। ହେଲେ ପରେ ଦ୍ବିତୀୟ ବ୍ୟବସାୟୀ ଜଣକ ସ୍ବର୍ଣ୍ଣମୁଦ୍ରାଗୁଡିକୁ ଚାରି ଚାରିଟି କରି ବାଣ୍ଟି ନେବାର ପ୍ରସ୍ତାବ ଦେଲେ। କିନ୍ତୁ ପ୍ରଥମ ବ୍ୟବସାୟୀ ଜଣଙ୍କ ଏଥିରେ ସହମତ ହେଲେ ନାହିଁ କହିଲେ, ସ୍ବର୍ଣ୍ଣ ମୁଦ୍ରାଗୁଡିକ ଯଥାର୍ଥ ରୂପେ ପାଞ୍ଚଟି ଏବଂ ତିନୋଟି ହିସାବରେ ଭାଗ ହେବା ଉଚିତ୍ । ଦୁହିଁଙ୍କ ମଧ୍ୟରେ ଏଥି ନେଇ ଝଗଡା ହେବାରୁ, ସେମାନେ ସମାଧାନ ପାଇଁ ହୋଟେଲ ମାଲିକଙ୍କ ପାଖରେ ପହଞ୍ଚିଲେ। ହୋଟେଲର ମାଲିକ, ଗ୍ରାମ ସରପଞ୍ଚ, ଯିଏ ଏସବୁରେ ଦକ୍ଷ, ତାଙ୍କ ପାଖକୁ ଯିବା ପାଇଁ କହିଲେ। ନିଶ୍ଚିତ ସମାଧାନର ଆଶାରେ ସେ ସରପଞ୍ଚଙ୍କ ପାଖକୁ ଯାଇ ଆପୋଷ ବୁଝାମଣା କରିବାକୁ ଅନୁରୋଧ କଲେ। ସରପଞ୍ଚ କହିଲେ, ମୁଁ ନ୍ୟାୟ ନିଶ୍ଚୟ କରିବି, କିନ୍ତୁ ତୁମ ଦୁଇ ଜଣଙ୍କୁ ତାହା ମାନିବାକୁ ହେବ। ତାଙ୍କ ନିର୍ଦ୍ଦେଶରେ ଉଭୟ ବ୍ୟବସାୟୀ ରାଜି ହେଲେ। ସରପଞ୍ଚ ଏବେ ସ୍ବର୍ଣ୍ଣମୁଦ୍ରାଗୁଡିକୁ ତାଙ୍କୁ ଦେଇଦେବା ପାଇଁ କହିଲେ । ସେଥିରୁ ସରପଞ୍ଚ ପ୍ରଥମ ବ୍ୟବସାୟୀଙ୍କୁ ସାତଟି ସ୍ବର୍ଣ୍ଣମୁଦ୍ରା ଏବଂ ଦ୍ୱିତୀୟ ବ୍ୟବସାୟୀଙ୍କୁ ଗୋଟିଏ ସ୍ବର୍ଣ୍ଣମୁଦ୍ରା ଦେଲେ । ଏପରି ନ୍ୟାୟ ଦେଖି ତିନିଜଣ ଆଶ୍ଚର୍ଯ୍ୟ ହେଲେ। ସେମାନେ ସରପଞ୍ଚଙ୍କ ନିଷ୍ପତ୍ତିକୁ ବୁଝିପାରିଲେ ନାହିଁ ଓ ବୁଝାଇଦେବାକୁ ଅନୁରୋଧ କଲେ। ସରପଞ୍ଚ ପ୍ରଥମ ବ୍ୟବସାୟୀଙ୍କୁ କହିଥିଲେ ଯେ, “ତୁମ ପାଖରେ ପାଞ୍ଚଟି ରୁଟି ଥିଲା, ଯାହାକୁ ତୁମେ ପନ୍ଦର ଖଣ୍ଡ କରି, ସେଥିରୁ ତୁମେ ଆଠ ଖଣ୍ଡ ଖାଇଲ ଓ ସାତ ଖଣ୍ଡ ତୃତୀୟ ବ୍ୟବସାୟୀଙ୍କୁ ଦେଇଥିବା ବେଳେ ଦ୍ବିତୀୟ ବ୍ୟବସାୟୀଙ୍କ ପାଖରେ ତିନିଟି ରୁଟି ଥିଲା, ଯାହାକୁ ସେ ନଅ ଖଣ୍ଡରେ ଭାଗ କରି ସେଥିରୁ ସେ ଆଠ ଖଣ୍ଡ ଖାଇଲେ ଏବଂ କେବଳ ଗୋଟିଏ ଖଣ୍ଡ ତୃତୀୟ ବ୍ୟବସାୟୀଙ୍କୁ ଦେଇଥିଲେ। ତେଣୁ ପ୍ରଥମ ବ୍ୟବସାୟୀ ସାତୋଟି ସ୍ବର୍ଣ୍ଣମୁଦ୍ରା ଏବଂ ଦ୍ୱିତୀୟ ବ୍ୟବସାୟୀ ଗୋଟିଏ ସ୍ବର୍ଣ୍ଣମୁଦ୍ରା ପାଇବାକୁ ଯୋଗ୍ୟ । ଏହି ପ୍ରସଙ୍ଗଟିକୁ ଏଠାରେ ଉପସ୍ଥାପନା କରିବାର ଉଦ୍ଦେଶ୍ୟ, ବେଳେବେଳେ ସାଧୁସନ୍ଥମାନେ ପରିସ୍ଥିତିକୁ କେଉଁ ଦୃଷ୍ଟିରେ ଦେଖିଥାନ୍ତି ତାହା ଆମେ ବୁଝିପାରୁନା । ତଥାପି ଆମେ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରଖି ତାଙ୍କ ଉପଦେଶ ସବୁକୁ ଗ୍ରହଣ କରିନେବା ଉଚିତ୍। କାରଣ ସାଧୁସନ୍ଥମାନେ ଦେଇଥିବା ସମାଧାନର ସୂତ୍ର ଆମକୁ ସଠିକ୍ ମାର୍ଗରେ ଅଗ୍ରସର ହେବାରେ ସାହାଯ୍ୟ କରିଥାଏ।
୨୨) ଉଦାସୀନ - ଯିଏ ପକ୍ଷପାତୀତାରୁ ମୁକ୍ତ। ଯିଏ ନିର୍ଲିପ୍ତ ଭାବ ସହିତ ଜୀବନ ଅତିବାହିତ କରିଥାନ୍ତି ।
୨୩) ଗତବ୍ୟଥଃ - ଯିଏ ଜୀବନରେ ପ୍ରତ୍ୟେକ ବିଷୟରେ ମାନସିକ ସ୍ଥିରତା ବଜାୟ ରଖିପାରୁଥିବ, ଛୋଟ ଛୋଟ ଘଟଣାକୁ ନେଇ ବ୍ୟସ୍ତ ହେଉନଥିବ। ଘଟଣା ଇଚ୍ଛା ମୁତାବକ ହେଉ ବା ନହେଉ, ପ୍ରତ୍ୟେକ ପରିସ୍ଥିତିରେ ଆନନ୍ଦିତ ହୋଇ ପାରୁଥିବ, ତାହାଙ୍କୁ ଗତବ୍ୟଥଃ କୁହାଯାଇଛି ଏଠାରେ।
୨୪) ସର୍ବାରମ୍ଭପରିତ୍ୟାଗୀ - ଏହା ସାଧକମାନଙ୍କ ସାଧନାର ଶେଷ ପର୍ଯ୍ୟାୟ ବିଷୟରେ କହିଥାଏ।
ପ୍ରତ୍ୟେକ କାର୍ଯ୍ୟର ଆରମ୍ଭ ଶୁଭେଚ୍ଛାରୁ କଲେ, ଅଶୁଭ ସବୁ ସ୍ୱତଃ ଅପସରି ଯିବ। ରାସ୍ତାରେ ଯିବା ବେଳେ ଯଦି ଆମ ପାଦରେ କଣ୍ଟା ଲାଗିଯାଏ, ତେବେ ଏହାକୁ ହଟାଇବା ପାଇଁ, ଅନ୍ୟ କଣ୍ଟାର ବ୍ୟବହାର କରାଯାଇଥାଏ ଓ କଣ୍ଟା ବାହାରି ଯିବା ପରେ ଉଭୟ କଣ୍ଟାକୁ ଫିଙ୍ଗି ଦିଆଯାଇଥାଏ । ଉତ୍ତମ କାର୍ଯ୍ୟରୁ ଅନୁତ୍ତମକୁ ହଟାଇ ଦିଅନ୍ତୁ ଏବଂ ଶେଷରେ ଉଭୟକୁ ପରିତ୍ୟାଗ କରନ୍ତୁ । ଏହା ହିଁ ହେଉଛି ସାଧକମାନଙ୍କର ସାଧନାର ଅନ୍ତିମ ପର୍ଯ୍ୟାୟ ।
ୟୋ ନ ହୃଷ୍ୟତି ନ ଦ୍ୱେଷ୍ଟି, ନ ଶୋଚତି ନ କାଙ୍କ୍ଷତି।
ଶୁଭାଶୁଭପରିତ୍ୟାଗୀ, ଭକ୍ତିମାନ୍ୟଃ(ସ୍) ସ ମେ ପ୍ରିୟଃ।।୧୭।।
ବିବେଚନ :-
୨୫) ନ ହୃଷ୍ୟତି - ଯିଏ ଖୁସିରେ ଆତ୍ମହରା ହୁଅନ୍ତି ନାହିଁ ।
୨୬) ନ ଦ୍ବେଷ୍ଟି - ଯିଏ କାହାଠାରେ ମଧ୍ୟ ଘୃଣା ଭାବ ପୋଷଣ କରନ୍ତି ନାହିଁ ।
୨୭) ନ ଶୋଚତି - ଯିଏ କୋୖଣସି ବି ପ୍ରକାର ଶୋକରେ ଭାଙ୍ଗି ପଡନ୍ତି ନାହିଁ ।
୨୮) ନ କାଙ୍କ୍ଷତି - ଯିଏ ଅଧିକରେ ଇଚ୍ଛା ରଖନ୍ତି ନାହିଁ; ଯାହା ମିଳିଛି, ସେତିକିରେ ହିଁ ସନ୍ତୁଷ୍ଟ ରୁହନ୍ତି ।
୨୯) ଶୁଭପରିତ୍ୟାଗୀ - ଯିଏ ଶୁଭ ପ୍ରତି ଅତୀବ ପ୍ରବଣତା ରଖନ୍ତି ନାହିଁ।
୩୦) ଅଶୁଭପରିତ୍ୟାଗୀ - ଯିଏ ଅଶୁଭ କାର୍ଯ୍ୟ ବିରୁଦ୍ଧରେ କୌଣସି ଦ୍ବେଷ ଭାବ ରଖନ୍ତି ନାହିଁ ।
ଏହିସବୁ ଗୁଣ ବହନ କରୁଥିବା ବ୍ୟକ୍ତିଙ୍କୁ ଶ୍ରେଷ୍ଠ ଭକ୍ତର ମାନ୍ୟତା ମିଳିଥାଏ ।
ସମଃ(ଶ୍) ଶତ୍ରୌ ତ ମିତ୍ରେ ଚ, ତଥା ମାନାପମାନୟୋଃ।
ଶୀତୋଷ୍ଣସୁଖଦୁଃଖେଷୁ, ସମଃ(ସ୍) ସଙ୍ଗବିବର୍ଜିତଃ।।୧୮।।
ତୁଲ୍ୟନିନ୍ଦାସ୍ତୁତିର୍ମୌନୀ, ସନ୍ତୁଷ୍ଟୋ ୟେନ କେନଚିତ୍।
ଅନିକେତଃ(ସ୍) ସ୍ଥିରମତିଃ(ର୍), ଭକ୍ତିମାନ୍ମେ ପ୍ରିୟୋ ନରଃ।।୧୯।।
ବିବେଚନ -
୩୧) ସମଃ ଶତ୍ରୌ ଚ ମିତ୍ରେ ଚ :- ଯେଉଁମାନଙ୍କର ଶତ୍ରୁ ଏବଂ ମିତ୍ର ଦୁହିଁଙ୍କ ପ୍ରତି ସମାନ ଭାବନା ଥାଏ । ନା ଶତ୍ରୁ ପ୍ରତି ଶତ୍ରୁତା ନା ମିତ୍ର ପ୍ରତି ମିତ୍ରତାର ଭାବନା ଥାଏ। ଯିଏ ଉଭୟଙ୍କୁ ସମାନ ବୋଲି ଭାବନ୍ତି ।
୩୨) ତଥା ମାନାପମାନୟୋଃ :- ଯିଏ ମାନ ଏବଂ ଅପମାନ ଦୁଇଟିଯାକୁ ସମାନ ଭାବେ ଗ୍ରହଣ କରନ୍ତି ।
୩୩) ଶୀତୋଷ୍ଣ ସମଃ - ଶୀତ-ଉଷ୍ଣ (ଶରୀରର ଅନୁକୂଳତା-ପ୍ରତିକୂଳତା) ଦୁଇଟିଯାକ ପରିସ୍ଥିତିରେ ସମାନ ଭାବେ ରୁହନ୍ତି ।
୩୪) ସୁଖଦୁଃଖେଷୁ - ଯିଏ ସୁଖ ଓ ଦୁଃଖକୁ ସହ୍ୟ କରିପାରନ୍ତି ଓ ଏ ଦୁଇଟି ଭାବର ପ୍ରଭାବରେ ଅବିଚଳିତ ରହିଥାନ୍ତି ।
୩୫) ସମଃ ସଙ୍ଗବିବର୍ଜିତଃ - ଯେ ଇନ୍ଦ୍ରିୟ ଦ୍ବାରା ବିଷୟ ପ୍ରତି ଆସକ୍ତ ହେଉନଥିବ।
୩୬) ତୂଲ୍ୟନିନ୍ଦାସ୍ତୁତିଃ - ଯେ ନିନ୍ଦା ଓ ସ୍ତୁତିକୁ ସମାନ ବୋଲି ବିଚାରୁଥିବ।
चाहे करे निन्दा कोई, चाहे कोई गुणगान रे,
फूलों से सत्कार करें काँटों की चिन्ता न धरें।
मान और अपमान ही दोनों, जिसके लिए समान रे
वो सच्चा इन्सान रे।
ମାନ ଏବଂ ଅପମାନ ମନୁଷ୍ୟକୁ ତା'ର ପ୍ରାରବ୍ଧରୁ ହିଁ ପ୍ରାପ୍ତ ହୋଇଥାଏ।
ଗୋସ୍ବାମୀ ତୁଳସୀଦାସ କହିଛନ୍ତି -
हानि लाभ जीवन मरण, जस अपजस विधि हाथ।
ଅର୍ଥାତ୍, ହାନିଲାଭ, ଜୀବନ ମରଣ, ଯଶ ଅପଯଶ ଆଦି ସବୁକିଛି ବିଧି ନିର୍ଦ୍ଦିଷ୍ଟ ; ବିଧାତାଙ୍କ ହାତରେ।
୩୭) ମୌନୀ - ଯିଏ ମନନଶୀଳ
୩୮) ସନ୍ତୁଷ୍ଟୋ ୟେନ କେନଚିତ୍ - ଯାହାର ଆତ୍ମା ସନ୍ତୁଷ୍ଟ । ଯେ ନିଜର ବର୍ତ୍ତମାନର ଅବସ୍ଥାକୁ ନେଇ ସବୁବେଳେ ସନ୍ତୁଷ୍ଟ ।
୩୯) ଅନିକେତଃ - ଯାହାଠାରେ ସ୍ଥାନ ବିଶେଷ ପ୍ରତି ମୋହ ନଥିବ ଅର୍ଥାତ୍, କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ପ୍ରତି ଯେ ଆସକ୍ତି ଭାବ ରଖୁନଥିବ ।
ଶ୍ରୀ ଭଗବାନ କହୁଛନ୍ତି, ଏହି ଅଣଚାଳିଶଟି ଗୁଣ ଯାହା ପାଖରେ ଥାଏ, ସେପରି ଭକ୍ତ ମୋର ଅତୀବ ପ୍ରିୟ ପାତ୍ର ହେଇଥାଏ।
ଶ୍ରେଷ୍ଠ ଭକ୍ତର ଉଦାହରଣ ସ୍ଵରୂପ ଏକ ସୁନ୍ଦର ପ୍ରସଙ୍ଗ ରହିଛି। ପ୍ରଭୁ ଶ୍ରୀରାମ ବନବାସରୁ ଅଯୋଧ୍ୟା ଫେରିବା ପରେ, ହନୁମାନ ତାଙ୍କ ସହିତ ଅଯୋଧ୍ୟାରେ ରହିବାକୁ ଲାଗିଲେ । ସେଠାରେ ଥରେ ହନୁମାନ ମାତା ସୀତାଙ୍କୁ ସିନ୍ଦୂର ଧାରଣ କରୁଥିବା ଦେଖି ପଚାରିଲେ - ମା,ଏହା ତୁମେ କ’ଣ ଧାରଣ କରୁଛ ? ସୀତା ମାତା ତାଙ୍କୁ ବୁଝାଇଥିଲେ ଯେ, ସେ ସିନ୍ଦୂର ଏଥିଲାଗି ଧାରଣ କରନ୍ତି, କାରଣ ଭଗବାନ ରାମ ଏହାକୁ ଖୁବ୍ ଭଲ ପାଆନ୍ତି। ଏହା ଶୁଣି ହନୁମାନ ସଙ୍ଗେ ସଙ୍ଗେ ଭଣ୍ଡାର ଘରକୁ ଯାଇ ନିଜେ ସିନ୍ଦୂରର ପୁରା ବାକ୍ସ ନିଜ ଉପରେ ଢାଳି ହୋଇ ମାତା ସୀତାଙ୍କ ନିକଟକୁ ଫେରିଆସିଲେ, ହେଲେ ସିନ୍ଦୂର ତାଙ୍କ ଦେହରେ ବେଶୀ ସମୟ ଲାଗି ରହିଲା ନାହିଁ । ତେଣୁ ହନୁମାନ ମାତା ସୀତାଙ୍କ ଉପରେ ଏହା କିପରି ଲାଗିରହୁଛି ବୋଲି ପ୍ରଶ୍ନ କରିବାରୁ, ସୀତା ଏହାକୁ ଘିଅ ସହିତ ମିଶାଇ ଧାରଣ କରନ୍ତି ବୋଲି କହିଥିଲେ। ଏହା ଶୁଣି ହନୁମାନ ପୁନର୍ବାର ଭଣ୍ଡାର ଘରକୁ ଗଲେ ଏବଂ ପ୍ରଥମେ ନିଜ ଉପରେ ଘିଅ ଢାଳିନେଇ ତା'ପରେ ସିନ୍ଦୂର ଢାଳି ନେଲେ। ଏହିପରି ଭାବେ ଆମର ସିନ୍ଦୂରୀ ହନୁମାନଙ୍କ ରୂପର ସୃଷ୍ଟି ଓ ସେହି ରୂପରେ ସେ ଏବେବି ପୂଜା ପାଉଛନ୍ତି ।
ୟେ ତୁ ଧର୍ମ୍ୟାମୃତମିଦଂ(ୟ୍ଁ), ୟଥୋକ୍ତଂ(ମ୍) ପର୍ୟୁପାସତେ।
ଶ୍ରଦ୍ଦଧାନା ମତ୍ପରମା, ଭକ୍ତାସ୍ତେଽତୀବ ମେ ପ୍ରିୟାଃ।।12.20।।
ବିବେଚନ :-
ଶ୍ରୀ ଭଗବାନ କୁହନ୍ତି, ହେ ଅର୍ଜୁନ! ଯେଉଁ ଭକ୍ତମାନେ ମୋ ଉପରେ ବିନା ସର୍ତ୍ତ, ବିନା ଶଙ୍କା ଏବଂ ବିନା ଯୁକ୍ତିରେ ବିଶ୍ୱାସ କରନ୍ତି ଏବଂ ମୁଁ କହିବା ଅନୁଯାୟୀ, ସଭକ୍ତି ଧର୍ମମୟ ଅମୃତର ପାନ କରନ୍ତି, ସେପରି ଭକ୍ତ ମୋତେ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।
ଓମ୍ ତତ୍ ସତ୍ - ଏହିପରି ଭାବରେ, ଭଗବାନଙ୍କ ନାମ ଉଚ୍ଚାରଣ ପୂର୍ବକ - ଶ୍ରୀମଦ୍ ଭଗବତ୍ ଗୀତା ଉପନିଷଦ ରୂପରେ, ଶ୍ରୀକୃଷ୍ଣାର୍ଜୁନ ସମ୍ୱାଦର 'ଭକ୍ତିଯୋଗ' ନାମକ ଏହି ଦ୍ଵାଦଶ ଅଧ୍ୟାୟର ପରିସମାପ୍ତି ହେଲା ।
–:: ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ::--
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ)
ୟୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନସଂବାଦେ ଭକ୍ତିୟୋଗୋ ନାମ ଦ୍ୱାଦଶୋଽଧ୍ୟାୟଃ।।12।।