विवेचन सारांश
ମହତ୍ତ୍ୱପୂର୍ଣ୍ଣ ଶାସ୍ତ୍ର ଜ୍ଞାନ
ଆଜିର ଏହି ରୂଚି ପୂର୍ଣ୍ଣ ବିବେଚନ ସତ୍ରଟି ଦୀପ ପ୍ରଜ୍ଜ୍ୱଳନ, ମଙ୍ଗଳାଚରଣ, ଗୁରୁ ବନ୍ଦନା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ ବନ୍ଦନା ସହ ପ୍ରାରମ୍ଭ ହୁଏ।
ଆଜିର ଏହି ବିବେଚନର ପର୍ବ ଅନ୍ୟାନ୍ୟ ସମସ୍ତ ବିବେଚନଠାରୁ ଅଧିକ ଆନନ୍ଦମୟ ଏବଂ ଉତ୍ସାହର ବାତାବରଣ ସୃଷ୍ଟି କରୁଅଛି, କାରଣ ଏହା ମହାରାଷ୍ଟ୍ରର ଏକ ପବିତ୍ର ଭୂମି ଉପରେ ଆୟୋଜିତ ହେଉଛି ; ଯାହାକୁ ସାଧୁଜନେ ଏକ ଶ୍ରେଷ୍ଠ ତୀର୍ଥସ୍ଥଳ ରୂପେ ପରିଗଣିତ କରି ଆସିଛନ୍ତି । ଆଜି ଆମେ ସମସ୍ତେ ସନ୍ଥ ଜ୍ଞାନେଶ୍ୱର ମହାରାଜଜୀଙ୍କର କର୍ମ ତଥା ସମାଧି ଭୂମି ପରି ଏକ ମହାନ୍ ତୀର୍ଥସ୍ଥଳୀରେ ଏକାଠି ହୋଇଛୁ, ଯାହାର ନାମ ହିଁ ହେଉଛି 'ଦେବାଞ୍ଚି ଅଲନ୍ଦି' ଅର୍ଥାତ୍ ଦେବତାଙ୍କର ନିବାସ ସ୍ଥଳୀ।
ଅଯୋଧ୍ୟାରେ ଶ୍ରୀ ରାମଲଲ୍ଲାଙ୍କର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବରେ ଆମେ ଦେଖିଲୁ ଯେ ପୂଜ୍ୟ ସ୍ବାମୀ ଶ୍ରୀ ଗୋବିନ୍ଦଦେବ ଗିରିଜୀ ମହାରାଜ ଆମର ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଏକାଦଶ ଦିନର ଉପବାସକୁ କିପରି ଉଦଯାପିତ କଲେ। ସେଦିନ, ସେଠାରେ ଆମେ ତାଙ୍କରି ମୁଁହରୁ, ତାଙ୍କର ଭାବପୂର୍ଣ୍ଣ ଦିବ୍ୟ ଅନୁଭୂତି ମଧ୍ୟ ଶୁଣିବାକୁ ପାଇଲୁ । ଆଉ ଆଜି ଏଠାରେ ସେହିପରି ଜଣେ ମହାନ ଗୀତାଭକ୍ତଙ୍କ ଜନ୍ମଦିନ ଆମେ ଅମୃତ ମହୋତ୍ସବ ହିସାବରେ ପାଳନ କରୁଛୁ। ଯଦିଓ ସ୍ବାମୀଜୀ ତାଙ୍କ ଜନ୍ମଦିନ ପାଳନ କରନ୍ତି ନାହିଁ ଏବଂ ଅନ୍ୟ କାହାକୁ ମଧ୍ୟ ପାଳନ କରିବାକୁ ଅନୁମତି ଦିଅନ୍ତି ନାହିଁ, ତଥାପି ଏ ବର୍ଷ ଆମ ସମସ୍ତଙ୍କ ଅନୁରୋଧ ରକ୍ଷା କରି ସେ ଏହି ଅମୃତ ମହୋତ୍ସବ ପାଳନ କରିବାର ଅନୁମତି ଆମକୁ ଦେଇଛନ୍ତି।
ଏହି ପର୍ବ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ସାଧୁସନ୍ଥ ତଥା ମହାନ୍ ବ୍ୟକ୍ତିଗଣ ପୁନା ନିକଟବର୍ତ୍ତୀ ଅଲନ୍ଦିଠାରେ ଏକତ୍ରିତ ହୋଇଛନ୍ତି। ଅମୃତ ମହୋତ୍ସବର ଅନ୍ୟ ଏକ ଦିବ୍ୟ ଆକର୍ଷଣ ହେଉଛି, ଏଠାରେ ଏକାଅଶୀ କୁଣ୍ଡୀୟ ଯଜ୍ଞର ଏକ ଆୟୋଜନ ମଧ୍ୟ ହେଉଛି, ଯାହାର ଦର୍ଶନ ବର୍ତ୍ତମାନର ଆଧୁନିକ ଯୁଗରେ ବିରଳ ଏବଂ ଯାହାର ଆଲୋଚନା ଆମେ କେବଳ ଶାସ୍ତ୍ର କିମ୍ବା ପୁରାଣରେ ହିଁ ଶୁଣିବାକୁ ପାଇଥାଉ। ସେହିପରି ଏକ ଭବ୍ୟ ଯଜ୍ଞ ସାକାର ରୂପରେ ଅନୁଷ୍ଠିତ ହେବାକଥା ଆମେ ସ୍ବଚକ୍ଷୁରେ ଦେଖିବାର ସୌଭାଗ୍ଯ ପ୍ରାପ୍ତ ହୋଇପାରିଲୁ। ଏହିପରି ଯଜ୍ଞରୀତିକୁ ବିରଳ କହିବାର କାରଣ ହେଉଛି, ଅଧୂନା ଏପରି ଯଜ୍ଞ କରୁଥିବା ବୈଦିକ ବ୍ରାହ୍ମଣଙ୍କ ସଂଖ୍ୟା ଅତ୍ୟନ୍ତ କମ୍। ପୂଜ୍ୟ ସ୍ବାମୀ ଶ୍ରୀ ଗୋବିନ୍ଦଦେବ ଗିରିଜୀ ମହାରାଜ ଗତ ସଇଁତ୍ରୀଶ-ଅଠତ୍ରୀଶ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଦୁଇ ହଜାରରୁ ଅଧିକ ବେଦ କଣ୍ଠସ୍ଥ କରିଥିବା ବୈଦିକ ବ୍ରାହ୍ମଣଙ୍କୁ ପ୍ରସ୍ତୁତ କରି ସାରିଛନ୍ତି। ଯେଉଁ ବୈଦିକ ବ୍ରାହ୍ମଣମାନେ ଅତି କମରେ ଗୋଟିଏ ବେଦ ସ୍ମରଣ କରିଛନ୍ତି ସେମାନେ ଏହି ଏକାଅଶୀ କୁଣ୍ଡୀୟ ଯଜ୍ଞରେ ଆହୁତି ପ୍ରଦାନ କରିଛନ୍ତି। ବାସ୍ତବରେ, ଏପରି ଦୃଶ୍ୟ ଆଜିର ସମାଜରେ ଦୁର୍ଲ୍ଲଭ ଅଟେ ।
ଏତଦବ୍ୟତୀତ ଏକାବନଟି ବିଶିଷ୍ଟ ଗ୍ରନ୍ଥର ପାରାୟଣ, ସାଧୁସନ୍ଥଙ୍କ ଉପାସନା, କୃତଜ୍ଞତା ଜ୍ଞାପନ, ମାତୃ ଶକ୍ତି ଦିବସ ପାଳନ ଏବଂ ରାମାୟଣ ତଥା ସାଧୁସନ୍ଥମାନଙ୍କ ଜୀବନୀ ଉପରେ ଆଧାରିତ ନାଟକ ଆଦି ଏଠି ମଞ୍ଚରେ ପରିବେଷଣ କରାଯାଉଛି। ଧରିନିଅନ୍ତୁ ଏହି ଅମୃତ ମହୋତ୍ସବ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମହାକୁମ୍ଭ ସଦୃଶ ; ଅନେକ ଚମତ୍କାର କାର୍ଯ୍ୟକ୍ରମ ସବୁର ସମାବେଶ ଏଠାରେ ସଙ୍ଗଠିତ ହେଉଛି। ଏଠାରେ ରହି ଏ ସବୁ କାର୍ଯ୍ୟକ୍ରମର ଆନନ୍ଦ ଉଠାଇବା ଏକ ସୌଭାଗ୍ୟ ପୂର୍ଣ୍ଣ ଅବସର ନିଶ୍ଚୟ, ତା’ଛଡା ଏଠିକାର ସାତ୍ତ୍ୱିକ ପରିବେଶର ବର୍ଣ୍ଣନା ମନକୁ ବିଶେଷ ଆନନ୍ଦ ମଧ୍ୟ ଦେଇଥାଏ । ମହାରାଷ୍ଟ୍ର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ତ କାର୍ଯ୍ୟକ୍ରମର ଆନନ୍ଦ ନେବାକୁ ନିଶ୍ଚୟ ଆସୁଛନ୍ତି, ତା ସହ ଯେଉଁମାନେ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ଅଥବା ବିଦେଶରୁ ଆସିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏପରି ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ, କାରଣ ଏଠାକୁ ଆସିବା ଦ୍ୱାରା ଆପଣମାନେ ମଧ୍ୟ ଅନୁଭବ କରିପାରିବେ ଯେ, ଯେପରି ଆପଣ ଆପଣଙ୍କ ଜୀବନର ବିରଳ ମୁହୂର୍ତ୍ତକୁ ଅଙ୍ଗେ ନିଭାଉଛନ୍ତି। ଏହା ଏମିତି ଏକ ବିଶେଷ ଉତ୍ସବ ! ତେଣୁ ଏହି ପୂଣ୍ୟସ୍ଥଳ ଦେବାଞ୍ଚି ଅଲନ୍ଦି, ମହାତ୍ମା ଜ୍ଞାନେଶ୍ୱରଜୀଙ୍କ ଭୂମିରୁ ଆମେ ଭଗବଦ୍ ଗୀତାର ପଞ୍ଚଦଶ ଅଧ୍ୟାୟର ବିବେଚନ କରୁଛୁ - ଏହା ଆମ ସମସ୍ତଙ୍କ ପାଇଁ ଏକ ଭାଗ୍ୟର ବିଷୟ । ଭଗବଦ୍ ଗୀତା ଉପରେ ପର୍ଯ୍ୟବେସିତ ଅନ୍ୟ ସମସ୍ତ ମନ୍ତବ୍ୟ ମଧ୍ୟରୁ ସନ୍ଥ ଜ୍ଞାନେଶ୍ୱରଙ୍କ ‘ଜ୍ଞାନେଶ୍ୱରୀକୁ’ ମୁକୁଟର ମଣି ବୋଲି ବିବେଚନା କରାଯାଏ। ଷୋଡ଼ଶ ଶତାବ୍ଦୀରେ ଏଥିରେ ଦଶ ହଜାର ପଦରେ ସନ୍ଥ ଜ୍ଞାନେଶ୍ୱର ମହାରାଜଜୀ ଭଗବଦ୍ଗୀତାର ବର୍ଣ୍ଣନା କରିଛନ୍ତି।
'न रूपमस्येह तथोपलभ्यते'
ଏହାର ଅର୍ଥ ହେଉଛି, ମୁଁ ଯେପରି କହିଥିଲି ତାହା ତୁମର କଳ୍ପନା ସହ ସମାନ ନୁହେଁ, କାରଣ ତୁମେ କଳ୍ପନା କରୁଥିବା ବୃକ୍ଷର ଆରମ୍ଭ ଏବଂ ଶେଷ ଅଛି, କିନ୍ତୁ ମୋର ସୃଷ୍ଟି, ମୋର ବ୍ରହ୍ମାଣ୍ଡର…
'नान्तो न चादिर्न च संप्रतिष्ठा'
କୌଣସି ଆଦି ନାହିଁ କି ଅନ୍ତ ନାହିଁ । ଏହାର କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରତିଷ୍ଠା ବା ଆକାର ନାହିଁ । ଏହା ଅନନ୍ତ-ଅସୀମିତ ଅଟେ ।
निर्मानमोहा जितसङ्गदोषा
ଯିଏ ଏହି ତତ୍ତ୍ଵକୁ ସମ୍ପୂର୍ଣ୍ଣ ଭାବେ ବୁଝିଛି ତା’ର ସ୍ଥିତି କିପରି ହେବ ତାହା ଆମେ ଗତ ସପ୍ତାହରେ ଆଲୋଚନା କରିଥିଲେ । ଏବେ ଏହି - ଷଷ୍ଠ ଶ୍ଳୋକଠାରୁ ଭଗବାନ ତାଙ୍କ ଧାମ ବିଷୟରେ ପ୍ରକାଶ କରୁଛନ୍ତି; ତାଙ୍କ ନିବାସସ୍ଥଳୀ ସହ ବିଶ୍ବକୁ ପରିଚିତ କରାଉଛନ୍ତି ।
15.6
ନ ତଦ୍ଭାସୟତେ ସୂର୍ୟୋ, ନ ଶଶାଙ୍କୋ ନ ପାବକଃ।
ୟଦ୍ଗତ୍ୱା ନ ନିବର୍ତନ୍ତେ, ତଦ୍ଧାମ ପରମଂ(ମ୍) ମମ।।୬।।
ବିବେଚନ :-
କେଜାଣି କେଉଁ କାଳରୁ, କେତେ ଜନ୍ମ-ମୃତ୍ୟୁର ଚକ୍ରରେ ଆମେ ବାନ୍ଧି ହୋଇ ରହିଛୁ ବା ଫସି ରହିଛୁ ତାହା ଆମକୁ ଜ୍ଞାତ ନାହିଁ।
पुनरपि जननं पुनरपि मरणं, पुनरपि जननी जठरे शयनम्।
ଆମେ ଜନ୍ମ ଗ୍ରହଣ କରିକି ଯଦି ପୁଣ୍ୟ କର୍ମ କରୁଛେ ତେବେ ସ୍ୱର୍ଗକୁ ଯିବା, ଆଉ ଯଦି ପାପ କର୍ମ କରୁଛେ ତେବେ ନର୍କକୁ ଯିବା। ଆମକୁ ଆମ କର୍ମର ଫଳ ସ୍ବରୂପ କେବେ ଦେବତା କେବେ ପଶୁ ତ ପୁଣି କେବେ ଭୂତ, ପ୍ରେତ ବା ପିଶାଚିନୀ ହେବାକୁ ପଡିଥାଏ। ପୁଣି ବିଭିନ୍ନ ଯୋନିରେ ଜନ୍ମ ନେବାକୁ ପଡିଥାଏ ଏବଂ ଏ ସବୁକୁ ଅତିକ୍ରମ କରି ପରିଶେଷରେ ମଣିଷ ଜୀବନ ପ୍ରାପ୍ତ ହୁଏ। ମନୁଷ୍ୟ ରୂପରେ ଜନ୍ମ ନେଇ ପୁଣି କର୍ମ କରିବାକୁ ହୁଏ। ଏହା ଏମିତି ହିଁ ଚାଲି ଆସୁଛି। ଲକ୍ଷ୍ୟ ଲକ୍ଷ୍ୟ କୋଟି କୋଟି ଜନ୍ମର ସଂସ୍କାରକୁ ନେଇ ଆମକୁ ଆମ ଜୀବନରେ ସତୁରୀ-ଅଶୀ ବର୍ଷର ଆୟୁଷ ଭୋଗ କରିସାରିବା ପରେ, ଏହାର ସମାପ୍ତି ଘଟିଥାଏ। ଯଦି ଆମେ କଇଁଛ ରୂପେ ଜନ୍ମ ଗ୍ରହଣ କଲେ ପଞ୍ଚ ଶହ ବର୍ଷ ବଞ୍ଚିବାକୁ ହୁଏ ଆଉ ଯଦି ଦେବ-ଗଣରେ ଜନ୍ମ ନେଲେ ତେବେ ଆୟୁ ହଜାର ଲକ୍ଷ୍ୟ ବର୍ଷ ହୋଇଥାଏ। ଜୀବନର ଚକ୍ର ଅବିରତ ଏମିତି ହିଁ ଘୂରି ଚାଲିଥାଏ।
ଭଗବାନ କୁହନ୍ତି ଏହି ସଂସାର ଏକ ଦୁଃଖମୟ ସଂସାର ଅଟେ। କିନ୍ତୁ ଯଦି ମାନବକୁ କିଛି କ୍ଷଣର ସୁଖମୟ ପରିବେଶ ପ୍ରାପ୍ତ ହୋଇଯାଏ ତେବେ ତାକୁ ଜଗତର ସମସ୍ତ ସୁଖ ପ୍ରାପ୍ତ ହୋଇଛି ବୋଲି ସେ ଭାବେ। ଏପରି ପରିବେଶରେ ସେ ମୁକ୍ତିର କାମନା କରିପାରେନା। କିନ୍ତୁ ଅବସ୍ଥା ସଦା ସର୍ବଦା ଏମିତି ରହି ନ ଥାଏ ; ପରିସ୍ଥିତି ବଦଳିଲେ, ଯେତେବେଳେ ବିପତ୍ତିର ସାମ୍ନା କରିବାକୁ ହୁଏ, ସେତେବେଳେ ମନୁଷ୍ୟ ମୁକ୍ତି ଚାହେଁ। ଭଗବାନ କୁହନ୍ତି, ଯଦି ମୁକ୍ତିର ଅଭିଳାଷ ଅଛି ତେବେ ଗୋଟିଏ ମାର୍ଗ ଅଛି - ସେଥିପାଇଁ ମୋତେ ପ୍ରାପ୍ତ କରିବାକୁ ହେବ। ଯିଏ ମୋତେ ପ୍ରାପ୍ତ କରିଥାଏ ତାକୁ ଆଉ କେବେ ସଂସାରକୁ ଫେରିବାକୁ ହୁଏନା। ମୋ ଧାମକୁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ଆଲୋକିତ କରି ପାରନ୍ତି ନାହିଁ ବରଂ ମୋ ସ୍ବୟଂ ପ୍ରକାଶିତ ଧାମରୁ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନି ଆଲୋକ ପାଇଥାନ୍ତି । ତେବେ ଯିଏ ମୋର ସେହି ଧାମରେ ପହଞ୍ଚିଯାଏ, ତାକୁ ପୁଣି ଏହି ସଂସାରକୁ ତଥା ଜନ୍ମ-ମୃତ୍ୟୁର ଚକ୍ରକୁ ଫେରିବାକୁ ହୁଏ ନାହିଁ। ଆଗକୁ ଭଗବାନ ଜୀବତ୍ମାର ସବିସ୍ତାର ବର୍ଣ୍ଣନା କରିଛନ୍ତି।
ମମୈବାଂଶୋ ଜୀବଲୋକେ, ଜୀବଭୂତଃ(ସ୍) ସନାତନଃ।
ମନଃ(ଷ୍) ଷଷ୍ଠାନୀନ୍ଦ୍ରିୟାଣି, ପ୍ରକୃତିସ୍ଥାନି କର୍ଷତି।।୭।।
ବିବେଚନ :-
ଏହି ଶ୍ଳୋକକୁ ପାଠ କଲେ ପରମ ପୂଜନୀୟ ଶ୍ରଦ୍ଧେୟ ବ୍ରହ୍ମଲୀନ ସ୍ୱାମୀ ରାମସୁଖ ଦାସଜୀ ମହାରାଜଙ୍କ କଥା ମନେପଡେ। ଛୋଟ ଥିବା ସମୟରେ ବିବେଚକ ଋଷିକେଶର ଗୀତା ଭବନରେ ହେଉଥିବା ସତସଙ୍ଗ ଶୁଣିବାକୁ ଯାଉଥିଲେ। ପ୍ରତିଦିନ ଯିବା ବେଳକୁ ସେ ଏବଂ ତାଙ୍କର ଏକ ମିତ୍ରଙ୍କ ମଧ୍ୟରେ ସର୍ତ୍ତ ଲାଗୁଥିଲା କି, ଆଜି ସ୍ୱାମୀଜୀ କେଉଁ ଚୌପାଇ ଏବଂ କେଉଁ ଶ୍ଳୋକ ପାଠ କରିବେ ବୋଲି।
ଶ୍ଳୋକ - ममैवांशो जीवलोके, जीवभूतः(स्) सनातनः। ନା, ଚୌପାଇ- ईस्वर अंस जीव अबिनासी। चेतन अमल सहज सुख रासी॥
ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜିତି ଯାଉଥିଲେ, କାରଣ ସ୍ୱାମୀଜୀ ଶ୍ଳୋକ ଓ ଚୌପାଇ ଭିତରୁ ଗୋଟିଏ ତାଙ୍କ ପ୍ରବଚନରେ ପ୍ରତ୍ୟେକ ଦିନ ଅବଶ୍ୟ କହୁଥିଲେ। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଶ୍ଳୋକ ଅଟେ। ଭଗବାନ କୁହନ୍ତି ଏହି ଶରୀରରେ ସନାତନ ଜୀବତ୍ମା ଅଛି। ସନାତନ ଓ ପୁରାତନ - ଏପରି ଦୁଇଟି ଶବ୍ଦ ଅଛି। ପୁରାତନ ଅର୍ଥ ବହୁତ ପୁରୁଣା, ଯାହାର ଉତ୍ପତ୍ତି ସମୟ କାହାକୁ ଜଣା ନାହିଁ। ତାକୁ ପୁରାଣ ମଧ୍ୟ କୁହାଯାଏ। ସନାତନ ଶବ୍ଦର ଅର୍ଥ ହେଉଛି ଯିଏ ସଦା ସର୍ବଦା ବିଦ୍ୟମାନ।
It has existed and will continue to exist ever since.
ଯାହା ଆଗରୁ ଥିଲା, ଅଛି ଓ ସଦା ସର୍ବଦା ରହିବ, ତାହା ସନାତନ ଅଟେ। ଭଗବାନ କୁହନ୍ତି ଯେ ଯେଉଁ ଦେହରେ ସନାତନ ଜୀବତ୍ମା ଅଛି ତାହା ମୋର ଅଂଶ ଅଟେ ଏବଂ ତାହା ହିଁ ପ୍ରକୃତିରେ ମନ ଓ ପଞ୍ଚ ଇନ୍ଦ୍ରିୟକୁ ଅଗ୍ରସର କରାଇଥାଏ। ଭଗବାନ କୁହନ୍ତି - 'तत् त्वम् असि'।
ତୁମେ ଯିଏ, ମୁଁ ସିଏ। ମୋ ଠାରୁ ତୁମେ ଅଲଗା ନୁହଁ । ଯେପରି ସାଗରରେ ଥିବା ଜଳ ଏବଂ ସାଗର ଭିନ୍ନ ନୁହନ୍ତି କିନ୍ତୁ ସେହି ସାଗରରୁ ଗୋଟିଏ ବୁନ୍ଦା ଜଳ ଅଲଗା ହୋଇ ଗଲେ ତାକୁ ଆଉ ସାଗର ବୋଲି କୁହାଯିବ ନାହିଁ। କିନ୍ତୁ ସେହି ବୁନ୍ଦା ପୁଣି ସାଗରରେ ମିଶିଗଲେ ତାହା ସାଗର ବୋଲି ଗଣାଯିବ। ଠିକ୍ ସେହିପରି ଜୀବତ୍ମା ପରମାତ୍ମାର ଅଂଶ ଅଟେ। ପରନ୍ତୁ ଯେ ପର୍ଯ୍ୟନ୍ତ ଆମେ ବାସ୍ତବିକ ସ୍ୱରୂପକୁ ଆମେ ଚିହ୍ନି ପାରୁନା ସେ ପର୍ଯ୍ୟନ୍ତ ଆମେ ଘୂରି ବୁଲୁଥିବା।
କେବେ କେବେ ଏମିତି ମଧ୍ୟ ପ୍ରଶ୍ନ ଆସିଥାଏ ଯଦି ଆମେ ଭଗବାନଙ୍କ ଅଂଶ ଅଟୁ ତେବେ ସୁବିଚାର ଏବଂ ଦୁରାଚାର କେଉଁଠୁ ଆସେ ? ରାକ୍ଷସ କେଉଁଠୁ ଆସନ୍ତି? ଖରାପ କର୍ମର ବିଚାର କେଉଁଠୁ ଆସେ? ଲୋକେ କାହିଁକି ମିଛ କୁହନ୍ତି? ପାପ କଣ ପାଇଁ କରନ୍ତି? ଏହି ପ୍ରକାର ଲୋକ କାହିଁକି ଅଛନ୍ତି? ବେଦାନ୍ତରେ ଏହା ପାଇଁ ଏକ ସିଦ୍ଧାନ୍ତ ଅଛି । ଏକ ଉପମା ଦିଆ ଯାଇଛି।
ଆମେ ଗୋଟିଏ ଆକାଶକୁ ଜାଣିଛେ, କିନ୍ତୁ ଘରୁ ବାହାରକୁ ଗଲେ ସେହି ଆକାଶ ଆମକୁ ଅଲଗା ପ୍ରକାରର ଦେଖାଯାଏ। ସେହି ଆକାଶକୁ ଆମେ ଏକ ଜଳପୂର୍ଣ୍ଣ ଗ୍ଲାସ ମଧ୍ୟ ଦେଇ ଦେଖିଲେ ତାହା ଆମକୁ ଆଉ ଭିନ୍ନ ଦେଖାଯାଇଥାଏ। ଯେଉଁ ଆକାଶ ଆମ ଘର ଭିତରେ ଅଛି ତାହା ବାହାର ଆକାଶର ତାପମାନଠାରୁ ଗୋଟିଏ ଡିଗ୍ରୀ କମ୍ ହୋଇଥାଏ। କୋଠରୀର ତାପମାନ ବାହାରର ଆକାଶ ଠାରୁ କମ୍ ଏବଂ ଗୋଟିଏ ଗ୍ଲାସ ପାଣିର ତାପମାନ କୋଠରୀର ତାପମାନ ଠାରୁ କମ୍ ହୋଇଯାଏ । ଆକାଶ ଅଲଗା ଅଲଗା ନୁହେଁ, ଗୋଟିଏ ହିଁ, କିନ୍ତୁ ଅଲଗା ଅଲଗା ଦେଖାଯାଏ। ସେହିପରି ସ୍ଥାନର ବିଭିନ୍ନତା ନେଇ ତାପମାନ ମଧ୍ୟ ଅଲଗା ଅଲଗା ପ୍ରକାର ହୋଇଥାଏ। ତାହାର ଗୁଣ ମଧ୍ୟ ଭିନ୍ନ ପ୍ରକାରର ଅଟେ।
ଏହିପ୍ରାୟେ ମହାକାଶ ପରମାତ୍ମାଙ୍କୁ ବୁଝାଏ, ମଠାକାଶ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଅଟେ ଓ ଘଟାକାଶ ଶରୀର ଅଟେ। ଏହି ଶରୀରକୁ ଅବଚେତନ ତତ୍ତ୍ବ ଆସିଥାଏ। ଏହି ଘଟକାଶରେ ଯେବେ ଜୀବାତ୍ମା ପ୍ରବେଶ କରେ ତେବେ ପାଞ୍ଚ ଇନ୍ଦ୍ରିୟ ଏବଂ ମନ ଦ୍ବାରା ଏହା ସଂସାର ପ୍ରତି ଆକୃଷ୍ଟ ହୋଇ ସେହିଠାରେ ରହିଯାଏ। କ୍ରମେ ଏହି ଜୀବାତ୍ମା ଗୋଟିଏ ଶରୀରରୁ ଆଉ ଅନ୍ୟ ଏକ ଶରୀରକୁ ଚାଲି ଯାଇଥାଏ। ତେବେ କୁହାଯାଏ ଯେ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀରକୁ ଚାଲି ଗଲା ବୋଲି କହନ୍ତି। ତେଣୁ ଲୋକମାନେ ପ୍ରଶ୍ନ କରନ୍ତି ତାହାର ମାର୍ଗ କଣ ଓ ତାହାର ଗତି କିପରି ହୋଇଥାଏ ? ଭଗବାନ ଆଗାମୀ ଶ୍ଳୋକଗୁଡିକରେ ତାହାର ସମାଧାନ କହିଛନ୍ତି।
ଶରୀରଂ(ୟ୍ଁ) ୟଦବାପ୍ନୋତି, ୟଚ୍ଚାପ୍ୟୁତ୍କ୍ରାମତୀଶ୍ୱରଃ।
ଗୃହୀତ୍ୱୈତାନି ସଂୟାତି, ବାୟୁର୍ଗନ୍ଧାନିବାଶୟାତ୍॥15.8॥
ବିବେଚନ :-
ଭଗବାନ ଏଠାରେ ବହୁତ ସୁନ୍ଦର ଉଦାହରଣ ଦିଅନ୍ତି । ଯଦି ପାଣି ଭର୍ତ୍ତି ଏକ ପାତ୍ରରେ ନାଲି ରଙ୍ଗ ମିଶାଇ ଦିଆଯାଏ, ତେବେ ପାଣିର ରଙ୍ଗ ବି ଲାଲ୍ ହୋଇଯାଏ । ଏହାକୁ ପୂର୍ବବସ୍ଥାକୁ ଆଣିବା ବା ଏହାକୁ ପୁଣି ଥରେ ରଙ୍ଗହୀନ କରିବା କଷ୍ଟକର। ଜଳ ରଙ୍ଗକୁ ସ୍ଥାୟୀ ଭାବେ ଗ୍ରହଣ କରିନେଲା। ହେଲେ ବାୟୁ କିଛି ଗ୍ରହଣ କରେ ନାହିଁ । ଏହା ଉପରେ ଯେତେ ଫଗୁ ବିଞ୍ଚିଲେ ବି ଏହା ଗୋଲାପୀ ହୋଇଯାଏ ନାହିଁ । ଆମେ ଏଥିରେ ଯେତେ ସୁଗନ୍ଧିତ ଇତର ସିଞ୍ଚନ କରୁନା କାହିଁକି, ସୁଗନ୍ଧ ତ ଆସିବ, କିନ୍ତୁ ତାହା ଚିରସ୍ଥାୟୀ ହୋଇ ରହିବ ନାହିଁ । ଆମେ ଯଦି ଏଥିକୁ ଅଳିଆ ଫିଙ୍ଗିବା, ତେବେ ଆବହାୱା କିଛି ସମୟ ପାଇଁ ହିଁ ପୂତି ଗନ୍ଧମୟ ହେବ ସିନା, କିନ୍ତୁ ତାହା ଅଚିରେ ଲିଭିଯିବ। ବାୟୁ ସ୍ଥାୟୀ ଭାବେ କୌଣସି ଗୁଣ ବହନ କରେନାହିଁ ।
ତେଣୁ, ଭଗବାନ କୁହନ୍ତି, ଯେପରି ବାୟୁ ନିଜେ ସୁଗନ୍ଧ ଏବଂ ଦୁର୍ଗନ୍ଧ ବହନ କରୁଥିବା ସତ୍ତ୍ବେ କାହାକୁ ଧରି ରଖେ ନାହିଁ, ସେହିପରି ଭାବରେ, ଯଦି ଆତ୍ମା ଗୋଟିଏ ଶରୀର ଛାଡିଦିଏ, ତେବେ ଏହା ମନ ସମେତ ସମସ୍ତ ଇନ୍ଦ୍ରିୟର ସଂସ୍କାରକୁ ଗ୍ରହଣ କରି ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ। ଆତ୍ମା ହେଉଛି ଚେତନ ତତ୍ତ୍ବ ଏବଂ ମନ ଓ ଇନ୍ଦ୍ରିୟଗୁଡିକର ପ୍ରଭାବ ହେଉଛି ଜଡ ଉପାଦାନ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କୌଣସି ଜଡ ଉପାଦାନ କିପରି ଚେତନ ତତ୍ତ୍ବ ଦ୍ୱାରା ଗ୍ରହୀତ ହୋଇପାରିବ? ଏଥିପାଇଁ ଏଠାରେ ଭଗବାନ ବାୟୁର ଯଥାର୍ଥ ଉଦାହରଣ ଦିଅନ୍ତି ।
ଆମର ଲକ୍ଷ ଲକ୍ଷ, କୋଟି କୋଟି ଜନ୍ମର କର୍ମ, ପାପ-ପୂଣ୍ୟ, ଆମର ପସନ୍ଦ-ନାପସନ୍ଦ ଇତ୍ୟାଦି ମିଶିଲେ ଏକ ପୋଥି ସଙ୍ଗଠିତ ହୋଇପାରିବ। ଏସବୁ ଆତ୍ମା ସହିତ ସଂସ୍କାର ଆକାରରେ ଗୋଟିଏ ଘଟରୁ ଅନ୍ୟ ଏକ ଘଟକୁ ଗତି କରେ । ଯେପରି ଗନ୍ଧ ବାୟୁ ସହିତ ଭ୍ରମଣ କରେ, ସେହିଭଳି, ଜନ୍ମାନ୍ତରର ସଂସ୍କାର ଆତ୍ମା ସହିତ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଗତି କରନ୍ତି । କିନ୍ତୁ ଏ ପ୍ରକ୍ରିୟାର ମହତ୍ତ୍ବପୂର୍ଣ୍ଣ ବିଷୟ ହେଉଛି, ଯେପରି ବାୟୁ ଗନ୍ଧ ସହ ସଂଶ୍ଲିଷ୍ଟ ନଥାଏ, ସେହିଭଳି ଆତ୍ମା ମଧ୍ୟ କୌଣସି ଜୀବ ସହ ସଂଲଗ୍ନ ହୁଏ ନାହିଁ । ଘଟ ବଦଳିବାରେ ଲାଗେ ଏବଂ ପୁରାତନ ଘଟଗୁଡିକର କାମନା, ବାସନା, ସ୍ପୃହା, ତୃଷ୍ଣା ଏବଂ ଆଶା ପୂରଣ ହେବା ପାଇଁ ଜୀବାତ୍ମା ଏକ ଶରୀରରୁ ଅନ୍ୟ ଏକ ଶରୀରକୁ ଭ୍ରମଣ କରେ ।
ଶ୍ରୋତ୍ରଂ(ଞ୍) ଚକ୍ଷୁଃ(ସ୍) ସ୍ପର୍ଶନଂ(ଞ୍) ଚ, ରସନଂ(ଙ୍) ଘ୍ରାଣମେବ ଚ।
ଅଧିଷ୍ଠାୟ ମନଶ୍ଚାୟଂ(ୱ୍ଁ), ବିଷୟାନୁପସେବତେ॥15.9॥
ବିବେଚନ :-
ଭଗବାନ କହନ୍ତି - ପୂର୍ବରୁ ଯେତେ ସବୁ ଜନ୍ମର ଆମେ ଯାହା ସବୁ କର୍ମ କରିଛନ୍ତି ସେ ସମସ୍ତ କର୍ମଫଳ ଆମ ସାଥିରେ ଚାଲିଥାନ୍ତି I ଭାଗବାନ ଏଠି ପାଞ୍ଚ ଇନ୍ଦ୍ରିୟର ବର୍ଣ୍ଣନାରେ କହୁଛନ୍ତି ; ବାହ୍ୟ ଜଗତରୁ ଯାହାଦ୍ୱାରା ସବୁକିଛି ଗ୍ରହଣ କରାଯାଏ, ତାହା ଏମିତି -
ଶ୍ରୋତ୍ର - ଆମ କାନର ଶବ୍ଦ। ଏହା ମହତ୍ତ୍ୱପୂର୍ଣ୍ଣ I ଶରୀର ମୃତ ହେଲେବି ସବୁଠୁ ଅଧିକ ସମୟ ଜୀବିତ ରହୁଥିବା ଇନ୍ଦ୍ରିୟ ହେଲା କର୍ଣ୍ଣ I ତେଣୁ ମୃତ୍ୟୁ ପରେ ଯଦି କିଛି କୁହାଯାଏ, ଯେମିତି ଭାଗବତ ଗୀତା ପାଠ, ଭଜନ, କୀର୍ତ୍ତନ ଇତ୍ୟାଦି ଅନ୍ତଃକରଣକୁ ଏହା ମାଧ୍ୟମରେ ହିଁ ଯାଇପାରେ। ମୃତ୍ୟୁ ପରେ ଛ’ ଘଣ୍ଟା ପର୍ଯ୍ୟନ୍ତ ବି ଏ ପ୍ରକ୍ରିୟା ଚାଲିପାରେ ! ତେଣୁ କର୍ଣ୍ଣ ସବୁଠୁ ସକ୍ରିୟ ଇନ୍ଦ୍ରିୟ ଯାହା ଶେଷ ପର୍ଯ୍ୟନ୍ତ ରହିଥାଏ I ଏହାକୁ ବିଜ୍ଞାନ ବି ମାନୁଛି I
ଭଗବାନ ହରିଣମାନଙ୍କୁ ନିଜ ଚାରିଗୋଡକୁ ଏକାସାଙ୍ଗରେ ବ୍ୟବହାର କରି ଡେଇଁବାର ଅଦ୍ଭୁତ କଳା ଦେଇଛନ୍ତି I ଚିତା ବିଶ୍ୱର ସବୁଠୁ ଦ୍ରୁତ ଧାବକ କିନ୍ତୁ ଚାଳିଶ ଥର ପ୍ରୟାସ ପରେ ଥରେ ସେ ତା ଶିକାର ଧରିବାରେ ସଫଳ ହୁଏ I ଯେଉଁ ହରିଣକୁ ଚିତା ଧରିବାରେ ସଫଳ ହୁଏନାହିଁ ସେଠି ଶିକାରୀ ଅତି ସହଜରେ ଧରିପାରିଥାଏ I ହରିଣ ଅତ୍ୟନ୍ତ ସଙ୍ଗୀତ ପ୍ରିୟ I ଆପଣମାନେ ଦେଖିଥିବେ, ଭଗବାନଙ୍କର ମୁରଲୀଧର ଚିତ୍ରରେ ହରିଣ ନିଶ୍ଚୟ ଦୃଶ୍ୟ ହୁଏ I ଶିକାରୀ ଏକ ବିଶେଷ ଧ୍ୱନୀ ବଜାଏ ଯେଉଁଥିରେ ହରିଣ ଆକର୍ଷିତ ହୁଏ I ଯେମିତି ହରିଣ ଧ୍ୱନୀ ଶୁଣେ ଦୁଇ କାନକୁ ଠିଆକରି ମନ୍ତ୍ରମୁଗ୍ଧହୋଇ ଶ୍ରବଣ କରିବାରେ ଲାଗିଯାଏ I ଶିକାରୀ ଯେତେବେଳେ ଦେଖେ ଯେ ହରିଣ ମନ୍ତ୍ରମୁଗ୍ଧ, ଧୀରେଧୀରେ ସେ ତା ପାଖକୁ ଆସି ତା ଅଣ୍ଡକୋଷକୁ କାଟି କସ୍ତୁରୀ ନେଇ ଚାଲିଯାଏ ଓ ହରିଣକୁ ସେଠି ମରିବା ପାଇଁ ଛାଡିଯାଏ I ତୀବ୍ର ଧାବମାନ ହରିଣ ସଙ୍ଗୀତର ବାସନା ଯୋଗୁଁ ପ୍ରାଣ ହରାଇ ଥାଏ I
ଚକ୍ଷୁ- ଆଖି,ଏହାର ଗୁଣ ରୂପ ଦୃଶ୍ୟ I ବର୍ଷା ଋତୁରେ ଅନେକ ପତଙ୍ଗ ଆସନ୍ତି I ଘରର ଟ୍ୟୁବ ଲାଇଟ, ଷ୍ଟ୍ରିଟ୍ ଲାଇଟ୍ ରେ ଧକ୍କାଖାନ୍ତି I ଯେତେ ଥର ଧକ୍କାଖାନ୍ତି ସେତେଥର ଆଘାତ ହୁଅନ୍ତି I ତଥାପି ପତଙ୍ଗ ଆଲୋକକୁ ଆକର୍ଷିତ ହୋଇ ତାହାକୁ ପ୍ରାପ୍ତ କରିବାକୁ ଚାହାନ୍ତି I ଜ୍ୱଳନ୍ତ ଦୀପରେ ଜଳିଯାନ୍ତି I ଟ୍ୟୁବ ଲାଇଟରେ ଧକ୍କା ଖାଇ ଖାଇ ପ୍ରାଣତ୍ୟାଗ କରନ୍ତି I ରୂପର ଆକର୍ଷଣ ସେହି ପତଙ୍ଗମାନଙ୍କୁ ପ୍ରାଣତ୍ୟାଗ ପାଇଁ ବାଧ୍ୟ କରିଥାଏ I
ସ୍ପର୍ଶ - ସ୍ପର୍ଶ ଇନ୍ଦ୍ରିୟର ବାହକ ହେଲା ଚର୍ମ I ହାତୀ ସଂସାରର ସବୁଠାରୁ ବଳବାନ ଜୀବ I ଯାହାକୁ ହସ୍ତୀନୀ ସ୍ପର୍ଶର ଆକର୍ଷଣ ଥାଏ। ଏହି ଦୁର୍ବଳତାର ସୁଯୋଗ ନେଇ ମାହୁନ୍ତ ଏତେ ବଡ ଏକ ବିଶାଳ ଜୀବକୁ ମାତ୍ର ଏକ ଅଙ୍କୁଶ ଦ୍ୱାରା ନଚେଇ ପାରେ I ଅମାବାସ୍ୟାର ଅନ୍ଧାରରେ, ଜଙ୍ଗଲ ଆଖପାଖ କୌଣସି ଏକ ଖୋଲା ଜାଗାରେ ମାହୁନ୍ତ ୮ ଫୁଟ ଲମ୍ବା, ୮ ଫୁଟ ଚୌଡା ଓ ୮ ଫୁଟ ଗଭୀରର ଏକ ଗର୍ତ୍ତ ଖୋଳିଥାଏ ଓ ତାକୁ ଘାସ ଇତ୍ୟାଦିରେ ଢାଙ୍କି ଦେଇଥାଏ I ସେ ଗର୍ତ୍ତ ଚାରିପାଖେ ନଡା ବିଛାଇ ଦେଇଥାଏ I ପଛରେ କାଠରେ ହସ୍ତୀନୀ ଆକୃତିର ଏକ ପୁତ୍ତଳିକା ତିଆରି କରି ଛିଡା କରି ଦେଇଥାଏ I ସେଥିରେ ହସ୍ତୀନୀର ତାଜା ଗୋବରକୁ ମଧ୍ୟ ଲେପି ଦିଆଯାଏ I ହାତୀକୁ ଯେତେବେଳେ ଗୋବରର ଗନ୍ଧ ଆସେ ସେ ସେହି ଦିଗକୁ ତାକୁ ଖୋଜିବା ପାଇଁ ଅଗ୍ରସର ହୁଏ I ଅମାବାସ୍ୟା କାରଣରୁ ଦୂରରୁ ତାକୁ ହସ୍ତୀନୀର ଆକୃତି ଦୃଶ୍ୟ ହୁଏ ଓ ସ୍ପର୍ଶ ପାଇବାପାଇଁ ସେ ଦୌଡ଼ି ଯାଏ। ହେଲେ ମାର୍ଗରେ ଥିବା ଗର୍ତ୍ତରେ ପଡିଯାଇ ବ୍ୟସ୍ତ ବିବ୍ରତ ହୋଇ ସେଥିରୁ ବାହାରିବାର ପ୍ରୟାସ କରେ କିନ୍ତୁ ବାହାରି ପାରେନା I ୩ /୪ ଘଣ୍ଟା କାଳ ଗର୍ତ୍ତରେ ଘସିହୋଇ ନିଜ ଶରୀରକୁ କ୍ଷତ ବିକ୍ଷତ ମଧ୍ୟ କରି ପକାଇଥାଏ I ବହୁ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ରକ୍ତ ସ୍ରାବ ବି ହୁଏ I ବହୁତ ପୀଡା ଭୋଗ କରେ I ମାହୁନ୍ତ ଦୂରରେ ଅପେକ୍ଷା କରେ, ଦେଖୁଥାଏ କି ହାତୀକୁ ବର୍ତ୍ତମାନ ଅକ୍ତିଆରକୁ ଆଣି ହେବ କି ନା I ୩ ଦିନ ଯାଏଁ ମାହୁନ୍ତ ହାତୀକୁ ଦୂରରୁ ଏପରି ଲକ୍ଷ କରେ I ଧୀରେ ଧୀରେ ନିଜକୁ ଗାତରୁ ବାହାର କରିବାର ପ୍ରୟାସ ଯୋଗୁଁ ହାତୀ ଅବଶ ହୋଇଯାଏ I ଭୋକ ଶୋଷରେ ୩ ଦିନ ହାତୀ ବହୁତ ଅବସାଦ ଭୋଗେ I ୩ ଦିନ ପରେ ମାହୁନ୍ତ ତା ଆଗରେ କିଛି କଦଳୀ ପକାଇଥାଏ, କିନ୍ତୁ ହାତୀ ଧ୍ୟାନ ଦିଏ ନାହିଁ I ମାହୁନ୍ତ ଚାଲିଗଲା ପରେ ତାକୁ ଏତେ ଭୋକ ଲାଗେ କି ସେ କଦଳୀକୁ ଖାଇଦେଇ ଥାଏ I ପରଦିନ ମାହୁନ୍ତ କଦଳୀ ସହ କିଛ ରୁଟି ବି ଆଣି ଆସେ I କଦଳୀ ଓ ରୁଟି ଦୂରରୁ ଦେଖାଏ I ହାତୀ ପ୍ରତିକ୍ରିୟା ଦେଇଥାଏ କି ସେ ଦେଇଥିବା କଦଳୀ ଖାଇଛି ତାହା ଅତିରିକ୍ତ ତାକୁ ଆଉ କିଛି ବି ଖାଇବାକୁ ମିଳି ନାହିଁ I ୫ମ ଦିନ ମାହୁନ୍ତ ଆସେ ହାତୀ ବୁଝିପାରେ କି ତା’ଠୁ ହିଁ କେବଳ ଖାଇବାକୁ ମିଳିବ I ଏବେ ମାହୁନ୍ତ ସହ ତାର ମିତ୍ରତା ହେବାକୁ ଲାଗେ I ଏମିତି ହାତୀ ତା ଜାଲରେ ଫସିଯାଏ I ଏବେ ମାହୁନ୍ତ ତାକୁ ଇଙ୍ଗିତରେ କିଛି ଶିଖାଏ I ହାତୀ ଯଦି ତାହା କରିଦିଏ, ତେବେ ଗୋଟିଏ କଦଳୀ ଖାଇବାକୁ ପାଏ I ମାହୁନ୍ତ ପୁଣି କିଛି ଶିଖାଏ ଓ ଖାଇବାକୁ ଦିଏ I ହାତୀକୁ ଅନୁଭବ ହୁଏ କି ଏ ଯେମିତି କହିବ ସେମିତି କରିଦେଲେ ତାକୁ ଖାଇବାକୁ ମିଳିବ I ଏହିପରି ପଞ୍ଚମ ଦିନରୁ ତାର ଶିକ୍ଷଣ ଆରମ୍ଭ ହୋଇଯାଇଥାଏ I ୬ଷ୍ଠ ଦିନ ୮ ଘଣ୍ଟାର ପ୍ରଶିକ୍ଷଣ I ଯେତେବେଳେ ମାହୁନ୍ତକୁ ଲାଗେ ହାତୀ ତାର ସମ୍ପୂର୍ଣ୍ଣ ବଶୀଭୂତ ତାକୁ ସେ ଗାତରୁ ବାହାର କରେ I ଏବେ ହାତୀ ସେମିତି କରେ ଯେମିତି ମାହୁନ୍ତ କହେ I ସେ ଜୀବନଭରି ସର୍କସ ଓ ରାସ୍ତାରେ ତାର ଇଙ୍ଗିତରେ କାମ କରେ I ସ୍ପର୍ଶର ଆକର୍ଷଣରେ ହାତୀ ସବୁ କିଛି ତ୍ୟାଗ କରିଦେଇଥାଏ I
ରସନା - ଅର୍ଥାତ୍ ସ୍ୱାଦର ଆକର୍ଷଣ। ମାଛ ସବୁଠୁ ଚଞ୍ଚଳ । କିନ୍ତୁ ତାକୁ ଧରିବା ଅତ୍ୟନ୍ତ ସହଜ । ଅଟାଗୁଳା କଣ୍ଟାରେ ଲଗାଇ ପାଣିରେ ପକାଇବାର କିଛି ସମୟରେ ସେ ଧରା ପଡିଯାଇଥାଏ I ସିଧା ଆସି ସେ ତାହା ଖାଇ ନ ଥାଏ I ପ୍ରଥମେ ସେ ବାହାର ପରସ୍ତକୁ ଖାଏ I ତାକୁ ଆଉଟିକେ ଖାଇବାକୁ ଇଚ୍ଛା ହୁଏ, ପୁଣି ଟିକେ ଅଧିକ, ଏମିତି ଖାଉ ଖାଉ ସେ କଣ୍ଟାରେ ଅଟକି ଯାଏ I ସ୍ୱାଦର ଆକର୍ଷଣରେ ମାଛ ତା ନିଜର ପ୍ରାଣର ବଳିଦାନ ଦିଏ I
ଘ୍ରାଣ - ଗନ୍ଧର ଆକର୍ଷଣ I ଆପଣ ଭଅଁରର ନାମ ତ ଶୁଣିଥିବେ I ଭଗବାନ ତାକୁ ଏତେ ଶକ୍ତି ଦେଇଛନ୍ତି କି ସେ ତାର ଆଗରେ ଥିବା ଦୁଇ ଦାନ୍ତ ଦ୍ୱାରା ପୃଥିବୀର ସବୁଠୁ ଶକ୍ତ ବୃକ୍ଷକୁ କାଟି ସେଥିରେ ଛିଦ୍ର କରିପାରେ ଓ ସେଠାରେ ଘର କରି ରହିପାରେ I ଏହି ଭଅଁରକୁ ପୁଷ୍ପର ରେଣୁ ଅତ୍ୟନ୍ତ ପ୍ରିୟ I ପଦ୍ମ ପୁଷ୍ପର ପରାଗ ନେଲାବେଳେ ସେ ଫୁଲରେ ବସି ଯାଇଥାଏ I ପଦ୍ମ ଫୁଲର ବିଶେଷତା ହେଲା କି ସୁର୍ଯ୍ୟୋଦୟ ପରେ ଏହା ପ୍ରସ୍ଫୁଟିତ ହୁଏ ଓ ସୂର୍ଯ୍ୟାସ୍ତରେ ମୁଦି ହୋଇଯାଏ I ସକାଳେ ଯେତେବେଳେ ପଦ୍ମ ଫୁଲର ପାଖୁଡା ଖୋଲେ ପରାଗର ଆନନ୍ଦ ପାଇଁ ଭଅଁର ସେଠି ବସେ I ସୂର୍ଯ୍ୟାସ୍ତରେ ପଦ୍ମ ପାଖୁଡା ବନ୍ଦ ବେଳେ ସେ ବାହାରିଯାଇ ପାରିଥାନ୍ତା କିନ୍ତୁ ପରାଗର ଆକର୍ଷଣ ଯୋଗୁଁ ବାହାରକୁ ଆସି ପାରେ ନାହିଁ I ଶେଷରେ ପଦ୍ମ ପାଖୁଡା ବନ୍ଦ ହୋଇଯାଏ I ବନ୍ଦ ହେଲେ ବି କିଛି କାରଣ ନାହିଁ କାରଣ ତା ପାଖରେ ଏତେ ଶକ୍ତି ଅଛି କି ଯାହା କଠିନ ବୃକ୍ଷକୁ କଣା କରି ପାରିବ, ପଦ୍ମ ପାଖୁଡା ତ କୋମଳ I ତାକୁ କଣା କରି ବାହାରକୁ ଯାଇ ପାରନ୍ତା କିନ୍ତୁ ପରାଗର ଆକର୍ଷଣ ତାକୁ ତାହା କରିବାକୁ ଦିଏ ନାହିଁ I ଏହି ପଦ୍ମ ପାଖୁଡ଼ାରେ ବନ୍ଦ ହୋଇ ଅଣନିଶ୍ୱାସୀ ହୋଇ ନିଜ ପ୍ରାଣ ନଷ୍ଟ କରିଦିଏ କିମ୍ବା ରାତିରେ ହାତୀ ସମୂହ ପାଦରେ ପଦ୍ମକୁ ଦଳି ଚକଟି ଦେଇ ଚାଲିଯାନ୍ତି I ଏହି ପ୍ରକାର ଭଅଁର ଗନ୍ଧର ଆକର୍ଷଣରେ ନିଜ ପ୍ରାଣ ତ୍ୟାଗିଥାନ୍ତି I
ଏହିପରି ଶବ୍ଦ ଆକର୍ଷଣରେ ହରିଣ, ରୂପ ଆକର୍ଷଣରେ ପତଙ୍ଗ, ସ୍ପର୍ଶ ଆକର୍ଷଣରେ ହାତୀ, ସ୍ୱାଦ ଆକର୍ଷଣରେ ମାଛ ତଥା ଗନ୍ଧ ଆକର୍ଷଣରେ ଭଅଁର ନିଜ ପ୍ରାଣ ତ୍ୟାଗ କରିଥାନ୍ତି I ଏ ସମସ୍ତ ପ୍ରାଣୀ ତ କେବଳ ଏକ ଦୋଷଯୁକ୍ତ ହୋଇ ନିଜ ନିଜର ପ୍ରାଣ ହରାଇ ଦିଅନ୍ତି I ତେବେ କଳ୍ପନା କରନ୍ତୁ, ମନୁଷ୍ୟ ପରି ପ୍ରାଣୀ ଯାହାକୁ ପାଞ୍ଚ ପାଞ୍ଚଟା ଇନ୍ଦ୍ରିୟର ଆକର୍ଷଣ ରହିଛି - ଶୁଣିବା ପାଇଁ ସୁନ୍ଦର ସଙ୍ଗୀତର ଆବଶ୍ୟକତା ରହିଛି, ଦେଖିବା ପାଇଁ ସୁନ୍ଦର ଦୃଶ୍ୟ, ଛୁଇଁବା ପାଇଁ ଉତ୍ତମ ସ୍ପର୍ଶ, ଖାଇବା ପାଇଁ ସ୍ୱାଦିଷ୍ଟ ଭୋଜନ ଓ ଆଘ୍ରାଣ ପାଇଁ ମଧୁର ସୁଗନ୍ଧର ଆବଶ୍ୟକତା ରହିଛି। ତେବେ ଏ ପାଞ୍ଚ ଇନ୍ଦ୍ରିୟ ଦ୍ୱାରା ଆସକ୍ତ ହେଲେ ଆମର କଣ ହେବ କଳ୍ପନା କରନ୍ତୁ ତ !
ଉତ୍କ୍ରାମନ୍ତଂ(ମ୍) ସ୍ଥିତଂ(ୱ୍ଁ) ବାପି, ଭୁଞ୍ଜାନଂ(ୱ୍ଁ) ବା ଗୁଣାନ୍ୱିତମ୍।
ବିମୂଢା ନାନୁପଶ୍ୟନ୍ତି, ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ॥15.10॥
ବିବେଚନ :-
ଶରୀରର ତିନି ସ୍ଥିତି -
ଉତ୍କIମନ୍ତମ୍ - ଯେବେ ଶରୀର ଛାଡି ଜୀବତ୍ମା ଅନ୍ୟ ଶରୀରକୁ ଯାଏ
ସ୍ଥିତଂ - ଅର୍ଥାତ୍ ଏକରୁ ଅନ୍ୟ ଶରୀର ଗ୍ରହଣ ମଧ୍ୟ ସ୍ଥିତି ଏବଂ ତୃତୀୟ ଶରୀର ଗ୍ରହଣ କରିବାବେଳେ
ଭୁଞ୍ଜାନଂ- ଅର୍ଥାତ ପୁନଃ ଭୋଗର ଆରମ୍ଭ ଭଗବାନ କହନ୍ତି ଏହି ତିନି ଗୁଣ ଯୁକ୍ତ ଜୀବତ୍ମାକୁ ଅଜ୍ଞାନୀ ଜାଣନ୍ତି ନାହିଁ କେବଳ ଜ୍ଞାନ ରୁପୀ ନେତ୍ରଵାଲା ବିବେକଶୀଳ ଲୋକ ଜାଣନ୍ତି I ଗୋସ୍ୱାମୀ ତୁଲସୀଦାସ କହନ୍ତି -
"गुरु बिन होय कि ज्ञान, ज्ञान कि होय विराग बिनु"
ଅର୍ଥାତ୍ ଗୁରୁ ବିନା ଜ୍ଞାନ ପ୍ରାପ୍ତି ସମ୍ଭବ ନୁହେଁ I ଅର୍ଜୁନ କହିଲେ, ମୋତେ ଆପଣଙ୍କ ବିରାଟ ସ୍ୱରୂପକୁ ଦେଖାନ୍ତୁ I ଭଗବାନ ତାଙ୍କୁ ଦିବ୍ୟଚକ୍ଷୁ ଦେଲେ I ଅନ୍ୟଥା ସେ କେବେ ବିଶ୍ଵରୂପ ଦର୍ଶନ କରି ପାରିନଥାନ୍ତେ I କାହା କାହାକୁ ଏପରି ଲାଗିପାରେ କି - ମୁଁ ତ ଘଣ୍ଟା ଘଣ୍ଟା ଧ୍ୟାନ କରୁଛି, ଜପ କରୁଛି, ପୂଜା ବି କରୁଛି, ଗୀତା ବି ପଢୁଛି I ୨୦ ବର୍ଷ ହେଲାଣି ପଢୁଛି I ଏତେ ମାନସ ପାଠ କରୁଛି I ଦାନ କରୁଛି I ତେବେ ମୋତେ ତ ଭାଗବତ୍ ପ୍ରାପ୍ତି ହୋଇଯିବା କଥା I ଭଗବାନ କହୁଛନ୍ତି; ସାବଧାନ ହୋଇଯାଅ I ଆଗକୁ ଏହି ଗମ୍ଭୀର ପ୍ରଶ୍ନର ଉତ୍ତରରେ ଭଗବାନ ସୁନ୍ଦର ଏକ ଶ୍ଳୋକ କହୁଛନ୍ତି -
ୟତନ୍ତୋ ୟୋଗିନଶ୍ଚୈନଂ(ମ୍), ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍।
ୟତନ୍ତୋଽପ୍ୟକୃତାତ୍ମାନୋ, ନୈନଂ(ମ୍) ପଶ୍ୟନ୍ତ୍ୟଚେତସଃ।।୧୧।।
ବିବେଚନ :-
ଭଗବାନ କହୁଛନ୍ତି କି ମାତ୍ର ଯତ୍ନ କରିବା ପର୍ଯ୍ୟାପ୍ତ ନୁହେଁ। ଅନେକ ସମୟରେ ଲୋକ ପ୍ରଶ୍ନ କରନ୍ତି କି ଆମର ପରିଚିତ ବ୍ୟକ୍ତି ଏତେ ସାଧନା କରନ୍ତି ତଥାପି ଏପରି କାହିଁକି ? କିଏ କିଏ ବହୁତ ସାଧନା କରିଥାନ୍ତି, କିନ୍ତୁ ତାପରେ ମଧ୍ୟ ମିଛ କହିଥାନ୍ତି, ନିଜ ରକ୍ତ ସମ୍ପର୍କର ଭାଇ ସହ ମକଦ୍ଦମା ଲଢ଼ିଥାନ୍ତି ; ଆଉ କିଏ କିଏ ବହୁତ ସାଧନା କରିଥାନ୍ତି ହେଲେ ତାଙ୍କର ଟଙ୍କା ପଇସାର ବାସନା ଯାଇନଥାଏ। ଛୋଟ ଛୋଟ କଥାରେ ଅପଶବ୍ଦ କହିଥାନ୍ତି। ଏତେ ଭକ୍ତି କରନ୍ତି ତଥାପି ଏପରି କାହିଁକି ହୋଇଥାଏ ? ଭଗବାନ୍ କହୁଛନ୍ତି କି ଯେଉଁ ପର୍ଯ୍ୟନ୍ତ ସାଧନାରେ ଅନ୍ତଃକରଣ ଶୁଦ୍ଧିର ସକାରାତ୍ମକ ତଥା ଜାଗୃତ ପ୍ରୟାସ ନ ହୁଏ ସେହି ପର୍ଯ୍ୟନ୍ତ କେବଳ ଯତ୍ନ କରୁଥିବା ସାଧକ ମୋତେ ପ୍ରାପ୍ତ କରିପାରିବେ ନାହିଁ।
ଆମକୁ ଲାଗେ ମୁଁ ଏତିକି ସାଧନା କରିବି, ଏତିକି ତୀର୍ଥ କରିବି, ଏତିକି ଜପ କରିବି, ଏତିକି ଗୀତାପାଠ କରିବି, ତାହେଲେ ମୁଁ ଭଗବାନଙ୍କୁ ପ୍ରାପ୍ତ କରିନେବି। ଏହି ସମସ୍ତ କଥା ଆମର ସହାୟକ ଅଟେ କିନ୍ତୁ ମାତ୍ର କେବଳ ଏତିକି ଚେଷ୍ଟା ହିଁ ପର୍ଯ୍ୟାପ୍ତ ନୁହେଁ। ଆମକୁ ଆମର ଅନ୍ତଃକରଣକୁ ଶୁଦ୍ଧ କରିବା ଆବଶ୍ୟକ। ଯେଉଁ ପ୍ରକାରେ କାଦୁଅରେ ଭର୍ତ୍ତି ଗିଲାସରେ ଗଙ୍ଗାଜଳ ଢାଳିବା ଦ୍ଵାରା ସେହି ଗଙ୍ଗାଜଳ ମଧ୍ୟ ଅପବିତ୍ର ହୋଇଯାଏ। ସେହି ପ୍ରକାରେ ଯେଉଁ ପର୍ଯ୍ୟନ୍ତ ଅନ୍ତଃକରଣରେ ବିଷୟ, ବାସନା, ମିଥ୍ୟା, ପାପ, ଲୋଭ ରହିବ ସେହି ପର୍ଯ୍ୟନ୍ତ କେତେ ଜପ, ପୂଜା ତଥା ସାଧନା କରି ନିଅନ୍ତୁ, ଏହି ଜୀବନରେ ମୁକ୍ତି ମିଳିବା ସମ୍ଭବ ନୁହେଁ। ଏଥିପାଇଁ ଅନ୍ତଃକରଣର ଶୁଦ୍ଧି ଓ ମନର ମଳିନତାର ଶୁଦ୍ଧି ଆବଶ୍ୟକ ଅଟେ। ଆମକୁ ଆମ ମନର ବିକାରାଦିକୁ ଜୟ କରିବାର ପ୍ରୟାସ ଜାରି ରଖିବା ଉଚିତ୍। ଯେବେ ଆମେ ଏପରି କରିଥାଉ ତେବେ ଆମର ଆଧ୍ୟାତ୍ମିକ ପ୍ରଗତି ହୋଇଥାଏ। ନାମ ଜପ, ଧ୍ୟାନ, ଯଜ୍ଞ, ପୂଜା ଆଦି ଦ୍ୱାରା ପୁଣ୍ୟ ଲାଭ ତ ମିଳିଯିବ କିନ୍ତୁ ଜୀବନ ପରିବର୍ତ୍ତିତ ହେବ ନାହିଁ, ଏଥିପାଇଁ ଅନ୍ତଃକରଣ ଶୁଦ୍ଧିର ନିତାନ୍ତ ପ୍ରୟୋଜନ ରହିଛି। ଏପରି ନ କଲେ ଏହାର ପରିଣାମ ଅମକୁ ଆମ ଜୀବନରେ ଦେଖାଯିବ ନାହିଁ। ଯଦି ଜୀବନ ପରିବର୍ତ୍ତିତ କରିବାର ଅଛି ତାହେଲେ ଏହି ସୂତ୍ରଗୁଡ଼ିକୁ ବ୍ୟବହାରରେ ମଧ୍ୟ ଆଣିବା ପାଇଁ ପଡ଼ିବ। ନିଜର କ୍ରୋଧ, ଅସତ୍ୟ, ବେଇମାନୀ, ବାସନା ଆଦି ସମସ୍ତ ପ୍ରକାରର ବିକାର ଗୁଡ଼ିକୁ ଛାଡ଼ିବା ପାଇଁ ପ୍ରୟାସ କରିବାକୁ ପଡ଼ିବ।
ବର୍ତ୍ତମାନ ଭଗବାନ୍ ଏକ ଅଦ୍ଭୁତ ବାଣୀ କହୁଛନ୍ତି। ପରବର୍ତ୍ତୀ ଚାରୋଟି ଶ୍ଲୋକରେ ଭଗବାନ୍ ବୃହତ୍ରୁ ସୂକ୍ଷ୍ମ ସ୍ତର ପର୍ଯ୍ୟନ୍ତ ନିଜ ଶକ୍ତିର ସମ୍ପୂର୍ଣ୍ଣ ବର୍ଣ୍ଣନ କରିଛନ୍ତି।
ୟଦାଦିତ୍ୟଗତଂ(ନ୍) ତେଜୋ, ଜଗଦ୍ଭାସୟତେଽଖିଲମ୍।
ୟଚ୍ଚନ୍ଦ୍ରମସି ୟଚ୍ଚାଗ୍ନୌ, ତତ୍ତେଜୋ ବିଦ୍ଧି ମାମେକମ୍।।୧୨।।
ବିବେଚନ :-
ଅନ୍ତଃକରଣର ଶୁଦ୍ଧି ହେବା ପରେ ପ୍ରତ୍ୟେକଙ୍କ ଠାରେ ପରମାତ୍ମା ଦେଖା ଦେଇଥାନ୍ତି। ଏ ସକଳ ସୃଷ୍ଟିର ଆଧାର ହେଉଛନ୍ତି ସେହି ପରମାତ୍ମା। ତାଙ୍କ ଠାରୁ ହିଁ ସୂର୍ଯ୍ୟ, ଚନ୍ଦ୍ର ସଭିଏଁ ଶକ୍ତି ପାଇଛନ୍ତି। ସୂର୍ଯ୍ୟଙ୍କର ଦୁଇଟି ଶକ୍ତି ରହିଛି - ଗୋଟିଏ ଦାହକ ଶକ୍ତି, ଅନ୍ୟଟି ପ୍ରକାଶକ ଶକ୍ତି। ଚନ୍ଦ୍ରମାଙ୍କ ଠାରେ ପ୍ରକାଶ ଥାଏ, ଶୀତଳତା ଥାଏ କିନ୍ତୁ ସେ ଦାହକ ନୁହନ୍ତି। ଅଗ୍ନିରେ ଉତ୍ତାପ ରହିଛି, କିନ୍ତୁ ସୂର୍ଯ୍ୟଙ୍କ ପରି ପ୍ରକାଶ ନାହିଁ। ସୂର୍ଯ୍ୟଙ୍କଠାରେ ଉଭୟ ରହିଛି, ସେ ଦାହକ ବି ଏବଂ ସମଗ୍ର ସୃଷ୍ଟିରେ ପ୍ରକାଶ ମଧ୍ୟ ବିତରଣ କରନ୍ତି। ଭଗବାନ କହୁଛନ୍ତି କି ଏହି ସମସ୍ତ ତତ୍ତ୍ୱ ତାଙ୍କ ମଧ୍ୟରେ ହିଁ ସମାହିତ।
ଗାମାବିଶ୍ୟ ଚ ଭୂତାନି, ଧାରୟାମ୍ୟହମୋଜସା।
ପୁଷ୍ଣାମି ଚୌଷଧୀଃ(ସ୍) ସର୍ବାଃ(ସ୍), ସୋମୋ ଭୂତ୍ୱା ରସାତ୍ମକଃ।।୧୩।।
ବିବେଚନ :-
ଭଗବାନ୍ କହୁଛନ୍ତି କି ମୁଁ ହିଁ ଏହି ପୃଥିବୀରେ ପ୍ରବେଶ କରି ନିଜ ଶକ୍ତି ଦ୍ଵାରା ଭୂତ, ପ୍ରାଣୀମାନଙ୍କୁ ଧାରଣ କରିଥାଏ। ପୃଥିବୀର ଭିତରେ ମଧ୍ୟ ମୁଁ ହିଁ ଅଛି ଏବଂ ମୁଁ ହିଁ ସମସ୍ତ ଭକ୍ତଙ୍କୁ ଧାରଣ କରିଥାଏ। ଧରିତ୍ରୀରୂପୀ ମଠାକାଶରେ, ଭୂତରୂପୀ ଘଟାକାଶରେ ନିଜର ଧାରଣଶକ୍ତି ଦ୍ଵାରା ମୁଁ ସମସ୍ତ ଭୂତଗଣକୁ ଧାରଣ କରିଥାଏ। ମୁଁ ହିଁ ରସ ସ୍ଵରୂପ ଯଥାର୍ଥରେ ଚନ୍ଦ୍ରମା ହୋଇ ସମସ୍ତ ଔଷଧଗୁଡି଼କର ପୋଷଣ କରିଥାଏ। ଚନ୍ଦ୍ରମାର ଶୀତଳତା ଦ୍ଵାରା ବନସ୍ପତିଗୁଡ଼ିକର ପୋଷଣ ମୁଁ ହିଁ କରିଥାଏ।
ଅହଂ(ୱ୍ଁ) ବୈଶ୍ୱାନରୋ ଭୂତ୍ୱା, ପ୍ରାଣିନାଂ(ନ୍) ଦେହମାଶ୍ରିତଃ।
ପ୍ରାଣାପାନସମାୟୁକ୍ତଃ(ଫ୍), ପଚାମ୍ୟନ୍ନଂ(ଞ୍) ଚତୁର୍ବିଧମ୍॥15.14॥
ବିବେଚନ :-
ପୁନଶ୍ଚ ଭଗବାନ ଏହି ଶ୍ଳୋକରେ କହୁଛନ୍ତି କି ମୁଁ ହିଁ ସମସ୍ତ ପ୍ରାଣୀଙ୍କ ଶରୀରରେ ଉପସ୍ଥିତ ପ୍ରାଣ ଏବଂ ଅପାନ ସହିତ, ବୈଶ୍ଵାନର ଅଗ୍ନି ରୂପ ହୋଇ ଚାରି ପ୍ରକାରର ଅନ୍ନକୁ ପାଚନ କରିଥାଏ। ଯେଉଁ ବନସ୍ପତି ପାଚିତ ହୁଏ ତାହା ଶରୀରରେ ପହଞ୍ଚିଥାଏ। ଏହି ପ୍ରକାରେ ଏହି ମହାକାଶ, ମଠାକାଶ ଦେଇ, ଏହି ଘଟାକାଶରେ ପ୍ରବେଶ ଶକ୍ତିରୁ ଗୁରୁତ୍ଵ ଆକର୍ଷଣ ଶକ୍ତିର ଉଲଙ୍ଘନ କରିଥାଏ। ଆମେ ଆମ ଶରୀରକୁ ଓଲଟା ରଖି ଭୋଜନ କଲେ ମଧ୍ୟ ଗୁରୁତ୍ଵାକର୍ଷଣର ବିପରୀତ, ଭୋଜନ ଆମର ପେଟ ଭିତରକୁ ହିଁ ଯାଇଥାଏ। ଶରୀର ଭିତରର ପ୍ରାଣ ଏବଂ ଅପାନ ହିଁ ଗୁରୁତ୍ଵାକର୍ଷଣ ଶକ୍ତିର ଉଲଙ୍ଘନ କରିଥାଏ। ନିଜର ପାଦ କୋୖଣସି ବି ଅବସ୍ଥାରେ ରଖିଲେ ମଧ୍ୟ ଶରୀର ଭିତରେ ରକ୍ତର ପ୍ରବାହ ଯେମିତି ହେବା ଉଚିତ ସେମିତି ହିଁ ହୋଇ ରହିଥିବ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କେତେ ମଧ୍ୟ ଆଇସକ୍ରିମ ଖାଇଥିବା, ପରନ୍ତୁ ମଳତ୍ୟାଗ କଲେ ସେହି ଉଷ୍ମ ହିଁ ରହିବ। କୌଣସି ଥଣ୍ଡା ପଦାର୍ଥ ଖାଇବା ପରେ, ପେଟ ମଧ୍ୟକୁ ଯାଇ ତାହା ବୈଶ୍ଵାନର ଅଗ୍ନି ଦ୍ବାରା ହିଁ ପାଚିତ ହୋଇଥାଏ।
ଅଗ୍ନି ତିନି ପ୍ରକାରର ହୋଇଥାଏ - ବଡ଼ବାଗ୍ନି, ଦାବାଗ୍ନି ଏବଂ ଜଠରାଗ୍ନି।
ସମୁଦ୍ରରେ ଯେଉଁ ଜୁଆର ଆସିଥାଏ ତାକୁ ଆମେ ବଡ଼ବାଗ୍ନି କହିପାରିବା। ଯାହା ଜଙ୍ଗଲରେ ଦେଖାଯାଏ ତାହା ଦାବାଗ୍ନି ହୋଇଥାଏ ଏବଂ ଯାହା ପେଟରେ ଅନ୍ନକୁ ପାଚିତ କରିଥାଏ, ତାହାକୁ ବୈଶ୍ଵାନର ଅଗ୍ନି ବା ଜଠରାଗ୍ନି କୁହାଯାଏ।
ଅନ୍ନ ଚାରି ପ୍ରକାରର ଅଟେ -
ଭକ୍ଷ - ଚୋବେଇ ଖାଉଥିବା ଖାଦ୍ୟ
ପେୟ - ପିଉଥିବା ଖାଦ୍ୟ
ଚୋଷ୍ୟ- ଚୁଷି ଖାଉଥିବା ଖାଦ୍ୟ ଯେପରି - ଆଖୁ, ଆମ୍ବ ଆଦି
ଲେହ୍ୟ - ଚାଟିକି ଖାଉଥିବା ଖାଦ୍ୟ, ଯେପରି - ଚଟଣୀ
“ଏହିପରି ଚାରି ପ୍ରକାର ଭୋଜନକୁ, ପାଞ୍ଚ ପ୍ରକାରର ପାନ ଓ ବୈଶ୍ଵାନର ଅଗ୍ନି ଦ୍ବାରା ମୁଁ ହିଁ ପାଚନ କରିଥାଏ।”
ସର୍ବସ୍ୟ ଚାହଂ(ମ୍) ହୃଦି ସନ୍ନିବିଷ୍ଟୋ,
ମତ୍ତଃ(ସ୍) ସ୍ମୃତିର୍ଜ୍ଞାନମପୋହନଂ(ଞ୍) ଚ।
ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ,
ବେଦାନ୍ତକୃଦ୍ବେଦବିଦେବ ଚାହମ୍।।୧୫।।
ବିବେଚନ :-
ଭଗବାନ କହୁଛନ୍ତି କି ହେ ଅର୍ଜୁନ ! ସମସ୍ତ ଭୂତ ପ୍ରାଣୀଙ୍କର ଶରୀରରେ ମୁଁ ହିଁ ସ୍ଥିତ ଅଛି ତଥା ମୋଠାରୁ ହିଁ ସ୍ମୃତି, ଜ୍ଞାନ ଏବଂ ଅପୋହନ ହୋଇଥାଏ।
ଏଠାରେ ଭଗବାନ୍ ତିନୋଟି କଥା କହିଛନ୍ତି-
ସ୍ମୃତି- ଅର୍ଥାତ୍ ମେମୋରି, ଯାହା ଆମର ମନେ ଅଛି, ଯାହା ଆମେ ଶିଖି ସାରିଛୁ ତାକୁ ସ୍ମୃତି କୁହାଯାଏ। ଏହା ଭଗବାନଙ୍କର ହିଁ ଶକ୍ତି ଅଟେ।
ଜ୍ଞାନ- ଆମେ ଯାହା ନୂଆ ଶିଖୁ ତଥା ଜାଣୁ ତାହା ଜ୍ଞାନ ଅଟେ।
ଅପୋହନ- ପୋହନର ଅର୍ଥ- ସଂଶୟ ଏବଂ ଏହାର ନିବାରଣ ହିଁ ଅପୋହନ ଅଟେ। ସମାଜରେ ଏକ ବ୍ୟକ୍ତି ଏପରି ରହିଥାଏ ଯାହାର ନିର୍ଣ୍ଣାୟକ ଶକ୍ତି ବହୁତ ଭଲ ହୋଇଥାଏ। ସେ ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ଦେଇ ଦେଇଥାଏ।
ଭଗବାନ କହୁଛନ୍ତି, ସମସ୍ତ ଶଙ୍କାର ନାଶ- ଅପୋହନ ମଧ୍ୟ ମୋର ହିଁ ଶକ୍ତି ଅଟେ। ସ୍ମୃତି, ଜ୍ଞାନ ତଥା ଅପୋହନ ମଧ୍ୟ ମୋ ଦ୍ଵାରା ହିଁ ହୋଇଥାଏ ଏବଂ ସମସ୍ତ ବେଦ ଦ୍ବାରା ଜାଣିବା ଯୋଗ୍ୟ ମଧ୍ୟ ମୁଁ ହିଁ ଅଟେ। ଆଗାମୀ ତିନୋଟି ଶ୍ଲୋକରେ ଭଗବାନ୍ ମହତ୍ତ୍ୱ ବର୍ଣ୍ଣନ କରୁଛନ୍ତି ଯାହା ଦ୍ଵାରା ଏହି ଅଧ୍ୟାୟର ମହିମା ବର୍ଣ୍ଣନ ହେଲା।
ଦ୍ୱାବିମୌ ପୁରୁଷୌ ଲୋକେ, କ୍ଷରଶ୍ଚାକ୍ଷର ଏବ ଚ।
କ୍ଷରଃ(ସ୍) ସର୍ବାଣି ଭୂତାନି, କୂଟସ୍ଥୋଽକ୍ଷର ଉଚ୍ୟତେ।।୧୬।।
ବିବେଚନ:-
ଅର୍ଜୁନ, ଏହି ସଂସାରରେ ଦୁଇ ପ୍ରକାରର ପ୍ରାଣୀ ରହିଛନ୍ତି- ନାଶବାନ ଏବଂ ଅବିନାଶୀ। ନାଶବାନ ଏବଂ ଅବିନାଶୀ ଶବ୍ଦ ପାଇଁ ଅନେକ ଶବ୍ଦ ରହିଛି, ଯେପରି କ୍ଷର-ଅକ୍ଷର, ପରା-ଅପରା, କ୍ଷେତ୍ର-କ୍ଷତ୍ରଜ୍ଞ, ଦେହ-ଦେହୀ, ଯୋନି-ବୀଜ, ପ୍ରକୃତି-ପୁରୁଷ, ଶରୀର ଏବଂ ଜୀବାତ୍ମା ଇତ୍ୟାଦି ସମାନ କଥା ଅଟେ।
ଗହମ ଏବଂ ଅଟା ମଧ୍ୟରେ ଭେଦ ରହିଛି। ଅଟା ଗହମରୁ ତିଆରି ହୋଇଛି, କିନ୍ତୁ ଦୁହେଁ ଭିନ୍ନ ଅଟନ୍ତି। ଗହମରୁ ଅଟା ତିଆରି କରାଯାଇ ପାରିବ, କିନ୍ତୁ ଅଟାରୁ ଗହମ ତିଆରି ହୋଇ ପାରିବ ନାହିଁ। ଏହି ପ୍ରକାରେ ପରମାତ୍ମାଙ୍କଠାରୁ ଜୀବାତ୍ମାର ନିର୍ମାଣ ହୋଇପାରେ, କିନ୍ତୁ ଜୀବାତ୍ମାଠାରୁ ପରମାତ୍ମାଙ୍କ ନିର୍ମାଣ ହୋଇପାରେନାହିଁ। ପରମାତ୍ମା ନିଶ୍ଚିତ କରିପାରନ୍ତି କି ଜୀବାତ୍ମା କ’ଣ କରିବ, କୁଆଡେ଼ ଯିବ, ଜୀବାତ୍ମା ଏହା କରିପାରିବ ନାହିଁ। ଏଣୁ ଶରୀର ନାଶବାନ ଅଟେ ତଥା ଜୀବାତ୍ମା ଅବିନାଶୀ ଅଟେ।
ଉତ୍ତମଃ(ଫ୍) ପୁରୁଷସ୍ତ୍ୱନ୍ୟଃ(ଫ୍), ପରମାତ୍ମେତ୍ୟୁଦାହୃତଃ।
ୟୋ ଲୋକତ୍ରୟମାବିଶ୍ୟ, ବିଭର୍ତ୍ୟବ୍ୟୟ ଈଶ୍ୱରଃ।।୧୭।।
ବିବେଚନ :-
ନାଶବାନ ଶରୀର ତଥା ଅବିନାଶୀ ଜୀବାତ୍ମା, ଏହି ଦୁହିଙ୍କ ଠାରୁ ମଧ୍ୟ ଉତ୍ତମ ପୁରୁଷ ଅନ୍ୟ ହିଁ ଅଟେ। ସମୁଦ୍ରର ଜଳବିନ୍ଦୁକୁ ସମୁଦ୍ର କୁହାଯାଇପାରିବ ନାହିଁ ଯଦିଓ ସମୁଦ୍ରର ଜଳବିନ୍ଦୁରେ ସେହି ଗୁଣ ରହିଛି ଯାହା ସମୁଦ୍ରଠାରେ ରହିଛି, କିନ୍ତୁ ତଥାପି ତାକୁ ସମୁଦ୍ର କୁହାଯାଇପାରିବ ନାହିଁ। ଏଣୁ ଉତ୍ତମ ପୁରୁଷ ତ ଅନ୍ୟ ହିଁ ଅଟନ୍ତି ଯାହା ତିନୋଟି ଲୋକରେ ପ୍ରବେଶ କରି ସମସ୍ତଙ୍କର ଧାରଣ ତଥା ପୋଷଣ କରିଥାଏ ଏବଂ ସେ ଅବିନାଶୀ ପରମେଶ୍ବର ଅର୍ଥାତ୍ ପରମାତ୍ମା ନାମରେ ଜଣାଯାଆନ୍ତି।
ୟସ୍ମାତ୍କ୍ଷରମତୀତୋଽହମ୍, ଅକ୍ଷରାଦପି ଚୋତ୍ତମଃ।
ଅତୋଽସ୍ମି ଲୋକେ ବେଦେ ଚ, ପ୍ରଥିତଃ(ଫ୍) ପୁରୁଷୋତ୍ତମଃ।।୧୮।।
ବିବେଚନ :-
ଭଗବାନ୍ କହୁଛନ୍ତି, ହେ ଅର୍ଜୁନ! ମୁଁ ନାଶବାନ, ଜଡ଼ବର୍ଗ-କ୍ଷେତ୍ରରେ ସର୍ବଥାତୀତ ଅଟେ ଏବଂ ଅବିନାଶୀ ଜୀବାତ୍ମା ଠାରୁ ମଧ୍ୟ ଉତ୍ତମ ଅଟେ ଏଥିପାଇଁ ଏହି ଲୋକରେ ଏବଂ ଚାରି ବେଦରେ, ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ ଅଟେ। ଏହି ଗୋଟିଏ ଶ୍ଲୋକ କାରଣରୁ ଏହି ଅଧ୍ୟାୟର ନାମ ପୁରୁଷୋତ୍ତମ ଯୋଗ ହେଲା ଏବଂ ଏହି ଗୋଟିଏ ଶ୍ଲୋକ ପାଇଁ ଏହି ଅଧ୍ୟାୟର ଏତେ ମହିମା ହେଲା।
ୟୋ ମାମେବମସମ୍ମୂଢୋ, ଜାନାତି ପୁରୁଷୋତ୍ତମମ୍।
ସ ସର୍ବବିଦ୍ଭଜତି ମାଂ(ମ୍), ସର୍ବଭାବେନ ଭାରତ।।୧୯।।
ବିବେଚନ :-
ହେ ଭାରତ! ଯେଉଁ ଜ୍ଞାନୀ ପୁରୁଷ ମୋତେ ଏହି ପ୍ରକାର ତତ୍ତ୍ୱରୁ ପୁରୁଷୋତ୍ତମ ବୋଲି ଜାଣି ନିଏ, ସେହି ସର୍ବଜ୍ଞ ପୁରୁଷ ସମସ୍ତ ପ୍ରକାରେ ନିରନ୍ତର ମୋତେ ଅର୍ଥାତ୍ ବାସୁଦେବ ପରମେଶ୍ବରଙ୍କୁ ହିଁ ଭଜିଥାଏ।
ଇତି ଗୁହ୍ୟତମଂ(ମ୍) ଶାସ୍ତ୍ରଂ(ମ୍), ଇଦମୁକ୍ତଂ(ମ୍) ମୟାନଘ।
ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍, କୃତକୃତ୍ୟଶ୍ଚ ଭାରତ।।୨୦।।
ବିବେଚନ :-
ଭଗବାନଙ୍କୁ ଅର୍ଜୁନଙ୍କର ଦୁଇଟି ଗୁଣ ଅତ୍ୟନ୍ତ ପ୍ରିୟ ଅଟେ- ପ୍ରଥମଟି ଅନଘ ଏବଂ ଦ୍ଵିତୀୟଟି ଅନୁସୂୟ। ଅନଘ ଅର୍ଥାତ୍ ଯିଏ କେବେ ପାପ କରିନାହିଁ। ଅନୁସୂୟ ସିଏ ଅଟେ, ଯିଏ ଅନ୍ୟର ନିନ୍ଦା କରେ ନାହିଁ, ଦୋଷ ବାହାର କରେ ନାହିଁ। ଭଗବାନ୍ କହୁଛନ୍ତି, ହେ ଅନଘ, ହେ ନିଷ୍ପାପ ଅର୍ଜୁନ! ଏହି ପ୍ରକାର ଏହି ଅତି ରହସ୍ୟ ଯୁକ୍ତ, ମହତ୍ତ୍ୱପୂର୍ଣ୍ଣ ଏବଂ ଗୁହ୍ୟତମ ଜ୍ଞାନ ମୁଁ ତୁମକୁ କହିଲି। ଭଗବାନ ଏହାକୁ ଅତି ଗୋପନୀୟ କହୁଛନ୍ତି କାହିଁକିନା ଯିଏ ଏହାର ଅଧିକାରୀ ହେବ ସିଏ ହିଁ ଏହାକୁ ଜାଣିପାରିବ।
ଏହି ଅଧ୍ୟାୟକୁ ଭଗବାନ୍ ଶାସ୍ତ୍ରର ମାନ୍ୟତା ମଧ୍ୟ ଦେଇଛନ୍ତି। ଏଣୁ ଯଦି ଗୋଟିଏ ହିଁ ଅଧ୍ୟାୟ ପଢ଼ିବାକୁ ଥାଏ ତାହେଲେ କେବଳ ପଞ୍ଚଦଶ ଅଧ୍ୟାୟ ପାଠର ସର୍ବାଧିକ ପ୍ରଚଳନ ରହିଛି କାହିଁକିନା ଭଗବାନ୍ ସ୍ଵୟଂ ଏହାକୁ ଶାସ୍ତ୍ରର ସଂଜ୍ଞା ଦେଇଛନ୍ତି। ଏହି ଅଧ୍ୟାୟ ତତ୍ତ୍ଵରୁ ଜାଣି ମନୁଷ୍ୟ ବୁଦ୍ଧିମାନ ଏବଂ ଜ୍ଞାନବାନ ହୋଇଯାଏ ତଥା ତାହାର ଜୀବନ କୃତାର୍ଥ ହୋଇଯାଏ। ଭଗବାନ୍ କହିଲେ, ଦ୍ବାଦଶ ଅଧ୍ୟାୟରେ ଯେଉଁ ଲକ୍ଷ ବିଷୟରେ କହିଥିଲି, କୃତକୃତ୍ୟର ସମସ୍ତ ଲକ୍ଷଣ ତା’ଠାରେ ପ୍ରକଟ ହୋଇଯାଏ ଏବଂ ସିଏ ମୋତେ ପ୍ରାପ୍ତ ହୋଇଯାଏ। ପୁରୁଷୋତ୍ତମ ଯୋଗ ଏହା ହିଁ ବୁଝାଇଥାଏ କି ଏହି ସବୁକିଛି ସେହି ପୁରୁଷୋତ୍ତମ ଅଟେ- "ଏକୋ ବ୍ରହ୍ମ ଦ୍ଵିତୀୟୋ ନାସ୍ତି "।
ଆମକୁ ଭଗବଦ୍ଗୀତାକୁ ନିଜ ଜୀବନରେ ଧାରଣ କରିବାପାଇଁ ପ୍ରୟାସ କରିବା ଉଚିତ୍। ଶ୍ରଦ୍ଧାପୂର୍ବକ ଏବଂ ଏକାଗ୍ରତାର ସହିତ ଏହି ଅଧ୍ୟାୟକୁ ଶୁଣି ଥିବାରୁ ସମସ୍ତଙ୍କୁ ପ୍ରଣାମ।
ହରି ନାମ ସଂକୀର୍ତ୍ତନ ପରେ ଆଜିର ସାରଗର୍ଭିତ ବିବେଚନ ସତ୍ରଟି ସମାପନ ହେଲା ଏବଂ ପ୍ରଶ୍ନୋତ୍ତର ସତ୍ର ଆରମ୍ଭ ହେଲା।
ପ୍ରଶ୍ନୋତ୍ତରୀ :-
ପ୍ରଶ୍ନକର୍ତ୍ତା :- ସାଧନା ଦିଦି
ପ୍ରଶ୍ନ :- ସ୍ୱର୍ଗ ଓ ନର୍କ ଅଛି କି?
ଉତ୍ତର :- ଯଦି ଆମେ ଶାସ୍ତ୍ରକୁ ମାନୁଛେ ତେବେ ସ୍ୱର୍ଗ ଓ ନର୍କ ଅଛି ବୋଲି ମାନିବାକୁ ପଡିବ, କାରଣ ଶାସ୍ତ୍ରରେ ଏପରି ବର୍ଣ୍ଣନା କରାଯାଇଛି । ଅନନ୍ତ ଲୋକ ଓ ଅନନ୍ତ ଜୀବଙ୍କର ଅବସ୍ଥିତିକୁ ବିଜ୍ଞାନ ମଧ୍ୟ ଅନ୍ୟ ଭାବରେ ସ୍ୱୀକାର କରିଛି । ମୁସଲିମ୍, ଈସାଈ, ପାର୍ସୀ ଓ ଶିଖ୍ ଇତ୍ୟାଦି ସମସ୍ତ ସମ୍ପ୍ରଦାୟ କୌଣସି ନା କୌଣସି ନାମରେ ସ୍ୱର୍ଗ ଓ ନର୍କର ଅବସ୍ଥିତିକୁ ସ୍ୱୀକାର କରିଛନ୍ତି । ତେବେ ଆମେ ତାକୁ କାହିଁକି ସ୍ୱୀକାର ନକରିବା । ସ୍ୱର୍ଗ ଓ ନର୍କ ସବୁ ଏଇଠି ଅଛି । ଚାର୍ବାକଙ୍କର ଏହି ସିଦ୍ଧାନ୍ତର କୌଣସି ମାନ୍ୟତା ନାହିଁ ।
ପ୍ରଶ୍ନକର୍ତ୍ତା :- ରାଜୀବ ଭାଇ
ପ୍ରଶ୍ନ :- ବାସ୍ତୁ ବୋଲି କିଛି
ଅଛି
କି?
ଉତ୍ତର :- ନୂଆ ଘର ତିଆରି କରିଲାବେଳେ ବାସ୍ତୁ ନିୟମର ପାଳନ କରାହେଲେ ବାସ୍ତୁ ଦେବତା ସନ୍ତୁଷ୍ଟ ହୁଅନ୍ତି । ନୂତନ ଗୃହରେ ବାସ୍ତୁ ପୂଜା କରିବା ଉଚିତ । କିନ୍ତୁ ଆଜିକାଲି ଯେତେବେଳେ ଇଚ୍ଛା ସେତେବେଳେ ଭଙ୍ଗାଭଙ୍ଗି କରି ବାସ୍ତୁ ଅନୁସାରେ ନିର୍ମାଣ କାର୍ଯ୍ୟକୁ ମୁଁ ବିଶ୍ୱାସ କରେନି। ନିଜ କର୍ମ ଫଳ ଅନୁସାରେ ହିଁ ପରିସ୍ଥିତି ସୃଷ୍ଟି ହୁଏ।
ପ୍ରଶ୍ନକର୍ତ୍ତା :- ଅନୁରାଗ ଭାଇ
ପ୍ରଶ୍ନ :- ମୁଁ କେଉଁଠାରେ ପଢ଼ିଥିଲି, ଆରମ୍ଭରେ ବେଦବ୍ୟାସ ମହାଭାରତର ଏକ ହଜାର ଶ୍ଳୋକ ରଚନା କରିଥିଲେ କିନ୍ତୁ ସମୟ କ୍ରମେ ଏହା ଏକ ଲକ୍ଷ ହୋଇଗଲା, ଏହା କଣ ସତ?
ଉତ୍ତର :- ଆପଣ ଯେଉଁଠାରେ ବି ପଢିଥାନ୍ତୁ ଭୁଲ ପଢ଼ିଛନ୍ତି । ଆରମ୍ଭରୁ ମହାଭାରତର ଷାଠିଏ ଲକ୍ଷ ଶ୍ଳୋକ ଲେଖାଯାଇଛି ।
ପ୍ରଶ୍ନକର୍ତ୍ତା :- ଦତ୍ତାତ୍ରେୟ ଭାଇ
ପ୍ରଶ୍ନ :- ପ୍ରକୃତରେ କଣ ବର୍ବରୀକ ତିନିଦିନରେ ମହାଭାରତ ଯୁଦ୍ଧ ଶେଷ କରିପାରିଥାନ୍ତେ?
ଉତ୍ତର :- କିଛି କଥା ଗୌରବ ବୃଦ୍ଧି ପାଇଁ କୁହାଯାଇଥାଏ । ଏକଥା ସତ ଯେ ବର୍ବରୀକ ଶକ୍ତିଶାଳୀ ଥିଲେ । ତାଙ୍କ ବିଷୟରେ ମହାଭାରତରେ ବେଶି ଆଲୋଚନା କରାଯାଇନି । ଅନ୍ୟ ପୁରାଣମାନଙ୍କରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି ।
ପ୍ରଶ୍ନକର୍ତ୍ତା :- ମୁଦିତ ଭାଇ
ପ୍ରଶ୍ନ :- ଗୀତାରେ କୁହାଯାଇଥିବା ପଞ୍ଚ ଇନ୍ଦ୍ରିୟ ନିୟନ୍ତ୍ରଣ ପାଇଁ କିଛି ଉପାୟ କୁହାଯାଇଛି କି?
ଉତ୍ତର :- ହଁ ନିଶ୍ଚୟ କୁହାଯାଇଛି । ଗୀତାରେ କୁହାଯାଇଛି ଲକ୍ଷ ପୂରଣ ପାଇଁ କୌଣସି ଗୋଟିଏ ଉପାୟ ଅବଲମ୍ବନ କରି ଅନବରତ ଅଭ୍ୟାସ କରିବା ଉଚିତ।
ଅଭ୍ୟାସେନ ତୁ କୌନ୍ତେୟ, ବୈରାଗ୍ୟେଣ ତୁ ଗୃହ୍ୟତେ |
ଜପ, ତପ,ଧ୍ୟାନ ମଧ୍ୟରୁ କୌଣସି ଏକ ସାଧନକୁ ନିରନ୍ତର ଅଭ୍ୟାସ କରି, ସଂସାର ବିଷୟରୁ ବିମୁଖ ହୋଇ, ସେଥିରେ ଆସକ୍ତ ନ ହୋଇ, ଦୂରତା ବଜାୟ ରଖିବ । ନିର୍ଲିପ୍ତ, ନିରାସକ୍ତ ଭାବରେ ବିଷୟ ଭୋଗ କରିବ । ଏପରି ଇନ୍ଦ୍ରିୟମାନଙ୍କୁ ଆୟତ୍ତ କରାଯାଇପାରେ।
ॐ तत्सदिति श्रीमद्भगवद्गीतासु उपनिषत्सु ब्रह्मविद्यायां(य्ँ) योगशास्त्रेश्रीकृष्णार्जुनसंवादे पुरुषोत्तमयोगो नाम पञ्चदशोऽध्याय:॥
ଏହିପରି ଓଁ ତତ୍ ସତ୍ - ଭଗବାନଙ୍କ ନାମ ଉଚ୍ଚାରଣ କରି ବ୍ରହ୍ମବିଦ୍ୟା ଏବଂ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦରେ ପୁରୁଷୋତ୍ତମ ଯୋଗ ନାମକ ପଞ୍ଚଦଶ ଅଧ୍ୟାୟ ସମାପ୍ତ ହେଲା ।
<×> ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ <×>
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ପୁରୁଷୋତ୍ତମୟୋଗୋ ନାମ ପଞ୍ଚଦଶୋଽଧ୍ୟାୟଃ॥