विवेचन सारांश
ଶାସ୍ତ୍ର ଆଚରଣ ଦ୍ବାରା ଆସୁରିକ ସ୍ୱଭାବର ବିଲୋପ
ଉପକ୍ରମଣିକା →
ସନାତନ ଧର୍ମର ପରମ୍ପରାକୁ ବଜାୟ ରଖି ମନର ଅଜ୍ଞତା ଏବଂ ଅନ୍ଧକାରକୁ ଦୂର କରିବା, ଜ୍ଞାନ ଏବଂ ସୁଖର ଆଲୋକକୁ ସର୍ବତ୍ର ବିସ୍ତାର କରିବା ପାଇଁ ପ୍ରାର୍ଥନା ଏବଂ ଦୀପ ପ୍ରଜ୍ୱଳନ ସହିତ ବିବେଚନର ଏହି ଅଧିବେଶନ ଆରମ୍ଭ ହୋଇଥିଲା। ଈଶ୍ବରଙ୍କ ଅସୀମ କୃପାରୁ, ଆମ ଜୀବନରେ ଏପରି ଭାଗ୍ୟ ଜାଗ୍ରତ ହୋଇଛି, ଆମେ ଗୀତା ମାତାଙ୍କ ଚିନ୍ତା, ଧ୍ୟାନ ଏବଂଆମ ଜୀବନରେ ଏହାଙ୍କ ପ୍ରୟୋଗ କରିବାରେ ବ୍ୟସ୍ତ ରହିଛୁ। ଏହି ଜନ୍ମର ଆମର ପୂଣ୍ୟକର୍ମ ବା ଆମର ପୂର୍ବ ଜନ୍ମର ପୂଣ୍ୟକର୍ମ, ଯାହା ଦ୍ୱାରା ଆମେ ଗୀତା ପଠନ ଏବଂ ଆତ୍ମସ୍ଥ କରିବା ପାଇଁ ମନୋନୀତ ହୋଇଛୁ। ସମଗ୍ର ସଂସାରରେ ଶ୍ରୀମଦ୍ ଭଗବଦ୍ ଗୀତା ଭଳି ଉପାଦେୟ ଓ କଲ୍ୟାଣକାରୀ ଅନ୍ୟ କୌଣସି ପୁସ୍ତକ ନାହିଁ।
ଗୀତା ପ୍ରେସର ପ୍ରତିଷ୍ଠାତା ପରମ ଶ୍ରଦ୍ଧେୟ ଶ୍ରୀମାନ୍ ଜୟଦୟାଲ ଗୋୟଙ୍କା ଗୀତାର ଉପକ୍ରମଣିକା ଲେଖିଥିଲେ। ସେ ଲେଖିଛନ୍ତି, ସମସ୍ତ ଶାସ୍ତ୍ର ଅଧ୍ୟୟନ କରିବା ପରେ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ମାନବ କଲ୍ୟାଣ ପାଇଁ ଗୀତା ପରି ଅନ୍ୟ କୌଣସି ପୁସ୍ତକ ନାହିଁ। ଆମେ ଅନେକ ଥର ଶୁଣିଛୁ ଏବଂ ଅନେକ ପୁସ୍ତକରେ ମଧ୍ୟ ପଢ଼ିଛୁ ଯେ ଆମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୀତାରେ ଲୁଚି ରହିଛି। ପରିଚାଳନାର ସମ୍ପୂର୍ଣ୍ଣ ବିଜ୍ଞାନ ଏଥିରେ ସନ୍ନିହିତ ରହିଛି। ଏହା ହେଉଛି ଏକମାତ୍ର ପୁସ୍ତକ ଯାହା ପରଲୋକ ଏବଂ ଇହଲୋକରେ କଲ୍ୟାଣ କରିଥାଏ। ଯିଏ ଭଗବଦ୍ ଗୀତାର ସୂତ୍ରକୁ ତାଙ୍କ ଜୀବନରେ ଆଣିଥାଏ, ସେ ପୃଥିବୀଲୋକ ଏବଂ ସ୍ୱର୍ଗଲୋକ ପରେ ମଧ୍ୟ ସମ୍ପୂର୍ଣ୍ଣ କଲ୍ୟାଣ ପାଇଥାଏ।
ଏହା ହେଉଛି ଏକମାତ୍ର ପୁସ୍ତକ ଯାହାର ଜୟନ୍ତୀ ପାଳନ କରାଯାଏ। ଏହି ଗ୍ରନ୍ଥ ରଣାଙ୍ଗନରେ କୁହାଯାଇଛି। ଗୀତା ଏକମାତ୍ର ପୁସ୍ତକ ଯାହା ସିଧାସଳଖ ଭଗବାନଙ୍କ ମୁଖରୁ ନିସୃତ ହୋଇଛି। ଗୋଟିଏ ପୁସ୍ତକ ଯାହା ବିନା ସର୍ତ୍ତରେ ଭାରତର ସମସ୍ତ ସମ୍ପ୍ରଦାୟ ଦ୍ୱାରା ଗ୍ରହଣୀୟ ଏବଂ ସମ୍ମାନିତ। ଏଥିରେ ସାତ ଶହଟି ଶ୍ଳୋକ ଅଛି, କିନ୍ତୁ ଅନେକଙ୍କ ଜୀବନ ପରିବର୍ତ୍ତିତ ଏବଂ ଉନ୍ନତ ହୋଇଛି କାରଣ ଏହି ଶ୍ଳୋକଗୁଡ଼ିକ ଈଶ୍ବରଙ୍କ ମୁଖରୁ ପ୍ରକାଶିତ ହୋଇଛି। ଯଦି କେହି ଏହି ଶ୍ଳୋକଗୁଡ଼ିକର ଅର୍ଥ ସମ୍ପୂର୍ଣ୍ଣ ଜାଣିବାକୁ ଚାହାଁନ୍ତି, ତେବେ ତାଙ୍କୁ କେବଳ ଗୋଟିଏ ଜନ୍ମ ନୁହେଁ ଅନେକ ଜନ୍ମ ଗ୍ରହଣ କରିବାକୁ ହେବ। ଏକମାତ୍ର ପୁସ୍ତକ ଯାହାର ମହାନତା କେବଳ ଭାରତୀୟ ଦର୍ଶନ ନୁହେଁ, ପାଶ୍ଚାତ୍ୟ ଦର୍ଶନରେ ମଧ୍ୟ ଅନେକ ପଣ୍ଡିତମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ଷୋହଳ ବର୍ଷ ବୟସରୁ ଭଗବଦ୍ ଗୀତା ପ୍ରଚାର କରୁଥିବା ସ୍ୱାମୀ ଶ୍ରୀଗୋବିନ୍ଦଦେବ ଗିରିଜୀ ମହାରାଜ ପଞ୍ଚସ୍ତରୀ ବର୍ଷ ବୟସରେ ମଧ୍ୟ କୁହନ୍ତି ଯେ ‘ଆରେ ହେ, ଆଜି ମୁଁ ଏକ ନୂଆ କଥା ଶିଖିଛି’। ଏପରିକି ଯେଉଁମାନେ ଏହାକୁ ଯେତେ ଗଭୀର ଭାବରେ ଅଧ୍ୟୟନ କରିଛନ୍ତି ସେମାନେ କିଛି ନୂଆ ନୂଆ ଜିନିଷ ଜାଣିବାକୁ ପାଆନ୍ତି। ଗୀତା ହେଉଛି ଏକ ମାର୍ଗଦର୍ଶକ, ଗୀତା ହେଉଛି ସମସ୍ତ ଗବେଷଣାର ଅନ୍ତିମ ପରୀକ୍ଷା।
ସାମଗ୍ରିକ ଭାବେ ଜୀବନ କିପରି ବଞ୍ଚିବାକୁ ହେବ ତାହା ଉପରେ ଏହା ଏକ ମାର୍ଗଦର୍ଶିକା।
16.2
ଅହିଂସା ସତ୍ୟମକ୍ରୋଧଃ(ସ୍), ତ୍ୟାଗଃ(ଶ୍) ଶାନ୍ତିରପୈଶୁନମ୍
ଦୟା ଭୂତେଷ୍ୱଲୋଲୁପ୍ତ୍ୱଂ(ମ୍), ମାର୍ଦବଂ(ମ୍) ହ୍ରୀରଚାପଲମ୍।।2।।
ତେଜଃ କ୍ଷମା ଧୃତିଃ(ଶ୍) ଶୌଚମ୍, ଅଦ୍ରୋହୋନାତିମାନିତା
ଭବନ୍ତି ସମ୍ପଦଂ(ନ୍) ଦୈବୀମ୍, ଅଭିଜାତସ୍ୟ ଭାରତ।।3।।
ବିବେଚନ →
ଏଠାରେ ଭଗବାନ ଛବିଶଟି ଦିବ୍ୟ ଗୁଣର ଏକ ସୂଚୀ ଦେଉଛନ୍ତି। ଯେଉଁ ଭକ୍ତମାନେ ନିଜକୁ ସାତ୍ତ୍ୱିକ, ଭଦ୍ର, ଧାର୍ମିକ ତଥା ଉତ୍ତମ ମନେ କରନ୍ତି, ଯେଉଁମାନେ ନିଜକୁ ଭଗବାନଙ୍କର ଭକ୍ତ ବୋଲି ବିଚାର କରନ୍ତି, ସେମାନଙ୍କର କେଉଁ କେଉଁ ଗୁଣ ରହିବା ଉଚିତ ସେ ବିଷୟରେ ଭଗବାନ ବ୍ୟାଖ୍ୟା କରିଛନ୍ତି। ପୃଥିବୀର ସମସ୍ତ ମନୁଷ୍ୟକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ଈଶ୍ୱରୀୟ ଗୁଣ ସମ୍ପନ୍ନ ଉତ୍ତମ ପୁରୁଷ ଏବଂ ଆସୁରୀ ଗୁଣ ସମ୍ପନ୍ନ ଖଳ ବ୍ୟକ୍ତିତ୍ୱ।
ଭଗବାନ କହନ୍ତି, କାୟମନୋବାକ୍ୟରେ, ମନୁଷ୍ୟକୁ କୌଣସି ଜୀବ ପ୍ରତି ହିଂସା କରିବା ଉଚିତ୍ ନୁହେଁ; କାହାକୁ କୋୖଣସି ପ୍ରକାର ଆଘାତ ଦେବା ଉଚିତ୍ ନୁହେଁ। ଏମିତିରେ ଦେଖିବାକୁ ଗଲେ ଅନେକ ସମୟରେ ମଣିଷ ଭିତରେ ହିଂସ୍ର ପ୍ରକୃତି ଦେଖିବାକୁ ମିଳେ। ଜୀବନରେ ଆରାମ ପାଇଁ, ଆନନ୍ଦ ପାଇଁ, ଆମେ ବିଶ୍ୱାସ କରି ନେଇଛୁ ଯେ ଛୋଟ ଛୋଟ ହିଂସା ହେଉଛି ଆମର ଆବଶ୍ୟକତା। ମଶାଟିଏ ଦେଖୁ ଦେଖୁ ଆମେ ତାକୁ ତୁରନ୍ତ ମାରି ଦେଉ। ଝିଣ୍ଟିକାଟିଏ ଦେଖିବା ମାତ୍ରେ ତା'ର ନିପାତ ପାଇଁ ତା’ ଉପରେ ହିଟ୍ ସ୍ପ୍ରେ ମାରିଦେଉ। ଆଉ ଏବେ ମୂଷାମାନଙ୍କୁ ମଧ୍ୟ ଅତି ନିର୍ମମ ଭାବରେ ମାରି ଦିଆଯାଉଛି। ମୂଷାଙ୍କ ପାଇଁ ଏପରି ଏକ ଅଠା ଆବିଷ୍କାର କରାଯାଇଛି ଯେ ଯେଉଁଥିରେ ମୂଷା ଥରେ ଲାଖିଗଲେ ବାହାରକୁ ନ ବାହାରି ପାରି ଶେଷରେ ଜୀବନ ହରାଇ ଦେଉଛି। ଅଲଟ୍ରାଭାୟୋଲେଟ୍ ରଶ୍ମିର ଜାଲ ତିଆରି କରାଯାଇଛି ଯେଉଁଥିରେ ମାଛି, ପୋକ, ଜୋକ ଆଦି ଫସି ଯାଇ ମରିଯାଉଛନ୍ତି। ଆଜି ଆମେ ଆମର ସୁଖମୟ ଜୀବନ ଶୈଳୀ ଲାଗି ଅନ୍ୟ ପ୍ରାଣୀଙ୍କ ବଞ୍ଚିବାର ଅଧିକାର ଛଡ଼ାଇ ନେଉଛୁ।
ଭଗବାନ ପୃଥିବୀକୁ କେବଳ ମନୁଷ୍ୟମାନଙ୍କ ପାଇଁ ସୃଷ୍ଟି କରି ନାହାଁନ୍ତି। ଏହା ଉପରେ ଅନ୍ୟ ପ୍ରାଣୀମାନଙ୍କର ମଧ୍ୟ ଅଧିକାର ରହିଛି। କିନ୍ତୁ ଆମେ ତାକୁ ଜୋରଜବରଦସ୍ତ୍ ନିଜର କରି ନେଇଛୁ। ନିଜକୁ ସ୍ୱାଧୀନ କରିନେଇଛୁ। ଭଗବାନ ଆମକୁ କେବଳ ଏହି ଶରୀର ଦେଇ ପଠାଇଛନ୍ତି। ଆମେ ବଞ୍ଚିବା ଲାଗି ଅନ୍ୟାନ୍ୟ ସମ୍ବଳ ଯୋଗାଡ କରୁ, ସେସବୁ ଉପରେ ନିଜର ଅଧିକାର ସାବ୍ୟସ୍ତ କରୁ। ଅନ୍ୟ ପ୍ରାଣୀମାନଙ୍କର ବଞ୍ଚିବାର ଅଧିକାର ମଧ୍ୟ ଆମେ ଛଡ଼ାଇ ନେଉ।
ପୃଥିବୀର ଉତ୍ସ ଗୁଡିକ ଉପରେ ଆମେ ଅଧିକାର କରି ବଞ୍ଚୁଛୁ, ତାହା ଠିକ୍, ମାତ୍ର ଅନ୍ୟ ଜୀବମାନେ ଏଠାରେ ବଞ୍ଚି ରହନ୍ତୁ ଏହା ଆମେ ଚାହୁଁନା। ଆମେ ସେମାନଙ୍କୁ ମାରି ଦେଉଛୁ । ଆମେ ଯେତେ ସବୁ ମଶା, ମାଛି ମୂଷା ମାରିବା ସେତିକି ଜୀବନ ସେମାନଙ୍କ ରୂପ ଧାରଣ କରି ଆମକୁ ବ୍ୟତୀତ କରିବାକୁ ପଡ଼ିବ। କେହି ଏଥିରୁ ବାଦ ପଡ଼ିବେ ନାହିଁ। ମନୁଷ୍ୟ କହେ ମୁଁ ଆଜି ତାକୁ ବହୁତ କଟୁ କଥା କହିଲି, ଗାଳି କରିଛି ସେ ଆଜି ରାତିରେ ଶୋଇ ପାରିବ ନାହିଁ। ଏସବୁ ହେଉଛି ହିଂସାତ୍ମକ ବାଣୀ। କାହାକୁ ନିଜ ବାଣୀ ଦ୍ଵାରା ଅପ୍ରୀତିକର ଭାଷା କହିବା, କାହାକୁ ନୀଚା ଦେଖାଇବା, କଟୁ କଥା କହିବା ଏସବୁ ବାଣୀର ହିଂସା। ମନ ମଧ୍ୟରେ କାହାର ଅନିଷ୍ଟ ଚିନ୍ତା କରିବା ମାନସିକ ହିଂସା ଅଟେ। କେହି କେହି ଭାବନ୍ତି ମୁଁ ମନରେ ଅନିଷ୍ଟ ଚିନ୍ତା କଲେ ଏଥିରେ ଆପତ୍ତି ନାହିଁ। କିନ୍ତୁ ମନରେ ଚିନ୍ତା କରୁଥିଲେ ଏହା ବାଣୀରେ ଆସିବ ଏବଂ ଶେଷରେ ଶାରୀରିକ ହିଂସା ପର୍ଯ୍ୟନ୍ତ ପହଞ୍ଚି ଯିବ। ମନରେ ଜାଗି ଉଠୁଥିବା ଦ୍ଵେଷ ଭାବକୁ ମନ ମଧ୍ୟରେ ହିଁ ଚାପିଦେବା ଉଚିତ୍।
ଅହିଂସା
ମୋ ଦ୍ଵାରା କାହାକୁ ଦୁଃଖ ଓ କଷ୍ଟ ନହେଉ - ଏହି ଧାରଣା ଅହିଂସା ଏବଂ ଏହା ଦୈବୀ ଗୁଣ ଅଟେ। ନିଜ ଦ୍ଵାରା କାହାରିକୁ କ୍ଷତି ନହେଉ, କାହାକୁ ଦୁଃଖ କିମ୍ବା କଷ୍ଟ ନହେଉ ମନରେ ଏହି ସଂକଳ୍ପ ନେବା ଉଚିତ୍।
ସତ୍ୟ
ସତ୍ୟ ହେଉଛି ସମସ୍ତ ଗୁଣ ଗୁଡିକର ମେରୁଦଣ୍ଡ। ସତ୍ୟ କହିବା ପାଇଁ ସତ୍ ସାହସ ଥିବା ଜରୁରୀ। ସତ୍ୟ କହିଲାବେଳେ ଆମେ ଦ୍ଵନ୍ଦରେ ପଡ଼ିଥାଉ। କେହି କୁହନ୍ତି ମୁଁ ସତ କହିଦେଲି କାହାକୁ ଖରାପ ଲାଗୁ ବା ନଲାଗୁ ମତେ କିଛି ଫରକ୍ ପଡିବନାହିଁ। ଯେଉଁ ବ୍ୟକ୍ତି ଏପରି କରେ ତାକୁ ବୁଝିବାକୁ ପଡ଼ିବ ଯେ ଏହା ଭୁଲ୍ ଅଟେ କାରଣ ନୀତି ଶାସ୍ତ୍ର କହେ -
सत्यं ब्रूयात् प्रियं ब्रूयात्, न ब्रूयात् सत्यमप्रियम् ।
प्रियं च नानृतम् ब्रूयात्, एष धर्मः सनातन: ॥
ସତ୍ୟ କୁହ କିନ୍ତୁ କାହାକୁ କଷ୍ଟ ଦେଲା ଭଳି ଅପ୍ରିୟ ସତ କୁହନାହିଁ। ଅଧିକାଂଶ ସତ୍ୟ କାହାର କ୍ଷତି କରେନାହିଁ। ମାତ୍ର ଏହାକୁ କେଉଁ ପରି କୁହାଯାଏ ତାହା କଷ୍ଟ ଦେଇଥାଏ। ସବୁବେଳେ ଚେଷ୍ଟା କରିବା ଉଚିତ୍ ଯେ ସତ୍ୟକୁ ମଧୁର ବାଣୀରେ କୁହ। ଯଦି ଆମେ ଆମର ବାଣୀକୁ ମଜବୁତ୍ କରିବାକୁ ଚାହୁଁଛେ, ତେବେ ଏହାକୁ ସତ୍ୟର ଆଭୂଷଣରେ ସଜ୍ଜିତ କରିବା ଉଚିତ୍। ଯେଉଁ ବ୍ୟକ୍ତି ସବୁବେଳେ ମିଥ୍ୟାର ସାହାରା ନିଏ, ସିଏ ଯେବେ ସତ୍ୟ କହେ ତାକୁ କେହି ବିଶ୍ଵାସ କରନ୍ତି ନାହିଁ। ଯଦି କାହାର ଇତିହାସ ମିଥ୍ୟାର ମୂଳଦୂଆ ଉପରେ ଛିଡା ହୋଇଛି ତେବେ ତାକୁ ବର୍ତ୍ତମାନରେ କିଏ ବିଶ୍ଵାସ କରିବ? ବ୍ୟକ୍ତିକୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ଆଣି ତାକୁ ଏପରି ବିଶ୍ଵସନୀୟ କରିଦେବା ଉଚିତ୍ ଯେ କେହିବି ତାକୁ ତୁରନ୍ତ ବିଶ୍ଵାସ କରିଯିବ। ଏହି ବିଶ୍ଵାସ କେବଳ ସତ୍ୟ କହିଲେ ହିଁ ଆସିବ। ସତ୍ୟ ବିଶ୍ଵାସର ଆଧାର ଅଟେ।
ଆମେ ନିଜର ସତ୍ୟକୁ ପରଖିବା ପାଇଁ ଏକ ସଂକଳ୍ପ ନେଇପାରିବା। ପ୍ରତିଦିନ ଆମ ମୋବାଇଲ୍ରେ ଆମେ ଆଜି ଦିନରେ କେତେଥର ମିଛ କହିଛେ ବୋଲି ସନ୍ଦେଶ ଦେବା। କିଛି ଦିନ ପରୀକ୍ଷା ପରେ ଆମକୁ ଜଣାପଡ଼ିବ ଯେ ଆମେ କେତେ ଅନାବଶ୍ୟକ ମିଥ୍ୟା କହିଛେ। ବିନା କୌଣସି କାରଣରେ ଆମେ ମିଛ କହିଛେ। ଧୀରେ ଧୀରେ ଏହି ମିଛ କହିବା ସ୍ବତଃ କମ୍ ହେବାରେ ଲାଗିବ ଓ ଶେଷରେ ଶୂନ୍ୟ ହୋଇଯିବ।
ନିଜର ବାଣୀରେ ଭାଷାରେ ଶୁଦ୍ଧତା ମଧୁରତା ଆଣିଲେ ସତ୍ୟକୁ ଆମ ଜୀବନରେ ଧାରଣ କରିପାରିବା। ଆମେ ସଂକଳ୍ପବଦ୍ଧ ହେବା ସର୍ବଦା ସତ୍ୟ କହିବା, ସତ୍ୟର ରାସ୍ତାରେ ଚାଲିବା। ଆମ ଜାଣିଶୁଣି ବା ଅଜାଣତରେ କେବେ ମିଛ କହିବା ନାହିଁ।
କ୍ରୋଧ ଏବଂ ଅହଂକାର ଏପରି ଏକ ବ୍ୟାଧି ଅଟେ ଯାହା ଉତ୍ପନ୍ନ ହେବା ମାତ୍ରେ ତାକୁ ଦମନ କରିଦେବା ଉଚିତ୍। ଏହା ଯେତେ ବୃଦ୍ଧି ହୁଏ ସେତେ କଠିନ ହୋଇଯାଏ। ଆମେ ଏଠାରେ ଅଗ୍ନିର ଉଦାହରଣ ନେବା। ଛୋଟ ଅଗ୍ନିକଣିକାଟିଏ (ଚିଙ୍ଗାରୀ) ଏକ ବଡ ଅଗ୍ନି କାଣ୍ଡରେ କାରଣ ହୋଇଥାଏ। ଆମେ ଯଦି ତୁରନ୍ତ ସେହି ଅଗ୍ନିକଣିକାଟିକୁ ଲିଭାଇ ଦେବା ତେବେ ତାହା ଆମେ ସହଜରେ କରିପାରିବା, ନଚେତ ତାହା ବଢ଼ି ବଢ଼ି ଶେଷରେ ଅଗ୍ନିର କରାଳ ରୂପ ନେଲାପରେ ତାହା ଆମ ନିୟନ୍ତ୍ରଣର ବାହାରକୁ ଚାଲିଯାଇଥାଏ ଆଉ ତାହାକୁ ପ୍ରଶମିତ କରିବା ଅସମ୍ଭବ ହୋଇପଡେ। କ୍ରୋଧ ଏବଂ ଅହଂକାରକୁ ମୂଳରୁ ଦୂର କରିଦେବା ଆବଶ୍ୟକ। କ୍ରୋଧ ଏକୁଟିଆ ଆସେନାହିଁ, ଯେତେବେଳେ ଇଚ୍ଛା ପୂରଣ ହେବାରେ ବାଧା ସୃଷ୍ଟି ହୁଏ , ସ୍ଵାର୍ଥରେ ବିଘ୍ନ ଘଟେ, ଲୋଭ, ମୋହର ବିଘ୍ନ ଘଟେ ସେତେବେଳେ କ୍ରୋଧ ସୃଷ୍ଟି ହୁଏ। ଆମର ଆଶା ଆକାଙ୍କ୍ଷା ପୂରଣ ନହେଲେ ଆମ ମନରେ କ୍ରୋଧ ଆସେ। ଯଦି ଆମେ ନିଜର ଲୋଭ ଓ ସ୍ୱାର୍ଥକୁ ବଢ଼ିବାକୁ ଦେବା ନାହିଁ ଏଵଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ତେବେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।
ତ୍ୟାଗ
ଏବେ ତ୍ୟାଗ କ'ଣ ତାହା ଚିନ୍ତା କରିବା। କୌଣସି ବସ୍ତୁକୁ ପରିତ୍ୟାଗ କରିବା ତ୍ୟାଗ ନୁହେଁ। ଏହା ଶବ୍ଦଟିର ଆକ୍ଷରିକ ଅର୍ଥ କେବଳ, ମୌଳିକ ନୁହେଁ। ଯାହା ମିଳିବାର ଥିଲା ତାହା ମିଳିଲା ନାହିଁ, ଏହି ପରିସ୍ଥିତିରେ ସହଜ ଭାବ ନେଇ ରହିବାକୁ ତ୍ୟାଗ କୁହାଯାଏ ।
ଶାନ୍ତି
ଆମ ମନୋଭାବ ଦେଖନ୍ତୁ, ସୁଖ ପାଇବା ଆଶାରେ ଆମେ ଶାନ୍ତି ହରାଉଛୁ। ପ୍ରଚୁର ଧନ ସମ୍ପତ୍ତି ପ୍ରାପ୍ତି ପାଇଁ ପୁରୁଷମାନେ ଶାନ୍ତି ହରାଇଥାନ୍ତି । ଘରର ସବୁ ଜିନିଷ ଉପରେ ଅଧିକାର ପାଇବା ପାଇଁ ମହିଳାମାନେ ଶାନ୍ତି ହରାଉଛନ୍ତି। ଅନେକ ଧନସମ୍ପଦ ପାଇଲାପରେ, ଘରର ସମ୍ପୂର୍ଣ୍ଣ ଅଧିକାର ମିଳିଲା ପରେ ସେମାନେ ଶାନ୍ତି ଚାହୁଁଛନ୍ତି। ଶାନ୍ତିକୁ ହରାଇ ସାରିଲା ପରେ ସେମାନେ ଶାନ୍ତି ଖୋଜୁଛନ୍ତି। ଶାନ୍ତିର ଅର୍ଥ ହେଉଛି ସମାନତା।
ଅପୈଶୁନମ୍
ଆସନ୍ତୁ ନିନ୍ଦାର ପରିଭାଷା ବୁଝିବା। କାହାରି ନିନ୍ଦା ନକରିବା କିମ୍ବା କାହା ନାମରେ ଚୁଗୁଲୀ ନ କରିବା ପାଇଁ ଭଗବାନ ଏଠାରେ କହିଛନ୍ତି। ଭଗବାନ ଏହା ପସନ୍ଦ କରନ୍ତି ନାହିଁ। ଅପରପକ୍ଷେ ଏହା ଆମକୁ ବହୁତ ଆନନ୍ଦ ଦେଇଥାଏ। ନିନ୍ଦା ଏବଂ କୁଣ୍ଡିଆ ଏପରି ରସଯୁକ୍ତ ଦୋଷ ଯେ ଆମେ ଜାଣିଛୁ କୁଣ୍ଡେଇବା ଫଳରେ କ୍ଷତ ସୃଷ୍ଟି ହେବ, ରକ୍ତସ୍ରାବ ହେବ ତଥାପି ମଧ୍ୟ ଆମେ କୁଣ୍ଡେଇବା ବନ୍ଦ କରିନଥାଉ। କୁଣ୍ଡେଇବାର ଏକ ଅଜବ ମଜା ଥାଏ। ଠିକ୍ ସେମିତି କାହାର ନିନ୍ଦା କରିବା ସମୟରେ ଆମକୁ ବହୁତ ଖୁସି ଅନୁଭବ ହୁଏ। ଆମେ ଯେଉଁ ବ୍ୟକ୍ତିକୁ ନିନ୍ଦା କରୁ ସେ ଯେବେ ଏହା ଜାଣିବ ବହୁତ ଖରାପ ହେବ ଜାଣି ମଧ୍ୟ ଆମେ ତାର ନିନ୍ଦା କରୁ। ତେଣୁ ଯେଉଁଠାରେ କାହାର ନିନ୍ଦା ବା ସମାଲୋଚନା କରାଯାଉଛି ସେଠାରୁ ଦୂରେଇ ରହିବା ଉଚିତ୍। ଅନ୍ୟର ଦୋଷ ଦୁର୍ବଳତାକୁ ଅନୁଧ୍ୟାନ ନକରି ତାକୁ ଲୁଚାଇ ଦେବା ଉଚିତ୍। ପ୍ରଘଟ କରିବା ଉଚିତ୍ ନୁହେଁ। ଦୈବୀ ଗୁଣ ସମ୍ପନ୍ନ ବ୍ୟକ୍ତି ଏସବୁ ପ୍ରଘଟ କରନ୍ତି ନାହିଁ। ପ୍ରଘଟ କରିବା ହେଉଛି ଆସୁରୀ ପ୍ରବୃତ୍ତି।
ଦୟା
ଦୟା କୌଣସି ସାମାଜିକ କାର୍ଯ୍ୟ ନୁହେଁ । ଦୟାଳୁ ସ୍ୱଭାବ ଥିବା ବ୍ୟକ୍ତି ହିଁ ଦୟା କରି ପାରନ୍ତି। କେହି କହିବାର ଶୁଣିଥିବେ ସେ ବ୍ୟକ୍ତି ବହୁତ ଦୟାଳୁ ସ୍ଵଭାବର ଅଟନ୍ତି। ସେ କାହାରି ଦୁଃଖ ଦେଖିପାରନ୍ତି ନାହିଁ, ଏହାହିଁ ଦୟା। ମୋର ଯାହା କିଛି ସମ୍ପଦା ଅଛି, ଜ୍ଞାନ, ବଳ, ଧନ, ବିଦ୍ୟା ଯାହା କିଛି ମୋର ଅଛି ସେସବୁ ଅନ୍ୟ କାହାର କାମରେ ଲାଗୁ ଏହା ଭାବୁଥିବା ବ୍ୟକ୍ତି ଦୟାଳୁ ସ୍ୱଭାବର ଅଧିକାରୀ।
ଜଣେ ଦୟାଳୁ ବ୍ୟକ୍ତିଙ୍କର ଚିନ୍ତାଧାରାର ଗଭୀରତାକୁ ଯଦି ଆମେ ଦେଖିବା, ସେ ଭାବନ୍ତି ଯେ ଯାହା କିଛି ଭଗବାନ ତାଙ୍କୁ ଦେଇଛନ୍ତି ସେସବୁ ଅନ୍ୟମାନଙ୍କ କାମରେ ଲାଗିବା ପାଇଁ, ଅନ୍ୟମାନଙ୍କ ସେବା ପାଇଁ, ଅନ୍ୟର ମଙ୍ଗଳ ପାଇଁ ଦେଇଛନ୍ତି। ବିଶେଷ କଥା ହେଉଛି ଏହି ଭାବ ସାମୟିକ ନୁହେଁ ବରଂ ନିରନ୍ତର - ସବୁବେଳେ ରହିବା ଉଚିତ୍ । ଏଥିରେ ଦୟାଳୁ ବ୍ୟକ୍ତି କେବେ ଭାବେ ନାହିଁ ଯେ କେବଳ ନିଜ ପରିଚିତ, ପରିଜନ ହିଁ ଦୟାର ପାତ୍ର। ଯେ କୌଣସି ଅପରିଚିତ, ଅଚିହ୍ନା ବ୍ୟକ୍ତି ମଧ୍ୟ ଦୟାର ପାତ୍ର ହୋଇପାରନ୍ତି। ପ୍ରତିବଦଳରେ ତାଙ୍କର କୌଣସି ସ୍ଵାର୍ଥ ବା କାମନା ନଥାଏ।
ଖରାଦିନେ ଛାତ ଉପରେ ପକ୍ଷୀମାନଙ୍କ ପାଇଁ କିଛି ପାଣି ରଖିବା। ପକ୍ଷୀମାନେ ପାଣି ପିଇଲେ ଆମ ଦ୍ବାରା କିଛି ପୂଣ୍ୟ କାମ ହୋଇଯିବ। କିନ୍ତୁ ପକ୍ଷୀମାନେ ତ ପାଣି ମାଗିବେ ନାହିଁ। ଏହା ବ୍ୟକ୍ତିର ଦୟାଳୁ ସ୍ୱଭାବ। ମନରେ ଦୟା ଆସିବାରୁ ଛାତ ଉପରେ ପାଣିର ବ୍ୟବସ୍ଥା କଲେ।
ଦୟାର ପାତ୍ର ଠାରେ ଦୋଷର ବିଚାର କରାଯାଏନାହିଁ ।
ଦୟାଳୁ ବ୍ୟକ୍ତି ଏହା ଭାବନ୍ତି ନାହିଁ ଯେ ଯାହାକୁ ଥରେ ଦୟା କଲେ ସେ ବାରମ୍ବାର ଆସିବେ। ଯଦି ଆସିବେ ଆସନ୍ତୁ, ଭଗବାନ ଅନ୍ୟକୁ ସାହାଯ୍ୟ କରିବାକୁ ଏତେ ସାମର୍ଥ୍ୟ ଦେଇଛନ୍ତି ଯେ ସେଥିପାଇଁ କିଛି ଫରକ୍ ପଡ଼ିବ ନାହିଁ। ସବୁଠାରୁ ବଡ କୌଶଳ ହେଉଛି ଦୟା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ କେବେ ବି ଉପଦେଶ ଦେବା ନାହିଁ। ସେହି ସ୍ଥାନରେ ନିଜକୁ ରଖି ଚିନ୍ତା କରନ୍ତୁ ଯଦି କେବେ କିଛି ଦୁଃଖ କିମ୍ବା କିଛି ବିପର୍ଯ୍ୟୟ ନିଜ ଉପରେ ଆସିବ ତେବେ କିପରି ଅନୁଭବ ହେବ। ଏହା ସ୍ୱାଭାବିକ ଯେ ମଣିଷ ସଦୈବ ଭଗବାନଙ୍କ ଠାରୁ ଦୟା ଆଶା କରିଥାଏ ।
ଲୋଲୁପ୍ତତା କ'ଣ?
ଅନ୍ୟର କୌଣସି ବସ୍ତୁ ଦେଖିଲେ ଆମ ମନରେ ଲାଳସାର ଭାବ ସୃଷ୍ଟି ହୁଏ । ଏପରି ଜିନିଷ ମୋର ଥାଆନ୍ତା କି। ତାର ଭଲ ସୋଫା ଅଛି, ଭଲ ଗାଡ଼ି ଅଛି ସୁନ୍ଦର ଘର ଅଛି, ଏସବୁ ମୋ ପାଖରେ ଥାଆନ୍ତା କି। କେହି ମଧ୍ୟ ଭାବନ୍ତି ତାଙ୍କର ଜ୍ୱାଇଁ କେତେ ସୁନ୍ଦର, ସୁଶୀଳ, ମୋର ଏହିପରି ଜ୍ୱାଇଁ ହୁଅନ୍ତା କି। ଏପରି ଲାଳସାର କୌଣସି ସୀମା ନାହିଁ। ଅନ୍ୟର ଭଲ ଦେଖିଲେ ସର୍ବଦା ଲାଳ ଗଡ଼େ। ଏସବୁ ଲୋଭ। ଭଗବାନ କହୁଛନ୍ତି ଲୋଭ କରନାହିଁ। ଲାଳସାର ଭାବ ଆଖିରେ ଦେଖାଯାଏ। ଶୁଣିଥିଲେ ଲୋକମାନେ କୁହନ୍ତି ତାର ଆଖିକୁ ଦେଖ କେମିତି ଲୋଭୀ ଭଳି ଚାହିଁଛି। ଭଲ ଜିନିଷ ଦେଖିଲେ ଆଖିରେ ଚମକ ଆସେ। ଲୋଭରେ ପରିସୀମା ଦେଖନ୍ତୁ। କେହି ପ୍ରବଚନ ଶୁଣିବାକୁ ଆସି ଭାବେ ଯେ ମୁଁ ଆଜି ଗୋଟେ ନୁହେଁ ଦୁଇଟି ପ୍ରସାଦ ନେଇଯିବି। ଏହା ନିଜ ନିଜ ପ୍ରକୃତିଗତ ଦୋଷ। କିଛି ନକରି ମାଗଣାରେ ପାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଯିବେ। କିନ୍ତୁ ଆମେ ଭାବିବା ଉଚିତ୍ ଯେ ଆମକୁ ମାଗଣାରେ କିଛି ନେବାର ନାହିଁ। ଭଗବାନ ଆମକୁ ଭିକାରୀ କରିନାହାଁନ୍ତି। ତେଣୁ ଲୋଭୀ ନହୋଇ ନିର୍ଲୋଭୀ ହେବା ଉଚିତ୍
କୋମଳତା
କୋମଳ ପ୍ରକୃତି ଏବଂ ନରମ ବକ୍ତବ୍ୟ ହେଉଛି ଏୈଶ୍ୱରୀୟ ଗୁଣ। କାହା କାହାର ସ୍ୱର ଏତେ ନରମ ଯେ ତାଙ୍କଠାରୁ କିଛି ଶୁଣିବାପରେ ଆମେ ଆମର ଦୁଃଖ ଏବଂ ଯନ୍ତ୍ରଣା ଭୁଲିଯାଉ। ଯେତେବେଳେ ମନ ବିଚଳିତ ହୁଏ, ଆମେ ଏପରି ବ୍ୟକ୍ତିଙ୍କୁ ଖୋଜୁ, ଯାହାର ଶବ୍ଦ ଶୁଣିବା ଦ୍ୱାରା ମନ ସାନ୍ତ୍ୱନା ପାଏ ଏବଂ ମନ ଶାନ୍ତି, ଆରାମ ପାଏ। କଥା କଠୋର ହେବା ଉଚିତ୍ ନୁହେଁ, ନରମ ହେବା ଉଚିତ୍। ମୁଖ ନିସୃତ ବାକ୍ୟ ଏକ ମଲମ ଭଳି ହେବା ଉଚିତ୍ ଯେ ଯେତେବେଳେ କେହି ଶୁଣନ୍ତି, ଏହା ଏକ ଉପଶମ ଭଳି କାମ କରିବ। ସ୍ୱଭାବ ବା ପ୍ରକୃତି ଏପରି ହେବା ଉଚିତ ଯେ ଏହା କାହାକୁ ବି ଆରାମ ଏବଂ ସାନ୍ତ୍ୱନା ଦେଇ ପାରିବ ।
ଲଜ୍ଜା
ଅନୁଚିତ୍ କାର୍ଯ୍ୟ କରିବାରେ ଲଜ୍ଜାଜନକ ଅନୁଭବ ଆସିବା ଉଚିତ୍। ଯାହା ଉପଯୁକ୍ତ ନୁହେଁ, ସେଠାରେ କିଛି ଲଜ୍ଜା ଅନୁଭୂତ ହେବା ଉଚିତ୍। ଚତୁରତା ଏବଂ ଚଞ୍ଚଳତାର ଭାବ କଣ ତାହାର ମଧ୍ୟ ପରଖ କରି ଶିଖିବା ଆବଶ୍ୟକ। ଆମର ଅନେକ ଇନ୍ଦ୍ରିୟ ଚଞ୍ଚଳ ସ୍ୱଭାବର। ସେଥି ମଧ୍ୟରୁ ଆଖି ବହୁତ ବେଶି ଚଞ୍ଚଳ ଅଟେ। ଯଦି କେହି କୌଣସି ସ୍ଥାନରେ କେହି ସ୍ଥିର ହୋଇ ବସିଛନ୍ତି, ତାହାର ଅର୍ଥ ଏହା ନୁହେଁ ଯେ ସେ ଚୁପ୍ ହୋଇ ବସିଛନ୍ତି । ସେ ତାଙ୍କ ଆଖିରେ ସବୁଆଡେ ଏପରି ଦେଖୁଥିବେ ଯେପରି ସେ ସବୁକିଛିକୁ ନିଜ ଆଖି ସାହାଯ୍ୟରେ ସ୍କାନ୍ କରିନେଉଛନ୍ତି।
ଟିକିଏ ପୁରୁଣା ସମୟକୁ ଅନୁଧ୍ୟାନ କରିବା। ଯେତେବେଳେ ବି କେହି ଜଣେ ଝିଅକୁ ଦେଖିବାକୁ ଯାଉଥିଲେ (ବର୍ତ୍ତମାନ ଝିଅଦେଖିବା ବନ୍ଦ ହୋଇଯାଇଛି, ପୁଅ ଦେଖିବା ପାଇଁ ସମୟ ଆସିଛି) ସେତେବେଳେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଝିଅକୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ। ଝିଅମାନଙ୍କର ଆଖିର ଗତିବିଧିକୁ ନୀରିକ୍ଷଣ କରୁଥିଲେ। ଯଦି କୌଣସି ଝିଅ ଶାନ୍ତିରେ ଆଖି ଭୂମିରେ ରଖି ବସିଥାଏ, ତେବେ ଭାବନ୍ତି, ସେ ଝିଅଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଏବଂ ନିଜ ଘର ପାଇଁ ଉପଯୁକ୍ତ । ଯଦି ଝିଅଟି ଏପଟ ସେପଟ ଚାହିଁଲା, ତେବେ ସେ ସମ୍ବନ୍ଧ ଯୋଡିବା ଇଚ୍ଛା ରଖନ୍ତି ନାହିଁ। ଆଖି ଜଣଙ୍କର ଅନ୍ତର୍ନିହିତ ମନର ଦର୍ପଣ ପରି, ସେଥିରେ ତାଙ୍କର ପ୍ରକୃତି ପ୍ରତିଫଳିତ ହୁଏ। ଜଣେ ବ୍ୟକ୍ତିଙ୍କ ଆଖି ଯେତେ ଚଞ୍ଚଳ, ସେ ବ୍ୟକ୍ତିର ପ୍ରକୃତି ସେତେ ଅଧିକ ଚଞ୍ଚଳ।
ଯେତେବେଳେ ମହନ୍ତ ଶ୍ରୀକ୍ଷମାରାମଜୀ ଶାସ୍ତ୍ରୀ ରାମାୟଣ ପାଠ କରିବାକୁ ବସନ୍ତି, ସେତେବେଳେ କୌଣସି ଆଡକୁ ତାଙ୍କ ଆଖି ଏପଟସେପଟ ନହୋଇ ଦୀର୍ଘ ଛଅ ଘଣ୍ଟା କେବଳ ପୁସ୍ତକ ଉପରେ ଧ୍ୟାନରେ ରହିଥାଏ। ଇନ୍ଦ୍ରିୟ ଉପରେ ତାଙ୍କର ଅବିଶ୍ବସନୀୟ ନିୟନ୍ତ୍ରଣ ଏବଂ ସଂଯମତା ଥିଲା; ଏବଂ ବାଣୀ ଉପରେ ମଧ୍ୟ ତାଙ୍କର ସେହି ସମାନ ନିୟନ୍ତ୍ରଣ ଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ସ୍ୱରରେ ବର୍ଣ୍ଣନା କରନ୍ତି। ଆମେ ମଧ୍ୟ ସଂଯମତା ଅଭ୍ୟାସ କରିବା ଏବଂ ଆମର ଇନ୍ଦ୍ରିୟଗୁଡ଼ିକୁ କିପରି ନିୟନ୍ତ୍ରଣରେ ରଖିବା ତାହା ଶିଖିବା ଉଚିତ୍ ।
ତେଜ
ଶ୍ରୀ ଭଗବାନ୍ ଆହୁରି କୁହନ୍ତି, ଅର୍ଜୁନ, ଜୀବନରେ ତେଜସ୍ୱୀ ହେବା ଉଚିତ୍, ଦୀପ୍ତିମାନ ରହିବା ଉଚିତ୍ । ଆମର ସପ୍ତଧାତୁର ସୂତ୍ର ଅଛି। ଆମେ ଖାଉଥିବା ଖାଦ୍ୟର ବିଭାଗୀକରଣ ହେଉଛି ଖାଦ୍ୟରୁ ରସ; ରସରୁ ରକ୍ତ ; ରକ୍ତରୁ ମାଂସ; ମାଂସରୁ ମଜ୍ଜା; ମଜ୍ଜାରୁ ଅସ୍ଥି; ଅସ୍ତିରୁ ବୀର୍ଯ୍ୟ; ବୀର୍ଯ୍ୟରୁ ଓଜ ବା ଶକ୍ତି ଏବଂ ଶକ୍ତିରୁ ତେଜ ସୃଷ୍ଟି ହୁଏ। ଆମେ ଜୀବନରେ କିଛି ଲୋକଙ୍କୁ ଭେଟିଥାଉ ଯାହାର ବକ୍ତବ୍ୟ ଶକ୍ତିଶାଳୀ ଥାଏ, ସେମାନେ ସେତେ ତେଜସ୍ୱୀ ଗୁଣ ଯୁକ୍ତ। ଆମ ଚାରିପାଖରେ, ଆମ ସମାଜରେ, ଏପରି କିଛି ବ୍ୟକ୍ତିତ୍ୱ ଅଛନ୍ତି, ଯାହାଙ୍କର ବାଣୀ ସମସ୍ତେ ଗ୍ରହଣ କରନ୍ତି, ସେମାନେ ବହୁତ ତେଜସ୍ୱୀ ଏବଂ ଓଜସ୍ୱୀ ଅଟନ୍ତି। କିଛି ଲୋକ ଅଛନ୍ତି ଯାହାଙ୍କର ବକ୍ତବ୍ୟ ବହୁତ ଶକ୍ତିଶାଳୀ। ସେ ଯାହା କହନ୍ତି ସମସ୍ତେ ତାହାକୁ ମାନ୍ୟ କରନ୍ତି, ଏହା ହେଉଛି ବକ୍ତବ୍ୟର ଶକ୍ତି। ସମସ୍ତଙ୍କ ଜୀବନ ତେଜସ୍ୱୀନ ହେବା ଉଚିତ୍ ଏବଂ ଅତେଜସ୍ବୀନତା ଜୀବନର ଲକ୍ଷଣ ନୁହେଁ । ଏହା ସତ୍ୟ ଯେ ଐଶ୍ୱରୀୟ ଗୁଣରେ ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତିଙ୍କ ଜୀବନ ତେଜସ୍ୱୀନ ଅଟେ। ଏପରି ବ୍ୟକ୍ତିତ୍ୱର ଲୋକମାନେ ଯେଉଁଠାକୁ ଯାଆନ୍ତି, ଅନ୍ୟମାନେ ସେମାନଙ୍କୁ ଚିହ୍ନନ୍ତି; ସେମାନଙ୍କ ଉପରେ ବିଶ୍ୱାସ ରଖନ୍ତି। ତେଣୁ ଜୀବନରେ ଓଜସ୍ୱୀନତା ରଖିବା ଉଚିତ୍, ତେଜସ୍ୱୀ ହେବା ଉଚିତ୍ ।
କ୍ଷମା
ଶ୍ରୀ ଭଗବାନ୍ କହିଛନ୍ତି ଯେ କ୍ଷମା ହେଉଛି ଏପରି ଗୁଣ; ଯାହା ସମସ୍ତେ ଚାହାଁନ୍ତି କିନ୍ତୁ କେହି ଦେବାକୁ ଚାହାଁନ୍ତି ନାହିଁ। “ଯଦି ମୁଁ କୌଣସି ଭୁଲ କରେ ତେବେ ସମସ୍ତେ ମୋତେ କ୍ଷମା କରିବା ଉଚିତ୍ କାରଣ ମୁଁ ସର୍ବଦା ଠିକ୍ କରେ, କେବଳ ଆଜି ହିଁ ମୁଁ ଏକ ଭୁଲ କରିଛି”। ଏହା ହିଁ ଚିନ୍ତାକରୁ କିନ୍ତୁ ଯେତେବେଳେ ଅନ୍ୟ କେହି ଭୁଲ କରନ୍ତି ସେତେବେଳେ ମନରେ ପ୍ରଶ୍ନ ଉଠେ, କିପରି କ୍ଷମା କରାହେବ, ପ୍ରତିଦିନ ତ ଏହିଭଳି ପରିସ୍ଥିତି ହେଉଛି।” ସବୁକିଛି ନିଜ ପାଇଁ ଠିକ୍; ଯେତେବେଳେ ଅନ୍ୟମାନଙ୍କ କଥା ଆସେ, ସେତେବେଳେ ଖାଲି ଆପତ୍ତି ପରେ ଆପତ୍ତି। ଦେଖାଯାଏ ତ, ନିଜ ପାଇଁ ଜଣେ ଓକିଲ ଏବଂ ଅନ୍ୟମାନଙ୍କ ପାଇଁ ବିଚାରପତି ହେଇଯାଆନ୍ତି। ଯଦି ଆପଣ କ୍ଷମା କରିବାର ଭାବନାକୁ ଜାଗ୍ରତ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ନିଜ ପାଇଁ ନ୍ୟାୟାଧୀଶ ହେବାକୁ ପଡ଼ିବ ଏବଂ ସ୍ୱୟଂକୁ ଦଣ୍ଡ ଦେବାକୁ ପଡ଼ିବ। ଏଥି ସହିତ, ଜଣେ ନ୍ୟାୟଯୁକ୍ତ ହେବା ଉଚିତ ଏବଂ ଅନ୍ୟମାନଙ୍କୁ ସେମାନଙ୍କର ଭୁଲ ପାଇଁ କ୍ଷମା କରିବା ଉଚିତ୍। କ୍ଷମା କ’ଣ ବୁଝନ୍ତୁ? ଯେତେବେଳେ ଜଣେ କ୍ଷମା କରେ ଏବଂ ପରେ ଭୁଲିଯାଏ ସେତେବେଳେ କ୍ଷମା ପ୍ରାପ୍ତ ହୁଏ । ସମସ୍ତେ ଇଂରାଜୀ ପ୍ରବାଦ ଜାଣନ୍ତି-
forgive and forget.
ପ୍ରକୃତ କ୍ଷମା ହେଉଛି “କ୍ଷମାକରି ଭୁଲିଯିବା” । ପ୍ରକୃତରେ କ୍ଷମାକୁ ମନେ ରଖିବା ଉଚିତ ନୁହେଁ।
ମା ନିଜ ପିଲାକୁ କୁହନ୍ତି ଯେ “ତୁମେ ସେଦିନ ଭୁଲ୍ କରିଛ, ମୁଁ କିଛି କହି ନାହିଁ।” ମାତା ଏହାକୁ ଅନେକ ଥର ପୁନରାବୃତ୍ତି କରନ୍ତି। ପିଲାଟି ତ।’ ମନରେ ଭାବେ; ସେଦିନ ମୋତେ ଦଣ୍ଡ ଦିଆଯାଇ ନଥିଲା, କିନ୍ତୁ ଯଦି ମୋତେ ପ୍ରଥମ ଦିନରେ ଦଣ୍ଡ ଦିଆଯାଇଥାନ୍ତା, ତେବେ ଏହାର ପୁନରାବୃତ୍ତି କରିବାର କୌଣସି ଆବଶ୍ୟକତା ପଡି ନଥାନ୍ତା। ଏହା କି ପ୍ରକାର କ୍ଷମା ହୋଇପାରେ? କ୍ଷମା ହେଉଛି, କେବଳ କ୍ଷମା କରିବା ଏବଂ ଭୁଲିଯିବା। କ୍ଷମା କରି ଆମେ ଅନୁଭବ କରୁ ଯେ କ୍ଷମା କରି ଆମେ ଅନ୍ୟମାନଙ୍କ ପ୍ରତି ଅନୁଗ୍ରହ କରିଛୁ। ସମୟତଃ ଆମେ କାହାକୁ କ୍ଷମା କରିଦେଉ, କିନ୍ତୁ ତାଙ୍କ ଭୁଲକୁ ଆମ ମନରେ ରଖି ଆମେ ନିଜ ମନକୁ ଜାଳିବାରେ ଲାଗୁ। କ୍ଷମା କରି, ସେହି ଜିନିଷକୁ ମନରୁ ବାହାର କରଦେଲେ ବା ଭୁଲିଗଲେ, ମନ ପରିଷ୍କାର ହୋଇଯାଏ। ଏହାକୁ ମନରେ ରଖି ମନକୁ ଭାରାକ୍ରାନ୍ତ କରିବା ଆଦୋୖ ଉଚିତ୍ ନୁହେଁ। ଏହିପରି, ଅନ୍ୟମାନଙ୍କୁ କ୍ଷମା କରିବା ସେମାନଙ୍କୁ ଅନୁଗ୍ରହ କରିବା କଥା ନୁହେଁ। ଅନ୍ୟମାନଙ୍କୁ କ୍ଷମା କରିବା ନିଜ ପାଇଁ ଏକ ଉପକାର, ଆତ୍ମ-ମୁକ୍ତିର ସାଧନ।
ଧୃତି ଅର୍ଥାତ୍ ଧୈର୍ଯ୍ୟ
ଜୀବନରେ କାର୍ଯ୍ୟ ସମ୍ପାଦନ ପାଇଁ ସୁବିଧାଜନକ ଛୋଟ ରାସ୍ତା ଖୋଜିବା ଅନୁଚିତ୍।
धीरे-धीरे रे मना धीरे सब कुछ होए।
माली सींचे सौ घड़ा ऋतु आए फल होए।।
ସୃଷ୍ଟିର ନିୟମକୁ ଚିହ୍ନନ୍ତୁ। ଆଜି, ଯଦି ଆପଣ ଗୋଟିଏ ଗଛ ଉପରେ ୧୦୦ ଘଡା ପାଣି ଢାଳନ୍ତି, ତେବେ ତାହା ଫଳ ଦେବ ନାହିଁ। ଯଦି କୌଣସି ଫଳ ପାଞ୍ଚ ବର୍ଷ ପରେ ଆସିବା କଥା, ତେବେ ଏହା କେବଳ ପାଞ୍ଚ ବର୍ଷ ପରେ ହିଁ ଆସିବ। ଯଦି କୌଣସି ଫଳ ଦୁଇ ବର୍ଷ ପରେ ଆସିବା କଥା ତେବେ ଏହା କେବଳ ଦୁଇ ବର୍ଷ ପରେ ହିଁ ଆସିବ। ଯଦି କୌଣସି ପନିପରିବା ଏବଂ ଫଳ ଦୁଇମାସ ପରେ ଆସିବାକୁ ଅଛି, ସେ କେବଳ ଦୁଇ ମାସ ପରେ ହିଁ ଆସିବ। ଅର୍ଥାତ୍ ପ୍ରତ୍ୟେକ ଘଟଣା ତା'ର ଧାର୍ଯ୍ୟ ସମୟ ଅନୁସାରେ ହିଁ ସମ୍ପନ୍ନ ହୋଇଥାଏ, ଏଥିପାଇଁ ଆମକୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବାକୁ ହେବ ।
ଆଜିକାଲି ଶିଶୁରୋଗ ବିଶେଷଜ୍ଞଙ୍କ ଏକ ବଡ ସମସ୍ୟା ରହିଛି। ପ୍ରତ୍ୟେକ ମା ଡାକ୍ତରଙ୍କ ପାଖକୁ ଯାଆନ୍ତି ଏବଂ ଚିନ୍ତା ପ୍ରକଟ କରନ୍ତି ଯେ ଅନ୍ୟମାନଙ୍କ ପିଲା କଥାବାର୍ତ୍ତା କରୁଛନ୍ତି କିନ୍ତୁ ମୋର ପିଲା କରୁନାହିଁ, ସେମାନଙ୍କର ପିଲା ଚାଲୁଛନ୍ତି କିନ୍ତୁ ମୋର ପିଲା ଚାଲୁନି, ଇତ୍ୟାଦି। ଡାକ୍ତରଙ୍କୁ ସମସ୍ତଙ୍କୁ କହିବାକୁ ପଡେ, ପ୍ରତ୍ୟେକ ପିଲା ଅଲଗା ଅଟନ୍ତି । ଯେତେବେଳେ ସଠିକ୍ ସମୟ ଆସିବ, ପିଲା କହିବା ଆରମ୍ଭ କରିବ ଏବଂ ଠିକ୍ ସମୟରେ ଚାଲିବା ଆରମ୍ଭ କରିବ ।
ଅନେକଙ୍କ ପାଖରେ ଜ୍ଞାନ ଥାଏ, କିନ୍ତୁ ଧୈର୍ଯ୍ୟ ନ ଥାଏ। ଏକ ଭଲ କଥା ଶୁଣିବା ଏବଂ ତା'ର ପ୍ରଶଂସା କରିବା ଗୋଟିଏ କଥା କିନ୍ତୁ ଭଲ କଥା ଶୁଣିବା ଏବଂ ଏହାକୁ ଗ୍ରହଣ କରିବା ଏକ ଭିନ୍ନ କଥା। ଧୈର୍ଯ୍ୟର ଆବଶ୍ୟକତା ଅଛି, ପ୍ରଶଂସାର ନୁହେଁ। ଜୀବନରେ ଆମେ ଶୁଣୁଥିବା ଅନେକ ଜିନିଷରେ କୌଣସି ଲାଭ ହୁଏନାହିଁ, କିନ୍ତୁ ଆମେ ଯାହା ଗ୍ରହଣ କରିଛୁ ତାହା ବହୁତ ଉପଯୋଗୀ।
ଶୌଚ
ଯେତେବେଳେ ଉଭୟ ସ୍ୱଚ୍ଛତା ଏବଂ ପବିତ୍ରତା ଏକତ୍ରିତ ହୁଏ ସେତେବେଳେ ଏହାକୁ ଶୌଚ କୁହାଯାଏ। ଚିନ୍ତାଧାରାର ଏବଂ ଶରୀରର ସ୍ୱଚ୍ଛତା ସମସ୍ତଙ୍କର ଧ୍ୟାନରେ ରହିବା ଉଚିତ। ଯଥା:- “ମୋର ଚିନ୍ତାଧାରା ଶୁଦ୍ଧ ହେଉ ଏବଂ ମୋର ଶରୀର ଶୁଦ୍ଧ ହେଉ”। କରୋନା ଅବଧିରେ, ଲୋକମାନେ ସାନିଟାଇଜର ପ୍ରୟୋଗ କରି ହାତ ସଫା କରି ଖାଇବାକୁ ବସିଲେ, ଏହା କି ପ୍ରକାର ପରିଷ୍କାର ପରିଚ୍ଛନ୍ନତା? ଏହା ସ୍ୱଚ୍ଛତା ନୁହେଁ, କେବଳ ଚାଲୁଥିବା ପାଣିରେ ହାତକୁ ଭଲ ଭାବରେ ଧୋଇ ପରିଷ୍କାର କଲେ, ତାକୁ ସ୍ୱଚ୍ଛ କୁହାଯିବ।
ପ୍ରତିଦିନ ସ୍ନାନ କରିବା, ନିଜ ଶରୀରର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ କେଉଁ ପରିଧାନରେ ମନ୍ଦିରକୁ ଯିବା, ଏହାର ଧ୍ୟାନ ରଖିବାକୁ ପଡିବ। ପବିତ୍ର ଗ୍ରନ୍ଥଗୁଡ଼ିକୁ କିପରି ଛୁଇଁବେ, ଏହାକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ। ଜୀବନରେ ଯେତେ ଶୁଦ୍ଧତା ଆସିବ, ଜୀବନ ସେତେ ଅଧିକ ଉଚ୍ଚସ୍ତରକୁ ଗତି କରିବ। ପଶୁମାନେ ଶୌଚକର୍ମ ଅନୁସରଣ କରିପାରିବେ ନାହିଁ, ପ୍ରକୃତି ସେମାନଙ୍କୁ ସେପରି ତିଆରି କରି ନାହିଁ କିନ୍ତୁ ମଣିଷମାନେ ସଂପୂର୍ଣ୍ଣ ରୂପେ ଅନୁସରଣ କରିପାରିବେ। ଯେଉଁ ବ୍ୟକ୍ତି ସ୍ୱଚ୍ଛତା ଅନୁସରଣ କରେ ନାହିଁ, ତାକୁ ପଶୁ ସମାନ କୁହାଯାଏ।
ଅଦ୍ରୋହ
ଜୀବନରେ କାହା ପ୍ରତି ଦ୍ରୋହ ରହିବା ଉଚିତ୍ ନୁହେଁ, ଅର୍ଥାତ୍ କାହାକୁ ଶତ୍ରୁ ମନେ କରିବା ନାହିଁ। ଅନ୍ୟ ବ୍ୟକ୍ତି ମାନନ୍ତୁ ବା ନ’ମାନନ୍ତୁ, ବିଶ୍ୱାସ କରନ୍ତୁ ବ ନ’କରନ୍ତୁ, ଆମେ ଜୀବନରେ କାହାକୁ ଶତ୍ରୁ ବୋଲି ଭାବିବା ଉଚିତ୍ ନୁହେଁ ।
ନାତିମାନିତା
ଜୀବନରେ ମାନ କିମ୍ବା ସମ୍ମାନ ପାଇବାର ଇଚ୍ଛା ରହିବା ଉଚିତ୍ ନୁହେଁ। ଯଦି ଜୀବନକୁ ଈଶ୍ୱରମୟ କରିବାର ଇଚ୍ଛା ଅଛି, ତେବେ ତୁମର ବଡ଼ ବଡ ଆଶା ତ୍ୟାଗ କରିବା ଉଚିତ୍। ନିଜ ବ୍ୟବହାର ପାଇଁ କିମ୍ବା ଘର ପାଇଁ ସର୍ବଦା ନାମିଦାମୀ(ବ୍ରାଣ୍ଡେଡ୍) ଜିନିଷ ରଖିବା ପାଇଁ ମନରେ କୌଣସି ଉତ୍ସାହ ରହିବା ଉଚିତ୍ ନୁହେଁ। ଶ୍ରୀ ଭଗବାନ କୁହନ୍ତି, “ହେ ଅର୍ଜୁନ, ଦୈବୀ ସମ୍ପଦ ରୂପକ ଉପରୋକ୍ତ ଛବିଶଟି ଗୁଣକୁ ନେଇ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ଏହି ସବୁ ଐଶ୍ୱରୀୟ ଲକ୍ଷଣ ଥାଏ।
ଦମ୍ଭୋ ଦର୍ପୋଽଭିମାନଶ୍ଚ, କ୍ରୋଧଃ(ଫ୍) ପାରୁଷ୍ୟମେବଚ
ଅଜ୍ଞାନଂ(ଞ୍) ଚାଭିଜାତସ୍ୟ, ପାର୍ଥ ସମ୍ପଦମାସୁରୀମ୍।।4।।
ବିବେଚନ→
ଜଣେ ଫରାରୀ କାର୍ showroom ଯାଇ ସେହି ମୂଲ୍ୟବାନ ଗାଡି ଆଗରେ ଠିଆହୋଇ ନିଜର ଫଟୋ ନେଇ ତାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା - ସେହି ବ୍ୟକ୍ତିଙ୍କର ବୃଥା ଦର୍ପର ପରିଚୟ ଦିଏ। ଯେଉଁ ବସ୍ତୁ ନିଜର ନୁହେଁ ତାକୁ ନିଜର ଵୋଲି ଦେଖେଇ ହେବା ଏବଂ ପଚାରିଲେ କେବଳ ହସିଦେବା ତାକୁ ଦର୍ପ କୁହାଯାଏ। ଯେପରି ମୁଁ ବହୁତ ବୁଦ୍ଧିମାନ୍, ମୁଁ ବହୁତ ସୁନ୍ଦର ବା ରୂପବାନ୍, ବହୁତ ଶକ୍ତିଶାଳୀ ମୋର ବହୁତ ସମ୍ପର୍କ ଅଛି, ଏସବୁକୁ ଅଭିମାନ କୁହାଯାଏ। ନିଜ ଭିତରେ କ୍ରୋଧକୁ ପାଳିବା ଆସୁରୀ ସ୍ୱଭାବର ଲକ୍ଷଣ ।
“ପାରୁଷ୍ୟ” ଅର୍ଥାତ୍ କଠୋରତା ବା କୋମଳତାର ଅଭାବ । ଅନେକ ବ୍ୟକ୍ତି କଠୋର ସ୍ୱଭାବର ହୋଇଥାନ୍ତି ସେମାନେ ସହଜରେ ନରମ ହୁଅନ୍ତି ନାହିଁ।
କିଛିବ୍ୟକ୍ତି ନିଜେ ଅଜ୍ଞାନ ବୋଲି ମଧ୍ୟ ଜାଣି ପାରନ୍ତି ନାହିଁ ନିଜର ଅଜ୍ଞାନକୁ ଯଥାର୍ଥ ଭାଵେ ବୁଝିପାରନ୍ତି ନାହିଁ, କୌଣସି ବିଷୟର ଅଳ୍ପ ଜ୍ଞାନ ହୋଇଗଲେ ନିଜକୁ ବହୁତ ଜ୍ଞାନୀ ଭାବନ୍ତି। ଜଣେ ଜ୍ଞାନୀ ଏକ ସୁନ୍ଦର କଥା କହିଛନ୍ତି :
“ମୁଁ ଯେତେବେଳେ ପଢିକରି ଜ୍ଞାନ ଆହରଣ କଲି ସେତେବେଳେ ମୋତେ ଜଣାପଡିଲା ମୁଁ କେତେ ଅଜ୍ଞାନୀ ଥିଲି ଓ ବହୁତ କିଛି ଜାଣିନଥିଲି।”
अपने अज्ञान को नहीं पहचानना, आसुरी प्रवृत्ति है।
ଦୈବୀ ସମ୍ପଦ୍ବିମୋକ୍ଷାୟ, ନିବନ୍ଧାୟାସୁରୀ ମତା
ମା ଶୁଚଃ(ସ୍) ସମ୍ପଦଂ(ନ୍) ଦୈବୀମ୍, ଅଭିଜାତୋଽସି ପାଣ୍ଡବ।।5।।
ବିବେଚନ →
ଦୈବୀ ସମ୍ପଦ ମୁକ୍ତିକାରକ ଓ ଆସୁରୀ ସମ୍ପଦ ବନ୍ଧନରେ ପକାଇଥାଏ ବୋଲି ସ୍ୱୀକାର କରାଯାଇଛି। “ହେ ଅର୍ଜୁନ ! ତୁମେ ଦୈବୀ ସମ୍ପଦ ନେଇ ଜନ୍ମ ଗ୍ରହଣ କରିଛ, ତେଣୁ ଶୋକ କରନାହିଁ ବୋଲି ଭଗବାନ ସାନ୍ତ୍ୱନା ଦେଇଛନ୍ତି।”
ଦ୍ୱୌ ଭୂତସର୍ଗୌ ଲୋକେଽସ୍ମିନ୍, ଦୈବ ଆସୁର ଏବ ଚ
ଦୈବୋ ବିସ୍ତରଶଃ(ଫ୍) ପ୍ରୋକ୍ତ, ଆସୁରଂ(ମ୍) ପାର୍ଥ ମେ ଶ୍ରୁଣୁ।।6।।
ବିବେଚନ →
ଭଗବାନ କହନ୍ତି ହେ ଅର୍ଜୁନ! ଇହଲୋକରେ ସମସ୍ତ ଭୂତାତ୍ମାଙ୍କ ଉତ୍ପତ୍ତି ଦୁଇ ପ୍ରକାର, ଅର୍ଥାତ୍ ମନୁଷ୍ୟ ସମୁଦାୟ ଦୁଇ ପ୍ରକାରର - ଗୋଟିଏ ଦୈବୀ ପ୍ରକୃତିର ଓ ଅନ୍ୟଟି ଆସୁରୀ ପ୍ରକୃତିର। ଏମାନଙ୍କ ମଧ୍ୟରୁ ଦୈବୀ ପ୍ରକୃତି ବିଷୟରେ ବିସ୍ତୃତଭାବରେ କୁହାଯାଇଛି ବର୍ତ୍ତମାନ ତୁମେ ଆସୁରୀ ପ୍ରକୃତିର ମନୁଷ୍ୟମାନଙ୍କ ବିଷୟରେ ବିସ୍ତାର ପୂର୍ବକ ଶୁଣ”। ଆମମାନଙ୍କ ଭିତରେ କେଉଁ କେଉଁ ଆସୁରୀ ପ୍ରବୃତ୍ତି ଅଛି, ତାହାଉପରେ ଧ୍ୟାନ ଦେବାପାଇଁ ଭଗବାନ କହୁଛନ୍ତି।
ପ୍ରବୃତ୍ତିଂ(ଞ୍) ଚ ନିବୃତ୍ତିଂ(ଞ୍) ଚ, ଜନା ନ ବିଦୁରାସୁରାଃ
ନ ଶୌଚଂ(ନ୍) ନାପି ଚାଚାରୋ, ନ ସତ୍ୟଂ(ନ୍) ତେଷୁ ବିଦ୍ୟତେ।।7।।
ବିବେଚନ →
ଭଗବାନ କହୁଛନ୍ତି, ହେ ଅର୍ଜୁନ! ଆସୁରୀ ସ୍ଵଭାବର ମନୁଷ୍ୟମାନେ ପ୍ରବୃତ୍ତି ଓ ନିବୃତ୍ତି ବିଷୟରେ ଜାଣନ୍ତି ନାହିଁ, ଅର୍ଥାତ୍ କଣ କରିବା କଥା ଏବଂ କଣ ନ କରିବା କଥା କିଛି ଜାଣନ୍ତି ନାହିଁ। ତାଙ୍କର ବାହ୍ୟ ଅନ୍ତ ଶୁଦ୍ଧି ନଥାଏ। କେତେବେଳ କଣ କହିବା ଉଚିତ କଣ କହିବା ଅନୁଚିତ ଜାଣନ୍ତି ନାହିଁ। ସେମାନଙ୍କର ଆଚରଣରେ ଶୁଦ୍ଧତା ନଥାଏ, ସେମାନଙ୍କଠାରେ ସତ୍ୟଭାଷଣ ମଧ୍ୟ ନଥାଏ।
ଅସତ୍ୟମପ୍ରତିଷ୍ଠଂ(ନ୍) ତେ, ଜଗଦାହୁରନୀଶ୍ୱରମ୍
ଅପରସ୍ପରସମ୍ଭୁତଂ(ଙ୍), କିମନ୍ୟତ୍କାମହୈତୁକମ୍।।8।।
ବିବେଚନ →
ଭଗବାନ କହୁଛନ୍ତି ହେ ଅର୍ଜୁନ ! ଆସୁରୀ ପ୍ରବୃତ୍ତିର ଲୋକମାନେ ଏହି ଜଗତକୁ ଆଶ୍ରୟ ରହିତ ବୋଲି ଭାବନ୍ତି ଏବଂ ସର୍ବଦା ଅସତ୍ୟ ଓ ଈଶ୍ଵର ରହିତ ମନେକରନ୍ତି । ସେମାନେ ଭାବନ୍ତି ମୁନିଋଷିମାନଙ୍କ ମାଧ୍ୟମରେ ରାମ ଓ କୃଷ୍ଣଙ୍କୁ କାଳ୍ପନିକ ସୃଷ୍ଟି କରି କିଛି ଗ୍ରନ୍ଥ ଲେଖାଯାଇଛି। ଏସବୁର କିଛି ସତ୍ୟତା ନାହିଁବୋଲି ଭାବନ୍ତି। ଏହି ଆସୁରୀ ସ୍ୱଭାବର ଲୋକମାନେ ଭାବନ୍ତି ସ୍ତ୍ରୀ ପୁରୁଷଙ୍କର ପରସ୍ପର କାମୁକସମ୍ବନ୍ଧରୁ ଏହିସୃଷ୍ଟିର ରଚନା ହୋଇଛି,ଏହାଛଡା ଆଉ କିଛି ନୁହେଁ।
ଏତାଂ(ନ୍) ଦୃଷ୍ଟିମବଷ୍ଟଭ୍ୟ, ନଷ୍ଟାତ୍ମାନୋଽଲ୍ପବୁଦ୍ଧୟଃ
ପ୍ରଭବନ୍ତ୍ୟୁଗ୍ରକର୍ମାଣଃ, କ୍ଷୟାୟ ଜଗତୋଽହିତାଃ।।9।।
ବିବେଚନ →
ଭଗବାନ କହୁଛନ୍ତି ଏହି ଭୁଲ୍ ଦୃଷ୍ଟିକୋଣ ଅବଲମ୍ବନ କରି ଯେଉଁମାନଙ୍କର ସ୍ଵଭାଵ ନଷ୍ଟ ହୋଇଗଲାଣି ଓ ଯେଉଁମାନଙ୍କର ବୁଦ୍ଧି ମନ୍ଦ, ସମସ୍ତଙ୍କର ଅପକାର ଚିନ୍ତା କରିବା ବାଲା ସେହି କୁକର୍ମୀ ମନୁଷ୍ୟମାନେ କେବଳ ଜଗତର ବିନାଶ କରିବାକୁ ହିଁ ସମର୍ଥ ହୋଇଥାନ୍ତି।
କାମମାଶ୍ରିତ୍ୟ ଦୁଷ୍ପୁରଂ(ନ୍), ଦମ୍ଭମାନମଦାନ୍ୱିତାଃ
ମୋହାଦ୍ଗୃହିତ୍ୱାସଦ୍ଗ୍ରାହାନ୍, ପ୍ରବର୍ତ୍ତନ୍ତେଽଶୁଚୀବ୍ରତାଃ।।10।।
ବିବେଚନ →
ସେହି ଦମ୍ଭ, ମାନ ଓ ମଦଯୁକ୍ତ ମନୁଷ୍ୟମାନେ କୌଣସି ପ୍ରକାର ପୂର୍ଣ୍ଣ ନ ହେଉଥିବା କାମନାମାନଙ୍କୁ ଆଶ୍ରୟକରି ଅଜ୍ଞାନ ବଶତଃ ଭୁଲ ସିଦ୍ଧାନ୍ତ ଗ୍ରହଣ କରି, ଭ୍ରଷ୍ଟ ଆଚରଣ ଧରି ସଂସାରରେ ବିଚରଣ କରନ୍ତି। ନିଜ କାମନା ପୂର୍ଣ୍ଣ କରିବାପାଇଁ ଆସୁରୀ ସ୍ୱଭାବର ମନୁଷ୍ୟମାନେ ମନରେ ଦୃଢ ସଂକଳ୍ପ ରଖି ଭ୍ରଷ୍ଟ ଆଚରଣ ଦ୍ୱାରା ଜୀବନ ଧାରଣ କରି ରହିଥାନ୍ତି।
ଚିନ୍ତାମପରିମେୟାଂ(ଞ) ଚ, ପ୍ରଲୟାନ୍ତାମୁପାଶ୍ରିତାଃ
କାମୋପଭୋଗପରମା, ଏତାବଦିତି ନିଶ୍ଚିତାଃ।।11।।
ବିବେଚନ →
ସେମାନେ ମୃତ୍ୟୁ ପର୍ଯନ୍ତ ଅସଂଖ୍ୟ ଚିନ୍ତାରେ ବୁଡିରହି ଓ କେବଳ ଚିନ୍ତାକୁ ଆଶ୍ରୟ କରି ସଂସାରରେ ବିଷୟ ଭୋଗ ପରାୟଣ ହୋଇ ଏହା ହିଁ ସୁଖବୋଲି ମନେକରନ୍ତି। ସେମାନଙ୍କ ଜୀବନ ଭୋଗପରାୟଣ ହୋଇଥାଏ ; ସେମାନେ ନିଶ୍ଚୟ ନେଇଥାନ୍ତି ଯେ ଯାହାକିଛି ଅଛି ତାକୁ କେଵଳ ଭୋଗକରିବା କଥା ଏବଂ ଏହିଥିରେ ହିଁ ଲାଗିରହିବା ତାଙ୍କର ଏକମାତ୍ର ଲକ୍ଷ୍ୟ ହୋଇଥାଏ।
ଆଶାପାଶଶତୈର୍ବଦ୍ଧାଃ(ଖ୍), କାମକ୍ରୋଧପରାୟଣାଃ
ଈହନ୍ତେ କାମଭୋଗାର୍ଥମ୍, ଅନ୍ୟାୟେନାର୍ଥସଞ୍ଚୟାନ୍।।12।।
ବିବେଚନ →
ଶତ ଶତ ଆଶା ଫାଶରେ ଆବଦ୍ଧ ହୋଇଥିବା ସେହି ଅଜ୍ଞାନୀ ମନୁଷ୍ୟମାନେ କାମକ୍ରୋଧ ପରାୟଣ ହୋଇ ବିଷୟ ଭୋଗପାଇଁ ଅନ୍ୟାୟପୂର୍ବକ ଧନାଦି ସଂଗ୍ରହ କରିବାର ଚେଷ୍ଟାରେ ଲାଗିରହିଥାନ୍ତି। ଭଗବାନ ଏଠାରେ କହୁଛନ୍ତି, ମନୁଷ୍ୟର ସବୁ କାରଣ ଆଶା ଦ୍ୱାରା ସୃଷ୍ଟି ହୋଇଥଏ। ଆମେ ଜୀବନରେ ଯେତେ ଆଶା ଆକାଙ୍କ୍ଷା କରିବା ସେତେ ବେଶୀ ପାପ କରିବସିବା। ଏହାଦ୍ୱାରା ଧନର ଆବଶ୍ୟକତା ଅଧିକ ବଢିଯାଏ ଏବଂ ମନୁଷ୍ୟ ଯେ କୌଣସି ଉପାୟରେ ଧନପ୍ରାପ୍ତି ପାଇଁ ଚେଷ୍ଟା କରେ। ବିଷୟ ଉପଭୋଗ ପାଇଁ ନିଜ ପରିବାର ଏବଂ ଭାଇ ବନ୍ଧୁଙ୍କ ସହ କଳହ କରି ଅନ୍ୟାୟ ଦ୍ୱାରା ଅର୍ଥ ଉପାର୍ଜନ କରିବାରେ ଲାଗିପଡେ। ଏଭଳି ଆଶା ଯିଏ ରଖେ, ସେ ତାର ଆଶାରେ କେବେ ସନ୍ତୁଷ୍ଟ ହୁଏ ନାହିଁ ଏବଂ ସବୁବେଳେ ନୂତନ ଆଶା ପ୍ରତି ଆସକ୍ତ ହୋଇପଡେ। ସବୁବେଳେ ବିଭିନ୍ନ ପ୍ରକାର ଆଶାରେ ବାନ୍ଧିହୋଇ ନିଜ ଜୀବନକୁ ନଷ୍ଟ କରିଦିଅନ୍ତି ଓ ଶେଷରେ କିଛି ପାଆନ୍ତି ନାହିଁ, କେବଳ ଦୁଃଖ ଭୋଗୁଥାନ୍ତି।
ଇଦମଦ୍ୟ ମୟା ଲବ୍ଧମ୍, ଇମ୍(ମ୍) ପ୍ରାପ୍ସ୍ୟେ ମନୋରଥମ୍
ଇଦମସ୍ତୀଦମପି ମେ, ଭବିଷ୍ୟତି ପୁନର୍ଧନମ୍।।13।।
ବିବେଚନ →
ସେମାନେ ଭାବନ୍ତି ଆଜି ମୁଁ ଏହା ପାଇଗଲେ ମୋ ମନୋରଥ ପୂର୍ଣ୍ଣ ହୋଇଯିବ। ଆଜି ଏତକ ଧନ ଅର୍ଜନ କଲି ପୁଣି କାଲି ଆହୁରି ଧନ ଅର୍ଜନ କରିବି ସେସବୁ ମଧ୍ୟ ମୋର ହୋଇଯିବ, ଏଭଳି ଆଶା କରି କରି କେବେହେଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ସନ୍ଥମୁନି ଏକ ସୁନ୍ଦର ଉଦାହରଣ ଦେଇଛନ୍ତି -
ମନୁଷ୍ୟ ଯେତେ ଧନୀ ହୋଇ ଚାଲିଥାଏ, ସେ ସେତେ ଗରିବ ମନେକରେ ଏବଂ ଧନରେ ସନ୍ତୁଷ୍ଟ ନହୋଇ କରଜ କରି ବସେ। ଏହାଦ୍ୱରା ସେ ଆହୁରି ଧନ ବଢାଇବା ଚେଷ୍ଟାରେ ଲାଗିଥାଏ।
ଅସୌ ମୟା ହତଃ(ଶ୍) ଶତୃଃ(ର୍), ହନିଷ୍ୟେ ଚାପରାନପି
ଈଶ୍ୱରୋଽହମହଂ(ମ୍) ଭୋଗୀ, ସିଦ୍ଧୋଽହଂ(ମ୍) ବଲବାନ୍ସୁଖୀ।।14।।
ବିବେଚନ →
ଆଶାରେ ବୁଡି ରହିଥିବା ମଣିଷର ଗର୍ବ ଦେଖ ! ସେ ଭାବେ ମୋର ସବୁ ଶତ୍ରୁଙ୍କୁ ମୁଁ ନିପାତ କରିଦେଇଛି ଅନ୍ୟ ଶତ୍ରୁଙ୍କୁ ମଧ୍ୟ ଦମନ କରିଦେବି, ମୁଁ ଈଶ୍ୱର, ମୁଁ ଐଶ୍ଵର୍ଯ୍ୟବାନ୍ ମୁଁ ସମସ୍ତ ସିଦ୍ଧିଯୁକ୍ତ, ମୁଁ ବଳବାନ୍, ଏ ଛଳ ସଂସାରରେ ନିଜକୁ ସବୁଠୁ ସୁଖୀ ବୋଲି ଭାବି ଗର୍ବକରେ।
ହିରଣ୍ୟକଶ୍ୟପକୁ ମନେପକାନ୍ତୁ, ସେ ନିଜକୁ ଭଗବାନ ଭାବି ଶ୍ରୀ ବିଷ୍ଣୁଙ୍କର ମୂର୍ତ୍ତିକୁ ଭାଙ୍ଗିଦେଇ ନିଜ ମୂର୍ତ୍ତି ସ୍ଥାପନ କରି ଦମ୍ଭରେ କହିବାକୁ ଲାଗିଲା ମୁଁ ଭଗବାନ ମୋତେ ପୂଜାକର।
ଆଢ୍ୟୋଽଭିଜନବାନସ୍ମି, କୋଽନ୍ୟୋଽସ୍ତି ସଦୃଶୋ ମୟା
ୟକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟ, ଇତ୍ୟଜ୍ଞାନବିମୋହିତାଃ।।15।।
ଅନେକଚିତ୍ତବିଭ୍ରାନ୍ତା, ମୋହଜାଲସମାବୃତାଃ
ପ୍ରସକ୍ତାଃ(ଖ୍) କାମଭୋଗେଷୁ, ପତନ୍ତି ନରକେଽଶୁଚୌ।।16।।
ବିବେଚନ →
ଦମ୍ଭ ଦ୍ୱାରା ମଣିଷ ନିଜକୁ ଭାବେ ସେ ବହୁତ ଧନୀ ସେ ସବୁବେଳେ ଆତ୍ମବଡିମା ଦେଖାଇ କହେ ମୁଁ ବଡ ଧନୀ, ମୁଁ ବିରାଟ କୁଟୁମ୍ବୀ, ମୋ ଠାରୁ କେହି ଅଧିକ ବଳବାନ୍ ଜଗତରେ ନାହିଁ। ଏପରି ଭାବରେ ଅଜ୍ଞାନରେ ମୋହିତ ଅନେକ ପ୍ରକାର ବିଭ୍ରାନ୍ତ ଚିତ୍ତ ମୋହରୂପୀ ଜାଲରେ ଆବଦ୍ଧ, ବିଷୟଭୋଗରେ ଅତ୍ୟନ୍ତ ଆସକ୍ତ ଆସୁରୀ ସ୍ଵଭାବର ମାନବ ଅତ୍ୟନ୍ତ ଅପବିତ୍ର। ସେମାନେ ନରକରେ ପଡନ୍ତି ଓ ଦୁର୍ଗତିରେ ପଡ଼ିଥାନ୍ତି ଏବଂ ସଂସାରର ମୋହଜାଲରେ ଆବଦ୍ଧ ହୋଇଯାନ୍ତି ।
ଆତ୍ମସମ୍ଭାବିତାଃ(ସ୍) ସ୍ତବ୍ଧା, ଧନମାନମଦାନ୍ୱିତାଃ
ୟଜନ୍ତେ ନାମ ୟଜ୍ଞୈସ୍ତେ, ଦମ୍ଭେନାବିଧିପୂର୍ବକମ୍।।17।।
ବିବେଚନ →
ନିଜେ ନିଜକୁ ଶ୍ରେଷ୍ଠ ମନେକରୁଥିବା ସେହି ଗର୍ବୀ ପୁରୁଷମାନେ ଧନ ଓ ମାନର ମଦରେ ବୁଡି କେବଳ ନାମମାତ୍ର ଯଜ୍ଞଦ୍ୱାରା ମିଥ୍ୟା ଆଡମ୍ବର ପୂର୍ବକ ଶାସ୍ତ୍ରବିଧି ରହିତ ଉପାସନା କରନ୍ତି, ଯେଉଁମାନେ ନିଜେ ନିଜକୁ ସବୁକଥାରେ ଶ୍ରେଷ୍ଠ, ସମ୍ମାନନୀୟ ପୂଜ୍ୟ ମାନନ୍ତି ସେମାନେ ନିଜର ଆତ୍ମ ସମ୍ମାନରେ ଗର୍ବିତ ହୋଇ ସାମାନ୍ୟତମ ବିନୟ ବ୍ୟବହାର ମଧ୍ୟ ଜାଣନ୍ତି ନାହିଁ, ସେମାନେ ଶାସ୍ତ୍ରବିଧି ପାଳନ ନକରି ଯଜ୍ଞ ଉପାସନା କରନ୍ତି । ଏଭଳି ଲକ୍ଷଣଯୁକ୍ତ ଆସୁରୀ ସ୍ଵଭାବର ମନୁଷ୍ୟମାନେ ଯେଉଁ ଯଜ୍ଞ କରନ୍ତି ସେମାନେ ତାହା ନାମକୁ ମାତ୍ର। ଅର୍ଥାତ୍ ସେମାନେ ବିନା ଶ୍ରଦ୍ଧାରେ କେବଳ ଲୋକଙ୍କୁ ଦେଖାଇବାପାଇଁ ଯଜ୍ଞ କରନ୍ତି। ସେହି ଯଜ୍ଞଦ୍ୱାରା ସେମାନଙ୍କର ଅଧୋଗତି ହୋଇଥାଏ। ଏହିପ୍ରକାର ତାମସ ଯଜ୍ଞ ଅନେକ ପେଣ୍ଡାଲ ଗୁଡାକରେ ଦେଖିବାକୁ ମିଳେ। ଏପରିକି ନିଜେ ଆୟୋଜନ କର୍ତ୍ତା ଗଣେଶଙ୍କ ଏକ ଛୋଟିଆ ମୂର୍ତ୍ତି ରଖି ନିଜର ଏକ ବଡ଼ ଫୋଟୋ ଗଣପତିଙ୍କ ବିଗ୍ରହ ପାଖରେ ରଖିଥାନ୍ତି। ଅନେକ ଦେବୀ ପେଣ୍ଡାଲରେ ମଧ୍ୟ ଅନେକ ଅଭଦ୍ର ଫିଲ୍ମି ଗୀତ ଲଗାଇ ଉନ୍ମତ୍ତ ହୋଇ ନାଚୁଥାନ୍ତି । ଏସବୁ ଆସୁରୀ ପ୍ରକୃତି ଦ୍ୱାରା ସମ୍ଭବ ହୋଇଥାଏ, ସେଠାରେ ଅନେକ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଏସବୁର ପ୍ରତିରୋଧ କରନ୍ତି ନାହିଁ।
ଅହଙ୍କାରଂ(ମ୍) ବଲଂ(ନ୍) ଦର୍ପ(ଙ୍), କାମ(ଙ୍) କ୍ରୋଧଂ(ଞ୍ଚ) ଚ ସଂଶ୍ରିତାଃ
ମାମାତ୍ମପରଦେହେଷୁ, ପ୍ରଦ୍ୱିଷନ୍ତୋଽଭ୍ୟସୂୟକାଃ।।18।।
ବିବେଚନ →
ଆସୁରୀ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ମିଥ୍ଯା ଅହଂକାର, ବଳ, ଦର୍ପ, କାମ କ୍ରୋଧର ବଶବର୍ତ୍ତୀ ହୋଇ ଅନ୍ୟକୁ ଈର୍ଷା କରେ। ପ୍ରକାରାନ୍ତରେ ଅନ୍ୟର ଶରୀରରେ ଥିବା ପରମ ପୁରୁଷ ଭଗବାନଙ୍କୁ ଈର୍ଷା କରେ। ଯେଉଁ ଭଗବାନ୍ ତାର ନିଜ ଶରୀରରେ ତଥା ଅନ୍ୟ ଶରୀରମାନଙ୍କରେ ପରମାତ୍ମା ରୂପରେ ବିଦ୍ୟମାନ ଥାନ୍ତି ସେହି ଅନ୍ତର୍ଯ୍ୟାମୀ ଭଗବାନଙ୍କୁ ହିଂସା ବା ଦ୍ୱେଷ କରେ ଏବଂ ପ୍ରକୃତ ଧର୍ମନୀତିକୁ ନିନ୍ଦା କରେ।
ତାନହଂ(ନ୍) ଦ୍ୱିଶତଃ(ଖ୍) କ୍ରୂରାନ୍, ସଂସାରେଷୁ ନରାଧମାନ୍
କ୍ଷିପାମ୍ୟଜସ୍ରମଶୁଭାନ୍, ଆସୁରୀଷ୍ୱେବ ୟୋନିଷୁ।।19।।
ବିବେଚନ →
ଭଗବାନ କୁହନ୍ତି, “ଯେଉଁମାନେ ଈର୍ଷା ଓ ଦ୍ୱେଷଯୁକ୍ତ, ଦୁଷ୍ଟ, କ୍ରୁର, ପାପାଚାରୀ, ନରାଧମ, ସେମାନଙ୍କୁ ମୁଁ ଏହି ଭୌତିକ ସଂସାରରେ ବାରମ୍ବାର ଆସୁରୀ ଯୋନିରେ ଜନ୍ମ ଦିଏ।”
ଆସୁରୀ(ୟ୍ଁ) ୟୋନିମାପନ୍ନା, ମୂଢା ଜନ୍ମନି ଜନ୍ମନି।
ମାମପ୍ରାପ୍ୟୈବ କୌନ୍ତେୟ, ତତୋ ୟାନ୍ତ୍ୟଧମାଂ(ଙ୍) ଗତିମ୍॥16.20॥
ବିବେଚନ →
ଶ୍ରୀ ଭଗବାନ୍ କହୁଛନ୍ତି, ହେ କୁନ୍ତୀ ପୁତ୍ର ଅର୍ଜୁନ ! ମୂଢ ମନୁଷ୍ଯ ତାହାର ଅଜ୍ଞାନତା ପାଇଁ ମୋତେ ପ୍ରାପ୍ତ କରିପାରେ ନାହିଁ ଏବଂ ଜନ୍ମ ଜନ୍ମ ଧରି ଆସୁରୀ ଯୋନିରେ ଜନ୍ମ ଗ୍ରହଣ କରିଥାଏ। ତା ଉପରେ ସେ ଅଧିକ ଅଧମ ବା ନୀଚଯୋନିକୁ ପ୍ରାପ୍ତ ହୁଏ। ଅର୍ଥାତ୍ ଘୋର ନର୍କକୁ ଚାଲିଯାଏ।
ତ୍ରିବିଧଂ(ନ୍) ନରକସ୍ୟେଦଂ(ନ୍), ଦ୍ୱାରଂ(ନ୍) ନାଶନମାତ୍ମନଃ
କାମଃ(ଖ୍) କ୍ରୋଧସ୍ତଥା ଲୋଭ(ସ୍), ତସ୍ମାଦେତତ୍ତ୍ରୟଂ(ନ୍) ତ୍ୟଜେତ୍।।21।।
ବିବେଚନ →
ଶ୍ରୀଭଗବାନ୍ କହୁଛନ୍ତି, କାମ, କ୍ରୋଧ, ଲୋଭ ଏହା ତିନି ପ୍ରକାର ନର୍କର ଦ୍ୱାର ଅଟେ। ଏଠାରେ ଟିକିଏ ମନରେ ସନ୍ଦେହ ଆସେ, ଆମ ମନରେ ମଧ୍ୟ କାମ, କ୍ରୋଧ, ଲୋଭ ଅଛି, ଆମେ କଣ ନର୍କକୁ ଯିବା? କାମନାର ବେଗ ସମସ୍ତ ମନୁଷ୍ଯ ମନରେ ଆସିବ। ଏହା ମଧ୍ଯ ସ୍ୱାଭାବିକ ଅଟେ। କିନ୍ତୁ ଯିଏ ଏହି ବେଗକୁ ରୋକିପାରେ ନାହିଁ ସିଏ ନର୍କଗାମୀ ହୁଏ। ମନୁଷ୍ଯ ମନରେ କ୍ରୋଧ ଲୋଭ ମଧ୍ଯ ରହିଛି। ଯଦି ମନୁଷ୍ଯ ଏହାକୁ ରୋକି ପାରେ ନାହିଁ, ତେବେ ସିଏ ମଧ୍ଯ ନର୍କକୁ ଯାଇଥାଏ। ଏହି ସମସ୍ତ ଗୁଣ ଆମକୁ ପତନୋନ୍ମୁଖୀ କରି ଥାଏ। ତେଣୁ ଏହାକୁ ତ୍ଯାଗ କରି ଦେବା ଉଚିତ୍। ଏଠାରେ ମନୁଷ୍ଯର ପ୍ରବୃତ୍ତି ଓ ନିବୃତ୍ତି ବିଷୟରେ କୁହାଯାଇଛି।
ଏତୈର୍ବିମୁକ୍ତଃ(ଖ୍) କୌନ୍ତେୟ, ତମୋଦ୍ୱାରୈସ୍ତ୍ରୀଭିର୍ନରଃ
ଆଚରତ୍ୟାତ୍ମନଃ(ଶ୍) ଶ୍ରେୟଃ(ସ୍), ତତୋ ୟାତି ପରାଂ ଗତିମ୍।।22।।
ବିବେଚନ →
ଭଗବାନ କୁହନ୍ତି, ହେ ଅର୍ଜୁନ! ହେ କୁନ୍ତୀ-ନନ୍ଦନ! ନର୍କର ଏହି ତିନୋଟି ଦ୍ୱାରରୁ ମୁକ୍ତ ବ୍ୟକ୍ତି ନିଜର କଲ୍ୟାଣ ଉଦ୍ଦେଶ୍ୟରେ ଆଚରଣ କରିଥାନ୍ତି ଓ ଏହି ପ୍ରକାରେ ସେ ପରମଗତିକୁ ପ୍ରାପ୍ତ କରନ୍ତି । ଅନ୍ତିମ ଦୁଇଟି ଶ୍ଳୋକରେ, ଭଗବାନ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନ ସୂତ୍ର ଦିଅନ୍ତି । ଆମ ମଧ୍ୟରୁ ଅନେକ, ଯେଉଁମାନେ ନିଜକୁ ଧାର୍ମିକ ଭାବନ୍ତି ଏବଂ ସତ୍ସଙ୍ଗୀ ବୋଲି ମାନନ୍ତି, ତାଙ୍କ ଦ୍ୱାରା ମଧ୍ୟ ଏପରି ତୃଟି ହୋଇ ଥାଏ। ଏଭଳି ତ୍ରୁଟି ବିରୋଧରେ ଶ୍ରୀ ଭଗବାନ୍ ଚେତାବନୀ ଦେଇଛନ୍ତି।
ୟଃ(ଶ୍) ଶାସ୍ତ୍ରବିଧିମୁତ୍ସୃଜ୍ୟ, ବର୍ତତେ କାମକାରତଃ
ନ ସ ସିଦ୍ଧିମବାପ୍ନୋତି, ନ ସୁଖଂ(ନ୍) ନ ପରାଂ(ଙ୍) ଗତିମ୍।।23।।
ବିବେଚନ →
ହେ ଅର୍ଜୁନ, ଯିଏ ଶାସ୍ତ୍ରଵିଧି ତ୍ୟାଗ କରି ନିଜ ଇଚ୍ଛା ମୁତାବକ ମନମୁଖୀ ଆଚରଣ କରେ, ନା ସେ ସିଦ୍ଧି ପ୍ରାପ୍ତି କରିପାରେ , ନା ସୁଖ-ଶାନ୍ତି ଲାଭ କରିପାରିବାର ସୁଯୋଗ ପାଇପାରେ, ନା ପରମ ପ୍ରଗତି ପ୍ରାପ୍ତ କରିଥାଏ। ଆଜିକାଲି ଆମେ ବିଭିନ୍ନ ମାଧ୍ୟମରେ ଜ୍ଞାନ ଆହରଣ କରିପାରୁଛୁ ଆଉ ଏହା ହୃଦୟଙ୍ଗମ କରୁଛୁ କି ଆମର ଜ୍ଞାନର ସ୍ତର ବିକାଶ ଆଡକୁ ଅଗ୍ରସର ହୋଇଛି। କିନ୍ତୁ ପ୍ରକୃତରେ, ଏହି କାରଣରୁ, ମନୁଷ୍ୟ ନିଜର ବୁଦ୍ଧିର ବିକାଶକୁ ନେଇ ଭ୍ରମରେ ପଡିଥାଏ। ଯେଉଁମାନେ ନିଜକୁ ଅତ୍ୟଧିକ ଶିକ୍ଷିତ ବୋଲି ଭାବନ୍ତି ସେମାନେ ମଧ୍ୟ ଶାସ୍ତ୍ରର ପରମ୍ପରାକୁ ଉପେକ୍ଷା କରିବା ଆରମ୍ଭ କରିଥାନ୍ତି। ଏହା ସ୍ୱୟଂ ପରମପୂଜ୍ୟ ସ୍ୱମୀଜୀ କୁହନ୍ତି। ଆପଣ ଅନେକ ଲୋକଙ୍କୁ ପାଇବେ ଯେଉଁମାନେ କୁହନ୍ତି, ଆମେ କାହିଁକି ଏହି ଶ୍ରାଦ୍ଧ ପ୍ରଦାନ କରିବୁ? କିଏ ଦେଖିଛି ଯେ ଏହି ସବୁ କର୍ମ କଲେ ତାହା ଯେ ପୂର୍ବଜମାନଙ୍କୁ ପ୍ରାପ୍ତି ହେଉଛି ? ଆମେ ଅନାଥ ଆଶ୍ରମକୁ ଯାଇ ପିଲାମାନଙ୍କୁ ଭୋଜନ ଇତ୍ୟାଦି କରାଇଥାଉ, ପରନ୍ତୁ ଶ୍ରାଦ୍ଧ ଦିନ, ଯଦି ଆପଣ ଏକ ଅନାଥ ଆଶ୍ରମକୁ ଯାଇ ପିଲାମାନଙ୍କୁ ଭୋଜନ ଦେଇ ଶ୍ରାଦ୍ଧ କାର୍ଯ୍ୟ ନିର୍ବାହ କରିବାକୁ ଚାହୁଁଛନ୍ତି, ତେବେ ଏହା ଯଥାର୍ଥ ହେବ ନାହିଁ। ଏଗୁଡ଼ିକ ଉଚିତ୍ ଆଚରଣ ନୁହେଁ। ଏହା ଆମର ଶାସ୍ତ୍ର ପ୍ରତି ଅସମ୍ମାନ ଅଟେ। ଅନେକ ପୂଜା ପାଠର ଆସରେ, ଯଦି ଆମେ ବ୍ରାହ୍ମଣ ଦେବତାମାନଙ୍କୁ ଡାକିବା ନାହିଁ ଏବଂ ନିଜ ନିଜର ଇଚ୍ଛା ଅନୁଯାୟୀ ରୀତିନୀତି ପାଳନ କରିବା, ତେବେ ଏହା ସମୁଚିତ ନୁହେଁ। ଯଦି ଆମେ ଶାସ୍ତ୍ରବିଧିକୁ ଉପେକ୍ଷା କରି କିଛି କରିଥାଉ, ତେବେ ନା ଆମକୁ ସୁଖ ପ୍ରାପ୍ତି ହେବ, କିମ୍ବା ନା ସିଦ୍ଧି ପ୍ରାପ୍ତି ହେବ, ନା ପରମଗତିକୁ ପ୍ରାପ୍ତ ହୋଇପାରିବା।
ତସ୍ମାଚ୍ଛାସ୍ତ୍ରଂ(ମ୍) ପ୍ରମାଣଂ(ନ୍) ତେ, କାର୍ୟାକାର୍ୟବ୍ୟବସ୍ଥିତୌ
ଜ୍ଞାତ୍ୱା ଶାସ୍ତ୍ରବିଧାନୋକ୍ତଂ(ଙ୍) କର୍ମ କର୍ତୁମିହାର୍ହସି।।24।।
ବିବେଚନ →
ଶ୍ରୀ ଭଗବାନ କହନ୍ତି, ହେ ଅର୍ଜୁନ! କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ବ୍ୟବସ୍ଥାରେ ଶାସ୍ତ୍ର ବିଧି ଦ୍ବାରା ନିୟତ କର୍ତ୍ତବ୍ୟ-କର୍ମ କରିବା ହିଁ ଯୋଗ୍ୟ ଅଟେ।
Do's and Don'ts
जो करना है, और जो नहीं करना है।
इसमें शास्त्र ही प्रमाण है।
ବର୍ତ୍ତମାନ ଏହି ଭ୍ରମ ଆମ ମନରେ ଉଜ୍ଜୀବିତ ହୁଏ ଯେ ଆମେ ତ ଶାସ୍ତ୍ର ଜାଣିନାହୁଁ ଅଧ୍ୟୟନ ମଧ୍ୟ କରୁନାହୁଁ, ତେବେ ଆମେ କିପରି ଜାଣିବୁ? କିନ୍ତୁ ଏଥିପାଇଁ ଶାସ୍ତ୍ରଗୁଡ଼ିକୁ ଅଧ୍ୟୟନ କରିବାର କୋୖଣସି ଆବଶ୍ୟକତା ନାହିଁ। ଆମର ପିତୃପୁରୁଷମାନେ ଦୀର୍ଘ ଦିନ ଧରି ଅନୁସରଣ କରିଆସୁଥିବା ପରମ୍ପରାଗୁଡ଼ିକ ହେଉଛି ଶାସ୍ତ୍ର । ତେଣୁ ପୂର୍ବ ପରମ୍ପରାକୁ ଅମାନ୍ୟ କରିବା ଅର୍ଥ ହେଉଛି ଶାସ୍ତ୍ରର ଉଲ୍ଲଂଘନ। ଯଦି ପରମ୍ପରାରେ କୈାଣସି ତ୍ରୁଟି ଥାଏ ତେବେ ନିଜ ବୁଦ୍ଧି ପ୍ରୟୋଗ କରି କାମ କରିବା ଉଚିତ୍ ନୁହେଁ। ଜଣେ ଆଚାର୍ଯ୍ୟ, ଜଣେ ସାଧୁ ସନ୍ଥ କିମ୍ବା ମହାପୁରୁଷଙ୍କ ସହ ଆଲୋଚନା କରି ଏକ ସଠିକ୍ ମାର୍ଗ ଖୋଜି ବାହାର କରିବା ଉଚିତ୍।
ଏହା ସହିତ ଶ୍ରୀ ଭଗବାନ୍ ୧୬ତମ ଅଧ୍ୟାୟର ଅର୍ଥ ବିବେଚନ ସତ୍ର ସମାପ୍ତ କରନ୍ତି।
हरि शरणं! हरि शरणं! हरि शरणं!
हरि शरणं! हरि शरणं
योगेश्वर श्रीकृष्ण भगवान् की जय।
ପ୍ରଶ୍ନୋତ୍ତରୀ →
ପ୍ରଶ୍ନକର୍ତ୍ତା - ସ୍ନେହଲତା ଦିଦି
ପ୍ରଶ୍ନ - ଅସଦ୍ଗ୍ରାହାନ୍ କ’ଣ?
ଉତ୍ତର - ଅସଦ୍ ଗ୍ରାହାନ୍ ଅର୍ଥାତ୍ ମିଥ୍ୟା ସିଦ୍ଧାନ୍ତ । ଯେଉଁ ସିଦ୍ଧାନ୍ତ ଭୁଲ୍ ଅଟେ, ତାକୁ ଅସଦଗ୍ରାହାନ୍ କୁହାଯାଏ ।
ପ୍ରଶ୍ନକର୍ତ୍ତା - ବାଲକ୍ରିଷ୍ଣା ଗୁଣ୍ଡା ଭାଇ
ପ୍ରଶ୍ନ - ରଜସ୍ୱଳା ଅବସ୍ଥାରେ ସ୍ପର୍ଶ କରିଲେ ଜିନିଷଗୁଡ଼ିକ ନଷ୍ଟ ହୋଇଯାଏ କି?
ଉତ୍ତର - ସ୍ପର୍ଶ କରି ନଷ୍ଟ ହେବାର କୈାଣସି ଅନୁଭବ ନାହିଁ । ଷୋଡଶ ଅଧ୍ୟାୟର ତୃତୀୟ ଶ୍ଳୋକରେ ଆମେ ଶୌଚମ୍ ପଢିଛୁ -
तेज: क्षमा धृति शौचमद्रोहो नातिमनिता। 16:10
ଏଠାରେ ଶୁଦ୍ଧତା ବିଷୟରେ ଆଲୋଚନା କରାଯାଏ । ୠତୁସ୍ରାବ ସମୟରେ ଶରୀର ଶୁଦ୍ଧ ନଥାଏ। ତେଣୁ ଜଣେ ସ୍ପର୍ଶ କରିବାକୁ ମନା କରାଯାଇଥାଏ । କାରଣ ଜଣେ ଅଶୁଦ୍ଧ ଅବସ୍ଥାରେ ସଂଯମିତ ରହିବା ଉଚିତ୍ । ହେଲେ ଏ ଅବସ୍ଥାରେ ଶ୍ରୀମଦ୍ଭଗବଦ୍ଗୀତା ଅଧ୍ୟୟନ ଆପଣ କରି ପାରିବେ, କେବଳ ଈଶ୍ବରଙ୍କ ପ୍ରତିମାକୁ ଛୁଇଁବା ଅନୁଚିତ୍ । ଏହା ଅସଦାଚରଣ ହେବ । କେହି କେହି ସ୍ନାନ ନକରି ମନ୍ଦିରକୁ ଯାଆନ୍ତି, ଭଗବାନ ବାରଣ କରନ୍ତି ନାହିଁ କିନ୍ତୁ ଏହା ଅଶୌଚ ଅଟେ। ମର୍ଯ୍ୟାଦା ପାଳନରେ ଜୀବନର ଉତ୍କର୍ଷତା ଥାଏ।
ପ୍ରଶ୍ନକର୍ତ୍ତା - ରବିଶ ଭାଇ
ପ୍ରଶ୍ନ - କୀଟ ପତଙ୍ଗ ହିଂସାକୁ କିପରି ଏଡାଇ ହେବ?
ଉତ୍ତର - ଯଦି ଆମେ ସ୍ୱଚ୍ଛତା ବଜାୟ ରଖୁ ତେବେ କମ୍ କୀଟ, ପତଙ୍ଗ ମଶା ଇତ୍ୟାଦି ରହିବେ । ଯଦି ସେମାନେ ତଥାପି ସେଠାରେ ରହିବେ ତେବେ ସେମାନଙ୍କୁ ଏକ ଝାଡୁ ଦ୍ବାରା ବାହାର କରାଯାଇପାରିବ ।
ପ୍ରଶ୍ନକର୍ତ୍ତା - ସ୍ୱିଟି ଦିଦି
ପ୍ରଶ୍ନ - ଯଦି ଏକାଦଶୀ ଦୁଇ ଦିନ ପାଇଁ, ତେବେ କେଉଁଟି କରିବା ଉଚିତ୍?
ଉତ୍ତର - ଦ୍ୱାଦଶୀ ତିଥି ସହିତ ମିଳିତ ଏକାଦଶୀ କରାଯିବା ଉଚିତ୍ । ଜଣେ ଗୃହସ୍ଥଙ୍କୁ ପ୍ରଥମ ଦିନର ଏକାଦଶୀ କରିବାକୁ ପଡିବା, ଖୁବ୍ କମ୍ ଦେଖାଯାଏ । ଗୀତା ପରିବାର ଦ୍ୱାରା ଏକାଦଶୀ ପାରାୟାଣ କରାଯାଉଛି । ସେଥିରେ ଯୋଗ ଦେଇପାରିବେ ।
ରବିବାର ଏବଂ ଏକାଦଶୀରେ ତୁଲସୀକୁ ସ୍ପର୍ଶ କରନ୍ତୁ ନାହିଁ, ଆପଣ ସେଠାରେ ଏକ ଦୀପ ପ୍ରଜ୍ବଳନ କରି ପାରିବେ ।
ପ୍ରଶ୍ନକର୍ତ୍ତା - ପ୍ରୀତି ଅଗ୍ରୱାଲ ଦିଦି
ପ୍ରଶ୍ନ - ଘର କାମ କରିବା ସମୟରେ ମଧ୍ୟ ମୁଁ କ୍ରୋଧ ଅନୁଭବ କରେ, କ’ଣ କରିବା?
ଉତ୍ତର - ଆମେ କ୍ରୋଧିତ ହେବାର କାରଣ ଖୋଜିବା ଉଚିତ୍ । କ୍ରୋଧ ଅନାୟାସରେ ଆସେ ନାହିଁ । କାମନା, ମୋହ ଏବଂ ଅହଙ୍କାରରେ ବିଘ୍ନ ହେଲେ କ୍ରୋଧ ହୁଏ । ଇଚ୍ଛାରେ ବିଘ୍ନ ଯୋଗୁଁ କ୍ରୋଧ ସୃଷ୍ଟି ହୁଏ । ସମସ୍ତଙ୍କର ସମସ୍ତ ମନୋସ୍କାମନା ପୂରଣ ହୁଏ ନାହିଁ - ଏହିପରି ଭାବିବା ନିତ୍ୟାନ୍ତ ପ୍ରୟୋଜନ, କାରଣ, ଏହା ଦ୍ୱାରା ଜୀବନରେ ସହଜତା ଆସିଥାଏ । ଯଦି ଆପଣ ଘଟଣାକୁ ସହଜରେ ଗ୍ରହଣ କରନ୍ତି, ତେବେ କ୍ରୋଧ କମିଯିବ । ଯଦି ତୁମେ ଅସହଜ ରୁହ, ତୁମର କ୍ରୋଧ ବୃଦ୍ଧି ପାଇବ । ଯଦି ମନ ଭିତରେ କୈାଣସି ଚିନ୍ତା ଚାଲିଥାଏ, ତେବେ ସେହି କାରଣ ଖୋଜି ଏହାର ସମାଧାନ ହୋଇପାରିବ । ମାନବୀୟ ଦୁର୍ବଳତା ବେଳେବେଳେ କ୍ରୋଧର କାରଣ ହୋଇଥାଏ, କିନ୍ତୁ ଏହା ଏକ ଅଭ୍ୟାସରେ ପରିଣତ ହେବା ସମୁଚିତ ନୁହେଁ ।
ପ୍ରଶ୍ନକର୍ତ୍ତା - ସତ୍ୟମିତ୍ରା ଚୈହାନ ଭାଇ
ପ୍ରଶ୍ନ - ମହାଭାରତ ଗ୍ରନ୍ଥରେ କେବଳ ଯୁଦ୍ଧ ବର୍ଣ୍ଣନା କରାଯାଇଛି ନା ଅନ୍ୟ ବି କିଛି ଅଛି ?
ଉତ୍ତର - ମହାଭାରତ କେବଳ ଯୁଦ୍ଧର ବର୍ଣ୍ଣନା ନୁହେଁ । ସମ୍ପୂର୍ଣ୍ଣ ମହାଭାରତରେ ଅଷ୍ଟାଦଶ ପର୍ବ ରହିଛି । ଏହି ଅତି ବିଶାଳ ଏବଂ ବିସ୍ତୃତ ଗ୍ରନ୍ଥର ମୂଳ ନାମ ହେଉଛି ଜୟ ସଂହିତା । ଏହାର ଅଧ୍ୟୟନ ଜୀବନରେ ସଫଳତା ଏବଂ ବିଜୟ ପ୍ରାପ୍ତି କରିବାର ଗୁଣ ବୃଦ୍ଧି କରିଥାଏ । ଜୀବନରେ ଆମେ ସାକ୍ଷାତ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମହାଭାରତର କେଉଁ ନା କେଉଁ ଅନନ୍ୟ ଚରିତ୍ର ସହ ସାମଞ୍ଜସ୍ୟ ରଖିଥିବାର ଆମେ ପାଇଥାଉ। ସେଥିପାଇଁ ଆମ ଭିତରେ ବିଜୟର ପ୍ରବୃତ୍ତି ବଳବତ୍ତର ହୁଏ ।
यत्र योगेश्वरः कृष्णो यत्र पार्थो धनुर्धरः।
तत्र श्रीर्विजयो भूतिः ध्रुवा नीतिर्मतिर्मम॥18:78॥
ଗୀତା ପ୍ରେସ୍ ଗୋରଖପୁରରୁ ପ୍ରକାଶିତ ମହାଭାରତ ଉଭୟ ସମ୍ପୂର୍ଣ୍ଣ ଏବଂ ସଂକ୍ଷିପ୍ତ ଉପଲବ୍ଧ ଅଟେ, ଏହା ନିଶ୍ଚିତ ଅଧ୍ୟୟନ କରିବା ଆବଶ୍ୟକ।
ପ୍ରଶ୍ନକର୍ତ୍ତା - ଦୀନେଶ ମିତ୍ତଲ ଭାଇ
ପ୍ରଶ୍ନ - ଅର୍ଜୁନଙ୍କ ରଥ ବିଷୟରେ କୁହନ୍ତୁ ।
ଉତ୍ତର - ଅର୍ଜୁନଙ୍କ ରଥକୁ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି -
ततः श्वेतैर्हयैर्युक्ते महति स्यन्दने स्थितौ।
माधवः पाण्डवश्चैव दिव्यौ शङ्खौ प्रदध्मतुः॥1:14॥
ଅର୍ଜୁନ, ଶ୍ୱେତ ଅଶ୍ବ ଯୁକ୍ତ ଏହି ରଥକୁ ଅଗ୍ନିଦେବଙ୍କଠାରୁ ପ୍ରାପ୍ତ କରିଥିଲେ । ଏହି ରଥ ଆକାଶରେ ଗତି କରିବାର କ୍ଷମତା ରଖୁଥିଲା । ଏହା ସହ ସଂଯୋଜିତ ଶ୍ୱେତ ଘୋଡା କେବେ ବି ମରନ୍ତି ନାହିଁ । ଏଥିରୁ ଅସ୍ତ୍ରଶସ୍ତ୍ର କେବେ ସମାପ୍ତ ହୁଏ ନାହିଁ । ଖାଣ୍ଡବ ବନ ଦହନ ସମୟରେ ପାଣ୍ଡବମାନଙ୍କ ଉପରେ ସନ୍ତୁଷ୍ଟ ହୋଇ ଅଗ୍ନିଦେବ ଏହି ଦିବ୍ୟ ରଥ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ। ଏହି ରଥର ବିଶାଳ ପତାକା ଏକ କୋଶ ପର୍ଯ୍ୟନ୍ତ ଉଡିଯାଏ। ଏହା ଅତ୍ୟନ୍ତ ଶୋଭାମୟ କାରଣ ସ୍ବୟଂ ହନୁମାନ ଏହା ଉପରେ ବିରାଜମାନ ଥିଲେ । ଏହାର ଧ୍ବଜା ଉପରେ ହନୁମାନ ଗର୍ଜନ କରୁଥିବା ବିଷୟ ଚିତ୍ରିତ ହୋଇଥିଲା। ଏପରିକି ଦ୍ରୋଣାଚାର୍ଯ୍ୟଙ୍କ ବ୍ରହ୍ମାସ୍ତ୍ର ମଧ୍ୟ ଏହି ରଥ ଉପରେ କୈାଣସି ପ୍ରଭାବ ପକାଇ ପାରି ନଥିଲା। ଅଷ୍ଟାଦଶ ଦିନରେ, ଦୁର୍ଯ୍ୟୋଧନଙ୍କୁ ହତ୍ୟା କରିବା ପଶ୍ଚାତ୍ ଯୁଦ୍ଧ ପରି ସମାପ୍ତି ହେବା ପରେ ଭଗବାନ ଶ୍ରୀକୃଷ୍ଣ ଶିବିରକୁ ଫେରି ଅର୍ଜୁନଙ୍କୁ ତାଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ସହ ରଥରୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଲେ। ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଭୁ ଶ୍ରୀକୃଷ୍ଣ ପ୍ରଥମେ ରଥରୁ ଓହ୍ଲାଉଥିଲେ ଏବଂ ତା’ପରେ ଅର୍ଜୁନଙ୍କୁ ତଳକୁ ଓହ୍ଲାଇ ଦେଉଥିଲେ, ଆଜି କିନ୍ତୁ ବିପରୀତ, ପ୍ରଭୁ ପ୍ରଥମେ ଅର୍ଜୁନଙ୍କୁ ଓହ୍ଲାଇବାକୁ କହିଲେ । ଭଗବାନଙ୍କ ଆଦେଶ ଅନୁଯାୟୀ, ଅର୍ଜୁନ ଅସ୍ତ୍ରଶସ୍ତ୍ର ସହିତ ରଥରୁ ଓହ୍ଲାଇଗଲେ । ଏହା ପରେ ପ୍ରଭୁ ଅଶ୍ୱମାନଙ୍କ ଲଗାମ୍ ଛାଡି ତଳକୁ ଆସିଲେ। ପ୍ରଭୁ ରଥରୁ ଓହ୍ଲାଇ ଯିବା ମାତ୍ରେ ରଥ ଅଗ୍ନିରେ ଭସ୍ମୀଭୂତ ହୋଇଗଲା। ପାଞ୍ଚ ପାଣ୍ଡବ ଏହା ଦେଖି ବିସ୍ମିତ ହେଇଗଲେ । ଏଣୁ ଭଗବାନ ବୁଝାଇ ଦେଲେ ଯେ ଏହି ରଥ ବ୍ରହ୍ମାସ୍ତ୍ର ଦ୍ୱାରା ପୂର୍ବରୁ ନଷ୍ଟ ହୋଇସାରିଛି। ରଥରେ କେବଳ ଭଗବାନଙ୍କ ଉପସ୍ଥିତି ହେତୁ ଏହା ଏପର୍ଯ୍ୟନ୍ତ ପ୍ରଶମିତ ହୋଇ ନ ଥିଲା।
ପ୍ରଶ୍ନକର୍ତ୍ତା - ଦୀପଶିଖା ଦିଦି।
ପ୍ରଶ୍ନ - ଇନ୍ଦ୍ରିୟଗୁଡ଼ିକୁ କିପରି ନିୟନ୍ତ୍ରଣ କରିବା?
ଉତ୍ତର - ଆମ ସମସ୍ତଙ୍କ ପାଇଁ ଆମର ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର। ଯଦି ଆମେ ଇନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିପାରିବା, ତେବେ ଆମେ ଆମ ମନର ସ୍ୱାମୀ ହୋଇପାରିବା ।
ଆମ ମନ ଯେତେବେଳେ ଯାହା କହିଥାଏ ଯଦି ଆମେ ତାହା କରୁ, ତେବେ ଆମେ ମନର ସ୍ୱାମୀ ହେଲେ ନା ସେବକ ହେଲେ ? ଯେତେବେଳେ ଆମ ମନ ଆମକୁ ମାନିବାକୁ ଲାଗିବ, ସେତେବେଳେ ଆମେ ତା'ର ସ୍ୱାମୀ, ବୋଲାଇବା । ଭଗବାନ ଆମକୁ ମନର ସ୍ୱାମୀ ଭାବରେ ସୃଷ୍ଟି କରିଛନ୍ତି, କିନ୍ତୁ ଆମେ ତା'ର ଦାସତ୍ବ କରୁଛେ । ନିଜ ବିବେକକୁ ଜାଗ୍ରତ କରି ବୁଦ୍ଧିକୁ ମନଠାରୁ ଊର୍ଦ୍ଧ୍ବରେ ରଖିଲେ ମନୁଷ୍ୟ ଜୀବନ ତେଜସ୍ୱୀ ହୋଇଉଠେ ।
ପ୍ରଶ୍ନକର୍ତ୍ତା - ପ୍ରେମନାଥ ଉପାଧ୍ୟାୟ ଭାଇ
ପ୍ରଶ୍ନ - ଭଗବାନ ଏକାଦଶ ଶ୍ଳୋକରେ କାହିଁକି ‘ପ୍ରଲୟ’ ଶବ୍ଦ ପ୍ରୟୋଗ କରିଛନ୍ତି?
ଉତ୍ତର - ବିନାଶର ଅର୍ଥ କେବଳ ଜଗତର ବିନାଶରେ ସୀମିତ ନୁହେଁ । ଆମେ ରାତ୍ରିରେ ଯେତେବେଳେ ଶୟନ କରିଥାଉ, ତାହା ମଧ୍ୟ ଏକ ନିତ୍ୟ ପ୍ରଳୟ ।
चिन्तामपरिमेयां च प्रलयान्तामुपाश्रिताः।
कामोपभोगपरमा एतावदिति निश्चिताः॥16:11॥
ରାତ୍ରିରେ ଶୟନର ପଶ୍ଚାତରେ କ’ଣସବୁ ଘଟୁଥାଏ ତାହା ଆମେ ଜାଣୁନା । ଏହାକୁ ନିତ୍ୟ ପ୍ରଳୟ କୁହାଯାଇଛି। ଅନ୍ତିମ ଦିନର ଅର୍ଥ ଜଗତର ବିନାଶ ନୁହେଁ । ଏଠାରେ ମୃତ୍ୟୁକୁ ଅନ୍ତିମ ଦିବସ ରୂପେ ଗଣାଯାଇଛି। ଏଠାରେ ବିନାଶର ତାତ୍ପର୍ଯ୍ୟ ହେଉଛି ଏହି ଜୀବନର ବିନାଶ ।
ପ୍ରଶ୍ନକର୍ତ୍ତା - ସୁରେଶ୍ୱର ମିଶ୍ର
ପ୍ରଶ୍ନ - ଜୀବଜନ୍ତୁଙ୍କ ପ୍ରତି ହିଂସା କାର୍ଯ୍ୟ କରିବାରେ ଭଗବାନ ଆମକୁ ନିମିତ୍ତ ବନାଇଥାନ୍ତି କି?
ଉତ୍ତର - ଭଗବାନ ସର୍ବସମର୍ଥ । କୌଣସି କାର୍ଯ୍ୟ ସାଧନ କରିବା ପାଇଁ ଆମକୁ ନିମିତ୍ତ ବନାଇବାର ଆବଶ୍ୟକତା ତାଙ୍କର ନାହିଁ । ବରଂ ଯଦି ଭଗବାନଙ୍କ କଲ୍ୟାଣକାରୀ କାର୍ଯ୍ୟରେ ଆମେ ନିମିତ୍ତ ହୋଇପାରିବା, ତେବେ ନିଜକୁ ଭାଗ୍ୟବାନ୍ ମଣିବା ଉଚିତ୍ । ହିଂସାତ୍ମକ କିମ୍ବା ମନ୍ଦ କାର୍ଯ୍ୟରେ ଆମେ ନିମିତ୍ତ ହେବା ଉଚିତ୍ ନୁହେଁ । ଅର୍ଜୁନଙ୍କ କ୍ଷତ୍ରିୟ ହୋଇଥିବା ହେତୁ କ୍ଷତ୍ରିୟ ଧର୍ମ ଅନୁଯାୟୀ ଯୁଦ୍ଧ ତାଙ୍କର କର୍ତ୍ତବ୍ୟ। ବ୍ୟକ୍ତିଗତ ଧର୍ମ ଏବଂ ରାଜ୍ୟ ଧର୍ମ ପୃଥକ୍ ଅଟେ । ଆମର ବ୍ୟକ୍ତିଗତ ଧର୍ମ ଯୁଦ୍ଧ କରିବା ନୁହେଁ। ଆତ୍ମରକ୍ଷା ପାଇଁ ଲଢିବା କିମ୍ବା ଝଗଡ଼ା କରିବା ଆମର ବ୍ୟକ୍ତିଗତ କର୍ତ୍ତବ୍ୟ । ଏହାର ସୀମା ଆମେ ସ୍ୱୟଂ ନିର୍ଦ୍ଧାରିତ କରିବାକୁ ପଡିବ । ଯଦି କୌଣସି ସୀମା ନାହିଁ, ତେବେ ଆପଣ ସ୍ୱତନ୍ତ୍ର ହୋଇଯିବେ । ଆପଣ ଯେତେ ସହନଶୀଳତାର ଗୁଣ ନିଜ ମଧ୍ୟରେ ବୃଦ୍ଧି କରିବେ ସେତେ ବେଶୀ ଐଶ୍ୱରୀୟ ଗୁଣ ଆପଣଙ୍କ ଭିତରେ ବୃଦ୍ଧି ପାଇବ ।
ପ୍ରଶ୍ନକର୍ତ୍ତା - ଅନୀତା ତରେଜା ଦିଦି
ପ୍ରଶ୍ନ - ପିତୃପୁରୁଷଙ୍କ ସ୍ୱପ୍ନରେ ଆସିବାର ଲକ୍ଷଣ କ’ଣ?
ଉତ୍ତର - ସ୍ୱପ୍ନରେ ଜଣେ ଦିବଂଗତ ପିତାମାତା କିମ୍ବା ପୂର୍ବଜମାନଙ୍କୁ ଦେଖିବା କୈାଣସି ଆଶୀର୍ବାଦ କିମ୍ବା ଅସନ୍ତୋଷର ସଙ୍କେତ ନୁହେଁ । ସ୍ୱପ୍ନ ବିନା ଗଭୀର ନିଦ ସୁସ୍ଥ ଏବଂ ଲାଭଦାୟକ ଅଟେ । ଶରୀର ସ୍ୱପ୍ନ ବିନା ଗଭୀର ନିଦ୍ରାରେ ବିଶ୍ରାମ ପାଏ । ସ୍ୱପ୍ନ ଦେଖିବା ଅପେକ୍ଷା ସ୍ୱପ୍ନ ନ ଦେଖିବା ଭଲ ।
ପ୍ରଶ୍ନକର୍ତ୍ତା - ହରିସ୍ ଅରୋଡା ଭାଇ
ପ୍ରଶ୍ନ - ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଭୀଷ୍ମ ପିତାମହ କାହିଁକି ଚୁପ୍ ରହିଲେ ?
ଉତ୍ତର - ଭୀଷ୍ମ ପିତାମହ ହାସ୍ତିନାପୁର ରାଜ୍ୟ ପ୍ରତି ନିଷ୍ଠାବାନ୍ ଥିଲେ। ବାଲ୍ୟକାଳରେ ସେ ଏକ ଅବିଵେକପୂର୍ଣ୍ଣ ପ୍ରତିଜ୍ଞା ନେଇଥିଲେ। ଏହି କାରଣରୁ ସେ ସିଂହାସନକୁ ରକ୍ଷା କରିବାକୁ ସଂକଳ୍ପବଦ୍ଧ ଥିଲେ। ତାଙ୍କର ଏହି ପ୍ରତିଜ୍ଞା ତାଙ୍କର ଧାର୍ମିକ ଆଚରଣରେ ପ୍ରତିବନ୍ଧକ ସାଜିଲା । ସ୍ୱୟଂ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ, ଯଥାର୍ଥ ସମୟରେ ଆବଶ୍ୟକତା ଅନୁସାରେ କ୍ରୋଧ ନ କରିବା କିମ୍ବା ନୀରବ ରହିବା ମଧ୍ୟ ଅଧର୍ମ ଅଟେ ।
ପ୍ରଶ୍ନକର୍ତ୍ତା - ବଜରଙ୍ଗ ଭାଇ
ପ୍ରଶ୍ନ - ଶ୍ରାଦ୍ଧପକ୍ଷରେ କିପରି ଜଣେ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରିବା ?
ଉତ୍ତର - ଶ୍ରାଦ୍ଧ ପକ୍ଷରେ ଅଗ୍ନିହୋତ୍ରୀ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରାଯିବା ଉଚିତ ଏବଂ ଭୋଜନ କରାଇବା ଉଚିତ୍ । ସେ ଯାଗଜଜ୍ଞ, ତୁଲାଉଥିବା ଜଣେ ବ୍ରାହ୍ମଣ ହୋଇଥିବା ଉଚିତ୍। ଏମିତି କେବଳ ଜଣାଶୁଣା, ଏଠି ସେଠି ବୁଲୁଥିବା ବ୍ରାହ୍ମଣଙ୍କୁ ଡାକିବା ଫଳରେ ଏକ ଉଚ୍ଚ ସ୍ତରୀୟ ଶ୍ରାଦ୍ଧ କର୍ମ ସମ୍ପନ୍ନ ହୋଇପାରିବ ନାହିଁ । ସର୍ବୋଚ୍ଚ ବ୍ରାହ୍ମଣମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ଯାଇ ସେମାନେ ଶ୍ରାଦ୍ଧ ପକ୍ଷରେ ଉପଲବ୍ଧ ହୋଇପାରିବେ । ଶାସ୍ତ୍ର ଅନୁଯାୟୀ, ଶ୍ରାଦ୍ଧ କରିବା ଏକ ଜରୁରୀ କର୍ତ୍ତବ୍ୟ ।
ପ୍ରଶ୍ନକର୍ତ୍ତା - ରାଜୀବ୍ ଭାଇ
ପ୍ରଶ୍ନ - କୂଳ ଦେବତାମାନଙ୍କୁ କିପରି ଜାଣିପାରିବି?
ଉତ୍ତର - ଆପଣଙ୍କର ପୂର୍ବପୁରୁଷଙ୍କ ଗାଁରେ ଥିବା ଆପଣଙ୍କ ପରିବାରର ମୂଳ ଦେବତା ହିଁ ଆପଣଙ୍କର କୂଳ ଦେବତା ରୂପେ ପୂଜିତ ହେବେ।
••• ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ •••
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ଦୈବାସୁରସମ୍ପଦ୍ବିଭାଗୟୋଗୋ ନାମ ଷୋଡଶୋଽଧ୍ୟାୟଃ॥