विवेचन सारांश
କର୍ମ ଜ୍ଞାନର ବ୍ୟାଖ୍ୟା
ଉପକ୍ରମଣିକା:
ସୁମଧୁର ପ୍ରାର୍ଥନା, ଶ୍ରୀ ହନୁମାନଚାଳିଶା ପାଠ, ଦୀପପ୍ରଜ୍ବଳନ ଓ ଗୁରୁ ବନ୍ଦନା ସହିତ ଆଜିର ଏହି ସତ୍ର ଆରମ୍ଭ ହେଲା | ଏହା ଅତି ଖୁସିର କଥା ଯେ ଆଜି ପୁଣି ଆଉଥରେ ଆମେ ଆମ ମାନବ ଜୀବନକୁ ସଫଳ କରିବାପାଇଁ, ଆମର ଚରମ ଲକ୍ଷ୍ୟ ପ୍ରାପ୍ତି ପାଇଁ ଶ୍ରୀମଦ୍ଭଗବଦ୍ଗୀତା ରୂପକ ସବାରୀରେ ବସିଯାଇଛେ | ଆମର ଏହି ଜନ୍ମର ପୁଣ୍ୟରୁ ବା ପୂର୍ବ ଜନ୍ମର ପୁଣ୍ୟ ଫଳରୁ ଅବା କେଉଁ ଜନ୍ମରେ ଆମ ଉପରେ କୌଣସି ସାଧୁ ମହାପୁରୁଷଙ୍କର କୃପାଦୃଷ୍ଟି ପଡିଥିବାରୁ ଆମକୁ ଏପରି ଶ୍ରୀମଦ୍ଭଗବତଗୀତା ସଙ୍ଗ ରୂପକ ସୌଭାଗ୍ୟ ପ୍ରାପ୍ତ ହେଲା ତାହା ଆମକୁ ଜଣା ନାହିଁ |
बड़े भाग मानुष तनु पावा |
सुर दुर्लभ सब ग्रन्थन्हिं गावा ||
ପରମ ସୌଭାଗ୍ୟରୁ ମନୁଷ୍ୟ ଜନ୍ମ ମିଳିଛି | ଏହା ସୁର ଦୁର୍ଲ୍ଲଭ, ଅର୍ଥାତ ଦେବତାଙ୍କୁ ମଧ୍ୟ ଏହି ମନୁଷ୍ୟ ଜନ୍ମ ସହଜରେ ମିଳେ ନାହିଁ | ମନୁଷ୍ୟ ଯୋନି ହେଉଛି ଏକ ମାତ୍ର କର୍ମଯୋନି, ତେଣୁ ଦେବତାଗଣ ମନୁଷ୍ୟ ଜନ୍ମ ନେବାପାଇଁ ଅଧୀର ହୁଅନ୍ତି |
ଶ୍ରୀମଦ୍ଭଗବତଗୀତାଙ୍କର ଦୈନିକ ପାରାୟଣର ବାର୍ଷିକ ଉତ୍ସବ ଅବସରରେ ଅଖଣ୍ଡ ପାରାୟଣତ୍ରୟର ଆୟୋଜନ କରାଗଲା | ସେଠାରେ ଆଶୀର୍ବାଦ ସହିତ ପ୍ରାରମ୍ଭିକ ସୂଚନା ଦେବାପାଇଁ ପରମପୂଜ୍ୟ ସ୍ୱାମୀଜୀ ପହଁଚିଲେ | ମାନବ ଜୀବନର ମଙ୍ଗଳ ପାଇଁ ଶ୍ରୀମଦ୍ଭଗବତଗୀତା ସଦୃଶ ସୁଲଭ (ସହଜରେ ପ୍ରାପ୍ତ ହେଉଥିବା) , ସୁଗମ୍ୟ ( ସହଜରେ ବୁଝି ହେଉଥିବା )ଓ ପ୍ରଭାବଶାଳୀ ଆଉ ଦ୍ଵିତୀୟ ଗ୍ରନ୍ଥ କିଛି ନାହିଁ ବୋଲି ସେ କହିଲେ | ଏହା ଅତି ଛୋଟ କିନ୍ତୁ ଶକ୍ତିଶାଳୀ ଗ୍ରନ୍ଥ | ଶ୍ରୀ ଭଗବାନ ସାତଶହ ଶ୍ଳୋକରେ ପୂର୍ଣ୍ଣ କରିଥିବା ଗନ୍ତାଘରୁ ତେପନଶହ ବର୍ଷ ହେଲାଣି ମହାପୁରୁଷ ମାନେ ଖୋଜି ଖୋଜି ନୂତନ ନୂତନ ରତ୍ନ ବାହାର କରି ଆଣୁଛନ୍ତି | ଏହିପରି ଏହା ଏକ ଅଦ୍ଭୁତ ଗ୍ରନ୍ଥ |
ଏହି ପଥର ପଥିକ ହୋଇ ଚାଲୁ ଚାଲୁ ଆମେ ଚତୁର୍ଥ ଧାମର ଯାତ୍ରୀ ହୋଇଯାଇଛେ | ପୂର୍ଵରୁ ଦୁଇଟି ସତ୍ରରେ ଆମେ କେତୋଟି ଶ୍ଳୋକ ଭଲଭାବରେ ବୁଝିଛେ | ଆଜି ମଧ୍ୟ ଆମେ ଗୋଟିଏ ଦୁଇଟି ଶ୍ଳୋକ ଭଲ ଭାବରେ ବୁଝିବା | ଆମେ ଅଷ୍ଟାଦଶ ଅଧ୍ୟାୟରେ ଉପନୀତ ହେଲେଣି, ତେଣୁ ଶ୍ଳୋକର ଅର୍ଥ ଜାଣିବା ସହିତ କିଛି ଗୁଢ଼ ତତ୍ତ୍ୱ ସମ୍ବନ୍ଧରେ ଜାଣିବା ଓ ଚିନ୍ତନ କରିବା | ଯଦି କିଛି କଷ୍ଟ ଲାଗେ ବିବ୍ରତ ନହୋଇ ଧ୍ୟାନ ବଢେଇବାକୁ ଚେଷ୍ଟା କରିବା |
ପୂର୍ବ ସତ୍ରରେ ଆମେ ଅଷ୍ଟାଦଶ ଶ୍ଳୋକ ପର୍ଯ୍ୟନ୍ତ ବୁଝିଥିଲେ | ଅଠର ଶ୍ଳୋକରେ ଶ୍ରୀ ଭଗବାନ ଜ୍ଞାତା, ଜ୍ଞାନ, ଜ୍ଞେୟ ଓ କର୍ତ୍ତା, କର୍ମ, କରଣ ଅନ୍ତର୍ଗତ ତିନି ପ୍ରକାର କର୍ମ ସଂଗ୍ରହ ଏବଂ ତିନି ପ୍ରକାରର କର୍ମ ପ୍ରେରଣା ବିଷୟରେ କହିଛନ୍ତି | ତାପରେ ଶ୍ରୀ ଭଗବାନ ଜ୍ଞାତା ଓ ଜ୍ଞେୟ କୁ ଛାଡ଼ିଦେଇ କର୍ତ୍ତା ଓ କର୍ମ କୁ ନେଇଛନ୍ତି | ଶ୍ରୀ ଭଗବାନ ଏପରି କରିବାର କାରଣ ସମ୍ପର୍କରେ ବିସ୍ତୃତ ଭାବରେ ଜଣେଇଛନ୍ତି | ଆମେ ସେ କଥା ବୁଝିବା |
18.19
ଜ୍ଞାନଂ(ଙ୍) କର୍ମ ଚ କର୍ତା ଚ, ତ୍ରିଧୈବ ଗୁଣଭେଦତଃ
ପ୍ରୋଚ୍ୟତେ ଗୁଣସଙ୍ଖ୍ୟାନେ, ୟଥାବଚ୍ଛୃଣୁ ତାନ୍ୟପି॥19॥
ବିବେଚନ :-
ଶ୍ରୀ ଭଗବାନ କହିଛନ୍ତି ଗୁଣ ତିନି ପ୍ରକାର | ଏହିପରି ଗୁଣ ତ୍ରୟଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ଗଠିତ | ଏହିପରି ତିନି ଗୁଣର ଅନୁପାତ ଅନୁସାରେ ଆମର ରଙ୍ଗ ରୂପ, ଆମର ସ୍ଥିତି, ବୁଦ୍ଧି ଓ ପସନ୍ଦ -ଅପସନ୍ଦ ଭିନ୍ନ ଭିନ୍ନ ହୁଏ | ଏହି ଗୁଣ ତ୍ରୟ ପ୍ରଭାବରେ ସମସ୍ତ ସୃଷ୍ଟିର କୌଣସି ଦୁଇଜଣ ଲୋକଙ୍କର ରେଟିନା ସମାନ ନୁହେଁ, ଜଣଙ୍କର ଆଙ୍ଗୁଳି ଚିହ୍ନ ଆଉଜଣଙ୍କ ସହିତ ସମାନ ନୁହେଁ, ଜେବ୍ରା ଶରୀରର ଦୁଇଟି ଗାର ସମାନ ନୁହେଁ |
ମାତ୍ର ତିନୋଟି ତତ୍ତ୍ୱରୁ ସୃଷ୍ଟ ପ୍ରକୃତିର ଏତେ ଭିନ୍ନତା - ସତ୍ତ୍ୱ, ରଜ ଓ ତମ |
ଏହି ଗୁଣତ୍ରୟର ଅନୁପାତରେ ପାର୍ଥକ୍ୟ ହେଉଥିବାରୁ ପ୍ରକୃତିରେ ପାର୍ଥକ୍ୟ ଦୃଷ୍ଟ ହୁଏ | ଗୋଟିଏ ପଥର ,ଗୋଟିଏ ଘୋଡା, ସୂର୍ଯ୍ୟ, ଆକାଶ, ଗଙ୍ଗା,ସମସ୍ତ ଗ୍ରହ,ପ୍ରାଣୀ ଜଗତ, ବୃକ୍ଷ ଜଗତ ଇତ୍ୟାଦି ସମସ୍ତ ସୃଷ୍ଟି ଏହି ତ୍ରିତତ୍ତ୍ୱ ଦ୍ୱାରା ଗଠିତ |
ଘରେ ମା ଖାଦ୍ୟ ପ୍ରସ୍ତୁତ କରନ୍ତି | ଆଳୁ, ଅଟା ଓ ଦୁଧ କିଣି ଆଣିଲେ ଆଳୁ ତରକାରୀ, ଅଟାରେ ରୋଟି ଓ ଦୁଧରେ ଦହି ପ୍ରସ୍ତୁତ କରି ଦିଅନ୍ତି | ଯଦି ଏଇ ଆଳୁ, ଅଟା ଓ ଦୁଧ ହଜାରେ ସ୍ତ୍ରୀଲୋକଙ୍କୁ ଦିଆଯାଏ ଓ ଭୋଜନ ପ୍ରସ୍ତୁତ କରିବାକୁ କୁହାଯାଏ, ସେମାନେ ଏଇ ତିନୋଟି ଦ୍ରବ୍ୟ ଦ୍ୱାରା ବିଭିର୍ଣ୍ଣ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିପାରନ୍ତି | ଜଣେ ସ୍ତ୍ରୀଲୋକ ଶହେ ପ୍ରକାରର ଖାଦ୍ୟ କରିପାରେ | ଖାଦ୍ୟ ଦେଖିବାକୁ ଅଲଗା ଅଲଗା ହୋଇଥିବ ଓ ସ୍ୱାଦ ମଧ୍ୟ ଅଲଗା ଅଲଗା ହୋଇଥିବ | ଯଦି କେବଳ ଆଳୁ ତରକାରୀ ଓ ରୋଟି ପ୍ରସ୍ତୁତ କରିବାକୁ କୁହାଯାଏ ତେବେ ମଧ୍ୟ ସମସ୍ତଙ୍କର ଖାଦ୍ୟର ସ୍ୱାଦ ଭିନ୍ନ ଭିନ୍ନ ହୋଇଥିବ, କାରଣ ସମସ୍ତଙ୍କ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଅଲଗା ଅଲଗା ଯାହା ସ୍ୱାଦ ଓ ରୂପକୁ ବଦଳେଇଦିଏ |
ଏହିପରି ଭଗବାନ ତ୍ରିତତ୍ତ୍ୱ ଦ୍ୱାରା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସୃଷ୍ଟି କରନ୍ତି |
ପର ତିନୋଟି ଶ୍ଳୋକରେ ଶ୍ରୀ ଭଗବାନ ସାତ୍ତ୍ଵିକ ଜ୍ଞାନ, ରାଜସିକ ଜ୍ଞାନ ଓ ତାମସିକ ଜ୍ଞାନ ବିଷୟରେ କହିଛନ୍ତି |
ଶ୍ରୀ ଭଗବାନ କହିଛନ୍ତି ତ୍ରିଗୁଣ ଦ୍ୱାରା ପ୍ରଭାବିତ ଜ୍ଞାନ ମଧ୍ୟ ତିନି ପ୍ରକାରର | ସତ୍ତ୍ୱ, ରଜ ଓ ତମ ଭିତରୁ ଯେଉଁ ଗୁଣର ପ୍ରାଧାନ୍ୟ ଥାଏ ତା ଅନୁସାରେ ଜ୍ଞାନ ହୋଇଥାଏ | ଏପରି କୌଣସି ବ୍ୟକ୍ତି ବା ପଦାର୍ଥ ନାହିଁ ଯାହା କେବଳ ଗୋଟିଏ ଗୁଣ ଧାରଣ କରିଥାଏ |
ସମସ୍ତେ ତ୍ରି-ଗୁଣର ଅଧୀନ | ସତ୍ତ୍ୱ ଗୁଣ ବୃଦ୍ଧି ହେଲେ ମଧ୍ୟ ତମୋଗୁଣ ସମାପ୍ତ ହୁଏନାହିଁ | ଭଗବାନ ସେପରି ବ୍ୟବସ୍ଥା କରିନାହାନ୍ତି | ସମସ୍ତଙ୍କୁ ସତ୍ତ୍ୱ, ରଜ ଓ ତମ ଗୁଣ ର ଆଶ୍ରୟ ନେବାକୁ ପଡେ | ପୂଜ୍ୟ ସ୍ୱାମୀଜୀ ମହାରାଜଙ୍କୁ ରାତ୍ରିରେ ବିଶ୍ରାମ ପାଇଁ ନିଦ୍ରା ର ଆବଶ୍ୟକତା ପଡେ, ଅର୍ଥାତ ତାଙ୍କୁ ମଧ୍ୟ ତମ ଗୁଣର ଆଶ୍ରୟ ନେବାକୁ ପଡେ |
ଆଗକୁ ଶ୍ରୀ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି -
ସର୍ବଭୂତେଷୁ ୟେନୈକଂ(ମ୍), ଭାବମବ୍ୟୟମୀକ୍ଷତେ
ଅବିଭକ୍ତଂ(ମ୍) ବିଭକ୍ତେଷୁ, ତଜ୍ଜ୍ଞାନଂ(ମ୍) ବିଦ୍ଧି ସାତ୍ତ୍ୱିକମ୍॥20॥
ପୃଥକ୍ତ୍ୱେନ ତୁ ୟଜ୍ଜ୍ଞାନଂ(ନ୍), ନାନାଭାବାନ୍ପୃଥଗ୍ବିଧାନ୍
ବେତ୍ତି ସର୍ବେଷୁ ଭୂତେଷୁ, ତଜ୍ଜ୍ଞାନଂ(ମ୍) ବିଦ୍ଧି ରାଜସମ୍॥21॥
ୟତ୍ତୁ କୃତ୍ସ୍ନବଦେକସ୍ମିନ୍, କାର୍ୟେ ସକ୍ତମହୈତୁକମ୍
ଅତତ୍ତ୍ୱାର୍ଥବଦଲ୍ପଂ(ଞ) ଚ, ତତ୍ତାମସମୁଦାହୃତମ୍॥22॥
ବିବେଚନ :-
ଶ୍ରୀ ଭଗବାନ କହୁଛନ୍ତି କି - ହେ ଅର୍ଜୁନ ! ଯେଉଁ ଜ୍ଞାନ ଦ୍ଵାରା ମନୁଷ୍ୟ ଭିନ୍ନଭିନ୍ନ ପ୍ରାଣୀମାନଙ୍କ ମଧ୍ୟରେ ଏକ ଅବିନାଶୀ ପରମାତ୍ମାଙ୍କୁ ଅଭିନ୍ନ ଭାବରେ ଦେଖେ ସେହି ଜ୍ଞାନକୁ ତୁମେ ସାତ୍ତ୍ୱିକ ଜ୍ଞାନ ବୋଲି ଭାବ । ଏହି ଗୋଟିଏ ବାକ୍ୟ ଦ୍ଵାରା ଏହାର ଗୂଢ ଅର୍ଥ ଜାଣିବା କଷ୍ଟକର । ଯେପର୍ଯ୍ୟନ୍ତ ମହାପୁରୁ ମାନଙ୍କ ଦ୍ଵାରା ଏହାର ବ୍ୟାଖ୍ୟା ଆମେ ନଶୁଣିବା ଏହାର ବାସ୍ତବିକ ଅର୍ଥକୁ ବୁଝିପାରିବା ନାହିଁ ।
ଶ୍ରୀ ଭଗବାନ କହିଛନ୍ତି କି ଯେଉଁ ଜ୍ଞାନ ଦ୍ଵାରା ମନୁଷ୍ୟ ସମସ୍ତ ପ୍ରାଣୀଙ୍କର ଭିନ୍ନଭିନ୍ନ ଭାବନାକୁ ଜାଣିପାରେ ସେହି ଜ୍ଞାନ ହେଉଛି ରାଜସିକ ଜ୍ଞାନ।
ଭଗବାନ ପୁଣି କହୁଛନ୍ତି କି ଯେଉଁ ଜ୍ଞାନ କାର୍ଯ୍ୟ ରୂପ ଶୈଳୀରେ ଶରୀର ପ୍ରତି ଅତ୍ୟଧିକ ଆସକ୍ତି ରହେ, ତଥା ଯିଏ ବିନା ଯୁକ୍ତିରେ ତାତ୍ତ୍ଵିକ ଅର୍ଥ ବୁଝେ ନାହିଁ ତାହା ତାମସିକ ଜ୍ଞାନ ଅଟେ ।
ଶ୍ରୀ ଭଗବାନ ଏଠାରେ ଜ୍ଞାନ ସମ୍ବନ୍ଧରେ କହୁଛନ୍ତି। ଜ୍ଞାନକୁ ଆମେ ବୁଦ୍ଧି ବୋଲି କୁହନ୍ତି। ଜ୍ଞାନ ମଧ୍ୟ ଦୁଇ ପ୍ରକାର ଅଟେ ।
ପ୍ରଥମରେ ଲୌକିକ ବିଦ୍ୟା ।
ଦ୍ଵିତୀୟରେ ଅଲୌକିକ ବିଦ୍ୟା ।
ଯେଉଁ ଜ୍ଞାନ ସଂସାରର ବ୍ୟବହାରିକ କାର୍ଯ୍ୟରେ ଲାଗେ, ତାହା ଲୌକିକ ବିଦ୍ୟା ।
ଅଲୌକିକ ଜ୍ଞାନ ଯାହାକୁ ଭଗବାନ ନବମ ଅଧ୍ୟାୟରେ “ରାଜବିଦ୍ୟା ରାଜଗୁହ୍ୟ “ ବୋଲି କହିଛନ୍ତି। ଏହି ଦୁଇଟି ଜ୍ଞାନକୁ ପ୍ରାପ୍ତ କରିବାର ପଦ୍ଧତି ଏକପ୍ରକାର ହୋଇଥାଏ।
ଭଗବାନ ଏଠାରେ ଜ୍ଞାନ ର ତିନି ଗୋଟି ସ୍ଥିତି ବିଷୟରେ କହିଛନ୍ତି -
ଜ୍ଞାତା , ଜ୍ଞାନ ଓ ଜ୍ଞେୟ।
କୌଣସି ଏକ ବାଳକ ତାର ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ କରିବାପରେ ତାକୁ କେହି ପଚାରିଲେ କି ସେ ଆଗକୁ କଣ ହେବାପାଇଁ ଚିନ୍ତା କରୁଛି, ପିଲାଟି କହିଲା କି ସେ ପାଇଲଟ୍ ହେବାକୁ ଚାହୁଁଛି । ଉଡାଜାହାଜ ଉଡାଇବା ଶିଖିବାକୁ ଚାହୁଁଛି । ଏହା ହେଉଛି ଜ୍ଞାତା ଅର୍ଥାତ୍ ଜାଣିବାକୁ ଇଚ୍ଛା କରୁଥିବା ବା ଜିଜ୍ଞାସୁ ବ୍ୟକ୍ତି।
ଜ୍ଞେୟ - ପାଇଲଟ୍ ହେବା କିପରି ହେବ ? ଏହା ଜ୍ଞାନ ଦ୍ଵାରା ସମ୍ଭବ।
ଅର୍ଥାତ୍ ଯିଏ ପାଇଲଟ୍ ହେବାପାଇଁ ଇଚ୍ଛା କରୁଛି ସେ ଜ୍ଞାତା । ‘ ମୁଁ କ'ଣ ହେବି ?’ ଯେତେବେଳେ ଏହା ଭାବିଲା ତାହା ଜ୍ଞେୟ । ଏହା ମଧ୍ୟରେ ଯେତିକି ପ୍ରଶିକ୍ଷଣ ହେଲା ତାହା ହେଲା ଜ୍ଞାନ।
ଜ୍ଞାନ ସାଧାରଣତଃ ଚାରି ପ୍ରକାର ଅଟେ ।
ଜଣେ ଛାତ୍ର ପଢ଼ିବାପାଇଁ ଏକ ଅନୁଷ୍ଠାନରେ ଦାଖିଲା ନେଲା । ଶ୍ରେଣୀଗୃହରେ ଥିଓରୀ ପଢିବା ଲାଗି ବସିଲା । ପ୍ରଶିକ୍ଷକ ଆସି ଥିଓରୀ ବ୍ୟାଖ୍ୟା କଲେ । ଜ୍ଞାନର ପ୍ରଥମ ସ୍ତର ଆରମ୍ଭ ହେଲା ଗୁରୁଙ୍କ କଥା ଶ୍ରବଣ କରିବା ଠାରୁ । ଲୌକିକ ଜ୍ଞାନ ହେଉ ଅଥବା ଅଲୌକିକ ଜ୍ଞାନ ହେଉ ଉଭୟଙ୍କୁ ପାଇବାର ପ୍ରଥମ ସୋପାନ ହେଉଛି ଶ୍ରବଣ କରିବା । ଛୋଟ ପିଲାମାନେ ସବୁକଥା ଶୁଣିଶୁଣି ମନେ ରଖିଥାନ୍ତି । ସେ ବାଳକ ହୁଅନ୍ତୁ ବା ବୃଦ୍ଧ, ସମସ୍ତଙ୍କର ଶ୍ରବଣ ହେଉଛି ଜ୍ଞାନ ପ୍ରାପ୍ତି ର ପ୍ରଥମ ମାଧ୍ୟମ ।
ପ୍ରଶିକ୍ଷକ କହିଲେ ମୁଁ ଆଜି ଯାହା ପଢାଇଛି କାଲି ତାକୁ ପଢି କରି ଆସିବ ତାସହ ପରବର୍ତ୍ତୀ ବିଷୟ ମଧ୍ୟ ପଢିକି ଆସିବ ଯାହା ମୁଁ ଆସନ୍ତାକାଲି ପଢାଇବି ।
ଜ୍ଞାନ ର ପରବର୍ତ୍ତୀ ସୋପାନ ହେଉଛି ସ୍ୱାଧ୍ୟାୟ।
କେବଳ ଶୁଣିଦେଲେ ଜ୍ଞାନ ପ୍ରାପ୍ତ ହୁଏ ନାହିଁ। ଶୁଣିବା ସହ ପୁସ୍ତକରୁ ମଧ୍ୟ ଜ୍ଞାନ ପ୍ରାପ୍ତ କରିପାରିବାକୁ ପଡ଼ିବ। ଏହାକୁ ସ୍ୱାଧ୍ୟାୟ ବା ଆତ୍ମ-ଅଧ୍ୟୟନ କୁହାଯାଏ । ପ୍ରବଚନ ଭଳି ଆଲୋଚନାରେ କେବଳ ଏକ ସୀମିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଜ୍ଞାନ ମିଳେ । ମାତ୍ର ସ୍ୱ ଅଧ୍ୟୟନ ଦ୍ଵାରା ଏହା ଆହୁରି ବୃଦ୍ଧିପାଏ। ଯେପର୍ଯ୍ୟନ୍ତ ଆପଣମାନେ ଗୀତା ପ୍ରେସ ଦ୍ଵାରା ପ୍ରକାଶିତ ସାଧକ ସଂଜୀବନୀ ଓ ଜ୍ଞାନେଶ୍ଵରୀ ପଢ଼ି ନାହାନ୍ତି ସେପର୍ଯ୍ୟନ୍ତ ଏହି ବିବେଚନର ଗୂଢ ଅର୍ଥ ବୁଝିବା କଷ୍ଟକର ହେବ । ଏବେ ପ୍ରଥମ ଛଅ ମାସ ଏହାର ବ୍ୟାଖ୍ୟା ମଧ୍ୟ ହେଲା ତା ସହିତ ସ୍ୱାଧ୍ୟାୟ ବି ହେଲା ।
ଏହାପରେ ପ୍ରଶିକ୍ଷକ ତାକୁ ବ୍ୟବହାରିକ ଜ୍ଞାନ ଆହରଣ ପାଇଁ କହିବେ । ପୁଣି ତାକୁ ମୂଖ୍ୟ ପାଇଲଟ୍ ସହିତ ବସି ବିମାନ ଚାଳନା ଶିଖିବାକୁ ପଡ଼ିବ । ପଢ଼ି କରି ଓ ଶୁଣିକରି କେହି ବିମାନ ଚାଳନା ଶିଖିପାରିବେ ନାହିଁ। ମୂଖ୍ୟ ପାଇଲଟ୍ ତାକୁ ପାଖ ସିଟ୍ ରେ ବସାଇ ବିମାନ କିପରି ଉଡାଣ ନେବ ତାହା ଶିଖାଇବେ ।ମାତ୍ର କୌଣସି ବଟମ ଛୁଇଁବାକୁ ଅନୁମତି ଦେବେନାହିଁ । ତିନି ଚାରିଥର ଏମିତି ଉଡାଣ ନେଲାପରେ ଧୀରେ ଧୀରେ ତାକୁ ଉଡାଜାହାଜ ଚଲାଇବାକୁ ଦିଆଯାଏ । ଯେବେ ପାଇଲଟକୁ ଜଣାଯିବ କି ଛାତ୍ରଟି ପୂର୍ଣ୍ଣ ରୂପେ ଶିଖିଗଲାଣି ତେବେ ଯାଇ ତାକୁ ମୂଖ୍ୟ ସିଟ୍ ରେ ବସିବାକୁ ଅନୁମତି ଦିଆଯାଇଥାଏ । ତା'ପରେ ତାକୁ ପ୍ରଶିକ୍ଷକ ପାଇଲଟ୍ ଏକ ସାର୍ଟିଫିକେଟ ଦିଅନ୍ତି ।ତା'ପରେ ଡିଜିସିଏ ଏକ ପରୀକ୍ଷା ନିଅନ୍ତି ତାପରେ ଛାତ୍ରଟିକୁ ପାଇଲଟ ଉପାଧି ମିଳିଥାଏ। ତା'ପରେ କୌଣସି କମ୍ପାନୀ ପକ୍ଷରୁ ତାକୁ ବିମାନ ଉଡ଼ାଇବାକୁ ନିଯୁକ୍ତି ମିଳିଥାଏ । ଏହି ସମସ୍ତ ପ୍ରକ୍ରିୟା ସାରିବାକୁ ପାଖାପାଖି ପାଞ୍ଚବର୍ଷ ଲାଗିଥାଏ।
ପାଞ୍ଚବର୍ଷ ପୂର୍ବେ ସେ ଜଣେ ଜ୍ଞାତା ବା ଜିଜ୍ଞାସୁ ଥିଲା । ତାର ଯେଉଁ ଲକ୍ଷ୍ୟ ଥିଲା ତାହା ଜ୍ଞେୟ । ପାଞ୍ଚ ବର୍ଷ ମଧ୍ୟରେ ସେ ଯାହା ପାଇଲା ତାହାକୁ ଜ୍ଞାନ କୁହାଯାଏ। ପାଇଲଟ ହେବାକୁ ଇଚ୍ଛା କରିବା ବାଲା ଜ୍ଞାତା , ପାଇଲଟ ହେବା ଜ୍ଞେୟ, ପାଇଲଟ୍ ହେବାର ପ୍ରକ୍ରିୟା ହେଉଛି ଜ୍ଞାନ। କିନ୍ତୁ ପାଞ୍ଚବର୍ଷ ପରେ ସେ ପାଇଲଟ ଭାବେ ନିଯୁକ୍ତି ପାଇ ପାଇଲଟର ପୋଷାକ ପିନ୍ଧି ବିମାନ ଉଡାଣ ପାଇଁ ଗଲାବେଳେ ତାକୁ କ'ଣ କୁହାଯିବ ? ଏଥିରେ କାହାକୁ କିଛି ଫରକ ପଡେନାହିଁ। ତାକୁ ଦେଖି କେବଳ ପାଇଲଟ କୁହାଯିବ । ସେ ପାଇଲଟ ପୁରୁଷ ହୋଇପାରେ କିମ୍ବା ସ୍ତ୍ରୀ, ବିମାନ କେବଳ ପାଇଲଟ ଉଡାଉଛି ।
ବିଶେଷ କଥା ଏହା କି ପାଞ୍ଚବର୍ଷ ପୂର୍ବରୁ ଯେଉଁ ଲକ୍ଷ୍ୟ ଜ୍ଞେୟ ର ଥିଲା ପାଞ୍ଚବର୍ଷ ପରେ ନା ଜ୍ଞାନ ରହିଲା ନା ଜ୍ଞାତା ରହିଲା। ଜ୍ଞନ, ଜ୍ଞାତା ଜ୍ଞେୟ ସବୁ ପାଇଲଟ ହୋଇଗଲା । ଲୌକିକ ଜ୍ଞାନରେ ସମୟର ଅବଧି ନିଶ୍ଚିତ ଥାଏ।
ଭକ୍ତ , ଭକ୍ତି , ଭଗବାନ, ଜ୍ଞାତା , ଜ୍ଞେୟ ଓ ଜ୍ଞାନ।
ଯେପର୍ଯ୍ୟନ୍ତ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ନାହାନ୍ତି ସେ ପର୍ଯ୍ୟନ୍ତ ଏହା ରହିବ। ଥରେ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିଗଲେ ଭକ୍ତ ଜ୍ଞାତା ହୋଇଯାଏ , ଭକ୍ତି ତାହାର ଜ୍ଞାନ ଓ ଜ୍ଞେୟ ଭଗବାନ ହୋଇଯାନ୍ତି । ଯେତେବେଳେ ଭକ୍ତର ଭକ୍ତି ସିଦ୍ଧି ହୋଇଥାଏ ଓ ସେ ଭଗବାନଙ୍କୁ ପାଇଯାଏ, ସେତେବେଳେ ଏସବୁ କିଛି ରହେ ନାହିଁ।
जानत तुम्हहि तुम्हइ होइ जाई।
जब मैं था तब हरी नहीं, अब हरी हैं हम नाहिं |
प्रेम गली अति साकरी, या में दोऊ न समाय ||
ଏବେ ଭକ୍ତ ଓ ଭଗବାନ ଏକ ହୋଇଗଲେ । ଅର୍ଥାତ୍ ପୂର୍ଣ୍ଣ ସ୍ଥିତିରେ ଜ୍ଞାତା ଓ ଜ୍ଞାନ, ଜ୍ଞେୟ ମଧ୍ୟରେ ଲୋପ ପାଇଯାଏ। ସେହିପରି ଭକ୍ତି ଓ ଭକ୍ତ ଭଗବାନଙ୍କ ମଧ୍ୟରେ ଲୁପ୍ତ ହୋଇଯାନ୍ତି। ପାଞ୍ଚବର୍ଷ ଯାଏଁ ଯେଉଁ ଜ୍ଞାନ କ୍ରିୟାଶୀଳ ଥିଲା ତାହା ପାଇଲଟ ହେବା ପରେ ତାହା ଜ୍ଞେୟ ହୋଇଗଲା । ଯେଉଁ ଜ୍ଞାତା ତାକୁ ପ୍ରାପ୍ତ କରିବାକୁ ପାଞ୍ଚବର୍ଷ ଚେଷ୍ଟା କଲା ସେ ମଧ୍ୟ ଶେଷରେ ଜ୍ଞେୟ ହୋଇଗଲା ।
ଅଲୌକିକ ଜ୍ଞାନରେ ସମୟର ଅବଧି ନିଶ୍ଚିତ ନଥାଏ । ଆମେ ସବୁ ଅଧ୍ୟାତ୍ମ ମାର୍ଗରେ ପୂର୍ବ ଜନ୍ମରେ କ'ଣ କରିଛନ୍ତି? ଆମକୁ ତାହା ଜଣାନାହିଁ । କେହି ଗୀତା ଶ୍ରେଣୀରେ ପ୍ରବେଶକରି ଦୁଇ ତିନି ଦିନ ମଧ୍ୟରେ ଭଲଭାବେ ଶ୍ଳୋକଗୁଡିକ ଆବୃତ୍ତି କରିପାରେ । ଅନ୍ୟ କେହି ଚତୁର୍ଥ ସ୍ତରରେ ପହଞ୍ଚି ମଧ୍ୟ ଭଲଭାବେ ଆବୃତ୍ତି କରିନପାରି ଗ୍ଳାନି ଅନୁଭବ କରେ । ଆମେ ଦେଖୁଛୁ ସମସ୍ତେ ବର୍ଷେ ପର୍ଯ୍ୟନ୍ତ ଗୀତା ଶ୍ରେଣୀ ରେ ଅଛନ୍ତି କିନ୍ତୁ ଏହା ସତ୍ୟ ନୁହେଁ ପୂର୍ଵ ଜନ୍ମରେ କିଏ କେତେ ପୂଣ୍ୟ ଅର୍ଜ୍ଜନ କରିଛନ୍ତି ତାହା କାହାକୁ ଜଣାନାହିଁ।
କେଉଁଠି ସାତ ବର୍ଷର ବାଳକ ଭଗବଦ୍ଗୀତା ର ସମସ୍ତ ଶ୍ଳୋକ ମୁଖସ୍ଥ କରିଥିଲାବେଳେ ସତୁରୀ ବର୍ଷିୟ ବ୍ୟକ୍ତି କହୁଛି ଏବେ ମତେ ଗୀତା ପାଠ କରିବା ଉଚିତ।
କେଉଁଠି ଷୋହଳ ବର୍ଷର ବାଳକ ସେବା ଦେଉଛି କିନ୍ତୁ ଷାଠିଏ ବର୍ଷୀୟ ବ୍ୟକ୍ତି ଭାବୁଛି ଏବେ ଘରେ ବହୁତ କାମ ଅଛି ପରେ ସେବା ଦେବି । କିଏ ଭଲ ବା ଖରାପ ଏଭଳି କିଛି କଥା ନାହିଁ ମାତ୍ର କିଏ ତାର ଯାତ୍ରାରେ କେଉଁ ସ୍ତରରେ ଅଛି ତାହା ଏଥିରେ ନିର୍ଭର କରୁଛି।
ଯଦି ଆମେ ପ୍ରଥମ ଶ୍ରେଣୀର ପିଲାକୁ ସପ୍ତମ ଶ୍ରେଣୀକୁ ପଠାଇବା ତ ସେଠାରେ ତାର ମନ ଲାଗିବ ନାହିଁ। ସେହିପରି ସପ୍ତମ ଶ୍ରେଣୀରପିଲା ପ୍ରଥମ ଶ୍ରେଣୀକୁ ପଠାଗଲେ ତାକୁ ଅସହଜ ଲାଗିବ । ପ୍ରଥମ ଶ୍ରେଣୀ ପଢ଼ାଉଥିବା ଶିକ୍ଷୟତ୍ରୀ ପିଲାଙ୍କୁ ଖେଳ ଖେଳରେ ପାଠ ଶିଖାଇଥାନ୍ତି । ପିଲାମାନେ ଏହାର ବହୁତ ଆନନ୍ଦ ନିଅନ୍ତି ଓ ଦିନସାରା ସେହି କଥାକୁ ଦୋହରାଇ ଥାନ୍ତି। ପିଲାର ବଡ଼ଭାଇ କହେ କି ଏଟା ପାଗଳ ହୋଇ ଗଲାଣି। ସେତେବେଳେ ମା କୁହନ୍ତି କି ତୁମେ ବି ପିଲାବେଳେ ଏହା କରୁଥିଲ। ଏବେ ତୁମର ମନେ ନାହିଁ। ଏହାର ଅର୍ଥ ଯିଏ ଯେଉଁ ସ୍ତରରେ ଅଛି ତାକୁ ସେହି କଥାର ଆନନ୍ଦ ଆସେ ।
ଜ୍ଞାନର ଆବରଣ ବି ଭିନ୍ନ ଭିନ୍ନ ହୋଇଥାଏ।
ଆଦି ଶଙ୍କରାଚାର୍ଯ୍ୟ ଭଗବାନ ନଅ ବର୍ଷ ବୟସରେ ସନ୍ୟାସ ଗ୍ରହଣ କରିଥିଲେ ଓ ବତୀଶ ବର୍ଷ ବୟସ ବେଳକୁ ସେ ସାରା ଭାରତରେ ବୌଦ୍ଧ ଧର୍ମ କୁ ସନାତନ ଧର୍ମ ରେ ବଦଳାଇ ଦେଇଥିଲେ । ସେ ଏତେ ପ୍ରଜ୍ଞାବାନ ଥିଲେ ଯେ ଷୋହଳ ବର୍ଷ ବୟସରେ ତାଙ୍କ ଭଳି ଜ୍ଞାନୀ କେହି ନଥିଲେ ।
କିନ୍ତୁ ଏହାର ବିପରୀତ ଗୌତମ ବୁଦ୍ଧ ଅଠର ବର୍ଷରେ ବିବାହ କରି କୋଡିଏ ବର୍ଷ ବୟସରେ ପିତା ହୋଇଗଲେ କିନ୍ତୁ ସେପର୍ଯ୍ୟନ୍ତ ତାଙ୍କର ଚେତନା ଜାଗ୍ରତ ହୋଇନଥିଲା। ସେ ଅଜ୍ଞାନର ଅନ୍ଧକାର ମଧ୍ୟରେ ଥିଲେ । ଦିନେ ହଠାତ ତାଙ୍କର ବିବେକ ଜାଗ୍ରତ ହେଲା ଓ ସେ ଗୃହତ୍ୟାଗ କରି ବୁଦ୍ଧତ୍ବ ପ୍ରାପ୍ତି ପାଇଁ ଚାଲିଗଲେ । ସେ ପୂର୍ବ ଜନ୍ମର ଅଭ୍ୟାସୀ ଥିଲେ ମଧ୍ୟ ତାଙ୍କର ଜ୍ଞାନ ବାଇଶି ବର୍ଷ ଯାଏ ଆଚ୍ଛାଦିତ ହୋଇ ରହିଥିଲା ।
ଆଦି ଶଙ୍କରାଚାର୍ଯ୍ୟ ଭଗବାନ ପିଲାବେଳୁ ବୁଦ୍ଧତ୍ବ ପାଇସାରିଥିଲେ । ଉଭୟ ସିଦ୍ଧି ଲାଭ କରିଥିଲେ । ମାତ୍ର ଜଣେ ପିଲାଦିନରୁ ସିଦ୍ଧିଲାଭ କରି ଥିଲାବେଳେ ଅନ୍ୟ ଜଣେ ବାଇଶି ବର୍ଷ ପରେ ସିଦ୍ଧିଲାଭ କରି ଥିଲେ। ଏହା ହିଁ ଜ୍ଞାନ ର ଆବରଣ ଅଟେ ।
କାହାର ଭଗବଦ୍ଗୀତା ପ୍ରତି ପିଲାବେଳୁ ଆଗ୍ରହ ରହିଛି ଆଉ କାହାର ଷାଠିଏ ବର୍ଷ ବୟସରେ ଅଚାନକ ଗୀତା ପଢିବା ଲାଗି ଆଗ୍ରହ ଆସିଲା ଓ ଏତେ ଅଧିକ ରୁଚି ଆସିଲା ଯେ ସେ ସେଥିରେ ପୂର୍ଣ୍ଣ ସମର୍ପିତ ହୋଇଗଲେ । ଲକ୍ଷ ଲକ୍ଷ ଲୋକ ଗୀତା ଶିଖୁଛନ୍ତି। ବାର ହଜାର ରୁ ଉର୍ଦ୍ଧ୍ୱ ଗୀତା ସେବୀ ଷୋହଳ ଷୋହଳ ଘଣ୍ଟା ଧରି ସେବା ଦେଉଛନ୍ତି । ପୁରା ଜୀବନ ଗୀତା ବହିକୁ ସ୍ପର୍ଶ କରିନଥିବା ବେଳେ ଏବେ ଗୀତାଜୀଙ୍କ ଅନ୍ତାକ୍ଷରୀ ଖେଳୁଛନ୍ତି। ସତୁରି ବର୍ଷ ବୟସରେ ଗୀତା ବିଚକ୍ଷଣ ଶ୍ରେଣୀ ଚଳାଉଛନ୍ତି।
ଜ୍ଞାତା , ଜ୍ଞାନ, ଜ୍ଞେୟ,
ଭକ୍ତି ,ଭକ୍ତ, ଭଗବାନ,
ଧ୍ୟାତା , ଧ୍ୟାନ, ଧ୍ୟେୟ ।
ଏହି ତିନି ସ୍ଥିତି ପୂର୍ଣ୍ଣତା ଆସିବା ପର୍ଯ୍ୟନ୍ତ ବାକି ଥାଏ। ଯେପର୍ଯ୍ୟନ୍ତ ଜ୍ଞାନ ଭକ୍ତି ଓ ଜ୍ଞାନ କ୍ତିୟା ଅଛି ସେପର୍ଯ୍ୟନ୍ତ ଅନ୍ୟଦୁଇଟି ରହିବ । ଯେତେବେଳେ ଏହା ଜ୍ଞେୟ ରେ ପରିଣତ ହୋଇଯାଏ ଅନ୍ୟ ଦୁଇଟି ସମାପ୍ତ ହୋଇଯାଏ। ଯାହାର ଜ୍ଞାନ ପୁରଣ ହୁଏ ସେ ଜ୍ଞାନୀ ହୋଇଯାଏ। ଯାହାର ଭକ୍ତି ପୂର୍ଣ୍ଣ ହୋଇଥାଏ ସେ ଭଗବାନ ହୋଇଯାଏ। ଯାହାର ଧ୍ୟାନ ପୂର୍ଣ୍ଣ ହୋଇଯାଏ ସେ ଧ୍ୟାନୀ ହୋଇଯାଏ। ଯେଉଁ ପର୍ଯ୍ୟନ୍ତ ଜଣେ ଅଭ୍ୟାସ କରୁଥାଏ ତାକୁ ଭକ୍ତ କୁହନ୍ତି। ବାସ୍ତବରେ ଏହା ବିଭକ୍ତ , ଭଗବାନ ଙ୍କ ସହ ଯୋଡ଼ି ହେଲାପରେ ସେ ଭକ୍ତ ହୋଇଯାଏ। ଯେ ଏପର୍ଯ୍ୟନ୍ତ ଯୋଡ଼ି ହୋଇନାହିଁ ସେ ବିଭକ୍ତ ଭାବେ ରହିଯାଇଛି ।
ଜ୍ଞାନର ସାତଗୋଟି ଭିନ୍ନ ଭିନ୍ନ ସୋପାନ ରହିଛି । -
ଯେପରି କେହି ଜଣେ କହିଛନ୍ତି- 'ଗୀତା ଏକ ଧାର୍ମିକ ପୁସ୍ତକ।' ଏହା ହେଉଛି ଜ୍ଞାନର ପ୍ରଥମ ସ୍ତର | ଅନ୍ୟ ଜଣେ କହିଛନ୍ତି - 'ଗୀତା କେବଳ ଧାର୍ମିକ ପୁସ୍ତକ ନୁହେଁ, ଏହା ମହାଭାରତର ଏକ ଅଂଶ।' ଏହା ହେଉଛି ଜ୍ଞାନର ଅନ୍ୟ ଏକ ସ୍ତର | ତୃତୀୟଟି କହିଲା - 'ଏହା କେବଳ ମହାଭାରତର ଏକ ଅଂଶ ନୁହେଁ, ଏହା କେବଳ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିନାହାନ୍ତି । ମହାଭାରତକୁ ବୈଶମ୍ପାୟନ ମୁନି ଅର୍ଜୁନଙ୍କ ନାତି ଜନ୍ମେଜୟଙ୍କୁ ଶୁଣାଇଛନ୍ତି । ସୂତ ମୁନି ଏହାକୁ ଶୌନକଜୀଙ୍କୁ କହିଛନ୍ତି। ସଂଜୟ ଏହାକୁ ଧୃତରାଷ୍ଟ୍ରଜୀଙ୍କୁ ବର୍ଣ୍ଣନା କରିଛନ୍ତି । ଏହା ବେଦବ୍ୟାସ ଋଷି ଶ୍ରୀ ଗଣେଶଙ୍କୁ ବର୍ଣ୍ଣନା କରିଛନ୍ତି, ଭଗବାନ କୃଷ୍ଣ ଏହାକୁ ଅର୍ଜୁନଙ୍କ ନିକଟରେ ବର୍ଣ୍ଣନା କରିଛନ୍ତି। ଏହା ହେଉଛି ଜ୍ଞାନର ତୃତୀୟ ଅବସ୍ଥା ।
ଚତୁର୍ଥ ସ୍ଥିତି ର ବ୍ୟକ୍ତି କୁହନ୍ତି - ଏହି ସବୁ କଥା ଠିକ, କିନ୍ତୁ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନୁହେଁ | ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୀତାଜୀ ହେଉଛି ଶ୍ରୀ ଭଗବାନଙ୍କର ବାଣୀ । ଏହା ଭଗବାନଙ୍କ ଶୀମୁଖ ନିଃସୃତ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ତା’ଠାରୁ ଅଧିକ ଜ୍ଞାନ ଥିବା ବ୍ୟକ୍ତି କୁହନ୍ତି - ଏହା ସତ୍ୟ ଯେ ଏହା ଭଗବାନଙ୍କ ମୁଖାରବିନ୍ଦରୁ ଆସିଛି, କିନ୍ତୁ ଏହା କିଛି ଖାସ କଥା ନୁହେଁ | ଗୀତାଜୀ ସମସ୍ତ ଉପନିଷଦର ସାର ତତ୍ତ୍ଵ ଅଟେ । ଏହା ସମସ୍ତ ବେଦର ମୂଳ ଅଟେ । ଏହାଠାରୁ ଏକ ଉଚ୍ଚ ସ୍ତରର ଜ୍ଞାନୀ ବ୍ୟକ୍ତି କୁହନ୍ତି ଯେ ଏସବୁ ଠିକ ଅଛି କିନ୍ତୁ ଗୀତାଜୀଙ୍କର ମୂଳ ତତ୍ତ୍ୱ ହେଉଛି ଆତ୍ମ-କଲ୍ୟାଣ କରିବା ,ଓ ମୋକ୍ଷ ପ୍ରାପ୍ତିର କାମନା କରିବା ।
ସପ୍ତମରେ କେହି ସ୍ଵାମୀଜୀଙ୍କ ପରି ମହାନ ସନ୍ଥ ଯିଏକି ଗୀତା ଜୀଙ୍କୁ ସମ୍ପୂର୍ଣ୍ଣ ଭାବେ ହୃଦୟସ୍ଥ କରିଛନ୍ତି, ସେ କୁହନ୍ତି ଏସବୁ କଥା ଠିକ୍ କିନ୍ତୁ ଭଗବଦ୍ଗୀତା ହେଉଛି ଏକ ଧର୍ମମୟ ଅମୃତ ବଚନ । ଆମେ ଏହି ଅମୃତ ତତ୍ତ୍ଵକୁ ପାଇ ନଥିବାରୁ ଏହା ଆମକୁ ଅମୃତ ବଚନ ବୋଲି ଜଣାଯାଏ ନାହିଁ। ଆମେ ଏହାକୁ ପଢୁଛନ୍ତି, ଶୁଣୁଛନ୍ତି, କହୁଛନ୍ତି ମାତ୍ର ଏହି ଅମୃତ ରସକୁ ଚାଖିବାର ଅନୁଭୁତି ଆମର ନାହିଁ । ସ୍ଵାମୀଜୀ ମହାରାଜଙ୍କ ଭଳି ସିଦ୍ଧପୁରୁଷ ଏହି ଅମୃତ ପାନ କରି ଏହାର ସ୍ଵାଦ ଅନୁଭବ କରିଛନ୍ତି । ଏହି ଧର୍ମମୟ ଅମୃତ ବଚନର ସ୍ଵାଦ ଅନୁଭବ କରିବା ହେଉଛି ସପ୍ତମ ସ୍ଥିତି ।
ସାତ ଜଣ ବ୍ୟକ୍ତି ଜ୍ଞାନୀ ଅଟନ୍ତି । ମାତ୍ର ସେମାନଙ୍କ ଜ୍ଞାନ ପ୍ରାପ୍ତିର ସ୍ଥିତି ଅଲଗା ଅଲଗା ହୋଇଥାଏ।
ଲୌକିକ ଜ୍ଞାନ ପରେ, ଆମେ ଅଲୌକିକ ଜ୍ଞାନକୁ ଦେଖିବା । ଯେପରି ଶ୍ରୀମଦ୍ ଭଗବଦ୍ ଗୀତା ଅର୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଏକ ସଂବାଦ, ସେହିପରି ଯୋଗ ବଶିଷ୍ଠ ମଧ୍ୟ ଜ୍ଞାନମାର୍ଗର ଏକ ସର୍ବ ଶ୍ରେଷ୍ଠ ଗ୍ରନ୍ଥ । ଏହା ମହାତ୍ମା ବଶିଷ୍ଠ ଏବଂ ଭଗବାନ ଶ୍ରୀରାମଙ୍କ ସଂବାଦ, ଏହା ଅତ୍ୟନ୍ତ ରହସ୍ୟମୟ ଅଟେ | ଯେଭଳି ଶ୍ରୀମଦ୍ ଭଗବଦ୍ ଗୀତା ମହାଭାରତର ଏକ ଅଂଶ, ସେହିପରି ଯୋଗ ବଶିଷ୍ଠ ବାଲ୍ମୀକି ରାମାୟଣର ଏକ ଅଂଶ | ଗୀତାଜୀଙ୍କ ପ୍ରଶ୍ନକାରୀ ଅର୍ଜୁନ ଯିଏ ମୋହଗ୍ରସ୍ତ ଅବସ୍ଥାରେ ଅଛନ୍ତି ଏବଂ ଉତ୍ତର ଦେଉଛନ୍ତି ଶ୍ରୀଭଗବାନ । ଯୋଗ ବଶିଷ୍ଠରେ ସାମାନ୍ୟ ପାର୍ଥକ୍ୟ ଅଛି | ଯେଉଁଥିରେ ପ୍ରଶ୍ନକର୍ତ୍ତା ହେଉଛନ୍ତି ଭଗବାନ ରାମ ଏବଂ ଉତ୍ତରଦାତା ହେଉଛନ୍ତି ଋଷି ବଶିଷ୍ଠ । ଶ୍ରୀ ଭଗବାନ ପଚାରିଥିବା ପ୍ରଶ୍ନର ସ୍ତର କ’ଣ ହେବ? ତେଣୁ ଶ୍ରୀମଦ ଭଗବଦ୍ ଗୀତାରେ ଉତ୍ତର ବିଶିଷ୍ଟ ଏବଂ ଯୋଗ ବଶିଷ୍ଠ ରେ ପ୍ରଶ୍ନ ବିଶିଷ୍ଟ, କାରଣ ସେହି ପ୍ରଶ୍ନଗୁଡିକ ଶ୍ରୀ ଭଗବାନ୍ ପଚାରିଛନ୍ତି।
ଉର୍ଦ୍ଦୁ ରେ ତିନିଟି ଶଦ୍ଦ ଅଛି - ଆଲିମ , ଆମିଲ , ଓ କାମିଲ ।
ଆଲିମ : ଯାହାର ଜ୍ଞାନ ଅଛି, ଯିଏ ଶିକ୍ଷିତ, ଯେ ପଣ୍ଡିତ ଅଟନ୍ତି ।
ଆମିଲ : ଯିଏ ବିଦ୍ୟାକୁ କାର୍ଯ୍ୟକାରୀ କରିଛନ୍ତି, ମାତ୍ର ଅଧ୍ୟୟନ କରି ନାହାଁନ୍ତି । ଠିକ୍ ଯେପରି କେହି ଗାଡି ଚଳାଇବା ଶିଖିନାହାଁନ୍ତି କିନ୍ତୁ ଗାଡ଼ି ଭଲ ଭାବରେ ଚଲାନ୍ତି | ସେ ଶିକ୍ଷା ଦେଇ ପାରିବେ ନାହିଁ କାରଣ ସେ ଏହି ଶିକ୍ଷା ଲାଭ କରିନାହାଁନ୍ତି କିନ୍ତୁ ସେ ଏହାକୁ କାମରେ ଲଗାଇ ପାରନ୍ତି । ମୋବାଇଲ କିପରି ତିଆରି କରିବେ ଜାଣନ୍ତି ମାତ୍ର ଏହାର ବିଦ୍ୟା ଜଣାନାହିଁ |
କାମିଲ : - ଯିଏ ପଢିଛନ୍ତି , ଏବଂ ଏହାକୁ ଶିକ୍ଷାଦାନ କରିବା ସହିତ କାର୍ଯ୍ୟକାରୀ ମଧ୍ୟ କରିପାରିବେ। ଭଗବାନ ଶ୍ରୀ ରାମଙ୍କର ଏହି ତିନୋଟି ଗୁଣ ଅଛି | ଭଗବାନ ଶ୍ରୀ ରାମ ସିଦ୍ଧପୁରୁଷ । ସେ ସବୁକିଛି ଜାଣନ୍ତି, ସେ ଏହା କାର୍ଯ୍ୟରେ ଲଗାନ୍ତି ଏବଂ ଶିକ୍ଷା ମଧ୍ୟ ଦେଇପାରନ୍ତି |
ଯଦି ଆପଣଙ୍କୁ ଗଭୀର ଜ୍ଞାନ ଆହରଣ କରିବାକୁ ଇଚ୍ଛା ଅଛି ତେବେ ଏହି ପୁସ୍ତକ ପଢନ୍ତୁ | ଏଥିରେ ଶ୍ରୀ ଭଗବାନଙ୍କ ବାର୍ତ୍ତାଳାପ ବହୁତ ସରଳ ମାତ୍ର ଏହା ବୁଝିବା ବହୁତ କଷ୍ଟକର ।ପୂଜ୍ୟ ସ୍ଵାମୀଜୀ ଙ୍କର ଯୋଗ ବଶିଷ୍ଠ ଉପରେ ବହୁତ ସୁନ୍ଦର ବକ୍ତବ୍ୟ ରହିଛି। ଏଥିରେ ଶ୍ରୀ ରାମ ଦୋଷ ତ୍ରୁଟି ବିଷୟରେ ଆଲୋଚନା କରିଛନ୍ତି।
ଏଥିରେ, ଆଠଟି ତ୍ରୁଟି ବିଷୟରେ ଉଲ୍ଲେଖ କରାଯାଇଛି | ଧନ ର କ'ଣ ଦୋଷ ଅଛି , ଜଣେ ମହିଳାଙ୍କ ଦୋଷ କ’ଣ? ଶରୀରର ତ୍ରୁଟି କ’ଣ? ଶିଶୁର ଦୋଷ କ’ଣ ? ଇତ୍ୟାଦି ।
ଶ୍ରୋତା-ବକ୍ତାଙ୍କ ଦୃଷ୍ଟିକୋଣରୁ, ଯେଉଁ ଦୁଇଟି ଗ୍ରନ୍ଥ ଶ୍ରୀମଦ୍ ଭଗବଦ୍ ଗୀତା ପରି ଗ୍ରହଣୀୟ ହୋଇପାରିଛି- ତାହା ହେଲା -
ଯୋଗ ବଶିଷ୍ଠ ଓ ଅଷ୍ଟବକ୍ର ଗୀତା ।
ଯେଉଁ ମାନେ ଜ୍ଞାନ ମାର୍ଗରେ ଯିବାକୁ ଇଚ୍ଛା କରନ୍ତି , ସେମାନେ ଏହି ଦୁଇଟି ଗ୍ରନ୍ଥର ଅଧ୍ୟୟନ କରିବା ଆବଶ୍ୟକ। ଯୋଗ ବଶିଷ୍ଠ ରେ ଏକ ପ୍ରସଙ୍ଗ ମାଧ୍ୟମରେ ବଶିଷ୍ଠ ଋଷି ଜ୍ଞାନ ର ସାତଟି ସୋପାନ ବିଷୟରେ କହିଛନ୍ତି ।
ଜ୍ଞାନର ସାତଟି ଭୂମିକା
ଯିଏ ଜ୍ଞାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତାଙ୍କୁ ଏହି ସାତଟି ସୋପାନ ଦେଇ ଯିବାକୁ ପଡିଥାଏ।
ଜ୍ଞାନର ସପ୍ତବିଧ ପୃଷ୍ଠଭୂମି - ସେ କହିଛନ୍ତି ଜ୍ଞାନ ଲାଭ କରିବାପାଇଁ ଏହି ସାତଗୋଟି ପୃଷ୍ଠଭୂମି ଦେଇ ଗତି କରିବାକୁ ପଡେ |
ପ୍ରଥମ ଭୂମିକା - ଶୁଭେଚ୍ଛା
ଶ୍ରୀମଦଭଗବତଗୀତା ପାଠ, ଜପ ଓ ଧ୍ୟାନ କରିବାକୁ ମନରେ ଆଗ୍ରହ ଉଦ୍ରେକ ହେବା | କେହି କେହି ଚାଳିଶ ବର୍ଷ ହେଲାଣି ଏହାସବୁ କରିବାପାଇଁ ମନରେ ଚିନ୍ତା କରୁଛି କିନ୍ତୁ ଏପର୍ଯ୍ୟନ୍ତ କରିପାରୁନାହିଁ | ସବୁଠାରୁ ପ୍ରଥମ ଅବସ୍ଥା ହେଉଛି ମନରେ ଉତ୍ତମ ଇଚ୍ଛା ଜାଗ୍ରତ ହେବା, କିନ୍ତୁ ସେତିକିରେ ରହିଯିବା ଉଚିତ ନୁହେଁ |
ଦ୍ଵିତୀୟ ସ୍ଥିତି - ବିଚାରଣା
ମନରେ ଇଚ୍ଛା ହେବାପରେ ମୋତେ କଣ କରିବାକୁ ପଡିବ ଚିନ୍ତା ଆସେ | ଏଠାରେ ଶୁଭେଚ୍ଛା ଓ ବିଚାରଣା ହୋଇଗଲା |
ଯେପରି ଖାଦ୍ୟ ପ୍ରସ୍ତୁତ କରିବାକୁ ଇଛୁକ କୌଣସି ମହିଳା ମୋବାଇଲରେ ଦିନସାରା ଖାଦ୍ୟ ପ୍ରସ୍ତୁତ କରିବାର ନୂତନ ନୂତନ ପ୍ରଣାଳୀ ଶିକ୍ଷା କରୁଥାନ୍ତି, ଘର କିଣିବାରେ ଆଗ୍ରହୀ ବ୍ୟକ୍ତି ଯୁଆଡେ ଯାଆନ୍ତି ଘର ବିଷୟରେ ପ୍ରଶ୍ନ କରନ୍ତି ସେହିପରି ଭଗବତ କୃପା ହେତୁ ମନରେ ଶୁଭେଚ୍ଛା ଜାଗ୍ରତ ହେଵା ପରେ ବିଚାର ଆସେ ମୁଁ କିଏ ? ମୋତେ ଏ ଶରୀର କାହିଁକି ମିଳିଛି? ଏହି ଶରୀର କଣ ମୁଁ? କଣ ପଢିଲେ କଣ ଶୁଣିଲେ ମୁଁ କିଏ ବୋଲି ଜାଣିପାରିବି? ମୋତେ କେଉଁ ଶାସ୍ତ୍ର, ତଥା କେଉଁ ଗୁରୁ ଙ୍କର ଆବଶ୍ୟକତା ଅଛି ଇତ୍ୟାଦି ପ୍ରଶ୍ନ ମନରେ ଥାଏ, ଯେତେବେଳେ ଏସବୁ ପ୍ରକାଶିତ ହୁଏ ତେବେ -
ତୃତୀୟ ସ୍ଥିତି - ତନୁମାନସ
ଶରୀର ଓ ଶରୀର ସମ୍ବନ୍ଧିତ ପ୍ରତ୍ୟେକ ବିଷୟ ପାଇଁ ବୈରାଗ୍ୟ ଆସେ | ଯାହା ଫଳରେ ସେ ଖାଦ୍ୟ ତଥା ନିଦ୍ରା ବିଷୟରେ ଚିନ୍ତା କରେନି | ସମସ୍ତେ କହନ୍ତି ପାଗଳ ହୋଇଯାଇଛି ଦିନତମାମ ଗୀତା ସାଥିରେ ଲାଖି ରହିଛି | ଆମେ ସମସ୍ତେ ଏହି ତନୁ ମାନସ ସ୍ଥିତିରେ ପହଞ୍ଚିଛନ୍ତି | ତାପରେ ସେ ଦେହ ଓ ମନକୁ ହତାଦର କରେ ଓ ତାର ଦେହକୁ ପ୍ରାଧାନ୍ୟ ଦେବାର ବୁଦ୍ଧି କ୍ଷୀଣ ହୋଇଯାଏ |
ଚତୁର୍ଥ ସ୍ଥିତି - ସତ୍ତ୍ୱପତ୍ତି l
ବର୍ତ୍ତମାନ ଆମେ ଏହି ଚତୁର୍ଥ ସ୍ତରରେ ଉପନୀତ ହେଲେ| ଏଠାରେ ସତ୍ୟ ପ୍ରତି ଆକର୍ଷଣ ବଢେ ଓ ଅସତ୍ୟ ପ୍ରତି ବିତୃଷ୍ଣା ଭାବ ଜାଗ୍ରତ ହୁଏ|
ପଞ୍ଚମ ସ୍ଥିତି - ଅନାସକ୍ତି
ଶ୍ରୀଭଗବାନ କହିଛନ୍ତି ‘ଜିତ ସଙ୍ଗ ଦୋଷା’ | ଏ ଅବସ୍ଥାରେ ସାଂସାରିକ ବିଷୟ ପ୍ରତି ନିରାସକ୍ତ ଭାବ ଆସେ | ସିନେମା ଦେଖିଲେ ପିଲାମାନଙ୍କ ପାଇଁ ଦେଖେ, ହୋଟେଲ ପିଲାମାନଙ୍କ ପାଇଁ ଯାଏ | ସେଠାକୁ ଯିବାକୁ ଖୁସି ବା ସେଠାରେ ଖାଇବାକୁ ଆଗ୍ରହ ହୁଏନାହିଁ | ପୂର୍ବପରି ଖାଦ୍ୟ ସ୍ୱାଦିଷ୍ଟ ହେଲେ ଅଧିକ ଖାଇବା ଓ ଭୋଜନର ସ୍ୱାଦ ଭଲ ନଲାଗିଲେ କମ ଖାଇବା ହୁଏ ନାହିଁ | ଖାଦ୍ୟ ଭଲ ହେଉ ବା ନହେଉ ଯେତିକି ଖାଦ୍ୟ ଗ୍ରହଣ କରିବା କଥା ସେତିକି ଖାଦ୍ୟ ଗ୍ରହଣ କରେ | ଏହାର ଉପର ସ୍ଥିତି କଷ୍ଟକର କିନ୍ତୁ ଅଭ୍ୟାସ କରି ସାଧନା ବଳରେ ପଞ୍ଚମ ସ୍ଥିତି ପ୍ରାପ୍ତ ହୁଏ |
ଷଷ୍ଠ ସ୍ଥିତି - ପଦାର୍ଥ ଅଭାବନି
ବର୍ତ୍ତମାନ ଆମକୁ ତୃତୀୟ ସ୍ଥିତି ବିଷୟରେ ଅଧିକ, ଚତୁର୍ଥ ଓ ପଞ୍ଚମ ସ୍ଥିତି ବିଷୟରେ କିଛି କିଛି ଅଭ୍ୟାସ ହୋଇଛି | ଯେତେବେଳ ଯାଏଁ ପଞ୍ଚମ ସ୍ଥିତି ଭଲଭାବରେ ଅଭ୍ୟାସ ହୋଇନି ସେତେବେଳଯାଏଁ ଷଷ୍ଠ ସ୍ଥିତି କୁ ପହଂଚି ପାରିବା ନାହିଁ | ପଦାର୍ଥ ଅଭାବନି, ଅର୍ଥାତ ସଂସାରର ପଦାର୍ଥ ଜ୍ଞାନ ରହେନି କେବଳ ଜାଣିବାର ଯୋଗ୍ୟ ଓ ଧ୍ୟାନକରିବାର ଯୋଗ୍ୟ ପରମାତ୍ମା ହିଁ ରହନ୍ତି ।
ସ୍ୱାମୀ ରାମତୀର୍ଥ ବାହାରେ ବସିଥିଲା ବେଳେ ହଠାତ ଆକାଶରେ କଳା ବାଦଲ ଆସିଲା | ଶିଷ୍ୟ ତାଙ୍କୁ କଳା ବାଦଲ ଦେଖେଇବାରୁ ସେ ଉପରକୁ ଦେଖି କାନ୍ଦିବାକୁ ଲାଗିଲେ | କାନ୍ଦିବାର କାରଣ ପଚାରିବାରୁ ସେ କହିଲେ` କେତେ ସୁନ୍ଦର କାହ୍ନ|`| ତାଙ୍କୁ ଆଉ କଳା ବାଦଲ ଦେଖାଯାଉନି, କଳା ବାଦଲରେ ରେ କାହ୍ନ| ଦେଖାଯାଉଛନ୍ତି | ସଂସାରର ପ୍ରତ୍ୟେକ ପଦାର୍ଥରେ ତାଙ୍କୁ ବାସୁଦେବ ଦେଖାଯାଆନ୍ତି ।
सीय राममय सब जग जानी। करउँ प्रनाम जोरि जुग पानी।।
ଏବେ ତ ମୋତେ ସମ୍ପୂର୍ଣ୍ଣ ସଂସାରରେ କେବଳ ସୀତାରାମ ଦେଖାଯାଉଛନ୍ତି | ବଶିଷ୍ଠ ମୁନି କହିଛନ୍ତି ଯେତେବେଳେ ଏହିପରି ହେବ ସେତେବେଳେ ଅନ୍ତିମ (ଶେଷ ) ସ୍ଥିତି ପ୍ରାପ୍ତ ହେବ |
ତୁର୍ଜଗା କଣ ବୋଲି ବଶିଷ୍ଠ ମୁନିଙ୍କୁ ଶ୍ରୀରାମ ପଚାରିବାରୁ ସେ କହିଲେ ଏହାକୁ ବର୍ଣ୍ଣନା କରିହେବନାହିଁ | ଏହା ଶବ୍ଦାତୀତ | ଏହାକୁ ଅନୁଭବ କରିହୁଏ | ଯେପରି ରସଗୋଲା ନଖାଇଲେ ତାର ସ୍ୱାଦ କିପରି କହିହେବନାହିଁ ସେହିପରି ଜ୍ଞାନର ଶେଷ ସ୍ଥିତି ତୁର୍ଜଗା କୁ କଥାରେ ପ୍ରକାଶ କରିହେବନାହିଁ |
जागृत, स्वप्न, सुषुप्ति
ଶରୀରର ତିନି ଅବସ୍ଥା ଅଛି - ଜାଗୃତ, ସ୍ବପ୍ନ, ସୁଷୁପ୍ତି
ଏହି ତିନି ଅବସ୍ଥା ଭିତରୁ ଜାଗୃତର ଅନୁଭବ ହେଉଛି ତୁର୍ଜଗା | ଏହା ହେଉଛି ଧ୍ୟାନର ସର୍ବଶେଷ ଅନୁଭବ |
ଜ୍ଞାନର ଦୀପ କିପରି ପ୍ରଜ୍ବଳିତ କରିବାକୁ ହେବ ବୋଲି ଗରୁଡଙ୍କ ପ୍ରଶ୍ନର ଉତ୍ତର ଦେଇ କାକଭୂଷଣ୍ଡି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି | ଗୋସ୍ଵାମୀ ଜୀ କହିଛନ୍ତି।
सात्त्विक श्रद्धा धेनु सुहाई | जौं हरि कृपाँ हृदयँ बस आई ॥
जप तप ब्रत जम नियम अपारा। जे श्रुति कह सुभ धर्म अचारा।।
ଏଠାରେ କାକଭୂଷଣ୍ଡିଜୀ ଗାଈ, ଲହୁଣୀ, ଘିଅ ଓ କ୍ଷୀର ର ଉଦାହରଣ ଦେଇ ଜ୍ଞାନପ୍ରାପ୍ତି ର ଉପାୟ ବତେଇଛନ୍ତି |
ସେ କହିଲେ ‘ଶୁଣ ଗରୁଡ! ଯିଏ ଭଗବାନଙ୍କର କରୁଣାରୁ ଶ୍ରଦ୍ଧାରୂପକ ସୁନ୍ଦର ଗାଈ (ଗୋ ମାତା )ଲାଭକରେ ଓ ସାଧୁ ମାନେ କହିଥିବା ଜପ, ତପ, ବ୍ରତ, ନିୟମ ଓ ଶୁଭକାର୍ଯ୍ୟ ରୂପକ ଖାଦ୍ୟ ଖୁଆଏ -
तेइ तृन हरित चरै सब गाई। भाव बच्छ सिसु पाइ पेन्हाई।।
नोइ निबृत्ति पात्र बिस्वासा। निर्मल मन अहीर निज दासा।
ସେହି ଧର୍ମାଚାର ରୂପକ ସବୁଜ ଘାସକୁ ଶ୍ରଦ୍ଧା ରୂପକ ଗାଈ ଯେତେବେଳେ ଖାଏ ଓ ଆସ୍ତିକଭାବସମ୍ପନ୍ନ ଛୋଟ ବ୍ରହ୍ମଚର୍ଯ୍ୟ ରୂପକ ବାଛୁରୀ ପାଇଁ ଯେତେବେଳେ ପନ୍ହାଏ ସେତେବେଳେ ସାଂସାରିକ ବିଷୟରୁ ଦୂର ହୋଇଯାଏ | ଗୋ ଦୋହନ ସମୟରେ ବେଳେବେଳେ ଗାଈ ନାତମାରେ । ସେ ଯେପରି ନାତ ନ ମାରିପାରିବ ସେଥିପାଇଁ ରସି (ଦଉଡି )ରେ ଗୋଟିଏ ଛନ୍ଦ ତିଆରିକରି ତାର ପଛଗୋଡ଼ରେ ବାନ୍ଧି ଦିଆଯାଏ ।
ଗୋସ୍ୱାମୀ ତୁଳସୀ ଦାସ କହନ୍ତି ସାତ୍ତ୍ଵିକ ଶ୍ରଦ୍ଧାରୂପୀ ଗାଈକୁ ଦୁହିଁବାକୁ ଇଛାକଲେ ମନ ଯେପରି ସଂସାର ବିଷୟ ପଛରେ ନ ଦୌଡିବ, ସେଥିପାଇଁ ତାର ଦଉଡି (ପଘା )କୁ ବାନ୍ଧିବାକୁ ପଡେ | ପ୍ରପଞ୍ଚ ରୂପକ ନାତକୁ ଏଡ଼େଇବାକୁ ବିଶ୍ୱାସ ରୂପକ ଦୁଗ୍ଧପାତ୍ର ଓ ନିର୍ମଳ ନିଷ୍ପାପ ମନ ଦାସ ଓ ଦୋହନ କରିବା ବାଲା ଗୋପାଳ ହେବାକୁ ପଡେ |
ଯେଉଁପର୍ଯ୍ୟନ୍ତ ମନ ବିଷୟାସକ୍ତ ଥାଏ ସେପର୍ଯ୍ୟନ୍ତ ଶ୍ରଦ୍ଧା, ଜ୍ଞାନ ବା କୌଣସି ନିୟମ ଫଳିତ ହୁଏନାହିଁ | ଏଣୁ ଶ୍ରଦ୍ଧା ରୂପକ ଗାଈକୁ ଦୁହିଁବାକୁ ବିଶ୍ୱାସ ରୂପକ ପାତ୍ର ନେବାକୁ ପଡେ | ନିଜର ମନ ରୂପକ ଭୃତ୍ୟ କୁ ନିଜ ନିୟନ୍ତ୍ରଣ ରେ ରଖି ଦୋହନ କର୍ତ୍ତା ଗଉଡ଼ ସାଜିବାକୁ ହୁଏ |
परम धर्ममय पय दुहि भाई। अवटै अनल अकाम बनाई॥
तोष मरुत तब छमाँ जुड़ावै। धृति सम जावनु देइ जमावै।।
ନିଜ ଅଧୀନସ୍ଥ ନିର୍ମଳ ମନର ସାହାଯ୍ୟରେ ସାତ୍ତ୍ଵିକ ଶ୍ରଦ୍ଧା ରୂପିଣୀ ଗାଈ ଠାରୁ କ୍ଷୀର ଦୁହିଁବାପରେ ନିଷ୍କାମ ରୂପକ ଅଗ୍ନିରେ ଆଉଟି ଦିଅ (ଫୁଟେଇଦିଅ ) | ପ୍ରଥମେ ଗରମ କରିବାକୁ ପଡିବ | ତାପରେ ସନ୍ତୋଷ ରୂପକ ଶ୍ରଦ୍ଧା ଦ୍ୱାରା ଶୀତଳ କରିବାକୁ ପଡିବ | ଥଣ୍ଡା ହେଲାପରେ ଧୈର୍ଯ୍ୟ ଓ ମନକୁ ନିୟନ୍ତ୍ରଣ କରିବାର ଜୁଆଣ ମିଶେଇ ଦେବା | କ୍ଷମା ଓ ସନ୍ତୋଷ ରୂପକ ପବନରେ ଥଣ୍ଡା କରିବାକୁ ପଡିବ । ଅତିରିକ୍ତ ସାଧନା କରିବାପରେ ସାଧକ କୁ କ୍ରୋଧ ଆସିଯାଏ ।
मुदिताँ मथै बिचार मथानी। दम अधार रजु सत्य सुबानी॥
तब मथि काढ़ि लेइ नवनीता। बिमल बिराग सुभग सुपुनीता॥
ପୁଣି ପ୍ରସନ୍ନତା ରୂପକ ଦଉଡ଼ି ଦ୍ଵାରା ଖୁଆବାଡି ସାହାଯ୍ୟରେ ତାକୁ ମନ୍ଥନ କରିବାକୁ ହୁଏ । ଅନେକ ଥର ଆଧ୍ୟାତ୍ମିକ ମାର୍ଗରେ ଚାଲୁଥିବା ବ୍ୟକ୍ତି ହସିବା ଭୁଲିଯାଇଥାଏ । ତାକୁ ଲାଗେ ଅଧ୍ୟାତ୍ମ ରାସ୍ତାରେ ଗଲେ ଖୁସିହେବା ଉଚିତ ନୁହେଁ। ସତ୍ୟ ଆଉ କୋମଳ ବାଣୀ କହିବାକୁ ଚେଷ୍ଟା କର । ବେଳେବେଳେ ଆଧ୍ୟାତ୍ମିକବାଦୀ ବ୍ୟକ୍ତିର ବାଣୀ ବହୁତ କଠୋର ହୋଇଥାଏ। ଦୁଇ ଦୁଇ ଘଣ୍ଟା ପୂଜାପାଠରେ ବିତାନ୍ତି ପୁଣି ପିଲାମାନଙ୍କୁ ଗାଳି ଦିଅନ୍ତି ।ଆମେ ପୂଜା କରୁଛନ୍ତି ମାନେ ଆମର ବାଣୀ କୋମଳ ହେବା ଆବଶ୍ୟକ। ଶ୍ରୀ ଭଗବାନ କହିଛନ୍ତି କି ଏହିପରି ତାକୁ ମନ୍ଥନ କଲେ ସୁନ୍ଦର ବୈରାଗ୍ୟ ରୂପୀ ମାଖନ ବା ଲହୁଣୀ ବାହାରିବ ।ପ୍ରସନ୍ନତାର ଅଭାବରେ ଜୀବନରେ ବୈରାଗ୍ୟ ଆସେନାହିଁ।
ଗୋସ୍ଵାମୀ କହିଛନ୍ତି -:
जोग अगिनि करि प्रगट तब कर्म सुभासुभ लाइ।
बुद्धि सिरावै ग्यान घृत ममता मल जरि जाइ।।
ପୁଣି ସମସ୍ତ ଶୁଭାଶୁଭ କର୍ମ ରୂପୀ ଇନ୍ଧନ ଜଳାଇ ଯୋଗ ରୂପୀ ଅଗ୍ନି କୁ ପ୍ରକଟ କରିଦିଅ ଓ ଯେତେବେଳେ ବୈରାଗ୍ୟ ରୂପୀ ଲହୁଣୀ ରୁ ମଇଳା ଓ ଜଳ ଅଲଗା ହୋଇଯାଏ ସେତେବେଳେ ଜ୍ଞାନ ରୂପୀ ଘିଅ କୁ ନିଶ୍ଚୟାତ୍ମକ ବୁଦ୍ଧି ଦ୍ଵାରା ଥଣ୍ଡା କରିଦିଅ।
तब बिग्यानरूपिनी बुद्धि बिसद घृत पाइ ।
चित्त दिआ भरि धरै दृढ़ समता दिअटि बनाइ ॥
ବିଜ୍ଞାନ ରୂପୀ ବୁଦ୍ଧି ଓ ଜ୍ଞାନ ରୂପୀ ନିର୍ମଳ ଘିଅକୁ ପାଇଲା ପରେ , ସେଥିରେ ଚିତ୍ତ ରୂପୀ ଦୀପ ରେ ସମତା ରୂପୀ ସଳିତା ଦେଇ ଦୃଢ଼ତା ରୂପୀ ଘିଅ କୁ ଭରି ଦୀପ କୁ ପ୍ରଜ୍ଜ୍ଵଳିତ କରାଅ ।
ଶ୍ରୀ ଭଗବାନ କହିଛନ୍ତି କି ହେ ଅର୍ଜୁନ ! ତମୋଗୁଣୀ ଜ୍ଞାନୀ ଅଟେ ରଜୋଗୁଣୀ ଓ ସତ୍ତ୍ଵଗୁଣୀ ମଧ୍ୟ ଜ୍ଞାନୀ ଅଟନ୍ତି ତିନିଟି କାହାଣୀ ମାଧ୍ୟମରେ ଏହାକୁ ବୁଝିବା।
ସତ୍ତ୍ଵଗୁଣୀ ଜ୍ଞାନ କିପରି ଅଟେ । -
ଗୁରୁ ନାନକଦେବ ଗାଁ ଗାଁ ବୁଲୁଥିଲେ । ସେ କୌଣସି ସ୍ଥାନରେ ଗୋଟେ ରାତିରୁ ଅଧିକା ରହୁ ନ ଥିଲେ । ଥରେ ଗୋଟିଏ ଗାଁରେ ପହଞ୍ଚି ସେଠାରେ ରହିବା ସମୟରେ ଜଣେ ବ୍ୟକ୍ତି ଆସି କହିଲା ମହାରାଜ ଜୀ ଆପଣତ ଗାଁ ଗାଁ ବୁଲୁଛନ୍ତି,ଏପରି ଗୋଟେ ଗାଁ କୁହନ୍ତୁ ଯେଉଁଠି ମୁଁ ରହିବି , ମତେ ଏହି ଗାଁ ଛାଡି ଯିବାକୁ ହେବ , ନାନକ ଜୀ ପଚାରିଲେ ତୁମେ କାହିଁକି ଏହି ଗାଆଁ କୁ ଛାଡିଯିବ । ସେ କହିଲା ଏହି ଗାଁର ଲୋକେ ବହୁତ ଝଗଡ଼ା କରୁଛନ୍ତି ।ତେଣୁ ମତେ ଅନ୍ୟ ଗାଁ କୁ ଯିବାକୁ ହେବ । ନାନକ ଦେବ କହିଲେ ମୁଁ ଯେଉଁ ଗ୍ରାମ ରୁ ଆସିଛି ସେଠାକାର ଲୋକ ମାନେ ବହୁତ କଳିହୁଡା ତୁମେ ଏଠାରେ ଥାଅ ଯେବେ ମୁଁ କେଉଁଠି ଭଲ ଗାଁ ଦେଖିବି ତୁମକୁ ଜଣାଇବି । ତାଙ୍କ ସହିତ ବାଲା ଓ ମର୍ଦାନା ନାମରେ ଦୁଇଜଣ ଶିଷ୍ୟ ଥିଲେ । ସେମାନେ କହିଲେ ମହାରାଜ ଆମେ ଯେଉଁ ଗ୍ରାମ ରୁ ଆସିଲେ ସେଠିକାର ଲୋକମାନେ ତ ବହୁତ ଭଲ ଥିଲେ । ଏହି ବ୍ୟକ୍ତି ଙ୍କୁ ପଠାଇ ଦେଉ ନାହାନ୍ତି ସେଠିକୁ ?
ଗୁରୁ ନାନକ କୌଣସି ଉତ୍ତର ନଦେଇ ଅନ୍ୟ ଏକ ଗାଁ କୁ ଗଲେ ।ସେଠିକାର ଲୋକେ ଚୋର ଆଉ ଡାକୁ ଥିଲେ । ନାନକ ଦେବ ଆସୁଥିବା ସୂଚନା ପାଇ ଚୋର ମାନଙ୍କ ସର୍ଦାର ଆସି କହିଲା ରାତି ସୁଦ୍ଧା ଏଠାରୁ ବାହାରି ଯିବ । ଆମେ ଚୋରୀ କରି ଆଣିଥିବା ସମ୍ପତ୍ତିକୁ ତୁମେ କ'ଣ ଲୁଟିବା କୁ ଆସିଛ ? ଗୁରୁଜୀ କହିଲେ ଏପରି କୌଣସି କଥା ନାହିଁ । ତୁମେ ମାନେ ଏହିଠାରେ ରହିଯାଅ । ଓ ଖୁବ୍ ଉନ୍ନତି କର । ଶିଷ୍ୟ ଭାବିଲେ କି ସେମାନେ ଆମକୁ ଗାଳି କରୁଛନ୍ତି ଅଥଚ ଗୁରୁଜୀ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି । ଏହାପରେ ସେମାନେ ତୃତୀୟ ଗାଁ କୁ ଗଲେ । ସେଠିକାର ଲୋକମାନେ ବହୁତ ଆଧ୍ୟାତ୍ମିକବାଦୀ ଓ ସାତ୍ତ୍ୱିକ ସ୍ୱଭାବର ଥିଲେ । ସେମାନଙ୍କର ବହୁତ ଆଦର ସତ୍କାର କଲେ । ଲୋକମାନେ ନାନକ ଜୀ ଙ୍କୁ କହିଲେ ଆଉ ଗୋଟେଦିନ ରହିବା ପାଇଁ କିନ୍ତୁ ନାନକ ଜୀ ମନାକଲେ ଓ କହିଲେ ଏବେ ତ ଆମକୁ ଯିବାକୁ ପଡ଼ିବ । ଯିବା ସମୟରେ ଗୁରୁ ନାନକ ଦେବ ଜୀ ସେମାନଙ୍କୁ ଆଶୀର୍ବାଦ ଦେଲେ ।
तुम सब लोग बिखर जाओ, उजड़ जाओ और फैल जाओ।
ତୁମେ ସବୁ ବିଛୁଡି ହୋଇଯାଅ , ଚାରିଆଡେ ବ୍ୟାପି ଯାଅ । ବିସ୍ତାରିତ ହୋଇଯାଅ ।
ଶିଷ୍ୟ ମାନେ ଦୁଃଖୀ ମନେ କଲେ । ଭାବିଲେ ଗୁରୁଜୀ ଚୋର ମାନଙ୍କୁ କହିଲେ କୁଆଡେ ନଯାଇ ଏହିଠାରେ ରହି ଉନ୍ନତି କର ।ଅଥଚ ଯେଉଁଠି ଏତେ ସଜ୍ଜନ ଲୋକ ରହିଛନ୍ତି ତାଙ୍କୁ କହିଲେ କି ଉଜୁଡି ଯାଅ ଓ ବିସ୍ତାରିତ ହୋଇଯାଅ । ଶିଷ୍ୟ କହିଲେ ଗୁରୁଜୀ ତିନିଟି ଗ୍ରାମରେ ଆପଣ ତିନିପ୍ରକାରର କଥା କହିଲେ ଯାହା ଆମେ ବୁଝିପାରି ଲୁ ନାହିଁ ।
ପ୍ରଥମ ଗାଁ ରେ ଲୋକଟି ଯିବାକୁ ଚାହୁଥିଲା ,ଆପଣ ତାକୁ ଯିବାକୁ ଦେଲେ ନାହିଁ। ଗୁରୁଜୀ କହିଲେ ସେ ବ୍ୟକ୍ତି ବହୁତ କଳିହୁଡା ଥିଲା ,ସେ ଯୁଆଡେ ଯିବ ଝଗଡ଼ା କରିବ । ଏହି ଗ୍ରାମବାସୀ ତାର ପ୍ରକୃତି ସହ ପରିଚିତ ହୋଇସାରିଥିଲେ। ଅନ୍ୟ ଗ୍ରାମକୁ ଗଲେ ନୂଆ ଲୋକଙ୍କୁ ହଇରାଣ କରିବ ସେଥିପାଇଁ ତାକୁ ଏଠାରେ ରହିବାକୁ କହିଲି ।
ଦ୍ଵିତୀୟ ଗାଁ ର ଲୋକେ ଚୋରୀ କରୁଥିଲେ । ସେମାନେ ଯୁଆଡେ ଯିବେ ଚୋରୀ କରିବେ । ତେଣୁ ସେମାନଙ୍କୁ ସେଇଠି ରହିଯିବା ହିଁ ଠିକ୍। ଶିଷ୍ୟ ଜଣଂକ ପଚାରିଲେ ଶେଷ ଗାଁ କଥା ବୁଝି ପାରିଲିନାହିଁ । ଏତେ ଭଲ ଲୋକ ସେମାନଙ୍କୁ ବ୍ୟାପି ଯିବାକୁ କହିଲେ ।ଗୁରୁ ନାନକ ଜୀ କହିଲେ ଭଲ ଲୋକ ଗୋଟେ ଯାଗାରେ ରହିବା ଠିକ୍ ନୁହେଁ। ସେମାନେ ଯୁଆଡେ ଯିବେ ଭଲକାମ କରିବେ । ସେମାନେ ଯେଉଁ ଗାଁ କୁ ଯିବେ ସେଠିକାର କଲ୍ୟାଣ କରିବେ ।
ଏହା ସାତ୍ତ୍ୱିକ ଦୃଷ୍ଟି । ସାମାନ୍ୟ ବ୍ୟକ୍ତି ଏପ୍ରକାର କଳ୍ପନା କରିପାରିବ ନାହିଁ । ଅନେକ ବାର ଜ୍ଞାନୀ ପୁରୁଷ ମାନଙ୍କ ଦ୍ଵାରା ନିଆଯାଇଥିବା ନିର୍ଣ୍ଣୟ ସାମାନ୍ୟ ଲୋକଙ୍କୁ ଭୁଲ୍ ବୋଲି ପ୍ରତୀତ ହୁଏ ।ତାଙ୍କର ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇଥାଏ ।
ଦ୍ଵିତୀୟ ରେ ରାଜସିକ ଜ୍ଞାନ । -
ଜଣେ ହୀରା ବ୍ୟବସାୟୀ ଥିଲା । ମା କହୁଥିଲେ କି ମୋ ପୁଅକୁ ମୁଁ ଦୋକାନ ରେ ବସାଇବି ନାହିଁ। ଏସବୁ ବେକାର କାମ ନକରି ସେ ଚାକିରୀ କରିବ । ହଠାତ୍ ବ୍ୟବସାୟୀ ଙ୍କୁ ଗୁରୁତର ରୋଗ ହୋଇଗଲା । ସେ ମାସେ କିମ୍ବା ଦୁଇ ମାସ ମଧ୍ୟରେ ମରିଯିବେ | ସେ ଚିନ୍ତିତ ହେଲେ ଯେ ଏତେ ଭଲ ଚାଲୁଥିବା ଦୋକାନଟିର କ'ଣ ହେବ । ପୁଅର ଦୋକାନ ପ୍ରତି ଆଦୌ ଆଗ୍ରହ ନାହିଁ | ବର୍ତ୍ତମାନ ମୋତେ ଦୋକାନ ବନ୍ଦ କରିବାକୁ ପଡିବ | କିନ୍ତୁ ସେ ବହୁତ ବୁଦ୍ଧିମାନ ଥିଲେ। ସେ ତାଙ୍କ ପୁଅକୁ ଡାକି କହିଲେ ତୁମେ ତ କାମ ଶିଖି ପାରିଲ ନାହିଁ | ଏହି ଗୋଟିଏ ହୀରା ପୁଟୁଳି ହେଉଛି ମୋର ଆଜୀବନ ରୋଜଗାର | ଯେତେବେଳେ ତୁମର କିଛି ଦରକାର, ଏହାକୁ ତୁମ କାକାଙ୍କ ନିକଟକୁ ନେଇଯିବ । ସେ ଜଣେ ବ୍ୟବସାୟୀ ମଧ୍ୟ ଥିଲେ। ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା | ସେଠଜୀଙ୍କର ମୃତ୍ୟୁ ହୋଇଗଲା। କିଛି ସମୟ ପାଇଁ, ଉଭୟ ମା ଏବଂ ପୁଅ କୌଣସି ପ୍ରକାରେ ଦୋକାନଟିକୁ ପରିଚାଳନା କରିଥିଲେ | ତା’ପରେ ଯେତେବେଳେ ସେ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେ, ସେତେବେଳେ ସେ ହୀରା ପୁଟୁଳିଟିକୁ ନେଇ କାକ ଙ୍କ ନିକଟକୁ ଗଲେ । କାକା କହିଲେ ପୁଅ ଏବେତ ପିତୃପକ୍ଷ ଚାଲିଛି , ତେଣୁ ଲୋକମାନେ ଏବେ କିଛି କିଣାକିଣି କରିବେ ନାହିଁ | ବର୍ତ୍ତମାନ ବିକ୍ରୟ କଲେ ବହୁତ କମ୍ ଟଙ୍କା ରୋଜଗାର ହେବ । ଆସନ୍ତାକାଲି ଠାରୁ ତୁମେ ପ୍ରତିଦିନ ଦୋକାନକୁ ଆସି କାମ ଶିଖ ଏବଂ ମୁଁ ତୁମକୁ ଟଙ୍କା ମଧ୍ୟ ଦେବି | ପିଲାଟି ପ୍ରତିଦିନ ଆସି କାକାଙ୍କ ଦୋକାନରେ ବସିବା ଆରମ୍ଭ କଲା ପିଲାଟି ବହୁତ ବୁଦ୍ଧିମାନ ଥିଲା । ସେ ମାତ୍ର ତିନି ମାସ ମଧ୍ୟରେ ପୁରା କାମ ଶିଖିଗଲେ । ସେ ହୀରାକୁ ଚିହ୍ନିବା ଶିଖିଲେ ଏବଂ ଅନ୍ୟ ସହରକୁ ଯାଇ ଏହାକୁ କିଣା କିଣି କଲେ । ଯେତେବେଳେ ସେ ତିନି-ଚାରି ମାସ ମଧ୍ୟରେ ସବୁକିଛି ଶିଖିଗଲେ, କାକା କହିଲେ ଯେ ବର୍ତ୍ତମାନ ବଜାର ଭଲ, ଦର ବୃଦ୍ଧି ପାଇଛି | ଆସନ୍ତାକାଲି ତୁମେ ହୀରାର ଗୁଣ୍ଡ ସହିତ ଆସିବ | ସେ ହୀରାର ଗୁଣ୍ଡ ବାହାର କରି ଦେଖିବା ମାତ୍ରେ ଜାଣିଲେ ଯେ ଏଗୁଡ଼ିକ ହୀରା ନୁହେଁ କାଚର ଖଣ୍ଡ । ସେ ଭାବିଲେ ଯେ ତାଙ୍କ ପିତା ତାଙ୍କୁ ମିଛ କହିଛନ୍ତି। ପରଦିନ ସେ ପୁଟୁଳି ଟିକୁ କାକାଙ୍କ ନିକଟକୁ ନେଇ କହିଲା ଯେ ଏଗୁଡ଼ିକ ହୀରା ନୁହେଁ କାଚର ଖଣ୍ଡ । ତୁମେ ମୋତେ ପୂର୍ବରୁ କାହିଁକି କହିଲ ନାହିଁ ?
କାକା କହିଲେ ଯଦି ମୁଁ ତୁମକୁ ସେହି ସମୟରେ କହିଥାନ୍ତି ଏହା କାଚ ଖଣ୍ଡ ବୋଲି ତୁମେ ମତେ ଅବିଶ୍ବାସ କରି କହିଥାନ୍ତ ଯେ କାକା ବେଇମାନ ଅଟନ୍ତି । ତୁମ ପିତା ଏହାକୁ ହୀରା ଖଣ୍ଡ କହି ତୁମକୁ ଦେଇଥିଲେ । ମୁଁ ତାକୁ କାଚ ଖଣ୍ଡ କହିଥିଲେ ତୁମକୁ ଖରାପ ଲାଗିଥାନ୍ତା । ହୀରା ଚିହ୍ନିବା ପାଇଁ ମୁଁ ତୁମକୁ ଦୋକାନ ରେ ବସିବାକୁ କହିଲି । ଜାଣିଥିଲି ତୁମେ ଏସବୁ ଶୀଘ୍ର ଶିଖିପାରିବ । ଆଜିଠାରୁ ତୁମେ ଦୋକାନ ସମ୍ଭାଳ । ଏ ଦୋକାନ ର ତୁମେ ଅଧା ମାଲିକ । ତେଣୁ କାଲିଠାରୁ ଆସି ଦୋକାନ ର ଗଦ୍ଦିରେ ବସିବ । ସେ ଘରକୁ ଯାଇ ମା'କୁ କହିଲେ ପିତାଜୀଙ୍କର କୁର୍ତ୍ତା ଦିଅ ମୁଁ ପିନ୍ଧି ଦୋକାନକୁ ଯିବି । ମା କୁର୍ତ୍ତା ବାହାର କରି ଦେଲାପରେ ପୁଅ ଦେଖିଲା ଯେ ପିତାଙ୍କ କୁର୍ତ୍ତା ର ପ୍ରତ୍ୟେକ ଟି ବୋତାମରେ ହୀରା ଲାଗିଛି । ସେ ପଚାରିଲା ପିତାଙ୍କର ଏପରି କେତେଗୋଟି କୁର୍ତ୍ତା ଅଛି, ମା କହିଲେ ପାଖାପାଖି ଚାଳିଶଟି ଅଛି । ସେ ସବୁ କୁର୍ତ୍ତା କାଢି ଦେଖିଲା ଯେ ସବୁଥିରେ ହୀରାର ବୋତାମ ଲାଗିଛି । ଏବେ ସେ ବୁଝିପାରିଲା ଯେ ପିତା ତାକୁ ବୁଝାଇବା ପାଇଁ ଜାଣିଶୁଣି କାଚର ପୁଟୁଳି ଦେଇଥିଲେ । ଏହା ହେଉଛି ରଜୋଗୁଣୀ ଜ୍ଞାନ। ଏଥିରେ ନିଜପାଇଁ କଲ୍ୟାଣର ବିଷୟ ନିହିତ ।
ଏବେ ତମୋଗୁଣୀ ଜ୍ଞାନ ବିଷୟରେ ଜାଣିବା । -
ଗୋଟେ ଶୁଆ ଥିଲା । ସେ ଯେଉଁ ଜଙ୍ଗଲରେ ରହୁଥିଲା ସେଠାରେ ବହୁତ ଶିକାରୀ ଥିଲେ ।ସେ ଅନ୍ୟ ଜଙ୍ଗଲ କୁ ଚାଲିଗଲା। ସେଠାରେ ଅନେକ ଗୁଡ଼ିଏ କପୋତ ଥିଲେ । ଶୁଆଟି ପଚାରିଲା ଏଠାକୁ ଶିକାରୀ ଆସୁନାହାନ୍ତି ? ଗୋଟେ ବୁଢ଼ା ବୁଦ୍ଧିମାନ କପୋତ କହିଲା ମୁଁ ତୁମକୁ ଗୋଟେ ସୂତ୍ର ଦେବି । ତାକୁ ତୁମେ ମନେ ରଖିବ ଯଦି ତେବେ ଶିକାରୀ କବଳରେ ପଡ଼ିବ ନାହିଁ।
शिकारी आएगा, जाल बिछाएगा, दाना डालेगा, फँसना मत।
କପୋତ ସୂତ୍ରଟି କହିଲା ଓ ଶୁଆଟି ତାକୁ ଦୋହରାଇଲା । ଶୁଆଟି ନିଜ ଜଙ୍ଗଲକୁ ଯାଇ ସମସ୍ତଙ୍କୁ ଏ ସୂତ୍ର ଶିଖାଇ ଦେଲା। ପରଦିନ ଜଣେ ଶିକାରୀ ଆସିଲା ଜାଲ ବିଛାଇ ଦାନା ପକାଇ ଦେଲା ।ସବୁ ପକ୍ଷୀ ଏକାସାଙ୍ଗରେ କହିଲେ “ଶିକାରୀ ଆସିବ , ଜାଲ ବିଛାଇବ ,ଦାନା ପକାଇବ , ଫସିବା ନାହିଁ।” । ଶିକାରୀ ବାଳକ ଟି ଭାବିଲା ପକ୍ଷୀମାନେ ଚାଲାକ ହୋଇଯାଇଛନ୍ତି। ଦ୍ଵିତୀୟ ଦିନ ସେ ପୁଣି ଜାଲ ବିଛାଇଥିଲା ,ପୁଣି ସବୁ ପକ୍ଷୀ ଚିଲେଇଲେ । ସେଦିନ ଶିକାରୀ ପୁଣି ଖାଲି ହାତରେ ଫେରିଗଲା । ତାର ପିତା ତାକୁ ପକ୍ଷୀ ଶିକାର ନ ଆଣିବାର କାରଣ ପଚାରିଲେ ସେ ସବୁକଥା କହିଲେ। ପିତାଜୀ କହିଲେ ଚିନ୍ତା କରନାହିଁ ଏହା ଶୁଆର ଜ୍ଞାନ ଅଟେ । ପିଲାଟି ବୁଝି ପାରିଲା ନାହିଁ । ପରଦିନ ପୁଣି ଜାଲ ବିଛାଇଲା ।ପକ୍ଷୀମାନେ ପୁଣି ଚିଲେଇଲେ । ସେ ଯେମିତି ଜାଲରେ ଦାନା ପକାଇଛି ଗୁରୁ ଶୁଆଟି ମନ୍ତ୍ର ବୋଲି ବୋଲି ଜାଲରେ ପଡ଼ିଗଲା । ଶୁଆ ବୋଲି ପାରେ କିନ୍ତୁ ବୁଝିପାରେ ନାହିଁ। ଆମେ ସବୁ ମଧ୍ୟ ଶୁଆପରି । ଦିନସାରା ଏତେ ଶାସ୍ତ୍ର ପଢିଥାନ୍ତି କିନ୍ତୁ ଏଥିରେ ମୋହରେ ଫସି ରହିଥାଉ। ଆମେ ନିଜକୁ ଜ୍ଞାନୀ ବୋଲି ମାନିଥାନ୍ତି। ଆମେ ସର୍ବଦା କହିଥାନ୍ତି ଯେ କ୍ରୋଧକରିବା ନାହିଁ । କିନ୍ତୁ ପୁଣି କରନ୍ତି । ମୋହ ମାୟା ର ଜାଲରେ ଫସିବାର ନାହିଁ କିନ୍ତୁ ଫସିଯାଆନ୍ତି ଆମେ ଶୁଣନ୍ତି ,କୁହନ୍ତି କିନ୍ତୁ କାମରେ ଲଗାନ୍ତି ନାହିଁ ଏହା ତାମସିକ ଜ୍ଞାନ ଅଟେ । ଯାହା କେବଳ ଶଦ୍ଦ ରେ ରହିଯାଏ, ଜୀବନରେ କାମରେ ଆସେ ନାହିଁ।
पर उपदेस कुसल बहुतेरे | जे आचारहिं ते नर न घनेरे ||
ନିୟତଂ(ମ୍) ସଙ୍ଗରହିତମ୍, ଅରାଗଦ୍ୱେଷତଃ(ଖ୍) କୃତମ୍
ଅଫଲପ୍ରେପ୍ସୁନା କର୍ମ, ୟତ୍ତତ୍ସାତ୍ତ୍ୱିକମୁଚ୍ୟତେ॥23॥
ୟତ୍ତୁ କାମେପ୍ସୁନା କର୍ମ, ସାହଙ୍କାରେଣ ବା ପୁନଃ
କ୍ରିୟତେ ବହୁଲାୟାସଂ(ନ୍), ତଦ୍ରାଜସମୁଦାହୃତମ୍॥24॥
ଅନୁବନ୍ଧଂ(ଙ୍) କ୍ଷୟଂ(ମ୍) ହିଂସାମ୍, ଅନବେକ୍ଷ୍ୟ ଚ ପୌରୁଷମ୍
ମୋହାଦାରଭ୍ୟତେ କର୍ମ, ୟତ୍ତତ୍ତାମସମୁଚ୍ୟତେ॥25॥
ବିବେଚନ :-
ଶ୍ରୀଭଗବାନ କହୁଛନ୍ତି କି ‘ହେ ଅର୍ଜୁନ ! ଜ୍ଞାନଭଳି କର୍ମ ମଧ୍ୟ ତିନି ପ୍ରକାରର । ଯେଉଁ କାର୍ଯ୍ୟ ଶାସ୍ତ୍ର ବିଧି ହିସାବରେ କରାଯାଏ, କର୍ତ୍ତାପଣ ଅଭିମାନ ରହିତ, ଫଳ ଆଶା ରହିତ ଏବଂ ସେହି କାର୍ଯ୍ୟ ରାଗ ଦ୍ୱେଷ ରହିତ ହୋଇଥାଏ ତାହାକୁ ସାତ୍ତ୍ଵିକ କର୍ମ କୁହନ୍ତି ।’
ସେଥିରେ ତିନିଟି କଥା ଥାଏ । ପ୍ରଥମ ନିୟତ, କର୍ମ ଆଧାରରେ ହୋଇଥିବ । ନିଷିଦ୍ଧ କର୍ମର ସ୍ପର୍ଶ ନଥିବ । ଆମେ ପୂର୍ବ ସଭାରେ କର୍ମର ସିଦ୍ଧାନ୍ତ ବିଷୟରେ ଜାଣିଲେ ।
ଦ୍ଵିତୀୟ କଥା କର୍ତ୍ତାପଣର ଅଭିମାନ ନଥିବ । ମୁଁ ସବୁ କରୁଛି, ଏହି ଭାବ ରହିବା ଅନୁଚିତ । ମୁଁ ଶ୍ରୀଭାଗବାନଙ୍କ ସେବକ ଭାବରେ କରୁଛି । ସେ ମୋ ଦ୍ୱାରା କରାଉଛନ୍ତି ଓ ମୁଁ ନିମିତ୍ତ ମାତ୍ର ।
I do nothing, I am not a doer.
ଅର୍ଥାତ, ମୁଁ କିଛି କରୁନାହିଁ । ମୁଁ କର୍ତ୍ତା ନୁହେଁ ।
ତୃତୀୟ କଥା ହେଲା ଫଳ ଆଶା ନ ରଖିବା ଭାବ । ମୁଁ ମୋର କର୍ତବ୍ୟ କରୁଛି ଓ ଫଳ ଯାହା ବି ଆସୁ ମୋତେ ତାର ଅପେକ୍ଷା ନାହିଁ ।
ରାଗଦ୍ୱେଷ ବିହୀନତା :
ମତେ ଏହି କାର୍ଯ୍ୟ କରିବାର ଅଛି । ସାତ୍ତ୍ଵିକ କର୍ମ କରିବାରେ ସମୟେ ସମୟେ ରାଗ ଉତ୍ପନ୍ନ ହୋଇଥାଏ । ଉତ୍ତମ ସ୍ଥିତିରେ ସାତ୍ତ୍ଵିକ କର୍ମ କଲାବେଳେ ରାଗ ଦୂର ହୋଇଯିବା ବିଧେୟ । କିଛି ସେବା ମିଳିଲା ତ କରିଦେଲି, ନ ମିଳିଥିଲେ କରି ପାରି ନଥାନ୍ତି ।
କେତେକ ଲୋକ ସେବା ନ ମିଳିଲେ ଦୁଃଖ କରନ୍ତି । ଏହା ମଧ୍ୟ ରାଗ ହେତୁ ହୋଇଥାଏ । ସେମାନଙ୍କୁ ଆଶାନୁରୂପ ଫଳ ନ ମିଳିଲେ ପାଗଳାମି ଆସିଥାଏ ।
ଶ୍ରୀଭଗବାନ କହୁଛନ୍ତି କି କର୍ମରେ ରାଗ ଦ୍ୱେଷ ନ ରହୁ । ଏହା ସାତ୍ତ୍ଵିକତାର ଲକ୍ଷଣ ।
ଯେଉଁ କର୍ମ ପରିଶ୍ରମଯୁକ୍ତ, ଅହଂକାର ଯୁକ୍ତ ଓ ଭୋଗ କାମ୍ୟ, ସେହି କାମକୁ ରାଜସ କର୍ମ କୁହନ୍ତି ।
ଏହି ବଷୟରେ ଏକ କଥା । ଏକ ପତି - ପତ୍ନୀ ଥିଲେ । ତାଙ୍କ ପାଖରେ ଗୋଟିଏ two wheeler ଥିଲା । ପତ୍ନୀ ସଦାବେଳେ କହୁଥିଲେ କି ଅମର ଘର ପାଇଁ ଗାଡିଟିଏ ଦରକାର । ପତି କହୁଥିଲେ ଆମ ପାଖରେ ଏତେ ପଇସା ନାହିଁ । ପତ୍ନୀ କହୁଥିଲେ ପଇସା ଆସିବାର ବାଟ ଅଛି । ସେ ସମୟରେ ଅଲ୍ଟୋ କାରର ଦାମ ଦୁଇ ଲକ୍ଷ ଦଶ ହଜାର ଟଙ୍କା ଥିଲା । ସେମାନେ ସୋରୁମକୁ ଯାଇ ପଚାରିଲେ ସବୁଠାରୁ କମ ଦାମରେ କେଉଁ କାର ଆସୁଛି । ବ୍ୟାଙ୍କଵାଲା କହିଲେ ଲକ୍ଷେ ଟଙ୍କା ଡାଉନ ପେମେଣ୍ଟ ଦେବାକୁ ହେବ । ବାକି ଫାଇନାନ୍ସ ହୋଇଯିବ । ପତିଦେବ ଦେଖିଲେ ଯେ ସବୁ ଗୋଟାଗୋଟି କରି ତାଙ୍କ ପାଖରେ ତିରିଶ ଚାଳିଶ ହଜାର ହୋଇ ପାରିବ । ପତ୍ନୀଙ୍କୁ କହିଲେ ଲକ୍ଷେ ଟଙ୍କା ସମ୍ଭବ ନୁହେଁ । ପତ୍ନୀ ହୁସିଆର ଥିଲେ, ପଢାଲେଖା ବି ଥିଲେ । ସେ ଗୁଗୁଲକୁ ଯାଇ ସର୍ଚ୍ଚ କରିନେଲେ ଓ କହିଲେ ଏଲ ଆଇ ସି ରୁ ଲୋନ ନେଇଯିବା । ସେଥିରୁ ଚାଳିଶ ହଜାର ମିଳିଯିବ । ତଥାପି ତିରିଶ ହଜାର ଆହୁରି ଦରକାର । କାହାଠାରୁ ଉଦ୍ଧାର ନେଇଯିବା ନହେଲେ କିଛି ବିକାବିକି କରିଦେବା ।
ଉପର ମହଲା ଘର ଭଡାକୁ ଦେଇ ଛ ମାସ ଆଡ଼ଭାନ୍ସ ନେଇନବା । ସେଥିରୁ ତିରିଶ ହଜାର ମିଳିଗଲା । ଲକ୍ଷେ ଟଙ୍କା ନେଇ ବ୍ୟାଙ୍କକୁ ଗଲେ । ବ୍ୟାଙ୍କ ମ୍ୟାନେଜର ପଚାରିଲେ ଗ୍ୟାରେଣ୍ଟି କାହାକୁ ଦେବେ ? ଦୁଇ ମାସ ପରେ ଦୁଇଜଣ ବ୍ୟକ୍ତି ଗ୍ୟାରେଣ୍ଟି ମିଳିଲେ ଓ ତୃତୀୟ ମାସରେ ଗାଡି ଆସି ଘରେ । ଗାଡି ପାଇଁ ସେମାନଙ୍କୁ କେତେ ହଇରାଣ ହେବାକୁ ପଡିଲା ଓ କେତେ ମୁଣ୍ଡ ତଳକୁ କରିବାକୁ ପଡିଲା । ପରବର୍ତ୍ତୀ ବର୍ଷେ କାଳ ଜୀବନ ଦୁଃଖମୟ ହୋଇଗଲା । ଦରମାର ବଡଭାଗ କିସ୍ତି ଶୁଝିବାରେ ଚାଲି ଯାଉଥିଲା । ପୁଣି ଘରଭଡା ଛମାସ ମିଳିଲାନି । କାର ତ ଆସିଗଲା ପରନ୍ତୁ ତାକୁ ଚଳେଇବାକୁ ନା ଉତ୍ସାହ ଥିଲା ନା ସୁଖ । ଏହା ହିଁ ରଜସ୍ ଗୁଣର ଲକ୍ଷଣ । ବ୍ୟକ୍ତି ଗୋଟିଏ ଭୋଗ ପାଇଁ କେତେ ପରିଶ୍ରମ କରିପାରେ । ଆମେ ବି ସେଇ କଥା କରୁଛୁ । ବହୁତ ମେହେନତ କରୁଛୁ ଓ ବହୁତ ସୁଖ ଆଶାରେ ବହୁତ ଦୁଃଖକୁ ନିମନ୍ତ୍ରଣ କରୁଛୁ ।
ଶ୍ରୀଭଗବାନ କହୁଛନ୍ତି, ଯେଉଁ କର୍ମ ପରିଶ୍ରମ ଯୁକ୍ତ ଓ ଅହଙ୍କାରୀ ପୁରୁଷ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବ, ତାହା ରାଜସ ।
ତୃତୀୟରେ ଯେଉଁ କାମର ପରିଣାମ ହାନି, ହିଂସା ଓ ଅଜ୍ଞାନତା ଦ୍ୱାରା କରା ଯାଇଛି, ତାହା ତାମସ କର୍ମ ।
ଏଭଳି ଲୋକ ଅଛନ୍ତି ଯେଉଁମାନେ ଆଇପିଏଲରେ ବାଜି ରଖନ୍ତି । ଦଶ ହଜାର ଟଙ୍କା ନେଇ ଲଟେରୀ ଖେଳିଲେ, ହାରିଗଲେ। ଏହାଦ୍ୱାରା ଧାର କରଜ ମଧ୍ୟ ହୋଇଥାଏ । ବିଚାର ବିହୀନ କର୍ମ, ଯେଉଁଥିରେ ସୁଖର କୌଣସି ଆଶା ଦିଶେନାହିଁ, ଏଭଳି କର୍ମକୁ ତାମସ କର୍ମ କୁହାଯାଏ ।
ଅନେକ ଲୋକ ସତସଙ୍ଗକୁ ଆସନ୍ତି । ସେମାନଙ୍କ ମଧ୍ୟରୁ କେତେକ ଲୋକ ଦେଖନ୍ତି ଯେ ବାହାରେ ଲୋକମାନଙ୍କର ଚପଲ ଗଦା ହୋଇଛି । ନିଜ ଚପଲ ରଖିବାକୁ ଜାଗା ନାହିଁ । ଅନ୍ୟର ଚପଲ ହଟେଇକିରି ନିଜ ଚପଲ ରଖି ଦିଅନ୍ତି । ଶହେ ଚପଲ ମିଶେଇ ଗଦା ବନେଇ ଦିଅନ୍ତି, ଆଉ ନିଜ ଚପଲ ରଖିବାକୁ ଜାଗା ସଫା କରି ଦିଅନ୍ତି । ଏହା ତମଗୁଣୀ କର୍ମ । ଏ କଥା ବିଚାର କଲେ ନାହିଁ ଯେ ସତସଙ୍ଗେରୁ ଆସି ନିଜ ଚପଲ କିପରି ଖୋଜି ପାଇବେ ।
ମୁଁ ଆସୁଛି, ନିଜ ଗାଡି ଯେଉଁଠି ପାଇ ସେଠି ଠିଆ କରି ଦେଉଛି । ଅନ୍ୟ ଲୋକ ତାଙ୍କ ଗାଡି କେମିତି ରଖିବେ, କେମିତି କାଢିବେ, ସେ ବିଚାର କରେନା । କେତେକ ମହିଳାଙ୍କର ଏ ଅଭ୍ୟାସ ଥାଏ କି ଉପର ମହାଳରୁ ଅଳିଆ ତଳକୁ ପକେଇ ଦିଅନ୍ତି । କଚଡ଼ା ଜରି ତଳେ ପଡି ଫାଟି ଯାଇପାରେ ଓ ନିଜ ଘର ସାମ୍ନାରେ ପଡି ବି ପାରେ । ରାସ୍ତାରେ ଯାଉଥିବା ଲୋକଙ୍କର ଅସୁବିଧା ହେବ । ଅଶୋଭନୀୟ ବାତାବରଣ ସୃଷ୍ଟି ହେବ । ଏହା ତାମସିକ କର୍ମ ।
ତିନି ପ୍ରକାରର କର୍ତ୍ତା ବିଷୟରେ ଭଗବାନ କହିଛନ୍ତି ଆଗାମୀ ଭାଗରେ - ସାତ୍ତ୍ଵିକ କର୍ତ୍ତା, ସ୍ୱଳ୍ପ ମିଆଦି କର୍ତ୍ତା, ଦୀର୍ଘ ମିଆଦି କର୍ତ୍ତା ।
କାହାର କର୍ମକୁ ଦେଖିକରି କାହାକୁ ସତଗୁଣୀ, ରଜଗୁଣୀ ବୋଲି କହି ପାରିବାନି । କୌଣସି ବି ବ୍ୟକ୍ତି ପୂର୍ଣ୍ଣ ଭାବେ ସତ୍ୱଗୁଣୀ ନୁହେଁ କି ରଜୋଗୁଣୀ ନୁହେଁ କି ତମଗୁଣୀ ନୁହେଁ । ନେତା ଲୋକ ନିର୍ବାଚନ ସମୟରେ ବଢିଆ ବଢିଆ ଭାଷଣ ଦିଅନ୍ତି । ଜନତାଙ୍କ ସମସ୍ୟା ସବୁ ତାଙ୍କ ମସ୍ତିଷ୍କରେ ଭରି ହୋଇ ରହିଛି, କିନ୍ତୁ ନିର୍ବାଚନ ଜିତିବା ପରେ ସେ ସବୁ କୁଆଡେ ଗଲା ? ତାହାର ଭାଷଣ ସମୟରେ ସେ ସାତ୍ତ୍ଵିକ ପ୍ରତିତ ହୁଏ । ତାହାର ବିଚାରରେ ଦେଶର ସମସ୍ୟା ତାକୁ ବ୍ୟଥିତ କରିଥାଏ ବୋଲି ମନେ ହୁଏ । ମୋ ଦେଶର କିଷାନ, ବିଦ୍ୟାର୍ଥୀ, ମାଆ ମନେ କେତେ କେତେ ସମସ୍ୟା ସହିତ ଜୀବନ ଅତିବାହିତ କରୁଛନ୍ତି । ବୁଝିବାକୁ ହେବ ଲୋକଟିର ବୃତ୍ତି କଣ, ସେ କଣ ଭଲ ଲୋକ ନା ନାହିଁ । କାହାର ଗୋଟିଏ କର୍ମ ଦେଖି ତାକୁ ଭଲ ମଣିଷ ମାନିନେବା ବା ଖରାପ କାମ ଦେଖି ଖରାପ ଲୋକ ବୋଲି ମଣିନେବା ଭୁଲ ହେବ ।
ରାବଣ ଭାରି ବଢିଆ ଶିବ ତାଣ୍ଡବ ସ୍ତୋତ୍ର ଲେଖିଛନ୍ତି । ଶିବଙ୍କର ଯଜ୍ଞ ଅନୁଷ୍ଠାନ କରି ଧୁମଧାମରେ ପୂଜା ପର୍ବ କରି ପଣ୍ଡିତ ବନିଗଲେ । କଣ ସେ ଜାଣେ ଭଲ ମଣିଷ ହୋଇଗଲେ ? କିଏ ଅଳ୍ପ ସମୟ ମଧ୍ୟରେ ଭଲ କାମ କରିଛନ୍ତି ତ କିଏ ଦୀର୍ଘ କାଳ ଧରି ମନ୍ଦ କାର୍ଯ୍ୟ କରିଛନ୍ତି । ସେଥିରୁ ବ୍ୟକ୍ତି ଭଲ ବା ଖରାପ ଜଣା ପଡ଼େନି । କର୍ତ୍ତାର ଦୃଷ୍ଟି ଦୀର୍ଘ କାଳୀନ ହେବା ଉଚିତ ଓ କର୍ମର ଦୃଷ୍ଟି ସ୍ୱଳ୍ପ କାଳୀନ ହେବା ଉଚିତ । ସମୟେ ସମୟେ ଭଲ ଲୋକଙ୍କ ଦ୍ୱାରା ଭୁଲ କାମ ହୋଇ ଯାଇଥାଏ ।
ଯେତେବେଳେ ମୋଦୀ ଜୀ ବିମୁଦ୍ରୀକରଣ କରିଥିଲେ, ସେତେବେଳେ ଅନେକ ଲୋକ ରାଗି ଯାଇଥିଲେ। ସେହି କାର୍ଯ୍ୟଟି ଅନେକଙ୍କୁ ପସନ୍ଦ ନଥିଲା | ଦୀର୍ଘ ସୂତ୍ରୀ କାର୍ଯ୍ୟ ଦେଶ ପାଇଁ ଭଲ ହୋଇପାରେ ।
ଗରୁଡ ମହାରାଜ ଶିବଜୀଙ୍କୁ ଯାଇ କହିଲେ, ମୋ ମନରେ ବଡ ସନ୍ଦେହ ଅଛି | ମୋର ପ୍ରଭୁ ନାରାୟଣ ନାଗପାଶରେ ବନ୍ଧା ହୋଇଥିଲେ | ମୋ ପରି ଏକ ତୁଚ୍ଛ ପକ୍ଷୀକୁ ବନ୍ଧନ କାଟିବାକୁ ଯିବାକୁ ପଡିଲା | କିପରି ସେ ପରମବ୍ରହ୍ମ ପରମାତ୍ମା ଭଗବାନ ହୋଇପାରିବେ ? ଆପଣ ମୋତେ କୁହନ୍ତୁ।
ଏହା ବୁଝିବା ପାଇଁ ଶିବ ଜୀ ତାଙ୍କୁ କାକ ଭୁଷୁଣ୍ଡି ପାଖକୁ ଯିବାକୁ କହିଲେ । ମାତ୍ର ଶୀଘ୍ର ନଆସିବାକୁ କହିଲେ । କାକଭୁଷୁଣ୍ଡି ଜୀ ଗରୁଡ଼ ଙ୍କୁ କହିଲେ -
"तबहिं होइ सब संसय भंगा।
जब बहु काल करिअ सतसंगा"
ଯଦି ତୁମେ ଦୀର୍ଘ ସମୟ ଧରି ସତସଙ୍ଗ କରିବ , ତେବେ ବୁଝିପାରିବ । ଯଦି ତୁମେ ଅଳ୍ପ ଶୁଣି ଚାଲିଆସିବା ତେବେ କିଛି ବୁଝିପାରିବ ନାହିଁ। ଭଲ ଏବଂ ଖରାପ ଦୀର୍ଘ କାଳ ଧରି ବିସ୍ତାର ଲାଭ କରିଛି। ଯେଉଁ ବ୍ୟକ୍ତି କ୍ରମାଗତ ଭାବରେ ଉଭୟ ଭଲ ଏବଂ ଖରାପ କର୍ମ କରେ, ସେ ଖରାପ ଅଟେ । ଯଦି ପ୍ରାୟତଃ ସେ ଭଲ କାମ କରିଛନ୍ତି ଏବଂ ବେଳେବେଳେ ସେ ଖରାପ କାମ କରିଛନ୍ତି, ତେବେ ଏହି ବ୍ୟକ୍ତି ଭଲ ହୋଇପାରନ୍ତି । ଯେଉଁ ବ୍ୟକ୍ତିରେ ଭଲ ଏବଂ ମନ୍ଦ ସମାନ ଭାବରେ ଦେଖାଯାଏ, ସେ ଖରାପ | ଆମେ କ’ଣ ଭୁଲ୍ କରୁଛନ୍ତି କି ? ଜଣେ ବ୍ୟକ୍ତିରେ ଗୋଟିଏ ମନ୍ଦ କର୍ମ ହେତୁ ସେ ଖରାପ ବୋଲି ଧରାଯାଏ | ଯଦି ସେ ଆମ ପାଇଁ କିଛି ଅନୁକୂଳ କାମ କରିଦିଅନ୍ତି ତେବେ ଆମେ ତାଙ୍କୁ ମହାନ ବୋଲି ଭାବି ଥାନ୍ତି । କର୍ତ୍ତା ଓ କର୍ମ ମଧ୍ୟରୁ କର୍ତ୍ତା କୁ ପ୍ରାଧାନ୍ୟ ଦେବା କର୍ମ କୁ ନୁହେଁ।
ଚବିଶ , ସତାଇଶ, ଓ ଅଠାଇଶି ଶ୍ଳୋକରେ ଶ୍ରୀ ଭଗବାନ ଏହାକୁ ଅଧିକ ବିସ୍ତାର ଭାବେ କହିଛନ୍ତି। ଏହାର ଭୂମିକା ଆପଣମାନଙ୍କ ସାମ୍ନାରେ ରଖାଗଲା ।
ଜଣେ ଏପରି ଦୁର୍ଲଭ ସନ୍ଥ ଥିଲେ , ଯିଏ ନିଜର ନାମ କାହାକୁ କହୁନଥିଲେ । ସେ ଜଣେ ପଥିକ ଭାବେ ପ୍ରସିଦ୍ଧ ଥିଲେ । ତାଙ୍କର ନାମ ,ଗ୍ରାମ ବିଷୟରେ କାହାରିକୁ ଜଣା ନଥିଲା । ସେ କିପରି ଏହି କର୍ତ୍ତା ଭାବରୁ ମୁକ୍ତି ପାଇଥିଲେ? ଏପରି ପଥିକ ସନ୍ଥଙ୍କର ଭଜନ ଗାନ କରାଗଲା :
ଏହି ସୁନ୍ଦର ଭଜନ ଶୁଣିବା ସହ ଆଜିର ଏହି ବିବେଚନା ସତ୍ର ର ସମାପନ କରିବା ।
ପ୍ରଶ୍ନୋତ୍ତରୀ -:
ପ୍ରଶ୍ନ କର୍ତ୍ତା :- ପ୍ରୀତମ ଦିଦି
ପ୍ରଶ୍ନ -: କଣ ଓଁ ରୁ ଆରମ୍ଭ ହେଉଥିବା ମନ୍ତ୍ର ଆମେ ମାନେ ଉଚ୍ଚାରଣ କରିପାଇବୁ ନାହିଁ? ଯେପରି ଓଁ. ନମଃ ଶିବାୟ ବା ବିଷ୍ଣୁ ଭଗବାନ ଙ୍କ ଜପ କରାଯାଏ, କଣ ସେମାନଙ୍କ ଜପ ମହିଳାମାନଙ୍କୁ କରିବା କଥା ନୁହେଁ?
ଉତ୍ତର :- ଯଦି ସ୍ତ୍ରୀ ମାନଙ୍କୁ ଜପ କରିବା କଥା ତେବେ ଓଁ ର ଶବ୍ଦକୁ ଟାଳିଦେବା ଦରକାର। ନମଃ ଶିବାୟ ବୋଲିପାରିବେ ବା ନମଃ ବିଷ୍ଣୁ ବୋଲି ପାରିବେ। ଓଁକାର ଶବ୍ଦ କହିବାକୁ ହେଲେ, ଆପଣଙ୍କୁ ତିନି ଥର, ପାଞ୍ଚ ଥର କିଂବା ଦଶ ଥର ବୋଲି ପାରିବେ। ସେଥିରେ କୌଣସି ଅସୁବିଧା ନାହିଁ। କିନ୍ତୁ ଓଁ ଜପ ପାଇଁ ସ୍ତ୍ରୀମାନଙ୍କୁ ଏହା ମନା ଅଟେ। ଓଁ ଶବ୍ଦ ଅତ୍ୟନ୍ତ ଶକ୍ତିଶାଳୀ ଏହାର ଅଧିକାର କେବଳ ସନ୍ୟାସୀ ମାନଙ୍କର ଅଛି, ଗୃହସ୍ତୀଙ୍କୁ ନୁହେଁ।
ଓଁ ରୁ ଆରମ୍ଭ ହେଉଥିବା ମନ୍ତ୍ରର ଜପ ବା ଓଁ କୁ ଛାଡିକି ମନ୍ତ୍ରର ଜପ ସ୍ତ୍ରୀମାନଙ୍କୁ କିଛି ଫରକ ପଡ଼େନାହିଁ, କିନ୍ତୁ ଯେତେବେଳେ ଗୁ୍ରୁ କିଛିମନ୍ତ୍ର ପ୍ରଦାନ କରିଥିବେ, ତେବେ ସେହି ନିୟମ ଲାଗୁ ହୁଏନାହିଁ। ଯଦି ନିଜେ ବାଛିକି ଓଁ ମନ୍ତ୍ରର ଜପ କରୁଥିବେ, ନମଃ ଭଗବତେ ବାସୁଦେବାୟ ରେ ନମଃ ଭଗବତେ ବାସୁଦେବାୟର ମନ୍ତ୍ର ଜପ କରିପାରିବେ। ଓଁ ନମଃ ଶିବାୟ ଥିଲେ, ସେଠାରେ ଖାଲି ନମଃ ଶିବାୟ କରିପାରିଲେ ଅଧିକ ହିତକର ହବ।
ପ୍ରଶ୍ନ :- କଣ ଆମେ ଘରେ ମୁର୍ତ୍ତି ରଖିପାରିବା? ଯେପରିକି ଲଡ଼ୁ ଗୋପାଲ ରଖନ୍ତି?
ଉତ୍ତର :- ପ୍ରାୟ ବାର ଇଞ୍ଚି ବା ତାଠାରୁ କମ ମୁର୍ତ୍ତି ରଖିବାକଥା। ତାଠାରୁ ବଡ଼ ହେଲେ ତାର ନିୟମ ଅଧିକ ହୋଇଯାଏ। ଆପଣ ଯେତେ ମୂର୍ତ୍ତି ରଖନ୍ତୁନାକାହିଁକି ତାଙ୍କର ମନ ଧ୍ୟାନ ଦେଇ ସେବା କରନ୍ତୁ। କାରଣ ଯେତେ ମନ ଧ୍ୟାନ ଦେଇ ସେବା କରିବେ, ସେତେ ଭାବ ଜାଗୃତ ହୋଇଥାଏ ଏବଂ ଯେତେ କମ ମନ ଦେବେ ସେତେ କମ ଭାବ ଜାଗୃତ ହେବ।
ପ୍ରଶ୍ନକର୍ତ୍ତା :- ଦୀପା ଦିଦି
ପ୍ରଶ୍ନ :- ଆମେ ଶୁଣିଛୁ ଯେ ଭଗବତ ଗୀତା ର କେବଳ ଅଠର ଅଧ୍ୟାୟ ହିଁ ପଢିବା କଥା । କଣ କେବଳ ସେଇଟା ପଢିବା କଥା?
ଉତ୍ତର :- ଅଠର ଅଧ୍ୟାୟ ଗୀତାଜୀ ଙ୍କର ସାର। ବହୁତ ଥର ଏପରି ହୁଏ କି ସବୁ ଗୀତାର ପରାୟଣ କରିହୁଏ ନାହିଁ କାରଣ ସମୟର ଅଭାବ ଥାଏ। ତେଣୁ କେବଳ ଅଠର ଅଧ୍ୟାୟ ହିଁ ପଢିବା କଥା। ବିଭିନ୍ନ ପ୍ରକାର ମାନ୍ୟତା ଅଛି କିନ୍ତୁ ଗୀତା ପଢିବାପାଇଁ ଏଭଳି କେଉଁଠି କୁହାଯାଇନିକି କେବଳ ଅଠର ଅଧ୍ୟାୟ ପଢିବାକଥା। ପ୍ରକୃତ କଥା ଏହାକି ପୁରା ଗୀତା ପରାୟଣ କରିବା କଥା।
ପ୍ରଶ୍ନ :- ଘରେ ଗଣେଶଙ୍କ କେତୋଟି ମୁର୍ତ୍ତି ରଖିବା କଥା?
ଉତ୍ତର :- ପୂଜା ଘରେ ତିନୋଟି ମୁର୍ତ୍ତି ରଖି ପାରିବେ। ଯଦି ଘରେ ଗଣେଶ ଭଗବାନଙ୍କ ଶୋ ପିସ ଥାଏ, ତେବେ ତାହାର କିଛି ମହତ୍ୱ ନାହିଁ। କେବଳ ଯେଉଁଠାରେ ଗଣେଶଙ୍କ ସ୍ଥାପନା ହୋଇଥାଏ କିମ୍ବା ପୂଜାଘରେ ଯେଉଁ ମୁର୍ତ୍ତି ଥାଏ କେବଳ ସେହି ମୂର୍ତ୍ତିମାନଙ୍କ ପୂଜା କରିବା ଦରକାର। ଆମେମାନେ ବେଳେବେଳେ କଣ କରିଥାଉ ଯେ ଯେତେବେଳେ ଆମମାନଙ୍କୁ କୌଣସି ଧାର୍ମିକ ଜାଗାରୁ ଯଦି କିଛି ମୁର୍ତ୍ତି ମିଳିଥାଏ ତେବେ ଆମେ ତାକୁ ଆଣିକି ପୂଜା ଘରେ ରଖିଦେଉ। ଯେପରି ଷ୍ଟୋର ରୁମରେ ଆମେ ଯାହା ତାହା ଜିନିଷ ରଖିଦେଉ, ସେହିପରି। ଯଦି ଆମର ଶୋଇବା ଘରେ କିଏ ଏଣୁତେଣୁ ଜିନିଷ କିଏ ଆଣିକି ରଖିଦିଏ, ଆମେ ଏଣୁତେଣୁ ଜିନଷ ରଖିବାକୁ ମନା କରୁ କାରଣ ବେଡ଼ରୁମ ସଫା ରହିବା ଦରକାର। ତା ହେଲେ ଭଗବାନଙ୍କ ରୁମରେ ବା ପୂଜାରୁମକୁ ଆମେ କିପରି ଷ୍ଟୋର ରୁମ ବନେଇବା? ସେଠାରେ ବହୁତ ଭାବିଚିନ୍ତି ମୁର୍ତ୍ତି ରଖିବା ଦରକାର। ଯଦି କିଛିସନ୍ଥ ମହାତ୍ମା ମୁର୍ତ୍ତି ଦେଇଥିବେ ଆମେ ତାକୁ ପୂଜାଘରେ ରଖିପାରିବା।
ପ୍ରଶ୍ନ କର୍ତ୍ତା :- ଅନିତା ଦିଦି
ପ୍ରଶ୍ନ :- ଯେତେବେଳେ ଭଗବାନ ଗଣେଶ ମହାଭାରତ ଲେଖିଥିଲେ, କିଏ କିଏ କୁହନ୍ତି କି ଚତୁର୍ଥୀ ଦିନ ଲେଖିଥିଲେ ଏବଂ ଅନନ୍ତ ଚଉଦଶ ଦିନରେ ପୁରା କରିଥିଲେ। ଏହା ଲେଖିବାକୁ ତାଙ୍କୁ କେତେଦିନ ସମୟ ଲାଗିଥିଲା?
ଉତ୍ତର :- ଏହାକୁ ଲେଖିବାପାଇଁ ତାଙ୍କୁ ସାଢେ ତିନି ବର୍ଷ ସମୟ ଲାଗିଥିଲା। ପ୍ରାୟ ସାତ ଆଠ ଲକ୍ଷ ଶ୍ଳୋକ ଲେଖାଯାଇଛି, ତେଣୁ ଏତିକି ସମୟ ଲାଗିବ ହିଁ।
ପ୍ରଶ୍ନ କର୍ତ୍ତା :- ଅନିତା ଦିଦି
ପ୍ରଶ୍ନ :- କିଛିଲୋକ ପୂଜା କରିବାପାଇଁ ଧୂପକାଠି ବା ଅଗରବତୀ ଜଳାଇ ଥାନ୍ତି। ମୁଁ ଶୁଣିଛି କି ବାଉଁଶ ଜଳେଇଲେ ପିତୃଦୋଷ ଲାଗିଥାଏ।
ଉତ୍ତର :- ଏହିସବୁ ପରମ୍ପରର କଥା, ଶାସ୍ତ୍ରରେ ଏସବୁ କିଛିନାହିଁ। ଯଦି ଅପଣଙ୍କୁ ଏପରି ଲାଗୁଚି ତେବେ ଆପଣ ନ କରିପାରନ୍ତି। ପୂଜ୍ୟ ସ୍ୱମୀଜୀ ଏବଂ ଆମେମାନେ ଏସବୁ ମାନୁନାହୁଁ।
ପ୍ରଶ୍ନ କର୍ତ୍ତା :- ଉପେନ୍ଦ୍ର ଭାଇ
ପ୍ରଶ୍ନ :- କେତେଜଣଙ୍କୁ ବାହାରକୁ ବୁଲାବୁଲି କରିବାକୁ ଇଚ୍ଛା ହୁଏନାହିଁ, ସେମାନଙ୍କୁ ଅଳ୍ପକିଛି ମିଳିଗଲେ ସନ୍ତୁଷ୍ଟ ହୋଇଯାନ୍ତି । ଏପରି ଲୋକମାନଙ୍କୁ ଆମେ କେଉଁ ସ୍ଥିତିରେ ରଖିବା?
ଉତ୍ତର :- କେଉଁମାନଙ୍କୁ ସଂସାରିକ କାର୍ଯ୍ୟରେ ଅଧିକ ଇଚ୍ଛା ନାହିଁ, ଏହା ଅଧିକ ମହତ୍ୱ ରଖେନାହିଁ କିନ୍ତୁ ତାଙ୍କର ଭଗବାନଙ୍କ ପ୍ରତି ଅଧିକ ଗୁରୁତ୍ୱ ରଖନ୍ତି ଏହା ମହତ୍ୱ ରଖେ। ତାଙ୍କର ଜପ, ଧ୍ୟାନ, ପୂଜା, ପରାୟଣ ଅଧିକ ଅଛି କି ନାହିଁ ଏହା ମହତ୍ୱ ରଖେନାହିଁ କିନ୍ତୁ ସେ ଯଦି ଅଳସୁଆ ହୋଇକି ପଡିରହିଛନ୍ତି ତେବେ ଏହି ସ୍ଥିତି ଆଦୌ ଭଲ ନୁହେଁ। ଯଦି ସେ ଭଗବାନଙ୍କ ସେବାରେ ମନ ଦେଉଛନ୍ତି, ତେବେ ଏହା ତାଙ୍କର ଭଲ ସ୍ଥିତିକୁ ଦର୍ଶାଏ। ଯିଏ କାମ କରେ ସେ ରାଜୋଗୁଣୀ ଓ ଯିଏ କେବଳ ଅଳସୁଆ ହୋଇ ପଡିରହେ ସେ ତମଗୁଣୀ। ଯଦି କୌଣସି ବ୍ୟକ୍ତି ଭୟ କାରଣରୁ କୁଆଡେ ଯାଏ ନାହିଁ ତେବେ ଏହାର ଅର୍ଥ ତାଙ୍କର କୌଣସି ଗୁରୁଙ୍କ ମାର୍ଗ ଦର୍ଶନ ନାହିଁ। ବିନା ଗୁରୁଙ୍କ ସହାୟତାରେ କୌଣସି ଆଧ୍ୟାତ୍ମିକ ପ୍ରଗତି କରି ପାରେନାହିଁ।
ପ୍ରଶ୍ନକର୍ତ୍ତା :- ଗୀତା ଦିଦି
ପ୍ରଶ୍ନ :- ଗଣେଶଙ୍କ ଦୁଇଟି ପତ୍ନୀ ରିଦ୍ଧି ଓ ସିଦ୍ଧି। ଆଉ ଲେଉଁଠାରୁ ପଢ଼ିଥିଲି ତାଙ୍କର ପାଞ୍ଚଟି ପତ୍ନୀ ଅଛନ୍ତି ଯେପରି, ରିଦ୍ଧି, ସିଦ୍ଧି, ତୁଷ୍ଟି, ପୁଷ୍ଟି ଏବଂ ଶ୍ରୀ ।
ଉତ୍ତର :- ମୋର ଜାଣିବାରେ ତାଙ୍କର ରିଦ୍ଧି ଓ ସିଦ୍ଧି ଦୁଇ ପତ୍ନୀ ଅଛନ୍ତି ବାକି ପରବର୍ତୀ ସମୟରେ ଶାସ୍ତ୍ର ଦେଖିକି କହିବି।
ପ୍ରଶ୍ନ କର୍ତ୍ତା :- ମୀନା ଦିଦି
ପ୍ରଶ୍ନ :- ଏକାଦଶୀରେ ଭାତ କାହିଁକି ଖାନ୍ତି ନାହିଁ?
ଉତ୍ତର :- ମୋର ଏବେ ସ୍ମୃତିରେ ଆସୁ ନାହିଁ।
ପ୍ରଶ୍ନ :- ଗାୟତ୍ରୀ ମା ଙ୍କ ଗୋଟିଏ ଚିତ୍ର ଦେଖିଥିଲି ଯେଉଁଥିରେ ପାଞ୍ଚଟି ମୁହଁଥିଲା। ସେଠାରେ ତିନୋଟି ଅଲଗା ଅଲଗା ମୁହଁ ଥିଲା ଏବଂ ଦୁଇଟି ଏକାଭଳି ମୁହଁ ଥିଲା। ତାହା ମୋତେ ବୁଝା ପଡିଲା ନାହିଁ।
ଉତ୍ତର :- ଦେବତା ମାନଙ୍କର ଆଧି ଦୈବୀ ସ୍ୱରୂପ ଥାଏ, ସେ କେତେବେଳେ କୋଉ କୋଉ କାରଣରୁ ଉତ୍ପନ୍ନ ହୋଇଥାନ୍ତି ପାଞ୍ଚଟାରୁ ତିନୋଟି ଅଲଗା ଅଲଗା ଏବଂ ଟୁଇଟି ଏକା ପ୍ରକାର ମୁହଁ କେଉଁ କଥା ଅନୁସାରେ ଏହା ବର୍ଣିତ ହୋଇଛି ମୋତେ ସେ କଥାଟି ଦେଖିବାକୁ ପଡିବ କାରଣ ମୁଁ ଗାୟତ୍ରୀ ମାଙ୍କର କେବଳ ଗୋଟିଏ ହିମୁହଁ ଦେଖିଛି। ଦେବତାମାନେ କୌଣସି କାରଣରୁ ନିଜ ନିଜ ଆକାର ବଦଳେଇ ଥାନ୍ତି ଯେପରି ପଞ୍ଚ ମୁଖୀ ହନୁମାନ ଓ ପଞ୍ଚ ମୁଖୀ ଗଣେଶ ମଧ୍ୟ ଅଛନ୍ତି କିନ୍ତୁ କେବଳ କିଛି ସମୟ ବିଶେଷ ପାଇଁ ଏହା ଧାରଣ କରିଥାନ୍ତି ବୋଲି କୁହାଯାଇଛି।
ପ୍ରଶ୍ନ କର୍ତ୍ତା :- ଉଦୟ ଚନ୍ଦ୍ରିକା ଜୀ
ପ୍ରଶ୍ନ :- ଯେତେବେଳେ ଆମେ ସ୍କୁଲରେ ପ୍ରଚାର କରିବାକୁ ଚାହୁଁ, ଆମକୁ ସୁଯୋଗ ମିଳିନାହିଁ, କଣ କରିବା?
ଉତ୍ତର :- ଯଦି କୋଉ ଠାରେ ଅନୁମତି ମିଳିବ ତେବେ ପ୍ରଚାର କରିବା ଦରକାର। ଯଦି ନ ମିଲଲା ତେବେ ସେଠାରୁ ଆଗକୁ ବଢ଼ିଯିବା ଦରକାର। ସମସ୍ତଙ୍କର ଇଚ୍ଛା କି ସ୍କୁଲ ରେ ଗୀତା ପାଠ କରାଯାଉ କିନ୍ତୁ ଏହା ସତ୍ୟ ଯୁଗରେ ମଧ୍ୟ ସମ୍ଭବ ନଥିଲା ଏବେ ତ ଏଟା କଳିଯୁଗ!
ଏଠାରେ ଦୁଇ ପ୍ରକାର କଥା ହୋଇପାରେ କି ଆମର କେତେ ଜ୍ଞାନ ଅଛି ଏବଂ ଆମେ ସେମାନଙ୍କୁ କିପରି ପ୍ରଭାବିତ କରିପାରିବା, ଏବଂ ଆଉ ଗୋଟିଏ କଥା ସେମାନଙ୍କ ଅଚରଣ କିପରି। ଯଦି ସେମାନଙ୍କ ଚିନ୍ତାଧାରା ଧର୍ମ ସପକ୍ଷରେ ନାହିଁ ତେବେ ଆମେ କେତେ ଭଲ ଭାବେ ବୁଝାଇଲେ ମଧ୍ୟ ସେମାନେ ମାନିବେ ନାହିଁ। ଆଉ ଯଦି ସେମାନଙ୍କ ଧାରଣା ଭଲ ଅଛି, ମୋର ଯୋଗ୍ୟତା ଥାଉ କି ନଥାଉ ସେମାନେ ଖୁସିରେ ଆମକୁ ବୁଝାଇବାକୁ ଅନୁରୋଧ କରିବେ। ଭଗବାନ ଆମକୁ ଯେତିକି ବୁଦ୍ଧି ବା ଯୋଗ୍ୟତା ଦେଇଛନ୍ତି, ଆମ ଦ୍ୱରା ଯେତେ ଅଧିକ ହେଇପାରିବ ଆମକୁ ସେତେ କରିବା ଆବଶ୍ୟକ। ସେଥିରେ କିଛି ଚିନ୍ତା କରିବା କଥାନୁହଁ।
ପ୍ରଶ୍ନ କର୍ତ୍ତା :- ଯୋଗେଶ ଭାଇ
ପ୍ରଶ୍ନ :- ମାତା ସରସ୍ୱତୀ କାହାର ଝିଅ ଓ କାହାର ପତ୍ନୀ ଥିଲେ?
ଉତ୍ତର :- ତାଙ୍କୁ ବ୍ରହ୍ମ। ଙ୍କ ଝିଅ ବୋଲି କୁହାଯାଏ କିନ୍ତୁ ପତ୍ନୀ ରୂପରେ କୌଣସି ବର୍ଣ୍ଣନା ନାହିଁ।
ପ୍ରଶ୍ନ କର୍ତ୍ତା :- ମାଧୁରୀ ଦିଦି
ପ୍ରଶ୍ନ :- ଘରେ ଛୋଟ ଲଡ୍ଡୁ ଗୋପାଲ ରଖିବା କଥା କି?
ଉତ୍ତର :- ନିଶ୍ଚିତ ଭାବେ ରଖିବା କଥା।
ପ୍ରଶ୍ନ କର୍ତ୍ତା :-ରାଶି ଦିଦି
ପ୍ରଶ୍ନ :- ଆମେ ଯଦି କୌଣସି ସମ୍ପର୍କୀୟ ଙ୍କ ମନ ଧ୍ୟାନ ଦେଇ ସେବା କରୁଛୁ କିନ୍ତୁ ତାଙ୍କଠାରୁ ସବୁବେଳେ ନକାରାତ୍ମକ କଥା ଶୁଣୁଛୁ ଏବଂ ଆମକୁ ଭଲ ଲାଗୁନାହିଁ।
ଉତ୍ତର :- ଆପଣ ତାଂକ ସେବା କରୁଛନ୍ତି କିନ୍ତୁ ତାର ପ୍ରତିଦାନ ରେ ଆପଣ ତାଙ୍କପାଖରୁ ପ୍ରଶଂସା ଶୁଣିବାକୁ ଆଶା ରଖୁଛନ୍ତି। ଅଥବା ଆପଣ ତାଙ୍କର ସେବା କରୁଛନ୍ତି କାରଣ ଆପଣ ଭଲ ଲୋକ ଅଟନ୍ତି। ଯଦି ଆପଣ ଏହି ଆଶା ରଖିକି ସେବା କରିବେ କି ସେ ଆପଣକୁ ପ୍ରଶଂସା କରନ୍ତୁ ତେବେ ଏହା ସୌଦାବାଜୀ ହେଇଯିବ। ସେମାନଙ୍କୁ ଭଲ ଲାଗିଲେ ସେ କହିବେ ନ ଲାଗିଲେ ସେ କାହଁବେନାହିଁ। ଯଦି ଆପଣ ମନରେ ସୁଦ୍ଧ ଭାବ ରଖନ୍ତି, ସେମାନେ ଯାହା ଭି କୁହନ୍ତୁ, ଆପଣଙ୍କୁ କିଛି ଫରଳ ପଡ଼ିବା କଥାନୁହଁ। କାରଣ ଆମେ
ଏମିତି ଭାବିବା ଦରକାର ମୋତେ ଯିଏ ଯାହା କହୁ ମୋର ସ୍ୱଭାବ ସମସ୍ତଙ୍କ ପାଇଁ ଭଲ ହେବା ଆବଶ୍ୟକ। ଅନ୍ୟର କର୍ତ୍ତବ୍ୟ ରେ ମୋର ଅଧିକାର ନାହିଁ । ମୁଁ ଭଲ କର୍ମ କରିବି ଏହା ମୋ ହାତରେ ଅଛି ଅନ୍ୟ ଜଣେ ମୋ ପାଇଁ କଣ କରୁଛି ବା କଣ କରୁଛି, ମୋତେ ତାହା ଜାଣିବାର ଆବଶ୍ୟକତା ନାହିଁ। ଆମେ କାହାକୁ କହିପାରିବନାହିଁ ଯେ ମୁଁ ତୁମପାଇଁ ଭଲ କମ କରୁଛି ତେଣୁ ତୁମେ ମଧ୍ୟ ମୋ ପାଇଁ ଭଲ କାମ କର. ଏହା ଦ୍ୱରା ଆମକୁ ଅନ୍ୟ କେଉଁଠାରୁ ପ୍ରତିଦାନରେ ଭଲ ମିଳିଯାଇପାରେ।
ଏହାପରେ ହରିନାମ ସଂକୀର୍ତନ ସାଥିରେ ସତ୍ରର ସମାପନ ହେଲା ।
ହରି ଶରଣମ୍ ହରି ଶରଣମ୍ ହରି ଶରଣାମି
ହରି ଶରଣମ୍ ହରି ଶରଣମ୍ ହରି ଶରଣମ୍ ।।