विवेचन सारांश
Please type your summary title here.
ଉପକ୍ରମଣିକା :-
ସୁମଧୁର ଏବଂ ଆତ୍ମଶୁଦ୍ଧି କରିପାରୁଥିବା ଭଗବତ୍ ଭଜନ ପରେ ଈଶ୍ୱରଙ୍କ ଅସୀମ କରୁଣା ଓ ଗୁରୁଦେବଙ୍କ ଆଶୀର୍ବାଦରୁ ଆଜିର ବିବେଚନ ସତ୍ରର ଶୁଭାରମ୍ଭ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାର୍ଥନା ଏବଂ ଦୀପ ପ୍ରଜ୍ଜ୍ୱଳନରୁ ହେଲା। ଭଗବଦ୍ ଗୀତାର ଷୋହଳ ଅଧ୍ୟାୟର ଏହି ବିବେଚନ ଚିନ୍ତନ ଦ୍ଵିତୀୟ ଶ୍ଲୋକର ପୁନାର୍ବୃତ୍ତିରୁ ଆରମ୍ଭ ହୋଇ,ଏହି ଅଧ୍ୟାୟର ଅନ୍ତିମ ଶ୍ଲୋକ ଅର୍ଥାତ୍ ଶ୍ଲୋକ କ୍ରମାଙ୍କ ଚବିଶଠାରେ ସମାପ୍ତ ହୋଇଅଛି।
ଶ୍ର ଭଗବାନ ଏଠାରେ ଦୈବୀ ଗୁଣସମ୍ପନ୍ନ ଜୀବମାନଙ୍କ ମଧ୍ୟରେ ଉପସ୍ଥିତ ସମ୍ପୂର୍ଣ୍ଣ ଦୈବୀୟ ଲକ୍ଷଣ ମାନ ବିସ୍ତାରିତ ଭାବରେ ଅର୍ଜୁନଙ୍କ ସମ୍ମୁଖରେ ବର୍ଣ୍ଣନା କରିଛନ୍ତି। ଶ୍ରୀ ଭଗବାନଙ୍କ ମତରେ ଏହି ସମସ୍ତ ଦୈବୀୟ ଗୁଣ ପ୍ରଥମରୁ ହିଁ ଅର୍ଜୁନଙ୍କ ଠାରେ ଅଛି। ଏହା ସେହି ଗୁଣ,ଯାହା ଶ୍ରୀ ଭଗବାନଙ୍କ ଦ୍ଵାରା ଯେଉଁ ପ୍ରାଣୀଙ୍କୁ ପ୍ରଦତ୍ତ କରାଯାଏ, ସେହି ଜୀବ ସାଂସାରିକ ଜୀବନରେ ସଫଳତା ପ୍ରାପ୍ତ କରି, ହରି କୃପାରୁ ଏହି ସଂସାର ରୂପୀ ଭାବସାଗରକୁ ପାର କରି ଚିରଦିନ ପାଇଁ ଭଗବତ୍ ଧାମକୁ ଗମନ କରିଥାନ୍ତି।
ଶ୍ରୀଭଗବାନ ଏହି ଶ୍ଲୋକ ମାଧ୍ୟମରେ ଚବିଶ ଦୈବୀୟ ଗୁଣକୁ ଅର୍ଜୁନଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି। ଶ୍ରୀଭଗବାନଙ୍କ ଅନୁସାରେ ବର୍ଣ୍ଣିତ ସମସ୍ତ ଦୈବୀ ଗୁଣ ମଧ୍ୟରେ ତିନିଟି ମୁଖ୍ୟ ଭକ୍ତ ଲକ୍ଷଣ ହେଉଛି ନିର୍ଭୟତା, ଆତ୍ମଶୁଦ୍ଧି ଏବଂ ସରଳତା। ଏହା ସେହି ଗୁଣ ଯାହା ଭକ୍ତଙ୍କ ମଧ୍ୟରେ ସ୍ଵତଃ ପରିଲକ୍ଷିତ ହେବାକୁ ଆରମ୍ଭ କରେ ଓ ଅନ୍ୟ ବର୍ଣ୍ଣିତ ଗୁଣ ସବୁ ଧୀରେ - ଧୀରେ ପ୍ରଭାବ ବିସ୍ତାର କରିବାକୁ ଲାଗେ।
ଏଠାରେ ଗତ ସପ୍ତାହରେ ଉଲ୍ଲେଖିତ ଭକ୍ତ ଶିରୋମଣି ମାତା ଶବରୀଜୀଙ୍କ ବୃତ୍ତାନ୍ତ ପୁଣିଥରେ ସ୍ମରଣ କଲେ ଏହା ସ୍ପଷ୍ଟ ହୋଇଥାଏ କି ତାଙ୍କର ବ୍ୟକ୍ତିତ୍ଵର ସରଳତା ଯାହା ତାଙ୍କର ଅନ୍ତଃ କରଣର ଶୁଦ୍ଧିକୁ ପ୍ରକଟ କରିଥାଏ, ଯାହା ଦ୍ଵାରା କିପରି ତାଙ୍କୁ ଭଗବାନ ପ୍ରାପ୍ତ ହେଲେ। ଜୀବ ଦ୍ଵାରା ମନର ସରଳତା ଓ ଶୁଦ୍ଧିରେ କରାଯାଇଥିବା ଭକ୍ତି,କିପରି ସେହି ସଚ୍ଚିଦାନନ୍ଦ,ଭକ୍ତ ବତ୍ସଳ ପରମାତ୍ମାଙ୍କୁ ମଧ୍ୟ ନିଜର ଭକ୍ତ ସମ୍ମୁଖରେ ପ୍ରକଟ ହେବାକୁ ପ୍ରେରିତ କରିଥାଏ, ମାତା ଶବରୀଙ୍କ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଏହି ନିଶ୍ଚଳ, ଶୁଦ୍ଧ ପ୍ରେମ ଏହି ତଥ୍ୟକୁ ଉଜାଗର କରିଥାଏ।
ଏହିପରି ଏକ ଉଦାହରଣ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ଶ୍ରୀ ଟୋଟକାଚାର୍ଯ୍ୟଜୀଙ୍କର କଥା ମଧ୍ୟ ଶୁଣିବାକୁ ମିଳେ।
ଶ୍ରୀ ଟୋଟକାଚାର୍ଯ୍ୟଜୀଙ୍କର ପ୍ରଭୂତ ଶାସ୍ତ୍ରଜ୍ଞାନ ନଥିଲେ ମଧ୍ୟ, ନିଜର ଅନ୍ତଃକରଣର ଶୁଦ୍ଧି ଏବଂ ସରଳତା ପାଇଁ ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରି ଟୋଟକାଶାସ୍ତ୍ର ପରି ପ୍ରାସଙ୍ଗିକ ଗ୍ରନ୍ଥର ରଚୟିତା ହୋଇ ପାରିଲେ।
ଅହିଂସା ର ବିପରୀତ ହିଂସା କିପରି ଅଟେ – କୌଣସି ପ୍ରାଣୀଙ୍କୁ ହଇରାଣ କରିବା, କାହାକୁ ବିରକ୍ତ କରିବା। ନିଜର ବାକ୍ୟ, ନିଜର ଚିନ୍ତାଧାରା ଦ୍ଵାରା କୌଣସି ପ୍ରାଣୀଙ୍କୁ କଷ୍ଟ ଦେବା ମଧ୍ୟ ହିଂସା ଅଟେ।
ହିଂସା ତିନି ପ୍ରକାରର ହୋଇଥାଏ –
ଶାରୀରିକ ହିଂସା - ଯେପରି କାହାକୁ ଚାପୁଡ଼ା ମାରିବା।
ବାଣୀ ଦ୍ଵାରା ହିଂସା - କାହାକୁ କଟୁବାକ୍ୟ କହିବା।
ମାନସିକ ହିଂସା - କାହାପ୍ରତି ମନରେ ଅନୁଚିତ୍ ଭାବନା ରଖିବା।
ହିଂସାର ବିପରୀତ ହେଉଛି ଅହିଂସା ଅର୍ଥାତ୍ କାହାପ୍ରତି ଦୂର୍ଭାବନା ନରଖିବା, ଅପଶବ୍ଦ ନକହିବା, ଶାରୀରିକ ରୂପରେ ପ୍ରତାଡିତ ନକରିବା। କାହାର ନିନ୍ଦା ନକରିବା ମଧ୍ୟ ଅହିଂସା ଅଟେ।
ସତ୍ୟତା -
ନିଜେ କହିଥିବା କଥାକୁ ସମ୍ପୂର୍ଣ୍ଣ ସତ୍ୟତାର ସହ ପରିବେଷଣ କରିବା। କୌଣସି ବିଷୟ ଅତିରଞ୍ଜିତ କରି କିମ୍ବା କମ୍ କରି ନ କହିବା। ଯେଉଁ ଘଟଣା ଯେପରି ବର୍ଣ୍ଣନା କରା ଯାଇଛି, ତାହାକୁ ଅନ୍ୟ ସମ୍ମୁଖରେ ସେହିପରି ପ୍ରସ୍ତୁତ କରିବା।
सत्यं ब्रूयात् प्रियं ब्रूयात् ,
न ब्रूयात् सत्यम् अप्रियम् ,
प्रियं च नानृतम् ब्रूयात् ,
एष धर्मः सनातन:।।
ବର୍ତ୍ତମାନ ସମୟରେ ଅଧିକାଂଶ ମନୁଷ୍ୟ ଆଧୁନିକ ହେବାର ଆଡମ୍ବର କରି, ନିଜକୁ ସ୍ପଷ୍ଟ ବକ୍ତା ଭାବରେ ଉପସ୍ଥାପନା କରି ଯେଉଁଠି ଯାହା ଇଚ୍ଛା ତାହା କହିଦେଉଛନ୍ତି। ଏହା ମଧ୍ୟ ଚିନ୍ତା କରୁନାହାନ୍ତି କି ଯାହା କହୁଛନ୍ତି ତାହା ଅନୈତିକ କି ନୁହେଁ, ଯଦିଓ ସେ ସତ୍ୟ ହିଁ କହୁଥାନ୍ତି। ତାଙ୍କ ସମ୍ମୁଖରେ ଥିବା ବ୍ୟକ୍ତିଙ୍କୁ ସେ କଷ୍ଟ ଦେଉଛନ୍ତି କି ନାହିଁ।
ସେଠାରେ ଏହା ଜାଣିବା ଆବଶ୍ୟକ କି ଆମର ବୈଦିକ ଶାସ୍ତ୍ର ଏହି ବିଷୟରେ କେଉଁ ସିଦ୍ଧାନ୍ତ ରଖେ – ଆମର ଶାସ୍ତ୍ର ଅନୁସାରେ ଏହି ସତ୍ୟକୁ କୌଣସି ପ୍ରାଣୀ ସମ୍ମୁଖରେ ଉପସ୍ଥାପନା କରିବା ଅତ୍ୟନ୍ତ ଉପଯୁକ୍ତ ଅଟେ, ଯାହା ସେହି ବ୍ୟକ୍ତି ପାଇଁ ଅଥବା ସମ୍ପୂର୍ଣ୍ଣ ଜଗତ ପାଇଁ କଲ୍ୟାଣକାରୀ ହୋଇଥାଏ।
ଏହିପରି ଏକ ଦୃଷ୍ଟାନ୍ତ ଦେଖିବା, ଯେଉଁଥିରେ ସତ୍ୟ କୁହାଗଲା କିନ୍ତୁ ଏହା ବିନା ବିଚାରରେ କୁହାଗଲା ଯାହା କାହାପାଇଁ କଷ୍ଟଦାୟକ ମଧ୍ୟ ହୋଇପାରିବ -
ଗୋଟିଏ ରାଜ୍ୟର ଶାସକ ନିଜର ଭବିଷ୍ୟ ଜାଣିବା ଇଚ୍ଛାରେ ରାଜ୍ୟରେ ଘୋଷଣା କଲେ କି, ଯଦି କେହି ଜ୍ୟୋତିଷ ତାଙ୍କର ହାତର ରେଖା ଦେଖି ତାଙ୍କର ଭବିଷ୍ୟତ ବିଷୟରେ କହିପାରିବ, ତାହାହେଲେ ସେ ତାହାକୁ ପୁରସ୍କୃତ କରିବେ।
ସେହି ନଗରରେ ଦୁଇଜଣ ଭାଇ ଥିଲେ ଏବଂ ଦୁଇଜଣ ହିଁ ଜ୍ୟୋତିଷ ବିଦ୍ୟାରେ ପାରଙ୍ଗମ ଥିଲେ। ପ୍ରଥମ ଭାଇ ରାଜାଙ୍କ ଦରବାରକୁ ଯାଇ ରାଜାଙ୍କ ହାତ ଦେଖିବାର ଆଗ୍ରହ ପ୍ରକାଶ କଲେ।ଯେତେବେଳେ ସେ ରାଜାଙ୍କ ହସ୍ତ ଦେଖିଲେ, ସେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଗଲେ। ଯେହେତୁ ତାଙ୍କୁ ଭବିଷ୍ୟତ ବିଷୟରେ କହିବାର ଥିଲା ବିନା କିଛି ବିଚାର କରି ରାଜାଙ୍କ ଉପସ୍ଥିତିରେ ହିଁ ତାଙ୍କର ସମ୍ପୂର୍ଣ୍ଣ କୁଳ ନାଶ ହୋଇଯିବ,ଏହି କଟୁ ସତ୍ୟ କହିଦେଲେ। ଏହା ଶୁଣି ରାଜା କ୍ରୋଧିତ ହୋଇ ଜ୍ୟୋତିଷଙ୍କୁ କାରାଗାରକୁ ପଠେଇ ଦେଲେ।
ଯେତେବେଳେ ଏହି ସମାଚାର ଜ୍ୟୋତିଷଙ୍କ ଭାଇ ଶୁଣିଲେ, ସେ ନିଜର ଭାଇଙ୍କୁ ରକ୍ଷା କରିବା ପାଇଁ ରାଜାଙ୍କ ସମ୍ମୁଖରେ ପହଞ୍ଚି ପୁଣିଥରେ ତାଙ୍କ ହାତ ଦେଖିବାର ଆଗ୍ରହ ପ୍ରକାଶ କଲେ। ତାଙ୍କ ବାକ୍ ପଟୁତାରେ ମୁଗ୍ଧ ହୋଇ ରାଜା ତାଙ୍କ ପ୍ରସ୍ତାବ ସ୍ୱୀକାର କଲେ। କିନ୍ତୁ ପୂର୍ବ ଜ୍ୟୋତିଷଙ୍କ ବିପରୀତ, ତାଙ୍କ ଭାଇ ତାଙ୍କର ବାକ୍ କୌଶଳ ଏବଂ ବୁଦ୍ଧିମତ୍ତା ପୂର୍ଣ୍ଣ ବ୍ୟବହାର ସହ ରାଜାଙ୍କର ଦୀର୍ଘ ଆୟୁର ଭବିଷ୍ୟ ବାଣୀ କଲେ। ଯାହା ଶୁଣି ରାଜା ଖୁସୀ ହୋଇ ତାଙ୍କୁ ବର ମାଗିବାକୁ କହିଲେ। ଉପହାର ସ୍ୱରୂପ ଜ୍ୟୋତିଷ ନିଜ ଭାଇଙ୍କୁ କାରାଗାରରୁ ମୁକ୍ତ କରି ନେଲେ।
ତେଣୁ ଏହି ବୃତ୍ତାନ୍ତ ଏହା ସ୍ପଷ୍ଟ କରିଥାଏ କି କିପରି ସତ୍ୟ ସହିତ ପ୍ରିୟ ବଚନ ଅଧିକ ଶ୍ରେୟସ୍କର ହୋଇଥାଏ। ଅପରପକ୍ଷରେ ବିନା ବିଚାରରେ ସତ୍ୟବଚନ ମଧ୍ୟ କେବେ କେବେ ଦୁଷ୍ପରିଣାମକାରୀ ହୋଇଥାଏ।
ଶ୍ରୀ ଭଗବାନ ଗୀତାର ସପ୍ତଦଶ ଅଧ୍ୟାୟରେ ପ୍ରାଣୀ ମାନଙ୍କୁ ସବୁ ସମୟରେ ନିଜର ବାଣୀ ଉପରେ ସଂଯମ ରକ୍ଷା କରିବାକୁ ଯାଇ କହିଛନ୍ତି –
अनुद्वेगकरं वाक्यं सत्यं प्रियहितं च यत्।
स्वाध्यायाभ्यसनं चैव वाङ्मयं तप उच्यते।।17.15।।
मनःप्रसादः सौम्यत्वं मौनमात्मविनिग्रहः।
भावसंशुद्धिरित्येतत्तपो मानसमुच्यते।।17.16।।
ବାଙ୍ମୟ ତପ ବାଣୀକୁ ସଂଯମିତ କରିବା ପାଇଁ ଆବଶ୍ୟକ ଅଟେ। ଯଦି ଆପଣଙ୍କ ମଧ୍ୟରେ ନିଜର ବାଣୀକୁ ସଂଯମିତ କରିବାର କୌଶଳ ନାହିଁ, ତାହାହେଲେ ଆପଣ ତପ କରିପାରିବେ ନାହିଁ। ତେଣୁ ଆମକୁ ସର୍ବଦା ନିୟନ୍ତ୍ରିତ ବଚନ କହିବା ଉଚିତ୍ ତଥା ଯେଉଁଠାରେ ବାର୍ତ୍ତାଳାପ ଜ୍ଞାତର ଉର୍ଦ୍ଧ୍ୱରେ ସେଠାରେ ନୀରବ ରହିବ ଉଚିତ୍।
ଅକ୍ରୋଧ :
ଶ୍ରୀ ଭଗବାନ ଶ୍ଲୋକ ମାଧ୍ୟମରେ ନରକର ତିନି ଦ୍ଵାର ବିଷୟରେ କହିବାକୁ ଯାଇ କହିଛନ୍ତି କି -
त्रिविधं नरकस्येदं द्वारं नाशनमात्मनः।
कामः क्रोधस्तथा लोभस्तस्मादेतत्त्रयं त्यजेत्।।16.21।।
ଅର୍ଥାତ୍ ଏଠାରେ ଶ୍ରୀ ଭଗବାନଙ୍କ ଦ୍ଵାରା କାମ ଅର୍ଥାତ୍ କାମନା ସବୁ ଏବଂ ସେଥିରୁ ଉତ୍ପନ୍ନ କ୍ରୋଧ ତଥା ଲୋଭ ସମସ୍ତ ତିନି ଆସୁରୀ ଗୁଣକୁ ନରକର ଦ୍ଵାର ବୋଲି କୁହା ଯାଇଛି।
ମନରେ ଉତ୍ପନ୍ନ ଇଚ୍ଛା ତଥା କାମନା ସମୂହ ଯେତେବେଳେ ପୂର୍ଣ୍ଣ ହୁଏ ନାହିଁ ତାହା କ୍ରୋଧକୁ ଜନ୍ମ ଦେଇଥାଏ। ଉଦାହରଣ ସ୍ୱରୂପ ଆମେ ଜାଣିଛୁ କି ମଧୁମେହ ହେଲେ ମିଠା ଖାଇବା ମନା ହେଲେ ମଧ୍ୟ କେବେ କେମିତି ମିଠା ଖାଇବା ବିଚାର ମନକୁ ଆସେ। ଯେବେ ଏହା ତୀବ୍ର ଇଚ୍ଛାରେ ପରିବର୍ତ୍ତିତ ହୋଇଯାଏ ଓ ବ୍ୟକ୍ତି ବିନା କିଛି ଚିନ୍ତା କରି ଇଚ୍ଛା ପୂରଣ କରିବା ପାଇଁ ମିଠା ଖାଇ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ତେଣୁ ଏହି ମିଠା ଗ୍ରହଣ କରିବାର କାମନା କୌଣସି ଅସ୍ଵସ୍ଥ ବ୍ୟକ୍ତିଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ,ସ୍ଵତଃ ଏହା ଅନୁମାନ କରାଯାଇ ପାରିବ।
ଏହିପରି ଜୀବନରେ ଯେତେବେଳେ ଏହି ଛୋଟ - ବଡ଼ ଇଚ୍ଛା ପୂର୍ଣ୍ଣ ହୋଇପାରେ ନାହିଁ, ମନରେ ଦୁଃଖଦ ସ୍ଥିତି ଉତ୍ପନ୍ନ ହୋଇଯାଏ। ତାହାପରେ ଧୀରେ - ଧୀରେ ଅନ୍ତଃକରଣରେ କ୍ରୋଧର ଉତ୍ପନ୍ନ ହୁଏ। କାମନା ପୂର୍ଣ୍ଣ ନହେଲେ ଏହି କ୍ରୋଧ କେତେବେଳେ ଛୋଟ ଅଗ୍ନି କଣାରୁ ବିକରାଳ ଅଗ୍ନି ରୂପ ନେଇଯାଏ, ଜଣା ହିଁ ପଡେନାହିଁ। ଅବିବେକୀ ଜୀବ ଏହା ବୁଝିବାକୁ ବି’ ଅସମର୍ଥ ହୋଇଥାଏ। ଧରାଯାଉ ଗୋଟିଏ - ଗୋଟିଏ କରି ଶୁଖିଲା ପତ୍ର ଏକାଠି କରି ସେଥିରେ ନିଆଁ ଲଗେଇଲେ ଯେପରି ଭୟାବହ ଅଗ୍ନିରେ ପରିବର୍ତ୍ତିତ ହୋଇଯାଏ ତଥା ବେଶୀ କ୍ଷତି ତାହାର ହିଁ କରିଥାଏ ଯାହାଠାରେ ଏହି ଅଗ୍ନି ପ୍ରଜ୍ଜ୍ଵଳିତ ହୋଇଥାଏ।
ଅର୍ଥାତ୍ କାମନା ଏବଂ ଲୋଭରୁ ଉତ୍ପନ୍ନ କ୍ରୋଧ ରୂପୀ ଅଗ୍ନି ଆମର ଅନ୍ତଃକରଣରେ ପ୍ରବେଶ କରି ସ୍ଵତଃ ଜୀବର ସର୍ବସ୍ୱ ନଷ୍ଟକରି ତାକୁ ନର୍କଗାମୀ କରିଥାଏ। ତେଣୁ କୌଣସି ବି କାରଣରୁ କ୍ରୋଧ ଉତ୍ପନ୍ନ ହେଲେ ପ୍ରାଣାୟମ, ଓଲଟା ଗଣିବା, ଅଥବା ରାମ ନାମର ଉଚ୍ଚାରଣ, କ୍ରୋଧ ଦମନ କରିବାର ଉତ୍ତମ ଉପାୟ ସାବ୍ୟସ୍ତ ହୋଇଛି।
ଗୀତାର ଶ୍ଲୋକ ମଧ୍ୟ କ୍ରୋଧ ଶାନ୍ତି କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।
ଆମେ ସମସ୍ତେ ଜାଣୁ ଯେ ଯଦି କୌଣସି ମାଟିକୁଣ୍ଡକୁ ଖାଲି ଛାଡ଼ି ଦିଆଯାଏ, ତେବେ ସେଥିରେ ଅନାବଶ୍ୟକ ଗଛ ସୃଷ୍ଟି ହୋଇଥାଏ। ତେଣୁ ବିଷାକ୍ତ ଗଛ ଉତ୍ପନ୍ନ ନହେବା ପାଇଁ ସେଥିରେ ସୁନ୍ଦର ଫୁଲଗଛ ଲଗାଇବା ଆବଶ୍ୟକ। ଠିକ୍ ସେହିପରି ଆମର ମନ ଯେତେ ଖାଲି ରହିବ ଅର୍ଥାତ୍ ଯେ ପର୍ଯ୍ୟନ୍ତ ମନରେ ଭଗବତ୍ ଭକ୍ତି ଉତ୍ପନ୍ନ ହେବନାହିଁ, ବିଷାକ୍ତ ଗଛ ରୂପୀ କାମନା, କ୍ରୋଧ, ଲୋଭ ମନକୁ ନିଜର କର୍ଯ୍ୟସ୍ଥଳୀ କରିନେବେ। ତେଣୁ ମନକୁ ଭଗବତ୍ ଭଜନ, ସତ୍ସଙ୍ଗ ଦ୍ଵାରା ଏବଂ ଶାସ୍ତ୍ର ଅଧ୍ୟୟନରେ ନିମଜ୍ଜିତ କରି, ଏହି ନକାରାତ୍ମକ ତତ୍ତ୍ୱରୁ ମୁକ୍ତ କରାଯାଇ ପାରିବ।
ତ୍ୟାଗ :
ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଅର୍ଜୁନ ତ୍ୟାଗ ଏବଂ ତାହାର ମହତ୍ତ୍ଵ ଉପରେ ଶ୍ରୀ ଭଗବାନଙ୍କୁ ଯାହା ପ୍ରଶ୍ନ କରିଥିଲେ, ସେ ବିଷୟରେ ଶ୍ରୀ ଭଗବାନ ଉତ୍ତର ଦେଇଥିଲେ -
अर्जुन उवाच
संन्यासस्य महाबाहो तत्त्वमिच्छामि वेदितुम्।
त्यागस्य च हृषीकेश पृथक्केशिनिषूदन।।18.1।।
श्री भगवानुवाच
काम्यानां कर्मणां न्यासं संन्यासं कवयो विदुः।
सर्वकर्मफलत्यागं प्राहुस्त्यागं विचक्षणाः।।18.2।।
ତ୍ୟାଗ ବିଭିନ୍ନ ପ୍ରକାରର ହୋଇଥାଏ। ଯେବେ ଆମେ ତ୍ୟାଗ ବିଷୟରେ ଚିନ୍ତା କରୁ ସେତେବେଳେ ଗୋଟିଏ ପ୍ରକାରର ତ୍ୟାଗ ଯାହା ନିଜ ପରିବାର, ନିଜ ପଡୋଶୀ ଏବଂ ଆମ ପରିପାର୍ଶ୍ଵ ପାଇଁ ହୋଇଥାଏ। ଯେପରି ଯଦି ଆପଣଙ୍କର ଓ ଆପଣଙ୍କ ପଡୋଶୀ ଘର ମଝିରେ ଥିବା ରାସ୍ତାର ସ୍ୱଚ୍ଛତାର ଧ୍ୟାନ ଆପଣଙ୍କ ପଡୋଶୀ ରଖୁନାହାନ୍ତି। ଏହି ସ୍ଥିତିରେ ଆପଣ ନିଜେ ତାହାର ସ୍ୱଚ୍ଛତାର ଧ୍ୟାନ ରଖିପାରିବେ। ଯାହା ଆପଣଙ୍କ ଦ୍ଵାରା କରାଯାଇଥିବା ତ୍ୟାଗକୁ ଦର୍ଶାଇ ଥାଏ।
ଏହି ତ୍ୟାଗ ଆପଣଙ୍କ ଅନ୍ତଃକରଣରେ ସ୍ଵତଃ ଅନ୍ୟ ଦୈବୀ ଗୁଣର ସଂଚାର କରିବ। ଯେପରି ଯଦି କୌଣସି ବ୍ୟକ୍ତିର ବ୍ୟବହାର ଆପଣଙ୍କୁ ଭଲ ଲାଗେ ନାହିଁ, ଏହି ପରିସ୍ଥିତିରେ ଯଦି ଆପଣ ତାଙ୍କର ଆଚରଣ ଉପରେ ଧ୍ୟାନ ଦେବା ଛାଡ଼ିଦେବେ, ତାହାହେଲେ ଆପଣଙ୍କ ମନରେ ସ୍ୱତଃ ଶାନ୍ତି ବିରାଜମାନ କରିବ। ଗୀତାରେ କର୍ମଫଳର ତ୍ୟାଗକୁ ମଧ୍ୟ ଉତ୍ତମ ତ୍ୟାଗ ଦର୍ଷା ଯାଇଛି, ଯାହାଦ୍ଵାରା ମନରେ ସ୍ୱତଃ ଶାନ୍ତି ସ୍ଥାପିତ ହୋଇଯାଏ।
ଶାନ୍ତି :
ଜୀବର ଅନ୍ତଃକରଣରେ ଶାନ୍ତି ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଆପଣ ଯେତେ ଧନବାନ୍, ଜ୍ଞାନବାନ୍ ଓ ଖ୍ୟାତିବାନ୍ ହୁଅନ୍ତୁ ନାଁ କାହିଁକି ମାନସିକ ଶାନ୍ତି ସେତେବେଳେ ସମ୍ଭବ ଯେତେବେଳେ ଆପଣଙ୍କ ଅନ୍ତଃକରଣ ସନ୍ତୁଷ୍ଟ ହୋଇଯିବ। ଅନ୍ତଃକରଣର ସନ୍ତୁଷ୍ଟି ମନରେ ଶାନ୍ତି ଉତ୍ପନ୍ନ କରି ଜୀବକୁ ସୁଖୀ କରିଥାଏ। ତାହାପରେ ହିଁ ଜୀବ ନିଜର ସମ୍ବନ୍ଧ ପରମାତ୍ମା ଓ ଇଶ୍ୱରୀୟ ସତ୍ତା ସହ ଏକୀକରଣ କରିବା ପାଇଁ ଉଦ୍ୟମ କରିଥାଏ।
ଶ୍ରୀ ଭଗବାନ ନିନ୍ଦା ନକରିବାକୁ ତଥା ଦୟା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ରାମଧାରୀ ସିଂହ ଦିନକରଜୀ ନିନ୍ଦା ରସ ଉପରେ ବହୁତ ଲେଖା ଲେଖିଛନ୍ତି।
ଦୟା:
ସମସ୍ତେ ନିଜ ସମ୍ପର୍କୀୟଙ୍କ ପ୍ରତି ଦୟାଳୁ ମନୋଭାବ ପ୍ରକଟ କରିଥାଆନ୍ତି। ଶ୍ରୀଭଗବାନ୍ ତାଙ୍କର ଦୟାଳୁ ଦର୍ଶନକୁ ବିଶ୍ୱରେ ଉପସ୍ଥିତ ସମସ୍ତ ଜୀବଜନ୍ତୁଙ୍କ ଉପରେ ସ୍ପଷ୍ଟ କରନ୍ତି। ଦୟା ଏକ ଅଭୂତପୂର୍ବ ଈଶ୍ୱରୀୟ ଗୁଣ। ମାତା ଶାବରୀ ଏହାର ପ୍ରକୃଷ୍ଟ ଉଦାହରଣ। ମେଷଶାବକଙ୍କ ପ୍ରତି ଦୟା ଭାବନା ତାଙ୍କ ମନରେ ଏତେ ଶକ୍ତିଶାଳୀ ଥିଲା ଯେ ସେ ଅଳ୍ପ ବୟସରେ ସେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଜଙ୍ଗଲକୁ ଚାଲି ଯାଇଥିଲେ। ଯେଉଁଠାରେ ସେ ମତଙ୍ଗ ଋଷିଙ୍କ ଆଶ୍ରମରେ ଆଶ୍ରୟ ନେଇଥିଲେ। ତାଙ୍କ ହୃଦୟରେ ଏହି ଦୟା ହିଁ ତାଙ୍କୁ ଭଗବାନ ଶ୍ରୀ ରାମଙ୍କର ଏକ ଶୁଦ୍ଧ ଭକ୍ତ କରିଥାଏ। ଜୀବଜନ୍ତୁଙ୍କ ପ୍ରତି ଦୟା, ବାତ୍ସଲ୍ୟଭାବ ସୃଷ୍ଟି କରେ ଏବଂ ଏହା ହେଉଛି ଏକ ଭାବ ଯାହା ଭଗବାନ ତାଙ୍କ ଭକ୍ତମାନଙ୍କ ମଧ୍ୟରେ ଅଧିକ ପ୍ରିୟ ଅଟେ।
ଲୋଭରୁ ମୁକ୍ତି:
କୌଣସି ବସ୍ତୁ ବା ଜିନିଷ ପ୍ରତି ଆସକ୍ତ ନହେବା।
ଭଦ୍ରତା:
ମାତା ଶବରୀଙ୍କର ଚରିତ୍ରକୁ ଧ୍ୟାନ ସହିତ ଅନୁଧ୍ୟାନ କଲେ, ତୁମେ ଶ୍ରୀ ଭଗବାନଙ୍କ ଦ୍ୱାରା ବର୍ଣ୍ଣିତ ଏକ ଶୁଦ୍ଧ ଭକ୍ତଙ୍କର ସମସ୍ତ ଗୁଣ ପାଇବ। ଏହି ଜୀବ ଜଗତର ସମସ୍ତ ପ୍ରାଣୀଙ୍କ ପ୍ରତି ଆମ ମନରେ କୋମଳତା ଭାବ ରହିବା ଉଚିତ୍। ମନର କୋମଳତା ହେଉଛି, କାହାର ଦୁଃଖ ଏବଂ ଯନ୍ତ୍ରଣା ଦେଖିବା ପରେ ତାହା ପ୍ରତି ସମ୍ବେଦନଶୀଳତାର ଅନୁଭବ।
ଲଜ୍ଜା:
ତାହା ହେଉଛି, ଯଦି ଆପଣ କିଛି ଅନୁପଯୁକ୍ତ କାର୍ଯ୍ୟ କରନ୍ତି, ତେବେ ତୁରନ୍ତ କ୍ଷମା ମାଗିବା, ଏହାକୁ ଗ୍ରହଣ କରିବା ଏବଂ ଭବିଷ୍ୟତରେ ଏହାର ପୁନରାବୃତ୍ତି ନକରିବାକୁ ସଂକଳ୍ପ କରିବା ଉଚିତ୍।
ଅଚାପଲମ୍ :
ଏହାର ଅର୍ଥ ହେଉଛି ଗୋଟିଏ ସ୍ଥାନରେ ସ୍ଥିର ରହିବା। ଗୀତା ପରିବାରରେ, ଯେତେବେଳେ ଆମେ ବେଳେବେଳେ ଖାଦ୍ୟ ବଣ୍ଟନ କରିବାକୁ କରିଥାଉ ଏବଂ କିଛି ଲୋକଙ୍କୁ କିଛି ସମୟ ଧ୍ୟାନରେ ବସିବାକୁ ଅନୁରୋଧ କରୁ, କିଛି କ୍ଷଣ ପାଇଁ ମଧ୍ୟ ଧ୍ୟାନରେ ରହିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଏହା ଜୀବର ଚଞ୍ଚଳତାର ସୂଚକ। ସେମାନେ କଠିନ ପରିଶ୍ରମ କରିପାରିବେ କିନ୍ତୁ ଧ୍ୟାନରେ ବସିପାରିବେ ନାହିଁ| ପୂଜା ସମୟରେ ଦଶରୁ ପନ୍ଦର ମିନିଟ୍ ଧ୍ୟାନ ମଧ୍ୟ ଆପଣଙ୍କୁ ଏପରି ସ୍ଥିତିକୁ ନେଇଯିବ ଯେଉଁଠାରେ ଧୀରେ ଧୀରେ ଆପଣଙ୍କର ଧ୍ୟାନ କ୍ଷମତା ବୃଦ୍ଧି ପାଇବ ଏବଂ ଏହିପରି ବ୍ୟକ୍ତି ଯୋଗୀ ହୋଇ ସେହି ପରେମଶ୍ୱର ପରମସତ୍ତା ସହିତ ଏକୀଭୂତ ହେବା ଆରମ୍ଭ କରିବେ।
16.3
ତେଜଃ କ୍ଷମା ଧୃତିଃ(ଶ୍) ଶୌଚମ୍, ଅଦ୍ରୋହୋନାତିମାନିତା
ଭବନ୍ତି ସମ୍ପଦଂ(ନ୍) ଦୈବୀମ୍, ଅଭିଜାତସ୍ୟ ଭାରତ।।3।।
ବିବେଚନ: -
ଦୈବୀୟ ଗୁଣଗୁଡ଼ିକର ପରବର୍ତ୍ତୀ ବର୍ଣ୍ଣନା ନିମ୍ନଲିଖିତ ଅଟେ -
ତେଜ -
ଓଜସ୍ୱିତା ଯଥା ଯେତେବେଳେ ସ୍ୱାମୀବିବେକାନନ୍ଦ ଚିକାଗୋ (ଆମେରିକାରେ) ରେ ତାଙ୍କ ସଭାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ଭାଇ ଓ ଭଉଣୀ ଭାବରେ ସମ୍ବୋଧିତ କରିଥିଲେ, ସେତେବେଳେ ସେଠାରେ ଥିବା ଦୃଶ୍ୟ ନିଶ୍ଚିତ ଭାବରେ ଦର୍ଶନୀୟ ହୋଇଥିବ। ସେଥିପାଇଁ ଆଜି ବି’ ଆମେ ବିବେକାନନ୍ଦଙ୍କର ସେହି ସମ୍ଭାଷଣ ବିଜଣେଷୟରେ ଆଲୋଚନା କରୁ।
ବ୍ୟକ୍ତି ଭଗବାନଙ୍କ ପ୍ରତି ଭକ୍ତି ଏବଂ ନିରନ୍ତର ତପସ୍ୟା ମାଧ୍ୟମରେ ଏହି ତେଜ ହାସଲ କରେ ସେହି ଶକ୍ତି ଏକ ସାଧାରଣ ବ୍ୟକ୍ତିରେ ପ୍ରତିଫଳିତ ହୁଏ ନାହିଁ। ସମ୍ମାନିତ ଗୁରୁଜୀଙ୍କ ଦ୍ୱାରା କଥିତ ଶବ୍ଦ “ଗୀତା ପଢ, ପଢ଼ାଅ ଓ ଏହାକୁ ଜୀବନରେ ଉତାର” ଯେତେବେଳେ ତାଙ୍କର ଶକ୍ତିଶାଳୀ ସ୍ୱରରେ କୁହାଯାଏ, ସେହି ଶବ୍ଦଗୁଡ଼ିକ ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ ହୁଏ।
କ୍ଷମା, ଧୈର୍ଯ୍ୟ, ଶୁଦ୍ଧତା (ଅନ୍ତକରଣର ଶୁଦ୍ଧତା) -
ଈର୍ଷାରୁ ମୁକ୍ତିର ଅର୍ଥ ହେଉଛି ଯେତେବେଳେ ଅର୍ଜୁନ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ଥିଲେ ସେତେବେଳେ ମଧ୍ୟ ସେ ତାଙ୍କର ସମସ୍ତ ପ୍ରତିପକ୍ଷଙ୍କ ପ୍ରତି ଈର୍ଷା ମୁକ୍ତ ଥିଲେ। ଯଦିଓ ତାଙ୍କର ଶତ୍ରୁମାନେ ଦ୍ରୌପଦୀ (ତାଙ୍କ ପତ୍ନୀ)ଙ୍କ ସହ ଅସଦାଚରଣ କରିଥିଲେ କିମ୍ବା ଭୀମସେନଙ୍କୁ ବିଷ ଦେଇଥଲେ, ତାଙ୍କ ଜୀବନ ନେବାକୁ ଷଡଯନ୍ତ୍ର କରିଥିଲେ ଏବଂ ଏହା ବ୍ୟତୀତ ଅର୍ଜୁନ ଏବଂ ତାଙ୍କ ଭାଇମାନଙ୍କ ବିରୁଦ୍ଧରେ ଅନେକ ଷଡଯନ୍ତ୍ର କରାଯାଇଥିଲା, ତଥାପି ଅର୍ଜୁନଙ୍କ ମନରେ ସେହି ଦ୍ରୋହୀମାନଙ୍କ ପ୍ରତି ତିଳେମାତ୍ର ଈର୍ଷା ନ ଥିଲା ।
ସମ୍ମାନର ଇଚ୍ଛାରୁ ମୁକ୍ତି, ଯେପରି ଜଣେ ସାଧକର ଗୀତାବ୍ରତୀ ହେବା ପରେ ମଧ୍ୟ ଅଭିମାନ ନ କରିବା - ଏହା ସବୁ ଦିବ୍ୟ ଗୁଣ, ଯାହା ଈଶ୍ୱରୀୟ ପ୍ରକୃତି ସହିତ ଦେବ ତୁଲ୍ୟ ପୁରୁଷମାନଙ୍କଠାରେ ମିଳିଥାଏ। ଏହି ସମସ୍ତ ଦୈବୀ ଗୁଣ ଅର୍ଜୁନଙ୍କ ନିକଟରେ ବିଦ୍ୟମାନ ଥିଲା।
ଦମ୍ଭୋ ଦର୍ପୋଽଭିମାନଶ୍ଚ, କ୍ରୋଧଃ(ଫ୍) ପାରୁଷ୍ୟମେବଚ
ଅଜ୍ଞାନଂ(ଞ୍) ଚାଭିଜାତସ୍ୟ, ପାର୍ଥ ସମ୍ପଦମାସୁରୀମ୍।।4।।
ବିବେଚନ : -
ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ହେ ପୃଥାପୁତ୍ର!
ଦମ୍ଭ :
ଆଦିଶଂକରାଚାର୍ଯ୍ୟ ଦମ୍ଭକୁ ବର୍ଣ୍ଣନା କରିଛନ୍ତି ଯେ ଆସୁରିକ ପ୍ରବୃତ୍ତି ଥିବା ପ୍ରାଣୀମାନେ ଧର୍ମର ନୀତି ଅନୁସରଣ ନକଲେ ମଧ୍ୟ ଧର୍ମ ଏବଂ ଆତ୍ମ-ଜ୍ଞାନର ପ୍ରଦର୍ଶନ କରନ୍ତି। ଶିବଙ୍କୁ କ୍ଷୀର ଅର୍ପଣ କରିବା, କପାଳରେ ତିଲକ ଲଗାଇବା ଇତ୍ୟାଦି।
ଦର୍ପ :
ସର୍ବଦା ତୁମର ଶିକ୍ଷା କିମ୍ବା ନିଜ ନିକଟରେ ଥିବା ପ୍ରଚୁର ଧନ ବିଷୟରେ ଗର୍ବ କରିବା।
ଅଭିମାନ (ଗର୍ବ) :
ଜିନିଷ ଧାରଣ କରିବାରେ ଗର୍ବ, ସମ୍ପୃକ୍ତତା ଏବଂ ମମତ୍ୱର ଅନୁଭବ ଗର୍ବର ସୂଚକ ଅଟେ।
କ୍ରୋଧ :
ଯେତେବେଳେ ଇଚ୍ଛା ପୂରଣ କରିବାରେ ବାଧା ଆସେ ସେତେବେଳେ କ୍ରୋଧ ସୃଷ୍ଟି ହୁଏ।
କଠୋରତା ଏବଂ ଅଜ୍ଞତା :
ଦୈନନ୍ଦିନ ଜିନିଷଗୁଡ଼ିକ ବିଷୟରେ ବିଚକ୍ଷଣତାର ଅଭାବ ବା ବିବେକହୀନ ଆଚରଣ, ଏହା ଆସୁରିକ ପ୍ରକୃତିର ଲକ୍ଷଣ ଅଟେ।
ଦୈବୀ ସମ୍ପଦ୍ବିମୋକ୍ଷାୟ, ନିବନ୍ଧାୟାସୁରୀ ମତା
ମା ଶୁଚଃ(ସ୍) ସମ୍ପଦଂ(ନ୍) ଦୈବୀମ୍, ଅଭିଜାତୋଽସି ପାଣ୍ଡବ।।5।।
ବିବେଚନ :-
ଦୈବୀ ଗୁଣଗୁଡିକ ପରିତ୍ରାଣ ପାଇଁ ଅନୁକୂଳ ଏବଂ ଆସୁରିକ ଗୁଣଗୁଡ଼ିକ ବନ୍ଧନ ପାଇଁ ଅନୁକୂଳ ଅଟେ। ହେ ପାଣ୍ଡୁ ପୁତ୍ର! ବ୍ୟସ୍ତ ହୁଅ ନାହିଁ, କାରଣ ତୁମେ ଦୈବୀ ଗୁଣ ସହିତ ଜନ୍ମ ହୋଇଛ।
ଦ୍ୱୌ ଭୂତସର୍ଗୌ ଲୋକେଽସ୍ମିନ୍, ଦୈବ ଆସୁର ଏବ ଚ
ଦୈବୋ ବିସ୍ତରଶଃ(ଫ୍) ପ୍ରୋକ୍ତ, ଆସୁରଂ(ମ୍) ପାର୍ଥ ମେ ଶ୍ରୁଣୁ।।6।।
ବିବେଚନ :-
ହେ ପୃଥାପୁତ୍ର ! ଏହି ଦୁନିଆରେ ଦୁଇ ପ୍ରକାରର ଜୀବ ସୃଷ୍ଟି ହୋଇଛନ୍ତି - ଦୈବୀୟ ଏବଂ ଆସୁରିକ। ମୁଁ ତୁମକୁ ଦୈବୀୟ ଗୁଣଗୁଡ଼ିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିସାରିଛି। ବର୍ତ୍ତମାନ ଆସୁରିକ ଗୁଣ ବିଷୟରେ ମୋ କଥା ଶୁଣ।
ପ୍ରବୃତ୍ତିଂ(ଞ୍) ଚ ନିବୃତ୍ତିଂ(ଞ୍) ଚ, ଜନା ନ ବିଦୁରାସୁରାଃ
ନ ଶୌଚଂ(ନ୍) ନାପି ଚାଚାରୋ, ନ ସତ୍ୟଂ(ନ୍) ତେଷୁ ବିଦ୍ୟତେ।।7।।
ବିବେଚନ : -
ଯେଉଁମାନଙ୍କର ଆସୁରିକ ଗୁଣ ଅଛି, ସେମାନଙ୍କର ବିବେକ ନାହିଁ। କ’ଣ କରିବା ଉଚିତ୍ ଏବଂ କ’ଣ କରିବା ଉଚିତ୍ ନୁହେଁ ସେମାନେ ଜାଣନ୍ତି ନାହିଁ। ଶୁଦ୍ଧତା, କିମ୍ବା ଉପଯୁକ୍ତ ଆଚରଣ କିମ୍ବା ସତ୍ୟତା ସେମାନଙ୍କଠାରେ ମିଳେନାହିଁ।
ଅସତ୍ୟମପ୍ରତିଷ୍ଠଂ(ନ୍) ତେ, ଜଗଦାହୁରନୀଶ୍ୱରମ୍
ଅପରସ୍ପରସମ୍ଭୁତଂ(ଙ୍), କିମନ୍ୟତ୍କାମହୈତୁକମ୍।।8।।
ବିବେଚନ : -
ଆସୁରିକ ପ୍ରବୃତ୍ତି ସହିତ ଜୀବମାନେ କୁହନ୍ତି ଯେ ଏହି ଜଗତ ମିଥ୍ୟା, ଏହାର କୌଣସି ଆଧାର ନାହିଁ ଏବଂ ଏହା କୌଣସି ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ନୁହେଁ। ସେମାନେ କହନ୍ତି ଯେ ଏହା କାମ ଇଚ୍ଛାରୁ ଉତ୍ପନ୍ନ, ଅର୍ଥାତ୍ ପ୍ରକୃତିର ଉତ୍ପତ୍ତି କେବଳ ପୁରୁଷ ଏବଂ ସ୍ତ୍ରୀର ମିଳନର ଫଳାଫଳ ଏବଂ କାମ ବ୍ୟତୀତ ଅନ୍ୟ କୌଣସି କାରଣ ନାହିଁ। ତେଣୁ, ନିଜ ସୁବିଧା ଅନୁଯାୟୀ ଜୀବନ ବିତାଇବା ଉଚିତ୍। ବସ୍ତୁଗତ ଆରାମକୁ ପ୍ରାଧାନ୍ୟ ଦେଇ, ସମଗ୍ର ଜୀବନ ବିତାନ୍ତି, ଶାସ୍ତ୍ରଠାରୁ ବିମୁଖ ହୋଇ ସମ୍ପୂର୍ଣ୍ଣ ଆନନ୍ଦରେ ଅତିବାହିତ ହେବା ଉଚିତ୍ ଏପରି ଭାବନ୍ତି।
ଏତାଂ(ନ୍) ଦୃଷ୍ଟିମବଷ୍ଟଭ୍ୟ, ନଷ୍ଟାତ୍ମାନୋଽଲ୍ପବୁଦ୍ଧୟଃ
ପ୍ରଭବନ୍ତ୍ୟୁଗ୍ରକର୍ମାଣଃ, କ୍ଷୟାୟ ଜଗତୋଽହିତାଃ।।9।।
ବିବେଚନ :-
ଏପରି ସିଦ୍ଧାନ୍ତ ମାନଙ୍କର ଅନୁଗମନ କରି ଆସୁରିକ ପ୍ରବୃତ୍ତିର ଲୋକମାନେ, ଯେଉଁମାନଙ୍କର ଆତ୍ମ-ଜ୍ଞାନ ନଷ୍ଟ ହେଇସାରିଛି ଏବଂ ଯେଉଁମାନେ ବୁଦ୍ଧି ହୀନ, ଏହି ସଂସାର ନିମନ୍ତେ ବିନାଶକାରୀ। ଏମାନେ ଏପରି ଅନୁପଯୋଗୀ ଏବଂ ଭୟାନକ କାର୍ଯ୍ୟ ମାନଙ୍କରେ ଲିପ୍ତ ହେଇଯାଆନ୍ତି ଯାହାକି ଏହି ସଂସାରର ବିନାଶକରିବା ପାଇଁଁ ହିଁ ହୋଇଥାଏ। ହିଟଲର ଭଳି ମନୁଷ୍ୟ ଏହାର ସଠିକ୍ ଉଦାହରଣ, ଯେଉଁମାନେ ସଦାସର୍ବଦା ଆସୁରିକ ସମ୍ପତ୍ତି ମାନଙ୍କର ନିରନ୍ତର ଚିନ୍ତା କରିବା ଦ୍ୱାରା ମାନବ ଜାତିର ଅସ୍ତିତ୍ୱ ପାଇଁ ଭୀଷଣ ସମସ୍ୟା ମାନଙ୍କୁ ଉତ୍ପନ୍ନ କରନ୍ତି।
କାମମାଶ୍ରିତ୍ୟ ଦୁଷ୍ପୁରଂ(ନ୍), ଦମ୍ଭମାନମଦାନ୍ୱିତାଃ
ମୋହାଦ୍ଗୃହିତ୍ୱାସଦ୍ଗ୍ରାହାନ୍, ପ୍ରବର୍ତ୍ତନ୍ତେଽଶୁଚୀବ୍ରତାଃ।।10।।
ବିବେଚନ :-
ସର୍ବଦା ଅସନ୍ତୁଷ୍ଟ କାମନାର ଆଶ୍ରୟ ନେଇ, ମତ୍ତ ଗର୍ବ ଏବଂ ମିଥ୍ୟା ପ୍ରତିଷ୍ଠାରେ ପ୍ରେରିତ ଆସୁରିକ ଜୀବ ମୋହଗ୍ରସ୍ତ ହୋଇ ସର୍ବଦା କ୍ଷଣଭଙ୍ଗୁର ବସ୍ତୁଙ୍କ ଦ୍ୱାରା ଅପବିତ୍ର କର୍ମ ମାନଙ୍କର ସଙ୍କଳ୍ପ ନିଅନ୍ତି। ଏଣୁ ଆସୁରିକ ପ୍ରବୃତ୍ତି ଯୁକ୍ତ ଜୀବ ମାନଙ୍କର ଅନୁସନ୍ଧାନ, ସର୍ବଦା ଅନୁସନ୍ଧାନ ଏବଂ ବିରାମ ସର୍ବଦା ବିରାମରେ ହିଁ ରହିଯାଏ।
ଚିନ୍ତାମପରିମେୟାଂ(ଞ) ଚ, ପ୍ରଲୟାନ୍ତାମୁପାଶ୍ରିତାଃ
କାମୋପଭୋଗପରମା, ଏତାବଦିତି ନିଶ୍ଚିତାଃ।।11।।
ବିବେଚନ :-
ଇନ୍ଦ୍ରିୟ ମାନଙ୍କୁ ତୃପ୍ତ କରିବା ହିଁ ମାନବ ସଭ୍ୟତାର ମୂଳ ଆବଶ୍ୟକତା ବୋଲି ସେମାନେ ବିଶ୍ୱାସ କରନ୍ତି। ଏହିପରି ମୃତ୍ୟୁ ସମୟ ଯାଏଁ ସେମାନଙ୍କୁ ଅନେକ ଚିନ୍ତା ରହିଥାଏ। ବିଶ୍ୱ କବି ଟୈଗୋର ସେବାକୁ ପରମ ସୁଖ ବୋଲି କହିଛନ୍ତି। ଯିଏ ଏହି କ୍ଷେତ୍ରରେ କିଛି କାର୍ଯ୍ୟ କରିନାହାନ୍ତି ସେ ଏହାର ଦିବ୍ୟତାକୁ କିପରି ଅନୁଭଵ କରିପାରିବେ। ରସଗୋଲାର ସ୍ୱାଦ ଯେପରି ତାକୁ ନିଜ ପାଟିରେ ଗ୍ରହଣ କରିଲେ ହିଁ ଜଣାପଡେ।
ଆଶାପାଶଶତୈର୍ବଦ୍ଧାଃ(ଖ୍), କାମକ୍ରୋଧପରାୟଣାଃ
ଈହନ୍ତେ କାମଭୋଗାର୍ଥମ୍, ଅନ୍ୟାୟେନାର୍ଥସଞ୍ଚୟାନ୍।।12।।
ବିବେଚନ :-
ସେମାନେ ଲକ୍ଷ ଲକ୍ଷ ଇଚ୍ଛା ମାନଙ୍କ ଜାଲରେ ଛନ୍ଦି ହେଇ ତଥା କାମ ଏବଂ କ୍ରୋଧ ରେ ଲୀନ ହେଇ ଇନ୍ଦ୍ରିୟ ତୃପ୍ତି ପାଇଁ ବେଆଇନ ଭାବରେ ଧନ ସଂଗ୍ରହ କରିଥାନ୍ତି। ଭ୍ରଷ୍ଟାଚାର ଏହି ଅନିୟନ୍ତ୍ରିତ ଭୌତିକ ଇଚ୍ଛା ମାନଙ୍କର ଜୀବନ୍ତ ଉଦାହରଣ ଅଟେ।
ଇଦମଦ୍ୟ ମୟା ଲବ୍ଧମ୍, ଇମ୍(ମ୍) ପ୍ରାପ୍ସ୍ୟେ ମନୋରଥମ୍
ଇଦମସ୍ତୀଦମପି ମେ, ଭବିଷ୍ୟତି ପୁନର୍ଧନମ୍।।13।।
ଅସୌ ମୟା ହତଃ(ଶ୍) ଶତୃଃ(ର୍), ହନିଷ୍ୟେ ଚାପରାନପି
ଈଶ୍ୱରୋଽହମହଂ(ମ୍) ଭୋଗୀ, ସିଦ୍ଧୋଽହଂ(ମ୍) ବଲବାନ୍ସୁଖୀ।।14।।
ଆଢ୍ୟୋଽଭିଜନବାନସ୍ମି, କୋଽନ୍ୟୋଽସ୍ତି ସଦୃଶୋ ମୟା
ୟକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟ, ଇତ୍ୟଜ୍ଞାନବିମୋହିତାଃ।।15।।
ବିବେଚନ :-
ଆସୁରିକ ବ୍ୟକ୍ତି ଚିନ୍ତା କରିଥାନ୍ତି ଯେ ଆଜି ମୋ ପାଖରେ ଧନ ଅଛି ଏବଂ ନିଜର ଯୋଜନା ମାନଙ୍କ ଦ୍ୱାରା ମୁଁ ଆହୁରି ଅଧିକ ଧନ ଉପାର୍ଜନ କରିବି। ଏବେ ମୋ ପାଖରେ ଏତିକି ଅଛି କିନ୍ତୁ ଭବିଷ୍ୟତରେ ମୁଁ ଏହାକୁ ବୃଦ୍ଧି କରିବି ଏବଂ ବର୍ତ୍ତମାନ ଠାରୁ ମଧ୍ୟ ଅଧିକ ଧନ ହେଇଯିବ। ଯେଉଁମାନେ ମୋର ଶତ୍ରୁ ଥିଲେ, ସେମାନେ ଏବେ ମୃତ ଏବଂ ମୋର ଅନ୍ୟ ଶତ୍ରୁ ମାନେ ମଧ୍ୟ ମୃତ୍ୟୁ ପ୍ରାପ୍ତ କରିବେ। ମୁଁ ସମସ୍ତ ବସ୍ତୁ ମାନଙ୍କର ମାଲିକ ଅଟେ। ମୁଁ ହିଁ ଉପଭୋଗ କରିବି।
ମୁଁ ସିଦ୍ଧ, ଶକ୍ତିମାନ ଏବଂ ସୁଖୀ ଅଟେ। ମୁଁ ସର୍ବାଧିକ ଧନବାନ୍ ବ୍ୟକ୍ତି ଏବଂ ମୋ ସହିତ ମୋର ଆଭିଜାତ୍ୟ ପରିବାର ବର୍ଗ ଅଛନ୍ତି। ଅନ୍ୟ କେହି ବ୍ୟକ୍ତି ମୋ ଭଳି ଶକ୍ତିମାନ ଏବଂ ପ୍ରସନ୍ନ ନାହାନ୍ତି। ମୁଁ ଯଜ୍ଞ କରିବି, ଦାନ ଦେବି ଏବଂ ଆମୋଦପ୍ରମୋଦ ଦ୍ୱାରା ଆନନ୍ଦ ଉପଭୋଗ କରିବି। ଏହିପରି ଭାବରେ ଏପରି ବ୍ୟକ୍ତି ଅଜ୍ଞାନତା ବଶତଃ ମୋହଗ୍ରସ୍ତ ହୋଇ ରହିଥାନ୍ତି।
ଏହି କାରଣରୁ ଆମେ ଗୀତା ପରିବାର ରେ ଦାନକୁ କୌଣସି ପୋର୍ଟାଲ ଦ୍ୱାରା ଗ୍ରହଣ କରିବା ଅପେକ୍ଷା ଗୁପ୍ତ ଦାନ ରୂପରେ ଗ୍ରହଣ କରିଥାଉ ଯାହାଦ୍ଵାରା ଦାତାର ନାମ କାହାର ସାମ୍ନାରେ ପ୍ରକଟ ହେବନାହିଁ।
ଶାସ୍ତ୍ର ଅନୁସାରେ ଗୃହସ୍ଥ ମାନଙ୍କୁ ତିନୋଟି ଆଚରଣ ର ଅନୁଗମନ କରିବା ପାଇଁଁ କୁହାଯାଇଛି -
1) ଯଜ୍ଞ
2) ଦାନ
3) ତପ
ଦାନ କରିବା ଦ୍ୱାରା ଧନର ଶୁଦ୍ଧି କରଣ ହୋଇଥାଏ, ଯାହାଦ୍ଵାରା ଘରମାନଙ୍କରେ ଉତ୍ପନ୍ନ ଦୁଃଖ ମଧ୍ୟ ନାଶ ହୋଇଥାଏ। ନ୍ୟାୟ ପୂର୍ବକ ଧନ ଉପାର୍ଜନ କରିବା ହିଁ ଶ୍ରେଷ୍ଠ ବୋଲି ମାନ୍ୟତା ଦିଆଯାଇଛି।
ଅନେକଚିତ୍ତବିଭ୍ରାନ୍ତା, ମୋହଜାଲସମାବୃତାଃ
ପ୍ରସକ୍ତାଃ(ଖ୍) କାମଭୋଗେଷୁ, ପତନ୍ତି ନରକେଽଶୁଚୌ।।16।।
ବିବେଚନ :-
ଏହିପରି ଅନେକ ଚିନ୍ତା ମାନଙ୍କ ଦ୍ୱାରା ବ୍ୟାକୁଳ ହେଇ ତଥା ମୋହଜାଳରେ ଛନ୍ଦି ହେଇ ସେମାନେ ଇନ୍ଦ୍ରିୟ ଭୋଗରେ ଅତ୍ୟଧିକ ଆସକ୍ତ ହୋଇଯାଆନ୍ତି। ଅତଏବ ପତନକୁ ପ୍ରାପ୍ତ ହେଇ ନରକକୁ ଯାଆନ୍ତି।
ଆତ୍ମସମ୍ଭାବିତାଃ(ସ୍) ସ୍ତବ୍ଧା, ଧନମାନମଦାନ୍ୱିତାଃ
ୟଜନ୍ତେ ନାମ ୟଜ୍ଞୈସ୍ତେ, ଦମ୍ଭେନାବିଧିପୂର୍ବକମ୍।।17।।
ବିବେଚନ :-
ନିଜକୁ ଶ୍ରେଷ୍ଠ ମଣୁଥିବା ଅର୍ଥାତ ସର୍ବଦା ନିଜର ଅଭିମାନକୁ ବଡ଼ ମାନୁଥିବା, ସମ୍ପତ୍ତି ତଥା ମିଥ୍ୟା ପ୍ରତିଷ୍ଠାରେ ମୋହଗ୍ରସ୍ତ ଥିବା ମନୁଷ୍ୟ କୌଣସି ପ୍ରକାର ବିଧି-ବିଧାନର ପାଳନ ନକରି କେବେ କେବେ ନାମକୁ ମାତ୍ର, ଅତ୍ୟନ୍ତ ଗର୍ବ ସହକାରେ ଯଜ୍ଞ କରିଥାନ୍ତି। ଉଦାହରଣ ସ୍ୱରୂପ, କୌଣସି ସଂସ୍ଥାର ଉଦ୍ଘାଟନ ମନ୍ତ୍ରୀଙ୍କର କରକମଳରେ କରିବାର ଅଛି। ହୋମ ପାଇଁ ମୁହୂର୍ତ୍ତ କାଲି ଅଛି। କିନ୍ତୁ, ମନ୍ତ୍ରୀଙ୍କ ପାଖରେ କାଲି ସମୟ ନାହିଁ। ସେଥିପାଇଁ ଆଜି ଆସିବେ। ସେତେବେଳେ ମୁହୂର୍ତ୍ତକୁ ବିଚାରକୁ ନନେଇ, ଶୀଘ୍ରତାର ସହିତ ବିନା କୌଣସି ବୈଦିକ ବିଧାନରେ ଆଜି ହିଁ ସେହି କାର୍ଯ୍ୟ ସମ୍ପନ୍ନ କରିବା ହେଉଛି ଆସୁରିକ ଲକ୍ଷଣ।
ଅହଙ୍କାରଂ(ମ୍) ବଲଂ(ନ୍) ଦର୍ପ(ଙ୍), କାମ(ଙ୍) କ୍ରୋଧଂ(ଞ୍ଚ) ଚ ସଂଶ୍ରିତାଃ
ମାମାତ୍ମପରଦେହେଷୁ, ପ୍ରଦ୍ୱିଷନ୍ତୋଽଭ୍ୟସୂୟକାଃ।।18।।
ବିବେଚନ :-
ମିଥ୍ୟା ଅହଙ୍କାର, ବଳ, ଅଭିମାନ, କାମ ଓ କ୍ରୋଧ ଦ୍ୱାରା ମୋହଗ୍ରସ୍ତ ହୋଇ ଆସୁରିକ ସ୍ୱଭାବର ବ୍ୟକ୍ତି ନିଜ ଦେହରେ ତଥା ଅନ୍ୟ ପ୍ରାଣୀଙ୍କ ଦେହରେ ବିଦ୍ୟମାନ ପରମାତ୍ମାଙ୍କ ପ୍ରତି ଈର୍ଷା କରିଥାନ୍ତି ଏବଂ ବାସ୍ତବିକ ଧର୍ମର ନିନ୍ଦା କରିଥାନ୍ତି। ଯଦିଓ, ପରମାତ୍ମା ନିଜେ ସମସ୍ତ ପ୍ରାଣୀର ଅନ୍ତଃକରଣରେ ନିଜର ଉପସ୍ଥିତି ଜାହିର କରିଛନ୍ତି।
सर्वस्य चाहं हृदि सन्निविष्टो
मत्तः स्मृतिर्ज्ञानमपोहनं च।
वेदैश्च सर्वैरहमेव वेद्यो
वेदान्तकृद्वेदविदेव चाहम्।।15.15।।
ତାନହଂ(ନ୍) ଦ୍ୱିଶତଃ(ଖ୍) କ୍ରୂରାନ୍, ସଂସାରେଷୁ ନରାଧମାନ୍
କ୍ଷିପାମ୍ୟଜସ୍ରମଶୁଭାନ୍, ଆସୁରୀଷ୍ୱେବ ୟୋନିଷୁ।।19।।
ବିବେଚନ :-
ଯେଉଁ ପ୍ରାଣୀ ଈର୍ଷାପରାୟଣ, କ୍ରୁର ଏବଂ ନରାଧମ ଅଟେ, ତାକୁ ମୁଁ ନିରନ୍ତର ଭାବେ ବିଭିନ୍ନ ଆସୁରି ଯୋନିରେ ଜନ୍ମ ଦେଇ, ଭବସାଗରର ମାୟାଜାଲରେ ପକାଇଥାଏ।
ଆସୁରୀ(ୟ୍ଁ) ୟୋନିମାପନ୍ନା, ମୂଢା ଜନ୍ମନି ଜନ୍ମନି।
ମାମପ୍ରାପ୍ୟୈବ କୌନ୍ତେୟ, ତତୋ ୟାନ୍ତ୍ୟଧମାଂ(ଙ୍) ଗତିମ୍॥16.20॥
ବିବେଚନ :-
ହେ କୁନ୍ତି ପୁତ୍ର! ଏଭଳି ବ୍ୟକ୍ତି ଆସୁରିକ ଯୋନିରେ ବାରମ୍ବାର ଜନ୍ମଗ୍ରହଣ କରି କଦାପି ମୋ ନିକଟରେ ପହଞ୍ଚିପାରେ ନାହିଁ ଏବଂ ସେ ଧୀରେ ଧୀରେ ଅତ୍ୟନ୍ତ ଅଧମ ଗତିକୁ ପ୍ରାପ୍ତ ହୋଇଥାଏ।
ତ୍ରିବିଧଂ(ନ୍) ନରକସ୍ୟେଦଂ(ନ୍), ଦ୍ୱାରଂ(ନ୍) ନାଶନମାତ୍ମନଃ
କାମଃ(ଖ୍) କ୍ରୋଧସ୍ତଥା ଲୋଭ(ସ୍), ତସ୍ମାଦେତତ୍ତ୍ରୟଂ(ନ୍) ତ୍ୟଜେତ୍।।21।।
ଏହି ନରକର ତିନୋଟି ଦ୍ୱାର ରହିଛି - କାମ, କ୍ରୋଧ ଓ ଲୋଭ। ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ସେଗୁଡିକୁ ତ୍ୟାଗ କରିବା ଉଚିତ, କାରଣ ଏହି ତିନୋଟି ବସ୍ତୁ ଆତ୍ମାର ପତନର କାରଣ ଅଟନ୍ତି।
ଏତୈର୍ବିମୁକ୍ତଃ(ଖ୍) କୌନ୍ତେୟ, ତମୋଦ୍ୱାରୈସ୍ତ୍ରୀଭିର୍ନରଃ
ଆଚରତ୍ୟାତ୍ମନଃ(ଶ୍) ଶ୍ରେୟଃ(ସ୍), ତତୋ ୟାତି ପରାଂ ଗତିମ୍।।22।।
ବିବେଚନ :-
ହେ କୁନ୍ତୀପୁତ୍ର, ଯେଉଁ ବ୍ୟକ୍ତି ଅଜ୍ଞାନ ରୂପୀ ଏହି ତିନି ଦ୍ୱାରରୁ ମୁକ୍ତ ହୋଇପାରେ, ସେ ଆତ୍ମ-ସାକ୍ଷାତକାର ହେତୁ କଲ୍ୟାଣକାରୀ କାର୍ଯ୍ୟ କରି କରି କ୍ରମଶଃ ପରମଗତିକୁ ପ୍ରାପ୍ତ କରେ।
ୟଃ(ଶ୍) ଶାସ୍ତ୍ରବିଧିମୁତ୍ସୃଜ୍ୟ, ବର୍ତତେ କାମକାରତଃ
ନ ସ ସିଦ୍ଧିମବାପ୍ନୋତି, ନ ସୁଖଂ(ନ୍) ନ ପରାଂ(ଙ୍) ଗତିମ୍।।23।।
ବିବେଚନ :-
ଯିଏ ଶାସ୍ତ୍ରସମ୍ମତ ଆଦେଶଗୁଡ଼ିକର ଅବହେଳା କରି କାମବଶ ହୋଇ ସ୍ଵେଚ୍ଛାଚାରୀ ଢଙ୍ଗରେ କାର୍ଯ୍ୟ କରିଥାଏ, ତାକୁ ନା ସିଦ୍ଧି ମିଳେ, ନା ସୁଖ ମିଳେ। ପରମଗତି ମଧ୍ୟ ତାକୁ ପ୍ରାପ୍ତ ହୁଏ ନାହିଁ।
ତସ୍ମାଚ୍ଛାସ୍ତ୍ରଂ(ମ୍) ପ୍ରମାଣଂ(ନ୍) ତେ, କାର୍ୟାକାର୍ୟବ୍ୟବସ୍ଥିତୌ
ଜ୍ଞାତ୍ୱା ଶାସ୍ତ୍ରବିଧାନୋକ୍ତଂ(ଙ୍) କର୍ମ କର୍ତୁମିହାର୍ହସି।।24।।
ବିବେଚନ :-
ଅତଏବ, ମନୁଷ୍ୟକୁ ଏହା ବିଚାର କରିବା ଦରକାର ଯେ ସେ ଯାହା କରୁଛି ତାହା ଶାସ୍ତ୍ରବିଧାନ ଅନୁସାରେ କି ନାହିଁ। ଯାହା କରୁଛି, ତାହା କର୍ତ୍ତବ୍ୟ କି ଅକର୍ତ୍ତବ୍ୟ - ତାହା ମଧ୍ୟ ବିଚାର କରିବା ଉଚିତ। ତାକୁ ଏହିପରି ବିଧି-ବିଧାନକୁ ଜାଣି କର୍ମରେ ସଂଲଗ୍ନ ହେବା ଉଚିତ, ଯାହା ଦ୍ୱାରା ସେ କ୍ରମଶଃ ଏହି ସଂସାର ରୂପୀ ଭବସାଗରକୁ ସହଜରେ ପାର ହୋଇପାରିବ।
ସପ୍ତଦଶ ଅଧ୍ୟାୟରେ ପ୍ରାଣୀମାନଙ୍କ ପାଇଁ କି କି କର୍ମ ଉଚିତ ଏବଂ ଶାସ୍ତ୍ରସମ୍ମତ ଅଟେ, ତାହା ଜାଣିବାକୁ ଆପଣଙ୍କ ଇଚ୍ଛା ମନରେ ନିଶ୍ଚିତ ରୂପେ ଉତ୍ପନ୍ନ ହେଇଛି, ସେଗୁଡ଼ିକ ଉପରେ ମନ୍ଥନ ଆମେ ଆଗାମୀ ଅଧ୍ୟାୟରେ କରିବା।
ପ୍ରଶ୍ନୋତ୍ତର ଅଧିବେଶନ -
ପ୍ରଶ୍ନକର୍ତ୍ତା - ଦିଲିପ ଭାଇ
ପ୍ରଶ୍ନ - ଆମକୁ ଧ୍ୟାନ ଏବଂ ଗୀତା ପଠନ ମଧ୍ୟରେ କେଉଁଟାକୁ ବାଛିବା ଉଚିତ?
ଉତ୍ତର - ଏ ସମ୍ବନ୍ଧରେ ଆମକୁ ନିଜ ଗୁରୁଙ୍କ ଉପଦେଶ ନେବା ଉଚିତ ହେବ - ଆମ ପାଇଁ କଣ ଶ୍ରେଷସ୍କର। ନଚେତ, ଆମକୁ ଆମ ସ୍ବଭାବ ଅନୁସାରେ ଜ୍ଞାନ, ଧ୍ୟାନ, ଭକ୍ତି ଏବଂ କର୍ମ ମଧ୍ୟରେ ଆମେ କାହାକୁ ବାଛିବା, ତାହାର ନିର୍ଣ୍ଣୟ କରିବା। ସମସ୍ତ ପ୍ରକାର ମାର୍ଗ ପରମାତ୍ମାଙ୍କ ନିକଟରେ ପହଞ୍ଚାଇବ। ଯେଉଁଥିରେ, ସାମଗ୍ରିକ କଲ୍ୟାଣର ବିଚାର ରହିଛି, ସେହି କାର୍ଯ୍ୟପନ୍ଥାକୁ ଆମେ ବାଛିବା ଉଚିତ।
ପ୍ରଶ୍ନକର୍ତ୍ତା - ନିରଞ୍ଜନ ଭାଇ
ପ୍ରଶ୍ନ - ଆସୁରିକ ଶକ୍ତି ବଳବତ୍ତର ହେଉଛି। ଏପରି ପରିସ୍ଥିତିରେ ଆମକୁ କିଭଳି ଆଚରଣ କରିବା ଉଚିତ?
ଉତ୍ତର - ଆମକୁ ଭଗବାନଙ୍କ ଉପରେ ଭରସା କରିବା ଉଚିତ। ଭଗବାନ ନିଜେ କହିଛନ୍ତି, ଯେତେବେଳେ ଅଧର୍ମ ବଢ଼ିବ, ତାର ବିନାଶ ପାଇଁ ମୁଁ ଆସିବି। ସଂସାରରେ ତମୋଗୁଣ, ସମସ୍ତ ଯୁଗରେ ବିଦ୍ୟମାନ ରହିଛି। ଏହି ସଂସାର ତ୍ରିଗୁଣାତ୍ମକ ଅଟେ। ଏଥିରେ ସତ୍ତ୍ବ, ରଜ ଏବଂ ତମଗୁଣ - ତିନୋଟି ଯାକ ଗୁଣ ବିଦ୍ୟାମାନ। ସମୟ ସମୟରେ ସେଗୁଡିକର ଅନୁପାତ ବଦଳିଥାଏ।
ପ୍ରଶ୍ନକର୍ତ୍ତା - ଦତ୍ତାତ୍ରେୟ ଭାଇ
ପ୍ରଶ୍ନ - ସାମାନ୍ୟ ମନୁଷ୍ୟ ଦୈବ ଏବଂ ଆସୁରିକ ସ୍ୱଭାବକୁ କିଭଳି ରୂପେ ସମନ୍ବିତ କରିପାରିବ?
ଉତ୍ତର - ସରକାରୀ କାର୍ଯ୍ୟାଳୟର ଉଦାହରଣ ନିଅନ୍ତୁ। ସରକାରୀ କାର୍ଯ୍ୟାଳୟରେ କୌଣସି ପ୍ରକାର କାର୍ଯ୍ୟ ସମ୍ପାଦିତ କରାଇବାକୁ ହେଲେ, ଆମକୁ ଶାନ୍ତି ଓ ଧୈର୍ଯ୍ୟର ସହିତ ପ୍ରଯତ୍ନ କରିବାକୁ ହେବ। ତାହା ହେଲେ ଆମକୁ ସଫଳତା ମିଳିବ। ଯଦି ଆମେ ଆସୁରିକ ଗୁଣର ଉପଯୋଗ କରିବା, ତେବେ କାର୍ଯ୍ୟ ତ ହେବ ନାହିଁ ଏବଂ ମନର ଶାନ୍ତି ବି ଭଙ୍ଗ ହେବ। ଏହାର ପ୍ରଭାବ ଜୀନବର ଅନ୍ୟ କ୍ଷେତ୍ରରେ ମଧ୍ୟ ପଡ଼ିବ।
ପ୍ରଶ୍ନକର୍ତ୍ତା - ରାଜେନ୍ଦ୍ର ପ୍ରସାଦ ଭାଇ
ପ୍ରଶ୍ନ - ମନ କଣ?
ଉତ୍ତର - ସଂକଳ୍ପ ବିକଳ୍ପ ଆତ୍ମକଂ ମନଃ
ଏହିଭଳି ଲକ୍ଷଣ ତାଙ୍କଠାରେ ଦେଖାଯାଏ। ଯେବେ ବି ଆମ ବିଚାରଗୁଡ଼କ ମଧ୍ୟରେ ସଂକଳ୍ପ ଏବଂ ବିକଳ୍ପ ଆସିଥାଏ - ଏହା କରିବି, ତାହା କରିବିନି। ଏହିଭଳି ଦ୍ବନ୍ଦ୍ବ ସ୍ଥିତି - ମନ ଅଟେ। ବିଚାରଗୁଡିକର ପ୍ରବାହ ମନ ଅଟେ। ମନ ଅନ୍ୟ କୌଣସି ବସ୍ତୁ ନୁହେଁ।
ପ୍ରଶ୍ନକର୍ତ୍ତା - ପ୍ରଦୀପ କୁମାର ଅଗ୍ରୱାଲ ଭାଇ
ପ୍ରଶ୍ନ - ଆଜିର ଯୁଗରେ ଭଗବତ ଗୀତାର କଣ ପ୍ରାସଂଗିକତା ଅଛି? ହିନ୍ଦୁମାନେ ନିଜର ଅସ୍ତିତ୍ବକୁ କିଭଳି ବଞ୍ଚାଇପାରିବେ?
ଉତ୍ତର - ଭଗବଦ ଗୀତାର ମୂଳରେ ହିଁ ରହିଛି ସଂଘର୍ଷ କରିବା। ତେବେ ଭଗବତ ଗୀତା ଠାରୁ ଅଧିକ ପ୍ରାସଂଗିକତା ଅନ୍ୟ କୌଣସି ଗ୍ରନ୍ଥ ଏହି ଯୁଗରେ ନାହିଁ। ଭଗବାନ ଅର୍ଜୁନକୁ ନିଜର ଅଧିକାରର ରକ୍ଷା କରିବା ପାଇଁ ଅସ୍ତ୍ର ଉଠାଇବା ପାଇଁ କହିଛନ୍ତି। ସମସ୍ତ ହନ୍ଦୁଙ୍କୁ ଏକତ୍ରିତ ହେବା ବେଳ ଆସିଛି। ଯାହାର ଆରମ୍ଭ, ଆମକୁ ନିଜେ କରିବାକୁ ପଡ଼ିବ।
ଏହି ପ୍ରକାରେ ଓଁ ତତ୍ ସତ୍ - ଏହି ଭଗବାନ ନାମର ଉଚ୍ଚାରଣ ସହିତ ବ୍ରହ୍ମବିଦ୍ୟା ଏବଂ ଯୋଗଶାସ୍ତ୍ରମୟ ଶ୍ରୀମଦ୍ ଭଗବତ ଗୀତା ଉପନିଷଦ ରୂପ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦରେ ଦେବାସୁରସମ୍ପଦବିଭାଗ ଯୋଗ ନାମକ ଷୋଡ଼ଷ ଅଧ୍ୟାୟ ସମ୍ପୂର୍ଣ୍ଣ ହେଲା।
= ଓଁ ଶ୍ରୀ କୃଷ୍ଣାର୍ପଣ ମସ୍ତୁ =
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ଦୈବାସୁରସମ୍ପଦ୍ବିଭାଗୟୋଗୋ ନାମ ଷୋଡଶୋଽଧ୍ୟାୟଃ॥