विवेचन सारांश
ବିବେଚନ ସାରାଂଶ - ଚାରି ବର୍ଣ୍ଣ ର ସ୍ଵାଭାବିକ କର୍ମ
ପାରମ୍ପାରିକ ଦୀପପ୍ରଜ୍ବଳନ, ପ୍ରାର୍ଥନା, ଗୁରୁବନ୍ଦନା, ଆରତୀ, ହନୁମାନ ଚାଳିଶା ପାଠ,ଯୋଗେଶ୍ୱର ସଚ୍ଚିଦାନନ୍ଦ ଶ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କର ବନ୍ଦନା ଓ ଶ୍ରୀଗୁରୁ ଚରଣ ବନ୍ଦନା ପରେ ଆଜିର ଅଷ୍ଟାଦଶ ଅଧ୍ୟାୟର ମଧ୍ୟଭାଗର ବିବେଚନ ସତ୍ର ଆରମ୍ଭ ହେଲା |
ଶ୍ରୀ ଭଗବାନଙ୍କର ଅତ୍ୟଧିକ ଶୁଭଙ୍କରୀ କୃପାରୁ ଆମେ ପରମ ସୌଭାଗ୍ୟ ପ୍ରାପ୍ତ ହୋଇଛୁ |
ଆମ ଜୀବନକୁ ସଫଳ କରିବାପାଇଁ ଉନ୍ନତ୍ତିର ପଥ ସ୍ୱତଃ ଏପରି ପ୍ରସାରିତ ହୋଇଛି ଯେ ଆମେ ଶ୍ରୀମଦ୍ଭଗବତଗୀତା ସ୍ୱାଧ୍ୟାୟ କରିବାକୁ , ପଠନ କରିବାକୁ ,ତାକୁ ବୁଝିବାକୁ, ଶିଖିବାକୁ ଓ ଜୀବନରେ ଆପଣେଇବାପାଇଁ ଉଦ୍ୟତ ହୋଇଛେ | ଆମର ପୂର୍ଵଜନ୍ମର ପୁଣ୍ୟକର୍ମ ଯୋଗୁଁ, ଆମର ପୂର୍ବଜଙ୍କ ସୁକୃତରୁ ବା କୌଣସି ଜନ୍ମରେ ଆମଉପରେ କୌଣସି ସାଧୁମହାତ୍ମାଙ୍କର କୃପାଦୃଷ୍ଟି ପଡିଥିବାରୁ ଆମକୁ ଶ୍ରୀମଦଭଗବତଗୀତାସଙ୍ଗ ପ୍ରାପ୍ତ ହୋଇଛି ଓ ଆମେ ତାହା ପଢିବାପାଇଁ ବଛା ହୋଇଛେ, ତାହା ଆମକୁ ଅଜ୍ଞାତ | ମାନବ ସମାଜ ପାଇଁ ଏହି ଲୋକ ତଥା ପରଲୋକକୁ ଜୟ କରିବା ନିମନ୍ତେ ଶ୍ରୀମଦଭଗବତ ଗୀତା ସଦୃଶ କଲ୍ୟାଣକାରୀ ଦ୍ଵିତୀୟ ଗ୍ରନ୍ଥ ନାହିଁ ବୋଲି ତେପନଶହ ବର୍ଷ ହେଲାଣି ମହାପୁରୁଷମାନେ ବାରମ୍ବାର ଘୋଷଣା କରି ଆସୁଛନ୍ତି | ସୌଭାଗ୍ୟ ବଶତଃ ଆମେ ଚାରିଧାମ ଯାତ୍ରା କରିବାର ସୁଯୋଗ ପ୍ରାପ୍ତ ହୋଇଛେ | ଯାତ୍ରା କରୁ କରୁ ଆମେ ଚତୁର୍ଥ ଧାମରେ ଆସି ପହଂଚି ଗଲେଣି |
ଏହି ଗୁଢ଼ ତଥା ଅଠସ୍ତୋରୀ ଶ୍ଳୋକବିଶିଷ୍ଟ ବଡ ଅଧ୍ୟାୟଟିକୁ ଭଗବାନ ଜ୍ଞାନର ଗନ୍ତାଘର କରିଛନ୍ତି | ଜ୍ଞାନେଶ୍ୱର ମହାରାଜ ଏହାକୁ ଗୀତାସାର ବା ଏକାଧ୍ୟାୟୀ ଗୀତା କହିଛନ୍ତି |
ଏହାର ସମସ୍ତ ଶ୍ଳୋକ ଦୁର୍ବୋଧ ଓ ପ୍ରଭାବଶାଳୀ | ଦୁର୍ବୋଧ କଥା ବୁଝିବାକୁ ଚେଷ୍ଟା କରିବା ଉଚିତ, ବୁଝିଗଲେ ଆନନ୍ଦ ମିଳେ |
ଭଗବାନ ସାତ୍ତ୍ଵିକ, ତାମସିକ, ରାଜସିକ ବୁଦ୍ଧି ଓ ଧୃତି ବିଷୟରେ କହିଛନ୍ତି | ପୂର୍ବ ସତ୍ରରେ ବୁଦ୍ଧି ଓ ପାଞ୍ଚ ପ୍ରକାର ଧୃତି -ଧୈର୍ଯ୍ୟତା, ଧାରଣା, ଦୃଢ଼ତା, ବୈଚାରିକ ପରିପକ୍ଵତା ଓ ଅବିକମ୍ପନ ବିଷୟରେ ଆମେ ଚର୍ଚ୍ଚା କରିଥିଲେ |
ଦୁର୍ଗା ସପ୍ତଶତି ରେ ମା ଙ୍କର ସ୍ତୁତି ଚବିଶ ଗୁଣରେ କରାଯାଇଛି |
या देवी सर्वभूतेषु भक्ति-रूपेण संस्थिता।
नमस्तस्यै नमस्तस्यै नमस्तस्यै नमो नमः॥
या देवी सर्वभूतेषु ज्ञान-रूपेण संस्थिता।
नमस्तस्यै नमस्तस्यै नमस्तस्यै नमो नमः॥
या देवी सर्वभूतेषु भाव-रूपेण संस्थिता।
नमस्तस्यै नमस्तस्यै नमस्तस्यै नमो नमः॥
या देवी सर्वभूतेषु धृति-रूपेण संस्थिता।
नमस्तस्यै नमस्तस्यै नमस्तस्यै नमो नमः॥
ଦେବୀ ସନ୍ତୁଷ୍ଟ ହୋଇ ଆମର ଭକ୍ତିଭାବ ଜାଗ୍ରତ କରାନ୍ତୁ ବୋଲି ତାଙ୍କୁ ପୁନଃ ପୁନଃ ପ୍ରାର୍ଥନା କରାଯାଇଛି | ଦେବୀଙ୍କର ସ୍ତୁତି ଧୃତି ରୂପରେ ଆକାଂକ୍ଷା ଦ୍ୱାରା କରାଯାଇଛି । ସାଧନ ଦୃଷ୍ଟିରୁ ଧୃତି କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି | ଶ୍ରୀ ଭଗବାନ ତିନି ପ୍ରକାର ଧୃତି କଥା ବର୍ଣ୍ଣନା କରିଛନ୍ତି
18.36
ସୁଖଂ(ନ୍) ତ୍ୱିଦାନୀଂ(ନ୍) ତ୍ରିବିଧଂ(ମ୍), ଶୃଣୁ ମେ ଭରତର୍ଷଭ
ଅଭ୍ୟାସାଦ୍ରମତେ ୟତ୍ର, ଦୁଃଖାନ୍ତଂ(ଞ) ଚ ନିଗଚ୍ଛତି॥36॥
ୟତ୍ତଦଗ୍ରେ ବିଷମିବ, ପରିଣାମେଽମୃତୋପମମ୍
ତତ୍ସୁଖଂ(ମ୍) ସାତ୍ତ୍ୱିକଂ(ମ୍) ପ୍ରୋକ୍ତମ୍, ଆତ୍ମବୁଦ୍ଧିପ୍ରସାଦଜମ୍॥37॥
ବିବେଚନ-:
ସାତ୍ତ୍ୱିକ ସୁଖ ଵିଷୟରେ କହିବାକୁ ଯାଇ ଶ୍ରୀ ଭଗଵାନ ଅର୍ଜୁନଙ୍କୁ ତିନି ପ୍ରକାର ସୁଖ ବିଷୟରେ କହୁଛନ୍ତି ।
ଶ୍ରୀଭଗବାନ ତିନିଟି ସାତ୍ତ୍ୱିକ ସୁଖ କହିଛନ୍ତି , କିନ୍ତୁ ସନ୍ଥମାନେ ସାତଗୋଟି ସୁଖ ମାନନ୍ତି ।
पहला सुख निरोगी काया
दूजा सुख घर में हो माया
तीजा सुख कुलवन्ती नारी
चौथा सुख पुत्र हो आज्ञाकारी
पञ्चम सुख स्वदेश में वासा
छठवाँ सुख राज हो पासा
सातवाँ सुख सन्तोषी जीवन
ऐसा हो तो धन्य हो जीवन।
ସାଧାରଣତଃ ମନୁଷ୍ୟ ପ୍ରଥମ ଛଅଗୋଟି ସୁଖରେ ଫସି ରହିଛି । ସନ୍ତୋଷ ଜୀବନ ଉପରେ ବିଚାର କରାଯାଇପାରେ।
ସ୍ଵସ୍ଥ ଶରୀର ସବୁଠାରୁ ବଡ଼ ସୁଖ । ଅସୁସ୍ଥ ଶରୀର ହେଲେ ସବୁ କିଛି ଖରାପ ହୋଇଯାଏ । ଡାୟାବେଟିସ ହେଲେ ଧନ କ'ଣ ହେବ ? ମୋ ପାଖରେ ରାଜ୍ୟ ଅଛି ତ ସମସ୍ତେ ମୋ କଥା ମାନିବେ ।
ସନ୍ଥ ମହାତ୍ମା କହିଛନ୍ତି କି ସପ୍ତମ ସୁଖ ସନ୍ତୋଷ ଆସିଗଲେ ବୃତ୍ତି ସାତ୍ତ୍ୱିକ ହୋଇଯାଏ ।
गो-धन, गज-धन, वाजि-धन और रतन-धन खान,
जब आ जावे संतोष-धन, सब धन धूरि समान।
ସବୁ ଧନ ସନ୍ତୋଷ ଧନ ଆଗରେ ଛୋଟ।
ଯକ୍ଷ ଯୁଧିଷ୍ଠିର ମହାରାଜଙ୍କୁ ଶହେଟି ପ୍ରଶ୍ନ ପଚାରିଥିଲେ ।ସେଥିରୁ ଗୋଟିଏ ପ୍ରଶ୍ନ ଥିଲା - ଦରିଦ୍ର କିଏ ?
ଆମେ ସେଠାରେ ଥିଲେ ଉତ୍ତର ଦେଇଥାନ୍ତେ ଯାହା ପାଖରେ ଟଙ୍କାପଇସା ନାହିଁ, ବସ୍ତ୍ର ନାହିଁ ,ବ୍ୟବସାୟ ନାହିଁ ସେ ଦରିଦ୍ର । ଯାହା ପାଖରେ ଧନ ଅଛି ସେ ଆହୁରି ଅଧିକ ଧନ ପାଇବାକୁ ଆଶାକରେ ଓ ନପାଇଲେ ଅସନ୍ତୁଷ୍ଟ ରହେ ।
ଯୁଧିଷ୍ଠିର ମହାରାଜ ଉତ୍ତର ଦେଲେ असन्तुष्टः सः दरिद्र ଯିଏ ଅସନ୍ତୁଷ୍ଟ ସେ ହିଁ ଦରିଦ୍ର ।
ଟଙ୍କା ପଇସା ଥିଲେ ଦାରିଦ୍ର୍ୟ ଯାଏ ନାହିଁ । ମୋର ବେଶି ଦରକାର, ଏହିପରି ଲୋଭଯୁକ୍ତ ସ୍ଵଭାବ ଗଲେ ଦାରିଦ୍ର୍ୟ ଚାଲିଯାଏ।
पैसा होने से दारिद्र्य नहीं जाता, याचना का स्वभाव जाने से दारिद्र्य जाता है।
ଦ୍ଵାଦଶ ଅଧ୍ୟାୟ ରେ ଭଗବାନ କହିଛନ୍ତି -
सन्तुष्टो येन केनचित् ॥12.19॥
ଯିଏ ସର୍ବଦା ସନ୍ତୁଷ୍ଟ ରୁହେ ସେଭଳି ଭକ୍ତ ଭଗବାନଙ୍କର ପ୍ରିୟ ଅଟନ୍ତି । ସେହି ଭକ୍ତ ସଦା ସର୍ବଦା ଭଗବାନଙ୍କୁ ଧନ୍ୟବାଦ ଦିଏ କି ପ୍ରଭୁ ଆପଣ ମତେ ଯାହା କିଛି ଦେଇଛନ୍ତି ମୁଁ ସେଥିରେ ଖୁସି । ମତେ ଆପଣଙ୍କ ଦେଇଥିବା କୌଣସି ବସ୍ତୁ,କିମ୍ବା ପରିସ୍ଥିତି କୁ ବଦଳାଇବାର ନାହିଁ । ଯିଏ ଭାବେ ଏହା ଏମିତି ହୋଇଗଲେ ମୁଁ ଖୁସି ହୁଅନ୍ତି ବା ସୁଖରେ ରୁହନ୍ତି, ସେ ସୁଖର କାମନା କରେ, କିନ୍ତୁ ସୁଖୀ ହୋଇ ପାରେ ନାହିଁ। ଯିଏ ଅସନ୍ତୁଷ୍ଟ ସେ ଦରିଦ୍ର ଅଟେ । ଧନ ମିଳିଲେ ଦାରିଦ୍ର୍ୟତା ଯାଏ ନାହିଁ। ମାଗିବାର ସ୍ୱଭାବ ଛାଡ଼ିଲେ ଦାରିଦ୍ର୍ୟ ଦୂର ହୋଇଯାଏ ।
ଶ୍ରୀ ଭଗବାନ ଏକ ମହତ୍ତ୍ୱପୂର୍ଣ୍ଣ ସୂତ୍ର ଦେଇଛନ୍ତି -
यत्तदग्रे विषमिव परिणामेऽमृतोपमम् |
तत्सुखं सात्त्विकं प्रोक्तमात्मबुद्धिप्रसादजम् || 18.37||
ସାତ୍ତ୍ୱିକ ସୁଖ ଆରମ୍ଭରୁ ବିଷ ଭଳି ଲାଗେ ମାତ୍ର ଶେଷରେ ତାହା ଅମୃତ ସମାନ ଲାଗିଥାଏ ।
କେହି ଜଣେ କହିଛନ୍ତି କି ଏହି ନବରାତ୍ରରେ ମୁଁ ରାମଚରିତ ମାନସରେ ନବାନ୍ନ ପାରାୟଣ କରିବି । ପାଠ କରିବା ପାଇଁ ପ୍ରଥମେ ବହୁତ କଷ୍ଟ ଲାଗେ । ଗୋଟିଏ ଆସନରେ ବସି ଦିନକୁ ଛଅ ଘଣ୍ଟା ନିରନ୍ତର ପାଠ କରିବାକୁ ପଡ଼ିଥାଏ । ପ୍ରଥମେ କଷ୍ଟ ଲାଗେ ମାତ୍ର ଧୀରେ ଧୀରେ ଅଭ୍ୟାସ ହୋଇଗଲେ ସହଜ ଲାଗିଥାଏ। ଦେଖିବାବାଲାକୁ କଷ୍ଟ ଲାଗେ ମାତ୍ର ଯିଏ ପାରାୟଣ କରେ ତାକୁ ଆନନ୍ଦ ମିଳେ।
କୌଣସି ତପସ୍ୟାର ପୂର୍ଣ୍ଣତା ଆନନ୍ଦର ଉପଲବ୍ଧି ଆଣିଦିଏ। ନିରନ୍ତର ଅଭ୍ୟାସ ଦ୍ଵାରା ସିଦ୍ଧି ଲାଭ ହୋଇଥାଏ ।
ବିଷୟେନ୍ଦ୍ରିୟସଂୟୋଗାଦ୍, ୟତ୍ତଦଗ୍ରେଽମୃତୋପମମ୍
ପରିଣାମେ ବିଷମିବ, ତତ୍ସୁଖଂ(ମ୍) ରାଜସଂ(ମ୍) ସ୍ମୃତମ୍॥38॥
ବିବେଚନ -:
ଶ୍ରୀ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି କି ଯେଉଁ ସୁଖ ବିଷୟ ଓ ଇନ୍ଦ୍ରିୟ ଦ୍ଵାରା ମିଳିଥାଏ ତାହା ପ୍ରଥମେ ଅମୃତ ଭଳି ମନେହୁଏ କିନ୍ତୁ ଶେଷରେ ବିଷ ଭଳି ହୋଇଥାଏ। ଏହାକୁ ରାଜସିକ ସୁଖ କୁହାଯାଏ।
କେହି ଜଣେ ଭାବି ଥାଏ ଯେ ଜୀବନରେ ଥରେ ଆଇ-ଫୋନ୍ କିଣିବାର ଅଛି ଓ ଯେଉଁ ଦିନ ସେ ଆଇଫୋନ କିଣେ ତାକୁ ସେତେ ଖୁସି ଲାଗେ ନାହିଁ ।
ଗୋଟିଏ ସୁନ୍ଦର କବିତା ଅଛି - क्यों होता है ऐसा-
क्यों कल्पना खुशी की, खुशी से ज्यादा खुशी देती है।
क्यों सामने की खुशी मुट्ठी से रेत की तरह निकल जाती है।।
ଆମେ ସବୁ ଯେଉଁ ଆନନ୍ଦର ପରିକଳ୍ପନା କରିଥାନ୍ତି ତାହା ମିଳିଲା ପରେ ଆମକୁ ସେତେ ବେଶି ଖୁସି ଦେଇ ନଥାଏ।
ଯେପରି କାହାର ଘର ନାହିଁ ତାକୁ ଘର ଦରକାର ।ଯାହା ପାଖରେ ଘର ଅଛି ତାକୁ ଆହୁରି ବଡ଼ ଘର ଦରକାର । ଯାହା ପାଖରେ ବଡଘର ଅଛି ତାକୁ ଆହୁରି ବଡ଼ ଓ ସୁଖ ସ୍ଵାଚ୍ଛନ୍ଦ୍ୟ ଥିବା ମହଲ ଦରକାର ।
ଗୋଟିଏ ସୁନ୍ଦର ଭଜନ -
ଏହି ଜଗତରେ ସବୁ ସୁଖ ପାଣି ଫୋଟକା ଭଳି । ଯାହା ଚିରସ୍ଥାୟୀ ନୁହେଁ। ସୁଖ ମିଳେ ମାତ୍ର କ୍ଷଣିକ ପାଇଁ ।
ଗୋଟିଏ ଉଦାହରଣରୁ ଏହାକୁ ଜାଣିବା -
ଧାର କରଜ କରି ଆଇ-ଫୋନ କିଣାଗଲା । କିଛିଦିନ ପାଇଁ ଏହା ବହୁତ ଖୁସି ଦେଲା । ତା'ପରେ ଏହାର ନୂଆ ସଂସ୍କରଣ ଆସିଲା, ନୂଆ ନୂଆ ସଫ୍ଟୱେର ଆସିଗଲା । ତା ତୁଳନାରେ ନିଜ ଫୋନ୍ ପୁରୁଣା ଲାଗିଲା । ମନରେ ଦୁଃଖ ଆସିବ ଏବେ କରଜ ଶୁଝିନାହିଁ କିନ୍ତୁ ଫୋନ୍ ପୁରୁଣା ହୋଇଗଲାଣି।
ଏହିପରି ଭୌତିକ ସୁବିଧାଗୁଡିକ ଆରମ୍ଭରୁ ସୁଖ ଦିଏ ମାତ୍ର ସାଂସାରିକ ସୁଖ ପଛରେ କଷ୍ଟ ଦିଏ ।
ସନ୍ଥ ତୁଳସୀ ଦାସ ବିନୟ ପତ୍ରିକା ରେ ଲେଖିଛନ୍ତି -
क्या माँगू कुछ थिर ना रहे।
ପ୍ରାଥମିକ ସୁଖ ଅମୃତ ସମାନ ଯେଉଁ ଥିରେ ମନ ଫସିଯାଏ ।
ଡାକ୍ତର ମନା କରିଛନ୍ତି ଗୁପଚୁପ ନଖାଇବାକୁ ହେଲେ ଗୁପଚୁପ ଦେଖି ମନ ମାନୁନାହିଁ ।
ପରୀକ୍ଷା ସମୟରେ ପିଲାକୁ ଟିଭି ଦେଖିବାକୁ ଓ ମୋବାଇଲରେ ଖେଳିବାକୁ ମନାକଲେ ତାକୁ ଭଲ ଲାଗେନାହିଁ।
ଆଜିର ଜୀବନ EMI ଓ Fast food ର ଜୀବନ । ଆୟଠାରୁ ବ୍ୟୟ ଅଧିକ । ଏହାହିଁ ରାଜସିକ ଜୀବନ ଯାହାର ପରିଣାମ ଦୁଃଖମୟ ।
ଜଣେ ସଜ୍ଜନ ବ୍ୟକ୍ତି ଙ୍କର କିଛି ଜିନିଷ କିଣିବାର ଥିଲା ଯାହା ବହୁତ ଦାମିକିଆ ଥିଲା । ତାଙ୍କର ସାଙ୍ଗ କହିଲେ ନେଇଯାଅ ମୁଁ ବାକି ପଇସା ଦେଇଦେବି । ସେ ତାଙ୍କ ସାଙ୍ଗକୁ ମନାକଲେ, କହିଲେ କି ନିଜର ଆଦତ୍ ବିଗାଡିବାକୁ ଚାହୁଁ ନାହାଁନ୍ତି।
“ଆମଦାନୀ ଆଠନୀ , ଖର୍ଚ୍ଚା ରୂପୟା “ ର ଚକ୍କର ରେ ଯିଏ ପଡେ ସେ ଦୁଃଖ ପାଏ ।
ସୁଖୀ ଜୀବନ ଯିଇଁବାକୁ ହେଲେ ଯାହା ଅନାବଶ୍ୟକ ଜିନିଷ କିଣିବା ଠିକ୍ ନୁହେଁ । ପାଖରେ ପଇସା ଥିଲେ ମଧ୍ୟ କିଣିବା ଉଚିତ୍ ନୁହେଁ।
ୟଦଗ୍ରେ ଚାନୁବନ୍ଧେ ଚ, ସୁଖଂ(ମ୍) ମୋହନମାତ୍ମନଃ
ନିଦ୍ରାଲସ୍ୟପ୍ରମାଦୋତ୍ଥଂ(ନ୍), ତତ୍ତାମସମୁଦାହୃତମ୍॥39॥
ବିବେଚନ -:
ଶ୍ରୀଭଗବାନ ଅର୍ଜୁନଙ୍କୁ କହୁଛନ୍ତି କି ଯେଉଁ ସୁଖ ନିଦ୍ରା, ଆଳସ୍ୟ, ଓ ମାୟା ରୁ ଜାତ ହୋଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନକୁ ମାୟା ମୋହିତ କରି ରଖେ ତାହାକୁ ତାମସିକ ସୁଖ କୁହାଯାଏ । ତମୋଗୁଣ ନା ପ୍ରଥମରେ ସୁଖ ଦିଏ ନା ଶେଷରେ ସୁଖ ଦେଇଥାଏ।
ସତ୍ତ୍ଵଗୁଣୀ ସୁଖ ଆରମ୍ଭରୁ ଦୁଃଖ ଦେଇଥାଏ ମାତ୍ର ଶେଷରେ ସୁଖ ଦେଇଥାଏ।
ରଜୋଗୁଣୀ ଆରମ୍ଭରୁ ସୁଖ ଦିଏ କିନ୍ତୁ ଶେଷରେ ଦୁଃଖ ଦେଇଥାଏ। ତମୋଗୁଣୀ ଆରମ୍ଭ ଓ ଶେଷ ଉଭୟ ରେ ଦୁଃଖ ହିଁ ଦେଇଥାଏ ।
କିଛି ଲୋକଙ୍କର ଝଗଡ଼ା କରିବା ପ୍ରକୃତି ଥାଏ । ଝଗଡ଼ା କଲାପରେ ସେମାନେ ସୁଖ ପାଇଥାନ୍ତି। କିଛି କାରଣ ନଥାଇ ରାସ୍ତା ଉପରେ ଝଗଡା କରନ୍ତି, ଯଦି ଗାଡି ତାଙ୍କ ଉପରେ ଚଢ଼ି ଯାଇଥାନ୍ତା ତେବେ କ'ଣ ହେଇଥାନ୍ତା ?
ତମୋଗୁଣୀ ନିଜର ଅହଙ୍କାର ଓ ମୁର୍ଖତା କାରଣରୁ ସବୁଠାରେ ଦୁଃଖ ପାଇଥାନ୍ତି। ସେମାନେ ସବୁ ସ୍ଥାନରେ ଅନ୍ୟର ଦୋଷ ଖୋଜନ୍ତି ଓ ଅଭିଯୋଗ ଆଣନ୍ତି , ସେଥିପାଇଁ ଲୋକଙ୍କର ଅପ୍ରିୟ ହୋଇଥାନ୍ତି ।
ଥରେ ଗୋଟିଏ ଗାଁ କୁ ଜଣେ ମହାତ୍ମା ଆସିଲେ । ଗାଁ ର ଜଣେ ସ୍ତ୍ରୀ ଲୋକ ସାତଦିନ ଯାଏ ତାଙ୍କୁ ଦୁଇପହରର ଭୋଜନ ଓ ଭିକ୍ଷା ଦିଏ । ସପ୍ତମଦିନ ମହାତ୍ମା କହିଲେ କି ଝିଅ ମୁଁ ତୁମ ସେବାରେ ଅତ୍ୟନ୍ତ ପ୍ରସନ୍ନ ଅଟେ । ତୁମେ ବହୁତ ଦୁଃଖୀ ଜଣାପଡୁଛ । ସ୍ତ୍ରୀ ଲୋକଟି କାନ୍ଦି କାନ୍ଦି କହିଲା କି ମୁଁ ଯେତେ ଭଲ ଭଲ ରୋଷେଇ କରୁଛି ମୋ ସ୍ଵାମୀଙ୍କୁ ତାହା ପସନ୍ଦ ହେଉନାହିଁ ସେ ସବୁବେଳେ ମୋ ରୋଷେଇର ଦୋଷ ବାହାର କରି ମୋ ସହିତ ଝଗଡ଼ା କରୁଛନ୍ତି ଓ ମତେ ମାରୁଛନ୍ତି । ମହାତ୍ମା କହିଲେ କାଲି ତୋର ରୋଷେଇ ମା ଅନ୍ନପୂର୍ଣ୍ଣାଙ୍କ ରୋଷେଇ ହୋଇଯିବ । ତୁମ ସ୍ଵାମୀ ଖୁସି ହୋଇଯିବେ । ସ୍ତ୍ରୀ ଲୋକଟି ପରଦିନ ଛପନ ପ୍ରକାର ଭୋଜନ ରାନ୍ଧିଲା । ମହାରାଜ ତାକୁ ପୁଣି ଉଦାସ ଥିବା ଦେଖି କାରଣ ପଚାରିଲେ। ସେ କହିଲା କି ମୋ ସ୍ଵାମୀ ଆଜି ପୁଣି ମତେ ବାଡେଇଛି । କହିଲା ଏତେ ପ୍ରକାର ରୋଷେଇ କରି କାହିଁକି ପଇସା ବରବାଦ କଲୁ ? ଏଥିରୁ ଜଣାଗଲା କି ଏପରି ବ୍ୟକ୍ତି କେବେ ପ୍ରସନ୍ନ ହୋଇପାରିବ ନାହିଁ।
ନ ତଦସ୍ତି ପୃଥିବ୍ୟାଂ(ମ୍) ବା, ଦିବି ଦେବେଷୁ ବା ପୁନଃ
ସତ୍ତ୍ୱଂ(ମ୍) ପ୍ରକୃତିଜୈର୍ମୁକ୍ତଂ(ମ୍) ୟଦେଭିଃ(ସ୍) ସ୍ୟାତ୍ତ୍ରିଭିର୍ଗୁଣୈଃ॥40॥
ବିବେଚନ -:
ଶ୍ରୀ ଭଗବାନ କହିଛନ୍ତି କି, ଏହି ପୃଥିବୀ ଲୋକ ହେଉ ଅଥବା ସ୍ଵର୍ଗ ,ଦେବତା ହୁଅନ୍ତୁ କି ମାନବ କେହି ମଧ୍ୟ ଏହି ଭୂତପ୍ରକୃତିର ତିନିଗୁଣ (ସତ୍ତ୍ଵ, ରଜ , ତମ, )ରୁ ମୁକ୍ତ ନୁହନ୍ତି । ସମସ୍ତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଅନୁପାତରେ ଏହି ତ୍ରିଗୁଣ ର ସମ୍ମିଶ୍ରଣ ହୋଇଛି ।
ବ୍ରାହ୍ମଣକ୍ଷତ୍ରୀୟବିଶାଂ(ମ୍), ଶୂଦ୍ରାଣାଂ(ଞ) ଚ ପରନ୍ତପ
କର୍ମାଣି ପ୍ରବିଭକ୍ତାନି, ସ୍ୱଭାବପ୍ରଭବୈର୍ଗୁଣୈଃ॥41॥
ବିବେଚନ -:
ଏଠାରେ ଶ୍ରୀ ଭଗବାନ ଚାରି ବର୍ଣ୍ଣ ବିଷୟରେ କହିଛନ୍ତି ।
ଆମ ମନରେ ପ୍ରଶ୍ନ ଆସେ ଯେ ଯଦି ସବୁକିଛି ସତ୍ତ୍ଵ,ରଜ ଓ ତମ ଗୁଣରେ ବ୍ୟାପ୍ତ ତେବେ ଆମେ କିପରି ଜାଣିବା ଯେ ଆମକୁ କେଉଁ କାର୍ଯ୍ୟ କରିବା ଉଚିତ୍ ଓ କେଉଁ କର୍ମ ଅନୁଚିତ୍।
ପୂର୍ବ ଜନ୍ମର କର୍ମ ଫଳ ଓ ସଞ୍ଚିତ ସଂସ୍କାର କାରଣରୁ ସତ୍ତ୍ଵ,ରଜ,ଓ ତମ ଗୁଣର ଯେଉଁ ପରିମାଣ ଆମକୁ ମିଳିଛି ସେହି ଅନୁସାରେ ଆମକୁ ସେହିପରି କୂଳ ପରିବାର ଓ ଲକ୍ଷଣ ସହିତ ଆମର ଜନ୍ମ ହୋଇଥାଏ।
ଏହାର ଦୁଇଟି କାରଣ ହୋଇଥାଏ ।
ମୁଁ ଯେପରି କର୍ମ କରିଥିଲି ସେହିପରି ଜନ୍ମ ମିଳିଛି । କର୍ମ ଫଳ ଭୋଗିବା ପାଇଁ ମୋର ବୃତ୍ତି ମଧ୍ୟ ସେପରି ହେବା ଉଚିତ୍।
ଚୋରୀ କରୁଥିବା ବେଳେ ମୃତ୍ୟୁ ହେଇଥିବାରୁ ଚୋର ଘରେ ଜନ୍ମ ନେଲା ଓ ପିଲାବେଳୁ ଚୋରୀ କରିବା ଶିଖିଲା ।
ବର୍ଣ୍ଣ ଆଶ୍ରମ ଧର୍ମ ବୈଜ୍ଞାନିକ ସମ୍ମତ ଅଟେ । ସଂଯୋଗ ବଶତଃ ହେଉ ଅଥବା ପୂର୍ବଜନ୍ମର କର୍ମବଳରୁ ଆମକୁ ଏହି ଯୋନି , କୁଳ , ବର୍ଣ୍ଣ ମିଳିଛି, ତାହାନୁହେଁ ବରଂ ନିଜ କର୍ମ ଅନୁସାରେ ତାକୁ ବଦଳାଇ ପାରିବା ।
ପିତାମହ ଭୀଷ୍ମ ଯୁବାବସ୍ଥାରେ ଦେବଗୁରୁ ବୃହସ୍ପତି ଓ ଅନ୍ୟ ଦେବତାମାନଙ୍କ ଠାରୁ ଜ୍ଞାନଲାଭକରି ନିଜ ମାତା ଗଙ୍ଗାଙ୍କ ସହିତ ପିତା ମହାରାଜ ଶାନ୍ତନୁ ଙ୍କ ପାଖକୁ ଗଲେ ସେତେବେଳେ ପିତା ଶାନ୍ତନୁ ଅତ୍ୟନ୍ତ ଆନନ୍ଦିତ ହେଲେ। ସେହି ସମୟରେ ଜଣେ ବ୍ୟବସାୟୀ ମହାରାଜଙ୍କୁ ଭେଟିବାକୁ ଆସିଲା । ମହାରାଜା ଶାନ୍ତନୁ ଙ୍କୁ ବାହାରକୁ ଯିବାର ଥିଲା । ସେ ବଣିକକୁ କହିଲେ ଯଦି କୌଣସି ବିଶେଷ ପ୍ରସଙ୍ଗ ଅଛି ତୁରନ୍ତ କୁହନ୍ତୁ ନହେଲେ ପ୍ରତୀକ୍ଷା କରନ୍ତୁ। ବଣିକ ଅତ୍ୟନ୍ତ ଅହଙ୍କାରପୁର୍ଣ୍ଣ ଭାବେ କହିଲା କି ମୁଁ ସାରା ସଂସାରର ଏକମାତ୍ର ଅଶ୍ଵ ବିଶେଷଜ୍ଞ । ମୋ ପାଖରେ ଏମିତି ଅଶ୍ଵ ଅଛି ଯାହା ପଦ୍ମ ପତ୍ର ଉପରେ ଦୌଡ଼ି ପୁଷ୍କରିଣୀ ପାରି ହେଲେ ମଧ୍ୟ ତାର କିଛି କ୍ଷତି ହୁଏ ନାହିଁ। ଅଶ୍ଵ ମାନଙ୍କର ପରୀକ୍ଷା ନେବାପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି । ଦେବବ୍ରତ ( ପିତାମହ ଭୀଷ୍ମ)
ବଣିକକୁ କହିଲେ ଏପରି ଅହଙ୍କାରପୁର୍ଣ୍ଣ ଭାଷା ମହାରାଜଙ୍କ ନିକଟରେ କରିବା ଉଚିତ୍ ନୁହେଁ। ଯଦି ତୁମର କଥା ସତ୍ୟ ହୁଏ ମୁଁ ତୁମକୁ କ୍ଷତ୍ରିୟ କରିଦେବି ।ଆଉ ଯଦି ତୁମର କଥା ମିଥ୍ୟା ପ୍ରମାଣିତ ହେବ ତେବେ ତୁମକୁ ଶୁଦ୍ର କରିଦେବି । ମହାରାଜା ଶାନ୍ତନୁ ଦେବବ୍ରତ ଙ୍କ କଥାକୁ ସମର୍ଥନ କଲେ । ପରୀକ୍ଷଣ ପରେ ବଣିକକୁ କ୍ଷତ୍ରିୟ ଘୋଷିତ କରିଦେଲେ ।
ମହାଭାରତରେ କର୍ଣ୍ଣଙ୍କ ପ୍ରସଙ୍ଗରେ ଦୁର୍ଯ୍ୟୋଧନ କର୍ଣ୍ଣ ଙ୍କୁ ସୂତପୁତ୍ରରୁ ଅଙ୍ଗ ଦେଶର ରାଜା କରି ତାଙ୍କୁ କ୍ଷତ୍ରିୟ ଘୋଷିତ କରିଦେଲେ। ସେ ବ୍ରାହ୍ମଣ ବାଳକ ବୋଲି ମିଥ୍ୟାର ଆଶ୍ରୟ ନେଇ ପର୍ଶୁରାମଙ୍କ ଠାରୁ ଶିକ୍ଷାଲାଭ କରିଥିଲେ । ଥରେ ଜଙ୍ଗଲରେ ବୁଲୁଥିବା ବେଳେ ଗୁରୁ ପର୍ଶୁରାମଙ୍କୁ ନିଦ ଆସିଲା ଓ ସେ କର୍ଣ୍ଣଙ୍କ କୋଳରେ ମୁଣ୍ଡ ରଖି ଶୋଇଯାଇ ଥିଲେ । ସେହି ସମୟରେ ଗୋଟିଏ ବିଛା କର୍ଣ୍ଣ ଙ୍କ ଜଙ୍ଘକୁ କାମୁଡି ଦେଲା । ଗୁରୁଙ୍କ ନିଦ୍ରାରେ ବ୍ୟାଘାତ ନ ଆସିବାପାଇଁ ସେହି କଷ୍ଟକୁ କର୍ଣ୍ଣ ସହି ଚାଲିଲେ । କିଛି ସମୟ ପରେ ତାଙ୍କ ଜଙ୍ଘରୁ ରକ୍ତ ବାହାରି ପର୍ଶୁରାମଙ୍କ କାନରେ ଲାଗିବାରୁ ତାଙ୍କ ନିଦ ଭାଙ୍ଗିଗଲା ।ସେ ଦେଖିଲେ ଯେ କର୍ଣ୍ଣ ଙ୍କ ଜଙ୍ଘକୁ ଏକ ବିଛା କାମୁଡି ଧରିଛି । ସେ କ୍ରୋଧିତ ହୋଇ କହିଲେ କି ଏକ ବ୍ରାହ୍ମଣ ବାଳକଠାରେ ଏତେ ସହନ ଶକ୍ତି ହୋଇ ନପାରେ ।ତୁମେ ମିଥ୍ୟାକହି ମୋ ପାଖରୁ ବିଦ୍ୟା ଲାଭ କରିଛ । ଯେତେବେଳେ ତୁମକୁ ଏହି ବିଦ୍ୟାର ଅଧିକା ଆବଶ୍ୟକତା ପଡ଼ିବ ସେତେବେଳେ ତୁମେ ତାହାକୁ ଭୁଲିଯିବ ।
ଏହିପରି ଆଉଏକ ଉଦାହରଣ ହେଉଛନ୍ତି କୌଶିକ ନରେଶ ବିଶ୍ଵାମିତ୍ର।ଯିଏ ନିଜର ତପୋବଳରୁ କ୍ଷତ୍ରିୟ ରୁ ବ୍ରାହ୍ମଣ, ବ୍ରାହ୍ଲଣରୁ ଋଷି , ଋଷି ରୁ ମହର୍ଷି ଓ ପରେ ବ୍ରହ୍ମର୍ଷି ର ଉପାଧି ପାଇଥିଲେ ।
ବର୍ଣ୍ଣ ର ଆବଶ୍ୟକତା ଆଜି ମଧ୍ୟ ଦେଖିବାକୁ ମିଳେ । ଏବଂ ଏହି ବ୍ୟବସ୍ଥାକୁ କେହି କାଟି ପାରିବେ ନାହିଁ। ଆଜି ମଧ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ପ୍ରଥମ , ଦ୍ଵିତୀୟ,ତୃତୀୟ ଆଦି ଶ୍ରେଣୀବିଭାଗ ରହିଛି ।
ମୋଗଲ ଶାସନ କାଳରେ ଦୂରାଗ୍ରହ ଉତ୍ପନ୍ନ ହେଲା ଏବଂ ଆମେ ଆଜି ଏହାର ବିକୃତ ରୂପ ଦେଖୁଛୁ । ଅସ୍ପୃଶ୍ୟତା ଏବଂ ଅସମ୍ମାନ ଆମ ଶାସ୍ତ୍ରର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ପ୍ରଭୁ ଶ୍ରୀରାମ ଜୀ ନିଶାଦ ରାଜଙ୍କ ନିମନ୍ତ୍ରଣ ରକ୍ଷା କରିଥିଲେ। ଶବରୀ ର ଅଇଁଠା ଖାଇଥିଲେ । ମୋଗଲ ଅବଧି ସମୟରେ ଘଟିଥିବା ଅସ୍ୱାଭାବିକତାକୁ ହଟାଇବା ପାଇଁ ସମୟ ସମୟରେ ପ୍ରୟାସ କରାଯିବା ଉଚିତ୍, ଯେଉଁମାନେ ବଞ୍ଚିତ ଏବଂ ଅସ୍ପୃଶ୍ୟ ଅଟନ୍ତି ସେମାନଙ୍କୁ ପୁନର୍ବାର ଡକାଇ ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ।
देश हमें देता है सब कुछ,
हम भी तो कुछ देना सीखें।
जो अनपढ़ हैं उन्हें पढ़ाएँ,
पिछड़े हैं जो उन्हें बढ़ाएँ।
हम मेहनत के दीप जलाकर,
नया उजाला करना सीखें।
देश हमें देता है सब कुछ,
हम भी तो कुछ देना सीखें।
ଜାତିଗତ କାରଣରୁ ଭେଦଭାବ କରାଯାଇ ଯେଉଁ ପାପ ଆମ ଦ୍ଵାରା ହୋଇଅଛି ତାହା ଆମକୁ ସୁଧାରିବା ଆବଶ୍ୟକ । ଏହାକୁ ସଂଶୋଧନ କରିବାକୁ ଆମକୁ ଆଗକୁ ଆସିବାକୁ ହେବ ।
ଶମୋ ଦମସ୍ତପଃ(ସ୍) ଶୌଚଂ(ଙ୍), କ୍ଷାନ୍ତିରାର୍ଜବମେବ ଚ
ଜ୍ଞାନଂ(ମ୍) ବିଜ୍ଞାନମାସ୍ତିକ୍ୟଂ(ମ୍), ବ୍ରହ୍ମକର୍ମ ସ୍ୱଭାବଜମ୍॥42॥
ବିବେଚନା -:
ବ୍ରାହ୍ମଣ ମାନଙ୍କର ନଅ ଗୋଟି ଲକ୍ଷଣ ସମ୍ବନ୍ଧରେ ଶ୍ରୀ ଭଗଵାନ ଅର୍ଜୁନଙ୍କୁ କହୁଛନ୍ତି ।-
୧-: କ୍ଷମା
୨- ନିଜ ଅନ୍ତଃକରଣର ନିୟନ୍ତ୍ରଣ କରିବା - ବା ମନର ନିଗ୍ରହ କରିବା ।
୩-: ଦମ- ବାହ୍ୟ ଇନ୍ଦ୍ରିୟ ର ଦମନ କରିବା ।
୪-:ତପ - ଧର୍ମ ପାଳନ ପାଇଁ କଷ୍ଟ ସହିବା ।
୫-:ଶୌଚ -: ବାହ୍ୟ ଓ ଅଭ୍ୟନ୍ତର ଉଭୟରେ ଶୁଦ୍ଧ ରହିବା ।
୬-: କ୍ଷମାଶୀଳ - ଅନ୍ୟର ଅପରାଧକୁ କ୍ଷମା କରିଦେବା ।
୭-:ଆର୍ଜବ- ଶରୀର , ମନ , ଓ ଇନ୍ଦ୍ରିୟ ଦ୍ଵାରା ଏକ ସରଳ ଜୀବନ ଯାପନ କରିବା।
୮-: ବେଦ, ଶାସ୍ତ୍ର ଆଦି ର ଜ୍ଞାନ ଲାଭକରି ସେଗୁଡିକ ପଢିବା ଓ ବିଜ୍ଞାନ ଦ୍ଵାରା ପଢାଇବା । ଯଜ୍ଞର ବିଧି ଗୁଡ଼ିକୁ ପାଳନ କରିବା ।
୯-: ପରମାତ୍ମା, ବେଦ ଆଦି ରେ ଆସ୍ତିକ ଭାବ ରଖିବା ।
ଏହି ସବୁ ବ୍ରାହ୍ମଣ ମାନଙ୍କର ସ୍ଵଭାବିକ କର୍ମ ଅଟେ ।
ଶୌର୍ୟଂ(ନ୍) ତେଜୋ ଧୃତିର୍ଦାକ୍ଷ୍ୟଂ(ମ୍), ୟୁଦ୍ଧେ ଚାପ୍ୟପଲାୟନମ୍
ଦାନମୀଶ୍ୱରଭାବଶ୍ଚ , କ୍ଷାତ୍ରଂ(ଙ୍) କର୍ମ ସ୍ୱଭାବଜମ୍॥43॥
ବିବେଚନ -:
କ୍ଷତ୍ରିୟ ମାନଙ୍କର ସାତଟି ଗୁଣ ବିଷୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି -
୧-ଶୋର୍ଯ୍ୟ - ବୀରତ୍ଵ
୨ - ତେଜ
୩- ଧୈର୍ଯ୍ୟ
୪- ଚାତୁର୍ଯ୍ୟ
୫- ଶୂରବୀର - ଯୁଦ୍ଧ କ୍ଷେତ୍ରରୁ ପଳାୟନ କରୁ ନଥିବା ବୀର
୬- ଦାନୀ
୭- ସ୍ଵାମୀତ୍ବ- ଈଶ୍ଵର ଭାବ ବା ସ୍ଵାମୀ ଭାବ
ଏହି ସବୁ ଗୁଣ କ୍ଷତ୍ରିୟ ଙ୍କର ସ୍ଵାଭାବିକ କର୍ମ ଅଟେ ।
କୃଷିଗୌରକ୍ଷ୍ୟବାଣିଜ୍ୟଂ(ମ୍), ବୈଶ୍ୟକର୍ମ ସ୍ୱଭାବଜମ୍
ପରିଚର୍ୟାତ୍ମକଂ(ଙ୍) କର୍ମ,ଶୂଦ୍ରସ୍ୟାପି ସ୍ୱଭାବଜମ୍॥44॥
ବିବେଚନା -
ଶ୍ରୀ ଭଗବାନ ବୈଶ୍ୟ ମାନଙ୍କର ତିନୋଟି ଗୁଣ ବିଷୟରେ କହୁଛନ୍ତି।
୧- କ୍ଷେତୀ
୨- ଗୋ ପାଳନ
୩- ବାଣିଜ୍ୟ - କ୍ରୟ ବିକ୍ରୟ ରୂପୀ ସତ୍ୟ ବ୍ୟବହାର ବୈଶ୍ୟ ର ସ୍ଵଭାବିକ କର୍ମ।
ଶୂଦ୍ର ଙ୍କ ପାଇଁ ଗୋଟିଏ ଗୁଣ ଭଗବାନ କହିଛନ୍ତି। ଶୂଦ୍ର ଯିଏ ସମସ୍ତଙ୍କର ସେବା କରେ। ଚାକିରୀ କରିବା ।
ନୌକରୀ- ଜଣେ କାମ କରେ ନଅଜଣ ଖାଆନ୍ତି।
ଚାକିରୀ - ଜଣେ ରୋଜଗାର କରେ ଚାରି ଜଣ ଖାଆନ୍ତି।
ତନଖ୍ଵାହ - ଗୋଟେ ତନ ବା ଜଣେ ଲୋକ ର ଗୁଜୁରାଣ ମେଣ୍ଟାଇବା ।
ବେତନ- ଜଣେ ଲୋକର ମଧ୍ୟ ଗୁଜୁରାଣ ନହେବା।
ଯେ କୌଣସି ପ୍ରକାର ଚାକିରି କରିବା ଶୂଦ୍ର ମାନଙ୍କର ସ୍ବାଭାବିକ କର୍ମ।
ସ୍ୱେ ସ୍ୱେ କର୍ମଣ୍ୟଭିରତଃ(ସ୍), ସଂସିଦ୍ଧିଂ(ମ୍) ଲଭତେ ନରଃ
ସ୍ୱକର୍ମନିରତଃ(ସ୍) ସିଦ୍ଧିଂ(ମ୍), ୟଥା ବିନ୍ଦତି ତଚ୍ଛୃଣୁ॥45॥
ୟତଃ(ଫ୍) ପ୍ରବୃତ୍ତିର୍ଭୂତାନାଂ(ମ୍), ୟେନ ସର୍ବମିଦଂ(ନ୍) ତତମ୍
ସ୍ୱକର୍ମଣା ତମଭ୍ୟର୍ଚ୍ୟ, ସିଦ୍ଧିଂ(ମ୍) ବିନ୍ଦତି ମାନବଃ॥46॥
ବିବେଚନ-:
ଶ୍ରୀ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି କି ଆପଣାର ସ୍ବଭାବଜାତ କର୍ମରେ ପ୍ରୀତିପୂର୍ଣ୍ଣ ଭାବେ ମନୋନିବେଶ କଲେ ମନୁଷ୍ୟକୁ ସିଦ୍ଧି (ପରମାତ୍ମା) ପ୍ରାପ୍ତ ହୋଇଥାଏ। ଆପଣା କର୍ମରେ କିପରି ସିଦ୍ଧି ପାଇବାକୁ ହୁଏ ତାହା ତୁମେ ମୋଠାରୁ ଶୁଣ । ଯେଉଁ ପରମାତ୍ମା ପରମେଶ୍ଵରଙ୍କ ଠାରୁ ସମଗ୍ର ଜୀବଜଗତର ସୃଷ୍ଟି ଓ ଯିଏ ଏହି ସାରା ବ୍ରହ୍ମାଣ୍ଡ ରେ ପରିବ୍ୟାପ୍ତ ସେହି ପରମାତ୍ମାଙ୍କର କାର୍ଯ୍ୟ କରି ଓ ତାଙ୍କର ପୂଜାକରି ମନୁଷ୍ୟ ସିଦ୍ଧି ପ୍ରାପ୍ତ କରିଥାଏ।
ଶ୍ରେୟାନ୍ସ୍ୱଧର୍ମୋ ବିଗୁଣଃ(ଫ୍), ପରଧର୍ମାତ୍ସ୍ୱନୁଷ୍ଠିତାତ୍
ସ୍ୱଭାବନିୟତଂ(ଙ୍) କର୍ମ, କୁର୍ବନ୍ ନାପ୍ନୋତି କିଲ୍ବିଷମ୍॥47॥
ବିବେଚନା -:
ଶ୍ରୀଭଗବାନ କହିଛନ୍ତି କି ପରଧର୍ମ ଯେତେ ଭଲ ହେଲେ ମଧ୍ୟ ଗୁଣହୀନ, ନିଜ ଧର୍ମ ଶହେ ଗୁଣରେ ଭଲ । ସ୍ଵଭାବ ଦ୍ଵାରା ନିଯୁକ୍ତ କରାଯାଇଥିବା ସ୍ବଧର୍ମକୁ ପାଳନ କଲେ ବ୍ୟକ୍ତିକୁ ପାପ ସ୍ପର୍ଶ କରିନଥାଏ।
ସହଜଂ(ଙ୍) କର୍ମ କୌନ୍ତେୟ, ସଦୋଷମପି ନ ତ୍ୟଜେତ୍
ସର୍ବାରମ୍ଭା ହି ଦୋଷେଣ, ଘୂମେନାଗ୍ନିରିବାବୃତାଃ॥48॥
ବିବେଚନା -:
ଶ୍ରୀ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଯେ ହେ କୁନ୍ତୀ ନନ୍ଦନ ! ଦୋଷଯୁକ୍ତ ହେଲେ ମଧ୍ୟ ସହଜ କର୍ମ କେବେ ତ୍ୟାଗ କରିବା ଉଚିତ ନୁହେଁ। କାରଣ ଅଗ୍ନି ଯେପରୀ ଧୂଆଁ ଦ୍ଵାରା ଆବୃତ ସେହିପରି ସମସ୍ତ କର୍ମ କିଛି ନା କିଛି ଦୋଷ ଦ୍ଵାରା ଯୁକ୍ତ ଥାଏ ।
ନିଷ୍ଠା ସହକାରେ ନିଜ ବର୍ଣ୍ଣ ଆଶ୍ରମ ଧର୍ମ କୁ ପାଳନ କରିଲେ ଭଗବାନ ଙ୍କୁ ପ୍ରାପ୍ତ ହୋଇଥାଏ।
ଏହି ଚାରିଗୋଟି ଉଦାହରଣ ମହାଭାରତ ରେ ଦେଖାଯାଏ।
୧- ତୁଳାଧାର ବୈଶ୍ୟ
୨- ପତିବ୍ରତା ସ୍ତ୍ରୀ
୩- ସଦନା କସାଇ
୪- ଗଣିକା
ଯେଉଁମାନେ ନିଜର କର୍ତ୍ତବ୍ୟ କର୍ମକୁ ଭଗବାନଙ୍କ କାମ ବୋଲି ଭାବି କରିଥାନ୍ତି ସେ ଭଗବଦ୍ ପ୍ରାପ୍ତି କରିଥାନ୍ତି। ଆପଣାର କାମକୁ ଭଗବାନଙ୍କ କାମ ଭାବି ନିଷ୍ଠା ପୂର୍ବକ କରିଲେ ଭଗବତ୍ ପ୍ରାପ୍ତି ସମ୍ଭବ ହୁଏ । ଯାହାର ଯେଉଁ କର୍ମ ତାହା ଭଗବାନଙ୍କଠାରେ ସମର୍ପଣ ଭାବରଖି କରିବା ଉଚ୍ଚିତ ।
ନିଜର କର୍ମକୁ ଶ୍ରେଷ୍ଠ ମାନନ୍ତୁ। ଧର୍ମର ଅର୍ଥ କେବଳ ପୂଜାପଦ୍ଧତି ନୁହେଁ। ନିଜର ସ୍ଵଭାବ ଯୁକ୍ତ କର୍ମ ପାଳନ କରିବା ହିଁ ପ୍ରକୃତ ଧର୍ମ ।
-ପତିଧର୍ମ
-ସ୍ତ୍ରୀ ଧର୍ମ
-ପୁତ୍ର ଧର୍ମ
-ରାଜଧର୍ମ
-ମିତ୍ର ଧର୍ମ
ଯେପରି ଧୁଆଁ ରୁ ଅଧିକ ଅଗ୍ନି ପ୍ରଜ୍ୱଳିତ ହୋଇଥାଏ । ପ୍ରତ୍ୟେକ କର୍ମ କିଛି ନା କିଛି ଦୋଷ ଦ୍ଵାରା ଯୁକ୍ତ ହୋଇଥାଏ।। ମୁଁ ହୁଏତ କିଛି ବଦଳେଇପାରିବି ନାହି ମାତ୍ର ଚେଷ୍ଟା କଲେ କିଛିତ ବଦଳିବ।
ଗୋଟେ ଛୋଟ ପିଲା ସମୁଦ୍ର କୂଳରେ ବୁଲୁଥିଲା । କେତେବେଳେ କିଛି ଜେଲିଫିସ୍ ସମୁଦ୍ର ଲହରୀରେ କୁଳକୁ ଚାଲିଆସୁଥିଲେ । ପିଲାଟି ଗୋଟେ ଗୋଟେ କରି ମାଛ ଗୁଡ଼ିକୁ ପୁଣି ପାଣିକୁ ପକାଇ ଦେଉଥିଲା । ଏହାଦେଖି ଜଣେ ବ୍ୟକ୍ତି ପଚାରିଲେ ତୁମେ ଏସବୁ କରୁଛ କ'ଣ ଲାଭ ମିଳିବ । ପିଲାଟି ଗୋଟିଏ ଜେଲିଫିସ୍ ଧରି ପାଣିକୁ ପକାଇ କହିଲା ଏହି ମାଛଟିର ତ ନିଶ୍ଚୟ ଲାଭ ହେବ ।
ଆମର କର୍ମ ଦ୍ଵାରା ଯାହା ବଦଳାଇବାର କ୍ଷମତା ଭଗବାନ ଆମକୁ ଦେଇଛନ୍ତି ତାହା ଆମକୁ କରିବାକୁ ହେବ। ଭଗବଦ୍ ଗୀତା ର ସାର ହେଉଛି ମାନବ କଲ୍ୟାଣ ।
ଅସକ୍ତବୁଦ୍ଧିଃ(ସ୍) ସର୍ବତ୍ର, ଜିତାତ୍ମା ବିଗତସ୍ପୃହଃ
ନୈଷ୍କର୍ମ୍ୟସିଦ୍ଧିଂ(ମ୍) ପରମାଂ(ମ୍), ସନ୍ୟାସେନାଧିଗଚ୍ଛତି॥49॥
ସିଦ୍ଧିଂ(ମ୍) ପ୍ରାପ୍ତୋ ୟଥା ବ୍ରହ୍ମ, ତଥାପ୍ନୋତି ନିବୋଧ ମେ
ସମାସେନୈବ କୌନ୍ତେୟ, ନିଷ୍ଠା ଜ୍ଞାନସ୍ୟ ୟା ପରା॥50॥
ବିବେଚନା -:
ଶ୍ରୀ ଭଗବାନ କହୁଛନ୍ତି, ହେ ଅର୍ଜୁନ ! ଯାହାର ବୁଦ୍ଧି ସବୁଠାରେ ଅନାସକ୍ତ ,ଯିଏ ଇନ୍ଦ୍ରିୟ କୁ ନିୟନ୍ତ୍ରଣ କରିଛନ୍ତି ।ଯେ ସ୍ପୃହାରହିତ ଅଟନ୍ତି ସେହି ମନୁଷ୍ୟ ସାଂଖ୍ୟଯୋଗ ଦ୍ଵାରା ସର୍ବଶ୍ରେଷ୍ଠ ନୈଷ୍କର୍ମ୍ୟ ସିଦ୍ଧି ଲାଭ କରିଥାଏ। ଅନ୍ତଃକରଣ ଶୁଦ୍ଧି କରିଥିବା ସାଧକ କିପରି ବ୍ରହ୍ମକୁ ପ୍ରାପ୍ତ କରିଥାଏ ତାହା ମୋ ପାଖରୁ ଶୁଣ । ପ୍ରାଣୀମାନଙ୍କର କଲ୍ୟାଣ କରିବା ଭଗବାନଙ୍କର ଉଦ୍ଦେଶ୍ୟ। ଏଠାରେ ଭଗବାନ ଜ୍ଞାନ ମାର୍ଗର ଭୂମିକା ବିଷୟରେ କହୁଛନ୍ତି -
ନୈଷ୍କର୍ମ୍ୟତା ର ଅର୍ଥ ଏଠାରେ କର୍ମ ନ କରିବା ନୁହେଁ, ନୈଷ୍କର୍ମ୍ୟ କର୍ମ କୁ କରିବା, କିନ୍ତୁ କର୍ମ କରିବାସହ ତା ଉପରୁ ନିଜର କାମନା ବାସନା ଓ ଫଳର ଆଶାକୁ ତ୍ୟାଗ କରିଦେବା ଆବଶ୍ୟକ।
ଯେପର୍ଯ୍ୟନ୍ତ ଗିୟର କୁ ନଧରିଛ ଗାଡ଼ି ଷ୍ଟାର୍ଟ କଲେ ମଧ୍ୟ ଚାଲିବ ନାହିଁ। ଗାଡ଼ି ଚାଲିବା କର୍ମ ଓ ଗିୟର ହେଉଛି କାମନା ପ୍ରତି ଆକର୍ଷଣ । କିନ୍ତୁ ସେହି ଗାଡ଼ିକୁ ଯଦି ଗଡାଣିଆ ସ୍ଥାନରେ ଛାଡି ଦିଆଯାଏ ତେବେ ଇଞ୍ଜିନ ବନ୍ଦ ଥିଲେ ମଧ୍ୟ ତାହା ଆପଣାଛାଏଁ ତଳକୁ ଗଡିଯାଏ।
ଯେତେବେଳେ କୌଣସି କର୍ମ କାହାରି ଆଶ୍ରା ରେ ହୋଇଥାଏ , ବିନା କାମନାରେ,ବିନା କୌଣସି ଫଳାକାଂକ୍ଷା ରଖି ହୋଇଥାଏ ତାହା ନୈଷ୍କର୍ମ୍ୟତା ଅଟେ।
ଖାଦ୍ୟ ଖାଇସାରିବା ପରେ ଆମେ କେବେ ବି କୁହନ୍ତି ନାହିଁ ଯେ ଆଜି ମୁଁ ବହୁତ ବଢିଆ ଖାଦ୍ୟ ହଜମ କରିଛି ,କାରଣ ଆମେ ଜାଣିଛୁ ଯେ ଖାଦ୍ୟ ଆପେ ଆପେ ହଜମ ହୋଇଥାଏ। ଯେପରି ଖାଦ୍ୟ ସ୍ଵତଃ ହଜମ ହୋଇଥାଏ ସେହିପରି ଏହି ସଂସାରର ସମସ୍ତ କାର୍ଯ୍ୟ ଆପଣାଛାଏଁ ହୋଇଥାଏ , ଆମେ କେବଳ ନିଜକୁ କର୍ତ୍ତା ବୋଲି ଭାବୁଛୁ ।
ଶ୍ରୀ ଭଗବାନ ତିନିଟି କଥା କହିଛନ୍ତି -
-ବୁଦ୍ଧିକୁ ଆସକ୍ତି ରହିତ ରଖିବା ।
-ସ୍ପୃହା ରହିତ ହେବା ।
-ଜିତାତ୍ମା- ମନ ଓ ବୁଦ୍ଧି ଉପରେ ନିୟନ୍ତ୍ରଣ ରଖିବା ।
ଆମର ସ୍ପୃହା ବହୁତ ମଜଭୂତଥାଏ । ଖାଲି କର୍ପୂର ଡବା କୁ ବର୍ଷେ ପରେ ଖୋଲିଲେ ମଧ୍ୟ ସେଥିରୂ କର୍ପୂର ର ସୁଗନ୍ଧ ଆସିଥାଏ। ଯଦି ଋହଅଫଜା ବୋତଲରୁ ଖାଲି କରି ସେଥିରେ
ପାଣି ରଖି ବ୍ୟବହାର କଲେ ସେଥିରେ ସେହି ସୁଗନ୍ଧ ରହି ଯାଇଥାଏ। ସେହିପରି କୋଟିକୋଟି ଜନ୍ମର କାମନା ବାସନା ଯୋଡ଼ି ହୋଇ ରହିଥାଏ।
यह गुन साधन तें नहिं होई। तुम्हरी कृपाँ पाव कोइ कोई॥
ହରି ଶରଣମ୍ ନାମ ସଂକୀର୍ତ୍ତନ ସହିତ ଆଜିର ବିବେଚନ ସତ୍ରର ସମାପ୍ତ ହେଲା ।
ବିଚାର ମନ୍ଥନ- (ପ୍ରଶ୍ନୋତ୍ତରୀ)
ପ୍ରଶ୍ନକର୍ତ୍ତା -: ମୟୂରୀ ଦିଦି
ପ୍ରଶ୍ନ -: ବେଦବ୍ୟାସ ଜୀ, ଶ୍ରୀକୃଷ୍ଣ ଭଗବାନ ଙ୍କର ସମସାମୟିକ ନ ଥିଲେ, ତଥାପି ସେ ମହାଭାରତ କିପରି ଲେଖିଲେ ?
ଉତ୍ତର -: ବେଦବ୍ୟାସ ଜୀ ତ୍ରିକାଳଦର୍ଶୀ ଥିଲେ । ସେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଦେଖିପାରୁ ଥିଲେ । ସେଥିପାଇଁ ସେ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ । ଯେଉଁଥିପାଇଁ ସେ ମହାଭାରତ ଯୁଦ୍ଧର ସମସ୍ତ ଘଟଣା ଦେଖି ପାରିଥିଲେ ।
ପ୍ରଶ୍ନକର୍ତ୍ତା - ପୁଷ୍ପଲତା ଦିଦି
ପ୍ରଶ୍ନ -: ଗୀତା ପରିବାର ସହ ଯୋଡ଼ି ହେଲାପରେ ମତେ ଏହା ଜ୍ଞାତ ହେଉଛି କି ମୁଁ ବେଳେବେଳେ ତାମସୀ ଓ ରାଜସୀଗୁଣ ପ୍ରଭାବରେ ମୋର ସହାୟକଙ୍କ ପ୍ରତି ବ୍ୟବହାର ଖରାପ କରୁଛି। ଏଥିରୁ ବଞ୍ଚିବାର ରାସ୍ତା ଦେଖାନ୍ତୁ ।
ଉତ୍ତର -: ଯେତେବେଳେ ଆପଣଙ୍କ ଖରାପ ବ୍ୟବହାରର ଆଭାସ ମିଳିବ , ସେତେବେଳେ ଆପଣ ନିଜକୁ ବଦଳାଇବାକୁ ସଙ୍କଳ୍ପ କରି ଗୋଟିଏ ଅଭ୍ୟାସ କରିପାରିବେ । ସେଥିପାଇଁ ନିଜକୁ ଦଣ୍ଡ ସ୍ୱରୂପ କିଛି ପ୍ରିୟ ଖାଦ୍ୟ ପେୟ ଯେପରି ଚାହା କିମ୍ବା କଫି ଛାଡି ପାରନ୍ତି।ଏହାକୁ ଅଭ୍ୟାସ କରନ୍ତୁ ଦେଖିବେ ନିଜର ଭୁଲ ମନେପଡିଯିବ ଓ ନିରନ୍ତର ଅଭ୍ୟାସ ଦ୍ଵାରା ତାମସିକ ଓ ରାଜସିକ ଦୁର୍ଗୁଣ ଦୂର ହୋଇଯିବ।
।। ଓଁ ଶ୍ରୀକୃଷ୍ଣାର୍ପଣ ମସ୍ତୁ ।।