विवेचन सारांश
ସୃଷ୍ଟି ନିର୍ମାଣର ତିନୋଟି ମୌଳିକ ତତ୍ତ୍ୱ - ସତ୍ତ୍ୱ, ରଜୋ , ତମ

ID: 6175
उड़िया - ଓଡ଼ିଆ
ରବିବାର, 29 ଡିସେମ୍ବର 2024
ଅଧ୍ୟାୟ 14: ଗୁଣତ୍ରୟବିଭାଗ ଯୋଗ
1/3 (ଶ୍ଳୋକ 1-10)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା :

ସୁମଧୁର ଗୀତ, ଦୀପ ପ୍ରଜ୍ୱଳନ ଓ ଗୁରୁ ବନ୍ଦନା ସହିତ ସତ୍ର ଆରମ୍ଭ ହୋଇଥିଲା।

ପରମପ୍ରଭୁଙ୍କ କୃପାରୁ ଆମର ସୌଭାଗ୍y ପ୍ରାପ୍ତ ହୋଇଛି ଯେ, ଆମେ ଆମର ମାନବ ଜୀବନକୁ ସଫଳ କରିବା ପାଇଁ, ଏହାକୁ ସାର୍ଥକ କରିବା ପାଇଁ, ଏହାକୁ ଏହାର ଚରମ ଲକ୍ଷ୍ୟରେ ପହଞ୍ଚାଇବା ପାଇଁ, ଶ୍ରୀମଦ୍ ଭଗବଦ୍ଗୀତାକୁ ପଢିବା ଓ ପଢାଇବା, ଏହାର ଅର୍ଥ ବୁଝିବା ଏବଂ ଏହାର ସୂତ୍ରକୁ ଜୀବନରେ ଉପଯୋଗ କରିବା ପାଇଁ ଆମେ ତତ୍ପର ହୋଇ ଉଠିଛୁ।

ଜାଣି ନାହୁଁ, ଆମର ଏହି ଜନ୍ମରେ କରୁଥିବା କୌଣସି ପୁଣ୍ୟ କର୍ମ ପାଇଁ , କି ଆମର ପୂର୍ବ ଜନ୍ମର କିଛି ସୁକୃତ ପାଇଁ, ଅବା ଆମ ପୂର୍ବପୁରୁଷମାନଙ୍କର କିଛି ଭଲକାମ ପାଇଁ କିମ୍ବା କୌଣସି ଜନ୍ମରେ କୌଣସି ମହାନ ବ୍ୟକ୍ତିଙ୍କ କୃପା ଆମ ଉପରେ ଅଛି, ଯାହା ଫଳରେ ଆମର ଏପରି ସୌଭାଗ୍ୟ ହେଇଛି ଯେ, ଆମେ ଶ୍ରୀମଦ୍ ଭଗବତ ଗୀତାର ଆତ୍ମଅଧ୍ୟୟନରେ ନିୟୋଜିତ ହୋଇଛୁ ଏବଂ ଶ୍ରୀମଦ ଭଗବତ ଗୀତା ପଢିବା ପାଇଁ ମନୋନୀତ ହୋଇଛୁ।

ମାନବ ଜାତିର କଲ୍ୟାଣ ପାଇଁ ଶ୍ରୀମଦ୍ ଭଗବତ ଗୀତା ଭଳି ଅନ୍ୟ କୌଣସି ପୁସ୍ତକ ଦୁନିଆରେ ନାହିଁ। ଗତ ପାଞ୍ଚ ହଜାର ତିନିଶହ ବର୍ଷ ମଧ୍ୟରେ ଅନେକ ସାଧୁ ଓ ମହାପୁରୁଷ ଏହ କଥା ବାରମ୍ବାର କହି ଆସୁଛନ୍ତି। ଏହି ପୁସ୍ତକରେ ଅଦ୍ଭୁତ ଶକ୍ତି ରହିଛି। ଶ୍ରୀଭଗବାନଙ୍କ ମୁଖରୁ ୫୭୪ଟି ଶ୍ଲୋକ ବାହାରିଛି, ତେଣୁ ସମସ୍ତ ପଦ ହେଉଛି ମନ୍ତ୍ର। ଆମେ ସେମାନଙ୍କର ଅର୍ଥ ଜାଣିଥାଉ ବା ନ ଜାଣିଥାଉ, ସେମାନେ କେବଳ ମନ୍ତ୍ରକୁ ସଠିକ ଭାବରେ ଉଚ୍ଚାରଣ କରି ନିଜର ପ୍ରଭାବ ଦେଖାଇଥାନ୍ତି। ଯେପରି ୱାଇ-ଫାଇର ପାସୱାର୍ଡ ଚିହ୍ନଟ ହେବା ମାତ୍ରେ ୱାଇ-ଫାଇ କନେକ୍ଟ ହେଇଯାଏ, ଏହାର ଫ୍ରିକ୍ୱେନ୍ସି ଏବଂ ଏହାର ଟେକ୍ନୋଲୋଜି ଜ୍ଞାନ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ନ’ଥାଏ । ସେହିପରି ଯେତେବେଳେ ଆମେ ଶ୍ରୀମଦ୍ ଭଗବତ ଗୀତା ଶୁଣୁ, ବୁଝୁ ଓ ଅଧ୍ୟୟନ କରିଥାଉ, ସେତେବେଳେ ତା'ର ସୂତ୍ରକୁ ଜୀବନରେ ଉପଯୋଗ କରିବାର ଜ୍ଞାନ ଲାଭ କରିଥାଉ।

ପୂଜ୍ୟ ସ୍ୱାମୀଜୀ ମହାରାଜ ଆମକୁ ସୁତ୍ରବାକ୍ୟ ଦେଇଛନ୍ତି: - ଗୀତାଜୀଙ୍କୁ ପଢନ୍ତୁ, ପଢାନ୍ତୁ ଏବଂ ଜୀବନରେ ଆପଣାନ୍ତୁ।

ଆମେ ଷୋଡ଼ଶ, ସପ୍ତଦଶ ଓ ନବମ ଅଧ୍ୟାୟ ଉପରେ ଚିନ୍ତନ କରିଥିଲୁ। ଆଜି ଆମେ ଦ୍ବିତୀୟ ସ୍ତରର ଅନ୍ତିମରେ ପହଞ୍ଚିଛୁ ଏବଂ ଆଜି ଆମେ ଚତୁର୍ଦ୍ଦଶ ଅଧ୍ୟାୟ ଉପରେ ବିଚାର କରିବୁ। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ।

ସପ୍ତମ ଅଧ୍ୟାୟରୁ ତ୍ରୟୋଦଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀଭଗବାନ, ମୁଖ୍ୟତଃ ଜ୍ଞାନ ଯୋଗ ବିଷୟରେ କହିଥିଲେ ଏବଂ ଚତୁର୍ଦ୍ଦଶ ଅଧ୍ୟାୟରେ ପ୍ରଭୁ ଏହି ଜ୍ଞାନକୁ ଉତ୍କର୍ଷ ସହ ଆଗକୁ ନେଇଛନ୍ତି ।

ଏହି ଅଧ୍ୟାୟର ନାମ ହେଉଛି ଗୁଣତ୍ରୟ ବିଭାଗଯୋଗ (गुणत्रयविभागयोग)। ଏହାର ଅର୍ଥ ହେଉଛି ତିନୋଟି ଗୁଣର ବିଭାଜନ ଥିବା ଗୋଟିଏ ଗୁଣ। ଏହି ସମଗ୍ର ଅଧ୍ୟାୟ ଏହି ତ୍ରିଗୁଣାତ୍ମକ ପ୍ରକୃତିର ବିସ୍ତାର ଉପରେ ଆଧାରିତ। ଏହା ଅତ୍ୟନ୍ତ ଗଭୀର କିନ୍ତୁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ବୈଜ୍ଞାନିକ ମଧ୍ୟ। ଏହି ଅଧ୍ୟାୟରେ, ଆମେ ଜୀବନରେ ଏହି ଗୁଣଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କିଛି ଗୁଢ ଓ ରୋଚକ ଜ୍ଞାନ ପାଇବୁ ଏବଂ ଜୀବନରେ ଉପଯୋଗର ସୂତ୍ର ପାଇବୁ।

14.1

ଶ୍ରୀ ଭଗବାନୁବାଚ
ପରଂ(ମ୍) ଭୂୟଃ(ଫ୍) ପ୍ରବକ୍ଷାମି, ଜ୍ଞାନାନାଂ(ଞ୍) ଜ୍ଞାନମୁତ୍ତମମ୍।
ୟଜ୍ଜ୍ଞାତ୍ୱା ମୁନୟଃ(ସ୍) ସର୍ବେ, ପରାଂ(ମ୍) ସିଦ୍ଧିମିତୋ ଗତାଃ ॥1॥

ଶ୍ରୀଭଗବାନ କହିଲେ -- ସମସ୍ତ ଜ୍ଞାନ ମଧ୍ୟରେ ଉତ୍ତମ ଓ ଶ୍ରେଷ୍ଠ ଜ୍ଞାନ ପୁନଶ୍ଚ ମୁଁ ତୁମକୁ କହିବି, ଯାହାକୁ ଜାଣି ସମସ୍ତ ମୁନିଗଣ ଏ ସଂସାରରୁ ମୁକ୍ତ ହୋଇ ପରମସିଦ୍ଧି ପ୍ରାପ୍ତ ହୋଇଛନ୍ତି ।

ବିବେଚନ :

ଶ୍ରୀ ଭଗବାନ କହନ୍ତି, "ହେ ଅର୍ଜୁନ! ମୋର ସନ୍ଦେହ ଯେ ତୁମେ ମୋର ସମଗ୍ର କଥା ବୁଝିଛ କି ନାହିଁ, ତେଣୁ ମୁଁ ବର୍ତ୍ତମାନ ତୁମକୁ ପୁନର୍ବାର ସମସ୍ତ ଜ୍ଞାନ ମଧ୍ୟରୁ ସର୍ବୋତ୍ତମ ଏବଂ ଶ୍ରେଷ୍ଠ ଜ୍ଞାନ କହିବି, ଯାହା ହାସଲ କରି ଋଷିମୁନି ମାନେ (ଏହି ସଂସାରରୁ ମୁକ୍ତହୋଇ) ପରମ ସିଦ୍ଧିକୁ ପ୍ରାପ୍ତ କରନ୍ତି।”

ଏଠାରେ ଶ୍ରୀଭଗବାନ ତିନୋଟି ଗୁଣର ବର୍ଣ୍ଣନା କରିବାକୁ ଯାଉଛନ୍ତି। ଏହି ବ୍ରହ୍ମାଣ୍ଡରେ ଆମେ ଯେଉଁ ବିବିଧତା ଦେଖୁଛୁ ତାହା ଏହି ତିନୋଟି ଗୁଣ ଯୋଗୁଁ ହୋଇଥାଏ। ଏହା କିପରି ସମ୍ଭବ ବୋଲି ଆପଣ ମନରେ ପ୍ରଶ୍ନ ଉଠୁଛି ?

ଏହା ଆମେ ଏକ ଉଦାହରଣ ମାଧ୍ୟମରେ ବୁଝିପାରିବା। ଉଦାହରଣ ସ୍ୱରୂପ, ଏକ ରଙ୍ଗ ପ୍ରିଣ୍ଟର ଅନେକ ରଙ୍ଗରେ ଫଟୋ ଛପାଏ। ଏଥିରେ ନୀଳ, ଲାଲ ରଙ୍ଗର ହଜାର ହଜାର ରଙ୍ଗ ରହିଛି। ଗୋଟିଏ ସାଧାରଣ ପ୍ରିଣ୍ଟର ପ୍ରାୟ ୧.୬ କୋଟି (୧୬ ନିୟୁତ) ରଙ୍ଗ ପ୍ରିଣ୍ଟ କରିପାରିବ, ତେବେ ଏଥିରେ ଏତେ ରଙ୍ଗର କାଳି ବ୍ୟବହାର କରିବାକୁ ପଡ଼ିବ କି? ତାହା ନୁହେଁ। ରଙ୍ଗ ପ୍ରିଣ୍ଟରରେ କେବଳ ୪ଟି ରଙ୍ଗର କାଳି ବ୍ୟବହୃତ ହୁଏ। ଏଥିରେ କୋଡିଂ (ସିଏମକେୱାଇ-CMYK) ରହିଛି ଯାହାର ଅର୍ଥ ହେଉଛି ସ୍ୟାନ(Cyan), ମାଜେଣ୍ଟା(Magenta), ହଳଦିଆ(Yellow), କଳା(Black)। ଏହି ଚାରିଟିକୁ ମିଶାଇ ଅନେକ ରଙ୍ଗ ତିଆରି କରାଯାଇପାରେ। ଆମ ମୋବାଇଲ, କମ୍ପ୍ୟୁଟର କିମ୍ବା ଲାପଟପର ସ୍କ୍ରିନରେ ଲକ୍ଷ ଲକ୍ଷ ରଙ୍ଗ ଆସିଥାଏ। ଏହାର ଡଟ୍ ରେ ତିନିଟି ରଙ୍ଗ ରହିଛି, ଯଥା:(RGB) - ଲାଲ(Red), ସବୁଜ(Green), ନୀଳ(Blue)। କେବଳ ଏହି ତିନୋଟି ରଙ୍ଗରେ ହିଁ ପୂରା ରଙ୍ଗୀନ ଦୃଶ୍ୟ ଆମେ ଦେଖିପାରୁଛୁ।  

ସେହିଭଳି ବ୍ରହ୍ମାଜୀ ମଧ୍ୟ ମାତ୍ର ତିନୋଟି ତତ୍ତ୍ୱ ସୃଷ୍ଟି କରିଛନ୍ତି। ଏହି ତିନୋଟି ତତ୍ତ୍ୱରୁ ହିଁ ସେ ସମଗ୍ର ପ୍ରକୃତି ସୃଷ୍ଟି କରିଥାନ୍ତି। ସମଗ୍ର ବ୍ରହ୍ମାଣ୍ଡ, ୮୪ ନିୟୁତ ଯୋନି, ଏବଂ ସମସ୍ତ ଗ୍ରହ ମଧ୍ୟ ଏହି ତିନୋଟି ମୌଳିକ ଉପାଦାନକୁ ନେଇ ଗଠିତ।

ଏହି ତିନୋଟି ମୌଳିକ ଉପାଦାନ ହେଉଛି ସତୋଗୁଣ, ରଜୋଗୁଣ ଏବଂ ତମୋଗୁଣ।  

ଏହା ଆମକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ବୁଝିବାକୁ ଚେଷ୍ଟା କରିବୁ।

ଆଧୁନିକ ବିଜ୍ଞାନ ଅନୁସାରେ ଯଦି କୌଣସି ଅଣୁ ଭଙ୍ଗାଯାଏ ତେବେ ଶେଷରେ ସେଥିରେ ତିନୋଟି କଣିକା ରହିଥାଏ - ନ୍ୟୁଟ୍ରୋନ, ପ୍ରୋଟନ ଓ ଇଲେକ୍ଟ୍ରୋନ। ବିଜ୍ଞାନ ଅନୁସାରେ କାଠ, ପଥର, ପାଣି ହେଉ କିମ୍ବା ଆମ ଶରୀର, ସମସ୍ତଙ୍କର ଏହି ତିନୋଟି ତତ୍ତ୍ୱ ରହିଥାଏ। ଏଥିରେ ନ୍ୟୁଟ୍ରୋନ୍ ଓ ପ୍ରୋଟୋନ୍ ଶାନ୍ତ ବା ସ୍ଥିର ରହିଥାଏ। ଇଲେକ୍ଟ୍ରୋନ୍ ଘୁରି ବୁଲୁଥାଏ।

ସେହିପରି ସତ୍ତ୍ୱ ଗୁଣ ଓ ତମୋଗୁଣ ସ୍ଥିର ଥିବା ବେଳେ ରଜୋଗୁଣ ସକ୍ରିୟ ଅଛନ୍ତି। ଅର୍ଥାତ୍ ଆଧୁନିକ ବିଜ୍ଞାନ ମଧ୍ୟ ଏହି ମୌଳିକ ବିଜ୍ଞାନର ଅତି ନିକଟତର ହୋଇଛି। ଏହି ଦୁନିଆରେ ମଧ୍ୟ ଏହି ତିନୋଟି ତତ୍ତ୍ୱରୁ ସମସ୍ତ ଗଛ, ସମସ୍ତ ନଦୀ, ସମସ୍ତ ପର୍ବତ, ସମସ୍ତ ଜୀବଜନ୍ତୁ ମଧ୍ୟ ଗଠିତ। ଆମେ ଜାଣି ଆଶ୍ଚର୍ଯ୍ୟ ହୋଇଯିବୁ ଯେ କୌଣସି ଦୁଇଟି ମଣିଷର ଆଙ୍ଗୁଠି ଚିହ୍ନ କେବେ ବି ସମାନ ନୁହେଁ। କେବଳ ବର୍ତ୍ତମାନର ୮.୨ ବିଲିୟନ ନୁହେଁ, ଏହା ପୂର୍ବରୁ କୋଟି କୋଟି ଲୋକଙ୍କ ମଧ୍ୟରୁ କାହାର ଆଙ୍ଗୁଠିଚିହ୍ନ କେବେ ବି ସମାନ ହେଇ ନାହିଁ। ସମସ୍ତଙ୍କ ଆଖିର ରେଟିନା(Retina) ମଧ୍ୟ ସମାନ ନୁହଁନ୍ତି। କେବଳ ଏତିକି ନୁହେଁ, ସମସ୍ତଙ୍କ ସ୍ୱଭାବ, ରୁଚି, ଆଗ୍ରହ, ସବୁକିଛି ଅଲଗା ଅଲଗା, ଯାହାର ମୂଳ ସିଦ୍ଧାନ୍ତ ହେଉଛି ଏହି ତିନୋଟି ଗୁଣ। ଏହି ସୂକ୍ଷ୍ମ ବିଜ୍ଞାନକୁ ବୁଝିବା କଷ୍ଟକର।

14.2

ଇଦଂ(ଞ୍) ଜ୍ଞାନମୁପାଶ୍ରିତ୍ୟ, ମମ ସାଧର୍ମ୍ୟମାଗତାଃ।
ସର୍ଗେଽପି ତୋପଜାୟନ୍ତେ, ପ୍ରଲୟେ ନ ବ୍ୟଥନ୍ତି ଚ॥॥2॥

ଏହି ଜ୍ଞାନର ଆଶ୍ରୟ ନେଇ ଯେଉଁ ମନୁଷ୍ୟ ମୋର ସାଧର୍ମ୍ୟ ଲାଭ କରିଛନ୍ତି, ସେମାନେ ମହାସର୍ଗରେ ମଧ୍ୟ ସୃଷ୍ଟି ହୁଅନ୍ତି ନାହିଁ ଏବଂ ମହାପ୍ରଳୟରେ ମଧ୍ୟ ବ୍ୟଥିତ ହୁଅନ୍ତି ନାହିଁ।

ବିବେଚନ :

ଶ୍ରୀ ଭଗବାନ କହନ୍ତି, "ଅର୍ଜୁନ! ଯେଉଁ ମାନେ ଏହି ଜ୍ଞାନର ଆଶ୍ରୟ ନେଇ ମୋ ସ୍ୱରୂପ ଲାଭ କରିଛନ୍ତି, ସେମାନେ ସୃଷ୍ଟିର ପ୍ରାରମ୍ଭରେ ପୁନଃ ଉତ୍ପନ୍ନ ହୁଅନ୍ତି ନାହିଁ କିମ୍ବା ମହାପ୍ରଳୟରେ ବିଚଳିତ ହୁଅନ୍ତି ନାହିଁ ।

ବର୍ତ୍ତମାନର ବିଜ୍ଞାନରେ ପିଲାମାନଙ୍କୁ ଶିକ୍ଷା ଦିଆଯାଏ ଯେ, ବିଗ୍ ବ୍ୟାଙ୍ଗ (Big Bang) ସିଦ୍ଧାନ୍ତ ଅନୁଯାୟୀ ପ୍ରଥମ ଥର ପାଇଁ ଏକ ବିସ୍ଫୋରଣ ହୋଇଥିଲା ଏବଂ ସେଥିରୁ ସମସ୍ତ ଆକାଶଗଙ୍ଗା ସୃଷ୍ଟି ହୋଇଥିଲା ଏବଂ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା । ତା'ପରେ ଧୀରେ ଧୀରେ ସେଥିରେ ଜୀବନ୍ଯାସ ସୃଷ୍ଟି ହୋଇଥିଲା।

ଆମ ଉପନିଷଦମାନେ ଏହାକୁ ଅସ୍ୱୀକାର କରନ୍ତି ନାହିଁ। ପାର୍ଥକ୍ଯ କେବଳ ଏତିକି ଯେ, ଆଧୁନିକ ବୈଜ୍ଞାନିକମାନେ ଭାବୁଛନ୍ତି ଯେ କୋଟି କୋଟି ବର୍ଷ ପୂର୍ବେ ଏହା ପ୍ରଥମ ଥର ପାଇଁ ଘଟିଥିବା ବେଳେ ଆମ ଉପନିଷଦ ଅନୁଯାୟୀ ଏହା ପ୍ରତିଦିନ ଘଟୁଛି। ଏହି ସୃଷ୍ଟିରେ ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡ ଅଛି, ଯେଉଁଥିରୁ ପ୍ରତିଦିନ ଗୋଟିଏ ବ୍ରହ୍ମାଣ୍ଡ ଶେଷ ହୋଇ ଏକ ନୂତନ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି। ସୃଜନ ଓ ବିସୃଜନର ଏହି ପ୍ରକ୍ରିୟା ଏକ ନିରନ୍ତର କ୍ରିୟା।

ପ୍ରଳୟ ବା ବିନାଶର ଅନେକ ପ୍ରକାରର ରହିଛି ।

नित्य प्रलय - ନିତ୍ୟ ପ୍ରଳୟ :

ଯେତେବେଳେ ଆମେ ରାତିରେ ଶୋଇଥାଉ ଏବଂ ସକାଳୁ ଉଠିବା ବେଳେ ରାତିରେ କେବେ, କେଉଁଠି, କ'ଣ ଘଟଣା ଘଟିଲା ତାହା ଆମେ ଜାଣିପାରୁନାହୁଁ। ଅନେକ ସମୟରେ ଗଭୀର ନିଦ୍ରାରୁ ଉଠିବା ପରେ କିଛି ସମୟ ମନେ ପକାଇବା ପରେ ହିଁ ଆମେ କିଛି ବୁଝିଥାଉ, ଯେମିତି, ”ମୁଁ କେବେ ଶୋଇଥିଲି? ମୁଁ କେଉଁଠି? ଏହା ଦିନ ନା ରାତି?” ବେଳେବେଳେ ଦ୍ୱନ୍ଦ୍ୱ ଦେଖାଦେଇଥାଏ। ବେଳେବେଳେ ସ୍ୱପ୍ନ ମଧ୍ୟ ସତ୍ୟ ମନେ ହୋଇଥାଏ। ଆମେ ଶୋଇଥିଲୁ ଏବଂ ଆମର ସଂସାର ବିଲୟ ବା ଲୁପ୍ତ ହୋଇଗଲା। ଏହାକୁ ନିତ୍ୟ ପ୍ରଳୟ କୁହାଯାଏ।

ସମସ୍ତ ଜୀବର କାଳଚକ୍ର ମଧ୍ୟ ଅଲଗା ଅଲଗା ଅଟେ। ଆମେ ମଣିଷର କାଳଚକ୍ର ଦେବାଦେବୀଙ୍କ

କାଳଚକ୍ର

ଠାରୁ ଭିନ୍ନ।

  • ଦେବତାମାନଙ୍କର ଗୋଟିଏ ଦିନ ହେଉଛି ମଣିଷର ଛଅ ମାସ।

  • ପିତୃପୁରୁଷଙ୍କ ଗୋଟିଏ ଦିନ ହେଉଛି ମନୁଷ୍ୟର ତିରିଶ ଦିନ ।

ସେଥିପାଇଁ ଆମେ କହିଥାଉ ଯେ ଦେବତାମାନେ ଛଅ ମାସ ଶୋଇଥାନ୍ତି ଏବଂ ଛଅ ମାସ ପର୍ଯ୍ୟନ୍ତ ଜାଗ୍ରତ ରୁହନ୍ତି। ସେମାନେ ଗୋଟିଏ ଦିନ ଶୋଇଥାନ୍ତି, କିନ୍ତୁ ସେମାନଙ୍କର ଗୋଟିଏ ଦିନର ଅବଧି ମଣିଷ ପାଇଁ ଛଅ ମାସ ହୋଇଯାଏ ଏବଂ ଆମେ କହିଥାଉ ଯେ ଦେବତାମାନେ ଦେବଶୟନୀ ଏକାଦଶୀରେ ଶୋଇଥାନ୍ତି ଏବଂ ଦେବୋଥାନୀ ଏକାଦଶୀରେ ଉଠିଥାନ୍ତି

  • ଚାରିଲକ୍ଷ ୩୨ ହଜାର ବର୍ଷରେ ଏକ କଳି ଯୁଗ ହୁଏ।

  • ଆଠଲକ୍ଷ ୬୪ ହଜାର ବର୍ଷ, ଦ୍ୱାପର ଯୁଗର ସମୟ।

  • ବାରଲକ୍ଷ ୯୬ ହଜାର ବର୍ଷ, ତ୍ରେତୟା ଯୁଗର ସମୟ।

  • ସତର ଲକ୍ଷ ୨୮ ହଜାର ବର୍ଷ, ସତ୍ୟଯୁଗର ସମୟ।

  • ସମୁଦାୟ ୪୩ ଲକ୍ଷ ୨୦ ହଜାର ବର୍ଷରେ ଏକ ଚତୁର୍ଯୁଗ ରହିଛି।

  • ଏହିଭଳି ୭୧ ଟି ଚତୁର୍ଯୁଗ ହେଉଛି ମନୁଙ୍କ ସମୟ।

ବର୍ତ୍ତମାନ ଆମେ ବୈବସ୍ୱତ୍‌ ମନୁଙ୍କ ସପ୍ତମ ଚତୁର୍ଯୁଗରେ ରହିଛୁ। ବ୍ରହ୍ମାଙ୍କର ଗୋଟିଏ ଦିନରେ ଚଉଦ ଜଣ ମନୁ ଅଛନ୍ତି।

ଯେହେତୁ ୪୩ ଲକ୍ଷ ୨୦ ହଜାର ବର୍ଷର ଏକ ଚତୁର୍ଯୁଗ ହୁଏ (୪ଲକ୍ଷ ୩୨ହଜାର ବର୍ଷର ଏକ କଳି ଯୁଗ, ୮ଲକ୍ଷ ୬୪ହଜାର ବର୍ଷର ଏକ ଦ୍ୱାପର ଯୁଗ, ୧୨ଲକ୍ଷ ୯୬ହଜାର ବର୍ଷର ଏକ ତ୍ରେତୟା ଯୁଗ ଏବଂ ୧୭ଲକ୍ଷ ୨୮ହଜାର ବର୍ଷର ଏକ ସତ୍ୟ ଯୁଗ), ତେଣୁ (୪୩ ଲକ୍ଷ ୨୦ ହଜାର x ୭୧ x ୧୪) ଅର୍ଥାତ୍ ଚାରି ପଏଣ୍ଟ ତିନି ଦୁଇ (୪.୩୨) ନିୟୁତ (ବିଲିୟନ) ବର୍ଷ ହେଉଛି ବ୍ରହ୍ମାଜୀଙ୍କର ଗୋଟିଏ ଦିନ। ବ୍ରହ୍ମଜୀଙ୍କର ଗୋଟିଏ ମାତ୍ର ରାତି ମଧ୍ୟ ସେତିକି ବର୍ଷ ହୁଏ। ଯେତେବେଳେ ବ୍ରହ୍ମାଜୀ ଶୋଇଥାନ୍ତି, ସେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବ୍ରହ୍ମାଣ୍ଡକୁ ବିଲୟ କରିଥାନ୍ତି। ତା'ପରେ ଯେତେବେଳେ ସେ ଜାଗ୍ରତ ହୁଅନ୍ତି, ସେ ନିଜ ବ୍ରହ୍ମାଣ୍ଡକୁ ପୁନଃ ସୃଷ୍ଟି କରନ୍ତି ।

ଉଦାହରଣ ସ୍ୱରୂପ, ପିଲାଟି ମାଟି ସହିତ ଖେଳିଥାଏ ଏବଂ ସାରା ଦିନ ଭିନ୍ନଭିନ୍ନ ଆକୃତି ସୃଷ୍ଟି କରିଥାଏ। ରାତିରେ ମା' ଆସି ସେହି ସବୁ ଆକୃତି ସଂଗ୍ରହ କରି, ତାକୁ ଏକାଠି ଗୋଟିଏ ମାଟି ଗୋଲାକାରରେ ପରିଣତ କରି ଏକ ବାକ୍ସରେ ବନ୍ଦ କରିଦିଅନ୍ତି। ପରଦିନ ସେହି ମାଟି ଗୋଲାକାରରୁ ପୁଣି ନୂଆ ନୂଆ ଆକୃତି ତିଆରି କରେ ଶିଶୁଟି। ସେହିଭଳି ବ୍ରହ୍ମାଜୀ ମଧ୍ୟ ନିଜ ଉତ୍ପତି ଦିନରେ ୮୪ ଲକ୍ଷ ଯୋନି ସୃଷ୍ଟି କରନ୍ତି ଏବଂ ପ୍ରଳୟ ସମୟରେ ସେହି ସମସ୍ତ ଯୋନି ପ୍ରକୃତିରେ ମିଶିଯାଏ। ପୁନଶ୍ଚ ସର୍ଗର ପ୍ରାରମ୍ଭରେ ବ୍ରହ୍ମାଜୀ ପୁନର୍ବାର ସେଗୁଡ଼ିକର ରଚନା କରନ୍ତି। ବ୍ରହ୍ମାଣ୍ଡର ଅର୍ଥ ବ୍ରହ୍ମର ଅଣ୍ଡା ।

ବ୍ରହ୍ମାଜୀଙ୍କ ବୟସ ମଧ୍ୟ ନିର୍ଦ୍ଧାରିତ। ବ୍ରହ୍ମାଜୀଙ୍କ ଆୟୁ ୧୦୦ ବର୍ଷ। ସେହି ଶହେ ବର୍ଷ ପୂରିବା ପରେ ବ୍ରହ୍ମାଜୀ ମଧ୍ୟ ନିଜ ସଂସାରରେ ଶାନ୍ତ ହୋଇଯାଆନ୍ତି। 

ଏହାକୁ ମହାପ୍ରଳୟ ବା ମହାବିନାଶ କୁହାଯାଏ

ଶ୍ରୀଭଗବାନ କହିଲେ, 'ଅର୍ଜୁନ! ମତେ ଯିଏ ପ୍ରାପ୍ତ ହୁଏ, ସେ ନିତ୍ୟପ୍ରଳୟ ତଥା ମହାପ୍ରଳୟରୁ ମୁକ୍ତ ହୋଇଯାଏ।’

14.3

ମମ ୟୋନିର୍ମହଦ୍ବ୍ରହ୍ମ, ତସ୍ମିନ୍ଗର୍ଭଂ(ନ୍) ଦଧାମ୍ୟହମ୍।
ସମ୍ଭବଃ(ସ୍) ସର୍ବଭୂତାନାଂ(ନ୍), ତତୋ ଭବତି ଭାରତ॥3॥

ହେ ଭରତବଂଶଜ ଅର୍ଜୁନ ! ମୋର ମୂଳ ପ୍ରକୃତି ହେଉଛି ଉତ୍ପତ୍ତି ସ୍ଥାନ ଏବଂ ମୁଁ ସେଥିରେ ଜୀବରୂପକ ଗର୍ଭ ସ୍ଥାପନ କରେ। ସେହିଥିରୁ ହିଁ ସମସ୍ତ ପ୍ରାଣୀଙ୍କର ଉତ୍ପତ୍ତି ହୁଏ।

ବିବେଚନ :

ଶ୍ରୀ ଭଗବାନ କହୁଛନ୍ତି ଯେ,” ହେ ଅର୍ଜୁନ! ମୋର ମହତ୍ ବ୍ରହ୍ମ ରୂପୀ ମୂଳ ପ୍ରକୃତି ସମ୍ପୂର୍ଣ୍ଣ ଭୂତ ମାନଙ୍କ ଯୋନି ଅର୍ଥାତ୍ ଉତ୍ପତ୍ତି ସ୍ଥାନ ଅଟେ ଓ ଏହି ଯୋନିରେ ଚେତନ ସମୁଦାୟ ରୂପକ ଗର୍ଭର ମୁଁ ସ୍ଥାପନା କରେ।” ସେହି ଜଡ ଚେତନର ସଂଯୋଗରୁ ହିଁ ସମ୍ପୂର୍ଣ୍ଣ ପ୍ରାଣୀମାନଙ୍କ ଉତ୍ପତ୍ତି ହୁଏ।

ଭଗବାନ୍ କହୁଛନ୍ତି ଯେ,” ଅର୍ଜୁନ! ସର୍ଗର ଆରମ୍ଭରେ ପ୍ରକୃତି ଓ ପୁଋଷ, ଏହି ଦୁଇ ତତ୍ତ୍ଵ ତିଆରି ହୁଏ”।   ପୁରୁଷର ଅର୍ଥ ଚୈତନ୍ୟ। ଯାହା ନା କେବେ ଉତ୍ପନ୍ନ ହୁଏ ନା ନଷ୍ଟ ହୁଏ। ପ୍ରକୃତି ଜଡ ଅଟେ ଯାହା ପରିବର୍ତ୍ତନଶୀଳ ଅଟେ। 

ଯେପରି ଆମେ ପ୍ରତି ପାଞ୍ଚ ବର୍ଷର ଫଟୋ ଦେଖିଲେ ବୁଝାଯାଏ ଯେ ଆମେ ପାଞ୍ଚ ବର୍ଷରେ କେମିତି ଦେଖା ଯାଉଥିଲେ ଆଉ ଦଶ ବର୍ଷରେ କେମିତି ଦିଶୁଛୁ। କିନ୍ତୁ, ଚୈତନ୍ୟ ଭାବରେ କିଛି ବି ପରିବର୍ତ୍ତନ ହୁଏନାହିଁ।

ସାଂଖ୍ୟ ଯୋଗରେ ଯେତେବେଳେ ଏହାର ବର୍ଣ୍ଣନା ଆସେ ସେତେବେଳେ ପରମାତ୍ମା ପରଂବ୍ରହ୍ମ ସ୍ବୟଂକୁ ଦୁଇ ଭାଗରେ ବ୍ୟକ୍ତ କରନ୍ତି - ପ୍ରକୃତି ଓ ପୁରୁଷ ।

ଏଠାରେ ପୂରୁଷର ଅର୍ଥ ପୁଲିଙ୍ଗ ନୁହେଁ, ପୁରୁଷ ଅର୍ଥ ଚୈତନ୍ୟ ଶକ୍ତି। ଏହାଦ୍ବାରା ମହତ୍ ତତ୍ତ୍ଵର ନିର୍ମାଣ ହୁଏ। ସେଥିରୁ ମହତ୍ ବୁଦ୍ଧିର ନିର୍ମାଣ ହୁଏ। ମହତ୍ ବୁଦ୍ଧିରୁ ସତ୍ଵ, ରଜ ଓ ତମ ଗୁଣର ନିର୍ମାଣ ହୁଏ ଓ ଏଇ ତିନି ଗୁଣରୁ ପଞ୍ଚ ମହାଭୂତର ସୃଷ୍ଟି ହୁଏ।

- ପଞ୍ଚ ମହାତତ୍ତ୍ଵରେ ସର୍ବ ପ୍ରଥମ ଆକାଶ ଅଟେ। ଆକାଶରୁ ନିର୍ମାଣ ଶବ୍ଦ। ଆକାଶର ପ୍ରଥମ ସୃଷ୍ଟି ହେଉଛି ଶବ୍ଦ। ବିଜ୍ଞାନରେ କୁହାଯାଇଛି,”sound travels in space” ଅର୍ଥାତ୍‌ ଶବ୍ଦ ଶୂନ୍ୟରେ ଗତି କରେ। ଏହାର ଇନ୍ଦ୍ରିୟ ହେଲା କର୍ଣ୍ଣ ବା କାନ।

- ଆକାଶ ଦ୍ବାରା ଦ୍ଵିତୀୟ ତତ୍ତ୍ଵ ବାୟୁର ନିର୍ମାଣ। ବାୟୁର ଗୁଣ ହେଲା ସ୍ପର୍ଶ। ଆକାଶକୁ ଆମେ ସ୍ପର୍ଶ କରି ପାରୁନାହୁଁ କିନ୍ତୁ ବାୟୁର ତୀବ୍ର ଗତିକୁ ସ୍ପର୍ଶ କରିପାରୁ। ସ୍ପର୍ଶର ଇନ୍ଦ୍ରିୟ ହେଲା ଚର୍ମ।

ବାୟୁରେ ସ୍ପର୍ଶ ତଥା ଶବ୍ଦ ଦୁଇଟିଯାକ ଗୁଣ ଆସିଛି।। ବାୟୁର ଚଳନରେ ଶଦ୍ଦ ସୃଷ୍ଟି ହୁଏ ଏବଂ ଆମ ତ୍ୱଚା ମଧ୍ୟ ପବନର ସ୍ପର୍ଶ ଅନୁଭବ କରିପାରେ।

- ଆକାଶ ଓ ବାୟୁକୁ ମିଶାଇ ତୃତୀୟ ତତ୍ତ୍ଵର ସୃଷ୍ଟି ହୁଏ, ତାହା ହେଲା ଅଗ୍ନି ତତ୍ତ୍ଵ। ଅଗ୍ନିରେ ତିନୋଟି ଗୁଣ ଅଛି - ଶବ୍ଦ, ସ୍ପର୍ଶ ଓ ରୂପ

ଅଗ୍ନିରୁ ଶଦ୍ଦ ବାହାରେ ତଥା ସ୍ପର୍ଶ କରି ତାକୁ ଅନୁଭବ ମଧ୍ୟ କରାଯାଇ ପାରେ। ଅଗ୍ନିର ଏହି ବିଶେଷତା ଯେ ଆମେ ତାକୁ ଦେଖି ମଧ୍ୟ ପାରୁ ଯଦିଓ ଆକାଶ ଓ ବାୟୁକୁ ଆମେ ଦେଖି ପାରୁନା।

ଅଗ୍ନିର ତନ୍ମାତ୍ରା (ଶରୀରତତ୍ତ୍ୱ ବା ଗୁଣ) ରୂପ ଏବଂ ଇନ୍ଦ୍ରିୟ ହେଲା ଆଖି। ତେଣୁ ଅଗ୍ନିଦେବଙ୍କ ନିବାସ ଆମ ଆଖି ବା ନେତ୍ର। ତେଣୁ ଅଗ୍ନିକୁ ଶୀତଳ କରିବା ପାଇଁ ଆମ ନେତ୍ରରେ ଅଶ୍ରୁ ବା ଲୁହ ଆସିଯାଏ।

- ଆକାଶ, ବାୟୁ, ଅଗ୍ନିକୁ ମିଶାଇ ଚତୁର୍ଥ ତତ୍ତ୍ଵ ଜଳର ଜନ୍ମ ହୁଏ। ଜଳରେ ଶଦ୍ଦ, ସ୍ପର୍ଶ ତଥା ରୂପ ଥାଏ।

ପାଣି ବହିଲେ କଳ କଳ ନାଦ କରେ, ତାକୁ ଛୁଇଁ ମଧ୍ୟ ପାରୁ ତଥା ତାକୁ ଦେଖି ମଧ୍ୟ ପାରୁ, ଆଉ ଗୋଟିଏ ଅଧିକା ଗୁଣ ହେଲା ଆମେ ଜିଭ ଦ୍ବାରା ତାର ସ୍ଵାଦ ମଧ୍ୟ ଅନୁଭବ କରିପାରୁ।

ରସ ବା ସ୍ଵାଦ ହେଲା ଜଳର ଚତୁର୍ଥ ଗୁଣ। ତେଣୁ ଜଳର ତତ୍ତ୍ୱ ହେଲା ରସ ଓ ଇନ୍ଦ୍ରିୟ ହେଲା ଜିହ୍ଵା ।

ଆମେ ଚାରି ପାଞ୍ଚ ଦିନ ଧରି ପାଣି ନ’ପିଇଲେ ବି ଜିଭ ଓଦା ଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ଜିଭରେ ଜଳ ଥାଏ।

- ଏଇ ଚାରି ତତ୍ତ୍ଵକୁ ମିଶାଇ ପଞ୍ଚମ ମହାଭୂତ, ପୃଥ୍ବୀର ସୃଷ୍ଟି। ପୃଥ୍ବୀତତ୍ତ୍ୱରେ ଆଉ ଏକ ବିଶିଷ୍ଟ ଗୁଣ ଆସିଛି, ଯାହାକି ଗନ୍ଧ ଅଟେ।

ଆକାଶ, ବାୟୁ, ଅଗ୍ନି ଓ ଜଳ ଗନ୍ଧହୀନ। ଏମାନଙ୍କୁ ଶୁଙ୍ଘି ହୁଏନା କିନ୍ତୁ ପୃଥ୍ବୀକୁ ଆମେ ନାସିକା ଦ୍ବାରା ଶୁଙ୍ଘି ପାରିବା। ତେଣୁ ପୃଥ୍ବୀର ଇନ୍ଦ୍ରିୟ ହେଲା ନାସିକା ବା ନାକ।

ଏହିପରି ଏଇ ପଞ୍ଚ ମହାଭୂତରୁ ପାଞ୍ଚ ଗୁଣ ବା ତନ୍ମାତ୍ରା, ପାଞ୍ଚ ଜ୍ଞାନେନ୍ଦ୍ରିୟ ତଥା ପାଞ୍ଚ କର୍ମେନ୍ଦ୍ରିୟଙ୍କ ନିର୍ମାଣ ହେଲା।

14.4

ସର୍ବୟୋନିଷୁ କୌନ୍ତେୟ, ମୂର୍ତ୍ତୟଃ(ସ୍) ସମ୍ଭବନ୍ତି ୟାଃ।
ତାସାଂ(ମ୍) ବ୍ରହ୍ମ ମହଦ୍ଦ୍ୟୋନିଃ(ର୍), ଅହଂ(ମ୍) ବୀଜପ୍ରଦଃ(ଫ୍) ପିତା॥4॥

ହେ କୁନ୍ତୀନନ୍ଦନ ! ସମସ୍ତ ଯୋନିରେ ପ୍ରାଣୀମାନଙ୍କର ଯେତେ ସବୁ ଶରୀର ସୃଷ୍ଟି ହୁଅନ୍ତି, ମୂଳ ପ୍ରକୃତି ହେଉଛି ସେ ସବୁର ମାତା ଏବଂ ମୁଁ ବୀଜ ସ୍ଥାପନକାରୀ ପିତା।

ବିବେଚନ :  

ଭଗବାନ୍ କହୁଛନ୍ତି ଯେ, “ହେ ଅର୍ଜୁନ! ଏଇ ସମ୍ପୂର୍ଣ୍ଣ ଯୋନିରେ ସମସ୍ତ ଶରୀର ଧାରୀ ପ୍ରାଣୀ ମାନଂକର ମୂଳ ପ୍ରକୃତି, ତାଙ୍କର ଗର୍ଭଧାରିଣୀ ମାତା ଅଟନ୍ତି ଏବଂ ମୁଁ ଏ ସମସ୍ତଙ୍କର ପିତା ଅଟେ।”

ଏଠାରେ ସମସ୍ତ ଚୌରାଅଶି ଲକ୍ଷ ଯୋନିକୁ ଚାରି ପ୍ରକାରରେ ବଣ୍ଟା ଯାଇଛି।

୧.ଅଣ୍ଡଜ - ଅଣ୍ଡାରୁ ଜନ୍ମିତ।

୨. ପିଣ୍ଡଜ - ଗର୍ଭ ରୁ ଉତ୍ପନ୍ନ ହେଉଥିବା ।

୩.ସ୍ଵେଦଜ - ସ୍ୱେଦରୁ ଜାତ ପ୍ରାଣୀ।

୪. ଉଦ୍ଭିଜ - ପୃଥ୍ବୀକୁ ଫଟାଇ ଯେ ଜନ୍ମ ହୁଏ।

ଏହି ଚାରି ପ୍ରକାରରେ ହିଁ ସମସ୍ତ ଅନନ୍ତ କୋଟି ଜୀବଙ୍କର ଉତ୍ପତ୍ତି ଅଟେ। ସେମାନେ ତିନି ପ୍ରକାରର ହୁଅନ୍ତି - ଜଳଚର, ନଭଚର ଓ ସ୍ଥଳଚର।

ଏହି ସବୁ ଯୋନିର ନିର୍ମାଣ ପରମାତ୍ମାଙ୍କ ଠାରୁ ହିଁ ହୋଇଥାଏ।

14.5

ସତ୍ତ୍ୱଂ(ମ୍) ରଜସ୍ତମ ଇତି, ଗୁଣାଃ(ଫ୍) ପ୍ରକୃତିସମ୍ଭବାଃ।
ନିବଧ୍ନନ୍ତି ମହାବାହୋ, ଦେହେ ଦେହିନମବ୍ୟୟମ୍॥5॥

ହେ ମହାବାହୁ ! ପ୍ରକୃତିରୁ ଉତ୍ପନ୍ନ ହେଉଥିବା ସତ୍ତ୍ବ, ରଜ ଓ ତମ ଗୁଣମାନେ ଅବିନାଶୀ ଦେହୀ (ଜୀବାତ୍ମା) କୁ ଦେହରେ ଆବଦ୍ଧ କରନ୍ତି।

ବିବେଚନ :

ଶ୍ରୀଭଗବାନ କହୁଛନ୍ତି , ‘ହେ ଅର୍ଜୁନ ! ସତ୍ତ୍ୱ, ରଜ ଏବଂ ତମ ଏହି ତିନି ଗୁଣ ଜୀଵାତ୍ମାକୁ ବାନ୍ଧି ରଖନ୍ତି’।

ଏଠାରେ ଶ୍ରୀଭଗବାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ କଥା କହୁଛନ୍ତି। ତେଲ ଏବଂ ଜଳ ପରସ୍ପର ସ୍ୱତନ୍ତ୍ର, ସେମାନେ କେବେହେଲେ ପରସ୍ପର ସହିତ ମିଶନ୍ତି ନାହିଁ ।

ଜୀବତ୍ମା ହେଉଛି ଅକ୍ଷର, ନିତ୍ୟ ଓ ଚୈତନ୍ୟ। କିନ୍ତ ଶରୀର କ୍ଷର ଓ ସଦା ପରିବର୍ତ୍ତନଶୀଳ। ତେବେ ସେମାନଙ୍କର ଆପୋଷ ସଂଯୋଗ କିପରି ସମ୍ଭବ ? ଶ୍ରୀଭଗବାନ ସୁନ୍ଦର ଭାବେ ବୁଝେଇଛନ୍ତି ଯେ, ଏହି ତ୍ରିଗୁଣ ରୂପି ରଶି (ଦଉଡି) ଦ୍ୱାରା ଜୀଵାତ୍ମାର ଶରୀରକୁ ବନ୍ଧାଯାଏ।

ଶୁକ ପକ୍ଷୀକୁ ସ୍ୱାର୍ଥୀ ବୋଲି କୁହାଯାଏ। ଆପଣ ତାକୁ କୋଡିଏ ବର୍ଷ ପର୍ଯ୍ୟନ୍ତ ସ୍ନେହ ଶ୍ରଦ୍ଧା ଦେଇ ପାଳନ୍ତୁ ଏବଂ ଦିନେ ପଞ୍ଜୁରୀ ଖୋଲି ଦିଅନ୍ତୁ, ସେ ତୁରନ୍ତ ଉଡିଯିବ। ଆଉ ଲେଉଟି ଆସିବନି। ସେଥିପାଇଁ ଯେ କୌଣସି ସ୍ବାର୍ଥୀବ୍ୟକ୍ତି ପ୍ରତି (‘तोताचश्म') ଶୁଆଭଳି ଶବ୍ଦ ବ୍ୟବହାର ହୁଏ। ଏହାର ବିପରୀତ ଧର୍ମୀ ହେଉଛି ଶ୍ୱାନ ବା କୁକୁର ଯାହାଠାରେ ନିଷ୍ଠା ଓ ନିଃସ୍ୱାର୍ଥପରତା ଦେଖିବାକୁ ମିଳେ। କୁକୁରକୁ ଥରେ ରୋଟି ଦେଇଥିଲେ ଦଶ ବର୍ଷ ପରେ ଵି ସେ ଆପଣଙ୍କୁ ଚିହ୍ନି ପାରିବ। ଘୋଡା ପରିଶ୍ରମୀ ହୋଇଥାଏ। ଏହି ପ୍ରକାରରେ ପ୍ରତ୍ୟେକ ଯୋନିର ଅଲଗା ଅଲଗା ଗୁଣ ହୋଇଥାଏ।

ଆମେ ନିଜ ନିଜର କର୍ମ ଅନୁସାରେ ବିଭିନ୍ନ ଯୋନିରେ ଜନ୍ମ ନେଉ ଏବଂ ସେହି ଯୋନି ପ୍ରଭାବରେ ପୃଥକ ପୃଥକ ଗୁଣ ପ୍ରାପ୍ତ କରିଥାଉ। ପୁଣି ଏହା ବନ୍ଧନ ଯୁକ୍ତ କିପରି ହୂଏ ?

ଗୋସ୍ୱାମୀଜୀ ବହୁତ ସୁନ୍ଦର ଚୌପାହୀ କହିଛନ୍ତି :

सो मायाबस भयउ गोसाईं | बँध्यो कीर मरकट की नाई ||

जड़ चेतनहि ग्रंथि परि गई | जदपि मृषा छूटत कठिनाई ||

ସେ କହୁଛନ୍ତି କି ଜଡ଼ ଓ ଚେତନର ମିଳନ କିପରି ସମ୍ଭବ ? ଏହା ମିଛ ଲାଗୁଥିଲେ ମଧ୍ୟ ସହଜ ଭାବରେ ଏହା ଦୂର ହୋଇପାରେ ନାହିଁ ।

ଏହି ପରିପ୍ରେକ୍ଷୀରେ ଗୋସ୍ୱାମୀ ଦୁଇଟି ଉଦାହରଣ ଦେଇଛନ୍ତି :-

କୀର ଶବ୍ଦର ଅର୍ଥ ପକ୍ଷୀ। ପକ୍ଷୀ ଶିକାରୀ ପାଖରେ ପକ୍ଷୀ ଧରିବା ପାଇଁ ଗୋଟିଏ ଜାଲ ଥାଏ। ସେଥିରେ ଗୋଟିଏ ଛୋଟ ତାର ଲାଗିଥାଏ। ଏହି ଜାଲ ବା ଯନ୍ତ୍ର ପାଖରେ ବହେଲିଆ ବା ପକ୍ଷୀ ଶିକାରୀ କିଛି ଦାନା ପକେଇ ଦେଇଥାଏ ଓ ଦାନା ଖାଇବା ପାଇଁ ପକ୍ଷୀଟି ତାର ଉପରେ ବସିବା ମାତ୍ରେ ତାରଟି ଓଲଟା ବୁଲିଯାଏ । ତାହା ପରେ ପକ୍ଷୀ ଉପର ମୁହାଁ ହୋଇଯାଏ। ତାହାପରେ ପକ୍ଷୀଟି ଡ଼ରିକିରି ତାରକୁ ଜୋରରେ ଧରି ରଖେ। ତାର ପକ୍ଷୀକୁ ଧରେ ନାହିଁ, ପରନ୍ତୁ ପକ୍ଷୀଟି ଉପର ମୁହାଁ ହୋଇ ଭୟରେ ତାରକୁ ଧରି ରଖେ ଓ ଏହି ସମୟରେ ଶିକାରୀ ଆସି ପକ୍ଷୀକୁ ଧରି ନିଏ।

ଆମେ ସବୁ ଏହିଭଳି ମାୟାକୁ ଧରି ରଖିଥାଉ ଓ ଓଲଟା କହିଥାଉ ଯେ ମାୟା ଆମକୁ ଛାଡୁ ନାହିଁ।

ଠିକ ସେହି ପ୍ରକାରରେ ମାଙ୍କଡ ଧରିବା ପାଇଁ ମଦାରୀ ଗୋଟିଏ ସୁରାଇ ଭଳି ଛୋଟ ମୁହଁ ଥିବା ମାଠିଆ ମାଟିରେ ପୋତି ଦେଇଥାଏ ଓ ସେଥିରେ କିଛି ଚଣା ପକେଇ ଦେଇଥାଏ ଓ କିଛି ଆଖପାଖରେ ବିଛେଇ ଦେଇଥାଏ। ଆଖପାଖର ଚଣା ଖାଇ ସାରି ସୁରାଇ ଭିତରେ ଥିବା ଚଣା ଖାଇବା ପାଇଁ, ମାଙ୍କଡ ହାତକୁ ସୁରାଇରେ ଭର୍ତ୍ତିକରେ। ମୁଠାରେ ଧରି ଚଣା ଆଣିବା ସମୟରେ, ମୁଠି ବନ୍ଦ ହୋଇଥିବାରୁ ସୁରାଇରେ ହାତ ଅଟକି ରହିଯାଏ। ତାକୁ ଲାଗେ କି ଭିତରୁ କିଏ ତା ହାତକୁ ଧରି ରଖିଛି । ସେ ଚାହିଁଲେ ମୁଠି ଖୋଲି ପାରନ୍ତା, କିନ୍ତୁ ଖୋଲିବାକୁ ଚାହେଁ ନାହିଁ । ଏହି ସମୟ ମଧ୍ୟରେ ମଦାରୀ ତାହା ଉପରେ ଜାଲ ବିଛେଇ ତାକୁ ଧରି ନିଏ ।

ଈଶ୍ୱରଙ୍କୁ ପାଇବାରେ ସମସ୍ୟା ନାହିଁ। ପରନ୍ତୁ ସମସ୍ୟା ଏହା, ଯେ ଆମେ ସଂସାରକୁ ଛାଡିବାକୁ ଚାହୁଁ ନାହୁଁ। ଆମେ ଚାହୁଁ କି ଆମକୁ ସଂସାରର ସମସ୍ତ ସୁଖ ମିଳୁ ଓ ତାହା ସହିତ ଈଶ୍ୱର ଵି ମିଳି ଯାଆନ୍ତୁ। ଈଶ୍ୱରଙ୍କୁ ପାଇବାକୁ ହେଲେ ସଂସାରକୁ ଛାଡିବାକୁ ହେବ। ଆମ ମନ ଆମକୁ ସଂସାରିକ ଇଛା, କାମନା, ବାସନା, ରାଗ ଦ୍ୱେଷ, ଆସକ୍ତି,ମୋହ ମାୟା ଇତ୍ଯାଦି ସାଂସାରିକ ଜଂଜାଳରେ ବାନ୍ଧି ରଖେ। ଏହି ସବୁରେ ବାନ୍ଧି ରହି ଚୈତନ୍ୟ ଜୀବତ୍ମା ରେ ବାନ୍ଧି ହୋଇ ରହିଛି ।

 “पुनरपि जननं पुनरपि मरणं पुनरपि जननी जठरे शयनम”

ଆଦିଶଙ୍କରାଚାର୍ଯ୍ୟ କୁହନ୍ତି କି ମନୁଷ୍ୟ ବାରମ୍ବାର ଜନ୍ମ ନିଏ, ଏବଂ ବାରମ୍ବାର ମରେ। ଥରକୁ ବଥର ମାତୃ ଗର୍ଭରେ ଓଲଟା ଲଟକି ରହେ। କେବେ ଏ ଯୋନିରେ କେବେ ସେ ଯୋନିରେ, କେବେ ପକ୍ଷୀ ତ କେବେ କୀଟ, କେବେ କୁକୁର, କେବେ ଘୋଡା, କେବେ ନଦୀ, କେବେ ପର୍ବତ, କେବେ ବୃକ୍ଷ, କେବେ ଦେବତା, କେବେ ପିତୃ ଆଦି ହୋଇଥାଏ। ଆମର କର୍ମ ଅନୁସାରେ ଆମକୁ ଯୋନି ପ୍ରାପ୍ତ ହୁଏ।

14.6

ତତ୍ର ସତ୍ତ୍ୱଂ(ନ୍) ନିର୍ମଲତ୍ୱାନ୍, ପ୍ରକାଶକମନାମୟମ୍।
ସୁଖସଙ୍ଗେନ ବଧ୍ନାତି, ଜ୍ଞାନସଙ୍ଗେନ ଚାନଘ॥6॥

ହେ ନିଷ୍ପାପ ଅର୍ଜୁନ ! ସେହି ଗୁଣଗୁଡିକ ମଧ୍ୟରୁ ସତ୍ତ୍ବଗୁଣ ନିର୍ମଳ (ସ୍ବଚ୍ଛ) ହୋଇଥିବାରୁ ପ୍ରକାଶକ ଓ ନିର୍ବିକାର ଅଟେ । ତାହା ସୁଖାସକ୍ତି ଓ ଜ୍ଞାନାସକ୍ତି ଦ୍ବାରା ଦେହୀକୁ ଆବଦ୍ଧ କରେ।

ବିବେଚନ :

ଶ୍ରୀଭଗବାନ କହୁଛନ୍ତି କି ସବୁ ଗୁଣ ମଧ୍ୟରେ ସତ୍ତ୍ୱ ଗୁଣ, ନିର୍ମଳ କାରଣରୁ ପ୍ରକାଶିତ ହେବାର କ୍ଷମତା ରଖିଥାଏ ଓ ବିକାର ରହିତ ହୋଇଥାଏ। ଏହା ସୁଖ ଓ ଜ୍ଞାନ ସହିତ ମନୁଷ୍ୟକୁ ବାନ୍ଧିରଖେ।

ଶ୍ରୀଭାଗବାନଙ୍କୁ ଅର୍ଜୁନଙ୍କର ଦୁଇଟି ନାମ ‘ଅନଘ ଏବଂ ଅନୁସୂୟ‘ ଅତ୍ୟନ୍ତ ପ୍ରିୟ। ଭଗବଦ୍ଗୀତାରେ ଏହି ଦୁଇ ନାମରେ ସମ୍ବୋଧନ କରିବାକୁ ଶ୍ରୀକୃଷ୍ଣ ଶ୍ରେୟ ମଣୁଥିଲେ ।

ଅନୁସୂୟ ଯିଏ କେବେ କାହାରି ନିନ୍ଦା କରନ୍ତି ନାହିଁ। ଅନଘ ଅର୍ଥାତ ଯିଏ କେବେ ଵି ପାପ କରି ନାହାନ୍ତି। ଏଠାରେ ଶ୍ରୀଭଗବାନ କହୁଛନ୍ତି କି, ” ତୁମେ ତ ଅନଘ ବା ନିଷ୍ପାପ।”

ସତ୍ତ୍ୱ ଗୁଣ ପ୍ରକାଶର ସ୍ୱରୂପ ଅଟେ। ଧରି ନିଅନ୍ତୁ କି ଆପଣଙ୍କ କୌଣସି ବସ୍ତୁ ହଜିଗଲା। କୋଠରୀରେ ଅନ୍ଧକାର ବିରାଜମାନ କରୁଛି। ତୁମେ ଟର୍ଚ୍ଚ ଜଳେଇ ବସ୍ତୁଟିକୁ ଖୋଜିବାକୁ ପ୍ରୟାସ କଲ। କେହି ଆସି କହିଲେ ଟର୍ଚ୍ଚ ବଦଳରେ ବିଜୁଳୀ ବତୀ ଜଳାଅ। ଲାଇଟ ଜାଳିବାରୁ କୋଠରୀଟି ଉଜ୍ଜ୍ୱଳ ଆଲୋକରେ ଉଦ୍ଭାସିତ ହେଲା। ବସ୍ତୁଟି ଉପରେ ଆଖି ପଡ଼ିଗଲା। ଯେଉଁ ବ୍ୟକ୍ତିର ବୁଦ୍ଧିରେ ସତ୍ତ୍ୱ ଗୁଣର ପ୍ରକାଶ ଯେତେ ଅଧିକ ହେବ, ତାହା ମନରେ ଅନ୍ଧକାର ଦୂର ହେବ, ଭ୍ରମର ସ୍ଥିତି ସେତେ କମ୍‌ ରହିବ। ସେଥିପାଇଁ ଆମେ ନିଜର ସମସ୍ୟା ନେଇ ପୂଜ୍ୟ ସ୍ୱାମୀଜୀଙ୍କ ପରି ସନ୍ଥମାନଙ୍କ ପାଖକୁ ଯାଉ ଓ ଆମକୁ ତାହାର ସମାଧାନ ମିଳିଯାଏ। ଆମପରି ଜଣେ ସାମାନ୍ୟ ବ୍ୟକ୍ତିକୁ ଏହା ଅପ୍ରାପ୍ୟ ହୋଇଥାଏ । ଆମ ସମସ୍ତଙ୍କଠାରେ ଏହି ତିନି ଗୁଣ ଅବଶ୍ୟ ଥାଏ ।

ସତ୍ତ୍ୱଗୁଣ ରଖିଥିବା ବ୍ୟକ୍ତିଙ୍କର ବିବେଚନ ଏବଂ ପୂଜାପାଠରେ ବହୁତ ମନ ଲାଗିଥାଏ। ଯେପର୍ଯ୍ୟନ୍ତ ସତ୍ତ୍ୱଗୁଣର ବୃଦ୍ଧି ଥାଏ, ସେ ପର୍ଯ୍ୟନ୍ତ ମନରେ ଏକାଗ୍ରତା ଥାଏ। ରଜୋଗୁଣ ମନରେ ଅଧିକ ହୋଇଗଲେ ତାହାର ମନ ଲାଗେ ନାହିଁ। ତମୋଗୁଣ ଥିବା ବ୍ୟକ୍ତି ପୂଜା ନ’କରି ପାରିବାର ବାହାନା କରିଥାନ୍ତି। ଏହି ତିନି ଗୁଣ ଗୋଟିଏ ଅନ୍ୟଟି ଉପରେ ବଳବତ୍ତର ହୁଏ। ସତ୍ତ୍ୱଗୁଣ ଅଧିକ ହେଲେ ମନରେ ଶାନ୍ତି ବିରାଜମାନ କରିଥାଏ। ଭଲ କାମରେ ସ୍ୱତଃ ମନ ଲାଗିଥାଏ।

14.7

ରଜୋ ରଗାତ୍ମକଂ(ମ୍) ବିଦ୍ଧି, ତୃଷ୍ଣାସଙ୍ଗସମୁଦ୍ଭବମ୍।
ତନ୍ନିବଧ୍ନାତି କୌନ୍ତେୟ, କର୍ମସଙ୍ଗେନ ଦେହିନମ୍॥7॥

ହେ କୁନ୍ତୀନନ୍ଦନ ! ତୃଷ୍ଣା ଓ ଆସକ୍ତି ଜାତକରୁଥିବା ରଜୋଗୁଣକୁ ତୁମେ ରାଗ (ଆସକ୍ତି) ସ୍ବରୂପ ବୋଲି ଜାଣ । ତାହା କର୍ମାସକ୍ତି ଦ୍ବାରା ଦେହୀ ବା ଜୀବାତ୍ମାକୁ ବନ୍ଧନରେ ପକାଏ।

14.7 writeup

14.8

ତମସ୍ତ୍ୱଜ୍ଞାନଜଂ(ମ୍) ବିଦ୍ଧି, ମୋହନଂ(ମ୍) ସର୍ବଦେହିନାମ୍।
ପ୍ରମାଦାଲସ୍ୟନିଦ୍ରାଭିଃ(ସ୍), ତନ୍ନିବଧ୍ନାତି ଭାରତ॥8॥

ହେ ଭରତବଂଂଶୀ ଅର୍ଜୁନ ! ସମସ୍ତ ଦେହଧାରୀଙ୍କୁ ମୋହିତ କରୁଥିବା ତମୋଗୁଣ ଅଜ୍ଞାନରୁ ଜାତ ହୁଏ ବୋଲି ଜାଣ । ତାହା ପ୍ରମାଦ, ଆଳସ୍ୟ ଓ ନିଦ୍ରା ଦ୍ବାରା (ଦେହ ସହିତ ସମ୍ବନ୍ଧ ମାନୁଥିବା ମନୁଷ୍ୟଙ୍କୁ) ବନ୍ଧନରେ ପକାଏ ।

ବିବେଚନ:

ଶ୍ରୀ ଭଗବାନ କହନ୍ତି, "ହେ ଅର୍ଜୁନ! ସମସ୍ତ ଶାରୀରିକ ଜୀବଙ୍କୁ ଆକର୍ଷିତ ବା ମୋହିତ କରୁଥିବା ତମୋଗୁଣ, ଅଜ୍ଞାନତାରୁ ଉତ୍ପନ୍ନ ହୁଏ ଏବଂ ଜୀବାତ୍ମାକୁ ପ୍ରମାଦ, ଆଳସ୍ୟ ଏବଂ ନିଦ୍ରା ମାଧ୍ୟମରେ ବାନ୍ଧି ରଖିଥାଏ। ”

ରାତିରେ ଶୋଇବା, ହେଉଛି ତମୋଗୁଣ। ଏତିକି ତମୋଗୁଣ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଜରୁରୀ। ଜୀବନରେ କେହି ବି ଏହି ତିନୋଟି ଗୁଣରୁ ବଞ୍ଚିତ ହୋଇପାରିବେ ନାହିଁ। ଏହି ତିନୋଟି ଗୁଣ ମଧ୍ୟରୁ କୌଣସି ଏକ ଗୁଣ କୌଣସି ଜୀବ ପାଖରେ ଶୂନ୍ୟ (୦) କିମ୍ବା ଶତ ପ୍ରତିଶତ (୧୦୦%) ହୋଇପାରିବ ନାହିଁ । ତମୋଗୁଣ ଅତ୍ୟଧିକ ମାତ୍ରାରେ ମଣିଷର ଜୀବନ ନଷ୍ଟ କରିଦିଏ। ତମୋଗୁଣ ବଢିବା ଦ୍ୱାରା ଆଳସ୍ୟ, ନିଦ୍ରାହୀନତା ଓ ପ୍ରମାଦ ବୃଦ୍ଧି ପାଇଥାଏ। ମନ ସାରା ଦିନ ନିଷ୍କ୍ରିୟ ରହିବାକୁ ଚାହେଁ, କିଛି କରିବାର ଇଚ୍ଛା ରହେନାହିଁ।

ପ୍ରମାଦର ଅର୍ଥ ହେଉଛି ଆମକୁ ଯାହା କରିବାକୁ ଥାଏ ତାହାର ବିପରୀତ ଆମେ କରିଥାଉ। ଯାହା କରିବା ଉଚିତ ନୁହେଁ, ସେ କର୍ମ କରିବା ଏବଂ ଯାହା କରିବାକୁ ହେବ ତାହାକୁ ଏଡ଼ାଇ ଦେବା ହେଉଛି ତମୋଗୁଣର ବିଶେଷତା ।

14.9

ସତ୍ତ୍ୱଂ(ମ୍) ସୁଖେ ସଞ୍ଜୟତି, ରଜଃ(ଖ୍) କର୍ମଣି ଭାରତ।
ଜ୍ଞାନମାବୃତ୍ୟ ତୁ ତମଃ(ଫ୍), ପ୍ରମାଦେ ସଞ୍ଜୟତ୍ୟୁତ॥9॥

ହେ ଭରତବଂଶୋଦ୍ଭବ ଅର୍ଜୁନ ! ସତ୍ତ୍ବଗୁଣ ସୁଖରେ ଓ ରଜୋଗୁଣ କର୍ମରେ ଲିପ୍ତ କରି ମନୁଷ୍ୟ ଉପରେ ବିଜୟୀ ହୁଏ । ମାତ୍ର ତମୋଗୁଣ ଜ୍ଞାନକୁ ଆଚ୍ଛାଦିତ କରି ଓ ପ୍ରମାଦରେ ଲିପ୍ତ କରାଇ ମନୁଷ୍ୟ ଉପରେ ବିଜୟୀ ହୁଏ।

ବିବେଚନ :

ଶ୍ରୀ ଭଗବାନ କହନ୍ତି, "ଅର୍ଜୁନ! ସତ୍ତ୍ୱଗୁଣ ସୁଖରେ, କାର୍ଯ୍ୟରେ ରଜୋଗୁଣ ପ୍ରଭାବିତ ହୁଏ ଏବଂ ତମୋଗୁଣ କିନ୍ତୁ ଜ୍ଞାନକୁ ପ୍ରଭାବିତ କରି ପ୍ରମାଦ ଭାବରେ ବ୍ୟବହାର କରିଥାଏ । ”

ଜୀବନରେ ଯେତେ ଅଧିକ ସତ୍ତ୍ୱଗୁଣ ରହିବ, ଜୀବନରେ ସେତେ ଅଧିକ ସୁଖ ଶାନ୍ତି ରହିବ। ରଜୋଗୁଣ ଯେତେ ଅଧିକ ହେବ,ତାହା ଶାନ୍ତିକୁ ଭଙ୍ଗକରି, କିଛି ନା କିଛି ଅଶାନ୍ତି କରିଚାଲିବ ଏବଂ ଅସନ୍ତୁଷ୍ଟ ରଖେଇବ। ତମୋଗୁଣ ବ୍ଯକ୍ତି ସବୁ ପ୍ରକାର କର୍ମ ତ୍ୟାଗ କରି ସବୁଠାରୁ ଖରାପ ଢଙ୍ଗରେ ଦୁଃସ୍ଥ ଜୀବନ ଯାପନ କରନ୍ତି ।

ସତ୍ତ୍ୱ ଗୁଣ ଅର୍ଥ ଅନନ୍ତ ଆନନ୍ଦ । ଏଭଳି ଗୁଣଥିବା ବ୍ୟକ୍ତିଙ୍କୁ ଖୁସି ରହିବା ପାଇଁ ଟିଭି, ମୋବାଇଲ କିମ୍ବା ବହୁତ ଭଲ ଖାଦ୍ୟ ଖାଇବାର ଆବଶ୍ୟକତା ନ’ଥାଏ ।

सीता राम सीता राम, सीता राम कहिए,

जाहि बिधि राखे राम, ताहि बिधि रहिए |

ସିତା ରାମ, ସୀତା ରାମ, ସୀତା ରାମ,କହେ

ଯେଉଁ ବିଧି ରଖେ ରାମ, ସେହି ବିଧି ରହେ |

ଯଦି କେହି ତାଙ୍କୁ କୁହନ୍ତି, "ତୁମେ ଏହା କର, ତୁମେ ଏହାଠାରୁ ଅଧିକ ଆନନ୍ଦ ଉପଭୋଗ କରିବ"। ସେ କୁହନ୍ତି, "ମୁଁ ପୂର୍ବରୁ ବହୁତ ଖୁସି ଅଛି। ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି ଏବଂ ଆନନ୍ଦରେ ରହୁଛି"।

ରଜୋଗୁଣୀ ଅନୁଭବ କରନ୍ତି ଯେ, ”ଯଦି ମୁଁ କିଛି କରିବି, ତେବେ ମୋତେ ଖୁସି ମିଳିବ।” ସେ ସବୁବେଳେ କିଛି ନା କିଛି କରିଥାନ୍ତି ଏବଂ କିଛି ସମୟ ପରେ ସେ କାର୍ଯ୍ୟ ବଦଳାଇ ଦିଅନ୍ତି । ସେ ସାଧନା କରନ୍ତିତ, କିଛି ବର୍ଷ ଧ୍ୟାନ କରନ୍ତି, କିଛି ବର୍ଷ ଜପ କରନ୍ତି, କିଛି ବର୍ଷ ସତ୍ସଙ୍ଗ କରନ୍ତି ଏବଂ କିଛି ବର୍ଷ ପର୍ଯ୍ୟନ୍ତ ଶ୍ରୀମଦ୍ ଭଗବତ ଗୀତା ପଢନ୍ତି, କିନ୍ତୁ ସେ କୌଣସି ସ୍ଥାନରେ ପହଞ୍ଚି ପାରନ୍ତିନାହିଁ।

ଏହାବ୍ୟତୀତ ଆଗେ ଶ୍ରୀଭଗବାନ ଏହି ତିନୋଟି ଗୁଣ ସମ୍ବନ୍ଧରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା କୁହନ୍ତି:-

14.10

ରଜସ୍ତମଶ୍ଚାଭିଭୂୟ, ସତ୍ତ୍ୱଂ(ମ୍) ଭବତି ଭାରତ।
ରଜଃ(ସ୍) ସତ୍ତ୍ୱଂ(ନ୍) ତମଶ୍ଚୈବ, ତମଃ(ସ୍) ସତ୍ତ୍ୱଂ(ମ୍) ରଜସ୍ତଥା॥10॥

ହେ ଭରତବଂଶଜ ଅର୍ଜୁନ ! ରଜୋଗୁଣ ଓ ତମୋଗୁଣକୁ ପରାସ୍ତ କରି ସତ୍ତ୍ବଗୁଣ ବୃଦ୍ଧି ହୁଏ, ସତ୍ତ୍ବଗୁଣ ଓ ତମୋଗୁଣକୁ ପରାସ୍ତ କରି ରଜୋଗୁଣ ବୃଦ୍ଧି ହୁଏ ଏବଂ ସତ୍ତ୍ବଗୁଣ ଓ ରଜୋଗୁଣକୁ ପରାସ୍ତ କରି ତମୋଗୁଣ ବୃଦ୍ଧି ହୁଏ ।

ବିବେଚନ :

ଶ୍ରୀଭଗବାନ କହିଛନ୍ତି ‘ହେ ଅର୍ଜୁନ! ରଜୋଗୁଣ ଓ ତମୋଗୁଣକୁ ଅତିକ୍ରମ କରି ସତ୍ତ୍ୱଗୁଣ ବୃଦ୍ଧି ପାଏ,ସତ୍ତ୍ୱ ଗୁଣ ଓ ତମୋଗୁଣକୁ ଅତିକ୍ରମ କରି ରଜୋଗୁଣ ବୃଦ୍ଧିପାଏ ଓ ସେହିପରି ସତ୍ତ୍ୱଗୁଣ ଓ ରଜୋଗୁଣକୁ ଅତିକ୍ରମ କରି ତମୋଗୁଣର ବୃଦ୍ଧି ହୁଏ’ | 

ଭଗବାନ କହୁଛନ୍ତି, “ଏହି ଗୁଣତ୍ରୟ ତ ନିଶ୍ଚୟ ରହିବେ, କିନ୍ତୁ ଦୁଇଟି ଗୁଣକୁ ନିୟନ୍ତ୍ରିତ କରି ତୃତୀୟ ଗୁଣକୁ ବୃଦ୍ଧି କରେଇହେବ। ଯିଏ ତମୋଗୁଣ ବଢେଇବା ପାଇଁ ଇଛାକରେ ସେ କର୍ତ୍ତବ୍ୟ (ସତ୍ତ୍ୱଗୁଣ) ଓ କ୍ରିୟା (ରାଜୋଗୁଣ) ଉଭୟଙ୍କୁ ତ୍ୟାଗ କରେ। ଯିଏ କ୍ରିୟା (ରଜୋଗୁଣ)କୁ ବଢେଇବାକୁ ଇଛାକରେ, ସେ ନିଦ୍ରା ଯାଏ ନାହିଁ, କର୍ତ୍ତବ୍ୟ କରେନାହିଁ ଅନ୍ୟ କିଛି କରୁଥାଏ। ତମୋ ତଥା ରଜୋ, ଉଭୟ ଗୁଣକୁ ନିୟନ୍ତ୍ରିତ କରି ପାରୁଥିବା ବ୍ୟକ୍ତିର ସତ୍ତ୍ୱଗୁଣ ବୃଦ୍ଧି ହୁଏ|

ଶ୍ରୀହନୁମାନଜୀ ଏହି ଗୁଣତ୍ରୟ ଉପରେ କିପରି ବିଜୟ ପ୍ରାପ୍ତ କରିଥିଲେ, ସେ ପ୍ରସଙ୍ଗରେ ଗୋଟିଏ କଥା ଶ୍ରୀରାମଚରିତମାନସର ସୁନ୍ଦରା କାଣ୍ଡରେ ଶୁଣିବାକୁ ମିଳେ।

ସୁନ୍ଦରାକାଣ୍ଡରେ ଲିଖିତ ଅଛି ଯେ, ଶହେ ଯୋଜନ ସମୁଦ୍ରକୁ କିପରି ପାରିହେବେ ବୋଲି ଲଙ୍କାଯାତ୍ରା ପାଇଁ ସମୁଦ୍ର କୂଳରେ ଉପସ୍ଥିତ ହୋଇଥିବା ବାନର ସେନା ଚିନ୍ତା କରୁଥିଲେ। ଅଙ୍ଗଦ କହିଲେ ଯେ, ସେ ସମୁଦ୍ର ଲଂଘନ କରି ଯାଇପାରିବେ ମାତ୍ର ଫେରିପାରିବେ କି ନାହିଁ ଜଣାନାହିଁ। ଜାମ୍ବବାନ ମଧ୍ୟ ବୃଦ୍ଧ ହୋଇଥିବାରୁ ତାଙ୍କର ପୂର୍ବପରି ଶକ୍ତି ନଥିବାରୁ ସେ ସମୁଦ୍ର ଲଂଘନ କରି ଯାଇ ଫେରିପାରିବେ କି ନାହିଁ ସନ୍ଦେହ ପ୍ରକଟ କରୁଥିଲେ।ଏ ହିପରି ସମସ୍ତେ ନିଜର ଶକ୍ତି ଆକଳନ କରୁଥିଲେ।

ଶ୍ରୀ ହନୁମାନ ହେଉଛନ୍ତି ସତ୍ତ୍ୱଗୁଣର ପ୍ରତୀକ| ସେ ଗୋଟିଏ କୋଣରେ ଶାନ୍ତିରେ ବସିଥିଲେ। ଆଲୋଚନାରେ ତିନି ଚାରି ଘଣ୍ଟା ବିତିଗଲେ ମଧ୍ୟ ଶ୍ରୀହନୁମାନ କିଛି ନ କହିବାରୁ ସେ କାହିଁକି କିଛି କହୁନାହାନ୍ତି ବୋଲି ଜାମ୍ବବାନ ତାଙ୍କୁ ପଚାରିଲେ ।    

कहइ रीछपति सुनु हनुमाना। का चुप साधि रहेहु बलवाना॥

ତାଙ୍କୁ କେହି କିଛି ବି ପଚାରି ନଥିବାରୁ ସେ ନୀରବ ଅଛନ୍ତି ବୋଲି ଶ୍ରୀ ହନୁମାନଜୀ କହିଲେ |

पवन तनय बल पवन समाना। बुधि बिबेक बिग्यान निधाना॥

कवन सो काज कठिन जग माहीं। जो नहिं होहि तात तुम पाहीं॥

ଶ୍ରୀଜାମ୍ବବାନ କହିଲେ ‘ତୁମେ ବଳଶାଳୀ ଓ ବୁଦ୍ଧିଶାଳୀ ହୋଇଥିବାରୁ ସଂସାରରେ ଏପରି କିଛି କାର୍ଯ୍ୟ ନାହିଁ ଯାହା ତମେ କରିପାରିବ ନାହିଁ । ଆପଣଙ୍କ ଜନ୍ମତ ଶ୍ରୀରାମଙ୍କ ପାଇଁ ହିଁ ହୋଇଛି ।”

राम काज लगि तव अवतारा। सुनतहिं भयउ पर्बताकारा॥

ସଙ୍ଗେ ସଙ୍ଗେ ଶ୍ରୀ ହନୁମାନ ପର୍ବତ ସଦୃଶ ବିରାଟ ରୂପ ଧାରଣ କରିନେଲେ।

कनक बरन तन तेज बिराजा। मानहुँ अपर गिरिन्ह कर राजा॥

सिंहनाद करि बारहिं बारा। लीलहिं नाघउँ जलनिधि खारा॥

“ଗୋଟିଏ ଡିଆଁରେ ମୁଁ ଏ ସମୁଦ୍ର ପାରି ହୋଇଯିବି” ବୋଲି କହି ଶ୍ରୀ ହନୁମାନ ଲମ୍ଫ ପ୍ରଦାନ କରିଲେ। କିଛି ପଥ ସେ ଅତିକ୍ରମ କରୁ କରୁ, ହନୁମାନଙ୍କର ବିଶ୍ରାମ ଆବଶ୍ୟକ ଭାବି, ତାଙ୍କ ପିତାଙ୍କ ବନ୍ଧୁ ମୈନାକ ପର୍ବତ ଉଭା ହେଇଗଲେ।  

जलनिधि रघुपति दूत बिचारी। तैं मैनाक होहि श्रमहारी॥

ତାଙ୍କ ପାଖରେ ବିଶ୍ରାମ ନେଇ ଆଗେଇବାପାଇଁ ମୈନାକ ପର୍ବତ କହିଲେ। “ସତ୍ତ୍ୱଗୁଣୀ ମୈନାକ, ଶ୍ରୀରାମଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ କରୁଛନ୍ତି ଭାବି, ଶ୍ରୀହନୁମାନ ତାଙ୍କୁ ପରିକ୍ରମା କରି ପ୍ରଣାମ ଜଣେଇ ଆଗେଇଗଲେ ।

हनूमान तेहि परसा कर पुनि कीन्ह प्रनाम। राम काजु कीन्हें बिनु मोहि कहाँ बिश्राम॥

ଆଗକୁ ଶ୍ରୀ ହନୁମାନଙ୍କ ପରୀକ୍ଷା ନେବାପାଇଁ ଇନ୍ଦ୍ରଦେବ ନାଗମାତା ସୁରସାଙ୍କୁ ପ୍ରେରଣ କରିଥିଲେ। ସୁରସା ସମୁଦ୍ର ମଧ୍ୟରେ ପ୍ରକଟ ହେଲେ।

सुरसा नाम अहिन्ह कै माता। पठइन्हि आइ कही तेहिं बाता॥

ସୁରସା ରାକ୍ଷସୀ ରୂପରେ ଆସି ହନୁମାନଙ୍କୁ ଦେଖି ହସିଲେ ଓ ବିକଟାଳ ଚିତ୍କାର କରିବାକୁ ଆରମ୍ଭ କରିଲେ ।

आजु सुरन्ह मोहि दीन्ह अहारा। सुनत बचन कह पवनकुमारा॥

ଶ୍ରୀ ହନୁମାନ ତାଙ୍କର ବିକଟାଳ ରୂପ ଦେଖି କହିଲେ -

राम काजु करि फिरि मैं आवौं। सीता कइ सुधि प्रभुहि सुनावौं॥

ଶ୍ରୀରାମଙ୍କୁ ମାତା ସୀତାଙ୍କ ସମ୍ବାଦ ଦେଇ ଫେରିବା ପରେ ତାଙ୍କୁ ଭକ୍ଷଣ କରିବାକୁ ଶ୍ରୀ ହନୁମାନ ସୁରସାଙ୍କୁ କହିଲେ। ମାତ୍ର ରଜୋଗୁଣର ପ୍ରତୀକ ସୁରସା ସେକଥାକୁ ଅମାନ୍ୟ କରିଥିଲେ ।

ग्रससि न मोहि कहेउ हनुमाना॥

ତେବେ, “ମୋତେ ଭକ୍ଷଣ କର” ବୋଲି ଶ୍ରୀ ହନୁମାନ କହିବା ମାତ୍ରେ ସୁରସା ନିଜ କଳେବରକୁ ଏକ ଯୋଜନ ପର୍ଯ୍ୟନ୍ତ ବୃଦ୍ଧି କରିଦେଲେ ।  

जोजन भरि तेहिं बदनु पसारा। कपि तनु कीन्ह दुगुन बिस्तारा॥

ଶ୍ରୀହନୁମାନ ନିଜର ଶରୀରକୁ ତୁରନ୍ତ ଦୁଇ ଯୋଜନ ପର୍ଯ୍ୟନ୍ତ ବିସ୍ତାର କରିଲେ।

सोरह जोजन मुख तेहिं ठयऊ। तुरत पवनसुत बत्तिस भयऊ॥

ସୁରସା ନିଜ ଶରୀରକୁ ଷୋହଳ ଯୋଜନ ବୃଦ୍ଧି କରିବାରୁ ଶ୍ରୀ ହନୁମାନ ନିଜ ଶରୀର ବତିଶ ଯୋଜନ ପର୍ଯ୍ୟନ୍ତ ବୃଦ୍ଧି କରିଲେ।

जस जस सुरसा बदनु बढ़ावा। तासु दून कपि रूप देखावा॥

ସୁରସା ନିଜ କଳେବର ଯେତେ ଯେତେ ବଢ଼େଇଲେ ଶ୍ରୀ ହନୁମାନ ନିଜର କଳେବର ତାର ଦୁଇଗୁଣ ବଢ଼େଇଲେ। ରଜୋଗୁଣ ସମ୍ପନ୍ନଙ୍କୁ, ଏହିପରି ଲଢେଇ କରିବାକୁ ପଡେ। ଶ୍ରୀ ହନୁମାନ ଅତୀବ ଜ୍ଞାନୀ ଓ ବୁଦ୍ଧିମାନ ହୋଇଥିବାରୁ, କେତେ ସମୟ ଲଢେଇ କରିବାକୁ ହେବ ଓ କେତେବେଳେ ସମାପ୍ତ କରିବାକୁ ହେବ, ତାହା ତାଙ୍କର ଜ୍ଞାତସାରରେ ଥିଲା।

सत जोजन तेहिं आनन कीन्हा। अति लघु रूप पवनसुत लीन्हा॥

ଏହି କଥାରୁ ଶିକ୍ଷା ମିଳେ ଯେ ସବୁବେଳେ ରଜୋଗୁଣକୁ ରଜୋଗୁଣରେ ପରାସ୍ତ କରାଯାଇ ପାରେନାହିଁ। ସୁରସା ଶହେ ଯୋଜନ ହୁଅନ୍ତେ ଶ୍ରୀ ହନୁମାନ ଦୁଇଶହ ଯୋଜନ ହେଲେ ନାହିଁ, ପରନ୍ତୁ ସୁକ୍ଷ୍ମ ରୂପଧାରଣ କରି ସୁରସାଙ୍କ ମୁଖମଧ୍ୟରେ ପ୍ରବେଶ କରି ସେ ପାଟି ବନ୍ଦ କରିବା ପୂର୍ବରୁ ବାହାରି ଆସିଲେ।

बदन पइठि पुनि बाहेर आवा। मागा बिदा ताहि सिरु नावा॥

ହନୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସୁରସା, ତାଙ୍କୁ, ଅର୍ଥାତ୍‌ ଶ୍ରୀହନୁମାନଙ୍କୁ ବଳବୁଦ୍ଧିର ଗନ୍ତାଘର ବୋଲି କହିଥିଲେ।

मोहि सुरन्ह जेहि लागि पठावा। बुधि बल मरमु तोर मैं पावा॥

ଶ୍ରୀ ହନୁମାନଙ୍କର ବଳବୁଦ୍ଧିର ମହତ୍ତ୍ୱ ଜାଣିପାରି ସୁରସା ତାଙ୍କୁ ଶ୍ରୀରାମଙ୍କର କାର୍ଯ୍ୟ କରିବାପାଇଁ କହିଲେ ।

राम काज सब करिहऊ, तुम बल बुद्धि निधान। आसिष देई गई सो, हरषि चलेऊ हनुमान।

ଶ୍ରୀହନୁମାନ ରଜୋଗୁଣ ଯୁକ୍ତ ହୋଇ ସାମାନ୍ଯ ଲଢେଇ କରି ସତ୍ତ୍ୱଗୁଣକୁ ପ୍ରଣାମ କରି ଆଗେଇଗଲେ। ତାପରେ ତାଙ୍କୁ ତମୋଗୁଣ ମିଳିଥିଲା ।

ସିହିଁଙ୍କା ନାମକ ଏକ ରାକ୍ଷସୀର ନାମ ରାମଚରିତ ମାନସରେ ନାହିଁ, କିନ୍ତୁ ଅନ୍ୟ ଶାସ୍ତ୍ର ମାନଙ୍କରେ ଅଛି । ସେ ଉପରେ ଉଡୁଥିବା ଜୀବର ଛାଇକୁ ତଳେ ଧରିଦିଏ ଏବଂ ଜୀବ ତଳେ ପଡିଗଲାମାତ୍ରେ ତାକୁ ଖାଇଦିଏ । ସେ ରାକ୍ଷସୀ ଉପରେ ଯାଉଥିବା ଶ୍ରୀ ହନୁମାନଙ୍କର ପଥ ଅବରୁଦ୍ଧ କରିଲେ।

जीव जंतु जे गगन उड़ाही। जल बिलोकि तिन्ह कै परिछाहीं।। 

ଶ୍ରୀ ହନୁମାନଜୀ ସେ ତମୋଗୁଣୀ ରାକ୍ଷସୀକୁ କିଛି କଥା ନକହି ଗୋଟିଏ ମୂଥା ମାରିଲେ ଓ ଆଗେଇଗଲେ| ସତ୍ତ୍ୱଗୁଣକୁ ପ୍ରଣାମ ସହ ସମ୍ମାନ କରି, ରଜୋଗୁଣକୁ ରଜୋଗୁଣରେ ହରେଇ ଓ ତମୋଗୁଣକୁ ଅଧୀନସ୍ଥ କରି ଶ୍ରୀ ହନୁମାନ ଆଗେଇଲେ।

ताहि मारि मारुतसुत बीरा। बारिधि पार गयउ मतिधीरा॥

ତମୋଗୁଣୀକୁ ସେ ଗୋଟିଏ ବି ଶବ୍ଦ କହିଲେ ନାହିଁ। ଆମେ ତମୋଗୁଣୀ ସହିତ ବିବାଦ କରିବା ଉଚିତ ନୁହେଁ। ଶ୍ରୀ ହନୁମାନ କାରଣ ଜଣେଇ ସତ୍ତ୍ୱଗୁଣକୁ ସ୍ପର୍ଶ କରି ପ୍ରଣାମ କରିଲେ ।ରଜୋଗୁଣ ସହିତ ଲଢେଇ କରିଲେ ଏବଂ ତମୋଗୁଣକୁ ବିନାଶ କରିଲେ। ଯେତେବେଳେ ଶ୍ରୀ ହନୁମାନ ଲଙ୍କାରେ ପହଞ୍ଚିଲେ, ସେତେବେଳେ ଗୁଣତ୍ରୟର ସମାବେଶ ତା’ଙ୍କଠାରେ ଦେଖିବାକୁ ମିଳିଥିଲା।

पुर रखवारे देखि बहु कपि मन कीन्ह बिचार।  अति लघु रूप धरों निसि नगर करौं पइसार॥

ସେ ମାଛି ରୂପ ଧାରଣ କରି ଯେମିତି ଭିତରକୁ ଯାଇଛନ୍ତି -

मसक समान रूप कपि धरी। लंकहि चलेउ सुमिरि नरहरी॥

नाम लंकिनी एक निसिचरी। सो कह चलेसि मोहि निंदरी॥

ଲଙ୍କାର ଦ୍ୱାରଦେଶରେ ପହରା ଦେଉଥିବା ଲଙ୍କିନୀ ତାଙ୍କୁ ଦେଖି ବହୁତ କ୍ରୋଧିତା ହୋଇ ତାଙ୍କୁ ଡରେଇଲେ ଓ ଧମକେଇଲେ।

जानेहि नहीं मरमु सठ मोरा। मोर अहार जहाँ लगि चोरा॥


ସେ କହିଲା ‘ଚୋର ତ ମୋର ଖାଦ୍ୟ’। ଶ୍ରୀହନୁମାନଜୀ କହିଲେ ‘ତମର ରାଜା ତ ଚୋର, ଯିଏ ମୋର ମାତା ସୀତାଙ୍କୁ ଚୋରେଇ ଆଣିଛି। ଚୋରର ରକ୍ଷାକାରିଣୀ ମୋତେ ଚୋର କହୁଛି?’ ଏହା କହି ଶ୍ରୀ ହନୁମାନ ତାଙ୍କୁ ଗୋଟେ ବିଧା ମାରିଲେ।

मुठिका एक महा कपि हनी। रुधिर बमत धरनीं ढनमनी॥

ଲଙ୍କିନୀ ରକ୍ତବାନ୍ତି କରିପକେଇଲେ ଓ ତାଙ୍କର ବ୍ରହ୍ମଦେବଙ୍କ ଦତ୍ତ ବର କଥା ସ୍ମରଣ ହେଲା। ଯେତେବେଳେ ରାବଣ ଓ କୁମ୍ଭକର୍ଣ୍ଣ ତପସ୍ୟା କରି ବରପ୍ରାପ୍ତ କରିଥିଲେ ସେତେବେଳେ ଲଙ୍କିନୀ ମଧ୍ୟ ସେଠାରେ ଥିଲେ। ସେ କହିଥିଲେ ‘ବ୍ରହ୍ମଦେବ ଆପଣ ଏ କଣ କରୁଛନ୍ତି? ଏ ରାକ୍ଷସ ଦୁଇଜଣଙ୍କୁ ଏତେ ଶକ୍ତିଶାଳୀ କରିଦେଲେ ଏମାନେ ସଂସାରକୁ ଅତିଷ୍ଠ କରିଦେବେ।” ଚିନ୍ତା ନ କରିବାକୁ ବ୍ରହ୍ମଦେବ ତାଙ୍କୁ ଆଶ୍ୱାସନା ଦେଇଥିଲେ।

बिकल होसि तैं कपि कें मारे। तब जानेसु निसिचर संघारे।।

କହିଲେ,”ଏମିତି ସମୟ ଆସିବ, ଯେତେବେଳେ ଗୋଟିଏ ବାନରର ପ୍ରହାରରେ ତମେ କଷ୍ଟ ପାଇବ, ସେତେବେଳେ ଜାଣିବ ଯେ, ଏହି ଦୁଇଜଣ ଦୁଷ୍ଟ ରାକ୍ଷସଙ୍କର ଶେଷ ସମୟ ଉପସ୍ଥିତ ହେଇଗଲା। ଶ୍ରୀରାମଙ୍କର ଦୂତ ରୂପରେ ଗୋଟିଏ ବାନର ଆସିବ ଓ ତୁମକୁ ବିଧା ମାରିବ।” ଲଙ୍କିନୀକୁ ବିଧା ପଡିବାରୁ ସେ ରକ୍ତବାନ୍ତି କରିଥିଲେ ମଧ୍ୟ ଶ୍ରୀ ହନୁମାନଙ୍କୁ ହାତଯୋଡି ପ୍ରଣାମ କରିଲେ।

तात मोर अति पुन्य बहूता। देखेउँ नयन राम कर दूता।।

ଲଙ୍କିନୀ କହିଲେ,”ମୋର କୋଟି ଜନ୍ମର ପୁଣ୍ୟ ଫଳ ମିଳିଗଲା ଓ ମୋପରି ଗୋଟିଏ ରାକ୍ଷସୀକୁ ଭଗବାନଙ୍କର ଦୂତର ଦର୍ଶନ ମିଳିଗଲା। ସେ କହିଲେ-

तात स्वर्ग अपवर्ग सुख धरिअ तुला एक अंग।  तूल न ताहि सकल मिलि जो सुख लव सतसंग।

ଏଠାରେ ଲଙ୍କିନୀଙ୍କର ସାତ୍ତ୍ଵିକ ରୂପ ଦେଖିବାକୁ ମିଳୁଛି। ଯଦି ତରାଜୁର ଗୋଟିଏ ପାଖରେ ସ୍ୱର୍ଗ ଓ ମୋକ୍ଷର ସମସ୍ତ ସୁଖ ରଖାଯାଏ ଓ ଅନ୍ୟ ପାଖରେ ସତ୍‌ସଙ୍ଗରୁ ମିଳୁଥିବା ଏହି ଗୋଟିଏ କ୍ଷଣର ସୁଖ ରଖାଯାଏ, ତେବେ ଏହା ହିଁ ଓଜନଦାର ହେବ। ସତସଙ୍ଗଲବ୍ଧ ସୁଖ ଅତୁଳନୀୟ। ଭଗବାନ ଶ୍ରୀରାମଙ୍କୁ ସ୍ମରଣ କରି ଲଙ୍କାରେ ପ୍ରବେଶ କରିବାପାଇଁ ଲଙ୍କିନୀ ଶ୍ରୀ ହନୁମାନଜୀଙ୍କୁ କହିଲେ ।

प्रबिसि नगर कीजे सब काजा। हृदयँ राखि कोसलपुर राजा॥

ଗୃହପ୍ରବେଶ ସମୟରେ ଯଦି ଅଖଣ୍ଡ ଶ୍ରୀରାମଚରିତ ମାନସ ପାଠ କରାଯାଏ ତେବେ ତାହା ସମ୍ପୂର୍ଣ୍ଣ ହୋଇଥାଏ।

ଏହିପରି ଶ୍ରୀ ହନୁମାନ ଲଙ୍କାରେ ପ୍ରବେଶ କରିଲେ।

ଆମ ଜୀବନରେ ଆସୁଥିବା ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣ ଉପରେ ଆମକୁ ବିଜୟ ପ୍ରାପ୍ତ କରିବାକୁ ହେବ। ଏହି ଗୁଣତ୍ରୟର ବନ୍ଧନରେ ପଡିବା ଉଚିତ ନୁହେଁ। ସାତ୍ତ୍ୱିକ କାର୍ଯ୍ୟକୁ କରିବା ସମୟରେ ମଧ୍ୟ ତା’ର ବନ୍ଧନରେ ଆସିବା ଉଚିତ୍‌ ନୁହେଁ। ତାମସକୁ ତୁରନ୍ତ ପରିତ୍ୟାଗ କରି ରଜୋଗୁଣକୁ ଯଥାସମ୍ଭବ ଅଳ୍ପ କାର୍ଯ୍ୟକାରୀ କରି ଆଗେଇବା ଉଚିତ।

ଆସନ୍ତା ସପ୍ତାହରେ ସ୍ଲାଇଡ ଷୋ(slide show) ମାଧ୍ୟମରେ ଏହି ଗୁଣତ୍ରୟକୁ ଜୀବନରେ କିପରି ଉପଯୋଗ କରିବାକୁ ହେବ, ସେ ସମ୍ବନ୍ଧରେ ଚିନ୍ତନ କରାଯିବ।

ଏହାପରେ ହରିନାମ ସଂକୀର୍ତ୍ତନ ସହିତ ସତ୍ରର ସମାପ୍ତି ହେଲା ।

ତାପରେ ପ୍ରଶ୍ନୋତ୍ତରୀ ସତ୍ର ଆରମ୍ଭ ହେଲା।

ପ୍ରଶ୍ନୋତ୍ତରୀ::

ପ୍ରଶ୍ନକର୍ତ୍ତା:- ଦେବେନ୍ଦ୍ର ଭାଇ

ପ୍ରଶ୍ନ:- ତୃତୀୟ ଶ୍ଲୋକରେ ଶ୍ରୀ ଭଗବାନ କହିଛନ୍ତି ଯେ ଜଡତା ଓ ଚେତନା କିପରି ଉତ୍ପନ୍ନ ହୁଏ?କ’ଣ ଏହି ଉତ୍ପତି ପ୍ରଥମ ଥର ପାଇଁ ବ୍ରହ୍ମାଣ୍ଡ ସୃଷ୍ଟି ସମୟରେ ପ୍ରଭୁ କରିଛନ୍ତି ନା ପ୍ରତିଥର ଏମିତି ହୁଏ ?

ଉତ୍ତର:- ଆମବୁଦ୍ଧି ସୀମିତ ଏବଂ ଆମେ ଆମର ଜଡ ବୁଦ୍ଧି ସହିତ ଚିନ୍ତା କରିଥାଉ, ତେଣୁ ପ୍ରକୃତିର ଅସୀମତାକୁ ବୁଝିବାର କ୍ଷମତା ଆମ ପାଖରେ ନାହିଁ। ଆମେ ସମସ୍ତେ ଶୁଣିଛୁ ଯେ ବ୍ରହ୍ମାଣ୍ଡ ଅସୀମ। ବିଜ୍ଞାନ ମଧ୍ୟ କହୁଛି, There are infinite galaxies, କିନ୍ତୁ ଆମ ବୁଦ୍ଧିରେ ଅସୀମତାକୁ ବୁଝିବାର ଶକ୍ତି ନାହିଁ କାରଣ ସେଠାରେ ଏକ ଲକ୍ଷ ଗାଲାକ୍ସି, ଏକ ନିୟୁତ ଗାଲାକ୍ସି କିମ୍ବା ଦଶ ନିୟୁତ ଗାଲାକ୍ସି ବି ରହିପାରେ। ଏହା ପରେ କ'ଣ ହେବ?ପୁଣି ସେହି ପ୍ରଶ୍ନ ରହିଯିବ। ଏହାର ଉତ୍ତର ଆମେ ଆମ ବୁଦ୍ଧିରେ ପାଇପାରିବାନାହିଁ। ଅସୀମତା କ'ଣ ତାହାର ଉତ୍ତର ଆମେ ଜାଣିପାରିବା ନାହିଁ। ସେଥିପାଇଁ ଶ୍ରୀଭଗବାନ ପଞ୍ଚଦଶ ଅଧ୍ୟାୟରେ କହିଛନ୍ତି:

ହେ ଅର୍ଜୁନ ! ଏହା ମୋ ବ୍ରହ୍ମାଣ୍ଡରେ ପ୍ରଥମ ଥର ପାଇଁ ଘଟିନାହିଁ, କିମ୍ବା ଏହା ଶେଷ ହେବ ନାହିଁ, ଏହା ପରିସ୍ଥିତିର ମଧ୍ୟଭାଗ। ଏହା ବାରମ୍ବାର ବଢିଥାଏ, ବାରମ୍ବାର ଖରାପ ହୋଇଯାଏ। କେତେବେଳେ ପ୍ରଳୟଙ୍କରୀ ତ କେତେବେଳେ ସର୍ଗ, କେତେବେଳେ ବିଚ୍ଛେଦ। ଆମେ ଏହାକୁ ମଧ୍ୟମ ସ୍ଥାନରେ ଦେଖୁଛୁ। ଏହା ପୂର୍ବରୁ ନଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ହେବ ନାହିଁ; ଏହା ଏକ ନିରନ୍ତର ପ୍ରକ୍ରିୟା। ପ୍ରଥମ ଥର ପାଇଁ ଦୁନିଆ ସୃଷ୍ଟି ହୋଇଛି, ଏହା କେବେ ହୋଇନାହିଁ ଏବଂ ଏହା ଶେଷ ଥର ପାଇଁ କେବେ ହୋଇନାହିଁ, ଏହା କେବେ ବି ଘଟିବ ନାହିଁ ।

ପ୍ରଶ୍ନକର୍ତ୍ତା :- ହନୁମାନ ପ୍ରସାଦ ଜୀ

ପ୍ରଶ୍ନ:- ହନୁମାନଙ୍କୁ ପୂଜା କରୁଥିବା ରାକ୍ଷସୀର ନାମ କ'ଣ?

ଉତ୍ତର:- ସିହିଙ୍କା।

ପ୍ରଶ୍ନକର୍ତ୍ତା:- ରଶ୍ମି ଦିଦି

ପ୍ରଶ୍ନ:- ଯେତେବେଳେ ଆମେ ଆମ ଘରେ କାଠରେ ମନ୍ଦିର ନିର୍ମାଣ କରିଥାଉ, ସେତେବେଳେ ସେଥିରେ ଗୁମ୍ବଦ (ଗୋଲାକାର କଳସ)) ରହିବା ଉଚିତ କି ନାହିଁ?

ଉତ୍ତର:- ସେମିତି କିଛି ନାହିଁ। ଯଦି ଏହା ତିଆରି କରାଯାଏ ତେବେ ଏହା ଠିକ୍, ନ ହେଲେ କିଛି ଫରକ ପଡ଼େ ନାହିଁ ।

ପ୍ରଶ୍ନକର୍ତ୍ତା:- ମନୀଷା ଦିଦି



ପ୍ରଶ୍ନ:-   ଷୋଡ଼ଶ ଅଧ୍ୟାୟରେ କୁହାଯାଇଛି ଯେ, ତିକ୍ତ, ଲୁଣିଆ, ଖଟା, ଏପରି ଖାଦ୍ୟ ତାମସିକ ଖାଦ୍ୟରେ ଆସିଥାଏ?

ଉତ୍ତର:- ଏମାନେ ରାଜକୀୟ ଖାଦ୍ୟରେ ଆସନ୍ତି।

ପ୍ରଶ୍ନ:- ତାମସୀ ଭୋଜନରେ ରେ କେଉଁ ପ୍ରକାର ଖାଦ୍ୟ ରହିଛି?

ଉତ୍ତର:- ବାସି, ପଚା, ଦୁର୍ଗନ୍ଧଯୁକ୍ତ ଓ ଅଇଁଠା ଖାଦ୍ୟ ତାମସୀ ଭୋଜନରେ ଆସିଥାଏ।

ପ୍ରଶ୍ନକର୍ତ୍ତା:- ମଞ୍ଜୁ ଦିଦି

ପ୍ରଶ୍ନ:- ବ୍ୟସ୍ତ ରହିବା କିମ୍ବା ସବୁବେଳେ କିଛି ନା କିଛି କାମ କରିବା କ'ଣ ସତ୍ତ୍ୱ ଗୁଣ ନୁହେଁ?

ଉତ୍ତର:- ଯଦି ଆପଣ ମାଳା କରିବେ କିମ୍ବା ପରମପ୍ରଭୁଙ୍କ ନାମ ଜପ କରନ୍ତି, ତେବେ ଏହା ସତ୍ତ୍ୱଗୁଣ ଅଧୀନରେ ଆସିଥାଏ ଏବଂ ଯଦି ଆପଣ କିଛି ନା କିଛି କାମ କରିବା ଜାରି ରଖନ୍ତି, ତେବେ ଏହା ରଜୋଗୁଣର ଅଧୀନରେ ଆସିଥାଏ। ମନ ଏତେ ଚଞ୍ଚଳ ଯେ ଆମେ ସର୍ବଦା କିଛି ନା କିଛି କରି ଚାଲିଥାଉ, ଯାହାକି ସତ୍ତ୍ୱଗୁଣ ବା ରଜୋଗୁଣ କିମ୍ବା ତମୋଗୁଣ, କିଛି ବି ହୋଇଥାଇପାରେ। ଆମେ କି ପ୍ରକାର କାର୍ଯ୍ୟ କରିବୁ, ଆମର କାର୍ଯ୍ୟକୁ ସେହିପରି ଭାବରେ ବିବେଚନା କରାଯିବ।

 ହରି ଶରଣଂ, ହରି ଶରଣଂ, ହରି ଶରଣଂ,

 ହରି ଶରଣଂ, ହରି ଶରଣଂ, ହରି ଶରଣଂ,

 ହରି ଶରଣଂ, ହରି ଶରଣଂ, ହରି ଶରଣଂ,

 ହରି ଶରଣଂ, ହରି ଶରଣଂ, ହରି ଶରଣଂ,

 ॥ ଓ‍ଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥