विवेचन सारांश
ସତ୍ତ୍ୱ, ରଜୋ, ତମ - ତ୍ରିଗୁଣର ଲକ୍ଷଣ
ଉପକ୍ରମଣିକା::
ପାରମ୍ପରିକ ଦୀପ ପ୍ରଜ୍ବଳନ, ଶ୍ରୀ ହନୁମାନ ଚାଳିଶା ପାଠ, ଶ୍ରୀ ଗୁରୁ ବନ୍ଦନା ଓ ଭଗବାନ ଶ୍ରୀକୃଷ୍ଣଙ୍କ ପଦବନ୍ଦନା କରି ଚତୁର୍ଦଶ ଅଧ୍ୟାୟର ମଧ୍ୟାଂଶର ବିବେଚନ ସତ୍ର ଆରମ୍ଭ ହେଲା।
ଆମମାନଙ୍କ ଉପରେ ଶ୍ରୀ ଭଗବାନଙ୍କର ଅସୀମ ଦୟା ହେତୁ, ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ପୁର୍ତ୍ତି ନିମିତ୍ତ, ମାନବ ଜୀବନକୁ ସଫଳ କରିବା ନିମିତ୍ତ ଆମେମାନେ ଚେଷ୍ଟିତ ହୋଇଅଛେ। ଏହି ଗୀତା ଯାତ୍ରାରେ ଆମର ଶ୍ରୀମଦଭଗବତଗୀତା ଶାସ୍ତ୍ରକୁ ବୁଝିପାରିବାର ଶକ୍ତି କିଛି ବଢିଛି ତଥା ଗୀତାଶାସ୍ତ୍ର କିପରି ଜୀବନର ଶାସ୍ତ୍ର ହୋଇପାରୁଛି, ସେ ବିଷୟରେ କିଛି କିଛି ଜାଣିପାରିଛେ।
ଗୀତା କୌଣସି ଏକ ଧର୍ମଶାସ୍ତ୍ର ନୁହେଁ। ପୂଜା କିପରି କରିବାକୁ ହେବ ବା ତିଳକ କିପରି ଧାରଣ କରାହେବ, ସେ ସମ୍ବନ୍ଧରେ ଏହି ଶାସ୍ତ୍ରରେ କୌଣସିଠାରେ କିଛି କୁହାଯାଇନାହିଁ। ଆମେ କିପରି ଜୀବନ ଅତିବାହିତ କରିବା ଓ କେଉଁ ଗୁଣ ଗ୍ରହଣ କରିବା, ସେ ବିଷୟରେ ଶ୍ରୀମଦ୍ଭଗବତ ଗୀତା ଆମକୁ ଶିକ୍ଷା ଦିଏ।
ଚତୁର୍ଦ୍ଦଶ ଅଧ୍ୟାୟର ଚିନ୍ତନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହା ଆମର ପରମ ସୌଭାଗ୍ୟ ଯେ ଆମେମାନେ ଏକତ୍ରିତ ହୋଇ ସେ ସମ୍ବନ୍ଧରେ ଆଲୋଚନା କରୁଛେ।
ଆମେ ଏହି ଜୀବନରେ ଗୀତାପାଠ କରିବାପାଇଁ ମନୋନୀତ ହୋଇଛେ। ଏହା ଆମର ଏହି ଜନ୍ମର ବା ପୂର୍ବ ଜନ୍ମର ସୁକାର୍ଯ୍ୟର ଫଳ, କି ଆମର ପୂର୍ବ ପୁରୁଷଙ୍କର ପୁଣ୍ୟ ଫଳ ବା କୌଣସି ଜନ୍ମରେ କୌଣସି ସାଧୁସନ୍ଥଙ୍କର ଆମ ଉପରେ ଥିବା କୃପାଦୃଷ୍ଟି ଯୋଗୁଁ ସମ୍ଭବ ହୋଇଛି, ତାହା ଆମ ପାଇଁ ଅଜ୍ଞାତ। କୌଣସି ପୁଣ୍ୟ ଫଳରୁ ବା କାହାର କୃପାର ପ୍ରଭାବ ଯୋଗୁଁ ଆମେ ଶ୍ରୀମଦ୍ଭଗବତଗୀତା ପାଇଁ ଉଦ୍ଦିଷ୍ଟ ହୋଇଛେ, ତାହା ଅତି ସୌଭାଗ୍ୟର ବିଷୟ ହୋଇଥିବାରୁ ଆମେ ଏହି ଚିନ୍ତନରେ ହେଳା କରିବାନାହିଁ।ଏହା ଆମପାଇଁ ସର୍ବୋତ୍ତମ ପ୍ରସାଦ। ଶ୍ରୀ ଭଗବାନ କହିଛନ୍ତି -
प्रसादे सर्वदुःखानां हानिरस्योपजायते ॥2:65।।
ଯେଉଁ ବ୍ଯକ୍ତି ପ୍ରସନ୍ନ ରହେ, ତା’ର ସମସ୍ତ ଦୁଃଖର ବିନାଶ ହୁଏ।
ସତ୍ତ୍ୱ, ରଜୋ ଓ ତମ ଆଦି ତ୍ରିଗୁଣ ଉପରେ ବିଜୟ ଲାଭ କରି ଶ୍ରୀହନୁମାନ ଗୁଣାତୀତ ଅବସ୍ଥା ପ୍ରାପ୍ତ କରିଛନ୍ତି। ଏହି ତିନି ଗୁଣ ହିଁ ସଂସାରରେ ଥିବା ଯେତେ ସବୁ ଆକର୍ଷଣ ଓ ଦେଖାଯାଉଥିବା ନାମ ରୂପ ଆଦିର ଭିନ୍ନତାର ମୂଳ କାରଣ। ଏହି ଗୁଣତ୍ରୟର ପ୍ରଭାବରେ ସମସ୍ତଙ୍କର ରୂପ, ଚକ୍ଷୁ ପିତୁଳା ଓ ଆଙ୍ଗୁଳି ଛାପ ଇତ୍ୟାଦି ଭିନ୍ନ ଭିନ୍ନ ହୁଏ। ନାରୀ, ପୁରୁଷ, ହାତୀ, ଘୋଡା, ବୃକ୍ଷ, ମୃତ୍ତିକା, ନଦୀ ଇତ୍ୟାଦି ଭିନ୍ନତାର ମୂଳ କାରଣ ହିଁ ଏହି ତିନି ଗୁଣ।
ଏକ ହଜାର ସ୍ତ୍ରୀଲୋକଙ୍କୁ ଏକାଠି କରି, ସମସ୍ତଙ୍କୁ ସମ ପରିମାଣରେ ଆଳୁ, ମସଲା ଓ ଅଟା ଦେଇ ଆଳୁ ତରକାରୀ ଓ ରୋଟି କରିବାଳୁ କୁହାଗଲେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ସ୍ୱାଦ ଭିନ୍ନ ଭିନ୍ନ ହେବ। ସମସ୍ତଙ୍କୁ ସମାନ ପରିମାଣରେ ଆଳୁ ମସଲା ଓ ଅଟା ଦିଆଗଲା, କିନ୍ତୁ କିଏ କିପରି ରୋଷେଇ କରିଛି, କେତେବେଳେ କେତେ ପରିମାଣର ମସଲା ପକେଇଛି, ତା ଉପରେ ଖାଦ୍ୟର ସ୍ୱାଦ ନିର୍ଭର କରେ। କାହାର ଅଧିକ ରାଗ ହେବ, କାହାର କେବଳ ସାଧା ହେବ। ରୋଟି ତରକାରୀର ସ୍ୱାଦ ଭିନ୍ନ ଭିନ୍ନ ହେବ ଓ ରୂପ ମଧ୍ୟ ଅଲଗା ଅଲଗା ହେବ। କୌଣସି ଦୁଇଜଣଙ୍କର ଖାଦ୍ୟର ସ୍ୱାଦ କେବେ ସମାନ ହେବ ନାହିଁ। ମୂଳ ପଦାର୍ଥ ଗୋଟିଏ କିନ୍ତୁ ପରିମାଣରେ ଅଳ୍ପ ପାର୍ଥକ୍ୟ ହେଲେ ରୂପ ରଙ୍ଗ ଓ ସ୍ୱାଦ କେତେ ବଦଳିଯାଉଛି। ଛୋଟ ଛୋଟ ପଦାର୍ଥରେ ମଧ୍ୟ ବଡ଼ ପାର୍ଥକ୍ୟ ଦେଖାଯିବା, ସାଧାରଣ କଥା।
ଏହିପରି ଏହି ତିନିଗୁଣର ପରିମାଣ କମ ବେଶି ହେଲେ ଭିନ୍ନ ଭିନ୍ନ ଯୋନି ଏବଂ ସମସ୍ତ ଗୁଣ ପ୍ରସ୍ତୁତ ହୁଅନ୍ତି। ଆମେ ତମଗୁଣକୁ ଶେଷ କରି ସତ୍ତ୍ୱଗୁଣୀ ହେବାପାଇଁ ଚିନ୍ତା କରିଲେ ମଧ୍ୟ ହୋଇପାରିବ ନାହିଁ। ଏହି ତିନି ଗୁଣ ମଧ୍ୟରୁ କୌଣସି ବି ଗୁଣକୁ କେହି କେବେ ସମାପ୍ତ କରି ପାରିବନାହିଁ। ଏମିତି ମଧ୍ୟ ହୋଇପାରିବ ନାହିଁ ଯେ କୌଣସି ଏକ ଗୁଣ କିଛି ସମୟ ପାଇଁ ସମାପ୍ତ ହେବ। ସତ୍ତ୍ୱ, ରଜୋ ଓ ତମୋଗୁଣ ପୃଥିବୀରେ ବ୍ୟାପ୍ତ ଅଟେ। ଏହି ତିନି ଗୁଣରୁ ଗୋଟିଏ ବି କମ ହୁଏ ନାହିଁ, କିନ୍ତୁ ତାର ମାତ୍ରା ଅଳ୍ପ ବେଶି ହୋଇପାରେ। ପ୍ରକୃତିରେ ଏହି ତ୍ରିଗୁଣର ଅବସ୍ଥିତି ଅନିବାର୍ଯ୍ୟ।
ଆମେ କେବେ ଦିନ ତମାମ ଚିନ୍ତନ କରିଲେ ଆମର ସତ୍ତ୍ୱଗୁଣ ଅଧିକ ହୁଏ। କେବେ ରଜଗୁଣ ପ୍ରଧାନ ହୁଏ ତ କେବେ ତମଗୁଣ ପ୍ରଧାନ ହୁଏ। ବେଳେ ବେଳେ ଆମର ଗୀତାପାଠରେ ମନ ଲାଗେ। ବିବେଚନ ଶୁଣୁ ଶୁଣୁ ସମୟ ଜଣାପଡେ ନାହିଁ। ଗୀତା ଶ୍ରେଣୀରେ ଆନନ୍ଦ ଲାଗେ, ଧ୍ୟାନ କରିବାରେ ମନ ଲାଗେ। ବେଳେ ବେଳେ ଧ୍ୟାନରେ, ପୂଜାରେ, ବିବେଚନରେ ବା ସତସଙ୍ଗରେ ମନ ଲାଗେନାହିଁ, ଶ୍ରେଣୀରେ ନାମ ଡାକିଲେ ମଧ୍ୟ ଶୁଣା ଯାଏନାହିଁ।
ଆମେ ବସିଥିଲେ ମଧ୍ୟ ମନ କୁଆଡେ ଭ୍ରମଣ କରୁଥାଏ ଜଣାପଡ଼େନି। ସବୁଦିନେ ତ ପୂଜା କରୁଛେ, ଦିନେ ନ କରିଲେ କଣ ହେବ ବୋଲି ବେଳେ ବେଳେ ମନରେ ଆସେ। ଆଜି ଜରୁଆ ଲାଗୁଛି, ଥଣ୍ଡା ହେଉଛି, ଉଠିବାକୁ ମନ ହେଉନି ବୋଲି ଆମେ ବେଳେ ବେଳେ ବାହାନା କରୁ, ସେତେବେଳେ ତମୋ ଗୁଣ ପ୍ରଧାନ ଥାଏ। କେବେ କେବେ ଆମେ ଦିନକରେ ତିନି ଗୁଣ ଗ୍ରହଣ କରିଥାଉ। ପ୍ରଭାତରେ ସତ୍ତ୍ୱ ଗୁଣ ପ୍ରଧାନ, ଦ୍ବି ପ୍ରହରରେ ରଜୋଗୁଣ ଓ ରାତିରେ ତମଗୁଣ ପ୍ରଧାନ ହୋଇଥାଏ।
ଆମେ କିପରି ଜାଣିବା ଯେ କେତେବେଳେ କେଉଁ ଗୁଣର ପ୍ରାଧାନ୍ୟତା ଆସିଥାଏ?
14.11
ସର୍ବଦ୍ୱାରେଷୁ ଦେହେଽସ୍ମିନ୍, ପ୍ରକାଶ ଉପଯାୟତେ।
ଜ୍ଞାନଂ(ମ୍) ୟଦା ତଦା ବିଦ୍ୟାଦ୍, ବିବୃଦ୍ଧଂ(ମ୍) ସତ୍ତ୍ୱମିତ୍ୟୁତ॥11॥
ବିବେଚନ :-
ଶ୍ରୀଭଗବାନ କହୁଛନ୍ତି, ହେ ଅର୍ଜୁନ! ଯେତେବେଳେ ମନୁଷ୍ୟର ଅନ୍ତଃକରଣରେ, ଚୈତନ୍ୟ ଓ ବିବେକ ଶକ୍ତି ଉଦ୍ରେକ ହୁଏ, ସେତେବେଳେ ସତ୍ତ୍ୱଗୁଣ ବୃଦ୍ଧି ପାଉଛି ବୋଲି ଜାଣିବାକୁ ହେବ।
ଶ୍ରୀଭଗବାନ “ସର୍ବଦ୍ୱାରେଷୁ” (ସମସ୍ତ ଦ୍ୱାରରେ) କହିଛନ୍ତି ଓ “ନବଦ୍ୱାରେ ପୁରେ ଦେହୀ”(ନ ଟି ଦ୍ୱାର ଥିବା ନଗରରେ) ର କଥା କହିଛନ୍ତି।
“चेतनता की दृष्टि से पाँच और अन्तःकरण की दृष्टि से चार।”
ଶ୍ରୀ ଭଗବାନ କୁହନ୍ତି, ଏହି ଦେହରେ ନଅଟି ଦ୍ୱାର ଅଛି - ଚେତନା ଦୃଷ୍ଟିରୁ ପାଞ୍ଚ ଦ୍ୱାର ଏବଂ ଅନ୍ତଃକରଣ ଦୃଷ୍ଟିରେ ଚାରିଟି ଦ୍ୱାର।
ପାଞ୍ଚଟି ଦ୍ୱାର ଜ୍ଞାନେନ୍ଦ୍ରିୟର, ଓ ଅନ୍ତଃକରଣର ଚାରୋଟି - ମନ, ବୁଦ୍ଧି, ଚିତ୍ତ ଓ ଅହଂକାର।
ପାଞ୍ଚଟି ଇନ୍ଦ୍ରିୟରେ ଆମେ ଚେତନା ରୂପରେ କଣ କରୁଛେ ତାହା ମହତ୍ତ୍ୱପୂର୍ଣ୍ଣ। ଆଖିରେ ଦେଖନ୍ତି; - କଣ ଦେଖିବା କଥା, କଣ ଦେଖିବା କଥା ନୁହେଁ, କାନରେ ଶୁଣନ୍ତି; - କଣ ଶୁଣିବା କଥା ଓ କଣ ଶୁଣିବା କଥା ନୁହେଁ ଏହା ସ୍ପଷ୍ଟ ହେବା ଉଚିତ।
इन्द्रियों का प्रकाश अर्थात स्पष्टता। - ଇନ୍ଦ୍ରିୟ ମାନଙ୍କର ପ୍ରକାଶର ଅର୍ଥ ସ୍ପଷ୍ଟତା
ଆମେ କେବଳ ଆଖିରେ ଦେଖୁନି ବା ଚର୍ମରେ ସ୍ପର୍ଶ କରୁନି, ବରଂ ଆମର ସମସ୍ତ ଇନ୍ଦ୍ରିୟ, ବିଷୟଗୁଡିକୁ ସ୍ପର୍ଶ କରନ୍ତି। କାନ ଶବ୍ଦକୁ ଓ ନାକ ଗନ୍ଧକୁ ସ୍ପର୍ଶ କରେ। ଇନ୍ଦ୍ରିୟଗୁଡିକ ନିଜ ନିଜ ବିଷୟକୁ ସ୍ପର୍ଶ କରନ୍ତି।
प्रकाश का अर्थ है सही देखना। - ପ୍ରକାଶର ଅର୍ଥ ହେଉଛି ଉଚିତ ଦେଖିବା।
କରଣୀୟ ଓ ଅକରଣୀୟ ବିଷୟରେ ମନରେ ସ୍ପଷ୍ଟତା ରହିବା ଉଚିତ।
(Are we clear about that. What to do, what not to do.) - (Do's and Don't)
ଆମକୁ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ମଧ୍ୟରେ ପ୍ରଭେଦ ବୁଝିବା ଉଚିତ୍।
ଆମେ ଆମର ମନ, ବୁଦ୍ଧି ଓ ଚିତ୍ତ ମଧ୍ୟରେ ପାକୁଳି କରୁଛେ। ଆମେ ଆମର ବୁଦ୍ଧିକୁ ଉଚିତ କଥା ବୁଝିବାରେ ନ ଖଟେଇ ଆମର ଅନୁଚିତ କଥାକୁ ଉଚିତ୍ ବୋଲି ପ୍ରମାଣ କରେଇବାରେ ନିୟୋଜିତ କରୁଛେ। ଯାହା, ଯେପରି ବି ହେଉ, ନିଜର କଥାକୁ ଠିକ ସିଦ୍ଧ କରିବାକୁ ଯୁକ୍ତି କରୁଛେ। ପୂଜା ନକରିଲେ, ପୂଜା ନ’କରିବାର କାରଣ ଖୋଜି ବୁଲୁଛେ। ପୂଜା କରିବାରେ ଲାଭ କଣ ବୋଲି ପ୍ରଶ୍ନ କରୁଛୁ।
मन चङ्गा तो कठौती में गङ्गा
ମନ ସ୍ୱଚ୍ଛଥିଲେ କଠୌତି ଗଙ୍ଗା ସମ ପ୍ରତୀତ ହୁଏ।
ନିଜର କଥାକୁ ଠିକ ପ୍ରମାଣ କରେଇବାର କାରଣ ଖୋଜିନେଉଛୁ । ”ମୋର ଚିନ୍ତା, ମୋର ନିର୍ଣ୍ଣୟ, ମୋର ଧ୍ୟାନ” କେଉଁ ଦିଗରେ ପରିଚାଳିତ ହେଉଛି, ତାହା ଚିନ୍ତା କରିବା ଉଚିତ।
We need not to justify our actions, we need to be righteous.
ଆମକୁ କିଛି ପ୍ରମାଣ କରିବାର ଆବଶ୍ୟକତା ନାହିଁ। ଆମକୁ ନୀତିଯୁକ୍ତ ଯଥାର୍ଥ ମାର୍ଗ ବାଛିବାକୁ ପଡିବ। ତାହାହିଁ ପ୍ରକାଶ।
ଆମେ ଉଚିତ ଅନୁଚିତ ମଧ୍ୟରେ ପାର୍ଥକ୍ୟ ଜାଣିବା ଆବଶ୍ୟକ। ଯିଏ ନିଜ ସମ୍ବନ୍ଧରେ, ନିଜର ଭୁଲ ବିଷୟରେ, ଉଚିତ୍ କର୍ତ୍ତବ୍ୟ ସମ୍ବନ୍ଧରେ ଯେତେ ଜାଣିପାରେ, ତାର ସତ୍ତ୍ୱଗୁଣ ସେତେ ଅଧିକ। ଭୁଲ କରିବା ବଡ କଥା ନୁହେଁ। ମନୁଷ୍ୟର ତ ଭୁଲ ହେବ, କିନ୍ତୁ ଭୁଲକୁ ସ୍ୱୀକାର କରୁଛେ କି ନାହିଁ, ତାହା ମହତ୍ତ୍ୱପୂର୍ଣ୍ଣ।
ମୁଁ ସକାଳେ ଡେରିରେ ଉଠେ। ମୁଁ ଜାଣେ ଏହା ଠିକ ନୁହେଁ। କିନ୍ତୁ ମୁଁ ଏହି ଭୁଲ କରେ। ମୋର ଏହି ଭୁଲ କାମକୁ ଠିକ ବୋଲି ପ୍ରମାଣିତ କରିବାପାଇଁ ଅନେକ କଥା କହେ, ଯେପରି ‘ଆରେ ମୁଁ କଣ କରିବି ମୋର ଜୀବନର ଢଙ୍ଗ ଏମିତି, ଘରର ବ୍ୟବସ୍ଥା ଏମିତି, ଦିନର କାମ ଏମିତି ଯେ ଡେରି ହୋଇଯାଉଛି।” ମୁଁ ଭୁଲ କରୁଛି କିନ୍ତୁ ଭୁଲକୁ ଭୁଲ ବୋଲି ମାନୁନାହିଁ।
କେତେକ ଲୋକ ଖାଇବାଥାଳିରେ କିଛି ଅଇଁଠା ଛାଡି, କୁହନ୍ତି ଯେ, ସେ ପତ୍ନୀ ପ୍ରେମରେ ଏପରି କରିଛନ୍ତି, ଏଥିରେ ସେମାନଙ୍କର ପ୍ରେମ ବଢେ। ଅଇଁଠା ଛାଡ଼ିବାର ଅଭ୍ୟାସକୁ ପତ୍ନୀପ୍ରେମ କହିବା ଠିକ୍ ନୁହେଁ। ଭୁଲ କରିଲାବେଳେ ଭୁଲ କରୁଛି ବୋଲି ମନରେ ବିଚାର ଆସୁଥିଲେ ମଧ୍ୟ ମନକୁ ନିୟନ୍ତ୍ରଣ କରିହୁଏନାହିଁ। ମନରେ ଆସୁଥିବା ବନ୍ଧନରେ ପଡିବା ଅନୁଚିତ ଜାଣି ମଧ୍ୟ ବନ୍ଧନରେ ପଡିଯାଉ। ମନରେ ଆସେ କି କହିବା କଥା ନୁହେଁ, କିନ୍ତୁ କହିଦେଉ।
ସତ୍ତ୍ୱଗୁଣର ଅଭାବରୁ ଏହା ହୁଏ। ସତ୍ତ୍ୱ ଥିଲା କିନ୍ତୁ ସମ୍ପୂର୍ଣ୍ଣ ନଥିଲା। ଭୁଲ କାମ ନ’କରିବାକୁ ମନ କହୁଥିଲା କିନ୍ତୁ କାର୍ଯ୍ୟକାରୀ ହେଉନଥିଲା। ଦ୍ଵିତୀୟ ଅଧ୍ୟାୟର ସପ୍ତମ ଶ୍ଳୋକରେ ଅର୍ଜୁନ ପଚାରିଛନ୍ତି -
कार्पण्यदोषोपहतस्वभावः
पृच्छामित्वां धर्मसम्मूढचेताः।
ଅସମଞ୍ଜସ ଯେତେ ଅଧିକ ହବ, ସତ୍ତ୍ୱଗୁଣ ସେତେ କମ ହେବ।
ଯେତେବେଳେ ଆମେ ଜୀବନରେ,କ’ଣ କରିବି, କ’ଣ ନ କରିବି, ଠିକ-ଭୁଲ, ସ୍ଥିର କରି ନ’ପାରୁ ସେତେବେଳେ ସତ୍ତ୍ୱ ଗୁଣ କମ ହୁଏ।
ଥରେ ମେଳାରେ ଜଣେ ସେଠଙ୍କର ପର୍ସ (ଟଙ୍କାଥଳୀ) ହଜିଗଲା। ସେଥିରେ କ୍ରେଡିଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଅତ୍ୟାବଶ୍ୟକ କାଗଜ ଓ ଟଙ୍କା ଥିଲା। ଯିଏ ତାଙ୍କ ପର୍ସ ଆଣିଦେବ ତାକୁ ହଜାରେ ଟଙ୍କା ପୁରସ୍କାର ଦେବେ ବୋଲି ସେ ମେଳାରେ ଘୋଷଣା କରେଇଲେ। ଜଣେ ସାଧୁ ସେ ପର୍ସଟି ପାଇଲେ ଓ ସେଠଙ୍କୁ ଦେଇଦେଲେ। ସେଠ ପର୍ସ (ବଟୁଆ,) ପାଇ ଖୁସି ହେଲେ।
କିନ୍ତୁ ଟଙ୍କା ନ ଦେବାକୁ ଲୋଭୀ ସେଠ ଉପାୟ ଚିନ୍ତା କରିଲେ। ସେ କହିଲେ ‘ଏହି ବଟୁଆରେ ଦଶ ହଜାର ନୁହେଁ ଏଗାର ହଜାର ଟଙ୍କା ଥିଲା। ତମେ ହଜାରେ ଟଙ୍କା ଚୋରି କରିଛ।`ସାଧୁ ଅପମାନିତ ବୋଧ କରିଲେ ଏବଂ ତାଙ୍କ ବିରୁଦ୍ଧରେ ଚୋରି ଅଭିଯୋଗ, ଆଣିବାରୁ ସେ ବିବ୍ରତ ହୋଇଗଲେ। ତାଙ୍କ ସହିତ ଅନ୍ୟାୟ ହେବାର ଦେଖି ଅନ୍ୟ ଏକ ସାଧୁ ନ୍ୟାୟାଧୀଶ ହୋଇ ବିଚାର କରିବାକୁ ଉପସ୍ଥିତ ହେଲେ। ସେ ଦୁଇଜଣଙ୍କ କଥା ଶୁଣିଲେ। ସେମାନଙ୍କୁ ଦେଖି କାହାର କେତେ ସତ୍ତ୍ୱ ଭାବ, ସେ ବିଷୟରେ ଅନୁମାନ କରିନେଲେ।
ବ୍ୟକ୍ତି ଜଣଙ୍କ ଠାରେ ସତ୍ତ୍ୱ ଭାବ ନଥିଲା କିନ୍ତୁ ସାଧୁଙ୍କ ରୂପ ତେଜିୟାନ ଥିଲା। ବିଚାରକ ସାଧୁ କହିଲେ, “ଆପଣଙ୍କ ବଟୁଆରେ ଏଗାର ହଜାର ଟଙ୍କା ଥିଲା, କିନ୍ତୁ ଏହି ବଟୁଆରେ ଦଶହଜାର ଟଙ୍କା ଥିବାରୁ ଏହା ଆପଣଙ୍କର ନୁହେଁ।” ନିଜର ସବୁ ଟଙ୍କା ହାତରୁ ଚାଲି ଯାଉଥିବାର ଦେଖି ଲୋକ ଜଣଙ୍କ ବିଚଳିତ ହୋଇ କହିଲେ, “ମୁଁ ମିଛ କହିଥିଲି, ଏହି ବଟୁଆଟି ମୋର,ଏଥିରେ ଦଶହଜାର ଟଙ୍କା ଥିଲା।”
ଯାହାର ସତ୍ତ୍ୱ ଭାବ ଦୁର୍ବଳ ତାହାର ଭାବନା ଅସ୍ଥିର। ସେ ଲୋକ ଜଣକ ସାଧୁଙ୍କ ଗୋଡ ଧରି ପର୍ସଟି ତାଙ୍କର ବୋଲି କହିଲେ। ଦ୍ଵିତୀୟ ସାଧୁ କହିଲେ - ‘ବର୍ତ୍ତମାନ ଆପଣ ଏହାଙ୍କୁ ଦୁଇ ହଜାର ଟଙ୍କା ଦେବେ।” ଏହା ସାଧୁ ମହାରାଜଙ୍କର ବୁଦ୍ଧିର ସ୍ପଷ୍ଟତା।
ଶ୍ରୀ ଭଗବାନ କହିଛନ୍ତି - ପ୍ରକାଶଂ ଜ୍ଞାନଂ
ସତ୍ତ୍ୱଗୁଣର ଭାବନାରେ ସ୍ପଷ୍ଟ ବିଚାର ଓ ବିବେକ ଆସେ। ଯେତେବେଳେ ଆମର ବିବେକ ଜାଗ୍ରତ ହୁଏ, ପ୍ରତ୍ୟେକ କଥାରେ ସ୍ୱଚ୍ଛ ସିଦ୍ଧାନ୍ତ ଗ୍ରହଣ କରିବାର କ୍ଷମତା ଆସେ, ସେତେବେଳେ ଆମର ସତ୍ତ୍ୱଗୁଣ ବୃଦ୍ଧିପ୍ରାପ୍ତ ହେଉଛି ବୋଲି ବିଶ୍ୱାସ କରିବା ଉଚିତ୍।
ଲୋଭଃ(ଫ୍) ପ୍ରବୃତ୍ତିରାରମ୍ଭଃ(ଖ୍), କର୍ମଣାମଶମଃ(ସ୍) ସ୍ପୃହା।
ରଜସ୍ୟେତାନି ଜାୟନ୍ତେ, ବିବୃଦ୍ଧେ ଭରତର୍ଷଭ॥12॥
ବିବେଚନ :-
ଶ୍ରୀ ଭଗବାନ କହନ୍ତି ଯେ,”ଅର୍ଜୁନ! ରଜୋଗୁଣ ବଢିଲେ, ଲୋଭ, ପ୍ରବୃତ୍ତି, କର୍ମବୃତ୍ତି ସହ - ଦୈନନ୍ଦିନ କର୍ମର ସକାରାତ୍ମକ ଭାବନା ଆରମ୍ଭ ହୋଇ, ଅଶ୍ମ, ସ୍ପ୍ରୁହା, ଅସ୍ଥିରତା, ଅଶାନ୍ତି ଏବଂ ବିଷୟଭୋଗର ଲାଳସା ଉତ୍ପନ୍ନ ହୁଏ।
ଶ୍ରୀଭଗବାନ ଏଠାରେ ରଜୋଗୁଣର ପାଞ୍ଚଟି ବୈଶିଷ୍ଟ୍ୟ ବର୍ଣ୍ଣନା କରିଛନ୍ତି।
*ଲୋଭ -
ଏଠାରେ ଆମକୁ ପାଞ୍ଚଟି ମୌଳିକ ବିକାର ବା ନକାରାତ୍ମକ ଗୁଣ ବିଷୟରେ କୁହାଯାଇଛି - କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର।
ଶ୍ରୀ ଭଗବାନ କହନ୍ତି ଯେ ରଜୋଗୁଣ ବଢ଼ିଲେ ଏହି ପାଞ୍ଚଟି ପରିବର୍ତ୍ତିତ ଗୁଣ ଆସିଥାଏ - କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର।
ଏହି ୫ଟି ମଧ୍ୟରୁ ୪ଟିର ସୀମା ରହିଛି କିନ୍ତୁ ଲୋଭ ଅସୀମିତ। ଯିଏ ଅଧିକ ଲୋଭ ରଖେ, ତା'ର ଲୋଭ କେବେ ବି ପୂରଣ ହେବ ନାହିଁ।
ଏକ ନିର୍ଦ୍ଦିଷ୍ଟ ବୟସ ପରେ,ଏକ ନିର୍ଦ୍ଦିଷ୍ଟ ଅବସ୍ଥା ପରେ ଇଚ୍ଛାକାରୀଙ୍କ କାମନା ମଧ୍ୟ କମିଯାଏ କିମ୍ବା ଶାନ୍ତ ହୋଇଯାଏ। ଏପରିକି କାମନା କରୁଥିବା ଲୋକମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସ ପରେ ନିଜ ସୀମିତ କାମନାରେ ସନ୍ତୁଷ୍ଟ ହୋଇଯାଆନ୍ତି। ଏପରିକି ଯେଉଁମାନେ କ୍ରୋଧିତ ହୁଅନ୍ତି ସେମାନଙ୍କର ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସ ପରେ, କ୍ରୋଧ କମିଯାଏ, କିନ୍ତୁ ଲୋକମାନେ ଅଶୀ କିମ୍ବା ୮୫ ବର୍ଷ ବୟସରେ ମଧ୍ୟ ନିଜର ଲୋଭ ହରାଇନ’ଥାନ୍ତି। ଯାହାର ଲୋଭ ବିକାର ପ୍ରବଳ ହୋଇଥାଏ, ତାଙ୍କର ଲୋଭ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆଗକୁ ବଢି ଚାଲିଥାଏ।
ସତ୍ସଙ୍ଗ କରିବା ଦ୍ୱାରା ଲୋଭ କମିଯାଏ।
ଲୋଭର ପ୍ରକାରଗୁଡିକ ନିମ୍ନଲିଖିତ ଅଟେ: -
ଲାଭ ରୁ ଲୋଭ - ବ୍ୟକ୍ତି ଯେତେ ଅଧିକ ଲାଭବାନ ହୁଏ, ତା'ର ଲୋଭ ସେତେ ବଢ଼ିଥାଏ। ଗୋସ୍ୱାମୀ ତୁଳସୀଦାସ ଜୀ କହନ୍ତି:
जिमि प्रतिलाभ लोभ अधिकाई
କୁମ୍ଭମେଳାକୁ ସବୁ ସ୍ତରର ଲୋକ ଆସନ୍ତି। ଧନୀରୁ ଧନୀ ଏବଂ ଗରିବରୁ ଗରିବ। ସଙ୍ଗମରେ ସମସ୍ତେ ଏକାଠି ଗାଧୋଉଛନ୍ତି। ଯଦି ଆପଣ ସେଠାରେ ଦେଖିବେ, ତେବେ ଏମିତି ଜଣେ ବ୍ୟକ୍ତି ଥିବେ ଯିଏ ମାତ୍ର ଦୁଇଶହ ଟଙ୍କା ନେଇ ଆସିଥିବେ, ଯାହାକୁ ସେ ନିଶ୍ଚୟ ବହୁତ କଷ୍ଟରେ ସଂଗ୍ରହ କରିଥିବେ। କୁମ୍ଭ ମେଳାରେ ଦୁଇଶହ ଟଙ୍କା ସହ ଆସିଥିବା ଲୋକଙ୍କ ସଂଖ୍ୟା ଲକ୍ଷଲକ୍ଷରେ ଥାଏ। ସେମାନେ ନିଜର ଖର୍ଚ୍ଚରୁ କାଟି କୁମ୍ଭ ଦର୍ଶନ କରିବାର ଇଚ୍ଛା ନେଇ ଆସନ୍ତି।
ପଣ୍ଡିତ ଠକମାନେ ତାଙ୍କୁ ଘେରି କୁହନ୍ତି, ”ଆପଣ ଗାଧୋଇ ଏମିତି ଚାଲିଯିବେ କି? ଆପଣଙ୍କୁ ପ୍ରାର୍ଥନା କରିବାକୁ ପଡିବ।” ପୂଜାରେ କରିବା ପାଇଁ ମାତ୍ର ଏଗାର ଟଙ୍କା ଖର୍ଚ୍ଚ ହେବ ଶୁଣି, ସେମାନେ ହଁ କୁହନ୍ତି।
ପଣ୍ଡିତଜୀ କିଛି ସଂକଳ୍ପ କରନ୍ତି ଏବଂ ମନ୍ତ୍ର ଜପ କରନ୍ତି। ବ୍ୟକ୍ତି ଜଣକ ନିଷ୍ଠାର ସହ ମୁଣ୍ଡ ନୁଆଁଇଥାନ୍ତି। ତା'ପରେ ପଣ୍ଡିତଜୀଙ୍କ କହିବା ଅନୁଯାୟୀ, ସେ ଗୌଡଦାନ ପାଇଁ ଦଶ ଟଙ୍କା, ଘାଟ ସଫା କରିବା ପାଇଁ ଦଶ ଟଙ୍କା ଗୋଟିଏ ବ୍ରାହ୍ମଣ ଭୋଜିର ମୂଲ୍ୟ ପାଞ୍ଚ ଟଙ୍କା ଇତ୍ୟାଦି ପାଇଁ ମଧ୍ୟ ପ୍ରସ୍ତୁତ ହୁଅନ୍ତି। କାରଣ ତାଙ୍କର ଏହି ଦୁଇଶହ ଟଙ୍କା ତାଙ୍କ ଯାତ୍ରା ଭଡ଼ା, ଭୋଜନ ଏବଂ କୁମ୍ଭ ଦର୍ଶନରେ ଖର୍ଚ୍ଚ କରିବାର ଇଚ୍ଛା ଥିଲା। ସନ୍ଧ୍ୟାରେ ଘରକୁ ଯିବା ପରେ ସେ ଖୁସିରେ କୁହନ୍ତି ଯେ, ଶ୍ରୀ ଭଗବାନଙ୍କ କୃପାରେ ସେ ଏକ ଭଲ ତୀର୍ଥଯାତ୍ରା କରିଛନ୍ତି, ଏକ ଭଲ ସ୍ନାନ କରିଛନ୍ତି, ପୂଜା କରିଛନ୍ତି ଏବଂ ସେ ଗାଈକୁ ଦାନ ମଧ୍ୟ କରିଛନ୍ତି।
ମଧ୍ୟବିତ୍ତ, ଉଚ୍ଚ ମଧ୍ୟବିତ୍ତ ଓ ଉଚ୍ଚଶ୍ରେଣୀର ପରିବାର ସ୍ନାନ କରି ବିନା ଟଙ୍କାରେ ତିଳକ ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦେବେନାହିଁ। ଯଦି ପଣ୍ଡିତଜୀ ତାଙ୍କୁ କୁମ୍ଭରେ ସ୍ନାନ କରିବା ପରେ ପୂଜା କରିବାକୁ କୁହନ୍ତି, ତେବେ ସେ ବହୁତ କଷ୍ଟରେ ପ୍ରସ୍ତୁତ ହେବେ ଏବଂ ତା'ପରେ ଯଦି ପଣ୍ଡିତଜୀ ଗୋଦାନର ସଂକଳ୍ପ ନେବା ପାଇଁ କୁହନ୍ତି, ତେବେ ସେ ଏଥିପାଇଁ ମନା କରି ପରେ କରିବାର ବାହାନା କରିବେ।
ଏପରି ବ୍ୟକ୍ତି ଘରକୁ ଯାଇ ବହୁତ ଦୁଃଖିତ ହେବେ ଯେ ପୂଜକ ଇତ୍ୟାଦି ଦୁର୍ବୃତ୍ତମାନେ ତାଙ୍କୁ ଠକିନେଲେ। ଶାସନ ବ୍ୟବସ୍ଥାର ନିନ୍ଦା କରିବେ। ଶହେ ଟଙ୍କା କହି ପୂଜାରେ ବସାଇ ୫ଶହ ଟଙ୍କା ନେଇଯିବା ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ଚିନ୍ତା କରିବେ। ତାଙ୍କ ପାଖରେ ଯେତେ ଅଧିକ ଟଙ୍କା ରହିବ, ସେ ସେତେ ଅଧିକ କଞ୍ଜୁସ ହେବେ, ଯଦିବା ସେ କୋଟି କୋଟି ଟଙ୍କାର ମାଲିକ ହୋଇଥାନ୍ତି। ଜଣେ ଗରିବ ବ୍ୟକ୍ତି କେବେ ବି କହିବ ନାହିଁ ଯେ ସେ ପ୍ରତାରିତ ହୋଇଛି ।
ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ କୁମ୍ଭ ଦର୍ଶନ କରିବାକୁ ଆଦୌ ଯାଆନ୍ତି ନାହିଁ। ଏହା ହେଉଛି ଜୀବନର ସୁତ୍ର ଯେ ଜୀବନରେ ଯେତେ ଅଧିକ ଟଙ୍କା ଆସେ, ସେହି ଟଙ୍କା ପାଇଁ ଲୋଭ ସେତେ ବଢିଥାଏ। ଯେଉଁମାନଙ୍କ ପାଖରେ ପଇସାର ଅଭାବ ରହିଛି ସେମାନେ ସହଜରେ ଟଙ୍କା ଖର୍ଚ୍ଚ କରିଦିଅନ୍ତି। ଗାଁର ଲୋକମାନେ ପରସ୍ପରକୁ ସହଜରେ ସାହାଯ୍ୟ କରନ୍ତି, କିନ୍ତୁ ହାଉସିଂ ସୋସାଇଟିରେ ରହୁଥିବା ଲୋକମାନେ ପରସ୍ପରକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି।
ପଇସା ଯେତେ ବଢିବ, ମଣିଷ ସେତେ ଅଧିକ କୃପଣ ହୁଏ। ଜଣେ ଗରିବ ବ୍ୟକ୍ତି ଟଙ୍କା ଲୋଭୀ ନୁହଁନ୍ତି, ବରଂ ଧନୀ ବ୍ୟକ୍ତି ସର୍ବଦା ଟଙ୍କା ଲୋଭୀ ହୋଇଥାନ୍ତି। ଯେତେବେଳେ ଆମ ପାଖରେ ପଇସା କମ୍ ଥାଏ, ଆମେ ଏହାକୁ ସହଜରେ ଅନ୍ୟଉପରେ ଖର୍ଚ୍ଚ କରିଥାଉ, କିନ୍ତୁ ଯେତେବେଳେ ଟଙ୍କା ବଢିଯାଏ, ଶହେ ଟଙ୍କା ମଧ୍ୟ ଦେବା କଷ୍ଟକର ହୋଇଥାଏ।
ଆମର ସାମର୍ଥ୍ୟ ବଢିବା ସହିତ ଆମର କୃପଣତା ବଢିଥାଏ। ଉଦାରତା କମି କମି ଯାଏ। ଜଣେ ଧନୀ ବ୍ୟକ୍ତି ନିଜ ରୋଜଗାରର ସେତିକି ଭାଗ ଗରିବ ମଣିଷ ଭଳି ବାଣ୍ଟି ପାରିବ ନାହିଁ।
ନିଜ ପ୍ରତି ଲୋଭ -
ମୁଁ, ମୋ ପରିବାର, ମୋ ପତ୍ନୀ, ମୋ ପିଲାମାନେ, ମୋର ପିତାମାତା,ଏଇମାନଙ୍କୁ ଦାୟିତ୍ୱ ଭାବନ୍ତି । “ମୋର ପିତାମାତାଙ୍କ” ଉପରେ ବିଶ୍ୱାସ କରୁଥିବା ବହୁତ କମ୍ ଲୋକ ମଧ୍y ଅଛନ୍ତି । ସେମାନଙ୍କ ନୀତି ହେଉଛି-
हम दो हमारे दो, बूढ़ा बूढ़ी जाने दो।
ଧନ ଲୋଭ -
ଲାଭ ସହିତ ଲୋଭ ବଢିଥାଏ, ଅତ୍ୟଧିକ ଲାଭରେ ଅତ୍yଧିକ ଲୋଭ ବଢିଥାଏ।
ଯଶ ଲୋଭ -କାମ ଅନ୍ୟମାନେ କରନ୍ତି, କିନ୍ତୁ ମନରେ ଇଚ୍ଛା ଆସେ ଯେ ମୁଁ ଯଶ ବା ପ୍ରସିଦ୍ଧି ପାଇଯିବି। କମ୍ କାମ କରିବା ସତ୍ତ୍ୱେ ଅଧିକ ପ୍ରସିଦ୍ଧି ପାଇବାର ଆଶା ରହେ। ଥରେ ସାମ୍ନାରେ (front) ବସିବା ପରେ ସବୁବେଳେ ସାମ୍ନାରେ ବସିବାର ଇଚ୍ଛା ରହିଥାଏ। ଆମେ ଯାହା ବି କରୁ, ତାହା କାର୍ଯ୍ୟ ଭାବନା ଦ୍ୱାରା ପ୍ରେରିତ ନ’ଥାଏ, ବରଂ ମୋତେ ପ୍ରସିଦ୍ଧି ମିଳିବ କି ନାହିଁ ସେହି ଭାବନା ଦ୍ୱାରା ପ୍ରେରିତ ଥାଏ।
ସମ୍ପତ୍ତି ଲୋଭ -
ସମ୍ପତ୍ତିର ଉଭୟ ଲାଭ ଓ ଆକର୍ଷଣ ରହିଛି। ଏହା ହେଉଛି ଏକମାତ୍ର ନିଷ୍କ୍ରିୟ ପଦାର୍ଥ ଯାହା ଉଭୟ ଆକର୍ଷଣ ଏବଂ ଲୋଭ ସୃଷ୍ଟି କରେ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଖାଇବା ପାଇଁ ପଇସା ନାହିଁ, କିନ୍ତୁ ବଡ ଘର ଅଛି। ସେମାନେ ବଡ ଘରେ, ଅଭାବ କଷ୍ଟରେ ଜୀବନ ଯାପନ କରିବେ, କିନ୍ତୁ ସେମାନେ ଘର ବିକ୍ରି କରି ଛୋଟ ଘର ନେଇ ଭଲ ଭାବେ ବଞ୍ଚିବେ ନାହିଁ। ସେମାନଙ୍କର ଘର ପ୍ରତି ଲୋଭ ଥାଏ। ସେମାନେ ଅନୁଭବ କରନ୍ତି ଯେ ତାହା ତା’ଙ୍କର ପୂର୍ବପୁରୁଷଙ୍କ ଘର, ସେଠାରେ ତା’ଙ୍କର ପିଲାଦିନ ବିତିଛି କିମ୍ବା ସେଭଳି କୌଣସି ବ୍ୟକ୍ତିଙ୍କ ସ୍ମୃତି ସେଠାରେ ଅଛି।
ପୁରୁଷମାନଙ୍କର ଜମି ପ୍ରତି ଲୋଭ ଓ ମୋହ ଥାଏ ଏବଂ ମହିଳାମାନେ ଅଳଙ୍କାର ପ୍ରତି ମୋହିତ ହୋଇ ଲୋଭ ରଖନ୍ତି।
ପଦ ଲୋଭ -
“ମୋତେ ସାମାଜିକ ଅନୁଷ୍ଠାନ ଓ ଟ୍ରଷ୍ଟରେ କିଛି ବଡ ପଦବୀ ମିଳୁ!” ଏହି ଲୋଭ ଅତ୍ୟନ୍ତ ବ୍ୟଥିତ କରେ।
ନିଆଁ ଲାଗିଲେ ସେଥିରେ ପାଣି ଢାଳିବାକୁ ପଡ଼େ, ଠିକ୍ ସେହିପରି ଲୋଭର ନିଆଁକୁ ସନ୍ତୁଷ୍ଟି ଜଳରେ ଲିଭାଇ ହେବ। ଯଦି ଆମ ଭିତରେ ଲୋଭ ଅଛି, ତେବେ ଏହି ଲୋଭ ଅଗ୍ନିକୁ ଉପଶମ କରିବାର ଏକମାତ୍ର ଉପାୟ ହେଉଛି, ଆମ ଜୀବନରେ ସନ୍ତୋଷ ଭାବ ଆଣିବା।
ଲୋଭ କେବେ ବି ଦୂର ହୁଏ ନାହିଁ । ଲୋଭରୁ ନିବୃତ୍ତ ନ’ହେଲେ, ମଣିଷ ପତନ ଦିଗକୁ ଗତି କରେ।
ଶ୍ରୀ ଭଗବାନ କହନ୍ତି ଯେ; ରଜୋଗୁଣର ବୃଦ୍ଧିରେ ଲୋଭ ସୃଷ୍ଟି ହୋଇଥାଏ। ଲୋଭର ସୃଷ୍ଟିରୁ ବୃତ୍ତିର ବୃଦ୍ଧି ହୁଏ। ମନରେ ଲୋଭ ସୃଷ୍ଟି କରୁଥିବା କାର୍ଯ୍ୟକୁ ହିଁ ଆମେ କରିବାକୁ ଚେଷ୍ଟା କରିଥାଉ। ଥରେ ଏକ ବୃତ୍ତି ସୃଷ୍ଟି ହେବା ପରେ, ଏହା ବାରମ୍ବାର କରିବା ଦ୍ୱାରା ଏକ ପ୍ରବୃତ୍ତିରେ ପରିଣତ ହୁଏ। ତା'ପରେ ଏହି ପ୍ରବୃତ୍ତି ଆମର ଆଚରଣରେ ପରିଣତ ହୁଏ। ଲୋଭୀ ଆଚରଣ ଜୀବନରେ ଅଶାନ୍ତି ସୃଷ୍ଟି କରିଥାଏ।
ଯାହାଙ୍କ ଜୀବନ ଯେତିକି ଲୋଭଗ୍ରସ୍ଥ, ତାଙ୍କ ଜୀବନ ମଧ୍ୟ ସେତିକି ଅଶାନ୍ତ।
* ପ୍ରବୃତ୍ତି -
ରଜୋଗୁଣର ବୃଦ୍ଧି ବଢ଼ିବା ସହିତ ଲୋଭ ବଢ଼ିଥାଏ। କିଛି କରିବା ଜାରି ରଖିବାର ପ୍ରବୃତ୍ତି ବଢିଯାଏ। କିଛି ନା କିଛି କରିବାରେ ଅଭ୍ୟସ୍ତ ହୋଇଯାଉ। ଏମାନେ ଅନ୍ୟର ଦ୍ୱନ୍ଦ୍ୱରେ ଫସି ଯାଆନ୍ତି ଏବଂ ବିନା ଅର୍ଥରେ, ବିନା ଉଦ୍ଦେଶ୍ୟରେ କାମ କରି ଚାଲିଥାନ୍ତି। ଚୁପ୍ ଚାପ୍ ଶାନ୍ତ ବସିପାରନ୍ତି ନାହିଁ।
ବେଳେବେଳେ ଜଣେ ମହିଳା ଅଭିଯୋଗ କରନ୍ତି ଯେ,”ମୋ ଶାଶୂ ଗୋଟିଏ ମିନିଟ୍ ପାଇଁ ଖାଲି ବସି ନ’ଥାନ୍ତି ଏବଂ ମୋତେ ବସିବାକୁ ମଧ୍ୟ ଦିଅନ୍ତି ନାହିଁ। ସେ କିଛି ନା କିଛି କାମ କରି ଚାଲିଥାନ୍ତି।
ତମୋଗୁଣ ବ୍ୟକ୍ତି କାମ ଆରମ୍ଭ କରନ୍ତି ଯାହା ଜରୁରୀ କାର୍ଯ୍ୟ ନୁହେଁ। ଆବଶ୍ୟକତା ନଥାଇ, ଜିନିଷକୁ ଏକ ଯାଗାରୁ ଉଠାଇ ଅନ୍ୟ ଯାଗାରେ ରଖୁଥାଆନ୍ତି । ଆସବାବ ପତ୍ରକୁ ଚାରିଆଡ଼େ ବିକ୍ଷିପ୍ତ ଭାବରେ ରଖନ୍ତି, ବିନା ଉଦ୍ଦେଶ୍ୟରେ କାର୍ଯ୍ୟ କରନ୍ତି।
* ଅଶମ -
ରଜୋଗୁଣୀ ବ୍ୟକ୍ତି ଚଞ୍ଚଳ ସ୍ୱଭାବର ଅଟନ୍ତି। ଜଣେ ବ୍ୟକ୍ତି ଯେତେ ଅଧିକ ରଜୋଗୁଣୀ ହେବେ, ସେ ସେତେ ଅଧିକ ଚଞ୍ଚଳ ହେବେ। ତାଙ୍କର ଦୃଷ୍ଟିକୋଣ ସେତିକି ଚଞ୍ଚଳ ଓ ଅସ୍ଥିର ହେବ। ତାଙ୍କ ଆଖିରେ ଏହି ଚଞ୍ଚଳତା ଦୃଶ୍ୟମାନ ହୁଏ। ଜଣେ ବ୍ୟକ୍ତି ଚଞ୍ଚଳ କି ନାହିଁ ତାହା ତାଙ୍କ ଆଖିକୁ ଦେଖି କହିହେବ।
ସତ୍ତ୍ୱଗୁଣୀ ବ୍ୟକ୍ତିଙ୍କ ଦୃଷ୍ଟି ସ୍ଥିର ରହିବ, ଗୋଟିଏ ସ୍ଥାନରେ ହିଁ ରହିବ। ରଜୋଗୁଣୀ ବ୍ୟକ୍ତିଙ୍କ ଦୃଷ୍ଟି ଚାରିଆଡ଼େ ବୁଲୁଥାଏ। ଏହା ସ୍କାନର (Scanner) ଭଳି କାମ କରିଥାଏ।
* ସ୍ପୃହା -
ଅର୍ଥାତ୍, ବିଷୟ ଲାଳସାରେ ଆସକ୍ତ ରହିବା। ବେଳେବେଳେ ଆମେ ଲଡୁ ଖାଇଥାଉ ଏବଂ ତା'ପରେ ଆମେ ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ। ଏହା କେଉଁଠୁ ଆସିଲା? ଅତ୍ୟନ୍ତ ସ୍ୱାଦିଷ୍ଟ। ଏହା ହେଉଛି ରଜୋଗୁଣର ଲକ୍ଷଣ। ଖାଇବା ପରେ ବି ମନ ଏଥିରେ ଅଟକି ରହିଥାଏ। ଲଡୁ ପେଟ ଭିତରକୁ ଯାଇଥିଲେ ମଧ୍ୟ ମସ୍ତିଷ୍କରୁ ବାହାରେନି। ଦୀର୍ଘ ଦିନ ଧରି ଲଡୁକୁ ଭୁଲି ପାରୁନି। ଲଡୁର ରୀତିନୀତି ମନରେ ଅଟକି ରହିଯାଏ।
କେହି ଜଣେ ପ୍ରଶଂସା କଲେ ଯେ, ”ଆପଣ ଗୀତାକୁ ବହୁତ ଭଲ ଭାବରେ ପଢ଼ିଛନ୍ତି।” ଏହା ଶୁଣି ଭଲ ଲାଗିଲା। ଯେତେବେଳେ ଆପଣ ଘରକୁ ଆସନ୍ତି, ଆପଣ ଭୁଲନ୍ତି ନାହିଁ। ରାତିରେ ବସିଥିବା ବେଳେ ହସୁଥିବା ଦେଖି ପତ୍ନୀ କାରଣ ପଚାରିବା ସହ କିଛି କହିନଥାନ୍ତି, ମନକୁ ଯାହା ପସନ୍ଦ ଆସିଲା ସେଥିରେ ମନ ଲାଗିରହିଲା। ଜଣେ ବ୍ୟକ୍ତିଙ୍କର ରଜୋଗୁଣ ଯେତେ ଅଧିକ ହେବ, ସେ ସେହି ବିଚାର ସହିତ ସେତେ ଅଧିକ ଜଡ଼ିତ ହେବେ, ବିଷୟବସ୍ତୁରେ, କାମନାରେ ସେମାନେ ସେତେ ଯୋଡ଼ି ହୋଇ ରହିବେ। ପ୍ରଶଂସାକୁ ସମସ୍ତେ ପସନ୍ଦ କରନ୍ତି।
ପ୍ରଶଂସା ଶୁଣି ସତ୍ତ୍ୱଗୁଣୀ ଖୁସି ହୁଅନ୍ତି ଏବଂ ପରେ ପୁଣି ଭୁଲିଯାଆନ୍ତି। କିନ୍ତୁ, ମନେ ପକାଇ ଦୀର୍ଘ ଦିନ ଧରି ମନେ ରଖିବା ହେଉଛି ରଜୋଗୁଣର ଲକ୍ଷଣ।
ଅପ୍ରକାଶୋଽପ୍ରବୃତ୍ତିଶ୍ଚ, ପ୍ରମାଦୋ ମୋହ ଏବ ଚ।
ତମସ୍ୟେତାନି ଜାୟନ୍ତେ, ବିବୃଦ୍ଧେ କରୁନନ୍ଦନ॥13॥
ବିବେଚନ :-
ଶ୍ରୀଭଗଵାନ କହୁଛନ୍ତି ଯେ, ”ହେ ଅର୍ଜୁନ ତମୋଗୁଣ ବଢ଼ିଲେ ଅନ୍ତଃକରଣ ଓ ଇନ୍ଦ୍ରିୟ ମାନଙ୍କରେ ଅପ୍ରକାଶ ବଢେ, ବିଚାରରେ ସ୍ପଷ୍ଟତା ରହେ ନାହିଁ।”
ତମୋଗୁଣର ଅଧିକତା ଯୋଗୁଁ କର୍ତ୍ତବ୍ୟ କର୍ମକୁ କରିବାରେ ଅପବୃତ୍ତି, ପ୍ରମାଦ ଅର୍ଥାତ୍ ବ୍ୟର୍ଥ ଚେଷ୍ଟା, ମୋହ ଓ ନିଦ୍ରାର ବୃଦ୍ଧି ଘଟେ।
ତମୋଗୁଣ ବଢ଼ିଲେ ସମସ୍ତଙ୍କ କଥା ଭୁଲ୍ ଓ ନିଜ କଥା ହିଁ ଠିକ୍ ଲାଗେ। ଏପରି ବ୍ୟକ୍ତିଙ୍କ ମଧ୍ୟରେ ବିବେକ ଶୂନ୍ୟତା ଓ ଜିଦ୍ ଆସିଯାଏ। ସେ ସମସ୍ତଙ୍କୁ ନିଜ ଶତ୍ରୁ ଭାବେ। କଳହ ପ୍ରିୟ ହୁଏ।
ଅପ୍ରବୃତ୍ତି - କଥାକୁ ଟାଳିବା।
ଦେଖିବା, କରିବା, ପରେ କରିବା ଏପରି କହି କଥାକୁ ବୁଲାଇବା। ଏବେ ନିଦ ଲାଗୁଛି। ଆଉ ଟିକିଏ ଯାଉ କରିବା। ଏମିତି ବିଭିନ୍ନ ବାହାନା କରି କାମକୁ ଟାଳି ଦେବା।
ପ୍ରମାଦ- ବ୍ୟର୍ଥ କାମ।
ଏମିତି ନୁହେଁ କି ତମୋଗୁଣୀ କିଛି କାମ କରନ୍ତି ନାହିଁ। ସେ ଆବଶ୍ୟକ କାମ ନ’କରି ମୂଲ୍ୟହୀନ କାମ କରନ୍ତି। ଅପେକ୍ଷିତ କାମକୁ ଛାଡି ବାକି କାମ କରନ୍ତି। ଯେଉଁ କାମରେ ସମୟ ନଷ୍ଟ, ଧନହାନି ଓ ଶକ୍ତିର ଅପଚୟ ହୁଏ, ସେଭଳି କାମ କରନ୍ତି। ଯାହା ଅର୍ଥ ହୀନ ହିଁ ଅଟେ।
ମୋହ - ଅର୍ଥାତ୍ ମୂଢତା, ଅନ୍ଧକାର।
ମୋହରେ ନିଜର ହାନିଲାଭର ଚିନ୍ତା କରିବା ପାଇଁ ସେମାନଙ୍କର ବିବେକ ମଧ୍ୟ କାମ କରେନି।
ପଞ୍ଚତନ୍ତ୍ରରେ ମାଙ୍କଡ ଓ କୁମ୍ଭୀରର କାହାଣୀ ପରି -
ମାଙ୍କଡ ଓ କୁମ୍ଭୀର ଉଭୟ ସାଙ୍ଗ ଥିଲେ। ମାଙ୍କଡ ପ୍ରତିଦିନ କୁମ୍ଭୀରକୁ ଜାମୁକୋଳି ଖୁଆଏ, କିଛି ଫଳ ସେ ନିଜ ସ୍ତ୍ରୀ ପାଇଁ ମଧ୍ୟ ନେଇଯାଏ। କୁମ୍ଭୀରର ସ୍ତ୍ରୀ ତାକୁ ଦିନେ କହିଲା ଯେ ”ସବୁଦିନ ମାଙ୍କଡ ଏତେ ସୁସ୍ୱାଦୁ କୋଳି ଖାଉଛି, ତା କଲିଜା ଟା କେଡେ ସୁସ୍ୱାଦୁ ହୋଇନଥିବ? ମୋତେ ତାର କଲିଜା ଦରକାର୍।” ସେ ମାଙ୍କଡର କଲିଜା ଖାଇବା ପାଇଁ ଜିଦ ଧରି ବସିଲା। କୁମ୍ଭୀର ମାଙ୍କଡକୁ ତା ଘରକୁ ନିମନ୍ତ୍ରଣ କରି ପିଠିରେ ବସାଇ ତା ଘରକୁ ପାଣି ଭିତରେ ନେଉ ନେଉ ଅଧା ରାସ୍ତାରେ ତାକୁ ସତ କଥାଟା କହିଦେଲା। ମାଙ୍କଡ ସତ୍ତ୍ୱଗୁଣୀ ଥିଲା, ତା’ର ମନ ଉଜ୍ଜ୍ୱଳ ଥିଲା, ସେ ସାଙ୍ଗେ ସାଙ୍ଗେ କହିଲା, “ଆରେ ମୋତେ ଏକଥା ପୂର୍ବରୁ କହିଲନି, ମୋର କଲିଜା ତ ମୁଁ ଗଛରେ ଛାଡ଼ିଦେଲି। ମୋତେ ନଦୀକୂଳକୁ ନେଇଚାଲ, ମୁଁ ତୁମକୁ ଦେଇଦେବି।” ନଦୀ କୂଳରେ ପହଞ୍ଚିବା ମାତ୍ରେ ମାଙ୍କଡ ଗଛରେ ଚଢି ଗଲା ଏବଂ ନିଜକୁ ରକ୍ଷା କଲା। କୁମ୍ଭୀର ତମୋଗୁଣି ଥିଲା। ତା’ପାଖରେ ମୋହ, ମୂଢତା ଥିଲା। ତେଣୁ ତାକୁ କୋଳି ଖୁଆଉ ଥିବା ବନ୍ଧୁକୁ ମାରିବାକୁ ନେଉଥିଲା, କେବଳ ସ୍ତ୍ରୀ ମୋହରେ ପଡି।
ମୋହ କରୁଥିବା ତମୋଗୁଣୀ, ନିଜର ଉପକାର କରୁଥିବା ବ୍ୟକ୍ତିର ମଧ୍ୟ ଅପକାର କରେ।
ୟଦା ସତ୍ତ୍ୱେ ପ୍ରବୃଦ୍ଧେ ତୁ, ପ୍ରଲୟଂ(ମ୍) ୟାତି ଦେହଭୃତ୍।
ତଦୋତ୍ତମବିଦାଂ(ମ୍) ଲୋକାନ୍, ଅମଲାନ୍ପ୍ରତିପଦ୍ୟତେ॥14॥
ବିବେଚନ:-
ଯେତେବେଳେ ଭଗବାନଙ୍କ ମନରେ ଆସିଲା ଯେ,” ଅର୍ଜୁନଙ୍କ ମନରେ ଆସୁଥିବ, ଯେ ଏସବୁ ଗୁଣ ବଢ଼ିଲେ କଣ ଲାଭ ହୁଏ?”
ସ୍ୱୟଂ ହି ଉତ୍ତରରେ କହୁଛନ୍ତି ଯେଉଁ ମଣିଷ ଜୀବନରେ ସତ୍ତ୍ୱଗୁଣର ବୃଦ୍ଧି କରାଏ, ତାର ବୃତ୍ତି ମଧ୍ୟ ସଦଗୁଣ ରହିବ। ସେ ମୃତ୍ୟୁ ପରେ ଉତ୍ତମ ଲୋକ, ସ୍ୱର୍ଗ ଲୋକ ଆଦିକୁ ପ୍ରାପ୍ତ ହେବ।
ରଜସି ପ୍ରଲୟଂ(ଙ୍) ଗତ୍ୱା, କର୍ମସଙ୍ଗିଷୁ ଜାୟତେ।
ତଥା ପ୍ରଲୀନସ୍ତମସି, ମୂଢୟୋନିଷୁ ଜାୟତେ॥15॥
ବିବେଚନ:-
ଭଗବାନ୍ କହୁଛନ୍ତି ଯେ ଯାହାର ବୃତ୍ତି ଯେତେ ସାତ୍ତ୍ୱିକ ହେବ, ଯିଏ ସତ୍ତ୍ୱଗୁଣ ପ୍ରଧାନ ହେବ, ମୃତ୍ୟୁ ପରେ ତାକୁ ଉତ୍ତମ ଲୋକ ପ୍ରାପ୍ତି ସହ ଉତ୍ତମ ଗତି ପ୍ରାପ୍ତ ହେବ।
ରଜୋଗୁଣ ବଢ଼ିଲେ ମୃତ୍ୟୁ ପରେ କର୍ମରେ ଆସକ୍ତି ଥିବା ମନୁଷ୍ୟର, ଉତ୍ତମ ମନୁଷ୍ୟ ଭାବେ ଜନ୍ମ ମିଳେ।
ସେହିପରି ତମୋଗୁଣ ଯୁକ୍ତ ବ୍ୟକ୍ତିର ମୃତ୍ୟୁ ପରେ ସେ ପଶୁପକ୍ଷୀ, କୀଟ, ପତଙ୍ଗ ଆଦି ମୁଢ଼ ଯୋନିରେ ଜନ୍ମ ନିଅନ୍ତି। ସେମାନଙ୍କର ଅଧୋଗତି ହୁଏ।
କର୍ମଣଃ(ସ୍) ସୁକୃତସ୍ୟାହୁଃ(ସ୍), ସାତ୍ତ୍ୱିକଂ(ନ୍) ନିର୍ମଲଂ(ମ୍) ଫଲମ୍।
ରଜସସ୍ତୁ ଫଲଂ(ନ୍) ଦୁଃଖମ୍, ଅଜ୍ଞାନଂ(ନ୍) ତମସଃ(ଫ୍) ଫଲମ୍॥16॥
ବିବେଚନ:-
ଶ୍ରୀ ଭଗବାନ ଅର୍ଜୁନଙ୍କୁ କୁହନ୍ତି ଯେ ଶ୍ରେଷ୍ଠ କର୍ମର ଫଳ ହେଉଛି ସାତ୍ତ୍ୱିକ ସୁଖ, ଜ୍ଞାନ ଓ ବୈରାଗ୍ୟ। ରାଜସ କର୍ମର ଫଳ ହେଉଛି ଦୁଃଖ ଓ ତାମସର ଫଳ ହେଉଛି ଅଜ୍ଞାନତା ।
सन्तुष्टो येन केनचित् ।
ଯେତେବେଳେ ଆମେ ସୁଖ, ଶାନ୍ତି ଏବଂ ସନ୍ତୋଷ ଅନୁଭବ କରିଥାଉ, ସେତେବେଳେ ଆମପାଖରେ ସତ୍ତ୍ୱ ଗୁଣ ଥାଏ। ଯେତେବେଳେ ଆମେ ଭିତରୁ ଖୁସି ଥାଉ, ଯେତେବେଳେ ଆମେ ପ୍ରସନ୍ନ ଥାଉ ଏବଂ ଖୁସି ରହିବା ପାଇଁ କୌଣସି ପ୍ରୟାସ କରିବାକୁ ପଡ଼େ ନାହିଁ, ଯେତେବେଳେ ଆମର ଖୁସି ରହିବା ପାଇଁ କୌଣସି ଚିନ୍ତା ନଥାଏ, ଯେତେବେଳେ ଆମେ ପ୍ରତ୍ୟେକ ପରିସ୍ଥିତିରେ ଖୁସି ଅନୁଭବ କରିଥାଉ, ସେତେବେଳେ ଆମେ ସତ୍ତ୍ୱଗୁଣୀ ହୋଇଥାଉ।
ଯେତେବେଳେ ଆମେ ଦୁଃଖ ଅନୁଭବ କରିଥାଉ, ସେତେବେଳେ ଆମେ ରଜୋଗୁଣୀ ହୋଇଥାଉ ଏବଂ ଯେତେବେଳେ ଆମେ ବିପରୀତ ବୁଦ୍ଧିରେ କାମ କରିଥାଉ, ସେତେବେଳେ ଆମେ ତମୋଗୁଣୀ ହୋଇଥାଉ।
- ସତ୍ତ୍ୱଗୁଣର ବୃଦ୍ଧିରେ ମୃତ୍ୟୁ ହେଲେ ସ୍ବର୍ଗଆଦି ଶ୍ରେଷ୍ଠ ଜଗତ ପ୍ରାପ୍ତି ହୋଇଥାଏ ।
- ରଜୋଗୁଣ ବୃଦ୍ଧିରେ ମୃତ୍ୟୁ ହେଲେ ମନୁଷ୍ୟଲୋକ ପ୍ରାପ୍ତ ହୁଏ।
- ତମୋଗୁଣର ବୃଦ୍ଧିରେ ମୃତ୍ୟୁ ହେଲେ କୀଟପତଙ୍ଗ, ପଶୁ, ପକ୍ଷୀ,ମୂଢ ଯୋନୀ ଇତ୍ଯାଦି ପ୍ରାପ୍ତ ହୁଏ।
ଏବେ ଆତ୍ମମୂଲ୍ୟାଙ୍କନ ପାଇଁ ଗୁଣତ୍ରୟ – ସତ୍ତ୍ବ, ରଜୋ, ତମ - ଗୁଣକୁ ବିଶ୍ଲେଷଣ କରିବା।
ପ୍ରକୃତିର ଅର୍ଥ ହେଉଛି ପଦାର୍ଥ ଓ କ୍ରିୟା।
ପ୍ରତ୍ୟେକ ପଦାର୍ଥ ଓ କ୍ରିୟା ଏହି ତିନୋଟି ଗୁଣଦ୍ୱାରା ଆଚ୍ଛାଦିତ, ଏହା କେବଳ ପ୍ରାଥମିକତାର ବିଷୟ। ଯଦି ଆମେ ନିଜକୁ ସତ୍ତ୍ୱ-ଗୁଣୀ ବୋଲି ଭାବୁ, ତେବେ ଆମର ଏପରି ଗୁଣ ଅଛି କି? ଯଦି ଆମର ଲକ୍ଷଣ ନଥାଏ, ତେବେ ଏହାର ଅର୍ଥ ନୁହେଁ ଯେ ଆମେ ସତ୍ତ୍ୱ-ଗୁଣୀ ନୋହୁଁ ।
ଏଭଳି ପରିସ୍ଥିତିରେ ଆମେ ନିଜକୁ ରଜୋଗୁଣୀ ନା ତମୋଗୁଣୀ, କ’ଣ ବୋଲି ଭାବିବା? ଦିନକର ସମୟ ମଧ୍ୟରେ ଆମେ କେତେବେଳେ ସତ୍ତୋଗୁଣ, କେତେବେଳେ ରଜୋଗୁଣ ତ କେତେବେଳେ ତମୋଗୁଣର ବଶବର୍ତ୍ତୀ ହୋଇଥାଉ।
ଉପନିଷଦ ଅନୁଯାୟୀ -
व्यक्ति तदनुसार लक्षणम्, लक्षणमं तदनुसार व्यक्ति:।
ଯେଉଁ ବ୍ୟକ୍ତି ଯେଉଁ ଗୁଣର ଅଟନ୍ତି, ତାଙ୍କର ଲକ୍ଷଣ ସେହି ଅନୁଯାୟୀ ହୁଏ, ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ସେହି ଲକ୍ଷଣ ଅନୁଯାୟୀ ହୋଇଥାଏ ।
ଗୁଣତ୍ରୟ:
ଗୁଣତ୍ରୟ - ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣ ତ୍ରୟର ନିମ୍ନ ଲକ୍ଷଣ ହୋଇଥାଏ।
୧.ବ୍ୟବହାର
ସତ୍ତ୍ୱଗୁଣ- ସନ୍ତୁଷ୍ଟ
ଯେକୌଣସି ପ୍ରକାର ପରିସ୍ଥିତିରେ ସତ୍ତ୍ବଗୁଣୀ ସନ୍ତୁଷ୍ଟ ରୁହନ୍ତି। ସେ ସର୍ବଦା ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି । ତାଙ୍କ ଜୀବନରେ କମ୍ ଅଭିଯୋଗ ଥାଏ। ମହାପ୍ରଭୁ ଶ୍ରୀରାମ ମାତା ଶବରୀଙ୍କୁ ନବଧା ଭକ୍ତିର ଜ୍ଞାନଦେବା ସମୟରେ ଅଷ୍ଟମ ଭକ୍ତି ବିଷୟରେ କହିଥିଲେ -
आठव जथा लाभ संतोषा।
ଗୀତାର ଦ୍ୱାଦଶ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି:
सन्तुष्टः येन केन चित्त्।।
ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି-
सीताराम सीताराम सीताराम कहिए।
जाहि विधि राखे राम ताहि विधि रहिए।।
ଆଖପାଖରେ ବା ସହିତ ରହୁଥିବା ଲୋକମାନେ ସତ୍ତ୍ୱଗୁଣୀ ବ୍ୟକ୍ତି ଉପରେ ସନ୍ତୁଷ୍ଟ ଅଛନ୍ତି କି ଅସନ୍ତୁଷ୍ଟ ରହୁଛନ୍ତି, ଏହାର ଯତ୍ନ ସତ୍ତ୍ୱଗୁଣୀ ବ୍ୟକ୍ତି ନିଅନ୍ତି।
ପରମ ଶ୍ରଦ୍ଧେୟ ବ୍ରହ୍ମାଲିନ ଜୟଦୟାଲ ଜି ଗୋଏଙ୍କା ଚୁରୁର ବାସିନ୍ଦା ଥିଲେ ଏବଂ କୋଲକାତାରେ ବ୍ୟବସାୟ କରୁଥିଲେ। ଥରେ ସେ ରାଜସ୍ଥାନରୁ ୧୦ ଟ୍ରକ୍ ବାଜରା ମଗାଇଥିଲେ। ବଜାରରେ ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ବାଜରା ଦର ହ୍ରାସ କରି ସେଠଜୀଙ୍କ ସାମ୍ନାକୁ ଯାଇ ଏହା କ୍ଷତି ହେବ ବୋଲି କହିବା ଆରମ୍ଭ କରିଥିଲେ।
ସେଠଜୀଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ କହିଲେ - “ମୁଁ କାହାକୁ କ୍ଷତି ପହଞ୍ଚାଇବାକୁ ଚାହୁଁନଥିଲି।” ଏହା କହି ସେ ସମସ୍ତ ବାଜରାକୁ ସଡ଼କ ପଥରେ ଫେରାଇ ଦେଇଥିଲେ। ଯଥାସମ୍ଭବ ମୋ ଆଖପାଖରେ ଥିବା ଲୋକମାନେ କୌଣସି ପ୍ରକାରେ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ। ଯଦି ମୋର ଠିକ୍ କାମ ଯୋଗୁଁ ଅନ୍ୟମାନେ ଦୁଃଖ ଭୋଗୁଛନ୍ତି, ତେବେ ମୋତେ ସେହି କାମ କରିବା ଉଚିତ୍ ନୁହେଁ।
ରଜୋଗୁଣୀ – ଅସନ୍ତୁଷ୍ଟ
ରାଜୋଗୁଣୀ କୁହନ୍ତି, ”ଯଦି ମୁଁ ଏଭଳି କାମ କରିବି, ତେବେ ମୁଁ ସନ୍ତୁଷ୍ଟ ହେବି। ”ସେ ସେହି କାମରେ ପୂରା ଦିନ ବିତାଇଥାନ୍ତି, କିନ୍ତୁ ଇଚ୍ଛା ଶେଷ ହୁଏ ନାହିଁ। ସାରା ଜୀବନ ଲକ୍ଷ୍ୟ ବଦଳୁଥାଏ ଏବଂ ସେ ଅସନ୍ତୁଷ୍ଟ ହେଉଥାନ୍ତି।
ତମୋଗୁଣୀ – ଆଳସ୍ୟରେ ସନ୍ତୁଷ୍ଟ
ଏମାନେ ସତ୍ତୋଗୁଣୀ ଭଳି ଦେଖାଯାଆନ୍ତି। କାମ କରିବାର ପ୍ରବୃତ୍ତି ନ’ଥାଏ। ନିଜ ସହିତ କୌଣସି ସମ୍ପର୍କ ନାହିଁ। ସେ ଅନ୍ୟମାନଙ୍କ ଉପରେ ଅସନ୍ତୁଷ୍ଟ ରୁହନ୍ତି। ପଡ଼ୋଶୀ କାହିଁକି ଏପରି କରୁଛନ୍ତି? କାହିଁକି ଆନନ୍ଦରେ ଜୀବନ ବିତାଉଛନ୍ତି? ଏତେ ସମ୍ପତ୍ତି କିପରି ହାସଲ କଲେ? ଇତ୍ୟାଦି, ଇତ୍ୟାଦି। ସେ କିଛି ପାଆନ୍ତୁ ବା ନ ପାଆନ୍ତୁ, ଅନ୍ୟର ପ୍ରଗତିରେ ଈର୍ଷା କରନ୍ତି। ସେ ଆଳସ୍ୟରେ ସନ୍ତୁଷ୍ଟ ରୁହନ୍ତି କିନ୍ତୁ ଅନ୍ୟର ପ୍ରଗତିରେ ଅସନ୍ତୁଷ୍ଟ ରୁହନ୍ତି ଏବଂ ଈର୍ଷା କରନ୍ତି।
୨.ବାଣୀ
ସତ୍ତ୍ୱଗୁଣୀ - ସତ କୁହନ୍ତି ଏବଂ ସମସ୍ତଙ୍କ ସହ ପ୍ରିୟ କଥା ହୁଅନ୍ତି। ଯିଏ କଥାବାର୍ତ୍ତାରେ ଉଭୟ ବେଗ ଏବଂ ଶବ୍ଦରେ, ଧୀର ସ୍ୱର ରଖେ, ସେ ହେଉଛନ୍ତି ସତୋଗୁଣୀ। ଶ୍ରୀ ଭଗବାନ କହିଛନ୍ତି।
वाक्यं सत्यं प्रियहितं च।
ସେମାନେ ବିଶ୍ୱାସ କରନ୍ତି ଯେ :
ऐसी वाणी बोलिए, मन का आपा खोय।
औरन को शीतल करे, आपहु शीतल होय।।
ରଜୋଗୁଣୀ:- ଏହି ଲକ୍ଷଣର ବ୍ୟକ୍ତି, ଦମ୍ଭୋକ୍ତି ସହ ଜୋରଦାର କଥାବାର୍ତ୍ତା କରନ୍ତି।
ଯାହାର କଥା ତେଜ ଏବଂ ଗତି (volume & speed) ଉଭୟରେ ତୀବ୍ର ଥାଏ। ନିଜ କଥାକୁ ପ୍ରମାଣ କରିବା ପାଇଁ ସେ ଜୋରରେ କଥା ବାର୍ତ୍ତା କରନ୍ତି ଏବଂ ଝଗଡ଼ା କରନ୍ତି। ରାସ୍ତାରେ କାର୍ ଚାଲୁଥିବା ଦେଖି ସେ ଚିତ୍କାର କରି କହିବା ଆରମ୍ଭ କରିଦିଅନ୍ତି -
"ଯଦି ଏବେ କାର୍ ଦୁର୍ଘଟଣା ଘଟିଥାନ୍ତା ତେବେ କ'ଣ ହୋଇଥାନ୍ତା? ଆପଣଙ୍କ କାର୍ ପାଇଁ ଅନ୍ୟର ଗୋଡ଼ ଭାଙ୍ଗି ଯାଇଥାନ୍ତା " ଏହିପରି କୁହନ୍ତି।
ସେ ସର୍ବଦା ଅନ୍ୟମାନଙ୍କୁ ଜ୍ଞାନ ପ୍ରଦାନ କରନ୍ତି ଏବଂ ଉତେଜିତ ଭାବରେ କଥା ହୁଅନ୍ତି । ନିଜକୁ ଠିକ୍ ପ୍ରମାଣିତ କରିବା ପାଇଁ ସେ ଜୋରରେ କୁହନ୍ତି। କଟାକ୍ଷ କରିବା, ଉପହାସ କରିବା ଏବଂ ବ୍ୟଙ୍ଗ କରିବାରେ ସେମାନେ ବିଶ୍ୱାସ କରନ୍ତି -
ऐसी वाणी बोलिए, सबसे झगड़ा होए।
लेकिन उससे झगड़ा न करें, जो तुमसे तगड़ा होए।।
ତମୋଗୁଣୀ - ବିବେକହୀନ
ତମୋଗୁଣୀ ସମସ୍ତଙ୍କ ସହ ଝଗଡ଼ା କରନ୍ତି। ସେ ବିନା କାରଣରେ ଅପମାନଜନକ ଶବ୍ଦ କୁହନ୍ତି। ଏଭଳି ଲୋକଙ୍କୁ ଚୁପ୍ କରାଇବାକୁ ପଡ଼େ। ନିଜର ହାନି ହେଉଥିଲେ ମଧ୍ୟ ସେ କାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସେ ଶୁଭେଚ୍ଛୁଙ୍କ ସହ ଓଲଟା କଥା ମଧ୍ୟ ହୁଅନ୍ତି। ପରୀକ୍ଷାରେ ଫେଲ୍ ହେଲେ ମଧ୍ୟ ସେ ଶିକ୍ଷକଙ୍କୁ କିଛି ବି କହିଦିଅନ୍ତି। ବାପା ତା’ଙ୍କୁ ଘରୁ ବାହାର କରିଦେଲେ ମଧ୍ୟ ଗାଳିଗୁଲଜ କରନ୍ତି। ଚାକିରିରୁ ବହିଷ୍କୃତ ହେଲେ ବି ମାଲିକଙ୍କୁ ଭୁଲ ଭାବରେ ବର୍ଣ୍ଣନା କରନ୍ତି ।
୩. ଭୋଜନ - ଅନ୍ନ ଯେପରି, ମନ ସେପରି
ସତ୍ତ୍ୱଗୁଣୀ - ଏପରି ବ୍ୟକ୍ତି ନିଜର ଭୋକ ମେଣ୍ଟାଇବା ପାଇଁ ଯେ କୌଣସି ସାତ୍ତ୍ୱିକ ଖାଦ୍ୟ ଖାଇ ସନ୍ତୁଷ୍ଟ ହୁଅନ୍ତି।
ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ପରିମାଣରେ ଖାଦ୍ୟ ଖାଆନ୍ତି। ଖାଦ୍ୟ ବହୁତ ଭଲ ଏବଂ ନିଜ ପସନ୍ଦ ଅନୁଯାୟୀ ହୋଇଥିଲେ ମଧ୍ୟ ସେ ଏକ ନିର୍ଦ୍ଦିଷ୍ଟ ପରିମାଣ ଏବଂ ଏକ ନିର୍ଦ୍ଦିଷ୍ଟ ସମୟର ଯତ୍ନ ନିଅନ୍ତି।
ରଜୋଗୁଣୀ - ସେମାନଙ୍କ ଜୀବନରେ ଭୋକର ଗୁରୁତ୍ୱ କମ୍ କିନ୍ତୁ ସ୍ୱାଦର ଗୁରୁତ୍ୱ ଅଧିକ ରହେ।
ରଜୋଗୁଣୀ ବ୍ୟକ୍ତି ଭୋଜନ, ସ୍ୱାଦ ପାଇଁ କରିଥାଏ, ଭୋକ ପାଇଁ ନୁହେଁ ଏବଂ ସ୍ୱାଦ ଅନୁଯାୟୀ ହିଁ କରିଥାଏ। ଖାଇବା ସମୟରେ ଏବଂ ଭୋକିଲା ଅବସ୍ଥାରେ, ଯଦି ସେମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇବାକୁ ପାଆନ୍ତି ନାହିଁ, ତେବେ ସେମାନେ ଖାଆନ୍ତି ନାହିଁ । ଅପର ପକ୍ଷେ ସେ ଭୋକିଲା ନୁହଁନ୍ତି, କିନ୍ତୁ ଯଦି ତାଙ୍କ ସାମ୍ନାରେ ତାଙ୍କର ମନପସନ୍ଦର ଖାଦ୍ୟ ଅଛି, ତେବେ ସେ ଏହାକୁ ଖାଇ ନିଅନ୍ତି।
ତମୋଗୁଣୀ - ତମୋଗୁଣୀ ବ୍ୟକ୍ତି ଭକ୍ଷ କିମ୍ବା ଅଭକ୍ଷ ଖାଦ୍ୟ, ଶୁଦ୍ଧ ଓ ଅଶୁଦ୍ଧ, ବାସି ଓ ସତେଜ ଖାଦ୍ୟ ବିଷୟରେ ଚିନ୍ତା କରନ୍ତି ନାହିଁ।
ଏପରିକି ସମୟକାଳ, ସ୍ଥାନ, କିମ୍ବା ଶୌଚ-ଅଶୌଚକୁ ମଧ୍ୟ ସେ ବିଚାର କରନ୍ତି ନାହିଁ। ସେ ଯାହା ପସନ୍ଦ କରନ୍ତି ତାହା ଖାଇଥାନ୍ତି, ଯଦିଓ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଭୋକ ବିଷୟରେ ଚିନ୍ତା କରନ୍ତି ନାହିଁ। ଭୋଜନ ସମୟରେ ଚା' ଏବଂ ଚା' ସମୟରେ ଖାଦ୍ୟ ଖାଇଥାନ୍ତି। କେବେ ଦୁଇଗୁଣ ଖାଦ୍ୟ ଖାଇ ନିଅନ୍ତି ବା କେବେ ଖାଆନ୍ତି ନାହିଁ ମଧ୍ୟ। ଶୌଚଅଶୌଚ ବା ସମୟର ଧ୍ୟାନ ରଖନ୍ତି ନାହିଁ।
୪. ବସ୍ତ୍ର :-
ସତ୍ତୋଗୁଣୀ - ଧଳା,ହାଲୁକା ରଙ୍ଗର ଏବଂ ଆରାମ ଦାୟକ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି।
ରଜୋଗୁଣୀ - ଅସହଜ ହେଲେ ମଧ୍ୟ ଉଜ୍ଜ୍ୱଳ, ରଙ୍ଗୀନ, ସୁନ୍ଦର, ଫ୍ୟାଶନ୍ ବାଲା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି।
ତମୋଗୁଣୀ - ଅପରିଷ୍କାର, ଅସହଜ ଏବଂ ଅସଭ୍ୟ ପୋଷାକ ପିନ୍ଧିଥାନ୍ତି। ସେମାନେ ଛୋଟ କିମ୍ବା ବଡ଼ ଆକାରର ପୋଷାକ ମଧ୍ୟ ପିନ୍ଧିଥାନ୍ତି, ଫଟାଚିରା ଏବଂ ଅଧୁଆ ବସ୍ତ୍ର ମଧ୍ୟ ପିନ୍ଧି ନିଅନ୍ତି।
୫. ବାସସ୍ଥାନ:
ସତ୍ତୋଗୁଣୀ - ଏମାନଙ୍କର ଘର ଅତ୍ୟନ୍ତ ପରିଷ୍କାର, ସ୍ୱଚ୍ଛ, ବ୍ୟବସ୍ଥିତ, ବାୟୁଯୁକ୍ତ ଓ ଶୁଦ୍ଧ ହୋଇଥାଏ।
ରଜୋଗୁଣୀ - ବ୍ୟକ୍ତିର ଘରଟି ଟିକିଏ ବିଳାସପୂର୍ଣ୍ଣ ଥାଏ। ସେଠାରେ ମହଙ୍ଗା ଜିନିଷ ରହିଥାଏ।
ତମୋଗୁଣୀ - ଘରଟି ଅବ୍ୟବସ୍ଥିତ ଓ ଅଶୁଦ୍ଧ ଥାଏ । ତାଙ୍କ ଘର ସ୍ୱଚ୍ଛ ପରିଷ୍କାର ନ’ଥାଏ ଏବଂ ଅଇଁଠା ବାସନ ମଧ୍ୟ ପଡି ରହିଥାଏ ।
୬. ନିବେଶ :-
ସତ୍ତ୍ୱଗୁଣୀ - ସୁରକ୍ଷିତ ନିବେଶରେ ବିଶ୍ୱାସ ରଖନ୍ତି।
ସେ ଦାନପୁଣ୍ୟରେ ଅର୍ଥ ବିନିଯୋଗ କରନ୍ତି, ଯାହାଦ୍ୱାରା ତାଙ୍କର ପରବର୍ତ୍ତୀ ଜନ୍ମ ସଫଳ ହେବ। ନିଜ ଅର୍ଥକୁ ସୁରକ୍ଷିତ ରଖିବା ପାଇଁ ସେ କିଷାନ ବିକାଶ ପତ୍ର, ଏଫ.ଡି, ପି.ପି.ଏଫ ଏବଂ ଏଲ.ଆଇ.ସି ରେ ଟଙ୍କା ବିନିଯୋଗ କରନ୍ତି। ଯେତେବେଳେ ସେ ରୋଜଗାର କରନ୍ତି, ସେ ତାଙ୍କ ଆୟର ଏକ ଦଶମାଂଶ ପରବର୍ତ୍ତୀ ଜୀବନ ପାଇଁ ଏବଂ ଅବସର ପରେ ତାଙ୍କ ପେନସନର ୨୫ ପ୍ରତିଶତ ନିବେଶରେ ଲଗାନ୍ତି, ଅର୍ଥାତ୍ ଦାନରେ ବିନିଯୋଗ କରନ୍ତି ।
ରଜୋଗୁଣୀ - ନିଜର ଟଙ୍କାକୁ ଏପରି ନିବେଶ କରନ୍ତି, ଯାହାଦ୍ୱାରା ସେମାନେ ଅଧିକ ଟଙ୍କା ଆଣିପାରିବେ, ଯଥା,
ମ୍ୟୁଚୁଆଲ ଫଣ୍ଡ, ସେୟାର କିମ୍ବା ଜୁଆରେ ବିନିଯୋଗ।
ତମୋଗୁଣୀ - ଏହି ବ୍ୟକ୍ତି ନିଜ ଅର୍ଥକୁ ଜୁଆ, ଲଟେରୀରେ ନଷ୍ଟ କରନ୍ତି। ଦଶ ଟଙ୍କା ଶହେ ଟଙ୍କା ହୋଇଯିବ କିମ୍ବା ଏକାଥରକେ ଟଙ୍କା ଦୁଇଗୁଣ ହୋଇଯିବ, ଏହି ବିଚାର ହିଁ ସବୁବେଳେ ତାଙ୍କ ମନରେ ଲାଗି ରହିଥାଏ।
୭. କାର୍ଯ୍ୟ:-
ସତ୍ତ୍ୱଗୁଣୀ - କର୍ତ୍ତବ୍ୟ ଭାବରେ କାର୍ଯ୍ୟ କରନ୍ତି । ନିଜର କର୍ତ୍ତବ୍ୟ କ'ଣ, ସେହି ଶ୍ରେୟର ଧ୍ୟାନ ରଖନ୍ତି।
ରଜୋଗୁଣୀ - ମନ ଅନୁଯାୟୀ କାର୍ଯ୍ୟ କରନ୍ତି। ସେ ଶ୍ରେୟ କ’ଣ ଜାଣନ୍ତି, କିନ୍ତୁ ତାଙ୍କ ନଜର ପ୍ରେୟ ବା ପାଇବା ଉପରେ ଧ୍ୟାନ ରହିଥାଏ। ସେ ଯାହା ଅନୁଭବ କରନ୍ତି ତାହା କରନ୍ତି।
ତମୋଗୁଣୀ ବ୍ୟକ୍ତି - ଯଦି ବଳପୂର୍ବକ କିଛି ତା’ଙ୍କଦ୍ୱାରା କରାଯାଏ, ତେବେ ସେ ବାଧ୍ୟ ହୋଇ କିଛି କାମ କରିଥାଏ। ତାଙ୍କର ଧ୍ୟେୟ ହେଉଛି -
‘अजगर करे न चाकरी, पंछी करे न काम।
दास मलूका कह गए, सबके दाता राम॥’
ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜଣେ ସାଧୁଙ୍କ ପାଖକୁ ନେଇଯାଇଥିଲେ। ସେ କହିବା ଆରମ୍ଭ କଲେ ଯେ “ସ୍ୱାମୀ ଯାହା ରୋଜଗାର କରନ୍ତି, ତାହାକୁ ମଦରେ ଉଡ଼ାଇ ଦିଅନ୍ତି। ଆପଣ ମୋ ସ୍ୱାମୀଙ୍କୁ ଏହା ବୁଝାନ୍ତୁ। ”ସାଧୁ ଜଣକ ସେହି ବ୍ୟକ୍ତିଙ୍କୁ କହିଲେ - “ଆପଣ ଘରେ ଟଙ୍କା ଦିଅନ୍ତୁ, ମଦରେ କାହିଁକି ନଷ୍ଟ କରୁଛନ୍ତି?”
ବ୍ୟକ୍ତି ଜଣକ ସାଧୁଙ୍କୁ ପ୍ରଣାମ କରି କହିଲେ -
“ଆପଣ କୁହନ୍ତି, "सबके दाता राम'। ଭଗବାନ ସମସ୍ତଙ୍କର ରୁଟିର ବ୍ୟବସ୍ଥା କରିଦିଅନ୍ତି। ମୁଁ ଆପଣଙ୍କ କଥାର କିପରି ବିରୋଧ କରିପାରିବି? ଶ୍ରୀ ଭଗବାନ ରୁଟି ତ ଦେଇଦେବେ କିନ୍ତୁ ମୋତେ ମଦ ଦେବେ ନାହିଁ, ତେଣୁ ମୁଁ ମଦ ପାଇଁ ରୋଜଗାର କରୁଛି।”
୮. ସ୍ୱଭାବ :-
ସତ୍ତ୍ୱଗୁଣୀ - ଏହି ବ୍ୟକ୍ତି ଯାହା କରିଥାଏ, ତାହା ଅନ୍ୟର ହିତ ପାଇଁ କରିଥାଏ।
ଲଙ୍କାକାଣ୍ଡରେ ସମୁଦ୍ର ପାର ହୋଇ ସେନା ପହଞ୍ଚିବା ପରେ ଭଗବାନ ରାମ ଅଙ୍ଗଦଙ୍କୁ ଶାନ୍ତିର ଦୂତ ଭାବେ ପଠାଇଥିଲେ। ଅଙ୍ଗଦ ରାମଜୀଙ୍କୁ ପଚାରିଲା, ”ସେଠାରେ ମୋର କ'ଣ କହିବାର ଅଛି?” ଏହା ପ୍ରସଙ୍ଗରେ ଶ୍ରୀରାମ ଜୀ କହିଲେ -
काजु हमार तासु हित होई।
रिपु सन करेहु बतकही सोई॥
ଶତ୍ରୁଙ୍କ ସହ ଏପରି କଥା ହୁଅନ୍ତୁ, ଯାହାଦ୍ୱାରା ଆମର କାମ ହେଇଯିବ ଏବଂ ତାଙ୍କର ମଧ୍ୟ କଲ୍ୟାଣ ହେବ। ଆମର କାମ ମଧ୍ୟ ହେବା ଦରକାର ଏବଂ ତାଙ୍କର ହିତ ମଧ୍ୟ ହେବା ଦରକାର।
ରଜୋଗୁଣୀ - ରଜୋଗୁଣୀଙ୍କ ପାଇଁ ନିଜର ସ୍ୱାର୍ଥ ସାଧନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାଏ।
ଅନେକ ସମୟରେ ସତ୍ସଙ୍ଗକୁ ଯାଉଥିବା ଲୋକମାନେ ମଧ୍ୟ ଏମିତି କିଛି ଅସଂଗତ କାର୍ଯ୍ୟ କରିଥାନ୍ତି। ଜଣେ ବ୍ୟକ୍ତି ତାଙ୍କ ଚପଲ ପାଇଁ ଜାଗା ତିଆରି କରିବାକୁ ଯାଇ, ଅନ୍ୟ ସମସ୍ତଙ୍କର ଚପଲକୁ ଏକ ପଟକୁ କରି ଦେଇ ଭିତରକୁ ଯାଇଥିଲେ। ସତ୍ସଙ୍ଗ ସମାପ୍ତ ପରେ ଅନ୍ୟ ଲୋକଙ୍କ ପାଇଁ ଚପଲ ଖୋଜିବା କେତେ ଯେ କଷ୍ଟକର ହେବ, ତାହା ସେ ଭାବିଲେ ନାହିଁ।
ଏହା ହେଉଛି ରଜୋଗୁଣୀଙ୍କର ଧ୍ୟେୟ ବାକ୍ୟ -
अपना काम बनता, भाड़ में जाए जनता। - ନିଜ କାମ ହେବା ଦରକାର, ଜନତାକୁ କିଏ ପଚାରେ।
ତମୋଗୁଣୀ - ସେ ନିଜର ନଷ୍ଟ କରିବା ସହ ଅନ୍ୟମାନଙ୍କର ମଧ୍ୟ ନଷ୍ଟ କରିଦିଅନ୍ତି। ଗୋସ୍ୱାମୀ ତୁଳସୀଦାସ ଜୀ କହନ୍ତି:
जिमि हिमि उपल कृषी दलि गरही।
ସେମାନେ ଅନ୍ୟମାନଙ୍କ ଅର୍ଥ ନଷ୍ଟ କରି ନିଜକୁ ମଧ୍ୟ ନଷ୍ଟ କରିଦିଅନ୍ତି, ଯେମିତି ଫସଲକୁ ନଷ୍ଟ କରି ବରଫଗୋଲା (କୁଆପଥର) ମଧ୍ୟ ନଷ୍ଟ ହୋଇଯାଏ। ଜଣେ ତମୋଗୁଣୀ ବ୍ୟକ୍ତି ନିଜ ସ୍ୱାର୍ଥର ବିଚାର କରେ ନାହିଁ କି ଅନ୍ୟର ହିତର ବିଚାର ମଧ୍ୟ କରେ ନାହିଁ।
୯. ରୁଚି ବା ଆଗ୍ରହ :-
ସତ୍ତ୍ୱଗୁଣୀ - ଧର୍ମ, କର୍ମ ଓ ସେବା ପ୍ରତି ଆଗ୍ରହ ରଖନ୍ତି। ଯଦି ସମାଜରେ କିଛି ଭଲ କାମ ହେଉଥାଏ ତେବେ ସେଥିରେ ତାଙ୍କର ଯୋଗଦାନ ରହିବା ଉଚିତ୍ ବୋଲି ମନେ କରନ୍ତି।
ରଜୋଗୁଣୀ - ଦମ୍ଭଅହଂକାର ଓ ସମ୍ମାନ ପ୍ରତି ଆଗ୍ରହ ରହିଥାଏ। ନାମ, ପ୍ରସିଦ୍ଧି, ଲୋଭ, ପ୍ରଲୋଭନ ବଢ଼ାଇବା ପାଇଁ ସେ ଦିନସାରା କାମ କରନ୍ତି। “ଲୋକମାନେ ତାଙ୍କୁ ଜାଣନ୍ତୁ, ବିଶ୍ୱାସ କରନ୍ତୁ ଆଉ ଉତ୍ତମ ଭାବନ୍ତୁ,” ଏହି ପ୍ରକାର ଆଶା ରଖନ୍ତି।
ତମୋଗୁଣୀ - ସର୍ବଦା ଅଧର୍ମ କଥା କୁହନ୍ତି ଏବଂ ବିପରୀତ କାର୍ଯ୍ୟ କରନ୍ତି। ଅଧର୍ମରେ ରୁଚି ରଖନ୍ତି ଏବଂ ସେମାନେ ଧର୍ମରେ ମଧ୍ୟ ଅଧର୍ମକୁ ଖୋଜନ୍ତି।
୧୦. ଇଚ୍ଛା :-
ସତ୍ତ୍ୱଗୁଣୀ - ଆବଶ୍ୟକତାକୁ ଗୁରୁତ୍ୱ ଦିଅନ୍ତି।
ରଜୋଗୁଣୀ - ଇଚ୍ଛାକୁ ଏକ ଆବଶ୍ୟକତାରେ ପରିଣତ କରିଥାନ୍ତି।
ବିବାହ ଋତୁରେ ମହିଳାମାନେ ନିଜ ପୋଷାକ ଓ ଅଳଙ୍କାର ଦେଖାଇବାର ଇଚ୍ଛାରେ ଥଣ୍ଡାରେ ଛଟପଟ ହୁଅନ୍ତି, କିନ୍ତୁ ଗରମ ପୋଷାକ ପିନ୍ଧନ୍ତି ନାହିଁ। ସେମାନେ ଇଚ୍ଛା ପୂର୍ତ୍ତୀ ପାଇଁ ଆବଶ୍ୟକତାକୁ ତ୍ୟାଗ କରିଦିଅନ୍ତି।
ତମୋଗୁଣୀ - ଅନ୍ୟର ଇଚ୍ଛାରେ ବାଧା ସୃଷ୍ଟି କରିଥାଏ। ନିଜ ଇଚ୍ଛା ପ୍ରତି ଚିନ୍ତା କରେ ନାହିଁ, କିନ୍ତୁ ଅନ୍ୟ ମାନଙ୍କର କାମ ହେବା ଉଚିତ୍ ନୁହେଁ ବୋଲି ଆଶା ରଖନ୍ତି।
୧୧.ସଙ୍ଗ :-
ସତ୍ତ୍ୱଗୁଣୀ - ସେ ସଜ୍ଜନଙ୍କ ସହିତ ସଙ୍ଗ କରନ୍ତି, ସେ ଭଲ ଲୋକଙ୍କ ସହିତ ରହିବାକୁ ପସନ୍ଦ କରନ୍ତି। ତୁଳସୀଦାସ ଜୀ କହନ୍ତି ଯେ,
"बिनु सत्संग विवेक न होई।
राम कृपा बिनु सुलभ न सोई"
ରଜୋଗୁଣୀ - ସବୁବେଳେ ଧନୀ ଓ ସମ୍ଭ୍ରାନ୍ତ ଲୋକଙ୍କ ସହ ମିଶି ରହିବାକୁ ପସନ୍ଦ କରନ୍ତି। ଧନୀ, ପ୍ରଭାବଶାଳୀ ବ୍ୟକ୍ତି ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଜଡ଼ିତ ରହିବାକୁ ପସନ୍ଦ କରନ୍ତି।
ତମୋଗୁଣୀ - ଭଲ ଲୋକଙ୍କଠାରୁ ଦୂରେଇ ରୁହନ୍ତି।
ଏ ସବୁ ଗୁଣ ଆମ ଭିତରେ ରହିଛି। କେଉଁଠି କେବେ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସତ୍ତ୍ୱଗୁଣୀ ବ୍ୟକ୍ତି ତମୋଗୁଣୀଙ୍କ କାମ କରୁଥିବା ଦେଖିବାକୁ ମିଳୁଛି। କାହା ଜୀବନରେ କେଉଁ ଗୁଣର କେତେ ପ୍ରାଧାନ୍ୟତା ଅଛି, ଜାଣିବା କଥା। ଏଥିରୁ ଦେଖାଯାଏ କାହା ଜୀବନ ମୁଖ୍ୟତଃ ସତ୍ତ୍ୱଗୁଣୀ ନା ରଜୋଗୁଣୀ ନା ତମୋଗୁଣୀ ଅବସ୍ଥାରେ ପରିପୂର୍ଣ୍ଣ ଭାବରେ ରୁହେ।
ଯଦି କୌଣସି ବାବା ତମାଖୁ ଖାଆନ୍ତି। ସେ ତମୋଗୁଣୀ ନୁହଁନ୍ତି। ତାଙ୍କର ଗୁଣବତ୍ତା ତାଙ୍କ ପୂରା ଜୀବନ ଉପରେ ନିର୍ଭର କରେ। ଆମକୁ ଆମ ଜୀବନରେ ସତ୍ତ୍ୱଗୁଣକୁ ବଢ଼ାଇବା ଉଚିତ୍।
ହରିନାମ ସଂକୀର୍ତ୍ତନ ସହ ଗୁଣତ୍ରୟ ବିଭାଗଯୋଗର ବିବେଚନ ସମାପ୍ତ ହୋଇଥିଲା ଏବଂ ପ୍ରଶ୍ନୋତ୍ତର ସତ୍ର ଆରମ୍ଭ ହୋଇଥିଲା।
:: ପ୍ରଶ୍ନୋତ୍ତରୀ ::
ପ୍ରଶ୍ନକର୍ତ୍ତା - ପଦ୍ମିନୀ ଅଗ୍ରୱାଲ ଦିଦି
ପ୍ରଶ୍ନ - ଯଦି ଶ୍ରୀରାମଚରିତମାନସ ଓ ବାଲ୍ମିକୀଙ୍କ ରାମାୟଣରେ ଲକ୍ଷ୍ମଣ ରେଖା ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ, ତେବେ ଆମେ ଲକ୍ଷ୍ମଣ ରେଖା ବିଷୟରେ କାହିଁକି କହୁଛୁ?
ଉତ୍ତର - ଶ୍ରୀରାମଚରିତମାନସର ଲଙ୍କା କାଣ୍ଡରେ ଲକ୍ଷ୍ମଣ ରେଖା ବିଷୟରେ ଉଲ୍ଲେଖ ରହିଛି। ସେଠାରେ ମନ୍ଦୋଦରୀ ରାବଣଙ୍କୁ କୁହନ୍ତି ଯେ, “ଆପଣ ଲକ୍ଷ୍ମଣଙ୍କ ଦ୍ୱାରା ଆଙ୍କିଥିବା ରେଖା ଅତିକ୍ରମ କରିପାରିଲେ ନାହିଁ ଆଉ ଏଠାରେ ଗର୍ବ କରୁଛନ୍ତି!”
ଅରଣ୍ୟକାଣ୍ଡରେ ଏହାର ଉଲ୍ଲେଖ ନାହିଁ, ଲଙ୍କା କାଣ୍ଡରେ ଏହାର ଉଲ୍ଲେଖ ରହିଛି।
ପ୍ରଶ୍ନକର୍ତ୍ତା - ରୀତା ଦିଦି
ପ୍ରଶ୍ନ - ରଜୋଗୁଣ ଏବଂ ସତ୍ତ୍ବଗୁଣ ମଧ୍ୟରେ ପାର୍ଥକ୍ୟ କ'ଣ?
ଉତ୍ତର - ସତ୍ତ୍ବଗୁଣ ଓ ରଜୋଗୁଣ ମଧ୍ୟରେ ପାର୍ଥକ୍ୟ ଶ୍ରେୟ ଓ ପ୍ରେୟର ରହିଛି। ଶ୍ରେୟର ଅର୍ଥ ହେଉଛି ଆମେ କ'ଣ କରିବା ଉଚିତ ଏବଂ ପ୍ରେୟର ଅର୍ଥ ହେଉଛି ଆମେ କ'ଣ କରିବାକୁ ପସନ୍ଦ କରୁ।
ପ୍ରଶ୍ନକର୍ତ୍ତା - ପ୍ରମିଳା ଦିଦି
ପ୍ରଶ୍ନ - ଯେତେବେଳେ ମୁଁ ମନ୍ଦିରକୁ ଯାଏ, ପଣ୍ଡିତମାନେ ମୋ ମୁଣ୍ଡରେ ଚାଉଳ ରଖନ୍ତି। ମୁଣ୍ଡରେ ଚାଉଳ ପକାଇବାକୁ ମୁଁ ବାରଣ କରେ। ସେହି ଚାଉଳ ଆମ ପାଦରେ ଆସି ପଡେ ଏବଂ ଆମ ପାଦ ଶସ୍ୟକୁ ଛୁଏଁ। ଅନ୍ନ ପାଦରେ ଲାଗିବା ଉଚିତ୍ ନୁହେଁ। ମୁଁ ପଚାରିବାକୁ ଚାହୁଁଛି ଯେ ମୋର ଏହି ମତ ଠିକ୍ ନା ଭୁଲ?
ଉତ୍ତର - ଆପଣଙ୍କୁ ଏହା ଭାବିବା କିମ୍ବା କହିବାର ଆବଶ୍ୟକତା ନାହିଁ। ଏହି ବିଷୟରେ ଆପଣଙ୍କର ଜ୍ଞାନ ଖୁବ୍ କମ୍। ମନ୍ଦିରର ପରମ୍ପରା ଏବଂ ସେଠାରେ କାର୍ଯ୍ୟରତ ସମସ୍ତେ ଜ୍ଞାନୀ ଅଟନ୍ତି। ଆପଣଙ୍କ ବିଚାର ଉପସ୍ଥାପନା କରିବା ଅନୁଚିତ୍। ଯଦି ଏହାକୁ ନେଇ ଆପଣଙ୍କର ସନ୍ଦେହ ଅଛି, ତେବେ ଆପଣ ଜଣେ ସନ୍ଥଙ୍କୁ ପଚାରିବା ଉଚିତ, ଏପରି ପରମ୍ପରା କାହିଁକି?
ମନ୍ଦିରଯାଇ ସେଠାକାର ପରମ୍ପରାକୁ ନିଷିଦ୍ଧ କରିବା ଭୁଲ। ଯେଉଁ ପଣ୍ଡିତମାନେ ସେଠାରେ ପୂଜା କରନ୍ତି ସେମାନେ ହିଁ ଏହାକୁ ଠିକ୍ ଭାବରେ କରନ୍ତି। ସେ ଆପଣଙ୍କୁ ଚାଉଳ ମାଧ୍ୟମରେ ଭଗବାନଙ୍କର ଆଶୀର୍ବାଦର ସ୍ପର୍ଶ ଦିଅନ୍ତି।
ଚାଉଳ ମାଟିରେ ଖସିପଡ଼ୁଛି ନା କ'ଣ ହେଉଛି, ତାହା ଭାବିବା ଆପଣଙ୍କ କାମ ନୁହେଁ। ଆପଣଙ୍କର କର୍ମ ହେଉଛି ମନ୍ଦିରକୁ ଯାଇ ପୂଜା କରିବା। ପଣ୍ଡିତମାନେ ଆମକୁ ଯେଉଁ ଚାଉଳ ଦେଉଛନ୍ତି, ତାହା ଯଦି ମାଟିରେ ପଡ଼ିଯାଉଛି, ତାହା ହେଉଛି ସେମାନଙ୍କର କର୍ମ। ଏହା ବିଷୟରେ ଚିନ୍ତା କରିବା ଆମର କାମ ନୁହେଁ। ଆମେ ଏହାଦ୍ୱାରା ଅନ୍ୟର କାମରେ ଅନଧିକାର ପ୍ରବେଶ କରିଥାଉ।
ତୁମର ସେହି ଅଧିକାର ନାହିଁ କି ତୁମର ଏହି ବିଷୟରେ ଏତେ ଜ୍ଞାନ ନାହିଁ। ଏଭଳି ପ୍ରସଙ୍ଗରେ ନିଜ ମତକୁ ପ୍ରାଥମିକତା ଦେବା ଠିକ୍ ନୁହେଁ। ମନ୍ଦିରର ପରମ୍ପରା କିଛି ଚିନ୍ତା କରିବା ପରେ ହିଁ ତିଆରି ହୋଇଥାଏ।
ପ୍ରଶ୍ନକର୍ତ୍ତା - ପ୍ରଣେଶ ଭାଇ
ପ୍ରଶ୍ନ - ଆମେ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ଜମା କରିବା ଉଚିତ ନୁହେଁ କି?
ଉତ୍ତର - ଏହା କରିବା ନିହାତି ଜରୁରୀ। କିନ୍ତୁ ଆପଣ ସତ୍ତ୍ୱଗୁଣ ପାଇଁ ମଧ୍ୟ କିଛି ଟଙ୍କା ଖର୍ଚ୍ଚ କରିବା ଉଚିତ୍। ଯଦି ଆପଣ ଚାଳିଶ ବର୍ଷ କିମ୍ବା ପଚାଶ ବର୍ଷ ବୟସରେ ପହଂଚିଛନ୍ତି, ତେବେ ଆପଣ କେବଳ ରାଜୋଗୁଣ ପାଇଁ ନୁହେଁ, ବରଂ ସତ୍ତ୍ୱଗୁଣ ଉପରେ ମଧ୍ୟ ଖର୍ଚ୍ଚ କରିବା ଉଚିତ୍।
ପ୍ରଶ୍ନକର୍ତ୍ତା - ବିକାଶ ଭାଇ
ପ୍ରଶ୍ନ - ଆପଣ ମୋତେ ଯେଉଁ ସ୍ଲାଇଡ ଦେଖାଇଥିଲେ ତାହା ବହୁତ ସୁନ୍ଦର ଥିଲା। ମତେ ଭୋଜନ ଉଦାହରଣ ବିଷୟରେ ପଚାରିବାକୁ ଅଛି। ଯେତେବେଳେ ଆମେ ଉପବାସ କରିଥାଉ, ଏହା ସତ୍ତ୍ୱଗୁଣରେ ପରିଣତ ହୋଇଥାଏ। ଆଜିକାଲି ଯେଉଁମାନେ ବିନା ବିଶ୍ୱାସରେ ଉପବାସ କରୁଛନ୍ତି, ସେମାନଙ୍କୁ ଉପବାସ କରିବାର ଏହି ପଦ୍ଧତି, କେଉଁ ଗୁଣରେ ଆସିବ?
ଉତ୍ତର - ଅନେକ ସମୟରେ ଆମର ଓଜନ ବହୁତ ଅଧିକ ହୋଇଯାଏ ଏବଂ ଯଦି ଆମେ ଉପବାସ କରି ଏହାକୁ ହ୍ରାସ କରିବାକୁ ଚାହୁଁଛୁ, ତେବେ ଆମକୁ ଏହି ବ୍ରତର ଗୁଣ ମିଳିବ ନାହିଁ।
ଏହା ହେଉଛି ସାତ୍ତ୍ୱିକ। ଏପରି କରିବା ଦ୍ୱାରା ଆପଣ ନିଜ ଶରୀରକୁ ସୁରକ୍ଷିତ ରଖିପାରିବେ। ଯଦି ଆପଣ ଏହି ମାଧ୍ୟମରେ ଶରୀରର ବୟସ ଏବଂ ଏହାର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହାକୁ ସାତ୍ତ୍ୱିକ ଉପବାସ କୁହାଯିବ ।
ପ୍ରଶ୍ନକର୍ତ୍ତା - ବିକାଶ ଭାଇ
ପ୍ରଶ୍ନ - ପରିବାରରେ କାହାର ମୃତ୍ୟୁ ହେଲେ ଘରେ ରଖାଯାଇଥିବା ମନ୍ଦିରକୁ ପୂଜା କରିବା ଉଚିତ କି ନାହିଁ? ପାତକ ର ଅର୍ଥ କ'ଣ?
ଉତ୍ତର - ଘରେ ଥିବା ସେହି ମନ୍ଦିରରେ ପୂଜା ବନ୍ଦ ହେବ ନାହିଁ। ଆମେ ନିଜେ ତାଙ୍କୁ ପୂଜା କରିପାରିବା ନାହିଁ ଏବଂ ଯଦି ଘରେ କୌଣସି କନ୍ୟା ସନ୍ତାନ ଅଛନ୍ତି, ତେବେ ଆମେ ତାଙ୍କଦ୍ୱାରା ଏହା କରେଇ ପାରିବା।
ଆମ ଘରର ଝିଅମାନେ ଏହା କରିପାରିବେ। ଏହା ବ୍ୟତୀତ ଯଦି କୌଣସି କର୍ମଜୀବୀ ବାଇ ଅଛନ୍ତି, ତେବେ ଆପଣ ତାଙ୍କଦ୍ୱାରା ମଧ୍ୟ ମନ୍ଦିରରେ ପୂଜା କରିପାରିବେ। ଆମେ ଆମର କୌଣସି ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ମଧ୍ୟ ଏହା କରିପାରିବା।
ଶ୍ରୀ ଭଗବାନଙ୍କ ପୂଜା ଓ ଭୋଗ ଗୋଟିଏ ଦିନ ପାଇଁ ବି ବନ୍ଦ ହେବା ଉଚିତ ନୁହେଁ। ଆମକୁ ନିଜେ ଏହା କରିବା ନାହିଁ, କାରଣ ଆମେ ସେହି ସମୟରେ ଅଶୁଦ୍ଧ।
ଏହି ସମୟରେ ଶ୍ରୀ ଭଗବାନଙ୍କ ସମ୍ମୁଖକୁ ଯାଆନ୍ତି ନାହିଁ ଏବଂ ଶ୍ରୀ ଭଗବାନଙ୍କୁ ସ୍ପର୍ଶ କରନ୍ତି ନାହିଁ, ଭୋଗ ମଧ୍ୟ କରିପାରିବେ ନାହିଁ। ଏପରି କୌଣସି ନିୟମ ନାହିଁ ଯେ ଶ୍ରୀ ଭଗବାନଙ୍କୁ ପୂଜା କରାଯିବ ନାହିଁ। ସୁତକ ସମୟରେ ମଧ୍ୟ ଏହି କଥା ପ୍ରଯୁଜ୍ୟ।
ପାତକ ଅର୍ଥ ପାପ ସୁତକ ଓ ପାତକଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏହା କଥିତ ଭାଷାରେ ଏକାଠି କୁହାଯାଏ।
ପ୍ରଶ୍ନକର୍ତ୍ତା - ନେହା ଦିଦି
ପ୍ରଶ୍ନ - ସୁନ୍ଦରା କାଣ୍ଡ ପାଠ କରିବା ସମୟରେ ଆମେ ଶ୍ରୀ ହନୁମାନଜୀଙ୍କୁ ଆବାହନ କରିଥାଉ। ଆମେ ଏହି ଆବାହନ କେମିତି କରିବା ଉଚିତ୍? ଆପଣ ମୋତେ କହିପାରିବେ କି ତା’ଙ୍କୁ କିପରି ଆହ୍ୱାନ କରାଯାଏ ? ମୁଁ ପ୍ରତିଦିନ ଧୀରେ ଧୀରେ ସୁନ୍ଦରାକାଣ୍ଡ ପାଠ କରିପାରିବି କି?
ଉତ୍ତର - ପାଠ ଆରମ୍ଭ କରିବା ପୂର୍ବରୁ କହିବା ଉଚିତ ଯେ 'ହେ ହନୁମାନ ଜୀ ମହାରାଜ, ଆମେ ଆପଣଙ୍କୁ ସ୍ମରଣ କରି ଶ୍ରୀରାମଜୀଙ୍କର ସ୍ତୁତି କରୁଛୁ। ଯଦି ଆପଣ ରାମଜୀଙ୍କ କଥା ହେଉଥିବା ସ୍ଥାନକୁ ଆସନ୍ତି, ତେବେ ଏଠାକୁ ଆସନ୍ତୁ। ’
ମୁରାରି ବାପୁ ଆହୁରି ମଧ୍ୟ କହନ୍ତି, कथा अब होत है पधारो हनुमान।”
ଏହା ଭାବର ବିଷୟ, ଶବ୍ଦର ନୁହେଁ।
ଗୋଟିଏ ଥରରେ ସୁନ୍ଦରାକାଣ୍ଡ ପାଠ କରିବା ଭଲ। ଯଦି ସମୟର ଅଭାବ ରହିଛି, ତେବେ ଆପଣ ଏହାକୁ ଧୀରେ ଧୀରେ ପାଠ କରିପାରିବେ। ଯେତେବେଳେ ଆପଣ ଏହାକୁ ପଢିବା ଆରମ୍ଭ କରନ୍ତି, ଏହା କେବଳ ପଢିବାର ଏକ ଘଣ୍ଟାରେ ଶେଷ ହୋଇଥାଏ। ମୋର ପାଠ ୪୫ ମିନିଟ୍ ରେ ସମାପ୍ତ ହେଉଛି।
ପ୍ରଶ୍ନକର୍ତ୍ତା - ବୈଶାଳୀ ଦିଦି
ପ୍ରଶ୍ନ - ଯଦି ଖବରକାଗଜରେ କିଛି ଖରାପ ଖବର ପଢ଼ୁଛି ମୋତେ ବହୁତ ଦୁଃଖ ଲାଗୁଛି, ଏଥିପାଇଁ ମୁଁ କ'ଣ କରିବି?
ଉତ୍ତର - କୌଣସି ଖରାପ ଖବର ପଢ଼ି ଦୁଃଖ ଅନୁଭବ କରିବା ସ୍ୱାଭାବିକ। ଏହା ଏକ କରୁଣାର ଗୁଣ। ଏହା ଏକ ଭଲ କଥା, କିନ୍ତୁ ଏଥିରେ ଲିପ୍ତ ରହିବା ଆପଣଙ୍କ ଜୀବନରେ କଷ୍ଟ ଆଣିଥାଏ। ଆପଣଙ୍କ ଜୀବନ କଷ୍ଟଦାୟକ ହେବା ଉଚିତ୍ ନୁହେଁ। ଯଦି ଆପଣ କେବେ କୌଣସି ଖବର ପଢନ୍ତି ଯେ ବିମାନ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି, ତେବେ ମନରେ ଦୁଃଖ ଆସିଥାଏ ଏବଂ ଏହା ହେବା ଉଚିତ୍। ଏହା ଏକ ମାନବୀୟ ଗୁଣ। ଏହା ଏକ ଭଲ କଥା, କିନ୍ତୁ ଯଦି ଆମେ ସାରା ଦିନ ଏହି ବିଷୟରେ ଚିନ୍ତା କରିବା ତେବେ ମନରେ କଷ୍ଟ ଅନୁଭବ ହେବ।
ଯଦି ତୁମେ ବାରମ୍ବାର ଚିନ୍ତାକରି ଭଗବାନଙ୍କୁ ଦୋଷ ଦେଇ କହିବ,”ଭଗବାନ, ତୁମେ କ'ଣ କରୁଛ? ଆପଣ ଦେଖୁନାହାଁନ୍ତି କି? କଣ ଘଟୁଛି?” ଏଭଳି ଚିନ୍ତା କଲେ କ୍ଷତି ହିଁ ହେବ। ଏହି ଚିନ୍ତାରେ କିଛି ଲାଭ ନାହିଁ, ତେଣୁ ସର୍ବଦା ମନରେ ଚିନ୍ତା କରନ୍ତୁ:
सर्वे भवन्तु सुखिनः । सर्वे सन्तु निरामयाः ।
सर्वे भद्राणि पश्यन्तु ।मा कश्चित् दुःख भाग्भवेत्॥
ଏହି ପ୍ରାର୍ଥନା ପ୍ରତିଦିନ କରିବା ଉଚିତ୍। ସମସ୍ତଙ୍କ କଲ୍ୟାଣ କାମନା କରିବା ଉଚିତ୍। ଯେଉଁମାନେ ଚାଲିଯାଇଛନ୍ତି, ସେମାନଙ୍କ ପାଇଁ ଗୀତା ପାଠ କରିବା ଉଚିତ୍। ଏହା ଦ୍ୱାରା ସେମାନଙ୍କର ଏବଂ ଆପଣଙ୍କର ମଧ୍ୟ ଲାଭ ହେବ। ଏହା ହିଁ ଆପଣ କରିପାରିବେ।
ଅନ୍ୟର ଦୁଃଖ ବିଷୟରେ ଚିନ୍ତା କରି କିଛି ଲାଭ ନାହିଁ। ଶ୍ରୀ ଭଗବାନ ଯେଉଁ ପ୍ରକୃତି ସୃଷ୍ଟି କରିଛନ୍ତି ତାହା ସତ୍ତ୍ୱ, ରଜୋ ଓ ତମୋଗୁଣଙ୍କ ମିଳନ ଦ୍ୱାରା ସୃଷ୍ଟି ହୋଇଛି। ତାମୋଗୁଣ ଏହି ପ୍ରକୃତିର ଏକ ଗୁଣ, ଯଦି ଏହା ନ’ରହିବ, ତେବେ ଆମେ ସମସ୍ତେ ରୋବୋଟ୍ ହୋଇଯିବା।
ଶ୍ରୀ ଭଗବାନ ଆମକୁ ଭୁଲ କାର୍ଯ୍ୟ କରିବାର ସ୍ୱାଧୀନତା ଦେଇଛନ୍ତି। ଯଦି ଆମକୁ ଏହି ସ୍ୱାଧୀନତା ନ’ମିଳେ, ତେବେ ଆମେ ମେସିନ୍ରେ ପରିଣତ ହୋଇଯିବା। ଆମକୁ କାର୍ଯ୍ୟ କରିବାର ସ୍ୱାଧୀନତା ମିଳିବ ନାହିଁ। କାର୍ଯ୍ୟର ସ୍ୱାଧୀନତା ସେତେବେଳେ ଯାଏ ହିଁ ଅଛି ଯେତେବେଳେ ଯାଏଁ ଆମେ ଉଭୟ ଠିକ୍ ଭୁଲ କାର୍ଯ୍ୟ କରିପାରୁଛେ। ଯଦି ଆମେ ଭୁଲ୍ କରିବା ନାହିଁ, ତେବେ ଆମ କାମକୁ ଠିକ୍ କରିବାର ସ୍ୱାଧୀନତା ଆମର ନାହିଁ। ତା'ପରେ ଆମେ ମେସିନ୍ ସହ ସମାନ ହୋଇଯିବା। ଯେମିତି ମେସିନ୍ କିଛି ଭୁଲ୍ କରିପାରିବ ନାହିଁ, ସେମିତି ମଣିଷ ବି ଭୁଲ୍ କରିପାରିବନି।
ଜଣେ ବଡ଼ ବ୍ୟକ୍ତି ମଧ୍ୟ ଅପରାଧ କରିପାରନ୍ତି। ଏପରି ନୁହେଁ ଯେ ଯଦି କେହି ଜ୍ଞାନୀ ହୁଅନ୍ତି, ତେବେ ସେ ଅପରାଧ କରିବେ ନାହିଁ। ତମୋଗୁଣ ଏବଂ ରଜୋଗୁଣ ସମସ୍ତଙ୍କ ଜୀବନରେ ଅଛି ଏବଂ ସମସ୍ତେ ସେହି ଅନୁଯାୟୀ କାର୍ଯ୍ୟ କରନ୍ତି। ଏପରିକି ଯଦି ଜଣେ ସାଧୁ କିଛି ଭୁଲ କରିଛନ୍ତି, ତେବେ ତାହାକୁ ଭୁଲ ବୋଲି ବିବେଚନା କରାଯିବା ଉଚିତ୍। ଆପଣ ଏହି ବିଷୟରେ ଭୁଲ ଭାବିବା ଉଚିତ ନୁହେଁ।
ଏହାପରେ ଆଜିର ସୁନ୍ଦର ଆଲୋଚନା ଅଧିବେଶନ ଶ୍ରୀ ହନୁମାନ ଚାଳିସା ପାଠ ସହ ଶେଷ ହୋଇଥିଲା।
॥॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥॥