विवेचन सारांश
ଜୀବାତ୍ମାର ସ୍ୱରୂପ
ଉପକ୍ରମଣିକା::
ସନାତନ ପରମ୍ପରା ଅନୁଯାୟୀ ଆଜି ଭଜନ, ଦେଶାତ୍ମବୋଧକ ଗୀତ, ହନୁମାନ ଚାଳିସା ପାଠ, ଦୀପ ପ୍ରଜ୍ୱଳନ, ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଓ ପ୍ରାରମ୍ଭିକ ପ୍ରାର୍ଥନା ସହିତ ବିବେଚନ ସତ୍ର ଆରମ୍ଭ ହୋଇଥିଲା। ଶ୍ରୀଭଗବାନଙ୍କ ଅସୀମ କୃପାରୁ ଆମେ ଏପରି ସୌଭାଗ୍ୟ ପ୍ରାପ୍ତ କରିଛୁ ଯେ ଆମ ମାନବ ଜୀବନକୁ ସଫଳ ଓ ଅର୍ଥପୂର୍ଣ୍ଣ କରିବା ପାଇଁ ଆମେ ଗୀତାର ଅଧ୍ୟୟନ, ଚିନ୍ତନ ଓ ପଠନରେ ନିଜକୁ ନିୟୋଜିତ କରିଛୁ। ଏହି ଶିକ୍ଷାକୁ ଆମ ଜୀବନରେ କିପରି ଅନ୍ତର୍ଭୁକ୍ତ କରିହେବ ତାହା ମଧ୍ୟ ଆମେ ବୁଝିବାକୁ ଚେଷ୍ଟା କରୁଛୁ। ମନୁଷ୍ୟ ଜୀବନର ପ୍ରାଥମିକ ଲକ୍ଷ୍ୟ ହେଉଛି ଭଗବାନଙ୍କ ପ୍ରାପ୍ତି, ଏବଂ ଆମେ ଧୀରେ ଧୀରେ ଏହି ଦୃଷ୍ଟିକୋଣକୁ ବୁଝିବାକୁ ପ୍ରୟାସ କରୁଛୁ, କିନ୍ତୁ ଆମର ବିଶ୍ୱାସ ରହିବା ଉଚିତ ଯେ ଆମେ ଗୀତା ଚୟନ କରିନାହୁଁ, ବରଂ ଆମକୁ ଗୀତା ପଢ଼ିବା ପାଇଁ ଚୟନ କରାଯାଇଛି।
ଯିଏ ଗୀତା ପଢ଼ନ୍ତି ସେ ଏହି ଲୋକର ସବୁସ୍ଥାନରେ ବିଜୟୀ ହୁଅନ୍ତି ଓ ପରଲୋକରେ ମଧ୍ୟ ଉତ୍ତମ ଗତିକୁ ଲାଭ କରିଥାନ୍ତି। ଗୀତା ହେଉଛି ଏକମାତ୍ର ଗ୍ରନ୍ଥ ଯାହା ଯୁଦ୍ଧ କ୍ଷେତ୍ରରେ କୁହାଯାଇଛି । କୌଣସି ନଦୀ କୂଳରେ କି ବିଧାନସଭାରେ କି ସତ୍ସଙ୍ଗରେ କିମ୍ବା ଗୁମ୍ଫାରେ ଏହା କୁହାଯାଇନଥିଲା। କଠିନ ପରିସ୍ଥିତିରେ ଯୁଦ୍ଧ କ୍ଷେତ୍ରରେ ଏହା କୁହାଯାଇଥିଲା।
ଅର୍ଜୁନ କୌଣସି ସାଧାରଣ ପୁରୁଷ ନୁହଁନ୍ତି। ହଜାର ହଜାର ଯୁଦ୍ଧ ଲଢ଼ିଥିଲେ ମଧ୍ୟ ସେ ସାରା ଜୀବନରେ ଗୋଟିଏ ବି ଯୁଦ୍ଧରେ ହାରି ନାହାନ୍ତି। ସେ ନିଜେ ମହାଦେବଙ୍କ ବିରୁଦ୍ଧରେ ଯୁଦ୍ଧ କରି ତାଙ୍କୁ ପ୍ରସନ୍ନ କରିଥିଲେ। ସେ ଇନ୍ଦ୍ରଙ୍କ ସମେତ ସମସ୍ତ ଦେବତାଙ୍କ ସେନାକୁ ପରାସ୍ତ କରିଛନ୍ତି। ତାଙ୍କ ପାଖରେ ଏଭଳି ଦେବତ୍ୱ ରହିଛି।ସ୍ୱଶରୀରରେ ସ୍ୱର୍ଗକୁ ଯିବାପାଇଁ ସେ କଠୋର ତପସ୍ୟା କରିଥିଲେ। ସେ ଦେବତାଙ୍କ ସିଂହାସନରେ ବସିବାର ଗୌରବ ତଥା ଅଧିକାର ଲାଭ କରିଥିଲେ ।ସେ ତାଙ୍କ ଜୀବନରେ ବହୁତ ଅଧ୍ୟୟନ କରିଛନ୍ତି। ସେ ଅନେକ ବୟସ୍କଙ୍କ ସେବା କରିଛନ୍ତି। ଅର୍ଜୁନଙ୍କ ଜୀବନକାଳ ମଧ୍ୟରେ ସେ କେବେ ବି କୌଣସି ନୀତି ଉଲ୍ଲଂଘନ କରିଛନ୍ତି ବୋଲି କୌଣସି ସଙ୍କେତ ନାହିଁ। ସେ କେବେ ଅହଂକାର ପ୍ରଦର୍ଶନ କରିନ’ଥିଲେ, କାହାକୁ ଉଚ୍ଚ ସ୍ୱରରେ କଥା ବାର୍ତ୍ତା କରିନ’ଥିଲେ କିମ୍ବା କାହାକୁ ଅପମାନିତ କରିବାକୁ ଚେଷ୍ଟା କରିନ’ଥିଲେ। ଅର୍ଜୁନ କେବେ ବି ଏସବୁ କରିନାହାନ୍ତି। ତଥାପି ସେ ଦ୍ୱନ୍ଦ୍ୱରେ ଅଛନ୍ତି। ସେ ଭ୍ରମରେ ପଡ଼ିଯାଇଛନ୍ତି। ବକ୍ତବ୍ୟରେ ବିବେଚକ ଦ୍ବିତୀୟ ଅଧ୍ୟାୟ ବିଷୟରେ କହିଥିଲେ।
शिष्यस्तेऽहं शाधि मां त्वां प्रपन्नम्॥2.7॥
“ଜଣେ ଶିଷ୍ୟ ଭାବରେ ମୁଁ ତୁମ ଆଗରେ ଛିଡ଼ା ହୋଇଛି। ହେ କେଶବ ! ଜଣେ ଗୁରୁ ହିସାବରେ ତୁମେ ମୋର କଲ୍ୟାଣ କର।”
ପରମପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିମିତ୍ତ କରି ଗୀତାର ପ୍ରବଚନ ଆରମ୍ଭ କରିଥିଲେ। ବାସ୍ତବରେ ଅର୍ଜୁନଙ୍କୁ ଗୀତା କହିବାର କୌଣସି ଆବଶ୍ୟକତା ନଥିଲା। ଅର୍ଜୁନ ଭଗବାନ କୃଷ୍ଣଙ୍କ ସବୁଠାରୁ ପ୍ରିୟ ଥିଲେ। ସେ ଶ୍ରୀକୃଷ୍ଣଙ୍କର କଥା ଶୁଣୁଥିଲେ ଏବଂ ତାଙ୍କୁ ବହୁତ ସମ୍ମାନ ଦେଉଥିଲେ। ଅର୍ଜୁନ ଅକ୍ଷୌହିଣୀ ସେନା ବଦଳରେ ନିରସ୍ତ୍ର ଶ୍ରୀଭଗବାନଙ୍କର ଚୟନ କରିଥିଲେ।
ଯଦି ପରମାତ୍ମା ଅର୍ଜୁନଙ୍କୁ ସଙ୍କେତ ଦିଅନ୍ତି, ତେବେ ସେ ଆଜ୍ଞା ମାନିବେ। ସନ୍ଥ ଓ ମହାନ ଆତ୍ମାମାନେ କହନ୍ତି ଯେ ଶ୍ରୀଭଗବାନ ଅର୍ଜୁନଙ୍କୁ ନିମିତ୍ତ କରି ସମଗ୍ର ମାନବଜାତିର କଲ୍ୟାଣ ପାଇଁ ଗୀତାର ପ୍ରବଚନ ଦେଇଥିଲେ।
सर्वोपनिषदो गावो दोग्धा गोपालनन्दनः।
पार्थोवत्स: सुधीर्भोक्ता दुग्धं गीतामृतं महत्।
ଶ୍ରୀଭଗବାନ ପାର୍ଥଙ୍କୁ ବାଛୁରୀ ରୂପେ ରଖି, ସମସ୍ତ ଉପନିଷଦ ରୂପକ ଗାଈଙ୍କଠାରୁ ଶ୍ରୀମଦ୍ଭଗବଦ୍ଗୀତା ରୂପୀ ମହାନ୍ ଗୀତା ଅମୃତକୁ ବାହାର କରି ସାରା ମାନବ ଜାତିକୁ ପ୍ରଦାନ କରିଛନ୍ତି।
ଦ୍ୱାଦଶ ଅଧ୍ୟାୟର ଚିନ୍ତନ ଆମେ ଦେଖିଛୁ। ବର୍ତ୍ତମାନ ଆମେ ପଞ୍ଚଦଶ ଅଧ୍ୟାୟର ଚିନ୍ତନ ଦେଖୁଛୁ, ଯାହା କି ଟିକିଏ କଷ୍ଟକର ଏବଂ ଜ୍ଞାନଯୋଗ ସହ ଜଡିତ। ଗତ ସପ୍ତାହରେ, ଆମେ ଓଲଟା ଗଛର ଚିତ୍ର ଦେଖିଥିଲୁ ଏବଂ ଏବେ ଜ୍ଞାନର ଆଉ କିଛି ଚିତ୍ର ବୁଝିବାକୁ ଚେଷ୍ଟା କରିବା। ଏହା ଅତ୍ୟନ୍ତ ଆନନ୍ଦର ଅଧ୍ୟାୟ। ଏହା ହେଉଛି ପୁରୁଷୋତ୍ତମ ଯୋଗ, ସମସ୍ତ ଅଧ୍ୟାୟର ରାଜା। ଆଜି ଆମେ ସପ୍ତମ ଶ୍ଲୋକର ଚିନ୍ତନରୁ ଆରମ୍ଭ କରିବା।
ଏହି ଶ୍ଲୋକକୁ ଦେଖିବା ମାତ୍ରେ ସେହି ମହାନ ବ୍ୟକ୍ତିଙ୍କର ଚିନ୍ତନ ସ୍ୱତଃ ମନରେ ଉଙ୍କି ମାରୁଛି। ଏହି ଶତାବ୍ଦୀର ସର୍ବଶ୍ରେଷ୍ଠ ସନ୍ଥମାନଙ୍କ ମଧ୍ୟରେ ତାଙ୍କର ନାମ ରହିଛି। ସେ ହେଉଛନ୍ତି, ଗୀତା ଭବନରେ ସତ୍ସଙ୍ଗ ମାଧ୍ୟମରେ ନିରନ୍ତର ଜ୍ଞାନ ପ୍ରବାହିତ କରୁଥିବା ପରମ ଶ୍ରଦ୍ଧେୟ ବ୍ରହ୍ମାଲୀନ ସ୍ୱାମୀ ରାମସୁଖଦାସ ଜୀ ମହାରାଜ।15.7
ମମୈବାଂଶୋ ଜୀବଲୋକେ, ଜୀବଭୂତଃ(ସ୍) ସନାତନଃ।
ମନଃ(ଷ୍) ଷଷ୍ଠାନୀନ୍ଦ୍ରିୟାଣି, ପ୍ରକୃତିସ୍ଥାନି କର୍ଷତି।।୭।।
ବିବେଚନ:-
ମାନସରେ ଏହି ପ୍ରକାର ଏକ ଚୌପାଇ ବା ପଦ ଅଛି।
सुनहु तात यह अकथ कहानी। समुझत बनइ न जाइ बखानी॥
ईस्वर अंस जीव अबिनासी। चेतन अमल सहज सुख रासी॥1॥
ସ୍ୱାମୀଜୀ କହନ୍ତି ଯେ ଶ୍ରୀମଦ୍ ଭଗବତ ଗୀତା ହେଉଛି ତାତ୍ତ୍ୱିକ ବା ସିଦ୍ଧାନ୍ତ ବିଜ୍ଞାନ ଏବଂ ରାମାୟଣ ହେଉଛି ପ୍ରୟୋଗ ବିଜ୍ଞାନ।
ଶ୍ରୀମଦ୍ଭଗବତ ଗୀତାରେ ପରମାତ୍ମା ଦେଇଥିବା ଶିକ୍ଷାର ଉଦାହରଣ ରାମାୟଣରେ ଭଗବାନ ଶ୍ରୀରାମଙ୍କ ଜୀବନରେ ଚରିତାର୍ଥ ହେବାର ଦେଖିବାକୁ ମିଳିଛି। ଗୋଟିଏ ସ୍ଥାନରେ ପରମାତ୍ମା କହୁଥିବା ବେଳେ ଅନ୍ୟ ସ୍ଥାନରେ ତାହାକୁ କାର୍ଯ୍ୟରେ (action) ନିୟୋଜିତ କରନ୍ତି। ଏହା କରି ସେ ଏହାକୁ ପ୍ରଦର୍ଶିତ କରନ୍ତି।
ଶ୍ରୀମଦ୍ ଭଗବଦ୍ଗୀତାରେ କହୁଥିବା ଶ୍ଲୋକ ଗୁଡ଼ିକ ରାମଚରିତ ମାନସରେ ପ୍ରୟୋଗ ବିଜ୍ଞାନ (applied science) ଭାବରେ ଦେଖିବାକୁ ମିଳେ।
‘ହେ ଅର୍ଜୁନ! ତୁମେ ଏହି ଦୁନିଆରେ ଯାହା ବି ଦେଖୁଛ, ତୁମେ ଏବଂ ଅନ୍ୟ ସବୁ କିଛି ମୋର ଏକ ଏକ ଅଂଶ। ତୁମେ ମୋଠାରୁ ଅଲଗା ନୁହଁ। ’
‘ତୁମେ ମୋର ଅଂଶ। ଏହି ଶରୀରରେ ଥିବା ଜୀବାତ୍ମା ହେଉଛି ମୋର ଅଂଶ, ଯିଏ କି ମନ ଏବଂ ପାଞ୍ଚଟି ଇନ୍ଦ୍ରିୟକୁ ଆକର୍ଷିତ କରେ।’
ଦୁଇଟି ଶବ୍ଦ ଅଛି, ଗୋଟିଏ ପୁରାତନ ଏବଂ ଅନ୍ୟଟି ସନାତନ।
ପୁରାତନ:- ଗ୍ରନ୍ଥଗୁଡ଼ିକୁ ପୁରାଣ କୁହାଯାଏ, ଯାହା ବହୁତ ପୁରୁଣା, ଲକ୍ଷ ଲକ୍ଷ ବର୍ଷ ପୁରୁଣା। ସେମାନଙ୍କର ସମୟ ଅବଧି ଜଣାଯାଇ ପାରିବନାହିଁ। ଯେଉଁମାନଙ୍କର ସମୟ ଜାଣିହେବ ନାହିଁ ସେମାନେ ପୁରାଣ ହୋଇଯାଆନ୍ତି, ଅର୍ଥାତ୍ ବହୁତ ପୁରୁଣା (ପ୍ରାଚୀନ)।
ସନାତନ:- ଯାହା ପ୍ରଥମ ଥର ପାଇଁ କେବେ ହୋଇନାହିଁ, କିମ୍ବା ଏହା ପୂର୍ବରୁ କେବେ ହୋଇଥିଲା, ଯାହା ସର୍ବଦା ଏବଂ ସବୁଦିନ ପାଇଁ ଅଛି, ତାହା ହେଉଛି ସନାତନ। ଏହାକୁ କେହି ପ୍ରତିଷ୍ଠା କରିନାହାନ୍ତି। ଏହା ସର୍ବଦା ରହିଆସିଛି, ସବୁବେଳେ ରହିଛି, ଏବଂ ଏହା ସର୍ବଦା ରହିବ। ଶ୍ରୀଭଗବାନ ଶ୍ରୀକୃଷ୍ଣ କୁହନ୍ତି, ”ଯାହା ଏହି ପ୍ରକାରର ତାହା ସନାତନ, କାରଣ ମୁଁ ହେଉଛି ସନାତନ।”
ଆମେ ଦେଖିଥିବା ବୃକ୍ଷର ଚେର ବା ଜଡ ହେଉଛନ୍ତି ପରମାତ୍ମା ।ସେ ହିଁ ବୃକ୍ଷର ତନ ବା ଶରୀର, ସେ ହିଁ ଏହାର ପତ୍ର ଓ ଶାଖା। ବୃକ୍ଷର ଫଳ ଓ ଫୁଲ ମଧ୍ୟ ଆକାରରେ ବଢିଥାଏ। ସେହିଭଳି ପରମାତ୍ମା ବିଭିନ୍ନ ରୂପରେ, ବିଭିନ୍ନ ଜୀବରେ, ପଶୁ ପକ୍ଷୀଙ୍କଠାରେ, ପ୍ରଜାତିରେ, ନଦୀରେ, ପର୍ବତରେ, ସବୁ ସ୍ଥାନରେ ଉପସ୍ଥିତ ଅଛନ୍ତି, ଏହାଠୁ ଅନ୍ୟଥା କିଛି ନାହିଁ। କିନ୍ତୁ ସେ ଏକ ହୋଇଥିବା ସତ୍ତ୍ୱେ, କାହିଁକି ଭିନ୍ନ ଭିନ୍ନ ଦେଖାଯାଆନ୍ତି? ଶାସ୍ତ୍ରକାର ପଣ୍ଡିତମାନେ ଏଥିପାଇଁ ଏକ ଭିନ୍ନ ପ୍ରକାରର ଉଦାହରଣ ଦେଇଛନ୍ତି: ମହାକାଶ, ମଠାକାଶ ଏବଂ ଘଟାକାଶ। ଏହି ତିନୋଟି ଧାରଣାକୁ ଏକ ଚିତ୍ର ମାଧ୍ୟମରେ ବୁଝିହେବ।
ମହାକାଶ ଅର୍ଥାତ ପରମାତ୍ମା; ମଠାକାଶ ଅର୍ଥାତ୍ ବ୍ରହ୍ମାଣ୍ଡ; ଏବଂ ଘଟାକାଶ, ତାହା ହେଉଛି ଶରୀର। ମୋ ଘର ବାହାରେ ଆକାଶ ଏବଂ ଘର ଭିତରେ କିମ୍ବା ମୋ କୋଠରୀ ଭିତରେ ଥିବା ଆକାଶ ଅଲଗା ନୁହେଁ ବରଂ ସମାନ। ଧ୍ୟାନରେ ଅନୁଭବ କରିହେବ ଯେ ଏହା ସମାନ ଅଟେ। ଆମ ଘର ବାହାରେ ଏବଂ ଭିତରେ ଆକାଶ ଗୋଟିଏ ଏବଂ ସମାନ। ଆକାଶ ଗୋଟିଏ ହୋଇଥିଲେ ମଧ୍ୟ ସ୍ଥାନ ବିଶେଷରେ ତାପମାତ୍ରା ଭିନ୍ନ ଭିନ୍ନ ହୋଇଥାଏ। ତେବେ ଆକାଶ ଏକ ହୋଇଥିଲେ ବି କ'ଣ ଅଲଗା ବୁଝାଯାଏ ନା ନାହିଁ?
ଏକ ପାତ୍ର ନେଇ ନଦୀରେ ବୁଡ଼ାଇ ଦିଅନ୍ତୁ। ଏବେ ସେହି ପାତ୍ର ଭିତରେ ଥିବା ପାଣି ପ୍ରକୃତରେ ନଦୀର ପାଣି, ତେଣୁ ପାତ୍ର ଓ ନଦୀର ପାଣି ସମାନ। ପାତ୍ର ଭିତରେ ଥିବା ପାଣି ନଦୀର ପାଣିଠାରୁ ଭିନ୍ନ କି? ନାହିଁ କିନ୍ତୁ ନଦୀରେ ଥାଇ ମଧ୍ୟ ଘଡା ଭିତରେ ରହିଥିବା ପାଣି ଭିନ୍ନ ନାମ ନେଇଥାଏ।
ସେହିଭଳି ହଳଦିଆ ଓ ଧଳା ଦେଖାଯାଉଥିବା ସମ୍ପୂର୍ଣ୍ଣ ପରମାତ୍ମାଙ୍କର, ଧଳା ଭାଗ ଅଂଶକୁ ମହାକାଶ ଭାବେ ବିବେଚନା କରାଯାଇପାରେ। ମହାନ ଶକ୍ତି (supreme power) ଭାବରେ ପରିଚିତ ସମ୍ପୂର୍ଣ୍ଣ ପରମାତ୍ମାଙ୍କ ଚେତନା ହେଉଛି ଅନନ୍ୟ, ନିରାକାର ଶକ୍ତି ଯାହା ସର୍ବବ୍ୟାପୀ। ଗୋଲାକାରର ଏକ ସୀମା ସୃଷ୍ଟି ହୋଇଛି, ଯାହା ଅସୀମ (କୌଣସି ସୀମା ହୋଇପାରିବ ନାହିଁ)। ଏହା ଭିତରେ ମଠାକାଶର ଅବସ୍ଥିତି, ଯେଉଁଥିରେ ବିଭିନ୍ନ ଗ୍ରହ ଓ ବ୍ରହ୍ମାଣ୍ଡର ଆବିର୍ଭାବ ହୋଇଛି। ତେଣୁ ବ୍ରହ୍ମାଣ୍ଡକୁ ମହାନ ମଠାକାଶ ଭାବରେ ବିବେଚନା କରନ୍ତୁ। ବ୍ରହ୍ମାଣ୍ଡରେ ଭିନ୍ନ ଭିନ୍ନ ଜୀବ ଅସ୍ତିତ୍ୱରେ ଆସିଛନ୍ତି ଏବଂ ଏକ ସଂଘ ଗଠନ ହୋଇଛି; ଆପଣ ଏହାକୁ ଘଟାକାଶ ଭାବରେ ବୁଝିପାରିବେ। ସବୁଜ ଅଂଶ (green) ହେଉଛି ଜୀବାତ୍ମା ଯାହା ଏହି ଘଟାକାଶ ସ୍ଥାନକୁ ଚୈତନ୍ୟ ଦେଇଥାଏ|
ଆମେ ମରିଗଲେ ମଧ୍ୟ ଏହି ଶରୀର ପୂର୍ବପରି ରହିଥାଏ। ନାକ, କାନ, ହାତ ଓ ପାଦ ସମସ୍ତେ ସେମିତି ରହୁଛନ୍ତି। କିନ୍ତୁ ସଚେତନ ତତ୍ତ୍ୱ ଶରୀରରୁ ବାହାରକୁ ବାହାରିଯାଉଛି। ଏହା ହେଉଛି ପ୍ରାଣ, ଜୀବନ ଶକ୍ତି, ଆତ୍ମା, ଯାହା ଶରୀରରୁ ବିଦାୟ ନେଉଛି। ସମସ୍ତେ କହୁଛନ୍ତି ଏହି ଶରୀରକୁ ପୋଡ଼ିଦେବା ପାଇଁ କାରଣ ପ୍ରାଣ ବିହୀନ ଶରୀରରେ ଏବେ କିଛି ଲାଭ ନାହିଁ। ପୂର୍ବରୁ ସେମାନେ ରାମଦେବଙ୍କ ଚମତ୍କାର କ୍ରିମକୁ ମୁହଁରେ ଲଗାଇ ଚମକାଇଥାନ୍ତି। ଶରୀରର ଯତ୍ନ ନେବା ପାଇଁ ସେମାନେ ଚ୍ୟବନପ୍ରାଶ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତି, କିନ୍ତୁ ଜୀବନଶକ୍ତି ଚାଲିଯିବା ପରେ ଯଥାଶୀଘ୍ର ଶବ ସତ୍କାର କରିବା ଆବଶ୍ୟକ ପଡିଥାଏ।
ଘଟାକାଶରେ ସ୍ଥିତ ଜୀବଜନ୍ତୁଙ୍କ ଠାରେ ଚେତନା, ଆତ୍ମା ରହିଥାଏ ଏବଂ ଏହା ସହିତ ମନ ଓ ପାଞ୍ଚଟି ଇନ୍ଦ୍ରିୟ ଉପସ୍ଥିତ ରହିଥାଏ। ଏହି ପାଞ୍ଚଟି ଇନ୍ଦ୍ରିୟ ଅନୁଭୂତିର ପାଞ୍ଚଟି ବସ୍ତୁ - ଶବ୍ଦ, ରୂପ, ଗନ୍ଧ, ସ୍ପର୍ଶ ଏବଂ ସ୍ୱାଦ କାରଣରୁ ମନକୁ ଶରୀର ସହ ବାନ୍ଧି ରଖିଥାଏ। ମନ ଏବଂ ପାଞ୍ଚଟି ଇନ୍ଦ୍ରିୟର ସଂସ୍କାର, ଜନ୍ମ ଜନ୍ମାନ୍ତରରୁ ଆମ ସହିତ ଜଡିତ ହୋଇ ରହି ଆସୁଛି। ଏପରିକି ପିଲାମାନଙ୍କଠାରେ ମଧ୍ୟ ଦେଖିବାକୁ ମିଳେ ଯେ କେହି ମିଠା ପସନ୍ଦ କରୁଥିବା ବେଳେ ଆଉ କିଛି ଲୁଣିଆ ପସନ୍ଦ କରନ୍ତି। ସେମାନେ ଏହାକୁ କାହିଁକି ପସନ୍ଦ କରନ୍ତି? ଦୁଇ ଭାଇଭଉଣୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି? ଜଣେ ମିଠା ପସନ୍ଦ କରୁଥିବା ବେଳେ ଅନ୍ୟଜଣେ ଲୁଣିଆ ପସନ୍ଦ କରନ୍ତି।ବେଳେ ବେଳେ ଜଣେ ଏକ ନିର୍ଦ୍ଦିଷ୍ଟ ରଙ୍ଗ ପସନ୍ଦ କରୁଥିବା ବେଳେ ଅନ୍ୟଜଣେ ଭିନ୍ନ ରଙ୍ଗ ପସନ୍ଦ କରନ୍ତି। ଜଣେ କିଛି ଆକର୍ଷଣୀୟ ମନେ କରୁଥିବା ବେଳେ ଅନ୍ୟଜଣେ ଅନ୍ୟ କିଛି ଆକର୍ଷଣୀୟ ମନେ କରନ୍ତି। ଏହି ପାର୍ଥକ୍ୟର କାରଣ ହେଉଛି ଆମର ଅତୀତ ଜୀବନର ପ୍ରଭାବ। ପୂର୍ବ ଜନ୍ମରେ, ଆମେ ଯାହା ବି କାର୍ଯ୍ୟ କରିଛୁ, ସେହି କାର୍ଯ୍ୟରୁ ସୃଷ୍ଟି ହୋଇଥିବା ଆସକ୍ତି ଏବଂ ସେହି ଆସକ୍ତିରୁ ସୃଷ୍ଟି ହୋଇଥିବା ସଙ୍ଗତା ଅନେକ ଜନ୍ମ ପର୍ଯ୍ୟନ୍ତ ଆମ ସହିତ ରହିଥାଏ। ଆମେ ମୋକ୍ଷ ପ୍ରାପ୍ତି ପାଇବା ପର୍ଯ୍ୟନ୍ତ ଅନନ୍ତ ଜନ୍ମର ସଂସ୍କାର ଆମ ସହିତ ଚାଲି ଆସୁଥାଏ।
ଭଗବାନ ଆଦି ଶଙ୍କରାଚାର୍ଯ୍ୟ କହିଛନ୍ତି,” କେତେ ଦିନ ପର୍ଯ୍ୟନ୍ତ ଏହି କର୍ମ କରି ଚାଲିଥିବା। “
पुनरपि जननं पुनरपि मरणं, पुनरपि जननी जठरे शयनम्।
ବାରମ୍ବାର ୯ ମାସ ଧରି ଓଲଟା ଝୁଲି ରହୁଛନ୍ତି। (come out, you can be liberated - ବାହାରକୁ ଆସ, ତୁମେ ମୁକ୍ତି ପାଇପାରିବ) ଏଥିରୁ ଆପଣ ବାହାରକୁ ଆସିପାରିବେ।
ମନରେ ପ୍ରଶ୍ନ ଉଠୁଥିବ, ଏହା କେମିତି ହୋଇପାରେ? ଜୀବାତ୍ମା ହେଉଛି ପରମାତ୍ମାଙ୍କର ହିଁ ଏକ ଅଂଶ। ତା'ହେଲେ ଏହି ସଂସ୍କାର କେମିତି ଚାଲିଥାଏ? ଯେମିତି ଜଡ ଓ ଚେତନାର ସିଦ୍ଧାନ୍ତ ଅନୁଯାୟୀ ଜଡ ଓ ଚେତନା ନିଜ ଭିତରେ ମିଶିପାରିବ ନାହିଁ, ସେମିତି ତେଲ ଓ ପାଣି ମିଶିପାରିବ ନାହିଁ। ଯଦି ସେମାନେ ମିଶି ପାରନ୍ତି ନାହିଁ, ତେବେ ଯେତେବେଳେ ଆତ୍ମା ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଗତି କରେ ସେତେବେଳେ ଏହି ସଂସ୍କାର କିପରି ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହୁଏ?
ଶରୀରଂ(ୟ୍ଁ) ୟଦବାପ୍ନୋତି, ୟଚ୍ଚାପ୍ୟୁତ୍କ୍ରାମତୀଶ୍ୱରଃ।
ଗୃହୀତ୍ୱୈତାନି ସଂୟାତି, ବାୟୁର୍ଗନ୍ଧାନିବାଶୟାତ୍॥15.8॥
ବିବେଚନ:-
ଆମ ମନରେ କେତେଥର ପ୍ରଶ୍ନ ଆସେ ଯେ ଆତ୍ମାର ବାହକ କିଏ? ଏହାର ଗତି କଣ? କିପରି ଆମେ ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ଶରୀର ଲାଭ କରୁ? ସେତେବେଳେ କଣ ହଉଥିବ? ଗୋଟିଏ ଝୁଲାମୁଣା ଥାଏ କି, ଯେଉଁଥିରେ ଆମକୁ ରଖି, ନିଆଯାଏ? ସତକଥା ହେଉଛି ଯେ କିଏ ଯାଏନି କି କିଛି ଧରାହୁଏନି ବା ଛଡା ହୁଏନାହିଁ। ଚେତନ ପଦାର୍ଥର କୌଣସି ଉଦାହରଣ ନ’ଥାଏ। ଜୀବତ୍ମା ବ୍ୟତୀତ କିଛି ଚୈତନ୍ୟ ନାହିଁ । ଆମେ କେବଳ ଜଡ ପଦାର୍ଥର ଉଦାହରଣ ଦେଇଥାଉ।
ଶ୍ରୀ ଭଗବାନ କହିଛନ୍ତି, ହେ ଅର୍ଜୁନ! ପବନ ଯେଉଁ ଦିଗରୁ ବହେ ନିଜସାଥିରେ ସେହି ସ୍ଥାନର ଗନ୍ଧ ନେଇଯାଏ। ଅପରିଷ୍କାର ପଦାର୍ଥର ବାଟଦେଇ ବହିଲେ ମଇଳା ଗନ୍ଧ ପବନରେ ଆସେ। ରେଳଗାଡିରେ ଯାତ୍ରା କରିବା ବେଳେ ପାଖରେ ଥିବା ଚିନି କାରଖାନା ବାଟଦେଇଗଲେ ସେ କାରଖାନାର ରସାୟନ ଗନ୍ଧ ଆସେ। ଯଦି ରମଣୀୟ ଉଦ୍ୟାନ ପାଖ ଦେଇଯିବ, ତେବେ ସେ ଉଦ୍ୟାନର ସୁଗନ୍ଧ ପବନରେ ଭାସିଆସିବ। କେଉଁଠାରେ ସୁବାସିତ ଫୁଲ ଥିଲେ ତାର ସୁଗନ୍ଧ ଆସେ। ଏହି ଗନ୍ଧ ପବନ ଦ୍ୱରା ହିଁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୁଏ। ପବନ ସହିତ ଗନ୍ଧ ଥିଲେ ମଧ୍ୟ ପବନ ତାହାକୁ ଗ୍ରହଣ କରେନାହି, କିଛି ବାଟ ସାଥିରେ ଯିବା ପରେ ଗନ୍ଧ ହ୍ରାସ ହେଇଯାଏ। କୌଣସି ଗନ୍ଧ ସଦା ସର୍ବଦା ବାୟୁରେ ରହେନାହିଁ।
ପାଣିରେ ନାଳି ରଙ୍ଗ ଗୋଳେଇଲେ ତାହା ବହୁତ ସମୟ ପର୍ଯ୍ୟନ୍ତ ପାଣିରେ ମିଶି ରହିଥାଏ। ପବନରେ ଫଗୁରଙ୍ଗ ବିଞ୍ଚିଦେଲେ, ସେ ରଙ୍ଗ ସର୍ବଦା ପବନରେ ରହେନାହିଁ। କୌଣସି ପଦାର୍ଥକୁ ଆମେ ପବନରେ ଯୋଡି ପାରିବାନାହିଁ।
କିଛି ଗ୍ରହଣ ନ କରିବା ହେଉଛି ପବନର ଧର୍ମ (It doesn't accept anything it can carry every thing)। ସେ ନିଜସାଥିରେ ସବୁ ନେଇ ଯାଇପାରେ କିନ୍ତୁ କିଛି ଗ୍ରହଣ କରେନାହିଁ।
ଗନ୍ଧ ଓ ପ୍ରକାଶକୁ ସାଥିରେ ନେଇ ବାୟୁ ଚଳନ କରେ। It is totally detached from everything - ତାହା ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଠାରୁ ପୃଥକ ରହେ।
ଜଳରୁ ରଙ୍ଗକୁ ଅଲଗା କରିହୁଏନି, କିନ୍ତୁ ପବନ ସହିତ ଏପରି ହୁଏନାହିଁ। ପବନରେ ଯେତେ ରଙ୍ଗ ମିଶେଇଲେ ମଧ୍ୟ ତାକୁ ରଙ୍ଗୀନ କରିହୁଏନାହିଁ। ଜଳର ଧର୍ମ ହେଉଛି ଗ୍ରହଣ କରିବା। ସେହିପରି ଅଗ୍ନି ଓ ପୃଥିବୀ ମଧ୍ୟ ଗ୍ରହଣ କରିନିଅନ୍ତି।
ଆତ୍ମତତ୍ତ୍ୱ ମଧ୍ୟ ସେହି ବାୟୁ ପରି। ସେ ସବୁକୁ ସାଥିରେ ନେଇଯାଏ କିଛି ଗ୍ରହଣ କରେ ନାହିଁ। ଏପରି ଆମର ବହୁତ ଜନ୍ମର ପାପ ପୁଣ୍ୟ ଓ କାମନା ଅଛି।
ଆମର କାମନା, ସଂସ୍କାର, ଆମରପସନ୍ଦ, ଅପସନ୍ଦ ସବୁକୁ ଏକତ୍ର କରି ଜୀବତ୍ମା ନିଜ ସହିତ ଧାରଣ କରିଥାଏ ଏବଂ ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଯାଏ।
ଆତ୍ମା ତାକୁ ଧରେନାହିଁ ବା ଛାଡେନାହିଁ।
ବାୟୁ ପରି ଆମର ସଂସ୍କାର ବିଷୟାକର୍ଷଣ ଅଟେ। ଏମାନେ ହିଁ ବନ୍ଧନର କାରଣ। ଆଉ ଏଥିପାଇଁ ଅନେକ ଜନ୍ମ ହୁଏ। ଶ୍ରୀଭଗବାନ କହୁଛନ୍ତି - ହେ ଅର୍ଜୁନ! ଏହି ବିଷୟ ଆକର୍ଷଣ ଅତ୍ୟନ୍ତ ପ୍ରଭାବଶାଳୀ।
ଶ୍ରୋତ୍ରଂ(ଞ୍) ଚକ୍ଷୁଃ(ସ୍) ସ୍ପର୍ଶନଂ(ଞ୍) ଚ, ରସନଂ(ଙ୍) ଘ୍ରାଣମେବ ଚ।
ଅଧିଷ୍ଠାୟ ମନଶ୍ଚାୟଂ(ୱ୍ଁ), ବିଷୟାନୁପସେବତେ॥15.9॥
ବିବେଚନ:-
ଘଟ, ଅର୍ଥାତ ଏହି ଶରୀର ପରିବର୍ତ୍ତନ ହେଉଥାଏ। ଘଟ ତିଆରି ହେଉ ଥାଏ ଓ ନଷ୍ଟ ହେଉ ଥାଏ।ଯେପରି ଆମେ ପ୍ରତ୍ୟେକ ଦିନ ବସ୍ତ୍ର (ପୋଷାକ) ବଦଳ କରୁଥାଉ, ସେହିପରି ସତୁରି ଅଶି ବର୍ଷରେ ଆତ୍ମା ଶରୀର ବଦଳେଇଥାଏ। କେତେକ ଯୋନି ମାତ୍ର କେତେ ମିନିଟ ପାଇଁ ହୋଇଥାଏ ଆଉ କେତେକ ଗୋଟିଏ ଚୁଟୁକି ମାରିବାବେଳକୁ ତା’ର ତିନି ବଂଶଧର ଶେଷ ହୋଇଯାଆନ୍ତି। ସେମାନଙ୍କର ସମୟ ସେତିକି। କଇଁଛ ପାଞ୍ଚଶହ ବର୍ଷ ଜୀବିତ ରହେ। ତାର ସମୟ ଭିନ୍ନ। ଘଟ ବା ଶରୀର ବାରମ୍ବାର ତିଆରି ହେଉଥାଏ ଓ ନଷ୍ଟ ହେଉଥାଏ।
ଆତ୍ମା ପୂର୍ବ ଜନ୍ମର ବିଷୟବାସନା, କାମନା, ଇଛା, ସ୍ପୃହା, ତୃଷ୍ଣା ତଥା ଆଶା ଗୁଡିକ ପୂରଣ କରିବାପାଇଁ ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଯାଆନ୍ତି। ଏଣୁ ଆମେ ଯାହା ହୃଦୟର ସହ କାମନା ବା ଇଛା କରୁ ସେଥିରୁ କିଛି ଅଂଶ ପୂରଣ ହୁଏ, ଯାହା ପୂରଣ ନହୁଏ ତାହା ମନରେ ରହିଯାଏ। ଏହି ଇଚ୍ଛା ପୂରଣ ପାଇଁ ଆମେ ଜନ୍ମ ପରେ ଜନ୍ମ ଭିନ୍ନ ଭିନ୍ନ କାର୍ଯ୍ୟ କରିବାର ପ୍ରୟାସ କରୁଥାଉ ଓ ବିଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରି ବିଭିନ୍ନ ଶରୀର ଧାରଣ କରୁ।
ଶ୍ରୀ ଭଗବାନ ଏଠାରେ ପାଞ୍ଚ ଇନ୍ଦ୍ରିୟ ଓ ସେଗୁଡିକର ବିଷୟ ସମ୍ବନ୍ଧରେ କହିଛନ୍ତି ।
ଶ୍ରୋତ୍ର : ଏହାର ବିଷୟ ହେଉଛି ଶବ୍ଦ ଏବଂ ଇନ୍ଦ୍ରିୟ ହେଉଛି କାନ।
ହରିଣର ଗତି ଏତେ କ୍ଷିପ୍ର ଯେ ଚିତା ଚାଳିଶ ଥର ଚେଷ୍ଟା କରିବାପରେ କୌଣସିମତେ ଥରେ ଶିକାର କରିପାରେ। ଅଣଚାଳିଶ ଥର ସେ ବିଫଳ ହୁଏ। ହରିଣର ଗୁଣ ହେଉଛି ଚଞ୍ଚଳତା, କିନ୍ତୁ ସଂଗୀତ ତାର ଦୁର୍ବଳତା।
ହରିଣ ଶରୀରରେ ଥିବା କସ୍ତୁରୀକୁ ପ୍ରାପ୍ତ କରିବା ପାଇଁ ଶିକାରୀ ତାକୁ ଧରିବାର ପ୍ରୟାସ କରେ। ମନୁଷ୍ୟ ବୁଦ୍ଧିମାନ ପ୍ରାଣୀ ହୋଇଥିବାରୁ ତାକୁ ଧରିପାରେ। ହରିଣ ଡିଆଁ ମାରି ଚିତା ଠାରୁ ଅଧିକ ଜୋରରେ ଦୌଡିପାରେ। ଏତେ ଜୋରରେ ଦୌଡୁଥିବା ହରିଣକୁ କିନ୍ତୁ ମଣିଷ ଧରିପାରେ। ତାର କାରଣ ହେଉଛି ହରିଣର ଲୋଭ। ହରିଣକୁ ସଂଗୀତ ଅତି ଭଲ ଲାଗେ। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବଂଶୀ ବାଦନ କରନ୍ତି ତାଙ୍କ ପାଖରେ ହରିଣ ନିଶ୍ଚୟ ଥାଆନ୍ତି। କସ୍ତୁରୀ ପାଇଁ ହରିଣକୁ ଧରିବାକୁ ଚାହୁଁଥିବା ଶିକାରୀ ଗୋଟିଏ ସ୍ୱତନ୍ତ୍ର ଯନ୍ତ୍ର ସାହାଯ୍ୟରେ ସେହି ସ୍ୱତନ୍ତ୍ର ଧ୍ୱନିକୁ ଗାନ କରାନ୍ତି। ହରିଣ ଆଖି ବନ୍ଦ କରି ତନ୍ମୟ ହୋଇ ସେ ଧ୍ୱନୀ ଶୁଣିବାରେ ଲାଗେ। ଶିକାରୀ ହରିଣର ସେହି ମଗ୍ନ ଅବସ୍ଥାରେ ଧୀରେ ଧୀରେ ତା ନିକଟକୁ ଯାଇ ତାକୁ ଧରିନିଏ। ହରିଣର ଅଣ୍ଡକୋଷ ନିକଟରେ କସ୍ତୁରୀ ଥାଏ। ଶିକାରୀ ଅଣ୍ଡକୋଷ କାଟି କସ୍ତୁରୀ ସଂଗ୍ରହ କରି କଷ୍ଟରେ ଛଟପଟ ହେଉଥିବା ହରିଣକୁ ଛାଡି ସେଠାରୁ ଚାଲିଯାଏ।
ଚକ୍ଷୁ - ଏହାର ବିଷୟ ହେଉଛି ରୂପ, ଦୃଶ୍ୟ, ଯାହା ଆମେ ଦେଖୁ। ତା’ର ଇନ୍ଦ୍ରିୟ ହେଉଛି ଆଖି।
ଆମେ ଦେଖିଛେ ରାତିରେ ଆଲୋକ ନିକଟକୁ ହଜାର ହଜାର ପତଙ୍ଗ ଆସନ୍ତି ଏବଂ ସେମାନେ ଆଲୋକର ଉତ୍ତାପ ଧକ୍କାରେ ମୃତ୍ୟୁ ବରଣ କରନ୍ତି। ଆଲୋକର ଧକ୍କା ପତଙ୍ଗ ପାଇଁ କଷ୍ଟ ଦାୟକ କିନ୍ତୁ ଆଘାତ ପାଇଲେ ମଧ୍ୟ ପତଙ୍ଗ ଆଲୋକର ରୂପର ଆକର୍ଷଣରେ ଆକର୍ଷିତ ହୋଇ ନିଜର ବାସନା ତ୍ୟାଗ କରି ନ’ପାରି ପ୍ରାଣ ତ୍ୟାଗ କରେ। ଦୀପଶିଖା ନିକଟକୁ ଟାଣିହୋଇ ଯାଉଥିବା ପତଙ୍ଗ ଦୀପ ଶିଖାର ଉତ୍ତାପରେ ଜଳିଯାଇ, ପ୍ରାଣ ତ୍ୟାଗ କରୁଥିବା ସତ୍ତ୍ୱେ ଦୀପର ଆଲୋକକୁ ପ୍ରାପ୍ତ କରିବାର କାମନା ପୂରଣ କରିପାରେ ନାହିଁ। ଏହିପରି ରୂପର ଆକର୍ଷଣରେ ପତଙ୍ଗ ଓ ଶବ୍ଦର ଆକର୍ଷଣରେ ମୃଗ ନିଜର ଜୀବନ ହରାନ୍ତି।
ସ୍ପର୍ଶ - ଏହାର ବିଷୟ ସ୍ପର୍ଶ ଓ ଇନ୍ଦ୍ରିୟ ହେଉଛି ତ୍ୱଚା, ଅର୍ଥାତ ଚର୍ମ।
ସଂସାରରେ ହାତୀ ଗୋଟିଏ ବଳବାନ ଜୀବ। ସିଂହ ମଧ୍ୟ ତାକୁ ଭୟକରେ। ମାତ୍ର ଏକ ଛୋଟ ଅଙ୍କୁଶ ସାହାଯ୍ୟରେ ମାହୁନ୍ତ ତାକୁ ଆୟତ୍ତ କରି ନିଜ ଇଛା ମୁତାବକ କାର୍ଯ୍ୟ କରାଇପାରେ। ମନୁଷ୍ୟ ସମସ୍ତଙ୍କର ଦୁର୍ବଳତା ଜାଣେ। ହାତୀର ଦୁର୍ବଳତା ହେଉଛି ହାତୀନୀର ସ୍ପର୍ଶ। ହାତୀକୁ ଧରିବା ପାଇଁ ଗୋଟିଏ ବଡ ଖାଲ କରାଯାଏ। ସେଥିରେ ପିଞ୍ଜରା ରଖି ନଡା ତଥା ଶୁଖିଲା ପତ୍ର ଘୋଡ଼େଇ ଦିଆଯାଏ। ତା ନିକଟରେ ହାତୀନୀର ଗୋଟେ ପ୍ରତିକୃତି ରଖାଯାଏ । ସେ ପ୍ରତିକୃତିକୁ ମାଈ ହାତୀର ସଦ୍ୟ ଗୋବରରେ ଲିପି ଦିଆଯାଏ, ତଥା ହାତୀନୀର ଧ୍ୱନୀକୁ ଏକ ବିଶେଷ ଯନ୍ତ୍ର ସାହାଯ୍ୟରେ କରାଯାଏ। ହାତୀ ଦୁଇ କିଲୋମିଟର ଦୂରରୁ ଶବ୍ଦ ଶୁଣିପାରେ। ସେ ଏହି ଶବ୍ଦକୁ ମାଈହାତୀର ସ୍ୱର ଭାବି ଦଉଡି ଆସେ। ଅମାବାସ୍ୟା ରାତିରେ ଭଲ ଦେଖାଯାଉ ନ’ଥିବାରୁ ପାଖକୁ ଆସି ଗୋବର ଗନ୍ଧର ଆକର୍ଷଣରେ ହାତୀର ପ୍ରତିକୃତିକୁ ମାଈହାତୀ ଭାବି ସ୍ପର୍ଶ କରିବାକୁ ଯାଇ ଖାତରେ ପଡ଼ିଯାଏ। କିଛି ନ’କରିପାରି ଅସହାୟତାରେ ଜୋରରେ ଚିତ୍କାର କରେ। ତାର ଗର୍ଜନରେ ଅରଣ୍ୟରେ ରହୁଥିବା ପଶୁପକ୍ଷୀ ତ୍ରସ୍ତ ହୋଇଯାଆନ୍ତି। ଖାଲରୁ ବାହାରିବାକୁ ବୃଥା ପ୍ରୟାସ କରି ହାତୀ ନିଜକୁ କ୍ଷତାକ୍ତ କରିପକାଏ। ସେଥିପାଇଁ ତାକୁ କଷ୍ଟ ହୁଏ। କଷ୍ଟ, କ୍ଷୁଧା, ତୃଷ୍ନାରେ ଅବଶ ହାତୀ ଚିତ୍କାର କରିପାରେ ନାହିଁ। ତିନିଦିନ ପରେ ମାହୁନ୍ତ ତା ନିକଟକୁ ଯାଇ କଦଳୀ ରୋଟି ଇତ୍ୟାଦି ଖାଦ୍ୟ ଦିଏ। ତାପର ଦିନ ମାହୁନ୍ତକୁ ଦେଖି ହାତୀ ଚିତ୍କାର ନକରି ଖାଦ୍ୟ ଆଶା କରେ। ଶୁଣ୍ଢ ବଢ଼େଇ କଦଳୀ ନେଇଯାଏ। ପାଞ୍ଚଦିନ ଭିତରେ ହାତୀ ମାହୁନ୍ତକୁ ଅପେକ୍ଷା କରିବାର ସ୍ଥିତିକୁ ଆସି ଯାଇଥାଏ। ତା’ପରେ ମାହୁନ୍ତ ହାତୀକୁ ଖାଦ୍ୟର ଲାଳସା ଦେଇ ନିଜ ଇଛାରେ ଡାହାଣକୁ ବାମକୁ ଚଳେଇପାରେ।
ହାତୀ କଥା ମାନିଲେ ତାକୁ ପୁରସ୍କାରରେ କଦଳୀ ଖାଇବାକୁ ଦିଆଯାଏ। ବୁଦ୍ଧିମାନ ହାତୀ ଜାଣିପାରେ ଯେ, ସେ କଥାମାନି କାମ କରିଲେ ତାକୁ କଦଳୀ ମିଳିବ। ସେ ମାହୁନ୍ତର କଥା ବୁଝିବାକୁ ଚେଷ୍ଟା କରେ ଓ ମାହୁନ୍ତର ସବୁ କଥା ମାନେ। ଛ’ଦିନ ମଧ୍ୟରେ ସେମାନେ ସାଙ୍ଗ ହୋଇଯାଆନ୍ତି। ସପ୍ତମ ଦିନରେ ପଟା ଲଗେଇ ହାତୀକୁ ବାହାର କରାଯାଏ। ମାହୁନ୍ତ କଥା ମାନି ତାକୁ ଶୁଣ୍ଢରେ ନେଇ ପିଠିରେ ବସାଏ। ଆଠ ଦିନ ପୂର୍ବରୁ ଜଙ୍ଗଲରେ ରାଜା ପରି ରହୁଥିବା ହାତୀ ମାହୁନ୍ତର ଅଧୀନ ହୋଇଯାଏ। ତାର ଅଙ୍କୁଶର ସଂକେତ ଅନୁସାରେ କାର୍ଯ୍ୟ କରି ନିଜ ଜୀବନ କଟେଇ ଥାଏ। ସ୍ପର୍ଶ ପାଇଁ ଥିବା ଆକର୍ଷଣ ଯୋଗୁଁ ହାତୀ ନିଜର ସ୍ୱାଧୀନତା ହରାଏ।
ରସ - ଏହାର ବିଷୟ ରସ ବା ସ୍ୱାଦ। ଏହାର ଇନ୍ଦ୍ରିୟ ହେଉଛି ଜିଭ।
ମାଛ ଧରିବାପାଇଁ କେଉଟ ଅଟାର ଛୋଟ ଛୋଟ ଗୋଲା କରି ବଂଶୀକଣ୍ଟାରେ ଲଗାଇ ପାଣିରେ ପକାଏ। ସେହି ଅଟା ଗୋଲି ଖାଇବାର ଆକର୍ଷଣରେ ମାଛ ଆସି ଅଟା ଗୋଲି ଖାଇ କଣ୍ଟାରେ ଲାଖିଯାଏ ଓ ପ୍ରାଣତ୍ୟାଗ କରେ। ସ୍ୱାଦର ଆକର୍ଷଣ ମାଛର ମୃତ୍ୟୁର କାରଣ ହୁଏ।
ଘ୍ରାଣ - ଏହାର ବିଷୟ ହେଉଛି ଗନ୍ଧ। ଇନ୍ଦ୍ରିୟ ହେଉଛି ନାକ ବା ନାସିକା।
ଫୁଲର ଗନ୍ଧ ଓ ପରାଗ ଭ୍ରମରର ପ୍ରିୟ। ପ୍ରକୃତି ଭଅଁରକୁ ତୀକ୍ଷ୍ଡ ଆଗଦାନ୍ତ ଦେଇଛି। ତେଣୁ ଭଅଁର କଠିନରୁ କଠିନ ଯେ କୌଣସି ଗଛରେ କଣା କରି ରହିପାରେ। ପଦ୍ମର ପରାଗ ଓ ସୁଗନ୍ଧ ଭ୍ରମରର ଅତି ପ୍ରିୟ। ସକାଳେ ପଦ୍ମ ଫୁଟିଲା ମାତ୍ରେ ଭ୍ରମର ତା ଉପରେ ବସିଯାଏ। ସାରାଦିନ ଆନନ୍ଦ ଅନୁଭବ କରେ। ସନ୍ଧ୍ୟାରେ ପଦ୍ମର ପାଖୁଡା ଗୋଟିକ ପରେ ଗୋଟିଏ ବନ୍ଦ ହେବାକୁ ଲାଗେ। ଭ୍ରମର ଜାଣେ ପଦ୍ମର ପାଖୁଡା ବନ୍ଦ ହେଉଛି, ତାକୁ ଫୁଲର ଭିତରୁ ବାହାରି ଯିବାକୁ ହେବ, କିନ୍ତୁ ପଦ୍ମ ପରାଗର ଆକର୍ଷଣ ଛାଡି ସେ ବାହାରିପାରେ ନାହିଁ। ସକାଳ ସମୟକୁ ସେ ତା’ର ପ୍ରାଣ ହରାଇଥାଏ।
ହରିଣ ଶବ୍ଦର ଆସକ୍ତିରେ, ରୂପର ଆକର୍ଷଣରେ ପତଙ୍ଗ, ସ୍ପର୍ଶ କାମନାରେ ହାତୀ, ସୁଗନ୍ଧ ଲୋଭରେ ଭ୍ରମର, ଓ ମାଛ ସ୍ୱାଦର ଲୋଭ ଯୋଗୁଁ ସଂକଟରେ ପଡନ୍ତି। ଏ ସମସ୍ତ ଜୀବ ବିଭିନ୍ନ ପ୍ରକାର ଆସକ୍ତି ପାଇଁ ବନ୍ଧନରେ ପଡନ୍ତି କିନ୍ତୁ ମନୁଷ୍ୟର ତ ଅନେକ କାମନା ଅଛି, ଯେପରି ଭଲ ଖାଦ୍ୟ, ସୁନ୍ଦର ଦୃଶ୍ୟ, ନାନା ସ୍ଥାନ ଭ୍ରମଣ, ସୁଗନ୍ଧିତ ଅତର, ଭଲ ବସ୍ତ୍ର ଓ ନରମ ବିଛଣା ଇତ୍ୟାଦି। ଆମେ ଏହି ପାଞ୍ଚ ଇନ୍ଦ୍ରିୟର ଆକର୍ଷଣରେ ସମ୍ପୂର୍ଣ୍ଣ ଜୀବନ ଛନ୍ଦି ହୋଇଯାଇଛୁ। ଏହାର ଗତି କୁଆଡେ ହେବ ବିଚାରଯୋଗ୍ୟ। ଏହି ସବୁ କାମନା କେବେ ପୂର୍ଣ୍ଣ ହୁଏନାହିଁ।
ଏହି କାମନାର ସନ୍ତୁଷ୍ଟି ଓ ଅଧିକ କାମନାର ପୂର୍ତ୍ତି ନିମିତ୍ତ ମନୁଷ୍ୟ ବାରମ୍ବାର ଜନ୍ମ ଗ୍ରହଣ କରେ ଓ ମୃତ୍ୟୁ ମୁଖରେ ପଡେ। ବାରମ୍ବାର ଏହି ଯୋନି ଗୁଡିକରେ ଘୁରୁଥାଏ।
ଉତ୍କ୍ରାମନ୍ତଂ(ମ୍) ସ୍ଥିତଂ(ୱ୍ଁ) ବାପି, ଭୁଞ୍ଜାନଂ(ୱ୍ଁ) ବା ଗୁଣାନ୍ୱିତମ୍।
ବିମୂଢା ନାନୁପଶ୍ୟନ୍ତି, ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ॥15.10॥
ବିବେଚନ:-
ଶ୍ରୀ ଭଗବାନ ତିନୋଟି ଅବସ୍ଥା ବିଷୟରେ କହିଛନ୍ତି -
ଶରୀର ଗ୍ରହଣ କରିବାର ପୂର୍ବ ଅବସ୍ଥା, ଶରୀର ଧାରଣ କରିବାର ଅବସ୍ଥା ଓ ତାପରେ ଶରୀରଦ୍ୱାରା ଭୋଗ କରିବାର ଅବସ୍ଥା।
ଏହି ତିନି ଅବସ୍ଥାର ପ୍ରଥମ ସ୍ଥତି ହେଉଛି ଜୀବତ୍ମା। ଏହି ଶରୀର ଦ୍ୱାରା ଭୋଗ କରାହୁଏ।
ପ୍ରତ୍ୟେକ ଜୀବର ତିନି ସ୍ଥିତି - ଉତ୍କ୍ରାମନ୍ତଂ, ସ୍ଥିତି, ଭୁଞ୍ଜାନମ।
ବର୍ତ୍ତମାନ ଆମେ ଭୁଞ୍ଜାନମ ସ୍ଥିତିରେ ଅଛନ୍ତି, ମୃତ୍ୟୁ ପରେ ଉତ୍କ୍ରାମନ୍ତଂ ସ୍ଥିତିରେ ପହଂଚିବା। ପୁଣି ନୂଆ ଜନ୍ମ ଗ୍ରହଣ କରିଲେ ନୂତନ ସ୍ଥିତିରେ ପହଂଚିବା।
ଆମକୁ ଲାଗେ ଆମର ସତୁରି ଅଶି ବର୍ଷ ଜୀବନରେ ଯେତେ ପାରିବା ଆନନ୍ଦ କରିନେବା। ଆମକୁ ଜଣାନାହିଁ ଯେ ଆମେ କୋଟି କୋଟି ଜନ୍ମରୁ ଏହା ହିଁ କରି ଅସୁଛେ। ଏହି କାର୍ଯ୍ୟ କେବେ ଶେଷ ହୋଇନି। ପ୍ରତ୍ୟେକ ସତୁରି ଅଶି ବର୍ଷ ପରେ ଜୀବ ବଦଳିଯାଏ। କେବେ କୁକୁର, କେବେ କୀଟ, କେବେ ମାଛ, କେବେ ଗଧ, କେବେ ଗଛ, କେବେ ସ୍ତ୍ରୀ କେବେ ପୁରୁଷ ଓ କେବେ ଦେବତା ହୋଇଯାଏ।
ଏହି ଯୋନିର ଗୁଣଗୁଡିକ ଜଣେ ଭକ୍ତର ଗୁଣ। ହେ ଅର୍ଜୁନ!ଯିଏ ଏହି ତିନି ଅବସ୍ଥାକୁ ଜାଣେ, ସେ ଜ୍ଞାନୀ। ଯିଏ ଜାଣେନାହିଁ, ସେ ଅଜ୍ଞାନୀ।
ତେବେ ଜ୍ଞାନ କିପରି ହେବ?
बिनु गुर होइ कि ग्यान ग्यान कि होइ बिराग बिनु।
गावहिं बेद पुरान सुख कि लहिअ हरि भगति बिनु॥
ଗୁରୁ ତଥା ବୈରାଗ୍ୟ, ଏହି ଦୁଇଙ୍କ ବ୍ୟତୀତ ଜ୍ଞାନ ହୋଇପାରେନାହିଁ। ଜଣେ ବହୁତ ବର୍ଷ ହେଲା ଅଭ୍ୟାସ କରୁଛି ବୋଲି ଭାବିପାରେ।
ଜ୍ଞାନୀ ଓ ଅଜ୍ଞାନୀ ଉଭୟ ମୃତ୍ୟୁ ବରଣ କରନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ଅଛି।
ଗୋଟେ ସତ୍ୟ ଘଟଣା - ଜଣେ ସ୍ତ୍ରୀ ଲୋକ ଥିଲେ ।ସେ ପୂର୍ବଜନ୍ମରେ ଯୋଗିନୀ ଥିଲେ। ପିଲାଦିନରୁ ସତସଙ୍ଗ କରନ୍ତି, ନାମ ଜପ କରନ୍ତି। ଶ୍ରୀ ଭଗବାନଙ୍କର ଧ୍ୟାନ କରନ୍ତି। ଅଳଙ୍କାର ପ୍ରତି ସ୍ପୃହା ନଥିଲା। ନିଜର ଉତ୍ତମ ସ୍ଵଭାଵ ବଳରେ ନିଜ ସ୍ୱାମୀଙ୍କୁ ସତସଙ୍ଗରେ ଲଗେଇଲେ। ଦୁଇଜଣ ଏକାସାଥିରେ ସତସଙ୍ଗକୁ ଯାଆନ୍ତି। କାଳକ୍ରମେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ହେଲା। ସ୍ୱାମୀ କାର୍ଯ୍ୟାଳୟ ଯାଆନ୍ତି ଓ ସ୍ତ୍ରୀ ଘରକାମ କରନ୍ତି। ତାଙ୍କର ପୁତ୍ର ବିଦ୍ୟାଳୟ ଯାଏ।ପୁତ୍ର କୁ ଆଠ, ନଅ ବର୍ଷ ହେଲାବେଳକୁ ହଠାତ ଗୋଟିଏ ଦୁର୍ଘଟଣା ଘଟିଲା। ବାହାରେ ଖେଳୁଥିଲାବେଳେ ତାଙ୍କ ପୁଅକୁ ସାପ କାମୁଡ଼ିଦେଲା। ଅତିବିଷାକ୍ତ ସର୍ପ ଦଂଶନ କରିବାରୁ ବାଳକଟି ଚିତ୍କାର କରି ପ୍ରାଣ ତ୍ୟାଗ କରିଲା। ସ୍ତ୍ରୀ ଲୋକ ଜଣକ ବାହାରକୁ ଅସିଲାବେଳକୁ ଏକମାତ୍ର ପୁତ୍ର ମୃତ୍ୟୁ ବରଣ କରିସାରିଥିଲା। ସମ୍ପୂର୍ଣ୍ଣ ଜୀବନ ଧର୍ମରେ ଅତିବାହିତ କରିଥିବା ସ୍ତ୍ରୀ ଜଣକର ଆଖିରେ ଲୁହ ଭରିଗଲା। ସେ ବାଳକର ଶବକୁ ନେଇ ଘରେ ରଖିଦେଲେ। ସନ୍ଧ୍ୟାରେ ସ୍ୱାମୀ ଆସିବା ପରେ, ତାଙ୍କୁ କିଛି କହିଲେ ନାହିଁ।
ଭୋଜନ ଗ୍ରହଣ କରିବା ସମୟରେ ସ୍ୱାମୀ ପତ୍ନୀଙ୍କର ଶୋକସନ୍ତପ୍ତ, ଦୁଃଖିତ ଅବସ୍ଥାର କାରଣ ପଚାରିଲେ? ଖାଦ୍ୟ ଗ୍ରହଣ କରିସାରିଲେ କହିବେ ବୋଲି ପତ୍ନୀ କହିବାରୁ ସ୍ୱାମୀ ପ୍ରଥମେ ଜାଣିବାକୁ ଚାହିଁଲେ। ପତ୍ନୀ କହିଲେ,”ବହୁତ ବର୍ଷ ପୂର୍ବରୁ ପଡୋଶୀ ସ୍ତ୍ରୀ ଲୋକର ଆବଶ୍ୟକ ହେବାରୁ ମୋ ପାଖରୁ ଗୋଟିଏ କଂସାର ଟସଲା (ପାତ୍ର) ମାଗିକି ନେଇଥିଲେ। ଏତେବର୍ଷ ହେଲାଣି ମୋର ଆବଶ୍ୟକତା ନଥିବାରୁ ପାତ୍ରଟି ତାଙ୍କ ଘରେ ଥିଲା। ଆଜି ମୋର ଦରକାର ହେବାରୁ ମୁଁ ମାଗିବାକୁ ଗଲାବେଳକୁ ସେ ମୋ ସହିତ କଳହ କରି କ୍ରନ୍ଦନ କରି ଅନ୍ୟମାନଙ୍କୁ ଏକାଠି କରେଇଲେ। ”ସ୍ୱାମୀ କହିଲେ, “ଏହା ଯଥାର୍ଥ ହେଲା ନାହିଁ, ତୁମର ପାତ୍ର ତୁମକୁ ଫେରେଇବାରେ କାନ୍ଦିବାର କାରଣ କଣ? ଯାହାର ଜିନିଷ ତାକୁ ଫେରେଇ ଦେବାରେ କ୍ରନ୍ଦନ ଅନାବଶ୍ୟକ’।” ପତ୍ନୀ କହିଲେ, ‘ଉଚିତ କଥା’।
ସ୍ୱାମୀ ଭୋଜନ କରିସାରି ହାତ ଧୋଇବା ପରେ ପତ୍ନୀ ଅନ୍ୟ କକ୍ଷକୁ ତାଙ୍କୁ ନେଇଗଲେ। ସେଠାରେ କିଛି ବୁଝିବା ପୂର୍ବରୁ ନିର୍ଜୀଵ ଭାବରେ ପଡିଥିବା ପୁତ୍ରର ଶରୀରକୁ ଦେଖିଲେ। ପାଖରେ ତୁଳସୀ ଗଛ ଥିଲା, ଧୂପ ଲାଗିଥିବାର ଦେଖି ସେ ସ୍ତବ୍ଧ ହୋଇଗଲେ। କାନ୍ଦି କାନ୍ଦି ପତ୍ନୀ କହିଲେ ‘ ଏବେ ତ ଆପଣ କହିଲେ ଯେ ଯାହାର ଜିନିଷ ତାଙ୍କୁ ଫେରେଇଲା ବେଳେ କ୍ରନ୍ଦନ କାହିଁକି? ଶ୍ରୀଭଗବାନ ଆମକୁ କିଛିଦିନ ପାଇଁ ପୁତ୍ର ଦେଇଥିଲେ, ଏବେ ଫେରେଇ ନେଲେ।”
ଏକମାତ୍ର ପୁତ୍ରର ବିୟୋଗରେ ପତ୍ନୀର ଏପରି କଥାରେ ପତି ଭାବୁକ ହୋଇଯାଇ ପତ୍ନୀଙ୍କୁ ଆଲିଙ୍ଗନ କରି କହିଲେ ‘ତମେ ଠିକ କହିଛ, ମୁଁ ଏହି କଥା ସତସଙ୍ଗରେ ଶୁଣିଥିଲି, କିନ୍ତୁ ତମେ ଜୀବନରେ କାମରେ ଲଗେଇଛ। ମାଆ ହୋଇ ଏପରି କହିପାରିବା ଅକଳ୍ପନୀୟ” ।
ପୁତ୍ରର ଦାହସଂସ୍କାର କରିଲେ। ସ୍ୱାମୀ ଚାକିରି ଛାଡିଦେଲେ। ଉକ୍ତ ଦମ୍ପତ୍ତି ବୃନ୍ଦାବନଯାଇ ସେଠାରେ ସତ୍ସଙ୍ଗ କରିଲେ। ସମସ୍ତଙ୍କ ଜୀବନରେ ଏ ପ୍ରକାର ଘଟଣା ଘଟେ, କିନ୍ତୁ ଜ୍ଞାନୀ ଓ ଅଜ୍ଞାନୀଙ୍କ ଦୃଷ୍ଟିକୋଣ ଭିନ୍ନ, ଭିନ୍ନ ଭାବରେ ପରି ପ୍ରକାଶ ହୁଏ।
ଅଜ୍ଞାନୀ କହେ, ପୂଜାପାଠ କରି, ଭଲକାମ କରି ମୋତେ କ’ଣ ମିଳିଲା? ସମସ୍ତଙ୍କ ସାଥିରେ ଭଲ କରିଲି, କିନ୍ତୁ ମୋ ସାଥିରେ ଏପରି କାହିଁକି ହେଲା? ଜ୍ଞାନୀ କହେ ଏହା ମୋର ନ’ଥିଲା, ଯାହାର ଜିନିଷ, ସେ ନେଇଗଲା। ଯିଏ ଦେଇଥିଲେ ସେ ତାଙ୍କର ଇଚ୍ଛା ଥିବାରୁ କିଛି ସମୟ ପାଇଁ ଦେଇଥିଲେ ଏବଂ ଆବଶ୍ୟକ ପଡିବାରୁ ସେ ତାଙ୍କ ଜିନିଷ ଫେରାଇନେଲେ। ମୂଢ଼ ମାନବ ଏହା ଜାଣିପାରେନାହିଁ, ଜ୍ଞାନୀ ହିଁ ଜାଣିପାରେ।
ୟତନ୍ତୋ ୟୋଗିନଶ୍ଚୈନଂ(ମ୍), ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍।
ୟତନ୍ତୋଽପ୍ୟକୃତାତ୍ମାନୋ, ନୈନଂ(ମ୍) ପଶ୍ୟନ୍ତ୍ୟଚେତସଃ।।୧୧।।
ବିବେଚନ:-
ଆମ ମନରେ ମଧ୍ୟ ଏହିପରି ବିଚାର ଅସେ ଯେ ଏତିକି ଗୀତା ପଢ଼ିଲେ, ଏତିକି ଜପ କରିଲେ ଏତିକି ଧ୍ୟାନ, ଏତିକି ପୂଜା କରିଦେଲେ ସବୁ କାମ ସଫଳ ହେଇଗଲା। ଶ୍ରୀ ଭଗବାନ୍ କହୁଛନ୍ତି ଯେ ଏମିତି ହୁଏନାହିଁ। ଯତ୍ନ କଲେ ମଧ୍ୟ ଏଇ ଆତ୍ମ ତତ୍ତ୍ଵ ଜାଣିବା କଷ୍ଟକର। ଆମକୁ ମଧ୍ୟ ରୋକଟୋକ କରିବା ଲୋକ ଅଛନ୍ତି, ଆମେ ମଧ୍ୟ ବିପରୀତ କଥା କାହାକୁ କହିଥାଇ ପାରୁ। ତେବେ ଗୀତାଜୀଙ୍କୁ ଅଧ୍ୟୟନ କରି କ’ଣ ଲାଭ। ଯଦି ଆମର ନିଜ ଉପରେ ନିୟନ୍ତ୍ରଣ ନ ଆସିଲା ତେବେ ଏ ସବୁ ବାହ୍ୟ ଆଡମ୍ବର ବ୍ୟର୍ଥ। ଗୀତା ପଢିଲା ପରେ ମଧ୍ୟ ଯଦି ଆମର ଧନ ପ୍ରତି ଓ ଖାଇବା ପ୍ରତି ଲୋଭ ରହିଲା, ବା ସାମାନ୍ୟ ଜମି, ଘର ପାଇଁ ପଡୋଶୀ ସାଙ୍ଗେ ଲଢେଇ ହେଲା ତେବେ ସେ ପଠନର ମୂଲ୍ୟ କଣ ରହିଲା?
ସ୍ତ୍ରୀମାନେ ଯଦି ଶାଢ଼ୀ ଓ ଗହଣାରେ ମନ ନିବେଶ କଲେ ତେବେ ‘ଯଥା ପୂର୍ବମ୍ ତଥା ପରମ୍’। ତେଣୁ ଭଗବାନ୍ କହୁଛନ୍ତି ଯେ ଏମିତି ପଢା ମୂଲ୍ୟହୀନ। ଖାଲି ଯତ୍ନ ନ’କରି ନିଜର ମୂଲ୍ୟବୋଧ ବଢ଼ାଇବା ପାଇଁ ହେବ। ଅନ୍ତଃକରଣକୁ ଶୁଦ୍ଧ କରିବାପାଇଁ ହେବ।
ମନରେ କପଟ ବା ଅଭିସନ୍ଧି ଥାଇ, ମାଳ ଜପିଲେ ବା ନାମ ଜପିଲେ କିଛି ଲାଭ ନାହିଁ, ଯଦି ଗୀତାର ସାର ତତ୍ତ୍ୱକୁ ଆଚରଣରେ ଅଣାଯାଇ ପାରେ ତେବେ ତା’ର ପ୍ରଭାବ ଦେଖିବାକୁ ମିଳେ।
ଅନ୍ୟର ନିନ୍ଦା ନକରି, କହାକୁ ଅଭିଶାପ ନଦେଇ, କାହାରି ଅମଙ୍ଗଳ ଚିନ୍ତା ନକରି, ସମସ୍ତଙ୍କର ମଙ୍ଗଳ ଚିନ୍ତା କରି ପାରିବା ହେଲା ସାର୍ଥକତା। ନିଜେ ସୁଖରେ ଓ ଦୁଃଖ, କ୍ରୋଧରେ ସମ ଭାବ ପୋଷଣ କରିବା, କାମନା ବାସନା ଠାରୁ ଦୂରରେ ରହିବା ହେଲା ନିଜ ନିୟନ୍ତ୍ରଣରେ ନିଜେ ରହିବା।
यं यं वापि स्मरन्भावं त्यजत्यन्ते कलेवरम्।
ମୃତ୍ୟୁ ସମୟରେ ଯାହା ସ୍ମରଣ କରି ଶରୀର ତ୍ୟାଗ କରାଯାଏ, ଆସନ୍ତା ଜନ୍ମରେ ତାକୁ ତାହା ମିଳିଥାଏ।
ମୃତ୍ୟୁ ସମୟର ଚିନ୍ତା ଆମକୁ ସେହି ରୂପ ପର ଜନ୍ମରେ ଦିଏ, କୌଣସି ସ୍ଥାନର ଚିନ୍ତା କଲେ ସେଇ ସ୍ଥାନ ହିଁ ମିଳେ। କୌଣସି ମଣିଷର ଚିନ୍ତା କଲେ ସେହି ପ୍ରକାର ମଣିଷ ଜନ୍ମ ପ୍ରାପ୍ତ ହୁଏ। ଘର ଚିନ୍ତାରେ ମୃତ୍ୟୁ ହେଲେ ଆମକୁ ଘର ଭିତରେ ରହିବା ପାଇଁ ଝିଟିପିଟି ରୂପରେ ଜନ୍ମ ହେବାକୁ ପଡିଥାଏ। ଏ ଜନ୍ମର ଚିନ୍ତା ଆର ଜନ୍ମର ଯୋନିରେ ପ୍ରତିଫଳିତ ହୁଏ। ଶେଷ ସମୟରେ ଆମ ମନରେ ସେହି କଥା ଥାଏ ଯାହା ଆମେ ଜୀବନକାଳ ମଧ୍ୟରେ ବିଶେଷ ଗୁରୁତ୍ୱର ସହ ଚିନ୍ତା କରିଥାଉ।
ଉପନିଷଦରେ କୁହାଯାଇଛି ଯଦି କାନ୍ଥଟି ଦକ୍ଷିଣ ଆଡ଼କୁ ନଇଁ କରି ଅଛି, ତେବେ ଯେତେବେଳେ ଭାଙ୍ଗିବ, ସେହି ଦିଗରେ ହିଁ ସେ ପଡ଼ିବ, ଯଦି ଉତ୍ତରକୁ ନଇଁ କରି ଅଛି ତେବେ ସେ ଉତ୍ତର ଦିଗକୁ ହିଁ ପଡ଼ିବ। ତେଣୁ ଅନ୍ତଃକରଣର ଶୁଦ୍ଧି କରିବାକୁ ପଡିଥାଏ।
जन्म जन्म मुनि जतनु कराहीं। अंत राम कहि आवत नाहीं।।
ୟଦାଦିତ୍ୟଗତଂ(ନ୍) ତେଜୋ, ଜଗଦ୍ଭାସୟତେଽଖିଲମ୍।
ୟଚ୍ଚନ୍ଦ୍ରମସି ୟଚ୍ଚାଗ୍ନୌ, ତତ୍ତେଜୋ ବିଦ୍ଧି ମାମେକମ୍।।୧୨।।
ବିବେଚନ:-
ଭଗବାନ ଏହି ଶ୍ଳୋକରେ ସୂକ୍ଷ୍ମରୁ ଲଘୁ ଆଡ଼କୁ ନେଇ ( micro to macro) ନିଜ ସତ୍ତାକୁ ଅତି ସୁନ୍ଦର ଭାବେ ବିବେଚନ କରୁଛନ୍ତି, ଯାହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିବ ନାହିଁ।
ଭଗବାନ ପୁଣି କହୁଛନ୍ତି ଯେ ,” ହେ ଅର୍ଜୁନ, ସୂର୍ଯ୍ୟ, ଚନ୍ଦ୍ରମା ଓ ଅଗ୍ନି ରେ ଯେଉଁ ତେଜ ଦେଖୁଛ, ତାହା ମୋର ହିଁ ତେଜ ବୋଲି ଜାଣ।”
ଅଗ୍ନିର ତିନୋଟି ଶକ୍ତି ଅଛି -
ପ୍ରଥମତଃ- ତା’ର ଦାହକ ଶକ୍ତି,
ଦ୍ୱିତୀୟତଃ-ତା’ର ଉଷ୍ମତା ଶକ୍ତି ଓ
ତୃତୀୟତଃ-ତା’ର ଆଲୋକ ଶକ୍ତି।
ଚନ୍ଦ୍ରମା ଆଲୋକ ଦେବା ସତ୍ତ୍ୱେ ଶୀତଳ, ଉଷ୍ମତା ନ’ଥାଏ। ଅଗ୍ନି ଉତ୍ତାପ ଦେଇପାରେ କିନ୍ତୁ ଆଲୋକ କମ୍। ସୂର୍ଯ୍ୟ ଆଲୋକ ଓ ଉତ୍ତାପର ସ୍ରୋତ ଅଟେ।
ଶ୍ରୀଭଗବାନ କହୁଛନ୍ତି,ଏହି ତିନି ବିଶେଷତା ମୋର ହିଁ ସ୍ୱରୂପ ଅଟନ୍ତି ଏବଂ ମୋ ଠାରୁ ହିଁ ପ୍ରକାଶିତ ହୁଅନ୍ତି।
ଗାମାବିଶ୍ୟ ଚ ଭୂତାନି, ଧାରୟାମ୍ୟହମୋଜସା।
ପୁଷ୍ଣାମି ଚୌଷଧୀଃ(ସ୍) ସର୍ବାଃ(ସ୍), ସୋମୋ ଭୂତ୍ୱା ରସାତ୍ମକଃ।।୧୩।।
ବିବେଚନ:-
ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି - ‘ହେ ଅର୍ଜୁନ! ମୁଁ ପୃଥିବୀରେ ପ୍ରବେଶ କରି, ମୋର ଶକ୍ତି ଦ୍ୱାରା ସମସ୍ତ ଜୀବଙ୍କୁ ଧାରଣ କରିଥାଏ’।
ଭଗବାନ ଶ୍ରୀକୃଷ୍ଣ ଏବେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ସେ ପୂର୍ବରୁ ସୂର୍ଯ୍ୟ ଓ ଚନ୍ଦ୍ର ବିଷୟରେ କହୁଥିଲେ ଏବଂ ବର୍ତ୍ତମାନ ସେ ପୃଥିବୀ ବିଷୟରେ କହୁଛନ୍ତି, ଉଦ୍ଭିଦ ବିଷୟରେ ବୁଝାଉଛନ୍ତି।
ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ମୁଁ ଅମୃତ ରୂପୀ ଚନ୍ଦ୍ରମା ହେଇ ସମସ୍ତ ଔଷଧକୁ ପୁଷ୍ଟି ଦେଇଥାଏ।
ଅହଂ(ୱ୍ଁ) ବୈଶ୍ୱାନରୋ ଭୂତ୍ୱା, ପ୍ରାଣିନାଂ(ନ୍) ଦେହମାଶ୍ରିତଃ।
ପ୍ରାଣାପାନସମାୟୁକ୍ତଃ(ଫ୍), ପଚାମ୍ୟନ୍ନଂ(ଞ୍) ଚତୁର୍ବିଧମ୍॥15.14॥
ବିବେଚନ:-
ହେ ଅର୍ଜୁନ ! ‘ମୁଁ ସମସ୍ତ ଜୀବଜନ୍ତୁଙ୍କ ଶରୀରରେ ବାସ କରୁଥିବା ଜୀବନଶକ୍ତି ବା ପ୍ରାଣ ଏବଂ ଅପାନ ସହିତ ସଂଯୁକ୍ତ ହୋଇ ଚାରି ପ୍ରକାର ଭୋଜନକୁ ହଜମ କରାଏ’।
ପ୍ରଥମେ ଶ୍ରୀଭଗବାନ ସୂର୍ଯ୍ୟ ଓ ଚନ୍ଦ୍ର, ତା'ପରେ ପୃଥିବୀ ଓ ଉଦ୍ଭିଦରେ ନିଜକୁ ବର୍ଣ୍ଣନା କରନ୍ତି ତ ପ୍ରଶ୍ନ ଉଠେ କି କ’ଣ ପରମାତ୍ମା କେବଳ ବାହାରେ ଅଛନ୍ତି କି?
ସେ କହୁଛନ୍ତି! “ନାହିଁ, ମୁଁ ମଧ୍ୟ ତୁମ (ମନୁଷ୍ୟ) ଭିତରେ ଅଛି ।”
ଶ୍ରୀଭଗବାନ ମହାକାଶରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆଲୋକରେ ରହି ଏହି ମଠାକାଶରେ ପ୍ରବେଶ କରନ୍ତି। ତତ୍ପରେ ସେ ପୃଥିବୀରେ ପ୍ରବେଶ କରି, ଘଟାକାଶକୁ ଯାଆନ୍ତି ଏବଂ ଆମେ ସେହି ବନସ୍ପତିକୁ ଖାଇ ବଞ୍ଚିଥାଉ।
ଭଗବାନ ଶ୍ରୀକୃଷ୍ଣ କହନ୍ତି - ହେ ଅର୍ଜୁନ! ମୁଁ ହିଁ ପାନ ଓ ଅପାନ ଭାବରେ ଅବସ୍ଥିତ ରହି, ବୈଶ୍ୱାନର ଅଗ୍ନି ରୂପରେ ବିଦ୍ୟମାନ ହୁଏ।
ଅଗ୍ନିର ମୁଖ୍ୟତଃ ତିନୋଟି ପ୍ରକାର ଅଛି ।
ବଡବାଗ୍ନି - ଯାହା ସମୁଦ୍ର ଭିତରେ ଥାଏ। ଯାହାଦ୍ୱାରା ସମୁଦ୍ରରେ ଜୁଆର ସୃଷ୍ଟି ହୁଏ।
ଦାବାଗ୍ନି - ଜଙ୍ଗଲ ନିଆଁକୁ ବୁଝାଏ,
ଜଠରାଗ୍ନି - ଯାହା ଆମ ଶରୀର ଭିତରେ ପେଟର ନିଆଁ ଭାବରେ ରହିଥାଏ ।
ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଆପଣ ଆଇସକ୍ରିମ୍ ଖାଇପାରିବେ, ଅତ୍ୟଧିକ ଥଣ୍ଡା ମଧ୍ୟ ଖାଇପାରିବେ, କିନ୍ତୁ ପରଦିନ ସକାଳେ ଯେତେବେଳେ ବି ଆପଣଙ୍କର ଶୌଚ ହେବ, ଗରମ ହିଁ ହେବ। ଖାଦ୍ୟ କେବଳ ଅଗ୍ନି ମାଧ୍ୟମରେ ହଜମ ହେବ। ଆମେ ଯେ କୌଣସି ତାପମାତ୍ରାରେ ଯେ କୌଣସି ପଦାର୍ଥ ଖାଇଲେ ମଧ୍ୟ ଏହା ଜଠରାଗ୍ନି ଭିତରେ ବୈଶ୍ୱାନର ଅଗ୍ନିରେ ହଜମ ହୋଇଥାଏ। ସେଥିପାଇଁ ଆମ ଋଷିମାନେ କୁହନ୍ତି ଯେ ଯଦି ଆମେ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇନେବା ତେବେ ଏହା ଭଲ ଭାବରେ ହଜମ ହୋଇଥାଏ। ସୂର୍ଯ୍ୟାସ୍ତ ପରେ ଅଧିକ ଖାଇବା ଉଚିତ୍ ନୁହେଁ। ସୂର୍ଯ୍ୟକିରଣ ସହିତ ଜଠରାଗ୍ନି ବା ପାଚନ କ୍ରିୟା ବୃଦ୍ଧି ପାଇଥାଏ ଏବଂ ସୂର୍ଯ୍ୟାସ୍ତ ହେବା ପରେ ଏହି ଅଗ୍ନି ହ୍ରାସ ପାଇଥାଏ। ଆମେ ଦିନରେ ଯେତେ ଅଧିକ ଖାଇଲେ ମଧ୍ୟ ଏହା ହଜମ ହୋଇଯିବ।
ଚାରି ପ୍ରକାରର ଭୋଜନ ରହିଛି -
ଭକ୍ଷ୍ୟ - ଯାହା ଖିଆ ଯାଇଥାଏ.
ପେୟ - ଯାହା ପାନ କରାଯାଏ,
ଲେହ୍ୱା - ଯାହା ଚାଟିବା ଦ୍ୱାରା ଖିଆଯାଏ, ଚାଟୁଥିବା ଚଟଣୀ ପରି ଏବଂ
ଚୌଷ୍ୟ - ଯାହାକୁ ଚୁଷି ଚୁଷି ଖାଆନ୍ତି, ଆମ୍ବ ଏବଂ ଆଖୁ ପରି।
ପ୍ରାଣ ବାୟୁ ପାଞ୍ଚ ପ୍ରକାରର - ପ୍ରାଣ, ଅପାନ, ଉଦାନ, ସମାନ ଏବଂ ଧ୍ୟାନ। ଏଠାରେ ପାଞ୍ଚଟି ଉପ-ପ୍ରାଣ ରହିଛି।
ସୂର୍ଯ୍ୟଙ୍କ ଶକ୍ତିରେ ବନସ୍ପତି ନଷ୍ଟ ହୁଏ। ଚନ୍ଦ୍ର ଶୀତଳତା ପ୍ରଦାନ କରି ଏହାକୁ ପୋଷଣ କରିଥାଏ। ତା'ପରେ ଏହା ଔଷଧ ରୂପେ ଆମ ଶରୀରରେ ପ୍ରବେଶ କରିଥାଏ। ପାନ ଓ ଅପାନ ଶକ୍ତି ବଳରେ, ମାଧ୍ୟାକର୍ଷଣ ନିୟମ ଉଲ୍ଲଂଘନ କରି ହେଉ କିମ୍ବା ଆମକୁ ବାମ କିମ୍ବା ଡାହାଣ, ଉପର କିମ୍ବା ତଳ କରି କିମ୍ବା ଓଲଟା ଝୁଲୁଥିବା ଅବସ୍ଥାରେ, ଯେମିତି ଅବସ୍ଥାରେ ବି ଖାଇବାକୁ ଦିଆଯାଉ, ସେ ଖାଦ୍ୟ କିନ୍ତୁ ସିଧାସଳଖ ପେଟକୁ ଯାଇଥାଏ। ଏମିତି ହେବ ନାହିଁ ଯେ ଓଲଟା ଝୁଲୁଥିବା ବେଳେ ଖାଇଲେ ତାହା ମୁଣ୍ଡକୁ ଯିବ। ଗୁରୁତ୍ୱାକର୍ଷଣ ଶକ୍ତିକୁ ଉଲ୍ଲଂଘନ କରି ପାନ ଓ ଅପାନ ଶକ୍ତି ଖାଦ୍ୟକୁ ପେଟକୁ ନେଇଯାଆନ୍ତି, ଯେଉଁଠାରେ ଏହା ପାଚନ ଅଗ୍ନି ଦ୍ୱାରା ରୋଷେଇ ହୋଇ ଖାଦ୍ୟସାରରେ ପରିଣତ ହୁଏ। ସେଠାରୁ ସମାନ ବାୟୁ ସେହି ଶକ୍ତିକୁ ଆମ ଶରୀରର ପ୍ରତ୍ୟେକ ଛିଦ୍ରରେ ପହଞ୍ଚାଇଥାଏ। ଏହା ମହାକାଶ, ମଠାକାଶ ହୋଇ ଘଟାକାଶରେ ପହଞ୍ଚିଥାଏ। ଏହିପରି ପରମାତ୍ମା ଆମର ପ୍ରତ୍ୟେକ କୋଣରେ ବ୍ୟାପିଛନ୍ତି।
ହେ ଶ୍ରୀଭଗବାନ, ତୁମ୍ଭେ କେଉଁଠି ଅଛ, ତୁମ୍ଭର ଠିକଣା କ'ଣ? ପରବର୍ତ୍ତୀ ଶ୍ଲୋକରେ ଶ୍ରୀଭଗବାନ ତାଙ୍କର ବାସସ୍ଥାନ ବିଷୟ ପ୍ରକାଶ କରିଛନ୍ତି।
ସର୍ବସ୍ୟ ଚାହଂ(ମ୍) ହୃଦି ସନ୍ନିବିଷ୍ଟୋ,
ମତ୍ତଃ(ସ୍) ସ୍ମୃତିର୍ଜ୍ଞାନମପୋହନଂ(ଞ୍) ଚ।
ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ,
ବେଦାନ୍ତକୃଦ୍ବେଦବିଦେବ ଚାହମ୍।।୧୫।।
ବିବେଚନ:-
ଭଗବାନ ଶ୍ରୀ କୁହନ୍ତି - ହେ ଅର୍ଜୁନ! ମୁଁ ସମସ୍ତ ଜୀବପ୍ରାଣୀଙ୍କ ହୃଦୟରେ ସ୍ଥିତ। ହୃଦୟର ଅର୍ଥ ନୁହେଁ ଯେ, ଏହା କୌଣସି ଅଙ୍ଗରେ ରହିଥାଏ। ଏହା ଏକ ରୂପକ (ଅନୁଭବ), ଏହାର ଅର୍ଥ, ଭଗବାନ ଆମ ଭିତରେ ହିଁ ବାସ କରନ୍ତି।
ସ୍ମୃତିର ଅର୍ଥ ହେଉଛି ଆଗରୁ ଯାହା ଶିଖିଛନ୍ତି।
ଜ୍ଞାନର ଅର୍ଥ ହେଉଛି କିଛି ନୂଆ ଶିଖିବା।
ଅପୋହନ ଅର୍ଥ ହେଉଛି ସନ୍ଦେହର ବିନାଶ। ଆମେ କଣ ଜାଣୁ ବା କଣ ଜାଣୁ ନାହିଁ? ଆମର ସନ୍ଦେହର ବିନାଶ କେବଳ ଏହି ଅପୋହନ ଦ୍ୱାରା ହୋଇଥାଏ।
ଶ୍ରୀ ଭଗବାନ କୁହନ୍ତି, ମୁଁ ତୁମର ମନର ସ୍ୱଚ୍ଛତା ବା ସ୍ପଷ୍ଟତା। ଯେଉଁଠାରେ ଅସ୍ପଷ୍ଟତା ଅଛି, ତାହା ତୁମ ବୁଦ୍ଧିରେ ଥିବା ମୋହ ଅଟେ। ଯେଉଁଠାରେ ମୁଁ ନାହିଁ, ସେଠାରେ ସ୍ୱଚ୍ଛତାର ଅଭାବ ରହିବ। ବେଦ ମାଧ୍ୟମରେ ହିଁ ମୋ ସହିତ ପରିଚିତ ହେଇପାରିବ। ଭଗବାନ କୃଷ୍ଣ ତାଙ୍କର ରୂପକୁ ଷୋହଳ, ସତର ଏବଂ ଅଷ୍ଟାଦଶ ଶ୍ଲୋକରେ ବର୍ଣ୍ଣନା କରିଛନ୍ତି।
ଦ୍ୱାବିମୌ ପୁରୁଷୌ ଲୋକେ, କ୍ଷରଶ୍ଚାକ୍ଷର ଏବ ଚ।
କ୍ଷରଃ(ସ୍) ସର୍ବାଣି ଭୂତାନି, କୂଟସ୍ଥୋଽକ୍ଷର ଉଚ୍ୟତେ।।୧୬।।
ବିବେଚନ:-
ଏହି ଦୁନିଆରେ ଦୁଇ ପ୍ରକାରର ପୁରୁଷ ଅଛନ୍ତି, କ୍ଷୟ ଏବଂ ଅକ୍ଷୟ। ସମସ୍ତ ପ୍ରାଣୀଙ୍କର ଶରୀର କ୍ଷୟ ବା ନାଶବାନ ହୋଇଥାଏ ଏବଂ ଏହି ଜୀବାତ୍ମା ଅମର ବା ଅକ୍ଷୟ ଅଟେ।
ଶ୍ରୀଭଗବାନ କୁହନ୍ତି - ହେ ଅର୍ଜୁନ! ଦୁଇ ପ୍ରକାରର ମୌଳିକ ଉପାଦାନ ଅଛି। ଗୋଟିଏ ନଷ୍ଟ ହୁଏ ଏବଂ ଅନ୍ୟଟି କେବେ ବି ନଷ୍ଟ ହୁଏ ନାହିଁ। ଜନ୍ମ ହେବା ଦିନଠାରୁ ଏହି ଶରୀର ବଦଳୁଥାଏ। କେବେ ବି ସମାନ ରହେନାହିଁ। ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତିତ ହେଉଥାଏ। ଯଦି କେହି ଆମକୁ ଆମର ପିଲାଦିନର ଫଟୋ ଦେଖାନ୍ତି, ଆମେ ଏହାକୁ ଚିହ୍ନିବାରେ ସମର୍ଥ ହେବୁ ନାହିଁ।
ପ୍ରାୟ ସାଢେତିନି ବର୍ଷ ମଧ୍ୟରେ, ଏହି ଶରୀରର ସମସ୍ତ କୋଷଗୁଡ଼ିକ ନଷ୍ଟ ହୋଇ ପୁନର୍ବାର ଜୀବିତ ହୁଅନ୍ତି। ଏହି ଶରୀର ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତି ସେକେଣ୍ଡରେ ପରିବର୍ତ୍ତନ ହେଉଥାଏ। ଯଦିଓ ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ଆସୁଥାଏ ତଥାପି, ଏହି ଶରୀରରେ ଏପରି କିଛି ଅଛି ଯାହା ପରିବର୍ତ୍ତନ ହୁଏନାହିଁ, ତାହା ହେଉଛି ‘ମୁଁ।’ ଏହି ପ୍ରବୃତ୍ତି ପାଞ୍ଚ ବର୍ଷ ପୂର୍ବେ ମଧ୍ୟ ଥିଲା, ଦଶ ବର୍ଷ ପରେ ମଧ୍ୟ ରହିବ, ପନ୍ଦର, ପଚିଶ, ପଚାଶ, ଅଶୀ ବର୍ଷ ବିତିବା ପରେ ମଧ୍ୟ ସମାନ ରହିବ, ଏହା ବଦଳିବ ନାହିଁ। ଏହା ହେଉଛି ଚେତନ ତତ୍ତ୍ୱ।
ଶ୍ରୀ ଭଗବାନ୍ କହିଛନ୍ତି ଯେ ଦୁଇଟି ତତ୍ତ୍ୱ ଅଛି, ଗୋଟିଏ କ୍ଷର ଏବଂ ଗୋଟିଏ ଅକ୍ଷର।
ଏହାକୁ କ୍ଷର-ଅକ୍ଷର, ପ୍ରକୃତି-ପୁରଷ, ଜୀବ-ନିର୍ଜୀବ, ଦେହ-ଦେହୀ, କ୍ଷେତ୍ର-କ୍ଷେତ୍ରେଜ୍ଞ କୁହନ୍ତୁ କିମ୍ବା ନାଶି-ଅବିନାଶି ବୋଲି କୁହନ୍ତୁ।
ଏହି ବିଭାଗ ଗୁଡ଼ିକର ନାମ ଯାହା ବି ହେଉ,ଏହା କିନ୍ତୁ ଦୁଇ ପ୍ରକାରରେ ଚାଲୁଛି। ଶ୍ରୀଭଗବାନ କୁହନ୍ତି - ହେ ଅର୍ଜୁନ! ମୋତେ ଏହା ବ୍ୟତିରକେ ଅଧିକ କିଛି କହିବାକୁ ଦିଅ।
ଦୁଇଟି ତତ୍ତ୍ୱ ଅଛି, ଗୋଟିଏ କ୍ଷର ଏବଂ ଗୋଟିଏ ଅକ୍ଷର, ଗୋଟିଏ ନାଶି ଏବଂ ଗୋଟିଏ ଅବିନାଶି। ଏଥିରେ ଥିବା ଆତ୍ମା କଦାପି ମରନ୍ତି ନାହିଁ କିନ୍ତୁ ଶରୀର ନାଶ ହୋଇଥାଏ।
ଏହି ଦୁଇଟି ବ୍ୟତିରକେ ଆଉ କିଛି ପୃଥକ ଅଛି, ସେ ବିଷୟରେ ଆମେ ଆଗକୁ ଜାଣିବା।
ଉତ୍ତମଃ(ଫ୍) ପୁରୁଷସ୍ତ୍ୱନ୍ୟଃ(ଫ୍), ପରମାତ୍ମେତ୍ୟୁଦାହୃତଃ।
ୟୋ ଲୋକତ୍ରୟମାବିଶ୍ୟ, ବିଭର୍ତ୍ୟବ୍ୟୟ ଈଶ୍ୱରଃ।।୧୭।।
ବିବେଚନ:-
ଆତ୍ମା କଦାପି ମରନ୍ତି ନାହିଁ ଏବଂ ଶରୀର ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତିତ ହେଉଥାଏ। କିନ୍ତୁ ଏହି ଦୁଇ କ୍ରିୟା ବ୍ୟତିତ ଆଉ କିଛି ଅଛି। ଯିଏ କି ତିନି ଲୋକରେ ଅଛନ୍ତି, ଏବଂ ସମସ୍ତଙ୍କୁ ଧାରଣ କରିଛନ୍ତି।
ଅବିନାଶୀ ଶ୍ରୀଭଗବାନ, ପରମାତ୍ମାଙ୍କ ଉଦ୍ଦେଶ୍ୟରେ ଏହିପରି କୁହା ଯାଇଛି। ସେ ମହାକାଶ, ମଠାକାଶ ଏବଂ ଘଟାକାଶରେ ଅଛନ୍ତି।
ଏହି ତିନୋଟି ସୃଷ୍ଟିକୁ ରଚନା କରିଛନ୍ତି ଏବଂ ରକ୍ଷଣାବେକ୍ଷଣ କରୁଛନ୍ତି ସେ ଏକ ଅନନ୍ୟ ଉତ୍ତମ ପୁରୁଷଅଟନ୍ତି।
ଆପଣ ଯେଉଁଠାରେ ଶାସ୍ତ୍ରରେ ପୁରଷ ଶବ୍ଦ ପଢୁଛନ୍ତି, ତା’ର ମହିଳା-ପୁରୁଷ ଅର୍ଥରେ ପୁରୁଷ ନୁହେଁ। ଏଠାରେ ଏହାର ଅର୍ଥ ଏକକ, ପୁରଷ ଅର୍ଥ ଜୀବ, ଏହିପରି ଏହାକୁ ବୁଝିବାକୁ ହେବ।
ପୁରୁଷ ଏବଂ ଏହି ଶରୀର ସମାନ କଥା। ଆମେ ପ୍ରଭୁଙ୍କର ଏକ ଅଂଶ, ଶ୍ରୀଭଗବାନ ଆମକୁ ଜନ୍ମ ଦେଇଛନ୍ତି। ଶ୍ରୀଭଗବାନ୍ ତାଙ୍କ ପ୍ରକୃତିକୁ ବଶୀଭୂତ କରି ଅବତାର ରୂପରେ ଏହି ଜଗତକୁ ଆସନ୍ତି। ଶ୍ରୀ ଭଗବାନ୍ ନିଷ୍ପତ୍ତି ନେଇଥିଲେ ଯେ ସେ ଦଶରଥ ଏବଂ କୌଶଲ୍ୟାଙ୍କ ପୁତ୍ର ଭାବରେ ଜନ୍ମ ହେବେ କିନ୍ତୁ ଆମେ କ’ଣ ତାହା ସ୍ଥିର କରିପାରିବା କି ଆମର ମାତା ପିତା କିଏ ହେବେ?
ଶ୍ରୀଭଗବାନ କୁହନ୍ତି, ନା! ତୁମର ସେପରି ଅଧିକାର ନାହିଁ (You do not have such right) ।
ମୁଁ ତୁମକୁ ସୃଷ୍ଟି କରିପାରିବି। ଯଦିଓ ତୁମେ ମୋର ଏକ ଅଂଶ, ତଥାପି ମୁଁ ତୁମଠାରୁ ଶ୍ରେଷ୍ଠ ଅଟେ। ମୁଁ ତୁମଠାରୁ ଉତ୍ତମ, ମୁଁ ତୁମଠାରୁ ଅଲଗା, ସେଥିପାଇଁ ମୋତେ ଏକ ଭିନ୍ନ ଉପମା (ନାମ) ଦିଆଯିବା ଉଚିତ୍।
ୟସ୍ମାତ୍କ୍ଷରମତୀତୋଽହମ୍, ଅକ୍ଷରାଦପି ଚୋତ୍ତମଃ।
ଅତୋଽସ୍ମି ଲୋକେ ବେଦେ ଚ, ପ୍ରଥିତଃ(ଫ୍) ପୁରୁଷୋତ୍ତମଃ।।୧୮।।
ବିବେଚନ:-
ହେ ଅର୍ଜୁନ! ଯେହେତୁ ମୁଁ କ୍ଷର ବା ବିନାଶରୁ ଉର୍ଦ୍ଧ୍ୱରେ ଅଛି ଏବଂ ଜୀବାତ୍ମା ଓ ଅକ୍ଷରଠାରୁ ମଧ୍ୟ ଉତ୍ତମ ଅଟେ, ତେଣୁ ମୁଁ ଏହି ଲୋକରେ ଏବଂ ବେଦରେ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ। ଶ୍ରୀଭଗବାନ ସ୍ୱୟଂକୁ ପୁରୁଷୋତ୍ତମ ରୂପରେ ସମ୍ବୋଧନ କରିଛନ୍ତି। ତେଣୁ ଏହି ଅଧ୍ୟାୟକୁ ପୁରୁଷୋତ୍ତମ ଯୋଗ କୁହାଯାଏ ଏବଂ ଏହି ଅଧ୍ୟାୟ ସମଗ୍ର ଭଗବଦ୍ଗୀତାର ପ୍ରମୁଖ ଅଧ୍ୟାୟ ହୋଇପାରିଛି।
ୟୋ ମାମେବମସମ୍ମୂଢୋ, ଜାନାତି ପୁରୁଷୋତ୍ତମମ୍।
ସ ସର୍ବବିଦ୍ଭଜତି ମାଂ(ମ୍), ସର୍ବଭାବେନ ଭାରତ।।୧୯।।
ବିବେଚନ:-
ହେ ଅର୍ଜୁନ, ଜ୍ଞାନୀ ବ୍ୟକ୍ତିମାନେ ମୋତେ ପୁରୁଷୋତ୍ତମ ଭାବରେ ଜାଣନ୍ତି। ସେମାନେ ସମଗ୍ର ଜ୍ଞାନରେ ଏବଂ ସବୁ ପ୍ରକାରରେ ମୋତେ ଅର୍ଥାତ୍ ବାସୁଦେବଙ୍କର ହିଁ ସବୁ ସମୟରେ ଚିନ୍ତନ କରନ୍ତି।
ପ୍ରକୃତି, ପୁରୁଷ ଏବଂ ପୁରୁଷୋତ୍ତମ, ଏହି ପ୍ରକାର ତିନୋଟି ଶବ୍ଦ ଅଛି।
ପୁରୁଷ ଏବଂ ପ୍ରକୃତି ପରସ୍ପରର ନିକଟତର। ପୁରଷ ଏବଂ ପୁରୁଷୋତ୍ତମ ମଧ୍ୟ ପରସ୍ପରର ନିକଟତର।
ଏହି ଜଗତ ମଧ୍ୟ ଆମର ନିକଟତର ମନେହୁଏ, କିନ୍ତୁ ଆମେ ପ୍ରଭୁଙ୍କ ସହିତ ମଧ୍ୟ ସେତିକି ନିକଟତର ଅଟୁ କାରଣ ଆମେ ପ୍ରଭୁଙ୍କଠାରୁ ହିଁ ଉତ୍ପନ୍ନ ହୋଇଅଛୁ। ପରମାତ୍ମାଙ୍କଠାରୁ ପୁରୁଷ ସୃଷ୍ଟି ଏବଂ ପୁରୁଷଠାରୁ ପ୍ରକୃତି ସୃଷ୍ଟି। ପ୍ରକୃତି ଏବଂ ପୁରୁଷୋତ୍ତମ ଅତି ନିକଟତର।
ତେଣୁ ଆତ୍ମ ତତ୍ତ୍ୱକୁ ଚିନ୍ତା କରି ଜଣେ ନିଜକୁ ଜାଣିପାରେ ଯେ, ”ମୁଁ ହିଁ ପୁରୁଷୋତ୍ତମ ଏବଂ ମୁଁ ହିଁ ପୁରୁଷୋତ୍ତମର ଅଂଶ” ।
ଏହି ଜ୍ଞାନକୁ ଜାଣିବାକୁ ହିଁ ମୋକ୍ଷ କୁହାଯାଏ, ଆତ୍ମ-ହୃଦୟଙ୍ଗମ କୁହାଯାଏ, ନିର୍ବାଣ କୁହାଯାଏ। ଭିନ୍ନ ଭିନ୍ନ ରୂପରେ ଏହାର ଉପମା ଦିଆଯାଇଛି।
ଇତି ଗୁହ୍ୟତମଂ(ମ୍) ଶାସ୍ତ୍ରଂ(ମ୍), ଇଦମୁକ୍ତଂ(ମ୍) ମୟାନଘ।
ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍, କୃତକୃତ୍ୟଶ୍ଚ ଭାରତ।।୨୦।।
ବିବେଚନ:-
ଶ୍ରୀଭଗବାନଙ୍କୁ ଅର୍ଜୁନଙ୍କ ଦୁଇଟି ନାମ ସମ୍ବୋଧନ ବହୁତ ଭଲ ଲାଗେ।
ଗୋଟିଏ ହେଉଛି ଅନଘ, ଯିଏ କେବେ ବି କୌଣସି ପାପ କରିନାହାନ୍ତି।
ଅନ୍ୟଟି ହେଲା ଅନୁସୂୟ, ଯିଏ କେବେ କାହାର ନିନ୍ଦା ବା ସମାଲୋଚନା କରନ୍ତି ନାହିଁ।
ଅର୍ଜୁନ ନିଜ ଜୀବନରେ କେବେ ପାପ କରିନାହାନ୍ତି କି କାହାକୁ ସମାଲୋଚନା କରିନାହାନ୍ତି। ସମଗ୍ର ଗୀତାରେ ମହାପ୍ରଭୁ ଅର୍ଜୁନଙ୍କୁ ଏହି ଦୁଇଟି ନାମରେ ସମ୍ବୋଧିତ କରିଛନ୍ତି।
”ହେ ନିଷ୍ପାପ ଅର୍ଜୁନ ! ଏହିପରି ମୁଁ ତୁମ୍ଭଙ୍କୁ ସବୁଠାରୁ ଗୁପ୍ତ, ଅଧିକ ଗୁପ୍ତ ଏବଂ ସବୁଠାରୁ ବେଶି ଗୁପ୍ତ ଜ୍ଞାନ ଦେଇଛି, ଯାହାକୁ ଗୁପ୍ତ ଶାସ୍ତ୍ର କୁହାଯାଏ।”
ଏହି ଅଧ୍ୟାୟ ଏତେ ଗୌରବମୟ ଯେ ଏହାକୁ ଶାସ୍ତ୍ର ସହ ତୁଳନା କରାଯାଇଛି, କାରଣ ଶ୍ରୀଭଗବାନ ନିଜେ ଏହାକୁ ଶାସ୍ତ୍ର ଭାବରେ ଘୋଷଣା କରିଛନ୍ତି।
ଯଦି ଆପଣଙ୍କୁ କେବଳ ଗୋଟିଏ ଅଧ୍ୟାୟ ପଢିବାକୁ ପଡିବ, କାହାର ମୃତ୍ୟୁ ସମୟରେ ହେଉ, ଖାଇବା ସମୟରେ ହେଉ, କାହାର ଜନ୍ମ ସମୟରେ ହେଉ କିମ୍ବା ପର୍ବପର୍ବାଣୀ ପରିପ୍ରେକ୍ଷୀରେ ହେଉ, ତାହା ହେଉଛ ଏହି ଅଧ୍ୟାୟ। ଯଦି ଆପଣଙ୍କ ପାଖରେ ଅଳ୍ପ ସମୟ ଅଛି ଏବଂ ଗୋଟିଏ ଅଧ୍ୟାୟ ପଢିବାକୁ ଚାହୁଁଛନ୍ତି, ତେବେ ଏହି ଅଧ୍ୟାୟ ପଢ଼ନ୍ତୁ। ଏହି ଅଧ୍ୟାୟରେ ହିଁ ଅତ୍ୟନ୍ତ ରହସ୍ୟମୟ ଏବଂ ଗୋପନୀୟ ଶାସ୍ତ୍ର ମୋ ଦ୍ୱାରା କୁହାଯାଇଛି। ଏହାକୁ ତତ୍ତ୍ୱକୁ ବୁଝିବା ଦ୍ଵାରା ଜ୍ଞାନୀ ବ୍ୟକ୍ତି କୃତାର୍ଥପୂର୍ଣ୍ଣ ହୋଇ ନିଜର ସର୍ବୋଚ୍ଚ ସ୍ଥାନ ହାସଲ କରିଥାଏ।
ଏହା ଜାଣିବା ମଣିଷ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ବୋଲି କହି, ଭଗବାନ ଶ୍ରୀକୃଷ୍ଣ ଏହି ଅଧ୍ୟାୟକୁ ଶେଷ କରିଛନ୍ତି।
ଶ୍ରୀହରିଙ୍କ ନାମ ସଙ୍କୀର୍ତ୍ତନ ସହ ଏହି ସତ୍ର ଶେଷ ହୋଇଥିଲା।
ବିଚାର-ମନ୍ଥନ(ପ୍ରଶ୍ନୋତ୍ତର)
ପ୍ରଶ୍ନକର୍ତ୍ତା - ଶଙ୍କର ଜୀ
ପ୍ରଶ୍ନ - ଗୀତା ପଢ଼ିବା ସହିତ ହୃଦୟକୁ ଶୁଦ୍ଧ କରିବା ପାଇଁ ପ୍ରୟାସ କରିବା ଉଚିତ ବୋଲି ଆପଣ ଉଲ୍ଲେଖ କରିଛନ୍ତି। ଏହା କିପରି କରାଯିବା ଉଚିତ୍?
ଉତ୍ତର - ଗୀତା ପଢ଼ିବାର ଅଭ୍ୟାସ ସହିତ ଏହାକୁ ଆମ ଆଚରଣରେ କାର୍ଯ୍ୟକାରୀ କରିବା ପାଇଁ ନିରନ୍ତର ପ୍ରୟାସ କରିବା ଦରକାର। ଆମେ କୁମ୍ଭରେ ସ୍ନାନ କରିଥାଉ, ଆମେ ମଧ୍ୟ ଗଙ୍ଗାରେ ସ୍ନାନ କରିଥାଉ। ଆମେ ପୂଜା ଓ ରୀତିନୀତି କରିଥାଉ। କ'ଣ ହୁଏ କି ଏହା ପରେ ଆମେ ଶୁଦ୍ଧିର ଦାୟିତ୍ୱ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଛାଡ଼ି ଦେଇଥାଉ। ଭଗବାନ ଶ୍ରୀକୃଷ୍ଣ ଏଥିରେ କିଛି କରନ୍ତି ନାହିଁ। ଆମେ ଆମର ଆଚରଣରେ ପରିବର୍ତ୍ତନ ଆଣିଥାଉ କି? ଆମକୁ ନିଜେ ଆମର ଆଚରଣରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେପର୍ଯ୍ୟନ୍ତ ମିଛ, ପ୍ରତାରଣା, ଷଡ଼ଯନ୍ତ୍ର ଓ ଇଚ୍ଛା ଆମ ଭିତରେ ରହିବ, ସେପର୍ଯ୍ୟନ୍ତ ଆମ ହୃଦୟ ଶୁଦ୍ଧ ହେବ ନାହିଁ। ପରମାତ୍ମାଙ୍କୁ ମଧ୍ୟ ଆମେ ଅନୁଭବ କରି ପାରିବୁ ନାହିଁ, ସେଥିପାଇଁ ନିରନ୍ତର ଅଭ୍ୟାସ ମାଧ୍ୟମରେ ଆମକୁ ଆମ ପ୍ରକୃତିରେ ପରିବର୍ତ୍ତନ ଆଣିବାକୁ ହେବ। ଯେତେବେଳେ ଆପଣଙ୍କ ଆଖପାଖରେ ଥିବା ଲୋକମାନେ ଆପଣଙ୍କୁ ପସନ୍ଦ କରିବା ଆରମ୍ଭ କରନ୍ତି ଏବଂ ଆପଣଙ୍କ ସାକ୍ଷାତରେ ଆନନ୍ଦ ଅନୁଭବ କରନ୍ତି, ସେତେବେଳେ ଆପଣ ବୁଝିପାରିବେ ଯେ ପରିବର୍ତ୍ତନ ଆରମ୍ଭ ହୋଇଛି ।
ପ୍ରଶ୍ନକର୍ତ୍ତା - ଉଷା ଜୀ
ପ୍ରଶ୍ନ - ମୁଁ ବର୍ତ୍ତମାନ ଚତୁର୍ଥ ସ୍ତର (level4) ଅଛି। ମୁଁ କିପରି ପୁନର୍ବାର ପ୍ରଥମ ସ୍ତର (level1) ରେ ଯୋଗ ଦେଇପାରିବି?
ଉତ୍ତର - ଲର୍ଣ୍ଣଗୀତା (learngeeta app) ଆପ୍ ଜରିଆରେ, ଫର୍ମ ପୂରଣ କରି କିମ୍ବା ହେଲ୍ପଲାଇନ୍ (ହେଲ୍ପଲାଇନ୍#୧୮୦୦୨୦୩୬୫୦୦) ଜରିଆରେ ଆପଣ ଯେକୌଣସି ସ୍ତରରେ ଯୋଗ ଦେଇପାରିବେ।
ପ୍ରଶ୍ନ - ପ୍ରୟାଗରାଜ ମହାକୁମ୍ଭରେ ଆମର ଗୀତା ପରିବାର ଷ୍ଟଲ କେଉଁ କ୍ଷେତ୍ରରେ ସ୍ଥାପିତ ହୋଇଛି?
ଉତ୍ତର - ପ୍ରୟାଗରାଜ କୁମ୍ଭରେ ଗୀତା ପରିବାର ଷ୍ଟଲ ସେକ୍ଟର ୮ରେ ଖୋଲାଯାଇଛି, ଯେଉଁଠାରେ ଲକ୍ଷ୍ନୌର ଶ୍ରୀ ଦୁର୍ଗାଜୀ ମନ୍ଦିରର ଏକ ମଣ୍ଡପ ତିଆରି କରାଯାଇଛି। ସେଠାରୁ ଗୀତା ପରିବାରର କର୍ମକର୍ତ୍ତାମାନେ ପ୍ରଚାର ପ୍ରସାର କରୁଛନ୍ତି।
॥॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥॥
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ପୁରୁଷୋତ୍ତମୟୋଗୋ ନାମ ପଞ୍ଚଦଶୋଽଧ୍ୟାୟଃ॥