विवेचन सारांश
ଗୁଣାତୀତ ମନୁଷ୍ୟର ଲକ୍ଷଣ

ID: 6514
Odia - ଓଡ଼ିଆ
ଶନିବାର, 22 ଫେବୃଆରୀ 2025
ଅଧ୍ୟାୟ 14: ଗୁଣତ୍ରୟବିଭାଗ ଯୋଗ
2/2 (ଶ୍ଳୋକ 9-27)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା::

ପ୍ରାରମ୍ଭିକ ପ୍ରାର୍ଥନା, ଦୀପ ପ୍ରଜ୍ୱଳନ, ହନୁମାନ ଚାଳିସା ପାଠ, ଶ୍ରୀଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଓ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଣାମ କରି, ଚତୁର୍ଦ୍ଦଶ ଅଧ୍ୟାୟର ଅନ୍ତିମ ସତ୍ରର ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା। ଶ୍ରୀଭଗବାନଙ୍କର ଅସୀମ ଶୁଭ କୃପା ଆମ ସମସ୍ତଙ୍କ ଉପରେ ରହିଛି, ଯାହାପାଇଁ ଆମକୁ ମନୁଷ୍ୟ ଜୀବନର ସର୍ବୋଚ୍ଚ ଲକ୍ଷ୍ୟପ୍ରାପ୍ତି ପାଇଁ ପ୍ରୟାସ କରିବାକୁ, ଏହାର ଚରମ ଅର୍ଥ ହାସଲ କରିବାକୁ, ଏହି ଜୀବନକୁ ଅର୍ଥପୂର୍ଣ୍ଣ ଏବଂ ସଫଳ କରିବାପାଇଁ ଏବଂ ଏହି ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟକୁ ବୁଝିବାପାଇଁ ଆମେ ପ୍ରବୃତ୍ତ ହେଉଅଛୁ। ଗୀତାର ଏହି ଯାତ୍ରାରେ ଗୀତା ବିଷୟରେ ଆମର ବୋଧଶକ୍ତି ସାମାନ୍ୟ ବୃଦ୍ଧି ପାଇଛି। କିଛି ଦିଗ ବୁଝିବା ଆରମ୍ଭ ହୋଇଛି। ଗୀତା କିପରି ଜୀବନର ଶାସ୍ତ୍ର, ତାହା ମଧ୍ୟ ସ୍ପଷ୍ଟ ହେଉଛି। ଗୀତା କୌଣସି ଧାର୍ମିକ ଗ୍ରନ୍ଥ ନୁହେଁ। କିପରି ରୀତିନୀତିକୁ ପାଳନ କରିବେ, କିପରି ପୂଜା କରିବେ, କିପରି ତିଳକ ଲଗାଇବେ, ସେ ନେଇ କୌଣସି ସ୍ଥାନରେ ନିର୍ଦ୍ଦେଶ ନାହିଁ। ଶ୍ରୀମଦ୍ ଭଗବତ ଗୀତା ଆମକୁ ଜୀବନ କିପରି ବଞ୍ଚିବାକୁ ହେବ ଏବଂ କେଉଁ ଗୁଣକୁ ଧାରଣ କରିବାକୁ ହେବ, ତାହା ଶିଖାଇଥାଏ।

ଆମେ ଗୀତା ପରିବାର ସହିତ ଯୋଡ଼ି ହୋଇ ଯାଇଛୁ,ଏହା ଆମ ପାଇଁ ଏକ ବଡ଼ ସୌଭାଗ୍ୟ। ଏହି ଜୀବନରେ ଗୀତା ପଢିବା ପାଇଁ ଆମକୁ ଚୟନ କରାଯାଇଛି। ଆମର ଏହି ଜନ୍ମର ଭଲ କର୍ମ କିମ୍ବା ପୂର୍ବ ଜନ୍ମର ଭଲ କର୍ମପାଇଁ ବା ପୂର୍ବପୁରୁଷଙ୍କ ସୁକୃତ କାରଣରୁ ଏହା ହୋଇଛି ନା ଅତୀତ ଜୀବନରେ ଆମେ କୌଣସି ସନ୍ଥ କିମ୍ବା ମହାନ ଆତ୍ମାର କୃପା ପାଇଛୁ, ଯାହାପାଇଁ ଏହା ସମ୍ଭବ ହୋଇ ପାରିଛି, ତାହା ଆମେ ଜାଣିନାହୁଁ। ଏହା ଆଶ୍ଚର୍ଯ୍ୟଜନକ ଏବଂ ଅବିଶ୍ୱସନୀୟ ହୋଇପାରେ। ଯଦି ଆମକୁ କୌଣସି ଯୋଗ୍ୟତା କିମ୍ବା କୃପା ପାଇଁ ଭଗବତ ଗୀତା ପଠନ ପାଇଁ ଚୟନ କରାଯାଇଛି, ତେବେ ଆମେ ଏହି ସୁଯୋଗକୁ ଦୂରେଇବା, ହାତଛଡ଼ା କରିବା ଉଚିତ ନୁହେଁ। ଏହା ଆମପାଇଁ ସର୍ବୋତ୍ତମ ପ୍ରସାଦ ବା ଶ୍ରେଷ୍ଠ ଆଶୀର୍ବାଦ ଅଟେ।

ଗୀତାର ବ୍ୟାପକ ପ୍ରଚାର ପ୍ରସାର କରିବା ଉଚିତ୍‌। ପ୍ରୟାଗରାଜର କୁମ୍ଭମେଳାରେ ୬ଟି ଦେଶର ହଜାର ହଜାର ସାଧକ ୨୪ ଦିନ ପାଇଁ ଗୀତାର ପ୍ରଚାର କରିଥିଲେ। ଏହାର ଅର୍ଥ ନୁହେଁ ଯେ ଗୀତା ପରିବାର ସହିତ ସମସ୍ତେ ଯୋଡ଼ି ହୋଇଛନ୍ତି? ନାହିଁ, ସମସ୍ତେ ଯୋଡ଼ି ହୋଇନାହାନ୍ତି; ଏହା କେବଳ ସେମାନଙ୍କ ପାଇଁ ସମ୍ଭବ ଯେଉଁମାନଙ୍କ ଉପରେ ଭଗବାନ କୃପା ପ୍ରଦାନ କରିଛନ୍ତି। ଆମେ ଜାଣିନାହୁଁ କିଏ କୃପାପ୍ରାପ୍ତ। ଆମର କାର୍ଯ୍ୟ ହେଉଛି ପ୍ରୋତ୍ସାହନ ଦେବା, ଏବଂ ଯେଉଁମାନେ ଚାହିଁବେ ସେମାନେ ଯୋଡ଼ି ହେବେ।

ଚତୁର୍ଦ୍ଦଶ ଅଧ୍ୟାୟର ଚିନ୍ତନ ଅତ୍ୟନ୍ତ ବିଶେଷ। ଆମେ ଏହାକୁ ଚିନ୍ତା କରିବାରେ ସକ୍ଷମ; ଏହା ପୂର୍ବରୁ ସଞ୍ଜୟ ଭାଇ ଆଠଟି ଶ୍ଲୋକ ବିଷୟରେ ଚିନ୍ତନ କରିଥିଲେ। ଆଜି ମତେ ଏହାକୁ ସମ୍ପୂର୍ଣ୍ଣ କରିବାର ସୁଯୋଗ ମିଳିଛି । କିଛି ସ୍ଲାଇଡ୍ ମଧ୍ୟ ଦେଖାଇବାର ଅଛି, ତେଣୁ ଏଥିପାଇଁ ଟିକେ ଅଧିକ ସମୟ ଲାଗିବ।

ଏହି ଅଧ୍ୟାୟର ନାମ ହେଉଛି, “ଗୁଣତ୍ରୟବିଭାଗ ଯୋଗ”। ଏହି ତିନୋଟି ଗୁଣ ହେଉଛି ସତ୍ତ୍ୱ, ରଜୋ ଓ ତମ।

ଏହି ଦୁନିଆରେ ଯାହା କିଛି ଆମେ ଦେଖୁ, ଜାଣୁ କିମ୍ବା କଳ୍ପନା କରିପାରୁ, ସେ ସବୁ ଏହି ତିନୋଟି ଗୁଣକୁ ନେଇ ଗଠିତ। ବ୍ରହ୍ମାଣ୍ଡର ସମସ୍ତ ଜୀବ, ସୂର୍ଯ୍ୟ, ନକ୍ଷତ୍ର, ଆକାଶ, ପୃଥିବୀ, ବିଭିନ୍ନ ଦେବତା, ପ୍ରଜାତି, ବୃକ୍ଷ, ଉଦ୍ଭିଦ ଏବଂ ବ୍ରହ୍ମାଜୀ, ଏହି ତିନୋଟି ଗୁଣ - ସତ୍ତ୍ୱ, ରଜୋ ଏବଂ ତମକୁ ନେଇ ଗଠିତ। କେହି ବି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଏହା କିପରି ସମ୍ଭବ!

ଆପଣ ନିଶ୍ଚୟ ଏକ ରଙ୍ଗୀନ ପ୍ରିଣ୍ଟ (colour print) ବାହାର କରିଥିବେ, ଯେଉଁଥିରେ ଆପଣ କେବଳ ଚାରିଟି ରଙ୍ଗ (ସି ୱାଇ ଏମ୍ କେ, C Y M K) ବ୍ୟବହାର କରି ଯେ କୌଣସି ଇଚ୍ଛିତ ରଙ୍ଗ ସୃଷ୍ଟି କରିପାରିବେ। କୌଣସି ଏକ ଫଟୋକୁ ଦେଖି, ସେଥିରେ କେତେ ରଙ୍ଗ ରହିଛି ତାହା ଆକଳନ କରିବା ଅସମ୍ଭବ। ଏପରିକି କମ୍ ମୂଲ୍ୟର ପ୍ରିଣ୍ଟର ମଧ୍ୟ ଏହି ଚାରିଟି ରଙ୍ଗ ବ୍ୟବହାର କରି ଲକ୍ଷ ଲକ୍ଷ ରଙ୍ଗ ତିଆରି କରିପାରିବ, ଯାହା କି ମଣିଷ ଦ୍ୱାରା ତିଆରି ହୋଇଛି। ଯେତେବେଳେ ଆମେ ଜୁମ୍ (zoom) କରିଥାଉ ବା ଡିସ୍ପ୍ଲେ (Display) କରିଥାଉ,ଏହା ଦେଖୁ ଯେ, କେବଳ ତିନୋଟି ରଙ୍ଗ (ଲାଲ, ସବୁଜ, ନୀଳ)କୁ ମିଶାଇ ତିଆରି କରା ଯାଇଛି ।

ସେହିଭଳି ଏହି ତିନୋଟି ଗୁଣର ମାତ୍ରାରେ ସାମାନ୍ୟ ବୃଦ୍ଧି କିମ୍ବା ହ୍ରାସ ହେଲେ ବିଭିନ୍ନ ପ୍ରକାରର ଯୋନି ଓ ସମସ୍ତ ପ୍ରକାରର ଗୁଣ ସୃଷ୍ଟି ହୋଇଥାଏ। ଆମେ ଭାବୁଛୁ ଯେ ଆମେ ତମୋଗୁଣକୁ ଦୂର କରି ସତ୍ତ୍ୱଗୁଣୀ ହୋଇପାରିବା। ଏହା ଆଦୌ ସମ୍ଭବ ନୁହେଁ। ତିନୋଟି ଗୁଣ ମଧ୍ୟରୁ ଗୋଟିଏକୁ ମଧ୍ୟ କୌଣସି ବ୍ୟକ୍ତି ସ୍ଥାୟୀ ଭାବରେ ଦୂର କରିପାରିବେ ନାହିଁ। ଗୋଟିଏ ଗୁଣକୁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଦୂର କରିବା ସମ୍ଭବ ନୁହେଁ। ସୃଷ୍ଟିରେ ଏହି ତିନୋଟି ଗୁଣ - ସତ୍ତ୍ବ, ରଜୋ, ତମ ବ୍ୟାପ୍ତ ଅଛି। ତିନୋଟି ମଧ୍ୟରୁ ଗୋଟିଏ ମଧ୍ୟ ହ୍ରାସ କରାଯାଇ ପାରିବ ନାହିଁ, କିନ୍ତୁ ଏହାର ପରିମାତ୍ରା କମ୍ କିମ୍ବା ଅଧିକ ହୋଇପାରେ। ପ୍ରକୃତିରେ ଏହି ତିନୋଟି ଗୁଣର ଉପସ୍ଥିତି ଅନିବାର୍ଯ୍ୟ।

ଶାସ୍ତ୍ରକାରମାନେ ଏକ ଭଲ ଉଦାହରଣ ଦେଇଛନ୍ତି - ଏକ ହଜାର ମହିଳାଙ୍କୁ ଏକତ୍ର କରେଇ, ସେମାନଙ୍କୁ ଆଳୁ ତରକାରୀ ଏବଂ ରୁଟି ତିଆରି କରିବାକୁ କୁହାଯାଇଥିଲା। ସମସ୍ତଙ୍କୁ ସମାନ ପରିମାଣର ଆଳୁ, ମସଲା ଓ ଅଟା ଦିଆଯାଇଥିଲା। ଯଦିଓ ସମାନ ପରିମାଣର ଉପାଦାନରୁ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା, ତଥାପି ପ୍ରତ୍ୟେକ ମହିଳାଙ୍କ ଖାଦ୍ୟର ସ୍ୱାଦ ଅଲଗା ଅଲଗା ହେଇଥିଲା। ସମସ୍ତଙ୍କ ପ୍ରସ୍ତୁତିର ସ୍ୱାଦରେ ଭିନ୍ନତା ରହିଲା। ସମସ୍ତଙ୍କୁ ସମାନ ଉପାଦାନ ଦିଆଯାଏ, କିନ୍ତୁ ସେମାନେ ପ୍ରତ୍ୟେକ ଉପାଦାନର କେତେ ଅଂଶ କିପରି ମିଶାଇବେ ଏବଂ କେତେ ସମୟପାଇଁ ସେମାନେ ଏହାକୁ କିପରି ରୋଷେଇ କରିବେ, ଯାହା କି ସେମାନଙ୍କ ଖାଦ୍ୟରେ ଭିନ୍ନ ସ୍ୱାଦ ଆଣିବ। କେତେକ ଅତ୍ୟନ୍ତ ମସଲାଯୁକ୍ତ ହୋଇଥିବା ବେଳେ ଆଉ କେତେକ ସମ୍ପୂର୍ଣ୍ଣ ସରଳ ହେବ। କେବଳ ସ୍ୱାଦ ଭିନ୍ନ ହେବ ନାହିଁ, ବରଂ ଏହା ସମ୍ପୂର୍ଣ୍ଣ ଭିନ୍ନ ଦେଖାଯିବ। ରୁଟି ଭିନ୍ନ ଦେଖାଯିବ, ଏବଂ ତରକାରୀ ଭିନ୍ନ ଦେଖାଯିବ କୌଣସି ଦୁଇ ଜଣ ମହିଳାଙ୍କ ଖାଦ୍ୟ ସମାନ ହୋଇପାରିବ ନାହିଁ। ମୂଳ ଉପାଦାନ ସମାନ, କିନ୍ତୁ ଯେତେବେଳେ ପ୍ରସ୍ତୁତି ଉପସ୍ଥାପିତ କରାଯାଏ, ସେତେବେଳେ ତାହା ମଧ୍ୟରେ ବହୁତ ଭିନ୍ନତା ଦେଖାଯାଏ। ସାମାନ୍ୟ ପାର୍ଥକ୍ୟ ମଧ୍ୟ ରଙ୍ଗ ଏବଂ ଆକୃତିକୁ ବଦଳାଇ ଦିଏ। ମାତ୍ରାରେ ସାମାନ୍ୟ ପାର୍ଥକ୍ୟ ସ୍ୱାଦ ବଦଳାଇ ଦିଏ ଏବଂ ଏହି ଉପାୟରେ ସମସ୍ତଙ୍କ ମଧ୍ୟରେ କିଛି ପ୍ରଭେଦ ରହିଯାଏ। ଏହା ଏକ ସମ୍ପୂର୍ଣ୍ଣ ସ୍ୱାଭାବିକ କଥା ଯେ ଏକ ଛୋଟ ଉପାଦାନ ମଧ୍ୟ ଏତେ ବେଶୀ ଭିନ୍ନତା ଆଣିପାରେ।

ଯଦି ଆମେ ଆମ ଦୈନଦିନ ପରିଚର୍ଯ୍ଯାକୁ ଚିନ୍ତା କରିବା, ତେବେ ଆମେ ଜାଣିପାରିବା ଯେ କେତେବେଳେ ଆମେ ସତ୍ତ୍ୱଗୁଣ ପ୍ରଧାନ, କେତେବେଳେ ତମୋଗୁଣ ପ୍ରଧାନ ତ କେତେବେଳେ ରଜୋଗୁଣ ପ୍ରଧାନ ହୋଇଥାଉ। ବେଳେବେଳେ ଆମେ ଅନୁଭବ କରିଥାଉ ଯେ, ଆମର ଗୀତା ପଢ଼ିବାରେ ଗଭୀର ଆଗ୍ରହ ଆସେ,ଏବଂ ଆମେ କହିଥାଉ,”ଆଜି ମୁଁ ଆଲୋଚନାରେ ଏତେ ଲିପ୍ତ ଥିଲି, ମୁଁ ଏହାକୁ ଏତେ ଉପଭୋଗ କରିଥିଲି ଯେ ମୁଁ ସମୟକୁ ଅନୁଭବ କରି ପାରିଲିନାହିଁ। ମୁଁ ଆଜି ଗୀତା କ୍ଲାସରେ ଆନନ୍ଦ ଅନୁଭବ କଲି, ଧ୍ୟାନ ବହୁତ ଭଲ ଲାଗିଲା।” ଅପରପକ୍ଷେ, ବେଳେବେଳେ ଏହାର ବୀପରିତ ଅନୁଭବ ବୋଧହୁଏ, ଯେପରିକି, ”ଓହୋ! କ'ଣ ହେଲା ମୁଁ ଜାଣେ ନାହିଁ। ଆଜି ମୋ ମନ ଧ୍ୟାନରେ କେନ୍ଦ୍ରୀଭୂତ ହୋଇନାହିଁ, ମୁଁ ପୂଜାରେ ଧ୍ୟାନ ଦେଇପାରୁନାହିଁ”। ବେଳେବେଳେ ଆମେ ବହୁତ ଭଲ ସାତ୍ତ୍ୱିକ କାର୍ଯ୍ୟରେ ନିୟୋଜିତ ହୋଇଥାଉ, କିନ୍ତୁ ଏକ ଛୋଟ ସମସ୍ୟା କାରଣରୁ ଆମର ତମୋଗୁଣ ବଢିବା ସହିତ କ୍ରୋଧିତ ହୋଇଥାଉ। ଆମର ଏପରି ସ୍ଥିତି, ଅଳ୍ପ ସମୟ ମଧ୍ୟରେ ବଦଳିଯାଏ। ଆମେ ବସିଥାଉ, କିନ୍ତୁ ଆମ ମନ କୁଆଡ଼େ କୁଆଡେ ବୁଲେ, ଆମେ ଜାଣି ପାରୁନାହିଁ। ଗୋଟିଏ ଦିନରେ ଆମେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ୱରୂପର ବଶ ହୋଇଥାଉ - ସକାଳେ ଆମେ ସତ୍ତ୍ୱ ଗୁଣ, ଅପରାହ୍ନରେ ରଜୋ ଗୁଣ ଏବଂ ରାତିରେ ତମ ଗୁଣ ପ୍ରଧାନ ହେଉ। ଆମେ କେମିତି ଜାଣିପାରିବା କେଉଁ ଗୁଣ କେଉଁ ସମୟରେ ମୁଖ୍ୟ ହୁଏ ? ଆସନ୍ତୁ ଆଗକୁ ଆଲୋଚନା କରିବା।


14.9

ସତ୍ତ୍ୱଂ(ମ୍) ସୁଖେ ସଞ୍ଜୟତି, ରଜଃ(ଖ୍) କର୍ମଣି ଭାରତ।
ଜ୍ଞାନମାବୃତ୍ୟ ତୁ ତମଃ(ଫ୍), ପ୍ରମାଦେ ସଞ୍ଜୟତ୍ୟୁତ॥9॥

ହେ ଭରତବଂଶୋଦ୍ଭବ ଅର୍ଜୁନ ! ସତ୍ତ୍ବଗୁଣ ସୁଖରେ ଓ ରଜୋଗୁଣ କର୍ମରେ ଲିପ୍ତ କରି ମନୁଷ୍ୟ ଉପରେ ବିଜୟୀ ହୁଏ । ମାତ୍ର ତମୋଗୁଣ ଜ୍ଞାନକୁ ଆଚ୍ଛାଦିତ କରି ଓ ପ୍ରମାଦରେ ଲିପ୍ତ କରାଇ ମନୁଷ୍ୟ ଉପରେ ବିଜୟୀ ହୁଏ।

ବିବେଚନ:-

ଶ୍ରୀଭଗବାନ ଶ୍ରୀକୃଷ୍ଣ କହନ୍ତି, ”ହେ ଅର୍ଜୁନ, ସତ୍ତ୍ୱଗୁଣ ସୁଖରେ ନିୟୋଜିତ ରଖେ, ରଜୋ ଗୁଣ କାର୍ଯ୍ୟରେ ନିୟୋଜିତ ରଖେ ଏବଂ ତମୋ ଗୁଣ ଜ୍ଞାନକୁ ଆଚ୍ଛାଦିତ ବା ବିଲୁପ୍ତ କରେ।

କେମିତି ଆମେ ଜାଣିବା, କେଉଁ ଗୁଣ ଆମ ଶରୀରରେ ଅଧିକ ପ୍ରଭାବ ପକାଏ?

ଭଗବାନ କହନ୍ତି - ସୁଖୀ ରହିବା ପାଇଁ ବାହ୍ୟ ଉପକରଣର ଆବଶ୍ୟକତା ନାହିଁ, ଆମେ ଏକାନ୍ତରେ ସନ୍ତୁଷ୍ଟ ରହୁ, ବିନା କୌଣସି ସାଧନରେ। ସେହି ସମୟରେ, ଏହା ବୁଝିବା ଉଚିତ ଯେ, ସତ୍ତ୍ୱ ଗୁଣବତ୍ତା ବୃଦ୍ଧି ପାଉଛି। 

ରଜୋ ଗୁଣ ପ୍ରୟୋଜନ କାର୍ଯ୍ୟରେ ନିୟୋଜିତ ହୋଇଥାଏ। ବିନା ଉଦ୍ଦେଶ୍ୟରେ ବସିରହିବା, ବିନା କାରଣରେ କାହା ବିଷୟରେ ଆଲୋଚନା କରିବା, ମୋବାଇଲରେ ଘଣ୍ଟା ଘଣ୍ଟା ବିତାଇବା କିମ୍ବା ଟିଭି ଦେଖିବା ଇତ୍ୟାଦି କାର୍ଯ୍ୟ ହେଉଛି ରଜୋ ଗୁଣ ଏବଂ 

ତମୋ ଗୁଣ ବା ତୃତୀୟ ଗୁଣ ହେଉଛି - ‘ज्ञानं आवृत्य' - ଅର୍ଥାତ୍‌ ଯାହା ଜ୍ଞାନକୁ ଆଚ୍ଛାଦିତ କରେ। ଏହା ଆମର ସମସ୍ତ ଚେତନାକୁ ନଷ୍ଟ କରିଦିଏ। କ'ଣ କରିବେ କି କରିବେ ନାହିଁ ଚିନ୍ତା ନ କରି ପାରିବା, ଅଳସୁଆ ହେବା, ଆବଶ୍ୟକ କାର୍ଯ୍ୟକୁ ସ୍ଥଗିତ ରଖିବା, ଏହା ହେଉଛି ତମ ଗୁଣର ପ୍ରଭାବ। ଭଗବାନ ଶ୍ରୀକୃଷ୍ଣ କହନ୍ତି, ଏହାର ମଧ୍ୟ ପ୍ରତିକାର ରହିଛି।

14.10

ରଜସ୍ତମଶ୍ଚାଭିଭୂୟ, ସତ୍ତ୍ୱଂ(ମ୍) ଭବତି ଭାରତ।
ରଜଃ(ସ୍) ସତ୍ତ୍ୱଂ(ନ୍) ତମଶ୍ଚୈବ, ତମଃ(ସ୍) ସତ୍ତ୍ୱଂ(ମ୍) ରଜସ୍ତଥା॥10॥

ହେ ଭରତବଂଶଜ ଅର୍ଜୁନ ! ରଜୋଗୁଣ ଓ ତମୋଗୁଣକୁ ପରାସ୍ତ କରି ସତ୍ତ୍ବଗୁଣ ବୃଦ୍ଧି ହୁଏ, ସତ୍ତ୍ବଗୁଣ ଓ ତମୋଗୁଣକୁ ପରାସ୍ତ କରି ରଜୋଗୁଣ ବୃଦ୍ଧି ହୁଏ ଏବଂ ସତ୍ତ୍ବଗୁଣ ଓ ରଜୋଗୁଣକୁ ପରାସ୍ତ କରି ତମୋଗୁଣ ବୃଦ୍ଧି ହୁଏ ।

ବିବେଚନ:-

ଶ୍ରୀଭଗବାନ କହୁଛନ୍ତି, ”ଅର୍ଜୁନ - ଏହି ଗୁଣ ପରସ୍ପର ଉପରେ ପ୍ରାଧାନ୍ୟ ରଖିଥାଏ। ସତ୍ତ୍ଵ ଗୁଣ ବଢାଇବା ପାଇଁ ହେଲେ ରଜୋ ଓ ତମ ଗୁଣକୁ କମ୍‌ କରିବାକୁ ପଡେ, ଗୋଟିଏ ଗୁଣର ବୃଦ୍ଧି ପାଇଁ ଅନ୍ୟ ଦୁଇଟି ଗୁଣକୁ କମ୍ କରିବାକୁ ପଡିବ”। 

ଆମେ କୌଣସି ଗୁଣକୁ ଶୂନ୍ୟ କରିପାରିବା ନାହିଁ। ସତ୍ତ୍ଵ ଗୁଣକୁ ବଢାଇବା ପାଇଁ ରଜୋ ଏବଂ ତମ ଗୁଣର ସ୍ତର ନିମ୍ନକୁ ହ୍ରାସ କରିବାକୁ ପଡିବ। ସେହିଭଳି ସତ୍ତ୍ଵ ଓ ତମ ଗୁଣକୁ ନିମ୍ନ ସ୍ତରକୁ ଆଣି ରଜୋ ଗୁଣକୁ ବୃଦ୍ଧି କରାଯାଇପାରିବ ଏବଂ ସତ୍ତ୍ଵ ଓ ରଜୋ ଗୁଣକୁ ନିମ୍ନକୁ ଆଣି ତମ ଗୁଣକୁ ବୃଦ୍ଧି କରାଯାଇପାରିବ। ଯଦି ଆମେ କୌଣସି ଗୁଣକୁ ବୃଦ୍ଧି କରିବାକୁ ଚାହୁଁଛୁ, ତେବେ ଆମକୁ ଅନ୍ୟ ଦୁଇଟି ଗୁଣ ସ୍ତର ନିମ୍ନକୁ ଆଣିବାକୁ ପଡିବ। ଯଦି ଆମେ ସାତ୍ତ୍ଵିକ କାର୍ଯ୍ୟରେ ନିୟୋଜିତ ରହୁଛୁ, ସେବା କରୁଛୁ, ତେବେ ସତ୍ତ୍ଵ ଗୁଣ ବୃଦ୍ଧି ପାଇବ। ଅପରପକ୍ଷେ, ଯଦି ଆମେ ଏହାର ବିପରୀତ ଦିଗରେ କାମ କରୁଛୁ ଯଥା ମୋବାଇଲ ଫୋନରେ ଘଣ୍ଟା ଘଣ୍ଟା ବିତାଇବା, ଟିଭି ଦେଖିବା ଏବଂ ଆମେ କ'ଣ କରୁଛୁ ବୋଲି ପଚାରିଲେ,” ଆମେ କିଛି କରୁ ନାହୁଁ,” ଉତ୍ତର ଦେବା ଇତ୍ୟାଦି ରଜୋ ଗୁଣର ଲକ୍ଷଣ। ନିଦ୍ରା, ଆଳସ୍ୟ ବା କାହାକୁ ନିନ୍ଦା କରିବା ହେଉଛି ତମ ଗୁଣର ଲକ୍ଷଣ।

ଯେଉଁ ପ୍ରବୃତ୍ତିରେ ଅଧିକ ସମୟ ବିତେଇବା ତାହାର ପ୍ରଭାବ ଆଗାମୀ ଦିନରେ ପଡିବ। ଏହା ଆବଶ୍ୟକ ରୂପରେ ଆମ ସମସ୍ତଙ୍କ ମଧ୍ୟରେ ଦେଖା ଦେଇ ଥାଏ। ଏଗୁଡିକୁ ବୃଦ୍ଧି କିମ୍ବା ହ୍ରାସ କରିବାର ବ୍ୟବସ୍ଥା ଶ୍ରୀ ଭଗବାନ ଆମକୁ ଦେଇଛନ୍ତି। ଏହି ଗୁଣ ଗୁଡିକ ଆମର ଅନ୍ତର୍ନିହିତ ପ୍ରକୃତିରୁ ଆସିଥାନ୍ତି ଏବଂ ପରସ୍ପର ଉପରେ ଆଧିପତ୍ୟ ଜାରି ରଖିଥାନ୍ତି। କୌଣସି ସମୟରେ ଯେଉଁ ଗୁଣ ମୁଖ୍ୟ ହୁଏ ସେହି ଗୁଣ ବ୍ୟକ୍ତିର ପ୍ରକୃତି ନିର୍ଦ୍ଧାରଣ କରେ। 

ସତ୍ତ୍ଵ ଗୁଣ ମୁଖ୍ୟ ହେଲେ ଜ୍ଞାନର ଆଲୋକ ହୋଇ ଥାଏ, ମନରେ କୌଣସି ଉତ୍ତେଜନା ହୋଇ ନଥାଏ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।

ରଜୋ ଗୁଣ କର୍ମ କୈନ୍ଦ୍ରିକ ଅଟେ, ଯାହା ଦ୍ୱାରା ବ୍ୟକ୍ତି କିଛି ନା କିଛି କର୍ମ ସର୍ବଦା କରି ଚାଲିଥାଏ। ରଜୋ ଗୁଣରେ କର୍ମ ଦୁଇ ପ୍ରକାରର ହୋଇପାରେ –

ସତ୍ତ୍ଵଗୁଣ ଭିତ୍ତିକ - ଯାହା ଭଲ କର୍ମ କରିବାକୁ ପ୍ରେରଣା ଦେଇଥାଏ। ଯେମିତି ଗୀତା ସେବୀ ହେବା, ଗୀତା ମହାଯଜ୍ଞରେ କର୍ମକର୍ତ୍ତା ଭାବରେ ଅଂଶଗ୍ରହଣ କରିବା, ପରୋପକାର କରିବା ଇତ୍ୟାଦି।

ତମଗୁଣ ଭିତ୍ତିକ - ଅନ୍ୟର କାମକୁ ନଷ୍ଟ କରିବା, କିଛି ନ କରିବା କିମ୍ବା ଆଳସ୍ୟ ବଶତଃ ବିଳମ୍ବରେ କାମ କରିବା। ତମଗୁଣ ଜ୍ଞାନକୁ ଆଚ୍ଛାଦିତ କରି ଭୟ ବିଶୃଙ୍ଖଳା ସୃଷ୍ଟି କରେ। ଈର୍ଷା କାରଣରୁ ଅନ୍ୟର ଅଗ୍ରଗତିରେ ବାଧକ ହେବା, ଅନ୍ୟକୁ କ୍ଷତି ପହଞ୍ଚାଇବା, ମଦ ପିଇବା, ଜୁଆ ଖେଳିବା ଇତ୍ୟାଦି ଖରାପ ଅଭ୍ୟାସ ସବୁ ତମଗୁଣର ବିଶେଷତ୍ଵ ଅଟେ। ମହାପୁରୁଷମାନେ ଏହି ଗୁଣ ଗୁଡିକୁ ନିଜ ନିୟନ୍ତ୍ରଣରେ ରଖନ୍ତି, ତେଣୁ ସେମାନେ ସବୁ ପ୍ରକାର ବନ୍ଧନର ବାହାରେ ଥାଆନ୍ତି।

14.11

ସର୍ବଦ୍ୱାରେଷୁ ଦେହେଽସ୍ମିନ୍, ପ୍ରକାଶ ଉପଯାୟତେ।
ଜ୍ଞାନଂ(ମ୍) ୟଦା ତଦା ବିଦ୍ୟାଦ୍, ବିବୃଦ୍ଧଂ(ମ୍) ସତ୍ତ୍ୱମିତ୍ୟୁତ॥11॥

ଏହି ମାନବଦେହର ସମସ୍ତ ଦ୍ବାରରେ (ଇନ୍ଦ୍ରିୟ ଓ ଅନ୍ତଃକରଣରେ) ଯେତେବେଳେ ପ୍ରକାଶ (ସ୍ବଚ୍ଛତା) ଓ ବିବେକ ଉଦୟ ହୁଏ , ସେତେବେଳେ ସତ୍ତ୍ବଗୁଣ ବୃଦ୍ଧିପ୍ରାପ୍ତ ହୋଇଛି ବୋଲି ଜାଣିବା ଉଚିତ।

ବିବେଚନ:-

ଶ୍ରୀଭଗବାନ କହନ୍ତି, ହେ ଅର୍ଜୁନ, ଯେତେବେଳେ, ଏହି ଶରୀରରେ ଚେତନା ଓ ବିବେକ ଜାଗ୍ରତ ହୁଏ, ଆମେ ଶକ୍ତିଶାଳୀ ଅନୁଭବ କରିଥାଉ, ଆମ ମସ୍ତିଷ୍କ ଶୁଦ୍ଧ ରହିଥାଏ, ଦ୍ୱନ୍ଦ୍ୱ ଅବସ୍ଥାରେ ନଥାଏ - ଯଥା: ବର୍ତ୍ତମାନ କ'ଣ କରିବାକୁ ହେବ, ପରେ କ'ଣ କରିବାକୁ ହେବ, କେଉଁ କାର୍ଯ୍ୟ ଗୁରୁତ୍ଵପୂର୍ଣ୍ଣ ଇତ୍ୟାଦି ଦ୍ୱନ୍ଦ୍ୱ ଅବସ୍ଥାରେ ରହେ ନାହିଁ। ବିବେକଶୀଳ ହୋଇ ଭଲ କାର୍ଯ୍ୟ କରିବାରେ ବିଳମ୍ବ ନ’କରିବା ବା ପରେ କରିବାର ମନୋବୃତ୍ତି କରନ୍ତି ନାହିଁ। ଏମାନେ ହେଉଛନ୍ତି ବୁଦ୍ଧିଜୀବି ଶୁଭ କାର୍ଯ୍ୟକୁ କାଲି ପାଇଁ ସ୍ଥଗିତ ରଖନ୍ତି ନାହିଁ। ଗୀତା ଶିଖିବା ପାଇଁ ଆମ ମନ ଆଗ୍ରହୀ, କିନ୍ତୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ବର୍ଷ ବର୍ଷ ବିତିଗଲାଣି। ଏହା କେବେ କରିବା, ଜଣାନାହିଁ। ଅଜ୍ଞାନୀ ବ୍ୟକ୍ତି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତି। ଯେତେବେଳେ ଜ୍ଞାନର ଶକ୍ତି ଜାଗ୍ରତ ହୁଏ, ସେତେବେଳେ ଯାହା କରିବାର ଆବଶ୍ୟକତା ରହିଛି ତାହା ତୁରନ୍ତ କରା ଯାଇଥାଏ। ଅନିବାର୍ଯ୍ୟକୁ ସ୍ଥଗିତ ରଖିବାର କୌଣସି ପ୍ରବୃତ୍ତି ନାହିଁ, ଏହା ହେଉଛି ସତ୍ତ୍ୱ ଗୁଣର ଲକ୍ଷଣ।

ଶ୍ରୀ ଭଗବାନ ଆମ ଶରୀରକୁ ନଅଟି ଦ୍ୱାର ଥିବା ଏକ ସହର ବୋଲି ବର୍ଣ୍ଣନା କରିଛନ୍ତି-

नवद्वारे पुरे देही ( ନବଦ୍ଵାରେ ପୁରେ ଦେହୀ )

ଏହି ଶରୀରକୁ ଯେ ଧାରଣ କରିଥାଏ ତାକୁ ପୁରୁଷ କୁହାଯାଏ (ପୁରୁଷ କିମ୍ବା ନାରୀ ନୁହେଁ, ବରଂ ଜୀବାତ୍ମା)। ଏଥିରେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ଚାରୋଟି ଅନ୍ତଃକରଣ ରହିଛି। ପାଞ୍ଚଟି ଇନ୍ଦ୍ରିୟ ହେଉଛି ଆଖି, କାନ, ନାକ, ଜିଭ ଏବଂ ଚର୍ମ ଏବଂ ଚାରୋଟି ଅନ୍ତଃକରଣ ମନ, ବୁଦ୍ଧି, ଚେତନା ଏବଂ ଅହଂକାରକୁ ନେଇ ଗଠିତ। ଏହିପରି ନଅଟି ଦ୍ଵାର ରହିଛି। ଯେତେବେଳେ ସେମାନଙ୍କ ଭିତରେ ଆଲୋକ ଓ ଜ୍ଞାନ ପ୍ରକାଶ ପାଏ, ସେତେବେଳେ ସତ୍ତ୍ଵ ଗୁଣର ପ୍ରାଧାନ୍ୟ ବଢିଥାଏ । ଏଥିରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନ’ଥାଏ। ଆମେ ବୁଝିପାରୁଛୁ ଯେ ଆମେ ଭୁଲ କରୁଛୁ, ତଥାପି ଆମେ ଭୁଲ କାର୍ଯ୍ୟରେ ଲିପ୍ତ ଅଛୁ। କେଉଁଠି ନା କେଉଁଠି ସତ୍ତ୍ଵ ଗୁଣ ଦେଖିବାକୁ ମିଳୁଥିଲା, କିନ୍ତୁ ଏହାକୁ ଅତିକ୍ରମ କରି ଆମେ ରଜୋ ଗୁଣକୁ ବଢାଇ ଦେଲୁ।

ଅର୍ଜୁନ କହିଲେ -

कार्पण्यदोषोपहतस्वभाव: पृच्छामि त्वां धर्म सम्मूढचेता

ନବେ ପ୍ରତିଶତ ଲୋକ କହନ୍ତି ସେମାନେ କ'ଣ କରିବେ ତାହା ବୁଝିଛନ୍ତି, ତଥାପି କୁହନ୍ତି ଏହା ତ କରିବାର ଥିଲା ? ପୁଣି କାହିଁକି ଏହା ଭୁଲ୍ ହୋଇଗଲା।

ରଜୋଗୁଣର ପ୍ରକୃତି କ'ଣ? ଆଖିରେ କ'ଣ ଦେଖିବାକୁ ହେବ, କ'ଣ ନ ଦେଖିବାକୁ ହେବ, କାନରେ କ'ଣ ଶୁଣିବେ, କ'ଣ ନ ଶୁଣିବେ, ଚର୍ମ ସହ କ'ଣ ସ୍ପର୍ଶ କରିବେ, କ'ଣ ସ୍ପର୍ଶ କରିବେ ନାହିଁ, ସେ ବିଷୟରେ ଆମେ ସ୍ପଷ୍ଟ ହେବା ଉଚିତ୍ । ଆସନ୍ତୁ ପରବର୍ତ୍ତୀ ଶ୍ଳୋକରେ ଦେଖିବା।

14.12

ଲୋଭଃ(ଫ୍) ପ୍ରବୃତ୍ତିରାରମ୍ଭଃ(ଖ୍), କର୍ମଣାମଶମଃ(ସ୍) ସ୍ପୃହା।
ରଜସ୍ୟେତାନି ଜାୟନ୍ତେ, ବିବୃଦ୍ଧେ ଭରତର୍ଷଭ॥12॥

ହେ ଭରତବଂଶଜ ଅର୍ଜୁନ ! ରଜୋଗୁଣ ବୃଦ୍ଧି ହେଲେ ଲୋଭ, ପ୍ରବୃତ୍ତି, କର୍ମାରମ୍ଭ, ଅଶାନ୍ତି, ସ୍ପୃହା ପ୍ରଭୃତି ବୃତ୍ତି ଜାତ ହୁଅନ୍ତି।

ବିବେଚନ:-

ଶ୍ରୀ ଭଗବାନ କହୁଛନ୍ତି ହେ ଅର୍ଜୁନ! ରଜୋ ଗୁଣ ବୃଦ୍ଧି ପାଇଲେ, ଲୋଭ, ଇଚ୍ଛା, କର୍ମଣା - ଦୈନନ୍ଦିନ କାର୍ଯ୍ୟ ପ୍ରତି ସକାମ ଭାବନା ସହିତ କାର୍ଯ୍ୟାରମ୍ଭ, ଅସ୍ଥିରତା, ଲୋଭ ଏବଂ ଭୌତିକ ଆନନ୍ଦ ପାଇଁ ଆସକ୍ତି ସୃଷ୍ଟି ହୁଏ।

ଶ୍ରୀଭଗବାନ କହିଲେ ରଜୋ ଗୁଣ ବଢିଲେ ଲୋଭ ପ୍ରବୃତ୍ତି ବୃଦ୍ଧି ପାଏ। ଜଣେ ବ୍ୟକ୍ତି ଯେତେ ଅଧିକ ଲାଭ ପାଏ, ତା'ର ଲୋଭ ସେତେ ବଢି ଚାଲିଥାଏ। ଗୋସ୍ୱାମୀ ତୁଳସୀଦାସ ଜୀ କହନ୍ତି -

'जिमि प्रतिलाभ लोभ अधिकाई'

ଧନୀ ମଣିଷ ଧନ ପାଇଁ ଯେତେ ଲୋଭ କରେ ଗରିବ ଲୋକ ସେତେ କରନ୍ତି ନାହିଁ। ବର୍ତ୍ତମାନ କୁମ୍ଭ ମେଳାକୁ ସବୁ ବର୍ଗର ଲୋକ ଆସିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀଜୀଙ୍କ କୃପାରୁ ଦେଶର ଅର୍ଧ୍ୟାଧିକ ଲୋକ, ସଙ୍ଗମ ଉପରେ ଆସ୍ଥା କରି ବୁଡ ପକାଇ ସାରିଛନ୍ତି। ଗୀତା ପରିବାର ସାଧକମାନେ ମଧ୍ୟ ସେଠାରେ ଏକ ଶିବିର ସ୍ଥାପନ କରିଥିଲେ। ସେଠାରେ କିଛି ଦିନ ରହିବା ପରେ ମୁଁ ଏହା ଅନୁଭବ କଲି, ଯେତେ ଲୋକ ଏଠାକୁ ଆସୁଛନ୍ତି, ତନ୍ମଧ୍ୟରୁ କେତେ ଜଣ ଭକ୍ତି ପାଇଁ ଆସୁଛନ୍ତି ଓ କେତେ ଜଣ ବୁଲିବାକୁ ଆସୁଛନ୍ତି। ଯେଉଁମାନେ ଧନ ଅଭାବରେ ରହି ମଧ୍ୟ ଏଠାରେ ପହଞ୍ଚିଥିଲେ ସେମାନେ ସମସ୍ତେ ଶ୍ରଦ୍ଧାଳୁ ଥିଲେ। ସେମାନେ 'ଭି ଆଇ ପି' ଘାଟ କେଉଁଠି ଅଛି କିମ୍ବା କେଉଁଠି ଅଧିକ ସୁବିଧା ମିଳିବ ବୋଲି କେବେ ପଚାରି ନାହାନ୍ତି।

ଏପରିକି ସେମାନେ ଭୋଜନକୁ ନେଇ ଚିନ୍ତିତ ନୁହଁନ୍ତି, ମୁଣ୍ଡ ଉପରେ ଥାଏ ଗଣ୍ଠିଲି (ଭିତରେ ଖାଦ୍ୟ ସାମଗ୍ରୀ) ହାତରେ ଜାବୁଡି ଧରିଥାଆନ୍ତି ପିତାମାତାଙ୍କୁ ଏବଂ କାନ୍ଧରେ ବସି ଥାଏ ଏକ ଶିଶୁ। 'ଜୟ ଗଙ୍ଗା ମାତା ' ଉଚ୍ଚାରଣ କରି ସେମାନେ ଭକ୍ତିରେ ସ୍ନାନ କରିଥାନ୍ତି। ଭୋକ ଲାଗିଲେ ବାଟରେ ଯେଉଁଠି ବି ଅଟକି ଯାଆନ୍ତି, ସେଠାରେ ଚାରିଟି ଇଟା ଆଣି କାଠ ସଂଗ୍ରହ କରନ୍ତି। ଅଟା ପ୍ରସ୍ତୁତ କରନ୍ତି ଏବଂ ହାତରେ ରୁଟି ତିଆରି କରି ଏକ ତାୱାରେ ସେକି ଦିଅନ୍ତି ଏବଂ ତା'ପରେ ଲୁଣ, ମୂଳା କିମ୍ବା ଆଚାର ସହିତ ଖାଇ ଦିଅନ୍ତି ଏବଂ ଗଙ୍ଗା ଜଳ ପିଅନ୍ତି।

ଶ୍ରଦ୍ଧାର ସହ ପୂଜକଙ୍କ ଦ୍ୱାରା ତିଳକ ଲଗାଇ ପୂଜା କରିବେ। ଏପରିକି ଅନେକ ଲୋକ ନିଜ ପୂର୍ବପୁରୁଷଙ୍କ ପୂଜକଙ୍କୁ ଖୋଜି ତାଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। ସେମାନେ ସେମାନଙ୍କ ଗୋତ୍ର କହନ୍ତି। ପୂଜା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ପଚରାଯିବାରୁ ପୂଜକ ଦଶ ଟଙ୍କା କୁହନ୍ତି। ଏହା ଶୁଣି ବ୍ୟକ୍ତି ଜଣକ ଖୁସିରେ ରାଜି ହୋଇଯାଆନ୍ତି। ପୂଜକ କିଛି ସଂକଳ୍ପ କରାନ୍ତି ଏବଂ ମନ୍ତ୍ର ଜପ କରନ୍ତି। ବ୍ୟକ୍ତି ଜଣକ ଶ୍ରଦ୍ଧାର ସହିତ ସହ ଆଚମନ କରନ୍ତି। ତା'ପରେ ପୂଜକ କହନ୍ତି ଯେ ତାଙ୍କୁ ଗୋଟିଏ ଗୋଦାନ କରିବାକୁ ପଡିବ ଏବଂ ଏଥିପାଇଁ ଦଶ ଟଙ୍କା ଖର୍ଚ୍ଚ ହେବ। ଦଶ ଟଙ୍କା ଦେବା ପରେ ସେ ସାମ୍ନାରେ ଥିବା ଗୋମାତାଙ୍କୁ ସ୍ପର୍ଶ କରି ଗୋଦାନ କରାଇ ଦିଅନ୍ତି। ଅତ୍ୟନ୍ତ ଶ୍ରଦ୍ଧାର ସହ ସେମାନେ ପୂଜକଙ୍କୁ ଦାନ ଓ ଭୋଜନ ଅର୍ପଣ କରି ଖୁସିରେ ୬୦ରୁ ୭୦ ଟଙ୍କାରେ ପୂଜାର୍ଚ୍ଚନା କରିଥାନ୍ତି। ଏହା ପରେ ଖୁସିରେ ସେ ଗଣ୍ଠିଲିକୁ ମୁଣ୍ଡରେ ରଖି ଫେରି ଆସନ୍ତି। ଘରକୁ ଫେରିବା ପରେ ସେ ଖୁସିରେ କହନ୍ତି ଯେ ଭଗବାନଙ୍କ କୃପାରୁ ତୀର୍ଥଯାତ୍ରା ଭଲରେ ହେଲା, ଏକ ଭଲରେ ବୁଡ ପଡିଲା, ପୂଜା ହେଲା ଏବଂ ଗୋଦାନ ମଧ୍ୟ ହେଇଗଲା।

ଆମେ ଏମିତି ଲୋକଙ୍କୁ ଦେଖିଛୁ ଯେଉଁମାନେ ବିମାନ କିମ୍ବା ବାତାନୁକୂଳିତ ଟ୍ରେନରେ ଯାତ୍ରା କରି ଆସିଛନ୍ତି। ସେମାନେ ପଣ୍ଡାଙ୍କୁ ଦେଖି ନ’ଦେଖିଲା ଭଳି ହୁଅନ୍ତି, ବାହାନା କରି ବିନା ଶ୍ରଦ୍ଧାରେ ଚାରିରୁ ପାଞ୍ଚଶହ ଟଙ୍କାରେ କାମ ଶେଷ କରନ୍ତି। ପାଞ୍ଚଶହ ଟଙ୍କାରେ କାମ ସାରି ପାରିଲେ ବୋଲି ବଡ କଷ୍ଟରେ କୁହନ୍ତି। ଏପରି ବ୍ୟକ୍ତି ଘରକୁ ଯାଇ ଅତ୍ୟନ୍ତ ଦୁଃଖ ଅନୁଭବ କରନ୍ତି।

ଯାହା ପାଖରେ ଯେତେ ଅଧିକ ଧନ ଅଛି, ସେ ସେତେ ଲୋଭୀ ହୋଇଥାନ୍ତି, ଯଦିଓ ସେ କୋଟିପତି ଅଟନ୍ତି। ଜଣେ ଗରିବ ବ୍ୟକ୍ତି କେବେ ବି ଏପରି କରେ ନାହିଁ। ଧନର ମାତ୍ରା ବଢିବା ସହିତ ବ୍ୟକ୍ତି ଅଧିକ କୃପଣ ହୋଇଯାଏ। ଗରିବ ବ୍ୟକ୍ତି ଧନ ଲୋଭୀ ନୁହଁନ୍ତି, ବରଂ ଧନୀ ବ୍ୟକ୍ତି ଅର୍ଥ ଲୋଭୀ ହୋଇଥାନ୍ତି। ଯେତେବେଳେ ଆମ ପାଖରେ ଧନ କମ୍ ଥାଏ, ଆମେ ସହଜରେ ଅନ୍ୟ ଉପରେ ଖର୍ଚ୍ଚ କରିଥାଉ, କିନ୍ତୁ ଯେତେବେଳେ ଆମର ସମ୍ପତ୍ତି ବଢିଯାଏ, ଶହେ ଟଙ୍କା ଦେବା ମଧ୍ୟ ଆମକୁ କଷ୍ଟକର ହୋଇଯାଏ।

जिम अति लाभ लोभ अधिकाई

କିଛି ବର୍ଷ ତଳେ ଏତେ ଧନ ଆମ ପାଖରେ ନ’ଥିଲା, କିନ୍ତୁ ଉଦାରତା ଅଧିକ ଥିଲା। ଧନ ବୃଦ୍ଧି ସହିତ ଉଦାରତା ହ୍ରାସ ପାଇଥାଏ। ଆଜି ଆମେ ଧନ ବୃଦ୍ଧି ଦେଖିଛୁ, କିନ୍ତୁ ଉଦାରତାରେ ହ୍ରାସ ଘଟିଛି। ଆଜିକାଲି ସହରରେ ଆମ ପଡୋଶୀଙ୍କୁ ସାହାଯ୍ୟ କରିବା ତ ଦୂରର କଥା, ନାମ ଜାଣିବା ମଧ୍ୟ ବିରଳ। ତଥାପି ଗାଁ ଗାଁରେ ଏବେ ବି ସହଯୋଗର ଭାବନା ଦେଖିବାକୁ ମିଳୁଛି। ଜଣେ ଗରିବ ବ୍ୟକ୍ତି ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥାଏ। ଏଥିରେ କୌଣସି ଦ୍ଵିଧା ନାହିଁ; ଏହା ସେମାନଙ୍କ ପାଇଁ କ'ଣ ଲାଭ ଆଣିବ ସେ ବିଷୟରେ, ଚିନ୍ତା କରନ୍ତି ନାହିଁ।

ରଜୋ ଗୁଣ ଯେତେ ବଢିବ, ଲୋଭ ସେତେ ଅଧିକ ହେବ। ଆଜିକାଲି କୁମ୍ଭ ଉପରେ ଏକ ବହୁତ ଭଲ କଥା ଆସିଛି, ଯେଉଁଥିରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଅଧିକ ଭଲ ବ୍ୟବସ୍ଥାର ଇଚ୍ଛା ରଖି ଆସନ୍ତି ସେ ସେତିକି ଅଧିକ ବିରକ୍ତ ବିବ୍ରତ ହୋଇଯାଆନ୍ତି। ଅସନ୍ତୁଷ୍ଟ ରହନ୍ତି, ଯାହା ପାଇଛନ୍ତି କିମ୍ବା ପାଉଛନ୍ତି ସେଥିପାଇଁ ଧନ୍ୟବାଦ ଦିଅନ୍ତି ନାହିଁ ଏବଂ ଅନ୍ୟର ସୁବିଧା ଏବଂ ଅଭିବୃଦ୍ଧିକୁ ପ୍ରଶଂସା କରିବା ପରିବର୍ତ୍ତେ ଈର୍ଷା ଓ ହୀନ ଭାବନା ଅନୁଭବ କରନ୍ତି, ଅସନ୍ତୁଷ୍ଟ ଏବଂ ଅଭିଯୋଗ କରନ୍ତି, ଶ୍ରେୟ ଦିଅନ୍ତି ନାହିଁ।

ଗରିବ ବ୍ୟକ୍ତି ସର୍ବଦା ଟିକିଏ କୃପା ପାଇ ସନ୍ତୁଷ୍ଟ ହୋଇ ଯାଆନ୍ତି, ସେମାନେ ଅଧିକ ଇଚ୍ଛା କରନ୍ତି ନାହିଁ, ସେମାନେ ସମସ୍ତଙ୍କ ବିଷୟରେ ଚିନ୍ତା କରନ୍ତି। ବିନା ବାଧାରେ ଏତେ ବଡ ବ୍ୟବସ୍ଥା କେମିତି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିନ୍ତି। ଏହା ନିଶ୍ଚିତ ଭାବରେ ଭଗବାନଙ୍କ କୃପା ଯେ ଆମର ଗୌରବମୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗ ଦର୍ଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀଜୀଙ୍କ ଦ୍ୱାରା ହିଁ ଏହି କାର୍ଯ୍ୟ ସମ୍ଭବ ହୋଇପାରିଛି। ତେଣୁ ଆମର ରଜୋ ଗୁଣ କମିଗଲେ ଓ ସନ୍ତୋଷ ମିଳିଥାଏ ଏବଂ ସତ୍ଵ ଗୁଣ ବୃଦ୍ଧି ପାଇଥାଏ।

ଆମର କ୍ଷମତା ବଢିବା ସହିତ ଆମର କୃପଣତା ମଧ୍ୟ ବଢିଥାଏ। ଉଦାରତା କମିଯାଏ। ଜଣେ ଗରିବ ବ୍ୟକ୍ତି ନିଜ ଆୟର ଯେତେ ଅଂଶ ଦାନ କରି ପାରିବ ଜଣେ ଧନୀ ବ୍ୟକ୍ତି ସେତେ ଦାନ କରି ପାରିବ ନାହିଁ।

ନିଜସ୍ୱ ଲୋଭ - ମୁଁ, ମୋ ପରିବାର, ମୋ ପତ୍ନୀ, ମୋ ପିଲାମାନେ ଇତ୍ୟାଦି।

ଧନ ଲୋଭ - ଲାଭ ସହିତ ଲୋଭ ବଢିଥାଏ ଏବଂ ଅତ୍ୟଧିକ ଲାଭରେ ଅତ୍ୟଧିକ ଲୋଭ ବଢାଇଥାଏ।

ନିଜ ପାଖରେ ସବୁ କିଛି ଥାଇ ମଧ୍ୟ ଭାଇର ନୂଆ କାର୍ ଆସିଲେ ମନରେ ଈର୍ଷା ଭାବନା ଜାଗ୍ରତ ହୋଇଥାଏ, ଯାହା ଫଳରେ ନିଜ କାର୍ ମଧ୍ୟ ମୂଲ୍ୟହୀନ ମନେ ହୁଏ। ଧନର ଲୋଭ, ବିଳାସର ଲୋଭ, ମାନ ସମ୍ମାନର ଲୋଭ ଇତ୍ୟାଦି। କାମନାରେ କିଛି କ୍ଷତି ନଥାଏ, କିନ୍ତୁ ଲୋଭ କାରଣରୁ ଅନ୍ୟାୟ ଭାବରେ ପାଇବାକୁ ଚେଷ୍ଟା କରିବାଟା ଭୁଲ ଅଟେ ।ଗୃହ ମୁଖିଆଙ୍କ ନ୍ୟାୟ ଯୁକ୍ତ ଧନ ସଞ୍ଚୟ ଠିକ ଅଟେ ।

ପ୍ରସିଦ୍ଧି ଲୋଭ - କାମ ଅନ୍ୟ କେହି କରନ୍ତି, କିନ୍ତୁ ମନରେ ଇଚ୍ଛା ଥାଏ ଯେ ପ୍ରସିଦ୍ଧିରେ ମୋ ନାମ ଆସୁ।

ସମ୍ପତ୍ତି ଲୋଭ - ସମ୍ପତ୍ତି ପ୍ରତି ଲୋଭ ଓ ମୋହ, ଉଭୟ ରହିଛି। ଏହା ହେଉଛି ଏକମାତ୍ର ଭୌତିକ ପଦାର୍ଥ।

ପଦ ଲୋଭ - ଏହି ଲୋଭ ଅତ୍ୟନ୍ତ କଷ୍ଟ ଦାୟକ। ଯଦି କୌଣସି ସ୍ଥାନରେ ନିଆଁ ଲାଗିଯାଏ, ତା' ଉପରେ ପାଣି ଢାଳିବାକୁ ପଡେ। ସେହିଭଳି ସନ୍ତୋଷର ପାଣି ଢାଳି ଲୋଭର ନିଆଁକୁ ଆୟତ୍ତ କରାଯାଇପାରିବ।

ଯାହାର ଜୀବନ ଯେତେ ଲୋଭ ଗ୍ରସ୍ତ ହୁଏ, ତାହାର ଜୀବନ ସେତିକି ଅଶାନ୍ତ ହୋଇଥାଏ ।

ପ୍ରବୃତ୍ତି - ରଜୋ ଗୁଣର ପ୍ରବୃତ୍ତି ବଢିଗଲେ, ଲୋଭ ବଢିଯାଏ। କିଛି କର୍ମ ଜାରି ରଖିବାର ପ୍ରବୃତ୍ତି ଲାଗି ରହିଥାଏ। ନିରନ୍ତର କିଛି ନା କିଛି କରିବାର ଅଭ୍ୟାସ ହୋଇଯାଏ। ଏମାନେ ଅନ୍ୟର ସମସ୍ୟାରେ ଧନ୍ଦି ହେଇ ଅର୍ଥହୀନ କାମ ଜାରି ରଖନ୍ତି। ସେମାନେ ସ୍ଥିର ହୋଇ ବସି ପାରିନ୍ତି ନାହିଁ।

ଅଶମ - ରଜୋ ଗୁଣୀ ବ୍ୟକ୍ତି ସ୍ଵଭାବତଃ ଚଞ୍ଚଳ ମନା। ଯିଏ ଯେତେ ରଜୋଗୁଣୀ ହେବ ତାର ଦୃଷ୍ଟି ସେତେ ଚଞ୍ଚଳ ହେବ, ଅସ୍ଥିର ହେବ। ଏହି ଚଞ୍ଚଳତା ସେମାନଙ୍କ ଦୃଷ୍ଟିରୁ ସ୍ପଷ୍ଟ ହୁଏ। ଜଣେ ବ୍ୟକ୍ତି ଚଞ୍ଚଳ କି ନୁହେଁ ତାହା ତାଙ୍କ ଆଖିକୁ ଦେଖି ନିର୍ଦ୍ଧାରଣ କରାଯାଇପାରିବ।

ରଜୋ ଗୁଣୀ ବ୍ୟକ୍ତିଙ୍କୁ ଜାଣିବାପାଇଁ ସହଜ ଉପାୟ ହେଲା, ଯାହାର ଆଖି ଯେତେ ଚଞ୍ଚଳ, ତାହାର ରଜୋ ଗୁଣ ସେତେ ଅଧିକ, ସେ ସବୁବେଳେ ଏଠାରେ ସେଠାରେ ଦେଖୁଥାଏ। ସତ୍ତ୍ୱ ଗୁଣୀକୁ ଡାକି ଦେଖାଇବାକୁ ପଡେ। ତାଙ୍କର ଦୃଷ୍ଟି ସବୁବେଳେ ତଳକୁ ରହିଥାଏ। ସ୍ଵାମୀ ଶ୍ରଦ୍ଧାନନ୍ଦଙ୍କର ଚକ୍ଷୁକୁ ନେଇ ବହୁତ ଭଲ ବକ୍ତବ୍ୟ ଅଛି, ସେ କହିଛନ୍ତି, "ଆପଣ ଯାହାକୁ ଦୃଷ୍ଟି ଦେବେ, ତାଙ୍କୁ ମନ ଦେବାକୁ ପଡିବ। ତେଣୁ ନିଜ ଦୃଷ୍ଟିକୁ ସମ୍ଭାଳି ରଖିବା ଉଚିତ୍‌"।

ସତ୍ତ୍ଵ ଗୁଣ ଥିବା ବ୍ୟକ୍ତିଙ୍କ ଦୃଷ୍ଟି ଯେକୌଣସି ଗୋଟିଏ ସ୍ଥାନରେ ହିଁ ସ୍ଥିର ରହିଥାଏ। ରଜୋ ଗୁଣୀ ବ୍ୟକ୍ତିଙ୍କର ଦୃଷ୍ଟି ଚାରି ଆଡେ ବୁଲୁ ଥାଏ। ଏହା ଫଟୋ ସ୍କାନର ଭଳି କାମ କରି ଚାଲିଥାଏ।

ସ୍ପୃହା - ଅର୍ଥାତ୍, ଯୁକ୍ତ ହୋଇରହିବା, ବିଷୟ ବାସନାରେ ଲାଗି ହୋଇ ରହିବା ।

କୌଣସି ସ୍ଥାନରେ ଆମେ ଲଡୁ ଖାଇଦେଇ, ତା'ପରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ। ଏହା କେଉଁଠୁ ଆସିଲା? ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ଅଟେ। ଏହା ହେଉଛି ରଜୋ ଗୁଣର ଲକ୍ଷଣ। ଖାଇବା ପରେ ମଧ୍ୟ ମନ ଏଥିରେ ଲାଗି ରହିଥାଏ। ଏହା ପେଟ ଭିତରକୁ ଚାଲିଯାଇଛି, କିନ୍ତୁ ମନରୁ ବାହାରିନାହିଁ। ଏହାକୁ ଦୀର୍ଘ ଦିନ ଧରି ଭୁଲି ହୁଏନା। ଏହାର ସ୍ଵାଦ ହେତୁ ଲଡୁର ଛାପ ମନରେ ଲାଗି ରହିଗଲା। ଯଦି କେହି ପ୍ରଶଂସା କରନ୍ତି ଯେ ଆପଣ ଗୀତାକୁ ବହୁତ ଭଲ ଭାବରେ ପଢନ୍ତି, ଏହା ଶୁଣିଲେ ଭଲ ଲାଗେ। ଘରକୁ ଆସିବା ପରେ ମଧ୍ୟ ଏହାକୁ ଭୁଲି ପାରନ୍ତି ନାହିଁ। ରାତିରେ ବସି ବସି ହସୁଥିବାର ଦେଖିଲେ ପତ୍ନୀ ଏହାର କାରଣ ପଚାରନ୍ତି ଏବଂ କିଛି କହି ହୁଏ ନାହିଁ। ଯାହା ଭଲ ଲାଗିଲା ତାହା ଆମ ମନରେ ଅଟକି ରହେ। ଜଣେ ବ୍ୟକ୍ତି ଯେତେ ଅଧିକ ରଜୋ ଗୁଣୀ ହେବ, ସେ ସେହି ଚିନ୍ତାଧାରା ସହିତ ସେତେ ଅଧିକ ଜଡିତ ହେବ। ବିଷୟ ଓ ବାସନା ସହିତ ଜଡିତ ରହିବ। ପ୍ରଶଂସା ସମସ୍ତଙ୍କୁ ଭଲ ଲାଗେ। ପ୍ରଶଂସା ଶୁଣିଲେ ସତ୍ତ୍ୱଗୁଣୀ ବ୍ୟକ୍ତିକୁ ସ୍ମିତହାସ୍ୟ ଆସିବ ଏବଂ ସେ ଭୁଲିଯିବେ। ଦୀର୍ଘ ଦିନ ଧରି ମନେ ରଖିବା ଓ ମନେ ପକେଇବା ହେଉଛି ରଜୋଗୁଣୀ ବ୍ୟକ୍ତିର ଲକ୍ଷଣ।

14.13

ଅପ୍ରକାଶୋଽପ୍ରବୃତ୍ତିଶ୍ଚ, ପ୍ରମାଦୋ ମୋହ ଏବ ଚ।
ତମସ୍ୟେତାନି ଜାୟନ୍ତେ, ବିବୃଦ୍ଧେ କରୁନନ୍ଦନ॥13॥

ହେ କୁରୁନନ୍ଦନ ! ତମୋଗୁଣ ବଢିଗଲେ ଅପ୍ରକାଶ, ଅପ୍ରବୃତ୍ତି, ପ୍ରମାଦ ଓ ମୋହ -- ଏହି ବୃତ୍ତିଗୁଡିକ ଜାତ ହୁଅନ୍ତି।

ବିବେଚନ:-

'सतो गुण का विपरीत तमो गुण'

‘ସତ୍ତ୍ୱଗୁଣର ବୀପରିତ ତମୋଗୁଣ’

ଶ୍ରୀଭଗବାନ କହନ୍ତି, ”ହେ ଅର୍ଜୁନ ! ଯେତେବେଳେ ତମୋଗୁଣ ବୃଦ୍ଧି ପାଏ, ସେତେବେଳେ ଅନ୍ତଃକରଣ ଓ ଇନ୍ଦ୍ରିୟରେ ଅପ୍ରକାଶ ବୃଦ୍ଧିପାଏ ଏବଂ ଚିନ୍ତାଧାରାରେ ସ୍ପଷ୍ଟତାର ଅଭାବ ଦେଖାଯାଏ। ସେହି ଅବସ୍ଥାରେ ପ୍ରଵୃତି ଏବଂ ଅପ୍ରଵୃତି ବୃଦ୍ଧି ପାଇଥାଏ । ଏହା ଦ୍ଵାରା ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥାଏ।

ଅତ୍ୟଧିକ ତମୋଗୁଣ ଅଧିକ ହେବା ଦ୍ୱାରା କର୍ତ୍ତବ୍ୟ କର୍ମ ସମ୍ପାଦନ କରିବାରେ, ଅପ୍ରଵୃତି, ପ୍ରମାଦ ଅର୍ଥାତ୍ ନିରର୍ଥକ ପ୍ରୟାସ, ମୋହ ଓ ନିଦ୍ରାର ବୃଦ୍ଧି ହୋଇଥାଏ।

ସଠିକ ନିଦ୍ରା ନିହାତି ଜରୁରୀ, ଯାହାକୁ ଆମ ସ୍ୱାମୀଜୀ ମଧ୍ୟ ଗ୍ରହଣ କରନ୍ତି, କିନ୍ତୁ ନିଦ୍ରାଭଙ୍ଗ ପରେ ମଧ୍ୟ ବିଛଣାରେ ପଡି ରହିବାଟା, ଅଧିକ ମାତ୍ରାରେ ତମୋଗୁଣର କାରଣ ହୋଇଥାଏ।

ଅପ୍ରକାଶ - ଯେତେବେଳେ ତମୋଗୁଣ ବୃଦ୍ଧି ପାଏ, ସେତେବେଳେ ଜଣକୁ ସବୁ କିଛି ଭୁଲ ମନେ ହୁଏ ଏବଂ ନିଜ କଥା ହିଁ ତାଙ୍କୁ ଠିକ୍ ମନେ ହୁଏ। ସାମ୍ନାରେ ଉପସ୍ଥିତ ଅନ୍ୟ ସମସ୍ତେ “ଏହା ତୁମ ପାଇଁ ଠିକ୍ ନୁହେଁ” କହୁଥିବା ସତ୍ତ୍ୱେ, ସେ ଶୁଣନ୍ତି ନାହିଁ ବରଂ ଅନ୍ୟକୁ ବିପରୀତ କୁହନ୍ତି ଯେ, ”ମୁଁ ଜାଣି ପାରୁନାହିଁ ଯେ, କାହିଁକି ସମସ୍ତେ ମୋତେ ବୁଝାଇବାରେ ଲାଗି ପଡ଼ିଛନ୍ତି”।

ଏପରି ବ୍ୟକ୍ତି ଜିଦ୍ ଧରିଥାଏ ଯେ ମତେ ଏହି ଜିନିଷ ଦରକାର ହିଁ ଦରକାର। ତାଙ୍କ ପାଇଁ ଯାହା ଭଲ ତାହା ଶୁଣିବାକୁ ସେ ପ୍ରସ୍ତୁତ ହୁଅନ୍ତି ନାହିଁ। ତାଙ୍କର ଅନ୍ତଃକରଣରେ ବିବେକ ଶୂନ୍ୟତା ଏବଂ ଜିଦ୍‍‍ ଆସିଯାଏ। ଏପରିକି ତାଙ୍କ ନିଜ ଭଲ ପାଇଁ ମଧ୍ୟ ସେ ଯୁକ୍ତି କରନ୍ତି। ଅନ୍ୟମାନେ ତାଙ୍କ ବ୍ୟବହାରରେ ବିବ୍ରତ, ହଇରାଣ ହୁଅନ୍ତି ଏବଂ ତାଙ୍କୁ ଆଡେଇ ଦିଅନ୍ତି। କେତେଜଣ କୁହନ୍ତି ଯେ, ”ଆମେ ବୁଝାଇବାକୁ ପ୍ରୟାସ କରୁଛୁ, ଆମେ ତାଙ୍କର ଭଲ କରିବାକୁ ଚାହୁଁଛୁ, ତଥାପି ସେ ଯୁକ୍ତିତର୍କ କରୁଛନ୍ତି।”

ଅପ୍ରବୃତ୍ତି - କଥାକୁ ଟାଳିଦେବା

ଯାହା କରିବାକୁ ପଡିବ, ତାକୁ ପରବର୍ତ୍ତୀ ସମୟ ପାଇଁ ସ୍ଥଗିତ ରଖନ୍ତି। ଆମେ ଏହାକୁ ପରେ କରିବୁ କହି ବାହାନା କରନ୍ତି ଯଥା-, “ଆମେ ବର୍ତ୍ତମାନ ଆସିଛୁ, ବାହାରୁ ଆସିଛୁ, ଆମେ ବର୍ତ୍ତମାନ ଶୋଇକରି ଉଠୁଛୁ କିମ୍ବା ଆମେ ଏବେ ଖାଇଛୁ,” ଏହିପରି କହି କାମକୁ ପରବର୍ତ୍ତୀ ସମୟକୁ ସ୍ଥଗିତ ରଖିନ୍ତି”।

ପ୍ରମାଦ - ବ୍ୟର୍ଥ କର୍ମ

ଏପରି ନୁହେଁ ଯେ ତମୋଗୁଣ ଥିବା ବ୍ୟକ୍ତି କିଛି କରନ୍ତି ନାହିଁ। ସେମାନେ ଅନାବଶ୍ୟକ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି, ସର୍ବଦା ମୂଲ୍ୟହୀନ କାମ କରନ୍ତି। ସେ କରିବାପାଇଁ ଥିବା କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ ଅତିରିକ୍ତ କାର୍ଯ୍ୟ କରନ୍ତି। ନିରର୍ଥକ ପ୍ରୟାସ, ମୂଲ୍ୟହୀନ କାମ, ମୋବାଇଲରେ ରିଲ୍ ଦେଖିବା, ଫେସ୍ ବୁକ୍ରେ ଚାଟିଂ କରିବା ଇତ୍ୟାଦି। ଏହି କାର୍ଯ୍ୟକଳାପର କୌଣସି ଅର୍ଥ ନାହିଁ। ଏଗୁଡ଼ିକ ତମୋଗୁଣର କାର୍ଯ୍ୟ ଅଟେ। ସେମାନଙ୍କ ନିକଟରେ ସମୟର ସ୍ୱଳ୍ପତା ସର୍ବଦା ରହିଥାଏ।

ମୋହ - ଅର୍ଥାତ୍‌ ମୂଢତା ବା ଅଜ୍ଞତା। ମୋହ ରୂପକ ଅନ୍ଧାରରେ ବ୍ୟକ୍ତି ନିଜର ଲାଭ ଓ କ୍ଷତିକୁ ବୁଝିବାର କ୍ଷମତା ହରାଇଦିଏ। ଏପରି କି ସେମାନଙ୍କର ଉପକାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସେମାନେ କ୍ଷତି ବା ଅପକାର କରନ୍ତି। ଏହାକୁ ନେଇ ମାଙ୍କଡ଼ ଓ କୁମ୍ଭୀରର କାହାଣୀ ପଞ୍ଚତନ୍ତ୍ରରେ ବର୍ଣ୍ଣନା କରାଯାଇଛି।

ମାଙ୍କଡ଼ ଓ କୁମ୍ଭୀର ମିତ୍ର ଥିଲେ। ମାଙ୍କଡ଼ଟି ପ୍ରତିଦିନ କୁମ୍ଭୀରକୁ ଜାମୁକୋଳି ଖାଇବାକୁ ଦେଉଥିଲା। କୁମ୍ଭୀର ତା’ର ପତ୍ନୀ ପାଇଁ ମଧ୍ୟ ଜାମୁକୋଳି ନେଇଯାଏ। ଦିନେ କୁମ୍ଭୀରଟି ନିଜ ସ୍ତ୍ରୀକୁ ଏ ବିଷୟରେ କହିଥିଲା। କୁମ୍ଭୀରର ପତ୍ନୀ କହିଥିଲେ ଯେ, ଜାମୁକୋଳି ଗଛରେ ରହୁଥିବା ମାଙ୍କଡ ସବୁଦିନ ଏଇ ମିଠା ଜାମୁକୋଳି ଖାଇବା ଦ୍ୱାରା ତାଙ୍କର କଲିଜା କେତେ ଭଲ ହେଇଥିବ, ମୁଁ ତାଙ୍କ କଲିଜାକୁ ଖାଇବାକୁ ଚାହୁଁଛି।” ସେ ମାଙ୍କଡ଼ର କଲିଜା ଖାଇବାକୁ ଜିଦ୍ ଧରିଥିଲା। କୁମ୍ଭୀର ମାଙ୍କଡ଼ଟିକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲା। କୁମ୍ଭୀରଟି ମାଙ୍କଡ଼କୁ ନେଇ ଯାଉଥିବା ବେଳେ ସେ ଅଧା ରାସ୍ତାରେ ସତ୍ୟ କଥାଟି ପ୍ରକାଶ କରିଥିଲା। ମାଙ୍କଡ଼ଟି ସତ୍ତ୍ୱଗୁଣୀ ଥିଲା ଓ ପ୍ରକାଶରେ ପରିପୂର୍ଣ୍ଣ ଥିଲା। ମାଙ୍କଡ଼ କୁମ୍ଭୀରକୁ କହିଲା, "ଓହୋ! ଆପଣ ଜାଣନ୍ତି ନାହିଁ କି ମାଙ୍କଡ଼ର କଲିଜା ବାହାରେ ଥାଏ? ମୋତେ ଗଛ ପାଖକୁ ନେଇ ଯାଅ। ମୁଁ ତୁମକୁ ଗଛରୁ କଲିଜା ଆଣି ଦେଇଦେବି”। କୁମ୍ଭୀରଟି କୂଳ ଆଡ଼କୁ ଯିବା ମାତ୍ରେ ମାଙ୍କଡ଼ଟି ଗଛ ଉପରକୁ ଡେଇଁ କୁମ୍ଭୀରଠାରୁ ଖସି ପଳାଇଥିଲା। କୁମ୍ଭୀରଟି ତମୋଗୁଣ, ମୋହ ଓ ମୂଢତାରେ ପରିପୂର୍ଣ୍ଣ ଥିଲା। କୁମ୍ଭୀର ସବୁଦିନ ପାଇଁ ଜାମୁକୋଳି ହରାଇଲା। ଯେଉଁମାନେ ତମୋଗୁଣରେ ଭରପୂର ଥାଆନ୍ତି ସେମାନେ ଏହିପରି ସବୁବେଳେ ଜାମୁକୋଳି ହରାଇଥାନ୍ତି।

14.14

ୟଦା ସତ୍ତ୍ୱେ ପ୍ରବୃଦ୍ଧେ ତୁ, ପ୍ରଲୟଂ(ମ୍) ୟାତି ଦେହଭୃତ୍।
ତଦୋତ୍ତମବିଦାଂ(ମ୍) ଲୋକାନ୍, ଅମଲାନ୍ପ୍ରତିପଦ୍ୟତେ॥14॥

ସତ୍ତ୍ବଗୁଣ ବୃଦ୍ଧିପ୍ରାପ୍ତ ହୋଇଥିବା ସମୟରେ ଯଦି ଦେହଧାରୀ ମନୁଷ୍ୟ ମରିଯାଏ, ତେବେ ସେ ଉତ୍ତମବେତ୍ତାମାନଙ୍କର ପ୍ରାପ୍ତବ୍ୟ ସ୍ବର୍ଗାଦି ନିର୍ମଳ ଲୋକଗୁଡିକୁ ପ୍ରାପ୍ତ ହୁଏ।

ବିବେଚନ:-

ଶ୍ରୀଭଗବାନ କହୁଛନ୍ତି, ଅର୍ଜୁନ, ଯେତେବେଳେ କୌଣସି ବ୍ୟକ୍ତିଙ୍କ ଜୀବନରେ ସତ୍ତ୍ୱଗୁଣ ବୃଦ୍ଧି ପାଇଥାଏ, ସେତେବେଳେ ତାଙ୍କ ବୃତ୍ତିରେ ସଦ୍ ଗୁଣ ମଧ୍ୟ ଆଗମନ କରିଦିଏ। ମୃତ୍ୟୁର ପଶ୍ଚାତ୍‍‍ ସେମାନେ ଉତ୍ତମ ଯୋନି ପ୍ରାପ୍ତ କରନ୍ତି। ଶ୍ରୀଭଗବାନ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜୀବନସାରା ଯେଉଁ ପ୍ରବୃତ୍ତି ବଜାୟ ରଖେ, ତା'ର ଅନ୍ତ ସମୟ ମଧ୍ୟ ସେହିପରି ହୋଇଥାଏ। ଯଦି କେହି ସତ୍ତ୍ୱଗୁଣୀ ଅଟନ୍ତି, ତାଙ୍କର ଅନ୍ତ ସମୟ ମଧ୍ୟ ସତ୍ତ୍ୱ ଗୁଣ ହେବ, ଯଦି କେହି ରଜୋଗୁଣୀ ଅଟନ୍ତି, ତାଙ୍କର ଅନ୍ତ ସମୟ ମଧ୍ୟ ରଜୋଗୁଣୀ ହେବ, ଏବଂ ଯଦି କେହି ତମୋଗୁଣୀ ଥିବେ, ତା'ର ଅନ୍ତ ସମୟ ମଧ୍ୟ ତମୋଗୁଣୀ ହେବ। ଉପନିଷଦରେ ଏକ କଥା ଅଛି ଯେ ଉତ୍ତର ଦିଗକୁ ଝୁଲି ରହିଥିବା ଏକ କାନ୍ଥ ସବୁବେଳେ ଉତ୍ତର ଦିଗକୁ ହିଁ ଖସିବ, ଦକ୍ଷିଣ ଦିଗରେ କି ଅନ୍ୟ କୌଣସି ଦିଗରେ ନୁହେଁ ।

ଅର୍ଥାତ୍ ବ୍ୟକ୍ତିର ମନ ଯେଉଁଆଡକୁ ଆକର୍ଷିତ ଥିବ, ତା'ର ଅନ୍ତ ସମୟ ମଧ୍ୟ ସେହି ଭଳି ହେବ। ଯଦି କୌଣସି ବ୍ୟକ୍ତି ସତ୍ତ୍ୱଗୁଣବତ୍ତା ଅଟନ୍ତି, ତା'ହେଲେ ତା'ଙ୍କର ଅନ୍ତ ସତ୍ତ୍ୱଗୁଣୀ ହେବ। ଯଦି କୌଣସି ବ୍ୟକ୍ତି ରଜୋଗୁଣୀ ହୁଅନ୍ତି, ତା'ହେଲେ ତା'ଙ୍କର ଅନ୍ତ ସମୟ ମଧ୍ୟ ରଜୋଗୁଣୀ ହେବ ଏବଂ ଯଦି ସେମାନେ ତମୋଗୁଣୀ ହୁଅନ୍ତି, ତା'ହେଲେ ସେମାନଙ୍କର ଅନ୍ତ ସମୟ ମଧ୍ୟ ତମୋଗୁଣୀ ହେବ।

ଶ୍ରୀଭଗବାନ କହନ୍ତି ଯେ ଯେତେବେଳେ କୌଣସି ବ୍ୟକ୍ତି ସତ୍ତ୍ୱଗୁଣ ବୃଦ୍ଧିରେ ମୃତ୍ୟୁବରଣ କରେ, ସେତେବେଳେ ସେ ଉତ୍ତମ କର୍ମ କରୁଥିବା ନିର୍ମଳ, ଦିବ୍ୟ ଏବଂ ସ୍ୱର୍ଗ ପରି ଉତ୍ତମ ଲୋକକୁ ପ୍ରାପ୍ତ କରେ।

14.15

ରଜସି ପ୍ରଲୟଂ(ଙ୍) ଗତ୍ୱା, କର୍ମସଙ୍ଗିଷୁ ଜାୟତେ।
ତଥା ପ୍ରଲୀନସ୍ତମସି, ମୂଢୟୋନିଷୁ ଜାୟତେ॥15॥

ରଜୋଗୁଣ ବୃଦ୍ଧି ପାଇଥିବା ବେଳେ ମରୁଥିବା ପ୍ରାଣୀ କର୍ମସଙ୍ଗା ମନୁଷ୍ୟ ଯୋନିରେ ଜନ୍ମ ନିଏ ଏବଂ ତମୋଗୁଣ ବୃଦ୍ଧି ପାଇଥିବା ବେଳେ ମରୁଥିବା ପ୍ରାଣୀ ମୂଢଯୋନିମାନଙ୍କରେ ଜନ୍ମ ନିଏ।

ବିବେଚନ:-

ଶ୍ରୀଭଗବାନ କହନ୍ତି ଯେ, ରଜୋଗୁଣ ବୃଦ୍ଧି ସମୟରେ ମୃତ୍ୟୁ ପ୍ରାପ୍ତ ହେଲେ , ତା'ର ଜନ୍ମ କର୍ମ ଆସକ୍ତ ପ୍ରବଣ ମନୁଷ୍ୟ ଯୋନିରେ ହୁଏ ।

ଶ୍ରୀଭଗବାନ କହନ୍ତି ଯେ, ତମୋଗୁଣ ବୃଦ୍ଧି ସମୟରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି, କୀଟପତଙ୍ଗ ଓ ପଶୁ ଆଦି ମୂଢ ଯୋନିରେ ଜନ୍ମ ନିଏ। ଯାହାଙ୍କର ତମୋଗୁଣର ବୃତ୍ତି ରହିଥାଏ, ସେ କୀଟ, ପଶୁ ଆଦି ମୂଢ ଯୋନିକୁ ପ୍ରାପ୍ତ ହୋଇଥାଏ।

ଯେଉଁମାନେ ସାତ୍ତ୍ୱିକ ଅଟନ୍ତି, ସେମାନଙ୍କଠାରେ ସତ୍ତ୍ୱଗୁଣ ପ୍ରାଧାନ୍ୟ ଲାଭ କରିଥାଏ, ସେମାନେ ମୃତ୍ୟୁ ସମୟରେ ସ୍ୱର୍ଗ ପରି ଉତ୍ତମ ଲୋକକୁ ପ୍ରାପ୍ତ ହୋଇ, ଉତ୍ତମ ଗତି ପ୍ରାପ୍ତ କରନ୍ତି। ଯେଉଁମାନେ ରାଜୋଗୁଣୀ ଅଟନ୍ତି ସେମାନେ ମନୁଷ୍ୟ ଜୀବନ ପ୍ରାପ୍ତ କରିଥାନ୍ତି।

14.16

କର୍ମଣଃ(ସ୍) ସୁକୃତସ୍ୟାହୁଃ(ସ୍), ସାତ୍ତ୍ୱିକଂ(ନ୍) ନିର୍ମଲଂ(ମ୍) ଫଲମ୍।
ରଜସସ୍ତୁ ଫଲଂ(ନ୍) ଦୁଃଖମ୍, ଅଜ୍ଞାନଂ(ନ୍) ତମସଃ(ଫ୍) ଫଲମ୍॥16॥

ଶୁଭକର୍ମର ଫଳ ସାତ୍ତ୍ବିକ ଓ ନିର୍ମଳ ତଥା ରାଜସ କର୍ମର ଫଳ ଦୁଃଖ ଏବଂ ତାମସ କର୍ମର ଫଳ ଅଜ୍ଞାନ (ମୂଢତା) ବୋଲି ବିବେକୀ ପୁରୁଷମାନେ କହିଛନ୍ତି।

ବିବେଚନ:-

ଶ୍ରୀଭଗବାନ ଅର୍ଜୁନଙ୍କୁ କୁହନ୍ତି ଯେ ଶ୍ରେଷ୍ଠ କର୍ମର ଫଳ ହେଉଛି ସାତ୍ତ୍ୱିକ ସୁଖ, ଜ୍ଞାନ ଏବଂ ବୈରାଗ୍ୟ ଅଟେ। ରାଜସିକ କର୍ମର ଫଳ ହେଉଛି ଦୁଃଖ ଓ ତାମସିକ କର୍ମର ଫଳ ହେଉଛି ଅଜ୍ଞତା।

ଶ୍ରୀଭଗବାନ ପୁଣି ସେହି କଥାକୁ ଦ୍ୱିତୀୟ ଥର ପାଇଁ କହୁଛନ୍ତି।

ଶ୍ରୀଭଗବାନ କହନ୍ତି, ଯେତେବେଳେ ସତ୍ତ୍ୱ ଗୁଣ ବୃଦ୍ଧି ପାଏ, ଜ୍ଞାନ ଉଜ୍ଜିବିତ ହୁଏ, ସତ୍ତ୍ୱ ଆଗମନ କରେ, ବୈରାଗ୍ୟ ଆସେ, ସନ୍ତୁଷ୍ଟି ପଦାର୍ପଣ କରେ ଓ ବ୍ୟର୍ଥ ଚିନ୍ତାର ଅନ୍ତ ହୁଏ; ନିଜ ପାଖରେ ଯାହା ଅଛି, ଯେତିକି ଅଛି, ସେଥିରେ ସେ ସନ୍ତୁଷ୍ଟ ରୁହନ୍ତି।

ରଜୋଗୁଣ ବୃଦ୍ଧି ପାଇଲେ ଲୋଭ ଉଜ୍ଜୀବିତ ହୁଏ। ଲୋଭର ଲାଳସା, ଅସନ୍ତୁଷ୍ଟତା, ଅଶାନ୍ତି, କ୍ଳେଶ, ବ୍ୟର୍ଥ ଚିନ୍ତା ଆଗମନ କରେ।

ଯେତେବେଳେ ତମୋଗୁଣ ବୃଦ୍ଧି ପାଇବ, ପ୍ରମାଦ, ନିଦ୍ରା ଏବଂ ଆଳସ୍ୟ ଆସେ ଓ ମୋହ ବୃଦ୍ଧି ପାଇବାରେ ଲାଗେ। ”ମୋ ଘର, ମୋ ପରିବାର, ମୋ ପୁତ୍ର, ମୋ ପତ୍ନୀ ଇତ୍ୟାଦି” ର ଭାବନା ଆସେ।

सन्तुष्टो येन केनचित् ।

ଯେତେବେଳେ ଆମେ ସୁଖ, ଶାନ୍ତି ଏବଂ ସନ୍ତୋଷ ଅନୁଭବ କରିଥାଉ, ଏହା ହେଉଛି ସତ୍ତ୍ୱର ଗୁଣ। ଯେତେବେଳେ ଆମେ ଅନ୍ତଃର୍ମନରେ ଖୁସି ହୋଇଥାଉ, ଆନନ୍ଦ ଅନୁଭବ କରିଥାଉ, ସେତେବେଳେ ଖୁସି ରହିବାପାଇଁ କୌଣସି ପ୍ରୟାସ କରିବାକୁ ପଡ଼େ ନାହିଁ କିମ୍ବା ଆନନ୍ଦ ଅନୁଭବ କରିବାପାଇଁ କୌଣସି ବସ୍ତୁ କିମ୍ବା ପରିସ୍ଥିତି ବା ବିଚାରର ଆବଶ୍ୟକତା ପଡେନାହିଁ ଏବଂ ପ୍ରତ୍ୟେକ ପରିସ୍ଥିତିରେ ଖୁସି ଅନୁଭବ କରିପାରୁ, ସେତେବେଳେ ଆମେ ସତ୍ତ୍ୱଗୁଣୀ ହୋଇଥାଉ।

ଯେତେବେଳେ ଆମେ ଦୁଃଖ ଅନୁଭବ କରୁ, ଆମେ ରଜୋଗୁଣୀ ହୋଇଥାଉ।

ଯେତେବେଳେ ଆମେ ବିପରୀତ କାର୍ଯ୍ୟରେ ନିଜକୁ ନିୟୋଜିତ କରୁ, ସେତେବେଳେ ଆମେ ତମୋଗୁଣୀ ହୋଇଥାଉ।

14.17

ସତ୍ତ୍ୱାତ୍ସଞ୍ଜାୟତେ ଜ୍ଞାନଂ(ମ୍), ରଜସୋ ଲୋଭ ଏବ ଚ।
ପ୍ରମାଦମୋହୌ ତମସୋ, ଭବତୋଽଜ୍ଞାନମେବ ଚ॥17॥

ସତ୍ତ୍ବଗୁଣରୁ ଜ୍ଞାନ ଓ ରଜୋଗୁଣରୁ ଲୋଭ (ଇତ୍ୟାଦି) ଉତ୍ପନ୍ନ ହୁଏ। ତମୋଗୁଣରୁ ପ୍ରମାଦ, ମୋହ ଓ ଅଜ୍ଞାନ ଉତ୍ପନ୍ନ ହୁଏ।

14.17 writeup

14.18

ଊର୍ଧ୍ୱଂ(ଙ୍) ଗଚ୍ଛନ୍ତି ସତ୍ତ୍ୱସ୍ଥା, ମଧ୍ୟେ ତିଷ୍ଠନ୍ତି ରାଜସାଃ।
ଜଘନ୍ୟଗୁଣବୃତ୍ତିସ୍ଥା, ଅଧୋ ଗଚ୍ଛନ୍ତି ତାମସାଃ॥18॥

ସତ୍ତ୍ବଗୁଣରେ ସ୍ଥିତ ମନୁଷ୍ୟ ଉର୍ଦ୍ଧ୍ବଲୋକକୁ ଯାଆନ୍ତି, ରଜୋଗୁଣରେ ସ୍ଥିତ ମନୁଷ୍ୟ ମର୍ତ୍ତ୍ୟଲୋକରେ ଜନ୍ମ ନିଅନ୍ତି ଏବଂ ନିନ୍ଦନୀୟ ତମୋଗୁଣଜନିତ ବୃତ୍ତିରେ ସ୍ଥିତ ତାମସ ମନୁଷ୍ୟ ଅଧୋଗତି ପ୍ରାପ୍ତ ହୁଅନ୍ତି।

ବିବେଚନ:-

ଶ୍ରୀଭଗବାନ ଦୁଇ ଶ୍ଳୋକରେ କହିଥିବା କଥା ପୁନଃ କୁହନ୍ତି,ସତ୍ତ୍ୱ ଗୁଣରେ ସ୍ଥିତ ମନୁଷ୍ୟ ସ୍ୱର୍ଗ ଆଦି ଉତ୍ତମ ଲୋକକୁ ପ୍ରାପ୍ତ ହୁଅନ୍ତି ।

ରଜୋଗୁଣ ବୃଦ୍ଧିରେ ଲୋଭ ଉତ୍ପନ୍ନ ହୁଏ।

ତମୋଗୁଣ ବୃଦ୍ଧିରେ ପ୍ରମାଦ, ମୋହ, ଅଜ୍ଞାନ ଉତ୍ପନ୍ନ ହୁଏ।

ସତ୍ତ୍ୱଗୁଣ ବୃଦ୍ଧିରେ ମୃତ୍ୟୁ ପ୍ରାପ୍ତ ହେଲେ, ସ୍ୱର୍ଗଆଦି ଉତ୍ତମ ଲୋକ ପ୍ରାପ୍ତ ହୁଏ।

ରଜୋଗୁଣ ବୃଦ୍ଧି ସମୟରେ ମୃତ୍ୟୁ ପ୍ରାପ୍ତ କରିଥିଲେ ମନୁଷ୍ୟ ଲୋକ ମିଳିଥାଏ।

ତମୋଗୁଣର ବ୍ୟକ୍ତି ଆଳସ୍ୟ, ପ୍ରମାଦ, ନିଦ୍ରା ଓ ମୋହର କାରଣରୁ କୀଟପତଙ୍ଗ ଓ ପଶୁ ଇତ୍ୟାଦି ନିମ୍ନ ଯୋନିକୁ ପ୍ରାପ୍ତ କରିଥାଏ ।

14.19

ନାନ୍ୟଂ(ଙ୍) ଗୁଣେଭ୍ୟଃ(ଖ୍) କର୍ତାରଂ(ମ୍), ୟଦା ଦ୍ରଷ୍ଟାନୁପଶ୍ୟତି।
ଗୁଣେଭ୍ୟଶ୍ଚ ପରଂ(ମ୍) ବେତ୍ତି, ମଦ୍ଭାବଂ(ମ୍) ସୋଽଧିଗଚ୍ଛତି ॥19॥

ବିବେକୀ (ଜ୍ଞାନବାନ୍) ମନୁଷ୍ୟ ଯେତେବେଳେ ତିନିଗୁଣ ବ୍ୟତୀତ ଅନ୍ୟ କାହାକୁ କର୍ତ୍ତା ମନେ କରେ ନାହିଁ ଏବଂ ନିଜକୁ ଗୁଣଗୁଡିକରୁ ଅତୀତ ଅନୁଭବ କରେ, ସେତେବେଳେ ସେ ମୋର ସତ୍ ସ୍ବରୂପକୁ ପ୍ରାପ୍ତ ହୁଏ।

ବିବେଚନ:-

ଶ୍ରୀଭଗବାନ କହୁଛନ୍ତି,” ହେ ଅର୍ଜୁନ! ଯେଉଁ ସମୟରେ ଦ୍ରଷ୍ଟା ତିନୋଟି ଗୁଣକୁ ଅତିକ୍ରମ କରି ନିଅନ୍ତି, କାହାକୁ କର୍ତ୍ତା ଭାବରେ ବିବେଚନା କରନ୍ତି ନାହିଁ ଏବଂ ତିନୋଟି ଗୁଣକୁ ଅତିକ୍ରମ କରି ଗୁଣାତୀତ ସ୍ଥିତିରେ ସ୍ୱୟଂରେ ସଚ୍ଚିଦାନନ୍ଦ ସ୍ୱରୂପ ପରମାତ୍ମାଙ୍କ ଅନୁଭବ ଆଣନ୍ତି, ସେହି ସମୟରେ ସେ ମୋର ସ୍ୱରୂପକୁ ପ୍ରାପ୍ତ କରନ୍ତି” ।

ବର୍ତ୍ତମାନ ଶ୍ରୀଭଗବାନ ସମ୍ପୂର୍ଣ୍ଣ ଭିନ୍ନ କଥା କହୁଛନ୍ତି। ଅର୍ଜୁନ ଆଶ୍ଚର୍ଯ୍ୟ ଚକିତ ହେଲେ, ଭଗବାନ କ'ଣ କହୁଛନ୍ତି ! ଏପର୍ଯ୍ୟନ୍ତ ଆପଣ ଯାହା ଶୁଣୁଥିଲେ ତାହା ହିଁ ଅର୍ଜୁନ ଶୁଣୁଥିଲେ- ସତ୍ତ୍ୱ, ରଜୋ ଓ ତମ।

ଏବେ ଏହା ଏକ ନୂଆ ବିଷୟ। ଆସନ୍ତୁ ପରବର୍ତ୍ତୀ ଶ୍ଳୋକରେ ଏହାକୁ ଦେଖିଵା ।

14.20

ଗୁଣାନେତାନତୀତ୍ୟ ତ୍ରୀନ୍, ଦେହୀ ଦେହସମୁଦ୍ଭବାନ୍ ।
ଜନ୍ମମୃତ୍ୟୁଜରାଦୁଃଖୈଃ(ର୍), ବିମୁକ୍ତୋଽମୃତମଶ୍ନୁତେ॥20॥

ଦେହଧାରୀ (ବିବେକୀ ମନୁଷ୍ୟ) ଦେହର ଉତ୍ପନ୍ନକାରୀ ତିନିଗୁଣକୁ ଅତିକ୍ରମ କରି ଜନ୍ମ, ମୃତ୍ୟୁ ଓ ଜରାରୂପକ ଦୁଃଖରୁ ମୁକ୍ତ ହୋଇ ଅମରତ୍ବ ଅନୁଭବ କରେ।

ବିବେଚନ:-

ଶ୍ରୀଭଗବାନ କହନ୍ତି, "ହେ ଅର୍ଜୁନ! ମନୁଷ୍ୟର ଶରୀର ସୃଷ୍ଟି ହେତୁ, ଏହି ତିନୋଟି ଗୁଣକୁ ଅତିକ୍ରମ କରି ଜନ୍ମ-ମୃତ୍ୟୁ, ଜରା- ବ୍ୟାଧି, ସୁଖ-ଦୁଃଖରୁ ମୁକ୍ତ ହୋଇ ସେ ପରମାନନ୍ଦଙ୍କୁ ପ୍ରାପ୍ତ କରିଥାଏ। ଏବେ ଅର୍ଜୁନ ବିଚଳିତ ହୋଇ ଯାଇଥିଲେ। ସତ୍ତ୍ୱ, ରଜୋ ଓ ତମ ବୁଝିପାରିଲେ ଏବଂ ଏହି ତିନି ଗୁଣକୁ ଭୋଗ କରିବା ମଧ୍ୟ ବୁଝିପାରିଥିଲେ, କିନ୍ତୁ ସେଗୁଡିକ ଉଲଂଘନ କରି, କିପରି ପରମାନନ୍ଦଙ୍କୁ ପ୍ରାପ୍ତ କରି ପାରନ୍ତି ?  

ଏହା ଶୁଣି ଅର୍ଜୁନ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ, ଯେ କ'ଣ ଏହା ସମ୍ଭବ ହୋଇପାରିବ ?

ପରବର୍ତ୍ତୀ ଶ୍ଳୋକରେ ଅର୍ଜୁନ ଭଗବାନଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି:

ଏଠାରେ ମୋର କିମ୍ବା ଆପଣଙ୍କର ପରବର୍ତ୍ତୀ ଶ୍ଳୋକକୁ କହିବା ଏବଂ ଶୁଣିବାର ପାତ୍ରତା ନାହିଁ, ଏହାର ପାତ୍ରତା କେବଳ ସ୍ୱାମୀଜୀଙ୍କ ପରି ଜଣେ ସିଦ୍ଧ ଯୋଗୀ ହିଁ ଧାରଣ କରିପାରିବେ। କିନ୍ତୁ ମୋତେ ମୋର କର୍ତ୍ତବ୍ୟ କର୍ମ ଅନୁସାରେ କହିବାକୁ ହିଁ ପଡିବ। ପରବର୍ତ୍ତୀ ଶ୍ଳୋକରେ ଅର୍ଜୁନ ଆଶ୍ଚର୍ଯ୍ୟଚକିତ ହୋଇ ଭଗବାନଙ୍କୁ ପଚାରିଲେ :

14.21

ଅର୍ଜୁନ ଉବାଚ
କୈର୍ଲିଙ୍ଗୈସ୍ତ୍ରୀନ୍ଗୁଣାନେତାନ୍, ଅତୀତୋ ଭବତି ପ୍ରଭୋ ।
କିମାଚାରଃ(ଖ୍) କଥଂ(ଞ୍) ଚୈତାଂସ୍, ତ୍ରୀନ୍ଗୁଣାନତିବର୍ତତେ॥21॥

ଅର୍ଜୁନ କହିଲେ -- ହେ ପ୍ରଭୂ ! ଏହି ତିନିଗୁଣରୁ ଅତୀତ ମନୁଷ୍ୟଙ୍କର ଲକ୍ଷଣ କ'ଣ? ତାଙ୍କର ଆଚରଣ କିପରି? ଏବଂ ଏହି ତିନିଗୁଣକୁ କିପରି ଅତିକ୍ରମ କରାଯାଇ ପାରେ ?

ବିବେଚନ:-

ଅର୍ଜୁନ ଆଶ୍ଚର୍ଯ୍ୟଚକିତ ହୋଇ ଭଗବାନଙ୍କୁ ପଚାରିଲେ - ହେ ପୁରୁଷୋତ୍ତମ! ଏହି ତିନି ଗୁଣଗୁଡ଼ିକ ମଧ୍ୟରୁ ଗୁଣାତୀତ ପୁରୁଷ କେଉଁ କେଉଁ ଗୁଣରେ ଯୁକ୍ତ ଅଟନ୍ତି, ସେମାନଙ୍କର ଆଚରଣ କିଭଳି ଏବଂ କେଉଁ ଉପାୟରେ ତିନିଗୁଣର ଉପରକୁ ଉଠି ଜଣେ ଗୁଣାତୀତ ହେଇପାରିବ। ଏହି ତିନିଗୁଣକୁ ଜୟ କରି, ଏହାକୁ ପାର କରି, ଗୁଣାତୀତ କେମିତି ହେବ!

14.22

ଶ୍ରୀଭଗବାନୁବାଚ
ପ୍ରକାଶଂ(ଞ୍) ଚ ପ୍ରବୃତ୍ତିଂ(ଞ୍) ଚ, ମୋହମେବ ଚ ପାଣ୍ଡବ।
ନ ଦ୍ୱେଷ୍ଟି ସମ୍ପ୍ରବୃତ୍ତାନି, ନ ନିବୃତ୍ତାନି କାଙ୍କ୍ଷତି॥22॥

ଶ୍ରୀୀଭଗବାନ କହିଲେ -- ହେ ପାଣ୍ଡବ! ପ୍ରକାଶ, ପ୍ରବୃତ୍ତି ଓ ମୋହ ପୂର୍ଣ୍ଣରୂପେ ପ୍ରବୃତ୍ତ ହେଲେ ମଧ୍ୟ ଗୁଣାତୀତ ମନୁଷ୍ୟ ସେଗୁଡିକ ପ୍ରତି ଦ୍ବେଷ କରେ ନାହିଁ ଏବଂ ନିବୃତ୍ତ ହୋଇଗଲେ ମଧ୍ୟ ସେଗୁଡିକୁ ଇଚ୍ଛା କରେ ନାହିଁ।

ବିବେଚନ:-

ଭଗବାନ ଅତ୍ୟନ୍ତ ପ୍ରସନ୍ନଚିତ୍ତ ହୋଇ ଗୁଣାତୀତର ଲକ୍ଷଣ ବିଷୟରେ ବୁଝାଇବାକୁ ଯାଇ କହୁଛନ୍ତି - “ହେ ଅର୍ଜୁନ, ଯେଉଁ ପୁରୁଷ ସତୋଗୁଣ ଯୋଗୁଁ ପ୍ରକାଶକୁ, ରଜୋଗୁଣ କାରଣରୁ ପ୍ରବୃତ୍ତିକୁ ଏବଂ ତମୋଗୁଣ କାରଣ ଯୋଗୁଁ ମୋହକୁ ପ୍ରାପ୍ତ ହେବା ପରେ ନା ଦ୍ୱେଷ କରିଥାଏ, ନା ନିବୃତ୍ତ ହେବା ପରେ ତା ପ୍ରତି ଅଭିଳାଷ ରଖିଥାଏ” - ଏହାହିଁ ତାଙ୍କର ସିଦ୍ଧସ୍ଥିତି।

ପୂଜ୍ୟ ସ୍ୱାମୀଜୀ କହୁଛନ୍ତି, ଜଣେ ମହାତ୍ମା ଯଦି ସିଦ୍ଧସ୍ଥିତିକୁ ପ୍ରାପ୍ତ କରି ନିଅନ୍ତି, ତା’ଙ୍କଠାରେ ନିମ୍ନ ଲକ୍ଷଣ ପରିପ୍ରକାଶ ହୁଏ।

“କର୍ମ ସମ୍ପାଦନ କରିବାରେ କୌଣସି ଦ୍ୱେଷ ସଂଘଟିତ ହେଉନାହିଁ ବୋଲି - ମୋର କାହିଁକି ପ୍ରବୃତ୍ତି ଜାତ ହେଉଛି ଏବଂ ନିବୃତ୍ତ ହେବା ପରେ ମୋର ଭଲ କାମ କାହିଁକି ଦୂରେଇ ଯାଉଛି ବୋଲି କୌଣସି ଦୁଃଖ ଆସୁନାହିଁ।” ପୁଣି କଣ ଘଟେ?

14.23

ଉଦାସୀନବଦାସୀନୋ, ଗୁଣୈର୍ୟୋ ନ ବିଚାଲ୍ୟତେ।
ଗୁଣା ବର୍ତ୍ତନ୍ତ ଇତ୍ୟେବ, ୟୋଽବତିଷ୍ଠତି ନେଙ୍ଗତେ॥23॥

ଯେ ଉଦାସୀନଭଳି ସ୍ଥିତ ଏବଂ ଯାହାକୁ ଗୁଣ ଦ୍ବାରା ବିଚଳିତ କରାଯାଇ ପାରେନାହିଁ ତଥା ଗୁଣଗୁଡିକ ହିଁ ଗୁଣରେ ପ୍ରବୃତ୍ତ ହେଉଛନ୍ତି ବୋଲି ଭାବି ଯେ ନିଜ ସ୍ବରୂପରେ ଅବସ୍ଥାନ କରେ ଏବଂ ନିଜେ କୌଣସି ଚେଷ୍ଟା କରେ ନାହିଁ ----

ବିବେଚନ:-

ଶ୍ରୀଭଗବାନ ଗୁଣାତୀତ ବିଷୟରେ କହୁଛନ୍ତି,

ହେ ଅର୍ଜୁନ! ଉଦାସୀନ ବା ନିରପେକ୍ଷ ହୋଇ ଯିଏ ସାକ୍ଷୀ ରୂପେ ରହିଥାଏ, ଯିଏ ଗୁଣ ଦ୍ୱାରା ବିଚଳିତ ହୁଏ ନାହିଁ, ବରଂ ପ୍ରତ୍ୟେକ କର୍ମରେ ପରମାତ୍ମାଙ୍କର ସ୍ୱରୂପ ଅର୍ଥାତ୍ ସତ୍, ଚିତ୍ତର ଆନନ୍ଦ ଉପଭୋଗ କରିଥାଏ“। ଉଦାସୀନ କିମ୍ବା ଉତ୍ତାସୀନର ଅର୍ଥ ନିଷ୍ପକ୍ଷ ବା ନିରପେକ୍ଷ ହୋଇଯିବା। ତରକାରୀରେ ଲୁଣ କମ ହୋଇଛି ବୋଲି ଏହାର ବୋଧ ବା ଅନୁଭବ ନ’କରିବା। କିଏ ମାନ୍ୟ କରୁଛି, ସମ୍ମାନ ଦେଉଛି - ଏସବୁରେ ନିଷ୍ପ୍ରଭ ରହିବା, ସେଥିପାଇଁ ଖାତିର ନକରିବା।

ମହାରାଷ୍ଟ୍ରର ସନ୍ଥ ତୁକାରାମ ଥରେ ଦୁଇ ମୁଠାରେ ଦୁଇ ମୁଠା ବାଲି ଭରିଲେ ଏବଂ ତାକୁ ଅଲଗା ଅଲଗା ଦିଗରେ ପିଙ୍ଗିଦେଲେ। ଶିଷ୍ୟମାନେ ପଚାରିଲେ - ସ୍ୱାମୀଜୀ ଆପଣ ଇଏ କଣ କରୁଛନ୍ତି? ସେ କହନ୍ତି - ଯିଏ ମାନ-ସମ୍ମାନ ଦେଲେ, ଏଠାରେ ପହଞ୍ଚିବା ପରେ ଯିଏ ଫୁଲମାଳ ଅର୍ପଣ କଲେ, ତାଙ୍କପାଇଁ ଗୋଟିଏ ମୁଠା ଏବଂ ଅନ୍ୟ ମୁଠା ତାଙ୍କ ପାଇଁ, ଯିଏ ଦୂରରୁ ଦେଖି ଇର୍ଷା କରୁଥିଲେ, ମୋର ଆଲୋଚନା କରୁଥିଲେ। ଯେଉଁମାନେ କୌଣସି ଏକ ପକ୍ଷରେ ରୁହନ୍ତି ନାହିଁ - ସବୁ ଅବସ୍ଥାରେ ନିରପେକ୍ଷ ଥାଆନ୍ତି, ସିଏ ମାନ-ଅପମାନରେ ସବୁବେଳ ସାକ୍ଷୀ ଭାବରେ ରହିଥାନ୍ତି।

ଯାହାର ଯେଉଁ ଗୁଣ, ସେ ସେହି ଗୁଣକୁ ନିଜର କରିବ। ଉଦାହରଣତଃ - ଆଖିଦିଟା ଭୋଜନକୁ ଦେଖିଲେ, ହାତ ତାହାକୁ ଉଠାଇଲା, ଦାନ୍ତ ଚୋବାଇଲା, ଜିଭ ସ୍ୱାଦ ଚାଖିଲା ଏବଂ ପେଟକୁ ଭୋକ ଲାଗିଲା, ତେଣୁ ସେ ଖାଇଦେଲା।

ଯିଏ ପ୍ରତ୍ୟେକ କର୍ମରେ ଉଦାସୀନ ହୋଇଯାଏ, ସେ କର୍ତ୍ତା ଭାବରେ ରହେ ନାହିଁ। ଶରୀରକୁ ଭୋକ ଲାଗିଛି। ଶରୀରର ପ୍ରତ୍ୟେକ ଅଙ୍ଗ କାର୍ଯ୍ୟ କରୁଛି, ସେଥିରେ ମୁଁ କିଛି କରୁନି” - ଯେତେବେଳେ ଏହି ଭାବ ଆସିଯାଏ, ସେତେବେଳେ ଉଦାସୀନତା ଆସିଯାଏ।

ସ୍ୱାମୀ ରାମତୀର୍ଥଜୀ କହୁଥିଲେ -

ମୋ ରାମକୁ ଭୋକ ଲାଗୁଛି, ତାଙ୍କୁ ଖୁଆଇ ଦିଅ। ମୋ ରାମକୁ ଯେଉଁଠିକୁ ଯିବାକୁ ପଡ଼ିବ, ଚାଲ। ମୋ ରାମକୁ ନିଦ ଲାଗୁଛି, ତାକୁ ଶୁଆଇ ଦିଅ। ବାସ୍ତବରେ ସେ ଯାଆନ୍ତି, ଖାଆନ୍ତି ଏବଂ ଶୁଅନ୍ତି ଇତ୍ୟାଦି କର୍ମ - ରାମଙ୍କ ନାମରେ। ପରନ୍ତୁ, ଗୁଣାତୀତ କେମିତି ହୁଅନ୍ତି, ତାହା ତାଙ୍କର କର୍ମରେ ଦେଖିବାର ଥିଲା। ସମସ୍ତ କର୍ମ କରନ୍ତି କିନ୍ତୁ, ସେ ସେଥିରେ ଲିପ୍ତ ହୁଅନ୍ତି ନାହିଁ। ସେ ପ୍ରତ୍ୟେକ କର୍ମରେ ଉଦାସୀନ ବା ନିଷ୍ପ୍ରଭ ହୋଇଥିଲେ।

ଯିଏ ସମଭାବରେ ଅଛନ୍ତି, ମାନ-ଅପମାନ ସବୁଥିରେ ସାକ୍ଷୀ ଭାବରେ ରହିଥାନ୍ତି, ସେ ଗୁଣାତୀତ, ଯୋଗୀ ଅଟନ୍ତି।

14.24

ସମଦୁଃଖସୁଖଃ(ସ୍) ସ୍ୱସ୍ଥଃ(ସ୍), ସମଲୋଷ୍ଟାଶ୍ମକାଞ୍ଚନଃ।
ତୁଲ୍ୟପ୍ରିୟାପ୍ରିୟୋ ଧୀରଃ(ସ୍), ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ॥24॥

ଯେଉଁ ଧୀର ମନୁଷ୍ୟ ସୁଖ-ଦୁଃଖରେ ସମଭାବାପନ୍ନ ତଥା ନିଜ ସ୍ବରୂପରେ ଅବସ୍ଥିତ, ଯେ ଟେକା, ପଥର ଓ ସୁବର୍ଣ୍ଣ ପ୍ରତି ସମଭାବ ରଖେ, ପ୍ରିୟ-ଅପ୍ରିୟ ଓ ନିଜର ନିନ୍ଦା-ସ୍ତୁତିକୁ ଯେ ସମ ଜ୍ଞାନ କରେ, ଯେ ମାନ-ଅପମାନ ତଥା ମିତ୍ର ଓ ଶତ୍ରୁଙ୍କ ପକ୍ଷରେ ସମ ରହେ ଏବଂ ଯେ ସମସ୍ତ କର୍ମାରମ୍ଭ ପରିତ୍ୟାଗୀ ଅଟେ, ସେହି ମନୁଷ୍ୟକୁ ଗୁଣାତୀତ କୁହାଯାଏ।

ବିବେଚନ:-

ଶ୍ରୀଭଗବାନ କହନ୍ତି ଯେ ଗୁଣାତୀତ କିଏ - ହେ ଅର୍ଜୁନ, “ଯିଏ ନିରନ୍ତର ସ୍ୱସ୍ଥ, ଯାହାର ମନ କେବେ ବି ଦୁଃଖୀ କିମ୍ବା ଅସ୍ୱସ୍ଥ ହୁଏ ନାହିଁ, ସୁଖ-ଦୁଃଖରେ ସମାନ ଭାବ ରଖିଥାଏ”।

ଅନ୍ୟମାନେ ତାଙ୍କର ସୁଖରେ ସୁଖୀ ହୋଇଥାନ୍ତି, କିନ୍ତୁ ସେ ଚୁପ ରହିଥାନ୍ତି ଏବଂ ଯେବେ ଦୁଃଖୀ ହୁଅନ୍ତି, ସେତେବେଳେ ମଧ୍ୟ ଚୁପ୍ ରୁହନ୍ତି।

ସୁନା, ମାଟି, ପଥର ଯାହା ବି ମିଳେ ସବୁ ସମୟରେ ସମାନ ଭାବ ରଖିବା - ଏହାର ଅର୍ଥ, ତା’ଙ୍କ ଚିନ୍ତା ଜ୍ଞାନ ବା ବୁଦ୍ଧି ସମ୍ମୁଖରେ ସୁନା, ମାଟି, ପଥରରେ କୌଣସି ପାର୍ଥକ୍ୟ ନାହିଁ।

ଏଥିପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଶବ୍ଦ କୁହାଯାଇଅଛି - 'समलोष्टाश्मकाञ्चनः'

ଆଜିକାଲି ଆମର ମସ୍ତିଷ୍କ ସାଂପ୍ରତିକ ସରକାରୀ ନୀତି ଏବଂ ଶିକ୍ଷା ପଦ୍ଧତି କାରଣରୁ ଭ୍ରମିତ ହୋଇଯାଇଛି। କୁହାଯାଉଛି ଯେ, ସବୁ ସ୍ଥାନରେ ସବୁଥିରେ ସମଦର୍ଶନ କର।

କିନ୍ତୁ ଏହା ସମ୍ପୁର୍ଣ୍ଣ ସତ୍ୟ ନୁହେଁ। ଆମ ଶାସ୍ତ୍ରରେ ମଧ୍ୟ ସମଦର୍ଶନର ବିଧାନ ରହିଛି, କିନ୍ତୁ ସମ-ବ୍ୟବହାରର ବିଧାନ ନାହିଁ। ସମଦର୍ଶନ କର କିନ୍ତୁ ସମ-ବ୍ୟବହାର କରିବା ଆବଶ୍ୟକତା ନାହିଁ। ସମାନ ଭାବ ରଖ, କିନ୍ତୁ ସମାନ ବ୍ୟବହାର କର ନାହିଁ।

କଥାରେ ଅଛି - ସକଳ ଘଟେ ନାରାୟଣ।

କୁକୁର ମଧ୍ୟରେ ଭଗବାନ ବିରାଜମାନ କରନ୍ତି, ତାକୁ ଭୋଜନ ଦିଅନ୍ତୁ, ମାତ୍ର ଡାଇନିଂ ଟେବଲ ଉପରେ ନୁହେଁ, ଘରର ବାହାରେ ତାକୁ ଖାଇବାକୁ ଦେବା ଉଚିତ୍‌। କୁକୁର, ପିତା, ସନ୍ଥ - ସମସ୍ତଙ୍କଠାରେ ସମଦର୍ଶନ କର, ଭଗବାନଙ୍କ ଦର୍ଶନ କର। ସମସ୍ତଙ୍କର କ୍ଷୁଧା ନିବାରଣ କର। କିନ୍ତୁ, କୁକୁର, ପିତା ଏବଂ ସନ୍ଥଙ୍କୁ ସମାନ ପ୍ରକାର ଭୋଜନ ପରିବେଷଣ କରାଯାଇ ପାରିବ ନାହିଁ ଅର୍ଥାତ ସମ-ବ୍ୟବହାର କରାଯିବା ଉଚିତ ନୁହେଁ।

ଆମର ତ୍ରୁଟି କେଉଁଠି ରହୁଛି! ଆମେ ସମଦର୍ଶନ ନୁହେଁ, ସମ-ବ୍ୟବହାର କରିବାରେ ଲାଗୁଛୁ। ନିଜ ମାତା ପିତାଙ୍କୁ ସମ୍ମାନ ଦେଉନାହୁଁ, ଅନ୍ୟଙ୍କର ମାତାପିତାଙ୍କୁ ସମ୍ମାନ ଦେଉଛୁ। ଏହାଠାରୁ ବଡ଼ ମୁର୍ଖତା କିଛି ନାହିଁ।

ମନେ ରଖିବା କଥା ଏହିକି, ଶାସ୍ତ୍ରରେ ସମଦର୍ଶନର ବିଧାନ ରହିଛି କିନ୍ତୁ ସମ-ବର୍ତ୍ତନ ବା ବ୍ୟବହାରର ବିଧାନ ନାହିଁ।

ଗାନ୍ଧୀଜୀଙ୍କର ଗୋଟିଏ ବହୁତ ଭଲ ପ୍ରସଙ୍ଗ ଧ୍ୟାନରେ ଆସୁଛି -

ପ୍ରବାସ ସମୟରେ ସାବୁନ ମିଳୁ ନ’ଥାଏ। ଚିକିଟା ମାଟିରେ ତିଆରି ଏକ ବଟି ବ୍ୟବହାର କରୁଥିଲେ। ସେଥିରେ ଶରୀରକୁ ରଗଡି ସଫା କରିବାକୁ ପଡ଼ିଥାଏ। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଇ ନିବାସ କରିବାକୁ ପଡ଼େ। ତାଙ୍କ ଜିନିଷପତ୍ରର ରକ୍ଷଣାବେକ୍ଷଣ ମନୁ ଭଉଣୀ କରନ୍ତି। ଯିଏ କି ବ୍ରିଟେନରୁ ଆସିଥିଲେ। ଅନ୍ୟ ଗାଁରେ ପହଞ୍ଚିବା କ୍ଷଣି, ମନୁ ଭଉଣୀ କହିଲେ, “ବାପୁ ଗୋଟିଏ ଜିନିଷ ଆମେ ଭୁଲି ଗଲୁ। ଗାଧୁଆ ବଟି ସେ ଗାଁରେ ଛାଡ଼ି ଆସିଛେ। ଭୁଲ ହୋଇଯାଇଛି।” ଆଉ ଗୋଟିଏ ବଟି ଏଠି ଯୋଗାଡ କରିଦେବା କି? ଗାନ୍ଧୀଜୀ ପଚାରିଲେ -“ ତାହା କଣ ନଷ୍ଟ ହୋଇଯାଇଥିଲା? ଯଦି ନୁହେଁ, ତେବେ ପ୍ରକୃତି ଆମକୁ ଆଉ ଗୋଟିଏ ବଟି ବ୍ୟବହାର କରିବା ପାଇଁ ଅଧିକାର ଦେଇନାହିଁ। କାଲିଠାରୁ ବିନା ବଟିରେ ସ୍ନାନ କରିବା।” ପୁଣି, ପର ସମୟରେ ପଛ ଗାଁରୁ ସେହି ବଟିକୁ ମଗାଇ ଦିଆଗଲା।

ଆମର ଦୃଷ୍ଟିକୋଣ ଉପରେ ପଦାର୍ଥର ମୂଲ୍ୟ ନିର୍ଭର କରେ। ଗାଧୁଆ ବଟି ବଦଳରେ ଯଦି କୌଣସି ମୂଲ୍ୟବାନ ପଦାର୍ଥ ହୋଇଥାନ୍ତା, ମନକୁ ଆଉ ଗୋଟିଏ କ୍ରୟ କରିବାର ଭାବନା ଆସିନ’ଥାନ୍ତା। ମୂଲ୍ୟବାନ ପଦାର୍ଥ ହେଉ, ସୁନା ମୁଦି ହେଉ ଯଦି ହଜିଯାଏ, ତାକୁ ଫେରାଇ ଆଣିବା ପ୍ରଯତ୍ନ କରିଥାନ୍ତୁ। ମାତ୍ର, ପ୍ରକୃତି ପାଇଁ ତାହାର ମହତ୍ତ୍ୱ ଏକ ସମାନ ଅଟେ, ତାହା ଗାଧୁଆ ବଟି ହେଉ କିମ୍ବା ସୁନା ମୁଦି।

14.25

ମାନାପମାନୟୋସ୍ତୁଲ୍ୟଃ(ସ୍) ତୁଲ୍ୟୋ ମିତ୍ରାରିପକ୍ଷୟୋଃ।
ସର୍ବାରମ୍ଭପରିତ୍ୟାଗୀ, ଗୁଣାତୀତଃ(ସ୍) ସ ଉଚ୍ୟତେ॥25॥

ଯେଉଁ ଧୀର ମନୁଷ୍ୟ ସୁଖ-ଦୁଃଖରେ ସମଭାବାପନ୍ନ ତଥା ନିଜ ସ୍ବରୂପରେ ଅବସ୍ଥିତ, ଯେ ଟେକା, ପଥର ଓ ସୁବର୍ଣ୍ଣ ପ୍ରତି ସମଭାବ ରଖେ, ପ୍ରିୟ-ଅପ୍ରିୟ ଓ ନିଜର ନିନ୍ଦା-ସ୍ତୁତିକୁ ଯେ ସମ ଜ୍ଞାନ କରେ, ଯେ ମାନ-ଅପମାନ ତଥା ମିତ୍ର ଓ ଶତ୍ରୁଙ୍କ ପକ୍ଷରେ ସମ ରହେ ଏବଂ ଯେ ସମସ୍ତ କର୍ମାରମ୍ଭ ପରିତ୍ୟାଗୀ ଅଟେ, ସେହି ମନୁଷ୍ୟକୁ ଗୁଣାତୀତ କୁହାଯାଏ।

ବିବେଚନ:-

ଶ୍ରୀଭଗବାନ କହୁଛନ୍ତି, “ହେ ଅର୍ଜୁନ ! ଯିଏ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି, ଯିଏ ବନ୍ଧୁ ଓ ଶତ୍ରୁଙ୍କ ପ୍ରତି ସମ ଭାବାପନ୍ନ ରହନ୍ତି ଏବଂ ଯିଏ କର୍ମର ଆରମ୍ଭ ଓ ଶେଷରେ କର୍ତ୍ତାପଣର ଅଭିମାନରୁ ମୁକ୍ତ ରହିଥାନ୍ତି, ସେହି ହିଁ ଗୁଣାତୀତ ବ୍ୟକ୍ତି ଅଟନ୍ତି”।
ଶ୍ରୀଭଗବାନ ଏଠାରେ ୨୦ଟି ଲକ୍ଷଣ ବା ବୈଶିଷ୍ଟ୍ୟ ଉଲ୍ଲେଖ କରିଲେ। ଆଗକୁ ଆହୁରି ବିସ୍ତୃତ ଭାବେ ବର୍ଣ୍ଣନା ରିହିଛି।

14.26

ମାଂ(ଞ୍) ଚ ୟୋଽବ୍ୟଭିଚାରେଣ, ଭକ୍ତିୟୋଗେନ ସେବତେ।
ସ ଗୁଣାନ୍ସମତୀତ୍ୟୈତାନ୍, ବ୍ରହ୍ମଭୂୟାୟ କଲ୍ପତେ॥26॥

ଯେଉଁ ମନୁଷ୍ୟ ଅବ୍ୟଭିଚାରୀ ଭକ୍ତିଯୋଗ ଦ୍ବାରା ମୋର ସେବା କରେ, ସେ ଏହି ଗୁଣଗୁଡିକୁ ଅତିକ୍ରମ କରି ବ୍ରହ୍ମପ୍ରାପ୍ତିର ପାତ୍ର ହୋଇଯାଏ।

ବିବେଚନ:-

ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଯେଉଁମାନେ ଏହି ସବୁ ଗୁଣକୁ ପରିତ୍ୟାଗ କରି, ଉର୍ଦ୍ଧ୍ୱକୁ ଗତି କରନ୍ତି, ସେମାନଙ୍କୁ ଗୁଣାତୀତ କୁହାଯାଏ। ଏଠାରେ ସେ ଅନନ୍ୟ ବା ସ୍ୱତନ୍ତ୍ର ଭକ୍ତିର କଥା କହୁଛନ୍ତି।

‘ଅବ୍ୟଭିଚାରୀ ଭକ୍ତିଯୋଗ’ - ଅର୍ଥ ଅନନ୍ୟ ଭକ୍ତି। ଅନେକ ସମୟରେ ଏହି ଭକ୍ତିକୁ ଭୁଲ ବୁଝାଯାଏ। ଭଗବାନ ଶିବଙ୍କୁ ପୂଜା କରିବା ଯଦି, ତେବେ ଭଗବାନ ରାମ କିମ୍ବା ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍‌ ନୁହେଁ, - ଏହି ଧାରଣା ଠିକ ନୁହେଁ।

ଅବ୍ୟଭିଚାରୀ ଭକ୍ତିର ଅର୍ଥ ହେଉଛି ନିଜ ସାମର୍ଥ୍ୟ (ପରିବାର, ଜାତି, ଧର୍ମ, ସମ୍ପତ୍ତି ଇତ୍ୟାଦି) ଉପରେ ନିର୍ଭର ନକରି ବା ଏହାର ଆଶ୍ରୟ ନ’ନେଇ କେବଳ ଭଗବାନଙ୍କ ଆଶ୍ରୟ ନେବା। ଆମର ଭକ୍ତି ଏପରି ଯେ ସବୁ ଦିଗର ସମସ୍ତ ପ୍ରୟାସ ବିଫଳ ହେବା ପରେ, ଶେଷରେ ଆମେ ଭଗବାନଙ୍କର ଶରଣରେ ଆସିଥାଉ। ଶ୍ରୀଭଗବାନ କୁହନ୍ତି ଏହା ବ୍ୟଭିଚାର ଅଟେ।

ଅବ୍ୟଭିଚାର ହେବାର ଅର୍ଥ କେବଳ ଗୋଟିଏ ଭଗବାନଙ୍କ ଉପାସନା ନୁହେଁ। ଶ୍ରୀଭଗବାନଙ୍କର ଅନେକ ରୂପ ରହିଛି। ଆମର ଈଷ୍ଟ ଦେବତାଙ୍କୁ ସବୁ ସ୍ୱରୂପରେ ଦେଖିବା ହେଉଛି ପ୍ରକୃତ ଭକ୍ତି। ଆମର ଈଷ୍ଟଦେବତା ଭଗବାନ ରାମ ହୋଇପାରନ୍ତି। କିନ୍ତୁ ଯେତେବେଳେ ଆମେ ଭଗବାନ ଶିବ କିମ୍ବା କୌଣସି ଦେବୀଙ୍କ ମନ୍ଦିରକୁ ଯାଇଥାଉ, ସେତେବେଳେ ଆମକୁ ସେଇ ମୂର୍ତ୍ତିରେ ଭଗବାନ ରାମ ଦେଖାଯିବା ଉଚିତ୍‌ ଏବଂ ପ୍ରତ୍ୟେକ ମନ୍ଦିରରେ ଆମେ ଅଯୋଧ୍ୟା ମନ୍ଦିର ଦେଖିବା ଉଚିତ୍। ଯିଏ ଗୁଣକୁ ଅତିକ୍ରମ କରିଥାଏ, ତା'ର ଭକ୍ତି ହେଉଛି ଏଭଳି ଅବ୍ୟଭିଚାରୀ ଭକ୍ତି। ସେମାନେ ଭୋଗରେ ନୁହେଁ ବରଂ ଭଗବାନଙ୍କଠାରେ ପ୍ରବୃତ୍ତି ରଖିଥାନ୍ତି। ଭଗବାନ ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ ୧୦ଟି ସ୍ଥାନରେ ମନୁଷ୍ୟର ମମତା ରହିଥାଏ -

जननी जनक बंधु सुत दारा। तनु धनु भवन सुह्रद परिवारा।।

ମା, ବାପା, ବନ୍ଧୁ, ସନ୍ତାନ, ଜୀବନସାଥୀ, ଶରୀର, ଧନ, ଘର, ସାଙ୍ଗସାଥୀ ଓ ଭାଇଭଉଣୀ, ପରିବାର

ଏହି ୧୦ଟି ସ୍ଥାନରେ ବ୍ୟକ୍ତିର ଆକର୍ଷଣ ଥାଏ, କିନ୍ତୁ ଧନ ଓ ଭବନକୁ ଶ୍ରୀଭଗବାନ ଶ୍ରୀକୃଷ୍ଣ ଅଲଗା ରଖଛନ୍ତି କାରଣ ଘରପ୍ରତି ଲୋଭ ଓ ମୋହ ମଧ୍ୟ ରହିଥାଏ। ଏସବୁରୁ ରକ୍ଷା ପାଇବାର ଉପଚାର -

सब कै ममता ताग बटोरी। मम पद मनहि बाँध बरि डोरी।।

ଏହି ସବୁର ମୋହ ମମତାକୁ ଏକତ୍ରିତ କରି, ମୋ ଚରଣରେ ଅର୍ପଣ କରିଦେଲେ, ତାହା ଅବ୍ୟଭିଚାରିଣୀ ଯୋଗ ହେବ। ଯେବେ ସଂସାର ଉପରେ ନିର୍ଭର ନକରି, ଭଗବାନଙ୍କ ଆଶ୍ରୟ ନିଅନ୍ତି, ତାହା ଅବ୍ୟଭିଚାରିଣୀ ଭକ୍ତିଯୋଗରେ ପରିଣତ ହୁଏ ।

व्यक्ति: तदनुसार लक्षणं, लक्षणं तदनुसार व्यक्ति (ବ୍ୟକ୍ତିର ବୈଶିଷ୍ଟ୍ୟ ଅନୁଯାୟୀ ଲକ୍ଷଣ, ଲକ୍ଷଣର ବୈଶିଷ୍ଟ୍ୟ ଅନୁଯାୟୀ ବ୍ୟକ୍ତି) :-



୧.ବ୍ୟବହାର :-

ସତ୍ତ୍ୱଗୁଣୀ-ସନ୍ତୁଷ୍ଟ, (Sattva quality - Contentment) -

ସତ୍ତ୍ୱ ଗୁଣ ଥିବା ବ୍ୟକ୍ତି ଯେକୌଣସି ପରିସ୍ଥିତିରେ ସନ୍ତୁଷ୍ଟ ରହିଥାନ୍ତି । ସେ ସର୍ବଦା ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି । ତାଙ୍କ ଜୀବନରେ ଅଭିଯୋଗ ଖୁବ୍ କମ୍‌ ଥାଏ। ଗୀତାର ଦ୍ୱାଦଶ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ କହନ୍ତି-

सन्तुष्टः येन केन चित्त्।। - "ଯେକୌଣସି ଉପାୟରେ ସନ୍ତୁଷ୍ଟ ରୁହ।”

ଅତ୍ୟନ୍ତ ସମ୍ମାନିତ ବ୍ରହ୍ମଲୀନ ଜୟଦୟାଲ ଜୀ ଗୋଏଙ୍କା ଚୁରୁର ବାସିନ୍ଦା ଥିଲେ ଏବଂ କୋଲକାତାରେ ବ୍ୟବସାୟ କରୁଥିଲେ। ଥରେ ସେ ରାଜସ୍ଥାନରୁ ୧୦ ଟ୍ରକ୍ ବାଜରା ମଗାଇଥିଲେ। ବଜାରରେ ପ୍ରତିଦ୍ୱନ୍ଦ୍ୱିତା ବଶତଃ ବାଜରା ଦର ହ୍ରାସ ହେବାରୁ, ବ୍ୟବସାୟୀମାନେ ସେଠଜୀଙ୍କୁ ନିଜର ଚିନ୍ତା ବ୍ୟକ୍ତ କରି ପ୍ରଭାବିତ କରିବା ଆରମ୍ଭ କଲେ ଯେ ଏପରି ମଗାଇବା ଦ୍ୱାରା ସେମାନଙ୍କର କ୍ଷତି ହେବ।

ସେଠଜୀଙ୍କ ଆଖିରେ ଲୁହ ଆସିଗଲା। ସେ କହିଲେ,”ମୁଁ କାହାର କ୍ଷତି କରିବାକୁ ଚାହୁଁନଥିଲି।” ଏତିକି କହି ସେ ରାସ୍ତାରୁ ସବୁ ବାଜରା ଫେରାଇ ଦେଇଥିଲେ। ଯଥାସମ୍ଭବ ତାଙ୍କ ଆଖପାଖରେ ଥିବା ଲୋକମାନେ କୌଣସି ପ୍ରକାରେ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ। ଯଦି ତାଙ୍କର ଉତ୍ତମ କର୍ମ ଅନ୍ୟମାନଙ୍କୁ କଷ୍ଟ ଦିଏ, ତେବେ ସେ ସେହି କାମ କରିବାକୁ ଚାହାଁନ୍ତି ନାହିଁ।

ନିକଟରେ ସ୍ୱାମୀ ପ୍ରେମାନନ୍ଦଜୀଙ୍କ ରାତ୍ରି କୀର୍ତ୍ତନ ନେଇ ଅଭିଯୋଗ ହେବା ପରେ ତୁରନ୍ତ କୀର୍ତ୍ତନ ବନ୍ଦ କରାଯାଇଥିଲା। କାରଣ କୀର୍ତ୍ତନ ଅନ୍ୟର ନିଦରେ ବାଧା ସୃଷ୍ଟି କରୁଥିଲା। ଯେକୌଣସି କାରଣରୁ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହେବା ଉଚିତ ନୁହେଁ। ତା'ପରେ ପୁଣି କୀର୍ତ୍ତନ ଆରମ୍ଭ କରିବା ପାଇଁ ଆଉ ଏକ ଉପାୟ ଚୟନ କରାଗଲା।

ରଜୋଗୁଣୀ- ଅସନ୍ତୁଷ୍ଟ

ରଜୋଗୁଣୀ ବ୍ୟକ୍ତି କହନ୍ତି, ”ଯଦି ମୋର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପନ୍ନ ହେଇଯାଏ, ତେବେ ମୁଁ ସନ୍ତୁଷ୍ଟ ହେଇଯିବି।” ସେ ଏହି କାର୍ଯ୍ୟ ପାଇଁ ସାରା ଦିନ ଚିନ୍ତା କରିବାରେ ବିତାଇଥାନ୍ତି, କିନ୍ତୁ ଇଚ୍ଛା ବା କାମନାର ଅନ୍ତ ନାହିଁ। ସାରା ଜୀବନ ଲକ୍ଷ୍ୟ ବଦଳୁଥାଏ।

ତମୋଗୁଣୀ - ଆଳସ୍ୟରେ ସନ୍ତୁଷ୍ଟ

ଏହି ଗୁଣଧାରୀ ବ୍ୟକ୍ତି ସାତ୍ତ୍ୱିକ ଗୁଣୀ ଭଳି ଦେଖାଯାନ୍ତି। କାମ କରିବା ପ୍ରବୃତ୍ତିର ଅଭାବ ସେମାନଙ୍କ ପାଖରେ ରହିଛି। ନିଜ ପ୍ରତି କୌଣସି ଚିନ୍ତା ନ’ଥାଏ। କିନ୍ତୁ, ସେମାନେ ଅନ୍ୟମାନଙ୍କ ଉପରେ ଅସନ୍ତୁଷ୍ଟ ରୁହନ୍ତି। ପଡ଼ୋଶୀ କାହିଁକି ଏପରି କରୁଛନ୍ତି? ସେ କାହିଁକି ଏପରି କରୁଛନ୍ତି? ସେ କାହିଁକି ଉପଭୋଗ କରୁଛନ୍ତି? କେମିତି ସେ ଏତେ ସମ୍ପତ୍ତି ସଂଗ୍ରହ କଲେ? ସେ ପାଆନ୍ତୁ ବା ନ ପାଆନ୍ତୁ, ଅନ୍ୟର ପ୍ରଗତିରେ ଈର୍ଷାରେ ଜଳି ଯାଆନ୍ତି। ସେ ଆଳସ୍ୟରେ ସନ୍ତୁଷ୍ଟ ରହିଥିଲେ ମଧ୍ୟ ଅନ୍ୟର ପ୍ରଗତିରେ ଅସନ୍ତୁଷ୍ଟ ରହିଥାନ୍ତି।

୨.ବାଣୀ :-

ସତ୍ତ୍ୱଗୁଣୀ - ସତ କୁହନ୍ତି ଏବଂ ସମସ୍ତଙ୍କ ଠାରେ ପ୍ରିୟ କଥା କୁହନ୍ତି। ଯାହାର ବାଣୀର ସ୍ୱର ମୃଦୁ (ସ୍ୱର ଏବଂ ବେଗ - volume & speed), କଥାବାର୍ତ୍ତାରେ ଚଞ୍ଚଳତା ବା ଦ୍ରୁତତା ଏବଂ ଶବ୍ଦର ସ୍ୱର ଉଞ୍ଚା ନ’ଥାଏ, ସେ ହେଉଛନ୍ତି ସାତ୍ତ୍ୱିକ ବ୍ୟକ୍ତି ବା ସତ୍ତ୍ୱ ଗୁଣଧାରୀ।

ଶ୍ରୀଭଗବାନ କହୁଛନ୍ତି, वाक्यं सत्यं प्रियहितं च। - ଅର୍ଥାତ୍‌ - 'ସତ୍ୟ, ପ୍ରିୟ ଓ ମଙ୍ଗଳକର ବାକ୍ୟ କୁହ”

ସେମାନେ ବିଶ୍ୱାସ କରନ୍ତି -

ऐसी वाणी बोलिए, मन का आपा खोय।

औरन को शीतल करे, आपहु शीतल होय।।

 'ଏପରି ବାଣୀ କୁହନ୍ତୁ ଯାହା ମନକୁ ଶାନ୍ତ କରେ, ଅନ୍ୟକୁ ଶାନ୍ତ କରେ ଏବଂ ନିଜକୁ ମଧ୍ୟ ଶୀତଳ କରେ’।

ରଜୋଗୁଣୀ -

 ऐसी वाणी बोलिए, सबसे झगड़ा होय।

उससे झगड़ा न करे, जो मुझसे तगड़ा होय।।

ଏମିତି ବାକ୍ୟ କୁହନ୍ତି, ଯାହା ସମସ୍ତଙ୍କ ସହ କଳହ ସୃଷ୍ଟି କରେ। କିନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଶକ୍ତିଶାଳୀ ବା ଆମ ସହ କଳହ କରନ୍ତି, ସେମାନଙ୍କ ସହ କଳହ କରନ୍ତି ନାହିଁ।

ଆତ୍ମଗର୍ବୀମାନେ ଜୋର ଜୋରରେ କଥା ହୁଅନ୍ତି। ସେମାନଙ୍କ ବାକ୍ୟର ତେଜ ଏବଂ ବେଗ (Volume, speed),  ଉଭୟ ଦ୍ରୁତ ଏବଂ ତୀବ୍ର ଅଟେ। ସେମାନେ ନିଜ କଥାକୁ ପ୍ରମାଣିତ କରିବା ପାଇଁ ଅତି ଜୋରରେ କଥା ବାର୍ତ୍ତା କରନ୍ତି। ଅତିକ୍ରମ କରୁଥିବା ଗାଡିକୁ ଦେଖି ଚିତ୍କାର କରି କହନ୍ତି - "ଯଦି ଏବେ ଦୁର୍ଘଟଣା ଘଟିଥାନ୍ତା ତେବେ କ'ଣ ହୋଇଥାନ୍ତା? ଆପଣଙ୍କ କାର୍ ଆଘାତରେ ଅନ୍ୟର ଗୋଡ଼ ଭାଙ୍ଗିଗଲେ କେତେ ବିପତ୍ତି ହେବ ଇତ୍ୟାଦି, ଇତ୍ୟାଦି"।

ସେ ସର୍ବଦା ଅନ୍ୟମାନଙ୍କୁ ଜ୍ଞାନ ପ୍ରଦାନ କରନ୍ତି ଏବଂ ଉତ୍ତେଜିତ ଭାବରେ କଥା ହୁଅନ୍ତି। ନିଜକୁ ସଠିକ୍ ପ୍ରମାଣିତ କରିବା ପାଇଁ ସେ ଦମ୍ଭରେ କଥା କୁହନ୍ତି। କଟାକ୍ଷ, ଉପହାସ ଏବଂ ବ୍ୟଙ୍ଗ ମଧ୍ୟ କରନ୍ତି।

ତମଗୁଣୀ - ବିବେକହୀନ ବା ଅଯଥାର୍ଥ

ତମୋଗୁଣୀ ସମସ୍ତଙ୍କ ସହ ଝଗଡ଼ା କରନ୍ତି। ସେ ବିନା କାରଣରେ ଅପମାନଜନକ ଶବ୍ଦ କୁହନ୍ତି। ଏଭଳି ଲୋକଙ୍କୁ ଚୁପ୍ କରାଇବାକୁ ପଡ଼େ। ନିଜର କ୍ଷତି ହେଉଥିଲେ ମଧ୍ୟ ସେ କାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସେ ଶୁଭେଚ୍ଛୁଙ୍କ ସହ ଓଲଟା କଥା ମଧ୍ୟ କରନ୍ତି।

୩. ଭୋଜନ : - ଯେଉଁ ପରି ଅନ୍ନ ସେହି ପରି ମନ।

ସତ୍ତ୍ୱ ଗୁଣୀ - ଏଭଳି ବ୍ୟକ୍ତି ନିଜର ଭୋକ ମେଣ୍ଟାଇବା ପାଇଁ ଯେ କୌଣସି ସାତ୍ତ୍ୱିକ ଖାଦ୍ୟ ଖାଇ ସନ୍ତୁଷ୍ଟ ହୋଇଥାନ୍ତି। ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ଖାଆନ୍ତି। ଯଦିଓ ଖାଦ୍ୟ ବହୁତ ଭଲ ଏବଂ ସେମାନଙ୍କ ପସନ୍ଦ ଅନୁଯାୟୀ ଥାଏ, ତଥାପି ସେମାନେ ନିର୍ଦ୍ଧାରିତ ପରିମାଣ ଏବଂ ନିର୍ଦ୍ଧାରିତ ସମୟ ଉପରେ ଧ୍ୟାନ ଦିଅନ୍ତି।

ରଜୋ ଗୁଣୀ - ସେମାନଙ୍କ ଜୀବନରେ ଭୋକର ମହତ୍ତ୍ୱ କମ୍, କିନ୍ତୁ ସ୍ୱାଦର ଗୁରୁତ୍ୱ ଅଧିକ ଥାଏ। ରଜୋ ଗୁଣୀ ଭୋକ ପାଇଁ ନୁହେଁ, ସ୍ୱାଦ ପାଇଁ ଖାଆନ୍ତି ଏବଂ ସ୍ୱାଦ ଅନୁଯାୟୀ ଭୋଜନ କରନ୍ତି। ଭୋଜନ ସମୟରେ, ସେମାନେ ଭୋକିଲା ଥିଲେ ମଧ୍ୟ, ଯଦି ସେମାନଙ୍କ ମନପସନ୍ଦର ଖାଦ୍ୟ ଉପଲବ୍ଧ ନହୁଏ, ତେବେ ସେମାନେ ଭୋଜନ କରନ୍ତିନାହିଁ। ଭୋକ ନ ଲାଗୁଥିଲେ କିନ୍ତୁ ସେମାନଙ୍କ ମନପସନ୍ଦର ଖାଦ୍ୟ ସାମ୍ନାରେ ରହିଲେ ସେମାନେ ଭୋଜନ କରି ନିଅନ୍ତି।

ତମ ଗୁଣୀ - ତମୋଗୁଣ ଆଧାରିତ ବ୍ୟକ୍ତି କ'ଣ ଖାଇବା ଯୋଗ୍ୟ ବା ଖାଇବା ଅଯୋଗ୍ୟ, ଅଖାଦ୍ୟ, ଶୁଦ୍ଧ ବା ଅଶୁଦ୍ଧ, ବାସି କିମ୍ବା ତାଜା ଖାଦ୍ୟ କୁ ବିଚାର କରନ୍ତି ନାହିଁ। ସେମାନେ ସମୟ, ସ୍ଥାନ କିମ୍ବା ସ୍ୱଚ୍ଛତା ଏବଂ ଅପରିଷ୍କାରତା ବିଷୟରେ ଚିନ୍ତା କରନ୍ତି ନାହିଁ। ଶରୀରର କ୍ଷତି ହେଉ ନା କାହିଁକି ସେମାନେ ଯାହା ପସନ୍ଦ କରନ୍ତି ତାହା ଖାଆନ୍ତି। ସେମାନେ ଭୋକ ଉପଲବ୍ଧିକୁ ବିଚାର କରନ୍ତି ନାହିଁ।

୪. ବସ୍ତ୍ର :-

ସାତ୍ତ୍ୱିକ ବ୍ୟକ୍ତି - ସେମାନେ ଧଳା, ହାଲୁକା ରଙ୍ଗର ଏବଂ ଆରାମଦାୟକ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ।

ରାଜସିକ ବ୍ୟକ୍ତି - ସେମାନେ ଅସହଜ ହୋଇଥିଲେ ମଧ୍ୟ ଉଜ୍ଜ୍ୱଳ, ରଙ୍ଗୀନ, ସୁନ୍ଦର, ଫ୍ୟାଶନେବଲ ପୋଷାକ ପସନ୍ଦ କରନ୍ତି ।

ତାମସିକ ବ୍ୟକ୍ତି - ସେମାନେ ଅପରିଷ୍କାର, ଅସହଜ ଏବଂ ଅଶାଳୀନ ପୋଷାକ ପିନ୍ଧିଥାନ୍ତି। ସେମାନେ ଏପରି ପୋଷାକ ପିନ୍ଧିପାରନ୍ତି ଯାହା ଅନ୍ୟକୁ ଖରାପ ଲାଗେ, ଅତ୍ୟଧିକ ଆକାରର ଥାଏ, ଫାଟିଯାଇଥିବା କିମ୍ବା ଧୁଆ ହୋଇ ନଥାଏ।

୫. ଆବାସ (ରହିବା ସ୍ଥାନ) :-

ସତ୍ତ୍ୱ ଗୁଣୀ - ଘର ସମ୍ପୂର୍ଣ୍ଣ ପରିଷ୍କାର, ଭଲ ବାତାବରଣ ଯୁକ୍ତ ଏବଂ ଶୁଦ୍ଧ ରଖେ।

ରଜୋ ଗୁଣୀ - ଘର ଟିକିଏ ବିଳାସପୂର୍ଣ୍ଣ ଥାଏ। ଦାମୀ ଜିନିଷରେ ଭରା ରହିଥାଏ।  

ତମ ଗୁଣୀ - ଘର ଅସଂଗଠିତ ଓ ଅଶୁଦ୍ଧ ଥାଏ। ଘରେ ପରିଷ୍କାର ପରିଚ୍ଛନ୍ନତା ନଥାଏ, ବାସନ କୁସନ ମଧ୍ୟ ଅପରିଷ୍କାର ରହିଥାଏ।

୬. ନିବେଶ :-

ସତ୍ତ୍ୱ-ଗୁଣୀ:- ସୁରକ୍ଷିତ ନିବେଶରେ ବିଶ୍ୱାସ କରନ୍ତି। ନିଜର ପରବର୍ତ୍ତୀ ଜନ୍ମର ସଫଳତାକୁ ନିଶ୍ଚିତ କରିବା ପାଇଁ ସେ ଦାନରେ ଅର୍ଥ ବିନିଯୋଗ କରନ୍ତି। ନିଜ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସେ କିଷାନ ବିକାଶ ପତ୍ର, ଏଫଡି, ପିପିଏଫ ଏବଂ ଏଲଆଇସି ଇତ୍ୟାଦିରେ ମଧ୍ୟ ନିଜର ଧନ ବିନିଯୋଗ କରନ୍ତି। ଯେତେବେଳେ ସେ ରୋଜଗାର କରନ୍ତି, ସେ ତାଙ୍କ ଆୟର ଦଶ ପ୍ରତିଶତ ଭାଗ ପରବର୍ତ୍ତୀ ବୟସ ପାଇଁ ଏବଂ ଅବସର ପରେ ତାଙ୍କ ପେନ୍‌ସନର ୨୫ ପ୍ରତିଶତ ସତ୍ତ୍ବ-ଗୁଣୀ ନିବେଶରେ ବିନିଯୋଗ କରନ୍ତି, ଅର୍ଥାତ୍ ସେ ଦାନ କରନ୍ତି।

ରଜୋ-ଗୁଣୀ:- ଅଧିକ ଟଙ୍କା ରୋଜଗାର କରିବା ଆଶାରେ, ଏମାନେ ନିଜର ଟଙ୍କାକୁ ମ୍ୟୁଚୁଆଲ ଫଣ୍ଡ, ସେୟାର କିମ୍ବା ଜୁଆ ଖେଳରେ ବିନିଯୋଗ କରନ୍ତି।

ତମ-ଗୁଣୀ:- ଜୁଆ କିମ୍ବା ଲଟେରୀରେ ନିଜର ଟଙ୍କା ନଷ୍ଟ କରନ୍ତି, ଦଶ ଟଙ୍କାକୁ ଏକାଥରକେ ଶହେ କିମ୍ବା ଦୁଇଗୁଣା ଟଙ୍କାରେ ପରିଣତ କରିବା ଆଶାର ଭାବନା ସବୁବେଳେ ତାଙ୍କ ମନରେ ରହିଥାଏ।

୭. କର୍ମ ବା କାର୍ଯ୍ୟ :-

ସତ୍ତ୍ବ-ଗୁଣୀ:- ଏକ କର୍ତ୍ତବ୍ୟ ଭାବରେ ନିଜ କାର୍ଯ୍ୟ ସମ୍ପାଦନ କରେ। ଏମାନେ ନିଜ କର୍ତ୍ତବ୍ୟର ଶ୍ରେୟକୁ ସର୍ବଦା ମନରେ ରଖି କାର୍ଯ୍ୟ କରନ୍ତି।

ରଜୋ-ଗୁଣୀ: - ନିଜ ମନ ଅନୁଯାୟୀ କାମ କରିଥାଏ। ନିଜ ଯୋଗ୍ୟତା ସେମାନେ ଜାଣନ୍ତି, କିନ୍ତୁ ଧ୍ୟାନ ସର୍ବଦା ପ୍ରେୟ ବା ଆନନ୍ଦ ଉପରେ ରଖିଥାନ୍ତି। ମନ ଯାହା ଚାହେଁ ତାହା କରନ୍ତି।

ତମ-ଗୁଣୀ:- ଏହି ଗୁଣର ବ୍ୟକ୍ତିମାନେ, ଯଦି ତାଙ୍କୁ କିଛି କରିବାକୁ ବାଧ୍ୟ କରାଯାଏ, ତେବେ ସେମାନେ ଅନିଚ୍ଛାରେ କିଛି କାମ କରିଦିଅନ୍ତି। ତାଙ୍କର ଲକ୍ଷ୍ୟ ହେଉଛି-

‘अजगर करे न चाकरी, पंछी करे न काम।

दास मलूका कह गए, सबके दाता राम॥’

'ଅଜଗର ଚାକିରୀ କରେ ନାହିଁ, ପକ୍ଷୀ କାମ କରେ ନାହିଁ। ଦାସ ମଲୁକା କହିଛନ୍ତି, ସବୁ ରାମ ଦେଇଛନ୍ତି।

ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜଣେ ଋଷିଙ୍କ ପାଖକୁ ନେଇଗଲେ। ସେ କହିଲେ ଯେ, “ତା’ଙ୍କ ସ୍ୱାମୀ ଯାହା ରୋଜଗାର କରନ୍ତି, ତାହାକୁ ମଦରେ ନଷ୍ଟ କରିଦିଅନ୍ତି। ଦୟାକରି ମୋ ସ୍ୱାମୀଙ୍କୁ କିଛି ପରାମର୍ଶ ଦିଅନ୍ତୁ।” ଋଷି ଜଣକ ସେହି ବ୍ୟକ୍ତିଙ୍କୁ କହିଲେ- ମଦରେ କାହିଁକି ଟଙ୍କା ନଷ୍ଟ କରୁଛନ୍ତି, ଆପଣ ଏହାକୁ ଘରେ ରଖନ୍ତୁ? ବ୍ୟକ୍ତି ଜଣକ ସାଧୁଙ୍କୁ ପ୍ରଣାମ କରି କହିଲେ, "ତୁମେ କହୁଛ- ରାମ ହିଁ ସମସ୍ତଙ୍କ ପାଇଁ ଦାତା। ଭଗବାନ ସମସ୍ତଙ୍କୁ ରୁଟି ଯୋଗାଇ ଦିଅନ୍ତି। ମୁଁ କେମିତି ତୁମ କଥାକୁ ଅସ୍ୱୀକାର କରିପାରିବି? ଭଗବାନ ରୁଟି ଦେବେ କିନ୍ତୁ ମଦ ତ ଦେବେ ନାହିଁ, ତେଣୁ ମୁଁ ମଦ ପାଇଁ ରୋଜଗାର କରେ।”

୮. ସ୍ୱଭାବ ବା ପ୍ରକୃତି :-

ସତ୍ତ୍ୱ-ଗୁଣୀ:- ଏପରି ବ୍ୟକ୍ତି ଅନ୍ୟର ହିତ ପାଇଁ କାର୍ଯ୍ୟ କରନ୍ତି। ଲଙ୍କା କାଣ୍ଡରେ ଯେତେବେଳେ ସେନା ସମୁଦ୍ର ପାର ହୋଇ ପହଞ୍ଚିଲେ, ଶ୍ରୀଭଗବାନ ରାମ ଅଙ୍ଗଦଙ୍କୁ ଶାନ୍ତି ଦୂତ ଭାବରେ ପଠାଇଲେ। ଅଙ୍ଗଦ ରାମଜୀଙ୍କୁ ପଚାରିଥିଲେ, ସେ ସେଠାରେ କ'ଣ କହିବେ। ଏହାର ଉତ୍ତରରେ ଶ୍ରୀରାମଜୀ କହିଥିଲେ -

काजु हमार तासु हित होई।

रिपु सन करेहु बतकही सोई॥

ଶତ୍ରୁଙ୍କ ସହ ଏପରି ଭାବରେ କଥା ହୁଅନ୍ତୁ ଯାହା ଆମର ଉଦ୍ଦେଶ୍ୟ ପୂରଣ କରିବ ଏବଂ ସେମାନଙ୍କର ମଧ୍ୟ କଲ୍ୟାଣ ହେବ। ଆମର କାର୍ଯ୍ୟ ସମ୍ପନ୍ନ ହେଉ ଏବଂ ସେମାନଙ୍କ ହିତ ସୁନିଶ୍ଚିତ ହେଉ।

ରଜୋ-ଗୁଣୀ: - ଏକ ରଜୋ-ଗୁଣୀ ପାଇଁ, ସ୍ୱାର୍ଥ ସର୍ବୋପରି ଅଟେ। ରଜୋ-ଗୁଣୀର ମାର୍ଗଦର୍ଶକ ନୀତି ହେଉଛି-

अपना काम बनता, भाड़ में जाए जनता।

'ମୋ’ର କାମ ସଫଳ ହେଉ, ଜନସାଧାରଣ ନର୍କଗାମୀ ପଛେ ହୁଅନ୍ତୁ।

ବେଳେବେଳେ ସତ୍ସଙ୍ଗକୁ ଯାଉଥିବା ଲୋକମାନେ ମଧ୍ୟ ଏମିତି କିଛି କରିଥାନ୍ତି। ଜଣେ ବ୍ୟକ୍ତି ସେଠାରେ ପଡ଼ିଥିବା ସମସ୍ତ ଚପଲ୍‌କୁ ନିଜ ପାଦରେ ସ୍ଥାନାନ୍ତର କରି ନିଜ ଚପଲ ପାଇଁ ଜାଗା ନିରୂପଣ କରି, ଚପଲ ରଖି ଭିତରକୁ ଯାଆନ୍ତି। ସତ୍ସଙ୍ଗ ପରେ ଅନ୍ୟମାନଙ୍କ ପାଇଁ ନିଜ ନିଜର ଚପଲ ଖୋଜିବା ଯେତେ କଷ୍ଟକର ହେଉ ନା କାହିଁକି, ସେମାନେ ଭାବନ୍ତି ନାହିଁ।

ତମ-ଗୁଣୀ:- ଏହିପରି ବ୍ୟକ୍ତି କେବଳ ନିଜକୁ ନୁହେଁ ବରଂ ଅନ୍ୟମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ଗୋସ୍ୱାମୀ ତୁଳସୀଦାସ ଜୀ କହନ୍ତି-

जिमि हिमि उपल कृषी दलि गरही।

ଯେମିତି କୁଆପଥର ଫସଲ ନଷ୍ଟ କରି, ନିଜେ ନଷ୍ଟ ହୁଏ ସେମିତି ଏହିପରି ବ୍ୟକ୍ତି ଅନ୍ୟର ଧନ ନଷ୍ଟ କରି, ନିଜେ ନଷ୍ଟ ହୋଇଯାଆନ୍ତି। ଜଣେ ତମଗୁଣୀ ବ୍ୟକ୍ତି ନିଜର ହିତ ବା ସ୍ୱାର୍ଥକୁ ବିଚାର କରି ପାରେ ନାହିଁ ଏବଂ ଅନ୍ୟର ସ୍ୱାର୍ଥକୁ ମଧ୍ୟ ବିଚାର କରେ ନାହିଁ।

୯. ରୁଚି ବା ଆଗ୍ରହ :-

ସତ୍ତ୍ବ ଗୁଣୀ: - ଧର୍ମ, କର୍ମ ଓ ସେବା ପ୍ରତି ରୁଚି ବା ଆଗ୍ରହ ରହେ। ଯଦି ସମାଜରେ କିଛି ଭଲ କାମ ହୁଏ, ତେବେ ସେଥିରେ ତା’ଙ୍କର ଯୋଗଦାନ ରହିବାକୁ ସେମାନେ ଚାହାଁନ୍ତି।

ରଜୋ-ଗୁଣୀ:- ଗର୍ବ, ଅହଂକାର ଏବଂ ସମ୍ମାନ ପ୍ରତି ଆଗ୍ରହ ରଖନ୍ତି। ତାଙ୍କର ନାମ, ପ୍ରସିଦ୍ଧି ଓ ଯଶରେ ଲୋଭ, ଏହା ବଢ଼ାଇବା ପାଇଁ ସେମାନେ ଦିନସାରା କାମ କରନ୍ତି। “ଲୋକମାନେ ମୋତେ ଜାଣନ୍ତୁ, ମୋତେ ସମ୍ମାନ ଦିଅନ୍ତୁ ଏବଂ ମୋ ବିଷୟରେ ଭଲ ଭାବରେ ଚିନ୍ତା କରନ୍ତୁ”, ଏହା ତା’ଙ୍କର ଧ୍ୟେୟ ରହେ।

ତମ-ଗୁଣୀ:- ସର୍ବଦା ଅଧର୍ମ ବିଷୟରେ କଥା ବାର୍ତ୍ତା କରନ୍ତି ଏବଂ ଧର୍ମ ବିପରୀତ କାର୍ଯ୍ୟ କରନ୍ତି । ଅଧର୍ମ ପ୍ରତି ଆଗ୍ରହ ବା ରୁଚି ରଖନ୍ତି। ଏପରିକି ଧର୍ମରେ ମଧ୍ୟ ସେମାନେ ଅଧର୍ମ ଖୋଜିଥାନ୍ତି।

୧୦. ଇଚ୍ଛା :-

 

ସତ୍ତ୍ୱ-ଗୁଣୀ:- ଏମାନେ ଆବଶ୍ୟକତାକୁ ମହତ୍ତ୍ୱ ଦିଅନ୍ତି।

ରଜୋ-ଗୁଣୀ:- ଇଚ୍ଛାକୁ ଆବଶ୍ୟକତାରେ ପରିଣତ କରିଦେଇ ପାରନ୍ତି। ନିଜର ମନସ୍କାମନା ପୂରଣ ପାଇଁ ଆବଶ୍ୟକତାକୁ ବଳିଦିଅନ୍ତି ଅବା ତ୍ୟାଗ କରି ଦିଅନ୍ତି।

ତମୋ-ଗୁଣୀ:- ଅନ୍ୟର ଇଚ୍ଛାରେ ବାଧା ସୃଷ୍ଟି କରନ୍ତି। ଏମାନେ ନିଜ ଇଚ୍ଛାପ୍ରତି ଧ୍ୟାନ ଦିଅନ୍ତି ନାହିଁ, ଅଥଚ ଅନ୍ୟର କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ବା ବାଧକ ହୁଅନ୍ତି।

୧୧. ସଙ୍ଗ :-

ସତ୍ତ୍ୱଗୁଣୀ:- ଭଲ ଲୋକଙ୍କ ସହ ଜଡିତ ରହି ପୁଣ୍ୟ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି। ଏବଂ ପୁଣ୍ୟବ୍ୟକ୍ତିଙ୍କ ସହିତ ରହିବାକୁ ପସନ୍ଦ କରନ୍ତି। ତୁଳସୀଦାସ ଜୀ କହିଛନ୍ତି,

"बिनु सत्संग विवेक न होई। राम कृपा बिनु सुलभ न सोई"

“ସତ୍‌ସଙ୍ଗ ବିନା ବୁଦ୍ଧି ବିବେକ ନାହିଁ। ରାମଙ୍କ କୃପା ବିନା କିଛି ସହଜରେ ସମ୍ଭବ ନୁହେଁ।”

ରଜୋ-ଗୁଣୀ:- ସବୁବେଳେ ଧନୀ ଓ ପ୍ରଭାବଶାଳୀ, ଉଚ୍ଚ ପଦବୀ ଯୁକ୍ତ ବ୍ୟକ୍ତିଙ୍କ ସହ ମିଶି ରହିବାକୁ ପସନ୍ଦ କରନ୍ତି।

ତମ-ଗୁଣୀ:- ଭଲଲୋକଙ୍କଠାରୁ ଦୂରରେ ରହିବାକୁ ଇଚ୍ଛା କରନ୍ତି।

ଏହି ସବୁ ଗୁଣ ଆମ ଭିତରେ ରହିଛି। ନିର୍ଦ୍ଦିଷ୍ଟ ପରିସ୍ଥିତିରେ, ଜଣେ ସତ୍ତ୍ୱ କିମ୍ବା ତମଗୁଣୀ ବ୍ୟକ୍ତି କାର୍ଯ୍ୟ କରିବା ଦେଖା ଯାଇପାରେ। ବ୍ୟକ୍ତିଙ୍କର କର୍ମ ତାଙ୍କ ଜୀବନରେ କେଉଁ ଗୁଣର ପ୍ରାଧାନ୍ୟ ଅଛି ସୂଚାଇ ଦେଇଥାଏ। କର୍ମ ଦକ୍ଷତାରୁ ଜଣାଯାଏ ଯେ, ତାଙ୍କର ଜୀବନ ଅଧିକାଂଶ ସାତ୍ତ୍ୱିକ, ରାଜସିକ ନା ତାମସିକ।

୧୧ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉଲ୍ଲେଖ କରାଯାଇଛି: -

୧.ଆଚରଣ, ୨.ବାଣୀ, ୩.ଭୋଜନ, ୪.ବସ୍ତ୍ର, ୫.ଆବାସ, ୬.ନିବେଶ, ୭.କର୍ମ, ୮.ସ୍ୱଭାବ, ୯.ରୁଚି, ୧୦.ଇଚ୍ଛା, ୧୧.ସଙ୍ଗ

ସଙ୍ଗ ସମ୍ପର୍କରେ ଗୋସ୍ୱାମୀ ତୁଳସୀଦାସ ଜୀ ଏକ ଚୌପାଇ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି -

गगन चढ़ी रज पवन प्रसंगा कीच ही मिली नीच जल सङ्गा।

ଗୋସ୍ୱାମୀ ତୁଳସୀଦାସଜୀ ଏକ ଅତ୍ୟନ୍ତ ସୁନ୍ଦର କଥା କହିଛନ୍ତି। ଧୂଳିର କଣିକା ପବନ ସହ ମିଶିଲେ ଆକାଶରେ ଉଡ଼ିଯାଏ ଏବଂ ଯେତେବେଳେ ଏହା ପାଣି ସହ ମିଶେ, ସେତେବେଳେ ଏହା କାଦୁଅରେ ପରିଣତ ହୋଇଯାଏ। ଏହା ହେଉଛି ସଂଗର ପ୍ରଭାବ। ତେଣୁ ଗୋଟିଏ କାର୍ଯ୍ୟକୁ ଆଧାର କରି କୌଣସି ବ୍ୟକ୍ତିଙ୍କୁ ବିଚାର କରନ୍ତୁ ନାହିଁ; ସେମାନଙ୍କର ପୁରା ଚରିତ୍ର ଆଧାର ହେବା ଉଚିତ୍।

ସଂଗ କରିବା ପୂର୍ବରୁ, ଅନେକ ଥର ଚିନ୍ତା କରନ୍ତୁ ଏବଂ ପରେ ସଂଗତ କରନ୍ତୁ। ଏହା ଦ୍ୱାରା ଆମ ଜୀବନରେ ପରିବର୍ତ୍ତନ ଆସିପାରିବ।

ଥରେ ଗାନ୍ଧିଜୀ ଏଗାର ପୃଷ୍ଠାର ଏକ ଚିଠି ପାଇଲେ, ସେ ତାହାକୁ ପଢିବା ପରେ ସେଥିରେ ଲାଗିଥିବା, ପିନ୍‌କୁ ରଖିଲେ ଏବଂ ଅନ୍ୟ ସମସ୍ତ ପୃଷ୍ଠା ଫେରାଇ ଦେଲେ। ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଲେ ଯେ କେବଳ ପିନ୍ ତାଙ୍କ ପାଇଁ ଉପଯୋଗୀ, ତେଣୁ ସେ ତାହାକୁ ରଖିଲେ।

ସେହିପରି ଗୀତା ଶିଖିବା ପୋର୍ଟାଲରେ ମଧ୍ୟ ମୋତେ ଅନେକ ବାର୍ତ୍ତା ମିଳିଥାଏ; କେଉଁଟି ଉପଯୋଗୀ ତାହା ମୋତେ ଦେଖିବାକୁ ପଡେ ଏବଂ ସେଗୁଡ଼ିକୁ ରଖିବାକୁ ପଡେ, ବାକି ଉପରେ ଦୃଷ୍ଟିପାତ କରି ଆଗକୁ ବଢି ଯିବାକୁ ହୁଏ। ଜୀବନରେ ଏଭଳି ଦୃଷ୍ଟିକୋଣ ଆପଣାଇବା ଉଚିତ।

14.27

ବ୍ରହ୍ମଣୋ ହି ପ୍ରତିଷ୍ଠାହମ୍, ଅମୃତସ୍ୟାବ୍ୟୟସ୍ୟ ଚ।
ଶାଶ୍ୱତସ୍ୟ ଚ ଧର୍ମସ୍ୟ, ସୁଖସ୍ୟୈକାନ୍ତିକସ୍ୟ ଚ॥27॥

କାରଣ ମୁଁ ହିଁ ବ୍ରହ୍ମର, ଅବିନାଶୀ ଅମୃତର ତଥା ଶାଶ୍ବତ ଧର୍ମ ଓ ଐକାନ୍ତିକ ସୁଖର ଆଶ୍ରୟ।

ବିବେଚନ:-

ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି ଯାହା ଭଗବତ ଗୀତାର ସାର ଅଟେ। ସେ କହନ୍ତି, ଗୁଣାତୀତ ଯୋଗୀଙ୍କର ଏକମାତ୍ର ଶରଣ ସ୍ଥଳ ହେଉଛନ୍ତି, ସେ (ଶ୍ରୀକୃଷ୍ଣ) ନିଜେ। ଗୀତାର ସାର ହେଉଛି,

“मामेकं शरणं व्रज।” - "ମାମେକମ୍‌ ଶରଣମ୍‌ ବ୍ରଜ"।

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ସ୍ୱୟଂ ବ୍ରହ୍ମ ଓ ବ୍ରହ୍ମ ହେଉଛନ୍ତି ନିଜେ ଭଗବାନ ଶ୍ରୀକୃଷ୍ଣ। ଯେମିତି କ୍ଷୀରୀର ସ୍ୱାଦ ଚାଖିକରି, ଶୁଙ୍ଘିକରି କିମ୍ବା ଦେଖିବା ଦ୍ୱାରା ବିଭିନ୍ନ ଇନ୍ଦ୍ରିୟ ମାଧ୍ୟମରେ ଚିହ୍ନିହୁଏ, ତଥାପି ଏହା କ୍ଷୀରୀ ହିଁ ହୋଇ ରହିଥାଏ। ପ୍ରକୃତରେ କ୍ଷୀରୀ ପାଇଁ ଆମର ଆକର୍ଷଣ ରହିଥାଏ। ସେହିଭଳି ଶ୍ରୀଭଗବାନଙ୍କର ଯେତେ ରୂପ ହେଉ ନା କାହିଁକି, ସେ କିନ୍ତୁ ପ୍ରକୃତରେ ସେଇ ଏକ ପରବ୍ରହ୍ମ। ତେଣୁ ଆକର୍ଷଣ ସେହି ପରମାତ୍ମାଙ୍କ ପ୍ରତି ରହିବା ଉଚିତ୍।

ଶେଷରେ ହରିନାମ ସଂକୀର୍ତ୍ତନ ସହ ଏହି ଗୁଣତ୍ରୟବିଭାଗ ଯୋଗର ବିବେଚନ ସତ୍ର ସମାପ୍ତ ହେଲା ଏବଂ ପ୍ରଶ୍ନୋତ୍ତର ସତ୍ର ଆରମ୍ଭ ହୋଇଥିଲା।

:: ପ୍ରଶ୍ନୋତ୍ତରୀ ::

ପ୍ରଶ୍ନକର୍ତ୍ତା - ସପ୍ନା ଦିଦି

ପ୍ରଶ୍ନ - ଆମ ଜୀବନର ଉଦ୍ଦେଶ୍ୟ କ'ଣ?

ଉତ୍ତର - ମନୁଷ୍ୟ ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମୁକ୍ତି ବା ମୋକ୍ଷ ପ୍ରାପ୍ତି ।

ପ୍ରଶ୍ନକର୍ତ୍ତା - ଶୀଲା ଦିଦି

ପ୍ରଶ୍ନ - ନିୟନ୍ତ୍ରକ କ'ଣ?

ଉତ୍ତର - ଯିଏ ସମସ୍ତଙ୍କୁ ସୃଷ୍ଟି କରେ, ଯିଏ ସମସ୍ତଙ୍କୁ ନିୟନ୍ତ୍ରଣ କରେ କିମ୍ବା ନିୟମନ କରେ, ତାକୁ ନିୟନ୍ତ୍ରକ କୁହାଯାଏ ।

ପ୍ରଶ୍ନକର୍ତ୍ତା - ଶୀଲା ଦିଦି

ପ୍ରଶ୍ନ - ସୂତ୍ରାତ୍ମା କାହାକୁ କୁହାଯାଏ ?

ଉତ୍ତର - ଯିଏ ସମସ୍ତ ଆତ୍ମାର ମୂଳ ସୂତ୍ର, ଅର୍ଥାତ୍ ପରମପିତା ପରମାତ୍ମାଙ୍କୁ କୁହାଯାଏ।

ପ୍ରଶ୍ନକର୍ତ୍ତା - ରୋହିଣୀ ଦିଦି

ପ୍ରଶ୍ନ - ମୁଁ କୌଣସି ପରୀକ୍ଷା ଦେଇନାହିଁ। ମୁଁ ତଥାପି କୌଣସି ଉପାୟରେ ସେବା ଦେଇ ପାରିବି କି?

ଉତ୍ତର - ହଁ, ଆପଣ ପ୍ରଶିକ୍ଷକ ହେବା ବ୍ୟତୀତ ଅନ୍ୟ କୌଣସି ଉପାୟରେ ବି ସେବା ଦେଇ ପାରିବେ।

seva.learngeeta.com - ଆପଣ ସେଠାକୁ ଯାଇ ଯେକୌଣସି ସେବା ଚୟନ କରିପାରିବେ।

ପ୍ରଶ୍ନକର୍ତ୍ତା - ବିନୁ ଦିଦି

ପ୍ରଶ୍ନ - ଆମେ ନିଜ ଭିତରେ କେଉଁ ଗୁଣକୁ ପ୍ରାଥମିକତା ଦେବା ଉଚିତ? ଆମ ଭିତରେ ତ ତିନୋଟିଯାକ ଗୁଣ ରହିଛି।

ଉତ୍ତର - ଦିନର ବିଭିନ୍ନ ସମୟରେ ଆମ ଭିତରେ କେତେବେଳେ ସତ୍ତ୍ୱ ଗୁଣ ପ୍ରାଧାନ୍ୟ ପାଇଥାଏ ତ, କେତେବେଳେ ରଜୋଗୁଣ ତ କେତେବେଳେ ତମଗୁଣ। ଆମ ଭିତରେ ଥିବା ରଜୋ ଓ ତମ ଗୁଣକୁ ହ୍ରାସ କରିବା ସହିତ ସତ୍ତ୍ୱ ଗୁଣର ପ୍ରାଧାନ୍ୟତା ବଢ଼ାଇବାର ଅଭ୍ୟାସ କରିବା ଦରକାର।

ପ୍ରଶ୍ନକର୍ତ୍ତା - ଉଷା ଦିଦି

ପ୍ରଶ୍ନ - ଏଲ୍-୧ ସମ୍ପୂର୍ଣ୍ଣ ହୋଇଛି। ଏବେ କେଉଁ ପରୀକ୍ଷା ଦିଆ ଯାଇପାରିବ?

ଉତ୍ତର - ଗୀତା ଜିଜ୍ଞାସୁର ପରୀକ୍ଷା ପାଇଁ ପ୍ରତ୍ୟେକ ମାସର ପ୍ରଥମ ରବିବାରର ତାରିଖ ଧାର୍ଯ୍ୟ କରାଯାଇଛି। ଅଧିକ ସୂଚନା ପାଇଁ ଆପଣ ନିମ୍ନରେ ଦିଆଯାଇଥିବା ୱେବସାଇଟକୁ ଯାଇପାରିବେ।

exam.learngeeta.com

ପ୍ରଶ୍ନକର୍ତ୍ତା - ବିଶ୍ୱନାଥ ଭାଇ

ପ୍ରଶ୍ନ - ତ୍ରିଗୁଣାତୀତ କିପରି ହୋଇପାରିବା?

ଉତ୍ତର - ପ୍ରକୃତରେ ଏଥିପାଇଁ କିଛି କରାଯାଇପାରିବ ନାହିଁ। ସାଧନା ମାଧ୍ୟମରେ ଏହା ହାସଲ ହୋଇପାରୁଥିବା ଅବସ୍ଥା ମଧ୍ୟ ନୁହେଁ। ଏହା ଏପରି ଏକ ଅବସ୍ଥା ଯାହା କୃପା ଦ୍ଵାରା ପ୍ରାପ୍ତ ହୋଇଥାଏ। ଯେତେବେଳେ ଜଣେ ବ୍ୟକ୍ତି ସତ୍ତ୍ୱ ଗୁଣରେ ରହି ରଜୋ ଓ ତମ ଗୁଣକୁ ସମ୍ପୂର୍ଣ୍ଣ ତ୍ୟାଗ କରିଦିଏ, ସେତେବେଳେ ଯେଉଁ ଅବସ୍ଥା ସୃଷ୍ଟିହୁଏ, ସେହି ସମୟରେ ସେ ପରଂବ୍ରହ୍ମଙ୍କ କୃପା ପାଇଁ ଯୋଗ୍ୟ ହୋଇଯାଏ ଏବଂ ସେ ସତ୍ତ୍ୱଗୁଣକୁ ମଧ୍ୟ ତ୍ୟାଗ କରିଦିଏ। ଏହି ଅବସ୍ଥାରେ ସେ ତ୍ରିଗୁଣାତୀତ ହୋଇଥାଏ।

ପ୍ରଶ୍ନକର୍ତ୍ତା - ପଦ୍ମିନୀ ଦିଦି

ପ୍ରଶ୍ନ - କ’ଣ ସଞ୍ଜୟ ଦଶ ଦିନ ପରେ ଧୃତରାଷ୍ଟ୍ରଙ୍କୁ ପୂରା ବିବରଣୀ ଶୁଣାଇଥିଲେ କି?

ଉତ୍ତର - ଭୀଷ୍ମ ପିତାମହ ଶର ଶଯ୍ୟାରେ ରହିବାର ଦଶ ଦିନ ପରେ ସଞ୍ଜୟ କୁରୁକ୍ଷେତ୍ରରୁ ମହାରାଜ ଧୃତରାଷ୍ଟ୍ରଙ୍କ ପାଖକୁ ଆସିଥିଲେ। ତା'ପରେ ହିଁ ଧୃତରାଷ୍ଟ୍ର ତାଙ୍କୁ ଆରମ୍ଭରୁ ପୂରା ବିବରଣୀ ବର୍ଣ୍ଣନା କରିବାକୁ କହିଥିଲେ।

: : ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ : :

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ଗୁଣତ୍ରୟବିଭାଗୟୋଗୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ।।

ଏହି ପ୍ରକାର ଓଁ ତତ୍ ସତ୍ -- ଏହି ଭଗବତ୍ ନାମର ଉଚ୍ଚାରଣପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରୂପେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ 'ଗୁଣତ୍ରୟବିଭାଗଯୋଗନାମକ' ଚତୁର୍ଦ୍ଦଶ ଅଧ୍ୟାୟ ପୂର୍ଣ୍ଣ ହେଲା ।