विवेचन सारांश
ଶ୍ରଦ୍ଧାର ମହତ୍ତ୍ୱ

ID: 6566
उड़िया - ଓଡ଼ିଆ
ରବିବାର, 09 ମାର୍ଚ୍ଚ 2025
ଅଧ୍ୟାୟ 17: ଶ୍ରଦ୍ଧାତ୍ରୟବିଭାଗ ଯୋଗ
1/3 (ଶ୍ଳୋକ 1-8)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା : -

ହରିଶରଣମ୍ ସଂକିର୍ତ୍ତନ, ଶ୍ରୀହନୁମାନ ଚାଳିସା ପାଠ, ଭଗବାନ ଶ୍ରୀକୃଷ୍ଣଙ୍କର ସୁମଧୁର ପ୍ରାର୍ଥନା, ଦୀପ ପ୍ରଜ୍ବଳନ ଏବଂ ଗୁରୁ ବନ୍ଦନା ପୂର୍ବକ ସପ୍ତଦଶୋଧ୍ୟାୟର ପୂର୍ବାର୍ଦ୍ଧ ଅଧିବେଶନର ଶୁଭାରମ୍ଭ ହେଲା ।

ଶ୍ରୀଭଗବାନଙ୍କର ଅତିଶୟ ମଙ୍ଗଳମୟ କୃପାରୁ ଆମର ପରମ ସୌଭାଗ୍ୟ ଉଦୟ ହୋଇଛି ଯାହା ଦ୍ୱାରା ଆମର ମାନବ ଜୀବନ ସାର୍ଥକ ହୋଇଛି । ସଫଳତାର ଆଲୋକିତ ପଥରେ ଆମେ ଯାତ୍ରା କରୁଛେ। ପରମାର୍ଥ ପ୍ରାପ୍ତି ଓ ଜନ ଜୀବନର କଲ୍ୟାଣକୁ ଆମେ ବ୍ରତ ରୂପେ ଆପଣେଇ ନେଇଛେ । ଚଳନ୍ତି ଜୀବନ ଓ ଆଗାମୀ ଜୀବନ ପାଇଁ ପାଥେୟ ସଂଗ୍ରହ କରିବାକୁ ଭଗବଦ୍ଗୀତା ଅଧ୍ୟୟନ କରୁଛେ। ଜଣା ନାହିଁ ଏହି ଜନ୍ମର ସୁକୃତି, ପୂର୍ବ ଜନ୍ମର ପୁଣ୍ୟ କର୍ମ ବା ପୂର୍ବଜମାନଙ୍କର ଅଶେଷ ଆଶୀର୍ବାଦ କାରଣରୁ ଶ୍ରୀମଦ୍ଭଗବଦ୍ଗୀତା ଅଧ୍ୟୟନ କରିବାକୁ ଆମକୁ ଚୟନ କରାଯାଇଛି। ଏଭଳି ବିଶ୍ୱାସ ମନରେ ଆସିବା ସ୍ୱାଭାବିକ ଯେ ଆମେ ଗୀତାଜୀଙ୍କୁ ପଢିବାକୁ ପ୍ରଚେଷ୍ଟା କରୁ ନାହୁଁ ବରଂ ଭଗବାନଙ୍କ ଦ୍ବାରା, ଭଗବାନଙ୍କ ପ୍ରୀତ୍ୟାର୍ଥେ ଆମେମାନେ, ଗୀତା ଅଧ୍ୟୟନ ପରି ପବିତ୍ର କାର୍ଯ୍ୟ ପାଇଁ ମନୋନୀତ ହୋଇଛୁ। ଶ୍ରୀଭାଗବାନଙ୍କ କୃପା ବିନା ଏହା କେବେ ସମ୍ଭବ ନୁହେଁ । ଏହା ମାଧବ ସେବା ଓ ଗୀତା ଅଧ୍ୟୟନ ସହିତ କିଏ ଓ କେତେବେଳେ ଯୋଡି ହେବ ତାହା ମଧ୍ୟ ତାଙ୍କରି କୃପା ।

ଅଷ୍ଟାଦଶ ଅଧ୍ୟାୟର ଅଠଷଠିତମ ଶ୍ଳୋକରେ ଶ୍ରୀଭଗବାନ ସ୍ପଷ୍ଟ ଭାବରେ ଗୀତା ମାହାତ୍ମ୍ୟ ବିଷୟରେ କହିଛନ୍ତି। ଶ୍ରୀଭଗବାନ କହିଛନ୍ତି କି ଯିଏ ଵି ଶ୍ରୀମଦ୍ଭଗବଦ୍ଗୀତାଙ୍କୁ ଲେଶମାତ୍ର ଅଧ୍ୟୟନ କରେ, ଶ୍ରଦ୍ଧାର ସହିତ ଅବଲୋକନ କରେ, ପ୍ରଚାର କରେ ବା ଧାରଣ କରେ ସେ ମତେ ହିଁ ପ୍ରାପ୍ତ ହୁଏ । ଏଥିରେ ତିଳେ ମାତ୍ର ସଂଶୟ ନାହିଁ ।

मामेवैष्यत्यसंशय:।।18.68।

ଭଗବାନ କୁହନ୍ତି, ଏହା ଚିରନ୍ତନ ସତ୍ୟ, ଏଥିରେ ଦ୍ବିମତ ହେବାର ନାହିଁ ।  

ଶ୍ରୀଭଗବାନଙ୍କ କଥାନୁସାରେ ଯଦି ସମସ୍ତେ ଗୀତାଜୀଙ୍କୁ ପାଠ କରି ମୁକ୍ତି ପାଇ ଯାଆନ୍ତି ତାହାହେଲେ ସୃଷ୍ଟିର ନିୟମ ବଦଳି ଯିବ । ଏଭଳି ହୁଏ ନାହିଁ। କାରଣ ସୃଷ୍ଟିର ଅଗ୍ରଗତି ମନୁଷ୍ୟର କର୍ମ ଉପରେ ନିର୍ଭର କରିଥାଏ। ସେହି ଅନୁସାରେ ଶ୍ରୀଭଗବାନ ଫଳ ପ୍ରଦାନ କରନ୍ତି ଓ କାହାର ଗତି କେଉଁଆଡକୁ ହେବ ତାହା ସୃଷ୍ଟିକର୍ତ୍ତା ବିଚାର କରନ୍ତି ।

ବିବେଚନ ଶ୍ରବଣ କରିବା ଉପରାନ୍ତେ ଅନେକ ବିଷୟ ମନକୁ ଛୁଇଁ ଯାଉଛି। ସେହି ସବୁ କଥାକୁ ଆମେ ଆମ ଜୀବନରେ ପ୍ରତିଫଳିତ କରି ପାରିବା। ଫଳତଃ ଗୀତାଜୀଙ୍କୁ ଆମ ଜୀବନରେ ଆପଣେଇ ପାରିବା।

ଗୀତା ପଢନ୍ତୁ, ପଢାନ୍ତୁ ଓ ଜୀବନଚର୍ଯ୍ୟାରେ କାର୍ଯ୍ୟକାରୀ କରନ୍ତୁ ।

ଏହି ସୂତ୍ର ଆମର ପୂଜ୍ୟ ଗୁରୁଜୀ ସ୍ୱାମୀ ଗୋବିନ୍ଦ ଦେବ ମହାଶୟ ଦେଇଛନ୍ତି । ତାଙ୍କର ଉଦ୍ଦେଶ୍ୟ, ଆମେ ଏହି ସୂତ୍ରଗୁଡିକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ପ୍ରଯତ୍ନ କରିବା ।

ଉକ୍ତ ଅଧ୍ୟାୟ ଅତ୍ୟନ୍ତ ବିଶିଷ୍ଟ ଅଧ୍ୟାୟ ଭାବରେ ଆଦୃତ। ପଞ୍ଚଦଶ ଅଧ୍ୟାୟରେ ଗୀତାର ସମସ୍ତ ଗୂଢ଼ ତତ୍ତ୍ୱ ନିହିତ ଥାଏ । ଷୋଡଶ ଓ ସପ୍ତଦଶ ଅଧ୍ୟାୟକୁ ଗୀତାର ପରିଶିଷ୍ଟ ବୋଲି ଗ୍ରହଣ କରାଯାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ସବୁ ଉପଦେଶ ଦେଇଛନ୍ତି, ଏହି ଦୁଇ ଅଧ୍ୟାୟରେ ତାହାର ବର୍ଣ୍ଣନା କରାଯାଇଛି ।

ଷୋଡଶ ଅଧ୍ୟାୟର ଶେଷ ଦୁଇଟି ଶ୍ଳୋକରେ ଶ୍ରୀଭଗବାନ ଶାସ୍ତ୍ରର ମହିମା ଗାନ କରିଛନ୍ତି ଓ ଶାସ୍ତ୍ରାନୁସାରେ ଜୀବନକୁ ଚଳାଇବାକୁ ଉପଦେଶ ଦେଇଛନ୍ତି। ଅର୍ଜୁନ ଶ୍ରୀଭଗବାନଙ୍କ କଥା ଶ୍ରବଣ କଲାବେଳେ ସେସବୁର ଅର୍ଥ ବୁଝିବାକୁ ପ୍ରୟାସ କରିଛନ୍ତି, ପ୍ରତ୍ୟୁତ୍ତରରେ କଣ କହିବେ ତାହା ମଧ୍ୟ ଚିନ୍ତା କରୁଛନ୍ତି ଓ ପ୍ରଶ୍ନ ପଚାରି ସମଧାନ ପାଇବା ପାଇଁ ପ୍ରଯତ୍ନ କରୁଛନ୍ତି ।

ଶ୍ରୀଭଗବାନ କହିଲେ :-

यः शास्त्रविधिमुत्सृज्य वर्तते कामकारतः ।
न स सिद्धिमवाप्नोति न सुखं न परां गतिम् ।।

ଯେଉଁ ବ୍ୟକ୍ତି ଶାସ୍ତ୍ର ଵିଧି ପରିତ୍ୟାଗ କରି ସ୍ବେଚ୍ଛାଚାର କରନ୍ତି ତାଙ୍କୁ ନା କର୍ମସିଦ୍ଧି ମିଳେ, ନା ସୁଖ ପ୍ରାପ୍ତି ହୁଏ, ନା ସେ ପରମ ଗତିକୁ ପ୍ରାପ୍ତ ହୁଅନ୍ତି । ତେଣୁ ଶାସ୍ତ୍ରାନୁମୋଦିତ କର୍ମ ହିଁ ଜୀବନରେ କରଣୀୟ ହେବା ଉଚିତ୍ ଆଉ ଏଥିପାଇଁ ଶାସ୍ତ୍ରକୁ ହିଁ ପ୍ରମାଣ ଭାବେ ଗ୍ରହଣ କରିବା ବିଧେୟ ବୋଲି ଭଗବାନ କହିଛନ୍ତି -

तस्माच्छास्त्रं प्रमाणं ते कार्याकार्यव्यवस्थितौ ।
ज्ञात्वा शास्त्रविधानोक्तं कर्म कर्तुमिहार्हसि ।।

ଅର୍ଜୁନଙ୍କ ମନରେ ସଂଶୟ ଆସିବାରୁ, ସେ ଶ୍ରୀଭାଗବାନଙ୍କୁ ପୁଣି ପ୍ରଶ୍ନ କଲେ -


17.1

ଅର୍ଜୁନ ଉବାଚ
ୟେ ଶାସ୍ତ୍ରବିଧିମୁତ୍ସୃଜ୍ୟ , ୟଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେଷାଂ(ନ୍) ନିଷ୍ଠା ତୁ କା କୃଷ୍ଣ, ସତ୍ତ୍ୱମାହୋ ରଜସ୍ତମଃ ||1||

ଅର୍ଜୁନ କହିଲେ - ହେ କୃଷ୍ଣ ! ଯେଉଁ ମନୁଷ୍ୟ ମାନେ ଶାସ୍ତ୍ରବିଧି ତ୍ୟାଗ କରି ଶ୍ରଦ୍ଧା ଯୁକ୍ତ ହୋଇ ଦେବାଦୀଙ୍କୁ ପୂଜା କରନ୍ତି , ସେମାନଙ୍କର ସ୍ଥିତି କଅଣ ହୁଏ ? ସାତ୍ତ୍ୱିକୀ , ରାଜସୀ, ନା ତାମସୀ ?

ବିବେଚନ -
ଶ୍ରୀଭଗବାନଙ୍କ କଥା ଶୁଣି ଅର୍ଜୁନ ପଚାରିଲେ, ହେ ଶ୍ରୀକୃଷ୍ଣ, ଯେଉଁ ବ୍ୟକ୍ତି ଶାସ୍ତ୍ର ଵିଧି ତ୍ୟାଗ କରି ଶ୍ରଦ୍ଧାଯୁକ୍ତ ହୋଇ ଦେବାଦିଙ୍କୁ ପୂଜନ କରନ୍ତି ତାଙ୍କର ଗତି କେଉଁଠିକୁ ହୁଏ ? ତାଙ୍କୁ ସାତ୍ତ୍ଵିକ, ରାଜସିକ ନା ତାମସିକ କୁହାଯିବ ?
ଶ୍ରୀଭଗବାନ ଭଗବଦ୍ଗୀତାରେ ଶ୍ରଦ୍ଧାର ମହିମା ଗାନ କରିଛନ୍ତି ।
ତୃତୀୟ ଅଧ୍ୟାୟରେ ଶ୍ରୀଭଗବାନ କହିଛନ୍ତି -

श्रद्धावनतोऽनसूयन्तो मुच्यन्तो तेऽपि कर्मभिः 

ଶ୍ରଦ୍ଧାବାନ ବ୍ୟକ୍ତିଙ୍କର ହିଁ ମଙ୍ଗଳ ହୋଇଥାଏ ।
ଚତୁର୍ଥ ଅଧ୍ୟାୟରେ ଶ୍ରୀଭଗବାନ ଅର୍ଜୁନଙ୍କୁ କହିଛନ୍ତି -

श्रद्धावाँल्लभते ज्ञानं 
अश्रद्धानश्च 

ଶ୍ରଦ୍ଧା ରହିତ ବ୍ୟକ୍ତିଙ୍କର ନାଶ ହୋଇଥାଏ ।
ଷଷ୍ଠ ଅଧ୍ୟାୟରେ ଶ୍ରୀଭଗବାନ ଅର୍ଜୁନଙ୍କୁ କହିଛନ୍ତି -

श्रद्धावान्भजते यो मां 

ଦ୍ୱାଦଶ ଅଧ୍ୟାୟରେ ଶ୍ରୀଭଗବାନ କହିଛନ୍ତି -

श्रद्धया परयोपेताः
श्रद्धाना मत्परमा

ଏହି ପ୍ରକାରରେ ଶ୍ରୀଭଗବାନ ଭଗବଦ୍ଗୀତାରେ ଛଅ ଥର ଶ୍ରଦ୍ଧାର ମହିମା ବିଷୟରେ ଗାନ କରିଛନ୍ତି । ହଠାତ୍ ଯେତେବେଳେ ଶ୍ରୀଭଗବାନ ଅର୍ଜୁନଙ୍କୁ ଶାସ୍ତ୍ର କଥା ଶୁଣାଇଛନ୍ତି, ଅର୍ଜୁନ ଦ୍ବିଧାରେ ପଡି ଯାଇଛନ୍ତି । ତେଣୁ ପ୍ରଶ୍ନ ଉଠାଇଛନ୍ତି କି ଶ୍ରଦ୍ଧା ଓ ଶାସ୍ତ୍ର ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ କେଉଁଟା ?
ଅର୍ଜୁନ କହିଲେ କି ଆପଣ ଶ୍ରଦ୍ଧା ଓ ଶାସ୍ତ୍ରର ମହିମା ବିଷୟରେ କହିଲେ, କିନ୍ତୁ ଯଦି କାହାଠାରେ ଏ ଦୁଇଟି ମଧ୍ୟରୁ ଗୋଟିଏ ଭାବ ଥିବ ଓ ଅନ୍ୟଟିର ଅଭାବ ଥିବ ତେବେ ତାହାର କି ପରିସ୍ଥିତି ହେବ ? ଶାସ୍ତ୍ର ଵିଧି ପାଳନ ନକରି ଶ୍ରଦ୍ଧା ଭାବ ରଖିଲେ ବ୍ୟକ୍ତି ସାତ୍ତ୍ଵିକ ନା ରାଜସିକ ନା ତାମସିକ ହେବ ?
କିଛି ଉଦାହରଣ ସହ ଏହି ଶ୍ରଦ୍ଧା ଭାବକୁ ଆମେ ବୁଝିବାକୁ ଚେଷ୍ଟା କରିବା। କାରଣ ଶ୍ରଦ୍ଧା ବିଷୟରେ ଆମ୍ଭମାନଙ୍କର ବିଚାର ଧାରା ଭିନ୍ନ ଭିନ୍ନ ହୋଇଥାଏ ।
ଶ୍ରଦ୍ଧାର ଅର୍ଥ -
‘ଶ୍ରଦ୍‌’ର ଅର୍ଥ - ସତ୍ୟ 
‘ଧା’ ର ଅର୍ଥ - କୌଣସି ଦିଗକୁ ନେଇଯିବା ମାର୍ଗ ।
ଅର୍ଥାତ୍ ସତ୍ୟ ଆଡକୁ ନେଇ ଯାଉଥିବା ମାର୍ଗ ।
ଶ୍ରଦ୍ଧାର ବିପରୀତ ହେଉଛି - ଶଙ୍କା
ଶଙ୍କା ହେବ ତ ଶ୍ରଦ୍ଧା ଜାତ ହେବ ନାହିଁ । ଶ୍ରଦ୍ଧା ଆସିବ ତ ଶଙ୍କା ଆସିବ ନାହିଁ। ଦୁଇଟି ଭାବ ଏକ ସାଙ୍ଗେ ଆସି ପାରିବେ ନାହିଁ । ଅର୍ଥାତ୍ ହୁଏତ ଆମେ ଶ୍ରଦ୍ଧାଳୁ, ନହେଲେ ସଂକାଳୁ ।

ସେଥିପାଇଁ ଶ୍ରୀଭଗବାନ କହିଲେ -

श्रद्धावाँललभते ज्ञानं 

ଜ୍ଞାନ ପ୍ରାପ୍ତି ପାଇଁ ଶ୍ରଦ୍ଧା ନିତାନ୍ତ ଆବଶ୍ୟକ । ଶ୍ରଦ୍ଧା ଅଭାବରେ ଜ୍ଞାନ ତିଷ୍ଠି ପାରିବ ନାହିଁ ।

ଜଣେ କବି କହିଛନ୍ତି -

ସନ୍ଦେହ କରି ତିଳ ତିଳ କରି ମରିବା ଅପେକ୍ଷା ଶାସ୍ତ୍ର ଉପରେ ବିଶ୍ୱାସ ରଖିବା ଅଧିକ ସରଳ ।

ସନ୍ଦେହୀ ବ୍ୟକ୍ତି ପ୍ରତି କ୍ଷଣ ମରୁଥାଏ ।

ଟିଭିରେ ବହୁତ ଗୁଡିଏ ଧାରାବାହିକ ଆସେ ଯାହା ଆମ ମନରେ କେବଳ ସନ୍ଦେହ ସୃଷ୍ଟି କରେ, ଫଳତଃ ପରସ୍ପର ଉପରେ ସନ୍ଦେହ ଘନିଭୂତ ହେବା ଶ୍ରେୟ ହୁଏ । ନିଜର ବୃତ୍ତି ମଧ୍ୟ ବିକୃତ ହୋଇଯାଏ। ଏଥିପାଇଁ ଏଭଳି ଧାରାବାହିକ ଦେଖିବା ଉଚିତ ନୁହେଁ ।

ରାମାୟଣର ଅଯୋଧ୍ୟା କାଣ୍ଡରେ ଏକ ପ୍ରସଙ୍ଗ ଉଦ୍ଧାର କରାଯାଉ -
ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ ଭରତ ମହାରାଜ ଚିତ୍ରକୂଟ ଗଲେ। ସାଥିରେ ଥିଲେ ଚତୁରଙ୍ଗିଣୀ ସେନା, ସମସ୍ତ ରାଣୀମାନେ, ବଶିଷ୍ଠ ଆଦି ସମସ୍ତ ଋଷିଗଣ, ନଗରର ସମ୍ଭ୍ରାନ୍ତ ବ୍ୟକ୍ତି ଓ ପ୍ରଜାଗଣ। ଶବର ପ୍ରଜାମାନେ ନିଶାଦରାଜଙ୍କୁ ଯେତେବେଳେ ଏହି ସମାଚାର ଦେଲେ, ନିଶାଦରାଜଙ୍କ ମନରେ ସନ୍ଦେହ ଆସିଲା ଯେ ଭରତ ତ ଏକାକୀ ଆସିପାରି ଥାଆନ୍ତେ, ସେନାବାହିନୀ ସହିତ କାହିଁକି ? ନିଶାଦରାଜ ଲକ୍ଷ୍ମଣଙ୍କୁ ଏଭଳି ଢଙ୍ଗରେ ବତେଇଲେ କି ଯେଭଳି ଆଭାସ ମିଳୁଥିଲା ଭରତ ରାମଚନ୍ଦ୍ରଙ୍କ ଉପରେ ଆକ୍ରମଣ କରିବାକୁ ଆସୁଛନ୍ତି । ନିଶାଦରାଜ ଲକ୍ଷ୍ମଣଙ୍କୁ କହିଲେ ଯେ ତାଙ୍କ ସେନା ପ୍ରତିଆକ୍ରମଣ ନିମନ୍ତେ ପ୍ରସ୍ତୁତ ଓ ଭରତଙ୍କ ପକ୍ଷରୁ ରାମ ଲକ୍ଷ୍ମଣଙ୍କ ପ୍ରତି କୌଣସି ବିପଦ ଆସିବ ନାହିଁ ।

ଲକ୍ଷ୍ମଣଙ୍କ ମନରେ ଶଙ୍କା ଜାତ ହେଲା ଓ ଭାଇ ଭରତଙ୍କ ମନରେ ଆବିଳତା ରହିଥିବା ସେ ସନ୍ଦେହ କରିବାକୁ ଲାଗିଲେ। ସେ ଭାବିଲେ କି ଚଉଦ ବର୍ଷ ପରେ ରାମଚନ୍ଦ୍ରଙ୍କୁ ରାଜ୍ୟ ଫେରେଇବା ଅପେକ୍ଷା ଅରଣ୍ୟରେ ହିଁ ସେମାନଙ୍କୁ ସମାପ୍ତ କରିଦେବା ଶ୍ରେୟସ୍କର ହେବ ।  

ସେ ଅବିଳମ୍ବେ ଶ୍ରୀରାମ ଭାଇଙ୍କୁ ସବୁକିଛି କହି ପକାଇଲେ - ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। ମୁଁ ଏକାକୀ ନର, ଦାନଵ, ଦେବତାଙ୍କ ପାଇଁ ପର୍ଯ୍ୟାପ୍ତ । ଆପଣ ଦୁଇ ଜଣଙ୍କର ସୁରକ୍ଷା ମୋର ଦାୟିତ୍ୱ ।

आजु राम सेवक जसु लेऊँ । 
भरतहिं समर सिखावन देऊँ ॥
राम निरादर कर फलु पाई। 
सोवहुं समर सेज दोउ भाई ॥
आइ बना भल सकल समाजू। 
प्रगट करउँ रिस पाछिल आजू।।
जिमि करि निकर दलइ मृगराजू। 
लेइ लपेटि लवा जिमि बाजू।।
तैसेहिं भरतहि सेन समेता। 
सानुज निदरि निपातउँ खेता।।

ଲକ୍ଷ୍ମଣ ଭୟଙ୍କର ରୂପେ ଗର୍ଜନ କରୁଥିଲେ । ଭଗବାନ ଶ୍ରୀରାମ ସ୍ମିତ ହାସ୍ୟ ସହିତ ଶ୍ରବଣ କରୁଥିଲେ । ସେହି ସମୟରେ ଆକାଶଵାଣୀ ହେଲା -

जगु भय मगन गगन भइ बानी। 
लखन बाहुबलु बिपुल बखानी।।
तात प्रताप प्रभाउ तुम्हारा।
 को कहि सकइ को जाननिहारा।।

ଆକାଶବାଣୀ ହେଲା ଯେ, ହେ ଲକ୍ଷ୍ମଣ ମହାରାଜ, ଆପଣଙ୍କ ପରାକ୍ରମ କାହାକୁ ବା ଅଗୋଚର ? ଆପଣ ଏକାକୀ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ସେନାକୁ ପରାସ୍ତ କରିବା ପାଇଁ ସକ୍ଷମ । ତଥାପି କିଛି ଔଚିତ୍ୟକୁ ବିଚାର କରିବାକୁ ଅନୁରୋଧ । ଆପଣଙ୍କ ଭଳି ବିଦ୍ୱାନ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ ମଣୁଛୁ। ବୁଝି ବିଚାରି କାର୍ଯ୍ୟ କଲେ, ପ୍ରମାଦ ନପଡ଼ଇ ଭଲେ ।

अनुचित उचित काजु किछु होऊ।

କୌଣସି କାମ କରିବା ଆଗରୁ ଭଲ ମନ୍ଦ ବିଚାର କରିବା କଥା। ବେଦଜ୍ଞ ପଣ୍ଡିତ କୁହନ୍ତି ନବୁଝି ସୁଝି ଜଲ୍ଦିବାଜିରେ କିଛି କରିବା ଉଚିତ ନୁହେଁ ।

ଭାଗବାନ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ତୁମେ ଭରତକୁ ଜାଣିନାହଁ। ତୁମକୁ ଲାଗୁଛି କି ଅଯୋଧ୍ୟାର ରାଜ ସିଂହାସନ ପାଇଁ ଭରତ ମୋ ଉପରେ ଆକ୍ରମଣ କରିବାକୁ ଆସିବ ? ଅଯୋଧ୍ୟା ରାଜ ସିଂହାସନ କଥା ତ ଦୂରରେ ଥାଉ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ପଦ ପାଇଁ ଵି ଭରତଙ୍କର ମୋହ ଜାଗ୍ରତ ହେବ ନାହିଁ ।

भरतहि होइ न राजमदु बिधि हरि हर पद पाइ।।
कबहुँ कि काँजी सीकरनि छीरसिंधु बिनसाइ।।

ଏହା ହେଉଛି ପ୍ରକୃତ ଶ୍ରଦ୍ଧା ! ଭରତଙ୍କ ମନର ବାସ୍ତବ ଚିତ୍ର ନା ଶ୍ରୀରାମ ନା ଲକ୍ଷ୍ମଣ କାହାକୁ ଵି ଜଣା ନଥିଲା । ଦୁଇ ଜଣଙ୍କ ପାଖରେ ସମାନ ସୂଚନା ଥିଲେ ମଧ୍ୟ ଜଣଙ୍କ ପାଖରେ ଥିଲା ଶଙ୍କା ଓ ଅନ୍ୟ ଜଣଙ୍କ ପାଖରେ ଥିଲା ପରମ ବିଶ୍ୱାସ ।

ପ୍ରଭୁ ଶ୍ରୀରାମ ଚନ୍ଦ୍ର ଲକ୍ଷ୍ମଣଙ୍କୁ କହୁଛନ୍ତି -

ଗୋଟିଏ ବୁନ୍ଦା କାଞ୍ଜିରେ କ୍ଷୀରସାଗର ନଷ୍ଟ ହୋଇଯାଇପାରେ,

ମଧ୍ୟାହ୍ନରେ ଅନ୍ଧକାର ସୂର୍ଯ୍ୟ ଦେବତାଙ୍କୁ ଗିଳି ଦେଇପାରେ, 

ଆକାଶ ମେଘମାଳା ମଧ୍ୟରେ ଲୀନ ହେଇଯାଇପାରେ,

ଗାଈ ଖୁରା ଦ୍ବାରା ହୋଇଥିବା ଗାତରେ 
ଯେତିକି ଜଳ ଧରିବ, ସେତିକି ଜଳରେ ୠଷି ଅଗସ୍ତ୍ୟ ବୁଡିଯାଇ ପାରନ୍ତି।

ପୃଥିବୀ ନିଜର ସହନଶୀଳତା ଗୁଣରୁ ଓହରି ଯାଇପାରେ,

ଗୋଟେ ମଶା ଫୁଙ୍କି ଦେଲେ ସୁମେରୁ ପର୍ବତ ଉଡିଯାଇପାରେ,

ହେଲେ ଭାଇ ମୋର, ଭରତଙ୍କୁ ରାଜ୍ୟର ମୋହ କଦାପି ହୋଇପାରେନା।

ଏଠାରେ ପ୍ରଭୁ ଶ୍ରୀରାମଙ୍କ ଭରତଙ୍କ ଉପରେ ଯେଉଁ ଅଖଣ୍ଡ ବିଶ୍ବାସ ରହିଛି, ତାହା କହି ଦେଉଛି କି, ଧରା ବକ୍ଷରେ ସବୁ କିଛି ଓଲଟ ପାଲଟ ହୋଇଯାଇ ପାରେ କିନ୍ତୁ ଭରତ କେବେ ଵି ରାଜଦ୍ରୋହୀ ଓ ବିଶ୍ୱାସ ଘାତକ ହୋଇ ପାରିବେ ନାହିଁ । ଭରତ ସମାନ ଉତ୍ତମ ଭାଇ ଏ ପୃଥିବୀରେ ଆଉ କେହି ହୋଇ ପାରିବେ ନାହିଁ ।

लखन तुम्हार सपथ पितु आना।

 सुचि सुबंधु नहिं भरत समाना।।

ଏହା ଏକ ଅତ୍ୟନ୍ତ ଭାରୀ ବିଷୟ ଯେ, ଶ୍ରୀରାମ ବନାଭିମୁଖେ ରାଜପ୍ରସାଦ ତ୍ୟାଗ କରିବା ବେଳେ ଭରତ ତାଙ୍କ ସହିତ ସାକ୍ଷାତ କରିପାରି ନଥିଲେ। ଶ୍ରୀରାମଙ୍କୁ ବନବାସ ହେବା ବେଳେ ଭରତ ମହାରାଜ ମାମୁଁ ଘରେ ଥିଲେ। ଦୁଇଜଣଙ୍କ ସମ୍ପର୍କର ସେତୁ କିଛି ନଥିଲା । ସେ ସମୟରେ ତ ଆଉ ମୋବାଇଲ୍ ଫୋନ୍ ନଥିଲା କି ଇମେଲ୍ ସିଷ୍ଟମ୍ ନଥିଲା, ପରନ୍ତୁ ଦୁହିଁଙ୍କ ମନରେ ପରସ୍ପର ପ୍ରତି ଅମାପ ଶ୍ରଦ୍ଧା ଥିଲା ।

ଥରେ ଗାନ୍ଧିଜୀଙ୍କୁ ଜଣେ ବାମପନ୍ଥୀ ପଚାରିଲେ ରାମାୟଣ ଓ ମହାଭାରତ ଦୁଇଟି କାଳ୍ପନିକ ଗ୍ରନ୍ଥ ନା ଇତିହାସ ? ଗାନ୍ଧିଜୀ ଗମ୍ଭୀର ଭାବରେ କହିଲେ ମୁଁ ତ ଗୋଟିଏ କଥା ବୁଝିଛି ଯେ, ଯାହାର ଗୋଟିଏ ଦୃଶ୍ୟ ମୋତେ ସାରା ଜୀବନ ସତ୍ୟାରୂଢ଼ କରିଦେଲା, ତା’ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଓ ଅଧିକ ସତ୍ୟ ମୋ ପାଇଁ ଆଉ କ'ଣ ଥାଇପାରେ ? ଗାନ୍ଧିଜୀ ୮ ବର୍ଷ ବୟସରେ ଏକ ବାୟୋସ୍କୋପ୍‌ ଜରିଆରେ ଏକ ଚଳଚ୍ଚିତ୍ର ଦେଖିଥିଲେ। ସେତେବେଳେ ସେ ଚଳଚ୍ଚିତ୍ରଟିରେ ଶବ୍ଦ ନଥିଲା, ଚିତ୍ର ଉପରେ କଥୋପକଥନ ସବୁ ଲେଖା ହୋଇ ଆସୁଥିଲା । ହେଲେ ତାହାର ପ୍ରଭାବ ବାଳକ ମୋହନଦାସ ଉପରେ ଏମିତି ପଡିଲା ଯେ, ସେ ସଂକଳ୍ପ କରିନେଲେ ଯେ ସେ ଆଜି ପରଠାରୁ କେବେ ବି ମିଛ କହିବେ ନାହିଁ । 
ଶ୍ରଦ୍ଧା ଓ ବିଶ୍ୱାସ ଦୁଇଟି ଶବ୍ଦ । ଶ୍ରଦ୍ଧା ଏବଂ ବିଶ୍ୱାସ ମଧ୍ୟରେ ପାର୍ଥକ୍ୟ କ'ଣ? ଏ ମଧ୍ୟରୁ କେଉଁଟି ଅଧିକ ଗୁରୁତ୍ବପୂର୍ଣ୍ଣ, କିଏ ବଡ଼?

ଆପ୍ତବଚନକୁ ନେଇ ମନରେ ଯେଉଁ ଭାବନା ଆସେ, ତାହା ହେଉଛି ଶ୍ରଦ୍ଧା।

ଆପ୍ତ ବଚନ ଅର୍ଥାତ୍ ଯାହା ଆମେ ଶାସ୍ତ୍ରରେ ପଢ଼ିଛୁ କିମ୍ବା ଜଣେ ସାଧୁ, ମହାପୁରୁଷ, ବିଦ୍ୱାନ ବ୍ୟକ୍ତି, ମହାତ୍ମାଙ୍କ ଠାରୁ ଶୁଣିଛୁ ।

ମନକୁ ଆସିଥିବା ଅନୁଭବ ହେଉଛି ଜ୍ଞାନ ଏବଂ ସେହି ଅନୁଭବ ଯେତେବେଳେ ମୋ ଜୀବନରେ ସମାବିଷ୍ଟ ହୋଇଯାଏ, ସେତେବେଳେ ତାହା ବିଶ୍ୱାସରେ ପରିଣତ ହୁଏ। ଏସବୁର ଏକତ୍ରିତ ଅନୁଭୂତି ହେଉଛି ବିଜ୍ଞାନ ।

ଶିବ ଭଗବାନ କୁହନ୍ତି -

उमा कहउँ मैं अनुभव अपना।
 सत हरि भजनु जगत् सब सपना॥

ରାମଚରିତ ମାନସରେ ଯେଉଁଠି ବି ପରମ ବିଶ୍ୱାସର ପ୍ରଶ୍ନ ଉଠୁଛି, ଗୋସ୍ୱାମୀ ତୁଳସୀଦାସ ସେଠାରେ ‘ଅନୁଭବ’ ଶବ୍ଦର ପ୍ରୟୋଗ କରିଛନ୍ତି।

ବିବେକ ଚୂଡାମଣିରେ ଭଗବାନ ଆଦିଶଙ୍କରାଚାର୍ଯ୍ୟ କହିଛନ୍ତି - 

सा श्रद्धा कथिता सद्भिर्यया वस्तूपलभ्यते।

ଶ୍ରଦ୍ଧା ହେଉଛି ଗୁରୁ ବଚନରେ ସତ୍ୟତାର ଅବଧାରଣ ; ଗୁରୁଙ୍କ ଉପରେ ବିଶ୍ୱାସ ହିଁ ହେଉଛି ଶ୍ରଦ୍ଧା । ଗୁରୁ ହେଉଛନ୍ତି ବିଶ୍ୱାସର ମୂର୍ତ୍ତିମନ୍ତ ପ୍ରତୀକ । ଯଦି ଆପଣ ଗୁରୁ ଦୀକ୍ଷା ନେଇଛନ୍ତି ଅଥଚ ଗୁରୁଙ୍କ ଉପରେ ଆପଣଙ୍କର ବିଶ୍ୱାସ ନାହିଁ, ତେବେ ସେ ଦୀକ୍ଷା କୌଣସି କାମରେ ଆସିବ ନାହିଁ । ଯଦି ଗୁରୁଙ୍କ ଉପରେ ବିଶ୍ୱାସ ନାହିଁ, ତେବେ ତାଙ୍କୁ ଗୁରୁଭାବେ ଗ୍ରହଣ କରିବାର କୌଣସି ଅର୍ଥ ହୁଏ ନାହିଁ ।

ରାମଚରିତ ମାନସର ବନ୍ଦନା କରିବାକୁ ଯାଇ ଗୋସ୍ବାମୀ ତୁଳସୀ ଦାସ ମହାରାଜ ମଙ୍ଗଳାଚରଣରେ କହିଛନ୍ତି -

भवानीशंकरौ वन्दे श्रद्धाविश्वासरूपिणौ।
याभ्यां विना न पश्यन्ति सिद्धाः स्वान्तःस्थमीश्वरम्‌॥2॥
वन्दे बोधमयं नित्यं गुरुं शंकररूपिणम्‌।
यमाश्रितो हि वक्रोऽपि चन्द्रः सर्वत्र वन्द्यते॥3॥

ମୁଁ ଶିବ ଏବଂ ପାର୍ବତୀଙ୍କୁ ବନ୍ଦନା କରେ, ହେଲେ ମୁଁ ଶିବ ଏବଂ ପାର୍ବତୀଙ୍କୁ ଏମିତି ଖାଲିରେ ବନ୍ଦନା କରେ ନାହିଁ । ମୁଁ ଶ୍ରଦ୍ଧାର ପ୍ରତୀକ ଭବାନୀ ଏବଂ ବିଶ୍ୱାସର ପ୍ରତୀକ ଶିବଙ୍କୁ ପୂଜା କରେ । ଶିଷ୍ୟ ହେଉଛି ଶ୍ରଦ୍ଧା ଓ ଗୁରୁ ହେଉଛନ୍ତି ବିଶ୍ୱାସ ।

ଥରେ ଶିବ, ପାର୍ବତୀଙ୍କୁ ରାମକଥା ଶୁଣାଇଥିଲେ ।

ଶିବ ହେଉଛନ୍ତି ବକ୍ତା - ବିଶ୍ୱାସର ପ୍ରତୀକ
ପାର୍ବତୀ ହେଉଛନ୍ତି ଶ୍ରୋତା - ଶ୍ରଦ୍ଧାର ପ୍ରତୀକ

ଏଠାରେ ଗୁରୁ ଶିଷ୍ୟଙ୍କୁ କାହାଣୀ ଶୁଣାଇଲେ, ଅର୍ଥାତ୍ ବିଶ୍ୱାସ ଶ୍ରଦ୍ଧାଙ୍କୁ କାହାଣୀ କହିଲେ ।

ପାର୍ବତୀ ପୂର୍ବ ଜନ୍ମରେ ସତୀ ଥିଲେ । ଥରେ ଶିବ ସତୀଙ୍କ ସହ ବିହାର କରୁଥିବା ବେଳେ ଅଗସ୍ତ୍ୟ ମୁନିଙ୍କ ଆଶ୍ରମରେ ପହଞ୍ଚିଥିଲେ। ବାଳକାଣ୍ଡରେ ଏହି କଥାଟି ଆସିଥାଏ। 

एक बार त्रेता जुग माहीं।
 संभु गए कुंभज रिषि पाहीं॥
संग सती जगजननि भवानी। 
पूजे रिषि अखिलेस्वर जानी॥

ଭଗବାନ ଜାଣି ଋଷି ଶିବଙ୍କର ପୂଜା କରି ତାଙ୍କୁ ଆବିଷ୍ଟ କରାଇଲେ । ଭଗବାନ ଶିବଙ୍କୁ ରାମଙ୍କ କାହାଣୀ ଅତ୍ୟନ୍ତ ପସନ୍ଦ । ଯଦି ଆପଣଙ୍କୁ ଶ୍ରୋତା ମିଳେ ତେବେ ଆପଣ ବକ୍ତା ହୋଇ ରାମଙ୍କ କାହାଣୀ ବର୍ଣ୍ଣନା କରିବା ଆରମ୍ଭ କରିଦିଅନ୍ତି ଏବଂ ଯଦି ଆପଣଙ୍କୁ ବକ୍ତା ମିଳନ୍ତି ତେବେ ଆପଣ ଶ୍ରୋତା ହୋଇ ରାମଙ୍କ କାହାଣୀ ଶୁଣିବା ଆରମ୍ଭ କରିଦିଅନ୍ତି । ଅଗସ୍ତ୍ୟ ଋଷିଙ୍କଠାରୁ ଶିବ ରାମକଥା ଶୁଣିବାର ଆଗ୍ରହ କଲେ। 

रामकथा मुनिबर्ज बखानी। 
सुनी महेस परम सुखु मानी॥
रिषि पूछी हरिभगति सुहाई। 
कही संभु अधिकारी पाई॥

ଶିବଙ୍କ ଭଳି ଶ୍ରୋତା ପାଇ ଋଷି ଅଗସ୍ତ୍ୟ ଧନ୍ୟ ହେଲେ ଏବଂ ଅନେକ ଦିନ ଧରି ଶିବଙ୍କୁ ରାମକଥା ଶୁଣାଇବାକୁ ଲାଗିଲେ।

ହେଲେ ସତୀଙ୍କୁ ଏହି କଥା ଏତେ ରୋଚକ ମନେ ହେଲା ନାହିଁ। ସେ ଅନିଚ୍ଛା ସହକାରେ ରାମ କଥା ଶୁଣିବାକୁ ଲାଗିଲେ । କାହାଣୀ ସମାପ୍ତ ହେଲା ଏବଂ ଶିବ ଭଗବାନ ଋଷିଙ୍କଠୁ ବିଦାୟ ମାଗିଲେ ।

मुनि सन बिदा मागि त्रिपुरारी। 
चले भवन सँग दच्छकुमारी।।

ଯେତେବେଳେ ସତୀ ଆଶ୍ରମକୁ ଆସିଥିଲେ, ତୁଳସୀଦାସ ସତୀଙ୍କୁ ଜଗଜ୍ଜନନୀ ଭବାନୀ ବୋଲି ସମ୍ବୋଧନ କରିଥିଲେ ଏବଂ ଯିବା ସମୟରେ ତାଙ୍କୁ ଦକ୍ଷକୁମାରୀ ଭାବରେ ସମ୍ବୋଧିତ କଲେ କାରଣ ମା'ଙ୍କର ରାମକଥାରେ କୌଣସି ଶ୍ରଦ୍ଧା ନଥିଲା ଓ ସେ ରାମକଥାକୁ ଅଣଦେଖା କରିଥିଲେ। ପ୍ରଭୁ ଶ୍ରୀରାମଙ୍କ ମହିମା ସତୀ ସେତେବେଳେ ବୁଝିନଥିଲେ ।

ଶ୍ରୀ ଭଗବାନଙ୍କର ଲୀଳା ତ ଅନନ୍ୟ। ଶିବ ପାର୍ବତୀ କଥା ଶୁଣି ଫେରୁଥାନ୍ତି, ପୃଥିବୀରେ ତ୍ରେତୟା ଯୁଗର ସମୟ ହୋଇଥାଏ, ଭଗବାନ ସେତେବେଳେ ଶ୍ରୀରାମ ରୂପରେ ଲୀଳା କରୁଥାନ୍ତି ଏବଂ ସେହି ସମୟରେ ସୀତା ହରଣ ହୋଇଥାଏ। ଦଣ୍ଡକା ଅରଣ୍ୟର ଉପର ଦେଇ ଯାଉଥିବା ସମୟରେ ଶିବ-ପାର୍ବତୀ ଦେଖିଲେ ସୀତାଙ୍କଠୁ ଅଲଗା ହୋଇ ଶ୍ରୀରାମ ଶୋକରେ ମ୍ରିୟମାଣ। ଉଭୟ ଶ୍ରୀରାମ ଓ ଲକ୍ଷ୍ମଣ ବିବ୍ରତ ହୋଇ ସୀତାଙ୍କୁ ଖୋଜୁଥାନ୍ତି। ସୀତାମାତାଙ୍କ ଅନ୍ବେଷଣରେ ଶ୍ରୀରାମ ଗଛ, ଲତା, ପଶୁପକ୍ଷୀ ସମସ୍ତଙ୍କୁ, ତାଙ୍କ ବିଷୟରେ ପଚାରୁଥିଲେ, "ତୁମେ ମୋ ସୀତାଙ୍କୁ ଦେଖିଛ କି?" 

ଭଗବାନଙ୍କ ଶ୍ରୀରାମ ରୂପ ଦେଖି ଶିବ ଅତ୍ୟନ୍ତ ହର୍ଷିତ ହେଲେ । ଶିବ ଶ୍ରୀରାମଙ୍କୁ ପ୍ରଣାମ ଜଣାଇବାକୁ ଇଚ୍ଛା କରନ୍ତେ କି, ମନକୁ ବିଚାର ଆସିଲା - ପ୍ରଭୁ ଏବେ ଲୀଳା କରୁଛନ୍ତି, କାନ୍ଦୁଛନ୍ତି, ଶୋକରେ ଅଛନ୍ତି, ସମ୍ଭବତଃ ତାଙ୍କର ଅଭିବାଦନ, ଲୀଳାରେ ବିଘ୍ନ ଘଟାଇପାରେ, ତେଣୁ ଶିବ ମନେ ମନେ ହିଁ ଜୟ ସଚ୍ଚିଦାନନ୍ଦ କହି ଦୂରରୁ ଶ୍ରୀରାମଙ୍କୁ ପ୍ରଣାମ କଲେ। ଶିବ ଏ କ'ଣ କରୁଛନ୍ତି ବୋଲି ସତୀ ପଚାରିବାରୁ ଶିବ କହିଲେ ଭଗବାନ ଲୀଳା କରୁଛନ୍ତି, ତୁମେ ବି ତାଙ୍କୁ ପ୍ରଣାମ କରିବା ଉଚିତ। ସତୀ କହିଲେ, ପତ୍ନୀଙ୍କ ବିଚ୍ଛେଦରେ ବ୍ୟଥିତ ହେଉଥିବା ମନୁଷ୍ୟ କ'ଣ ଭଗବାନ ହୋଇପାରନ୍ତି ? ଶିବ ସତୀଙ୍କୁ ବୁଝାଇଲେ, କହିଲେ, ତୁମେ ଏହାକୁ ଶ୍ରଦ୍ଧାପୂର୍ବକ ଗ୍ରହଣ କରିବା ଉଚିତ୍। ତଥାପି ସତୀ ମାନି ପାରିଲେ ନାହିଁ । ତେଣୁ ଭଗବାନ ଶିବ କହିଲେ -

जौं तुम्हरें मन अति संदेहू।
 तौ किन जाइ परीछा लेहू॥

ଶିବ ସତୀଙ୍କୁ କହୁଛନ୍ତି, ଯଦି ତୁମକୁ ମୋ କଥାରେ ବିଶ୍ବାସ ନ ହେଉଛି, ତେବେ ତୁମେ ନିଜେ ପରୀକ୍ଷା କରି ଦେଖିପାର। ସତୀ କହିଲେ, ହଁ, ମୁଁ ପରୀକ୍ଷା ନେବି। ଶିବ ପୁଣିଥରେ ସତୀଙ୍କୁ ବୁଝାଇ କହିଲେ, "ଯାହା କରୁଛ ବୁଝି ବିଚାରି କର କାରଣ ସାକ୍ଷାତ ସଚ୍ଚିଦାନନ୍ଦ ପରମାତ୍ମା ସ୍ବରୂପଙ୍କୁ ନ ଚିହ୍ନି, ତୁମେ ଭୁଲ କରୁଛ। ହୁଏତ ପରେ ଏଥିପାଇଁ ଅନୁତାପ କରିବାର ସୁଯୋଗ ମିଳିବ ନାହିଁ। ଭଗବାନ ଶିବଙ୍କ ଚେତାବନୀକୁ ବି ଦେବୀ ଅଣଦେଖା କଲେ ।

श्रद्धावाँल्लभते ज्ञानं
अज्ञश्चाश्रद्दधानश्च

ଅଶ୍ରଦ୍ଧାରୁ ନାଶ ହିଁ ହୋଇଥାଏ।
ବିନାଶ କାଳେ ବିପରୀତ ବୁଦ୍ଧି -
ଭଗବାନଙ୍କଠାରୁ କେବେ କ'ଣ କିଛି ଲୁଚି ରହିପାରିବ ? ଭଗବାନ ରାମଙ୍କୁ ସତୀ, ସତୀ ହିଁ ଦେଖା ଯାଆନ୍ତି। ସତୀଙ୍କର ସୀତା ରୂପ ସେ ଦେଖି ପାରନ୍ତି ନାହିଁ । ପ୍ରଭୁଙ୍କ ମାୟାକୁ ଶିବ ପ୍ରଶଂସା ନ କରି ରହି ପାରିଲେ ନାହିଁ କି, ଏହି ମାୟା ସତୀଙ୍କୁ ମଧ୍ୟ ଛାଡି ନଥିଲେ । ମଙ୍ଗଳମୟ ପ୍ରଭୁ ଶିବଙ୍କ ପତ୍ନୀ ହୋଇ ବି, ସେ ପ୍ରଭୁଙ୍କ ମାୟାଜାଲରେ ପଡିଗଲେ। 

ସତୀଙ୍କୁ ତାଙ୍କ ପ୍ରକୃତ ରୂପରେ ଚିହ୍ନି ଭଗବାନ ରାମ ତାଙ୍କୁ ପ୍ରଣାମ ଜଣାଇଲେ -

जोरि पानि प्रभु कीन्ह प्रनामू।
 पिता समेत लीन्ह निज नामू॥
कहेउ बहोरि कहाँ बृषकेतू। 
बिपिन अकेलि फिरहु केहि हेतू॥

ହସି ହସି କହିଲେ, ମୁଁ ଦଶରଥ ପୁତ୍ର ରାମ ଏବଂ ଏ ହେଉଛି ମୋର ସାନ ଭାଇ ଲକ୍ଷ୍ମଣ। ଆମେ ଆପଣଙ୍କୁ ପ୍ରଣାମ କରୁଛୁ । ହେ ସତୀ ମାତା ! ଆପଣ ଜଙ୍ଗଲରେ ଏକୁଟିଆ କାହିଁକି ବୁଲୁଛନ୍ତି ଏବଂ ବୃଷକେତୁ ନନ୍ଦୀ ବାହି ଆପଣଙ୍କ ସ୍ୱାମୀ, ଶିବ କୁଆଡେ ଯାଇଛନ୍ତି ?

ସତୀ ହତବାକ୍ ହେଲେ ଯେ ମୁଁ ସୀତା ରୂପରେ ଅଛି, ତଥାପି ସେ ମୋତେ କେମିତି ଜାଣିଲେ ଯେ ମୁଁ ସତୀ ବୋଲି ! ସତୀ ଘାବରେଇ ଗଲେ।

राम बचन मृदु गूढ़ सुनि उपजा अति संकोचु।
सती सभीत महेस पहिं चलीं हृदयँ बड़ सोचु॥

କଥା ଖରାପ ଆଡକୁ ଯାଉଛି ଦେଖି ସତୀ ବିବ୍ରତ ହୋଇଗଲେ। ଶ୍ରୀରାମଙ୍କ ପରୀକ୍ଷା ନେବା ପୂର୍ବରୁ ହିଁ ତାଙ୍କ ପ୍ରକୃତ ରୂପ ପ୍ରଭୁଙ୍କ ସାମ୍ନାକୁ ଆସିଗଲା ! ସେ ଭୟଭୀତ ହୋଇ ଶିବଙ୍କ ପାଖକୁ ଚାଲିଆସିଲେ ।

मैं संकर कर कहा न माना। 
निज अग्यानु राम पर आना॥
जाइ उतरु अब देहउँ काहा। 
उर उपजा अति दारुन दाहा॥

ଶିବଙ୍କ କଥା ନ ଶୁଣି ସତୀ ଏବେ ପଶ୍ଚାତ୍ତାପ କରୁଥିଲେ। ଅଜ୍ଞାନତାବଶ ସେ ପ୍ରଭୁ ଶ୍ରୀରାମଙ୍କୁ ସନ୍ଦେହ କଲେ, ଏବେ ଶିବଙ୍କୁ ସେ କି ଉତ୍ତର ଦେବେ ଭାବି ତାଙ୍କ ମନ ଆନ୍ଦୋଳିତ ହେଉଥିଲା।

ଏପଟେ ଶ୍ରୀରାମ ବି ଭାବିଲେ ସତୀଙ୍କ ବିଶ୍ବାସ ଜିତିବାକୁ ହେଲେ ତାଙ୍କ ସହିତ କିଛି ମାୟା କରିବାକୁ ହେବ। ସତୀ ଯେଉଁ ଦିଗକୁ ଯାଉଥାନ୍ତି ସେହି ଦିଗରୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ତାଙ୍କୁ ଦେଖା ଯାଉଥାନ୍ତି। ଚତୁର୍ଦ୍ଦିଗରେ ସେ ରାମ,ଲକ୍ଷ୍ମଣ ଓ ଜାନକୀଙ୍କୁ ଦେଖିପାରୁଥିଲେ। 

ମହାପ୍ରଭୁଙ୍କ ଏଭଳି ଲୀଳା ଦେଖି, ସତୀ ଚକ୍କରରେ ପଡ଼ିଗଲେ। ରାମ, ଲକ୍ଷ୍ମଣ ଓ ଜାନକୀଙ୍କ ସହ ସତୀଙ୍କୁ ଆହୁରି ଅନେକ ଭଗବାନ - ଶିବ, ବ୍ରହ୍ମା, ବିଷ୍ଣୁ ବି ଦେଖାଗଲେ। ଏହା ସହ ସେହି ଦେବତାମାନଙ୍କୁ ବି ଦେଖିଲେ ଯାହାଙ୍କୁ ସତୀ କେବେ ଦେଖି ନଥିଲେ । ବ୍ରାହ୍ମଣୀ, ମା’ ଲକ୍ଷ୍ମୀ ତଥା ଶକ୍ତି ଆଦିଙ୍କୁ ଦେଖିଲେ, ରଘୁନାଥଙ୍କୁ ଦେଖିଲେ, ଦେବତାମାନଙ୍କୁ ଶକ୍ତି ସହିତ ମଧ୍ୟ ଦେଖିଲେ। ଏଥି ସହିତ ସୃଷ୍ଟିର ସମସ୍ତ ଚରାଚର ଜୀବ ବି ତାଙ୍କୁ ଦୃଶ୍ୟମାନ ହେଲେ । ସମସ୍ତେ ଭିନ୍ନ ଭିନ୍ନ ବେଶଭୂଷାରେ ଭିନ୍ନ ଭିନ୍ନ ସ୍ବରୂପରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପୂଜା କରୁଛନ୍ତି ! 

ଅନ୍ୟ ସମସ୍ତେ ଭିନ୍ନ ଭିନ୍ନ ପୋଷାକରେ, ଭିନ୍ନ ଭିନ୍ନ ରୂପରେ ନଜର ଆସୁଛନ୍ତି, କିନ୍ତୁ ଶ୍ରୀରାମଚନ୍ଦ୍ରଙ୍କ ରୂପରେ କୌଣସି ପରିବର୍ତ୍ତନ ସତୀ ଦେଖିପାରୁନଥାନ୍ତି। ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସମେତ ଇନ୍ଦ୍ରଦେବ, ଅଗ୍ନିଦେବ ମା’ଲକ୍ଷ୍ମୀ ସମସ୍ତେ ଭିନ୍ନ ଭିନ୍ନ ରୂପ ଧାରଣ କରୁଛନ୍ତି, କିନ୍ତୁ ଶ୍ରୀରାମଙ୍କର କେବଳ ଗୋଟିଏ ରୂପ ଦୃଶ୍ୟମାନ ହେଉଅଛି । ସତୀ ଏସବୁ ଦେଖି ତାଙ୍କର ବୁଦ୍ଧି ହଜିଗଲା।‌ ସେ ଆଖି ବନ୍ଦ କରି ମାର୍ଗରେ ହିଁ ବସିଗଲେ ଆଉ ସେ ଆଖି ଖୋଲିବା ମାତ୍ରେ ହିଁ ସବୁ କିଛି ଉଭେଇଗଲା !

ଏଥର ସତୀ ଶ୍ରୀରାମଙ୍କୁ ପ୍ରଣାମ କରି ଶିବଙ୍କ ନିକଟରେ ଯାଇ ପହଞ୍ଚିଲେ । ଭଗବାନ ଶିବ ପ୍ରଥମେ ତାଙ୍କ କୁଶଳତା ବିଷୟରେ ପଚାରିଲେ ଏବଂ ପରେ କହିଲେ, କ'ଣ ହେଲା? ତୁମେ ଶ୍ରୀରାମଙ୍କର କିପରି ପରୀକ୍ଷା ନେଲ?

लीन्हि परीछा कवन बिधि कहहु सत्य सब बात॥

ସତୀ କିନ୍ତୁ ସତକଥା ଶିବଙ୍କୁ ଜଣାଇଲେ ନାହିଁ - 

कछु न परीछा लीन्हि गोसाईं। 
कीन्ह प्रनामु तुम्हारिहि नाईं॥

କହିଲେ, କିଛି ପରୀକ୍ଷା ମୁଁ ନେଇନି, ଯେମିତି ଆପଣ ପ୍ରଣାମ କରନ୍ତି, ସେମିତି ମୁଁ ବି ପ୍ରଣାମ କରି ଫେରିଆସିଲି । ଭଗବାନ ଶିବ କିନ୍ତୁ ଧ୍ୟାନରେ ସବୁକଥା ଜାଣି ପାରିଲେ । ତା'ପରେ କହିଲେ, "ତୁମେ ତ ବିପର୍ଯ୍ୟୟ ଘଟାଇ ଆସିଛ ! ମୁଁ ଜାନକୀଙ୍କୁ ମାତା ରୂପରେ ଦେଖେ ଆଉ ତୁମେ ତାଙ୍କରି ରୂପ ନେଇନେଲ ! ଏବେ ତୁମେ ଆଉ ମୋର ପତ୍ନୀ ହୋଇ ରହିପାରିବ ନାହିଁ । ତୁମକୁ ମା' ରୂପରେ ଦେଖିବା ପରେ, ଆଉ ପୁଣି ପତ୍ନୀ ଭାବରେ ଦେଖିପାରିବି ନାହିଁ, ତେଣୁ ଆଜିଠାରୁ ମୁଁ ତୁମକୁ ତ୍ୟାଗ କରୁଛି । 

ଏକଥା ଭଗବାନ ଶିବ ମନରେ ସଂକଳ୍ପ କରିନେଲେ ଓ ପ୍ରଭୁଙ୍କ ସଂକଳ୍ପର ସମ୍ମାନରେ ଦେବତାମାନେ ଆକାଶରୁ ପୁଷ୍ପ ବର୍ଷା କଲେ । ମହାଦେବଙ୍କ ମହିମା ଓ ଜୟ ଜୟକାର ଧ୍ବନି ଆକାଶବାଣୀ ଭାବେ ପ୍ରତିଧ୍ବନିତ ହେବାକୁ ଲାଗିଲା। ସତୀ କିଛି ବୁଝି ପାରୁନଥିଲେ କ'ଣ ସବୁ ହେଉଛି। ଦେବାଧିଦେବ ମହାଦେବ କି ସଂକଳ୍ପ ନେଲେ, ଦେବତାମାନେ କାହିଁକି ତାଙ୍କର ପ୍ରଶଂସା ଗାଇଲେ, କାହିଁକି ପୁଷ୍ପ ବର୍ଷା ହେଉଛି ଇତ୍ୟାଦି, କିନ୍ତୁ ଏତିକି ବୁଝିପାରୁଥିଲେ ଯେ କେଉଁଠି କିଛି ଗୋଟାଏ ଠିକ୍ ହେଉ ନାହିଁ। 

ସେହି ମୁହୂର୍ତ୍ତରେ ଭଗବାନ ଶିବ ସତୀଙ୍କୁ ମନରୁ ତ୍ୟାଗ କଲେ। ସତୀ ତାଙ୍କ ସହିତ ରୁହନ୍ତି ସତ, କିନ୍ତୁ ଶିବ ଆଉ ତାଙ୍କୁ ପତ୍ନୀ ଭାବରେ ଦେଖନ୍ତି ନାହିଁ ।

କିଛିଦିନ ଅନ୍ତେ ସତୀଙ୍କ ପିତା ଦକ୍ଷ ଏକ ମହାଯଜ୍ଞର ଆୟୋଜନ କଲେ। ଦକ୍ଷଙ୍କର ଭଗବାନ ଶିବଙ୍କ ପ୍ରତି କୌଣସି ବିଶେଷ ଶ୍ରଦ୍ଧା ନଥିବା ହେତୁ ସେ ନିଜ ଜାମାତା ଓ କନ୍ୟାଙ୍କୁ ଯଜ୍ଞକୁ ନିମନ୍ତ୍ରଣ କରିନଥିଲେ। ସତୀ ଦେଖିଲେ ଯେ ଦେବତାମାନେ ସଜ୍ଜିତ ହୋଇ ନିଜ ନିଜର ବିମାନ ନେଇ କେଉଁଆଡେ ଯାଉଛନ୍ତି । ଏକ ବିମାନକୁ ଅଟକାଇ ପଚାରିବା ପରେ ସମସ୍ତେ ଯେ ତାଙ୍କରି ପିତ୍ରାଳୟକୁ ଯାଉଥିବା କଥା ସତୀ ଜାଣିବାକୁ ପାଇଲେ। ପ୍ରଜାପତି ଦକ୍ଷ ଏକ ମହାଯଜ୍ଞର ଆୟୋଜନ କରିଛନ୍ତି ଯେଉଁଠିକୁ ସେ ସମସ୍ତ ଦେବତାଙ୍କୁ ଆମନ୍ତ୍ରିତ କରିଛନ୍ତି। 

ସତୀ ଶିବଙ୍କୁ କହିଲେ ଯେ ପିତା ଯଜ୍ଞର ଆୟୋଜନ କରିଛନ୍ତି ଏବଂ ଆମେ ଯିବା ଉଚିତ୍ । ଭଗବାନ ଶିବ କିନ୍ତୁ ବାରଣ କଲେ, ନିମନ୍ତ୍ରଣ ବିନା କୌଣସି ସ୍ଥାନକୁ ଯିବା ଠିକ୍ ନୁହେଁ । ସତୀ ପୁଣି ଯୁକ୍ତି ବାଢିଲେ, ନିମନ୍ତ୍ରଣ ସିନା ଆପଣଙ୍କୁ ଦରକାର। ମୁଁ ତ ଝିଅ, ମୋ ବାପାଙ୍କ ଘରକୁ ଯିବାକୁ ମୁଁ କାହିଁକି ସଙ୍କୋଚ କରିବି ? ଶିବ ତଥାପି ବୁଝାଇଲେ ଯେ, ସେଠାକୁ ଯାଅ ନାହିଁ, ତୁମକୁ ସେଠାରେ ସମ୍ମାନ ମିଳିବ ନାହିଁ। ଯେଉଁଠାରେ ନିମନ୍ତ୍ରଣ ଦିଆ ଯାଇ ନାହିଁ, ସେଠାରେ ସମ୍ମାନ କାହୁଁ ମିଳିବ? ନିମନ୍ତ୍ରଣ ବିନା ସେଠାକୁ ଯିବ ତ ଦୁଃଖ ହିଁ ପାଇବ। ସତୀ କିନ୍ତୁ ମାନିଲେ ନାହିଁଁ। ତେଣୁ ଶିବ ଭଗବାନ ସତୀଙ୍କୁ ତାଙ୍କ ଗଣ ସହିତ ପଠାଇଦେଲେ। ସେଠାରେ ପହଞ୍ଚିବା ପରେ ସତୀ ଦେଖିଲେ ଦକ୍ଷଙ୍କର ଯଜ୍ଞରେ ସମସ୍ତ ଦେବତାଙ୍କ ଭାଗୀଦାରି ଅଛି କିନ୍ତୁ ଶିବଙ୍କର ଭାଗୀଦାରି ନାହିଁ ।

ଭଗବାନ ଶିବ ହେଉଛନ୍ତି ଦେବାଧିଦେବ ମହାଦେବ ଏବଂ ଦକ୍ଷଙ୍କର ଜାମାତା । ପିତାଙ୍କ ଦ୍ବାରା ସ୍ବାମୀଙ୍କ ଅପମାନ ଏକ ବଡ଼ ଅପରାଧ ବୋଲି ବିଶ୍ୱାସ କରି ସତୀ କ୍ରୋଧରେ ଦକ୍ଷଙ୍କୁ ଅନେକ କଥା ଶୁଣାଇଥିଲେ। ମୋର ଏହି ଦେହରେ ବି ମୁଁ ପାପ କଲି - ଦୁଇ ଦୁଇ ଥର ସ୍ୱାମୀଙ୍କୁ ଅମାନ୍ୟ କଲି ଓ ଉଭୟ ଥର ମୁଁ ଯନ୍ତ୍ରଣା ହିଁ ଭୋଗିଲି। ତେଣୁ ଏହି ଶରୀର ଆଉ ଉପଯୋଗୀ ନୁହେଁ ବୋଲି କହି ସତୀ ସେହିଠାରେ ହିଁ ନିଜ ଶରୀରକୁ ଯଜ୍ଞାଗ୍ନିରେ ଭସ୍ମ କରିଦେଲେ।

ସତୀଙ୍କୁ ଏଭଳି ଭାବରେ ଭସ୍ମ ହେବାର ଦେଖି ସତୀଙ୍କ ସହ ଆସିଥିବା ଗଣମାନେ ଦକ୍ଷଙ୍କ ଯଜ୍ଞକୁ ଧ୍ବଂସ କରିଦେଲେ । ସତୀ ଯଜ୍ଞାଗ୍ନିରେ ଆତ୍ମହତ୍ୟା କରିଥିବା ଖବର ପାଇବା ମାତ୍ରେ ଭଗବାନ ଶିବ ସେଠାରେ ପହଞ୍ଚିଗଲେ। ଯଜ୍ଞ ଧ୍ବଂସ ହୋଇସାରିଥିଲା, ଉପସ୍ଥିତ ସମସ୍ତ ଦେବତା ଯଜ୍ଞସ୍ଥଳ ଛାଡି ପଳାଇଗଲେ । ଭଗବାନ ଶିବ ସେଠାରୁ ସତୀଙ୍କ ଦଗ୍ଧ କଳେବର ଧରି ପଳାଇଆସିଲେ ଏବଂ ଯେଉଁ ଯେଉଁ ଜାଗାରେ ସତୀଙ୍କ କଳେବରର କିଛି କିଛି ଅଂଶ ପଡ଼ିଲା, ସେଠାରେ ଏକ ଶକ୍ତିପୀଠ ପ୍ରତିଷ୍ଠା ହୋଇଗଲା।

ପରଜନ୍ମରେ ସତୀ ହିମାଳୟଙ୍କ କନ୍ୟା ଭାବେ ପାର୍ବତୀ ରୂପରେ ଜନ୍ମ ଗ୍ରହଣ କଲେ । ତାଙ୍କ ଜନ୍ମ ପରେ ନାରଦ ଭବିଷ୍ୟତ ବାଣୀ କରି କହିଲେ ଯେ, ଭଗବାନ ଶିବଙ୍କ ଅର୍ଦ୍ଧାଙ୍ଗିନୀ ହେବା ପାଇଁ ତୁମର ଜନ୍ମ ହୋଇଛି, ତୁମେ ତପସ୍ୟା ଦ୍ବାରା ତାଙ୍କୁ ପ୍ରସନ୍ନ କର। ଭଗବାନ ଶିବ ତ ସହଜରେ ପ୍ରସନ୍ନ ହେବାର ନୁହେଁ, ତେଣୁ ପାର୍ବତୀ ଏକ ହଜାର ବର୍ଷ ଧରି କଠୋର ତପସ୍ୟା କଲେ। ମନରେ ସଙ୍କଳ୍ପ କରିନେଲେ କି ସେ କେବଳ ଶିବଙ୍କୁ ହିଁ ବିବାହ କରିବେ, ତାଙ୍କ ଛଡା ଆଉ କାହାକୁ ନୁହେଁ । ପ୍ରଥମେ ଶିବଙ୍କ ଧ୍ୟାନ, ତା'ପରେ ଖାଦ୍ୟ ପାନୀୟର ତ୍ୟାଗ ଓ ଧୀରେ ଧୀରେ ପତ୍ର ମଧ୍ୟ ଭକ୍ଷଣ କଲେ ନାହିଁ, ତେଣୁ ଅପର୍ଣ୍ଣା ନାମ ହେଲା ତାଙ୍କର। ହଜାର ହଜାର ବର୍ଷର କଠୋର ତପସ୍ୟା ପରେ ଭଗବାନ ଶିବ ଆବିର୍ଭୂତ ହୋଇ ପାର୍ବତୀଙ୍କୁ ପୁନର୍ବାର ବିବାହ କଲେ ।

ପାର୍ବତୀ ନିଜର ପୂର୍ବ ଜନ୍ମର ସ୍ମୃତିକୁ ଦୋହରାଇ ଶିବଙ୍କୁ କୁହନ୍ତି, ମୋର ସବୁ ମନେ ଅଛି, ପୂର୍ବ ଜନ୍ମରେ ମୁଁ ଅନେକ ଭୁଲ୍ କରିଛି । ଏବେ କିନ୍ତୁ ରାମକଥା ପ୍ରତି ମୋ ହୃଦୟରେ ଭରପୁର ଶ୍ରଦ୍ଧା, ତେଣୁ ଦୟାକରି ମୋତେ ରାମଙ୍କ କାହାଣୀ କୁହନ୍ତୁ । 
ଶ୍ରଦ୍ଧାର ସହ କେହି କଥା ଶୁଣିବାର ଯାଚନା କଲେ, ବକ୍ତାଙ୍କୁ ଅବଶ୍ୟ ଶୁଣାଇବା ଉଚିତ୍ ବୋଲି ନିୟମ ରହିଛି।
ଭଗବାନ ଶିବ ପାର୍ବତୀଙ୍କୁ ଯେଉଁ ରାମ କଥା ବର୍ଣ୍ଣନା କରିଥିଲେ ତାହା ସନ୍ଥ ତୁଳସୀଦାସ ରାମଚରିତ ମାନସ ଆକାରରେ ଲେଖିଥିଲେ। ଏଥିରେ ଗୋସ୍ୱାମୀ ତୁଳସୀଦାସ ରାମଚନ୍ଦ୍ରଙ୍କର ସ୍ତୁତି କରିଛନ୍ତି -

भवानीशंकरौ वन्दे श्रद्धाविश्वासरूपिणौ।

ଶିବ ପାର୍ବତୀଙ୍କ ଏହି କାହାଣୀ ଶିଖାଏ ଯେ କିପରି ଜଣେ ବ୍ୟକ୍ତି ବିନା ବିଶ୍ୱାସରେ ନାଶ ଯାଏ ଏବଂ ବିଶ୍ୱାସ କାରଣରୁ ଜଣେ ବ୍ୟକ୍ତିର ଜୀବନ କିପରି ଉନ୍ନତ ହୁଏ ।

ଅର୍ଜୁନ ଶ୍ରୀ ଭଗବାନଙ୍କୁ ପଚାରିଲେ, ଜଣେ ବ୍ୟକ୍ତିର ବିଶ୍ୱାସ ସାତ୍ତ୍ବିକ, ରାଜସିକ କି ତାମସିକ, ଏହା କିପରି ଜାଣିହେବ ?

17.2

ଶ୍ରୀ ଭଗବାନ ଉଵାଚ ତ୍ରିବିଧା ଭବତି ଶ୍ରଦ୍ଧା, ଦେହିନାଂ(ମ୍) ସା ସ୍ଵଭାଵଜା |
ସାତ୍ତ୍ୱିକୀ ରାଜସୀ ଚୈବ, ତାମସୀ ଚେତି ତାଂ(ମ୍) ଶୃଣୁ || 2 ||

ଶ୍ରୀ ଭଗବାନ କହିଲେ - ମନୁଷ୍ୟ ମାନଙ୍କର ସେହି ଶାସ୍ତ୍ରୀୟ ସଂସ୍କାର ରୁ ରହିତ କେବଳ ସ୍ୱଭାବରୁ ଉତ୍ପନ୍ନ ଶ୍ରଦ୍ଧା ସାତ୍ତ୍ୱିକୀ , ରାଜସୀ, ତଥା ତାମସୀ - ଏପରି ତିନି ପ୍ରକାରର ହୋଇଥାଏ। ତାହା ତୁମେ ମୋଠାରୁ ଶୁଣ।

ବିବେଚନ - 
ଶ୍ରୀଭଗବାନ, ଆଶ୍ଚର୍ଯ୍ଯ ଚକିତ କଲାଭଳି ବକ୍ତା ଅଟନ୍ତି। ଗୋଟିଏ ବାକ୍ଯରେ ପଚାରିଥିବା ପ୍ରଶ୍ନର ଉତ୍ତର ସେ ଗୋଟିଏ ବାକ୍ଯରେ ଦିଅନ୍ତି ନାହିଁ। ଯଦି ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ତେବେ ଏହାର ଉତ୍ତର ଦେବାର ଦାୟିତ୍ବ ଶ୍ରୀଭଗବାନ୍ ନିଜ ଉପରକୁ ନେଇ ଯାଆନ୍ତି। 
ଶ୍ରୀଭଗବାନ ଅର୍ଜୁନଙ୍କୁ କହୁଛନ୍ତି “ଯେ ବୈଦିକ ସଂସ୍କାର ରହିତ, ତାଙ୍କ ସ୍ବଭାବରେ ଉତ୍ପନ୍ନ ହେଉଥିବା ଶ୍ରଦ୍ଧା ସାତ୍ତ୍ବିକୀ, ରାଜସୀ ଓ ତାମସୀ ଏହି ତିନି ପ୍ରକାର ହୋଇଥାଏ।”

ଶ୍ରୀଭଗବାନ କହୁଛନ୍ତି ଯେ, “ହେ ଅର୍ଜୁନ! ଶ୍ରଦ୍ଧା ତିନି ପ୍ରକାର ଅଟେ।”
1. ସ୍ବଭାବଜା ଶ୍ରଦ୍ଧା- ସ୍ବଭାବରୁ ଜାତ ଶ୍ରଦ୍ଧା
2. ସଙ୍ଗଜା ଶ୍ରଦ୍ଧା - ସଙ୍ଗରୁ ଜାତ ଶ୍ରଦ୍ଧା
3. ଶାସ୍ତ୍ରଜା ଶ୍ରଦ୍ଧା - ଶାସ୍ତ୍ରରୁ ଜାତ ଶ୍ରଦ୍ଧା

1. ସ୍ବଭାବଜା ଶ୍ରଦ୍ଧା - ଯେଉଁ ପରିବେଶରେ ଜଣେ ଜନ୍ମ ଗ୍ରହଣ କରେ, ସେ ସେହି ସ୍ବଭାବ ବିଶିଷ୍ଟ ହୋଇଥାଏ। ଶ୍ରଦ୍ଧା ବା ଆସ୍ଥା ନୁହେଁ ବରଂ ପରିବେଶ ଯେପରି, ଠିକ୍ ସେହିପରି ଜଣକର ଆସ୍ଥା ହୋଇଥାଏ।

ଆମ ମଧ୍ଯରୁ ଅନେକ ବ୍ଯକ୍ତି ଶାକାହାରୀ ପରିବାରରେ ଜନ୍ମ ନେଇ ଥାଆନ୍ତି। ଯେଉଁମାନେ ଶାକାହାରୀ ସେମାନଙ୍କର ସ୍ବଭାବ ମଧ୍ଯ ଶାକାହାରୀ ହୋଇଥାଏ କିନ୍ତୁ ଯେଉଁମାନେ ମାଂସାହାରୀ,ଶାକାହାର ପ୍ରତି ତାଙ୍କର ଶ୍ରଦ୍ଧା ନଥାଏ। ଶାକାହାର ପ୍ରତି ମୋର କୌଣସି ଆସ୍ଥା ନାହିଁ। ଏଥିରେ ମୁଁ କୌଣସି ବିଚାର କରିନାହିଁ କେବଳ ସ୍ବଭାବ ଜାତ ଅଟେ।
ଅଣ୍ଡା ମିଶ୍ରିତ କେକ୍ ଆମେ ଖାଇଥାଉ, ଏଣୁ ତେଣୁ କିଛି ପଦାର୍ଥ ଯେଉଁଥିରେ କୌଣସି ଗୁଣବତ୍ତା ନାହିଁ, ଅଥଚ ଆମ ଆଖିକୁ ସେସବୁ ଦେଖାଯାଏ ନାହିଁ, ତାକୁ ଆମେ ଗ୍ରହଣ କରିନେଉ।

2. ସଙ୍ଗଜା ଶ୍ରଦ୍ଧା - ଆମେ ଯାହା ସହିତ ରହୁ, ସେପରି ସ୍ବଭାବ ଆମର ହୋଇଯାଏ। ତାଙ୍କ ସହିତ ରହିବା କାରଣରୁ ଶ୍ରଦ୍ଧା ଆସିଯାଏ।

କୌଣସି ବଡ ଚିତ୍ରଉତ୍ତୋଳନକାରୀ ସହ ମିତ୍ରତା କଲେ ନିଜକୁ ଚିତ୍ର ଦେଖିବାକୁ ଭଲ ଲାଗିବ, ତା’ର ଶ୍ରଦ୍ଧା ନିଜ ମଧ୍ଯରେ ପ୍ରବେଶ କରିବ। କୌଣସି କ୍ରିକେଟ ଖେଳାଳୀ ସହ ମୈତ୍ରୀ ସ୍ଥାପନ କଲେ ସେହି ଖେଳପ୍ରତି ଆମର ରୁଚି ବଢେ।

ରାମାୟଣ ପଢୁଥିବା ବ୍ଯକ୍ତି ସହ ମିତ୍ରତା କଲେ ରାମାୟଣରେ ରୁଚି ବଢେ, ଗୀତା ପଢୁଥିବା ବ୍ଯକ୍ତି ସହ ମିତ୍ରତା କଲେ ସେ କହିପାରେ ଯେ ଆପଣ ଗୀତା କକ୍ଷାକୁ ଆସିଗଲେ ବୋଲି।
ଯେଉଁ ପିଲାମାନେ ମୋବାଇଲ୍‌ରେ ଖେଳନ୍ତି ସେମାନେ ଖୋଜନ୍ତି ଯେ କିଏ ମୋବାଇଲ୍ ଭଲ ଖେଳୁଛି। ଯାହା ଗୁଣରେ ଆକର୍ଷିତ ହୋଇ ଆମେ ମିତ୍ରତା ସୂତ୍ରରେ ବାନ୍ଧି ହୋଇଯାଉ, ତା’ର ବନ୍ଧୁ ହେବାକୁ ଆମକୁ ଖୁବ୍ ଭଲ ଲାଗେ।

3. ଶାସ୍ତ୍ରଜା ଶ୍ରଦ୍ଧା - ଶାସ୍ତ୍ର ପଢିବା ଦ୍ବାରା ଯେଉଁ ଶ୍ରଦ୍ଧା ଉତ୍ପନ୍ନ ହୁଏ ତାହା ଶାସ୍ତ୍ରଜ ଶ୍ରଦ୍ଧା ଅଟେ। ଆମେ ଯେତେ ଶାସ୍ତ୍ର ପଢିବା, ରାମାୟଣ ପଢିବା, ମହାଭାରତ ପଢିବା, ଗୀତା ପଢିବା, ଏସବୁ ପଢିବା ଦ୍ବାରା ଭଲ ଓ ମନ୍ଦର ତଫାତ୍ ଜାଣି ପାରିବା।

ତିନୋଟି କାରଣ ଯୋଗୁଁ ଶାସ୍ତ୍ର ବିଧି ତ୍ଯାଗ କରାଯାଇଥାଏ -

1.ଅଜ୍ଞାନତା କାରଣରୁ - ମୋତେ ଜଣା ନଥିଲା ତେଣୁ ଭୁଲ୍ ହୋଇଗଲା। ପୂଜାରୀ ମହୋଦୟ କହିଲେ ଯେ ସେ ଆମ୍ବ କାଠରେ ହୋମ କରିବେ। ବଜାରରୁ କାଠ ଅଣାଗଲା, କିନ୍ତୁ ଦୋକାନୀ ଆମ୍ବ ସ୍ଥାନରେ ଅନ୍ଯ କାଠ ଦେଇଦେଲେ। କାଠ ଚିହ୍ନି ନ ଥିଲେ ଏଣୁ ଆମ୍ବ ସ୍ଥାନରେ ଆମେ ଅନ୍ଯ କାଠ ନେଇ ଆସିଲେ। ମୋର ଉଦ୍ଦେଶ୍ଯ ନଥିଲା ଯେ କିଛି ଅଘଟଣ ହେଉ, ଅଜ୍ଞାନତା ବଶତଃ ଅଘଟଣ ଘଟିଗଲା। ଏହା କ୍ଷମଣୀୟ ଅଟେ।

2.ଉପେକ୍ଷା କାରଣରୁ - ପୁଜାରୀ ମହାଶୟ କହିଲେ ଆମ୍ବ କାଠ ଦରକାର। ଆମ୍ବ କାଠ ପାଇଁ ବହୁତ ଦୂର ଯିବାକୁ ହେବ । କି ଫରକ୍ ପଡିବ ଯେ ? କାଠ ହିଁ ତ ଆବଶ୍ଯକ, ସେ ଆମ୍ବ ହେଉ କି ଲିମ୍ବ ହେଉ ଅବା ଡିମ୍ବିରି ହେଉ, ଯେ କୌଣସି ବୃକ୍ଷର କାଠରେ ହୋମକାର୍ଯ୍ଯ ସମ୍ପନ୍ନ ହୋଇପାରେ। ସୁବିଧାରେ ପାଖରେ ଯାହା ମିଳେ ତାକୁ ହିଁ ସ‍ଂଗ୍ରହ କରିନେବା, ଦୂରକୁ ଯାଇ ଅଧିକ କ'ଣ ହେବ? ପୂଜାରୀ ମହାଶୟଙ୍କର ତ ଅନେକ ଦାବୀ, ତାହାର କୌଣସି ଅନ୍ତ ନାହିଁ।

ଯେ ଅବମାନନା କରି ଶାସ୍ତ୍ରବିଧିର ତ୍ଯାଗ କରେ, ସେଭଳି ବ୍ଯକ୍ତି ଦ୍ବାରା କରାଯାଉଥିବା କର୍ମ ଫଳହୀନ ହୋଇଥାଏ।

3.ବିରୋଧ କାରଣରୁ - ଆମ୍ବ କାହିଁକି ଆଣିବା ? ପ୍ରଥମେ ମୋତେ କୁହନ୍ତୁ ଆମ୍ବ ବିଷୟରେ କେଉଁଠି କୁହାଯାଇଛି ଅଥବା କେବଳ ଆମ୍ବ କାହିଁକି ? ଆମ୍ବ କାଠ ବଦଳରେ ପଣସ କାଠ ଆଣିବା ଓ ହୋମ କାର୍ଯ୍ଯ ସମ୍ପନ୍ନ କରିବା। ଦେଖିବା କିଏ କଣ କରୁଛି?

ଶାସ୍ତ୍ର ବିଧି ତ୍ଯାଗ କରି ଯିଏ ବିରୋଧ କରେ ତାର କର୍ମ ଫଳହୀନ ହୋଇଥାଏ ଓ ତାକୁ ଦଣ୍ଡ ମିଳିଥାଏ।

ଗରୁଡ ଭଗବାନ ଶିବଙ୍କୁ ପ୍ରଶ୍ନ କଲେ। ଭଗବାନ ଶିବ ଉତ୍ତର ଦେଲେ “ମୋ ପାଖରେ ସମୟ ନାହିଁ, ତୁମେ କାକଭୁଶୁଣ୍ଡି ପାଖକୁ ଯାଅ ଓ ଧୀରେ ସୁସ୍ଥେ ତୁମର ସମସ୍ତ ସଂଶୟ ଦୂର କରି ଆସିବ।

जब बहु काल करिये सत्संगा ।
तबहि होहि सब संशय भंगा ।।
ଯେବେ ବହୁ କାଳ ଆମେ କରୁ ସତ୍ସଙ୍ଗ
ତେବେ ହୁଏ ସବୁ ସଂଶୟ ଭଙ୍ଗ ।

ଶିବ କହୁଛନ୍ତି, ହେ ଗରୁଡ, ତୁମର ସକଳ ସଂଶୟ ସେତେବେଳେ ଯାଇ ଦୂର ହେବ, ଯଦି ତୁମେ ଦୀର୍ଘ କାଳ ପାଇଁ ସତ୍ସଙ୍ଗ କରିବ, ଏକଥାକୁ ଧ୍ଯାନରେ ରଖି ତୁମେ କାକଭୁଶୁଣ୍ଡିଙ୍କ ପାଖକୁ ଯାଅ ।

ଆପଣ ଭାବି ରଖିଥାନ୍ତି, ବିବେଚନ ବେଳେ ଦୁଇ - ଚାରିଟି ପ୍ରଶ୍ନ ପଚାରିବେ, ହେଲେ କେବଳ ପ୍ରଶ୍ନ ପଚାରିବା ଦ୍ବାରା ସନ୍ଦେହ ଦୂର ହୁଏ ନାହିଁ। ଦୀର୍ଘ କାଳ ଯାଏ ବିବେଚନକୁ ଧ୍ୟାନ ସହକାରେ ଶ୍ରବଣ କଲେ, ସନ୍ଦେହ ସବୁ ଦୂର ହୋଇଥାଏ।

ପାଣି ଥିବା ପାତ୍ରରେ ତେଲ ଟିକିଏ ଢାଳି, ଅଙ୍ଗୁଳି ଭର୍ତ୍ତିକରି ବାହାର କଲେ ଅଙ୍ଗୁଳି ଉପରେ ତେଲ ବଦଳରେ ପାଣି ଆସିବ। ପାଣିରେ ସେହି ତେଲକୁ ମାସେ ଯାଏ ଛାଡି ଦିଅ। ମାସେ ପରେ ଅଙ୍ଗୁଳି ଭରିଲେ ଅଙ୍ଗୁଳି ଉପରେ ତେଲ ଆସିଯିବ। ପାଣିରେ ତେଲ ମିଶିଲା ନାହିଁ ତଥାପି ପାଣିର ପ୍ରତି ବିନ୍ଦୁ ମଧ୍ଯରେ ତେଲ ପହଞ୍ଚି ଯାଇ ପାରିଲା।

ସମୟର ପ୍ରଭାବରେ ବସ୍ତୁ କମେ ଅବା ବଢେ। ଅଳ୍ପ ସମୟ ମଧ୍ଯରେ କରାଯାଇଥିବା ପ୍ରୟାସ ଦ୍ବାରା ମନ ବଦଳେ ନାହିଁ, ବୁଦ୍ଧି ବି ବଦଳେ ନାହିଁ। ଗୀତା କକ୍ଷାରେ ଯୋଡି ହୋଇ ଯିବି, ଧ୍ଯାନର ସହିତ ବିବେଚନ ଶୁଣିବି, ଏକାଦଶୀ ବ୍ରତ କରିବି ଓ ମୋର ଜୀବନ ବଦଳି ଯିବ। ଜୀବନରେ ପରିବର୍ତ୍ତନ ଆଣିବାକୁ ହେଲେ ଦୀର୍ଘ ସମୟ ସତ୍ସଙ୍ଗ କରିବାକୁ ହୁଏ, କଥା ଶୁଣିବାକୁ ହୁଏ, ବିବେଚନ ଶୁଣିବାକୁ ହୁଏ, ତେବେ ଯାଇ ବୁଦ୍ଧି ଖୋଲିବା ଆରମ୍ଭ ହୁଏ, ବୁଦ୍ଧି ଓ ସ୍ବଭାବରେ ପରିବର୍ତ୍ତନ ଆସେ।

17.3

ସତ୍ତ୍ୱାନୁରୂପା ସର୍ବସ୍ୟ, ଶ୍ରଦ୍ଧା ଭବତି ଭାରତ ।
ଶ୍ରଦ୍ଧାମୟୋଽୟଂ(ମ୍) ପୁରୁଷୋ, ୟୋ ୟଚ୍ଛ୍ରଦ୍ଧଃ(ସ୍) ସ ଏବ ସଃ ||3||

ହେ ଭାରତ ! ସବୁ ମନୁଷ୍ୟଙ୍କ ଶ୍ରଦ୍ଧା ସେମାନଙ୍କ ଅନ୍ତଃକରଣର ଅନୁରୂପ ହୁଏ। ଏହି ପୁରୁଷ ଶ୍ରଦ୍ଧାମୟ ଅଟେ। ତେଣୁ ଯେଉଁ ପୁରୁଷ ଯେପରି ଶ୍ରଦ୍ଧାବାନ୍‌ ଅଟନ୍ତି, ସେ ସ୍ୱୟଂ ମଧ୍ୟ ସେପରି ହିଁ ଅଟନ୍ତି।

ବିବେଚନ - 
ଶ୍ରୀଭଗବାନ ହିଁ ଅର୍ଜ୍ଜୁନଙ୍କୁ କହିଲେ ଯେ ସବୁ ମନୁଷ୍ଯଙ୍କର ଶ୍ରଦ୍ଧା ତାଙ୍କର ଅନ୍ତଃକରଣର ଅନୁରୂପ ହୋଇଥାଏ। ଯାହାର ଅନ୍ତକରଣ ଯେପରି ହେବ ତା’ର ଶ୍ରଦ୍ଧା ସେପରି ହେବ, ଶ୍ରଦ୍ଧା ଯେପରି ହେବ ଜଣେ ବ୍ଯକ୍ତି ସେପରି ହୋଇଯିବ।

ଥରେ ଜଣେ ରାଜା ସୁନ୍ଦର ମନ୍ଦିରଟିଏ ନିର୍ମାଣ କରିବାକୁ ବିଚାର କଲେ। ସଂଯୋଗ କ୍ରମେ ତାଙ୍କ ରାଜ୍ଯରେ ଏମିତି ଏକ ସିଦ୍ଧ ମୂର୍ତ୍ତିକାର ଥିଲେ ଯେ ଶ୍ରେଷ୍ଠ ମୂର୍ତ୍ତି ନିର୍ମାଣ କରିପାରୁଥିଲେ। ସେ ନିଜ କଳାରେ ଏତେ ସିଦ୍ଧହସ୍ତ ଥିଲେ କି ପଥର ମଧ୍ଯ ତାଙ୍କ ସହ ବାର୍ତ୍ତାଳାପ କରିପାରୁଥିଲା। ରାଜା ଅନେକ ବିଚାର କରି ତାଙ୍କୁ କହଲେ“ ହେ ମୂର୍ତ୍ତିକାର ! ବଡ ସୌଭାଗ୍ଯ କ୍ରମେ ତୁମର ଜନ୍ମ ଏହି ରାଜ୍ଯରେ ହୋଇଅଛି। ମୁଁ ଚାହେଁ ଯେ ତୁମେ ଏ ରାଜ୍ଯରେ ଏମିତି ଏକ ଅଦ୍ଭୁତ ମନ୍ଦିର ନିର୍ମାଣ କର ଯାହାକୁ ଦେଖିବା ପାଇଁ ତଥା ଭଗବାନଙ୍କ ଦର୍ଶନ ପାଇଁ ବହୁ ଦୂର ଦୂର ରାଜ୍ଯରୁ ଭକ୍ତମାନେ ଆସିବେ। ତୁମକୁ ଯାହା ଆବଶ୍ଯକ ସେସବୁ ସାମଗ୍ରୀ ମୁଁ ଦେବି । ଯେତେ ଅର୍ଥ ଆବଶ୍ଯକ, ସମୟ ଦରକାର, ଯାହାକିଛି ଆବଶ୍ଯକ ସେସବୁ ମିଳିଯିବ। ମୂର୍ତ୍ତିକାରଙ୍କୁ ତାଙ୍କର ଇପ୍ସିତ ବସ୍ତୁ ଉପଲବ୍ଧ କରାଇଦିଆ ଗଲା। ମୂର୍ତ୍ତିକାର ଭଗବାନଙ୍କ ବିଗ୍ରହ ନିର୍ମାଣ ପାଇଁ ଚାରିଟି ଉତ୍କୃଷ୍ଟ ଶିଳା ଚୟନ କଲେ।

ସେ ପ୍ରଥମେ ପଥରଗୁଡିକୁ ନିଜ କାର୍ଯ୍ଯଶାଳାକୁ ମଗାଇ ପ୍ରଣାମ କଲେ। ପ୍ରଣାମ କରି ସେ ଯେମିତି ପଥର ଉପରେ ଛେଣୀ ଦ୍ବାରା ଆଘାତ କରିଛନ୍ତି, ସେମିତି ପଥରରୁ ପ୍ରତିଶବ୍ଦ ଆସିଲା। “ହେ ଶିଳ୍ପୀ ! ତୁମେ ମୋ ଉପରେ ଏପରି ପ୍ରହାର କରନାହିଁ। ଏତେ କଷ୍ଟ ମୁଁ ସହ୍ୟ କରିପାରିବି ନାହିଁ। ମୁଁ ପଛେ ମୂର୍ତ୍ତି ହେବି ନାହିଁ, କୃପାକରି ମୋତେ ଛାଡି ଦିଅ।"

ମୂର୍ତ୍ତିକାର ସେ ଶିଳାଟିକୁ ଛାଡି ଅନ୍ଯ ଏକ ପଥରକୁ ପ୍ରଣାମ କରି ତା’ଉପରେ କାମ ଆରମ୍ଭ କଲେ। ମାସେ ଯାଏଁ ସେହି ପଥର ଉପରେ ଛେଣୀ ମାରି ଅଳ୍ପ ଗୋଲ ଆକାର ଦେଇ ଚିକ୍କଣ କଲେ। ମାସେ ପରେ ସେହି ପଥରରୁ ଉତ୍ତର ଆସିଲା “ ବାସ୍ ସେତିକି ଥାଉ। ମୁଁ ତୁମର ଆଘାତ ଆଉ ସହ୍ଯ କରି ପାରୁ ନାହିଁ, ତୁମର ଛେଣୀ ମୋତେ ବହୁତ କଷ୍ଟ ଦେଉଛି। ମୂର୍ତ୍ତିକାର ଏ ପଥରକୁ ମଧ୍ଯ ଅନ୍ୟ ପାର୍ଶ୍ବକୁ ରଖିଦେଲେ। 

ଏହାପରେ ତୃତୀୟ ପଥର ଉପରେ ସେ ଛଅ ମାସ ଯାଏ କାମ କଲେ। ଛଅ ମାସ ପରେ ସେହି ମୂର୍ତ୍ତିରେ ଅନେକ ଛୋଟ ବଡ ଆକାର ମାନ ଦେଖାଗଲା, ଗୋଲାକୃତି ମଧ୍ଯ ଆସିଗଲା। ଛଅ ମାସ ପରେ ସେହି ପଥରରୁ ବି ପ୍ରତିଶବ୍ଦ ଆସିଲା“ ଏତେ ଦିନ ହୋଇଗଲା, ଏବେ ଆଉ କଷ୍ଟ ସହି ହେଉ ନାହିଁ, ଛେଣୀର କଷ୍ଟ ଖୁବ୍ ବାଧୁଛି। ମୋତେ ଛାଡିଦିଅ। ମୂର୍ତ୍ତିକାର ମଧ୍ଯ ସେହି ଚିକ୍କଣ ପଥରକୁ ଅଲଗା କରି ରଖିଦେଲେ।

ଶେଷରେ ମୂର୍ତ୍ତିକାର ଚତୁର୍ଥ ପଥରକୁ ସ୍ପର୍ଶ କଲେ। ସେହି ପଥରରେ ସ୍ପନ୍ଦନ ଆରମ୍ଭ ହେବାକୁ ଲାଗିଲା। ପଥରରୁ ଶବ୍ଦ ଆସିଲା“ଆରେ ମୋତେ ତୁମେ ସବୁଠୁଁ ଶେଷରେ ଡାକିଲ। ମୁଁ ଅତ୍ଯନ୍ତ କଷ୍ଟ ପାଉଥିଲି ଏଇ କଥା ଭାବି ଭାବି, ଯେ ତୁମେ ମୋତେ କେବେ ସ୍ପର୍ଶ କରିବ। ମୁଁ ତୁମ ପାଇଁ ସମର୍ପିତ, ତୁମ ପାଇଁ ହିଁ ସୃଷ୍ଟି ହୋଇଛି। ମୋର ଜନ୍ମ ତୁମ ପାଇଁ ହୋଇଅଛି। ତୁମେ ଯେମିତି ଚାହିଁବ ଠିକ୍ ସେମିତି ଆକାରରେ ମୋତେ ଢାଳିଦିଅ। ତୁମେ ମୋତେ ଯେତେ ଛେଣୀ ଆଘାତ କଲେ ବି ମୁଁ କୌଣସି ପ୍ରତିବାଦ କରିବି ନାହିଁ, ଆହା ବି କରିବି ନାହିଁ। ତୁମେ ମୋତେ ଯେମିତି ଗଢିବାକୁ ଚାହୁଁଛ, ସେମିତି ବନିବା ପାଇଁ ମୁଁ ପ୍ରସ୍ତୁତ ଅଛି।

ପଥରଟି କହିଲା, ମୁଁ ତୁମର ଶ୍ରେଷ୍ଠକୃତି ହେବାକୁ ଚାହେଁ। ମୂର୍ତ୍ତିକାର ପଥରଟିକୁ ପ୍ରଣାମ କଲେ। ଦୁଇବର୍ଷ ଯାଏଁ, ଶିଳ୍ପୀ ଜଣକ ସେହି ପଥରରେ ଶ୍ରୀଭଗବାନଙ୍କ ପ୍ରତିମା ଗଢିବାକୁ ଲାଗିଲେ। ଦୁଇବର୍ଷ ପରେ ଶ୍ରୀଭଗବାନ ଦ୍ବାରକାଧୀଶଙ୍କ ସୁନ୍ଦର ବିଗ୍ରହ ଯେଉଁ କ୍ଷଣି ପୂର୍ଣ୍ଣ ହେଲା, ଶିଳ୍ପୀ ତାଙ୍କୁ ଦଣ୍ଡବତ୍ ପ୍ରଣାମ କରି କହିଲେ“ହେ ଶିଳା ! ତୁମର ପୂର୍ଣ୍ଣ ସମର୍ପଣ ହିଁ ତୁମକୁ ଈଶ୍ବରରେ ପରିଣତ କରିପାରିଛି।”

ମହାରାଜଙ୍କୁ ଡକାଗଲା। ମୂର୍ତ୍ତିକୁ ଦେଖି ମହାରାଜଙ୍କ ଆଖି ଲୋତକ ପୂର୍ଣ୍ଣ ହୋଇଗଲା। ଦଣ୍ଡବତ୍ ପ୍ରଣାମ କରି ସେ କହିଲେ“ହେ ମୂର୍ତ୍ତିକାର ତୁମର କଳାକୃତି ଅଦ୍ଭୁତ, ଏତେ ସୁନ୍ଦର ବିଗ୍ରହଟିଏ ନିର୍ମାଣ କରିଛ ଯାହା ମୋର କଳ୍ପନାର ବାହାରେ !”ମୂର୍ତ୍ତିକାର କହିଲେ "ହେ ମହାରାଜ! ଏହା କେବଳ ମୋର ବାହାଦୁରୀ ନୁହେଁ, ଏହା ପଛରେ ଏହି ପଥରଟିର ସମ୍ପୂର୍ଣ୍ଣ ସମର୍ପଣର ଭାବ ରହିଛି।” ମହାରାଜ ଏହାର ଗୂଢ ରହସ୍ଯ ସହଜରେ ବୁଝିପାରିଲେ ନାହିଁ। 

ପ୍ରକୃଷ୍ଟ ସମୟ ଆସିବା ପରେ ମନ୍ଦିର କାର୍ଯ୍ଯ ପୂର୍ଣ୍ଣ ହେଲା। ପ୍ରଥମ ପଥରଟିକୁ ଭାଙ୍ଗି ଛୋଟ ଛୋଟ ଖଣ୍ଡ କରି ରାସ୍ତାରେ ବିଛାଇ ଦିଆ ଗଲା। ଦ୍ବିତୀୟ ପଥରକୁ ମନ୍ଦିର ପାହାଚ ଉପରେ ଖଞ୍ଜି ଦିଆଗଲା। ତୃତୀୟ ପଥରକୁ ମନ୍ଦିର ସ୍ତମ୍ଭରେ ଲଗେଇ ଦିଆଗଲା, କିନ୍ତୁ ଚତୁର୍ଥ ପଥରଟି ସମର୍ପଣ କାରଣରୁ ମନ୍ଦିର ଗର୍ଭଗୃହରେ ଭବ୍ଯ ପ୍ରାଣପ୍ରତିଷ୍ଠା ମହୋତ୍ସବ ପରେ ମୁଖ୍ଯ ବିଗ୍ରହ ରୂପେ ପ୍ରତିଷ୍ଠିତ ହେଲା। ପ୍ରତିଦିନ ସେହି ବିଗ୍ରହରେ ଭିନ୍ନ ଭିନ୍ନ ପୁଷ୍ପରେ ଶୃଙ୍ଗାର କରାଯାଏ, ଅନେକ ପ୍ରକାର ଭୋଗ ଲାଗେ, ହଜାର ହଜାର ଭକ୍ତ ଯେହି ମନ୍ଦିର ବିଗ୍ରହ ଦର୍ଶନ କରିବାକୁ ଆସନ୍ତି।

ତଫାତ୍ କ’ଣ ଅଛି ? ଗୋଟିଏ ପଥର ଖଣ୍ଡ ଖଣ୍ଡ ହୋଇ ରାସ୍ତା କାମରେ ଲାଗିଲା, ଗୋଟିଏ ପଥର ପାହାଚ ନିର୍ମାଣରେ ଲାଗିଲା, ଗୋଟିଏ ପଥର ସ୍ତମ୍ଭ ତିଆରିରେ ଲାଗିଲା ଓ ଗୋଟିଏ ପଥର ଭଗବାନ ହୋଇଗଲା। ଯାହାର ଯେମିତି ଶ୍ରଦ୍ଧା ଥିଲା, ସେ ନିଜ ଜୀବନରେ ସେମିତି ଗତିକୁ ପ୍ରାପ୍ତ ହେଲା।
ମନୁଷ୍ଯ ହିଁ ଈଶ୍ବର ବନାଏ। ନିଜ ସମର୍ପଣ ଭାବରେ ନିଜେ ମହାନ ସନ୍ଥ - ଦେବତା ବନି ଯାଏ। ପରନ୍ତୁ ବିନା ସମର୍ପଣରେ ସେ ମଦ୍ଯପ, ମାଂସାସୀ କି ନଷ୍ଟ ଚରିତ୍ର ବି ହୋଇଯାଇ ପାରେ।

ସ୍ବାମୀ ବିବେକାନନ୍ଦ କହିଛନ୍ତି ଯେ ମନୁଷ୍ଯ ଏକ ବିଚାରଶୀଳ ପ୍ରାଣୀ। ସେ ଯେପରି ବିଚାର କରେ, ସେପରି ହୋଇପାରେ।
ଆମେ ପ୍ରଥମରୁ କିଛି ନଥାଉ, ଧୀରେ ବୁଦ୍ଧି ପଶିବା ସହ, ଯେପରି ହେବାକୁ ଚାହୁଁ, ଠିକ୍ ସେହିଭଳି ହୋଇଯାଉ। ଭଗବାନ ଶକ୍ତି ଦେଇଛନ୍ତି, ଆମେ ଯେଉଁ ବିଷୟରେ ଯେପରି ଶ୍ରଦ୍ଧା କରିବା, ସେମିତି ହିଁ ହୋଇପାରିବା।

ଭଗବାନ କହିଛନ୍ତି,“ଯାହାର ଯେମିତି ଶ୍ରଦ୍ଧା, ତା’ର ସେପରି ଭାବ। ଆମେ ଭାବ ତତ୍ତ୍ବର କଥା କହୁ, କିନ୍ତୁ କାମନା ଭୋଗ-ବିଳାସର କରିଥାଉ। କେହି ଇହ ଜନ୍ମର ଭୋଗ କାମନା କରେ, କେହି ପର ଜନ୍ମର ଭୋଗ କାମନା କରେ, କେହି ସ୍ବର୍ଗ ଲୋକର ଭୋଗ କାମନା କରେ। ସମସ୍ତଙ୍କର ନିଜ ନିଜର ଇଷ୍ଟ ଦେବତା ଅଛନ୍ତି। ସୁନ୍ଦର ବର ପାଇଁ ସୋମବାର ବ୍ରତ କରାଯାଏ, ଶକ୍ତି ଲାଭ ପାଇଁ ମଙ୍ଗଳବାର ହନୁମାନ ବ୍ରତ କରାଯାଏ, ଧନପ୍ରାପ୍ତି ପାଇଁ ଗୁରବାର ବ୍ରତ, କଷ୍ଟ ବାଧା ଦୂର ପାଇଁ ଶନିବାର ବ୍ରତ କରାଯାଇ ଥାଏ।

ସ୍ଥୂଳ ଶରୀର ସମସ୍ତଙ୍କର ଏକାପରି। କିନ୍ତୁ ମନ ଭିନ୍ନ ଭିନ୍ନ ଅଟେ।

ପାଣିରେ ପାଣି ତୋର ରଙ୍ଗ କେମିତି
ଯେଉଁଥରେ ମିଶି ଯାଏ ଲାଗେ ସେମିତି ।


ଏକ ଅତି ସୁନ୍ଦର ଭଜନ-

ତୋ ମନ ଦର୍ପଣ କୁହେ ରେ ତୋ ମନ ଦର୍ପଣ କୁହେ
ଭଲ ମନ୍ଦ ସବୁ କର୍ମ କୁ ଦେଖେ ଓ ଦେଖାଏ
ତୋ ମନ ଦର୍ପଣ କୁହେ ତୋ ମନ ଦର୍ପଣ କୁହେ
ମନହିଁ ଦେବତା ମନହିଁ ଈଶ୍ବର ମନଠୁଁ ବଢିକି ନାହିଁ
ମନହିଁ ଆଲୁଅ ଯେବେ ପ୍ରକାଶଇ
ବିଶ୍ବ ଆଲୋକିତ ହୁଏ
ଏହି ଦିପ୍ତିମନ୍ତ ଦର୍ପଣ ଉପରେ
ଧୂଳି ଯେ ଜମି ନ ପାଏ
ତୋ ମନ ଦର୍ପଣ କୁହେ
ସୁଖର କଳିକା ଦଃଖର ବେଦନା
ମନ ସଭିଁର ଆଧାର
ମନରେ କୌଣସି କଥା ନ ଲୁଚଇ
ମନର ଆଖି ହଜାର
କେହି ଲୁଚି ପାରେ ଏ ଦୁନିଆଁ ଠାରୁ
 କିନ୍ତୁ, ଅତି ଅଟେ କଷ୍ଟକର
ମନଠୁଁ ହେବାକୁ ଦୂର।।

ନିଜ ମନ ଠାରୁ କେହି ଦୂରେଇ ପାରେ ନାହିଁ। ଆମେ କ’ଣ ଭୁଲ କଲୁ ଓ କ’ଣ ଠିକ୍ କଲୁ? ଏହା ଆମେ ସମସ୍ତଙ୍କ ଠାରୁ ଲୁଚେଇ ପାରୁ କିନ୍ତୁ ନିଜ ପାଖରେ ନୁହେଁ। କ’ଣ ଆମକୁ ସୁଖ ଦିଏ, କ’ଣ ଦୁଃଖ ଦିଏ, ଏହା ଆମ ମନ ବ୍ଯତୀତ ଅନ୍ୟ କାହାକୁ ଜଣା ନଥାଏ। ମୁଁ କେଉଁଠୁ ସୁଖ ପାଇବି, କେଉଁଠୁ ଦୁଃଖ ପାଇବି, ଏଥି ଲାଗି ମୋର ମନ ହିଁ କେବଳ ଆଧାର ଅଟେ। ମନକୁ ବଦଳେଇବାର କଳା ଯେ ଶିଖିନିଏ, ତା’ଠାରେ ସୁଖ ଓ ଦୁଃଖ ମଧ୍ଯ ବଦଳି ଯିବ, ଶ୍ରଦ୍ଧା ବି ବଦଳି ଯିବ ତଥା ଆମେ ବି ବଦଳି ଯିବା।

17.4

ୟଜନ୍ତେ ସାତ୍ତ୍ୱିକା ଦେବାନ୍, ୟକ୍ଷରକ୍ଷାଂସି ରାଜସାଃ ।
ପ୍ରେତାନ୍ଭୂତଗଣାଂଶ୍ଚାନ୍ୟେ, ୟଜନ୍ତେ ତାମସା ଜନାଃ ||4||

ସାତ୍ତ୍ଵିକ ପୁରୁଷ ମାନେ ଦେବତା ମାନଙ୍କୁ , ରାଜସ ପୁରୁଷ ମାନେ ଯକ୍ଷ୍ୟ ଓ ରାକ୍ଷସ ମାନଙ୍କୁ ଏବଂ ତାମସ ପୁରୁଷ ମାନେ ପ୍ରେତ ଓ ଭୂତ ମାନଙ୍କୁ ପୂଜା କରନ୍ତି।

ବିବେଚନ -  
ଶ୍ରୀ ଭଗବାନ ଅର୍ଜୁନଙ୍କୁ ଜଣାଇଲେ ଯେ - ସାତ୍ତ୍ବିକ ମନୁଷ୍ୟ ଦେବତାମାନଙ୍କୁ ଉପାସନା କରନ୍ତି, ରାଜସ ପ୍ରଧାନ ବ୍ୟକ୍ତିମାନେ ଯକ୍ଷ ଓ ରାକ୍ଷସମାନଙ୍କୁ ଆରାଧନା କରନ୍ତି ଏବଂ ତାମସ ପ୍ରଧାନ ମନୁଷ୍ୟ ଭୂତ, ପ୍ରେତମାନଙ୍କର ଉପାସନା କରିଥାନ୍ତି। 
ମନୁଷ୍ୟର ଶ୍ରଦ୍ଧା ଅନୁସାରେ ଇଷ୍ଟ ବି ବଦଳି ଥାଆନ୍ତି। କଥାରେ ଅଛି 'ଯାହାର ମନ ଯେଡେ ତାହାର ପ୍ରଭୁ ସେଡେ।'

ସାତ୍ତ୍ବିକ ପ୍ରବୃତ୍ତ ବ୍ୟକ୍ତି ଦେବତାଙ୍କୁ ପୂଜା କରଥାନ୍ତି କାରଣ ଦେବତାମାନଙ୍କ କୃପା ବଳରେ ଆମେ ଶରୀର ଧାରଣ କରିଥାଉ, ଦେବତାମାନେ ହିଁ ବୃଷ୍ଟି କରାନ୍ତି, ଅନ୍ନ ପ୍ରଦାନ କରନ୍ତି, ଆମ ପାଖରେ ଧନ-ଧାନ୍ଯ ଭରି ଦେଇ ଥାଆନ୍ତି। ତେଣୁ ଯେଉଁମାନେ ଦେବତାମାନଙ୍କୁ ଆରତୀ, ପୂଜା ଓ ମନ୍ତ୍ର ଦ୍ୱାରା ସେବା କରନ୍ତି ତାହା ସାତ୍ତ୍ୱିକ ପୂଜା ଭାବେ ଗଣାଯାଏ। ଏହି ପୂଜା କେବଳ ଦେବତାମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ହୋଇଥାଏ।

ବ‍୍ୟପାରୀମାନଙ୍କ ଗାଦିରେ ଲେଖା ଯାଇଥାଏ - ଶ୍ରୀ କୁବେରାୟ ନମଃ। ଏହି ପୂଜା ଯକ୍ଷମାନଙ୍କ ପାଇଁ ଉଦ୍ଦିଷ୍ଟ, ତେଣୁ ଏହା ହେଉଛି ରାଜସିକ ପୂଜା।

ବେଳେବେଳେ ଶୁଣାଯାଏ ଯେ କେଉଁ ଏକ ନିର୍ଦ୍ଦିଷ୍ଟ ମନ୍ଦିରରେ ମଦ ଦିଆଯାଏ ଏବଂ କେଉଁ କେଉଁ ମନ୍ଦିରରେ ମାଂସ ଭୋଗ ଲଗାଯାଏ। ଏହା ହେଉଛି ଭୂତ ଏବଂ ପ୍ରେତମାନଙ୍କୁ ଉପାସନା କରିବା ବିଧି ଏବଂ ଏହି ପଦ୍ଧତିକୁ ତାମସିକ ଭାବେ ପରିଗଣିତ କରା ଯାଇଥାଏ।

17.5

ଅଶାସ୍ତ୍ରବିହିତଂ(ଙ୍) ଘୋରଂ(ନ୍), ତପ୍ୟନ୍ତେ ୟେ ତପୋ ଜନାଃ ।
ଦମ୍ଭାହଙ୍କାରସଂୟୁକ୍ତାଃ(ଖ୍), କାମରାଗବଲାନ୍ୱିତାଃ ||5||

ଯେଉଁମାନେ ଶାସ୍ତ୍ରବିଧି ରହିତ କେବଳ ମନୋକଳ୍ପିତ ଘୋର ତପ ଆଚରଣ କରନ୍ତି ତଥା ଦମ୍ଭ ଓ ଅହଂକାରରେ ଯୁକ୍ତ ତଥା କାମନା ଆସକ୍ତି ଓ ବଳର ଅଭିମାନରେ ମଧ୍ୟ ଯୁକ୍ତ -

ବିବେଚନ - 
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ଯେଉଁ ପୁରୁଷମାନେ ଶାସ୍ତ୍ରାନୁସାରେ ନ ଯାଇ କେବଳ ସ୍ବକଳ୍ପିତ କଠୋର ତପସ୍ୟା କରନ୍ତି ତଥା ଅହଂକାର, ଆସକ୍ତି ଏବଂ ବୃଥା ଶକ୍ତିର ଗର୍ବରେ ପରିପୂର୍ଣ୍ଣ ରହନ୍ତି। କାମନା, ଆସକ୍ତି ଓ ବଳର ଦମ୍ଭରେ ପରିପୂର୍ଣ୍ଣ ହୋଇ, ଶାସ୍ତ୍ର ତ୍ୟାଗ କରି ଯାହା ଇଚ୍ଛା ତାହା ରଚନା କରିବା, ନିଜର ଏକ ବଡ଼ ଫଟୋ ଧରି ନିଜେ ପଣ୍ଡିତ ସାଜି ଶ୍ଲୋକ କହିବା, ଜ୍ଞାନ ନଥାଇ ମନଇଚ୍ଛା ପ୍ରବଚନ କରିବା ଇତ୍ୟାଦି ଅନୁଚିତ କାର୍ଯ୍ୟ।

ଏହା ଭାବିବା ଉଚିତ୍ ନୁହେଁ ଯେ, ପୂଜା ସମୟରେ ସମସ୍ତ ପେଣ୍ଡାଲ୍ ମାଲିକ ଏପରି ଅବ୍ୟବସ୍ଥା ସୃଷ୍ଟି କରନ୍ତି। ଅଧୂନା ସମାଜରେ କିଛି ଲୋକ ଶାସ୍ତ୍ର ବିଧି ରହିତ ହୋଇ ଦୁର୍ଗା ପୂଜା, ଗଣେଶ ପୂଜା ଆଦି ପାଇଁ ମଣ୍ଡପ ସ୍ଥାପନ କରନ୍ତି। ଅନେକ ପେଣ୍ଡାଲ୍‌ରେ ଭଗବାନଙ୍କ ଏକ ଛୋଟ ଫଟୋ ଏବଂ ଆୟୋଜକଙ୍କ ବଡ଼ ଫଟୋ ଲଗାଇଥାନ୍ତି। ଭିତରେ କୌଣସି ପୂଜାରୀ କି ପୁରୋହିତ ନଥାନ୍ତି କିମ୍ବା କୌଣସି ମନ୍ତ୍ର ମଧ୍ୟ ଜପ ହେଉନଥାଏ। ଫିଲ୍ମର ଅଶ୍ଳୀଳ ଗୀତ ସବୁ ବଜାଇ, ଦେବୀଙ୍କ ପ୍ରତିମା, ଗଣେଶଙ୍କ ମୂର୍ତ୍ତି ସାମ୍ନାରେ ରଖି, ପଛରେ ମଦ୍ୟପାନ କରନ୍ତି ଓ ସିନେମା ଗୀତ ବଜାଇ ନାଚନ୍ତି।

ହିନ୍ଦୁ ଶାସ୍ତ୍ର ପଦ୍ଧତି ଅନୁସାରେ, ପୂଜା ମଣ୍ଡପମାନଙ୍କରେ ମନ୍ତ୍ର ଜପ ହେବା ଉଚିତ, ସେଠାକାର ବାତାବରଣ ଭକ୍ତିମୟ ହେବା ଉଚିତ। ଏପରି ସ୍ଥାନମାନଙ୍କରେ ଫିଲ୍ମ ଗୀତ ବଜାଇବା ବା ଅଶ୍ଳୀଳ ଗୀତ, ନାଚ ଆଦି ସମ୍ପୂର୍ଣ୍ଣ ବର୍ଜନୀୟ ହେବା ଉଚିତ।

17.6

କର୍ଶୟନ୍ତଃ(ଶ୍) ଶରୀରସ୍ଥଂ(ମ୍), ଭୂତଗ୍ରାମମଚେତସଃ ।
ମାଂ(ଞ୍) ଚୈବାନ୍ତଃ(ଶ୍) ଶରୀରସ୍ଥଂ(ନ୍), ତାନ୍ୱିଦ୍ଧ୍ୟାସୁରନିଶ୍ଚୟାନ୍ ||6||

ଶରୀର ରୂପରେ ଅବସ୍ଥିତ ଭୂତ ସମୁଦାୟକୁ ଏବଂ ଅନ୍ତଃ କରଣରେ ଅବସ୍ଥିତ ମୋତେ (ପରମାତ୍ମାଙ୍କୁ) ମଧ୍ୟ କୃଶ କରାଉଥିବା ସେହି ଅଜ୍ଞାନୀ ମାନଙ୍କୁ ଜିଦ୍‌ ପୂର୍ବକ ଆସୁର ସ୍ଵଭାବ ଧରିଥିବା ଲୋକ ବୋଲି ଜାଣ।

ବିବେଚନ - 
ଭଗବାନ କହନ୍ତି, ହେ ଅର୍ଜୁନ ! ଶରୀର ରୂପରେ ତଥା ସମସ୍ତ ଭୂତ ସମ୍ପ୍ରଦାୟର ଅନ୍ତଃକରଣରେ ସ୍ଥିତ ମୋର ପରମାତ୍ମା ସ୍ବରୂପକୁ କଷ୍ଟ ଦେଉଥିବା ମନୁଷ୍ୟଙ୍କୁ ଅସୁର ପ୍ରକୃତିର ବୋଲି କୁହାଯିବା ଉଚିତ୍। ଶ୍ରୀ ଭଗବାନ କହନ୍ତି ଯେ ଏଭଳି ଆଚରଣ ଅଜ୍ଞନତା ବି ଏବଂ ରାକ୍ଷସ ପ୍ରକୃତି ମଧ୍ୟ ।

17.7

ଆହାରସ୍ତ୍ୱପି ସର୍ବସ୍ୟ, ତ୍ରିବିଧୋ ଭବତି ପ୍ରିୟଃ ।
ୟଜ୍ଞସ୍ତପସ୍ତଥା ଦାନଂ(ନ୍), ତେଷାଂ(ମ୍) ଭେଦମିମଂ(ମ୍) ଶୃଣୁ ||7||

ଆହାର ମଧ୍ୟ ଲୋକଙ୍କ ପ୍ରକୃତି ଭେଦରେ ତିନି ପ୍ରକାର ପ୍ରିୟ ହୁଏ ଏବଂ ଯଜ୍ଞ , ତପ ଓ ଦାନ ମଧ୍ୟ ସେହିପରି ତିନି ପ୍ରକାରର ଅଟେ।

ବିବେଚନ - 
ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ହେ ଅର୍ଜୁନ! ଶୁଣ, ଭୋଜନ ମଧ୍ୟ ବ୍ୟକ୍ତିର ସ୍ୱଭାବ ଅନୁସାରେ ତିନି ପ୍ରକାରର ପ୍ରିୟ ହୋଇଥାଏ। ଯେପରି, ଯଜ୍ଞ, ତପ ଏବଂ ଦାନ ତିନି ପ୍ରକାରର ହୋଇଥାଏ।

ଶ୍ରୀଭଗବାନ ଏହି ଅଧ୍ୟାୟରେ ମନୁଷ୍ୟର ପ୍ରକୃତି ବିଷୟରେ ବ୍ୟାଖ୍ୟା କରୁଛନ୍ତି। ଯେଉଁଠି ମନୁଷ୍ୟର ରୁଚି ଥାଏ ସେ ସେହିପରି ହିଁ ହେବାକୁ ପସନ୍ଦ କରେ ନତୁବା ମନୁଷ୍ୟର ପ୍ରକୃତି ଯେପରି ହୋଇଥାଏ ସେ ତଦନୁରୂପ ଦ୍ରବ୍ୟ ପସନ୍ଦ କରିଥାଏ। ଉଭୟ ତତ୍ତ୍ୱ ସମାନ ମନେହୁଏ। ସେଥିପାଇଁ ଶ୍ରୀ ଭଗବାନ ପ୍ରଥମେ ଖାଦ୍ୟ ବିଷୟରେ କହିଥିଲେ। ଖାଦ୍ୟ ସମସ୍ତଙ୍କର ଆବଶ୍ୟକତା। ଆମମାନଙ୍କ ମଧ୍ୟରେ ଏପରି କେହି ନାହାନ୍ତି ଯାହାକୁ ଖାଦ୍ୟର ଆବଶ୍ୟକତା ନାହିଁ।

ପ୍ରଥମ ପଙ୍କ୍ତିରେ, ଶ୍ରୀ ଭଗବାନ ବ୍ୟବହାରିକ ଶ୍ରଦ୍ଧା ବିଷୟରେ କହିଛନ୍ତି।
ଦ୍ୱିତୀୟରେ, ଶ୍ରୀ ଭଗବାନ ଶାସ୍ତ୍ରୀୟ ଶ୍ରଦ୍ଧା ବିଷୟରେ କହୁଛନ୍ତି।

ସ୍ବଭାବ ଏବଂ ଶ୍ରଦ୍ଧା ମଧ୍ୟରେ ଏକ ଗଭୀର ସମନ୍ୱୟ ରହିଛି। ଆମେ ଯେତେବେଳେ ସାତ୍ତ୍ୱିକ, ରାଜସ, ତାମସ ବିଷୟରେ ଆଲୋଚନା କରୁ, ସେତେବେଳେ ଏପରି ବୁଝିବା ଉଚିତ୍ ନୁହେଁ ଯେ ଏହା କେବଳ ସାତ୍ତ୍ୱିକ, କେବଳ ରାଜସିକ ବା କେବଳ ତାମସିକ।

ଯେପରି କେବଳ ସକାଳ, କେବଳ ଅପରାହ୍ନ ଏବଂ କେବଳ ସନ୍ଧ୍ୟା ନାମକ କୌଣସି ସମୟ ସମ୍ଭବ ହୋଇପାରେ ନାହିଁ। ପୂର୍ଣ୍ଣ ପ୍ରାତଃ କ'ଣ କେବେ ହୋଇପାରେ କି? ନିର୍ଦ୍ଦିଷ୍ଟ ଭାବେ ଏପରି କୌଣସି କାଳ ହୋଇପାରିବ ନାହିଁ।
  • ରାତିର ଶେଷ ପ୍ରହର ସହ ପ୍ରଭାତର ପ୍ରଥମ ପ୍ରହର ମିଶିବା ସମୟକୁ ପ୍ରାତଃ କାଳ କୁହାଯାଏ। 
  • ସକାଳର ଶେଷ ପ୍ରହର ସହ ଅପରାହ୍ନର ପ୍ରଥମ ପ୍ରହରର ମିଳନକୁ ଅପରାହ୍ନ କୁହାଯାଏ।
  • ରାତିର ପ୍ରଥମ ପ୍ରହର ସହ ଅପରାହ୍ନର ଶେଷ ପ୍ରହରର ସମାବେଶକୁ ସନ୍ଧ୍ୟା କୁହାଯାଏ।
ଏହିପରି, ଏ ସଂସାରେ କିଛି ବି ପରମ ଶୁଦ୍ଧ ହୋଇ ନ ଥାଏ।  

ସାତ୍ତ୍ୱିକ, ରାଜସ, ତାମସ ମଧ୍ୟ ସମ୍ପୂର୍ଣ୍ଣ ନିର୍ଦ୍ଦିଷ୍ଟ ନୁହେଁ। ଏହି ଗୁଣଗୁଡ଼ିକ ମଧ୍ୟ ପରସ୍ପର ସହିତ ମିଶ୍ରିତ । ଯାହାର ପ୍ରାଧାନ୍ୟତା ଅଧିକ ତାହା ଉପରେ ନିର୍ଭର କରି ମନୁଷ୍ୟର ପ୍ରବୃତ୍ତି ନିର୍ଦ୍ଧାରିତ ହୁଏ। 

ରାତ୍ରିରେ ଆଲୋକର ଅଭାବ ଆମକୁ ଅନୁଭୂତ ହୁଏ। କିନ୍ତୁ ଆଲୋକ ଯେ ସମ୍ପୂର୍ଣ୍ଣ ଲୁପ୍ତ, ଏପରି ବି ନୁହେଁ। ମଧ୍ୟମ ଆଲୋକ ତଥାପି ଥାଏ, କାରଣ ସେହି ସମୟରେ ଚନ୍ଦ୍ର ଆଲୋକ ଶୂନ୍ୟ ହୋଇ ନଥାଏ। ଯେତେବେଳେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଥାଏ, ସେତେବେଳେ ଅନ୍ଧାରର ସ୍ଥିତି ଶୂନ୍ ପ୍ରାୟ ମନେହୁଏ, କିନ୍ତୁ ଏହା ମଧ୍ୟ ଠିକ୍ ନୁହେଁ। ଆମେ ଭାବୁ କି ଅନ୍ଧାରର ଅବଧାରଣା ଏବେ ସମ୍ଭବ ନୁହେଁ। ହେଲେ ଯଦି ଏ‌ହି ସମୟରେ ଖଣ୍ଡେ କଳାମେଘ ସୂର୍ଯ୍ୟକୁ ଆଚ୍ଛାଦିତ କରିନିଏ, ତେବେ ସେଠାରେ ଅନ୍ଧାର ଦେଖାଯାଏ। ତେଣୁ ଆଲୋକ ସହ ମଧ୍ୟ ଅନ୍ଧାର ମିଶ୍ରିତ ଅଛି।

ସେହିପରି, ସତ୍ୱରେ ରଜ ମିଶ୍ରିତ ଦେଖାଯିବ, ଏବଂ ରଜରେ ତମ ମିଶ୍ରିତ ଦେଖାଯିବ। ସତ୍ୱର ପୂର୍ବ ଭାଗ ହେଉଛି ତ୍ରିଗୁଣାତୀତ ଏବଂ ଉତ୍ତର ଭାଗ ହେଉଛି ରଜୋଗୁଣ। ରଜୋଗୁଣର ପୂର୍ବ ଭାଗ ହେଉଛି ସତ୍ତ୍ୱ ଗୁଣ, ଉତ୍ତର ଭାଗ ହେଉଛି ତମୋଗୁଣ ଏବଂ ତମୋଗୁଣର ପୂର୍ବ ଭାଗ ହେଉଛି ରଜୋଗୁଣ ଏବଂ ଉତ୍ତର ଭାଗ ହେଉଛି ସତ୍ତ୍ୱ ଗୁଣ।

ଏଥିରୁ ଆମେ ବୁଝିପାରିବା ଯେ ଏ ପୃଥିବୀରେ କୌଣସି ଜିନିଷ ସମ୍ପୂର୍ଣ୍ଣ ଶୁଦ୍ଧ ନ ଥାଏ। 

ଶ୍ରୀ ଭଗବାନ ଏହାପରେ ଖାଦ୍ୟ ବିଷୟରେ 
କହିଛନ୍ତି ଏବଂ ଆହାର କିପରି ତିନି ପ୍ରକାରର ହୋଇଥାଏ ତାହା ଆମେ ଆଗକୁ ଦେଖିବା।

17.8

ଆୟୁଃ(ସ୍) ସତ୍ତ୍ୱବଲାରୋଗ୍ୟ, ସୁଖପ୍ରୀତିବିବର୍ଧନାଃ ।
ରସ୍ୟାଃ(ସ୍) ସ୍ନିଗ୍ଧାଃ(ସ୍) ସ୍ଥିରା ହୃଦ୍ୟା, ଆହାରାଃ(ସ୍) ସାତ୍ତ୍ୱିକପ୍ରିୟାଃ ||8||

ଯେଉଁ ଆହାର ଆୟୁ , ବୁଦ୍ଧି , ବଳ , ଆରୋଗ୍ୟ , ସୁଖ ଏବଂ ପ୍ରୀତି ବର୍ଦ୍ଧନକାରୀ, ରସ ଯୁକ୍ତ , ସ୍ନିଗ୍ଧ , ଏବଂ ସ୍ଥିର ତଥା ସ୍ଵଭାବତଃ ମନକୁ ପ୍ରିୟ , ତାହା ସାତ୍ତ୍ଵିକ ପୁରୁଷ ମାନଙ୍କର ପ୍ରିୟ।

ବିବେଚନ -
ଶ୍ରୀ ଭଗବାନ ଏଠାରେ ଅର୍ଜୁନଙ୍କୁ, ଆୟୁ, ବଳ, ବୁଦ୍ଧି, ଆରୋଗ୍ୟ, ସୁଖ ଏବଂ ପ୍ରୀତି, ଆଦି ଛଅଟି ବିଷୟରେ କହିଛନ୍ତି। ଯାହା ଏଗୁଡ଼ିକୁ ବୃଦ୍ଧି କରେ ତାହା ରସାଳ, ମସୃଣ, ସ୍ଥିର ଏବଂ ସ୍ୱଭାବତଃ ସୁଖପ୍ରଦ ହୋଇଥାଏ, ଯେପରିକି ଆମ୍ବ। ଏହିପରି ଖାଦ୍ୟ ସାତ୍ତ୍ୱିକ ପୁରୁଷମାନେ ଖାଇବାକୁ ପସନ୍ଦ କରନ୍ତି। 

ଶ୍ରୀ ଭଗବାନ ଏଠାରେ ବର୍ଗ ସୃଷ୍ଟି କରିଛନ୍ତି ଏବଂ ଏଥି ପୂର୍ବରୁ ଏହାର ପରିଣାମ କ'ଣ ହୋଇଥାଏ, ସେ ବିଷୟରେ ଅବଗତ କରାଇଛନ୍ତି। ତେବେ ସାତ୍ତ୍ୱିକ ଖାଦ୍ୟର ପରିଣାମ କ’ଣ ହୁଏ ? ଆୟୁଷ ଦୀର୍ଘ ହେବ ଏବଂ ଶକ୍ତିରେ ବୃଦ୍ଧି ଘଟିବ। ମନୁଷ୍ୟର ବୁଦ୍ଧି ମାର୍ଜିତ ହେବ, ସ୍ୱାସ୍ଥ୍ୟ ବୃଦ୍ଧି ହେବ, ଅର୍ଥାତ୍ ବ୍ୟକ୍ତି ସଦୈବ ନୀରୋଗ ରହିବ। ଏହାକୁ ଗ୍ରହଣ କଲେ ସେ ସର୍ବଦା ଖୁସି ରହିବା ସହିତ, ତା’ ହୃଦୟରେ ଶ୍ରଦ୍ଧା ଭାବର ବୃଦ୍ଧି ଘଟିିବ। ଏ ହେଉଛି ସାତ୍ତ୍ୱିକ ଖାଦ୍ୟର ବୈଶିଷ୍ଟ୍ୟ। ଯାହାର ଭୋଜନ ଯେତେ ସାତ୍ତ୍ୱିକ ହେବ, ତା’ର ଆୟୁ, ବୁଦ୍ଧି, ବଳ, ସ୍ୱାସ୍ଥ୍ୟ, ସୁଖ ଏବଂ ପ୍ରୀତି ସେତେ ବୃଦ୍ଧି ପାଇବ। ତେବେ କି କି ପ୍ରକାରର ଖାଦ୍ୟ ଏ‌ ବର୍ଗରେ ଅନ୍ତର୍ଭୂକ୍ତ ? 

ଶ୍ରୀ ଭଗବାନ କୁହନ୍ତି ଯେ ଆମେ ରସଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ। ରସଯୁକ୍ତ ଅର୍ଥାତ୍ ସ୍ନିଗ୍ଧତା ବା ମସୃଣ ତଥା ସ୍ଥିର ଆହାର ଯାହା ପାକସ୍ଥଳୀକୁ ଆମର ସ୍ଥିର ରଖିଥାଏ। ଏହାକୁ ଏକ ସରଳ ଉଦାହରଣ ସହ ବୁଝିବାକୁ ଚେଷ୍ଟା କରିବା। ସାଧାରଣତଃ ଏପରି ବୁଝାଯାଏ ଯେ ମୁଗ ଡାଲି ଏକ ସାତ୍ତ୍ୱିକ, ହରଡ ଡାଲି ରାଜସିକ ଏବଂ ବିରି ଡାଲି ତାମସିକ ଖାଦ୍ୟ। କିନ୍ତୁ, ଏହା ସବୁ ସମୟରେ ଏବଂ ସବୁ କ୍ଷେତ୍ରରେ ସମାନ‌‌ ହୋଇନଥାଏ, ମୁଗଡାଲି ରାଜସିକ ଏବଂ ତାମସିକ ଉଭୟ ହୋଇପାରେ, ସେହିପରି ବିରି ଡାଲି ସାତ୍ତ୍ୱିକ ହୋଇପାରେ ଏବଂ ହରଡ ଡାଲି ମଧ୍ୟ ସାତ୍ତ୍ୱିକ, ରାଜସିକ ଉଭୟ ହୋଇପାରେ। 

କିନ୍ତୁ ଏହା କେବଳ ଏକ ପରିବର୍ତ୍ତନ ମାତ୍ର। କିନ୍ତୁ ମୁଗ ଡାଲିକୁ ଯଦି ଆପଣ ଅସମୟରେ ଓ ଅତ୍ୟଧିକ ପରିମାଣରେ ସେବନ କରନ୍ତି ତେବେ ଏହା ରାଜସ ଓ ତାମସିକରେ ପରିଣତ ହୋଇଯାଇ ପାରେ। ବିରି ଡାଲି ତାମସିକ କିନ୍ତୁ ଯଦି ଆପଣ ଏହାକୁ ଅଳ୍ପ ପରିମାଣରେ ମିଶାଇ ଖାଇବେ ତେବେ ଏହା ସାତ୍ତ୍ୱିକ ଖାଦ୍ୟର କାର୍ଯ୍ୟ କରିବ ଏବଂ ଶକ୍ତି ବର୍ଦ୍ଧକ ରୂପେ ସହାୟକ ହେବ। ଯଦି ଆପଣ ଦିନବେଳେ ବିରି ଡାଲି ଖାଆନ୍ତି ତେବେ ଏହା ରାଜସିକ, ଯଦି ଆପଣ ଏହାକୁ ରାତିରେ ଖାଆନ୍ତି ତେବେ ଏହା ତାମସିକ ଖାଦ୍ୟ ହୋଇଥାଏ।

ଯେଉଁମାନେ ସାତ୍ତ୍ୱିକ, ସେମାନେ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଅଧିକ ଖାଇଥାନ୍ତି । ଏହା ଏପରି ଏକ ପଦାର୍ଥ ଯାହା ସତ୍ୱ ବୃଦ୍ଧି କରେ। କଦଳୀ ଓ ଅନ୍ୟାନ୍ୟ ଫଳ ହେଉଛି ଏପରି ପଦାର୍ଥ ଯାହା ବଳ ବୃଦ୍ଧିରେ ସାହାଯ୍ୟ କରେ। ଏହିପରି ସମସ୍ତ ଫଳ ସ୍ୱାସ୍ଥ୍ୟ ବର୍ଦ୍ଧକ ଅଟନ୍ତି। 

ସୁଖପ୍ରୀତି, ଆଗକୁ ଗ୍ରୀଷ୍ମ ଋତୁ ଆସୁଛି, ତେଣୁ ଆମ୍ବର ଚାହିଦା ଏ ଋତୁରେ ଅନେକ। ଆମ୍ବ ଖାଇବା କଥା ଭାବିନେଲେ ହିଁ ମନ ଖୁସି ହୋଇଯାଏ।

ଯେଉଁ ବ୍ୟକ୍ତି ଯେତେ ସାତ୍ତ୍ୱିକ, ସେ ତରଳ ଖାଦ୍ୟକୁ ସେତେ ବେଶୀ ପସନ୍ଦ କରେ, ଏବଂ ରାଜସିକ ବ୍ୟକ୍ତି, ତରଳ ଖାଦ୍ୟକୁ କମ୍ ପସନ୍ଦ କରନ୍ତି, ତାଙ୍କ ପାଇଁ ତରଳ ଖାଦ୍ୟ ହେଉଛି ଚା। ଯଦି ତୁମେ ତାକୁ ସୁପ୍, କ୍ଷୀର କିମ୍ବା କୌଣସି ଭଲ ତରଳ ପଦାର୍ଥ ଦିଅ, ତେବେ ସେ ଏହାକୁ ପସନ୍ଦ କରିବେ ନାହିଁ। ସମସ୍ତ ଫଳ ଉପରୁ ଭଲଭାବେ ବନ୍ଦ ହୋଇଥିବା ଏକ ରସାଳ ଖାଦ୍ୟ, ତେଣୁ ସେଗୁଡ଼ିକ ସାତ୍ତ୍ୱିକ। 

ସ୍ନିଗ୍ଧ ଭୋଜନ - ତେଲ, ଘିଅ,, ବଟର, ଡାକ୍ତରମାନେ ମଧ୍ୟ ଏପରି ଖାଦ୍ୟକୁ ବାରଣ କରିଥାନ୍ତି ଯେତେବେଳେ ଏସବୁ ମଇଁଷି କ୍ଷୀରରୁ ତିଆରି ହୋଇଥାଏ। କାରଣ ଏହା ଖୁବ୍ କୋଲେଷ୍ଟ୍ରଲ୍ ବୃଦ୍ଧି କରେ। ଯଦି ଆପଣ ଦେଶୀ ଗାଈ ଘିଅ ସେବନ କରନ୍ତି, ତେବେ ଏଥିରେ ବ୍ୟାଡ୍ କୋଲେଷ୍ଟ୍ରଲ୍ (bad cholesterol) ଶୂନ୍ୟ ମାତ୍ରାରେ ଥିବା ବେଳେ ମଇଁଷି ଘିଅରେ ଏ‌ହା ଭରପୁର ମାତ୍ରାରେ ମହଜୁଦ ଥାଏ। ଆମ ଶରୀରରେ ଗୁଡ୍ (good) ଓ ବ୍ୟାଡ୍ (bad) ଦୁଇ ପ୍ରକାରର କୋଲେଷ୍ଟ୍ରଲ୍ ଅଛି।

ଦେଶୀୟ ଖାଦ୍ୟରେ ଗୁଡ୍ କୋଲେଷ୍ଟ୍ରଲ୍ ଥାଏ, ତେଣୁ ଆମେ କେବଳ ତାହା ପର୍ଯ୍ୟାପ୍ତ ମାତ୍ରାରେ ଖାଇବା ଉଚିତ। 
ଆଜିକାଲି ଆମେ ଯେଉଁ ତେଲ ସେବନ କରୁଛେ ତାହା ପାମ୍ ତେଲ ମିଶ୍ରିତ ଯାହା ଯୋଗୁଁ ଆମର ସମଗ୍ର ଶରୀର ବିଷାକ୍ତ ହୋଇଯାଏ। ଆମେ ଶୁଦ୍ଧ ସୋରିଷ ତେଲ, ଶୁଦ୍ଧ ବାଦାମ ତେଲ କିମ୍ବା ଶୁଦ୍ଧ ନଡ଼ିଆ ତେଲ ସେବନ କରିବା ଉଚିତ। ରିଫାଇନ୍ ତେଲ ଆମ ଶରୀର ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ।


**ପ୍ରଶ୍ନୋତ୍ତର** 

ପ୍ରଶ୍ନକର୍ତ୍ତା -
ରଜନୀଗନ୍ଧା ଦିଦି
ପ୍ରଶ୍ନ - କୌଣସି ଘରେ ଶିଶୁ ଜନ୍ମ ହେବାର କେତେ ଦିନ ପର୍ଯ୍ୟନ୍ତ ପୂଜା କରିବା ଉଚିତ୍ ନୁହେଁ?
ଉତ୍ତର - ଏହି ପରମ୍ପରା ବ୍ୟକ୍ତି ବିଶେଷରେ ଭିନ୍ନଭିନ୍ନ ହୋଇଥାଏ। କିଛି ବ୍ୟକ୍ତି ମାସେ ପାଇଁ ସୂତକ ପାଳନ କରନ୍ତି, କିଛି ବ୍ୟକ୍ତି ଚାଳିଶ ଦିନ ପାଇଁ ଏବଂ ଆଉ କିଏ କିଏ ଦଶ ଦିନ ପାଇଁ ମଧ୍ୟ ସୂତକ ପାଳିଥାନ୍ତି। ଏହା ପରିବାରର ପରମ୍ପରା ଉପରେ ନିର୍ଭର କରେ।

ପ୍ରଶ୍ନକର୍ତ୍ତା -
ବାଣୀ ଦିଦି
ପ୍ରଶ୍ନ - ଆମେ ନିଜ ପାଇଁ ଉପଯୁକ୍ତ ଗୁରୁ କିପରି ଚୟନ କରିବା?
ଉତ୍ତର - ଆମେ ଯେତେବେଳେ କୌଣସି କାମ ଶିଖୁ, ଯେପରିକି ଶ୍ରେଣୀ ବିଷୟ ସମ୍ବନ୍ଧିତ କୌଣସି ବ୍ୟବହାରିକ ଜ୍ଞାନ ଯେମିତି ମୋବାଇଲ୍‌ର ବ୍ୟବହାର, କିମ୍ବା ଅନ୍ୟ କୌଣସି କାମ, ଯିଏ ଏହାକୁ ପଢ଼ାଇଥାଏ ତାଙ୍କୁ ଆମେ ବିଷୟ ଶିକ୍ଷକ କୁହିଥାଉ। 
ସେହିପରି କର୍ମକାଣ୍ଡ ବିଷୟରେ ଜ୍ଞାନ ଦେବାପାଇଁ ବି ଗୁରୁ ଅଛନ୍ତି ଯିଏ ପୂଜାର ପଦ୍ଧତି ଶିଖାଇଥାନ୍ତି ଏବଂ ନିଜେ ଘରେ ମଧ୍ୟ ପୂଜା ସମ୍ପନ୍ନ କରନ୍ତି। ତୃତୀୟ ହେଉଛନ୍ତି ସଦଗୁରୁ ଯିଏ ବ୍ରହ୍ମ ବିଦ୍ୟା ବିଷୟରେ ଜ୍ଞାନ ପ୍ରଦାନ କରନ୍ତି। ଜଣେ ବ୍ୟକ୍ତି ଯେତିକି ଜ୍ଞାନ ଲାଭ କରିଛି ସେତିକି ହିଁ ବାଣ୍ଟି ପାରିବ, ଅର୍ଥାତ୍ ଜଣେ ବ୍ୟକ୍ତି ଯେତିକି ରାସ୍ତା ଜାଣିଛି, ସେତିକି ପର୍ଯ୍ୟନ୍ତ ହିଁ ମାର୍ଗଦର୍ଶନ ଦେଇପାରିବ। ଯିଏ ଆମେରିକା କେବେ ଯାଇନାହିଁ, ସେ ସେଠା ଯାଏଁ କାହାକୁ ହେଲେ ପହଞ୍ଚାଇ ପାରିବ ନାହିଁ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ - ଜ୍ଞାନିନ‍ଃ ତତ୍ତ୍ୱ ଦର୍ଶନଃ। ଅର୍ଥାତ୍ ତୁମେ ତତ୍ତ୍ୱଜ୍ଞାନ ପ୍ରାପ୍ତ ହୋଇଥିବା ମହାତ୍ମାମାନଙ୍କ ପାଖକୁ ଯାଇ ଜ୍ଞାନ ଅର୍ଜନ କରିପାରିବ।
ପ୍ରାଣିପାତେନ ପରିପ୍ରଶ୍ନେନ ସେବୟା
ଗୁରୁ ଚୟନ ସମୟରେ ଚାରୋଟି କଥା ଧ୍ୟାନରେ ରଖିବା ଉଚିତ : 
୧. ଗୁରୁ ସ୍ୱୟଂମ୍ଭୁ ହୋଇଥିବା ଉଚିତ। 
୨. ଅଥବା ପୂର୍ବରୁ ତାଙ୍କ ପରମ୍ପରାର କେହି ଜଣେ ସ୍ୱୟଂମ୍ଭୁ ହେଇଥିବା ଉଚିତ ଏବଂ ସେ ଆଚାର୍ଯ୍ୟଙ୍କ ପରମ୍ପରା ସହିତ ଜଡିତ ହେବା ଉଚିତ। 
୩. ତାଙ୍କର ଶାସ୍ତ୍ର ଉପରେ ଯଥେଷ୍ଟ ଜ୍ଞାନ ରହିବା ଉଚିତ ଏବଂ ସେଗୁଡ଼ିକୁ ସେ ଶିକ୍ଷା ଦେବାରେ ସକ୍ଷମ ହେବା ଉଚିତ। 
୪. ସେ ଶିଷ୍ୟକୁ ତାଙ୍କ ନିଜ ସେବାରେ ଲଗାଉଛନ୍ତି କି ଶ୍ରୀ ଭଗବାନଙ୍କ ସେବାରେ ନିୟୋଜିତ କରୁଛନ୍ତି ତାହା ମଧ୍ୟ ଦେଖାଯିବା ଉଚିତ।

ପ୍ରଶ୍ନକର୍ତ୍ତା -
ଦୀପ୍ତି ଦିଦି
ପ୍ରଶ୍ନ - ଶାସ୍ତ୍ର ବାଣୀକୁ ମାନ୍ୟ କରିବା ଉଦ୍ଦେଶ୍ୟରେ ଆମର କେଉଁ ଶାସ୍ତ୍ର ପଢିବା ଉଚିତ?
ଉତ୍ତର - ରାମଚରିତମାନସ ଏବଂ ମହାଭାରତ ପଢିବା ଉଚିତ, କାରଣ ଏଗୁଡ଼ିକ କାହାଣୀ ଆକାରରେ ରୋଚକ ହୋଇଥିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସହଜରେ ବୋଧଗମ୍ୟ ମଧ୍ୟ ହୋଇଥାଏ। ଏତଦ୍ ବ୍ୟତୀତ ଆପଣ ଶ୍ରୀମଦ୍ଭାଗବଦ୍ଗୀତା ତ ପଢ଼ୁ ହିଁ ଅଛନ୍ତି।

ପ୍ରଶ୍ନକର୍ତ୍ତା -
ଅଶୋକ ଭାଈ
ପ୍ରଶ୍ନ - କ’ଣ ମୁଁ ନିଜେ ମହାମୃତ୍ୟୁଞ୍ଜୟ ଜପ ଏବଂ ରୁଦ୍ରାଭିଷେକ କରିପାରିବି?
ଉତ୍ତର - ଏ ଦୁଇଟା ଆପଣ ନିଜେ କରିପାରିବେ ନାହିଁ। ଏହା କୌଣସି ଶାସ୍ତ୍ରାଜ୍ଞା ନୁହେଁ। କେବଳ ଜଣେ ଯୋଗ୍ୟ ବ୍ରାହ୍ମଣଙ୍କ ଦ୍ୱାରା ଏହା କରାଯିବା ଉଚିତ। ନିରନ୍ତର ଯୋଗାଯୋଗ ରକ୍ଷା କରି ଜଣେ ବ୍ରାହ୍ମଣଙ୍କ ଚରିତ୍ର ବିଷୟରେ ବ୍ୟାପକ ସୂଚନା ଆପଣ ପାଇପାରିବେ।


~•ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ •~