विवेचन सारांश
ପରମ ସତ୍ୟର ଅନୁଭୁତି
ଉପକ୍ରମଣିକା -:
ଭଗବାନଙ୍କର ଅସୀମ କରୁଣାରୁ ଆଜିର ବିବେଚନ ସତ୍ରର ଶୁଭାରମ୍ଭ ସଂକୀର୍ତ୍ତନ, ଭଗବାନ ଶ୍ରୀ କୃଷ୍ଣଙ୍କ ପ୍ରାର୍ଥନା ଏବଂ ଦ୍ବୀପ ପ୍ରଜ୍ବଳନ ସହିତ ହେଲା। ତାପରେ ଶ୍ରୀମଦ୍ଭଗବଦ୍ଗୀତାର ଦଶମ ଅଧ୍ୟାୟ (ବିଭୂତି ଯୋଗ) ର ପ୍ରଥମ ଭାଗର ବିବେଚନ ଆଲୋଚନା ପ୍ରାରମ୍ଭ ହେଲା।
ନିଜ ସମ୍ମୁଖରେ ପରମପୂଜ୍ୟ ସଦଗୁରୁ ଶ୍ରୀ ଗୋବିନ୍ଦ ଦେବ ଗିରିଜୀ ମହାରାଜଙ୍କ ସୁକ୍ଷ୍ମ ଉପସ୍ଥିତକୁ ଅନୁଭବ କରି, ତାଙ୍କର ଚରଣରେ କୃତଜ୍ଞତା ଜ୍ଞାପନ କରିବା ସହିତ ଆଜିର ବିବେଚନ ସତ୍ର ଆରମ୍ଭ ହୋଇଥିଲା ।
ଯୁଦ୍ଧ ପ୍ରାରମ୍ଭ ହେବା ପୂର୍ବରୁ, ଯାହାର ମୁଖ୍ୟ କାରଣ ଯୁଦ୍ଧରେ ଅର୍ଜୁନଙ୍କ ସମ୍ମୁଖରେ ଠିଆ ହେଇଥିବା ସେହି ଯୋଦ୍ଧା ମାନେ ଥିଲେ, ଯେଉଁମାନେ ବାଲ୍ୟାବସ୍ଥାରେ ଅର୍ଜୁନଙ୍କୁ କୋଳରେ ବସେଇଥିଲେ। କିଏ ଛୋଟବେଳେ ତାଙ୍କ ସହିତ ଖେଳୁଥିଲା,ତ କିଏ ତାଙ୍କୁ ଶିକ୍ଷାଦାନ କରିଥିଲେ।
ତେଣୁ ଶ୍ରୀ ଭଗବାନ ଅର୍ଜୁନ ଙ୍କୁ ତାଙ୍କର ଏହି ଶୋକାତୁର ଅବସ୍ଥା ରୁ ମୁକ୍ତ କରେଇବା ପାଇଁ ଏବଂ ପୁଣି ଥରେ ଯୁଦ୍ଧରେ ପ୍ରବୃତ୍ତ କରିବା ପାଇଁ ଏହି ସମ୍ବୋଧନ ଦ୍ବାରା ତାଙ୍କୁ ଉତ୍ସାହିତ କରୁଛନ୍ତି।
10.1
ଶ୍ରୀଭଗବାନୁବାଚ
ଭୂୟ ଏବ ମହାବାହୋ, ଶୃଣୁ ମେ ପରମଂ(ମ୍) ବଚଃ।
ୟତ୍ତେଽହଂ(ମ୍) ପ୍ରୀୟମାଣାୟ, ବକ୍ଷ୍ୟାମି ହିତକାମ୍ୟୟା।।୧।।
ଅର୍ଜୁନ ଶ୍ରୀ ଭଗବାନ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଶ୍ରୀ ଭଗବାନ ମଧ୍ୟ ତାଙ୍କର ପ୍ରିୟ ଭକ୍ତ ତାଙ୍କର ଯେଉଁ ରୂପକୁ ସ୍ମରଣ କରିଥାଏ, ସେହି ଭକ୍ତଙ୍କ ସାମ୍ନାରେ ସେହି ରୂପରେ ପ୍ରେମରେ ବଶୀଭୂତ ହେଇ ପ୍ରକଟ ହୁଅନ୍ତି। ଅର୍ଜୁନ ଶ୍ରୀ ଭଗବା ଙ୍କୁ ତାଙ୍କର ପରମ ମିତ୍ରଙ୍କ ରୂପରେ ଦେଖନ୍ତି।
ଶ୍ରୀ ଭଗବାନ କହନ୍ତି ଯେ ଯେହେତୁ ତୁମେ ମୋର ପ୍ରିୟ ସଖା, ତେଣୁ ମୁଁ ତୁମର ଲାଭ ପାଇଁ ଏପରି ଜ୍ଞାନ ପ୍ରଦାନ କରିବି, ଯାହା ଏବେ ଯାଏଁ ମୋ ଦ୍ବାରା କୁହାଯାଇଥିବା ଜ୍ଞାନ ଠାରୁ ଶ୍ରେଷ୍ଠ ହେବ। ଯାହା ତୁମର ମଙ୍ଗଳ କରିବ। ପରମାତ୍ମା କିପରି ଅଟନ୍ତି? ଏହି ଜ୍ଞାନ ଶ୍ରୀ ଭଗବାନଙ୍କ ଦ୍ବାରା ଅର୍ଜୁନଙ୍କୁ ପ୍ରାପ୍ତ ହେବ।
ନ ମେ ବିଦୁଃ(ସ୍) ସୁରଗଣାଃ(ଫ୍), ପ୍ରଭବଂ(ନ୍) ନ ମହର୍ଷୟଃ।
ଅହମାଦିର୍ହି ଦେବାନାଂ(ମ୍), ମହର୍ଷୀଣାଂ(ଞ୍) ଚ ସର୍ବଶଃ।।୨।।
ବିବେଚନ - ନା ଦେବତା ଗଣ ଅର୍ଥାତ୍ ସୁରଗଣ,ବିଦୁଃ ଅର୍ଥାତ୍ ଜାଣିଛନ୍ତି, ସେମାନେ ମୋର ଉତ୍ପତ୍ତିର ଐଶ୍ୱର୍ଯ୍ୟକୁ ଜାଣିନାହାନ୍ତି।
ପରମାତ୍ମା ଅର୍ଜୁନଙ୍କ ସମ୍ମୁଖରେ, ତାଙ୍କର ସାରଥି ହେଇ ଯୁଦ୍ଧ ଭୂମିରେ ଉପସ୍ଥିତ ଅଛନ୍ତି। ସେ ଅର୍ଜୁନଙ୍କ ସମ୍ମୁଖରେ କେବେ ଏବଂ କିପରି ପ୍ରକଟ ହେଲେ,ଏହା ଦେବୀ - ଦେବତା ମାନେ ମଧ୍ୟ ଜାଣି ନାହାଁନ୍ତି।
ସେମାନେ ପ୍ରଭୂ ଲୀଳା ମାନଙ୍କୁ କିପରି ବୁଝିପାରିବେ ଏବଂ ମହର୍ଷି ଗଣ ମଧ୍ୟ ମୋତେ ପୂର୍ଣ୍ଣ ରୂପରେ ଜାଣିନାହାନ୍ତି। ମୁଁ ସର୍ବଶଃ (ସମସ୍ତ ଦେବତା ଏବଂ ମହର୍ଷି ମାନଙ୍କର ଆଦି ଅଟେ)। ମୁଁ ସମସ୍ତ ପ୍ରକାର ଦେବତା ଏବଂ ମହର୍ଷିଙ୍କ କାରଣ ସ୍ବରୂପ (ଉଦ୍ଗମ) ମଧ୍ୟ। ଶ୍ରୀ ଭଗବାନ ଙ୍କ ଉର୍ଦ୍ଧ୍ବରେ କେହି ନାହିଁ। ସେ ପୁରାତନ ମଧ୍ୟ ଏବଂ ସନାତନ ମଧ୍ୟ। ତାଙ୍କୁ କିଏ ଜାଣିପାରିବ?
ଶ୍ରୀ ଜ୍ଞାନେଶ୍ବର ମହାରାଜ କହନ୍ତି ଯେ -
ମା’ ର ଉଦର ରେ ଗର୍ଭ ହୋଇଥାଏ। ସେ ଗର୍ଭ କ'ଣ ମା’ ବିଷୟରେ କିମ୍ବା ତା'ର ଆୟୁଷ ଇତ୍ୟାଦି ବିଷୟରେ ଜାଣି ପାରିବ? ସନ୍ତାନ ଟିଏ ନିଜର ମା’ ବିଷୟରେ ଜାଣିବ କିପରି ?
ତେଣୂ ଯାହାଠାରୁ ସମ୍ପୂର୍ଣ୍ଣ ସୃଷ୍ଟି ର ରଚନା ହେଲା, ଯିଏ ସୃଷ୍ଟିର ପ୍ରାରମ୍ଭ ପୂର୍ବରୁ ହିଁ ବିଦ୍ୟମାନ। କେତେ କଳ୍ପ(କାଳ ଗଣନା ର ବୃହତ ଏକକ) ଚାଲିଗଲାଣି, ଯେତେବେଳେ ଦେବଗଣ ଏବଂ ମହର୍ଷି ଗଣ ଏହା ଜାଣିପାରିଲେ ନାହିଁ ତା'ହେଲେ ସେମାନେ ସୃଷ୍ଟିର ରଚୟିତା ଙ୍କ ସମ୍ପୂର୍ଣ୍ଣତା କୁ କିପରି ଜାଣିପାରିବେ ?
ୟୋ ମାମଜମନାଦିଂ(ଞ୍) ଚ, ବେତ୍ତି ଲୋକମହେଶ୍ୱରମ୍।
ଅସମ୍ମୂଢଃ(ସ୍) ସ ମର୍ତ୍ୟେଷୁ, ସର୍ବପାପୈଃ(ଫ୍) ପ୍ରମୁଚ୍ୟତେ।।୩।।
ବିବେଚନ - ଏହି ଶ୍ଳୋକ ରେ
ଅଜ ଅର୍ଥାତ୍ ଅଜନ୍ମା,ଅନାଦି ଅର୍ଥାତ୍ ଆଦିରହିତ।
ଆଜି ଶ୍ରୀ ଭଗବାନ ଅର୍ଜୁନଙ୍କ ସମ୍ମୁଖରେ ଶ୍ରୀକୃଷ୍ଣ ରୂପରେ ପ୍ରକଟ ହୋଇଛନ୍ତି। ସେ ଅର୍ଜୁନଙ୍କୁ ପରମାତ୍ମାଙ୍କ ସହିତ ପରିଚିତ କରେଇବା ପାଇଁ ତତ୍ପର ହେଉଛନ୍ତି। ଶ୍ରୀ ଭଗବାନ କହୁଛନ୍ତି ଯେ ଯିଏ ମୋତେ ଅଜନ୍ମା, ଅନାଦି, ସମସ୍ତ ଲୋକର ସ୍ବାମୀ ରୂପରେ ଜାଣିଛି କିମ୍ବା ଅବିନାଶୀ, ଅବ୍ୟୟ ରୂପରେ ଜାଣିଛି, ଯେଉଁ ଜୀବ ଶ୍ରୀ ଭଗବାନ ଙ୍କୁ ପରମନିୟନ୍ତା ରୂପରେ ଜାଣିଛ, ମନୁଷ୍ୟ ମାନଙ୍କ ମଧ୍ୟରେ ସେ ହିଁ ମୋହ ଏବଂ ସମସ୍ତ ପାପରୁ ମୁକ୍ତ ହୋଇଥାଏ। ଆମେ ସାଧାରଣ ମନୁଷ୍ୟ ସଂସାରକୁ ହିଁ ଠିକ୍ ଭାବରେ ଜାଣିପାରିନୁ, ତା'ହେଲେ ଆମେ ସୃଷ୍ଟି କର୍ତ୍ତା ଙ୍କୁ କିପରି ଜାଣିବା ?
ସମ୍ପୂର୍ଣ୍ଣ ସୃଷ୍ଟି ରେ ପୃଥିବୀ ଗୋଟିଏ ଧୂଳି କଣା ସଦୃଶ୍ୟ ଅଟେ ତା'ହେଲେ ପୃଥିବୀରେ ବିଦ୍ୟମାନ ଜୀବ ମାନଙ୍କର ସ୍ଥିତିର, ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ର ସନ୍ଦର୍ଭରେ ଏହି ଜ୍ଞାନ ଆମକୁ ଆମର ବାସ୍ତବିକ ସ୍ଥିତିର ଅନୁଭବ କରାଇଥାଏ।
ଅସମ୍ମୁଢ ଅର୍ଥାତ୍ ଅତ୍ୟନ୍ତ ଜ୍ଞାନୀ
ଶ୍ରୀ ଭଗବାନଙ୍କ ଅନୁସାରେ ଯିଏ ଶ୍ରୀ ଭଗବାନ ଙ୍କୁ ସମସ୍ତ ଲୋକର ସ୍ବାମୀ ବୋଲି ଜାଣିଛି ସେ ହିଁ ଏହି ପୃଥିବୀ ପୃଷ୍ଠରେ ସର୍ବଜ୍ଞାନୀ ଅଟେ।
ସେ ସମସ୍ତ ପାପରୁ ମୁକ୍ତ ଅଟେ କାରଣ ସେ ପରମ ଭକ୍ତ ଅଟେ ଏବଂ ଶ୍ରୀ ଭଗବାନଙ୍କ ଠାରେ ତା'ର ଏକିକରଣ ହେଇଯାଇଛି ଏବଂ ସେ ଶ୍ରୀ ଭଗବାନ ଙ୍କୁ ସମଗ୍ର ଭାବରେ ଜାଣିପାରିଛି।
ଅର୍ଜୁନ ଏବେ ଯାଏଁ ସମ୍ପୂର୍ଣ୍ଣ ଭାବରେ ଶ୍ରୀ ଭଗବାନଙ୍କୁ ଜାଣି ପାରିନାହାନ୍ତି । ତେଣୁ ନିଜର ଭକ୍ତର ପ୍ରେମରେ ବଶ ହେଇ ଶ୍ରୀ ଭଗବାନ ଅର୍ଜୁନ ଙ୍କୁ ମଧ୍ୟ ଏହି ତତ୍ତ୍ଵର ଜ୍ଞାନ ହେଇଯାଉ ବୋଲି ପ୍ରୟାସରତ ହେଇଛନ୍ତି।
ଶ୍ରୀ ଭଗବାନଙ୍କ ପ୍ରୟାସ ଦ୍ବାରା ଅର୍ଜୁନଙ୍କ ହୃଦୟରେ ଶ୍ରୀ ଭଗବାନଙ୍କ ପ୍ରତି ଭକ୍ତି ଏବଂ ଶ୍ରଦ୍ଧାର ଭାବନା ଜାଗୃତ ହେଉଛି ଏବଂ ସେ ମଧ୍ୟ ଏବେ ଶ୍ରୀ ଭଗବାନଙ୍କ ବିଶ୍ଵରୂପକୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ଶ୍ରୀ ଭଗବାନ ଅର୍ଜୁନଙ୍କ ମନର ସ୍ଥିତି ନିରୂପଣ କରି ତାଙ୍କୁ ବିସ୍ତାରିତ ଜ୍ଞାନ ସୁକ୍ଷ୍ମ ଭାବରେ ପ୍ରଦାନ କରି କହୁଛନ୍ତି।
ବୁଦ୍ଧିର୍ଜ୍ଞାନମସମ୍ମୋହଃ, କ୍ଷମା ସତ୍ୟଂ(ନ୍) ଦମଃ(ଶ୍) ଶମଃ।
ସୁଖଂ(ନ୍) ଦୁଃଖଂ(ମ୍) ଭବୋଽଭାବୋ, ଭୟଂ(ଞ୍) ଚାଭୟମେବ ଚ।।୪।।
ବିବେଚନ - ଯେକୌଣସି ଜୀବ ମଧ୍ୟରେ ମନ, ବୁଦ୍ଧି, ଚିତ୍ତ ତଥା ଅହଙ୍କାର, ଏହା ଅନ୍ତରଙ୍ଗ ଚତୁଷ୍ଟକ ଅଟନ୍ତି। କ'ଣ କେବେ କାହାକୁ ଏହା ଦୃଷ୍ଟିଗୋଚର ହୁଅନ୍ତି ? ଏମାନଙ୍କୁ ଭୌତିକ ରୂପରେ ଅନୁଭୂତ କରାଯାଇପାରିବ ନାହିଁ।
କିଏ କେତେ ବଡ଼ ପ୍ରସିଦ୍ଧ ଚିକିତ୍ସକ ହୋଇଥାଉନା କାହିଁକି ସେ ମନକୁ କେବେହେଲେ ଦେଖି ନ ଥିବେ କାରଣ ଏହା ଅତ୍ୟନ୍ତ ସୁକ୍ଷ୍ମ ଅଟେ,ତରଳ ଅଟେ। ଏହିପରି ଆମର ବୁଦ୍ଧି ଏବଂ ଚିତ୍ତ ମଧ୍ୟ ଅଟେ। ଆମକୁ ଯେଉଁ ସାଂସାରିକ ଜ୍ଞାନ ପ୍ରାପ୍ତ ହୋଇଥାଏ ତାହା ଅତ୍ୟନ୍ତ ସୁକ୍ଷ୍ମ ଅଟେ। ସେଥିରେ ମଧ୍ୟ ଆମେ ଅନେକ ପ୍ରକାର ଦ୍ଵନ୍ଦ ମଧ୍ୟରେ ଛନ୍ଦି ହୋଇ ରହିଥାଉ।
ଜ୍ଞାନ ର ଅର୍ଥ ହେଲା - ଯଥାର୍ଥ ଜ୍ଞାନ
ଆମେ ନିଜର ପାଞ୍ଚଟି କର୍ମେନ୍ଦ୍ରିୟ ଅର୍ଥାତ୍ ନିଜର ଆଖି, ଚର୍ମ, ଜିଭ, କର୍ଣ୍ଣ ଓ ନାସା ଆଦି ଈଶ୍ବର ପ୍ରଦତ୍ତ ଶକ୍ତି ମାନଙ୍କ ଦ୍ବାରା ସାଂସାରିକ ପଦାର୍ଥ ମାନଙ୍କ ର ସାମାନ୍ୟ ଜ୍ଞାନ ତ ପ୍ରାପ୍ତ କରିନେଉ ପରନ୍ତୁ ସେଥିପାଇଁ ଆମେ ଏହି ପରମ ସତ୍ୟକୁ, ଏହି ବିଶ୍ୱକୁ ଏହାର ସମ୍ପୂର୍ଣ୍ଣତାରେ ବୁଝିବାକୁ ଚାହୁଁ, ତା’ପରେ ଆମେ ବିଶ୍ୱରେ ଘଟୁଥିବା ସମସ୍ତ ଘଟଣାଗୁଡ଼ିକୁ ସଠିକ୍ ଭାବରେ ବୁଝିବାକୁ ଚେଷ୍ଟା କରୁ।
ଆମେ ଜାଣିଛୁ ଯେ ରାତିରେ ଆମକୁ ଆଲୋକ ବଲବ ରୁ ଦେଖାଯାଏ ପରନ୍ତୁ ଏହି ବଲ୍ବ କିପରି କାର୍ଯ୍ୟ କରେ? ତା ଭିତରେ କେଉଁ ବାୟୁ ଅଛି? ଫିଲାମେଣ୍ଟ କ'ଣ? ଫିଲାମେଣ୍ଟ ଦ୍ବାରା କରେଣ୍ଟ କିପରି ପ୍ରବାହିତ ହୋଇଥାଏ ଯେ ଯାହାଦ୍ଵାରା ବଲ୍ବ ଆଲୋକିତ ହେଇଯାଏ, ଏହା ସବୁ ଜାଣିବା ହିଁ ବିଜ୍ଞାନ। ସଂସାରକୁ ବିଶେଷ ରୂପରେ ଜାଣିବା। ସୃଷ୍ଟିରେ ଘଟିତ ହେଉଥିବା ଘଟଣା ମାନଙ୍କର ଗଭୀରତା ସହିତ ଅଧ୍ୟୟନ ଏବଂ ତାହା ଘଟିତ ହେବାର କାରଣ ମାନଙ୍କୁ ଜାଣିବା ହିଁ ବିଜ୍ଞାନ ଅଟେ।
ସୂକ୍ଷ୍ମ ରୁ ସୂକ୍ଷ୍ମ ଏବଂ ବିରାଟ ବିଷୟ ମାନଙ୍କୁ ବୁଝିବା ବ୍ରହ୍ମାଣ୍ଡ ରେ ଉପସ୍ଥିତ ତାରା ମଣ୍ଡଳ ମାନଙ୍କର ବୃହତ ଜ୍ଞାନ ଠାରୁ ନେଇ ଜୀବ ଶରୀର ର ସୂକ୍ଷ୍ମ ବିଜ୍ଞାନର ଅଧ୍ୟୟନ ଏବଂ ତା'ର ରହସ୍ୟ ଉଦ୍ଘାଟନ କରିବାର ଏହି ବୁଦ୍ଧି ମନୁଷ୍ୟ କୁ ଶ୍ରୀ ଭଗବାନ ଙ୍କ ଦ୍ବାରା ହିଁ ପ୍ରଦତ୍ତ ହେଇଛି।
ସଚ୍ଚା ଜ୍ଞାନ ଅର୍ଥାତ୍ ଆତ୍ମଜ୍ଞାନ, ମୁଁ କିଏ? ଶ୍ରୀ ଭଗବାନଙ୍କ ଦ୍ୱାରା ନିର୍ମିତ, ଏହି ସୃଷ୍ଟି ରେ ମୋର ଅସ୍ତିତ୍ବ କ'ଣ ? ଈଶ୍ବର କିଏ? ତାଙ୍କର ପରମଧାମ କେଉଁଠି ଅଛି? ସେ ଜୀବ ଦେହରେ କେଉଁଠି ବିରାଜିତ? ଇତ୍ୟାଦି ବିଷୟ ମାନଙ୍କୁ ଜାଣିବାର ଇଚ୍ଛା ଏବଂ କ୍ଷମତା ମଧ୍ୟ ଆମକୁ ପରମାତ୍ମା ହିଁ ଦିଅନ୍ତି। ବୁଦ୍ଧି, ଜ୍ଞାନ, ସଂଶୟ ଏବଂ ମୋହ ଠାରୁ ମୁକ୍ତି, କ୍ଷମା ଭାବ, ସତ୍ୟତା, ଇନ୍ଦ୍ରିୟ ନିଗ୍ରହ (ଇନ୍ଦ୍ରିୟ ମାନଙ୍କୁ ବଶୀଭୂତ କରିବା),ମନୋନିଗ୍ରହ(ମନ କୁ ବଶୀଭୂତ କରିବା),ସୁଖ ଅର୍ଥାତ୍ ଅନୁକୂଳ ପରିସ୍ଥିତି ହେଲେ ମନ,ଆମର ଅନ୍ତଃ କରଣ ପ୍ରସନ୍ନ ହେଇଯାଏ ଏବଂ ଦୁଃଖ ଅର୍ଥାତ୍ ଯେତେବେଳେ ପରିସ୍ଥିତି ଗୁଡ଼ିକ ଆମର ପ୍ରତିକୂଳ ହେଇଥାନ୍ତି ସେତେବେଳେ ଆମର ଅନ୍ତଃ କରଣ ଅପ୍ରସନ୍ନ ହେଇଯାଏ।
ଜନ୍ମ ଅର୍ଥାତ୍ ଜୀବାତ୍ମା ର ଭୌତିକ ଦେହ ଧାରଣ କରିବା, ଯେପରିକି କୌଣସି ବ୍ୟକ୍ତି କିଛି ବର୍ଷ ଯାଏଁ ଜୀବିତ ରହିଥାଏ,ତାହା ଦୃଷ୍ଟି ଗୋଚର ହୁଏ। ମୃତ୍ୟୁ ଅର୍ଥାତ୍ ହଠାତ୍ ସେହି ବ୍ୟକ୍ତି ବିଲୋପ ହେଇଥିବା, ଦୃଷ୍ଟିଗୋଚର ନ ହେବା ଅର୍ଥାତ୍ କୌଣସି ପଦାର୍ଥ ର ଉତ୍ପତ୍ତି ଏବଂ ତାହା ବିଲୁପ୍ତ ହେବା, ଏହି ସମସ୍ତ ଘଟଣା ଗୁଡ଼ିକ ପ୍ରଭୂ ଇଚ୍ଛା ରେ ହିଁ ସମ୍ପନ୍ନ ହୋଇଥାଏ। ଭୟ,ଅଭୟ ଇତ୍ୟାଦି ମଧ୍ୟ ଈଶ୍ବରଙ୍କ ଇଚ୍ଛା ର ବଶୀଭୂତ।
ଅହିଂସା ସମତା ତୁଷ୍ଟିଃ(ସ୍), ତପୋ ଦାନଂ(ୟ୍ଁ) ୟଶୋଽୟଶଃ।
ଭବନ୍ତି ଭାବା ଭୂତାନାଂ(ମ୍), ମତ୍ତ ଏବ ପୃଥଗ୍ବିଧାଃ।।୫।।
ବିବେଚନ- ଅହିଂସା ର ପ୍ରକୃତ ଅର୍ଥ ହେଉଛି, ଈଶ୍ୱର ପ୍ରଣୀତ ଏହି ସଂସାରସ୍ଥିତ କୌଣସି ଜୀବ କୁ ଆମେ ଆଘାତ ନ ଦେବା ବା କାହାର କ୍ଷତି ନ କରିବା ହେଉଛି ପ୍ରକୃତ ଅହିଂସା।
ସମତାର ଅର୍ଥ ହେଉଛି ସମାନତାର ଭାବ। ସଂସାରରେ ଥିବା ପ୍ରତ୍ୟେକ ବସ୍ତୁରେ ପରମାତ୍ମାଙ୍କୁ ଦେଖିଲେ ପ୍ରାଣୀ ସମଦର୍ଶୀ ହୋଇଯାଏ। ସେ କାହାକୁ ସାନ- ବଡ ବା ଶତ୍ରୁ-ମିତ୍ର ବୋଲି ବିଚାର କରେନାହିଁ। ସମସ୍ତ ପ୍ରାଣୀ ସେହି ଏକ ପରମାତ୍ମାଙ୍କର ହିଁ ସନ୍ତାନ ବୋଲି ସର୍ବଦା ସ୍ମରଣ କରେ।
ତୁଷ୍ଟି ହେଉଛି ସନ୍ତୋଷ, ଏହା ଈଶ୍ୱରଦତ୍ତ, ଏଥିରେ ସର୍ବଦା ସନ୍ତୁଷ୍ଟ ଭାବ ରଖିବା ଉଚିତ୍।
ତପ ର ଅର୍ଥ ତପସ୍ୟା। ପ୍ରାଣୀର ନିଜ ଜୀବନରେ କର୍ତ୍ତବ୍ୟ ଜ୍ଞାନ ରହିବା ଉଚିତ। ସେହି କର୍ତ୍ତବ୍ୟ ପାଳନ ପାଇଁ ପ୍ରାଣୀ ଯେଉଁ ଶାରୀରିକ ଓ ମାନସିକ ପରିଶ୍ରମ କରେ ତାହାହିଁ ତପସ୍ୟା।
ଦାନର ଅର୍ଥ ଦେବା। କୌଣସି ଏକ ଅଭାବୀକୁ ନିଜର ଯଥାସାଧ୍ୟ ସାହାଯ୍ୟ କରିବା।
ଯଶ ଓ ଅପଯଶ- ପ୍ରାଣୀ ମାନଙ୍କର ଏହିସମସ୍ତ ଗୁଣ ମୋଦ୍ୱାରା (ପରମାତ୍ମା ଙ୍କ ଦ୍ୱାରା) ସୃଷ୍ଟ ।
ସତ୍ୟ, ଆତ୍ମଜ୍ଞାନ ଓ ପରମ ଜ୍ଞାନ ପ୍ରାଣୀଙ୍କ ଅନ୍ତରରେ ଥାଏ। କିନ୍ତୁ ମନ ଅସ୍ୱଚ୍ଛ ଥିବାରୁ ପ୍ରାଣୀ ସେ ସମସ୍ତ ଜ୍ଞାନ ଅନୁଭବ କରିପାରେନାହିଁ। ଯେତେବେଳେ ମନ ଉପରେ ଢାଙ୍କି ହୋଇଥିବା ଅଜ୍ଞାନରୂପକ ମଳ ନିର୍ମଳ ହୋଇଯାଏ, ସେତେବେଳେ ପ୍ରାଣୀ ମନ ରୂପକ ଦର୍ପଣରେ ସାକ୍ଷାତ ଶ୍ରୀ ଭଗବାନଙ୍କୁ ଦର୍ଶନ କରିବାକୁ ସମର୍ଥ ହୁଏ।
ମହର୍ଷୟଃ(ସ୍) ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା।
ମଦ୍ଭାବା ମାନସା ଜାତା, ୟେଷାଂ(ଲ୍ଁ) ଲୋକ ଇମାଃ(ଫ୍) ପ୍ରଜାଃ।।୬।।
ବିବେଚନ- ଶ୍ରୀ ଭଗବାନ କହୁଛନ୍ତି, ହେ ଅର୍ଜୁନ! ତୁମେ ଦେଖୁଥିବା ଏହି ସଂସାର, ସମସ୍ତ ମନୁଷ୍ୟ, ସମସ୍ତ ପ୍ରାଣୀ କେଉଁଠାରୁ ଉତ୍ପନ୍ନ ? ବର୍ତ୍ତମାନ ତାହା ଜାଣ।
ଯାହାଙ୍କ ଠାରୁ ଏହି ସମ୍ପୂର୍ଣ୍ଣ ସଂସାର ଜାତ, ସେହି ସପ୍ତର୍ଷି ଗଣ ହେଉଛନ୍ତି -
ଅତ୍ରି
ଅଙ୍ଗିରସ
ପୁଲହ
ପୁଲସ୍ତ୍ୟ
କ୍ରତୁ
ମରୀଚି
ବଶିଷ୍ଠ
ଯାହାଙ୍କଠାରୁ ସମସ୍ତ ପ୍ରାଣୀ ଜଗତର ସୃଷ୍ଟି ହୋଇଛି ତଥା ସେମାନଙ୍କ ପୂର୍ବରୁ ଅନ୍ୟ ଚାରିଜଣ ମହର୍ଷି (ସନକ, ସନନ୍ଦନ, ସନାତନ, ସନତକୁମାର) ଜାତ ହୋଇଥିଲେ । ଏହି ସମସ୍ତ ଋଷିଗଣ ସର୍ବପ୍ରଥମେ ବିଚାର ରୂପରେ ପରମାତ୍ମା ଙ୍କ ହୃଦୟରୁ ଉତ୍ପନ୍ନ ହେଲେ।
ସମସ୍ତ ମନୁ (ମାନବ ଜାତି ର ପୂର୍ବରୁ ଜାତ) ମାନଙ୍କର ନାମ ହେଉଛି-
ସ୍ୱୟଂମ୍ଭୁବ
ସ୍ୱରୋଚିଷ
ଉତ୍ତମ
ତାମସ
ରୈବତ
ଚ।କ୍ଷୁ୍ସ
ବୈବସ୍ୱତ(ବର୍ତ୍ତମାନ ମନୁ)
ସାବର୍ଣ୍ଣି
ଦକ୍ଷସାବର୍ଣ୍ଣି
ବ୍ରହ୍ମ ସାବର୍ଣ୍ଣି
ଧର୍ମ ସାବର୍ଣ୍ଣି
ରୁଦ୍ର ସାବର୍ଣ୍ଣି
ଦେବସାବର୍ଣ୍ଣି
ଇନ୍ଦ୍ର ସାବର୍ଣ୍ଣି
ଏମାନେ ସମସ୍ତେ ମଧ୍ୟ ପରମାତ୍ମାଙ୍କ ମନରୁ ଜାତ। ବିଭିନ୍ନ ଲୋକରେ ବସବାସ କରୁଥିବା ପ୍ରାଣୀ ସମୂହ ଏମାନଙ୍କ ଠାରୁ ସୃଷ୍ଟ।
ହିନ୍ଦୁ କାଳ ଗଣନା ଅନୁସାରେ ମନ୍ୱନ୍ତର ର ଅର୍ଥ ହେଉଛି ମନୁଙ୍କର
ଜୀବନ ଅବଧି। ବର୍ତ୍ତମାନ ମନୁ ହେଉଛନ୍ତି ବୈବସ୍ଵତ। ମନ୍ୱନ୍ତର ସମୟ ଗଣନା ପାଇଁ ଏକ ବଡ ଅବଧି।
ଗ୍ରେଗୋରିୟନ କ୍ୟାଲେଣ୍ଡର ଅନୁସାରେ ୨୦୨୫ତମ ବର୍ଷ ଚାଲୁଛି। ପରନ୍ତୁ ବିକ୍ରମାଦିତ୍ୟଙ୍କ ସିଂହ।ସନ ଆରୋହଣ ପରଠାରୁ କରାଯାଉଥିବା କାଳଗଣନା ମାପ ଅନୁସାରେ ବିକ୍ରମ ସମ୍ବତ ୨୦୮୨ ଚାଲୁଛି। ଏ ସମସ୍ତ ସମୟ ଗଣନାର ବହୁତ ପୂର୍ବରୁ ଆମର ସମୟ ଗଣନା ଚାଲି ଆସୁଛି ।
ଯେପରି ଗୋଟିଏ ବଡ କୋଠା ତିଆରି କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରଥମେ ନିଜର ମନରେ ସେ କୋଠାର ଗୋଟିଏ ନକ୍ସା ପ୍ରସ୍ତୁତ କରେ ଓ କାଗଜରେ ସେ ନକ୍ସା ଆଙ୍କିଦିଏ। ଶିଳ୍ପୀ ଓ କାରିଗର ମାନେ ସେହି ନକ୍ସା ଅନୁସାରେ କୋଠା ନିର୍ମାଣ କରନ୍ତି। ଏବଂ କୋଠାଘର ଟିର ପ୍ରକୃତ ରୂପରେ ଦୃଶ୍ୟ ହୁଏ। ସେହିପରି ଈଶ୍ୱର ନିଜକୁ ଏକୁଟିଆ ମନେକରି ନିଜପରି ଜୀବ ସୃଷ୍ଟି କରିବାପାଇଁ ଇଚ୍ଛା କରିଲେ। ସେହି ଚିନ୍ତନରୁ ହିଁ ବିସ୍ଫୋରଣ ହେଲାପରି ଏହି ବିଶାଳ ବ୍ରହ୍ମାଣ୍ଡ ର ସର୍ଜନା ହେଲା।
ଭଗବାନଙ୍କ ମନକୁ ସର୍ବପ୍ରଥମେ ଯେଉଁ ସପ୍ତର୍ଷି ମାନଙ୍କର କଥା ଆସିଥିଲା, ଆମେ ସେହି ସାତ ଋଷିଙ୍କର ସନ୍ତାନ। ଆଜି ମଧ୍ୟ ଆମେ ଆମର ଗୋତ୍ର କହିଲାବେଳେ ଏହି ସପ୍ତର୍ଷି ମାନଙ୍କ ମଧ୍ୟରୁ ଜଣଙ୍କର ନାମ ଉଚ୍ଚାରଣ କରୁ। ମନୁ ଏବଂ ଶତରୁପା ପ୍ରଥମ ପତିପତ୍ନୀ ଥିଲେ । ଆମେ ସମସ୍ତେ ତାଙ୍କର ସନ୍ତାନ। ଏହି ଗହନ କଥା ବୁଝିବା ଅତି କଷ୍ଟକର।
ଏତାଂ(ମ୍) ବିଭୂତିଂ(ମ୍) ୟୋଗଂ(ଞ୍) ଚ, ମମ ୟୋ ବେତ୍ତି ତତ୍ତ୍ୱତଃ।
ସୋଽବିକମ୍ପେନ ୟୋଗେନ, ୟୁଜ୍ୟତେ ନାତ୍ର ସଂଶୟଃ।।୭।।
ବିବେଚନ - ଶ୍ରୀ ଭଗବାନଙ୍କର ବିଭୂତିରୁ ସମଗ୍ର ସଂସାରର ସୃଷ୍ଟି । ଶ୍ରୀ ଭଗବାନଙ୍କର ଯେଉଁ ଯୋଗଶକ୍ତି ବଳରେ ସଂସାର ସୃଷ୍ଟି ,ସେହି ମାୟା ରୂପକ ଶକ୍ତି କଥା ଏହି ଶ୍ଳୋକରେ ଶ୍ରୀ ଭଗବାନ କହିଛନ୍ତି। ପରମାତ୍ମାଙ୍କର ଯୋଗଶକ୍ତି କଣ ? ଏହା ଜାଣିବାପାଇଁ ଆମେ କେତେକ ବୈଜ୍ଞାନିକ ତଥ୍ୟ କୁ ଆଧାର କରି ତାହଁ ଭଲଭାବରେ ବୁଝିବା।-
ଆମେ ବାସ କରୁଥିବା ପୃଥିବୀ ସମ୍ପର୍କରେ ଆଜିମଧ୍ୟ ମାନବ ସମାଜ ଅଜ୍ଞ। ଏହା ସୂର୍ଯ୍ୟ ଙ୍କର ଚତୁଃପାର୍ଶ୍ଵରେ ପରିକ୍ରମା କରୁଥିବା ସୌରମଣ୍ଡଳର ଏକ ଗ୍ରହ। ଏହିପରି ଅଗଣିତ ତାରା ଓ ଗ୍ରହ ମାନଙ୍କର ସମଷ୍ଟି ରେ ଆକାଶ ଗଙ୍ଗା ନିର୍ମିତ। ବ୍ରହ୍ମାଣ୍ଡ ରେ ଏପରି ଅନେକ ଆକାଶ ଗଙ୍ଗା ଅଛନ୍ତି ଯାହାର ବିସ୍ତାର ଲକ୍ଷ ଲକ୍ଷ ଆଲୋକ ବର୍ଷ ଦୂରରେ ।
ଏକ ଆଲୋକବର୍ଷ ହେଉଛି ଦୂରତା ମାପିବାପାଇଁ ସର୍ବାଧିକ ମାନଦଣ୍ଡ। ଆଲୋକର ଗତି କଥା ଚିନ୍ତା କରିଲେ ଜାଣିବା ଯେ ଏହା ଅନ୍ତରୀକ୍ଷରେ ପ୍ରତି ସେକେଣ୍ଡ ରେ ତିନିଲକ୍ଷ କିଲୋମିଟର ବେଗରେ ଗତିକରେ। ତେବେ ଏକ ମିନିଟରେ, ଏକ ବର୍ଷରେ, ଏକ ଲକ୍ଷ ବର୍ଷରେ,କେତେଦୂର ଗତିକରୁଥିବ। ଏହା ନିଶ୍ଚୟ ଅତ୍ୟଧିକ ଦୂରତା ଅତିକ୍ରମ କରିପାରେ।
ନିରନ୍ତର ଗତି କରୁଥିବା ଏହି ବିଶାଳ ଆକାଶଗଙ୍ଗା ଗୁଡିକୁ ଧାରଣ କରିବା ଶକ୍ତି ହେଉଛି ପରମାତ୍ମାଙ୍କର ଯୋଗଶକ୍ତି। ଏହି ଯୋଗଶକ୍ତି ବା ବିଭୂତି ଗୁଡିକୁ ସମ୍ପୂର୍ଣ୍ଣ ଭାବରେ ଯିଏ ଜାଣେ ସେ ତତ୍ତ୍ୱଜ୍ଞ। କାରଣ ପରମାତ୍ମା ସ୍ତ୍ରୀ ନୁହନ୍ତି ବା ପୁରୁଷ ନୁହନ୍ତି। ତେଣୁ, ଏହାକୁ ଏହାର ସାର ଦ୍ୱାରା ଅର୍ଥାତ୍ 'ତ୍ୱ' ଅର୍ଥ ଦ୍ୱାରା ଜଣାଯାଇପାରିବ। ବାଳକର ବାଳକତ୍ବ ଥାଏ। ତା ସାଥିରେ ଖେଳୁଥିବା ବ୍ୟକ୍ତି ବାଳକତ୍ବ କୁ ଯେପରି ଅନୁଭବ କରିପାରେ, ମାଆ ପାଖରେ ସେ ଭାବ ହେଉଛି ମାତୃତ୍ୱ ଓ ବୃଦ୍ଧ ପାଖରେ ସେ ଭାବ କୁ ବୃଦ୍ଧତ୍ଵ ବା ବାର୍ଦ୍ଧକ୍ୟ କୁହାଯାଏ।
ମାଆର ମାତୃତ୍ଵ କୁ କେବଳ ମା ଯେପରି ଜାଣିପାରେ, ବୃଦ୍ଧର ବୃଦ୍ଧତ୍ଵ କୁ ଯେପରି ବୃଦ୍ଧ ଜାଣିପାରେ ଠିକ ସେହିପରି ନିଜର ଯୋଗଶକ୍ତି ଦ୍ୱାରା ଈଶ୍ୱରଙ୍କ ସହିତ ଏକାକାର ହୋଇଥିବା ଦିବ୍ୟ ପରମ ଭକ୍ତ ପରମାତ୍ମାଙ୍କର ତତ୍ତ୍ଵ ଭାବକୁ ଭଲଭାବରେ ଜାଣିପାରେ ଓ ବୁଝିପାରେ ।
ଶ୍ରୀ ଭଗବାନ କହିଛନ୍ତି ଯିଏ ମୋର ଏହି ଐଶ୍ୱର୍ଯ୍ୟ ରୂପୀ ବିଭୂତି ଓ ଯୋଗଶକ୍ତି କୁ ଜାଣନ୍ତି ସେ ନିଶ୍ଚଳ ଭକ୍ତି ଯୋଗ ଦ୍ୱାରା ଯୁକ୍ତ ହୁଅନ୍ତି ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ଏହା ଭକ୍ତିର ସର୍ବୋଚ୍ଚ ଅବସ୍ଥା, ଯେଉଁଥିରେ ଭକ୍ତ ଶ୍ରୀ ଭଗବାନଙ୍କ ସହିତ ସମରୂପ ହୋଇ ତାଙ୍କର ସ୍ୱରୂପ କୁ ଅନୁଭବ କରେ।
ଶ୍ରୀମଭଗବଦ୍ ଗୀତାରେ ଶ୍ରୀ ଭଗବାନ ଅନେକ ମାର୍ଗ ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ଧ୍ୟାନ ପୂର୍ବକ ଚାଲି ଯେକୌଣସି ଭକ୍ତ ଈଶ୍ୱରଙ୍କ ସହିତ ଏକରୂପ ହୋଇପାରେ । ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରି, ତାଙ୍କ ଉଦ୍ଦେଶ୍ୟରେ କର୍ମ କରି ପରମଜ୍ଞାନ ଲାଭ କରାଯାଇପାରେ।
ଜ୍ଞାନ ମାର୍ଗ ଓ ଭକ୍ତି ମାର୍ଗ ଦ୍ୱାରା ମଧ୍ୟ ଭଗବାନଙ୍କ ସହିତ ଏକରୂପ ହେବା ସମ୍ଭବ ହୋଇପାରେ। ଯେତେବେଳେ ମନୁଷ୍ୟର ସକଳ କର୍ମ ତଥା ସକଳ ଜ୍ଞାନ ଈଶ୍ୱର ଭକ୍ତିରେ ଲୀନ ହୋଇଯାଏ, ସେତେବେଳେ ପରମାତ୍ମା ଙ୍କ ସହିତ ପ୍ରେମ ଓ ଶ୍ରଦ୍ଧା ବ୍ୟତୀତ ଆଉ କିଛି ବାକି ରହେନାହିଁ। ସେତେବେଳେ ଭକ୍ତ ନିଜର ପରମାତ୍ମାଙ୍କୁ ସ୍ୱତଃ ପ୍ରାପ୍ତ ହୁଏ ଓ ସେ କିପରି ଓ କେଉଁଠାରେ ଅଛନ୍ତି ଜାଣିପାରେ ଓ ବୁଝିପାରେ ।
एतां विभूतिं योगं च मम यो वेत्ति तत्त्वत:
ପରମାତ୍ମା ହିଁ ଶ୍ରୀକୃଷ୍ଣ ରୂପରେ ଆସି ଅର୍ଜୁନଙ୍କ ସାରଥୀ ହେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି
ଅହଂ(ମ୍) ସର୍ବସ୍ୟ ପ୍ରଭବୋ, ମତ୍ତଃ(ସ୍) ସର୍ବଂ(ମ୍) ପ୍ରବର୍ତତେ।
ଇତି ମତ୍ୱା ଭଜନ୍ତେ ମାଂ(ମ୍), ବୁଧା ଭାବସମନ୍ୱିତାଃ।।୮।।
ବିବେଚନ - ଶ୍ରୀ ଭଗବାନ ବର୍ଣ୍ଣନା କରିଛନ୍ତି ଯେ, ସେ ସମସ୍ତ ଆଧ୍ୟାତ୍ମିକ ତଥା ଭୌତିକ ଜଗତର କର୍ତ୍ତା। ଶ୍ରୀ ଭଗବାନଙ୍କଠାରୁ ସମ୍ପୂର୍ଣ୍ଣ ବିଶ୍ୱ ର ଉତ୍ପତ୍ତି ହୋଇଛି। ମଞ୍ଜିରୁ ଯେପରି ଗୋଟିଏ ବଡ ଗଛ ହୁଏ ସେହିପରି ଶ୍ରୀ ଭଗବାନ ରୋପଣ କରିଥିବା ମଞ୍ଜି ରୂପକ ଯୋଗଶକ୍ତିରୁ ଏହି ସଂସାର ନିର୍ମିତ୍ତ ହୋଇଛି । ଶ୍ରୀ ଭଗବାନଙ୍କର ସେହି ଶକ୍ତି ସଂସାରକୁ ଧାରଣ କରି ତାର ପରିଚାଳନା କରୁଛି।
ପୃଥିବୀ ଯେଉଁ ଗତିରେ ନିଜ କକ୍ଷ ଚାରିପାଖରେ ଘୁରେ ଓ ଯେଉଁ ଗତିରେ ସୂର୍ଯ୍ୟ ଚାରିପାଖରେ ଘୁରେ ତାହା ଆମେ ଅନୁଭବ କରିପାରନ୍ତି ନାହିଁ। ଯେଉଁ ପରମାତ୍ମା ଏହି ସଂସାରକୁ ଧାରଣ କରିଛନ୍ତି ତାଙ୍କ ପ୍ରତି ଜୀବର ଭକ୍ତି କେତେ ଅଧିକ ହେବାକଥା ତାହା ନିଶ୍ଚୟ ବିଚାର ଯୋଗ୍ୟ।
ଆମେ ଏପରି ପରମାତ୍ମାଙ୍କ ନିକଟରେ ଭଲ ଚାକିରୀ ବା ଭଲ ଘର ତିଆରି କରିବାପାଇଁ କାମନା କରିବା ମୂଲ୍ୟହୀନ ମନେହୁଏ।
ସେ ସର୍ବଶକ୍ତିମାନ ଓ ସର୍ବବ୍ୟାପୀ । ଏହା ଜାଣିବା ପରେ ଆମର ସେ ପରମାତ୍ମାଙ୍କ ଠରେ ସପ୍ରେମ ଭକ୍ତି କରଣୀୟ ଯାହା ଫଳରେ ଆମେ ଏହି ମରଣଶୀଳ ଭବ ସାଗର ପାରି ହୋଇ ଈଶ୍ୱରଙ୍କ ପରମ ଧାମ ଆଡକୁ ଉର୍ଧ୍ଵମୁଖୀ ହୋଇ ଗମନ କରିପାରିବା।
तेषां ज्ञानी नित्य-युक्त एक-भक्तिर विशिष्यते
प्रियो हि ज्ञानिनोऽत्यर्थं अहम् स च मम प्रियः।।
ଅର୍ଥାତ୍
ଏମାନଙ୍କ ମଧ୍ୟରୁ ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ମାନେ ଯିଏ ଜ୍ଞାନବାନ ହୋଇ ମୋର ପୂଜା କରନ୍ତି ଓ ମୋ ପାଖରେ ଦୃଢ଼ ଭାବରେ ନିଜକୁ ସମର୍ପଣ କରନ୍ତି, ମୁଁ ତାଙ୍କର ଓ ସେ ମୋର ଅତି ପ୍ରିୟ ।
ଯେପରି ଆମେ ହାତ ଧୋଇଲାବେଳେ ସାବୁନ ଲଗେଇ ପାଣି ରେ ଧୋଇ ଦେଲେ ହାତ ସଫା ହୁଏ, ସେହିପରି ପ୍ରାଣୀ ନିଜର କଳୁଷିତ ମନକୁ ଶ୍ରଦ୍ଧାରୂପକ ସାବୁନ ଲଗେଇ ହରିନାମ ରୂପକ ଜଳରେ ଧୋଇ ସଫାକରିବା ଉଚିତ୍ ଏବଂ ଶ୍ରୀ ଭଗବାନଙ୍କ ଉପରେ ଦୃଢବିଶ୍ୱାସ ରଖିବା ଉଚିତ ।
ଏଣୁ ଶ୍ରୀ ଭଗବାନ ଙ୍କ ଅନୁସାରେ ପ୍ରତ୍ୟେକ ବସ୍ତୁ ମୋଠାରୁ ଜାତ। ଯେଉଁ ବୁଦ୍ଧିମାନ ବ୍ୟକ୍ତି ଏହା ଭଲ ଭାବରେ ଜାଣନ୍ତି ସେ ମୋର ପ୍ରେମରେ, ଭକ୍ତିରେ ଡୁବିଯାଆନ୍ତି ଓ ହୃଦୟ ସହିତ ମୋର ପୂଜା କରନ୍ତି।
ମଚ୍ଚିତ୍ତା ମଦ୍ଗତପ୍ରାଣା, ବୋଧୟନ୍ତଃ(ଫ୍) ପରସ୍ପରମ୍।
କଥୟନ୍ତଶ୍ଚ ମାଂ(ନ୍) ନିତ୍ୟ(ନ୍), ତୁଷ୍ୟନ୍ତି ଚ ରମନ୍ତି ଚ।।୯।।
ବିବେଚନ- ମୋର ପରମ ଭକ୍ତଙ୍କର ସଂକଳ୍ପନା ମୋଠାରେ ଥାଏ। ମୋ ସେବାରେ ତାଙ୍କର ଜୀବନ ନିୟୋଜିତ ଥାଏ । ତାଙ୍କର ମନ ଆଉ ଅନ୍ୟତ୍ର ଭ୍ରମେ ନାହିଁ। ସେ କେବଳ ମନରେ ନୁହେଁ ପୂର୍ଣ୍ଣ ପ୍ରାଣରେ ମୋ ସାଥିରେ ମିଶି ରହନ୍ତି।
ତାଙ୍କର ପ୍ରାଣ, ମନ, ବୁଦ୍ଧି ଅହଂକାର ଆଦି ସବୁକିଛି ଭଗବତ ଭକ୍ତିରେ ଡୁବି ରହିଥାଏ। ଯେତେବେଳେ ଏପରି ଭକ୍ତ ପରସ୍ପର ସହିତ ଭେଟ ହୁଅନ୍ତି, ସେମାନେ ତାଙ୍କର ଜ୍ଞାନ ଆଦାନ ପ୍ରଦାନ କରି, ମୋ ବିଷୟରେ କଥାବାର୍ତ୍ତା କରି ପରମ ଶାନ୍ତି ତଥା ସୁଖ ଭୋଗ କରିଥାଆନ୍ତି।
କେହି ସାଧାରଣ ମନୁଷ୍ୟ ତାଙ୍କର ଏହି ଗହନ ତଥ୍ୟକୁ ବୁଝିପାରେ ନାହିଁ। ସେଥିପାଇଁ ମନୁଷ୍ୟ ଭିତରେ ସେ ଜ୍ଞାନ ଚକ୍ଷୁ ହେବା ଆବଶ୍ୟକ ଯାହାପାଇଁ ସେ ପରମାତ୍ମାଙ୍କୁ ପ୍ରେମ କରନ୍ତି ଓ ଅନ୍ତରାତ୍ମାର ଗଭୀରତମ ପ୍ରଦେଶରେ ତାଙ୍କ ସହିତ ଏକାକାର ହୋଇଯାଆନ୍ତି।
ତେଷାଂ(ମ୍) ସତତୟୁକ୍ତାନାଂ(ମ୍), ଭଜତାଂ(ମ୍) ପ୍ରୀତିପୂର୍ବକମ୍।
ଦଦାମି ବୁଦ୍ଧିୟୋଗଂ(ନ୍) ତଂ(ମ୍), ତେନ ମାମୁପୟାନ୍ତି ତେ।।୧୦।।
ବିବେଚନ- ଯିଏ ପ୍ରେମ ପୂର୍ବକ ମୋର ଆରାଧନା କରେ, ମୁଁ ତାକୁ ଜ୍ଞାନ ଓ ବୁଦ୍ଧି ଦେଇଥାଏ। ଯାହାଫଳରେ ସେ ମୋ ସହିତ ଏକରୂପ ହୋଇଯାଏ । ମୋ ବ୍ୟତୀତ ଆଉ କିଛି ତାକୁ ଦେଖାଯାଏ ନାହିଁ । ସେ ମୋତେ ପ୍ରାପ୍ତ ହୁଏ ।
भवति इति भूत:।।
ଯେଉଁ ଭକ୍ତ ସର୍ବଦା ଈଶ୍ୱରଙ୍କ ସହିତ ଯୋଡି ହୋଇ ରହିଥାଏ ପରମାତ୍ମାଙ୍କ ପ୍ରତି ତାଙ୍କର ପ୍ରେମ ଅଧିକା ପ୍ରଗାଢ ହୁଏ। ପ୍ରଥମେ ସେ ଭକ୍ତ ନିଜର କର୍ମଦ୍ୱାରା ଈଶ୍ୱରଙ୍କର ସେବା କରେ। ନିଜର ସକଳ କର୍ମ ଭଗବାନଙ୍କୁ ଅର୍ପଣ କରି ଯେଉଁ ଜ୍ଞାନ ଲାଭ କରେ, ତାହା ତାଙ୍କୁ ଭକ୍ତି ମାର୍ଗରେ ପ୍ରେରିତ କରେ। ଭଗବାନଙ୍କ ପାଇଁ ଭକ୍ତ ମନର ଶ୍ରଦ୍ଧା ଓ ପ୍ରେମ ତାଙ୍କୁ ନିଜର ଭଗବାନଙ୍କ ପାଖରେ ସମର୍ପଣ କରି ତାଙ୍କ ନିମିତ୍ତ ଅଧିକ କର୍ମ କରିବାକୁ ପ୍ରେରିତ କରେ । ଯାହାଦ୍ୱାରା ତାଙ୍କର ଜ୍ଞାନ ଓ ଭକ୍ତି ନିରନ୍ତର ବୃଦ୍ଧି ହୁଏ ଓ ଏହା ଏକ ଚକ ପରି ଘୁରୁଥାଏ। ସେଥିରେ ଡୁବି ରହି ଭକ୍ତ ନିଶ୍ଚିତ ଭାବରେ ବନ୍ଧନ ରୂପକ ସଂସାରକୁ ତ୍ୟାଗକରି ସଦା ସର୍ବଦା ଭଗବାନଙ୍କ ସାମିପ୍ୟ ଲାଭ କରେ।
ତେଷାମେବାନୁକମ୍ପାର୍ଥମ୍, ଅହମଜ୍ଞାନଜଂ(ନ୍) ତମଃ।
ନାଶୟାମ୍ୟାତ୍ମଭାବସ୍ଥୋ, ଜ୍ଞାନଦୀପେନ ଭାସ୍ୱତା।।୧୧।।
ବିବେଚନା :-ଏହା ଏକ ବହୁତ ସୁନ୍ଦର ଶ୍ଳୋକ । ଶ୍ରୀ ଭଗବାନ କହିଛନ୍ତି ଯେ ଯେଉଁ ପ୍ରାଣୀଙ୍କ ହୃଦୟରେ ପ୍ରେମପୂର୍ଣ୍ଣ ଭକ୍ତିର ଅବିଚ୍ଛନ୍ନ ଧାରା ପ୍ରବାହିତ ହୁଏ ସେମାନଙ୍କ ପ୍ରତି ମୋର ବିଶେଷ କରୁଣା ଅଛି। ଅର୍ଥାତ୍ ମୋର ସେମାନଙ୍କ ପ୍ରତି ବିଶେଷ ଅନୁକମ୍ପା ରହିଥାଏ।
ଶ୍ରୀ ଭଗବାନ ଏଠାରେ ସ୍ପଷ୍ଟ ଭାବରେ କହୁଛନ୍ତି ହେ ଅର୍ଜୁନ! ପ୍ରଥମେ, ମୋର ଶୁଦ୍ଧ ଭକ୍ତ ମାନଙ୍କ ମଧ୍ୟରେ ଭକ୍ତିର ସ୍ପନ୍ଦନ ଉତ୍ପନ୍ନ ହୁଏ, ତାପରେ ସେମାନଙ୍କ ହୃଦୟରେ ବାସ କରୁଥିବା “ମୁଁ “, ମୋର କରୁଣା ଦ୍ୱାରା ସେମାନଙ୍କ ହୃଦୟରେ ଥିବା ଅଜ୍ଞାନର ଅନ୍ଧକାରକୁ ନଷ୍ଟ କରେ, ଜ୍ଞାନର ଦୀପ ଜାଳିଦିଏ ଏବଂ ମୁଁ ଭକ୍ତଙ୍କ ହୃଦୟକୁ ଆଲୋକିତ କରିଥାଏ। ସେମାନଙ୍କର ଚାରିପାଖରେ ଥିବା ଅଜ୍ଞାନତାର ଅନ୍ଧକାର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇ ସେମାନଙ୍କର ସମଗ୍ର ଜୀବନ ଆଲୋକିତ ହେଉ, ସେଥିପାଇଁ ମୁଁ ଜ୍ଞାନର ମଶାଲ ଧରି ସେମାନଙ୍କ ସହିତ ଚାଲେ।
ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ସମର୍ଥନ ପାଇବାକୁ ଅର୍ଜୁନ ଆଗ୍ରହୀ ଥିଲେ। ସେ ଶ୍ରୀ ଭଗବାନଙ୍କ ବ୍ୟତୀତ ଅନ୍ୟ କିଛି ଚାହୁଁ ନଥିଲେ। ଶ୍ରୀ ଭଗବାନ ତାଙ୍କର ବନ୍ଧୁ, ଭାଇ ଏବଂ ଯୁଦ୍ଧରେ ସେ ଅର୍ଜୁନଙ୍କ ସାରଥୀ ଭାବେ ଉପସ୍ଥିତ ଅଛନ୍ତି। ଏ ପର୍ଯ୍ୟନ୍ତ ଅର୍ଜୁନ ଜାଣିଥଲେ ଯେ ଶ୍ରୀକୃଷ୍ଣ ଶ୍ରେଷ୍ଠ, କିନ୍ତୁ ଯେତେବେଳେ ଭଗବାନ ତାଙ୍କୁ ନିଜର ପରିଚୟ ଦେଲେ, ସେ ଶ୍ରୀକୃଷ୍ଣଙ୍କ ସ୍ତୁତି ଗାଇବା ଆରମ୍ଭ କଲେ।
ଏହିପରି, ଶ୍ରୀ ଭଗବାନ, ଅର୍ଜୁନଙ୍କ ଉପରେ ତାଙ୍କର ବିଶେଷ କୃପା ଦୃଷ୍ଟି ଦେଇ ତାଙ୍କ ହୃଦୟରେ ବାସ କରନ୍ତି ଏବଂ ଜ୍ଞାନର ଉଜ୍ବଳ ଦୀପ ଦ୍ୱାରା ଆଜ୍ଞାନତା ହେତୁ ସୃଷ୍ଟି ହେଇଥିବା ଅନ୍ଧକାରକୁ ଦୂର କରନ୍ତି।
ଅର୍ଜୁନ ଉବାଚ
ପରଂ(ମ୍) ବ୍ରହ୍ମ ପରଂ(ନ୍) ଧାମ, ପବିତ୍ରଂ(ମ୍) ପରମଂ(ମ୍) ଭବାନ୍।
ପୁରୁଷଂ(ମ୍) ଶାଶ୍ୱତଂ(ନ୍) ଦିବ୍ୟମ୍, ଆଦିଦେବମଜଂ(ମ୍) ବିଭୁମ୍।।୧୨।।
ବିବେଚନା :- ଅର୍ଜୁନ ସଚେତନ ହୋଇ ଯାଇଛନ୍ତି । ଏହି ମୁହୂର୍ତ୍ତରେ ସେ ଅନୁଭବ କରିଛନ୍ତି ଯେ, ଶ୍ରୀ ଭଗବାନ ତାଙ୍କ ହୃଦୟରେ ବାସକରି, ତାଙ୍କ ହୃଦୟରେ ଥିବା ଅଜ୍ଞାନର ଅନ୍ଧକାରକୁ ନଷ୍ଟ କରିବାକୁ ଏବଂ ଜ୍ଞାନର ଦୀପ ଜଳାଇବାକୁ ଚେଷ୍ଟା କରୁଛନ୍ତି।
ଅର୍ଜୁନ ଅନୁଭବ କରୁଛନ୍ତି ଯେ ଆପଣ (ଶ୍ରୀ ଭଗବାନ )ଏହି ବ୍ରହ୍ମାଣ୍ଡର ସ୍ରଷ୍ଟା। ସେ ଏହି ବ୍ରହ୍ମାଣ୍ଡକୁ ଚଲାଉଛନ୍ତି, ସମଗ୍ର ବ୍ରହ୍ମାଣ୍ଡର ନିୟନ୍ତ୍ରକ। ଆପଣ ପରମ ବ୍ରହ୍ମ। ଆପଣ ପରମ ଧାମ, ସବୁଠାରୁ ପବିତ୍ର, ଆଦି, ଅନନ୍ତ ଏବଂ ଦିବ୍ୟ ସତ୍ତା ମଧ୍ୟ ଆପଣ ହିଁ ଅଟନ୍ତି।
ଏଠାରେ ପୁରୁଷର ଅର୍ଥ ଚେତନା। ପ୍ରକୃତି ଓ ମଣିଷର ମିଶ୍ରଣ ଦ୍ୱାରା ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି। ସେହି ଚେତନାଶୀଳ ଉପାଦାନ ହେଉଛନ୍ତି ସର୍ବ ଶକ୍ତିମାନ ପରମେଶ୍ୱର ଯିଏ ଅନନ୍ତ, ନିରନ୍ତର ଏବଂ ଅନନ୍ୟ।
ଆପଣ ଅଜାତ। ଆପଣ ଶ୍ରୀକୃଷ୍ଣ ରୂପରେ ମୋ ସମ୍ମୁଖରେ ଉପସ୍ଥିତ ,କିନ୍ତୁ ଆପଣ ବିଭୁ, ଅର୍ଥାତ ସର୍ବବ୍ୟାପି ମଧ୍ୟ ଅଟନ୍ତି ।
ଆହୁସ୍ତ୍ୱାମୃଷୟଃ(ସ୍) ସର୍ବେ, ଦେବର୍ଷିର୍ନାରଦସ୍ତଥା।
ଅସିତୋ ଦେବଲୋ ବ୍ୟାସଃ(ସ୍), ସ୍ୱୟଂ(ଞ୍) ଚୈବ ବ୍ରବୀଷି ମେ।।୧୩।।
ବିବେଚନା :- ନାରଦ, ଅସିତ, ଦେବଳ ଏବଂ ବ୍ୟାସଙ୍କ ପରି ଅନେକ ଋଷି ମୁନି ଆପଣଙ୍କର ଏହି ସତ୍ୟକୁ ନିଶ୍ଚିତ କରନ୍ତି, ସେମାନେ ଅତୀତରେ ମଧ୍ୟ୍ୟ ଆପଣଙ୍କୁ ସମାନ ଉପମା ଦେଇଛନ୍ତି ଏବଂ ଏହି ଭାବନା ଗୁଡିକ ମୋ ନିଜ କାନରେ ଶୁଣିଛି।
ପ୍ରାୟତଃ ଜ୍ଞାନୀ ଲୋକମାନେ ଆପଣଙ୍କ ବିଷୟରେ ଏବଂ ଆପଣଙ୍କର ସମସ୍ତ ଦିଗ ବିଷୟରେ ବର୍ଣ୍ଣନା କରନ୍ତି, କିନ୍ତୁ ଆଜି ଆପଣ ନିଜ ବିଷୟରେ ବର୍ଣ୍ଣନା କରୁଛନ୍ତି। ମୋର ପରମ ସୌଭାଗ୍ୟ ଯେ ଆଜି ଆପଣ ଏଠାରେ ଅଛନ୍ତି, ତେଣୁ ଆପଣଙ୍କ ବିଷୟରେ ମୁଁ ରୁଷି, ମୁନି ଏବଂ ସନ୍ଥ ମାନଙ୍କ ଠାରୁ ଯାହା ମଧ୍ୟ ଶୁଣିଛି, ଆଜି ମୋର ସେମାନଙ୍କ ବାକ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ ହୋଇଗଲା ଯେ ଆପଣ କିଏ?
ସର୍ବମେତଦୃତଂ(ମ୍) ମନ୍ୟେ, ୟନ୍ମାଂ(ମ୍) ବଦସି କେଶବ।
ନ ହି ତେ ଭଗବନ୍ବ୍ୟକ୍ତିଂ(ମ୍), ବିଦୁର୍ଦେବା ନ ଦାନବାଃ।।୧୪।।
ବିବେଚନ :- ହେ କୃଷ୍ଣ ! ଆପଣ ମୋତେ ଯାହା କହିଲେ ମୁଁ ଏହାକୁ ସତ୍ୟ ବୋଲି ବିଶ୍ୱାସ କରେ। ଶ୍ରୀ ଭଗବାନଙ୍କ ପ୍ରତି ଭକ୍ତିର ଅମୃତ ପାନକରି, ଅର୍ଜୁନ ଦିବ୍ୟ ଆଲୋକରେ ସମ୍ପୂର୍ଣ୍ଣ ଭାବରେ ମଗ୍ନ ହୋଇ, ଶ୍ରୀ ଭଗବାନଙ୍କର ନିକଟରେ ଏହି କଥା ପ୍ରକାଶ କରନ୍ତି ;ହେ ପ୍ରଭୁ! ରାକ୍ଷସ କିମ୍ବା ଦେବତାମାନେ ଆପଣଙ୍କର ଲୀଳା ସ୍ୱରୂପକୁ ବୁଝିପାରିବେ ନାହିଁ କିମ୍ବା ସେମାନେ ତୁମ ସ୍ୱରୂପକୁ ଅନୁଭବ କରିପାରିବେ ନାହିଁ।
ଇଶ୍ୱରଙ୍କ କୃପାବିନା କୌଣସି ପ୍ରାଣୀ ଆପଣଙ୍କୁ ସାମାନ୍ୟତମ ଅନୁଭବ କରିବାର ଶକ୍ତି ପାଇପାରିବେ ନାହିଁ। ଆପଣ ନିଜେ ନିଜକୁ ଜାଣନ୍ତି, ଆପଣଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ କେବଳ ଆପଣଙ୍କୁ ହିଁ ଜଣା। ଅନ୍ୟ କାହାକୁ ନୁହେଁ।
ଏଣୁ ମୁଁ ( ଅର୍ଜୁନ ) ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଅନୁଭବ କରିବାକୁ ଇଛୁକ, ଦୟାକରି ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ଅନୁଭବ କରିବାକୁ ମୋତେ ଶକ୍ତି ଦିଅନ୍ତୁ। ହେ ଭଗବାନ! ମୁଁ ଆପଣଙ୍କୁ ଜାଣିବାକୁ ଚାହୁଁଛି।
ଏକାଦଶ ଅଧ୍ୟାୟରେ, ଯେତେବେଳେ ଅର୍ଜୁନ ଭଗବାନଙ୍କର ଦିବ୍ୟ ଦର୍ଶନ ପ୍ରତ୍ୟେକ୍ଷ ରୂପେ ପାଆନ୍ତି, ତାହାପରେ ତାଙ୍କ ମନରେ କୌଣସି ସନ୍ଦେହର ରହେ ନାହିଁ। ଏହା ସହିତ ଆଜିର ଆଲୋଚନା ଅଧିବେଶନ ଶେଷ ହୁଏ ଏବଂ ପ୍ରଶ୍ନୋତ୍ତର ଅଧିବେଶନ ଆରମ୍ଭ ହୋଇଥିଲା।
।।ପ୍ରଶ୍ନୋତ୍ତର ସତ୍ର।।
ପ୍ରଶ୍ନକର୍ତ୍ତା :-ସୁମନ ଦିଦି
ପ୍ରଶ୍ନ :-ଶ୍ରୀମଦ୍ଭଗବଦ୍ ଗୀତା ସ୍ୱୟଂ ଶ୍ରୀ ଭଗବାନଙ୍କର ବାଣୀ। ଯେତେବେଳେ ମୁଁ ଏହାକୁ ପଢେ କିମ୍ବା ଶୁଣେ, ଏହା ମୋତେ ବହୁତ ଭଲ ଲାଗେ। କିନ୍ତୁ ବେଳେ ବେଳେ ମୋର ମନ ଏତେ ପ୍ରଭାବିତ ହୁଏ ଯେ ମୁଁ ଅନୁଭବ କରେ ମୋର ବୁଦ୍ଧି ଇଶ୍ଵରପୂର୍ଣ୍ଣ ହୋଇଗଲାଣି। କିନ୍ତୁ କେତେବେଳେ ଚିନ୍ତାହୀନ ଚିନ୍ତାଧାରା ଏହି ସବୁକୁ ନଷ୍ଟ କରିଦିଏ ଏବଂ ପରେ ମୁଁ ବହୁତ ଦୁଃଖିତ ହୁଏ ଯେ ମୁଁ ଏପରି କାହିଁକି କଲି? ମୁଁ ବାରମ୍ବାର ଏହି ପ୍ରତିଜ୍ଞା କରେ ଯେ ମୁଁ ପରମେଶ୍ୱରଙ୍କଠାରେ ମଗ୍ନ ହେବି, ଏବଂ ତାଙ୍କ ବ୍ୟତୀତ ମୁଁ ଆଉ କିଛି ଚାହେଁନାହିଁ। ଏହା କିପରି ସମ୍ଭବ ହୋଇ ପାରିବ ?
ଉତ୍ତର :- ତୁମେ ଯାହା କହିଲ ତାହା ସମ୍ପୂର୍ଣ୍ଣ ସତ୍ୟ। ଏହି ପର୍ଯ୍ୟାୟ ହଠାତ ଆସେ ନାହିଁ ; ଆମ ମନ ସବୁବେଳେ ଟିକେ ଅନିୟମିତ ଥାଏ। ଆମର ମନ ଚଞ୍ଚଳ, ଏହା ଏଠି ସେଠି ଦୌଡ଼ି ଚାଲିଯାଏ ଏବଂ ସହଜରେ ସ୍ଥିର ହୁଏନାହିଁ, କିନ୍ତୁ ଆମେ ଏହାକୁ ଯେତେ ଅଧିକ ବୁଝିବାକୁ ଚେଷ୍ଟା କରିବା ଏବଂ ଏହି ଭାବନା ସହିତ ଆମର କାମ କରିବା, ଆମେ ସେତେ ଅଧିକ ସଫଳ ହେବା। ଆମେ ଯେତେ ଅଧିକ ନିଷ୍ଠାର ସହିତ ଏହା କରିଚାଲିବୁ, ଆମର ମନ ଏବଂ ହୃଦୟ ସେତେ ପବିତ୍ର ହେବ। ଏହି ସମସ୍ତ ଅଭ୍ୟାସ କେବଳ ମନକୁ ଶୁଦ୍ଧ କରିବା ପାଇଁ। ଆମକୁ ଯେ କୌଣସି କର୍ମ ଯୋଗ ଅଭ୍ୟାସ କରିବାକୁ ପଡିବ, ଏହା ମନକୁ ଶୁଦ୍ଧ କରିଥାଏ ଏବଂ ଆମର ମନ ଯେତେ ଅଧିକ ଶୁଦ୍ଧ ହେବ, ଆମେ ସେତେ ଅଧିକ ନିଜକୁ ଜାଣିପାରିବା, କିନ୍ତୁ ଏହିସବୁ ତୁରନ୍ତ ଘଟିବ ନାହିଁ।
ପ୍ରଶ୍ନ :- କିନ୍ତୁ ମୋ ମନରେ କଣ ଘଟେ ଯେ ଯଦି ମୋତେ କିଛି ପସନ୍ଦ ନ ଆସେ, ତଥାପି ମୁଁ ସେଥିରେ ପ୍ରତିକ୍ରିୟା ଦିଏ ଏବଂ ଭିତରେ ଭିତରେ କାନ୍ଦିଥାଏ। ଏହା କାହିଁକି ଘଟେ?
ଉତ୍ତର :- ସେଇଟା ହିଁ କଥା. ଏହା ତୁରନ୍ତ ଠିକ ହେବ ନାହିଁ। ଏତେ ଦିନ ଧରି, ଆମ ମନ ଭଲ ମନ୍ଦ ଭାବନାରେ ଆବୃତ୍ତ ହୋଇ ରହିଛି। ଯେପରି କିଛି ମଇଳା ଜମା ହୋଇ ରହିଥାଏ,ବାହାରି ନଥାଏ ଏବଂ ଏହାକୁ ବହୁତ ଘସିବାକୁ ପଡିଥାଏ, ସେହିପରି ଏହାକୁ ବହୁତ ଘଷିବା ପରେ ଧୀରେ ଧୀରେ ଅଦୃଶ୍ୟ ହୋଇଯିବ। ଯେପରି ଆମ ଶରୀରରେ ମଇଳା ଥାଏ, ଏଥିପାଇଁ ଆମେ ପ୍ରତିଦିନ ପାଣିରେ ଗାଧୋଇ ଥାଉ। ଆମେ ଏହା ପ୍ରତିଦିନ କରୁ, କାରଣ ଆଜିର ମଇଳା ଆଜି ସଫା ହେଇଯିବ, କିନ୍ତୁ ଯେତେବେଳେ ପ୍ରତିଦିନ ନୂଆ ମଇଳା ଆସିବ, ସେତେବେଳେ ଆମକୁ ପ୍ରତିଦିନ ଗାଧୋଇବାକୁ ପଡିବ।
ସେହିପରି ଦୁନିଆରେ ଅନେକ ଜିନିଷ ଆମ ମନରେ ବାସ କରେ, ଆମକୁ ପ୍ରତିଦିନ ଏଗୁଡିକୁ ଧୋଇ ଦେବାକୁ ପଡିବ। ଏହାକୁ ଧୋଇବା ପାଇଁ ଆମକୁ ଶ୍ରୀମଦ୍ଭଗବଦ୍ ଗୀତା ପଢିବାକୁ ପଡିବ। ତୁମକୁ ଗୀତା ଜଳରେ ସ୍ନାନ କରିବାକୁ ପଡିବ। ଆମକୁ ଏହି ବିଷୟରେ ଚିନ୍ତା କରିବାକୁ ପଡିବ, ଏହା ଧୀରେ ଧୀରେ ଆମର ମନକୁ ପବିତ୍ର ଓ ଶୁଦ୍ଧତାରେ ଭରିଦେବ।
ପ୍ରଶ୍ନ କର୍ତ୍ତା :-ପ୍ରବୀଣ ଭାଇ
ପ୍ରଶ୍ନ :- ଯେହେତୁ ଆମେ ବିଭୁତି ଯୋଗ ଦେଖୁଛୁ, ମୋର ପ୍ରଶ୍ନ ମଧ୍ୟ ଏହି ପରିପ୍ରେକ୍ଷୀରେ ଯେ ପ୍ରକୃତି ଏବଂ ମାୟା ମଧ୍ୟରେ କଣ ପାର୍ଥକ୍ୟ ଅଛି, ଏହି ବିଭୁତି ମଧ୍ୟ କଣ ଭଗବାନଙ୍କର ମାୟା କି?
ଉତ୍ତର :-ପ୍ରକୃତି ଏବଂ ମାୟା ଏମାନେ ଗୋଟିଏ ବସ୍ତୁର ଦୁଇଟି ନାମ। ଆମେ କହିପାରିବା ଯେ ଏହା ଶ୍ରୀ ଭଗବାନଜୀଙ୍କର ମହିମା। ଏହା ବହୁତ ବିଶାଳ ଏବଂ ବିସ୍ତୃତ । ଶ୍ରୀଭଗବାନଙ୍କର ମାୟା ଯେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା ସେଥିରୁ ସୃଷ୍ଟି ହୋଇଛି।
ମାୟାର ଆଉ ଏକ ଅର୍ଥ ହେଉଛି ଯାଦୁ। ମାୟା ଜାଲ ଏବଂ ଏହା ଇଶ୍ଵରଙ୍କର ଯାଦୁ ଏବଂ ଏହି ମାୟା କେବଳ ତାଙ୍କର, ତେଣୁ ଏହି ମହିମା ମଧ୍ୟ ତାଙ୍କର, କିନ୍ତୁ ଯେତେବେଳେ ଆମେ ତାଙ୍କୁ ଏକ ବିଭୂତି ରୂପରେ ଦେଖୁ ,ଆମେ ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ଦେଖିପାରିବା ନାହିଁ। ଏହା ବହୁତ ବିଶାଳ ଏବଂ ବିସ୍ତୃତ। ଆମେ ତାଙ୍କୁ ଗୋଟିଏ ସ୍ଥାନରେ ଦେଖିପାରିବା ନାହିଁ। ତେଣୁ ଯେତେବେଳେ ଅର୍ଜୁନ ଶ୍ରୀ ଭଗବାନଙ୍କୁ ତାଙ୍କର ଶକ୍ତି ବିଷୟରେ ବିସ୍ତାର ଭାବରେ କହିବାକୁ କହିଲେ, ସେତେବେଳେ ଭଗବାନ କହିଲେ ଯେ ଏହା ବିସ୍ତାର ଭାବରେ କହିବା କଥା ନୁହେଁ, କାରଣ ମୁଁ ଅନନ୍ତ, ମୋର ଶକ୍ତି ମଧ୍ୟ ଅସୀମ, ଯାହାର କୌଣସି ଶେଷ ନାହିଁ ।
ବିଭୁତିର ଅର୍ଥ ବିଶେଷ ଅନୁଭୂତିର ସ୍ଥାନ। ଯଦି ଇଶ୍ୱର ସର୍ବତ୍ର ଅଛନ୍ତି, ତେବେ ଆମେ କାହାକୁ ପୂଜା କରିବା ଉଚିତ? ଯେପେରି ଆମ ସାମ୍ନାରେ ଟେବୁଲ, ଚେୟାର, ଦ୍ୱାର ଅଛି, ଆମେ କଣ ଏହାକୁ ପୂଜା କରିବା ଉଚିତ? ନା! କିନ୍ତୁ କେବଳ ଏହିସ୍ଥାନରେ ପୂଜା କରାଯିବା ଉଚିତ ଯେଉଁଠାରେ ଏହି ବିଷୟରେ ବିଶେଷ ଅନୁଭବ ହୁଏ । ସେଥିପାଇଁ ଆମେ ଆମ ଘରେ ଠାକୁରଜୀଙ୍କ ପାଇଁ ଏକ ସ୍ଥାନ ରଖିଥାଉ ଏବଂ ତାଙ୍କୁ ଓ ଅନ୍ୟାନ୍ୟ ଦେବ ଦେବୀଙ୍କୁ ପ୍ରତିଷ୍ଠା କରୁ।
ତୁମର ପ୍ରଶ୍ନର ଉତ୍ତର ହେଉଛି ଯେ ମାୟା ଏବଂ ପ୍ରକୃତି ଗୋଟିଏ ଏବଂ ସମାନ, ଏହା ଏହାର ରୂପମଧ୍ୟ, ତେଣୁ ଆମେ ନିଶ୍ଚିତ ଭାବରେ ତାଙ୍କର ବିଭୂତି କହିପାରିବା।
ପ୍ରଶ୍ନକର୍ତ୍ତା :- ମଳୟ ଭାଇ
ପ୍ରଶ୍ନ :- ସପ୍ତମ ଅଧ୍ୟାୟ ହେଉଛି ଜ୍ଞାନ ଯୋଗ ଏବଂ ତାପରେ ନବମ ଅଧ୍ୟାୟ ଏହାର ବିସ୍ତାର, ତେବେ ଦଶମ ଅଧ୍ୟାୟ ମଧ୍ୟ କଣ ଏହାର ଏକ ବିସ୍ତାର? ଆମେ ଏପର୍ଯ୍ୟନ୍ତ ଶ୍ରୀ ଭଗବାନଙ୍କ ରୂପ ଦେଖିନାହୁଁ, ତେବେ ଆମେ ଏହାକୁ କେଉଁଠାରେ ଦେଖିବୁ?
ଉତ୍ତର :-ଶ୍ରୀ ଭଗବାନ ଆମକୁ କେଉଁଠାରେ ଦର୍ଶନ ଦେଇପାରିବେ ସେ ତ ସବୁଠାରେ ଅଛନ୍ତି କିନ୍ତୁ ଆମେ ତାଙ୍କର ବିଶେଷ ଅନୁଭବ କେଉଁଠାରୁ ପାଇବା? ଏହି ସ୍ଥାନ ହେଉଛି ଆମର ମନ।
ପ୍ରଶ୍ନକର୍ତ୍ତା :- କିରଣ ଦିଦି
ପ୍ରଶ୍ନ- ଆମେ କିପରି ପରମ ଧାମ ଯାଇପାରିବା ଏବଂ ଆମର ଆତ୍ମା କେତେ ଜନ୍ମରେ ସେଠାକୁ ଯାଏ?
ଉତ୍ତର :- ଆମେ ପରମ ଧାମରେ ହିଁ ରହୁଛୁ କିନ୍ତୁ ଆମେ ଜାଣିପାରୁନାହୁଁ ଯେ ଆମେ ପରମ ଧାମରେ ହିଁ ରହିଛୁ । କାରଣ ସେହି ଧାମ ବ୍ୟତୀତ ଅନ୍ୟ କିଛି ନାହିଁ। ଆମ ଆତ୍ମା ପରମାତ୍ମାଙ୍କର ଏକ ଅଂଶ କିନ୍ତୁ ଆମେ ଏହାକୁ ଅନୁଭବ କରୁନାହୁଁ। ଆମେ ଅନୁଭବ କରୁଛୁ ଯେ ମୁଁ ଏଠାରେ ଅଛି ଏବଂ ଆମକୁ ପରମ ଧାମକୁ ଯିବାକୁ ପଡିବ। ଆମର ଏହି ଭାବନା ନଷ୍ଟ ହୋଇଯାଏ ଯେତେବେଳେ ଆମେ ଇଶ୍ଵରଙ୍କ ବ୍ୟତୀତ ଅନ୍ୟ କିଛି ଦେଖି ନ ଥାଉ। କାରଣ ଆମେ ଜାଣୁନାହୁଁ ଯେ ଯାହା ଅଛି ତାହାହିଁ ଇଶ୍ୱର। ସେ ପ୍ରତ୍ୟେକ କଣିକାରେ ବିଦ୍ୟମାନ ଏବଂ ତାଙ୍କ ବ୍ୟତୀତ ଅନ୍ୟ କେହି ନାହାନ୍ତି, ତେବେ ଆମେ କେଉଁଠାକୁ ଯିବା? ଆମେ ତାଙ୍କୁ ନିଜ ହୃଦୟରେ ପାଇପାରିବା।
।।ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ।।