विवेचन सारांश
ଅଚିନ୍ତ୍ୟ ଆତ୍ମା

ID: 7642
उड़िया - ଓଡ଼ିଆ
ଶନିବାର, 02 ଅଗଷ୍ଟ 2025
ଅଧ୍ୟାୟ 2: ସାଂଖ୍ୟ ଯୋଗ
3/6 (ଶ୍ଳୋକ 20-39)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା-
ଗୀତା ପରିବାରର ମଧୁର ଗୀତ, ହନୁମାନ ଚାଳିଶା ପାଠ, ଶ୍ରୀକୃଷ୍ଣ ଆରାଧନା, ଦୀପ ପ୍ରଜ୍ବଳନ ସହିତ ଆଜିର ବିବେଚନ ସତ୍ର ପ୍ରାରମ୍ଭ ହେଲା । ଶ୍ରୀଭଗବାନ ଙ୍କର ଅତିଶୟ ମଙ୍ଗଳମୟ କୃପାରୁ ଆମ୍ଭମାନଙ୍କର ଏଭଳି ସୌଭାଗ୍ୟ ଉଦୟ ହୋଉଛି ଯାହାଦ୍ୱାରା ଆମ୍ଭେ ଜୀବନକୁ ସଫଳ, ସାର୍ଥକ କରିବାକୁ, ପରମ ଉଚ୍ଚ ଲକ୍ଷ୍ୟ ଅଭିପ୍ସାକୁ ପ୍ରାପ୍ତ କରିବା ପାଇଁ, ଇହଲୌକିକ ଓ ପରଲୌକିକ ଜୀବନରେ ଉନ୍ନତି ଆଣିବା ନିମନ୍ତେ, ମାନବ ଜୀବନର ସର୍ବୋଚ୍ଚ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ, ପଠନ- ପାଠନ ତଥା ଅଧ୍ୟୟନରେ, ଶ୍ରୀଭଗବାନଙ୍କ ବିଷୟରେ ବିବେଚନ ଶ୍ରବଣ କରିବାରେ ଓ କଣ୍ଠସ୍ଥ କରିବାରେ, ଗୀତା ମାତାଙ୍କର ଶ୍ଳୋକ ମାନଙ୍କୁ ହୃଦୟଙ୍ଗମ କରି ଜୀବନରେ ପ୍ରତିଫଳିତ କରିବାରେ ଆମେ ସମସ୍ତେ ପ୍ରବୃତ୍ତ ହେଇଅଛୁ । ଜଣା ନାହିଁ ଏହି ଜନ୍ମର କେଉଁ ପୁଣ୍ୟଫଳ ଯୋଗୁ ଅବା ପୂର୍ବ ଜନ୍ମର ସୁକୃତରୁ ଅବା ଆମ ପୂର୍ବଜଙ୍କ ସୁକୃତରୁ ବା କେଉଁ ଜନ୍ମରେ କେଉଁ ମହାପୁରୁଷଙ୍କ କୃପାଦୃଷ୍ଟିରେ ଆସିପାରିଛୁ, ଯଦ୍ୱାରା ଆମ୍ଭର ଏଭଳି ଭାଗ୍ୟୋଦୟ ହୋଇଛି, ଯେଉଁ କାରଣରୁ ଆମମାନଙ୍କୁ ଭଗବଦ୍ଗୀତା ପଠନ ତଥା ମନନ ପାଇଁ ବଛା ଯାଇଛି । ତେଣୁ ନିଜ ଭାଗ୍ୟକୁ ବାରମ୍ବାର ପ୍ରଶଂସା କରିବା ତଥା ଧନ୍ୟବାଦ ଦେବା ଉଚିତ କି ଆମେ ଗୀତାଜୀଙ୍କୁ ବାଛି ନାହୁଁ ବରଂ ଆମେ ଶ୍ରୀଭଗବାନଙ୍କ ଦ୍ୱାରା ଏଥିପାଇଁ ବଛା ଯାଇଛୁ । ସମ୍ପ୍ରତି ଏହି ଦୈବୀ ସୁଯୋଗରୁ ଆମେ ଯେପରି ବଞ୍ଚିତ ନ’ହେଉ, ଏହା ହିଁ କାମ୍ୟ ।
ଏହି ଅତ୍ୟନ୍ତ ପାବନ ଚତୁର୍ଥ ଧାମର ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ସାଙ୍ଖ୍ୟଯୋଗ ଉପରେ ମନନ ଚିନ୍ତନ କରିବା ପାଇଁ, ଆମେ ତିନି ସପ୍ତାହ ହେଲାଣି ଏକତ୍ରିତ ହେଉଛନ୍ତି । ପୂର୍ବ ଶ୍ଳୋକରେ ଆମେ ଦେଖିଛନ୍ତି କି, ଅର୍ଜୁନ ଶ୍ରୀଭଗବାନଙ୍କ ପାଦ ପଙ୍କଜରେ ଶରଣାପନ୍ନ ହୋଇ ନିଜକୁ ସମର୍ପଣ କରିଛନ୍ତି । ତେଣୁ ଶ୍ରୀଭଗବାନଙ୍କ ମନରେ  ଅର୍ଜୁନଙ୍କୁ ମାଧ୍ୟମ କରି ସାରା ମାନବ ଜାତିର କଲ୍ୟାଣ ପାଇଁ ଏପରି ଜ୍ଞାନ ପ୍ରଦାନର ଇଚ୍ଛା ଜାଗ୍ରତ ହୋଇଛି,ଯାହା ଫଳରେ ମାନବ ଜାତି ଜନ୍ମ-ଜନ୍ମାନ୍ତର ଏହାର ଉପଯୋଗ କରି ମୋକ୍ଷ ପ୍ରାପ୍ତି କରି ପାରିବ । ଅନେକ ଶାସ୍ତ୍ରକାର ପ୍ରାମାଣିକତା ସହିତ କହିଛନ୍ତି କି, ମାନବ ଜୀବନର କଲ୍ଯାଣକାରୀ ଶ୍ରୀମଦ୍ଭଗବଦ ଗୀତା ଭଳି ଅନ୍ୟ କୌଣସି କଲ୍ୟାଣକାରୀ ସୁଲଭ ଗ୍ରନ୍ଥ ସଂସାରରେ ବିରଳ

ଅର୍ଜୁନ ଯେତେବେଳେ କହିଲେ କି,” ମୁଁ ମୋହଗ୍ରସ୍ତ ହେବା କାରଣରୁ କାପୁରୁଷତାର ଶିକାର ହୋଇଯାଇଛି,  ତେଣୁ ମୋତେ ଠିକ ଭୁଲର ପ୍ରଭେଦ ଦିଶୁ ନାହିଁ ।” ଏଠାରେ ଅର୍ଜୁନ କଣ ଉଚିତ, କଣ ଅନୁଚିତ ଓ ତାଙ୍କ ପାଇଁ କଣ ହିତକାରୀ ତାହା ଜାଣିବାକୁ ଚାହିଁଲେ । ଆମେ ଯଦି କୌଣସି କଥା କହୁଛେ, ତାହାର ସମର୍ଥନ କେହି କରନ୍ତୁ ବୋଲି ମନ ଭିତରେ ଆଶା ରଖୁଛେ। ଶ୍ରୀଭଗବାନ ଏଗାର ନମ୍ବର ଶ୍ଳୋକରେ କହିଛନ୍ତି, ”ହେ ଅର୍ଜୁନ ! ତୁମେ ଯେଉଁ ପ୍ରକାର ଶୋକ କରୁଛ ତାହା ବିଦ୍ୱାନ ଲୋକଙ୍କଠାରେ ଶୋଭା ପାଏନି।”
ଶ୍ରୀଭଗବାନ ବର୍ତ୍ତମାନ ଏହି ଗୂଢ଼ ଜ୍ଞାନକୁ ପ୍ରକଟ କରି କହିଛନ୍ତି ଯେ ସେ ଏହି ଗୁପ୍ତ ଜ୍ଞାନକୁ ସୂର୍ଯ୍ୟଙ୍କ ମାଧ୍ୟମରେ ଶୁଣାଇ ଥିଲେ, ପରନ୍ତୁ ଆଜି ତାହା ବିଲୁପ୍ତ ପ୍ରାୟ । ଏହି ସାଂଖ୍ୟ ଯୋଗକୁ ମହାତ୍ମା କପିଳ ମୁନି ତାଙ୍କର ମାତା ଦେବହୂତିଙ୍କୁ ଶୁଣାଇ ଥିଲେ । ସେହି ସାଂଖ୍ୟଯୋଗର ଅବତାରଣା ଶ୍ରୀଭଗବାନ ଏଠାରେ କରିଛନ୍ତି।

2.20

ନ ଜାୟତେ ମ୍ରିୟତେ ବା କଦାଚିନ୍,
ନାୟଂ(ମ୍) ଭୂତ୍ୱା ଭବିତା ବା ନ ଭୂୟଃ
ଅଜୋ ନିତ୍ୟଃ(ଶ୍) ଶାଶ୍ୱତୋଽୟଂ(ମ୍) ପୁରାଣୋ,
ନ ହନ୍ୟତେ ହନ୍ୟମାନେ ଶରୀରେ॥20॥

ଏହି ଆତ୍ମା କୌଣସି କାଳରେ ବି ଜନ୍ମ ହୁଏ ନାହିଁ, କି ମରେ ନାହିଁ, ତଥା ଏହା ଉତ୍ପନ୍ନ ହେବା ପରେ ଯେ ହୁଏ, ସେପରି ନୁହେଁ; କାରଣ ଏହା ହେଉଛି ଅଜନ୍ମା, ନିତ୍ୟ, ସନାତନ ଏବଂ ପୁରାତନ । ଶରୀରକୁ ବଧ କରିଦେଲେ ମଧ୍ୟ ଏହା ନିହତ ହୁଏ ନାହିଁ।

ବିବେଚନ- କୌଣସି କାଳରେ ଏହି ଆତ୍ମାର ଜନ୍ମ କିମ୍ବା ମୃତ୍ୟୁ ନାହିଁ। ଏହାର ପୁନଃର୍ଜନ୍ମ ମଧ୍ଯ ନାହିଁ। କାରଣ ଏହା ଅଜନ୍ମା, ନିତ୍ୟ, ସନାତନ ଏବଂ ପୁରାତନ । ଶରୀରର ମୃତ୍ୟୁ ହେଲେ ମଧ୍ୟ ଏହା ମରେ ନାହିଁ । ଶ୍ରୀଭଗବାନ କହୁଛନ୍ତି,” ହେ ଅର୍ଜୁନ ! ଏହି ଆତ୍ମାର ଜନ୍ମ କେବେ ମଧ୍ୟ ପ୍ରଥମ ଥର ପାଇଁ ହୋଇନାହିଁ ।
ଯାହାର ସମୟ ଏତେ ପୁରୁଣା ଯେ ଗଣି ହୁଏ ନାହିଁ ବା ଗଣିବା କଷ୍ଟସାଧ୍ଯ, ତାହାକୁ ପୁରାତନ କୁହାଯାଏ। ପୁରାତନ ବସ୍ତୁର ମଧ୍ଯ କେବେ ନା କେବେ ଜନ୍ମ ହୋଇଥାଏ, ପରନ୍ତୁ ଆତ୍ମାର ଜନ୍ମ କେବେ ମଧ୍ୟ ହୋଇ ନାହିଁ। ତେଣୁ ଆତ୍ମାକୁ ସନାତନ ମଧ୍ୟ କୁହାଯାଏ। ସନାତନ ଅର୍ଥ ଯାହା ସର୍ବଦା ଅଛି, ସର୍ବକାଳୀନ ସତ୍ୟ ଓ ଅଜନ୍ମା। 
ଆମେ ଚିନ୍ତା କରୁ ଯେ,ଶ୍ରୀଭଗବାନ ପ୍ରାରମ୍ଭରେ ଦୁନିଆ କିପରି ସୃଷ୍ଟି କରିଥିବେ ? ପ୍ରଥମେ ଆତ୍ମା କିପରି ଆସିଥିବ, ଆତ୍ମାର ଜନ୍ମ କିଭଳି ହୋଇଥିବ ଇତ୍ୟାଦି । ପ୍ରଥମେ କୁକୁଡ଼ା ଆସିଛି ନା ଅଣ୍ଡା ଆସିଛି ? ଏହିଭଳି ଅନେକ ବିଚାର ଆମେ କରିଥାଉ । ଶ୍ରୀଭଗବାନ କୁହନ୍ତି କି ତୁମର ଏପରି ସମସ୍ତ ବିଚାର ଅପୂର୍ଣ୍ଣ ବୁଦ୍ଧି ଯୁକ୍ତ । ଏହି ଜୀବାତ୍ମା ତ ସର୍ବଦା ଉପସ୍ଥିତ । ଶ୍ରୀ ଭଗବାନ କେବେ ପ୍ରଥମ ଥର ପାଇଁ ଭାବି ଥିବେ ଓ ଜୀବାତ୍ମା ସୃଷ୍ଟି କରି ଦେଇଥିବେ - କିନ୍ତୁ ଏଭଳି କିଛି ହୋଇ ନାହିଁ ।
ଆମେ ସମସ୍ତେ କାଳର ଅଧୀନ ପରନ୍ତୁ ଶ୍ରୀଭଗବାନ ତ କାଳାତୀତ ବା ଚିରନ୍ତନ ଅଟନ୍ତି ଏବଂ କାଳାତୀତର ଆରମ୍ଭ ବା ଅନ୍ତିମ ଅବସ୍ଥା କେବେ ଆସି ହିଁ ନାହିଁ ।
ଶ୍ରୀଭଗବାନ କହିଛନ୍ତି ଏହି ଆତ୍ମାକୁ କୌଣସି ପ୍ରକାରରେ ମାରି ପାରିବା ନାହିଁ । ଏହା ଶାଶ୍ୱତ ଅଟେ ।

2.21

ବେଦାବିନାଶିନଂ(ନ୍) ନିତ୍ୟଂ(ୟ୍ଁ), ୟ ଏନମଜମବ୍ୟୟମ୍।
କଥଂ(ମ୍) ସ ପୁରୁଷଃ(ଫ୍) ପାର୍ଥ, କଂ(ଙ୍) ଘାତୟତି ହନ୍ତି କମ୍॥2.21॥

ହେ ପୃଥାପୁତ୍ର ଅର୍ଜୁନ ! ଯେଉଁ ପୁରୁଷ ଏହି ଆତ୍ମା କୁ ନାଶରହିତ, ନିତ୍ୟ, ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ସେହି ପୁରୁଷ କିପରି ବଧ କରିବେ ବା ବଧ କରାଇବେ?

ବିବେଚନ- ହେ ଅର୍ଜୁନ ! ଯେଉଁ ମନୁଷ୍ୟ ଏହି ଶରୀର କୁ ବା ଆତ୍ମାକୁ ଅବିନାଶୀ, ନିତ୍ୟ, ଜନ୍ମରହିତ ଏବଂ ଅବ୍ୟୟ ଜାଣେ, ସେହି ମନୁଷ୍ୟ କାହାକୁ କେବେ ମାରି ପାରିବ ନା କାହାର ମୃତ୍ୟୁର କାରଣ ହୋଇ ପାରିବ ? ଏହି ସତ୍ୟ ସହିତ ଯିଏ ଭଲ ଭାବରେ ପରିଚିତ ହୋଇଯିବ ସେ ନା କାହାକୁ ମାରି ପାରିବ ନା ତାକୁ କିଏ ମାରି ପାରିବେ ।


2.22

ବାସାଂସି ଜୀର୍ଣାନି ୟଥା ବିହାୟ,
ନବାନି ଗୃହ୍ଣାତି ନରୋଽପରାଣି
ତଥା ଶରୀରାଣି ବିହାୟ ଜୀର୍ଣା-
ନ୍ୟନ୍ୟାନି ସଂୟାତି ନବାନି ଦେହୀ॥22॥

ମନୁଷ୍ୟ ଯେପରି ପୁରୁଣା ବସ୍ତ୍ରମାନ ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀର ତ୍ୟାଗ କରି ଅନ୍ୟ ନୂତନ ଶରୀର ମାନ ପ୍ରାପ୍ତ ହୋଇଥାଏ ।

ବିବେଚନ- ମନୁଷ୍ୟ ଯେଭଳି ପୁରୁଣା ବସ୍ତ୍ରକୁ ତ୍ୟାଗ କରି ନୂଆ ବସ୍ତ୍ରକୁ ଗ୍ରହଣ କରିଥାଏ ଆତ୍ମା ମଧ୍ୟ ସେହିପରି ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଗ୍ରହଣ କରିଥାଏ । ଆମେ ନୂଆ ବସ୍ତ୍ର କିଣି ବ୍ୟବହାର କରୁ । ସମୟ ଆସେ ସେହି ବସ୍ତ୍ର କେଉଁଠି ଫାଟି ଯାଏ ବା ବୋତାମ ଛିଡ଼ିଯାଏ । ଏଭଳି ବସ୍ତ୍ରକୁ ଆମେ ମରାମତି କରି ଚଳେଇ ଦେଇଥାଉ । କିନ୍ତୁ ଗୋଟିଏ ସମୟ ଆସେ ଯେତେବେଳେ ଆମେ ଚିନ୍ତା କରୁ ଯେ ଏହି ବସ୍ତ୍ର ଉପରେ ଆଉ ଅଧିକ ଖର୍ଚ୍ଚ କରିବା ବ୍ଯର୍ଥ । ଏହା ଏବେ ପରିଧାନ ପାଇଁ ଅନୁପଯୁକ୍ତ। ଏହାକୁ ଏବେ ତ୍ଯାଗ କରିଦେବା ଉଚିତ।  
ଏହି ପ୍ରକାରରେ ଆମ ଶରୀରରେ ଥିବା ଦାନ୍ତର ସମସ୍ୟା ଆସିଲେ ଦାନ୍ତ ଚିକିତ୍ସକ ପାଖକୁ ଯାଉ, ହୃଦୟ ବେମାରୀ ବାହାରିଲେ ହୃଦରୋଗ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରେଇ ନେଉ । ସେହିପରି ହାଡ଼ ଭାଙ୍ଗିଗଲେ ହାଡ଼ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଉ।ଏହି ଶରୀରକୁ ମଧ୍ୟ ବସ୍ତ୍ର ଭଳି ମରାମତି କରାଇ କାମ ଉପଯୋଗୀ କରାଉ । କିନ୍ତୁ ଗୋଟିଏ ସମୟ ଆସେ ଯେତେବେଳେ ଆତ୍ମା ଅନୁଭବ କରେ ଯେ,ଉକ୍ତ ଅନୁପଯୁକ୍ତ ଶରୀରକୁ ତ୍ୟାଗ କରି ତାକୁ ନୂତନ ଶରୀର ଧାରଣ କରିବାର ସମୟ ଆସି ଗଲାଣି ।
ଏଣୁ ସରଳ ଭାଷାରେ ମୃତ୍ୟୁ ହେଉଛି କେବଳ ତିନୋଟି ଜିନିଷର ପରିବର୍ତ୍ତନ (Death is the change of name, dress and address) -
  • ନାମ
  • ବସ୍ତ୍ର (ବା ଚେହେରା)
  • ଠିକଣା
ବାସ୍ତବରେ ମୃତ୍ୟୁ ଦ୍ୱାରା କେହି ବଦଳି ଯାଆନ୍ତିନି। କେବଳ ତା’ର ସ୍ଥିତିରେ ପରିବର୍ତ୍ତନ ଆସିଥାଏ। ଏହି ଜୀବତ୍ମା କେବେ ଵି ମରେ ନାହିଁ, ଏହା ଶାଶ୍ୱତ। ଏହି କଥାକୁ ଯିଏ ବୁଝି ଯାଇଛି ସେ କଣ ପାଇଁ ଦୁଃଖ କରିବ ?  
ମହାରାଜ ଯୁଧିଷ୍ଠିରଙ୍କୁ ଯକ୍ଷ ଏକଶହ ପ୍ରଶ୍ନ ପଚାରିଲେ । ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯେ ସଂସାରରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଣ ?  
ଯୁଧିଷ୍ଠିର ମହାରାଜ ଉତ୍ତର ରଖିଲେ ଯେ ସଂସାରରେ ନିତ୍ୟ ଅନେକ ଲୋକ ଜନ୍ମ ହେଉଛନ୍ତି ଓ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ମୃତ ଶରୀର ଦେଖି ଲୋକ ଏଭଳି ଚିତ୍କାର କରି କ୍ରନ୍ଦନ କରନ୍ତି ଯେଭଳି ଏହି ଲୋକ ତ ମରିଗଲା, ଆଉ ମୁଁ ଯେମିତି କେବେ ମରିବିନି । ଏହା ହିଁ ସଂସାରର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ।
ସଂସାରର ପ୍ରତ୍ୟେକ ବ୍ୟକ୍ତି ଏଭଳି ଜୀବନ ଯାପନ କରେ, ଯେମିତି ସେ ହେଉଛି ଅମର । ଯଦି ଦିନେ ସମସ୍ତଙ୍କର ମୃତ୍ୟୁ ଅବଶ୍ୟମ୍ଭାବୀ ତାହାହେଲେ କିଛି ଦିନ ଆଗରୁ ବା କିଛି ଦିନ ପରେ ମୃତ୍ୟୁ ଆସେ, ତେବେ ସେଥିରେ କ’ଣ ପାର୍ଥକ୍ଯ ଅଛି। ଯିଏ ଏହି ସିଦ୍ଧାନ୍ତକୁ ମାନି ନେଇଛନ୍ତି,ତାଙ୍କୁ ମୃତ୍ୟୁ ଭୟଭୀତ କରାଇ ପାରେ ନାହିଁ । ଏହି ଶାଶ୍ୱତ ସତ୍ୟରୁ କିଏ ବା ବିମୁଖ ହୋଇ ପାରିବ ! ମହାତ୍ମା ବୁଦ୍ଧଙ୍କ କଥାରେ ବର୍ଣ୍ଣିତ ଅଛି ଯେ ଏମିତି କେଉଁ ଘର ନାହିଁ ଯାହା ଘରେ ମୃତ୍ୟୁ ତାର ତାଣ୍ଡବ ରଚନା କରି ନାହିଁ ।
ଏହା ହିଁ ସଂସାରର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ।

2.23

ନୈନଂ(ଞ୍) ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ(ନ୍) ଦହତି ପାବକଃ
ନ ଚୈନଂ(ଙ୍) କ୍ଲେଦୟନ୍ତ୍ୟାପୋ, ନ ଶୋଷୟତି ମାରୁତଃ॥23॥

ଏହି ଆତ୍ମା କୁ କୌଣସି ଶସ୍ତ୍ର ବି କାଟି ପାରେ ନାହିଁ; ଅଗ୍ନି ଏହାକୁ ଜଳାଇ ପାରେ ନାହିଁ; ଜଳ ଏହାକୁ ଭିଜାଇ ପାରେ ନାହିଁ ଏବଂ ବାୟୁ ଏହାକୁ ଶୁଖାଇ ପାରେ ନାହିଁ ।

ବିବେଚନ- ଅର୍ଜୁନ, ଏହି ଜୀବାତ୍ମାକୁ ଅସ୍ତ୍ର ଦ୍ୱାରା କାଟି ହେବ ନାହିଁ, ଅଗ୍ନି ଏହାକୁ ପୋଡ଼ି ପାରିବ ନାହିଁ, ଜଳ ଏହାକୁ ବୁଡ଼ାଇ ପାରିବ ନାହିଁ ଏବଂ ବାୟୁ ଏହାକୁ ଶୁଖେଇ ପାରିବ ନାହିଁ।
ପାଞ୍ଚଟି ଉପାଦାନ ବା ପଞ୍ଚତତ୍ତ୍ୱ ଏହି

ଜୀବାତ୍ମାକୁ ପ୍ରଭାବିତ କରିପାରିବେ ନାହିଁ।

ଯାହାକିଛି ଘଟୁଛି ତାହା ଶରୀର ସହିତ ଘଟୁଛି। ଶରୀରକୁ ଅସ୍ତ୍ର ଦ୍ୱାରା କାଟି ହେବ, ଅଗ୍ନି ଏହାକୁ ପୋଡ଼ି ପାରିବ, ଜଳ ଏହାକୁ ତରଳେଇ ପାରିବ ଏବଂ ବାୟୁ ଏହାକୁ ଶୁଖେଇ ପାରିବ।

ଆମେ ପ୍ରଶ୍ନ କରିପାରିବା ଯେ ଏଥିରେ ଚାରୋଟି ତତ୍ତ୍ୱ ବା ଉପାଦାନ ବର୍ଣ୍ଣନା କରାଯାଇଛି। ପଞ୍ଚମ ତତ୍ତ୍ୱ, ଯାହା କି ଆକାଶ, ଏଥିରେ ଏହା ବର୍ଣ୍ଣନା କରାଯାଇ ନାହିଁ।
ଚାରୋଟି ତତ୍ତ୍ୱ କ୍ରିୟାତ୍ମକ ବା ଗତିଶୀଳ କିନ୍ତୁ ଆକାଶ ଅକ୍ରିୟାତ୍ମକ ବା ନିଷ୍କ୍ରିୟ ଅଟେ। ତେଣୁ ଶ୍ରୀଭଗବାନ ଏହାକୁ ବର୍ଣ୍ଣନା କରି ନାହାଁନ୍ତି।

2.24

ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମ୍, ଅକ୍ଲେଦ୍ୟୋଽଶୋଷ୍ୟ ଏବ ଚ
ନିତ୍ୟଃ(ସ୍) ସର୍ବଗତଃ(ସ୍) ସ୍ଥାଣୁଃ(ର୍), ଅଚଲୋଽୟଂ(ମ୍) ସନାତନଃ॥24॥

କାରଣ ଏହି ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ନିଃସନ୍ଦେହ ଅଶୋଷ୍ୟ, ତଥା ଏହା ହେଉଛି ନିତ୍ୟ, ସର୍ବଗତ, ସ୍ଥିର, ଅଚଳ ଓ ସନାତନ ।

ବିବେଚନ- ଏହି ଆତ୍ମା ଅବିନାଶୀ, ଅଛେଦ୍ଯ, ଅଶୋଷ୍ଯ ଏବଂ ଅଦାହ୍ଯ କାରଣ ଏହି ଆତ୍ମା ଅନନ୍ତ, ସର୍ବବ୍ୟାପୀ, ଅଚଳ ଏବଂ ଶାଶ୍ୱତ ଅଟେ।
ସାଧାରଣତଃ ଆମେ ଭାବୁ ଯେ ମୃତ୍ୟୁ ପରେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀରରେ ପ୍ରବେଶ କରେ, କିନ୍ତୁ ଶ୍ରୀ ଭଗବାନ କହିଛନ୍ତି ଯେ -
ସର୍ବଗତଃ ସ୍ଥାଣୁ- ଅର୍ଥାତ୍ ଆତ୍ମା ସର୍ବତ୍ର ଅଛି। ଏହା ଅଚଳ, ଏହା କୌଣସି ସ୍ଥାନକୁ ଯାଏ ନାହିଁ କିମ୍ବା ଆସେ ନାହିଁ। ଏହା ସର୍ବବ୍ୟାପୀ।
ଏବେ ପ୍ରଶ୍ନ ଉଠେ ଯେ ଯଦି ଏହା କୌଣସି ସ୍ଥାନକୁ ଯାଏ ନାହିଁ କିମ୍ବା ଆସେ ନାହିଁ ତେବେ ଏହା ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ କିପରି ଯାଏ?
ଯେପରି ଆମର ଫୋନରେ ଏକ ସିମ୍ କାର୍ଡ ଅଛି ଏବଂ ସିଗ୍ନାଲଗୁଡ଼ିକ ଟାୱାରରୁ ଆସୁଛି। ଫୋନ ଯେଉଁଠାରେ ଥିଲେ ମଧ୍ୟ, ତାହା ସେହି ସିଗ୍ନାଲ ସହିତ ସଂଯୁକ୍ତ ରହିଥାଏ। ସେହି ସିଗ୍ନାଲ ସର୍ବବ୍ୟାପୀ, ସିମ୍ କାର୍ଡ ସେଥିରେ ସଂଯୁକ୍ତ।
ସମସ୍ତ ଟେଲିଭିଜନ ଚ୍ୟାନେଲ ସାଟେଲାଇଟ୍ ରୁ ଆସିଥାଏ। ଆମେ ଯେଉଁ ଟେଲିଭିଜନକୁ ତାର ସହିତ ସଂଯୋଗ କରୁ, ଚ୍ୟାନେଲଗୁଡ଼ିକ ଏଥିରେ ଆସିବା ଆରମ୍ଭ କରିବ। ଯେକୌଣସି ସ୍ଥାନରେ ଟେଲିଭିଜନ ରଖାଯାଇ ଥାଇପାରେ କିନ୍ତୁ ସିଗ୍ନାଲକୁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ।

ଆତ୍ମା ଉପାଦାନ ବା ତତ୍ତ୍ୱ ଏକ ପଦାର୍ଥ ନୁହେଁ, ଏହା ଏକ ଶକ୍ତି
ଯେପରି ଏକ ଘରକୁ ଆସିଥିବା ବିଦ୍ୟୁତ, ପାୱାର ହାଉସ୍ ରୁ ବିଭିନ୍ନ ସହରର ପାୱାର ଗ୍ରୀଡ୍, ତା’ପରେ ଆମ ଅଞ୍ଚଳର ଟ୍ରାନ୍ସଫର୍ମର ଏବଂ ତା’ପରେ ଆମ ଘରର ମିଟରକୁ ଆସେ। ତା’ପରେ ଏହା ଆମ ଘରର ପ୍ରତ୍ୟେକ ସୁଇଚ୍ କୁ ଆସେ ଯାହା ଯୋଗୁଁ ଆମ ଘରର ସମସ୍ତ ବିଦ୍ୟୁତ୍‌ ଉପକରଣ କାମ କରିପାରେ, କିନ୍ତୁ ପ୍ରତ୍ୟେକ ସୁଇଚ୍‌ର ବିଦ୍ୟୁତ୍ ଭିନ୍ନ କି? ଏହା ସମାନ। ଆମ ଘର ଏବଂ ଆମ ପଡ଼ୋଶୀର ବିଦ୍ୟୁତ୍ ମଧ୍ୟ ସମାନ। ଆମ ସହର ଏବଂ ନିକଟବର୍ତ୍ତୀ ସହରର ବିଦ୍ୟୁତ୍ ମଧ୍ୟ ସମାନ। ବିଦ୍ୟୁତ୍ ସମାନ ହେଲେ ମଧ୍ୟ, ଆମ ଘରର ବିଲ୍ ଭିନ୍ନ ଏବଂ ପଡ଼ୋଶୀର ବିଲ୍ ଭିନ୍ନ। ସେହିପରି, ଆତ୍ମତତ୍ତ୍ୱ ଭିନ୍ନ ନୁହେଁ, ଏହାର କର୍ମଫଳ ଭିନ୍ନ। ଆମର କର୍ମଫଳ ଭିନ୍ନ ଏବଂ କର୍ମଫଳ ଅନୁସାରେ, ଆମେ ବିଭିନ୍ନ ଯୋନି ବା ପ୍ରଜାତିରେ ଜନ୍ମ ପାଇଥାଉ।

2.25

ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମ୍, ଅବିକାର୍ୟୋଽୟମୁଚ୍ୟତେ।
ତସ୍ମାଦେବଂ(ୱ୍ଁ) ବିଦିତ୍ୱୈନଂ(ନ୍), ନାନୁଶୋଚିତୁମର୍ହସି॥2.25॥

ଏହି ଆତ୍ମା ଅବ୍ୟକ୍ତ; ଏହା ଅଚିନ୍ତ୍ୟ ଏବଂ ଏହାକୁ ବିକାରରହିତ କୁହାଯାଏ । ଏଣୁ ହେ ଅର୍ଜୁନ ! ଏହି ଆତ୍ମା ଏପରି ବୋଲି ଜାଣି ତୁମେ ଶୋକ କରିବା ଉଚିତ୍ ନୁହେଁ ।

ବିବେଚନ- ଅର୍ଜୁନ, ଏହି ଆତ୍ମା ଅପ୍ରକାଶିତ, ଅଚିନ୍ତନୀୟ। ଏହାକୁ ଅପରିବର୍ତ୍ତନୀୟ କୁହାଯାଏ। ଏହାକୁ ଏକ ଶରୀର ବୋଲି ଜାଣି ଦୁଃଖ କରିବା ଉଚିତ୍ ନୁହେଁ। ବିଦ୍ୟୁତ୍‌ରେ ଇଲେକ୍ଟ୍ରନ୍ ଅଛି, ସେଗୁଡ଼ିକ ବିଷୟରେ ଚିନ୍ତା କରାଯାଇପାରିବ। ସେମାନେ ଶକ୍ତି ରୂପରେ ଦେଖାଯାଆନ୍ତି, କିନ୍ତୁ ଆତ୍ମତତ୍ତ୍ୱ ତା'ଠାରୁ ଆହୁରି ସୂକ୍ଷ୍ମ ଏବଂ ଏହା ଅପ୍ରକାଶିତ। ବିଦ୍ୟୁତ୍ ଅନୁଭବ କରାଯାଇପାରିବ। ଯଦି ଏହାର ତାରକୁ ହାତରେ ଧରାଯାଏ, ତେବେ ବିଦ୍ୟୁତ୍ ସ୍ରୋତକୁ ଅନୁଭବ କରାଯାଇପାରିବ।

କିନ୍ତୁ ଆତ୍ମାକୁ ଚିହ୍ନଟ କରିବା ପାଇଁ ଆମ ପାଖରେ କୌଣସି ଯନ୍ତ୍ର ବା ଉପକରଣ ନାହିଁ। ଆତ୍ମା ଅଚିନ୍ତ୍ୟ ଏବଂ ଅବ୍ୟକ୍ତ। ଆମେ ଏହା ବିଷୟରେ ଚିନ୍ତା ମଧ୍ୟ କରିପାରିବା ନାହିଁ। 

ଆମେ କେବଳ ସେହି ଜିନିଷ ବିଷୟରେ ଭାବିପାରିବା ଯାହା ବିଷୟରେ ଆମେ ଶୁଣିଛୁ। ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିନାହୁଁ ତାହା ବିଷୟରେ ଆମେ ଜାଣିପାରିବା ନାହିଁ।

ଯଦି ଆମେ ମିଶ୍ରୀର ନାମ ନେବା, ତେବେ ଚିନିର କଣିକା ଆମ ସ୍ମୃତିକୁ ଆସିବ, କାରଣ ଆମେ ଏହାକୁ ଦେଖିଛୁ, କିନ୍ତୁ ଯଦି ଆମେ କହିବା, 'କିଶ୍ରୀ', ତେବେ ଆମେ କିଛି ବୁଝିପାରିବା ନାହିଁ କାରଣ ଆମେ ଏପରି କିଛି ଦେଖିନାହୁଁ। ଆମେ ଏପରି କିଛି ବିଷୟରେ କିପରି ଭାବିପାରିବା ଯାହା ବିଷୟରେ ଆମେ ଶୁଣିନାହୁଁ? ସେହିପରି, ଆମେ ଆତ୍ମା ବିଷୟରେ ବୁଝିପାରିବା ନାହିଁ କିମ୍ବା ଚିନ୍ତା କରିପାରିବା ନାହିଁ।

ଏହା ବିକାର ରହିତ ବା ତ୍ରୁଟିହୀନ। ଏହାର ରୂପ କେବେ ପରିବର୍ତ୍ତନ ହୁଏ ନାହିଁ। ଏଥିରେ କୌଣସି ପରିବର୍ତ୍ତନ ଆସେ ନାହିଁ।

ଯେପରି ଦହି କ୍ଷୀରର ଏକ ବିକାର ଅବସ୍ଥା ବା ତ୍ରୁଟି। କ୍ଷୀର ହେଉଛି ମୂଳ ଏବଂ ଦହି ହେଉଛି ଏହାର ବିକୃତି। ପ୍ରକୃତିରୁ ବିକୃତି। 

ଯାହାର ପରିବର୍ତ୍ତନ ଅଛି ତାହା ବିକାରଶୀଳ ଏବଂ ଯାହା ପରିବର୍ତ୍ତନ ହୋଇପାରିବ ନାହିଁ ତାହା ବିକାରଶୂନ୍ୟ।

2.26

ଅଥ ଚୈନଂ(ନ୍) ନିତ୍ୟଜାତଂ(ନ୍), ନିତ୍ୟଂ(ୱ୍ଁ) ବା ମନ୍ୟସେ ମୃତମ୍।
ତଥାପି ତ୍ୱଂ(ମ୍) ମହାବାହୋ, ନୈବଂ(ମ୍) ଶୋଚିତୁମର୍ହସି॥2.26॥

ପକ୍ଷାନ୍ତରେ, ଯଦି ତୁମେ ଏହି ଆତ୍ମା କୁ ନିତ୍ୟ ଜନ୍ମ ହେଉଛି ଏବଂ ନିତ୍ୟ ମରୁଛି ବୋଲି ସ୍ୱୀକାର କରୁଥାଅ, ତଥାପି ହେ ମହାବାହୁ ! ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।

ବିବେଚନ-  ଶ୍ରୀ ଭଗବାନ କହିଲେ, ଅର୍ଜୁନ, ଯଦି ତୁମେ ଏହା ଗ୍ରହଣ କର ଯେ ଆତ୍ମା ସର୍ବଦା ଜନ୍ମ ନିଏ ଏବଂ ସର୍ବଦା ମରେ, ତେବେ ମଧ୍ୟ ତୁମେ ଦୁଃଖ କରିବା ଉଚିତ୍ ନୁହେଁ।

2.27

ଜାତସ୍ୟ ହି ଧ୍ରୁବୋ ମୃତ୍ୟୁଃ(ର୍), ଧ୍ରୁବଂ(ଞ୍) ଜନ୍ମ ମୃତସ୍ୟ ଚ
ତସ୍ମାଦପରିହାର୍ୟେଽର୍ଥେ, ନ ତ୍ୱଂ(ମ୍) ଶୋଚିତୁମର୍ହସି॥27॥

କାରଣ ଏହି ମାନ୍ୟତା ଅନୁସାରେ ଜନ୍ମ ହୋଇଥିବା ଲୋକର ମୃତ୍ୟୁ ନିଶ୍ଚିତ ଏବଂ ମରିଥିବା ଲୋକର ଜନ୍ମ ନିଶ୍ଚିତ । ଏହି ହେତୁ ମଧ୍ୟ ଯାହା ଅନିବାର୍ଯ୍ୟ, ସେହି ବିଷୟରେ ତୁମେ ଶୋକ କରିବା ଉଚିତ୍ ନୁହେଁ ।

ବିବେଚନ- କାରଣ ଏହି ବିଶ୍ୱାସ ଅନୁସାରେ, ଯିଏ ଜନ୍ମ ହୋଇଛି, ତାଙ୍କର ମୃତ୍ୟୁ ନିଶ୍ଚିତ।

आया है, सो जाएगा 
राजा, रङ्क, फ़क़ीर।
ଯିଏ ଆସିଛନ୍ତି,ସେ ଯିବେ-ରାଜା, ଗରିବ, ଭିକାରୀ ଯାହା ବି ହୋଇଥାନ୍ତୁ।

ଯିଏ ଜନ୍ମ ହୋଇଛି, ତାଙ୍କର ମୃତ୍ୟୁ ନିଶ୍ଚିତ ଏବଂ ଯିଏ ମରିଛି, ତାଙ୍କର ଜନ୍ମ ମଧ୍ୟ ନିଶ୍ଚିତ, ତଥାପି ଏହା ଉପରେ ଆପଣଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଯେତେବେଳେ କୌଣସି ସମାଧାନ ନାହିଁ ତେବେ ଶୋକ କରିବା କାହିଁକି?
ଜଣେ ପ୍ରସିଦ୍ଧ ଇଂରାଜୀ ଲେଖକ, ଷ୍ଟିଭେନ କୋଭ ଅଛନ୍ତି। ସେ ଏକ ପୁସ୍ତକ ଲେଖିଛନ୍ତି - (Seven habits of highly effective people.) -ଅତ୍ୟନ୍ତ ପ୍ରଭାବଶାଳୀ ଲୋକଙ୍କ ସାତଟି ଅଭ୍ୟାସ।

ଏହା ଅନେକ ଭାଷାରେ ଅନୁବାଦିତ ହୋଇଛି। ଏହା ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ମଧ୍ୟରୁ ଗୋଟିଏ। ଏହା ଏକ ଚମତ୍କାର ପୁସ୍ତକ। ସମସ୍ତଙ୍କୁ ଏହା ପଢିବା ଉଚିତ। ଏଥିରେ, ଲେଖକ କହିଛନ୍ତି ଯେ ଦୁଇ ପ୍ରକାରର ବୃତ୍ତ ଅଛି। ଗୋଟିଏ ହେଉଛି ଆମର ପ୍ରଭାବର ବୃତ୍ତ, ଅନ୍ୟଟି ହେଉଛି ଆମର ପ୍ରଭାବର ବାହାରେ ବୃତ୍ତ।

ଚିନ୍ତାର ଦୁଇଟି ବୃତ୍ତ ମଧ୍ୟ ଅଛି। ଗୋଟିଏ ଯାହା ବିଷୟରେ ଆମେ କିଛି କରିପାରିବା, ଅନ୍ୟଟି ଯାହା ବିଷୟରେ ଆମେ କିଛି କରିପାରିବା ନାହିଁ। ଲେଖକ କହିଛନ୍ତି ଯେ ଆମେ ଯାହା ବିଷୟରେ କିଛି କରିପାରିବା ତାହା ବିଷୟରେ ଚିନ୍ତା କରିବା ଉଚିତ, କିନ୍ତୁ ଯାହା ବିଷୟରେ ଆମେ କିଛି କରିପାରିବା ନାହିଁ ତାହା ବିଷୟରେ ଚିନ୍ତା କରିବା ବୃଥା। କିଛି ଲୋକ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ଅନେକ କଥା ଚିନ୍ତା କରନ୍ତି - ସେମାନେ ଅନ୍ୟମାନଙ୍କ ଘର, ସେମାନଙ୍କ ସ୍ୱଭାବ ବିଷୟରେ ଚିନ୍ତା କରନ୍ତି ଏବଂ ତାପରେ ସମସ୍ତଙ୍କୁ କୁହନ୍ତି। ଯଦି କେହି କହେ ଯେ ତୁମର ତାଙ୍କ ବିଷୟ ସହିତ କ'ଣ କରିବାର ଅଛି, ତୁମେ କାହିଁକି ଚିନ୍ତା କରୁଛ? ସେ ଉତ୍ତରରେ କୁହନ୍ତି ଯେ,” ଏହା ଚିନ୍ତିତ ହେବାର ବିଷୟ। ସେ ଏହା କିପରି କହିପାରିବେ,” କିନ୍ତୁ ଏହି ବ୍ୟକ୍ତି ବୁଝିପାରନ୍ତି ନାହିଁ। ସେ ଅନୁଭବ କରନ୍ତି ଯେ ଏସବୁ ବିଷୟରେ ଚିନ୍ତା କରିବା ତାଙ୍କର ଯେମିତି ଦାୟିତ୍ୱ। ତାଙ୍କୁ ହିଁ ସମ୍ପୂର୍ଣ୍ଣ ଭାର ବହନ କରିବାକୁ ପଡିବ। ଏପରି ବ୍ୟକ୍ତି ସମସ୍ତଙ୍କ ବିଷୟରେ ଚିନ୍ତିତ ହୁଅନ୍ତି, ଯଦିଓ ଏ ସବୁ କିଛି ତାଙ୍କ ନିୟନ୍ତ୍ରଣରେ ରହି ନ’ଥାଏ।

ଷ୍ଟିଭେନ୍ କୋଭ କହିଛନ୍ତି ଯେ ଯଦି ତୁମ ମନରେ କୌଣସି ବିଷୟ ଆସେ ତେବେ ପ୍ରଥମେ ଭାବିବା ଉଚିତ୍‌ ଯେ ଏହି ବିଷୟ ତୁମର ପ୍ରଭାବ ପରିସର ମଧ୍ୟରେ ଅଛି କି ନାହିଁ। ଯଦି ତୁମେ ଏହି ବିଷୟରେ କିଛି କରିପାରିବ ତେବେ ତୁମେ ନିଶ୍ଚିତ ଭାବରେ ଏହା ବିଷୟରେ ଚିନ୍ତା କରିବା ଉଚିତ, କିନ୍ତୁ ଯଦି ତୁମେ ଏହା ବିଷୟରେ କିଛି କରିପାରିବ ନାହିଁ ତେବେ ତୁମେ ଏହାକୁ ଛାଡି ଦେବା ଉଚିତ। ॐ इग्नोराय नमः।

ସମଗ୍ର ବିଶ୍ୱର ଚିନ୍ତାକୁ ନିଜ ମୁଣ୍ଡ ଉପରେ ରଖିବାର କୌଣସି ଆବଶ୍ୟକତା ନାହିଁ। ଶ୍ରୀ ଭଗବାନ ଆମକୁ ଏପରି କୌଣସି ଦାୟିତ୍ୱ ଦେଇନାହାଁନ୍ତି। ଆମର କ୍ଷମତା ବାହାରେ ଥିବା ଜିନିଷ ବିଷୟରେ ଚିନ୍ତା ନ’କରିବା ଉଚିତ୍‌। 

ଶ୍ରୀ ଭଗବାନ ମଧ୍ୟ ଅର୍ଜୁନଙ୍କୁ ସମାନ କଥା କହିଥିଲେ,” ଅର୍ଜୁନ, ତୁମେ ଯେଉଁ ବିଷୟରେ ଚିନ୍ତା କରୁଛ ତାହା ତୁମ ହାତରେ ଅଛି କି? ତୁମର ଆତ୍ମୀୟ ମାନେ ଜୀବିତ ରହିବେ କି ମୃତ୍ୟୁ ବରଣ କରିବେ, ତାହା ତୁମ ହାତରେ ଅଛି କି? ଯାହା ଉପରେ ତୁମର କୌଣସି ନିୟନ୍ତ୍ରଣ ନାହିଁ ସେ ବିଷୟରେ ଚିନ୍ତା କରିବା ବୃଥା।”

2.28

ଅବ୍ୟକ୍ତାଦୀନି ଭୂତାନି, ବ୍ୟକ୍ତମଧ୍ୟାନି ଭାରତ
ଅବ୍ୟକ୍ତନିଧନାନ୍ୟେବ, ତତ୍ର କା ପରିଦେବନା॥28॥

ହେ ଅର୍ଜୁନ ! ସମସ୍ତ ପ୍ରାଣୀ ଜନ୍ମ ହେବା ପୂର୍ବରୁ ଅପ୍ରକଟ ହୋଇ ରହିଥାନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହୋଇଯାଆନ୍ତି । ସେମାନେ କେବଳ ଏହି ମଧ୍ୟବର୍ତ୍ତୀ କାଳରେ ହିଁ ପ୍ରକଟ ହୁଅନ୍ତି । ଏପରି ସ୍ଥିତିରେ ଶୋକ କରିବା କ'ଣ ?

ବିବେଚନ- ହେ ଅର୍ଜୁନ-ସମସ୍ତ ପ୍ରାଣୀ ଜନ୍ମ ପୂର୍ବରୁ ଅଦୃଶ୍ୟ ଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ଅଦୃଶ୍ୟ ହୋଇ ଯାଆନ୍ତି। ସେମାନେ କେବଳ କିଛି ସମୟ ପାଇଁ ଏହି ଶରୀର ରୂପରେ ଦୃଶ୍ୟମାନ ହୁଅନ୍ତି। ଆମେ ଏହା ମଧ୍ୟ କହିପାରିବା ଯେ ଆମର ମୂଳ ସ୍ୱଭାବ ଅଦୃଶ୍ୟ। ଆମେ କେବଳ କିଛି ସମୟ ପାଇଁ ଏହି ଶରୀର ସହିତ ଜଡିତ, ତେଣୁ ଆମେ କାହିଁକି ଏଥିପାଇଁ ଦୁଃଖ କରିବା? ଜନ୍ମ ପୂର୍ବରୁ ଆମେ ଅଦୃଶ୍ୟ ରହିବୁ ଏବଂ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହେଇଯିବୁ, ତେବେ ଏ ମଝିରେ ଷାଠିଏ ସତୁରି ବର୍ଷ ଜୀବନ ଅଛି, ଯାହା ବିଷୟରେ ଆମେ ଏତେ ଚିନ୍ତିତ ହେଉଛେ। ଏହି ଷାଠିଏ ସତୁରି ବର୍ଷର ଜୀବନ ଲକ୍ଷ ଲକ୍ଷ-କୋଟି ବର୍ଷ ମଧ୍ୟରେ କେବଳ ଏକମାତ୍ର ବିନ୍ଦୁ। ଆମେ ତାହାକୁ ବିଚାର କରୁଛୁ ଯାହାର ସବୁକିଛି ସହିତ ଏତେ ଗୁରୁତ୍ୱ ଅଛି। ହେ ଅର୍ଜୁନ! ଏହା ଏକ ନିରର୍ଥକ ବିଷୟ, ଆମେ କାହିଁକି ଏଥିପାଇଁ ଦୁଃଖ କରିବା?

2.29

ଆଶ୍ଚର୍ୟବତ୍ପଶ୍ୟତି କଶ୍ଚିଦେନମ୍,
ଆଶ୍ଚର୍ୟବଦ୍ୱଦତି ତଥୈବ ଚାନ୍ୟଃ।
ଆଶ୍ଚର୍ୟବଚ୍ଚୈନମନ୍ୟଃ(ଶ୍) ଶୃଣୋତି,
ଶୃତ୍ୱାପ୍ୟେନଂ(ୱ୍ଁ) ବେଦ ନ ଚୈବ କଶ୍ଚିତ୍॥2.29॥

କୌଣସି ଜଣେ ମହାପୁରୁଷ ହିଁ ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖନ୍ତି ଏବଂ ସେହିପରି ଅନ୍ୟ କେହି ମହାପୁରୁଷ ଏହାର ତତ୍ତ୍ୱକୁ ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରନ୍ତି ତଥା ଅନ୍ୟ କେହି ଅଧିକାରୀ ପୁରୁଷ ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣନ୍ତି ଏବଂ କେହି କେହି ଶୁଣି ମଧ୍ୟ ଏହାକୁ ଜାଣିପାରନ୍ତି ନାହିଁ ।

ବିବେଚନ- ଶ୍ରୀ ଭଗବାନ କହିଛନ୍ତି ଯେ ଅର୍ଜୁନ, ଏହି ଆତ୍ମତତ୍ତ୍ୱ ଏତେ ଗଭୀର ଯେ କିଛି ମହାପୁରୁଷ ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଦେଖନ୍ତି।
ସେହିପରି, ଅନ୍ୟ କେହି ବ୍ୟକ୍ତି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଚିନ୍ତା କରନ୍ତି।
ଅନ୍ୟ କେହି ବ୍ୟକ୍ତି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି ଏବଂ କିଛି ଏହାକୁ ଶୁଣିବା ପରେ ମଧ୍ୟ ବୁଝିପାରନ୍ତି ନାହିଁ।
ଲକ୍ଷ ଲକ୍ଷ ବର୍ଷ ଧରି, ଋଷିମାନେ ଉପନିଷଦ ରେ ଆଶ୍ଚର୍ଯ୍ୟ ସହିତ ପ୍ରଶ୍ନ ପଚାରୁଛନ୍ତି ଏବଂ ଗୁରୁମାନେ ସେଗୁଡ଼ିକର ସମାଧାନ କରି ଆସୁଛନ୍ତି। କେତେକ ଏହାକୁ ବୁଝୁଛନ୍ତି, ଅନ୍ୟ କେତେକ ଏହାକୁ ବୁଝିପାରୁ ନାହାନ୍ତି।
ଏହା ଏହିପରି ଚାଲି ଆସୁଛି କାରଣ ଏହି ଜିନିଷକୁ ହୃଦୟଙ୍ଗମ କରିବା ଆମ ବୁଦ୍ଧିମତ୍ତାର ବାହାରେ।

2.30

ଦେହୀ ନିତ୍ୟମବଧ୍ୟୋଽୟଂ(ନ୍), ଦେହେ ସର୍ବସ୍ୟ ଭାରତ
ତସ୍ମାତ୍ସର୍ବାଣି ଭୂତାନି, ନ ତ୍ୱଂ(ମ୍) ଶୋଚିତୁମର୍ହସି॥30॥

ହେ ଅର୍ଜୁନ ! ଏହି ଆତ୍ମା ସମସ୍ତଙ୍କ ଶରୀରରେ ସର୍ବଦା ଅବଧ୍ୟ । ତେଣୁ ସକଳ ପ୍ରାଣୀ ଙ୍କ ପାଇଁ ଅର୍ଥାତ୍ କୌଣସି ବି ପ୍ରାଣୀ ପାଇଁ ତୁମେ ଶୋକ କରିବା ଉଚିତ୍ ନୁହେଁ ।

ବିବେଚନ - ହେ ଅର୍ଜୁନ! ଏହି ଆତ୍ମା ସମସ୍ତ ଶରୀର ମଧ୍ୟରେ ଅବିନାଶୀ(ଅବଧ୍ୟ), ଅମର ଅଟେ, ସେଥିପାଇଁ ତୁମେ ସମ୍ପୂର୍ଣ୍ଣ ପ୍ରାଣୀଙ୍କ ପାଇଁ ଶୋକ କରିବା ଅନୁଚିତ ।

ଯେପରି କୁହନ୍ତି କି ଗାଈ ଅବଧ୍ୟ ବା ଗୋହତ୍ୟା ଉଚିତ୍‌ ନୁହେଁ। ବ୍ରାହ୍ମଣମାନେ ମଧ୍ୟ ଅବଧ୍ୟ, ଅର୍ଥାତ୍ ଏମାନଙ୍କୁ ମାରିବା ଉଚିତ ନୁହେଁ। ଏହା ଏକ ପ୍ରକାର ଅବଧ୍ୟ।

ଦ୍ୱିତୀୟ ପ୍ରକାର ଅବଧ୍ୟ ହେଉଛି ଯେ, ଯାହାକୁ ଆମେ ମାରି ପାରିବା ନାହିଁ, ଏହା ଆମର କ୍ଷମତା ଠାରୁ ଉର୍ଦ୍ଧ୍ୱରେ।

ଏଠାରେ ଅବଧ୍ୟର ଏହି ଦ୍ୱିତୀୟ ଅର୍ଥ ହେଉଛି, ଅର୍ଥାତ୍‍‍ ଏହାକୁ ହତ୍ୟା କରାଯାଇ ପାରିବ ନାହିଁ। କେହି ଏହି ଆତ୍ମାକୁ ‌ହତ୍ୟା କରିବା ପାଇଁ ପ୍ରୟାସ କରିଲେ ମଧ୍ୟ ହତ୍ୟା କରିପାରିବେ ନାହିଁ।

ଏଠାରେ ସାଙ୍ଖ୍ୟଯୋଗର ସମାପ୍ତି ହେଉଛି । ଏକତ୍ରିଶ (୩୧) ଶ୍ଳୋକ ଠାରୁ ସଡଚାଳିଶ (୪୭) ଶ୍ଳୋକ ପର୍ଯ୍ୟନ୍ତ ଶ୍ରୀ ଭଗବାନ କର୍ତ୍ତବ୍ୟ କର୍ମ ମାନଙ୍କର ପାଳନ ବିଷୟରେ କହିବେ।

2.31

ସ୍ୱଧର୍ମମପି ଚାବେକ୍ଷ୍ୟ , ନ ବିକମ୍ପିତୁମର୍ହସି
ଧର୍ମ୍ୟାଦ୍ଧି ୟୁଦ୍ଧାଚ୍ଛ୍ରେୟୋଽନ୍ୟତ୍, କ୍ଷତ୍ରିୟସ୍ୟ ନ ବିଦ୍ୟତେ॥31॥

ପୁଣି ନିଜର ଧର୍ମ ଦୃଷ୍ଟିରୁ ବି ତୁମେ ଭୟ କରିବା ଉଚିତ୍ ନୁହେଁ; କାରଣ କ୍ଷତ୍ରିୟ ନିମନ୍ତେ ଧର୍ମ ଯୁଦ୍ଧ ଠାରୁ ବଳି କଲ୍ୟାଣକର କର୍ତ୍ତବ୍ୟ ଆଉ କିଛି ନାହିଁ ।

ବିବେଚନ-ଅର୍ଜୁ‌ନ ତୁମେ ନିଜର‌ ଧର୍ମାନୁସାରେ ଭୟ କରିବା ପାଇଁ ଯୋଗ୍ୟ ନୁହଁ କାରଣ କ୍ଷତ୍ରିୟ ମାନଙ୍କ ପାଇଁ ଧର୍ମ ଯୁଦ୍ଧ ଠାରୁ ବଡ଼ ଅନ୍ୟ କୌଣସି କଲ୍ୟାଣକାରୀ କର୍ତ୍ତବ୍ୟ ନାହିଁ। ଯେମିତି ଆମର ମାଁ ଭଉଣୀଙ୍କର ଘରେ ରୋଷେଇ ସମ୍ଭାଳିବା କର୍ତ୍ତବ୍ୟ।
ଯଦି କୌଣସି ଅତିଥି ଆସନ୍ତି ତାହେଲେ ଏମାନେ( ମା, ଭଉଣୀ) କଣ ଚିନ୍ତା କରିନ୍ତି କି? ଏମାନେ ତ ଅତିଥିଙ୍କ ପାଇଁ ଚା ଜଳଖିଆ ଭୋଜନର ବ୍ୟବସ୍ଥା କରିବେ ହିଁ କରିବେ। ଏମାନଙ୍କର ଯାହା କର୍ତ୍ତବ୍ୟ, ଏମାନେ କରିବେ, ଏଥିରେ ଭୟ କରିବାର କୌଣସି କାରଣ ନାହିଁ ‌।
ସେହିପରି ତୁମେ କ୍ଷତ୍ରିୟ କୁଳରେ ଜନ୍ମଗ୍ରହଣ କରିଛ। କ୍ଷତ୍ରିୟଙ୍କର ଯୁଦ୍ଧର ଅଭିଳାଷା ହୋଇଥାଏ, ପ୍ରତୀକ୍ଷା ରହିଥାଏ, ତୁମକୁ ଯେତେବେଳେ ଯୁଦ୍ଧ କରିବାର ଅବସର ପ୍ରାପ୍ତ ହୋଇଛି, ତୁମେ ଏହି କଲ୍ୟାଣକାରୀ କର୍ତ୍ତବ୍ୟକୁ ଭୟକରି ପଳେଇ ଯିବାପାଇଁ କାହିଁକି ଚାହୁଁଛ? କର୍ମ ପରିଚୟରେ, ଆମେ ଶୁଣିଥିଲେ ଯେ ଏହା କ୍ଷତ୍ରିୟଙ୍କ ପାଇଁ ବିଦେହ କର୍ମ।

2.32

ୟଦୃଚ୍ଛୟା ଚୋପପନ୍ନଂ(ମ୍), ସ୍ୱର୍ଗଦ୍ୱାରମପାବୃତମ୍
ସୁଖିନଃ କ୍ଷତ୍ରିୟାଃ(ଫ୍) ପାର୍ଥ, ଲଭନ୍ତେ ୟୁଦ୍ଧମୀଦୃଶମ୍॥32॥

ହେ ପାର୍ଥ ! ସ୍ୱତଃ ପ୍ରାପ୍ତ ହୋଇଥିବା ଏବଂ ଉନ୍ମୁକ୍ତ ସ୍ୱର୍ଗଦ୍ୱାରରୂପକ ଏହିପରି ଯୁଦ୍ଧ ଭାଗ୍ୟବାନ କ୍ଷତ୍ରିୟ ମାନେ ହିଁ ଲାଭ କରନ୍ତି ।

ବିବେଚନ - ହେ ପାର୍ଥ ! ସ୍ଵତଃସ୍ପୃତ ଭାବରେ ପ୍ରାପ୍ତ ହୋଇଥିବା ଏବଂ ଖୋଲା ହେଇଥିବା ସ୍ୱର୍ଗର ଦ୍ୱାରକୁ ଭାଗ୍ୟବାନ କ୍ଷତ୍ରିୟ ମାନେ ହିଁ ପ୍ରାପ୍ତ କରିଥାନ୍ତି। ଯୁଦ୍ଧରେ ମରିବା କ୍ଷତ୍ରିୟ ମାନଙ୍କ ପାଇଁ କଲ୍ୟାଣକାରୀ ଅଟେ।

2.33

ଅଥ ଚେତ୍ତ୍ୱମିମଂ(ନ୍) ଧର୍ମ୍ୟଂ(ମ୍), ସଙ୍ଗ୍ରାମଂ(ନ୍) ନ କରିଷ୍ୟସି
ତତଃ(ସ୍) ସ୍ୱଧର୍ମଂ(ଙ୍) କୀର୍ତିଂ(ଞ୍) ଚ, ହିତ୍ୱା ପାପମବାପ୍ସ୍ୟସି॥33॥

କିନ୍ତୁ ଯଦି ତୁମେ ଏହି ଧର୍ମମୟ ଯୁଦ୍ଧ ନ କରିବ, ତେବେ ସ୍ୱଧର୍ମ ଓ ସୁଯଶ ହରାଇ ପାପଭାଗୀ ହେବ ।

ବିବେଚନ - ଅର୍ଜୁନ! ଯଦି ତୁମେ ମୋର କଥା ବୁଝିପାରିଲ ନାହିଁ ଏବଂ ତୁମେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବ ତାହେଲେ ତୁମେ ସ୍ୱଧର୍ମ ଏବଂ କୀର୍ତ୍ତି ହରେଇବ ଏବଂ ପାପ ପ୍ରାପ୍ତ କରିବ।
ତୁମେ ନିଷିଦ୍ଧ କର୍ମରେ ପ୍ରବୃତ୍ତ ହେବ। ତୁମେ ଇହଲୋକରେ ଯଶକୁ ହରେଇବ ଏବଂ ପରଲୋକରେ ସ୍ୱଧର୍ମକୁ ହରେଇବ। ତୁମକୁ ନର୍କକୁ ଯିବାକୁ ପଡିବ।

2.34

ଅକୀର୍ତିଂ(ଞ୍) ଚାପି ଭୂତାନି, କଥୟିଷ୍ୟନ୍ତି ତେଽବ୍ୟୟାମ୍
ସମ୍ଭାବିତସ୍ୟ ଚାକୀର୍ତିଃ(ର୍), ମରଣାଦତିରିଚ୍ୟତେ॥34॥

ତଥା ସମସ୍ତେ ଦୀର୍ଘକାଳ ସ୍ଥାୟୀ ତୁମର ଅପକୀର୍ତ୍ତୀ ବି ଆଲୋଚନା କରିବେ ଏବଂ ସମ୍ମାନନୀୟ ପୁରୁଷଙ୍କ ନିମନ୍ତେ ଅପକୀର୍ତ୍ତି ହେଉଛି ମରଣରୁ ବଳି ଦୁ଼ଃଖଦାୟକ ।

ବିବେଚନ- “ସମସ୍ତେ ତୁମର ଚିରସ୍ଥାୟୀ ଅପକୀର୍ତ୍ତି ବିଷୟରେ ହିଁ ଆଲୋଚନା କରିବେ, ଏବଂ ସମ୍ମାନନୀୟ ପୁରୁଷଙ୍କ ପାଇଁ ମୃତ୍ୟୁ ଠାରୁ ବଡ ହେଲା ଅପକୀର୍ତ୍ତି। ଯାହାର ପ୍ରତିଷ୍ଠା ଯେତେ ବଡ଼, ତାର ଅପକୀର୍ତ୍ତି ମଧ୍ୟ ସେତେ ବଡ଼ ହେବ।
ମନେରଖ ଅର୍ଜୁନ,ଏବେ ତ ତୁମେ ପଳାୟନ କରିବ କିନ୍ତୁ ପାଞ୍ଚ ହଜାର ବର୍ଷ ପରେ ସାଧାରଣ ବ୍ୟକ୍ତି ମଧ୍ୟ ତୁମର ନିନ୍ଦା କରିବେ। ସମସ୍ତେ ତୁମକୁ ଭୀରୁ, ନପୁଂସକ ବୋଲି କହିବେ। କର୍ମ ନ’କରି ପଳାୟନ କରିଥିବା ବ୍ୟକ୍ତି ବୋଲି କହିବେ।”

ବିଚାର କର, ତ୍ରେତୟା ଯୁଗରେ ରାବଣ ସୀତାମାତାଙ୍କୁ ଅପହରଣ କରିଥିଲା, ଏବଂ ଅନେକ ମନ୍ଦକର୍ମ କରିଥିଲା। ସେହି ସମୟରେ ଭଗବାନ ରାମ ତାର ବଧ କରିଥିଲେ। ଏବେ କିନ୍ତୁ ସହସ୍ର ବର୍ଷ ପରେ ମଧ୍ୟ ଆମେ ରାବଣର ପିତୁଳା ତିଆରି କରୁଛୁ ଏବଂ ସେଥିରେ ନିଆଁ ଲଗାଇ ତାଳି ମଧ୍ୟ ମାରୁଛୁ।
ଏତେ ବର୍ଷ ହେଲାଣି ରାବଣ ଦହନ କରାଯାଉଛି କିନ୍ତୁ ତାର ଅପକୀର୍ତ୍ତି ସମାପ୍ତ ହିଁ ହେଉନାହିଁ। ସେ ଏତେ ଭୟଙ୍କର ପାପ କରିଥିଲା ଯେ ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ଦିନ ଆମେ ତାର ଅଗ୍ନିଦାହ କରୁଛୁ।
ଆଜିକାଲି ତ ଲୋକମାନଙ୍କର ବୁଦ୍ଧି ଭ୍ରଷ୍ଟ ହେଇଯାଇଛି ଯେ ରାବଣ, କର୍ଣ୍ଣର ପ୍ରଶଂସା କରି ପୁସ୍ତକ ରଚନା କରୁଛନ୍ତି। ପଣ୍ଡିତ, ଜ୍ଞାନୀ ହେଇଥିଲେ ମଧ୍ୟ ସେ ଜଣେ ରାକ୍ଷସ ଥିଲା। ନିଜର ବୋହୂର ବଳତ୍କାର କରିବା ବାଲା, ନିଜର ଛୋଟ ଭାଇର ରାଜ୍ୟକୁ ଛଡ଼େଇ ନେଇ ତାକୁ ନିଜର ପାଦତଳେ ରଖିବା ବାଲା ଥିଲା।
ଭାଇକୁ ଗୋଇଠା ମାରି ରାଜ୍ୟରୁ ବାହାର କରିବା ବାଲା ଥିଲା। ବଣରେ ଲୁଚିଥିବା ଅବସ୍ଥାରେ ଅନ୍ୟର ପତ୍ନୀକୁ, ଅପହରଣ କରି ଆଣିଥିଲା। ଲକ୍ଷ ଲକ୍ଷ ମହିଳାଙ୍କ ସତୀତ୍ୱ ଲୁଣ୍ଠନ କରିଥିଲା। ଲକ୍ଷ ଲକ୍ଷ ସାଧୁଙ୍କର ହତ୍ୟା କରିଥିଲା। ସେ କୌଣସି ସାଧାରଣ ପାପୀ ନଥିଲା, ସେଥିପାଇଁ ତାର ଅପକୀର୍ତ୍ତିକୁ ଏତେ ବର୍ଷ ପରେ ମଧ୍ୟ ଆମେ ସ୍ମରଣ କରୁଛୁ।

2.35

ଭୟାଦ୍ରଣାଦୁପରତଂ(ମ୍), ମଂସ୍ୟନ୍ତେ ତ୍ୱାଂ(ମ୍) ମହାରଥାଃ
ୟେଷାଂ(ଞ୍) ଚ ତ୍ୱଂ(ମ୍) ବହୁମତୋ, ଭୂତ୍ୱା ୟାସ୍ୟସି ଲାଘବମ୍॥35॥

ଏବଂ ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷରୂପେ ସମ୍ମାନିତ ହୋଇସାରିଛ, ସେମାନଙ୍କ ଦୃଷ୍ଟିରେ ବର୍ତ୍ତମାନ ହୀନ ହୋଇଯିବ; ସେହି ମହାରଥୀମାନେ ମନେ କରିବେ ଯେ, ତୁମେ ଭୟଭୀତ ହୋଇ ଯୁଦ୍ଧ ରୁ ଓହରି ଗଲ ।

ବିବେଚନ - ପ୍ରଥମେ ଯେଉଁମାନଙ୍କ ଦୃଷ୍ଟିରେ ତୁମେ ସମ୍ମାନିତ ଥିଲ, ସେହି ମହାରଥୀ ମାନେ ତୁମେ ଭୟଭୀତ ହୋଇ ଯୁଦ୍ଧରୁ ହଟି ଯାଇଛ ବୋଲି ମାନିନେବେ।

ଆଜି ଯେଉଁମାନେ ତୁମର ବଡ଼ ଗୁଣଗାନ କରୁଛନ୍ତି, ଯୁଦ୍ଧ ନ’କରିଲେ ମଧ୍ୟ ସେମାନେ ସେହିପରି ହିଁ କରିବେ, ସେପରି ବିଶ୍ୱାସ ରଖନାହିଁ।

ଯେଉଁମାନେ ଆଜି ତୁମକୁ ମାଳ ପିନ୍ଧେଇଛନ୍ତି, ସେମାନେ କାଲିକୁ ତୁମକୁ ଗାଳି ମଧ୍ୟ ଦେବେ। ତୁମେ ସମ୍ମାନିତ ହେଇଥିଲେ ମଧ୍ୟ ଲଘୁତା ବା ସଂକ୍ଷିପ୍ତତାକୁ ପ୍ରାପ୍ତ କରିବ।

ଛୋଟ ରହିଯିବା ଠିକ୍ ଅଛି ପରନ୍ତୁ ସମ୍ମାନିତ ହେଲାପରେ ଛୋଟ ହେବା ଉଚିତ ନୁହେଁ।

2.36

ଅବାଚ୍ୟବାଦାଂଶ୍ଚ ବହୂନ୍, ବଦିଷ୍ୟନ୍ତି ତବାହିତାଃ
ନିନ୍ଦନ୍ତସ୍ତବ ସାମର୍ଥ୍ୟଂ(ନ୍), ତତୋ ଦୁଃଖତରଂ(ନ୍) ନୁ କିମ୍॥36॥

ତୁମର ଶତ୍ରୁ ମାନେ ତୁମ ସାମର୍ଥ୍ୟକୁ ନିନ୍ଦା କରି କରି ତୁମକୁ ବହୁ ଅକଥ୍ୟ ବଚନ ମଧ୍ୟ କହିବେ । ତା' ଠାରୁ ବଳି ଦୁଃଖର ବିଷୟ ଆଉ କ'ଣ ହୋଇପାରେ !

ବିବେଚନ- ଯେଉଁମାନେ ତୁମର ଶତ୍ରୁ ସେମାନେ ତୁମର କ୍ଷମତାକୁ ସମାଲୋଚନା କରିବେ ଏବଂ ଅନୁଚିତ୍‌ କଥା ମଧ୍ୟ କହିବେ ଯାହା କି ତୁମକୁ କହିବା ଉଚିତ୍ ନୁହେଁ। ଏହାଠାରୁ ଅଧିକ ଯନ୍ତ୍ରଣାଦାୟକ ଦୁଃଖ ଆଉ କ'ଣ ହୋଇପାରେ?

କେହି ଜଣେ ପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ପଚାରିଲେ, ଭଗବାନ ଶ୍ରୀକୃଷ୍ଣ କାହା ପାଇଁ (अवाच्यवादांश्च) ଅବାଚ୍ୟବାଦାଂଶ୍ଚ କହିଥିଲେ? ସେ କ'ଣ କହିବାକୁ ଚାହୁଁଥିଲେ? ସ୍ୱାମୀ ଜୀ କହିଥିଲେ ଯେ,” ତୁମେ ଚାହୁଁଛ ଯେ ମୁଁ ସେହି ଶବ୍ଦଗୁଡ଼ିକ କହିବି ଯାହା ପ୍ରଭୁ କହି ନଥିଲେ ଏବଂ ଅବାଚ୍ୟବାଦଂଶ୍ଚ କହି ଚାଲି ଯାଇଥିଲେ?”

ଅବାଚ୍ୟବାଦାଂଶ୍ଚ ଅର୍ଥ କହିବା ଯୋଗ୍ୟ ନୁହେଁ।

ଶ୍ରୀ ଭଗବାନ କହିଥିଲେ ଯେ ଅର୍ଜୁନ, ତୁମେ ଯାହାକୁ କଳ୍ପନା ମଧ୍ୟ କରିପାରିବ ନାହିଁ, ସେମାନେ ତୁମ ବିଷୟରେ ସେହି ଶବ୍ଦଗୁଡ଼ିକ କହିବେ। ଜୀବନରେ ଭଲ ରୋଜଗାର କରିବା, ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବା ପରେ, ଆମେ ଯାହା ବି କାର୍ଯ୍ୟ କରୁ, ତାହା ଆମେ କେବଳ ଖ୍ୟାତି ପାଇଁ କରୁ।
କିଛି ଲୋକ ଭାବିପାରନ୍ତି ଯେ,” ଆମେ ଏପରି ଭାବୁନାହୁଁ”, କିନ୍ତୁ ଭାବନ୍ତୁ ଆମେ କାହିଁକି ଭଲ ପୋଷାକ ପିନ୍ଧୁଛୁ? ଆମ ଦୃଷ୍ଟିରେ, ଭଲ ପୋଷାକ ପିନ୍ଧିବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ପ୍ରଶଂସା ପାଇବା। ଆମେ ଏକ ଭଲ ଏବଂ ବଡ଼ ଗାଡ଼ି କିଣୁ, ଘର ତିଆରି କରୁ, ଏହାର ରଙ୍ଗ ଏବଂ ସାଜସଜ୍ଜା କ’ଣ ହେବା ଉଚିତ୍, ଯଦି କେହି ଆସିବେ ତେବେ ଏହା କିପରି ଦେଖାଯିବ ତାହା ମଧ୍ୟ ଆମେ ଭାବୁ?
ଆମେ ଗୀତା ଶିଖୁଛୁ। ଏହାର ମଧ୍ୟ ଏକ ଉଦ୍ଦେଶ୍ୟ ଅଛି, ଆମକୁ ଲୋକମାନଙ୍କୁ କହିବାକୁ ପଡିବ ଯେ ଆମେ ଗୀତା ଜାଣୁ। ଆମେ କରୁଥିବା ଅଧିକାଂଶ କାମର ଉଦ୍ଦେଶ୍ୟ ହେଉଛି ପ୍ରସିଦ୍ଧି। ମୌଳିକ ଆବଶ୍ୟକତା ପୂରଣ ହେବା ପରେ, ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ପ୍ରସିଦ୍ଧି, ସେଥିପାଇଁ ଜଣେ ବ୍ୟକ୍ତି ପ୍ରସିଦ୍ଧି ବିଷୟରେ ଚିନ୍ତା କରିବା ଉଚିତ୍‌ ଏବଂ ସମାଲୋଚନା କରିବାରୁ ବଞ୍ଚିତ ରହିବା ଉଚିତ।
ସମାଲୋଚନା ଏବଂ ନିନ୍ଦା ଉଭୟ ଏପରି ଦୋଷ ଯାହା ସମସ୍ତଙ୍କୁ କହିକରି କରିବା ଉଚିତ୍ ନୁହେଁ, ବରଂ ଏହାକୁ କରି ଉପଭୋଗ କରିବାରେ ଆନନ୍ଦ ମିଳେ। ଅତ୍ୟଧିକ ଆଘାତ ମଧ୍ୟ କ୍ଷତ ସୃଷ୍ଟି କରେ। ଏହା ଜାଣି ମଧ୍ୟ ଆମେ ଆଘାତ କରୁ ଏବଂ କ୍ଷତ ସୃଷ୍ଟି କରୁ। ଯେତେବେଳେ ଆମେ ସମାଲୋଚନା କରୁ, ଆମେ ସମସ୍ତଙ୍କୁ କହୁ ଯେ,” ମୁଁ କେବଳ ତୁମକୁ କହୁଛି, ତୁମେ କାହାକୁ କହିବା ଉଚିତ୍ ନୁହେଁ,” ଯଦିଓ ଆମେ ଜାଣୁ ଯେ ଏହା ବ୍ଯାପିଯିବ, ତଥାପି ଆମେ ଏହା କରୁ।ଅନେକ ସମୟରେ ସମାଲୋଚନାର ଫଳାଫଳ ବହୁତ ଭୟଙ୍କର ହୋଇଥାଏ।
ଉପନିଷଦରେ ଏକ କାହାଣୀ ଅଛି। ଜଣେ ଧାର୍ମିକ ରାଜା ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ। ଯଜ୍ଞ ପରେ, ବ୍ରାହ୍ମଣମାନଙ୍କ ପାଇଁ ଏକ ବହୁତ ବଡ଼ ଭୋଜିର ଆୟୋଜନ କରାଯାଇଥିଲା। ଖାଦ୍ୟ ରନ୍ଧା ହେଉଥିବା ସ୍ଥାନ ଉପରେ ଏକ ଚିଲ ଉଡୁଥିଲା,ଯିଏକି ମୁହଁରେ ଏକ ସାପ ଧରିଥିଲା। ବିପଦରେ ପଡ଼ିଲେ ତା'ର ବିଷ ଥୁକିବା ସାପର ସ୍ୱଭାବ। ଚିଲଠାରୁ ରକ୍ଷା ପାଇବା ପାଇଁ, ସାପ ତା'ର ବିଷ ଛାଡ଼ିଦେଲା। ସେହି ବିଷ ପାତ୍ରରେ ରନ୍ଧା ହେଉଥିବା ଡାଲିରେ ମିଶିଗଲା। ଚିଲ ସାପକୁ ନେଇ ଉଡ଼ିଗଲା, କିନ୍ତୁ ତା'ର ବିଷ ପୂର୍ବରୁ ଡାଲିରେ ପଡ଼ିଗଲା। କେହି ଏହା ଦେଖି ପାରିଲେ ନାହିଁ।
ଖାଦ୍ୟ ପରିବେଷଣ ହେବା ପରେ, ଶହ ଶହ ବ୍ରାହ୍ମଣ ଡାଲି ଖାଇବା ମାତ୍ରେ ମୃତ୍ୟୁବରଣ କଲେ। ରାଜ୍ୟରେ କୋଳାହଳ ହେଇଗଲା। ରାଜା ଭାବିବାକୁ ଲାଗିଲେ ଯେ,” ମୁଁ ଏତେ ବଡ଼ ଯଜ୍ଞ କଲି କିନ୍ତୁ ଏହାର ଏତେ ଭୟଙ୍କର ପରିଣାମ କାହିଁକି ହେଲା?” ରାଜାଙ୍କର ଜଣେ ସାବତ ଭାଇ ଥିଲେ। ସେ ରାଜାଙ୍କ ପ୍ରତି ଈର୍ଷା କରୁଥିଲେ। ସେ ଭାବିଲେ ଯେ ମୁଁ ଏହି ବିପତ୍ତି ସମୟର ସୁଯୋଗ ନେଇ ରାଜ୍ୟ ଦଖଲ କରିବା ଉଚିତ। ସେ ରାଜାଙ୍କୁ ସମାଲୋଚନା କରିବାକୁ ଲାଗିଲେ ଯେ, ରାଜା ଏହା ଜାଣିଶୁଣି କରିଛନ୍ତି। ଆମେ ଏତେ କଠିନ ପରିଶ୍ରମ କରୁଛୁ ଏବଂ ବ୍ରାହ୍ମଣମାନେ ସବୁକିଛି ନେଇ ଯାଉଛନ୍ତି। ସେମାନଙ୍କର କିଛି ପାଇବା ଉଚିତ୍ ନୁହେଁ। ରାଜା ଜାଣିଶୁଣି ଖାଦ୍ୟରେ ବିଷ ମିଶାଇ ଦେଇଛନ୍ତି। ରାଜା ପୂର୍ବରୁ କ୍ଷୁବ୍ଧ ଥିଲେ। ଏପରି କଥା ଶୁଣି ସେ ବହୁତ ଦୁଃଖିତ ହୋଇଗଲେ। ତାଙ୍କ ଭାଇ ତାଙ୍କୁ ଏପରି ଅପମାନ କରୁଥିବା ଦେଖି ସେ ବହୁତ ଦୁଃଖିତ ହେଲେ ଏବଂ ଶେଷରେ ତାଙ୍କର ହୃଦଘାତରେ ମୃତ୍ୟୁ ହେଇଗଲା। ରାଜାଙ୍କର ଗୋଟିଏ ଯୁବା ପୁତ୍ର ଥିଲେ। ତାଙ୍କ କାକାଙ୍କ ଆଚରଣ ଦେଖି ସେ ଖଣ୍ଡାରେ କାକାଙ୍କ ବେକ କାଟି ଦେଲେ।
ମୃତ୍ୟୁ ପରେ ଉଭୟ ଯମରାଜଙ୍କ ପାଖରେ ପହଞ୍ଚିଲେ। ଚିତ୍ରଗୁପ୍ତ ଯମରାଜଙ୍କୁ କହିଲେ ଯେ ତାଙ୍କ ଦରବାରରେ ଏକ ଅତ୍ୟନ୍ତ ଅଦ୍ଭୁତ ଅପରାଧ ମାମଲା ଆସିଛି। ସେ ବୁଝିପାରୁନାହାଁନ୍ତି ଯେ ଏହି ଅପରାଧ ପାଇଁ କାହାକୁ ଦଣ୍ଡ ଦିଆଯିବା ଉଚିତ। ଜଣେ ବ୍ରାହ୍ମଣ ମରିଛନ୍ତି, ଏକ ସାପ ମରିଛି, ଏକ ରାଜା ମରିଛନ୍ତି ଏବଂ ରାଜାଙ୍କ ଭାଇ ମରିଛନ୍ତି। ଏହି ସମସ୍ତ ଲୋକଙ୍କ ମୃତ୍ୟୁ ପାଇଁ କାହାକୁ ଦଣ୍ଡ ଦିଆଯିବା ଉଚିତ? ଗରୁଡ କହିଲା ମୁଁ ଦୋଷୀ ନୁହେଁ। ମୋର ଖାଦ୍ୟ ସାପ, ମୁଁ କିପରି ଜାଣିବି ଯେ ଏହା ବିଷ ଛାଡ଼ିବ। ଯମରାଜ ସାପକୁ ଦେଖିଲେ। ସାପ କହିଲା ଯେ ମୁଁ ମୋ ଜୀବନକୁ ରକ୍ଷା କରିବା ପାଇଁ ଏହା କରିଛି। ଯମରାଜ କହିଲେ ଯେ ରୋଷେଇଆ ଦୋଷୀ। ରୋଷେଇଆ କହିଲେ ଯେ,” ଏହା କେବେ ଘଟିଥିଲା ମୁଁ ଜାଣିନାହିଁ।” ଯମରାଜ ରାଜାଙ୍କୁ ଦେଖିଲେ, ରାଜା କହିଲେ ଯେ ,” ମୁଁ ଏତେ ପବିତ୍ର ଯଜ୍ଞ କରିଛି। ମୁଁ କୌଣସି ଅପରାଧ କରିନାହିଁ।” ଯମରାଜ ସବୁ ଶୁଣି କହିଲେ ଯେ ରାଜାଙ୍କ ସାବତ ଭାଇ ସମସ୍ତଙ୍କୁ ହତ୍ୟା କରିବା ପାଇଁ ଦୋଷୀ ହେବ। କାରଣ ଦର୍ଶାଇବାକୁ ଯାଇ ଯମରାଜ କହିଲେ ଯେ, ଯଦିଓ ସେ ସିଧାସଳଖ ଦୋଷୀ ନୁହେଁ, କିନ୍ତୁ ଯିଏ ନିନ୍ଦା କରେ ତାକୁ ଦୋଷୀ ବୋଲି ବିବେଚନା କରାଯାଏ, ଏହା ଶାସ୍ତ୍ରରେ ମଧ୍ୟ ଲେଖା ଅଛି।
ତେଣୁ, ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ କାହାକୁ ସମାଲୋଚନା କରିବା ଦ୍ୱାରା, ବିନା କାରଣରେ ନିଜ ଉପରେ ହତ୍ୟାର ପାପ ଆସିଯାଏ। ସମାଲୋଚନା କରିବା ସମୟରେ ଦଶଟି କଥା ମନେ ରଖିବା ଉଚିତ। ସମାଲୋଚନା ଏକ ଢାଲ ଭାବରେ କାର୍ଯ୍ୟ କରେ।

निन्दक नियरे राखिए
आङ्गन कुटी छवाय।
बिन पानी साबुन बिना
निर्मल करे सुभाय।।।

ଯଦି ଆପଣଙ୍କ ଚାରିପାଖରେ କେହି ଆପଣଙ୍କୁ ସମାଲୋଚନା କରନ୍ତି, ତେବେ ଆପଣ ଏହାକୁ ଶ୍ରୀ ଭଗବାନଙ୍କ ମହାନ କୃପା ବୋଲି ଭାବିବା ଉଚିତ। କୌଣସି ପ୍ରକାର ପରିଶ୍ରମ ବିନା, କୌଣସି ପ୍ରୟାସ ବିନା, ଆମର ଦୋଷ ଦୂର ହୋଇଯାଏ, କିନ୍ତୁ ଉତ୍ତମ ଚରିତ୍ର, ସ୍ୱଭାବର ଲୋକମାନେ ସମାଲୋଚନାର ଭୟରେ ନିଜର ଦୋଷ ସଂଶୋଧନ କରି ନିଅନ୍ତି।
କେବେ କେବେ ଲୋକମାନେ ଠିକ୍ କାମ କଲେ ମଧ୍ୟ ସମାଲୋଚନା କରନ୍ତି। ଏପରି ଲୋକଙ୍କ ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ। ଯେତେବେଳେ ମୋଦି ଜୀ ବିମୁଦ୍ରାକରଣ କରିଥିଲେ, ଲୋକମାନେ ତାଙ୍କୁ ବହୁତ ସମାଲୋଚନା କରିଥିଲେ। ସେ କହିଥିଲେ,” ଯଦି ତୁମେ ସମାଲୋଚନା କରିବାକୁ ଚାହୁଁଛ, ତେବେ କର, କିନ୍ତୁ ଏହା ଦେଶ ପାଇଁ ଆବଶ୍ୟକ, ତେଣୁ ମୁଁ ଏହା କରିବି।”
ଜଣେ ସମ୍ମାନନୀୟ ବ୍ୟକ୍ତିଙ୍କ ପାଇଁ, ନିନ୍ଦା ମୃତ୍ୟୁ ପ୍ରାପ୍ତି ସଦୃଶ। ନିନ୍ଦା ଶୁଣିବା ଏବଂ ନିନ୍ଦା କରିବା ଉଭୟ ପାପ, ଦୋଷଯୁକ୍ତ। ତେଣୁ ନିନ୍ଦା ତଥା ସମାଲୋଚନା ହେଉଥିବା ପରିବେଶ ବା ସ୍ଥାନରୁ ଦୂରରେ ରହିବା ଉଚିତ୍‌।
ଯଦି କେହି ଆମକୁ ସମାଲୋଚନା କରୁଛନ୍ତି, ତେବେ ବୁଝିବା ଉଚିତ ଯେ ଏହା ଆମର କିଛି ପ୍ରାରବ୍ଧ ଯୋଗୁଁ ହେଉଛି। ନିଷାଦରାଜ ଲକ୍ଷ୍ମଣଙ୍କୁ କହିଥିଲେ ଯେ,” ତୁମର ମା ଏତେ ଦୁଷ୍ଟ। ତୁମେମାନେ ଏତେ ଭଲ ତଥାପି ତୁମକୁ ଜଙ୍ଗଲକୁ ପଠାଇ ଦେଲେ। ”ଲକ୍ଷ୍ମଣ କହିଲେ,” ନା ନିଷାଦ, ଏପରି ନୁହେଁ।”

कोई नहीं कोई कर सुख दुख दाता, 
निज कृत कर्म भोग सबु भ्राता।।

କାରଣ ବିନା କିଛି ହୁଏ ନାହିଁ। ଯାହା ଘଟେ ତାହା ଆମ କର୍ମ ଯୋଗୁଁ ହୁଏ।
ନିଜର ନିନ୍ଦା,ସମାଲୋଚନାକୁ ଧ୍ୟାନର ସହିତ ଶୁଣିବା ଉଚିତ। ଅନ୍ୟମାନଙ୍କ ପ୍ରତି ହେଉଥିବା ସମାଲୋଚନାକୁ ଆଦୌ ଶୁଣିବା ଉଚିତ୍ ନୁହେଁ। ସ୍ୱାମୀ, ସ୍ତ୍ରୀ ଏବଂ ପିତାଙ୍କ ଦ୍ୱାରା କରାଯାଉଥିବା ସମାଲୋଚନାକୁ ନିଜର ଉନ୍ନତିର ଏକ ମାର୍ଗ ଭାବରେ ବିଚାର କରାଯିବା ଉଚିତ। ସେମାନେ ଆମର କଲ୍ୟାଣ ଚାହାଁନ୍ତି, କିନ୍ତୁ ସମାଲୋଚନା କରିବାର ସ୍ୱଭାବ ରଖୁଥିବା ଅନ୍ୟମାନଙ୍କଠାରୁ ଦୂରତା ରଖିବା ଉଚିତ।
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଦୁଇଟି ନାମକୁ ବହୁତ ପସନ୍ଦ କରନ୍ତି - ଅନଘ ଏବଂ ଅନୁସୂୟ

-ଅନଘ ଅର୍ଥ ଯିଏ କେବେ ପାପ କରିନାହିଁ।
-ଅନୁସୂୟ ଅର୍ଥ ଯିଏ ଅନ୍ୟମାନଙ୍କର ଦୋଷ ଦେଖେ ନାହିଁ।

ଦୁଇଟି କଥା ମନେ ରଖିବା ଉଚିତ୍‌। ପ୍ରଥମତଃ- ଅନ୍ୟମାନଙ୍କ ସମାଲୋଚନାରେ ଅଂଶଗ୍ରହଣ କରିବା ଉଚିତ୍‌ ନୁହେଁ ଏବଂ ଦ୍ୱିତୀୟତଃ-ଏପରି କିଛି କାର୍ଯ୍ୟ କରିବା ଉଚିତ୍‌ ନୁହେଁ, ଯଦ୍ୱାରା ଆମ ଉପରେ ସମାଲୋଚନା ହେବ ବା ଆମକୁ ନିନ୍ଦା ମିଳିବ।

2.37

ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ(ଞ୍), ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍
ତସ୍ମାଦୁତ୍ତିଷ୍ଠ କୌନ୍ତେୟ, ୟୁଦ୍ଧାୟ କୃତନିଶ୍ଚୟଃ॥37॥

ତୁମେ ଯୁଦ୍ଧ ରେ ନିହତ ହେଲେ ସ୍ୱର୍ଗ ପାଇବ; ନଚେତ୍ ଯୁଦ୍ଧ ରେ ଜୟୀ ହେଲେ ଭୂମଣ୍ଡଳ ର ରାଜ୍ୟ ଭୋଗ କରିବ । ତେଣୁ ହେ ଅର୍ଜୁନ ! ତୁମେ ଯୁଦ୍ଧ କରିବାକୁ ସଂକଳ୍ପବଦ୍ଧ ହୋଇ ଦଣ୍ଡାୟମାନ ହୋଇଯାଅ ।

ବିବେଚନ - ଅର୍ଜୁନ, ତୁମେ କ’ଣ ପାଇଁ ଚିନ୍ତିତ? ଯଦି ତୁମର ମୃତ୍ୟୁ ହେବ, ତେବେ ତୁମେ ସ୍ୱର୍ଗ ପ୍ରାପ୍ତ କରିବ ଏବଂ ଯଦି ତୁମେ ଜିତିବ, ତେବେ ତୁମେ ଧନ ଏବଂ ଶସ୍ୟରେ ପରିପୂର୍ଣ୍ଣ ଏହି ରାଜ୍ୟ ଉପଭୋଗ କରିବ।
ତେଣୁ ତୁମେ ଯୁଦ୍ଧ କରିବାକୁ ନିଷ୍ପତ୍ତି ନେଇ, ପ୍ରସ୍ତୁତ ହୋଇଯିବା ଉଚିତ।
ଯଦିଓ ତୁମେ ଭୋଗ, ଆସକ୍ତିରେ ଆଗ୍ରହୀ, ତେବେ ଧର୍ମର ପଥ ପରିତ୍ୟାଗ କର ନାହିଁ। ଯଦି ତୁମେ ଭୋଗରେ ଆଗ୍ରହୀ ନୁହଁ, ତେବେ ମଧ୍ୟ ଧର୍ମର ପଥ ପରିତ୍ୟାଗ କରିବା ଉଚିତ୍‌ ନୁହେଁ। 
ତୁମେ ରାଜ୍ୟ ଚାହୁଁଥାଅ ବା ନ’ଚାହଁ, ଉଭୟ ତୁମ ପାଇଁ ଭଲ ହେବ। ଧର୍ମ ପଥରେ ସଫଳତା ପ୍ରାପ୍ତିପାଇଁ ଚିନ୍ତା କରିବା ଉଚିତ୍ ନୁହେଁ। ଦ୍ରୌପଦୀ ଯୁଧିଷ୍ଠିରଙ୍କ ସହ ଯୁକ୍ତି କରିଥିଲେ। ତା’ପରେ ଯୁଧିଷ୍ଠିର କହିଲେ, ଯେ ଧର୍ମର ଅନୁସରଣ, ନିଜର ଲାଭପାଇଁ ନୁହେଁ। ଏହା ନିଜର କର୍ତ୍ତବ୍ୟ ଭାବି କରିବା ଉଚିତ୍।


2.38

ସୁଖଦୁଃଖେ ସମେ କୃତ୍ୱା, ଲାଭାଲାଭୌ ଜୟାଜୟୌ
ତତୋ ୟୁଦ୍ଧାୟ ୟୁଜ୍ୟସ୍ୱ, ନୈବଂ(ମ୍) ପାପମବାପ୍ସ୍ୟସି॥38॥

ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ମନେ କରି, ତା' ପରେ ତୁମେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯାଅ । ଏହିପରି ଯୁଦ୍ଧ କଲେ ତୁମେ ପାପଭାଗୀ ହେବ ନାହିଁ ।

ବିବେଚନ- ଶ୍ରୀ ଭଗବାନ ଛଅଟି କଥା କହିଥିଲେ। ଯଥା- ସୁଖ-ଦୁଃଖ, ଲାଭ-ହାନି ଏବଂ ବିଜୟ-ପରାଜୟ। କୌଣସି ବ୍ୟକ୍ତିଙ୍କ ଜୀବନରେ କେବଳ ସୁଖ, ଲାଭ ଏବଂ ବିଜୟ ଆସେନାହିଁ। ଏ ସବୁ ମିଶ୍ରତ ଭାବରେ ଆସେ। ଶ୍ରୀ ଭଗବାନ କୁହନ୍ତି ଯେ, ଜୀବନରେ ଯାହା ବି କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟୁଛି, ସେଥିରେ ନିଜକୁ ସନ୍ତୁଳିତ ରଖ । ଯେତେବେଳେ ସବୁକାମ ଗୁଡ଼ିକ ମନୁଷ୍ୟର ଇଚ୍ଛା ଅନୁସାରେ ଘଟେ, ସେତେବେଳେ ସେ ଖୁସି ହେଇଯାଏ। କିନ୍ତୁ, ଯଦି ଇଚ୍ଛା ବିରୁଦ୍ଧରେ ଟିକିଏ ହେଲେ କିଛି ଘଟେ, ତେବେ ସେହି ବ୍ୟକ୍ତି ସମସ୍ତଙ୍କ ଆଗରେ ନିଜକୁ ଦୁଃଖିତ ଦେଖାଏ। କେତେକ ମୁକେଶଙ୍କ ଦୁଃଖ ଗୀତ ଶୁଣନ୍ତି। ଭଲ ଶାୟରୀ ଖୋଜି ସେମାନଙ୍କ ଷ୍ଟାଟସରେ ପୋଷ୍ଟ କରନ୍ତି। ଯାହାର ନିଜ ଷ୍ଟାଟସରେ ଖୁସି ଲେଖିବାର ଅଭ୍ୟାସ ଅଛି, ସେ ସେଥିରେ ଦୁଃଖ ମଧ୍ୟ ଲେଖେ। ତେଣୁ ଖୁସିରେ ଅଧିକ ଖୁସି ହୁଅ ନାହିଁ କିମ୍ବା ଦୁଃଖରେ ଅଧିକ ଦୁଃଖୀ ହେବା ଉଚିତ୍‌ ନୁହେଁ। ଉଭୟ ପରିସ୍ଥିତିରେ ସମ ଭାବରେ ରହିବା ଉଚିତ୍‌।

ଲାଭ ପାଇଗଲେ ଅତ୍ୟଧିକ ଗର୍ବ କରନାହିଁ କିମ୍ବା କ୍ଷତି ହେଲେ ଅତ୍ୟଧିକ ସଙ୍କୁଚିତ ହୁଅନାହିଁ। ଜିତିବାରେ ଗର୍ବ କରନାହିଁ କି ପରାଜୟରେ ଦୁଃଖିତ ହୁଅନାହିଁ। ପ୍ରତ୍ୟେକ ପରିସ୍ଥିତିରେ ଶାନ୍ତଭାବ ରଖିବା ଉଚିତ।  ଉତ୍ତମ ସ୍ୱଭାବର ଲୋକଙ୍କୁ ଅନ୍ୟ ମାନେ ଖୁସିରେ ଅଭିନନ୍ଦନ କରିବା ଏବଂ ଦୁଃଖରେ ସେମାନଙ୍କୁ ସାନ୍ତ୍ୱନା ଦେବା, ଉଭୟେ ସ୍ୱାଭାବିକ।

2.39

ଏଷା ତେଽଭିହିତା ସାଙ୍ଖ୍ୟେ, ବୁଦ୍ଧିର୍ୟୋଗେ ତ୍ୱିମାଂ(ମ୍) ଶୃଣୁ
ବୁଦ୍ଧ୍ୟା ୟୁକ୍ତୋ ୟଯା ପାର୍ଥ, କର୍ମବନ୍ଧଂ(ମ୍) ପ୍ରହାସ୍ୟସି॥39॥

ହେ ପାର୍ଥ ! ଏହି ବୁଦ୍ଧି ତୁମକୁ ଜ୍ଞାନ ଯୋଗ ଦୃଷ୍ଟିରୁ କୁହାଗଲା । ବର୍ତ୍ତମାନ ତୁମେ ଏହା କର୍ମଯୋଗ ଦୃଷ୍ଟିରୁ ଶୁଣ; ଏହି ବୁଦ୍ଧି ରେ ଯୁକ୍ତ ହେଲେ ତୁମେ କର୍ମବନ୍ଧନକୁ ଭଲ ରୂପେ ତ୍ୟାଗ କରିଦେଇପାରିବ ଅର୍ଥାତ୍ କର୍ମବନ୍ଧନରୁ ସର୍ବଥା ମୁକ୍ତ ହୋଇଯିବ ।

ବିବେଚନ-ଏହି ଶ୍ଳୋକରୁ ଶ୍ରୀ ଭଗବାନ କର୍ମଯୋଗ ବିଷୟ ଆରମ୍ଭ କରିଛନ୍ତି। ଏହି ସମବୁଦ୍ଧି ପ୍ରଥମେ ଆପଣଙ୍କୁ ସାଂଖ୍ୟ ଯୋଗରେ କୁହାଯାଇଥିଲା ଏବଂ ଏବେ ଆପଣ କର୍ମଯୋଗରେ ମଧ୍ୟ ଏହାକୁ ଶୁଣୁଛନ୍ତି।ଏହି ସମବୁଦ୍ଧିରେ ୟୁକ୍ତ ବା ଅଧିନସ୍ଥ ହୋଇଗଲେ, ଜଣେ କର୍ମର ବନ୍ଧନ ପରିତ୍ୟାଗ କରିପାରିବ।

ଏହାର ଉପରାନ୍ତେ ବିବେଚନ ସତ୍ର ସମାପନ ହୋଇ ପ୍ରଶ୍ନୋତ୍ତର ସତ୍ର ପ୍ରାରମ୍ଭ କରାଗଲା।

- ପ୍ରଶ୍ନୋତ୍ତର ସତ୍ର -

ପ୍ରଶ୍ନକର୍ତ୍ତା- ଅରୁଣ ଗୁପ୍ତା ଭାଇ
ପ୍ରଶ୍ନ- ଯଦି ଆମ ସାମ୍ନାରେ କିଛି ଭୁଲ ଘଟୁଛି, ତେବେ ଆମେ କ’ଣ ନିନ୍ଦା କରିବା ଭାବନା ସହିତ ଏହାକୁ ସୁଧାର କରିବା ଉଚିତ କି?
ଉତ୍ତର- ପ୍ରଥମେ ଆମକୁ ମନେ ରଖିବା ଉଚିତ ଯେ,ଏହି ସ୍ଥାନରେ ଆମର କିଛି କହିବାର ଅଧିକାର ଅଛି କି ନାହିଁ।
ଗୁରୁଜନଙ୍କର ନିନ୍ଦା କରିବା ଉଚିତ୍‌ ନୁହେଁ। ଯଦି କୌଣସି ବ୍ୟକ୍ତିଙ୍କୁ ସଂସ୍କାରୀ କରିବା ଉଦ୍ଦେଶ୍ୟରେ କିଛି କୁହାଯାଏ, ତେବେ ତାହା ଉଚିତ୍‌ କିନ୍ତୁ ନିନ୍ଦା ସମାଲୋଚନାରୁ ଆନନ୍ଦ ପାଇବା ଉଦ୍ଦେଶ୍ଯରେ ଯଦି କିଛି ଆଲୋଚନା କରାଯାଏ, ତେବେ ତାହା କହିବାଟା ଉଚିତ୍ ନୁହେଁ।

ପ୍ରଶ୍ନକର୍ତ୍ତା- ରାଧାକୃଷ୍ଣ ଭାଇ
ପ୍ରଶ୍ନ- ଘଟୋତ୍କଚଙ୍କର ବୀର ସାହସୀ ପୁତ୍ର ବର୍ବରିକଙ୍କୁ କାହିଁକି ହତ୍ୟା କରାଯାଇଥିଲା?
ଉତ୍ତର- ଶ୍ରୀ ଭଗବାନ ତାଙ୍କ ଲୀଳାରେ ଏପରି କାହିଁକି କରିଥିଲେ ତାହା ଜାଣିବାର ଅଧିକାର ଆମେ ପ୍ରାପ୍ତ କରିନାହୁଁ। ଏହା ଜାଣିବା ପାଇଁ ଆମର ବୁଦ୍ଧି ବିବେକର ଅଭାବ ଆମ ପାଖରେ ଅଛି। ଆମେ ଜାଣିନାହୁଁ ଯେ ଜଣଙ୍କର ପୂର୍ବ ଜନ୍ମର କର୍ମ ଅନୁସାରେ ତାଙ୍କୁ କ'ଣ ଭାଗ୍ୟ ଦିଆଯିବା ଉଚିତ, ଏହି କଥାଗୁଡ଼ିକ ଶ୍ରୀ ଭଗବାନ ଜାଣନ୍ତି। 
ଶ୍ରୀଭଗବାନଙ୍କ ନିଷ୍ପତ୍ତି ଯଥା, ସେ ଏହା କାହିଁକି କଲେ, କିପରି କଲେ - ମନକୁ ଆସୁଥିବା ଏହି ପ୍ରଶ୍ନଗୁଡ଼ିକ ଅର୍ଥହୀନ ପ୍ରଶ୍ନ।

ପ୍ରଶ୍ନକର୍ତ୍ତା- ଶାଲୁ ଦିଦି
ପ୍ରଶ୍ନ- ଶାନ୍ତି ପ୍ରାପ୍ତି ପରେ, ଆତ୍ମା କ’ଣ ଈଶ୍ୱରଙ୍କ ସହିତ ମିଶିଯାଏ?
ଉତ୍ତର- ମୃତ୍ୟୁ ପରେ ଆତ୍ମା ଈଶ୍ୱରଙ୍କ ସହିତ ବିଲୀନ ହୁଏ ନାହିଁ। ଯଦି ଜଣେ ମୋକ୍ଷ ପ୍ରାପ୍ତ କରେ, ତେବେ ଆତ୍ମା ପରମାତ୍ମାରେ ବିଲୀନ ହୁଏ। ଏହି ମଧ୍ୟବର୍ତ୍ତୀ ସମୟରେ, ଶରୀର ପଶୁ, ପକ୍ଷୀ ଏବଂ ଭୂତ ରୂପରେ ଜନ୍ମ ଗ୍ରହଣ କରେ। ଏହି ଶାସ୍ତି ଶରୀରକୁ ପ୍ରାପ୍ତ ହୁଏ ବା ଶରୀର ଗ୍ରହଣ କରେ, ଆତ୍ମାକୁ ନୁହେଁ।

ପ୍ରଶ୍ନକର୍ତ୍ତା- ଶଶି ଦିଦି
ପ୍ରଶ୍ନ- ନୈନଂ ଛିନ୍ଦନ୍ତି ଶାସ୍ତ୍ରାଣି ନୈନଂ ଦହତି ପାବକଃ ର ଅର୍ଥ କ’ଣ?
ଉତ୍ତର- ଶ୍ରୀ ଭଗବାନ କହିଛନ୍ତି ଯେ ଆମେ ଯାହା ଦେଖୁ, ଚିନ୍ତନ କରୁ,ସେ ସବୁକିଛି ନଷ୍ଟଶୀଳ। ଆତ୍ମା କିନ୍ତୁ ଅମର, ଅବିନାଶୀ। ନା ଅସ୍ତ୍ର ଏହାକୁ କାଟି ପାରିବ, ନା ଅଗ୍ନି ଏହାକୁ ପୋଡ଼ି ପାରିବ, ନା ବାୟୁ ଏହାକୁ ଶୁଖାଇ ପାରିବ, ନା ପାଣି ଏହାକୁ ଓଦା କରିପାରିବ।
ଏହି ଆତ୍ମା ନଷ୍ଟ ହୁଏ ନାହିଁ, କେହି ଏହାକୁ ନଷ୍ଟ ମଧ୍ୟ କରିପାରିବେ ନାହିଁ।

 ॥॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥॥