विवेचन सारांश
କର୍ମବନ୍ଧନର ପରିତ୍ୟାଗ ଏବଂ ମୁକ୍ତିର ପଥ

ID: 7738
उड़िया - ଓଡ଼ିଆ
ଶନିବାର, 09 ଅଗଷ୍ଟ 2025
ଅଧ୍ୟାୟ 15: ପୁରୁଷୋତ୍ତମ ଯୋଗ
1/2 (ଶ୍ଳୋକ 1-5)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା ::

ସୁଲଳିତ ଦେଶାତ୍ମବୋଧକ ଗୀତ, ଶ୍ରୀ ବଲ୍ଲଭଚାର୍ଯ୍ୟ ରଚିତ ମଧୁରାଷ୍ଟକ, ଶ୍ରୀ ହନୁମାନ ଚାଳିଶା ପାଠ ଓ ପ୍ରାର୍ଥନା ପରେ ଦୀପ ପ୍ରଜ୍ବଳନ କରାହେଲା। ଆମେ ସମସ୍ତେ ଅତି ଭାଗ୍ୟବାନ ହୋଇଥିବାରୁ ଏହି ଦିବ୍ୟ ମାର୍ଗରେ ଅଗ୍ରସର ହେବାପାଇଁ ଶ୍ରୀ ଭଗବାନ ଆମକୁ ବାଛିଛନ୍ତି।

ସଦଗୁରୁଙ୍କ ଦୟା, ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ଏହି ସମସ୍ତ ଆୟୋଜନ କରାଯାଇପାରିଛି। ଏଣୁ ରକ୍ଷାବନ୍ଧନର ଏହି ପବିତ୍ର ଅବସରରେ ଜ୍ଞାନଦାତା ଓ ପଥ ପ୍ରଦର୍ଶକ ଶ୍ରୀ ଗୁରୁଙ୍କର ପଦ ପଙ୍କଜରେ ସଶ୍ରଦ୍ଧ ପ୍ରଣିପାତ। ଶ୍ରୀ ଗୁରୁ ଚରଣ କମଳରେ ପ୍ରଣାମ।

ଏହି ମଙ୍ଗଳ ବଚନ ଓ ଶକ୍ତି ଉଦ୍ରେକକାରୀ ପରିବେଶରେ ଶ୍ରୀମଦଭଗବତଗୀତାର ପଞ୍ଚଦଶ ଅଧ୍ୟାୟର ପ୍ରଥମ ଭାଗର ପୂତ ବିବେଚନ ସତ୍ରର ଶୁଭାରମ୍ଭ ଅତି ଆନନ୍ଦ ଉଲ୍ଲାସର ସହିତ ହେଲା।

ଶ୍ରୀ ଭଗବାନଙ୍କର ଅପାର କରୁଣାରୁ ଆମ ସମସ୍ତଙ୍କୁ ଏହି ଅନନ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଛି ଯେ ଆମେ ଏହି ମାନବ ଜୀବନକୁ ଉତ୍କର୍ଷ କରିବାକୁ, ଚରମ ଲକ୍ଷ୍ୟ ପ୍ରାପ୍ତି ନିମିତ୍ତ, ଇହ ଲୋକ ଓ ପରଲୋକର ମଙ୍ଗଳ ନିମିତ୍ତ ଆମେ ଶ୍ରୀମଦଭଗବତ ଗୀତାର ଉଚ୍ଚାରଣ ଶିକ୍ଷା କରୁଛେ। ଶ୍ଳୋକ ଗୁଡିକର ଅର୍ଥ ବୁଝିବାକୁ, ଓ ସେଗୁଡିକୁ ନିଜ ଜୀବନରେ ଆପଣେଇବାକୁ ଚେଷ୍ଟା କରୁଛେ।

ଜଣାନାହିଁ,ଏହା ଆମର ଏହି ଜନ୍ମର ପୂଣ୍ୟ ଫଳ, ପୂର୍ବ ଜନ୍ମର ପୂଣ୍ୟ ଫଳ ବା କୌଣସି ଜନ୍ମରେ କେଉଁ ମହାପୁରୁଷ ଙ୍କର ଦୟାଦୃଷ୍ଟି ଆମ ଉପରେ ପଡିଯାଇଥିବାରୁ ଆମର ଏପରି ଭାଗ୍ୟ ଖୋଲିଯାଇଛି ଯେ ଆମେ ଶ୍ରୀମଦଭଗବତଗୀତା ପାଠ କରିବାପାଇଁ ମନୋନୀତ ହୋଇଛେ। ଶ୍ରୀମଦ ଭଗବତଗୀତା ପଠନ କରିବାପାଇଁ ଆମକୁ ସୁଯୋଗ ମିଳିଥିବାରୁ ଆମେ ସମସ୍ତେ କୃତଜ୍ଞ ହେବା ଉଚିତ। ଆମେ ଶ୍ରୀମଦ ଭଗବତ ଗୀତା ପଢିବାକୁ ସ୍ଥିର କରିନାହାନ୍ତି ବରଂ ଶ୍ରୀ ଭଗବାନଙ୍କର ଅସୀମ କୃପାରୁ ଆମେ ଶ୍ରୀମଦ ଭଗବତଗୀତା ପାଠ କରିବାପାଇଁ ମନୋନୀତ ହୋଇଛେ। ଶ୍ରୀ ଭଗବାନଙ୍କର କୃପା ବ୍ୟତୀତ କେହି ଶ୍ରୀମଦ ଭଗବତ ଗୀତା ପଢ଼ିପାରିବେ ନାହିଁ, ଜାଣିପାରିବେ ନାହିଁ ବା ବୁଝିପାରିବେ ନାହିଁ।

ଆଜି ପବିତ୍ର ରକ୍ଷାବନ୍ଧନ ପର୍ବ ହୋଇଥିବାରୁ ଶ୍ରୀମଦଭଗବତ ଗୀତାଙ୍କର ଗହନ ସମ୍ବାଦ ଜାଣିବା ପୂର୍ବରୁ, ଏହି ପର୍ବ ସମ୍ବନ୍ଧରେ କିଛି ସମୟ ଆଲୋଚନା କରିବା। ଏହି ପବିତ୍ର ରକ୍ଷାବନ୍ଧନ ପର୍ବ ଭାରତ ବର୍ଷରେ ଅତୀବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ଯେପରି କାଳ କ୍ରମେ ନଦୀ ର ଗତି ପରିବର୍ତ୍ତନ ହୁଏ ସେହିପରି କାଳ ସହିତ ତାଳ ଦେଇ ପର୍ବ ପାଳନର ଢଙ୍ଗ ମଧ୍ୟ ବଦଳିଥାଏ। ଆଜି ରକ୍ଷାବନ୍ଧନ ଉତ୍ସବ ଯେପରି ଭାବରେ ପାଳନ କରାଯାଉଥିବାର ଆମେ ଦେଖୁଛେ, ସେହିପରି ପୌରାଣିକ ଇତିହାସରେ ଦେଖିବାକୁ ମିଳେନାହିଁ।

ପ୍ରାଚୀନ କାଳରୁ ଆମର ଏଠାରେ ଏକ ପରମ୍ପରା ଅଛି। - ବ୍ରାହ୍ମଣମାନେ ସମାଜରେ ଥିବା ବ୍ୟକ୍ତିମାନଙ୍କୁ ରକ୍ଷା ସୁତ୍ର ବନ୍ଧନ କରିଥାଆନ୍ତି। 

ଆଜି ମଧ୍ୟ ଆପଣଙ୍କ ଘରେ ହୋମ ଯଜ୍ଞ କରିବା ପୂର୍ବରୁ ବ୍ରାହ୍ମଣ ଦେବତା ସର୍ବ ପ୍ରଥମେ ମନ୍ତ୍ର ଉଚ୍ଚାରଣ କରନ୍ତି -

"येन बद्धो बलि राजा दानवेन्द्रो महाबलः।

तेन त्वामनुबध्नामि रक्षे मा चल मा चल॥"

ଏହା କହି ବ୍ରାହ୍ମଣ ହାତରେ ରକ୍ଷା ସୂତ୍ର ବାନ୍ଧି ଥାଆନ୍ତି। ଏହି ପରମ୍ପରା ଅନାଦି କାଳରୁ ଚାଲି ଆସିଛି ।

ଭାଇ ଭଉଣୀଙ୍କ ସମ୍ବନ୍ଧରେ ବିଷ୍ଣୁ ପୂରାଣ ଓ ଭାଗବତ ମହାପୁରାଣରେ ଗୋଟିଏ କଥା ଅଛି।

ପୌରାଣିକ କଥା - ବାମନ ଅବତାର ଓ ଲକ୍ଷ୍ମୀଙ୍କର ରକ୍ଷା-ସୁତ୍ର :

ବାମନ ଅବତାରରେ ଶ୍ରୀ ଭଗବାନ ରାଜା ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ ଓ ତିନି ପାଦରେ ତିନି ଲୋକ ନେଇଯାଇଥିଲେ। ତିନିଲୋକ ନେଇସାରିବାପରେ ସେ ରାଜା ବଳିଙ୍କୁ ପାତାଳ ଲୋକର ଅଧିପତି କରିଦେଇଥିଲେ। କିନ୍ତୁ କଥା ଦେଇଥିବାରୁ ଭଗବାନ ଶ୍ରୀ ବିଷ୍ଣୁ ରାଜା ବଳିଙ୍କର ଦ୍ୱାରପାଳ ହୋଇ ରହିଗଲେ। ଦୀର୍ଘ କାଳ ପର୍ଯ୍ୟନ୍ତ ଶ୍ରୀ ବିଷ୍ଣୁ ନ ଫେରିବାରୁ ମାତା ଲକ୍ଷ୍ମୀ ଚିନ୍ତିତା ହେଲେ। ସେ ବ୍ରାହ୍ମଣୀ ରୂପରେ ଯାଇ ରାଜା ବଳିଙ୍କ ହସ୍ତରେ ରକ୍ଷା ସୁତ୍ର ବନ୍ଧନ କରିଲେ।

ବଳି କହିଲେ - ଏବେ ଆପଣ ମୋର ଭଉଣୀ ହେଲେ, କୁହନ୍ତୁ ଆପଣ କଣ ଇଚ୍ଛା କରୁଛନ୍ତି?

ସେତେବେଳେ ମାତା ଲକ୍ଷ୍ମୀ ଶ୍ରୀ ବିଷ୍ଣୁଙ୍କୁ ତାଙ୍କ ଠାରୁ ମାଗିନେଲେ। ଏହିପରି ରକ୍ଷା-ସୂତ୍ର, ପ୍ରତିଶୃତି ରକ୍ଷାର ଓ ପ୍ରେମର ଚିହ୍ନ ହୋଇଗଲା।

ଇତିହାସରେ ରକ୍ଷା ବନ୍ଧନ :  

ବହାଦୁର ଶାହ ନାମକ ଜଣେ ମୋଗଲ ଆକ୍ରମଣକାରୀ ଚିତୋର ଉପରେ ଆକ୍ରମଣ କରିଲେ। ମୋଗଲ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହୁମା୍ୟୁନଙ୍କ ନିକଟକୁ ରାଣୀ କର୍ଣ୍ଣାବତୀ ରାକ୍ଷୀ ପ୍ରେରଣ କରିଥିଲେ ଓ ରକ୍ଷା କରିବାକୁ ପ୍ରତିଶୃତି ମାଗିଥିଲେ।

ସିକନ୍ଦରଙ୍କ ପତ୍ନୀ ରୁଖସାନା ରାଜା ପୋରସଙ୍କୁ ରାକ୍ଷୀ ପଠେଇଲେ, ଯାହା ଫଳରେ ଯୁଦ୍ଧରେ ପୋରସ ସିକନ୍ଦରଙ୍କୁ କ୍ଷମା କରିଦେଲେ। ଗୁରୁ ଗୋବିନ୍ଦ ସିଂହ ମଧ୍ୟ ଶିଖ ସମାଜରେ ରକ୍ଷାସୁତ୍ର ବାନ୍ଧିବାର ପରମ୍ପରା ଚଳେଇଥିଲେ।

ଆଧୁନିକ ସମୟରେ ରକ୍ଷା ବନ୍ଧନର ସ୍ୱରୂପ ପରିବର୍ତ୍ତନ :

ଉନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଶ୍ରୀ ରଵୀନ୍ଦ୍ରନାଥ ଠାକୁର ରକ୍ଷାବନ୍ଧନକୁ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତାର ଚିହ୍ନ ବୋଲି କହିଛନ୍ତି। ସେ ବଙ୍ଗଳାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବନ୍ଧୁତା ଓ ସ୍ନେହ ବୃଦ୍ଧି କରେଇବା ଉଦେଶ୍ୟରେ ଏହି ପରମ୍ପରା ଆରମ୍ଭ କରିଥିଲେ। ଏହିପରି କ୍ରମେ ଏହି ପରମ୍ପରା ଭାଇ ଭଉଣୀଙ୍କର ପବିତ୍ର ପ୍ରେମ ହୋଉଯାଇଛି।

ଇତିହାସରେ ଆଉ ଗୋଟିଏ ପ୍ରଥା ଦେଖାଯାଏ :

ରାଜପୁତ ସ୍ତ୍ରୀ ମାନେ ନିଜର ସ୍ୱାମୀଙ୍କୁ ମଧ୍ୟ ରକ୍ଷାସୂତ୍ର ବନ୍ଧନ କରୁଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଯେ ‘ଆପଣଙ୍କ ରକ୍ଷା ପାଇଁ ମୁଁ ପ୍ରାର୍ଥନା କରୁଛି ଓ ଆପଣ ମୋତେ ରକ୍ଷା କରିବାର ପ୍ରତିଶୃତି ଦିଅନ୍ତୁ।

ଏହାର ସାର ହେଉଛି -

ରକ୍ଷାବନ୍ଧନ କେବଳ ଭାଇ ଭଉଣୀଙ୍କ ଭିତରେ ସୀମା୍ବଦ୍ଧ ନୁହେଁ, ଏହା ଏକ ପବିତ୍ର ପ୍ରତିଶୃତି - “ପରିସ୍ଥିତି ଯାହା ବି ହେଉ ମୁଁ ତମଳୁ ରକ୍ଷା କରିବି।”

ଏହାହିଁ ଏହି ପବିତ୍ର ପର୍ବର ଆତ୍ମା ଓ ଏହା ସନାତନୀ ପରମ୍ପରା।

ଆଜି ଆମେ ଶ୍ରୀମଦ ଭଗବତଗୀତାର ପଞ୍ଚଦଶ ଅଧ୍ୟାୟର ଆଲୋଚନା ଆରମ୍ଭ କରିବା।

ଗତ ଦୁଇ ସପ୍ତାହ ହେଲା ଆମେ ଦ୍ୱାଦଶ ଅଧ୍ୟାୟ, ଭକ୍ତିଯୋଗର ଆଲୋଚନା କରିଛେ। ଏହି ଅଧ୍ୟାୟ ଅତି ସରଳ, ମଧୁର ଓ ହୃଦୟ ସ୍ପର୍ଶୀ, ଯେଉଁଥିରେ ଶ୍ରୀ ଭଗବାନ, ଭକ୍ତର ଅଣଚାଲିସ ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି।

ଏବେ ଆମେ ପଞ୍ଚଦଶ ଅଧ୍ୟାୟରେ ପ୍ରବେଶ କରିକି, ଜ୍ଞାନ ଯୋଗ ବିଷୟରେ ଆଲୋଚନା କରିବା।

ଏହା ଏକ ଛୋଟ ଅଧ୍ୟାୟ, କିନ୍ତୁ ଗଭୀର ଏବଂ ଅନେକ ଶକ୍ତିଶାଳୀ।

ଏହା ଏକମାତ୍ର ଅଧ୍ୟାୟ, ଯାହାକୁ ଶ୍ରୀ ଭଗବାନ ନିଜେ ‘ଶାସ୍ତ୍ର’ ଭାବରେ ଅଭିହିତ କରିଛନ୍ତି। ଅଧ୍ୟାୟର ଶେଷ ଶ୍ଳୋକରେ ଶ୍ରୀ ଭଗବାନ ସ୍ପଷ୍ଟ କହଛନ୍ତି -

 "इति गुह्यतमं शास्त्रमिदमुक्तं मयानघ।

एतद्बुद्ध्वा बुद्धिमान्स्यात्कृतकृत्यश्च भारत॥"

ଏହି ଅଧ୍ୟାୟରେ ଈଶ୍ୱର, ପ୍ରକୃତି ଓ ଜୀବ, ଏହି ତିନି ବିଷୟରେ ଗଭୀର ଆଲୋଚନା କରା ଯାଇଛି। ଏମାନଙ୍କ ଉପରେ (ଉର୍ଦ୍ଦ୍ୱରେ) ଆଉ କିଛି ତତ୍ୱ ନାହିଁ, ତେଣୁ ଏହାକୁ ଶାସ୍ତ୍ର କୁହାଯାଇଛି। 

ଭାରତୀୟ ପରମ୍ପରାରେ ପଞ୍ଚଦଶ ଅଧ୍ୟାୟର ସ୍ୱତନ୍ତ୍ର ମହତ୍ତ୍ୱ ଅଛି। ଏହା ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ଅନେକ ସ୍ଥାନରେ ଏହାକୁ ପଠନ କରାଯାଏ।

ଭୋଜନ ସମୟରେ ଗୋଟିଏ ଅଧ୍ୟାୟ ପଢିବାକୁ ଥିଲେ ଏହା ପଢ଼ାଯାଏ, ବିବାହ ସମୟରେ ଏହି ଅଧ୍ୟାୟକୁ ପଢ଼ାଯାଏ, ମୃତ୍ୟୁ ଶଯ୍ୟାରେ ଥିବା ବ୍ୟକ୍ତିକୁ ଗୋଟିଏ ମାତ୍ର ଅଧ୍ୟାୟ ଶୁଣେଇବାକୁ ଥିଲେ ଏହା ପଢ଼ାଯାଏ। ଏପରିକି ସଂସାର ତ୍ୟାଗ କରିଯାଇଥିବା ବ୍ୟକ୍ତି ପାଇଁ ପୁରା ଗୀତା ପଢ଼ିବାର ସମୟ ନଥିଲେ ଏହି ଗୋଟିଏ ଅଧ୍ୟାୟ ପଢିବାର ପରମ୍ପରା ଅଛି।

ମଙ୍ଗଳ ହେଉ ବା ଅମଙ୍ଗଳ, ଭୋଜନ ହେଉ ବା ବିଦାୟ, ପ୍ରତ୍ୟେକ ସ୍ଥାନରେ ପଞ୍ଚଦଶ ଅଧ୍ୟାୟ ଆଗ୍ରହ ସହକାରେ ପାଠ କରାଯାଏ। କାରଣ ଶ୍ରୀ ଭଗବାନ କେବଳ ଏହାକୁ ଶାସ୍ତ୍ରର ମାନ୍ୟତା ଦେଇନାହାନ୍ତି ବରଂ ଏଥିରେ ନିଜର ପୁରୁଷୋତ୍ତମ ସ୍ୱରୂପର ଉନ୍ମୋଚନ କରିଛନ୍ତି।

ଶ୍ରୀମଦ ଭାଗବତ ଗୀତା ପଠନର ମହତ୍ତ୍ୱ -

ଶ୍ରୀମଦ ଭାଗବତ ଗୀତା ପଢିବା ହିଁ ଜୀବନର ଏକ ବଡ଼ ଉପଲବ୍ଧି।

ଶ୍ରୀମଦ ଭଗବତ ଗୀତା ମାହାତ୍ମ୍ୟରେ ଶ୍ରୀ ବେଦବ୍ୟାସ କହିଛନ୍ତି -

“गीता सुगीता कर्तव्या किमन्यैः शास्त्रविस्तरैः।

या स्वयं पद्मनाभस्य मुखपद्माद्विनिःसृता॥”

ଅର୍ଥାତ୍‍‍, ଶ୍ରୀମଦ ଭଗବତ ଗୀତା, ଭଲଭାବରେ ପଢ଼ିଦେଲେ ଅନ୍ୟ ଶାସ୍ତ୍ର ପଠନ ନକରି ପାରିଲେ ମଧ୍ୟ କିଛି କ୍ଷତି ହେବ ନାହିଁ।

କାରଣ ବେଦଗୁଡିକ ଶ୍ରୀ ଭଗବାନଙ୍କର ନିଶ୍ୱାସରୁ ଜାତ ବୋଲି ମନେ କରାଯାଏ। ଯେତେବେଳେ ଭଗବାନ ଶ୍ରୀ ବିଷ୍ଣୁ ଯୋଗନିଦ୍ରାରେ ଥାଆନ୍ତି ସେତେବେଳେ ତାଙ୍କର ପ୍ରଶ୍ୱାସରୁ ବେଦ ଗୁଡିକ ଜାତ ହୋଇଥାନ୍ତି। କିନ୍ତୁ ଶ୍ରୀମଦ ଭଗବତ ଗୀତା ଭଗବାନଙ୍କର ମୁଖରୁ ନିଃସୃତ। ଏହା ହେଉଛି ଏହାର ବିଶେଷ ମହତ୍ତ୍ୱ।

ଶ୍ରୀମଦ ଭଗବତ ଗୀତା - ସମସ୍ତ ଉପନିଷଦ ଗୁଡିକର ସାର।

ଶାସ୍ତ୍ର ଗୁଡିକରେ ଶ୍ରୀମଦଭଗବତଗୀତାକୁ ଏପରି ବର୍ଣ୍ଣନା ଲରାଯାଇଛି।

“सर्वोपनिषदो गावो, दोग्धा गोपाल-नन्दनः।

पार्थो वत्सः सुधीर्भोक्ता, दुग्धं गीतामृतं महत्॥”

ସମସ୍ତ ଉପନିଷଦ ଗୋ ସଦୃଶ ମନେକଲେ, ଭଗବାନ ଶ୍ରୀକୃଷ୍ଣ ଗୋପାଳ (ଗଉଡ଼) ସଦୃଶ। ଅର୍ଜୁନ ବାଛୁରୀ ଓ ଗୀତା ଅମୃତମୟ ଦୁଗ୍ଧ ସଦୃଶ। ବୁଦ୍ଧିମାନ ଲୋକ ଏହାକୁ ପାନ କରନ୍ତି।

ଅର୍ଜୁନଙ୍କୁ କାହିଁକି ମାଧ୍ୟମ କରାଯାଇଛି -

ଶ୍ରୀ ଭଗବାନ ଶ୍ରୀ ଅର୍ଜୁନ ଙ୍କୁ ଶ୍ରୀମଦଭଗବତଗୀତା ଶୁଣେଇଲେ। ପ୍ରକୃତରେ ଶ୍ରୀ ଅର୍ଜୁନଙ୍କ ନିମନ୍ତେ ଏହି ଶ୍ରୀମଦ ଭଗବତ ଗୀତା ନଥିଲା। ଅର୍ଜୁନଙ୍କୁ ଏହାର ଆବଶ୍ୟକତା ନଥିଲା। ଶ୍ରୀ ଭଗବାନ ଅର୍ଜୁନଙ୍କୁ ଦୁଇ ଚାପୁଡ଼ା ମାରିକି କହିଦେଇଥିଲେ ଅର୍ଜୁନ ସହସା ତାଙ୍କ କଥା ଅନୁଯାୟୀ କରିଥାନ୍ତେ। ଶ୍ରୀ ଭଗବାନ ତାଙ୍କର ଅବସ୍ଥା ଦେଖି ଚିନ୍ତା କରିଲେ, ଯେତେବେଳେ ମୋହ ଓ ଭ୍ରମ ଯୋଗୁଁ ବୁଦ୍ଧି ଭ୍ରଷ୍ଟ ହୋଇ ଏପରି ଅବସ୍ଥା ଅନେକ ମନୁଷ୍ୟଙ୍କ ଜୀବନରେ ଆସିଥାଏ।

ଶ୍ରୀ ଭଗବାନଙ୍କୁ ଜଣାଥିଲା ଆଗାମୀ ଯୁଗରେ ହଜାର ହଜାର ବର୍ଷ ପରେ ମାନବର ମାନସିକ ସ୍ଥିତି କେବେ କେବେ ଦୋହଲିଯିବ। ଲୋକମାନେ ଚିନ୍ତା, ଯନ୍ତ୍ରଣା ଓ ଦୁଃଖରେ ଡୁବିଯିବେ। ତେଣୁ ଅର୍ଜୁନଙ୍କୁ ମାଧ୍ୟମ କରି ଶ୍ରୀ ଭଗବାନ ଶ୍ରୀମଦଭଗବତଗୀତା ଉପଦେଶ ସମ୍ପୂର୍ଣ୍ଣ ମାନବ ଜାତିର ମଙ୍ଗଳ ପାଇଁ ଦେଇଛନ୍ତି। ଯେପରି ଗାଈର ଦୁଧ ଦୋହନ କରିବା ପୂର୍ବରୁ ତା ପାଖକୁ ବାଛୁରୀ ଅଣା ଯାଏ। ବାଛୁରୀକୁ ଦେଖିବାମାତ୍ରେ ଗାଈର ସ୍ତନରୁ କ୍ଷୀର ଝରିଯାଏ। କିଛି ସମୟ ବାଛୁରୀକୁ କ୍ଷୀର ପିଏଇବାପରେ ଅଲଗା କରିଦିଅନ୍ତି, ତାପରେ ଗଉଡ଼ ଅବଶିଷ୍ଟ ଦୁଗ୍ଧ ଦୋହନ କରନ୍ତି।

ସେହିପରି ଅର୍ଜୁନ ହେଉଛନ୍ତି ସେହି ବାଛୁରୀ, ଯାହାର ଆଳରେ ଶ୍ରୀ ଭଗବାନ ଜ୍ଞାନାମୃତ ଦୋହନ କରି ସମ୍ପୂର୍ଣ୍ଣ ବିଶ୍ୱକୁ ଶ୍ରୀମଦଭଗବତ ଗୀତା ରୂପରେ ଦେଇଛନ୍ତି।

ଏହା ଏକ ଗୁଢ଼ ଅଧ୍ୟାୟ, ଯାହାକୁ ଶ୍ରୀ ଭଗବାନ ଏକ ରୂପକରୁ ଆରମ୍ଭ କରିଛନ୍ତି।


15.1

ଶ୍ରୀଭଗବାନୁବାଚ
ଊର୍ଦ୍ଧ୍ୱମୂଲମଧଃ(ଶ୍) ଶାଖମ୍, ଅଶ୍ୱତ୍ଥଂ(ମ୍) ପ୍ରାହୁରବ୍ୟୟମ୍।
ଛନ୍ଦାଂସି ୟସ୍ୟ ପର୍ଣ୍ଣାନି, ୟସ୍ତଂ(ୱ୍ଁ) ବେଦ ସ ବେଦବିତ୍॥15.1॥

ଶ୍ରୀ ଭଗବାନ କହିଲେ --- ଉପରକୁ ମୂଳ ଓ ତଳକୁ ଶାଖା ବ୍ୟାପିଥିବା ଯେଉଁ ସଂସାରରୂପକ ଅଶ୍ବତ୍ଥ ବୃକ୍ଷକୁ (ପ୍ରବାହରୂପେ) ଅବ୍ୟୟ କହନ୍ତି ଓ ବେଦମାନେ ଯାହାର ପତ୍ର, ସେହି ସଂସାର-ବୃକ୍ଷକୁ ଯେ ଜାଣେ, ସେ ସମସ୍ତ ବେଦର ଜ୍ଞାତା ।

ବିବେଚନ -

ସାଧାରଣ ଭାବରେ ଏହି ଶ୍ଳୋକର ଅର୍ଥ ବୁଝିବା କଷ୍ଟକର। ଏଥିରେ ବ୍ରହ୍ମ ରୁପର ମୁଖ୍ୟ ତତ୍ତ୍ୱ ଆଦିପୁରୁଷ ପରମେଶ୍ୱରଙ୍କୁ ସଂସାର ରୂପକ ଅଶ୍ୱଥ ବୃକ୍ଷର ଜଡ (ଚେର) ବୋଲି କୁହାଯାଇଛି। ସେହି ସଂସାର ବୃକ୍ଷର ଶାଖା ଗୁଡିକ ବ୍ରହ୍ମରୁପୀ ଓ ପତ୍ର ଗୁଡିକୁ ବେଦ ବୋଲି କୁହାଯାଇଛି। ଯେଉଁ ବ୍ୟକ୍ତି ଏହି ସଂସାର ବୃକ୍ଷର ମୂଳ ତତ୍ତ୍ୱକୁ ବୁଝିଛି ସେ ବେଦର ପ୍ରକୃତ ଅର୍ଥ ଜାଣେ।

ସନ୍ଥ ଓ ମହାପୁରୁଷଙ୍କ ବିବେଚନ, ଆଲେଖ ଓ ଟିକା ଗୁଡିକୁ ଦେଖିଲେ ହିଁ ଏହି ଶ୍ଳୋକର ପ୍ରକୃତ ଅର୍ଥ ସ୍ପଷ୍ଟ ହୁଏ।

ଏହି ଶ୍ଳୋକରେ ଶ୍ରୀ ଭଗବାନ ଅଶ୍ଵଥ ଗଛର ଉପମା ଦେଇଛନ୍ତି ଯାହା ଅନନ୍ତ ବ୍ରହ୍ମାଣ୍ଡ ଓ ସୃଷ୍ଟିର ଗୁଢ଼ ରହସ୍ୟକୁ ବୁଝିବାପାଇଁ ପଥ ପ୍ରଦର୍ଶକ ସମ କାର୍ଯ୍ୟ କରେ।

ସାଧାରଣତଃ ଆମେ ଜାଣୁ ଯେ ବୃକ୍ଷର ର ଡାଳ ଉପରକୁ ବଢେ ଓ ଚେର ମାଟି ତଳକୁ ଯାଏ। କିନ୍ତୁ ଶ୍ରୀ ଭଗବାନ କହିଛନ୍ତି ଯେ ଏହି ଅଶ୍ଵଥ ବୃକ୍ଷର ଚେର ଉପରକୁ ଓ ଶାଖା ଗୁଡିକ ତଳକୁ ମାଡିଥାଏ। ତେଣୁ, ଏହାକୁ ‘ଊର୍ଧ୍ୱ ମୂଳ ମଧହଃ ଶାଖମ’ କୁହାଯାଇଛି, ଯେଉଁଠାରେ ଊର୍ଧ୍ୱ ର ଅର୍ଥ ଉପରକୁ ଓ ମୂଳର ଅର୍ଥ ଚେର, ବା ଜଡ।

ଏହା ଶୁଣି ମନରେ ପ୍ରଶ୍ନ ଆସେ ଏହା କିପରି ସମ୍ଭବ?

ଏହା ତ କେବଳ ଏକ ଦିଶାତ୍ମକ ଦୃଷ୍ଟିକୋଣ, କିନ୍ତୁ ଏହା ପଛରେ ଏକ ଗହନ ତତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଲୁଚି ରହିଛି ଯାହା ବୁଝିବାପାଇଁ ଗୋଟିଏ ସହଜ ଉପଯୁକ୍ତ ଉଦାହରଣ ନେବା।

ଚିନ୍ତା କରନ୍ତୁ କୌଣସି ବିଦ୍ୟାଳୟର ତୃତୀୟଶ୍ରେଣୀ ଦ୍ଵିତୀୟ ମହଲାରେ, ଓ ଚତୁର୍ଥ ଶ୍ରେଣୀ ପ୍ରଥମ ମହଲା ରେ। ଜଣେ ଛାତ୍ର ତୃତୀୟ ଶ୍ରେଣୀ ପରୀକ୍ଷା ଦେଇ ଚତୁର୍ଥ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ତାକୁ ତଳକୁ ଯିବାକୁ ପଡିବ। ସେ କେବଳ ଭୌତିକ ଦୃଷ୍ଟିରେ ତଳ କକ୍ଷାକୁ ପଢିବାକୁ ଯାଇଛି, କିନ୍ତୁ ବାସ୍ତବରେ ସେ ତଳକୁ ଯାଇଛି ବୋଲି ଆମେ କହିପାରିବା ନାହିଁ। କାରଣ ଏଠାରେ ଶିକ୍ଷାର ସ୍ତର ଗୁଣ ଓ ଶ୍ରେଷ୍ଠତାକୁ ବିଚାର କରାଯାଉଛି। ଏହା ହେଉଛି ଉର୍ଧ୍ଵ, ଅର୍ଥାତ ଶ୍ରେଷ୍ଠତା ଆଡକୁ ଅଗ୍ରସର ହେବା।

ଏହି ଉଦାହରଣ ରୁ ଜଣାଯାଏ ଯେ ‘ଉର୍ଧ୍ଵ’ କେବଳ ସ୍ଥାନ ବା ଦିଗ ନୁହେଁ, ପରନ୍ତୁ ଶ୍ରେଷ୍ଠତା, ମୂଳ ତଥା ପରମ ସ୍ରୋତ ଆଡକୁ ଅଗ୍ରସର ହେବାର ଚି଼ହ୍ନ।

ଶ୍ରୀ ଭଗବାନ ଏହା ବୁଝେଇବାକୁ ଇଚ୍ଛା କରୁଛନ୍ତି ଯେ ଯେପରି ଶରୀରରେ ମୁଣ୍ଡ ହେଉଛି ତାର ମୁଖ୍ୟ ଆଧାର, ଓ ତାର ଅଙ୍ଗ ପ୍ରତ୍ୟଙ୍ଗ ହେଉଛି ଶାଖା ପ୍ରଶାଖା ସେହିପରି ବ୍ରହ୍ମାଣ୍ଡରେ ଜଡ (ମୂଳ) ହେଉଛି ମୁଖ୍ୟ ଆଧାର। ଶାଖା ଗୁଡିକ ଭାଙ୍ଗି ଗଲେ ଚଳିବ,କିନ୍ତୁ ଜଡ ବ୍ୟତୀତ ଅସ୍ତିତ୍ୱ ଅସମ୍ଭବ।

ଏହିପରି “ଉର୍ଦ୍ଧ୍ୱମୂଳମଧଃ(ଶ୍) ଶାଖମ” ର ଏହି ଉଦାହରଣ ଆମକୁ ଗଭୀର ଦାର୍ଶନିକ ଚିନ୍ତନ ଆଡକୁ ନେଇଯାଏ, ଯେଉଁଠାରେ ଉର୍ଧ୍ଵ ର ଅର୍ଥ କେବଳ ଉପର ଆଡକୁ ନୁହେଁ ପରନ୍ତୁ ସର୍ବଶ୍ରେଷ୍ଠ ଉଚ୍ଚତା, ମୂଳ ଓ ସ୍ଥିରତା ଅଟେ।

ଅଶ୍ଵଥମ୍ ପ୍ରାହୁରବ୍ୟୟମ୍ - ଅଶ୍ଵଥ ର ଗୋଟିଏ ଅର୍ଥ ହେଉଛି ପିପ୍ପଳ ବୃକ୍ଷ ଯାହା ଅତି ଚଞ୍ଚଳ। ପବନ ପ୍ରବାହିତ ହେଉ ବା ନ ହେଉ ଏହାର ପତ୍ରଗୁଡିକ ସର୍ବଦା ହଲୁଥାଏ। ଏପରି ସଂସାର ମଧ୍ୟ ଅନବରତ ପରିବର୍ତ୍ତନ ଶୀଳ, ଜୀବିତ ଓ ଗତିଶୀଳ।

‘ଶ୍ୱ’ ର ଅର୍ଥ ହେଉଛି ଆସନ୍ତା କାଲି, ଅର୍ଥାତ ଭବିଷ୍ୟତ।

‘ଅଶ୍ୱ’ ର ଅର୍ଥ ହେଉଛି ଯାହା କାଲି ନ ରହିବ ଅର୍ଥାତ ପ୍ରତ୍ୟେକ ମୁହୂର୍ତ୍ତରେ ଯାହା ବଦଳୁଥାଏ, ଯାହା ସ୍ଥିର ନୁହେଁ। ଆମର ଦେହ, ଆମର ସଂସାର, ପ୍ରତ୍ୟେକ ବସ୍ତୁ ପ୍ରତିକ୍ଷଣ ବଦଳୁଥାଏ। କୋଷ ଗୁଡିକ ମରୁଥାନ୍ତି ଓ ନୂତନ ନୂତନ ସୃଷ୍ଟି ହେଉଥାନ୍ତି। ବାଳ ବଢୁଥାଏ କିନ୍ତୁ ଆମେ ଏହି ପରିବର୍ତ୍ତନକୁ ଅନୁଭବ କରିପାରନ୍ତି ନାହିଁ।

‘ବ୍ୟୟମ୍’ ର ଅର୍ଥ ପରିବର୍ତ୍ତନ କିନ୍ତୁ ନଷ୍ଟ ହେବା ନୁହେଁ। ଯେପରି କାଗଜ ଜଳିଗଲେ ପାଉଁଶ ହୋଇଯାଏ। ପାଣିରେ ପଚିଗଲେ କାଦୁଅ ପରି ମେଞ୍ଚା ହୋଇଯାଏ, ଆକାରରେ ପରିବର୍ତ୍ତନ ଆସେ କିନ୍ତୁ ସମ୍ପୂର୍ଣ୍ଣ ନଷ୍ଟ ହୁଏନାହିଁ। ଏପରି ସଂସାରର ଯେ କୌଣସି ବସ୍ତୁ ନଷ୍ଟ ହୁଏ ନାହିଁ, କେବଳ ତାର ରୂପ ବଦଳିଯାଏ। ଲକ୍ଷ୍ୟ ଲକ୍ଷ୍ୟ କୋଟି କୋଟି ଲୋକ ଜନ୍ମ ହେଉଥାନ୍ତି ଓ ମରୁଥାନ୍ତି, ତଥାପି ପୃଥିବୀର ଓଜନ ବଢେ ନାହିଁ ବା କମେନାହିଁ।

ପଞ୍ଚ ତତ୍ତ୍ୱ- ପୃଥିବୀ, ଜଳ, ଅଗ୍ନି, ବାୟୁ,ଓ ଆକାଶରେ ଆମର ଶରୀର ନିର୍ମିତ୍ତ। ପୃତ୍ୟୁ ପରେ ଏହି ତତ୍ତ୍ୱ ସବୁ ନିଜର ମୂଳ ରୂପକୁ ଫେରିଯାଆନ୍ତି। ଶକ୍ତି ମଧ୍ୟ ନିରନ୍ତର ବଦଳୁଥାଏ। ପଦାର୍ଥ ଶକ୍ତିକୁ ରୂପାନ୍ତରିତ ହେଉ ଥାଏ ଓ ଶକ୍ତି ପଦାର୍ଥକୁ। ଅସ୍ତିତ୍ୱ ରହିଥାଏ କେବଳ ରୂପ ପରିବର୍ତ୍ତନ ହେଉଥାଏ।

ଏହି ଉପମାରୁ ଆମେ ସେହି ଚିରନ୍ତନ ସତ୍ୟ ବିଷୟରେ ଅବଗତ ହେଉ ଯେ ଆମକୁ ଯାହାସବୁ ଦୃଶ୍ୟ ହେଉଛି ସମସ୍ତ ପରିବର୍ତ୍ତନଶୀଳ, କେବଳ ତାହାର ଜଡ (ମୂଳ) ତାହାର ଆଧାର, ସ୍ୱୟଂ ଶ୍ରୀ ଭଗବାନ ହେଉଛନ୍ତି ଅବିନାଶୀ ଓ ଶାଶ୍ୱତ। ଏହି ଶ୍ଳୋକ ଦ୍ୱାରା ଆମକୁ ଶ୍ରୀ ଭଗବାନ ଜଣେଇଛନ୍ତି ଯେ ସଂସାର ଅନିତ୍ୟ ଓ ଯାହା ସ୍ଥିର ତାହା ପରମ ସତ୍ୟ।

ଛନ୍ଦାଂଶୀ - ବୃକ୍ଷରେ କୋଟି କୋଟି ପତ୍ର ଥାଏ, ଯେଉଁଗୁଡିକୁ ଗଣନା କରିବା ଅସମ୍ଭବ। ସେହିପରି ସଂସାରରେ ଜ୍ଞାନ ର ଅଗଣିତ ପତ୍ର ଅଛି। କେହି ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରିସାରିଛି ବୋଲି ନିଶ୍ଚିତ ଭାବରେ କହିପାରିବ ନାହିଁ।

ଜ୍ଞାନ ଲାଭ କରିବାର ମଧ୍ୟ ବିଭିନ୍ନ ସ୍ତର ଅଛି -

  • କେତେକଙ୍କ ନିମନ୍ତେ ଶ୍ରୀମଦ ଭଗବତ ଗୀତା ଉପରେ ହାତ ରଖି ଶପଥ ଗ୍ରହଣ କରିବା ହିଁ ଜ୍ଞାନର ଏକ ସ୍ତର।

  • କିଏ କହେ ଏହି ଶାସ୍ତ୍ର ଅର୍ଜୁନ ଓ ଶ୍ରୀ ଭଗବାନଙ୍କ ପ୍ରଶ୍ନ ଉତ୍ତରର ସାର।

  • କିଏ ଶ୍ଳୋକ କଣ୍ଠସ୍ଥ କରି ବୋଲି ପାରନ୍ତି।

  • କିଏ ଶ୍ଳୋକର ଅର୍ଥ ମଧ୍ୟ ବୁଝିପାରନ୍ତି ।

  • କିଏ କେବଳ ଅର୍ଥ ବୁଝିବାରେ ସୀମିତ ନରହି, ତାର ଗୁଢ଼ ଅର୍ଥ ବିବେଚନ ବି ଶୁଣନ୍ତି।

  • ସ୍ୱାମୀଜୀଙ୍କ ପରି କେତେକ ଶ୍ରେଷ୍ଠ ମହାପୁରୁଷ ଅଛନ୍ତି ଯିଏ ଏହି ଉପଦେଶ ଗୁଡିକୁ ଜୀବନରେ ଅନୁସରଣ କରନ୍ତି।

ଏହିପରି ଜ୍ଞାନର ବହୁତ ରୂପ ଓ ସ୍ତର ରହିଛି। ପ୍ରତ୍ୟେକଙ୍କର ବୁଝିବା ଓ ଅନୁଭବ ଭିନ୍ନ। ଜ୍ଞାନର ଏହି ବ୍ୟାପକତା ଅନନ୍ତ। ଏଠାରେ ପୂଜ୍ୟ ସ୍ୱାମୀଜୀଙ୍କର ପ୍ରାୟ ଚାଳିଶ ବର୍ଷ ପୂର୍ବର ଗୋଟିଏ ଘଟଣା ଏଠାରେ ପ୍ରକାଶ ଯୋଗ୍ୟ।

ଚେନ୍ନାଇରେ ପ୍ରବଚନ ଦେବାକୁ ଯିବା ସମୟରେ ସ୍ୱାମୀଜୀ ଯେଉଁ ଯଜମାନଙ୍କ ଘରେ ରହୁଥିଲେ, ସେଠାରେ ତାଙ୍କର ପାଞ୍ଚ ବର୍ଷର ପୁଅ ଦିନେ ବଡ ଆଗ୍ରହ ସହକାରେ ଇଁରାଜୀ ଖବର କାଗଜ ଦେଖୁଥିଲେ। ପାଞ୍ଚ ବର୍ଷର ବାଳକ କିପରି ଇଁରାଜୀ ଖବର କାଗଜ ପଢିପାରୁଛି ବୋଲି ସ୍ୱାମୀଜୀଙ୍କ ମନରେ ପ୍ରଶ୍ନ   ଆସିଲା।

ସ୍ନେହରେ ସ୍ୱାମୀଜୀ ସେ ବାଳକକୁ ପଚାରିଲେ, ‘ପୁଅ ତମେ କଣ ଇଁରାଜୀ ପଢିପାରୁଛ?’

ବାଳକ ଆତ୍ମବିଶ୍ଵାସ ର ସହିତ ଉତ୍ତର ଦେଲା, “ହଁ ସ୍ୱାମୀଜୀ, ମୁଁ ଇଁରାଜୀ ପଢ଼ିପାରେ‘।

ଆଉ ତାପରେ ସେ ପଢ଼ି ଶୁଣେଇଲା - ‘T I M E S’

ସ୍ୱାମୀଜୀ ପଚାରିଲେ - ଏହାର ଅର୍ଥ? ‘

ସହଜ ଭାବରେ ବାଳକଟି କହିଲା - “ ମୋତେ ତ ଏତିକି ପଢି ଆସେ ’’

ଖବର କାଗଜ ପଢ଼ିପାରେ ବୋଲି ବାଳକ କହିଥିବା କଥା ମିଛ ନୁହେଁ। ସେ ଅକ୍ଷର ଚିହ୍ନିଛି। ଶବ୍ଦ ଠିକ ଭାବରେ କହି ପାରେନାହିଁ ବା ତାର ଅର୍ଥ ବୁଝିପାରେନାହିଁ। ସେ କେବଳ ଅକ୍ଷର ଚିହିଁବା ସ୍ତର ଯାଏଁ ପହଞ୍ଚିଛି। ପ୍ରକୃତରେ ଯେପରି ଅର୍ଥ ବୁଝି ପଢିବା କଥା, ତାହା ତାକୁ ଏବେ ଜଣା ନାହିଁ।

ଆମର ବି ବେଳେବେଳେ ସେପରି ପରିସ୍ଥିତି ହୁଏ। ବହୁତ ଥର ଆମେ ଭାବୁ ଆମକୁ ସବୁ ଜଣା ଅଛି, କିନ୍ତୁ ଆମର ଜାଣିବାର ସ୍ତର ପ୍ରକୃତରେ କଣ ତାହା ଚିନ୍ତା କରିବା କଥା। ଆମେ ସେ ବାଳକ ସଦୃଶ ପ୍ରାରମ୍ଭିକ ସ୍ତରରେ ଥାଇ ନିଜକୁ ଜ୍ଞାନୀ ବୋଲି ମାନୁନାହାନ୍ତି ତ?

ହୁଏତ, ଶ୍ରୀମଦ ଭଗବତ ଗୀତା ବିଷୟରେ ଆମର ସ୍ଥିତି ମଧ୍ୟ ଏହିପରି। ଆମ ମଧ୍ୟରୁ ଅନେକ ଭାବନ୍ତି ଯେ ଆମକୁ ସବୁ କିଛି ଜଣା କିନ୍ତୁ ପ୍ରକୃତରେ ଅର୍ଥ ବୁଝିବା ଓ ଗଭୀର ଭାବରେ ସବୁ ଜାଣିବା ଏବେ ମଧ୍ୟ ବାକି ଅଛି।

ଏଣୁ ଶ୍ରୀମଦ ଭଗବତ ଗୀତାର ଏହି ଅଦ୍ଭୁତ ଯାତ୍ରାରେ ଆଗକୁ ଯିବା ପୂର୍ବରୁ ଆସନ୍ତୁ, ଗୋଟିଏ ମଜାଦାର କଥା ଶୁଣିବା -

ଦୁଇଜଣ ସାଙ୍ଗ ଥିଲେ। ଶ୍ରବଣ କୁମାର ଓ ଜ୍ଞାନ ଦେବ। ଦୁଇଜଣ ବଡ ସାଧକ ଥିଲେ। ଶ୍ରବଣ କୁମାର ଭକ୍ତି ମାର୍ଗରେ ଓ ଜ୍ଞାନଦେବ ଜ୍ଞାନ ମାର୍ଗରେ ଅଭ୍ୟାସ କରୁଥିଲେ। ନିଜ ନିଜ ମାର୍ଗରେ କେତେ ବର୍ଷ ପର୍ଯ୍ୟନ୍ତ ଅଭ୍ୟାସ କରିଲେ। ଦିନେ ଜ୍ଞାନଦେବ ଶ୍ରବଣ କୁମାରଙ୍କ ଘରକୁ ଅସି କହିଲେ, ‘ବନ୍ଧୁ! ଆଜି ମୁଁ ମାନସ୍ଥ କରିଛି ଆପଣଙ୍କ ଠାରୁ ଭକ୍ତି ମାର୍ଗର ଶିକ୍ଷା ଗ୍ରହଣ କରିବି’।

ଦୁଇଜଣ ଉତ୍ତମ ବନ୍ଧୁ ଥିଲେ। ସେମାନେ ପରସ୍ପରକୁ ଭଲଭାବରେ ଜାଣିଥିଲେ। ଆଗରୁ ନିଜ ନିଜ ମାର୍ଗ ସପକ୍ଷରେ ଆନେକ ଯୁକ୍ତି କରିଛନ୍ତି। ହଠାତ୍‍‍ ଏପରି କଥା ଶୁଣି ଶ୍ରବଣ କୁମାର ସ୍ନେହରେ କହିଲେ - “ହଉ ଆଗେ ବସ, ପାଣି ପିଅ, ତାପରେ କଥା ହେବା।

ଜ୍ଞାନ ଦେବ କହିଲେ - ‘ ଏତେ ଶିଷ୍ଟାଚାରିତାର କି ଆବଶ୍ୟକ ଅଛି’

କିନ୍ତୁ ଶ୍ରବଣ କୁମାର ପାଣି ଗ୍ଲାସଟିଏ ଆଣି ତାଙ୍କୁ ଦେଲେ।

ଜ୍ଞାନ ଦେବ ତୃଷା ଅନୁଭବ ନ କରୁ ଥିଲେ ମଧ୍ୟ ବନ୍ଧୁଙ୍କର ଆଗ୍ରହକୁ ଉପେକ୍ଷା କରିବା ଠିକ ନୁହେଁ ବୋଲି ଚିନ୍ତା କରି ପାଣି ଢୋକେ ପାନ କରି ଗ୍ଲାସ ରଖିଦେଲେ।

ସେତିକିବେଳେ ଶ୍ରବଣ କୁମାର କହିଲେ, ‘ଅଧିକ ପାଣି ପିଅନାହିଁ, ମୁଁ ସର୍ବତ ନେଇକି ଆସୁଛି’। ଜ୍ଞାନ ଦେବ ଚିନ୍ତା କରିଲେ ଆମ ଦୁଇଜଣଙ୍କର ବନ୍ଧୁତା ବହୁତ ପୁରୁଣା, କିନ୍ତୁ ଶ୍ରବଣ କୁମାର କେବେ ତ ଏପରି ଔପଚାରିକତା କରିନାହାନ୍ତି, ଆଜି କଣ ହେଲା?

କିଛି ସମୟ ପରେ ଶ୍ରବଣ କୁମାର ଗୋଟେ ଲୋଟା ଥଣ୍ଡା ସରବତ ନେଇକି ଆସିଲେ ଓ ଆଗରୁ ରଖା ଯାଇଥିବ ପାଣି ଗ୍ଲାସରେ ଢାଳିବାକୁ ଲାଗିଲେ। ଗ୍ଲାସ ଭରିଥିବାରୁ ପଣା ପାଣି ବାହାରିଯାଇ ତଳେ ବୋହିଗଲା।

ଜ୍ଞାନଦେବ ନିଜକୁ ଅଟକେଇ ନ ପାରି କହିଲେ - “ଆରେ ଶ୍ରବଣ, ଭରି ଥିବା ଗ୍ଲାସରେ ସରବତ କିପରି ଢାଳି ହେବ?

ଶ୍ରବଣ କୁମାର ସ୍ମିତ ହାସ୍ୟ ଦେଇ କହିଲେ -

“ଜ୍ଞାନ ଦେବ, ଏହା ହେଉଛି ତମର ପ୍ରଥମ ପାଠ। ଯେପରି ପୂର୍ଣ୍ଣ ଗ୍ଲାସ୍‍‍ ରେ ଜଳ ବା ପଣା ରହିପାରେ ନାହିଁ, ସେହିପରି ପୂର୍ବରୁ ଭରି ରହିଥିବା ମନରେ ନୂତନ ଜ୍ଞାନ ପାଇଁ ସ୍ଥାନ ନଥାଏ। ଜଦି ଭକ୍ତି ପାଇବାକୁ ଇଚ୍ଛା କରୁଛ ତେବେ ପ୍ରଥମେ ନିଜର ଗଛିତ ଜ୍ଞାନ ର ଅହଂକାର ଓ ପୁରୁଣା ଧାରଣା ଗୁଡିକୁ ଖାଲି କରିବାକୁ ହେବ।

ଆମେ ପ୍ରତ୍ୟେକ କଥା ଆମର ପୁରୁଣା ବିଚାରର ଚଷମାରେ ଦେଖୁଥିବାରୁ ଆମେ ଜୀବନରେ ବହୁତ ଥର କିଛି ଶିକ୍ଷା କରିପାରନ୍ତିନି। ସମସ୍ତ କଥା ନିଜ ନିଜ ହିସାବରେ ବଦଳେଇ ଦିଅନ୍ତି। ଶହ ଶହ ଲୋକ ଗୋଟିଏ ପ୍ରବଚନ ଶୁଣନ୍ତି, କିନ୍ତୁ ସମସ୍ତଙ୍କ ପାଇଁ ଏହାର ଅର୍ଥ ଭିନ୍ନ ଭିନ୍ନ, କାରଣ ସମସ୍ତଙ୍କର ପୂର୍ବ ଧାରଣା ଓ ଅନୁଭବ ପରସ୍ପରଠାରୁ ପୃଥକ।

ଜଦି ଆମେ ଆମ ଭିତରେ କିଛି ନୂଆଁ କରିବାକୁ ଚାହୁଁଛେ, ତେବେ ପୁରୁଣା ବିଚାର ଗୁଡିକର ପରଦା ଦୂରେଇବାକୁ ପଡିବ।

ଜଦି ନୂତନ ଭାବରେ ସଜେଇବାକୁ ଇଚ୍ଛା, ତେବେ ପୁରୁଣା ବେଶ ହଟେଇବାକୁ ପଡିବ। ଯେପରି ବିଉଟି ପାର୍ଲରରେ ନୂଆଁ ବେଶ କରିବା ଆଗରୁ ମୁହଁ ସଫା କରିବାକୁ ପଡେ। ସେପରି ଆଧ୍ୟାତ୍ମିକତା ଲାଭ ପାଇଁ ମନକୁ ସଫା କରିବା ଆବଶ୍ୟକ। ପୁରୁଣା ଉପରେ ନୁଆଁ ଲଗେଇଲେ ଦୌନ୍ଦର୍ଯ୍ୟ ରହିବ ନାହିଁ ବା ଜ୍ଞାନ ସ୍ଥାୟୀ ହେବନାହିଁ।

ଆଜିକାଲି ହ୍ଵାଟ୍ସଆପ, ଫେସବୁକ ପ୍ରଭୃତି ମାଧ୍ୟମରେ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଭାବରେ ପ୍ରଭାବିତ ହୋଇ ଆମର ମସ୍ତିଷ୍କରେ ବିଭିନ୍ନ ବିଚାର ପରିପୂର୍ଣ୍ଣ ହୋଇଯାଏ। ଯଦି ପ୍ରକୃତ ଅର୍ଥରେ ଜ୍ଞାନ ପ୍ରାପ୍ତି କରିବାର ଅଛି ତେବେ ସେ ବେଦବିତ ଅଟେ।

ଯେପରି ଶ୍ରୀ ଭଗବାନ ଶ୍ରୀମଦଭଗବତଗୀତାରେ ଉପଦେଶ ଦେଇଛନ୍ତି।

15.2

ଅଧଶ୍ଚୋର୍ଦ୍ଧ୍ୱଂ(ମ୍) ପ୍ରସୃତାସ୍ତସ୍ୟ ଶାଖା,
ଗୁଣପ୍ରବୃଦ୍ଧା ବିଷୟପ୍ରବାଲାଃ।
ଅଧଶ୍ଚ ମୂଲାନ୍ୟନୁସନ୍ତତାନି,
କର୍ମାନୁବନ୍ଧୀନି ମନୁଷ୍ୟଲୋକେ।।୨।।

ସେହି ସଂସାର-ବୃକ୍ଷର ନିମ୍ନଭାଗ, ମଧ୍ୟଭାଗ ଓ ଉପରିଭାଗ ସର୍ବତ୍ର, ତ୍ରିଗୁଣ ଦ୍ବାରା ବୃଦ୍ଧିପ୍ରାପ୍ତ ତଥା ବିଷୟରୂପୀ କୋମଳ ପତ୍ରଯୁକ୍ତ ଶାଖାମାନ ବ୍ୟାପି ରହିଛି । ମର୍ତ୍ତ୍ୟଲୋକରେ କର୍ମାନୁସାରେ ବନ୍ଧନରେ ପକାଉଥିବା ମୂଳଗୁଡିକ ମଧ୍ୟ ଅଧଃଲୋକ ଓ ଉର୍ଦ୍ଧ୍ବଲୋକ ସର୍ବତ୍ର ପରିବ୍ୟାପ୍ତ ହୋଇଛି ।

ବିବେଚନ -

ଶ୍ରୀ ଭଗବାନ କହିଛନ୍ତି ଯେ ଏଠାରେ ବୃକ୍ଷର ଶାଖାଗୁଡ଼ିକ ଚାରିଆଡ଼େ ବିସ୍ତାରିତ। ଶ୍ରୀ ଭଗବାନ ଏହାର ମୂଳରେ ଅଛନ୍ତି। ବ୍ରହ୍ମାଜୀ ଏହାର ଗଣ୍ଡିରେ ଅଛନ୍ତି ଏବଂ କାମନା ଏବଂ ମମତା ରୂପରେ ଏହାର ଜଡ ବିଭିନ୍ନ ପ୍ରଜାତି (ଯୋନୀ)ର ଲୋକଙ୍କ ମଧ୍ୟରେ ବିସ୍ତାରିତ। ମାନବ ଜଗତରେ କର୍ମ ଅନୁସାରେ ବାନ୍ଧି ରଖୁଥିବା ମୂଳଗୁଡ଼ିକ ମଧ୍ୟ ତଳେ ଓ ଉପରେ, ଏବଂ ସମସ୍ତ ଜଗତରେ ବିସ୍ତାରିତ।

ଶ୍ରୀ ଭଗବାନ କୁହନ୍ତି - ଏହି ବ୍ରହ୍ମାଣ୍ଡକୁ ଏକ ଓଲଟା ପିପ୍ପଳ ବୃକ୍ଷ ଭାବରେ ଦେଖ ଏବଂ ମୋତେ ଏହାର ମୂଳରେ ଜାଣ। ସେହି ସ୍ୱରୂପ, ଯାହାକୁ ଆମେ ପରମ ଶକ୍ତି ବୋଲି ବିବେଚନା କରୁ, ତାହା ଈଶ୍ୱର, ନିରାକାର, ଓମ୍, ସାକାର, ବ୍ରହ୍ମ, ଭଗବାନ କିମ୍ବା ଇଷ୍ଟ ଦାବତା ହେଇ ପାରନ୍ତି। ଏହି ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ସର୍ବଶକ୍ତିମାନ ଭଗବାନଙ୍କୁ ଆମେ ଯେକୌଣସି ନାମରେ ଡାକିଥାଉ, ସେ ଏହି ବୃକ୍ଷର ମୂଳ। ଏହା ହେଉଛି ମୂଳ ଯେଉଁଥିରେ ସବୁକିଛି ବିଦ୍ୟମାନ ଏବଂ ଯାହା ଏହି ସମଗ୍ର ବ୍ରହ୍ମାଣ୍ଡର କାରଣ।

ବ୍ରହ୍ମାଜୀ ବ୍ରହ୍ମାଣ୍ଡର ଏହି ବୃକ୍ଷର ମୁଖ୍ୟ ଗଣ୍ଡି ପରି ଏବଂ ତାଙ୍କଠାରୁ, ତିନୋଟି ଗୁଣ - ସତ୍ୱ, ରଜ ଏବଂ ତମ, ଅନନ୍ତ ପ୍ରଜାତି ଏବଂ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି। କେତେକ ମଣିଷ ଭାବରେ ଜନ୍ମଗ୍ରହଣ କରିଥିଲେ, କେତେକ ପଶୁ ହୋଇଥିଲେ, କେତେକ ପର୍ବତ ହୋଇଥିଲେ, କେତେକ ନଦୀ ହୋଇଥିଲେ। ବିଶେଷ କଥା ହେଉଛି ଯେ ଆଜି ବିଶ୍ୱରେ ଥିବା ଲକ୍ଷ ଲକ୍ଷ ମଣିଷ ଏବଂ ଯେଉଁମାନେ ଆଉ ଏଠାରେ ନାହାନ୍ତି, ସେମାନଙ୍କର ଆଙ୍ଗୁଠି ଚିହ୍ନ ସମାନ ନୁହେଁ। ସମସ୍ତଙ୍କର ରଙ୍ଗ, ରୂପ ଏବଂ ପ୍ରକୃତି ଭିନ୍ନ। ସମାନ ପିତାମାତାଙ୍କ ପୁଅ ଏବଂ ଝିଅର ସ୍ୱଭାବ ମଧ୍ୟ ଭିନ୍ନ।

ଏହି ବ୍ରହ୍ମାଣ୍ଡରେ ଆମେ ଦେଖୁ -

  • ଅନେକ ପ୍ରଜାତି ରହିଛନ୍ତି।

  • ଚୌଦ ଲୋକ ରହିଛି - ସାତ ଉପର ଲୋକ - (ସତଲୋକ, ତପ:ଲୋକ, ଜନ:ଲୋକ, ମହା:ଲୋକ, ସ୍ୱ:ଲୋକ, ଭୁବ:ଲୋକ ଭୂ ଲୋକ (ପୃଥିବୀ)), ଏବଂ ସାତ ନିମ୍ନ ଲୋକ - (ଅତଳ, ବିତଳ, ସୁତଳ, ରସାତଳ, ତଲତଳ, ମହାତଳ, ପାତାଳ)

  • ଚାରି ପ୍ରକାରର ପ୍ରଜାତି -

ଜରାୟୁଜ- ଯେଉଁମାନେ ମାତୃ ଗର୍ଭରୁ ଜନ୍ମ ନିଅନ୍ତି।

ଅଣ୍ଡଜ- ଯେଉଁମାନେ ଡିମ୍ବାଣୁରୁ ଜନ୍ମ ନିଅନ୍ତି।

ଉଦ୍ଭିଜ- ଯେଉଁମାନେ ବୀଜ କିମ୍ବା ଉଦ୍ଭିଦରୁ ଜନ୍ମ ନିଅନ୍ତି।

ସ୍ୱେଦଜ- ଯେଉଁମାନେ ଝାଳ, ମାଟି କିମ୍ବା ପଚା ଜିନିଷରୁ ଜନ୍ମ ନିଅନ୍ତି।

ସେମାନଙ୍କ ମଧ୍ୟରୁ କେହି ଗୋଟିଏ ଉପାଦାନରୁ ଏବଂ କେହି ଦୁଇଟି ଉପାଦାନରୁ ତିଆରି। ମଣିଷ ପାଞ୍ଚଟି ଉପାଦାନରୁ ତିଆରି ହୋଇଥିବା ବେଳେ ଦେବତା ଇତ୍ୟାଦି ଆଲୋକ ଉପାଦାନରୁ ତିଆରି ହୋଇଥାଆନ୍ତି।

  • ପ୍ରଜାତି ମାନେ ଦୁଇପାଦ, ଚାରିପାଦ, ଛଅପାଦ, ପକ୍ଷଯୁକ୍ତ, ପକ୍ଷହୀନ, ସରୀସୃପ, ଉଦ୍ଭିଦ, ବ୍ୟାକ୍ଟେରିଆ, ଭାଇରସ, ସମସ୍ତେ ସତ୍ୱ, ରଜ ଏବଂ ତମର ବିଭିନ୍ନ ମିଶ୍ରଣରୁ ତିଆରି।
    ଆମେ ଏତେ ପ୍ରଜାତି ଭିତରେ କିପରି ପ୍ରବେଶ କରିଥାଉ ଏବଂ ବାହାରକୁ କିପରି ଯାଉ?

କର୍ମାନୁବନ୍ଧିନୀ ମନୁଷ୍ୟଲୋକେ - ମଣିଷ ତା'ର କର୍ମର ବନ୍ଧନରେ ଆବଦ୍ଧ ହୁଏ। ସେ ଯେଉଁ କର୍ମ କରେ ସେହି ଅନୁସାରେ ସେ ପରବର୍ତ୍ତୀ ଜୀବନ ପାଏ। ଭଲ କର୍ମ ଉଚ୍ଚ ପ୍ରଜାତିକୁ ନେଇଯାଏ ଯେତେବେଳେ ଖରାପ କର୍ମ ନିମ୍ନ ପ୍ରଜାତିରେ ଜନ୍ମ ନିଏ। ଏହିପରି ଆମର ଚିନ୍ତାଧାରା, ବାଣୀ ଏବଂ କାର୍ଯ୍ୟ ମିଶି ଆମର ପରବର୍ତ୍ତୀ ଜନ୍ମର ଦିଗ ନିର୍ଣ୍ଣୟ କରେ।

କିପରି ଏକ ଜୀବ କର୍ମ ଦ୍ୱାରା ବାନ୍ଧି ହୁଏ?

ଏହି ତିନୋଟି ମୁଖ୍ୟ କାରଣ ଯୋଗୁଁ ଏକ ଜୀବ କର୍ମର ବନ୍ଧନରେ ଫସିଯାଏ -

  • ଅହନ୍ତ : ନିଜକୁ ଶ୍ରେଷ୍ଠ, ବଡ଼ କିମ୍ବା ଅଧିକ ସକ୍ଷମ ଭାବିବା, ଯାହା ଅହଂକାରକୁ ଜନ୍ମ ଦିଏ ଏବଂ ଅନ୍ୟମାନଙ୍କ ପ୍ରତି ଅବହେଳାର ଭାବନାକୁ ବୃଦ୍ଧି କରେ।

  • ମମତା : ଜଣେ ବ୍ୟକ୍ତି, ବସ୍ତୁ କିମ୍ବା ଧାରଣା ପ୍ରତି ଅତ୍ୟଧିକ ଆସକ୍ତି, ଯାହା ମୋହ ଏବଂ ଆସକ୍ତିକୁ ଜନ୍ମ ଦିଏ।

  • ବାସନା : ବସ୍ତୁ ଏବଂ ସୁଖକୁ ବାରମ୍ବାର ଅନୁଭବ କରିବାର ପ୍ରବୃତ୍ତି, ଯାହା ଇଚ୍ଛାର ଏକ ନିରନ୍ତର ଶୃଙ୍ଖଳକୁ ଜନ୍ମ ଦିଏ।

ଯେତେବେଳେ ଏହି ତିନୋଟି ଏକାଠି କାର୍ଯ୍ୟ କରେ, ଜୀବ ବାରମ୍ବାର ସମାନ ପରିସ୍ଥିତିରେ ଫସିଯାଏ, ନୂତନ କର୍ମ କରେ ଏବଂ ମୁକ୍ତିରୁ ଦୂରେଇ ଯାଏ।

  • ପାଞ୍ଚଟି ବିଷୟ ହେଉଛି ଶବ୍ଦ, ସ୍ପର୍ଶ, ରୂପ, ସ୍ୱାଦ ଏବଂ ଗନ୍ଧ।

ଏଗୁଡ଼ିକ ଆସକ୍ତି ଏବଂ କାମନାକୁ ଜନ୍ମ ଦିଏ - "ମୁଁ ଏହା ଚାହୁଁଛି" ଭାବନା। ଜୀବ ତା'ପରେ କେତେବେଳେ ବିଲେଇ, କୁକୁର, ଗଛ, ମଣିଷ ଏବଂ କେତେବେଳେ ଦେବତା ହୋଇଯାଏ। ଏହିପରି ଜୀବ ପୁନର୍ଜନ୍ମ ଚକ୍ରରେ ଗତି କରିବାକୁ ଲାଗିଥାଏ।

ପୁନରପି ଜନମମ୍‌ ପୁନରପି ମରଣମ,

ପୁନରପି ଜନନୀ ଜଠରେ ଶୟନମ୍

ସମଗ୍ର ବ୍ରହ୍ମାଣ୍ଡ ଏହି ପ୍ରକାରେ ପରିବ୍ୟାପ୍ତ ହୋଇଥାଏ।

15.3

ନ ରୂପମସ୍ୟେହ ତଥୋପଲଭ୍ୟତେ,
ନାନ୍ତୋ ନ ଚାଦିର୍ନ ଚ ସମ୍ପ୍ରତିଷ୍ଠା।
ଅଶ୍ୱତ୍ଥମେନଂ(ମ୍) ସୁବିରୂଢମୂଲମ୍,
ଅସଙ୍ଗଶସ୍ତ୍ରେଣ ଦୃଢେନ ଛିତ୍ତ୍ୱା।।୩।।

ଏହି ସଂସାର-ବୃକ୍ଷର ରୂପ ଯେପରି ଦୃଶ୍ୟ ହୁଏ, ବିଚାର କଲେ ସେପରି ଉପଲବ୍ଧ ହୁଏ ନାହିଁ, କାରଣ ଏହାର ଆଦି ନାହିଁ , ଅନ୍ତ ନାହିଁ କି ସ୍ଥିତି ମଧ୍ୟ ନାହିଁ । ଏଣୁ ସୁଦୃଢ ମୂଳବିଶିଷ୍ଟ ଏହି ସଂସାରରୂପୀ ଅଶ୍ବତ୍ଥବୃକ୍ଷକୁ ଦୃଢ ଅସଙ୍ଗତାରୂପୀ ଶସ୍ତ୍ର ଦ୍ବାରା ଛେଦନ କରି।

ବିବେଚନ :

ଭଗବାନ ଶ୍ରୀ କୁହନ୍ତି - ହେ ଅର୍ଜୁନ! ମୁଁ ଯେଉଁ ବୃକ୍ଷ ବର୍ଣ୍ଣନା କରିଛି ତାହାର ସ୍ୱରୂପ ବାସ୍ତବରେ ଏହିପରି ନୁହେଁ; ଏହା କେବଳ ବୁଝିବା ପାଇଁ ଏକ ଉଦାହରଣ। ବୃକ୍ଷ ସୀମିତ କିନ୍ତୁ ବ୍ରହ୍ମାଣ୍ଡର ନା କୌଣସି ଆରମ୍ଭ ଅଛି ନା କୌଣସି ଶେଷ ଅଛି। ନା ଏହାର କୌଣସି ସ୍ଥାୟୀ ସ୍ଥିତି ଅଛି, ନା କୌଣସି ସ୍ଥାୟୀ ରୂପ ଅଛି। ଏହା ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନଶୀଳ, ତେଣୁ ଅହଂକାର, ଆସକ୍ତି, କାମନା ଇତ୍ୟାଦିକୁ ବୈରାଗ୍ୟ ରୂପୀ ଅସ୍ତ୍ର ସାହାଯ୍ୟରେ କାଟିଦେବା ଆବଶ୍ୟକ।

  • ନାନ୍ତୋ - କୌଣସି ଶେଷ ନାହିଁ,

  • ନ ଚାଦିର୍ଣ - କୌଣସି ଆରମ୍ଭ ନାହିଁ,

  • ଚ ସମ୍ପ୍ରତିଷ୍ଠା - କୌଣସି ସ୍ଥାୟୀ ରୂପ ନାହିଁ।

କେତେକ ସମୟରେ ଆମେ ସମସ୍ତେ କୌତୁହଳୀ ହୋଇପଡୁଛୁ ଯେ ପ୍ରଥମେ କ'ଣ ଘଟିଥିବ? ଯଦି ଏହି ବ୍ରହ୍ମାଣ୍ଡ ଶ୍ରୀ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି, ତେବେ ଶ୍ରୀ ଭଗବାନଙ୍କୁ ନିଜେ କିଏ ସୃଷ୍ଟି କରିଛନ୍ତି? ଏହି ପ୍ରଶ୍ନ ଉଠେ କାରଣ ଆମେ ଆମର ସୀମିତ ବୁଦ୍ଧି ଏବଂ ଅଭିଜ୍ଞତାର ସୀମା ମଧ୍ୟରେ ରହି ଅନନ୍ତକୁ ବୁଝିବାକୁ ଚେଷ୍ଟା କରୁ, ଯେତେବେଳେ ଅସୀମକୁ ସୀମା ମଧ୍ୟରେ ବାନ୍ଧି ରଖିବା ଅସମ୍ଭବ।

ବୁଝିବା ପାଇଁ, ଆମକୁ ଏପରି ଏକ ସତ୍ତାର କଳ୍ପନା କରିବାକୁ ପଡିବ ଯାହା କେବେ ସୃଷ୍ଟି ହୋଇନାହିଁ ଏବଂ କେବେ ନଷ୍ଟ ହେବ ନାହିଁ। ଯାହା ସର୍ବଦା ବିଦ୍ୟମାନ ଏବଂ ସର୍ବଦା ବିଦ୍ୟମାନ ରହିବ। ଈଶ୍ୱର ସୃଷ୍ଟିର ଏହି ଆଶ୍ଚର୍ଯ୍ୟଜନକ ଖେଳ ସୃଷ୍ଟି କରିଛନ୍ତି। ଏହା ଏପରି ଯେ କେହି ଜଣେ ଚେସବୋର୍ଡ ବିଛାଇଛନ୍ତି ଏବଂ ଆମେ ନିଜେ ଏହି ଖେଳରେ ମୋହରା (ଚେସ ଗୋଟି) ହେବା ଏବଂ ଏଥିରେ ଫସିଯିବା। ଏହିପରି ଆମେ ନିଜେ ନିଜର କାର୍ଯ୍ୟ କରିଛୁ।

ଏକ ସୁନ୍ଦର ଭଜନ ଅଛି ଯାହା ଏହି ଭାବନାକୁ ପ୍ରକାଶ କରେ -

उपरवाला पासे फेंके, नीचे चलते दाँव,

कभी धूप कभी छाँव, कभी धूप तो कभी छांव।।

‘ସର୍ବଶକ୍ତିମାନ (ଉପରବାଲା) ପାସା ପକେଇଛନ୍ତି, ର୍ମତ‍୍ୟରେ ଲୋକେ ଚାଲ୍‍‍ ଚାଲିକି କ୍ରୀଡ଼ା କରନ୍ତି, ଏଥିରେ, କେବେ ସୂର୍ଯ୍ୟର ତାପ ତ କେବେ ସୁଶୀତଳ ଛାୟା।’

ଜଗତରେ ଆମେ ଯେ ବାନ୍ଧି ହେଇଯାଉ, ତାହାର ତିନୋଟି କାରଣ ଅଛି -

୧) ଅହଂକାର - ନିଜକୁ କିଛି ବିଶେଷ ବୋଲି ଭାବିବା।

୨) ମମତ୍ୱ (ବା ମମତା) - କୌଣସି ଜିନିଷ କିମ୍ବା ବ୍ୟକ୍ତିକୁ ନିଜର ବୋଲି ଭାବିବା।

୩) ବାସନା - କାହା ବିନା ମୋର ଜୀବନ ସମ୍ଭବ ନୁହେଁ ବୋଲି ବିଶ୍ୱାସ କରିବା।

ସେଥିପାଇଁ ଭଗବାନ କହନ୍ତି -

ଅସଙ୍ଗଶସ୍ତ୍ରେନ ଦୃଢେଣ ଛିତ୍ୱା - ଅର୍ଥାତ୍‍‍ ଦୃଢ, ଶକ୍ତିଶାଳୀ ’ଅସଙ୍ଗ ରୂପକ’ ଶସ୍ତ୍ର ସାହାଯ୍ୟରେ ଏହି ବନ୍ଧନଗୁଡ଼ିକୁ କାଟିଦେବା।

ଏହି ପ୍ରସଙ୍ଗରେ ଏକ ସୁନ୍ଦର କାହାଣୀ ଅଛି -

ଶୁକଦେବ ମହାରାଜ ମହର୍ଷି ବେଦବ୍ୟାସଜୀଙ୍କ ପୁତ୍ର ଥିଲେ। ସେ ପିଲାଦିନରୁ ଜଣେ ମହାନ ସଂଯମୀ ଥିଲେ ଏବଂ ସର୍ବଦା ସାଂସାରିକ କାମନାରୁ ଦୂରରେ ରହୁଥିଲେ କିନ୍ତୁ ଏକ ସମୟ ଆସିଲା ଯେତେବେଳେ ସେ ତାଙ୍କ ତପସ୍ୟା ଉପରେ ଗର୍ବିତ ହେଲେ।

ଦିେନ ସେ ତାଙ୍କ ପିତାଙ୍କୁ ଏକ ପ୍ରଶ୍ନ ପଚାରିଲେ। ବେଦବ୍ୟାସଜୀ କହିଲେ ଯେ ଏହି ପ୍ରଶ୍ନର ସମାଧାନ ପାଇବା ପାଇଁ ତାଙ୍କୁ ମିଥିଳାର ରାଜା ଜନକଙ୍କ ପାଖକୁ ଯିବାକୁ ପଡିବ। ଏହା ଶୁଣି ଶୁକଦେବଜୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ, ପିତା ଜଣେ ମହାନ ବିଦ୍ୱାନ। ଏପରି କ’ଣ ଜ୍ଞାନ ଅଛି ଯାହା ସେ ଦେଇପାରିବେ ନାହିଁ? ଯଦି ତାଙ୍କୁ ମୋତେ ପଠାଇବାର ଥିଲା ତେବେ ସେ ମୋତେ କୌଣସି ଋଷିଙ୍କ ପାଖକୁ ପଠାଇବା ଉଚିତ ଥିଲା କିନ୍ତୁ ସେ ମୋ ପରି ସଂଯମୀଙ୍କୁ ଜଣେ ଗୃହସ୍ଥ ଏବଂ କ୍ଷତ୍ରିୟ ରାଜାଙ୍କ ପାଖକୁ କାହିଁକି ପଠାଉଛନ୍ତି। ତଥାପି, ତାଙ୍କ ପିତାଙ୍କ ଆଦେଶ ଅବମାନନା କରିବା ତାଙ୍କ ପାଇଁ ସମ୍ଭବ ନଥିଲା, ତେଣୁ ଦୁଃଖିତ ହୃଦୟରେ ସେ ମିଥିଳା ଚାଲିଗଲେ। ଅନିଚ୍ଛା ସତ୍ତ୍ୱେ, ସେ ଆଦେଶ ପାଳନ କରିବା ପାଇଁ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଏକ ନଗରରେ ପ୍ରବେଶ କଲେ।

ନଗରରେ ପ୍ରବେଶ କରିବା ପରେ, ସେ ଦ୍ୱାରପାଳ ପାଖକୁ ଯାଇ କହିଲେ - ତୁମର ରାଜାଙ୍କୁ ଏକ ବାର୍ତ୍ତା ଦିଅ ଯେ ଦାର୍ଶନିକ, ନୀତି ପ୍ରତି ସମର୍ପିତ, ସର୍ବଜ୍ଞ, ବେଦ ବ୍ୟାସଙ୍କ ପୁତ୍ର, ବେଦ ବ୍ୟାସଙ୍କ ସବୁଠାରୁ ପ୍ରିୟ ଶିଷ୍ୟ, ଶାସ୍ତ୍ରର ଅନୁଗାମୀ, ଋଷିମାନଙ୍କ ଶ୍ରେଷ୍ଠ, ଗୁଣାବଳୀଠାରୁ ଅଧିକ, ସମସ୍ତ ରୂପଜ୍ଞ, ମହାରାଜ ଶୁକଦେବ ତାଙ୍କୁ ଦେଖା କରିବାକୁ ଆସିଛନ୍ତି। ପରମ୍ପରା ଅନୁସରଣ କରି, ଦ୍ୱାରପାଳ ତାଙ୍କୁ ପ୍ରଣାମ କଲେ। ତା’ପରେ ସେ ମହାରାଜ ଜନକଙ୍କ ପାଖକୁ ଯାଇ ତାଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଲେ।

ମହାରାଜ ଜନକଙ୍କ ସ୍ୱଭାବ ଥିଲା ଯେ ଯଦି ଜଣେ ଅତି ପ୍ରତିଭାଶାଳୀ ମହାତ୍ମା ଦ୍ୱାର ନିକଟକୁ ଆସନ୍ତି, ତେବେ ସେ ତୁରନ୍ତ ଉଠି ତାଙ୍କୁ ସ୍ୱାଗତ କରିବାକୁ ଦୌଡ଼ି ଯାଆନ୍ତି, କିନ୍ତୁ ଏଥର ମହାରାଜ ଜନକ କହିଲେ - ତୁମେ ଶୁକଦେବଜୀଙ୍କୁ ଅପେକ୍ଷା କରିବାକୁ କୁହ।

ଦ୍ୱାରପାଳ ଦୁଃଖିତ ମୁଖରେ ଫେରି ଆସିଲେ, ଏବଂ ସଂକୋଚ ସହ କହିଲେ - "ରାଜା ଆପଣଙ୍କୁ ଅପେକ୍ଷା କରିବାକୁ କହିଛନ୍ତି।"

ଶୁକଦେବଜୀଙ୍କ ଅହଂକାର ଆଘାତ ପାଇଲା ଏବଂ ସେ ଫେରିବାକୁ ନିଷ୍ପତ୍ତି ନେଲେ, କିନ୍ତୁ ସେ ତାଙ୍କ ପିତାଙ୍କ ଆଦେଶ ଅବମାନନା କରିବାକୁ ଚାହୁଁ ନଥିଲେ, ତେଣୁ ସେ ସେଠାରେ ରହିଗଲେ।

ସାରା ଦିନ ବିତି ଯିବା ପରେ ମଧ୍ୟ ରାଜା ଜନକ ତାଙ୍କୁ ଡାକି ନଥିଲେ, ତେବେ ରାତିରେ ଶୁକଦେବଜୀ ପୁଣି ଥରେ ଅନ୍ୟ ଜଣେ ଦ୍ୱାରପାଳଙ୍କୁ ସେହି ବିସ୍ତୃତ ପରିଚୟ ସହିତ ରାଜାଙ୍କୁ ବାର୍ତ୍ତା ଦେବାକୁ ପଠାଇଲେ। ଏଥର ମଧ୍ୟ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହିପରି, ଶୁକଦେବଜୀ ସାତ ଦିନ ପର୍ଯ୍ୟନ୍ତ ସମାନ ଆସନରେ ଠିଆ ହୋଇ ଅପେକ୍ଷା କରିଥିଲେ, କିଛି ନ ଖାଇ ପିଇ ଏବଂ ନ ଶୋଇ। ତାଙ୍କର ମନ, ବାଣୀ ଏବଂ ଶରୀରକୁ ନିୟନ୍ତ୍ରଣ କରିବାର ଅଭ୍ୟାସ ଥିଲା। ସେ ପ୍ରତିଦିନ ବାର୍ତ୍ତା ପଠାଉଥିଲେ ଏବଂ ପ୍ରତ୍ୟେକ ଥର ତାଙ୍କୁ ଅପେକ୍ଷା କରିବାକୁ କୁହାଯାଉଥିଲା, କିନ୍ତୁ ଗୋଟିଏ ପରିବର୍ତ୍ତନ ହେଉଥିଲା ଯେ ଦିନ ବିତିବା ସହିତ ତାଙ୍କ ପରିଚୟର ବିଶେଷଣ ଧୀରେ ଧୀରେ ହ୍ରାସ ପାଉଥିଲା।

ଏହି ତପସ୍ୟାର ସାତ ଦିନ ପରେ, ହଠାତ୍ ଶୁକଦେବ ଜୀଙ୍କ ମନରେ ଏକ ଭାବନା ଆସିଲା -

"ମୁଁ କ'ଣ କରୁଛି? ମୁଁ ଜ୍ଞାନ ଅର୍ଜନ କରିବାକୁ ଆସିଛି, ତଥାପି ମୁଁ ଏପରି ବ୍ୟବହାର କରୁଛି ଯେପରି ମୁଁ ସାଧାରଣ ଭାବରେ କାହାକୁ ଭେଟିବାକୁ ଆସିଛି।"

ଏହି ଚିନ୍ତାଧାରା ମନରେ ରଖି, ସେ ଦ୍ୱାରପାଳଙ୍କୁ ରାଜା ଜନକଙ୍କୁ ଏହି ବାର୍ତ୍ତା ଦେବାକୁ କହିଲେ -

"ଶୁକଦେବ ନାମକ ଏକ ବାଳକ, ଜ୍ଞାନ ଅର୍ଜନ କରିବାକୁ ଏକ ସମର୍ପିତ ଆକାଂକ୍ଷୀ, ଜ୍ଞାନ ଅର୍ଜନ କରିବାକୁ ଇଚ୍ଛା କରି ତାଙ୍କୁ ଏକ ଶିଷ୍ୟ ଭାବରେ ଭେଟିବାକୁ ଆସିଛି।"

ଏହି ବାର୍ତ୍ତା ପାଇବା ପରେ, ରାଜା ଜନକ ଶୁକଦେବଜୀଙ୍କୁ ବହୁତ ଶ୍ରଦ୍ଧା ଏବଂ ସମ୍ମାନର ସହିତ ସ୍ୱାଗତ କଲେ। ଭୋଜନ ଏବଂ ବିଶ୍ରାମ ପରେ, ରାଜା ଜନକ କହିଲେ -

ତୁମର ଆଗମନ ଆମ ପାଇଁ ଏକ ଅତ୍ୟନ୍ତ ଶୁଭ ଅବସର। ଏହା ଆମ ପାଇଁ ସୌଭାଗ୍ୟର କଥା। ଆଜି ମିଥିଳାରେ କୁଳଦେବୀଙ୍କ ବିଶେଷ ପୂଜା ଅନୁଷ୍ଠିତ ହେଉଛି, ଯେଉଁଥିରେ ବ୍ରହ୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ହୁଏତ ଶ୍ରୀ ଭଗବାନ ଏହି ଉଦ୍ଦେଶ୍ୟରେ ତୁମକୁ ଏଠାକୁ ପଠାଇଛନ୍ତି। ଏଥିପାଇଁ ଆମେ ସମସ୍ତେ କୃତଜ୍ଞ।

"ଆଜି, ଜଣେ ବ୍ରହ୍ମଚାରୀ ଭାବରେ, ଦେବୀଙ୍କ ପୂଜା ପାଇଁ ତୁମକୁ ଏକ ତେଲ ଭର୍ତ୍ତି ପାତ୍ର ଧରି ସମଗ୍ର ନଗର ପରିକ୍ରମା କରିବାକୁ ପଡିବ। ମନେରଖ ଯେ ଏହି ସମୟ ମଧ୍ୟରେ ଗୋଟିଏ ବି ଟୋପା ତେଲ ମଧ୍ୟ ଭୂମିରେ ପଡ଼ିବ ନାହିଁ, କାରଣ ଏହି ତେଲ ସହିତ ଦେବୀଙ୍କୁ ପୂଜା କରାଯାଏ। ଏହା ତୁମକୁ ଆମର ବିଶେଷ ଅନୁରୋଧ।"

ଏହା କହି ରାଜା ଜନକ ଶୁକଦେବ ଜୀଙ୍କୁ ତେଲଭରା ପାତ୍ରଟି ପ୍ରଦାନ କଲେ। ଶୁକଦେବ ଜୀ ସେହି ପାତ୍ର ନେଇ ନଗର ଅଭିମୁଖେ ଯାତ୍ରା କଲେ। ତାଙ୍କ ସହିତ ଏକ ଅଙ୍ଗରକ୍ଷୀ ଦଳ ମଧ୍ୟ ଥିଲେ। ସମଗ୍ର ସହର ଏବଂ ରାଜପଥ ଫୁଲରେ ସଜାଯାଇଥିଲା, ବିଭିନ୍ନ ସ୍ଥାନରେ ଝରଣା ସ୍ଥାପନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୁଷ୍ପବୃଷ୍ଟିର ବ୍ୟବସ୍ଥା ଥିଲା। ଏପରି ଜଣେ ଋଷିଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ରାସ୍ତା ପାଖରେ ଉତ୍ସାହର ସହିତ ଠିଆ ହୋଇଥିଲେ।

ଯେତେବେଳେ ଶୁକଦେବ ଜୀ ନଗର ପରିଦର୍ଶନ କରି ଫେରିଲେ, ରାଜା ଜନକ ତାଙ୍କୁ ସମ୍ମାନର ସହିତ ସ୍ୱାଗତ କଲେ ଏବଂ କହିଲେ, "ଏତେ ଦୀର୍ଘ ସମୟ ଧରି ଏତେ ଭାରୀ ପାତ୍ର ବହନ କରିବା ସହଜ ନୁହେଁ।"

ତା'ପରେ ସେ ତାଙ୍କୁ ପଚାରିଲେ -

"ସମ୍ପୂର୍ଣ୍ଣ ମିଥିଳା ନଗରୀ ତୁମକୁ ମହା ଆଡମ୍ବରରେ ସ୍ୱାଗତ କଲା। ସବୁଠି ସୁନ୍ଦର ସାଜସଜ୍ଜା ଥିଲା, ଫୁଲ ବର୍ଷା ହୋଇଥିଲା। ତୁମେ ସହର ଦେଖିଲ, ତୁମକୁ କିପରି ଲାଗିଲା? ରାସ୍ତାରେ ସାଜସଜ୍ଜା, ତୁମ ସହିତ ଥିବା ସେନା ଏବଂ ସଙ୍ଗୀତ ବାଜୁଥିଲା ତାହା ତୁମକୁ କିପରି ଲାଗିଲା?"

ଶୁକଦେବ ଜୀ ଉତ୍ତର ଦେଲେ -

"ମହାରାଜ, ମୁଁ କିଛି ଦେଖିଲି ନାହିଁ। ମୋର ସମ୍ପୂର୍ଣ୍ଣ ଧ୍ୟାନ କେବଳ ତେଲକୁ ସୁରକ୍ଷା ଦେବା ଉପରେ ଥିଲା ଯେପରିକି ତାହା ଛିଟକି ନଯାଏ, ତେଣୁ ମୁଁ ଚାରିପାଖରେ କୌଣସି ଜିନିଷ ଉପରେ ଧ୍ୟାନ ଦେଇ ନଥିଲି। ରାସ୍ତାରେ ସବୁକିଛି ଥିଲା କିନ୍ତୁ ମୋର ଦୃଷ୍ଟି କେବଳ ପାତ୍ର ଉପରେ କେନ୍ଦ୍ରିତ ଥିଲା।"

ରାଜା ଜନକ କହିଲେ -

"ତୁମର ପ୍ରଥମ ଶିକ୍ଷା ସମାପ୍ତ ହୋଇଛି। ଜୀବନରେ ତୁମକୁ ଏହିପରି ବଞ୍ଚିବାକୁ ପଡିବ। ଅନେକ ରାସ୍ତା, ଅନେକ ଚୌରାସ୍ତା (ଛକ) ଆସିବ, କିନ୍ତୁ ତୁମକୁ କେବଳ ଶ୍ରୀ ଭଗବାନଙ୍କ ଉପରେ ତୁମର ମନ କେନ୍ଦ୍ରିତ କରିବାକୁ ପଡିବ। ଘର ଛାଡି ଜଙ୍ଗଲରେ ରହିବାର କୌଣସି ଆବଶ୍ୟକତା ନାହିଁ।

ज्यों जग में रहूँ तो ऐसे रहूँ,

ज्यों जल में कमल का फूल रहे।

ଯଦି ମୁଁ ସଂସାରରେ ରହୁଛି, ମୋତେ ଏହିପରି ବଞ୍ଚିବା ଉଚିତ୍, ଯେପରି ଜଳରେ ପଦ୍ମ ଫୁଲ ରହେ।

ଜଳରେ ପଦ୍ମ ଫୁଲ ପରି - କାରଣ, ଏହା ଜୀବନସାରା ପାଣି ସ୍ପର୍ଶ କରେ ନାହିଁ, ପାଣିର ଏକ ଟୋପା ପଡ଼ିଲେ ମଧ୍ୟ ଏହାକୁ ତା'ର ପତ୍ରରେ ରହିବାକୁ ଦିଏ ନାହିଁ।

ସଂସାରରେ ରୁହ, ନିଜ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହ, ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ରକ୍ଷା କର, ନିଜ ଧର୍ମ ପାଳନ କର, ନିଜର ନାଗରୀକ କର୍ତ୍ତବ୍ୟ ପାଳନ କର, କିନ୍ତୁ ସର୍ବଦା ତୁମର ମନକୁ ଶ୍ରୀ ଭଗବାନଙ୍କ ଉପରେ କେନ୍ଦ୍ରିତ ରଖ।"

कर से कर्म करो विधि नाना।

 मन राखो जहाँ कृपा निधाना ॥

ନିଜ ହାତରେ ବିଭିନ୍ନ ପ୍ରକାରର କାମ କର, କୃପାର ନିଧାନ ସେହି ବଗବାନଙ୍କ ପାଖରେ ତୁମର ମନକୁ ରଖ।

ନିଜ ହାତରେ ସମସ୍ତ କର୍ମ କରିବା ସମୟରେ ନିଜର ମନକୁ ଶ୍ରୀ ଭଗବାନଙ୍କ ଉପରେ କେନ୍ଦ୍ରିତ ରଖ।

ଏହିପରି, ଜନକଜୀ ଅନେକ ଦିନ ପର୍ଯ୍ୟନ୍ତ ଶୁକଦେବ ଜୀଙ୍କୁ ବିଭିନ୍ନ ଉପାୟରେ ଜ୍ଞାନ ପ୍ରଦାନ କରିଥିଲେ। ସେହିପରି, ଆମକୁ "ଅସଙ୍ଗଶସ୍ତ୍ରେଣ ଦୃଢେଣ ଛିତ୍ଵା" ର ଅର୍ଥ ବୁଝିବାକୁ ପଡିବ। ଏହାର ଅର୍ଥ ହେଉଛି ଘର-ସଂସାର ଛାଡିବାର କୌଣସି ଆବଶ୍ୟକତା ନାହିଁ, ବରଂ ଘରେ ରହି ଆମର ସଂସାର ଛାଡିବାର ଆବଶ୍ୟକତା ଅଛି। ଆମେ ସମସ୍ତେ ଘରେ ରହି ମଧ୍ୟ ଏହି ଦୁନିଆରୁ ମୁକ୍ତ ହୋଇପାରିବା।

ଆମକୁ ଜଲେବି ଛାଡିବାକୁ ପଡିବ ନାହିଁ, ଜଲେବିର ସ୍ମୃତିକୁ ଛାଡିବାକୁ ପଡିବ। ଯେତେବେଳେ ଆମେ ଜଲେବି ପସନ୍ଦ କରୁ, ଆମେ ଦୋକାନର ନାମ ପଚାରିଥାଉ, ତା'ର ପ୍ରଶଂସା କରୁ। ଆଠ ଦିନ ପରେ ମଧ୍ୟ, ଆମେ ଏହାର ସ୍ୱାଦ ମନେ ରଖିଥାଉ। ପାଞ୍ଚ ବର୍ଷ ପରେ ମଧ୍ୟ, ଆମେ ସେହି ଜଲେବିକୁ ମନେ ରଖିଥାଉ। ପୁଅ ପ୍ରତି ଆସକ୍ତି, ଧନ ପ୍ରତି ଆସକ୍ତି, ପୋଷାକ ପ୍ରତି ଆସକ୍ତି। ଏହି ଆସକ୍ତିକୁ ଭଗବାନଙ୍କୁ ସ୍ମରଣ କରି ଦୂର କରିବାକୁ ପଡିବ।

ଶ୍ରୀମଦ୍ ଭାଗବତ ଗୀତାରେ ଭୌତିକ ଜିନିଷ ଉପଭୋଗ କରିବାରେ କୌଣସି ଆପତ୍ତି ନାହିଁ। ଯିଏ ଘରେ ରହି ଭୋଗ ପ୍ରତି ନିଜର ଆସକ୍ତିକୁ ତ୍ୟାଗ କରେ, ସେ ମୁକ୍ତ ହୋଇଯାଏ।

15.4

ତତଃ(ଫ୍) ପଦଂ(ନ୍) ତତ୍ପରିମାର୍ଗିତବ୍ୟଂ(ୟ୍ଁ),
ୟସ୍ମିନ୍ଗତା ନ ନିବର୍ତନ୍ତି ଭୂୟଃ।
ତମେବ ଚାଦ୍ୟଂ(ମ୍) ପୁରୁଷଂ(ମ୍) ପ୍ରପଦ୍ୟେ,
ୟତଃ(ଫ୍) ପ୍ରବୃତ୍ତିଃ(ଫ୍) ପ୍ରସୃତା ପୁରାଣୀ॥15.4॥

ତା ପରେ ସେହି ପରମପଦ ପରମାତ୍ମାଙ୍କୁ ଅନ୍ବେଷଣ କରିବା ଉଚିତ । ଯାହାଙ୍କୁ ପାଇବା ପରେ ମନୁଷ୍ୟମାନେ ପୁନର୍ବାର ସଂସାରକୁ ଫେରି ଆସନ୍ତି ନାହିଁ ଏବଂ ଯାହାଙ୍କଠାରୁ ଅନାଦିକାଳରୁ ପ୍ରଚଳିତ ସୃଷ୍ଟି ବିସ୍ତାର ଲାଭ କରିଛି, ସେହି ଆଦିପୁରୁଷ ପରମାତ୍ମାଙ୍କ ଠାରେ ହିଁ ମୁଁ ଶରଣ ପଶୁଛି ।

ବିବେଚନ -

ତତ୍ପରେ, ସେହି ପରମାତ୍ମାଙ୍କୁ ଖୋଜିବା ଆରମ୍ଭ କରିବା ଉଚିତ, ଯାହାଙ୍କୁ ପ୍ରାପ୍ତ ହେବା ପରେ ପୁଣି ସଂସାର ଚକ୍ରକୁ ଫେରିବାକୁ ପଡ଼ିବ ନାହିଁ। ସେ ହେଉଛନ୍ତି ବ୍ରହ୍ମାଣ୍ଡର ଉତ୍ସ, ଅନାଦି କାଳରୁ ଅସୀମ ଭାବରେ ବିସ୍ତାରିତ। ମୁଁ ସେହି ଆଦିପୁରୁଷ ପରମାତ୍ମାଙ୍କ ଶରଣାଗତ। ଏହି ଦୃଢ଼ ସଂକଳ୍ପ ସହିତ, ଆମେ ମନକୁ ଭଗବାନଙ୍କ ସହ ସ୍ଥିର କରିବା ଉଚିତ। ମନରେ ଜଲେବି(ଜିଲାପି) ଖାଇବାର ଇଚ୍ଛା କେବେ ଯେ ଆସିବ ନାହିଁ ଏହା ଅସମ୍ଭବ ଲାଗିଥାଏ। ଆମେ ରୋକିବାକୁ ଚାଁହୁ ବା ନ ଚାଁହୁ, ଏହା ମନରେ ବାରମ୍ବାର ଆସିବ। ଯଦି ଆମେ ମନକୁ ଗୋଟିଏ ସ୍ଥାନରୁ ହଟାଇ ଦେଉ, ତେବେ ଏହା ଅନ୍ୟ ଏକ ସ୍ଥାନରେ ଅଟକିଯାଏ। ଯଦି ମୋବାଇଲ୍ ର ସୌକ ନଥାଏ, ତେବେ ପଡ଼ୋଶୀଙ୍କ ସହିତ ବିବାଦରେ ଲାଗିଯାଉ। କେଉଁଠି ନା କେଉଁଠି, ମନ ସବୁବେଳେ କିଛି ନା କିଛି ଇଚ୍ଛା କିମ୍ବା ଆସକ୍ତିରେ ଲାଗି ରହିଥାଏ। ଏହା ମନର ପ୍ରବୃତ୍ତି , ଏହା ନିରନ୍ତର ବନ୍ଧନରେ ରହିଥାଏ ଏବଂ କେଉଁଠି ନା କେଉଁଠି ଫସି ରହିଥାଏ।

ଶ୍ରୀ ଭଗବାନ କହିଛନ୍ତି ଯେ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ମନକୁ ଏହି ସମସ୍ତ ବିଷୟର ଆସକ୍ତି ଏବଂ ବନ୍ଧନରୁ ବିଚ୍ଛିନ୍ନ କରିବାକୁ ଶିଖିଥାନ୍ତି। ଯିଏ ମନକୁ ଏହି ବନ୍ଧନରୁ ମୁକ୍ତ କରିଛନ୍ତି, ତାଙ୍କର ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ। କେବଳ ସେ ହିଁ ଆତ୍ମାର ପ୍ରକୃତ ସ୍ୱଭାବକୁ ଚିହ୍ନିପାରିବେ।

15.5

ନିର୍ମାନମୋହା ଜିତସଙ୍ଗଦୋଷା,
ଅଧ୍ୟାତ୍ମନିତ୍ୟା ବିନିବୃତ୍ତକାମାଃ।
ଦ୍ୱନ୍ଦ୍ୱୈର୍ବିମୁକ୍ତାଃ(ସ୍) ସୁଖଦୁଃଖସଞ୍ଜ୍ଞୈଃ(ର୍),
ଗଚ୍ଛନ୍ତ୍ୟମୂଢାଃ(ଫ୍) ପଦମବ୍ୟୟଂ(ନ୍) ତତ୍।।୫।।

ଯେଉଁମାନେ (ନିଜ ଦୃଷ୍ଟିରୁ ) ଅଭିମାନଶୂନ୍ୟ ଓ ମୋହରହିତ, ଆସକ୍ତିଜନିତ ଦୋଷ ଉପରେ ବିଜୟୀ, ପରମାତ୍ମାଙ୍କ ସହିତ ନିତ୍ୟନିରନ୍ତର ସଂଯୁକ୍ତ, ଯେଉଁମାନଙ୍କ ଠାରେ କୌଣସି କାମନା ନାହିଁ, ଯେଉଁମାନେ ସୁଖ ଦୁଃଖରୂପକ ଦ୍ବନ୍ଦ୍ବରୁ ମୁକ୍ତ, ସେପରି (ଉଚ୍ଚ ସ୍ତରର) ମୋହରହିତ ସାଧକଭକ୍ତ ସେହି ଅବିନାଶୀ ପରମପଦ ( ପରମାତ୍ମାଙ୍କୁ ) ପ୍ରାପ୍ତ ହୁଅନ୍ତି ।

ବିବେଚନ -

ହେ ଅର୍ଜୁନ! ସେହି ଭକ୍ତର ମନର ଅବସ୍ଥା ସର୍ବଦା ଏକା ପ୍ରକାରର। ତାଙ୍କର କୌଣସି ଆସକ୍ତି ନାହିଁ, କୌଣସି ମାନ ନାହିଁ, କୌଣସି ଅପମାନ ନାହିଁ, କିଛି ତୁମର କିମ୍ବା ମୋର ଏହି ଭାବ ନାହିଁ, ସୁଖ ନାହିଁ କିମ୍ବା ଦୁଃଖ ବି ନାହିଁ।

ଆମେ ସମସ୍ତେ ଅନେକ ଆଧୁନିକ ସୁବିଧାର ଜାଲରେ ଛନ୍ଦି ହୋଇଛୁ। ଚା‘ ବିନା ଆମର ସକାଳ ଅସମ୍ପୂର୍ଣ୍ଣ ମନେହୁଏ ଏବଂ ତାହା ମଧ୍ୟ ଆମର ପସନ୍ଦର ହେବା ଉଚିତ। ଚା‘ ର ରଙ୍ଗ ଏବଂ ଏହାର ଉଷ୍ମତା ଆମେ ଯେପରି ଚାହୁଁ, ଠିକ୍ ସେହିପରି ପ୍ରିୟ ହେବା ଉଚିତ। ତା'ପରେ ଯଦି ହଠାତ୍ ବିଦ୍ୟୁତ୍ ବନ୍ଦ ହୋଇଯାଏ, ପଙ୍ଖା ମଧ୍ୟ ବନ୍ଦ ହୋଇଯାଏ, ତା'ପରେ ମନରେ ପ୍ରଶ୍ନ ଉଠେ ଯେ ଏହି ସରକାରଙ୍କୁ କିଏ ନିର୍ବାଚିତ କରିଛି?

ଆମେ କିଛି ପରିମାଣରେ ଟେଲିଭିଜନ ବିନା ବଞ୍ଚିପାରିବା କିନ୍ତୁ ମୋବାଇଲ୍ ବିନା ବଞ୍ଚିବା ପ୍ରାୟ ଅସମ୍ଭବ ହୋଇଗଲାଣି। ଟିଭି, ଏସି, ବନ୍ଧୁ, ମୋବାଇଲ୍, ଇଣ୍ଟରନେଟ୍, ସମସ୍ତଙ୍କ ଜୀବନ ଏଥିରେ ସୀମିତ ହୋଇଗଲାଣି।

ଯେତେବେଳେ ଏହି ତିନୋଟି ବନ୍ଧନ ତୁଟିଯାଏ, ସେତେବେଳେ ଯେଉଁ ଅବସ୍ଥା ପ୍ରାପ୍ତ ହୁଏ ତାହା ଅତ୍ୟନ୍ତ ଉନ୍ନତ ଏବଂ ଶାନ୍ତିପୂର୍ଣ୍ଣ ହୁଏ।

ନିର୍ମାନମୋହା :- ମୁଁ ନୁହେଁ, ମୋର ନୁହେଁ ବୋଲି ଭାବନାରୁ ଉର୍ଦ୍ଧ୍ୱକୁ ଯିବା।

ଜିତସଙ୍ଗଦୋଷା :- କାମନାର ବନ୍ଧନରୁ ମୁକ୍ତ ହେବା।

ବିନିବୃତ୍ତକାମାହାଃ :- କୌଣସି କାମନା କିମ୍ବା ଇଚ୍ଛା ଶୂନ୍ୟ ହେବା।

ଦ୍ୱନ୍ଦ୍ୱୈର୍ବିମୁକ୍ତାଃ :- ଶୀତଳ-ଉଷ୍ମ, ସୁଖ-ଦୁଃଖ, ମାନ-ଅପମାନ ଭଳି ଦ୍ୱନ୍ଦ୍ୱରୁ ମୁକ୍ତ ହେବା।

ସୁଖଦୁଃଖସଞ୍ଜ୍ଞୈଃ :- ସୁଖ ଏବଂ ଦୁଃଖରେ ସମଭାବ ଏବଂ ସମାନତାର ଅବସ୍ଥା।

ପଦମବ୍ୟୟଂ(ନ୍‍‍) :- ସେହି ଅନକ୍ଷର, ଅବ୍ୟୟ, ଅମର ପରମପଦ ଯାହାକୁ ଜ୍ଞାନୀ ବ୍ୟକ୍ତି ପ୍ରାପ୍ତ କରନ୍ତି।

ଏହା ସେହି ଅବସ୍ଥା ଯେଉଁଠାରେ ମନ ପୂର୍ଣ୍ଣତଃ ଶୁଦ୍ଧ ଏବଂ ମୁକ୍ତ ହୋଇଯାଏ। ଯାହା ପ୍ରକୃତ ଆତ୍ମ-ଜ୍ଞାନର ପର୍ଯ୍ୟାୟ।

ଆଲୋଚନା ଏକ ସୁନ୍ଦର ଭଜନ ସହିତ ସମାପ୍ତି ଆଡ଼କୁ ଗତି କଲା -

मैं नहीं, मेरा नहीं यह सब किसी का है दिया।

जो भी अपने पास है वह सब किसी का है दिया।।

ଯେବେ ଆମେ ମନର ଗଭୀରତାରୁ ଏହା ଜାଣୁ ଯେ, ‘ମୁଁ କିଛି ନୁହଁ, ମୋର କିଛି ନାହିଁ, ଯାହା ଅଛି ସବୁ କିଛି ତାଙ୍କ ଠାରୁ ପାଇଛି’, ତା'ପରେ ଆମର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୁଏ। ଆମେ ଅନୁଭବ କରୁ ଯେ ଆମକୁ କେବଳ ଏକ ଭୂମିକା ଚିତ୍ରଣ କରିବାକୁ ପଠାଯାଇଛି।

ଯଦି ମୋତେ ପିତା କରାଯାଏ, ତେବେ ମୁଁ ଜଣେ ପିତା, ଯଦି ମୁଁ ଜଣେ ପୁତ୍ର, ତେବେ ମୁଁ ଜଣେ ପୁତ୍ର, ଯଦି ମୁଁ ଖେଳରେ ଭାଗ ନିଏ, ତେବେ ମୁଁ ଜଣେ ଖେଳାଳି, ଯଦି ମୁଁ ନାଗରିକତ୍ୱ ପାଏ, ତେବେ ମୁଁ ଜଣେ ନାଗରିକ। ଯେପରି ନାଟକର ଅଭିନେତା ନିଜକୁ ରାମ କିମ୍ବା ରାବଣ ବୋଲି ଭାବୁନାହିଁ, ବରଂ ସେ କେବଳ ତାଙ୍କୁ ଦିଆଯାଇଥିବା ଭୂମିକାରେ ଅଭିନୟ କରେ, ସେହିପରି, ଆମେ ମଧ୍ୟ ଶ୍ରୀ ଭଗବାନଙ୍କ ଦ୍ୱାରା ଆମକୁ ଦିଆଯାଇଥିବା ଆମର ନିଜ ନିଜ ଭୂମିକାରେ ଅଭିନୟ କରିବାକୁ ଏହି ଜଗତକୁ ଆସିଛୁ।

ଯେତେବେଳେ ଏହି ଭାବନା ଆମ ମନରେ ବସିଯାଏ, ଅର୍ଯେଥାତ ଉଁମାନେ ସେମାନଙ୍କର ଅସ୍ତିତ୍ୱକୁ କେବଳ ଏକ ଭୂମିକା ଭାବରେ ଗ୍ରହଣ କରନ୍ତି, ସେମାନଙ୍କୁ ଯୋଗୀ କୁହାଯାଏ ଏବଂ କେବଳ ଏପରି ଯୋଗୀମାନେ ଶେଷରେ ଶ୍ରୀ ଭଗବାନଙ୍କ ଧାମକୁ ପ୍ରାପ୍ତ କରନ୍ତି ।

ସେହି ନିବାସ କିପରି, ଆମେ ଆସନ୍ତା ସପ୍ତାହରେ ପାଞ୍ଚଟି କାହାଣୀ ସହିତ ଏହା ଉପରେ ଆଲୋଚନା କରିବା।

ଆମେ ଗାଇବା ଏବଂ ଶ୍ରୀ ଭଗବାନ ଶୁଣିବେ, ଏହି ଭାବରେ କିଛି ସମୟ ପାଇଁ ହରି ସଂକୀର୍ତ୍ତନ -

’हरि शरणम् हरि शरणम् हरि शरणम् - हरि शरणम् हरि शरणम् हरि शरणम्’  

ଆଜିର ଅଧିବେଶନ ସାଧକଙ୍କ ପ୍ରଶ୍ନର ସମାଧାନ ପାଇଁ ଏହିଠାରେ ସମାପନ ହେଲା, ଏବଂ ଏହା ସହିତ ପ୍ରଶ୍ନୋତ୍ତର ଅଧିବେଶନ ଆରମ୍ଭ କରାଗଲା।

॥ ପ୍ରଶ୍ନୋତ୍ତରୀ ॥

ପ୍ରଶ୍ନକର୍ତ୍ତା - ଗଜାନନ୍ଦ ଭାଇ।

ପ୍ରଶ୍ନ - ମୁଁ ଗୀତା ପଢିଛି କିନ୍ତୁ ମୁଁ ଏପର୍ଯ୍ୟନ୍ତ ଏହାକୁ ବହୁତ ବୁଝିପାରି ନାହିଁ। ସେଥିପାଇଁ ମୁଁ ଗୀତା ଶ୍ରେଣୀରେ ଯୋଗ ଦେଇଛି। ମୁଁ ଶ୍ଲୋକ ତଳେ ହିନ୍ଦୀରେ ଯାହା ଲେଖାଯାଇଛି ତାହା ମଧ୍ୟ ପଢିଛି କିନ୍ତୁ ମୁଁ ଏପର୍ଯ୍ୟନ୍ତ ମୋ ମନକୁ ନିୟନ୍ତ୍ରଣ କରିପାରୁନାହିଁ। ମୁଁ ମୋ ମନକୁ କିପରି ନିୟନ୍ତ୍ରଣ କରିବି?

ଉତ୍ତର - ଏହା ଆରମ୍ଭରେ ସମସ୍ତଙ୍କ ସହିତ ଘଟେ। ଜଣେ ଛାତ୍ର ପାଇଁ ପାଠପଢ଼ା ଏବଂ ଆତ୍ମ-ସ୍ୱେଧ୍ୟ ଏବଂ ସତ୍ସଙ୍ଗ ରେ ଏକାଗ୍ର କରିବା ବହୁତ କଷ୍ଟକର। ବିଦ୍ୟାର୍ଥୀଙ୍କୁ ପାଠରେ ଏକାଗ୍ର କରିବା ବହୁତ କଷ୍ଟକର। ମନ ଅତ୍ୟନ୍ତ ଚଞ୍ଚଳ। ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ ଆମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭ୍ୟାସ କରିବାକୁ ପଡିବ। ଏହା ଅଳ୍ପ ଅଭ୍ୟାସ ଦ୍ୱାରା ହୋଇପାରିବ ନାହିଁ।

ଯଦି ଜଣେ ବ୍ୟକ୍ତି ସାତ୍ତ୍ୱିକ ଖାଦ୍ୟ ଖାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସତ୍ସଙ୍ଗ କରେ, ତେବେ ହିଁ ମନ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିପାରିବ। ସକାଳ ଠାରୁ ରାତି ପର୍ଯ୍ୟନ୍ତ, କେତେ ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ ମୋର ପ୍ରବୃତ୍ତି। ଆମେ ଏହା ବିଷୟରେ ଚିନ୍ତା କରିବା ଉଚିତ।


ପ୍ରଶ୍ନକର୍ତ୍ତା - ପ୍ରଦୀପ ଭାଇ।

ପ୍ରଶ୍ନ - ଆମେ ଏକ ସତସଙ୍ଗରେ ସ୍ୱାମୀ ଶ୍ରୀ ଗୋବିନ୍ଦ ଦେବ ଗିରି ଜୀ ମହାରାଜଙ୍କୁ ଭେଟିଥିଲୁ ଏବଂ ସେ ଆମକୁ ତାଙ୍କର ଏକ ଫଟୋଗ୍ରାଫ ଦେଇଥିଲେ। ଆମେ ଏହାକୁ କେଉଁଠାରେ ଫ୍ରେମରେ ରଖିପାରିବୁ? ମନ୍ଦିର(ଠାକୁର ଘର) ରେ କିମ୍ବା ଅନ୍ୟ କୌଣସି ସ୍ଥାନରେ?

ଉତ୍ତର - ଆମେ ଏହାକୁ ମନ୍ଦିରରେ ରଖିପାରିବା। ଗୁରୁଜୀଙ୍କ, ସଦଗୁରୁଜୀଙ୍କ ଫଟୋଗ୍ରାଫ ଅତ୍ୟନ୍ତ ଅଦ୍ଭୁତ, ସ୍ମରଣୀୟ ଏବଂ ପୂଜନୀୟ। ଆପଣ ତାଙ୍କୁ ମନ୍ଦିରରେ ଏକ ଆସନ ଦେଇ ସେଠାରେ ବିରାଜମାନ କରିପାରିବେ।


ପ୍ରଶ୍ନକର୍ତ୍ତା - ହନୁମାନ ପ୍ରସାଦ ଭାଇ।

ପ୍ରଶ୍ନ - ଗୀତା ପଢ଼ନ୍ତୁ, ପଢାନ୍ତୁ ଏବଂ ଏହାକୁ ଜୀବନରେ ଆପଣାନ୍ତୁ।

ଆମେ ଏହାକୁ ଆମ ଜୀବନରେ କିପରି ଆଣପାରିବା ସେ ବିଷୟରେ ଆମକୁ ଟିକିଏ ଜ୍ଞାନ ଦିଅନ୍ତୁ?

ଉତ୍ତର - ପ୍ରତ୍ୟେକ ଥର ଆମେ ଆଲୋଚନା ଶୁଣିବୁ ଏବଂ ପ୍ରତ୍ୟେକଥର ଆଲୋଚନାରୁ ଆମକୁ ଗୋଟିଏ ଗୋଟିଏ ଧାଡ଼ି ବାଛିବାକୁ ପଡିବ ଯାହା ଆମକୁ ବହୁତ ପସନ୍ଦ ଆସିଥାଏ। ଏହା ଚିନ୍ତାକରି ଆଜିଠାରୁ ଏହାକୁ ଆରମ୍ଭ କରିବି। ଏହା ପରେ ମୁଁ କୌଣସି ଭୁଲ କାମ କରିବି ନାହିଁ ଏବଂ ପ୍ରତି ସପ୍ତାହରେ ଏହି ଜିନିଷକୁ ଜୀବନରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବି।

ଯାହା ଦ୍ଵାରା କିଛି ସପ୍ତାହ ପରେ ଆମେ ସେହି ଜିନିଷଗୁଡ଼ିକୁ ଆମ ଜୀବନରେ ଆଣିପାରିବା। ଜରୁରୀ ନାହିଁ କି ଆମେ ବହୁତ କିଛି କରିବାI ଆପଣ ଵିଵେଚନରୁ ଛୋଟ ଧାଡିଟିଏ ବାଛନ୍ତୁ, ତାପରେ ଏହାକୁ ଅନୁସରଣ କରିବାରେ ଆପଣଙ୍କର ସମ୍ପୂର୍ଣ୍ଣ ପ୍ରାଣ ଲଗାଇପାରିବେ। ଏହା କରିବା ଦ୍ୱାରା, ଆମେ ଧୀରେ ଧୀରେ ଗୀତା ଜିଙ୍କୁ ଆମ ଜୀବନରେ ଆଣପାରିବା।

॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥