विवेचन सारांश
॥ ଶ୍ରୀ ଭଗବାନଙ୍କର ବିଭୂତି ॥

ID: 7898
उड़िया - ଓଡ଼ିଆ
ରବିବାର, 07 ସେପ୍ଟେମ୍ବର 2025
ଅଧ୍ୟାୟ 10: ବିଭୂତିଯୋଗ
2/3 (ଶ୍ଳୋକ 6-23)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା -

ଗୀତା ପରିବାରର ମଧୁର ଗୀତ, ହନୁମାନ ଚାଳିଶା, ଶ୍ରୀକୃଷ୍ଣ ଆରାଧନା ଏବଂ ଦୀପ ପ୍ରଜ୍ଜ୍ୱଳନ ପରେ ଏହି ବିବେଚନା ସତ୍ର ଆରମ୍ଭ ହୋଇଥିଲା। ଶ୍ରୀ ଭଗବାନଙ୍କ ଅତ୍ୟନ୍ତ ମଙ୍ଗଳମୟୀ କୃପା ଯୋଗୁଁ, ଆମ ସମସ୍ତଙ୍କର ଏପରି ସୌଭାଗ୍ୟ ଜାଗ୍ରତ ହୋଇଛି ଯେ ଆମେ ଆମର ଜୀବନକୁ ସଫଳ ଏବଂ ସାର୍ଥକ କରିବା ପାଇଁ, ଆମର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବାପାଇଁ, ଆମର ଇହଲୋକ ଓ ପାରଲୌକିକ ଜୀବନରେ ଉନ୍ନତି କରିବାକୁ, ମାନବ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତି ପାଇଁ , ଗୀତାଜୀଙ୍କର ପଠନ-ପାଠନ ଓ ଅଧ୍ୟୟନ କରିବାରେ, ଏହାର ବ୍ୟାଖ୍ୟା ଶୁଣିବା ଏବଂ ଏହାକୁ କଣ୍ଠସ୍ଥ କରିବାକୁ, ଏହାର ସୂତ୍ରଗୁଡ଼ିକୁ ବୁଝି ତାହାକୁ ଜୀବନରେ ପ୍ରୟୋଗ କରିବାପାଇଁ ସତତ ଚେଷ୍ଟିତ ଅଛୁ।

ଜଣାନାହିଁ କି ଆମର ଏହି ଜନ୍ମରେ କିଛି ପୂଣ୍ୟ କର୍ମ, ପୂର୍ବ ଜନ୍ମର ସୁକୃତ, ଆମର ପୂର୍ବପୁରୁଷଙ୍କ ସୁକୃତରୁ କିମ୍ବା କେଉଁ ଜନ୍ମରେ କୌଣସି ମହାପୁରୁଷଙ୍କ କୃପା ଦୃଷ୍ଟି ଆମ ଉପରେ ପଡ଼ିଛି, ଯାହା ଯୋଗୁଁ ଆମେ ଏତେ ଭାଗ୍ୟବାନ ଯେ ଆମେ ଶ୍ରୀମଦ୍ ଭଗବଦ୍ ଗୀତା ପଢ଼ିବା ପାଇଁ ମନୋନୀତ ହୋଇଛୁ। ଏହା ଏକ ସାଧାରଣ କଥା ନୁହେଁ ଯେ ଆମେ ଶ୍ରୀମଦ୍ ଭଗବଦ୍ ଗୀତା ପଢିବା ପାଇଁ ମନୋନୀତ ହୋଇଛୁ।

ତେଣୁ, ଆମେ ବାରମ୍ବାର ଆମର ଭାଗ୍ୟକୁ ଧନ୍ୟ ମନେକରି ଏହା ଚିନ୍ତା କରିବା ଉଚିତ ଯେ ଆମେ ଗୀତାଜୀଙ୍କୁ ବାଛି ନାହୁଁ, ବରଂ ଗୀତାଜୀ ଆମକୁ ବାଛିଛନ୍ତି। ଏବେ ଏହାକୁ ଛାଡିବା ଉଚିତ୍ ନୁହେଁ।

ଆମେ ଦଶମ ଅଧ୍ୟାୟର ବିବେଚନ ଦେଖୁଛୁ, ଯାହାର ନାମ ବିଭୂତିଯୋଗ।



10.6

ମହର୍ଷୟଃ(ସ୍) ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା।
ମଦ୍ଭାବା ମାନସା ଜାତା, ୟେଷାଂ(ଲ୍ଁ) ଲୋକ ଇମାଃ(ଫ୍) ପ୍ରଜାଃ।।୬।।

ସାତ ମହର୍ଷି, ସେମାନଙ୍କ ପୂର୍ବବର୍ତ୍ତୀ ଚାରି ସନକାଦି ଓ ଚଉଦ ମନୁ --- ଏ ସମସ୍ତେ ମୋ ମନରୁ ଜାତ ହୋଇଛନ୍ତି ଏବଂ ମୋ ପ୍ରତି ଭାବ ( ଶ୍ରଦ୍ଧା-ଭକ୍ତି ) ରଖିଛନ୍ତି । ଏ ସଂସାରରେ ସମସ୍ତେ ଏମାନଙ୍କର ପ୍ରଜା ଅଟନ୍ତି ।

ବିବେଚନ - 

ହେ ଅର୍ଜୁନ! ବ୍ରହ୍ମାଙ୍କ ପୁତ୍ର ଭାବରେ ସନତ , ସନନ୍ଦନ, ସନାତନ ଏବଂ ସନତ କୁମାର ଏହି ଚାରିଜଣ ଜନ୍ମଗ୍ରହଣ କରିଥିଲେ। ସେମାନେ ସମସ୍ତେ ବାଲ୍ୟକାଳରୁ ମହାତ୍ମା ଥିଲେ। ସେମାନେ ଭାବୁଥିଲେ ଯେ ବ୍ରହ୍ମା ସେମାନଙ୍କୁ ସୃଷ୍ଟିର ବିସ୍ତାର ପାଇଁ ଉତ୍ପନ୍ନ କରିଛନ୍ତି, କିନ୍ତୁ ସେମାନେ ସାଂସାରିକ ବନ୍ଧନରେ ପଡ଼ିବାକୁ ଚାହିଲେ ନାହିଁ, ତେଣୁ ସେମାନେ ବ୍ରହ୍ମାଙ୍କର କଠୋର ତପସ୍ୟା କରିଥିଲେ। ବ୍ରହ୍ମା ପ୍ରକଟ ହୋଇ ପଚାରିଲେ ଯେ ସେମାନେ କ’ଣ ଚାହୁଁଛନ୍ତି। ସେମାନେ ଏହି ବର ମାଗିଲେ ଯେ ସେମାନେ ସର୍ବଦା ପାଞ୍ଚ ବର୍ଷ ବୟସରେ ରହିବେ ଏବଂ ଏହାଠାରୁ ବଡ଼ ହେବେ ନାହିଁ। ଚାରି ପୁତ୍ର କହିଲେ ଯେ ସେମାନେ ଅଧିକ ବଡ଼ ହେବାକୁ ଚାହାଁନ୍ତି ନାହିଁ। ବ୍ରହ୍ମା ଏହି ଅଦ୍ଭୁତ ବରଦାନ ଇଚ୍ଛା ଦେଖି ଆଶ୍ଚର୍ଯ୍ୟ ହେଲେ, ତଥାପି ସେ ତଥାସ୍ତୁ କହିଲେ।

ବ୍ରହ୍ମା ଭାବିବାକୁ ଲାଗିଲେ ଯେ ଏବେ ସଂସାରର ବିସ୍ତାର କିପରି ହେବ?

ସନତ, ସନନ୍ଦନ, ସନାତନ ଏବଂ ସନତ କୁମାର ଆଜି ମଧ୍ୟ ସେହିଭଳି ଅଛନ୍ତି। ସେମାନଙ୍କର ଆଜିପର୍ଯ୍ୟନ୍ତ ସମାନ ପ୍ରବୃତ୍ତି ଅଛି। ଯଦି ସେମାନେ କଥା ଶୁଣିବା ପାଇଁ କାହାକୁ ପାଆନ୍ତି, ତେବେ ସେମାନେ ତାଙ୍କୁ ବକ୍ତା ଭାବରେ କଥା ଶୁଣାନ୍ତି ଏବଂ ଯଦି କଥା କହିବା ପାଇଁ କେହି ମିଳିଯାନ୍ତି, ତେବେ ସେମାନେ ଶ୍ରୋତା ଭାବରେ ଶୁଣିଥାନ୍ତି। ଶ୍ରୀ ଭଗବାନଙ୍କ କଥା ଶୁଣି ସେମାନେ ଅପାର ଆନନ୍ଦ ଅନୁଭବ କରନ୍ତି। ଯଦି ବକ୍ତା ଏବଂ ଶ୍ରୋତା ଉଭୟ ନ ମିଳନ୍ତି, ତେବେ ଚାରି ଭାଇଙ୍କ ମଧ୍ୟରୁ ଜଣେ ବକ୍ତା ହୋଇଯାଆନ୍ତି ଏବଂ ଅନ୍ୟ ତିନି ଜଣ ଶ୍ରୋତା ହୋଇଯାଆନ୍ତି। କେତେବେଳେ ଜଣେ ବକ୍ତା ତ କେତେବେଳେ ଅନ୍ୟ ଜଣେ। ଶ୍ରୀ ଭଗବାନଙ୍କ କଥା କହିବା ଏବଂ ଶୁଣିବା ସେମାନଙ୍କର ନିରନ୍ତର ପ୍ରବୃତ୍ତି। ଏହା ବ୍ୟତୀତ, ସେମାନେ ଅନ୍ୟ କିଛି କରିବାକୁ ଇଚ୍ଛା କରନ୍ତି ନାହିଁ।

ବ୍ରହ୍ମାଜୀ ଯେତେବେଳେ ଦେଖିଲେ ଯେ ତାଙ୍କର ସନକାଦି ଚାରି ପୁତ୍ରଙ୍କ ଦ୍ଵାରା ସଂସାର ର ବିସ୍ତାରିତ ହେବାର କୌଣସି ସମ୍ଭାବନା ନାହିଁ ସେତେବେଳେ ସେ ସାତଜଣ ଋଷିଙ୍କୁ ଉତ୍ପନ୍ନ କଲେ। ଏହି ସାତ ଜଣଙ୍କର ବିଭିନ୍ନ କଳ୍ପରେ ଭିନ୍ନ ଭିନ୍ନ ନାମ ଅଛି। ଆମ କଳ୍ପରେ ମହର୍ଷି ବଶିଷ୍ଠ, ମହର୍ଷି କଶ୍ୟପ, ମହର୍ଷି ଅତ୍ରି, ମହର୍ଷି ଜମଦଗ୍ନି, ମହର୍ଷି ଗୌତମ, ମହର୍ଷି ବିଶ୍ୱାମିତ୍ର ଏବଂ ମହର୍ଷି ଭରଦ୍ୱାଜ ଅଛନ୍ତି। ବ୍ରହ୍ମାଜୀ ଏହି ଋଷି ମାନଙ୍କୁ ଆଦେଶ ଦେଲେ ଯେ ବ୍ରହ୍ମାଣ୍ଡର ସର୍ଜନା ହେତୁ ତୁମେମାନେ ଧର୍ମ ପାଳନକରି ପ୍ରଜା ମାନଙ୍କର ସୃଷ୍ଟି କର।

ବ୍ରହ୍ମାଜୀଙ୍କର ଗୋଟିଏ ଦିନରେ ଚଉଦ ମନୁ ଅଛନ୍ତି। ମନୁ ଅର୍ଥାତ୍ ମାନସ ପୁତ୍ର। ଜଣେ ମନୁଙ୍କ ଜୀବନ ବାସ୍ତରି ଚତୁର୍ଯୁଗ। ଜଣେ ଚତୁର୍ଯୁଗୀ ର ବୟସ ତେୟାଳିଶ ଲକ୍ଷ କୋଡ଼ିଏ ହଜାର ବର୍ଷ। ବର୍ତ୍ତମାନ ସପ୍ତମ ମନୁଙ୍କ ଦିନ ଚାଲିଛି ଅର୍ଥାତ୍ ବ୍ରହ୍ମାଜୀଙ୍କ ଦିନର କେବଳ ଅଧା ସମୟ ବିତିଯାଇଛି। ତାଙ୍କର ନାମ ବୈବସ୍ୱତ ମନୁ। ପ୍ରଥମେ ସ୍ୱୟଂଭୁ ମନୁ ଥିଲେ ଏବଂ ତା'ପରେ ମନୁ-ଶତରୂପ ଥିଲେ। ମନୁଷ୍ୟ ଶବ୍ଦ ମନୁରୁ ଆସିଛି । ମନୁଷ୍ୟମାନଙ୍କର ନିୟମ ପ୍ରଣୟନ ପାଇଁ ମନୁଙ୍କ ଦ୍ୱାରା ମନୁ ସ୍ମୃତି ସୃଷ୍ଟି ହୋଇଥିଲା।


10.7

ଏତାଂ(ମ୍) ବିଭୂତିଂ(ମ୍) ୟୋଗଂ(ଞ୍) ଚ, ମମ ୟୋ ବେତ୍ତି ତତ୍ତ୍ୱତଃ।
ସୋଽବିକମ୍ପେନ ୟୋଗେନ, ୟୁଜ୍ୟତେ ନାତ୍ର ସଂଶୟଃ।।୭।।

ଯେଉଁ ମନୁଷ୍ୟ ମୋର ଏହି ବିଭୂତି ଓ ଯୋଗ(ସାମର୍ଥ୍ୟ)କୁ ତତ୍ତ୍ୱତଃ ଜାଣେ ଅର୍ଥାତ୍ ଦୃଢଭାବେ ନିଃସନ୍ଦେହରେ ମାନେ , ସେ ଅବିଚଳ ଭକ୍ତିଯୋଗରେ ଯେ ସଂଶ୍ଳିଷ୍ଟ ହୋଇଯାଏ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

ବିବେଚନ -  

ଶ୍ରୀ ଭଗବାନ କହିଛନ୍ତି ଯେ ଯିଏ ମୋର ଏହି ପରମେଶ୍ୱରୀୟ ବିଭୂତି ଓ ଅବିକମ୍ପନ୍ନ ଯୋଗଶକ୍ତିକୁ ତତ୍ତ୍ୱରୂପେ ଜାଣିଥାଏ, ସେ କେବେ କମ୍ପିତ ବା ବିଚଳିତ ହୁଏନାହିଁ।

ଅବିକମ୍ପନ୍ନ ଅର୍ଥାତ୍ ଯେଉଁମାନେ ପରିସ୍ଥିତିର ପ୍ରଭାବରେ ବିଚଳିତ ହୁଅନ୍ତି ନାହିଁ।

ପ୍ରତିକୁଳ ପରିସ୍ଥିତି ଯୋଗୁଁ ଉଦାସ କିମ୍ବା ଦୁଃଖୀ ହୁଅନ୍ତି ନାହିଁ। ଅସୁବିଧା ହେଲେ ଟିକିଏ ମଧ୍ୟ ବିଚଳିତ ହୁଅନ୍ତି ନାହିଁ। ଏହା ଏକ ନିଶ୍ଚିତ କଥା ଯେ ଜୀବନରେ ସବୁକିଛି ମୋ ଇଚ୍ଛା ଅନୁସାରେ ହେବ ନାହିଁ। ଆମେ ଜାଣୁ ଯେ ସବୁକିଛି ଆମ ଅନୁସାରେ ହେବ ନାହିଁ, ତେଣୁ ମନକୁ ଦୁଃଖିତ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ହେଉଛି ଅବିକମ୍ପନ।

ଶ୍ରୀ ଭଗବାନ କହିଥିଲେ ଯେ ଯଦି ଆମେ ଏହା କରିବାକୁ ଶିଖିଯାଉ, ତେବେ ଆମେ ଯୋଗୀ ହୋଇଯିବୁ। ଏହା ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯେ ଯଦି ଏହା ଘଟେ, ତେବେ ଆମେ କେତେ ଶୀଘ୍ର ନିଜକୁ ସେହି ପରିସ୍ଥିତିରୁ ବାହାର କରିପାରୁ। କୌଣସି ପରିସ୍ଥିତିରେ ଆମର ମନ ବିଚଳିତ ନ ହୁଏ ତାହା ନିଶ୍ଚିତ କରିବା ପାଇଁ ବର୍ଷ ବର୍ଷର ଅଭ୍ୟାସ କରିବାକୁ ପଡ଼ିଥାଏ।

ଯେପରି ଯେତେବେଳେ ଆମର ଫୋନ୍ ଧୀରେ ଧୀରେ କାମ କରେ କିମ୍ବା ଅଟକିଯାଏ, ଏହାକୁ ପୁନଃ ସେଟ୍ (reset) କରିବାକୁ ପଡ଼ିଥାଏ। ଏପରି କରିବା ଦ୍ୱାରା, ଏହା ସବୁ ପୁରୁଣା ତଥ୍ୟ ଭୁଲି ଯାଇ (delete) ଠିକ୍ ହୋଇଯାଏ। ସେହିପରି, ଆମକୁ ମଧ୍ୟ ଆମର ମନକୁ ପୁନଃସେଟ୍ (reset) କରିବାକୁ ପଡ଼ିଥାଏ। ଏହି କ୍ରୋଧିତ କିମ୍ବା ଦୁଃଖୀ ମୁହଁ ଭଗବାନଙ୍କୁ ମଧ୍ୟ ପସନ୍ଦ ନୁହେଁ। ଆମ ମୁହଁର ସ୍ୱାଭାବିକ ପ୍ରବୃତ୍ତି ପ୍ରସନ୍ନ ମୁଦ୍ରାରେ ହେବା ଉଚିତ। ଯଦି ଆମ ମୁହଁର ପ୍ରସନ୍ନତା ଚାଲିଯାଇଛି, ତେବେ ଦର୍ପଣରେ ଦେଖି ଏହାକୁ ପୁନଃସ୍ଥାପନ(reset) କରନ୍ତୁ। ଏହା କରିବା ଶିଖିଗଲେ ଜୀବନରେ ଅବିକମ୍ପନ୍ନ ଯୋଗ ଆସିଯିବ।

ଯଦି କାହାର ମନ ଦୁଃଖ ଅଛି ଏବଂ ପଚାରିଲେ ମଧ୍ୟ ସେ କିଛି କହୁନାହିଁ, ଏମିତି ସମୟରେ ଯଦି ଅନ୍ୟଜଣେ ସେଠାରୁ ଅଲଗା ସ୍ଥାନକୁ ଚାଲିଯାଆନ୍ତି, ତେବେ ସେଇ ଦୁଃଖି ବ୍ୟକ୍ତି ଭାବିବେ — “ଦେଖ, ସେ ଚାଲିଗଲେ, ପଚାରିଲେ ମଧ୍ୟ ନାହିଁ।”

ଜଣେ କବି କହିଛନ୍ତି —

अगर वो पूछ लें मुझसे कि किस बात का गम है,

तो किस बात का गम है जो पूछ लें मुझसे?


10.8

ଅହଂ(ମ୍) ସର୍ବସ୍ୟ ପ୍ରଭବୋ, ମତ୍ତଃ(ସ୍) ସର୍ବଂ(ମ୍) ପ୍ରବର୍ତତେ।
ଇତି ମତ୍ୱା ଭଜନ୍ତେ ମାଂ(ମ୍), ବୁଧା ଭାବସମନ୍ୱିତାଃ।।୮।।

ମୁଁ ସାରା ସଂସାରର ପ୍ରଭବ( ମୂଳ କାରଣ ) ଏବଂ ମୋ ଠାରୁ ସାରା ସଂସାର ପ୍ରବୃତ୍ତ ହେଉଅଛି ବୋଲି ବିଶ୍ୱାସ କରି ମୋ ଠାରେ ଶ୍ରଦ୍ଧା-ପ୍ରେମ ରଖୁଥିବା ବୁଦ୍ଧିମାନ୍ ଭକ୍ତ ମୋତେ ଭଜିଥାନ୍ତି ଅର୍ଥାତ୍ ସର୍ବଭାବରେ ମୋର ଶରଣାପନ୍ନ ହୁଅନ୍ତି ।

ବିବେଚନ –

ଏଠାରେ ଅହମ୍’ର ଅର୍ଥ ହେଲା ସମସ୍ତଙ୍କର ଇଷ୍ଟଦେବତା।

କାହାର ଇଷ୍ଟ ଶ୍ରୀରାମଜୀ, କାହାର ଶ୍ରୀକୃଷ୍ଣ, କାହାର ମହାଦେବ, କାହାର ମା ଦୁର୍ଗା। ଯାହାକୁ ଯେଭଳି ଭାବେ ଦେଖିବାକୁ ଇଚ୍ଛା ସେଭଳି ଦେଖିପାରିବେ।

ଶ୍ରୀଭଗବାନ୍ କହୁଛନ୍ତି, “ମୁଁ ହିଁ ସମସ୍ତ ଜଗତର ଉତ୍ପତ୍ତିର କାରଣ। ମୋ ଦ୍ୱାରା ହିଁ ସମସ୍ତ ଜଗତ କ୍ରିୟାଶୀଳ ହୁଏ। ଏହାକୁ ବୁଝି, ଶ୍ରଦ୍ଧା ଓ ଭକ୍ତି ସହିତ ବୁଦ୍ଧିମାନ ବ୍ୟକ୍ତି ମୋର ଉପାସନା କରନ୍ତି।”

ଶ୍ରୀଭଗବାନ୍ କହୁଛନ୍ତି, “ସଂସାରରେ ଯାହା କିଛି ଘଟୁଛି ସେସବୁ ମୋର ଶକ୍ତିଦ୍ୱାରା ଘଟୁଛି।”

ଯଦି ଆମେ ହାତ ହଲାଉଛୁ, ତାହାକୁ ହଲାଇବାର ଶକ୍ତି ପରମାତ୍ମାଙ୍କଠାରୁ ମିଳୁଛି। ଆମେ ଭଲକାମ କରିବା, କିମ୍ବା ଖରାପ କାମ କରିବା, ସେସବୁ ଶ୍ରୀଭଗବାନଙ୍କ ଇଚ୍ଛାରୁ ନୁହେଁ, ବରଂ ତାଙ୍କର ଶକ୍ତି ଦ୍ୱାରା ହୋଇଥାଏ।


10.9

ମଚ୍ଚିତ୍ତା ମଦ୍ଗତପ୍ରାଣା, ବୋଧୟନ୍ତଃ(ଫ୍) ପରସ୍ପରମ୍।
କଥୟନ୍ତଶ୍ଚ ମାଂ(ନ୍) ନିତ୍ୟ(ନ୍), ତୁଷ୍ୟନ୍ତି ଚ ରମନ୍ତି ଚ।।୯।।

ମଦ୍ଗତଚିତ୍ତ ତଥା ମଦ୍ଗତପ୍ରାଣ ଭକ୍ତଜନ ମୋର ଗୁଣ, ପ୍ରଭାବ ଇତ୍ୟାଦି ପରସ୍ପରକୁ ଜଣାଇ ଓ ତତ୍ ସମ୍ବନ୍ଧୀୟ ଆଲୋଚନା କରି ନିରନ୍ତର ସନ୍ତୁଷ୍ଟ ରହନ୍ତି ଏବଂ ମୋତେ ପ୍ରେମ କରନ୍ତି ।

ବିବେଚନ – 

ଏହି ଶ୍ଲୋକରେ ଚାରିଟି ମହତ୍ତ୍ୱପୂର୍ଣ୍ଣ ଚରଣ ରହିଛି। ପ୍ରଥମ ଚରଣ – मच्चित्ता मद्गतप्राणा – ଏହା ସାଧନାର ଅଂଶ ଅଟେ।

ଏହି ଶ୍ଳୋକରେ କୁହାଯାଇଛି ଯେ, ନିଜର ଚିତ୍ତକୁ ଶ୍ରୀଭଗବାନଙ୍କ ସହ ଯୋଡ଼ିବାକୁ ହେବ ଓ ଆଲୋଚନା କେବଳ ଶ୍ରୀଭଗବାନଙ୍କ ବିଷୟରେ କରିବାକୁ ହେବ। ଏପରି କରୁଥିବା ମନୁଷ୍ୟଙ୍କ ମନରେ ସର୍ବଦା ସନ୍ତୁଷ୍ଟି ରହିଥାଏ ଓ ସେ ପରମାତ୍ମାଙ୍କ ଠାରେ ରମଣ କରେ। ଯେଉଁମାନେ ଏହି ମାର୍ଗରେ ଚାଲନ୍ତି, ସେମାନଙ୍କର ସାନ୍ନିଧ୍ୟ ଉପକାରୀ ସିଦ୍ଧ ହୋଇଥାଏ। ।

ଲର୍ଣ୍ଣ ଗୀତାର କ୍ଲାସରେ, ଉପସ୍ଥିତ ସମସ୍ତ ସାଧକ, ପ୍ରଶିକ୍ଷକ ଏବଂ ଅନ୍ୟ ସମସ୍ତ ଟେକ୍ନିକାଲ ସହାୟକମାନଙ୍କର ସାତ୍ତ୍ୱିକତା ଅଧିକ ଦେଖାଯାଏ। ସେମାନଙ୍କ ସହିତ ବସିଲେ ଆମର ସାତ୍ତ୍ୱିକତା ମଧ୍ୟ ବୃଦ୍ଧି ପାଏ, ଭଲ କଥାରେ ଅମ ମନ ଜଡ଼ିତ ହୋଇଯାଏ ଓ ଖରାପ କଥାରୁ ଆମେ ଦୂରେଇଯାଉ। ସତ୍ସଙ୍ଗ ହେଉଛି ଆଧ୍ୟାତ୍ମିକ ଉନ୍ନତିର ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ଉପାୟ।

बिनु सत्सङ्ग बिबेक न होई।

राम कृपा बिनु सुलभ न सोई॥

“ସତ୍ସଙ୍ଗ ବିନା ବିବେକ ଜାଗ୍ରତ ହୁଏନାହିଁ, ଏବଂ ଭଗବାନଙ୍କର କୃପା ବିନା ସତ୍ସଙ୍ଗ ପ୍ରାପ୍ତି ହୁଏନାହିଁ।

ଆମ ନିକଟରେ ମଧ୍ୟ ସାତ୍ତ୍ୱିକ, ସତ୍ୟବାଦୀ, ଧାର୍ମିକ ଲୋକମାନେ ଅଛନ୍ତି। ଏଭଳି ଲୋକଙ୍କ ସହିତ ଆମେ ନିଜର ସମୟ ଅତିବାହିତ କରିବା ଉଚିତ୍। ସେମାନଙ୍କ ସାନ୍ନିଧ୍ୟରେ ରହିବା ଉଚିତ୍ ଯେଉଁମାନଙ୍କ ଜୀବନରେ ସତ୍ୟ, ଧର୍ମ, ଉଦାରତା ଅଛି ଓ ଯେଉଁମାନେ କେବଳ ନିଜର ସ୍ୱାର୍ଥ ପାଇଁ ଜୀବନ ବ୍ୟତୀତ କରନ୍ତି ନାହିଁ। ଏଭଳି ଲୋକଙ୍କ ସଙ୍ଗ ଜୀବନରେ ଉନ୍ନତି ଆଣିଥାଏ। କିନ୍ତୁ ଆମେ ବିପରୀତ କାମ କରୁ। ଯେଉଁଠାରେ ଲୋକମାନଙ୍କର ଚର୍ଚ୍ଚା ହୁଏ, ଆମର ମନ ସେଠାକୁ ଆକର୍ଷିତ ହୁଏ। ଭାବିଦେଖିଲେ ଏଭଳି ଲୋକମାନେ ସାତ୍ତ୍ୱିକ ନୁହଁନ୍ତି, ସେମାନେ ରାଜସିକ ପ୍ରବୃତ୍ତିର ହୋଇଥାନ୍ତି। ସେମାନେ କେବଳ ସମୟର ଦୂରପଯୋଗ କରନ୍ତି, “ସେମାନଙ୍କ ସଙ୍ଗ ଆମର ଜୀବନକୁ ଅଧୋଃ ମାର୍ଗ ଆଡକୁ ପ୍ରେରିତ କରିଦିଏ।“

“ଭଗବାନଙ୍କର ଗୁଣକୀର୍ତ୍ତନ କରୁଥିବା ମହାପୁରୁଷଙ୍କ ସଙ୍ଗ ଧାରଣ କଲେ, ଜୀବନରେ ଉନ୍ନତି ଓ ଆଧ୍ୟାତ୍ମିକ ପ୍ରଗତି ହୁଏ।”


10.10

ତେଷାଂ(ମ୍) ସତତୟୁକ୍ତାନାଂ(ମ୍), ଭଜତାଂ(ମ୍) ପ୍ରୀତିପୂର୍ବକମ୍।
ଦଦାମି ବୁଦ୍ଧିୟୋଗଂ(ନ୍) ତଂ(ମ୍), ତେନ ମାମୁପୟାନ୍ତି ତେ।।୧୦।।

ମୋ ଠାରେ ସର୍ବଦା ଯୁକ୍ତ ହୋଇ ପ୍ରେମପୂର୍ବକ ମୋତେ ଭଜୁଥିବାସେହି( ପୂର୍ବଶ୍ଳୋକରେ ବର୍ଣ୍ଣିତ )ଭକ୍ତମାନଙ୍କୁ ମୁଁ ଏଭଳି ବୁଦ୍ଧିଯୋଗ ପ୍ରଦାନ କରେ, ଯଦ୍ଦ୍ୱାରା ସେମାନେ ମୋତେ ପ୍ରାପ୍ତ ହୁଅନ୍ତି ।

ବିବେଚନ -

ଏହି ଶ୍ଲୋକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଶ୍ରୀଭଗବାନ ଆମକୁ କହୁଛନ୍ତି -

 “କେବଳ କିଛି ସମୟ ପାଇଁ ନୁହେଁ, ବରଂ ସଦା ସର୍ବଦା ସତ୍ସଙ୍ଗ କରିବା ଉଚିତ୍, ଏବଂ ଭକ୍ତିର ସହିତ କରିବା ଉଚିତ୍।”

ଆମେ ଯେ କୌଣସି ନିୟମ ଗ୍ରହଣ କରୁ ତାହାକୁ ଆନନ୍ଦର ସହ କରିବା ଆବଶ୍ୟକ। ଦୈନିକ ଶ୍ରୀମଦ୍ଭଗବଦ୍‌ଗୀତା ପାଠର ନିୟମ ହେଉ, କିମ୍ବା ଏକଲକ୍ଷ ନାମଜପର ସଂକଳ୍ପ — ସବୁଗୁଡ଼ିକୁ ନିରନ୍ତର, ପ୍ରୀତିପୂର୍ବକ, ଆନନ୍ଦମୟ ଚିତ୍ତରେ ପାଳନ କରିବା ଉଚିତ୍।

Pasted image

10.11

ତେଷାମେବାନୁକମ୍ପାର୍ଥମ୍, ଅହମଜ୍ଞାନଜଂ(ନ୍) ତମଃ।
ନାଶୟାମ୍ୟାତ୍ମଭାବସ୍ଥୋ, ଜ୍ଞାନଦୀପେନ ଭାସ୍ୱତା।।୧୧।।

ସେହି ଭକ୍ତମାନଙ୍କ ପ୍ରତି କୃପା କରିବା ପାଇଁ ମୁଁ ସେମାନଙ୍କ ସ୍ୱରୂପରେ ଥାଇ ସେମାନଙ୍କ ଅଜ୍ଞାନଜନିତ ଅନ୍ଧକାରକୁ ଦେଦୀପ୍ୟମାନ ଜ୍ଞାନଦୀପ ଦ୍ୱାରା ନଷ୍ଟ କରିଦିଏ ।

ବିବେଚନ -  

ଭଗବାନଙ୍କର କୃପା ବିନା ସତ୍ସଙ୍ଗ ଲାଭ ହୁଏନାହିଁ, ଏହା ଆମେ ଜାଣିଛୁ। ସେହିପରି ଆଉ ଗୋଟିଏ କଥା ମନ ମଧ୍ୟକୁ ଆସିଛି —

            यह गुन साधन तें नहिं होई।

           तुम्हरी कृपा पाव कोइ कोई॥

ଶ୍ରୀଭଗବାନ୍ ଆମର ସାଧନାରେ ନୁହେଁ, ତାଙ୍କର କୃପାରୁ ପ୍ରାପ୍ତି ହୁଅନ୍ତି । କିନ୍ତୁ ସାଧନା କରୁଥିବା ଭକ୍ତମାନଙ୍କୁ ହିଁ ସେ ତାଙ୍କର କୃପା କରିଥାନ୍ତି।

ନାରଦଙ୍କ ଉପଦେଶରେ

ଧୃବ ମାତ୍ର ପାଞ୍ଚ ବର୍ଷ ବୟସରୁ ଭଗବାନଙ୍କ ତପସ୍ୟା କରିଥିଲେ। ତାଙ୍କର କେବଳ ଗୋଟିଏ ଇଚ୍ଛା ଥିଲା ଶ୍ରୀବିଷ୍ଣୁଙ୍କ ଦର୍ଶନ। ଦେବତାମାନେ ଆସି, “ପଚାରୁଥିଲେ, ତୁମକୁ କ’ଣ ଦରକାର?” ଧୃବ   କହୁଥିଲେ— “ମୋତେ ଶ୍ରୀବିଷ୍ଣୁ ଭଗବାନ ହିଁ ଆବଶ୍ୟକ।”
ସେ ଦୀର୍ଘ କାଳ ପର୍ଯ୍ୟନ୍ତ ଅତ୍ୟନ୍ତ କଠୋର ତପସ୍ୟା କରିଥିଲେ। ତାଙ୍କର ତପସ୍ୟାରେ ପ୍ରସନ୍ନ ହୋଇ, ଶ୍ରୀବିଷ୍ଣୁଙ୍କୁ ଆସିବାକୁ ପଡ଼ିଲା। ସେହି ଛୋଟ ବାଳକର ମନରେ ବିଚାର ଆସୁଥିଲା, “ଯେତେବେଳେ ଶ୍ରୀଭଗବାନ ଆସିବେ, ସେ କ’ଣ କ’ଣ କହିବ।” କିନ୍ତୁ ଯେତେବେଳେ ଶ୍ରୀଭଗବାନଙ୍କୁ ସମ୍ମୁଖକୁ ଆସିଲେ, ସେ କିଛି କହିପାରିଲା ନାହିଁ, କେବଳ କାନ୍ଦିବାକୁ ଲାଗିଲା।

ଏହା ଦେଖି ଭଗବାନବିଷ୍ଣୁ ନିଜ ଶଂଖଦ୍ୱାରା ଧ୍ରୁବଙ୍କ ଗଣ୍ଡକୁ ସ୍ପର୍ଶ କଲେ। ସ୍ପର୍ଶ କରିବାମାତ୍ରେ ଧୃବଙ୍କୁ ବାଣୀ ପ୍ରାପ୍ତ ହେଲା, ଏବଂ ସେ ଶ୍ରୀଭଗବାନଙ୍କ ଅସୀମ ମାହାତ୍ମ୍ୟର ଅଦ୍ଭୁତ ସ୍ତୁତି କରିଲେ।

ଶବରୀ ଶ୍ରୀରାମଙ୍କୁ କହିଲା -

अधम ते अधम अधम अति नारी।

तिन्ह महँ मैं मतिमंद अघारी॥

ସେତେବେଳେ ପ୍ରଭୁ ଶ୍ରୀରାମ ନବଧା ଭକ୍ତିର ଉପଦେଶ ଦେଲେ।

प्रथम भगति सन्तन कर सङ्गा |

दूसरि रति मम कथा प्रसङ्गा ||
गुर पद पङ्कज सेवा तीसरि भगति अमान |
चौथी भगति मम गुन गन करइ कपट तज गान ||
मन्त्र जाप मम दृढ़ बिस्वासा |
पञ्चम भजन सो बेद प्रकासा ||
छठ दम सील बिरति बहु करमा |
निरत निरन्तर सज्जन धर्मा ||
सातव सम मोहि मय जग देखा |
मोते सन्त अधिक करि लेखा ||
आठव जथा लाभ सन्तोषा |
सपनेहु नहिं देखहि परदोषा ||
नवम सरल सब सन छनहीना |
मम भरोस हिय हरष न दीना ||
नव महुं एकउ जिन्ह कें होई ।
नारि पुरूष सचराचर कोई ॥
मम दरसन फल परम अनूपा |
जीव पाइ निज सहज सरूपा ||

ନବପ୍ରକାର ଭକ୍ତିର ଉପଦେଶ ଦେଇ ଶ୍ରୀଭଗବାନ କହିଲେ, “କୌଣସି ମନୁଷ୍ୟ ଯଦି ଏଥିରୁ ମାତ୍ର ଗୋଟିଏ ପ୍ରକାରର ଭକ୍ତି ମଧ୍ୟ କରେ, ତେବେ ସେ ମୋତେ ପ୍ରାପ୍ତ କରିଥାଏ। ତୁମ ପାଖରେ ତ ସମସ୍ତ ନବପ୍ରକାର ଭକ୍ତି ଅଛି।”

ପ୍ରହ୍ଲାଦଙ୍କର ଶ୍ରୀଭଗବାନଙ୍କ ଉପରେ ଅଟଳ ବିଶ୍ୱାସ ଥିଲା। ସେହି ବିଶ୍ୱାସରେ ତିଳେମାଚ୍ର ସନ୍ଦେହ ନଥିଲା, କିନ୍ତୁ ଗୋଟିଏ କ୍ଷଣ ଏମିତି ଆସିଥିଲା ଯେତେବେଳେ ପ୍ରହ୍ଲାଦ ମଧ୍ୟ ସଙ୍କଟରେ ପଡ଼ିଗଲେ। ଯେତେବେଳେ ହିରଣ୍ୟକଶିପୁ କୌଣସି ପ୍ରକାରରେ ପ୍ରହ୍ଲାଦଙ୍କୁ ବଧ କରିପାରୁନଥିଲେ, ସେ ଚିନ୍ତା କଲେ — “ଆଜି ମୁଁ ନିଜ ହାତରେ, ଗଦାରେ ପିଟି ପିଟି ପ୍ରହ୍ଲାଦଙ୍କୁ ମାରିଦେବି।”

ତା’ପରେ ହିରଣ୍ୟକଶିପୁ ପଚାରିଲେ - “ଏହି ଖମ୍ବରେ ମଧ୍ୟ ତୋ ଭଗବାନ ଅଛନ୍ତି ?

ପ୍ରହ୍ଲାଦ ଦୃଢ଼ ସ୍ୱରରେ କହିଲେ - “ହଁ, ଏହି ଖମ୍ବରେ ମଧ୍ୟ ମୋ ଭଗବାନ ଅଛନ୍ତି।”

ହିରଣ୍ୟକଶିପୁ କ୍ରୋଧରେ ଅନ୍ଧହୋଇ ସେହି ଖମ୍ବରେ ନିଆଁ ଲଗାଇଦେଲେ ଏବଂ ପୁଣି ପଚାରିଲେ —“କହ, ଏବେ ମଧ୍ୟ ଏହି ଜଳୁଥିବା ଖମ୍ବରେ ତୋର ଭଗବାନ ଅଛନ୍ତି ?” ଏହି ପ୍ରଶ୍ନ ପ୍ରହ୍ଲାଦଙ୍କୁ ଦ୍ୱିଧାରେ ପକାଇଦେଲା। ମନେ ମନେ ଚିନ୍ତା କଲେ , “ଯେଉଁ ଖମ୍ବକୁ ଜଳାଇଦିଆଗଲା, ସେଠାରେ କିପରି ଭଗବାନ ରହିପାରନ୍ତି? ମୁଁ କ’ଣ କହିବି? କିପରି ଉତ୍ତର ଦେବି?”

ତା’ପରେ ଶ୍ରୀଭଗବାନଙ୍କର କୃପା ହେଲା। ସମ୍ମୁଖରେ ଜଳୁଥିବା ଖମ୍ବ ଉପରେ ଗୋଟିଏ ଛୋଟ ପିମ୍ପୁଡ଼ି ଧୀରେ ଧୀରେ ଚାଲୁଥିବା ପ୍ରହ୍ଲାଦ ଦେଖିପାରିଲେ। ପ୍ରହ୍ଲାଦଙ୍କ ସମସ୍ତ ସନ୍ଦେହ ଦୂର ହୋଇଗଲା ଏବଂ ସେ ଆନନ୍ଦ ଓ ନିଶ୍ଚିତତାର ସ୍ୱରରେ କହିଦେଲେ —

“ହଁ, ଏହି ଜଳୁଥିବା ଖମ୍ବରେ ମଧ୍ୟ ପରମାତ୍ମା ଅଛନ୍ତି।” କ୍ରୋଧିତ ହୋଇ ହିରଣ୍ୟକଶ୍ୟପୁ ସେହି ଖମ୍ବକୁ ନିଜ ଗଦାରେ ପ୍ରହାର କଲେ ଏବଂ ନରସିଂହ ଭଗବାନ ପ୍ରକଟ ହେଲେ।

ଯେଉଁ ବ୍ୟକ୍ତି ଶ୍ରୀଭଗବାନଙ୍କର ଭଜନରେ ସତତ ପ୍ରୀତିପୂର୍ବକ ଲାଗି ରହେ, ସେ ଯଦି କେବେ ଖସି ପଡ଼େ ଶ୍ରୀଭଗବାନ ତୁରନ୍ତ କୃପା କରନ୍ତି ଏବଂ ନିଜ ଭକ୍ତଙ୍କୁ ପଡ଼ିଯିବାରୁ ବଞ୍ଚାଇ ଦିଆନ୍ତି।


10.12

ଅର୍ଜୁନ ଉବାଚ
ପରଂ(ମ୍) ବ୍ରହ୍ମ ପରଂ(ନ୍) ଧାମ, ପବିତ୍ରଂ(ମ୍) ପରମଂ(ମ୍) ଭବାନ୍।
ପୁରୁଷଂ(ମ୍) ଶାଶ୍ୱତଂ(ନ୍) ଦିବ୍ୟମ୍, ଆଦିଦେବମଜଂ(ମ୍) ବିଭୁମ୍।।୧୨।।

ଅର୍ଜୁନ କହିଲେ -- ଆପଣ ହେଉଛନ୍ତି ପରମ ବ୍ରହ୍ମ, ପରମ ଧାମ ଓ ପରମ ପବିତ୍ର । ଆପଣ ଶାଶ୍ୱତ, ଦିବ୍ୟ ପୁରୁଷ, ଆଦିଦେବ, ଅଜନ୍ମା ଓ ସର୍ବବ୍ୟାପକ ବୋଲି ସମସ୍ତ ଋଷି, ଦେବର୍ଷି ନାରଦ, ଅସିତ, ଦେବଳ ତଥା ବ୍ୟାସ କହିଛନ୍ତି ଏବଂ ଆପଣ ନିଜେ ମଧ୍ୟ ମୋତେ କହୁଛନ୍ତି ।


10.13

ଆହୁସ୍ତ୍ୱାମୃଷୟଃ(ସ୍) ସର୍ବେ, ଦେବର୍ଷିର୍ନାରଦସ୍ତଥା।
ଅସିତୋ ଦେବଲୋ ବ୍ୟାସଃ(ସ୍), ସ୍ୱୟଂ(ଞ୍) ଚୈବ ବ୍ରବୀଷି ମେ।।୧୩।।

ବିବେଚନ –

ଅର୍ଜୁନ କହୁଛନ୍ତି – ଭଗବାନ! ଆପଣ ଏବେ ଯାହା କହୁଛନ୍ତି ସେଇ କଥାକୁ ଅସିତ, ଦେବଳ ଓ ନାରଦ ମଧ୍ୟ କହିଛନ୍ତି। ସେଇ କଥା ବ୍ୟାସଦେବ ମଧ୍ୟ କହିଛନ୍ତି। ଶାସ୍ତ୍ରମାନଙ୍କରେ ମଧ୍ୟ ପଢିବାକୁ ମିଳେ। ସେଇଥିରୁ ପ୍ରମାଣ ହେଉଛି ଯେ, ଆପଣ ଠିକ୍ କହୁଛନ୍ତି।

ବେଳେ ବେଳେ ଛୋଟ ଶିଶୁଟି ମଧ୍ୟ ନିଜ ପିତାଙ୍କୁ କହେ – “ହଁ, ଆପଣ ଠିକ୍ କହୁଛନ୍ତି। ଏହି କଥା ମୋର ଅଧ୍ୟାପକ ମଧ୍ୟ କହିଥିଲେ।” ପିତାଙ୍କୁ ଲାଗେ – “ମୁଁ କହିଲି ଠିକ୍ ଲାଗିଲାନି, କିନ୍ତୁ ଅଧ୍ୟାପକ କହିଛନ୍ତି ବୋଲି ମୋ ପୁଅ ଠିକ୍ ବୋଲି ମାନୁଛି। ନହେଲେ ମୋ କଥାରେ ସନ୍ଦେହ କରୁଥାନ୍ତା।”

ଏହିପରି ଭାବେ ଶ୍ରୀଭଗବାନ କହୁଛନ୍ତି – “ଅସିତ, ଦେବଳ, ନାରଦ କହିଛନ୍ତି ବୋଲି ତୁମେ ମୋର କଥାକୁ ସତ୍ୟ ବୋଲି ମାନୁଛ, ନହେଲେ ସନ୍ଦେହ କରୁଥାନ୍ତ କି ?” କିନ୍ତୁ ଅର୍ଜୁନଙ୍କ ମନରେ ଶ୍ରୀଭଗବାନଙ୍କ ପ୍ରତି ଶ୍ରଦ୍ଧା ଅଛି, ଏବଂ ଭଗବାନଙ୍କୁ ଶ୍ରଦ୍ଧାକରୁଥିବା ବ‍୍ୟକ୍ତି ହିଁ ତାଙ୍କର ପ୍ରିୟ ଅଟନ୍ତିି।


10.14

ସର୍ବମେତଦୃତଂ(ମ୍) ମନ୍ୟେ, ୟନ୍ମାଂ(ମ୍) ବଦସି କେଶବ।
ନ ହି ତେ ଭଗବନ୍ବ୍ୟକ୍ତିଂ(ମ୍), ବିଦୁର୍ଦେବା ନ ଦାନବାଃ।।୧୪।।

ହେ କେଶବ ! ମୋତେ ଆପଣ ଯାହା କିଛି କହୁଛନ୍ତି, ସେ ସବୁକୁ ମୁଁ ସତ୍ୟ ମନେ କରୁଛି । ହେ ଭଗବନ୍ ! ଆପଣଙ୍କ ପ୍ରକଟ ହେବା ବିଷୟ ଦେବତା ବା ଦାନବ କେହିହେଲେ ଜାଣନ୍ତି ନାହିଁ ।

ବିବେଚନ –

ଶ୍ରୀଭଗବାନଙ୍କର ଅଦ୍ୱିତୀୟ ରୂପ ସହଜରେ ବୁଝି ହୋଇଯାଏ। ଯେଉଁ ପରମଶକ୍ତି ସମଗ୍ର ବ୍ରହ୍ମାଣ୍ଡରେ ବ୍ୟାପ୍ତ ଅଛି ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ଚାଲାଉଛନ୍ତି, ସେହି ରୂପକୁ ଆମେ ବୁଝି ପାରୁଛୁ। କିନ୍ତୁ ଶ୍ରୀଭଗବାନଙ୍କର ଲୀଳାଗୁଡ଼ିକୁ ବୁଝିବା କଷ୍ଟକର ଏବଂ ବହୁତ ସମୟରେ ମନଜୁ ଭ୍ରମିତ କରାଇଥାଏ ।

ସାଧାରଣ ଲୋକଙ୍କ କଥା କ‘ଣ କହିବା ? ଦୁର୍ଯ୍ୟୋଧନ କହିଥିଲେ, “ଏହି ଗଉଡକୁ ଧରିଆଣ।” ସେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଗଉଡ କହୁଥିଲେ।। ଶ୍ରୀଭଗବାନ ହସ୍ତିନାପୁର ସଭାରେ ନିଜର ବିରାଟ ସ୍ୱରୂପ ପ୍ରକାଶ କରିଦେଲେ। ଦୁର୍ୟୋଧନ, ଶକୁନି, କର୍ଣ୍ଣ ଆଦି ସମସ୍ତଙ୍କ ଆଖି ସେ ଦିବ୍ୟ ଆଲୋକକୁ ସହ୍ୟ କରିବା ଅସମ୍ଭବ ମନେହେଲା। ସମସ୍ତଙ୍କୁ ନିଜର ଆଖିକୁ ହାତରେ ଢାଙ୍କିବାକୁ ପଡ଼ିଲା। ସମଗ୍ର ସଭାରେ କେବଳ ବିଦୁର ଏବଂ ଭୀଷ୍ମ ପିତାମହ ଶ୍ରୀଭଗବାନଙ୍କର ବିରାଟ ସ୍ୱରୂପର ଦର୍ଶନ କରିପାରିଥିଲେ। ଶ୍ରୀକୃଷ୍ଣ ସେଠାରୁ ଯିବା ପରେ ଦୁର୍ଯ୍ୟୋଧନ କହିଲେ – “ଇଏ ତ ବଡ଼ ମାୟାବୀ। କେଉଁ ପ୍ରକାର ଚମତ୍କାର କରୁଛନ୍ତି!” ସେତେବେଳେ ମଧ୍ୟ ସେ ଜାଣିପାରିଲା ନାହିଁ ଯେ କୃଷ୍ଣ ହିଁ ଶ୍ରୀଭଗବାନ ଅଟନ୍ତି।

ଦୁର୍ଯ୍ୟୋଧନ ଭଳି ଲୋକମାନେ ତ ସାଧାରଣ ଲୋକ, କିନ୍ତୁ ଶ୍ରୀଭଗବାନଙ୍କ ସହିତ ରହୁଥିବା, ତାଙ୍କର ପ୍ରଭାବକୁ ଜାଣିଥିବା ବ୍ରହ୍ମାଜୀ ମଧ୍ୟ ଶ୍ରୀଭଗବାନଙ୍କ ଲୀଳାରେ ମୋହିତ ହୋଇଗଲେ। କୃଷ୍ଣଜୀଙ୍କ ପରୀକ୍ଷା ନେବାପାଇଁ ବ୍ରହ୍ମାଜୀ ଓ ଇନ୍ଦ୍ର ଆସିଥିଲେ ।

ଭଗବାନ୍‌ ଶ୍ରୀରାମଙ୍କ ପରୀକ୍ଷା ନେବାକୁ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ, ମାତା ସୀତାଙ୍କ ପାଦରେ ପ୍ରହାର କରିଥିଲେ। କଂସ, ରାବଣ, ଦୁର୍ଯ୍ୟୋଧନ ତ ସାଧାରଣ ମନୁଷ୍ୟ ଥିଲେ। କିନ୍ତୁ ନାରଦଜୀ ମଧ୍ୟ ଶ୍ରୀଭଗବାନଙ୍କ ଲୀଳାରେ ଚକିତ ହୋଇଗଲେ।

ପ୍ରଥମେ ସେ କହିଥିଲେ –

जेहि विधि नाथ होई हित मोरा,

करहु सो वेगि दास मैं तोरा।।

ଶ୍ରୀଭଗବାନ ତାଙ୍କୁ ବାନର କରିଦେଲେ, ତେଣୁ ନାରଦଜ ଶ୍ରୀଭଗବାନଙ୍କୁ ଅଭିଶାପ ଦେଲେ। ସେଇ ଶାପର କାରଣରୁ ଶ୍ରୀଭଗବାନଙ୍କୁ ମାନବ ଦେହରେ ଆସିବାକୁ ପଡ଼ିଲା।

ଶ୍ରୀଭଗବାନଙ୍କ ଲୀଳାକୁ ବୁଝିବା ପାଇଁ ସାଧୁସଙ୍ଗ ଆବଶ୍ୟକ। ସାଧୁମାନଙ୍କ ସାନିଧ୍ୟ ବିନା ଶ୍ରୀଭଗବାନଙ୍କ ଲୀଳାରେ ମଧ୍ୟ ସନ୍ଦେହ ହୋଇଯାଏ – ମନରେ ଭାବନା ଆସେ ଏହା ସତ୍ୟ କି ନୁହେଁ।

ଏହିପରି ଭାବରେ ଅର୍ଜୁନ କହୁଛନ୍ତି – “ନା ଦେବତାମାନେ ଜାଣନ୍ତି, ନା ଦାନବମାନେ ଜାଣନ୍ତି। ଯଦି ଜାଣୁଥାନ୍ତେ, ତେବେ ଇନ୍ଦ୍ର, ନାରଦ ଆଦି କାହିଁକି ଫାନ୍ଦରେ ପଡ଼ୁଥାନ୍ତେ?


10.15

ସ୍ୱୟମେବାତ୍ମନାତ୍ମାନଂ(ମ୍), ବେତ୍ଥ ତ୍ୱଂ(ମ୍) ପୁରୁଷୋତ୍ତମ।
ଭୂତଭାବନ ଭୂତେଶ, ଦେବଦେବ ଜଗତ୍ପତେ।।୧୫।।

ହେ ଭୂତଭାବନ ! ହେ ଭୂତେଶ ! ହେ ଦେବଦେବ ! ହେ ଜଗତପତି ! ହେ ପୁରୁଷୋତ୍ତମ ! ଆପଣ ନିଜେ ହିଁ ନିଜଦ୍ୱାରା ନିଜକୁ ଜାଣନ୍ତି।

ବିବେଚନ – 

ଅର୍ଜୁନ ଶ୍ରୀଭଗବାନଙ୍କ ସ୍ତୁତି କରୁଛନ୍ତି।

“ଆପଣଙ୍କ ଛଡ଼ା ଆପଣଙ୍କୁ ଆଉ କେହି ଜାଣିପାରିବେ ନାହିଁ। କେହି ସହସ୍ର ବର୍ଷ, ଜନ୍ମ ପର୍ଯ୍ୟନ୍ତ ତପସ୍ୟା କଲେ ମଧ୍ୟ ‘ନେତି-ନେତି’ ବୋଲି ସେଥିରୁ ମଧ୍ୟ ଛାଡ଼ିଦେବାକୁ ପଡ଼େ। କେବଳ ଏତିକି ନୁହେଁ, ସେହି ପରମ ବ୍ରହ୍ମ, ପରମାତ୍ମାଙ୍କୁ କେହି ବି ଜାଣିପାରିବେ ନାହିଁ।”


10.16

ବକ୍ତୁମର୍ହସ୍ୟଶେଷେଣ, ଦିବ୍ୟା ହ୍ୟାତ୍ମବିଭୂତୟଃ।
ୟାଭିର୍ବିଭୂତିଭିର୍ଲୋକାନ୍, ଇମାଂସ୍ତ୍ୱଂ(ମ୍) ବ୍ୟାପ୍ୟ ତିଷ୍ଠସି।।୧୬।।

ତେଣୁ ଯେଉଁ ବିଭୂତିମାନଙ୍କ ଦ୍ୱାରା ଆପଣ ଏହି ସମଗ୍ର ଲୋକକୁ ବ୍ୟାପ୍ତ କରି ବିରାଜମାନ ହୋଇଛନ୍ତି, ନିଜର ସେହି ଦିବ୍ୟ ବିଭୂତିଗୁଡିକୁ ପୂର୍ଣ୍ଣରୂପେ ବର୍ଣ୍ଣନା କରିବାରେ ଆପଣ ହିଁ ସମର୍ଥ ।

ବିବେଚନ –

ଅର୍ଜୁନ କହିଲେ – “ଯେତେବେଳେ ଆପଣ ନିଜକୁ ନିଜେ ଜାଣନ୍ତି, ତେବେ ଏହା କହିବା ଆପଣଙ୍କର କର୍ତ୍ତବ୍ୟ।”

ଶ୍ରୀଭଗବାନ୍‌ ପଚାରିଲେ – “ହେ ଅର୍ଜୁନ! ତୁମେ କ’ଣ କହିବାକୁ ଚାହୁଁଛ?”

ଅର୍ଜୁନ କହିଲେ ଯେ –

ଯେଉଁସବୁ ବିଭୂତିମାନଙ୍କ ଦ୍ୱାରା ଆପଣ ଏହି ସମସ୍ତ ଲୋକରେ ବ୍ୟାପ୍ତ ହୋଇ ଅବସ୍ଥିତ ଅଛନ୍ତି, ସେଇ ଦିବ୍ୟ ବିଭୂତିମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝାଇ କହିବାରେ କେବଳ ଆପଣହିଁ ସମର୍ଥ।


10.17

କଥଂ(ମ୍) ବିଦ୍ୟାମହଂ(ମ୍) ୟୋଗିଂସ୍, ତ୍ୱାଂ(ମ୍) ସଦା ପରିଚିନ୍ତୟନ୍।
କେଷୁ କେଷୁ ଚ ଭାବେଷୁ, ଚିନ୍ତ୍ୟୋଽସି ଭଗବନ୍ମୟା।।୧୭।।

ହେ ଯୋଗୀ ! ନିରନ୍ତର ସମ୍ୟକ୍ ଭାବେ ଚିନ୍ତନ କରି ମୁଁ ଆପଣଙ୍କୁ କିପରି ଜାଣିବି ? ଏବଂ ହେ ଭଗବନ୍ ! କେଉଁ କେଉଁ ଭାବରେ ଆପଣ ମୋ ଦ୍ୱାରା ଚିନ୍ତନୀୟ ହେବେ ଅର୍ଥାତ୍ କେଉଁ କେଉଁ ଭାବରେ ମୁଁ ଆପଣଙ୍କୁ ଚିନ୍ତନ କରିବି ?

ବିବେଚନ –

ଅର୍ଜୁନ ପଚାରିଲେ କି “ଆପଣ ନିଜେ କୁହନ୍ତୁ, ମୁଁ କିପରି ଆପଣଙ୍କୁ ଚିନ୍ତନ କରିବି? କିପରି ମୁଁ ଆପଣଙ୍କୁ ଜାଣିବି? କେଉଁ ଭାବ ଦ୍ୱାରା ଆପଣଙ୍କୁ ଜାଣିବା ମୋ ପାଇଁ ସମ୍ଭବ ହୋଇପାରିବ ? ଏସବୁ କେବଳ ଆପଣ ହିଁ ଜାଣନ୍ତି ।”

ଯେପରି, ଆମେ ଗୋଟିଏ ବଡ଼ ଅଧ୍ୟାପକଙ୍କ ପାଖକୁ ଯାଇ କହିଥାଉ “ଆପଣ ଏମିତିଭାବେ ବୁଝାନ୍ତୁ, ଯେମିତି ଆମେ ସବୁଗୁଡ଼ିକୁ ଭଲ ଭାବରେ ବୁଝିପାରିବୁ।”

ସେହିପରି ଶ୍ରୀମଦ୍ଭଗବଦ୍ ଗୀତାକୁ ବୁଝାଇବା ପାଇଁ ଯଦି ଆମେ କୌଣସି ବଡ଼ ସଂସ୍କୃତ ପଣ୍ଡିତଙ୍କ ପାଖକୁ ଯାଆନ୍ତି ତେବେ ସେ ସଂସ୍କୃତରେ ଅର୍ଥ ବୁଝାଇବେ, ତେବେ ଆମେ କିଛି ମଧ୍ୟ ବୁଝିପାରିବା ନାହିଁ। ସେ ବଡ଼ ବଡ଼ ସିଦ୍ଧାନ୍ତ କହିବେ, ଯାହା ଆମ ପକ୍ଷେ ବୁଝିବା ନାହିଁ। ଆମେ ତ ସରଳ ଭାଷାରେ ହିଁ ବୁଝିପାରିବା।


10.18

ବିସ୍ତରେଣାତ୍ମନୋ ୟୋଗଂ(ମ୍), ବିଭୂତିଂ(ଞ୍) ଚ ଜନାର୍ଦନ।
ଭୂୟଃ(ଖ୍) କଥୟ ତୃପ୍ତିର୍ହି, ଶୃଣ୍ୱତୋ ନାସ୍ତି ମେଽମୃତମ୍।।୧୮।।

ହେ ଜନାର୍ଦନ ! ଆପଣଙ୍କର ଯୋଗ ( ସାମର୍ଥ୍ୟ ) ଓ ବିଭୂତିମାନଙ୍କୁ ପୁନଶ୍ଚ ବିସ୍ତାର କରି କହନ୍ତୁ , କାରଣ ଆପଣଙ୍କର ଅମୃତମୟ ବଚନ ଯେତେ ଶୁଣିଲେ ବି ମୋତେ ତୃପ୍ତି ମିଳୁ ନାହିଁ ।

ବିବେଚନ –

ଅର୍ଜୁନ କହୁଛନ୍ତି ଯେ – “ହେ ଭଗବାନ! ଆପଣଙ୍କ ବଚନ ଗୁଡ଼ିକୁ ଶୁଣି ମୋର ମନ ତୃପ୍ତ ହେଉନାହିଁ। ମୋର ହୃଦୟ କହୁଛି ଯେ, ମୁଁ ଆପଣଙ୍କ ବାଣୀକୁ ସଦାସର୍ବଦା ଶୁଣୁଥାଏ। ସେଥିପାଇଁ ଆପଣ ବିସ୍ତାରିତ କରି କୁହନ୍ତୁ।”

ଶ୍ରୀଭଗବାନ ଭାବିଲେ – “ଯଦି ମୁଁ ମୋର ବିଭୂତିମାନଙ୍କୁ ସମ୍ପୂର୍ଣ୍ଣ ବିସ୍ତାରିତ ଭାବେ କହିବି, ତେବେ ଅନେକ ଦିନ ଲାଗିଯିବ।”


10.19

ଶ୍ରୀଭଗବାନୁବାଚ
ହନ୍ତ ତେ କଥୟିଷ୍ୟାମି, ଦିବ୍ୟା ହ୍ୟାତ୍ମବିଭୂତୟଃ।
ପ୍ରାଧାନ୍ୟତଃ(ଖ୍) କୁରୁଶ୍ରେଷ୍ଠ, ନାସ୍ତ୍ୟନ୍ତୋ ବିସ୍ତରସ୍ୟ ମେ।।୧୯।।

ଶ୍ରୀ ଭଗବାନ କହିଲେ -- ଆଚ୍ଛା, ଠିକ୍ ଅଛି । ମୁଁ ମୋର ମୁଖ୍ୟ ମୁଖ୍ୟ ବିଭୂତିମାନ ତୁମକୁ ସଂକ୍ଷେପରେ କହିବି, କାରଣ ହେ କୁରୁଶ୍ରେଷ୍ଠ ! ମୋ ବିଭୂତିମାନଙ୍କ ବିସ୍ତାରର ଅନ୍ତ ନାହିଁ ।

ବିବେଚନ -

ଶ୍ରୀ ଭଗବାନ କୁହନ୍ତି, ‘ଠିକ୍ ଅଛି, ଯଦି ତୁମେ କହୁଛ ତେବେ ମୁଁ ତୁମକୁ କହିବି କାରଣ ତୁମେ ମୋର ବହୁତ ପ୍ରିୟ, କିନ୍ତୁ ଅର୍ଜୁନ, ମୋର ବିଭୁତିର କୌଣସି ପରିସୀମା ନାହିଁ। 

ତୁମେ କହୁଛ ଯେ ମୁଁ ତୁମକୁ ସମ୍ପୂର୍ଣ୍ଣ ଭାବରେ କହିବା ଉଚିତ। ଏହାକୁ ସମ୍ପୂର୍ଣ୍ଣ ଭାବେ କହିଲେ ଶହ ଶହ ବର୍ଷ ବିତିଯିବ କିନ୍ତୁ କଥା ଶେଷ ହେବ ନାହିଁ। ତେଣୁ, ମୁଁ ତୁମକୁ ସଂକ୍ଷେପରେ ମୋର ବିଭୁତି ବିଷୟରେ କହିବି।’


10.20

ଅହମାତ୍ମା ଗୁଡାକେଶ, ସର୍ବାଭୂତାଶୟସ୍ଥିତଃ।
ଅହମାଦିଶ୍ଚ ମଧ୍ୟଂ(ଞ୍) ଚ, ଭୂତାନାମନ୍ତ ଏବ ଚ।।୨୦।।

ହେ ନିଦ୍ରାଜୟୀ ଅର୍ଜୁନ ! ସମସ୍ତ ପ୍ରାଣୀଙ୍କ ଆଦି, ମଧ୍ୟ ତଥା ଅନ୍ତରେ ମୁଁ ହିଁ ବିରାଜମାନ ଏବଂ ପ୍ରାଣୀମାନଙ୍କର ଅନ୍ତଃକରଣ(ହୃଦୟ)ରେ ସ୍ଥିତ ଆତ୍ମା ମଧ୍ୟ ମୁଁ ।

ବିବେଚନ -

ହେ ଅର୍ଜୁନ! ‘ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ଅବସ୍ଥିତ ପରମାତ୍ମା।

ମୁଁ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟେ। ତେଣୁ, ଯାହା କିଛି ବିଦ୍ୟମାନ ତାହା ମୋର ଅଂଶ।’


10.21

ଆଦିତ୍ୟାନାମହଂ(ମ୍) ବିଷ୍ଣୁଃ(ର୍), ଜ୍ୟୋତିଷାଂ(ମ୍) ରବିରଂଶୁମାନ୍।
ମରୀଚିର୍ମରୁତାମସ୍ମି, ନକ୍ଷତ୍ରାଣାମହଂ(ମ୍) ଶଶୀ।।୨୧।।

ମୁଁ ଅଦିତିପୁତ୍ରମାନଙ୍କ ମଧ୍ୟରେ ବିଷ୍ଣୁ (ବାମନ) ଏବଂ ଉଜ୍ଜ୍ୱଳ ବସ୍ତୁମାନଙ୍କ ମଧ୍ୟରେ କିରଣମୟ ସୂର୍ଯ୍ୟ । ମରୁତମାନଙ୍କର ତେଜ ଓ ନକ୍ଷତ୍ରମାନଙ୍କର ଅଧିପତି ଚନ୍ଦ୍ର ହେଉଛି ମୁଁ ।

ଵିଵେଚନ - 

ଆମେ ତେତିଶ କୋଟି ଦେବତାଙ୍କ ବିଷୟରେ ଶୁଣିଛୁ, ଏହାର ଅର୍ଥ ତେତିଶ କୋଟି ନୁହେଁ, ବରଂ ତେତିଶ ପ୍ରକାରର ଦେବତା। 

ଯେଉଁଥିରେ ଅଛନ୍ତି - ବାରଜଣ ଆଦିତ୍ୟ, ଏଗାର ରୁଦ୍ର, ଆଠଜଣ ବସୁ ଏବଂ ଦୁଇଜଣ ଅଶ୍ୱିନୀ କୁମାର ଅଛନ୍ତି। ଏମାନେ ମୋଟ ତେତିଶଜଣ ଅଛନ୍ତି।

ଭଗବାନ କହନ୍ତି, ଅଦିତିଙ୍କ ବାରଜଣ ପୁତ୍ରଙ୍କ ମଧ୍ୟରେ ମୁଁ ବିଷ୍ଣୁ। ଅଂଶ, ଆର୍ଯ୍ୟମା, ଇନ୍ଦ୍ର, ତ୍ୱଷ୍ଟା, ଧାତା, ପର୍ଜନ୍ୟ, ପୁଷଣ, ଭାଗ, ମିତ୍ର, ବରୁଣ, ବିବସ୍ୱାନ୍ (ସୂର୍ଯ୍ୟ), ଏବଂ ବିଷ୍ଣୁ (ବାମନ ରୂପରେ)।

ଏହି ବାର ଆଦିତ୍ୟଙ୍କର ବାରଟି ବାସସ୍ଥାନ ରହିଛି।

ଇନ୍ଦ୍ର - ତାଙ୍କୁ ସ୍ୱର୍ଗ ମିଳିଥିଲା।

ବ୍ରହ୍ମା - ତାଙ୍କୁ ପ୍ରଜାପତି କରିଥିଲେ।

ପର୍ଜନ୍ୟ - ତାଙ୍କୁ ମେଘକୁ ପଠାଇଥିଲେ। ବର୍ଷାକୁ ପର୍ଜନ୍ୟ ମଧ୍ୟ କୁହାଯାଏ।

ତ୍ୱଷ୍ଟା - ଉଦ୍ଭିଦର ଉଜ୍ଜ୍ୱଳତା।

ପୁଷଣ - ଖାଦ୍ୟରେ ବାସ, ତେଣୁ କୁହାଯାଏ, ଯଦି ତୁମେ ପୁଷ୍ଟିକର ଖାଦ୍ୟ ଖାଅ, ତେବେ ତୁମେ ପୋଷଣ ପାଇବ।

ଆର୍ଯ୍ୟମା - ବାୟୁ ରୂପରେ ବାସ।

ବିବସ୍ୱାନ - ଆମ ଜଠର(ପେଟ) ଅଗ୍ନିରେ।

ଭଗ - ଜଣେ ନାରୀର ଯୋନିରେ।

ଭଗବାନ - ଜଣେ ପୁରୁଷ।

ଭଗବତୀ - ନାରୀ।

ବାମନ - ବିଷ୍ଣୁ।

ଅଂଶ - ସୂର୍ଯ୍ୟଙ୍କ କିରଣ ରୂପରେ।

ଋଷି କଶ୍ୟପଙ୍କ ଦୁଇଜଣ ସ୍ତ୍ରୀ ଥିଲେ - ଦିତି ଏବଂ ଅଦିତି

  • ବଳି, ବିରୋଚନ ଇତ୍ୟାଦି ରାକ୍ଷସ ଦିତିଙ୍କଠାରୁ ଜନ୍ମ ହୋଇଥିଲେ।

  • ବାର ଆଦିତ୍ୟଙ୍କ ପରମ୍ପରା ଅଦିତିଙ୍କଠାରୁ ଆରମ୍ଭ ହୋଇଥିଲା।

ଦିତିଙ୍କ କର୍ମ ଅଣଚାଳିଶ ଅଂଶରେ ଭାଗ କରାଯାଇଥିଲା ଯାହା ଅଣଚାଳିଶ ପବନରେ ପରିଣତ ହୋଇଥିଲା।

ମାରୁତାମ୍‍‍ ଅସ୍ମି - ଭଗବାନ କହନ୍ତି, ମୁଁ ଏହି ଅଣଚାଳିଶ ପବନଙ୍କର ତେଜ, ଶକ୍ତି।

ନକ୍ଷତ୍ରାଣମ୍ ଅହଂ ଶଶି -

ଅଶ୍ୱିନୀ, ଭରଣୀ, କ୍ରିତିକା, ରୋହିଣୀ, ମୃଗଶିରା, ଆଦ୍ରା, ପୁନର୍ବସୁ , ପୁଷ୍ୟା, ଅଶ୍ଳେଷା, ମଘା , ପୂର୍ବାଫାଲ୍‍‍ଗୁନି, ଉତ୍ତରାଫାଲ୍‍‍ଗୁନି, ହସ୍ତା, ଚିତ୍ରା, ସ୍ଵାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, 

ପୂର୍ବାଷାଢା, ଉତ୍ତରାଷାଢ଼ା, ଶ୍ରବଣ, ଧନିଷ୍ଠା, ଶତଭିଷା, ପୁର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ, ଓ ରେବତୀ ଏବଂ ଅଷ୍ଟାଦଶରେ ଅଭିଜିତ୍ ନକ୍ଷତ୍ର।

ବେଳେବେଳେ ଏହା ଶୁଭ ମୁହୂର୍ତ୍ତ ପରି ଘଟେ। ଏମାନଙ୍କର ଅଧିପତି - ଶଶି ଅର୍ଥାତ୍ ଚନ୍ଦ୍ରମା ମୁଁ ଅଟେ।


10.22

ବେଦାନାଂ(ମ୍) ସାମବେଦୋଽସ୍ମି, ଦେବାନାମସ୍ମି ବାସବଃ।
'ଇନ୍ଦ୍ରିୟାଣାଂ(ମ୍) ମନଶ୍ଚାସ୍ମି, ଭୂତାନାମସ୍ମି ଚେତନା।।୨୨।।

ମୁଁ ବେଦମାନଙ୍କ ମଧ୍ୟରେ ସାମବେଦ, ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର, ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନ ଏବଂ ପ୍ରାଣୀମାନଙ୍କର ଚେତନା ଅଟେ ।

ଵିଵେଚନ -

ଭଗବାନ କହନ୍ତି:-

‘ମୁଁ ବେଦ ମଧ୍ୟରେ ସାମବେଦ।’ - ଏହି ବେଦର ଋଚା (ଶ୍ଳୋକ) ଗୁଡିକ, ଛନ୍ଦବଦ୍ଧ ଭାବେ ଗାନ କରାଯାଇପାରିବ। ସାମବେଦ ହେଉଛି ବେଦମାନଙ୍କ ମଧ୍ୟରେ ଭଗବାନଙ୍କର ବିଭୁତି।

‘ମୁଁ ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର।’ - ଇନ୍ଦ୍ର ହେଉଛନ୍ତି ଦେବତାମାନଙ୍କର ରାଜା।

‘ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନ ମୁଁ।’ - କାରଣ ଇନ୍ଦ୍ରଗୁଡ଼ିକର କର୍ତ୍ତା ହେଉଛି ମନ। ଯଦି ମନ ଅନ୍ୟ କୌଣସି ସ୍ଥାନରେ ଥାଏ, ତେବେ ଆଖି ଦେଖିଲେ ମଧ୍ୟ ଦେଖିପାରିବ ନାହିଁ, କାନ ଶୁଣିଲେ ମଧ୍ୟ ଶୁଣିପାରିବ ନାହିଁ। ଆମେ କେବଳ ସେହି ବିଷୟକୁ ଗ୍ରହଣ କରି ପାରିବା ଯାହା ସହିତ ମନ ଜଡିତ।

ସମସ୍ତ ଭୁତ ପ୍ରାଣୀମାନଙ୍କର ‘ଚେତନା ମଧ୍ୟ ମୁଁ ଅଟେ।


10.23

ରୁଦ୍ରାଣାଂ(ମ୍) ଶଙ୍କରଶ୍ଚାସ୍ମି, ବିତ୍ତେଶୋ ୟକ୍ଷରକ୍ଷସାମ୍।
ବସୂନାଂ(ମ୍) ପାବକଶ୍ଚାସ୍ମି, ମେରୁଃ(ଶ୍) ଶିଖରିଣାମହମ୍

ରୁଦ୍ରମାନଙ୍କ ମଧ୍ୟରେ ଶଙ୍କର ଓ ଯକ୍ଷ-ରାକ୍ଷସଙ୍କ ମଧ୍ୟରେ କୁବେର ହେଉଛି ମୁଁ । ବସୁମାନଙ୍କ ମଧ୍ୟରେ ପବିତ୍ରକାରୀ ଅଗ୍ନି ଓ ଶିଖରବିଶିଷ୍ଟ ପର୍ବତମାନଙ୍କ ମଧ୍ୟରେ ସୁମେରୁ ପର୍ବତ ମୁଁ ଅଟେ।

ଵିଵେଚନ -

ମୁଁ ତେତିଶ ଦେବତାଙ୍କର ଏକାଦଶ ସୂତ୍ର ମାନଙ୍କ ମଧ୍ୟରେ - ଶଙ୍କର।

ଯକ୍ଷ ଏବଂ ରାକ୍ଷସମାନଙ୍କ ମଧ୍ୟରେ - ମୁଁ ଧନ ଏବଂ ଅର୍ଥର ଅଧିପତି କୁବେର।

ଅଷ୍ଟ ବସୁଙ୍କ ମଧ୍ୟରେ - ମୁଁ ଅଗ୍ନି।

ଉଚ୍ଚ ଶିଖର ଥିବା ପର୍ବତ ମାନଙ୍କ ମଧ୍ୟରେ - ମୁଁ ସୁମେରୁ।

ବିଭିନ୍ନ ପୁରାଣରେ ଏଗାର ସୂତ୍ରକୁ ଭିନ୍ନ ଭିନ୍ନ ନାମ ଦିଆଯାଇଛି।

ଆହୁରି ମଧ୍ୟ ଦ୍ୱାଦଶ ସୂତ୍ରରେ ହନୁମାନଜୀଙ୍କ ନାମ ଉଲ୍ଲେଖ କରାଯାଇଛି।

ଅଷ୍ଟ ବସୁ ହେଉଛନ୍ତି - ଧୃବ, ସୋମ, ଧର (ଧାରା), ଅନିଳ, ଅନଳ, ପ୍ରତ୍ୟୁଷ ଏବଂ ପ୍ରଭାସ।

ଏମାନଙ୍କ ମଧ୍ୟରେ ପ୍ରଭାସ ହିଁ ଦେବଦତ୍ତ ହେଲେ ଯାହାଙ୍କୁ ପରେ ଗଙ୍ଗାପୁତ୍ର ଭୀଷ୍ମ ମଧ୍ୟ କୁହାଗଲା।

ଶ୍ରୀ ଭଗବାନ, ଅଷ୍ଟ ବସୁଙ୍କ ମଧ୍ୟରେ, ଅନଳ ଅର୍ଥାତ୍ ଅଗ୍ନିକୁ ତାଙ୍କର ସ୍ୱରୂପ ବୋଲି କହିଥିଲେ।

ଆଜିର ଵିଵେଚନ ଅଧିବେଶନ ହରି ନାମ ସଂକୀର୍ତ୍ତନ ସହିତ ଶେଷ ହୋଇଛି। ଏହା ପରେ, ପ୍ରଶ୍ନୋତ୍ତର ଅଧିବେଶନ ଆରମ୍ଭ ହେଲା।                                  

॥ ପ୍ରଶ୍ନୋତ୍ତର ଅଧିବେଶନ ॥

ପ୍ରଶ୍ନକର୍ତ୍ତା - ଶ୍ୱେତା ଦିଦି।

ପ୍ରଶ୍ନ - ମୁଁ କିଛି ନକହି ସମସ୍ତଙ୍କୁ ସାହାଯ୍ୟ କରେ କିନ୍ତୁ ବେଳେ ବେଳେ ମୋତେ ଲାଗେ ଯେ ଅନ୍ୟ ବ୍ୟକ୍ତି ଏହା ପଛରେ ତାଙ୍କର କିଛି ଉଦ୍ଦେଶ୍ୟ ଅଛି କି ନାହିଁ ତାହା ଭାବୁଛନ୍ତି କି। ମୁଁ ସାହାଯ୍ୟ କରି ଚାଲିବା ଉଚିତ୍ କି?

ଉତ୍ତର - ଯଦି ଆମର କୌଣସି ଆଶା ନାହିଁ ତେବେ ସେମାନେ କ'ଣ ଭାବୁଛନ୍ତି ତାହା ଆମ ପାଇଁ କୌଣସି ଫରକ ପକାଇବା ଉଚିତ୍ ନୁହେଁ। ଠିକ୍ ଚନ୍ଦନ ଗଛ ପରି, ଯଦି କେହି ଏହାକୁ କାଟିବାକୁ ଆସେ, ତେବେ ଏହା ତାକୁ ତାର ସୁଗନ୍ଧି ଦିଏ ଏବଂ ଯଦି କେହି ଏହାକୁ ଘଷି ଦିଏ, ତେବେ ଏହା ତାର ସୁଗନ୍ଧି ଦିଏ ଏବଂ ଯଦି ଜଳାଇ ଦିଆଯାଏ, ତେବେମଧ୍ୟ ସେ ସୁଗନ୍ଧ ଦେଇଥାଏ। କାରଣ ଏହା ତାର ପ୍ରକୃତି ଅଟେ।

ଯଦି ତୁମର ସ୍ୱଭାବରେ ଅନ୍ୟମାନଙ୍କର ମଙ୍ଗଳ କରିବାର ଚିନ୍ତାଧାରା ଅଛି ତେବେ ତୁମେ କେହି କ'ଣ ଅନୁଭବ କରୁଛି ତାହା ଦେଖିବା ଉଚିତ୍ ନୁହେଁ। ଆମ ପକ୍ଷରୁ ସମସ୍ତଙ୍କର ମଙ୍ଗଳ କରିବା ଉଚିତ। ଆମେ ଭାବିବା ଉଚିତ୍ ଯେ ଆମେ କାହାଠାରୁ କିଛି ଚାହୁଁନାହୁଁ ବରଂ ସମସ୍ତଙ୍କୁ ସାହାଯ୍ୟ କରି ଚାଲିବା ଉଚିତ୍। ଏହା ଆମ ଜୀବନର ସର୍ବୋତ୍ତମ ଅବସ୍ଥା।

 

ପ୍ରଶ୍ନକର୍ତ୍ତା - ସନ୍ଦୀପ ଭାଇ।

ପ୍ରଶ୍ନ - ଝିଅ ଏବଂ ଜ୍ୱାଇଁଙ୍କ ପାଇଁ ତ୍ରୟୋଦଶ ଦିନ ଅନ୍ତ୍ୟେଷ୍ଟି କ୍ରିୟାରେ ଅଂଶଗ୍ରହଣ କରିବା ନିଷେଧ କି?

ଉତ୍ତର - ନା, ଝିଅ ଏବଂ ଜ୍ୱାଇଁଙ୍କୁ ଶେଷକୃତ୍ୟରେ ଅଂଶଗ୍ରହଣ କରିବା ନିଷେଧ। ସମସ୍ତେ ତ୍ରୟୋଦଶ ଦିନର କୃତ୍ୟରେ ଅଂଶଗ୍ରହଣ କରିପାରିବେ। ଗରୁଡ଼ ପୁରାଣରେ ଆମକୁ ଏହି ସବୁ କୁହାଯାଇଛି। ଯଦି ମହିଳାମାନେ ଅନ୍ତ୍ୟେଷ୍ଟି କ୍ରିୟା କରନ୍ତି ତେବେ ଶାସ୍ତ୍ର ଦୃଷ୍ଟିକୋଣରୁ ଏହା ନିଷେଧ। ଯେଉଁଠାରେ ଏହା ରୀତି ନୀତିର ବିଷୟ, ସେଠାରେ ଧର୍ମ ପାଳନ କରାଯିବା ଉଚିତ, କିନ୍ତୁ ପରମ୍ପରାରେ କିଛି ନମନୀୟତା ରଖାଯାଇପାରିବ।


ପ୍ରଶ୍ନକର୍ତ୍ତା - ସନ୍ଦୀପ ଭାଇ।

ପ୍ରଶ୍ନ - ଯେଉଁମାନଙ୍କର କେବଳ ଝିଅ ଅଛନ୍ତି ସେମାନଙ୍କ ପରିବାରରେ କିଏ ଶେଷକୃତ୍ୟ କରିବା ଉଚିତ୍?

ଉତ୍ତର - ଯଦି ପରିବାରରେ ଭାଇ ଥାଏ ତେବେ ସେ ଏହା କରିପାରିବେ କିମ୍ବା ଜଣେ ବ୍ରାହ୍ମଣ କରିପାରିବେ। ଝିଅର ପୁଅ ମଧ୍ୟ ଏହି ରୀତି ପାଳନ କରିପାରିବେ।


ପ୍ରଶ୍ନକର୍ତ୍ତା - ସନ୍ଦୀପ ଭାଇ।

ପ୍ରଶ୍ନ - ମହିଳାମାନେ ଘାଟକୁ ଯିବା କ'ଣ ଠିକ୍?

ଉତ୍ତର - ମହିଳାମାନଙ୍କ ପାଇଁ ଏହା ନିଷେଧ। ଘାଟରେ ପ୍ରେତ ବାସ କରନ୍ତି ଏବଂ ମହିଳାମାନେ ସେଠାକୁ ଯିବା ଭଲ ନୁହେଁ କାରଣ ମହିଳାଙ୍କ ଶରୀର ପୁରୁଷମାନଙ୍କ ଅପେକ୍ଷା ଅଧିକ ସମ୍ବେଦନଶୀଳ ଏବଂ ଭୂତ ଭଲ କିମ୍ବା ଖରାପ ହୋଇପାରେ। ଯଦି କୌଣସି ଭୂତ ମହିଳାଙ୍କ ପ୍ରତି ଆକର୍ଷିତ ହୁଏ, ତେବେ ସେ ବହୁତ କ୍ଷତି କରିପାରେ। ତେଣୁ, ମହିଳାମାନଙ୍କୁ ଘାଟକୁ ଯିବା ନିଷେଧ।


ପ୍ରଶ୍ନକର୍ତ୍ତା - ବିନୋଦ ଭାଇ।

ପ୍ରଶ୍ନ - ମୋକ୍ଷ ଏବଂ ମୁକ୍ତି ମଧ୍ୟରେ କ’ଣ ପାର୍ଥକ୍ୟ?

ଉତ୍ତର - ମୋକ୍ଷ, ମୁକ୍ତି, ଆତ୍ମ-ସମ୍ବୋଧନ, ଈଶ୍ୱର ପ୍ରାପ୍ତି, ନିର୍ବାଣ, କୈବଲ୍ୟ ସବୁ ସମାନ।


ପ୍ରଶ୍ନକର୍ତ୍ତା- ଦିବ୍ୟନ୍ତୀ ଦିଦି

ପ୍ରଶ୍ନ - ଆପଣ କରୁଥିବା ଏହି ବଡ଼ ଯଜ୍ଞ ବିଷୟରେ ଆମର ମୋଦିଜୀ ଜାଣନ୍ତି କି?

ଉତ୍ତର - ହଁ, ପୂଜ୍ୟ ସ୍ୱାମୀଜୀ ମୋଦୀଜୀଙ୍କୁ ଲର୍ଣ୍ଣ ଗୀତାର "ଗୀତା ମୈତ୍ରୀ ପତ୍ରିକା" ଦେଇକରି ଆସିଛନ୍ତି।


ପ୍ରଶ୍ନକର୍ତ୍ତା - ଦିବ୍ୟନ୍ତୀ ଦିଦି।

ପ୍ରଶ୍ନ - ଆଜି ହେବାକୁ ଥିବା ଗ୍ରହଣ ବିଷୟରେ କିଛି କୁହନ୍ତୁ?

ଉତ୍ତର- ଏହି ଯେଉଁ କ୍ଷତି ହେଉଛି କିମ୍ବା କିଛି ଭୁଲ ଘଟୁଛି, ତାହାର ଗ୍ରହଣ ସହିତ କୌଣସି ସମ୍ପର୍କ ନାହିଁ। ଗ୍ରହଣ ସମୟରେ କରାଯାଉଥିବା ପୂଜାର ଫଳ ଅନେକ ଗୁଣ ଅଧିକ, ତେଣୁ ଗ୍ରହଣ ସମୟରେ ଆପଣ ଯେ କୌଣସି ପୂଜା, ଜପ କିମ୍ବା ପ୍ରାର୍ଥନା, ଗୀତା ପାଠ କରନ୍ତୁ, ତାହାର ଫଳ ସାଧାରଣ ଅପେକ୍ଷା ଅନେକ ଗୁଣ ଅଧିକ ବୃଦ୍ଧି ପାଏ, ତେଣୁ ଗ୍ରହଣ ସମୟରେ ଯଥା ସମ୍ଭବ ପୂଜା କରିବା ଉଚିତ। ଗ୍ରହଣ ପୂର୍ବରୁ ଏବଂ ଗ୍ରହଣ ପରେ ସ୍ନାନ କରିବା ବହୁତ ଭଲ ବୋଲି ବିବେଚନା କରାଯାଏ। ଏଥିରେ କୌଣସି ପ୍ରକାରର ଅନ୍ଧବିଶ୍ୱାସର ଆବଶ୍ୟକତା ନାହିଁ। ଗ୍ରହଣ ସମୟ ପୂଜା ପାଇଁ ବହୁତ ଉପଯୋଗୀ।


ପ୍ରଶ୍ନକର୍ତ୍ତା - ଦିବ୍ୟନ୍ତୀ ଦିଦି।

ପ୍ରଶ୍ନ - ଗ୍ରହଣ ସମୟରେ ଆମେ କିଛି ଖାଇବା କିମ୍ବା ପିଇବା ଉଚିତ୍ ନୁହେଁ କି?

ଉତ୍ତର - ଏବେ ଆମେ ବିଜ୍ଞାନ ମାଧ୍ୟମରେ ଶିଖୁଛୁ ଯେ ଯେତେବେଳେ କରୋନା ଭାଇରସ୍ ଆସିଥିଲା, ସେହିପରି ଆମେ ପରସ୍ପରକୁ ଛୁଇଁ ନଥିଲୁ। ଆମେ ଶିଖିଛୁ ଯେ ବାରମ୍ବାର ହାତ ଧୋଇବା ଆବଶ୍ୟକ। ପୂର୍ବରୁ ଏହି ଜିନିଷଗୁଡ଼ିକୁ ଅନ୍ଧ ବିଶ୍ୱାସ ବୋଲି ବିବେଚନା କରାଯାଉଥିଲା। ସମସ୍ତେ ଅସ୍ପୃଶ୍ୟତା କହୁଥିଲେ କିନ୍ତୁ ଏବେ ଆମେ ବୁଝିଛୁ ଯେ କରୋନା ସମୟରେ ପରସ୍ପରକୁ ଛୁଇଁବା ଦ୍ୱାରା ଯେକୌଣସି ଭାଇରସ୍ ଆମ ଭିତରେ ଆସିପାରେ।

ସେହିପରି, କିଛି ଜିନିଷ ଦୃଶ୍ୟମାନ ନୁହେଁ। ସେହି ସମୟରେ ବିଭିନ୍ନ ଉପାୟରେ ଉତ୍ପାଦିତ କିରଣ ଏବଂ ଆକାଶୀୟ ତରଙ୍ଗ ଖାଦ୍ୟକୁ ଦୂଷିତ କରିଥାଏ ଏବଂ ଏହାର ଖରାପ ପ୍ରଭାବ ପଡ଼ିପାରେ। ଏପରି ସମୟରେ ଖାଦ୍ୟ ରାନ୍ଧିବା କିମ୍ବା ଖାଇବା ଉଚିତ୍ ନୁହେଁ।    


ପ୍ରଶ୍ନକର୍ତ୍ତା - ଦିବ୍ୟନ୍ତୀ ଦିଦି।

ପ୍ରଶ୍ନ - ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେ ମୁଁ "ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନ"। ଆମ ମନରେ ଉଠୁଥିବା ଚିନ୍ତାଧାରା ପାଇଁ ଆମେ କିପରି ଦାୟୀ?

ଉତ୍ତର - ଆମେ ଏଥିପାଇଁ ଦାୟୀ ରହିବୁ କିନ୍ତୁ ମନରେ ଥିବା ଶକ୍ତି ଶ୍ରୀ ଭଗବାନଙ୍କର। ଆମେ ସେହି ଶକ୍ତିକୁ ସଠିକ୍ ଭାବରେ ବ୍ୟବହାର କରିବା କି ଅପବ୍ୟବହାର କରିବା ତାହା ଆମ ହାତରେ। ଏହି ସ୍ୱାଧୀନତା ଶ୍ରୀ ଭଗବାନ ଆମକୁ ଦେଇଛନ୍ତି। ଶ୍ରୀ ଭଗବାନ କେବଳ ମଣିଷକୁ ଏହି ଶକ୍ତି ଦେଇଛନ୍ତି ଯେ ତୁମେ ତୁମର କର୍ମ ଦ୍ୱାରା ନିଜକୁ ମୁକ୍ତି କରିପାରିବ।

॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥