विवेचन सारांश
ଯଜ୍ଞ, ତପ ତଥା ଦାନର ସ୍ୱରୂପ
ଉପକ୍ରମଣିକା :-
ସରସ୍ୱତୀ ବନ୍ଦନା ଓ ଦୀପ ପ୍ରଜ୍ଜ୍ୱଳନ ପରେ ଭଗବାନ ଶ୍ରୀକୃଷ୍ଣ, ମହର୍ଷି ବେଦବ୍ୟାସ, ଶ୍ରୀ ଜ୍ଞାନେଶ୍ୱର ମହାରାଜ ଏବଂ ପରମ ପୂଜ୍ୟ ସ୍ୱାମୀ ଶ୍ରୀ ଗୋବିନ୍ଦଦେବ ଗିରି ଜୀ ମହାରାଜଙ୍କୁ ଚରଣ ବନ୍ଦନ କରି ଆଜିର ସତ୍ର ଆରମ୍ଭ ହେଲା।
ଏହା ବିଜୟାଦଶମୀର ପର୍ବ, ଆଦିଶକ୍ତିଙ୍କ ଜାଗରଣର ପର୍ବ। ଏହି ଶକ୍ତି ଏପରି ସାତ୍ତ୍ୱିକତାରେ ପୂର୍ଣ୍ଣ ହେବା ଉଚିତ।
सर्वभूतहितेरता:
ସମସ୍ତଙ୍କ କଲ୍ୟାଣର ପଥ ପ୍ରଶସ୍ତ ହେଉଛି। ଶ୍ରୀମଦ୍ଭଗବଦ୍ଗୀତାରେ ଶକ୍ତି କିପରି ହେବା ଉଚିତ, ଏହି ବିଷୟରେ ଶ୍ରୀଭଗବାନ ଶ୍ରଦ୍ଧାତ୍ରୟବିଭାଗଯୋଗ ଅଧ୍ୟାୟରେ ଯେଉଁ ସୁନ୍ଦର ବିଶ୍ଳେଷଣ କରିଛନ୍ତି, ତାହା ଆମେ ଦେଖୁଛୁ।
ଶକ୍ତି ଜାଗରଣର ଏହି ପର୍ବରେ ଶ୍ରୀମଦ୍ଭଗବଦ୍ଗୀତାର ଚିନ୍ତନ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ସମରାଙ୍ଗଣରେ ପ୍ରକଟ ହୋଇଛି। ଏହା ହିମାଳୟର ଗୁମ୍ଫାମାନଙ୍କରେ କିମ୍ବା ଗଙ୍ଗା ମା’ଙ୍କ ପବିତ୍ର ତଟରେ ପ୍ରବଚନ ରୂପେ ପ୍ରକଟ ହୋଇନାହିଁ; ଏହା ତ ପ୍ରତ୍ୟକ୍ଷ ଜୀବନର ସମରାଙ୍ଗଣରେ ପ୍ରକଟିତ ଏକମାତ୍ର ଗ୍ରନ୍ଥ। ଏହାର ବକ୍ତା ଓ ଶ୍ରୋତା ଉଭୟେ ଅତି ବିଲକ୍ଷଣ। ନରୋତ୍ତମ ଅର୍ଜୁନ ଶ୍ରୋତା ଏବଂ ନାରାୟଣ ଶ୍ରୀଭଗବାନ ବକ୍ତା। ଅର୍ଜୁନଙ୍କୁ ନିମିତ୍ତ କରି ଶ୍ରୀଭଗବାନ ଏହି ସୁନ୍ଦର ପାଠେୟ ସମ୍ପୂର୍ଣ୍ଣ ମାନବଜାତିର କଲ୍ୟାଣ ପାଇଁ ପ୍ରସ୍ଫୁରିତ କରିଛନ୍ତି, ଯାହା ମନୁଷ୍ୟକୁ ତା’ର ଜୀବନ ଉନ୍ନୟନ କିପରି କରିବା ଉଚିତ ତାହା ଦର୍ଶାଇଛି।
ଏହା ଦୁର୍ଗା ମାତାଙ୍କ ଜାଗରଣ ଓ ପୂଜନର ପର୍ବ, ଶକ୍ତିର ପର୍ବ। ଯଦି ଏହି ଶକ୍ତି ଜାଗ୍ରତ ହୁଏ ଏବଂ ସୃଷ୍ଟିର କଲ୍ୟାଣ ପାଇଁ କାମ କରେ, ତେବେ ତାହା ଭଗବାନଙ୍କ ପାଖରେ ପହଞ୍ଚେ। ସନ୍ଥ ଜ୍ଞାନେଶ୍ୱର ମହାରାଜ କହିଛନ୍ତି-
कीं गीता हे सप्तशती।
मंत्रप्रतिपाद्य भगवती।
मोहमहिषा मुक्ती।
आनंदली असे ॥
ସାତଶହ ଶ୍ଲୋକର ଏହି ଗୀତା ମା’ ଅଟନ୍ତି। ନବରାତ୍ରି ପର୍ବ ଅରାଜକତା ଉପରେ ବିଜୟ ପାଇବାର ପର୍ବ। ମୋହରୂପୀ ମହିଷାସୁର ଉପରେ, ଅରାଜକତା ଉପରେ ମଣିଷ କିପରି ବିଜୟ ପାଇବ, ଏହା ଭଗବଦ୍ଗୀତା ଆମକୁ କହିଥାଏ।
ଯେତେବେଳେ ମୋହରୂପୀ ମହିଷାସୁରର ବଧ ହୁଏ, ଯେତେବେଳେ ଆମେ ମୋହର ଜାଲରୁ ମୁକ୍ତ ହୋଇଯାଉ, ତେବେ ଜୀବନରେ ବିକାରମୁକ୍ତ ଏକ ଅନନ୍ତ ପଥ ପ୍ରଶସ୍ତ ହୁଏ ଏବଂ ଏହା ସହିତ ଏକ ଦିବ୍ୟ ଦୃଷ୍ଟିକୋଣ ଆମେ ପ୍ରାପ୍ତ କରୁ।
ଆମେ ମଣିଷ ଜୀବନରେ କେବଳ ଶରୀର ସ୍ତରରେ ହିଁ ବଞ୍ଚୁ। ଏକ ପଞ୍ଚମ ସ୍ତର, ଆତ୍ମା, ଆତ୍ମତତ୍ତ୍ୱର ସ୍ତର ଅଛି, ସେଠାକୁ ଆମେ ପହଞ୍ଚି ପାରୁନାହୁଁ। ଆମ ଭିତରେ ଥିବା ଆତ୍ମତତ୍ତ୍ୱ ପର୍ଯ୍ୟନ୍ତ ପହଞ୍ଚିବାର ପଥ ଭଗବଦ୍ଗୀତା ଆମକୁ ଦେଖାଇଥାଏ।
ଆମେ ପୂର୍ବରୁ ଦେଖିଛୁ ଯେ ଆହାରର ମହତ୍ତ୍ୱ କ’ଣ। ଆଦି ଶଙ୍କରାଚାର୍ଯ୍ୟ କହନ୍ତି–
ଆହାର ଯାହା ଆମେ ଜିହ୍ୱାରୁ ଗ୍ରହଣ କରୁ, ତାହା କେବଳ ଆହାର ନୁହେଁ, ତା’ଛଡ଼ା ଅନ୍ୟ ଆହାର ମଧ୍ୟ ଅଛି। ତ୍ରୁଟିପୂର୍ଣ୍ଣ ଆହାର ଆମକୁ ଶକ୍ତିହୀନ କରେ। ଯେଉଁ ଅନ୍ନ ଆମେ ଉଦରକୁ ନେଉ, ତାହା ଶକ୍ତି ଦେଇଥାଏ, ତେବେ କେବେ କେବେ ଏହା ଆମ ଶକ୍ତି ଛଡ଼ାଇ ମଧ୍ୟ ନେଇଥାଏ, କାରଣ କେବେ କେବେ ତାହାକୁ ହଜମ କରିବାରେ ଶରୀରକୁ ଅଧିକ ଶକ୍ତି ଲଗାଇବାକୁ ପଡ଼େ। ତେଣୁ ଆହାରର ମହତ୍ତ୍ୱ ଅନନ୍ୟ ଓ ଅସାଧାରଣ।
ଯେପରି ଆହାର, ସେପରି ମନ। ଆହାର ସାତ୍ତ୍ୱିକ, ରାଜସିକ ଏବଂ ତାମସିକ ହୋଇଥାଏ। ସେହିପରି ଆଖିର ଆହାର, ଦୃଶ୍ୟ। ଆମେ କେଉଁ ଦୃଶ୍ୟ ଦେଖୁ, ଆମେ କ’ଣ ପଢ଼ୁ, ତାହା କ’ଣ ଆମକୁ ସାତ୍ତ୍ୱିକ ଭାବନା ଆଣି ଦେଇଥାଏ?
ଆମେ କ’ଣ ଶୁଣୁ, କେଉଁ କଥା ଶୁଣୁ, ଏହା କାନର ବିଷୟ। ଆମେ ସଙ୍ଗୀତ, ଶ୍ରୀଭଗବାନଙ୍କ ନାମ, ସ୍ତୋତ୍ର, ଗୀତା ଶୁଣୁ କି? ଶୁଣିବା ମଧ୍ୟ ରାଜସିକ, ତାମସିକ ଏବଂ ସାତ୍ତ୍ୱିକ ହୋଇଥାଏ।
ଆମେ କେଉଁ ଗନ୍ଧ ନେଉ, କେଉଁ ସ୍ପର୍ଶ କରୁ, କିପରି ସ୍ପର୍ଶ ନେବାକୁ ଚାହୁଁ।
ଆମେ ଆମର ବାଣୀରେ କ’ଣ କହୁ, ଏହା ସବୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଏସବୁ ମଧ୍ୟ ଆହାର। ଏହି ଆହାରମାନଙ୍କରେ ଆମେ କିପରି ସାତ୍ତ୍ୱିକତା ରଖିବା ଯାହା ଦ୍ୱାରା ଜୀବନର ଉନ୍ନୟନ କରି ଆମେ ଆମର ଅନ୍ତିମ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରିବା।
ଆମେ ଯଜ୍ଞ ଦେଖିଛୁ, ଯଜ୍ଞ ଅର୍ଥାତ୍ ସାମୂହିକ ଭାବେ କରାଯାଉଥିବା କୌଣସି କାର୍ଯ୍ୟ, ଯେତେବେଳେ ଏହା ସର୍ବଭୂତହିତେରତାଃ - ସମସ୍ତଙ୍କ କଲ୍ୟାଣ ପାଇଁ ସମର୍ପିତ ହୁଏ, ଯେପରି ଆମେ ଗୀତା ପରିବାରରେ ଦେଖୁ, ଆମେ ସାମୂହିକ ଗୀତା ପାରାୟଣ କରୁ ଏବଂ ଗୀତା ସେବୀ ହେବାର ମହାଯଜ୍ଞରେ ସହଭାଗୀ ହେଉ।
ସାତ୍ତ୍ୱିକତା ଦ୍ୱାରା ଜୀବନର ଉନ୍ନୟନ ହୁଏ। ଭଗବଦ୍ଗୀତା ଆମକୁ ଏକ ନିର୍ମଳ ଦୃଷ୍ଟିକୋଣ ପ୍ରଦାନ କରେ।
ଆମେ କେଉଁ ଆଲମ୍ବନର ଆଧାର ନେଇ ଜୀବନ ଜୀଉଁଛୁ? ଆମର ଅନ୍ତରଙ୍ଗରେ ଆମେ କିପରି ଭାବନା ରଖୁଛୁ?
ଆମେ କ’ଣ ଜାଣୁ ଯେ ଜୀବନରେ କେଉଁ ଆଲମ୍ବନ ଓ ମନରେ କେଉଁ ଭାବନା ରଖିବା ଉଚିତ, ଯାହା ଆମର ଜୀବନକୁ ଅଧିକରୁ ଅଧିକ ଉନ୍ନତ କରିପାରେ?
ଏଥିପାଇଁ ଭଗବଦ୍ଗୀତା ହିଁ ଆମର ଏକମାତ୍ର ପାଥେୟ ଅଟେ।
ଶ୍ରୀ ଗୁରୁଦେବ କହନ୍ତି—
"Day by day, every day I shall become better and better”, ଦିନକୁ ଦିନ, ପ୍ରତିଦିନ ମୁଁ ଅଧିକରୁ ଅଧିକ ଉତ୍ତମ ହେବି - ଏହି ଭାବନା ମନରେ ସର।ବଦା ବଳବତ୍ତର ରହିବା ଉଚିତ୍।
ଏକ ଶ୍ରେଷ୍ଠତର ମଣିଷ ହେବା ପାଇଁ, ନିତ୍ୟ ପ୍ରତିଦିନ ମୋର ପ୍ରତିଦ୍ୱନ୍ଦ୍ୱିତା କେବଳ ମୋ ନିଜ ସହିତ ହିଁ ହେବା ଉଚିତ୍।
ଯେପରି ଜଣେ କବି କହିଛନ୍ତି –
उम्र भर यही भूल, मैं हर बार करता रहा।
धूल चेहरे पर थी, आईना साफ करता रहा!
ଧୂଳି ଆମର ନିଜ ଚେହେରା ଉପରେ ଥାଏ ଏବଂ ଆମେ ତାହା ନ ଦେଖି, ବାରମ୍ବାର ଅନ୍ୟର ଚେହେରାର ଧୂଳି ପୋଛିବାକୁ ଚାହୁଁ। ଏହା ନକରି ଆମେ କିପରି ଆମର ଜୀବନର ଉନ୍ନୟନ କରିବା, ଏହା ଶ୍ରୀଭଗବାନ ଆମକୁ କହୁଛନ୍ତି।
ଶ୍ରୀ ଗୁରୁଦେବ କହନ୍ତି ଯେ ସମସ୍ତ ଋଷି, ମୁନି ପରି ମହାନୁଭାବମାନେ ନିଜ ଜୀବନରେ ତପ କରିଛନ୍ତି।
ଶ୍ରୀଭଗବାନ ତପର ବ୍ୟାଖ୍ୟା କରି କହିଛନ୍ତି ଯେ ତପ ତିନି ପ୍ରକାରର ହୋଇଥାଏ। ଯେପରି ତପାଇବା ଦ୍ୱାରା କୌଣସି ବସ୍ତୁ ଶୁଦ୍ଧ ହୁଏ, ତା’ର ଅଶୁଦ୍ଧି ଦୂର ହୁଏ—ଯେମିତି ପାଣିକୁ ତପାଇଲେ ପାଣିର ଅଶୁଦ୍ଧି ନଷ୍ଟ ହୁଏ, ସୁନାକୁ ତପାଇଲେ ସୁନାରେ ମିଶିଥିବା ଅଶୁଦ୍ଧି ଦୂର ହୁଏ। ସେହିପରି ଜୀବନକୁ ତପାଇବାକୁ ପଡ଼େ। ଏହି କୁନ୍ଦନ ଜୀବନ ଯେବେ ସଠିକ୍ କାର୍ଯ୍ୟ ପାଇଁ ସିଦ୍ଧ ହୁଏ, ସର୍ବହିତକାରୀ କାର୍ଯ୍ୟ ପାଇଁ ଉପଯୁକ୍ତ ହୁଏ, ତେବେ ତାହା ସାତ୍ତ୍ୱିକ ତପରେ ପରିଣତ ହୋଇଯାଏ।
ଶ୍ରୀଭଗବାନ ପରବର୍ତ୍ତୀ ଶ୍ଲୋକରେ ତପର ବ୍ୟାଖ୍ୟା କରିଛନ୍ତି।
17.14
ଦେବଦ୍ୱିଜଗୁରୁପ୍ରାଜ୍ଞ, ପୂଜନଂ(ମ୍) ଶୌଚମାର୍ଜବମ୍ ।
ବ୍ରହ୍ମଚର୍ୟମହିଂସା ଚ, ଶାରୀରଂ(ନ୍) ତପ ଉଚ୍ୟତେ ||14||
ଦେବତା , ବ୍ରାହ୍ମଣ, ଗୁରୁ ଏବଂ ଜ୍ଞାନୀ ଜନଙ୍କର ପୂଜନ, ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା - ଏହାକୁ ଶରୀର ସମ୍ବନ୍ଧୀୟ ତପ କୁହାଯାଏ।
ବିବେଚନ :–
ଶ୍ରୀଭଗବାନ ତପକୁ ତିନି ପ୍ରକାରରେ ବିଭାଜିତ କରିଛନ୍ତି – ଶାରୀରିକ ତପ, ବାଚିକ ତପ, ଓ ମାନସିକ ତପ।
ଶାରୀରିକ ତପ -
ଆମେ ଆମ ଶରୀର ଦ୍ୱାରା ଯୋଗ, ବ୍ୟାୟାମ, ଓ ଶାରୀରିକ କାର୍ଯ୍ୟ କରୁଛୁ, ତାହା ଶାରୀରିକ ତପ ଅଟେ।
ବାଚିକ ତପ :
ଯାହା ବାଣୀ ଦ୍ୱାରା କରାଯାଏ, ତାହା ବାଚିକ ତପ ଅଟେ।
ମାନସିକ ତପ :
ଯାହା ମନ ଦ୍ୱାରା କରାଯାଏ, ତାହା ମାନସିକ ତପ ଅଟେ।
ଏହି ତିନି ପ୍ରକାରର ତପ ସାତ୍ତ୍ୱିକ, ରାଜସିକ, ଓ ତାମସିକ ହୋଇଥାଏ।
ଦେବ -
ସୃଷ୍ଟିର କଲ୍ୟାଣ କରୁଥିବା ଅଧିଷ୍ଠାନ, ଦେବତାଙ୍କୁ ଅର୍ଚ୍ଚନା କରି ବରଦାନ ପ୍ରାପ୍ତି ଉଦ୍ଦେଶ୍ୟରେ ଯଜ୍ଞ କରାଯାଏ। ଏହି ଯଜ୍ଞମାନଙ୍କ ଦ୍ୱାରା ପଞ୍ଚମହାଭୂତରେ ଗଠିତ ଏହି ସୃଷ୍ଟିର ଶୁଦ୍ଧତା ହୁଏ, ଯାହା ଫଳରେ ପଞ୍ଚମହାଭୂତର ସନ୍ତୁଳନ ହୁଏ।
ଦ୍ୱିଜ -
ଶ୍ରୀଭଗବାନ୍ କହିଛନ୍ତି ଯେ ଯେଉଁ ବ୍ରାହ୍ମଣମାନେ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନ ବେଦପାଠ, ଭାରତୀୟ ସଂସ୍କୃତିର ଅଧ୍ୟୟନ, ଓ ଋଷି-ମୁନିଙ୍କ ବାଣୀକୁ ଆମ ପାଖରେ ପହଞ୍ଚାଇବା ପାଇଁ ଉତ୍ସର୍ଗ କରିଛନ୍ତି, ସେମାନେ ପୂଜନୀୟ। ବ୍ରାହ୍ମଣକୁ ଜାତିବାଚକ ନୁହେଁ ବରଂ ଯେଉଁ ବ୍ୟକ୍ତି ବ୍ରହ୍ମକୁ ନିଜର ସ୍ୱରୂପ ମାନି, ବ୍ରହ୍ମ ପ୍ରାପ୍ତି ପାଇଁ ଶୁଦ୍ଧ ଆଚରଣରେ ନିୟୋଜିତ ରହିଛି, ସେ ବ୍ରାହ୍ମଣ। ଯେଉଁ କୁଳରେ ଜନ୍ମ ଗ୍ରହଣ କରି ସେହି କୁଳର ପରମ୍ପରାର ପାଳନ କରୁଛି, ତାଙ୍କୁ ପୂଜା କରାଯିବା ଉଚିତ।
ଗୁରୁ -
ଲୌକିକ ଓ ଆଧ୍ୟାତ୍ମିକ ଗୁରୁ, ଯେଉଁମାନେ ଆମ ଜୀବନର ଉନ୍ନତି କରନ୍ତି, ସେମାନଙ୍କର ମଧ୍ୟ ପୂଜନ ହେବା ଉଚିତ।
ପ୍ରଜ୍ଞା -
ଯେଉଁମାନଙ୍କର ପ୍ରଜ୍ଞା ଜାଗ୍ରତ, ସେମାନେ ଜ୍ଞାନୀ ବ୍ୟକ୍ତି। ଆମ ଋଷି-ମୁନିମାନେ, ଯେଉଁମାନେ ବ୍ରହ୍ମାଣ୍ଡୀୟ ଜ୍ଞାନ (Cosmic Intelligence) ପ୍ରାପ୍ତ କରିଥିଲେ, ସେମାନେ ବ୍ରହ୍ମାଣ୍ଡ ସହ ନିଜ ବୁଦ୍ଧିକୁ ଏକାକାର କରି ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ରହସ୍ୟ ଜାଣିଥିଲେ ଓ ସେମାନଙ୍କ ଗ୍ରନ୍ଥ ମାଧ୍ୟମରେ ସେହି ବ୍ରହ୍ମାଣ୍ଡୀୟ ଜ୍ଞାନ ସମସ୍ତଙ୍କୁ ପ୍ରଦାନ କରୁଥିଲେ।
ଆଧ୍ୟାତ୍ମିକ ଋଷିମାନେ ଆମକୁ ଆତ୍ମବଳ ଓ ସମ୍ବଳ ପ୍ରଦାନ କରନ୍ତି। ସେମାନେ ଜ୍ଞାନୀ ଓ ପୂଜନୀୟ। ଆମ ଋଷି-ମୁନିମାନେ ବୈଜ୍ଞାନିକ ମଧ୍ୟ ଥିଲେ, ସେମାନଙ୍କୁ ସ୍ମରଣ କରିବା ମାତ୍ରେ ଆମ ମସ୍ତକ ଆପେ ଆପେ ନତ ହୋଇଯାଏ।
ଯେଉଁ ବ୍ୟକ୍ତିଙ୍କ ମସ୍ତକ ଋଷି–ମୁନିମାନଙ୍କ ସମ୍ମୁଖରେ ନଇଁଯାଏ, ସେମାନଙ୍କର ଏହି ଗୁଣ ସ୍ୱଭାବରେ ପରିଣତ ହୋଇଯାଏ। ସେମାନେ ଅନ୍ତରଙ୍ଗର ପବିତ୍ରତା ସହିତ ଜୀବନଯାପନ କରନ୍ତି।
ଆତ୍ମିକ ଅନ୍ତରଙ୍ଗର ଶୁଦ୍ଧି ମଧ୍ୟ ଅତ୍ୟାବଶ୍ୟକ।
ଜୀବନରେ ସରଳତା ରଖିବା ଉଚିତ୍, କୌଣସି ଜଟିଳତା ରଖିବା ଉଚିତ୍ ନୁହେଁ। ସରଳତାରୁ ଏକାଗ୍ରତା ବୃଦ୍ଧି ପାଏ, ଏବଂ ସରଳ ହେବା କାରଣରୁ ଆମକୁ କିଛି ଲୁଚାଇବାର ଆବଶ୍ୟକତା ପଡ଼େନି। ଯେମିତି ଆମେ ଅଛୁ, ସେମିତି ରହିବା ଉଚିତ୍।
ଭଗବାନଙ୍କୁ ମିଥ୍ୟାଚାର ଓ ମିଥ୍ୟା-ଚିନ୍ତା ଭଲ ଲାଗେନି।
"ହେ ଭଗବାନ୍, ମୋର ଜୀବନର ଉନ୍ନତି କରନ୍ତୁ" – ଯେଉଁମାନେ ଏଭଳି ସରଳ ଭାବରେ କହନ୍ତି, ସେମାନଙ୍କ ଜୀବନକୁ ଭଗବାନ ନିଶ୍ଚିତ ଭାବେ ଉନ୍ନତ କରନ୍ତି।
ବ୍ରହ୍ମଚର୍ୟ -
ଅର୍ଥାତ୍, ଯିଏ ବିବାହ କରିନାହିଁ। ଆମର ଭାରତୀୟ ସଂସ୍କୃତିରେ ଷୋହଳଟି ସଂସ୍କାର ରହିଛି ଏବଂ ଯେଉଁଥିରେ ଚାରିଟି ଆଶ୍ରମ ଉଲ୍ଲେଖିତ ହୋଇଛି – ବ୍ରହ୍ମଚର୍ୟ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ।
ଯେଉଁ ବ୍ୟକ୍ତି ଏକ–ପତ୍ନୀବ୍ରତ ରଖନ୍ତି, ସେମାନେ ମଧ୍ୟ ବ୍ରହ୍ମଚାରୀ ହୋଇଥାନ୍ତି।
ଅହିଂସା -
ଯେଉଁ ବ୍ୟକ୍ତି କୌଣସି ପ୍ରକାରର ହିଂସା କରନ୍ତି ନାହିଁ, ସେମାନଙ୍କୁ ଅହିଂସକ କୁହାଯାଏ। ହିଂସା ଶାରୀରିକ, ଭାଷା ଜନିତ କିମ୍ବା ମାନସିକ ହୋଇପାରେ। ଯେଉଁମାନେ ଅହିଂସାର ପାଳନ କରନ୍ତି, ସେମାନେ କାହାର ମନକୁ ଦୁଃଖିତ କରନ୍ତି ନାହିଁ।
ଅନୁଶାସନ -
ଜୀବନର କଠୋର ପରିସ୍ଥିତିଗୁଡିକ ପାଇଁ ନିଜକୁ ପ୍ରସ୍ତୁତ କରିବା ହେତୁ ଅନୁଶାସନ ଆବଶ୍ୟକ ଏବଂ ଅନୁଶାସନ ପାଇଁ ଆମେ ନିଜ ଦେହକୁ ଶୃଙ୍ଖଳିତ ତଥା ଶିଷ୍ଟାଚାରୀ କରିବାକୁ ହୋଇଥାଏ।
ଶୀତ–ଉଷ୍ଣ -
ଅର୍ଥାତ୍ ଭଲ–ମନ୍ଦ କାଳ। “ଶୀତ” ଅର୍ଥାତ୍ ଭଲ ସମୟ, “ଉଷ୍ଣ” ଅର୍ଥାତ୍ ଖରାପ ସମୟ, ଜୀବନର କଠିନ ପରିସ୍ଥିତି।
ଏହି ସୁଖ–ଦୁଃଖର ଦ୍ୱନ୍ଦ୍ୱ ଜୀବନରେ ସଦା ଆସୁଥାଏ। ସୁଖ ଓ ଦୁଃଖ, ଉଭୟକୁ ଆମକୁ ସହିବାକୁ ପଡ଼େ। ନିଜର ବ୍ୟକ୍ତିତ୍ୱକୁ ଏଭଳି ଭାବରେ ଗଢ଼ିବା ଉଚିତ୍ ଯେ, ଯେପରି ଏହି ସୁଖ–ଦୁଃଖର ପ୍ରଭାବରୁ ଆମେ ପ୍ରଭାବିତ ନହେବୁ ଏହାକୁ ସତ୍ୟ ପୁରୁଷାର୍ଥ କୁହାଯାଏ। ଏହି ଶୀତ–ଉଷ୍ଣ କାଳରୁ ନିଜ ଜୀବନକୁ ଅପ୍ରଭାବିତ ରଖିବା ଆବଶ୍ୟକ।
ତପର ଏକ ବ୍ୟାଖ୍ୟା ହେଉଛି –
"तपो द्वन्द्व सहनम्”
ଅର୍ଥାତ୍, ଅନୁକୂଳତା ସହିତ ପ୍ରତିକୂଳତା ମଧ୍ୟ ଅଛି। ଆମେ ସଦା ଅନୁକୂଳତାକୁ ଚାହୁଁ, କିନ୍ତୁ ପ୍ରତିକୂଳତାକୁ ନୁହେଁ।
ସୁଖ ଓ ଦୁଃଖ ଦୁହେଁ କ୍ଷଣିକ। ଏହି ସୁଖ–ଦୁଃଖ ଉଭୟରେ ସ୍ଥିତପ୍ରଜ୍ଞତା ରଖି ଆମେ ନିଜର ପଥକୁ ସୁଗମ କରିବା ଉଚିତ୍। ତାହା ପାଇଁ ତପ କରିବା ଆବଶ୍ୟକ, ଯେଉଁଥିରେ ଶକ୍ତି ବଢ଼େ।
ପ୍ରତିକ୍ରିୟା ନ ଦେବା ଏହା ମଧ୍ୟ ଏକ ତପ।
ଯକ୍ଷ ପ୍ରଶ୍ନରେ ଯେତେବେଳେ ଯକ୍ଷ ଧର୍ମରାଜ ଯୁଧିଷ୍ଠିରଙ୍କୁ ଶହେ ପ୍ରଶ୍ନ କଲେ, ସେଥିରୁ ଅନ୍ୟ ଚାରିଜଣ ପାଣ୍ଡବ କୌଣସି ଉତ୍ତର ଦେଇପାରିଲେନି, ତେଣୁ ସେମାନଙ୍କର ମୃତ୍ୟୁ ହୋଇଗଲା।
ଯେତେବେଳେ ଯକ୍ଷ ପଚାରିଲେ “ତପ କ’ଣ?” ସେତେବେଳେ ଧର୍ମରାଜ ଯୁଧିଷ୍ଠିର କହିଲେ –
"तपस्व धर्मं वर्तित्त्वं।”
ଏହା ମହାଭାରତର ବ୍ୟାଖ୍ୟା।
ସ୍ୱଧର୍ମ, ସ୍ୱକର୍ତ୍ତବ୍ୟର ପାଳନ କରିବା, ଯେଉଁଠାରେ ଅଛୁ ସେଠାରେ ନିଜର ଭୂମିକାକୁ ନିଭାଇବା, ଏବଂ ସେଥିରେ ଯେଉଁ କଷ୍ଟ ସହିବାକୁ ପଡ଼େ – ସେହି କଷ୍ଟକୁ ତପ କୁହାଯାଏ।
ମା’ର ତପ, ପୁଅର ତପ। ଦେହକୁ କଷ୍ଟ ଦେଇ ଯେଉଁ କର୍ତ୍ତବ୍ୟକର୍ମ କରାଯାଏ, ସେହି କର୍ତ୍ତବ୍ୟ-ପାଳନ ତପ ଅଟେ। ସ୍ୱଧର୍ମ ପାଳନ ପାଇଁ କଷ୍ଟ ସହିବା – ଏହା ହେଉଛି ଜୀବନର କର୍ତ୍ତବ୍ୟ।
"ସଂସାରରେ ମହାନ କିଏ?" – ଏହି ପ୍ରଶ୍ନରେ ସେ ଉତ୍ତର ଦେଲେ –
"तपसा विंदंते महत्।”
ଅର୍ଥାତ୍, ତପ ଦ୍ୱାରା ମଣିଷ ମହତ୍ତ୍ୱ ପ୍ରାପ୍ତ କରିଥାଏ।
ଏହା ଦେବୀ ଜାଗରଣର ଦିନ, ଶକ୍ତି ତପ ଦ୍ୱାରା ମିଳିବ।
ବାଣୀ–ତପ -
ବାଣୀ ଉପରେ ସଂଯମତା – କେବେ କହିବା, କେବେ ପ୍ରତିକ୍ରିୟା ଦେବା, କେବେ ଦେବା ନାହିଁ, ଏହା ମଧ୍ୟ ଏକ ତପ।
ବାଣୀ ଜିହ୍ବାରୁ ବାହାରେ। ଜିହ୍ବାକୁ “ଦ୍ୱିଜା” – ଦୁଇ – ମଧ୍ୟ କୁହାଯାଏ। ଜିହ୍ବା କେବେ କେବେ ଆଘାତ ବି କରେ। ଯାହା ଖାଇବା ଉଚିତ୍ ନୁହେଁ, ତାହା ଖାଇବାରେ ଲାଗିଥାଏ; ଯାହା କହିବା ଉଚିତ୍ ନୁହେଁ, ତାହା କହିଦେବା କାରଣରୁ ମଧ୍ୟ ଜିହ୍ବା ଘାତ କରେ। ଏହି ସବୁ ବିଷୟରେ ସଂଯମତା ନିତାନ୍ତ ଆବଶ୍ୟକ ଅଟେ।
ଅନୁଦ୍ୱେଗକରଂ(ମ୍) ବାକ୍ୟଂ(ମ୍), ସତ୍ୟଂ(ମ୍) ପ୍ରିୟହିତଂ(ଞ୍) ଚ ୟତ୍ ।
ସ୍ୱାଧ୍ୟାୟାଭ୍ୟସନଂ(ଞ୍) ଚୈବ, ବାଙ୍ମୟଂ(ନ୍) ତପ ଉଚ୍ୟତେ ||15||
ଯାହା ଉଦ୍ ବେଗ ସୃଷ୍ଟି କରେ ନାହିଁ , ଯାହା ପ୍ରିୟ ହିତକର ଏବଂ ଯଥାର୍ଥ ଭାଷଣ ତଥା ଯାହା ବେଦ-ଶାସ୍ତ୍ର ପଠନର ଏବଂ ପରମେଶ୍ବରଙ୍କ ନାମ ଜପ କରିବାର ଅଭ୍ୟାସ , ତାହାକୁ ହିଁ ବାଣୀ ସମ୍ବନ୍ଧୀୟ ତପ କୁହାଯାଏ।
ବିବେଚନ :–
ସନ୍ଥ କବୀରଦାସ କହିଥିଲେ –
ऐसी वाणी बोलिए, मन का आपा खोये।
औरन को शीतल करे, आपहुं शीतल होए।।
ଆମର ବାଣୀ ଏମିତି ହେବା ଉଚିତ୍ କି ଯେପରି ସେଥିରୁ ଶବ୍ଦରୂପୀ ରସ ବହାରିବ ଓ ତାହା ଅନ୍ୟମାନଙ୍କର ଅନ୍ତରଙ୍ଗକୁ ଶୀତଳ କରିଦେବ।
ଶ୍ରୀ ଜ୍ଞାନେଶ୍ୱର ମହାରାଜ କହିଛନ୍ତି –
तैसें साच आणि मवाळ।
मितले आणि रसाळ।
शब्द जैसे कल्लोळ।
अमृताचे।।
ଅର୍ଥାତ୍, ଆମର ବାଣୀ ଅମୃତମୟ ହେବା ଉଚିତ୍। ଯେତେବେଳେ ଶବ୍ଦ ଆମ କାନରେ ପ୍ରବେଶ କରିବ, ସେତେବେଳେ ଏମିତି ଲାଗିବ ଯେ ଆମେ ଅମୃତପାନ କରୁଛୁ। ଶ୍ରୀ ଜ୍ଞାନେଶ୍ୱର ମହାରାଜ ୭୦୦ ଶ୍ଲୋକର ଗୀତା ଉପରେ ୯୦୦୦ ଓୱୀ ବିଶିଷ୍ଟ ଜ୍ଞାନେଶ୍ୱରୀ କେବଳ ୨୧ ବର୍ଷ ବୟସରେ ଲେଖିଥିଲେ, ଯାହା ଭାଗବତ ଗୀତାର ଏକ ଅତ୍ୟନ୍ତ ସୁନ୍ଦର ବ୍ୟାଖ୍ୟା ଅଟେ।
ଅନୁଦ୍ୱେଗକରଂ(ୱ୍ଁ) -
ଆମର ବାଣୀ ଏମିତି ହେଉ, ଯାହା ଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତିଙ୍କ ମନରେ ଉଦ୍ୱେଗ ଉତ୍ପନ୍ନ ନହେଉ। ଶବ୍ଦ ଏମିତି ହେଉ ଯାହା ଦ୍ଵାରା କାହାରି ମନରେ ତୀବ୍ର ପ୍ରତିକ୍ରିୟା ଉତ୍ପନ୍ନ ନ ହେଉ।
ପ୍ରିୟହିତଂ(ଞ୍ଁ) -
ବାଣୀ ପ୍ରିୟ ଏବଂ ହିତକାରକ ହେଉ, ଯାହା ଦ୍ୱାରା କେବଳ କଲ୍ୟାଣ ହେବ। ଏହା ମିଥ୍ୟା-ପ୍ରଶଂସାମୟ ହେବା ଉଚିତ୍ ନୁହେଁ। ପ୍ରଶଂସା ସର୍ବଦା ସତ୍ୟ ହେଲେ ଉତ୍ତମ।
स्वाध्यायाभ्यसनं(ञ्) चैव,
ସ୍ୱାଧ୍ୟାୟ - ଯାହା ବାଣୀର ଅଧ୍ୟୟନରେ ଲାଗିଥିବ, ଯେଉଁ ବାଣୀ ଗୀତାର ପଠନ ଓ ମନନରେ ନିୟୋଜିତ ଥିବ। ଆମେ ଗୀତାର ଶୁଦ୍ଧ ଉଚ୍ଚାରଣ ଶିଖୁଛୁ, କଣ୍ଠସ୍ଥ କରୁଛୁ, ଏହା ହେଉଛି ସ୍ୱାଧ୍ୟାୟ। ଶ୍ରୀଭଗବାନ୍ ଏଠାରେ ଆମ ସମସ୍ତ ଗୀତା ପରିବାରଙ୍କୁ ସେହି ବାଚିକ ତପରେ ସମ୍ମିଳିତ କରିଛନ୍ତି। ଏହି ବାଚିକ ତପ ହେଉଛି ସ୍ୱାଧ୍ୟାୟ ।
ଆମର ଏହି ଗୀତା ପାଠ, ବାଙ୍ମୟୀ ତପର ଅନ୍ତର୍ଗତ ଆସିଥାଏ।
ସ୍ୱାଧ୍ୟାୟ ପାଇଁ ଆମେ ରାମଚରିତମାନସ, ଜ୍ଞାନେଶ୍ୱରୀ, ଦାସବୋଧ, ତୁକାରାମଙ୍କର ଅଭଙ୍ଗବାଣୀ ଇତ୍ୟାଦି ଗ୍ରନ୍ଥ ପଢ଼ିପାରିବା। ଏହି ସବୁ ମନ୍ତ୍ରମୟ ଗ୍ରନ୍ଥ ମନକୁ ପରିଷ୍କାର କରିବା ସହ ତାରଣ ମଧ୍ୟ କରିଥାଏ।
मननत् त्रायते इति मन्त्र:
ସଂସ୍କୃତ ମନ୍ତ୍ର –
- ଅର୍ଥ ବୁଝିଲେ ଏହି ମନ୍ତ୍ର ପ୍ରଭାବଶାଳୀ ହୋଇଯାଏ।
- ଅର୍ଥ ନବୁଝିଲେ ମଧ୍ୟ, ଏହି ମନ୍ତ୍ର ଆମ ଉପରେ ପ୍ରଭାବ ପକାଏ ଏବଂ
- ଆମର ଅନ୍ତରାତ୍ମାକୁ ପବିତ୍ର କରେ।
ଶ୍ରୀଭଗବାନ୍ କହିଛନ୍ତି, ବାଣୀ ଦ୍ୱାରା ସଂସ୍କାର ଜଣାପଡ଼େ। କିଏ କିଭଳି କହୁଛନ୍ତି, ସେଥିରୁ ତାଙ୍କର ଅନ୍ତରଙ୍ଗ କେତେ ନିର୍ମଳ ତାହା ଜଣାଯାଏ। ଅନ୍ତରଙ୍ଗରେ ଯେପରି ପ୍ରତିକ୍ରିୟା ଉତ୍ପନ୍ନ ହେବ, ତାହା ବାହ୍ୟ ରଙ୍ଗରେ ପ୍ରକାଶ ପାଏ। ସେଥିରୁ ଆମର ଅନ୍ତରଙ୍ଗର ଭାବନା ଜଣା ପଡିଥାଏ।
सत्यं ब्रूयात् प्रियं ब्रूयात्।
ଅସତ୍ୟ ବାଣୀ, ଯାହା ପ୍ରିୟ, କହିବା ଉଚିତ୍ ନୁହେଁ କିମ୍ବା ଯେଉଁ ସତ୍ୟ ଅପ୍ରିୟ ବୋଧ ହୁଏ ତାହା ମଧ୍ୟ କାହିବା ଉଚିତ୍ ନୁହେଁ। କାହା ପାଖରେ କିଛି ଅଭାବ, ଊଣା, ତ୍ରୁଟି କିମ୍ବା ଦୋଷ ରହିଛି, ତେବେ ପ୍ରକାଶ୍ୟରେ ତାହା ଜଣାଇବା ଉଚିତ ନୁହେଁ। ଦୋଷକୁ ଉଲ୍ଲେଖ କରି କାହାକୁ କ୍ଷୋଭିତ କରିବା ଉଚିତ ନୁହେଁ।
କ’ଣ କହିବା, କ’ଣ କହିବା ନାହିଁ ଏହି ବିବେକ ଜାଗରଣ ଶ୍ରୀଭଗବାନ୍ ଏଠାରେ କରୁଛନ୍ତି।
ବାଣୀ ଦ୍ୱାରା ସଂସ୍କାର କିପରି ଜଣାପଡ଼େ?
ଜଣେ ରାଜା, ତାଙ୍କର ପ୍ରଧାନ ଓ ସୈନିକ ଜଙ୍ଗଲରେ ଶିକାର କରିବାକୁ ଗଲେ। ଆମେ ଜାଣୁ ଯେ ଜଙ୍ଗଲ କେତେ ଘନ ହୋଇଥାଏ। ଶିକାର କରିବା ସମୟରେ ସେମାନେ ପରସ୍ପର ଠାରୁ ଦୂରେଇ ଗଲେ। ଯେତେବେଳେ ଜଣାପଡ଼ିଲା ଯେ ସେମାନେ ଭ୍ରମିତ ହୋଇଛନ୍ତି, ସେମାନେ ଜଣେ ଅନ୍ୟ ଜଣକୁ ଖୋଜିବା ଆରମ୍ଭ କରିଲେ।
ସେହି ଜଙ୍ଗଲରେ ଏକ ଦୃଷ୍ଟିହୀନ ସାଧୁ ତପସ୍ୟା କରିବା ପାଇଁ ବସିଥିଲେ। ଖୋଜା ଖୋଜି କରିବା ସମୟରେ ପ୍ରଥମେ ସୈନିକ ସାଧୁଙ୍କ ପାଖରେ ପହଞ୍ଚି ପଚାରିଲେ, “ହେ ଅନ୍ଧ, ତୁମେ କାହାକୁ ଏଠାରୁ ଯାଉଥିବା ଅନୁଭବ କରିଛ କି?”
ସାଧୁଙ୍କର ଉତ୍ତର ଆସେ — “ନାହିଁ।”
କିଛି ସମୟ ପରେ ପ୍ରଧାନ ସେଠାରେ ପହଞ୍ଚିଲେ ଓ ପଚାରିଲେ, “ସାଧୁ ବାବା, ତୁମେ କାହାକୁ ଏଠାରୁ ଯାଉଥିବା ଅନୁଭବ କରିଛ କି?” ସାଧୁ କହନ୍ତି, “ହଁ, ଜଣେ ସୈନିକ ଏହି ରାସ୍ତାରେ ଗଲେ।”
କିଛି ସମୟ ପରେ ସେଠାରେ ମହାରାଜ ସ୍ୱୟଂ ପହଞ୍ଚିଲେ। ସାଧୁଙ୍କୁ ଦେଖି ଭକ୍ତିମୟ ଭାବରେ ପାଦ ସ୍ପର୍ଶ କରି, ପଚାରିଲେ,
“ହେ ସାଧୁ ମହାରାଜ, ଆମେ ଜଙ୍ଗଲରେ ଭ୍ରମିତ ହୋଇଯାଇଛୁ। ଆପଣ କାହାକୁ ଏଠାରୁ ଯାଉଥିବା ଅନୁଭବ କରିଛନ୍ତି କି?”
ସାଧୁ ବାବା କହନ୍ତି,“ହଁ, ମହାରାଜ। କିଛି ସମୟ ପୂର୍ବରୁ ଆପଣଙ୍କର ସୈନିକ ଏଠାରୁ ଗଲେ, ଏବଂ ଏବେ ଆପଣଙ୍କର ପ୍ରଧାନ ଏଠାରୁ ଗଲେ।”
ରାଜାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। ସେ ପଚାରିଲେ,“ବାବା, କ୍ଷମା କରିବେ। ଆପଣ ତ ଦୃଷ୍ଟିହୀନ! ତେବେ କିପରି ଜାଣିଲେ ଯେ, ପ୍ରଥମେ ସୈନିକ ଗଲେ, ପରେ ପ୍ରଧାନଜୀ ଗଲେ ଏବଂ ମୁଁ ରାଜା ବୋଲି ?”
ସାଧୁ ବାବା ରାଜାଙ୍କୁ ବୁଝାଇଲେ –“ବାଣୀର ଶୈଳୀ ଦ୍ୱାରା। ସୈନିକ ମୋତେ କହିଲେ“ହେ ଅନ୍ଧ! ପ୍ରଧାନଜୀ କହିଲେ ବାବା! ଆପଣ ତ, ପ୍ରଥମେ ମୋର ପାଦ ସ୍ପର୍ଶ କରି, ଭକ୍ତିଭାବରେ କହିଲେ – ସାଧୁ ମହାରାଜ! ଏହିପରି, ବାଣୀ ହିଁ ବ୍ୟକ୍ତି ବିଷୟରେ ବହୁତ କିଛି କହିଦିଏ।
ବାଣୀରେ ଯଦି ମଧୁରତା ଥାଏ, ସେ କାହାରି ବି ହୃଦୟ ଅତି ସହଜରେ ଜିତି ନେଇହୁଏ। କିନ୍ତୁ ବାଣୀ ଯଦି କଟୁ ହୁଏ, ତେବେ ଯୁଦ୍ଧ ପର୍ଯ୍ୟନ୍ତ ମଧ୍ୟ କଥା ବଢିଯାଇ ପାରେ ।
ବାଣୀ ଦ୍ୱାରା, ଗ୍ରନ୍ଥ ପଠନ ଦ୍ୱାରା ମନୁଷ୍ୟର ସଂସ୍କାରର ପରିଚୟ ମିଳେ।
ଏବେ ଶ୍ରୀଭଗବାନ, ମନକୁ ନିୟନ୍ତ୍ରଣ କରି, ଇନ୍ଦ୍ରିୟଗୁଡ଼ିକର ଦମନ ଦ୍ୱାରା ମାନସିକ ତପ କିପରି କରିବା ତାହା କହିଛନ୍ତି।
ମନଃ(ଫ୍) ପ୍ରସାଦଃ(ସ୍) ସୌମ୍ୟତ୍ୱଂ(ମ୍), ମୌନମାତ୍ମବିନିଗ୍ରହଃ ।
ଭାବସଂଶୁଦ୍ଧିରିତ୍ୟେତତ୍, ତପୋ ମାନସମୁଚ୍ୟତେ ||16||
ମନର ପ୍ରସନ୍ନତା , ଶାନ୍ତଭାବ , ଭଗବତ ଚିନ୍ତନ କରିବାର ସ୍ଵଭାଵ , ମନର ନିଗ୍ରହ ଏବଂ ଅନ୍ତଃକରଣ ସ୍ଥିତ ଭାବ ମାନଙ୍କର ସମ୍ୟକ ପବିତ୍ରତା - ଏହି ସବୁକୁ ମନ ସମ୍ବନ୍ଧୀୟ ତପ କୁହାଯାଏ।
ବିବେଚନ :–
“It's over”– ପ୍ରବଚନ ତ ସରିଗଲା"
ଶ୍ରୀ ଭଗବାନ କହିଛନ୍ତି -
ପ୍ରସନ୍ନତା - ମନକୁ ଖୁସି ରଖିବା, ହେଲେ ବିପରୀତ ପରିସ୍ଥିତି ବା ପ୍ରତିକୂଳତା ପ୍ରତି ମନରେ ପ୍ରସନ୍ନତା ରଖିବା ସହଜ ସାଧ୍ୟ ନୁହେଁ।
ସୌମ୍ୟତ୍ୱ - ଆମ ମୁଖରେ ସୌମ୍ୟଭାବ ରହିବା ଉଚିତ। ‘ସୋମ’ର ଅର୍ଥ ଚନ୍ଦ୍ର। ପ୍ରତ୍ୟହ ଚନ୍ଦ୍ର ଦର୍ଶନରେ ମନ ଅମୋଦିତ ହୁଏ। ଆଜିକାଲି ଲୋକମାନେ ସର୍ବଦା ବ୍ୟସ୍ତ ବିବ୍ରତ ରହୁଛନ୍ତି। ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଗଣ ତ କେଉଁଠାରେ ସ୍ଥିରମନା ହୋଇ ବସିପାରୁନାହାନ୍ତି ; କିନ୍ତୁ ଆମ ଅସ୍ତିତ୍ବ ଶାନ୍ତ ଦେଖାଯିବା ଉଚିତ, ଯେପରି ଆମକୁ ଦେଖୁଥିବା ମନୁଷ୍ୟର ମନ ମଧ୍ୟ ଶାନ୍ତ ତଥା ପ୍ରସନ୍ନ ହୋଇଯିବ।
ମୌନ - ମାନସିକ ତପସ୍ୟାକୁ ଶ୍ରୀ ଭଗବାନ ‘ମୌନ’ ବୋଲି କହିଛନ୍ତି। ସମସ୍ତ ଭାବନାକୁ ସ୍ଥିର କରିଦେଇ ମନକୁ ଶାନ୍ତ ରଖିବା ଉଚିତ। ମନ ନୀରବ ହେବା ଉଚିତ। ମନ କୋୖଣସି ପ୍ରତିକ୍ରିୟା ନକରିବାକୁ ସାଧନା କୁହାଯାଏ। Chattering mind - ଚଞ୍ଚଳ ମନ ଅନବରତ ଚିନ୍ତା କରୁଥାଏ।
ଶ୍ରୀ ତୁକାରାମ ମହାରାଜ କହନ୍ତି -
मन करा रे प्रसन्न। सर्व सिद्धीचें कारण।
मोक्ष अथवा बंधन। सुख समाधान इच्छा ते ।।
ଜ୍ଞାନର ପ୍ରଭାବରେ ମନ ଶାନ୍ତ ହୋଇଯାଏ। ଆଜିକାଲି ଏହି ଶାନ୍ତି ଦୁର୍ଲଭ ହୋଇଗଲାଣି । ନିଜ ପ୍ରତି ତଥା ଅନ୍ୟ ପ୍ରତି ଆମର ଭାବନା କିପରି ହୋଇଥାଏ?
ଦୁଇଜଣଙ୍କୁ କଥା ହେଉଥିବାର ଦେଖିଲେ, ମୋ ବିଷୟରେ ହିଁ କଥା ହେଉଛନ୍ତି ବୋଲି ଭାବିବା ଅନୁଚିତ । ମନରେ ଏପରି ଭାବନା ଆସିଲେ ଆମ ମନ ଏପର୍ଯ୍ୟନ୍ତ ନିର୍ମଳ ହୋଇନାହିଁ ବୋଲି ବୁଝିବାକୁ ହେବା।
ଆତ୍ମବିନିଗ୍ରହ - ମୌନ ହେଉଛି ମାନସିକ ତପସ୍ୟା। ପ୍ରସିଦ୍ଧ ଦାର୍ଶନିକ ଶ୍ରୀ ଜେ.କୃଷ୍ଣମୂର୍ତ୍ତି ମୌନ, ନୀରବ ହୋଇଯାଉଥିଲେ। ଶ୍ରୀ ଜ୍ଞାନେଶ୍ୱର ମହାରାଜ କହନ୍ତି -
बोलतया बोलतयासी भेटे, तेथे बोलणे हे न घटे।
तेथे मौन हे गोंगटे, स्तवन माझे।
ଆତ୍ମତତ୍ତ୍ୱର ଜ୍ଞାନ ହୋଇଯିବା ପରେ, ଆଉ ଶବ୍ଦର ପ୍ରୟୋଜନ ରହେ ନାହିଁ।
ଜ୍ଞାନ - ଶବ୍ଦ ନୀରବି ହୋଇଯାଏ। ଶବ୍ଦକୁ ଅତିକ୍ରମ କରି ଯିଏ ଆତ୍ମତତ୍ତ୍ୱ ନିକଟରେ, ସେହି ପରିଚୟ ନିକଟରେ, ସେହି ସ୍ୱରୂପ ନିକଟରେ ପହଞ୍ଚିଯାଏ, ତାଙ୍କୁ କିଛି କହିବାକୁ ପଡ଼େନାହିଁ । ତାଙ୍କର ମୌନତା ହିଁ ପରମାତ୍ମାଙ୍କର ସ୍ତୁତି ହୋଇଯାଏ।
ଶ୍ରୀ ଜେ. କୃଷ୍ଣମୂର୍ତ୍ତିଙ୍କର ଜୀବନର ଏକ ବୃତ୍ତାନ୍ତ। ଉଜ୍ଜ୍ୱଳ ପୁର୍ଣିମା ରାତିରେ, ବନାରସର ଗଙ୍ଗାନଦୀରେ ନୌକା ବିହାର କରିବା ସମୟରେ ତାଙ୍କର ଭକ୍ତମାନେ ପ୍ରବଚନ ରଖିଥିଲେ। କିନ୍ତୁ ଗଙ୍ଗା ନଦୀର ପବିତ୍ର ବିଶାଳ ରୂପ ଦେଖି ଶ୍ରୀ କୃଷ୍ଣମୂର୍ତ୍ତି ଏପରି ତନ୍ମୟ ହୋଇଗଲେ ଯେ ସେ ସମ୍ପୂର୍ଣ୍ଣ ଶାନ୍ତ ହୋଇଗଲେ।
ଏବେ କହିବେ, ଏବେ କହିବେ ଚିନ୍ତା କରି ଶିଷ୍ୟମାନେ ଅଧଘଣ୍ଟା ତାଙ୍କ ବକ୍ତବ୍ୟର ଅପେକ୍ଷା ପରେ ଆଉ ରହି ନପାରି ପଚାରିଦେଲେ - "When is the discourse?"
ଶ୍ରୀ କୃଷ୍ଣମୂର୍ତ୍ତି ଶାନ୍ତ ଭାବରେ କହିଲେ -
“It's over”– ପ୍ରବଚନ ତ ସରିଗଲା"
ଏହିପରି ଶାନ୍ତ ଭାବରେ ନୀରବ ରହିବା ହେଉଛି ଏକ ଅତ୍ୟନ୍ତ ଉଚ୍ଚସ୍ତରୀୟ ମାନସିକ ତପସ୍ୟା।
ଆଗକୁ ଶ୍ରୀ ଭଗବାନ କହିଛନ୍ତି - ‘ହେ ଅର୍ଜୁନ! ଏହି କାୟିକ, ମାନସିକ ଓ ବାଚିକ ତପ ମଧ୍ୟ ସାତ୍ତ୍ଵିକ, ରାଜସିକ ଓ ତାମସିକ ହୋଇପାରେ।
ଶ୍ରଦ୍ଧୟା ପରୟା ତପ୍ତଂ(ନ୍), ତପସ୍ତତ୍ତ୍ରିବିଧଂ(ନ୍) ନରୈଃ ।
ଅଫଲାକାଙ୍କ୍ଷିଭିର୍ୟୁକ୍ତୈଃ(ସ୍), ସାତ୍ତ୍ୱିକ(ମ୍) ପରିଚକ୍ଷତେ ||17||
ଫଳ ଇଛା କରୁ ନଥିବା ଯୋଗୀ ପୁରୁଷ ମାନଙ୍କ ଦ୍ୱାରା ପରମ ଶ୍ରଦ୍ଧାର ସହିତ କରାଯାଉଥିବା ସେହି ପୂର୍ବୋକ୍ତ କାୟିକ, ବାଚିକ, ଓ ମାନସିକ - ତିନିପ୍ରକାର ତପକୁ ସାତ୍ତ୍ଵିକ ତପ କହନ୍ତି।
ବିବେଚନ :–
ଫଳର କାମନା ତ୍ୟାଗ କରି ତପସ୍ୟା କଲେ ତାହା ସାତ୍ତ୍ଵିକ ତପସ୍ୟା ହୁଏ।
ସାତ୍ତ୍ଵିକ ତପ -
ଫଳର କାମନା ତ୍ୟାଗ କରି ତପସ୍ୟା କଲେ ତାହା ସାତ୍ତ୍ଵିକ ତପସ୍ୟା ହୁଏ।
ସାତ୍ତ୍ଵିକ ତପ -
ଶୁଦ୍ଧ ଜୀବନ ବ୍ୟତୀତ କରି ସେହି ପରମାତ୍ମାଙ୍କ ନିକଟରେ ପହଞ୍ଚିବା, ଫଳପ୍ରାପ୍ତିର ଆଶା ନ ରଖି ଶ୍ରୀ ଭଗବାନଙ୍କ ସୃଷ୍ଟି ପାଇଁ ଉତ୍ତମ କାର୍ଯ୍ୟ କରିବା।
ମାନ-ସମ୍ମାନ ଓ ନାମର ଅପେକ୍ଷା ନରଖି ତପସ୍ୟା କରିବା, ଯେଉଁ ଯୋଗୀ ଏହିପରି ତପସ୍ୟା କରନ୍ତି, ତାଙ୍କର ସେହି ତପସ୍ୟାକୁ, ଉକ୍ତ ତିନି ପ୍ରକାରର ତପସ୍ୟା ମଧ୍ୟରେ, ସାତ୍ତ୍ଵିକ ତପସ୍ୟା ଭାବେ ଗଣାଯାଏ।
ମହାଭାରତରେ ବ୍ରତ ଗୁଡିକୁ ପ୍ରାଧାନ୍ୟ ଦିଆଯାଇଛି। ପିତାମହ ଭୀଷ୍ମ ‘ମୌନ’କୁ ସବୁଠାରୁ ବଡ଼ ବ୍ରତ ବୋଲି କହିଛନ୍ତି।
ବ୍ରତର ବୈଜ୍ଞାନିକ କାରଣ -
ମନୁଷ୍ୟ ପନ୍ଦର ଦିନରେ ବା ଏକୋଇଶି ଦିନରେ ଗୋଟିଏ ଦିନ ଉପବାସ ରହିଲେ କ୍ୟାନ୍ସର ରୋଗ ହୁଏନାହିଁ ବୋଲି ବୈଜ୍ଞାନିକମାନେ ଗବେଷଣା କରି ନିର୍ଣ୍ଣୟ କରିଛନ୍ତି ।
ଆମର ସନାତନ ଧର୍ମରେ ନିର୍ଜଳା ଏକାଦଶୀରେ କିଛି ଅନ୍ନ ଗ୍ରହଣ କରାଯାଏ ନାହିଁ। ଚିନ୍ତା କରନ୍ତୁ ଆମର ମୁନିଋଷି ଗଣ କେତେ ବଡ଼ ବୈଜ୍ଞାନିକ, ଯେଉଁମାନଙ୍କୁ ହଜାରେ ବର୍ଷ ପୂର୍ବରୁ ଏହା ଜଣାଥିଲା। ସେଥିପାଇଁ ସେମାନେ ବ୍ରତ ଓ ଏକାଦଶୀ ବ୍ରତକୁ ଧର୍ମ ଭାବେ ମାନୁଥିଲେ, ଯାହାଦ୍ୱାରା ସାଧାରଣଲୋକେ ବି ଧର୍ମ ସାଧନ ପାଇଁ ତାହା ପାଳନ କରି ତାର ଲାଭ ପାଉଥିଲେ।
ବ୍ରତ ପାଳନ କରିଲେ ଜୀବନ ଶୁଦ୍ଧ ହୁଏ।
ଏହି ବ୍ରତ ରୂପକ ତପସ୍ୟା ସାତ୍ତ୍ଵିକ ଭାବ ବୃଦ୍ଧି କରେ।
ଦ୍ଵିତୀୟ ପ୍ରକାର ତପସ୍ୟାରେ କର୍ତ୍ତାର ମନରେ କର୍ତ୍ତାପଣର ଭାବନା ଆସେ ଯେ ‘ମୁଁ ତପସ୍ୟା କରିଛି ତେଣୁ ମୋର ସତ୍କାର କରାଯିବା ଉଚିତ।’
ସତ୍କାରମାନପୂଜାର୍ଥଂ(ନ୍), ତପୋ ଦମ୍ଭେନ ଚୈବ ୟତ୍ ।
କ୍ରିୟତେ ତଦିହ ପ୍ରୋକ୍ତ(ମ୍), ରାଜସଂ(ଞ୍) ଚଲମଧ୍ରୁବମ୍ ||18||
ଯେଉଁ ତପ ସତ୍କାର, ମାନ ଓ ପୂଜା ପାଇଁ ତଥା ଅନ୍ୟ କୌଣସି ସ୍ୱାର୍ଥ ସିଦ୍ଧି ପାଇଁ ଦମ୍ଭ ପୂର୍ବକ କରାଯାଏ, ସେହି ଅନିଶ୍ଚିତ ଏବଂ କ୍ଷଣିକ ଫଳ ଯୁକ୍ତ ତପକୁ ରାଜସ ତପ କୁହାଯାଏ।
ବିବେଚନ -
ଶ୍ରୀ ଭଗବାନ କହିଛନ୍ତି, ହେ ଅର୍ଜୁନ! ଯେଉଁ ତପସ୍ୟା ସତ୍କାର, ମାନ-ସମ୍ମାନ, ପୂଜା ଓ ଦେଖେଇ ହେବାପାଇଁ କରାଯାଏ ସେହି କ୍ଷଣିକ ଫଳ ଦେଉଥିବା, ଅନିଶ୍ଚିତ, କ୍ଷୟଶୀଳ ତପ ହେଉଛି ରାଜସୀ ତପ।
ଶ୍ରୀ ଜ୍ଞାନେଶ୍ୱର ମହାରାଜ କହନ୍ତି -
अर्जुन हेचि तपाचरण प्राप्त व्हाया मोठेपण।
वेगळेपण जगी थाटून करतात ते।।
ଏପରି ତପ ଆଚରଣ କରୁଥିବା ବ୍ୟକ୍ତିଙ୍କ ମନରେ ‘ମୁଁ କିଛି ଭିନ୍ନ` ବୋଲି ଭାବନା ଥାଏ।
ସନ୍ଥ ଗୁଲାବ ରାଓଜୀ ମହାରାଜ, ଯାହାଙ୍କୁ ଆଧୁନିକ କାଳର, ସମ୍ପୂର୍ଣ୍ଣ ସୃଷ୍ଟିର ସର୍ବ ଶ୍ରେଷ୍ଠ ଯୋଗୀ, ସନ୍ଥ ଓ ଋଷି ବୋଲି ସ୍ୱୟଂ ଗୁରୁଦେବ ମାନନ୍ତି, ସେ ନିଜର ଶିଷ୍ୟମାନଙ୍କୁ, ହିମାଳୟରେ ବସି ବସି ବହୁତ ବର୍ଷ ଧରି ତପସ୍ୟା କରୁଥିବା ତପସ୍ୱୀମାନଙ୍କର ଦର୍ଶନ କରାଇଥିଲେ।
ସେ ତପସ୍ୱୀମାନେ ହିମାଳୟର ଗୁମ୍ଫାରେ ଏତେ ବର୍ଷ ହେଲାଣି କାହା ପାଇଁ ତପସ୍ୟା କରୁଛନ୍ତି?
ସେମାନେ ତ କେବଳ ମନୁଷ୍ୟଜାତିର ମଙ୍ଗଳ ପାଇଁ ହିଁ ତପସ୍ୟା କରନ୍ତି। ଯେଉଁ ମନୁଷ୍ୟ ଦେଖେଇ ହେବାପାଇଁ, ନାମ ଓ ପ୍ରସିଦ୍ଧି ପାଇଁ ତପସ୍ୟା କରନ୍ତି, ସେମାନଙ୍କ ପାଇଁ ସନ୍ଥ ଜ୍ଞାନେଶ୍ୱର ମହାରାଜ କହନ୍ତି -
त्रिभुवनातला सारा सम्मान मिळू नाही आपल्या वाचून।
पक्तितही पहिले पान आपणासहि मिळावे।
सर्व जणानी मिळुनी करावे आपले पूजन।
महत्त्वाचे भोग पूर्ण आपणासे लाभावे।
ଯେଉଁ ବ୍ୟକ୍ତି ତପସ୍ୟା କରିଲାବେଳେ ଏହି ଚିନ୍ତା କରନ୍ତି ଯେ ‘ସମସ୍ତ ସମ୍ମାନ ମୋତେ ମିଳୁ, ଭୋଜନ ପାଇଁ ନିମନ୍ତ୍ରଣ ସ୍ଥାନରେ ମୋତେ ହିଁ ସମସ୍ତଙ୍କ ଆଗରେ ଭୋଜନ ପରଷା ଯାଉ, ସମସ୍ତେ ମୋତେ ପୂଜା କରନ୍ତୁ, ସମସ୍ତ ଭୋଗ ବିଳାସ ମୋତେ ପ୍ରାପ୍ତ ହେଉ, ମୋର ନାମ ହେଉ, ମୋର ଫଟୋ ପ୍ରକାଶିତ ହେଉ; ସେମାନଙ୍କ ତପସ୍ୟା ରାଜସିକ ଅଟେ। ଆଜିକାଲି ଅନେକ ଲୋକ ଦେଖେଇହେବା ପାଇଁ ପୂଜା କରୁଥିବାର ଫଟୋ ସୋସିଆଲ ମେଡ଼ିଆରେ ଛାଡ଼ୁଛନ୍ତି। ଏହା ରାଜସିକ ତପ।
ମୁଢଗ୍ରାହେଣାତ୍ମନୋ ୟତ୍, ପୀଡୟା କ୍ରିୟତେ ତପଃ ।
ପରସ୍ୟୋତ୍ସାଦନାର୍ଥଂ(ମ୍) ବା, ତତ୍ତାମସମୁଦାହୃତମ୍ ||19||
ଯେଉଁ ତପ ମୂଢତା ପୂର୍ବକ ଜିଦ୍ ଧରି ମନ , ବାଣୀ ଓ ଶରୀରର ପୀଡା ସହିତ ଅଥବା ଅନ୍ୟର ଅନିଷ୍ଟ କରିବା ନିମନ୍ତେ କରାଯାଏ , ସେହି ତପକୁ ତାମସ ତପ କୁହାଯାଏ।
ବିବେଚନ -
ଭଗବଦ୍ଗୀତା ହେଉଛି ସେହି ଗ୍ରନ୍ଥ ଯାହା ଆମକୁ ଆମର ଶକ୍ତି କେତେବେଳେ ଜାଗ୍ରତ କରିବାକୁ ହେବ, ଏଥିପାଇଁ କିପରି ସନ୍ତୁଳନ ରଖିବାକୁ ହେବ ତାହା ଦର୍ଶାଇଥାଏ। ଗୀତାର ଏହି ସୁନ୍ଦର ଅଧ୍ୟାୟ ଆମକୁ ବ୍ୟବହାରିକ ଏବଂ ପରମାର୍ଥିକ ସ୍ତରରେ ଉନ୍ନତ କରିଥାଏ।
ଯେଉଁ ଅଜ୍ଞାନୀମାନେ ନିଜ ଜୀବନରେ ଭୁଲ୍ ପ୍ରଥା (ଵିଧି) ଅତି ଆଗ୍ରହରେ ପାଳନ କରନ୍ତି, ସେମାନେ ନିଜକୁ, ନିଜର ମନ, ବାଣୀ ଓ ଶରୀରକୁ କଷ୍ଟ ଦେଇଥାଆନ୍ତି।
ଶରୀରକୁ କଷ୍ଟ ଦେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ବୋଲି ଆମେ ଚିନ୍ତା କରିଥାଉ, ପ୍ରକୃତରେ ତାହା ନୁହେଁ। ବ୍ରତ ତ କେବଳ ମନର ଶୁଦ୍ଧି ପାଇଁ ଉଦ୍ଧିଷ୍ଟ।
ଏବେ ନ ଦିନ ପର୍ଯ୍ୟନ୍ତ ନବରାତ୍ର ଉପବାସ ଚାଲିଚି। ଯଦି କେହି ନିଜର ପ୍ରକୃତି ବଶତଃ, ଚିକିତ୍ସକଙ୍କ ବାରଣ ସତ୍ତ୍ୱେ, କଷ୍ଟ ସହି ବ୍ରତ କରେ, ତେବେ ତାହା ତାମସିକ ତପ ଭାବେ ଜଣାଯିବ।
ବ୍ରତାଚରଣର ଭୁଲ୍ ପ୍ରଥା ମନରେ ରଖିବା ଅନୁଚିତ। ଶ୍ରୀ ଭଗବାନ ଏହାର ପରିବର୍ତ୍ତନ ଚାହୁଁଛନ୍ତି।
ଯେପରି ବାଦ୍ୟଯନ୍ତ୍ରର ତାର ଯେତିକି ଟାଣିବା କଥା ସେତିକି ଟାଣିଲେ ମଧୁର ଧ୍ୱନୀ ଜାତହୁଏ । ଯଦି ତା’ଠାରୁ ଅଧିକ ଟଣାଯାଏ ତେବେ ତାର ଛିଣ୍ଡିଯାଏ । ସେହିପରି ଜୀବନ ବାଦ୍ୟର ତାରକୁ ଅଧିକ ଟାଣିଲେ ସଂଗୀତ ସୁରହୀନ ଶୁଭିବ। ସଂଗୀତ ତ ମଧୁର ହେବା ଉଚିତ।
ଶ୍ରୀ ଭଗବାନ କହିଛନ୍ତି ଯେଉଁମାନେ ନିଜକୁ କଷ୍ଟ ଦିଅନ୍ତି ସେମାନେ ଅନ୍ୟକୁ ମଧ୍ୟ କଷ୍ଟ ଦେଇଥାନ୍ତି। ପରିବାର ସଦସ୍ୟଙ୍କ ବାରଣ ସତ୍ତ୍ୱେ ଭୋକିଲା ରହିଥାନ୍ତି।
ଆମ ସଂସାରରେ ବହୁତ ବିଲକ୍ଷଣ ଦେଖାଯାଏ। କେତେକ ଲୋକ ଅନ୍ୟର ଅନିଷ୍ଟ କରିବାପାଇଁ ତାନ୍ତ୍ରିକ ଶକ୍ତି ଦ୍ୱାରା ଯଜ୍ଞ କରନ୍ତି। ଭଗବାନ ଶ୍ରରାମ, ଭଗବାନ ଶ୍ରୀକୃଷ୍ଣ ତଥା ପାଣ୍ଡବମାନେ ତପସ୍ୱୀ ଥିଲେ। ଦୁର୍ଯ୍ୟୋଧନ କଣ ତପସ୍ୱୀ ନଥିଲେ ? ସେ କଣ ନିଜର ଶକ୍ତିର ଜାଗରଣ କରିନଥିଲେ ? ରାବଣ ମଧ୍ୟ ତପସ୍ୱୀ ଥିଲେ। ସେ ଅନ୍ୟର ପତ୍ନୀକୁ ହରଣ କରିଥିଲେ। ରାବଣଙ୍କର ତପସ୍ୟା ତ ଅପରର କ୍ଷତି ପାଇଁ ଥିଲା।
କୁମ୍ଭକର୍ଣ୍ଣ ମଧ୍ୟ ତପସ୍ୱୀ ଥିଲେ। ତାଙ୍କର ତପସ୍ୟା ନିଦ୍ରା ପାଇଁ ହିଁ ଥିଲା। ସେ ଛ ମାସ ଶୋଇବା ପରେ ଦିନେ ଉଠି ଖାଦ୍ୟ ଗ୍ରହଣ କରୁଥିଲେ ଓ ପୁଣି ଶୋଇ ପଡୁଥିଲେ।
ଭଗବଦ୍ଗୀତା ହେଉଛି ସେହି ଗ୍ରନ୍ଥ ଯାହା ଆମକୁ ଆମର ଶକ୍ତି କେତେବେଳେ ଜାଗ୍ରତ କରିବାକୁ ହେବ, ଏଥିପାଇଁ କିପରି ସନ୍ତୁଳନ ରଖିବାକୁ ହେବ ତାହା ଦର୍ଶାଇଥାଏ। ଗୀତାର ଏହି ସୁନ୍ଦର ଅଧ୍ୟାୟ ଆମକୁ ବ୍ୟବହାରିକ ଏବଂ ପରମାର୍ଥିକ ସ୍ତରରେ ଉନ୍ନତ କରିଥାଏ।
ସ୍ୱାମୀଜୀ ଏକ ଘଟଣା ବର୍ଣ୍ଣନା କରିଛନ୍ତି। ଜଣେ ଭକ୍ତ, ପରମେଶ୍ଵରଙ୍କୁ ସନ୍ତୁଷ୍ଟ କରିବା ପାଇଁ ତପସ୍ୟା କରନ୍ତି ଏବଂ ତାଙ୍କର ସମସ୍ତ ଇଚ୍ଛା ପୂରଣ ହେବା ପାଇଁ ଏକ ବର ମାଗନ୍ତି। ପ୍ରଭୁ କୁହନ୍ତି, "ଠିକ୍ ଅଛି, ତୁମେ ଯାହା ମାଗିବ ତାହା ପାଇବ, କିନ୍ତୁ ତୁମର ପଡ଼ୋଶୀ ତୁମେ ଯାହା ମାଗିବ ତାହା ଦୁଇଗୁଣ ପାଇବ।"
ବ୍ୟକ୍ତିଟି ଦୁଃଖିତ ହୁଏ, ତାପରେ, ଚିନ୍ତା କରିବା ପରେ, ପରମେଶ୍ଵରଙ୍କୁ ତାଙ୍କର ଗୋଟିଏ ଆଖି ଉପାଡ଼ି ଦେବାକୁ ଅନୁରୋଧ କରନ୍ତି। ସେ ଭାବନ୍ତି, "ଯଦି ମୋର ଗୋଟିଏ ଆଖି ଫୁଟାଇ ଦିଆଯାଏ, ତେବେ ପଡ଼ୋଶୀର ଦୁଇଟି ଯାକ ଆଖି ଫୁଟିଯିବ।"
ଦେଖନ୍ତୁ, ତାମସିକତାର ଚରମ ପରିଣତି କେତେ ଭୟଙ୍କର ହୋଇପାରେ !
ଯଦି ମୋର ଭଲ ହେଉନାହିଁ, ଅନ୍ୟର ମଧ୍ୟ ଭଲ ନ ହେଉ।
ଅନ୍ୟକୁ ଯନ୍ତ୍ରଣା ଦେବାର ଘୃଣ୍ୟ ଚିନ୍ତାଧାରା ହେଉଛି ତାମସିକ ଚିନ୍ତାଧାରା। ଅନେକ ସମୟରେ, ମଣିଷ ଘୃଣା ଯୋଗୁଁ ଭ୍ରମିତ ହୋଇଯାଏ। ଜୀବନରେ କେହି ମୋଠାରୁ ଅଧିକ ହୋଇପାରିବ ନାହିଁ। ଅନ୍ୟମାନଙ୍କ ପାଖରେ ମୋଠାରୁ ଅଧିକ ଧନ ଅଛି ଏହା ଆଜିକାଲି ଦୁଃଖର ଏକ ପ୍ରମୁଖ କାରଣ।
ତୁଳନାତ୍ମକ ଆଚରଣ ହିଁ ଏହି ଜଗତରେ ଲୋକମାନଙ୍କ ଦୁଃଖୀ ହେବାର କାରଣ।
ଏହିପରି ଭାବରେ, ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ଖାଦ୍ୟ, ତା'ପରେ ଯଜ୍ଞ ଏବଂ ତା'ପରେ ତପସ୍ୟା ବିଷୟରେ କହିଥିଲେ।
ତପସ୍ୟା ବ୍ରହ୍ମାଣ୍ଡରେ ସନ୍ତୁଳନ ଆଣିଥାଏ।
ଯଜ୍ଞର ଅର୍ଥ ହେଉଛି ସଂଗଠିତ କାର୍ଯ୍ୟ।
ଆମେ ବ୍ରହ୍ମାଣ୍ଡରୁ ସବୁକିଛି ପାଇଥାଉ, ତେଣୁ ଆମକୁ ବ୍ରହ୍ମାଣ୍ଡକୁ କିଛି ଫେରସ୍ତ ମଧ୍ୟ ଦେବାକୁ ପଡିବ।
ଆମର ଶରୀର, ମନ ଏବଂ ବାଣୀକୁ ସନ୍ତୁଳିତ କରିବା ପାଇଁ ତପସ୍ୟା ଆବଶ୍ୟକ।
ଦାନ -
ଏବେ, ଭଗବାନ ଶ୍ରୀକୃଷ୍ଣ ଚତୁର୍ଥ ବିଷୟ - ଦାନ ବିଷୟରେ କହୁଛନ୍ତି।
ଗୁରୁଦେବ କୁହନ୍ତି, ଏହା ଏକ ନିଷ୍କାସନ ପଙ୍ଖା (exhaust fan) ପରି ଯାହା ଜୀବନର ମଇଳାକୁ ବାହାର କରି ଆମ ପାଖରେ ଥିବା ଭୌତିକ ଜିନିଷକୁ ପବିତ୍ର କରିଥାଏ।
ଆମ ଦ୍ୱାରା କରା ଯାଇଥିବା ସାତ୍ତ୍ୱିକ ଦାନ, ଆମର ପୂର୍ବପୁରୁଷମାନଙ୍କୁ ମୋକ୍ଷ ପ୍ରଦାନ କରେ।
ଆମେ ଆମର ଧନ, ଟଙ୍କା, ଶ୍ରମ, କିମ୍ବା ଆମର ଯାହା କିଛି ଅଧିକ ଅଛି ତାହା ଅନ୍ୟମାନଙ୍କ ସହିତ ବାଣ୍ଟିପାରିବା।
ଦାନସ୍ ବିଭାଗାଃ - ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ଏହାକୁ ଏହିପରି ବ୍ୟାଖ୍ୟା କରିଛନ୍ତି କି, ଅନୁଶୋଚନା ବିନା ବାଣ୍ଟିବା, ନିଜର ଯେକୌଣସି ସମ୍ପତ୍ତିରେ ଅନ୍ୟକୁ ଭାଗୀଦାର କରିବା।
ତିନି ପ୍ରକାରର ଦାନ ଅଛି : ସାତ୍ତ୍ୱିକ, ରାଜସିକ ଏବଂ ତାମସିକ।
ଦାତବ୍ୟମିତି ୟଦ୍ଦାନଂ(ନ୍), ଦୀୟତେଽନୁପକାରିଣେ ।
ଦେଶେ କାଲେ ଚ ପାତ୍ରେ ଚ, ତଦ୍ଦାନଂ(ମ୍) ସାତ୍ତ୍ୱିକଂ(ମ୍) ସ୍ମୃତମ୍ ||20||
ଦାନ ଦେବା ହିଁ କର୍ତବ୍ୟ - ଏପରି ଭାବ ରଖି ଯେଉଁ ଦାନ ଦେଶ, କାଳ ଓ ପାତ୍ର ପ୍ରାପ୍ତିର ପ୍ରତ୍ୟୁପକାର ଆଶା ନ ରଖି ଅନୁପକାରୀକୁ ନିଃସ୍ୱାର୍ଥ ଭାବରେ ଦିଆ ଯାଏ, ସେହି ଦାନକୁ ସାତ୍ତ୍ଵିକ ଦାନ କହନ୍ତି।
ବିବେଚନ -
ଦାନ କିପରି ଦେବା?
ଦାନ ଦେବା ମୋର କର୍ତ୍ତବ୍ୟ ବୋଲି ଭାବନା ଆମ ମନରୁ ମଳିନତା ଦୂର କରେ। ଆମ ଜୀବନରେ ଦୁଇଟି କାଳ ଥାଏ : ଆଦାନ କାଳ ଓ ପ୍ରଦାନ କାଳ।
ଆଦାନ କାଳ -
ମାତା-ପିତା ଆମକୁ ଶୈଶବରୁ ବଡ଼ କରନ୍ତି, ଶିକ୍ଷା ଦିଅନ୍ତି। ଶିକ୍ଷକ, ଗୁରୁ ଆମକୁ ସଂସ୍କାର ପ୍ରଦାନ କରନ୍ତି। ଏହା ହେଉଛି ଆଦାନ କାଳ, ଯାହା ଆମର ନିୟତି ସ୍ୱରୂପ।
ପ୍ରଦାନ କାଳ -
ଯେତେବେଳେ ଆମେ ବଡ଼ ହେଉ, ଯୋଗ୍ୟ ହେଉ, ସେତେବେଳେ ପ୍ରଦାନ କାଳ ଆସେ। ମାତା-ପିତା, ଗୁରୁଜନ, ସମାଜ ଆମକୁ ଯାହା ଦେଇଛନ୍ତି, ତାହା ଫେରାଇବାର ବା ପରିଶୋଧ କରିବାର ସମୟ ଏହା। ଯେପରି ଗୀତା ପରିବାରରେ ଭଗବଦ୍ଗୀତା ଶିଖିବା ପରେ ଆମେ ଗୀତା-ସେବୀ ହେଉଛୁ। ଆମ ପାଖରେ ଯାହା ଅତିରିକ୍ତ ଅଛି, ତାହା ଅନ୍ୟମାନଙ୍କୁ ଦେବା, ବାଣ୍ଟିବା ହେଉଛି ସାତ୍ତ୍ୱିକ ଦାନ।
क्या धरा हमने बनाई, या बुना हमने गगन,
क्या हमारी ही वजह से बह रहा सुरभित पवन।
या अगन के हम हैं स्वामी, नियन्ता जलधार के,
या जगत् के सूत्रधारक, नियामक संसार के।
ଯେଉଁ ଜିନିଷଗୁଡ଼ିକ ଆମ ଜୀବନକୁ ପୋଷଣ କରେ, ତାହା ଆମକୁ କେହି କିମ୍ବା ସୃଷ୍ଟି ପ୍ରଦାନ କରିଛି। ଆମେ ନିଜେ ତାହା ସୃଷ୍ଟି କରି ପାରିବା ନାହିଁ, ଯେପରି ଅନ୍ନ, ଜଳ, ସୂର୍ଯ୍ୟର ପ୍ରକାଶ ଏବଂ ବାୟୁ।
ଆମେ ଏହି ଚିନ୍ତା କରି ଦାନ ଦେବା ଉଚିତ୍…
"तेरा तुझको अर्पण क्या लागे मेरा।"
(ଏଠି ମୋର କିଛି ନୁହେଁ, ଏ ସମସ୍ତ ତୁମର ଆଉ ତୁମକୁ ମୁଁ ତୁମର ପଦାର୍ଥ ହିଁ ଅର୍ପଣ କରୁଛି।)
ମନୁଷ୍ୟ ଉପରେ ଚାରି ପ୍ରକାରର ଋଣ ରହିଛି :
ଋଷି ଋଣ
ସମାଜ ଋଣ
ପିତୃ ଋଣ
ଦେବତା ଋଣ।
ଏହି ଋଣଗୁଡ଼ିକରୁ ମୁକ୍ତି ପାଇବା ପାଇଁ ଆମ ପାଖରେ ଯାହା ଅତିରିକ୍ତ ଅଛି, ତାହା ଦାନ କରିବା ଉଚିତ। ଏକ ଟଙ୍କା ହେଉ କିମ୍ବା ପଚାଶ ହଜାର, ଶ୍ରୀଭଗବାନ ଏହାର ମୂଲ୍ୟ ଦେଖନ୍ତି ନାହିଁ।
ଦାନ :
ଦାନର ପଛରେ ଆମର କି ଭାବନା ଅଛି? ଆମର କ୍ଷମତା ଅନୁସାରେ ଆମେ ଦାନ କରିଛୁ କି, ଶ୍ରୀଭଗବାନ ଏହା ଦେଖନ୍ତି। ଦେଶ, କାଳ ଓ ପାତ୍ର ଅନୁସାରେ ଦାନ ଦେବାର କଥା ଶ୍ରୀଭଗବାନ କହନ୍ତି।
ଦେଶ ଅର୍ଥାତ୍ ସମୟ – କେଉଁ ସମୟରେ?
କାଳ ଅର୍ଥାତ୍ କେଉଁ ଋତୁରେ? ଗ୍ରହଣକାରୀ ସେହି ଦାନର କି ଉପଯୋଗ କରିବ?
ସ୍ଥାନ ଅର୍ଥାତ୍ ଆମେ କ’ଣ ଗଙ୍ଗା ତଟରେ ଦାନ ଦେଉଛୁ କିମ୍ବା ଅମାବାସ୍ୟାରେ ? ଅମାବାସ୍ୟାରେ କରାଯାଇଥିବା ଦାନ ଚିରକାଳ ରହିଥାଏ। ଉପକାର ଭାବ ନ ରଖି କରାଯାଇଥିବା ଦାନ ହେଉଛି ସାତ୍ତ୍ୱିକ ଦାନ।
ଯଦି ନେବା ଆମର ନିୟତି, ତେବେ ଦେବା ଆମର ସୌଭାଗ୍ୟ ଓ କର୍ତ୍ତବ୍ୟ।
ଜ୍ଞାନଦାନ :
ଜ୍ଞାନକୁ ବାଣ୍ଟିବାକୁ ହୁଏ। ଜ୍ଞାନ ପାଇଲେ ତାହାକୁ ଆଗକୁ ବଢ଼ାଇବାକୁ ହୁଏ। ଜ୍ଞାନର ଦାନ ହେଉଛି ସବୁଠାରୁ ଶ୍ରେଷ୍ଠ, ସବୁଠାରୁ ବଡ଼, କାରଣ ଜ୍ଞାନ ବାଣ୍ଟିଲେ କିଛି କମି ନଥାଏ, ବରଂ ଜ୍ଞାନ ଆହୁରି ବଢ଼ିଥାଏ ଏବଂ ଉତ୍ସାହ ବୃଦ୍ଧି ହୁଏ।
ଯେତେବେଳେ କବି ରହିମ୍ ଦାସ ଦାନ ଦେବା ପାଇଁ ହାତ ଉପରକୁ ଉଠାଉଥିଲେ, ସେ ନିଜ ଆଖିକୁ ତଳକୁ ନୁଆଁଉଥିଲେ। ତାହା ଦେଖି ତାଙ୍କର ବନ୍ଧୁ କବି ଗଙ୍ଗ ତାଙ୍କୁ ପଚାରିଥିଲେ ଯେ ଏପରି ଦାନ ଦେବାର କଳା ଆପଣ କେଉଁଠୁ ଶିଖିଲେ?
ऐसी देनी देन जु कित सीखे हो सेन।
ज्यों ज्यों कर ऊँचे करौं, त्यों त्यों नीचे नैन।
ଏହାର ଉତ୍ତରରେ ରହିମ୍ଜୀ କହିଥିଲେ :
"देनहार कोई और है, देवत है दिन रैन।
लोग भरम हम पर करैं, याते नीचे नैन।"
ସମସ୍ତଙ୍କ ଦାତା ତ ଈଶ୍ୱର। ଆମେ ତ କେବଳ ହସ୍ତାନ୍ତର କରୁ। ଯେତେବେଳେ ଲୋକେ ଆମକୁ ଦାତା ମାନନ୍ତି, ତେବେ ଆମକୁ ଲଜ୍ଜା ଲାଗେ ଓ ଆମର ଆଖି ଅନାୟାସେ ତଳକୁ ନଇଁଯାଏ।
ୟତ୍ତୁ ପ୍ରତ୍ୟୁପକାରାର୍ଥଂ(ମ୍), ଫଲମୁଦ୍ଦିଶ୍ୟ ବା ପୁନଃ ।
ଦୀୟତେ ଚ ପରିକ୍ଲିଷ୍ଟଂ(ନ୍), ତଦ୍ଦାନଂ(ମ୍) ରାଜସଂ(ମ୍) ସ୍ମୃତମ୍ ||21||
କିନ୍ତୁ ଯେଉଁ ଦାନ କ୍ଳେଶ ପୂର୍ବକ ତଥା ପ୍ରତ୍ୟୁପକାର ପାଇବା ନିମନ୍ତେ ଅଥବା ଫଳପ୍ରାପ୍ତି ଉଦ୍ଦେଶ୍ୟରେ ଦିଆ ଯାଏ , ସେହି ଦାନକୁ ରାଜସ ବୋଲି କୁହାଯାଏ।
ବିବେଚନ –
ଶ୍ରୀଭଗବାନ ଏଠାରେ କହୁଛନ୍ତି – ଅର୍ଜୁନ, ଏହି ତିନୋଟି ବିଷୟ ଅଛି - ୟତ୍ ପରିକ୍ଲିଷ୍ଟଂ, ଚ ପ୍ରତ୍ୟୁପକାରାର୍ଥମ୍ ଓ ଫଲମୁଦ୍ଦିଶ୍ୟ।
ପରିକ୍ଲିଷ୍ଟଂ -
ବହୁତ କଷ୍ଟରେ ଦିଆଯାଇଥିବା ଦାନ। ଅନ୍ୟ ମାନେ ଦେଉଛନ୍ତି, ତେଣୁ ଦେବାକୁ ହିଁ ପଡ଼ିବ ଏପରି ଭାବନା ସହିତ ଦିଆ ଯାଉଥିବା ଦାନ। ଆମେ ଏତେ ବଡ଼ ଲୋକ, ଲୋକେ ଜାଣନ୍ତି ଯେ ଆମର ବଡ଼ ବଙ୍ଗଳା ଅଛି, ବଡ଼-ବଡ଼ ଗାଡ଼ି ଅଛି, ତେଣୁ କିଏ ଯଦି ମାଗିବାକୁ ଆସିଲେ, ଦେବାକୁ ତ ପଡ଼ିବ। ଯଦି କେହି କିଛି କାର୍ଯ୍ୟ କିମ୍ବା କୌଣସି ସଂସ୍ଥା ପାଇଁ ମାଗିବାକୁ ଆସେ, ତେବେ କଷ୍ଟ ସହିତ ଦାନ ଦେବାକୁ ପଡ଼େ।
ପ୍ରତ୍ୟୁପକାରାର୍ଥମ୍ -
ଉପକାର କରିବାର ଭାବନା ସହିତ ଦିଆଯାଇଥିବା ଦାନ। ଏହା ମୋର କର୍ତ୍ତବ୍ୟ। ମୋର ଉପକାରକୁ ମନେ ରଖାଯାଉ - ଏପରି ଇଚ୍ଛା ସହ ଯେଉଁ ଦାନ ଦିଆଯାଇଥାଏ।
ଫଲମୁଦ୍ଦିଶ୍ୟ -
ଦାନ ଦେଇଥିବାରୁ ମୋତେ କିଛି ଫଳ ମିଳିବା ଉଚିତ, ମୋର ନାମ ହେବା ଉଚିତ।
ଏପରି କୁହାଯାଏ ଯେ –
"ଗୋଟିଏ ହାତରେ ଦାନ ଦେବା ସମୟରେ ଅନ୍ୟ ହାତକୁ ମଧ୍ୟ ଏହା ଜଣା ପଡିବା ଉଚିତ ନୁହେଁ ; ନଚେତ୍ ଦାନ ଦ୍ୱାରା ଅର୍ଜିତ ପୁଣ୍ୟ ଚାଲିଯାଏ। କେବେ କେବେ ଏପରି ଛୋଟ ଛୋଟ ଦାନ ମଧ୍ୟ କରନ୍ତୁ। ଯଦି ଦାନ ବିଷୟରେ କାହାକୁ ନ କୁହନ୍ତି, ତେବେ ତାହା ସାତ୍ତ୍ୱିକ ଦାନରେ ଗଣାଯାଏ।"
ବଡ଼-ବଡ଼ ଦାନ, କେବେ କେବେ ମନୁଷ୍ୟ ଏସବୁ କରିପାରେ ନାହିଁ। ତାକୁ ଲାଗେ ଯେ ମୋର ନାମ ହେବା ଉଚିତ। ଏପରି ଦାନକୁ ରାଜସିକ ଦାନ କୁହାଯାଏ। ଏହାଦ୍ୱାରା ମଧ୍ୟ ଫଳ ପ୍ରାପ୍ତି ହେବ, ହେଲେ ଏହା ମଧ୍ୟମ ଶ୍ରେଣୀର ଦାନ। ଶ୍ରୀ ଜ୍ଞାନେଶ୍ୱର ମହାରାଜ ଏହା ପାଇଁ ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି -
अहेरावरी दृष्टिकोण सोयरास द्यावे निमंत्रण।
पुन्हा धावावे तिथेच वाण परत मिळे जेथून।।
ସେହି ଜାଗାକୁ କିଛି ନା କିଛି ପଠାଇବା, ଯେଉଁଠାରୁ ଆମକୁ କିଛି ଫେରସ୍ତ ମିଳିବ। ଏହା ରାଜସିକ ଦାନ। ଏହିପରି ଲୋକମାନଙ୍କୁ ଯେଉଁ ଭେଟି ଆଦି ଚଢ଼ାଇବା, ସେଠାରୁ ମୋତେ କିପରି ଫେରସ୍ତ ମିଳିବ। ମନରେ ଏପରି ଭାବନା ରଖି ଯେଉଁ ଦାନ ଦିଆଯାଇଥାଏ ତାହାକୁ ରାଜସ ଦାନ କୁହାଯାଏ। ଏହା ସର୍ବୋତ୍କୃଷ୍ଟ ଦାନ ନୁହେଁ।
କେବଳ ତୃତୀୟ ଦାନକୁ ଛାଡି, ଶ୍ରୀଭଗବାନ କାହାକୁ ମଧ୍ୟ ଭୁଲ୍ କହନ୍ତି ନାହିଁ। ଏହି ଦୁଇଟି ଦାନ ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ହୋଇପାରେ। ତଥାପି, ଆମ ଉପରେ ଏହାର ପ୍ରଭାବ ସାତ୍ତ୍ୱିକ କି ରାଜସିକ ହେବ, ଏହା ଆମର ମାନସିକ ଅବସ୍ଥା ଉପରେ ନିର୍ଭର କରେ।
ଅଦେଶକାଲେ ୟଦ୍ଦାନମ୍, ଅପାତ୍ରେଭ୍ୟଶ୍ଚ ଦୀୟତେ ।
ଅସତ୍କୃତମବଜ୍ଞାତଂ(ନ୍), ତତ୍ତାମସମୁଦାହୃତମ୍ ||22 ||
କିନ୍ତୁ ଯେଉଁ ଦାନ ବିନା ସତ୍କାରରେ ଅଥବା ତିରସ୍କାର ପୂର୍ବକ ଅଯୋଗ୍ୟ ଦେଶ - କାଳରେ ଏବଂ ଅପାତ୍ରରେ ଦିଆ ଯାଏ , ସେହି ଦାନକୁ ତାମସ କୁହାଯାଏ।
ବିବେଚନ –
ଶ୍ରୀଭଗବାନ କହନ୍ତି, "ହେ ଅର୍ଜୁନ! ଏବେ ତୃତୀୟ ପ୍ରକାର ଦାନ ବିଷୟରେ ଶୁଣ। ଯେଉଁ ଦାନ ବିନା ସତ୍କାରରେ ଅଥବା ତିରସ୍କାର ପୂର୍ବକ ଅଯୋଗ୍ୟ ଦେଶକାଳରେ ବା ଅପାତ୍ରରେ ଦିଆଯାଇଥାଏ, ତାହାକୁ ତାମସିକ ଦାନ କୁହାଯାଏ।"
ଏକ ସିନେମାର ସଂଳାପ ଥିଲା, "मैं फेंके हुए पैसे नहीं लेता। “(ମୁଁ ଫିଙ୍ଗା ଯାଇଥିବା ପଇସା ନିଏ ନାହିଁ।)" – ଅର୍ଥାତ, ଯେଉଁ ଦାନ ଅସମ୍ମାନ ସହିତ କରାଯାଏ, ସେହି ଦାନ ତାମସିକ ଦାନ ଅଟେ।
ଅଦେଶ କାଲେ :
ଅଯୋଗ୍ୟ ସ୍ଥଳରେ, ଅଯୋଗ୍ୟ ଦାନ। ଦୀପାବଳି ଉପଲକ୍ଷେ ସଫାକରି ସମୟରେ ସଂଗ୍ରହ ହୋଇଥିବା ପୁରୁଣା ବସ୍ତ୍ର ଓ ଜିନିଷ ଯଦି ଆମେ କାହାକୁ ଦେଉ, ତାହା ଦାନ ନୁହେଁ। ସେହି ଦାନକୁ ସାତ୍ତ୍ୱିକ ବା ରାଜସିକ କୌଣସି ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରାଯାଇନଥାଏ।
ଅପାତ୍ର :
ଯଦି କୁପାତ୍ର ସମ୍ପନ୍ନ ବ୍ୟକ୍ତିକୁ ଦାନ କରୁଛୁ, ସେ ଦାନର ସଠିକ ଉପଯୋଗ କରିବ କି ନାହିଁ – ମଦ ପିଇବ କିମ୍ବା ଜୁଆ ଖେଳିବ ଅଥବା ଅନ୍ୟ କୌଣସି ଅନୈତିକ କାର୍ଯ୍ୟ କରିବ, ଏହା ଦାନ କର୍ତ୍ତାକୁ ଜଣା ନଥାଏ।
ଯେତେବେଳେ ଆମେ କୌଣସି ସଂସ୍ଥାକୁ ଦାନ କରୁଛେ, ତା ପୂର୍ବରୁ ଏହି କଥାଗୁଡିକ ଆମେ ଦେଖିନେବା ଦରକାର :-
- ସଂସ୍ଥା ରେଜିଷ୍ଟର୍ କରାଯାଇଛି କି ନାହିଁ?
- ସେମାନେ କଣ କାର୍ଯ୍ୟ କରୁଛନ୍ତି?
- ସେମାନେ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ନୁହନ୍ତି ତ ?
- ଆମର ଦିଆଯାଇଥିବା ଧନ ଦେଶ ବିପକ୍ଷରେ ବ୍ୟବହୃତ ହେଉନାହିଁ ତ ?
ଏସବୁ ଉତ୍ତମରୂପେ ଅନୁଧ୍ୟାନ କରି, ଯେଉଁଠି ଦାନ ଲୋକକଲ୍ୟାଣ, ସନାତନ ଧର୍ମ ଓ ଦେଶର କଲ୍ୟାଣ ପାଇଁ ଉପଯୋଗ ହେଉଛି, ସେଠି ଦାନ ଦିଆଯିବା ଉଚିତ।
ଅପାତ୍ରେଭ୍ୟ :
ଯେଉଁ ବ୍ୟକ୍ତିକୁ ଆମେ ଦାନ ଦେଉଛୁ, ସେ ଯୋଗ୍ୟ ବ୍ୟକ୍ତି କି ନୁହଁନ୍ତି ? ଦାନ ହୁଏତ ଦେଶଦ୍ରୋହ,ବମ୍ ତିଆରି, ନାଚିବା, ଗାଇବା ଓ ଅସାମାଜିକ କାର୍ଯ୍ୟରେ ଲାଗୁଥାଇପାରେ, ଏହା ଦାନକର୍ତ୍ତା ଅନୁଧ୍ୟାନ କରିବା ଆବଶ୍ୟକ। ଭୁଲ୍ ଦାନ କେବେ ଲୋକକଲ୍ୟାଣ ପାଇଁ ଅଭିପ୍ରେତ ନୁହେଁ। ଏହିପରି ଦାନକୁ ତାମସିକ ଦାନ ବୋଲି ଶ୍ରୀଭଗବାନ କହନ୍ତି।
ଶ୍ରୀ ଜ୍ଞାନେଶ୍ୱର ମହାରାଜ ଏହି ବିଷୟରେ ଅତ୍ୟନ୍ତ ସୁନ୍ଦର କଥା କହିଛନ୍ତି।
जगास लुबाडुन मिळाले जे अपार धन।
त्याने करिती अन्नदान चांडाळाना।।
ଲୋକଙ୍କୁ ଠକି ଯେଉଁ ଧନ ପ୍ରାପ୍ତ ହୋଇଥାଏ ଏବଂ ସେହି ପାପ ଧନରେ ମନ୍ଦ ଲୋକମାନଙ୍କୁ ଭୋଜନ ପ୍ରଦାନ କରାଯାଏ। ଏହି ପ୍ରକାର ଦାନକୁ ତାମସିକ ଦାନ କୁହାଯାଏ।
अतिथिचा करावा अपमान बसाया न दे आसन।
गंधाक्षदानी कुठले पूजन।।
"ଯଦି ଘରେ ଥିବା ସେବିକାଙ୍କୁ ମଧ୍ୟ ବସ୍ତ୍ର ଦେଉଥାଆନ୍ତି , ତେବେ କୁଙ୍କୁମ ଲଗାଇକି ଦିଅନ୍ତୁ। ଦେଖନ୍ତୁ, ସେମାନେ କିପରି ଖୁସି ହେଉଛନ୍ତି। ଶାସ୍ତ୍ରରେ ଏକ ସୁନ୍ଦର ବାକ୍ୟ ଅଛି –
'ଶ୍ରଦ୍ଧୟା ଶ୍ରେୟମ୍'।
ଦାନ ସଦା ଶ୍ରଦ୍ଧାର ସହିତ ଦିଅନ୍ତୁ। ବିନା ଶ୍ରଦ୍ଧାରେ କେବେ ଦାନ ଦିଅନ୍ତୁ ନାହିଁ। ଶ୍ରେୟମ୍ – ଯାହା ଶ୍ରେୟସ୍କର, ଭଲ,
ତାହାକୁ ଦାନ କରନ୍ତୁ। ଅନାଥ ଆଶ୍ରମରେ ଛୁଆମାନଙ୍କୁ ଚକୋଲେଟ୍ ବଣ୍ଟନ କରିବା ପରିବର୍ତ୍ତେ ଫଳ ତଥା
ଅନ୍ୟ ଭଲ ଜିନିଷ ଦିଅନ୍ତୁ।
ଏହି କଥା ଦେଖିବାକୁ ହେବ – ଦାନର ବ୍ୟବହାର କୌଣସି ଭଲ କାମ ପାଇଁ ହେଉଛି କି ନାହିଁ। ଯେତେବେଳେ ଆମେ ଏସବୁ ବିଚାର କରି ଏପରି ଭାବେ ଦାନ କରିଥାଉ, ତାହାକୁ ସାତ୍ତ୍ୱିକ ଦାନ କୁହାଯାଏ। ନଚେତ୍ ତାହା ରାଜସିକ ବା ତାମସିକ ଶ୍ରେଣୀର ଦାନ ହୋଇଥାଏ।
ଏପରି ଭାବେ ଯଦି ଆମେ ସାତ୍ତ୍ୱିକ ଆହାର, ଯଜ୍ଞ, ତପ ଓ ଦାନ କରି ଜୀବନ ବିତାଉ, ଜୀବନକୁ ଶୁଦ୍ଧ କରୁ,
ଶକ୍ତିକୁ ଜାଗ୍ରତ କରୁ, ଶକ୍ତିର ଉପାସନା କରୁ, ଆମ ଜୀବନକୁ ଉନ୍ନତ କରିବାରେ ପଥିକ ହେଉ – ଏହି ସମୟରେ ଶ୍ରୀଭଗବାନ କହୁଛନ୍ତି : ଅର୍ଜୁନ, ମୁଁ ଜାଣେ, ତୁମେ ମାନବ ଅଟ ଏବଂ ମାନବ ଜୀବନରେ କୌଣସି କଥା ପରିପୂର୍ଣ୍ଣ ହୁଏ ନାହିଁ। କିଛି ନା କିଛି ତ୍ରୁଟି ରହିଯାଏ। ଏହି ତ୍ରୁଟି ଯଜ୍ଞ କରିଲେ, ଦାନ କରିଲେ, ତପ କରିଲେ ଏବଂ ଆହାର ନେଲେ – ପ୍ରତିଟି କ୍ଷେତ୍ରରେ ଏହି ତ୍ରୁଟି ଦୃଷ୍ଟିଗୋଚର ହୋଇଥାଏ।
ତେବେ, ଏହି ଯଜ୍ଞ, ଦାନ, ତପ ଓ ଆହାରରେ ଥିବା ତ୍ରୁଟିକୁ ମଣିଷ କିପରି ସଂଶୋଧନ କରିପାରିବ?
ଏହି ବିଷୟରେ ଶ୍ରୀଭଗବାନ ଏହି ଅଧ୍ୟାୟରେ ଏକ ସୁନ୍ଦର ମନ୍ତ୍ର ଦେଇଛନ୍ତି।
श्रीभगवान् के मङ्गल नाम का स्मरण करते हुए
कार्य करना चाहिए।
ଯେପରି, ଆମେ ପୂଜା କଲାବେଳେ ଆମଙ୍କୁ ପଣ୍ଡିତ କହନ୍ତି, ବିଷ୍ଣୁ ଭଗବାନଙ୍କ ନାମ ବାର ଥର ଉଚ୍ଚାରଣ
କରନ୍ତୁ, କାରଣ ବିଷ୍ଣୁଙ୍କ ସ୍ମରଣ ଦ୍ୱାରା କାର୍ଯ୍ୟରେ ପୂର୍ଣ୍ଣତା ଆସିଥାଏ। ଯେଉଁଠି କିଛି ତ୍ରୁଟି ଥିବ, ସେଗୁଡ଼ିକ
ଦୂର ହେଇଯିବ, କାରଣ ସାଧାରଣ ମନୁଷ୍ୟ ଦ୍ୱାରା ତ୍ରୁଟି ରହିତ ସମ୍ପୂର୍ଣ୍ଣ ଭାବେ କିଛି ହୋଇପାରିବା ସମ୍ଭବ ନୁହେଁ ଏବଂ ସେଥିପାଇଁ ଆମ ମନରେ କୌଣସି ଭ୍ରାନ୍ତି ବା ଦୁଃଖ ରହିବା ଉଚିତ୍ ନୁହେଁ।
ଶ୍ରୀଭଗବାନ କହନ୍ତି, "ମାନବ ଦ୍ୱାରା ଭଗବାନଙ୍କ ସାଧନାରେ ଯଦି କିଛି ତ୍ରୁଟି ରହିଯାଏ, ତେବେ ପରମାତ୍ମାଙ୍କର ଏପରି ଏକ ନାମ ଅଛି, ଯାହା ଦ୍ୱାରା କୌଣସି କ୍ରିୟା ଆରମ୍ଭ କଲେ ସେଇ କ୍ରିୟା ଶୁଦ୍ଧ ହୁଏ।"
ପରମାତ୍ମାଙ୍କ ସେଇ ନାମଟି କଣ?
"ପରମାତ୍ମାଙ୍କ ସେଇ ନାମ ହେଉଛି,“ଓଁ"।
ମାଣ୍ଡୂକ୍ୟ ଉପନିଷଦ୍ରେ କହାଯାଇଛି –
"ଓଁ" ହେଉଛି ପରମାତ୍ମାଙ୍କ ଏପରି ନାମ, ଯେଉଁଥିରେ ଜାଗ୍ରତି, ସ୍ୱପ୍ନ, ସୁଷୁପ୍ତି ଓ ତୁରୀୟ — ଧ୍ୟାନର ଚାରିଟି
ଅବସ୍ଥା ଥାଏ।
ଓଁ ସାକାର ମଧ୍ୟ ଅଟେ।
ଓଁ ନିରାକାର ମଧ୍ୟ ଅଟେ।
ଓଁ ସଗୁଣ ମଧ୍ୟ ଅଟେ।
ଓଁ ନିର୍ଗୁଣ ମଧ୍ୟ ଅଟେ।
ଓଁ ତତ୍ସଦିତି ନିର୍ଦ୍ଦେଶୋ, ବ୍ରହ୍ମଣସ୍ତ୍ରିବିଧଃ(ସ୍) ସ୍ମୃତଃ ।
ବ୍ରାହ୍ମଣାସ୍ତେନ ବେଦାଶ୍ଚ, ୟଜ୍ଞାଶ୍ଚ ବିହିତାଃ(ଫ୍) ପୁରା ||23 ||
ଓଁ , ତତ୍, ସତ୍ - ସଚ୍ଚିଦାନନ୍ଦଘନ ବ୍ରହ୍ମଙ୍କର ଏପରି ତିନି ପ୍ରକାର ନାମ କୁହ ଯାଇଛି | ସୃଷ୍ଟିର ଆଦି କାଳରେ ବ୍ରାହ୍ମଣମାନେ ଏବଂ ବେଦ ମାନେ ତଥା ଯଜ୍ଞ ମାନେ ସେଥିରୁ ରଚିତ ହୋଇଛନ୍ତି।
ବିବେଚନ –
ଶ୍ରୀଭଗବାନ୍ କହୁଛନ୍ତି,
ଶ୍ରୀଭଗବାନ୍ କହୁଛନ୍ତି,
"ଓଁ ତତ୍ ସଦ୍" ଇତି ନିର୍ଦେଶୋ ବ୍ରହ୍ମଣସ୍ ତ୍ରିବିଧଃ ସ୍ମୃତଃ।
“ଓଁ ତତ୍ ସତ୍" – ଏକ ସୁନ୍ଦର ମନ୍ତ୍ର ଯାହା ଏହି ଅଧ୍ୟାୟରେ ଶ୍ରୀଭଗବାନ୍ ଆମକୁ ପ୍ରଦାନ କରିଛନ୍ତି। ଏହି ଅଧ୍ୟାୟ ଅତ୍ୟନ୍ତ ସୁନ୍ଦର ଏବଂ ଏହାର ପରିସମାପ୍ତି ଶ୍ରୀଭଗବାନ୍ ଏହି ମନ୍ତ୍ର ସହିତ କରିଛନ୍ତି।
ଅର୍ଜୁନଙ୍କ ମୁହଁରେ ପ୍ରଶ୍ନ ଚିହ୍ନ ଦେଖାଦେଇଛି – ଭଗବାନ୍ ଯଜ୍ଞ, ତପ, ଆହାର ଇତ୍ୟାଦି ବିଷୟରେ ଅତ୍ୟନ୍ତ ଜଟିଳ କଥା ସବୁ କହୁଛନ୍ତି। ଅର୍ଜୁନ ଭାବୁଛନ୍ତି –“ମୁଁ ତ ଏକ ସାଧାରଣ ମଣିଷ।”ମାତ୍ର ଶ୍ରୀଭଗବାନ୍ କହୁଛନ୍ତି –“ହେ ଅର୍ଜୁନ, କିଛି ହୋଇନି, ମୁଁ ତୁମକୁ ଏକ ମନ୍ତ୍ର ଦେଉଛି : ‘ଓଁ ତତ୍ ସତ୍।’”
“ଓଁ ତତ୍ ସତ୍” ହେଉଛି ଭଗବାନଙ୍କର ବୈଦିକ ନାମ। ଗୀତାର ଶେଷ ପୁଷ୍ପିକାରେ ମଧ୍ୟ ଲେଖାଯାଏ – “ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ”, ଯାହା ଭଗବାନଙ୍କୁ ଅର୍ପଣ କରାଯାଏ।
ଯଦି ଉଚ୍ଚାରଣରେ କିଛି ତ୍ରୁଟି ହୋଇଯାଏ ବା ଦୀର୍ଘ-ହ୍ରସ୍ୱରେ ଅନ୍ତର ହୋଇଯାଏ – ତଥାପି ସେ ସମସ୍ତ ବିଚ୍ୟୁତି ବ୍ରହ୍ମାର୍ପଣ ହୋଇଯାଏ।
“ଓଁ ତତ୍ ସତ୍”– ଏହି ତିନୋଟି ନାମ ହେଉଛି ବ୍ରାହ୍ମଣଙ୍କ ତିନିପ୍ରକାର ନିର୍ଦେଶ।“ବ୍ରାହ୍ମଣ”ଅର୍ଥାତ୍ ସଚ୍ଚିଦାନନ୍ଦ ପରମାତ୍ମାଙ୍କ ନାମ, ଅର୍ଥାତ୍ ଏହି“ଓଁ ତତ୍ ସତ୍" ସେଇ ସଚ୍ଚିଦାନନ୍ଦ ରୂପ ପରମାତ୍ମାଙ୍କ ନାମ।
ବ୍ରାହ୍ମଣ, ବେଦ, ଯଜ୍ଞ ଏବଂ ସମସ୍ତ ସୃଷ୍ଟି ଏହି“ଓଁ ତତ୍ ସତ୍”ରୁ ଆରମ୍ଭ ହୋଇଛି ଯେପରିକି ଶ୍ରୀ ଜ୍ଞାନେଶ୍ୱର ମହାରାଜ କହିଛନ୍ତି –
ବଂଶ
“ଓମ୍ ଜ୍ୟାଚେ ଅଦ୍ୟାକ୍ଷର, ତତ୍ ଶବ୍ଦ ୟେତୋ ନନ୍ତର,
ସତ୍ ଶବ୍ଦ ୟେତୋ ଅଖେର, ଏସା ମନ୍ତ୍ର ତୋ ସର୍ବୋତ୍ତମ।”
ଜ୍ଞାନେଶ୍ୱର ମହାରାଜ କହୁଛନ୍ତି –
“ଓଁ” ଯାହା ଏହି ମନ୍ତ୍ରର ପ୍ରଥମ ଅକ୍ଷର,“ତତ୍” ଯାହା ମଧ୍ୟଭାଗରେ ଆସିଛି, ଏବଂ “ସତ୍" ଶେଷରେ ଆସିଛି, ଏମିତି ଏହି ମନ୍ତ୍ର -
“ଓଁ ତତ୍ ସତ୍”, ମନ୍ତ୍ର, ହେଉଛି ସର୍ବୋତ୍ତମ ମନ୍ତ୍ର।
ତସ୍ମାଦୋମିତ୍ୟୁଦାହୃତ୍ୟ, ୟଜ୍ଞଦାନତପଃ(ଖ୍) କ୍ରିୟାଃ ।
ପ୍ରବର୍ତ୍ତନ୍ତେ ବିଧାନୋକ୍ତାଃ(ସ୍), ସତତଂ(ମ୍) ବ୍ରହ୍ମବାଦିନାମ୍ ||24 ||
ତେଣୁ ବେଦ ମନ୍ତ୍ର ଉଚ୍ଚାରଣ କରୁଥିବା ଶ୍ରେଷ୍ଠ ପୁରୁଷ ମାନଙ୍କର ଶାସ୍ତ୍ର ବିହିତ ଯଜ୍ଞ , ଦାନ ଏବଂ ତପ ପୂର୍ବକ କ୍ରିୟା ଗୁଡିକ ସର୍ବଦା ପରମାତ୍ମାଙ୍କର ଏହି ଓଁ ନାମ ଉଚ୍ଚାରଣ କରି ହିଁ ଆରମ୍ଭ ହୁଏ।
ବିବେଚନ -
ଶ୍ରୀଭଗବାନ ଏହି ମନ୍ତ୍ର ଜପ କରିବା ସମୟରେ ଯେକୌଣସି କାର୍ଯ୍ୟ କିପରି କରିବେ ତାହା ବୁଝାଇଛନ୍ତି। ଯେଉଁମାନେ ବ୍ରହ୍ମବାଦୀ, ଯେଉଁମାନେ ବେଦରେ ବିଶ୍ୱାସ କରନ୍ତି, ଯେଉଁମାନେ ବୈଦିକ ସନାତନ ଧର୍ମରେ ବିଶ୍ୱାସ କରନ୍ତି, ସେମାନେ 'ओम् तत्सत् ब्रह्मार्पणमस्तु' ('ଓମ୍ ତତ୍ସତ୍ ବ୍ରହ୍ମାର୍ପଣମସ୍ତୁ') ଏହି ମନ୍ତ୍ର ଦ୍ୱାରା ସେମାନଙ୍କର ସମସ୍ତ କାର୍ଯ୍ୟ, ସେମାନଙ୍କର ଯଜ୍ଞ, ସେମାନଙ୍କର ତପସ୍ୟା, ସେମାନଙ୍କର ଦାନ, ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପବିତ୍ର କରନ୍ତି।
ଶ୍ରୀଭଗବାନ ଏହି ମନ୍ତ୍ର ଜପ କରିବା ସମୟରେ ଯେକୌଣସି କାର୍ଯ୍ୟ କିପରି କରିବେ ତାହା ବୁଝାଇଛନ୍ତି। ଯେଉଁମାନେ ବ୍ରହ୍ମବାଦୀ, ଯେଉଁମାନେ ବେଦରେ ବିଶ୍ୱାସ କରନ୍ତି, ଯେଉଁମାନେ ବୈଦିକ ସନାତନ ଧର୍ମରେ ବିଶ୍ୱାସ କରନ୍ତି, ସେମାନେ 'ओम् तत्सत् ब्रह्मार्पणमस्तु' ('ଓମ୍ ତତ୍ସତ୍ ବ୍ରହ୍ମାର୍ପଣମସ୍ତୁ') ଏହି ମନ୍ତ୍ର ଦ୍ୱାରା ସେମାନଙ୍କର ସମସ୍ତ କାର୍ଯ୍ୟ, ସେମାନଙ୍କର ଯଜ୍ଞ, ସେମାନଙ୍କର ତପସ୍ୟା, ସେମାନଙ୍କର ଦାନ, ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପବିତ୍ର କରନ୍ତି।
ଆମର ସନାତନ ଧର୍ମରେ, "ଓଁ ତତ୍ସତ୍" ଏହି ମନ୍ତ୍ର ଦ୍ୱାରା ଶୁଦ୍ଧ ପବିତ୍ର କରାଯାଏ। ଆଉ ଏହା କିପରି ପବିତ୍ର ହୁଏ? ଶ୍ରୀ ଜ୍ଞାନେଶ୍ୱର ମହାରାଜ ଏହାକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ କୌଣସି ସ୍ଥାନରେ ଏପରି ବର୍ଣ୍ଣନା ଅଛି କି ନାହିଁ ଜଣାନାହିଁ।
जे ओमकारानी आरंभले ते ब्रह्म अर्पिले।
म्हणूनी ते कर्म झाले ब्रह्म स्वरूप।
बाळ येतो जे जन्मास त्यास काही नाम नसते।
परि ऐकून ठेवलेल्या नावास ओरडीतो।।
ବ୍ରହ୍ମ ସ୍ୱରୂପ ଜ୍ଞାନେଶ୍ୱର ମହାରାଜ କୁହନ୍ତି, "ଏହି ଓଁକାର ଏପରି ଏକ ନାମ ଯେପରି ଜନ୍ମ ହେଉଥିବା ଶିଶୁର କୌଣସି ନାମ ନଥାଏ, କିନ୍ତୁ ଯେତେବେଳେ ତାକୁ ନାମକରଣ କରାଯାଏ, କିଛି ଦିନ ମଧ୍ୟରେ ସେ ବୁଝିଯାଏ ଯେ ଏହା ତା’ର ନାମ ଏବଂ ତା’ପରେ ଯେତେବେଳେ ଆମେ ତାକୁ ସେହି ନାମରେ ଡାକିଥାଉ, ସେ ସ୍ୱତଃ ଏହାର ପ୍ରତିକ୍ରିୟା ଦେଇଥାଏ।"
ସେହିପରି, ଏହି ନାମ ‘ଓମ୍’ ସେହି ନିରାକାର ଉପାଦାନକୁ ବୁଝାଏ ଯାହାର କୌଣସି ନାମ ନାହିଁ। ପରମେଶ୍ଵର ଏହି ‘ଓମ୍’ ନାମକୁ ବହୁତ ଭଲ ପାଆନ୍ତି ଏବଂ ସେ ଏହାକୁ ଶୀଘ୍ର ଗ୍ରହଣ କରନ୍ତି। ଯେପରି ଏକ ଶିଶୁ ତା’ର ନାମର ଡାକରେ ପ୍ରତିକ୍ରିୟା ଦିଏ, ସେହିପରି ପରମାତ୍ମା , ଶ୍ରୀଭଗବାନ ଆମର ‘ଓମ୍’ ବା ‘ଓଁକାର’ ଜପରେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତି।
ତଦିତ୍ୟନଭିସନ୍ଧାୟ, ଫଲଂ(ୟ୍ଁ) ୟଜ୍ଞତପଃ(ଖ୍) କ୍ରିୟାଃ ।
ଦାନକ୍ରିୟାଶ୍ଚ ବିବିଧାଃ(ଖ୍), କ୍ରିୟନ୍ତେ ମୋକ୍ଷକାଙ୍କ୍ଷିଭିଃ ||25 ||
ଏ ସବୁକିଛି ତତ୍ ଅର୍ଥାତ ତତ୍ ନାମରେ କୁହାଯାଉଥିବା ପରମାତ୍ମାଙ୍କର ହିଁ ଅଟେ ବୋଲି ଭାବ ରଖି କଲ୍ୟାଣକାମୀ ପୁରୁଷମାନେ ଫଳ ଆକାଙ୍କ୍ଷା ନ କରି ନାନା ପ୍ରକାର ଯଜ୍ଞ , ତପ ଓ ଦାନ ରୂପୀ କ୍ରିୟା କରନ୍ତି।
ବିବେଚନ -
‘ତତ୍’ ପରମାତ୍ମାଙ୍କର ଅଟେ।” ପ୍ରତ୍ୟେକ କାର୍ଯ୍ୟ, ଦାନ, ତପସ୍ୟା ଏବଂ ଯଜ୍ଞ ଏହି ଭାବନା ସହିତ କରିବା ଉଚିତ୍, ଫଳର କୌଣସି ଇଚ୍ଛା ରଖିବା ଉଚିତ୍ ନୁହେଁ।
‘ତତ୍’ ପରମାତ୍ମାଙ୍କର ଅଟେ।” ପ୍ରତ୍ୟେକ କାର୍ଯ୍ୟ, ଦାନ, ତପସ୍ୟା ଏବଂ ଯଜ୍ଞ ଏହି ଭାବନା ସହିତ କରିବା ଉଚିତ୍, ଫଳର କୌଣସି ଇଚ୍ଛା ରଖିବା ଉଚିତ୍ ନୁହେଁ।
"ଓମ୍ ତତ୍ ସତ୍" ଭାବନା ସହିତ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ମୋକ୍ଷ ପ୍ରଦାନ କରେ। ମୋକ୍ଷର ଅର୍ଥ ଶରୀରରୁ ମୁକ୍ତି ନୁହେଁ, ଏହା ଦୁଃଖରୁ ମୁକ୍ତି ପ୍ରଦାନ କରେ।
ଶରୀର ଧାରଣ ଅବସ୍ଥାରେ, ବ୍ୟକ୍ତି ଅଜ୍ଞାନତାରୁ ମୁକ୍ତି, ଆସକ୍ତିରୁ ମୁକ୍ତି ଏବଂ ପରିଣାମର ଭୟରୁ ମୁକ୍ତି ପ୍ରାପ୍ତ କରେ। ଆମେ ମଧ୍ୟ ପରମାତ୍ମାଙ୍କ ଶୁଭ ନାମ ସହିତ ଆମର କାର୍ଯ୍ୟ ଆରମ୍ଭ କରୁ ଏବଂ ମଙ୍ଗଳମୟ ନାମ ସହିତ ଏହାକୁ ଅର୍ପଣ କରି ସମାପ୍ତ କରୁ।
"कर प्रणाम तेरे चरणों में
लगता हूँ अब तेरे काज
आज्ञा पालन करने को
युक्त होता हूँ मैं आज"
ସଦ୍ଭାବେ ସାଧୁଭାବେ ଚ, ସଦିତ୍ୟେତତ୍ପ୍ରୟୁଜ୍ୟତେ ।
ପ୍ରଶସ୍ତେ କର୍ମଣି ତଥା, ସଚ୍ଛବ୍ଦଃ(ଫ୍) ପାର୍ଥ ୟୁଜ୍ୟତେ||26 ||
ସତ୍ - ପରମାତ୍ମାଙ୍କର ଏହି ନାମ ସତ୍ୟଭାବରେ ଏବଂ ଶ୍ରେଷ୍ଠଭାବରେ ପ୍ରୟୋଗ କରାଯାଏ ତଥା , ହେ ପାର୍ଥ ! ଉତ୍ତମ କର୍ମରେ ସତ୍ ଶବ୍ଦ ପ୍ରୟୋଗ କରାଯାଏ।
ବିବେଚନ -
ଏଠାରେ, ଶ୍ରୀଭଗବାନ ପୁଣି ଥରେ ‘ସତ୍’ ଶବ୍ଦଟିର ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି, ଏବେ ଏହା ମଧ୍ୟ ସତ୍ୟ ହେବା ଆବଶ୍ୟକ। ତେଣୁ, ହେ ପାର୍ଥ! ଯେଉଁମାନେ ପୁଣ୍ୟ, ଉତ୍ତମ କର୍ମ କରନ୍ତି ସେମାନେ ‘ସତ୍’ ଶବ୍ଦ ସହିତ ଅର୍ପଣ କରିବାର ଭାବନାରୁ ମଧ୍ୟ ମୁକ୍ତ ହୋଇଯାଆନ୍ତି।
"जो कुछ किया सो तुम किया
मैं कुछ किया नाहिं
कहे कोई जो तुम किया
तुम ही हो मुझ माहिं"
ତୁମେ କରିଛ, ତୁମେ କରାଇଛ। ବିଶ୍ୱର କଲ୍ୟାଣ ପାଇଁ ତାହା କିପରି ଏହି ବିଶ୍ୱରେ ଚିରକାଳ ରହିବ? ଏହା କିପରି ଦୀର୍ଘ ସମୟ ପାଇଁ ସୃଷ୍ଟିକର୍ତ୍ତାଙ୍କ ସାଥିରେ ରହିବ? ଏହା ବିଶ୍ୱର କିପରି ହିତ ସାଧନ କରିବ? ଏହା କେବଳ "ସତ୍’ ଶବ୍ଦ ସହିତ କରାଯିବ। ସେହି କାର୍ଯ୍ୟଗୁଡ଼ିକ ସୃଷ୍ଟିକର୍ତ୍ତାଙ୍କ ପାଇଁ ହିଁ କରାଯାଏ, ତେଣୁ ଏହାକୁ ‘ସତ୍ୟ’ କୁହାଯାଏ। ଏହା ଆଉ ଏବେ ନଷ୍ଟ ହେବ ନାହିଁ; କାରଣ ଏହା ପରମାତ୍ମାଙ୍କ ସହିତ ଜଡିତ। ଏହା ସୃଷ୍ଟିକର୍ତ୍ତାଙ୍କ ସହିତ ସର୍ବଦା ରହିବ।
ୟଜ୍ଞେ ତପସି ଦାନେ ଚ, ସ୍ଥିତିଃ(ସ୍) ସଦିତି ଚୋଚ୍ୟତେ ।
କର୍ମ ଚୈବ ତଦର୍ଥୀୟଂ(ମ୍), ସଦିତ୍ୟେବାଭିଧୀୟତେ||27 ||
ଯଜ୍ଞ, ତପ ଓ ଦାନରେ ଯେଉଁ ସ୍ଥିତି ଥାଏ , ତାହାକୁ ମଧ୍ୟ ସତ୍ ବୋଲି କୁହାଯାଏ ଏବଂ ସେହି ପରମାତ୍ମାଙ୍କ ପାଇଁ କରାଯାଉଥିବା କର୍ମ ନିଶ୍ଚିତ ରୂପେ ସତ୍ ବୋଲି କୁହାଯାଏ।
ବିବେଚନ -
ଯଜ୍ଞ, ତପସ୍ୟା ଏବଂ ଦାନର ପ୍ରକୃତ ଅବସ୍ଥା କେତେବେଳେ ସିଦ୍ଧ ହେବ, ଯେତେବେଳେ ‘ତତ୍’ ଶବ୍ଦ ସହିତ ଏହାକୁ ଅର୍ପଣ ଭାବନାରେ କରାଯାଏ। ଈଶ୍ୱରଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ‘ସତ୍’ ଶବ୍ଦ ସହିତ ଅର୍ପଣ କରାଯାଇ ପାରିବ। ଈଶ୍ୱର କହୁଛନ୍ତି ଯେ, ଯଦି ଶ୍ରଦ୍ଧା-ବିଶ୍ୱାସ ବିନା ଦାନ, ତପସ୍ୟା ଏବଂ ଜ୍ଞାନାର୍ଜନ କରାଯାଏ, ତେବେ ସେଗୁଡ଼ିକ ବିଶ୍ୱର କାହାରି ପାଇଁ କେବେ ଲାଭଦାୟକ ହେବ ନାହିଁ।
ଯଜ୍ଞ, ତପସ୍ୟା ଏବଂ ଦାନର ପ୍ରକୃତ ଅବସ୍ଥା କେତେବେଳେ ସିଦ୍ଧ ହେବ, ଯେତେବେଳେ ‘ତତ୍’ ଶବ୍ଦ ସହିତ ଏହାକୁ ଅର୍ପଣ ଭାବନାରେ କରାଯାଏ। ଈଶ୍ୱରଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ‘ସତ୍’ ଶବ୍ଦ ସହିତ ଅର୍ପଣ କରାଯାଇ ପାରିବ। ଈଶ୍ୱର କହୁଛନ୍ତି ଯେ, ଯଦି ଶ୍ରଦ୍ଧା-ବିଶ୍ୱାସ ବିନା ଦାନ, ତପସ୍ୟା ଏବଂ ଜ୍ଞାନାର୍ଜନ କରାଯାଏ, ତେବେ ସେଗୁଡ଼ିକ ବିଶ୍ୱର କାହାରି ପାଇଁ କେବେ ଲାଭଦାୟକ ହେବ ନାହିଁ।
ଅଶ୍ରଦ୍ଧୟା ହୁତଂ(ନ୍) ଦତ୍ତଂ(ନ୍), ତପସ୍ତପ୍ତଂ(ଙ୍) କୃତଂ(ଞ୍) ଚ ୟତ୍ ।
ଅସଦିତ୍ୟୁଚ୍ୟତେ ପାର୍ଥ, ନ ଚ ତତ୍ପ୍ରେତ୍ୟ ନୋ ଇହ ||28 ||
ହେ ପୃଥାପୁତ୍ର ! ବିନା ଶ୍ରଦ୍ଧାରେ କରାଯାଉଥିବା ହୋମ , ଦିଆଯାଉଥିବା ଦାନ ଏବଂ କରାଯାଉଥିବା ତପ ତଥା ଅନ୍ୟାନ୍ୟ ଶୁଭ କର୍ମକୁ ‘ଅସତ୍’ ବୋଲି କୁହାଯାଏ ; ତେଣୁ ସେସବୁ ଇହ ଲୋକରେ ଲାଭଦାୟକ ନୁହେଁ , କି ମରିବା ପରେ ମଧ୍ୟ ଲାଭଦାୟକ ନୁହେଁ ।
ବିବେଚନ -
ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, "ହେ ଅର୍ଜୁନ! ଶ୍ରଦ୍ଧା ବିଶ୍ୱାସ ବ୍ଯତିରକେ ଯେକୌଣସି ଶୁଭ କାର୍ଯ୍ୟ କରାଯାଏ, ଯେପରିକି ଦାନ ଏବଂ ତପସ୍ୟା ଯାହା ଶ୍ରଦ୍ଧା ବିନା କରାଯାଇଥିବ, ଏପରି କୌଣସି ଶୁଭମନାସ କାର୍ଯ୍ଯ ସିଦ୍ଧ ହେବ ନାହିଁ ଏବଂ ସୃଷ୍ଟି ପାଇଁ ମଧ୍ୟ ଏହା କଲ୍ୟାଣକାରୀ ହୋଇ ପାରିବ ନାହିଁ ; ଜୀବିତାବସ୍ଥାରେ ହେଉ ବା ମୃତ୍ୟୁ ପରେ ମଧ୍ୟ କୌଣସି କାମରେ ଆସି ପାରିଵ ନାହିଁ। ସେ ସମୁଦ୍ର ପରି ବିଶାଳ କର୍ମ କିମ୍ବା ଅଶ୍ୱମେଧ ପରି ବଡ଼ ଯଜ୍ଞ, ଦାନ ଅବା ତପସ୍ୟା କରିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡିବ ନାହିଁ। "
ତେଣୁ ଜଣେ ବ୍ୟକ୍ତି "ଓମ୍ ତତ୍ ସତ୍" କହି ଯେକୌଣସି କାର୍ଯ୍ୟ ଆରମ୍ଭ ଏବଂ ଶେଷ କରିବା ଉଚିତ। ଯଦିବା ଆମେ ସମୁଦ୍ର ଆକାରର ଏକ ଜଳଭଣ୍ଡାର ନିର୍ମାଣ କରୁ ଏବଂ ଅଗଣିତ ରତ୍ନ ଦାନ କରୁ, ତଥାପି ଯଦି ଆମେ ଏହି ମନ୍ତ୍ର ବ୍ୟବହାର ନ କରୁ କିମ୍ବା ଏହାକୁ ଉଚ୍ଚାରଣ ନ କରୁ, ଏବଂ "ଓମ୍ ତତ୍ ସତ୍" ନ କହୁ, ତେବେ ସମସ୍ତ କର୍ମ ବ୍ୟର୍ଥ ହେବ। ଯଦି ଆମେ “ଏ ସମସ୍ତ ତୁମର, ତେଣୁ ତୁମକୁ ହିଁ ଅର୍ପଣ ହେଉ”ର ଭାବନା ସହିତ ନକରୁ, ତେବେ ଏହି ଦାନରେ କୌଣସି ଲାଭ ମିଳିବ ନାହିଁ।
ଏହା ସହିତ ଏହି ସୁନ୍ଦର ଅଧ୍ୟାୟ ଶ୍ରଦ୍ଧାତ୍ରୟବିଭାଗଯୋଗ ସମାପ୍ତ ହେଲା ଏବଂ ପ୍ରଶ୍ନ-ଉତ୍ତର ସତ୍ର ଆରମ୍ଭ ହେଲା।
• ପ୍ରଶ୍ନୋତ୍ତର •
ପ୍ରଶ୍ନକର୍ତ୍ତା : ଲତା ଅମିନ ଜୀ
ପ୍ରଶ୍ନ : ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି। ତଥାପି ଦେବୀ ସୀତାଙ୍କୁ ଉଦ୍ଧାର କରିବାପାଇଁ ତାଙ୍କୁ ବର୍ଷାଧିକ ବର୍ଷ ଲାଗିଲା କାହିଁକି?
ଉତ୍ତର : ରାବଣ ଭଗବାନ ବ୍ରହ୍ମାଙ୍କଠାରୁ ଏକ ବର ପାଇଥିଲେ ଯେ, ତାଙ୍କୁ ମଣିଷ ବ୍ୟତୀତ ଅନ୍ୟ କୌଣସି ଦେବତା, ରାକ୍ଷସ କିମ୍ବା ଅନ୍ୟ ଶକ୍ତି ଦ୍ୱାରା ହତ୍ୟା କରାଯାଇ ପାରିବ ନାହିଁ। ପ୍ରଭୁ ଶ୍ରୀରାମ ଦୁଷ୍ଟ ଶକ୍ତିକୁ ବିନାଶ କରିବା ପାଇଁ ମାନବ ରୂପରେ ଅବତାର ନେଇଥିଲେ। ପ୍ରଭୁ ଶ୍ରୀରାମ ମର୍ଯ୍ୟାଦା ପୁରୁଷ ବା ପ୍ରତିମୂର୍ତ୍ତି ଥିଲେ। ତେଣୁ ମର୍ଯ୍ଯାଦାକୁ ଅନୁସରଣ କରି, ସେ ଦେବୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଯଥୋଚିତ ସମୟ ନେଇଥିଲେ।
ପ୍ରଶ୍ନକର୍ତ୍ତା : ଅରୁଣ ଜୀ
ପ୍ରଶ୍ନ : ଏହି ଅଧ୍ୟାୟର ତେଇଶତମ ଶ୍ଳୋକ (୧୭.୨୩) ରେ "ବ୍ରାହ୍ମଣ" ଶବ୍ଦର ଅର୍ଥ କ'ଣ?
ଉତ୍ତର : ଏହି ଶ୍ଳୋକରେ, "ବ୍ରାହ୍ମଣ" ଶବ୍ଦଟି ସାଧାରଣ ବ୍ରାହ୍ମଣଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ପରମାତ୍ମା ଶ୍ରୀଭଗବାନଙ୍କ ଉଦ୍ଦେଶ୍ଯରେ ବ୍ୟବହୃତ ହୋଇଛି।
ପ୍ରଶ୍ନକର୍ତ୍ତା : ଶ୍ରୀଧର ଜୀ
ପ୍ରଶ୍ନ : ଦୟାକରି ଏହି ଅଧ୍ୟାୟର ତେଇଶତମ ଶ୍ଳୋକ (୧୭.୨୩)କୁ ପୁଣି ଥରେ ବୁଝାଇ ଦିଅନ୍ତୁ।
ଉତ୍ତର : ଓମ୍, ତତ୍, ସତ୍ - ଏହିପରି ଏହି ତିନି ପ୍ରକାରର ସଚ୍ଚିଦାନନ୍ଦଘନ ବ୍ରହ୍ମାଙ୍କ ନାମ କୁହାଯାଏ। ଏହିଥିରୁ ଆଦିକାଳ ବା ସୃଷ୍ଟିର ଆରମ୍ଭରେ ବ୍ରାହ୍ମଣ, ବେଦ ଏବଂ ଯଜ୍ଞାଦିର ସୃଷ୍ଟି ହୋଇଥିଲା।
॥॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥॥
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ଶ୍ରଦ୍ଧାତ୍ରୟବିଭାଗୟୋଗୋ ନାମ ସପ୍ତଦଶୋଽଧ୍ୟାୟଃ।।
ଏହି ପ୍ରକାର ଓଁ ତତ୍ ସତ୍ -- ଏହି ଭଗବତ୍ ନାମର ଉଚ୍ଚାରଣପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରୂପେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ 'ଶ୍ରଦ୍ଧାତ୍ରୟବିଭାଗଯୋଗନାମକ' ସପ୍ତଦଶ ଅଧ୍ୟାୟ ପୂର୍ଣ୍ଣ ହେଲା ।